Unknown

 

 

 

 

 

 

 

 

 

ଅମୃତର ସନ୍ତାନ

ଗୋପୀନାଥ ମହାନ୍ତି

 

 

 

 

 

 

 

 

 

ଯେ ମୋର ସଂସାରର ଜଞ୍ଜାଳର ଗରଳକୁ କଣ୍ଠରେ ଧରେ, ଦିଏ ଅମୃତ; ଯାହାର ବିଶ୍ୱାସ ସାହସ ସାଧନାରେ ହିଁ ସମ୍ଭବ ହୁଏ ମୋର ସାହିତ୍ୟ, ଚୁଲିନିଆଁ ପାଖେ ତପସ୍ୟାନିରତା ସେହି ମୋର ସ୍ତ୍ରୀକୁ ଉପହାର ଦେଲି ।

 

ଗୋପୀନାଥ ମହାନ୍ତି

•••

 

ଏକ

 

କେଉଁ ଅସରନ୍ତି ଅତୀତର ପିତୃପୁରୁଷଙ୍କର କନ୍ଧିସ୍ଥାନ ମାଳ ଭିତରେ ଚାରିହଜାର ଫୁଟ ଉଞ୍ଚ ଗାଁରେ ସରବୁ ସାଓଁତାର ଘର । ସେ କନ୍ଧ । ତାର ଭାଷା ଅତି ପ୍ରାଚୀନ ‘କୁଭି’ । ତାର ଗୋତ୍ର ମିଣିଆକା, ମଣିଷର ଆଦିମ ଶସ୍ୟ ଯେଉଁ ପାହାଡ଼ ତଳିର ବଡ଼ସୁଆଁ ତାହାରି ନାଁ ମିଣିଆକା । ଗାଁ ମିଣିଆପାୟୁ ।

 

ସରବୁ ସାଓଁତା ଗାଁର କୁଳ-ବୃଦ୍ଧ, ସେ ଗାଁର ମୁଣ୍ଡ, ସର୍ଦ୍ଦାର, ସବୁ,-ତେଣୁ ସେ ସାଓଁତା । ତାର ଗୋଷ୍ଠୀରେ ପାଞ୍ଚଶହ କନ୍ଧଘର, ଏତେ ବୀରଙ୍କର ମଉଡ଼ମଣି ସେ ସରବୁ ସାଓଁତା ।

 

ସେ ରଜା ନୁହେଁ, ସେ ପ୍ରଜା । କିନ୍ତୁ ସେ କନ୍ଧର ସର୍ଦ୍ଦାର, ସାଓଁତା । ସେ କୌପୁନୀ ପିନ୍ଧେ, ମୁଣ୍ଡର ତମ୍ବାପରି ବାଳ ଫୁରୁଫୁରୁ ଉଡ଼େ, ଧୂଆଁପତ୍ର ଛେପ ଅବିରାମ ବୁହେ, ତଥାପି ସେ ସର୍ଦ୍ଦାର, ଜୀଆଇବାକୁ ମରେଇବାକୁ । କନ୍ଧର ଧାରଣାରେ ରଇତ ଦରିଦ୍ର ହେଉ ପଛେ, ରଜାଠୁ ତାର ଆଭିଜାତ୍ୟ ବେଶୀ । ରଜା ସାନଭାଇ, କନ୍ଧ ବଡ଼ଭାଇ, ପ୍ରଜା ବଡ଼ଭାଇ । ବଡ଼ଭାଇ ଘୋଡ଼ା ଚଢ଼ିବ ବୋଲି ଛାଟ ଭାଙ୍ଗିବାକୁ ଯାଇଥିଲା, ସାନଭାଇ ଘୋଡ଼ା ପିଠିରେ ବସି ଛୁ । ସେହିଦିନୁ ସେ ରଜା, ଠକ ସାନଭାଇ, ବଡ଼ଭାଇର ନ୍ୟାଯ୍ୟ ପ୍ରାପ୍ୟ ଯେ ଛଡ଼େଇ ନେଇ ଗାଦିମାଡ଼ି ବସିପଡ଼ିଥିଲା ସେ । ବଡ଼ଭାଇ ରଇତ, ବଡ଼ଭାଇ କନ୍ଧ, ବଡ଼ଭାଇ ସରବୁ ସାଓଁତା ସାନଭାଇର ରଜାର ଅଦୋଉତିକୁ କ୍ଷମା କରି ଶିଖିଛି, ସାନଭାଇକୁ କମ୍‌ ଭଲ ପାଏ ନାହିଁ ସେ ମାଳୁଆ ପାହାଡ଼ ପରି ଉଞ୍ଚ, ଆକାଶ ପରି ଉଦାର, ସରଳ କନ୍ଧିଆଭାଇ ।

 

ସମୟ ଗଡ଼ିଯାଇଛି, କନ୍ଧିଆଭାଇ ତାର ପର୍ବତ ଉପରର ଭଙ୍ଗା ପଲାରେ ବସି କାନ୍ଦେ । ତାର ପିଠିରେ ଚିଆଁଦାଗ, ମନରେ ଘା, ପେଟରେ ଭୋକ । କିନ୍ତୁ ସେ ସହି ଶିଖିଛି, ସର୍ବସହଣୀ ମା ଦର୍ତନୀର ପୋର୍‌ହୁଆଁ ପୁଅ କନ୍ଧିଆଭାଇ ।

 

ଶେଷ ପୌଷର ଖରା । ଅଶୀ ବର୍ଷର ବୁଢ଼ା ସରବୁ ସାଓଁତା ଦୁଆରର ଶାଳଗଛକୁ ଆଉଜି ଅନେଇଁ ଅନେଇଁ ସ୍ୱପ୍ନ ଦେଖୁଥାଏ । ମୁହାଁମୁହିଁ ହୋଇ ମସ୍ତ ଲମ୍ବ ଲମ୍ବ ଦୁଇ ସାଉଡ଼ି ଘର ଗଣିତିରେ ତାର ରାଜୁତି ଇତିଶ୍ରୀ । କିନ୍ତୁ ସେତିକି ନୁହେଁ । ଆଖି ଯେତେଦୂର ଯାଉଛି ଝାଲଝାଲୁଆ ରଣକୁହୁଡ଼ି ଭିତରେ ଗୋଜିଆ ଗୋଜିଆ ପର୍ବତ, ଅଗଣତି ଢେଉପରି, ତଳେ ତଳେ ଖୋଲ ଖାଲ । ସବୁ ତାର ପୂର୍ବପୁରୁଷଙ୍କର । ହେଇ ସେଆଡ଼ର ଲୁପ୍ତ ଦିଗ୍‌ବଳୟ ଭିତରେ ଗଞ୍ଜାମର ମାଳ, ସେଠି ‘କୁଇଭାଷୀ କନ୍ଧ’, ତା’ପରେ ଅଠର ଗଡ଼ଜାତ, ଛତିଶଗଡ଼, ତା’ପରେ ବସ୍ତର ମଧ୍ୟପ୍ରଦେଶର ଖଣ୍ଡିଆ ଭୂଇଁ, ମାଲ୍ୟବନ୍ତ ଗିରିର କୋୟା, ସବୁ ତାର, ବିଶାଳ କନ୍ଧିସ୍ଥାନ । ସେଇଠି ତାର ବୁନିଆଦୀ ପୂର୍ବପୁରୁଷମାନେ ନାଚିକୁଦି ଗଲେ, ସେ ମଧ୍ୟ ଯିବ । ସବୁ ତାର, ହେଉ ପଛେ ସେ ରାଜ୍ୟଛଡ଼ା ବଡ଼ଭାଇ ତ !

 

ସରବୁ ସାଓଁତା ବେମାର ଅଛି । ଛାତିରେ ବଥା, ଦେହରେ ଦୁଃଖ । ସେକାଳର ବୁଢ଼ା ସେ, ସେ ଗଲେ ଖାଲି ଟୋକାଟାକିଳିଆ । ସେ ଆପଣାର ବୟସକୁ ଅଣ୍ଡାଳି ଅଣ୍ଡାଳି ଖୁସି ହୁଏ । ସାନ ଦର୍ପଣରେ ଭ୍ରୂଲତାର ଧୋବଲା ବାଳ ଦେଖି ଖୁସି ହୁଏ । ତାର କନ୍ଧ-ଦର୍ଶନ ଅନୁସାରେ ସେ ଭାବିବସେ ଖରାପ ଲୋକର ଆତ୍ମାର ପରଜନ୍ମ ହୋଇଥିଲେ ସେ ଚଞ୍ଚଳ ମରିଥାନ୍ତା, କେବଳ ଭଲଲୋକର ଆତ୍ମାର ପରଜନ୍ମହିଁ ଦୀର୍ଘ ଆୟୁଷ ପାଏ । ସେ ପରଜନ୍ମରେ ଭଲ ଥିଲା, ଏ ଜନ୍ମରେ ଭଲ ଅଛି, ୟା ପରେ ଅବଶ୍ୟ ତାର ପରଜନ୍ମ ଅନିବାର୍ଯ୍ୟ, ସେ ଖୁସି ହୁଏ । କନ୍ଧ-ସଂସ୍କୃତିର ଭଣ୍ଡାର ସେ, ତାହାରି ଉପରେ ନିର୍ଭର ଦେଇ ସେ କହେ, ଗଲେ ଯିବ, ଏଇଟା ପୁରୁଣା ହୋଇଗଲା, ଅକାମୀ ଦେହ, ଏଇଟାକୁ ଫୋପାଡ଼ିଦେଇ ପୁଣି ଆଉଥରେ ଜନ୍ମହେବା ଭଲ । ସେ ଭାବେ, ଜନ୍ମ ତାର ଆୟତ୍ତାଧୀନ ତେଣୁ ଦୁଃଖ ନାହିଁ ।

 

ମାଳ ଜଙ୍ଗଲ ଆଡ଼କୁ ମୁହଁକରି ସରବୁ ସାଓଁତା ଭାବୁଥିଲା, ଆଉ ଥରେ ଜନ୍ମ ହେବ କି ନାହିଁ । ସୁନ୍ଦର, ମାଳଭୂଇଁ ଅତି ସୁନ୍ଦର, ରଙ୍ଗ ରଙ୍ଗର ପାହାଡ଼ ତଳେ ତଳେ ସ୍ଫଟିକ ସ୍ୱଚ୍ଛ ଝରଣା । ଚାରିଆଡ଼େ ହଳଦିଆ ଅଳସି ଫୁଲ ଭର୍ତ୍ତି, ଅଳସି-ମହୁ କାନ୍ଥରେ ବି ଫେଣା ଝୁଲାଇବାକୁ ବ୍ୟବସ୍ଥା । ସବୁ ସୁନ୍ଦର ।

 

କିନ୍ତୁ ! ସରବୁ ସାଓଁତା ଭାବୁଥିଲା, କନ୍ଧର ଦୁର୍ଭାଗ୍ୟର କଥା । ଦିନୁଁଦିନ ଦୁର୍ଭାଗ୍ୟ ବଢ଼ୁଛି-। ତଳର ଜମି ଗଲା, କନ୍ଧ ଚଢ଼ିଲେ ପର୍ବତରେ । ସେଠି ବି ସବୁ ପରର, ଆପଣାର ବୋଲି କିଛି ନାହିଁ । ଏଣିକି ପରର ବୋଝ ପରର ଜୁଆଳି । ଦେହକୁ କାଟେ, ମନକୁ କାଟେ । କନ୍ଧର ରାଜ୍ୟ ସରିଛି, ତାର ଦେଶ ଛିନ୍ନଭିନ୍ନ, ହୁଏତ ଦିନେ ଲୋକ ଭୁଲିଯିବେ ଯେ କନ୍ଧ ବୋଲି କେହି କେବେ ଥିଲା ।

 

ବଡ଼ଭାଇ ସେ, କିନ୍ତୁ ସବୁଦିନେ କାଙ୍ଗାଳି । ବୁଢ଼ା ବୁଢ଼ାମାନେ କହୁଥିଲେ, କେବେ କେଉଁ କାଳରେ ରାମ ବୋଲି କେହି ଜଣେ ରଜାପୁଅ ତାଙ୍କର ସ୍ତ୍ରୀ ଆଉ ଭାଇକି ଧରି ଏ ବଣକୁ ପଳେଇ ଆସିଥିଲେ । ସେତେବଳେ ଦକ୍ଷିଣର ସାହୁକାରମାନଙ୍କର କନ୍ଧଦେଶରେ ଭାରି ଅତ୍ୟାଚାର । ପୁଞ୍ଜିବାଦୀଙ୍କର ଅତ୍ୟାଚାର ବିରୋଧରେ କନ୍ଧ ପାଇଲେ ଉପଯୁକ୍ତ ସର୍ଦ୍ଦାର । ପ୍ରାସ୍କା (ହନୁମାଙ୍କଡ଼) ବଂଶର ହନୁ କନ୍ଧ ଆଉ ଜାମ୍ବାକା (ଭାଲୁ) ଗୋତ୍ରର ଜାମ୍ବବାନ କନ୍ଧ ତାଙ୍କୁ ସାହାଯ୍ୟ କରିଥିଲେ । ଅନ୍ୟାନ୍ୟ ସବୁ ଗୋତ୍ରର କନ୍ଧମାନେ ତାଙ୍କର ସୈନ୍ୟ ହୋଇଥିଲେ । ଖଣ୍ଡବିଖଣ୍ଡ କନ୍ଧ ଗୋଷ୍ଠୀଙ୍କୁ ରାମଚନ୍ଦ୍ର ଏକାଠି କରିଥିଲେ । ଦୀନ ଦରିଦ୍ର ମଜୁରିଆ ଆଉ ଚାଷୀସୈନ୍ୟ ବର୍ଚ୍ଛା, ଖଣ୍ଡା, ପଥର, ବାଉଁଶ ଧରି ପୁଞ୍ଜିବାଦୀ ସଭ୍ୟତା ବିରୋଧରେ ଯୁଦ୍ଧ କରି ତାକୁ ଓଲଟାଇ ପକାଇଥିଲେ । ପରେ ସେଇ ଦରିଦ୍ର ନେତା ହେଲେ ରାଜା, ସେହି ପୁଣି ପୁଞ୍ଜିବାଦୀ ସଭ୍ୟତା ବସେଇଗଲେ, ଦରିଦ୍ର ଯେଉଁଠି ଥିଲା ସେଇଠି, ଅଚ୍ଛବ ଯେଉଁଠି ଥିଲା ସେଇଠି । ତାଙ୍କର କୀର୍ତ୍ତି ଗାଇଲେ ବାଲ୍ମୀକି (ଜାତି ବିଶେଷ ଜାତିର ରତ୍ନାକର) ।

ରଜା ରଜା, ପରଜା ପରଜା, ଅବସ୍ଥା ମେଣ୍ଟୁ ନାହିଁ ।

ଜମି ଚାଲିଯାଉଛି, ଭାତ ଚାଲିଯାଉଛି, ଜାତି ଛିଣ୍ଡିପଡ଼ୁଛି ।

କନ୍ଧ ବୋଲି ଜନ୍ମହେଲେ ଅପମାନ ସିନା, ମାନ ନାହିଁ ।

ସରବୁ ସାଓଁତା ଭାବିଗଲା, ଦିନ ଥିଲା ଯେତେବଳେ କନ୍ଧ ରଜା ହୋଇଥିଲା, ଯୁଦ୍ଧ କରୁଥିଲା । ଯୁଦ୍ଧର ସଂକେତ ବାଜା ଅଛି, ନାଚ ଅଛି, ଯୁଦ୍ଧ ନାହିଁ । କାହିଁ ସେକାଳର ଚିତ୍କାର ‘ଟୁଣୁହାମୁ’-ହାଣ-’ସାତ୍ରି ସାଜି କିହିମାଇଁ ମେରିଆ ସାଜି କିହିମାଇଁ’-’ଶତ୍ରୁକୁ ବଳି ପକୋଉଛି, ମେରିଆକୁ ବଳି ପକୋଉଛି ।’ ଆଉ ଶତ୍ରୁ ବଳି ପଡ଼ୁନାହାନ୍ତି, ମେରିଆ ବଳି ପଡ଼ୁନାହାନ୍ତି । ଦର୍ମୁ ଉପାସ ଅଛି, ଦର୍ତନୀ ଉପାସ ଅଛି । କନ୍ଧର ଶକ୍ତି ନାହିଁ ଶତ୍ରୁକୁ ମେରିଆ ପକେଇ ହାଣି ଦୁଇ ଉପାସୀ ଦେବତାଙ୍କୁ ଶାନ୍ତି କରିବ ।

ଗାଁ ଶୂନ୍‌ଶାନ୍, ସରବୁ ସାଓଁତା ଏକୁଟିଆ ପଡ଼ିରହିଛି । (ଦର୍ତନୀ ଧରିତ୍ରୀ) ପୂଜା ଆରମ୍ଭ ହୋଇଛି, ଗାଁଲୋକେ ସମସ୍ତେ ଗାଁ ମୁଣ୍ଡରେ ।

ଏଇ ପୌଷ ସରୁଛି । ପୌଷର ଖରାରେ ମହୁଲି ମଦର ସୁଆଦ ଆଉ ନିଶା । ଖରା ଝାଞ୍ଜିରେ ଝୁମ୍ରା ଲାଗେ, ରଣ କୁହୁଡ଼ିରେ ଭାସି ଚାଲେ ଛାଇ, ଅତୀତର ଆଉ ଭବିଷ୍ୟତ୍‍ର । ବୁଢ଼ାର ଆଖି ଢୁଳେଇ ଆସେ ଭାବିଭାବିକା ।

ଗାଁମୁଣ୍ଡରୁ ଝାକର୍‌ ଦେବତା ତୋଟାରୁ ଢୋଲ ଶୁଭୁଛି ଦୁଡ଼ୁମ୍‌ ଦୁଡ଼ୁମ୍ । ଜାନି (ପୁରୋହିତ) ମନ୍ତ୍ର ବୋଲୁଥିବ ସମସ୍ତେ ସୁଖରେ ଥାଆନ୍ତୁ, ଫସଲ ଭଲ ହେଉ, ମେଘ ପାଳୁ, ବାଘ ନ ଖାଉ, ରୋଗ ନ ହେଉ, କେବଳ ଶୁଭକାମନା । ଏତେ ଶୁଭ ପାଞ୍ଚି ପାଞ୍ଚି କେଉଁ ଶୁଭଟା ମାଡ଼ି ଯାଉଛି କନ୍ଧଦେଶରେ ? ସବୁ ଉଚ୍ଛନ୍ନ ହୋଇଗଲା ।

ଏଇ ପ୍ରସିଦ୍ଧ ମେରିଆ ପୂଜା କନ୍ଧଦେଶର, ପୌଷର ଶେଷରେ ମାଘର ଆରମ୍ଭରେ । ସେତେବେଳେ ନରବଳି ପଡ଼ୁଥିଲା । ସାଓଁତା ଘରେ ଆଗରୁ ରଖା ହୋଇଥିବା ବଳିକୁ ପୂଜାଦିନ କୋଳାହଳ କରି ଲୋକେ ଆଣିବାକୁ ଯାଉଥିଲେ । ସେଦିନର ସମବେତ ଚିତ୍କାର ଆଜି ବି କାନରେ ବାଜିଯାଏ, ଶହ ଶହ ଲୋକଙ୍କର ଏକ ରାଆରେ ଗର୍ଜ୍ଜନ–

ଓଡ଼େ ନାଟତି ଶିଣ୍ଡି, ଓଡ଼େ ନାଟତି ତ୍ରାୟୁଁ (ଆରେ ଗାଁର ବଡ଼ ମଣିଷ ଆରେ ଗାଁର ମୁଣ୍ଡ)

କୋୟୁ-ହିପା ହାବୁମନ୍ନେକି, ମେଲ୍ଲୁ-ହିପା ହାବୁମନ୍ନେକି (କୁକୁଡ଼ା ଛୁଆ ଅଛି କି, ମୟୂର ଛୁଆ ଅଛି କି ? ନିଦା ସେଡ଼ା ହାବୁମନ୍ନେକି ନିଦା ମ୍ରିୟିଁ ହାବୁମନ୍ନେକି (ତୋର ପୁଅ ଅଛି କି ?)

ନାଂଗେ ମାଘ ଲେଞ୍ଜ ଓ୍ୱାତେ ବୁଷୁ ଲେଞ୍ଜୁ ଓ୍ୱାତେ (ଆମର ମାଘମାସ ଆସିଲା ପୁଷମାସ ଆସିଲା)

କୋୟୁ-ହିପା ହିୟାମୁ, ମେଲ୍ଲୁ ହିପା ହିୟାମୁ (କୁକୁଡ଼ା ଛୁଆ ଦେ, ମୟୂର ଛୁଆ ଦେ)

ପ୍ରଥା ଅନୁସାରେ ସାଓଁତାକୁ ଟଙ୍କା ଦେଇ କିଣି ନେଇଛନ୍ତି–ଦର୍ମୁ ଦର୍ତନୀ ପାଇଁ-ମାରିଛନ୍ତି-। କେତେ ନିର୍ଦୋଷ ଲୋକ ବଳି ପଡ଼ିଛନ୍ତି ଦେବତାର ପଥର ତଳେ ।

ଆଜି ନରବଳି ଆଉ ନାହିଁ, ମଣିଷ ପରିବର୍ତ୍ତେ ଘୁଷୁରି, ଘୁଷୁରି ନ ମିଳିଲେ ମୂଷାବଳି । ଦର୍ମୁ ମୂଷାର ରକ୍ତ ଖାଉ, ଦର୍ତନୀ ଖାଉ, ମଣିଷକୁ ଖାଇ ଖାଇ ଖୋଳପା କରିସାରିଛି, ଆଉ ମଣିଷର ରକ୍ତ ନାହିଁ ।

ଲିସେଣି (ବିରାଟ ଢୋଲ) ରକ୍ତପୂଜାର ବାଜା ବାଜୁଛି । ବୁଢ଼ା ସାଓଁତା ଦେଖୁଛି ଅତୀତର ସ୍ୱପ୍ନ, ଯେତେବେଳେ କହିବାକୁ ବାଛିବାକୁ କେହି ନ ଥିଲା, ମଣିଷର ଧାରଣା ଥିଲା, ଆପଣାର ରକ୍ତ ତର୍ପଣରେ ଦେବତାର ଶାନ୍ତି । ତେଣୁ ମଣିଷ ଆତ୍ମ-ତ୍ୟାଗ କରୁଥିଲା, ଆପଣା ଭିତରୁ ଜଣକୁ ବଳି ପକେଇ ଦେବତା ପାଖେ ଚିତ୍କାର କରୁଥିଲା–‘ହାଜି ହିଲାରେଟୁ, କାଡ୍‌ନି ହିଲାରେଟୁ (କେହି ନଷ୍ଟ ନ ହେଉ, ବାଘ ନ ରହୁ)

ଆବାରେ ମଣ୍‌ବେ ବାଲାରେ ମଣ୍‌ବେ (ସମସ୍ତେ ସୁଖରେ ଥାଆନ୍ତୁ, ଶାନ୍ତିରେ ଥାଆନ୍ତୁ)

ରାଜି କାଁଗାଲ୍‌ ଆତେ ଯକା ବିଶି କାଁଗାଲ୍‌ ହିଲାରେଟୁ (ରାଜ୍ୟରେ ଦୁର୍ଭିକ୍ଷ ପଡ଼ିଲେ ବି ଦେଶରେ ଦୁର୍ଭିକ୍ଷ ନ ପଡ଼ୁ)

ଉଲି ଗୋଜାଲେହେଁ ତାସା ଆପଦି, ଲେସୁଣ୍‌ ଗୋଜାଲେହେଁ ତାସା ଆପଦି (ପିଆଜ ତାଷ ଭଲ ହେଉ, ରସୁଣ ତାଷ ଭଲ ହେଉ)

ଓଟାମାଡ଼ା ଲେହେଁ ପେରୁ ପାୟାପେ

ପାଏର୍‌ ମାଡ଼ା ଲେହେଁ କାଡ୍‌ଲା ଯାଯାପେ (ବଣର ଲଟା ପରି ଜଙ୍ଗଲ ପରି ତାଷ ମାଡ଼ିଯାଉ)

ମାପୁରୁ ହିକି ଆଦାର୍‌ ହିହିମଞ୍ଜାଇଁ (ମହାପ୍ରଭୁଙ୍କୁ ଖାଦ୍ୟ ଆମେ ଦେଉଛୁଁ)

ନିଙ୍ଗେ ପେନୁ ବୋଗୁ ହିହିମଞ୍ଜାଇଁ (ତୁମକୁ ଦେବତା ଭୋଗ ଦେଉଛୁଁ)

ରାଜି ଉଜୋ ଆତାଇ ଦେଶ ଉଜୋ ଆତାଇ ତିଞ୍ଜିମ୍‌ଜାନେ (ରାଜ୍ୟ ଉଜ୍ଜ୍ୱଳ ହେଉ, ଦେଶ ଉଜ୍ଜ୍ୱଳ ହେଉ ତୁମେ ଭୋଗ ଖାଇଲେ)

ମଣିଷ-ବଳି, ପିଚ୍‌ ପିଚ୍‌ ରକ୍ତ ଆଖି ଅନ୍ଧକରି, ବାଳ ଜଟକରି ମଣିଷର ରକ୍ତ କିନ୍ତୁ ସେ ଖାଲି ରକ୍ତ ଦେଖିବ ବୋଲି ମଣିଷକୁ ହାଣୁଥିଲା ତା ନୁହେଁ । ଗୋଷ୍ଠୀର ମଙ୍ଗଳ ପାଇଁ ସେ ବଳି ପକାଉଥିଲା, ଭାବୁଥିଲା ହୁଏତ ଦେବତା ପ୍ରସନ୍ନ ହେବ, ଉପରେ ଧର୍ମଦେବତା ତଳେ ଧରିତ୍ରୀ । କିନ୍ତୁ କି ଦୁଃଖ ! ପଦେ ପଦେ ସେ ବୁଝୁଥିଲା ଗୋଷ୍ଠୀର ଜଣକୁ ନିକାଶ୍‌ କରୁଛି । ତେଣୁ ଆଠଦିନ ପନ୍ଦରଦିନ ପୂର୍ବରୁ ବଳିକୁ ରାଜ-ଉପଚାରରେ ରଖୁଥିଲା ସେ, ବଳିର ପ୍ରତ୍ୟେକ ଇଚ୍ଛା ପ୍ରତ୍ୟେକ ଆଶା ପୂରଣ କରୁଥିଲା । ବଳି ପଡ଼ିବା ଦିନ ମଦରେ ମାତି ସମସ୍ତେ ବିବେକକୁ ଶୁଆଇ ପକାଉଥିଲେ, ତଥାପି କି କରୁଣ ସ୍ତୋତ୍ରରେ ଦେବତା, ତୋରି ଶାନ୍ତି ପାଇଁ ଏ ମଣିଷ-ବଳି, ଆମର ପାପ ନାହିଁ, ପାପ ନାହିଁ, ତୁ ଭିଆଇଛୁ ତୁ ଖାଉଛୁ, ଆମର ପାପ ନାହିଁ-

‘ନିଙ୍ଗେ ବାରପୂଜା ହିହିମଞ୍ଜାଇଁ (ତତେ ବାରପୂଜା ଦେଉଛୁଁ)

ବାର ଲାଚା ହିହିମଞ୍ଜାଇଁ (ବାରଲାଞ୍ଚ ଦେଉଛୁଁ)

ନାଙ୍ଗେ ପାପୁ ହିଲ୍ଲେଏ (ଆମକୁ ପାପ ହେଉ ନାହିଁ)

ନାଙ୍ଗେ ଦୋହ ହିଲ୍ଲେଏ (ଆମକୁ ଦୋଷ ହେଉ ନାହିଁ)

ଇଟା କାଣ୍ଡା ତିଞ୍ଜିମ୍‌ଜାନେ (ବର୍ଚ୍ଛା ଖାଉଛି)

ମେରିଆ ଡୋରୁଲି ତିଞ୍ଜିମ୍‌ଜାନେ (ତୁମରି ବଳିବନ୍ଧା ଦଉଡ଼ି ଖାଉଛି)

ମନାକାଡ୍‌ଲିନି ତିଞ୍ଜିମ୍‌ଜାନେ (ତୁମରି କୁର୍‌ହାଡ଼ି ଖାଉଛି)

ତଲେ ଦର୍ତନୀ ମାତାତି ଉପ୍ରେ ଦର୍ମୁ ଦେମ୍‌ତା

ନିଙ୍ଗେ ନାନୁ ହିହିମଞ୍ଜାଇଁ ନାଙ୍ଗେ ପାପୁହିଲ୍ଲେଏ (ତମକୁ ଆମେ ଦେଉଛୁଁ, ଆମକୁ ପାପ ନାହିଁ)

ନାନୁ କୋଡ଼େ ଆଏ, ପାପୁହିଲ୍ଲେଏ, (ଆମେ ଟିକିଏ କିଛି କରୁ ନାହୁଁ, ପାପ ନାହିଁ)’

ଏହିପରି ଆପଣାକୁ ଠକି ଦର୍ମୁ ପାଇଁ ଦର୍ତନୀ ପାଇଁ କେତେ ନିର୍ଦୋଷ ଲୋକଙ୍କୁ ସେମାନେ ବଳି ପକାଇ ଦେଇଛନ୍ତି । ଆଜି ସାଓଁତାର ଆୟୁଷ ସରିଆସିଛି । ସବୁ ବଳି ସରିଛି, ଦର୍ମୁ ଅଛି, ଦର୍ତନୀ ଅଛି, କନ୍ଧର କିଛି ବଡ଼ତି ଘଟି ନାହିଁ ।

ସରବୁ ସାଓଁତା ଭାବୁଥିଲା–ସବୁ ବୃଥା, ସବୁ ଅନ୍ଧାର, ଆଗରେ ଆଉ ପଛରେ ଜୀବନଟା ସୁଖରେ କଟିଛି । ଚିନ୍ତା ନାହିଁ ଦକ ନାହିଁ ଖାଲି ଶିକାର, ତାସ, ମଦ, ଆଉ ଫୁର୍ତ୍ତି । ‘ରେ-’ ବୋଲି କାହାଠୁ ଶୁଣି ନାହିଁ, ‘ହଜୁର’ ବୋଲି କାହାକୁ ଡାକି ନାହିଁ । ଯାହାକୁ କହିଲେ ବି “ଓଡ଼େ ସୋଇ, ଓଡ଼େ ସୋଇ”-“ହେ ସାଙ୍ଗୀ, ହେ ସାଙ୍ଗୀ’’ । କାହାରି ସ୍ତ୍ରୀକୁ ଚାହିଁ ନାହିଁ, କାହାରି ଜମିକୁ ଝିଙ୍କି ନାହିଁ । ସିଧା ସଳଖ ସେ ଶାଳଗଛ ପରି ।

 

ଆଜି ଦିନ ସରିଆସିଛି ଯେପରି, ଏଡ଼େ ବିଶାଳ ବୃଷାଳ ଦେହ ଭିତରେ କେଉଁଠି କଳ ବିଗିଡ଼ି ଯାଇଛି, ଅଟକିଯିବ କେଉଁ ମୁହୂର୍ତ୍ତରେ ।

 

ଯାଉ,-ପୁଣି ଜନ୍ମ ହେବ ସେ । ମାଣ୍ଡିଆର ସୁଆଦ ଅଛି, ମାଂସର ସୁଆଦ ଅଛି, ମଦରେ ଅଛି ନିଶା । ଆଉ ସୁନ୍ଦର ବନଭୂଇଁ, ଏଇ ଅଳସିଛୁଆଁ ଢାଲୁଢାଲୁଆ ସାନ ପର୍ବତ । ସବୁଜା-ନେଳି ପିନ୍ଧା କରମଙ୍ଗା ପରି ପାହାଡ଼ ତା’ ଉପରେ ହାଲୁକା ହୁଗୁଳା ରଙ୍ଗରଙ୍ଗର ମେଘ, ଏଠିସ୍ୱପ୍ନ ରହିଛି । ଏଡ଼େ ସୁନ୍ଦର ମଣିଷ ଜନମଠୁଁ ଅଲଗା ହୋଇ ରହିପାରିବ ନାହିଁ ସେ ।

 

ସରବୁ ସାଓଁତା ଉଠି ଠିଆହେଲା । ଘରକୁ ଯାଇ ତାର ବଇଁଶୀ ନେଇ ଆସିଲା । ପୌଷର ମନ ଉଲୁସା ଖରାରେ ଠିଆହୋଇ ଦୁଇହାତ ଲମ୍ବା ବଇଁଶୀରେ ଦୁଇକୋଶ ଲମ୍ବା ରାଗିଣୀ ଛାଡ଼ିଦେଲା ସେ ମାଳ ଉପରେ । ତାର ବିବାହକାଳର ରାଗିଣୀ–

 

‘ଯେଇତା ନିଲସ ମା’ ବାଇଲେ, ବାଇଲେ

ଯେଇତା ତାଲସ ମା’ ବାଇଲେ, ବାଇଲେ–’

 

ଏଇ ମାଳ ଉପରେ ହଜି ଯାଇଥିବା ଯୌବନକାଳର ପ୍ରେୟସୀ ନିଲସ, ତାଲସ, ଲେମ୍ବର ଡୁମ୍ବରମାନଙ୍କର ନାଁ ଧରି ପ୍ରାଚୀନ ରୀତିରେ ବୁଢ଼ା ସାଓଁତା ବଇଁଶୀରେ ଡାକିଗଲା । ଯେପରିକି ତା’କୁ କାଳିଶି ଲାଗିଛି, ‘ନାଚିନୀ’ ଦେବତା ଲାଗିଛି ସେ ବି ଜୀବନୀଶକ୍ତିକୁ ପୂଜା କରିବ ବଇଁଶୀରେ ବଇଁଶୀରେ । ବୁଢ଼ା କୁକୁର ଦସ୍ରୁ ହାଣ୍ଡିଶାଳରୁ ଚମକି ଆସି ସାଓଁତାର ଗୋଡ଼ ଚାଟିଲା । ବଇଁଶୀ ବଜୋଉ ବଜୋଉ ସାଓଁତା ନାଚିଲା । ଜୀବନ ସତ୍ୟ, ଜୀବନ ସୁନ୍ଦର, ପୁରୁଣା ଦେହଟା ଗଲେ ଯାଉ ପଛେ, ପୁଣି ଜନ୍ମ ହେବ ସେ ଏଇ ସୁନ୍ଦର ପୃଥିବୀରେ ।

 

ପୌଷର ଖରାରେ ପ୍ରଜାପତି ଉଡ଼ୁଛନ୍ତି, କେତେ ଅଜଣା ବଣଫୁଲର ବାସ୍ନା ଚମକି ଆସୁଛି, ବଣ ଦେଶର ବାସ୍ନା । ସାମ୍ନାରେ ପର୍ବତ ଉପରେ ଖରା ଲହଡ଼ି ଭାଙ୍ଗୁଛି । ଗାଁ ଘୁମୋଉଛି, ସାଓଁତା ବଇଁଶୀ ବଜେଇ ନାଚୁଛି ।

 

ହଠାତ୍ ଛାତି ଭିତର କ’ଣ ହୋଇଗଲା, ଦେହଟା ବେମାର ଥିଲା, ଛାତିରେ ବଥା । ଶାଳଗଛକୁ ଆଉଜି ପଡ଼ି ଗୋଟାଏ ହାତ ବଇଁଶୀରେ ଗୋଟାଏ ହାତ ବୁଢ଼ା କୁକୁର ଉପରେ ଥୋଇ ସାଓଁତା ଟିକିଏ ଢୁଳେଇ ପଡ଼ିଲା । ଛାତି କ’ଣ ହୋଇଗଲା, ମୁଣ୍ଡରେ ଯନ୍ତ୍ରଣା, ଆଖି ଆଗରେ ଗୋଲ ଗୋଲ କଳା କଳା ଛାଇ । ଅଳ୍ପ ସମୟରେ ସରବୁ ସାଓଁତାର ଗ୍ୟାନ ହଜିଗଲା । ତଳେ ଦର୍ତନୀ, ଉପରେ ଦର୍ମୁ, କନ୍ଧଜାତିର ସବୁଠାରୁ ବଡ଼ ପୂଜାଦିନ ସରବୁ ସାଓଁତାର ମୃତ୍ୟୁ ହେଲା ।

•••

 

ଦୁଇ

 

ଗାଁ ଉପରୁ ଦିଶେ ଗୋଟାଏ ପାଖେ ଗାଁ-ପାହାଡ଼ର ଜଙ୍ଗଲୀ ଚୂଡ଼ା ଅଧେ ବାଟ ଜଡ଼ାଫସଲ ଗୋଡ଼େଇଛି, ତେଣିକି ଭୀଷଣ ଅରଣ୍ୟ । ଗୋଟାଏ ପାଖେ ସାତତାଳରେ ଅନ୍ଧାରୁଆ ବଣ ତଳେ ତଳେ ଗହୀର ଝୋଲା, ତା ସେପାଖେ ଅତଟ ପାହାଡ଼, ପାଖ ତାଷ ଉପତ୍ୟକା, ତା ସେ କଡ଼ରେ ଦାଆ ଫାଳପରି ବିରାଟ ପର୍ବତ, ଆଉ ଗୋଟାଏ ପାଖେ ଗାଁ-ପାହାଡ଼ର ତଳ ଢାଲୁ ଧାନବିଲକୁ ଓହ୍ଲେଇ ପଡ଼ି ପୁଣି ଚଢ଼ିଯାଇଛି ଅରଣ୍ୟୟ ପର୍ବତ ଉପରକୁ ।

 

ଯେଉଁଆଡ଼େ ଚାହିଁଲେ ଅସୁମାରି ପର୍ବତର ମାଳ ଘନଜଙ୍ଗଲ ଖଞ୍ଜିଲା ପରି ତା ଉପରେ ତା ଉପରେ ପର୍ବତର ବିମାନ । ଗାଁ ଭିତରେ ଏତେ ଧୁମ୍‌ଧାମ୍ । ପାଞ୍ଚଶହ ଲୋକଙ୍କର ଘର, ପଦାରୁ ଚାହିଁଲେ କେଉଁଠି ଗାଁ ତାର ପତ୍ତା ମିଳେ ନାହିଁ, ଗାଁ ଉପରର ଧୂଆଁ ଆଉ କୁହୁଡ଼ିର ଧୂଆଁ ଏକାଠି ମିଶି ବିଛେଇ ହୋଇପଡ଼େ-କ୍ଷେତ ଉପରେ, ବଣ ଉପରେ ।
 

ଏଇ ତାର ବୁନିଆଦୀ ଭୂଇଁ ସରବୁ ସାଓଁତାର । ଆର୍ଯ୍ୟ ଆସିଲେ–ସେ ତ କାଲିକାର କଥା, ତା ଆଗଦିନ ଦ୍ରାବିଡ଼ ଆସିଥିଲେ, ତା’ ଆଗରୁ ହଳଦିଆ ଧାର-ମୁହାଁ ନାକ ଚେପ୍‌ଟା ମିଞ୍ଜି ମିଞ୍ଜି ନେଳିଆଖିଆ ଲୋକଙ୍କର ସୁଅ, ପଦବା, ପାରେଙ୍ଗା ସଓରା ମୁଣ୍ଡାରି-କୁଂକାଂ ଚୁଂଚାଂ ଭାଷୀ ଲୋକେ କିନ୍ତୁ ଆଦିମ କାଳରୁ ପାହାଡ଼ର ସାଥୀ ଦର୍ତନୀର ପୁଅ ଏଠି କନ୍ଧ, ତାଙ୍କରି ଏ ସ୍ୱରାଜ୍ୟ, ତାଷଭୂଇଁ, ଶିକାରଭୂଇଁ ।

 

ପାହାଡ଼ର ଖଣ୍ଡପରି ବିଶାଳ ଦେହ ତାର ଶାଳଗଛ ମୂଳେ ପଡ଼ି ରହିଥାଏ, ପବନ ଝିମିଝିମି କରୁଛି, ସତେକି ବଇଁଶୀର ଶେଷ ତାନର ସବାଶେଷ ଲହଡ଼ିଟି ବୁଲି ଲାଗିଛି, ଭଉଁରି ଲାଗିଛି । ଗାଁ ଶୂନ୍‌ଶାନ୍, ଗାଁ ଲୋକେ ପୂଜାରେ ବ୍ୟସ୍ତ ।

 

କିଛି ସମୟ ଗଲା, ସାଓଁତାର ସୋରଶବଦ ନାହିଁ । ମାଛି ବେଢ଼ିଲେ । ପ୍ରଭୁର ଦେହ ପାଖେ ବସି ଦସ୍ରୁ କୁକୁର ଦର୍ମୁଆଡ଼କୁ ମୁହଁ କରି ବିକଳ ହୋଇ ଚିତ୍କାର ଛାଡ଼ିଲା ‘ଓ୍ୱୋ-ଓ-ଓ’ । ଦର୍ମୁ ପାହାଡ଼ ସେପାରି ମୁହଁ ଲୁଚେଇଲା, ଏପାଖୁ ସେପାଖ ଚହଲିଗଲା ଗୁଡ଼ାଏ କଟାକଟି ଛକାଛକି ଛାଇ ଆଲୁଅର ଗାର । ଗୋରୁ ଲେଉଟିଲେ, ଧୂଳିର ମେଘ ଉଡ଼ିଲା ରଙ୍ଗ ଅବିରପରି । ଝୋଲା କୂଳର ଧଡ଼୍‌ଧାଡ଼୍ ଡୁଂଡାଂ ସରିଗଲା । ଝଙ୍କା ବରଗଛ ତଳେ ମୂଷାର ରକ୍ତ ଆଉ ରନ୍ଧାମଦ ଢାଳି, ହାତେ ଉଞ୍ଚ ଛାମୁଡ଼ିଆ ଉପରେ କୁକୁଡ଼ା ଡିମ୍ବ ଥୋଇ, ହଳଦିଆ ନାଲିଆ ଟୋପି ଟୋପିକା ଚିତ୍ର ହୋଇଥିବା ସାନ ସାନ କାଠଖଣ୍ଡା, କାଠବର୍ଚ୍ଛା ଓ ଖେଳନା ବାଘ ମୂର୍ତ୍ତି ତଳେ ଥୋଇଦେଇ ସବୁ ଶ୍ଳୋକ ସବୁ ମଙ୍ଗଳକାମନା ଶେଷକରି ଗାଁ ଲୋକେ ଗାଁକୁ ଚଢ଼ିଲେ । ପୂଜା ସରିଛି, ଏଥର ମଦପିଆ ଆଉ ଫୂର୍ତ୍ତି ।

 

ଆଲୁଅର ଗାର ସାନ ହେଲା, ଛାଇର ଗାର ବଢ଼ିଗଲା, ଦସ୍ରୁ ବସି କାନ୍ଦୁଥାଏ, ତାର କୁକୁରିଆ ଆଖି କ’ଣରୁ ଛାପି ପଡ଼ୁଥାଏ ବଡ଼ ବଡ଼ ଲୁହ ।

 

ତୁନିତାନି ଗାଁ ଭିତରେ ଚହଳ ବଢ଼ିଗଲା, ଆନନ୍ଦର ହର୍ଷରୋଳ, ଏଥର ମଦପିଆ ହେବ-। ମଦ ଦାଣ୍ଡକୁ ଅଣାହେଲା । ହାତରେ ଛେଲୁଆ, ଲାଉତୁମ୍ବା ବୋତଲ, ଟିଣ ଧରି ଗାଁ ଲୋକେ ମଦକୁ ବେଢ଼ି ବସିଲେ । ଗେଧ ଖେଂକିଲାପରି ବୁଢ଼ାମାନଙ୍କର ଖଡ଼ ଖଡ଼ ଗମ୍ଭୀର ଭାଷା ମଦ ଲୋଭରେ ଆହୁରି ବ୍ୟଗ୍ର ହୋଇ ଉଠୁଛି । କିଏ ପିଇଲାଣି, କିଏ ପିଇବାକୁ ଯାଉଛି । ବୁଢ଼ା ହଡ଼ାଟିଏ ମରାହୋଇ ଦୁଇଫାଳ ହୋଇ ଠାଏ ଟଙ୍ଗା ହୋଇଛି, ରକ୍ତ ବୋହୁଛି ଥପ ଥପ । ମଦପିଆ ପରେ ବଡ଼ ଅଗି ଜଳିବ । ଅଧେ ମାଂସ ନିଆଁରେ ପୋଡ଼ି ସେକି ଖିଆହୋଇଯିବ, ବାକି ଅଧକ ଶାଗୁଆତି-। ଠାଏ ପୁରୁଷଙ୍କ ମଦପିଆ, ଠାଏ ସ୍ତ୍ରୀଙ୍କର, ହଳଦୀ ଲଗେଇ ମୁହଁରେ ମୁଣ୍ଡରେ ଜଡ଼ାତେଲ ବୋଳି ସେମାନେ ପଙ୍ଗତ ପକେଇ ବସି କିଚିରି ମିଚିରି ଲଗେଇଛନ୍ତି । ଏଠି ସେଠି ଦିଜଣ ଚାରିଜଣ କନ୍ଧ କକ୍‌କାରୁ (ପିଲାମାନେ) ଅଣ୍ଟାରେ ସାନ ସାନ କୌପୁନୀ ଖୋସିଦେଇ ଏକଗୋଡ଼ିକିଆ ଦିଗୋଡ଼ିକିଆ ଡେଉଁଛନ୍ତି, ଧୂଳିରେ ଗଡ଼ୁଛନ୍ତି, ମୁହଁରେ ଆଖିରେ ଉଜ୍ଜ୍ୱଳ ହସ । ଆଜି ବଡ଼ ଦିନର ବଡ଼ ପରବ ।

 

ଦସ୍ରୁ କୁକୁର ବୋବାଳି ଛାଡ଼ିଥାଏ । ମାଂସର ବାସ୍ନାରେ ତାର ନାକ ନିଶ ଫୁଲିଯାଏ ଆପେ ଆପେ, କାନ୍ଦଣା ମଝିରେ ମାଂସ ବାସ୍ନାକୁ ଉଣ୍ଡି ନାକ ସୁଙ୍ଗୁ ସୁଙ୍ଗୁ ହୁଏ । କିନ୍ତୁ ପାଖରେ ସାଓଁତାର ଦେହ, ଖାଲି ଦେହଟା ଶୁଖିଲା ସାପକାଠି ପରି । ଏକା ଥାଳିରୁ ସାଓଁତା ସାଙ୍ଗରେ ଭାତଖିଆ, ଏକାଠି ବଣରେ ଶିକାର । ରାତିରେ ଯେତେବେଳେ ବାହାରେ ଅଜଣା ଭୟ, ଅନ୍ଧାରରେ ବାଡ଼ି ତଳେ ତଳେ କୁକୁରର ଯମ ଡୁର୍କା (କଲରାପତରିଆ) ବାଘର ଦାଉ ଦାଉ ଆଖି ସେତେବେଳେ ଘର ଭିତରେ ନିଆଁ ପାଖେ ଏକାଠି କୁଂକିରି କାଂକିରି ହୋଇ ସେ ଆଉ ତାର ସାଓଁତା । କିଏ ଆଉ ତାର ନିଶ ଓଟାରି ଓଟାରି ଗେଲ କରିବ, ମୁହଁରେ ଭର୍ତ୍ତି କରିବ ଧୂଆଁପତ୍ର ଧୂଆଁ, ଦେହରେ ଘା ହେଲେ ଶୁଖୁଆ ପାଣିରେ ଧୋଇ ଧାଇ ଭଲ କରିଦେବ । କିଏ ବୁଝିବ ତାର କୁକୁର ମନର କଥା ତାର ସାଓଁତା ବିନା ? ସମସ୍ତେ ଭୁଲିଯିବେ ମଣିଷର ଭୁଲାମନ, କିନ୍ତୁ ସେ– ?

 

ମୁହଁକୁ ଚାଟେ, ପାଦକୁ ଚାଟେ ବାରମ୍ବାର ବୁଝେ ସବୁ ଥଣ୍ଡା, ସବୁ ଶେଷ, ଆକାଶ ଫଟେଇ ଚିତ୍କାର ଛାଡ଼ିଦିଏ ଦେବତା ଆଡ଼କୁ, କୁକୁର ସେଠୁ ଉଠେ ନାହିଁ ।

 

କିଛି ସମୟ ପରେ ଆହୁରି ମଦ ଆଣିବାକୁ ମାଂସ ଆଣିବାକୁ ଘରୁ ଜାଗା ନେବାକୁ ସାଓଁତାର ଘରର ଲୋକେ ଘରକୁ ଆସିଲେ । ଆସିଲା ସାଓଁତାର ଭାଇ ଲେଞ୍ଜୁ (ଚନ୍ଦ୍ର) କନ୍ଧ, ସାଓଁତାର ପୁଅ ଦିଉଡ଼ୁ (କାର୍ତ୍ତିକ) କନ୍ଧ, ଡେଙ୍ଗାଗୋଡ଼ିଆ କଳିଙ୍ଗୀ ଲଢ଼େଇ ଗଞ୍ଜାପରି ଭେଣ୍ଡିଆର ଚେହେରା ପିଲାପରି ମୁହଁ, ତାର ସ୍ତ୍ରୀ ଯୁଞ୍ଜୁ (ଫୁଲ), ନଅମାସର ଗର୍ଭ, ସାଓଁତାର ଅଭିଆଡ଼ୀ ଝିଅ ପୁବୁଲି (ପ୍ରଜାପତି) । ତାର କୁଟୁମ୍ବ ଏତିକି । ଲେଞ୍ଜୁ ପାଖ ବଖରାରେ ପଶିଲା, ମଦ ରଖିବାକୁ ସେ ସାନ ଟିଣଟିଏ ରଖିଛି । ଦିଉଡ଼ୁର ଆଖି ଟଳଟଳ । ପୁବୁଲି ବେଶ୍‌ ହୋଇଛି ।

 

ସମସ୍ତେ ଭାବିଥିଲେ, ସାଓଁତା ସବୁଦିନ ପରି ଅଳସେଇ ଶୋଇପଡ଼ିଛି । ଦିଉଡ଼ୁ ବିରକ୍ତ ହେଲେ, ଆଜିପରା ଦିନରେ ଆନନ୍ଦ ମଉଜରେ ନ ମାତି ବାପ ଏପର୍ଯ୍ୟନ୍ତ ଶୋଇଛି, ଆଉ ଟିକିଏ ଗଲେ ଆଲୁଅ ଚାଲିଯିବ । ଦିଉଡ଼ୁ ଭାବିଲା, ବାପକୁ ଉଠେଇ ଦେବା ତାର କର୍ତ୍ତବ୍ୟ, ଗାଁ ମଦରୁ ଆଗ କିଛି ପେଟରେ ସାଇତୁ ସେ, ତା’ପରେ ଘରେ ସାଇତା ହେବ । ଦିଉଡ଼ୁ ପାଖକୁ ଗଲା, କୁକୁଟାର ଅନର୍ଥକ ବୋବାଳିରେ ସେ ବିରକ୍ତ ହେଉଥିଲା । ଟେକା ଉଞ୍ଚେଇ କୁକୁର ପାଖକୁ ସେ ଚମକି ଗଲା । ସାଓଁତାକୁ ଡାକିଲା, ଜବାବ ନାହିଁ, ହଲେଇ ଦେଲା, ଜବାବ ନାହିଁ । ଅଳ୍ପ ମଦନିଶା ଘାରିଥିଲା ତା’କୁ । ତା’ପରେ ବାରମ୍ବାର ହଲାହଲିରେ ସେ ବୁଝିଲା, ତାର ମଦଭୋଳ ମୁଣ୍ଡ ପଛକୁ ଘୁଞ୍ଚେଇଦେଇ ଛାତି ଭିତରେ ବେଁଶିରା ହାଡ଼ ଭିତରେ ପଶିଗଲା ଯେପରି ଶୀତର ସୁଅ । ଶେଷଥର ବାପା ବୋଲି ଡାକିଦେଇ କପାଳରେ ହାତ ଦେଇ ଦିଉଡ଼ୁ ଥକ୍‌କା ହୋଇ ବସିପଡ଼ିଲା ।

 

ଦିଉଡ଼ୁ ପାଟିକଲା, ଘରର ଲୋକେ ଜମାହେଲେ । ସମସ୍ତେ ମିଶି କାନ୍ଦିଲେ, କୋଡ଼ିଲେ, ଛାତିରେ ପିଟିଲେ, ନଖରେ ଗାଲକୁ ଚୁମୁଟି ଚୁମୁଟି ଓଟାରି ଲହୁ ବୁହାଇଲେ । ସମସ୍ତେ ବିକଳ ହୋଇ କାନ୍ଦିଲେ ଗଡ଼ିଲେ ।

 

ଯେଉଁଠି ଥିଲା କାର୍ତ୍ତିକ ପରବର ଆନନ୍ଦ ଉତ୍ସାହ ସେଠିକି ଓହ୍ଲାଇ ଆସିଲା ସଞ୍ଜ ଆକାଶର ଅନ୍ଧାର । ‘ଆଲୋ ଆଲୋ ହାତେୟୁଁ ହାତେୟୁଁ’ (ହାୟ ହାୟ, ମରିଗଲା) । ତେଲହଳଦି ବୋଳା ମୁହଁରେ ଲାଗିଗଲା ଗାଁ ଦାଣ୍ଡର ବାଲି ।

 

କାନ୍ଦଣା ଶୁଣି ସମସ୍ତେ ଗଦାହୋଇ ପଡ଼ିଲେ । କାନ୍ଦଣା ବଢ଼ିଲା । ଧାଡ଼ି ଧାଡ଼ି ହୋଇ ସ୍ତ୍ରୀଲୋକମାନେ ବସି ସମସ୍ୱରରେ ବିଳାପ କଲେ ଗୀତ ବୋଲି ବୋଲି–

 

ଆଲୋ ଆଲୋ ହାତେୟୁଁ ହାତେୟୁଁ, ପାପୁ

ନିଙ୍ଗେ ଓୟାତାଣାକି ନିଙ୍ଗେ ତିଞ୍ଜାତାଣାକି, ପାପୁ

 

ପୁରୁଷମାନେ ସାଓଁତାର ଶବକୁ ବେଢ଼ି ବ୍ୟସ୍ତ ହୋଇପଡ଼ିଲେ । ଅନେକ କାମ ବାକି । ଦସ୍ରୁ ଉଠିଲା, ତାର ଫୁଲ ଛାଞ୍ଚୁଣିପରି ଲାଙ୍ଗୁଡ଼ଟିକୁ ତଳେ ପିଟିଲା, ଦେହଟାକୁ ଝାଡ଼ିଲା, ମଣିଷ ମଣିଷକୁ ଆଦରି ନେଲା, ଏଥର ତାର ଛୁଟି, ମାଂସର ବାସ୍ନା ରକ୍ତର ବାସ୍ନା ଉଣ୍ଡି ଉଣ୍ଡି ସେ ଚାଲିଲା ।

 

ଚାରିଆଡ଼େ ହୋହା ଘୋଘା, ତାହାରି ଭିତରେ ସମସ୍ୱରରେ ମୃତ୍ୟୁର ଛନ୍ଦ–

‘ନିଙ୍ଗେ ଓୟାତାଣାକି ନିଙ୍ଗେ ତିଞ୍ଜାତାଣାକି, ପାପୁ’

(ତୁମକୁ ଶୋଷିଦେଲା କି ତୁମକୁ ଖାଇଗଲା କି, ହାୟ ହାୟ)

 

ଦୂରର ଦୂରର ପର୍ବତ ଆଉ ଗଛ, ଯେ ଦିନବେଳେ ବାରି ହୁଏ ନାହିଁ ହଠାତ୍‌ ନାଲି ଗାରଗାର ଦିଗ୍‌ବଳୟ ଆଗରେ ଅନ୍ଧାରି ଅନ୍ଧାରି ହୋଇ ଠିଆହୋଇ ରହି ଅନ୍ଧାରି ଦରିଆରେ ସବୁ ବୁଡ଼ିଗଲେ । ରାତି ହେଲା ।

 

ସ୍ତ୍ରୀଲୋକମାନଙ୍କୁ କାନ୍ଦିବାକୁ ଛାଡ଼ିଦେଇ ଆଖି ପୋଛି ପୋଛି ପୁରୁଷମାନେ ପ୍ରସ୍ତୁତ ହେଲେ ।

 

କେତେ ବୁଢ଼ା କେତେ ଭେଣ୍ଡିଆ ସମସ୍ତେ ରୁକ୍ଷ । ସମସ୍ତେ ସାଓଁତା ଆଗରେ ପିଲା, ସେକାଳର ଲୋକଟିଏ ଥିଲା ସେ, ପଥର ଉପରେ ଗୋଟିକିଆ ପୁରୁଣା ଓସ୍ତଗଛ ପରି ।

 

କିନ୍ତୁ କାମ ଅନେକ ବାକି, ବସି ରହିଲେ ଚଳିବ ନାହିଁ ତ । ବୁଢ଼ା ଜାମିରି କନ୍ଧ ପିକା ଲଗେଇ ଦେଇ ଘାଗଡ଼ା ଗଳାରେ ପାଟିକଲା ‘କିରେ ବସିଥିବ କିରେ ?’ ଏତିକି ଯେମିତି ସମସ୍ତେ ଅପେକ୍ଷା କରୁଥିଲେ । କାମ୍ବେଲା ଜାନିର ସ୍ମରଣ ହେଲା, ସେ ଗାଁ ପୁରୋହିତ, ପାଣ୍ଡୁକନ୍ଧର, ଯେ ସେ ଗାର ଦିସାରି, କେବଳ ମଦ ନିଶାରେ କାନ୍ଦି ଲାଗିଥିଲେ ରାତି ପାହିଯିବ । ଗାଁର ଚାକିରିଆ ଏକ ପକ୍ଷରେ ଗାଁର ବୁଦ୍ଧିଦାତା ବାରିକ ଭୁର୍ଷାମୁଣ୍ଡା ଡମ୍ ଶବ ସଂସ୍କାର ବିଷୟରେ ଯୋଗାଡ଼ କରିବାକୁ ପାଟି କରି କରି ବୁଲିଲା । ମଦହାଣ୍ଡି ଘରକୁ ନିଆହେଲା । କାନ୍ଧରେ ଟାଙ୍ଗିଆ ପକେଇ ଅନ୍ଧାର ଭିତରେ ବଣଲୋକେ ଅଦୃଶ୍ୟ ହୋଇଗଲେ ।

 

ଶବକୁ ବେଢ଼ି ବସି ସ୍ତ୍ରୀଲୋକମାନଙ୍କର ବିଳାପ ଲାଗିଥାଏ, ମରଣର ସଙ୍ଗୀତ । ସାଓଁତା ସଙ୍ଗୀତ ଭଲ ପାଉଥିଲା, ତାର ଜନ୍ମ ସଙ୍ଗୀତରେ, ମରଣ ସଙ୍ଗୀତରେ । ଅନ୍ଧାର ଘୋଟିଥାଏ, ଘର ଆଗେ ଆଗେ ନିଆଁ ଜଳୁଥାଏ । ପିଣ୍ଡାରେ ଫୁସ୍ ଫୁସ୍ ଗପ, କେହି ପିଲା ତଳକୁ ଓହ୍ଲେଇଯାଇ କୁତୂହଳୀ ହୋଇ ଅନେଇଲେ ମା’ମାନେ ଆକଟି ଘୋଷାରି ଆଣୁଥା’ନ୍ତି । ପରିଚିତ ପୃଥିବୀର ଶେଷ କାକର ଖାଇ ସରବୁ ସାଓଁତା ଶୋଇ ରହିଥାଏ । ଆଉ ଅଳ୍ପ ସମୟ, ତା’ପରେ ତାର ଅବସ୍ଥିତି ରହିବ କେବଳ ମଣିଷର ଭୁଲାମନର ଛାଇ ଆଲୁଅର ବଣଭିତରେ । ସେଇଠି ସେ ରହିଥିବ, ଦେଖାଛୁଆଁ ପୃଥିବୀରେ ଯାହାର କଟିଗଲା ଗୋଟାକ ପରେ ଗୋଟାଏ ହୋଇ ଚାରିକୋଡ଼ି ବର୍ଷ ।

 

ଦିଉଡ଼ୁ ଶବ ସଂସ୍କାର ବନ୍ଦୋବସ୍ତ କରିବାକୁ ଯାଇଥାଏ । କାନ୍ଦୁଥା’ନ୍ତି ପୁୟୁ ଆଉ ପୁବୁଲି-। ପୁୟୁକୁ କୁଣ୍ଢେଇ ଧରିଥାଏ ଜାମିରି କନ୍ଧର ବୁଢ଼ୀ । ‘ଛି ମା, ଅସଜ ମଣିଷ ତୁ, ଏମିତି ଅଧୀର ହୋଇ କାନ୍ଦ ନାହିଁ, ଭଲ ନୁହେଁ ।’ ପୁୟୁର କଇଁ ଉଠୁଥାଏ । ଶଶୁର ତାର ବାପଠୁ ବଳି, ବାପ ପିଲାଦିନୁଁ ମରିଥିଲା । ସାଓଁତା ଗେହ୍ଲେଇ ଡାକେ ‘ପୁୟୁ, ମୋର ଫୁଲର ରାଣୀ, କୁଆଡ଼େ ଗଲୁ ପୁୟୁ’-। ପୁୟୁର ପେଟ ଫୁଲେ, ଦିନୁଁ ଦିନ ଆଗ୍ରହରେ ସେ ଅନାଏ ସ୍ୱାମୀ ମୁହଁକୁ, ସ୍ୱାମୀ ତାର ଆଗ୍ରହ ବୁଝେ ନାହିଁ, ହସିଦେଇ ଚାଲିଯାଏ କାମରେ । କିନ୍ତୁ ସାଓଁତା ଭିନେ, ପୁୟୁର ଗୋଡ଼ଠୁ ମୁଣ୍ଡଯାକେ ଚାହିଁ ମୁଣ୍ଡ ହଲଉଥାଏ ସାଓଁତା, ସେମିତି ସେ ପତର ଉପରେ ବସିରହି ସାଓଁତା ଧୁଙ୍ଗିଆ ଲଗେଇ ଦେଇ ତୀକ୍ଷ୍‌ଣ ଦୃଷ୍ଟିରେ ଚାହୁଁଥାଏ ପୁୟୁକୁ । ବେଳେବେଳେ ହଠାତ୍‌ ତାର ମୁହଁ କଅଁଳ ହୋଇଯାଇ ଫୁଟେ ସରଳ ଶିଥିଳ ହସ, ସେ ବେଶୀ କହେ ନାହିଁ । ତାର ମୁହଁର ଛବି ବୁଝାଏ ତାର ମନର କଥା, ପୁୟୁ ଖୁସି ହୁଏ ।

 

ସେଇ ବୁଢ଼ାଟା, ସେ ଆଜି ନାହିଁ । ଯାହାକୁ ପ୍ରତୀକ୍ଷା କରି ଏତେ ଅନେଇଁ ରହିଥିଲା ବୁଢ଼ା, ଦିନେ ନା ଦିନେ ସେ ଜନ୍ମ ହେବ; କିନ୍ତୁ ବୁଢ଼ା ଦେଖିପାରିଲା ନାହିଁ ।

 

ପୁୟୁ କାନ୍ଦୁଥାଏ । ପୁଣି ବେଳେ ବେଳେ ଆସୁଥାଏ ଅଜଣା ଭୟ । ଅନ୍ଧାର ଘୋଟିଲାଣି, ପଡ଼ିରହିଛି ଶବଟା, ସେ ତ ସାଓଁତା ନୁହେଁ । ପୁୟୁର ମନହୁଏ ସେ ଘର ଭିତରେ ଯାଇ ଶୋଇପଡ଼ିବ, କିନ୍ତୁ ସେ କାନ୍ଦେ, କାନ୍ଦଣା ଗୀତରେ ସ୍ୱର ମିଳେଇ ଗାଇ ଗାଇ କାନ୍ଦିଲେ କାନ୍ଦଣା କି ଭୟ କିଛି ଜଣାପଡ଼େ ନାହିଁ ।

 

ପୁବୁଲି ବି କାନ୍ଦୁଥାଏ । ସେ ଜନ୍ମଦିନୁଁ ବାପାକୁ ଦେଖିଆସିଛି ଏକାରକମ, ତାର ବାପା କେବେ ଭେଣ୍ଡିଆ ହୋଇ ନ ଥିଲା । ବାପା ତାର ଗୋଟାଏ ସମ୍ପତ୍ତି ଏତିକି ମାତ୍ର । ମା’ ମରିଗଲା, ତା’ପରେ ସେ ବୁଲି ବୁଲି ବଢ଼ିଛି । ସାହିର ବୁଢ଼ୀମାନେ କେଡ଼େ ସ୍ନେହୀ, କନ୍ଧ ସାହିରେ ସମସ୍ତେ ସମସ୍ତିଙ୍କର ପିଲା । ତା’ଛଡ଼ା ଗାଁର ଟୋକୀମାନେ । ଦଳର ଝିଅ ସେ, ଏକୁଟିଆ ଜଣକର ନୁହେଁ । କିନ୍ତୁ ବାପା ତାର ଆଶ୍ରିତ, ରାନ୍ଧି ଦେବାକୁ, ପାଣି ତତେଇ ଦେବାକୁ, ବୋଲହାକ କରିବାକୁ । ଏତିକି ସମ୍ବନ୍ଧ ତାଙ୍କର । କୁଳପତି ସାଓଁତା ଅଦିନିଆଁ ଝିଅ ସାଙ୍ଗେ ବେଶି କଥାଭାଷା ହୁଏ ନାହିଁ । ଅଶୀ ବରଷରେ ଦୁଇଟା ସ୍ତ୍ରୀ ତାର ମଲେ, ମଲେ ଦଶଟା ପିଲା, ଜର, ଛାତିବଥା ଜର, ଆଉ କେତେ ରୋଗ । ତା’ପରେ ପୁଅ ଝିଅ ଦି’ଟା ଯମ ଅଇଣ୍ଠା । ପୁଅ କଥା ସେ ବୁଝିପାରେ, ପୁଅ ତାର କାମର ସାଙ୍ଗୀ । ଝିଅ ଖାଲି ବୋଲହାକ କରିବାକୁ, ପରଗୋତ୍ରୀ ଝିଅ, ବେଶି ସମ୍ବନ୍ଧ ନାହିଁ ।

 

କିନ୍ତୁ ଏଇ ନୀରବତା ଭିତରେ କେଉଁଠି ଥିଲା ଗୋଟାଏ କୋଳାହଳମୟ ଅନ୍ତରାଳ ସମ୍ବନ୍ଧ, ଆଜି ଟାଣି ଓଟାରି ହୋଇ ଛିଣ୍ଡିଯାଉଛି । କେଉଁଦିନ ତାର ବିରାଟ ହାତ ପାପୁଲିଟା ଝିଅ ମୁଣ୍ଡରେ ପିଟି ପିଟି ଘାଗଡ଼ା ଗଳାରେ ସେ କହିଥିଲା ‘କୋଉଠୁ ଏତେ ଧୂଳି ଲାଗିଛି ।’ ଏମିତି କେତେ ଦିନ, ଦିନକର କଥା । ସବୁ ମିଶି ବାପା । ସେହି ବାପା ଆଜି ନାହିଁ । ଯେଉଁଠି ସବୁ ପୂର୍ଣ୍ଣ ହୋଇଥିଲା ସେଠି ଖାଲି ନାହିଁ-ନାହିଁ-। ଅଭାବ ସହି ହୁଏ ନାହିଁ, ପ୍ରାଣ ଭିତରୁ ଦୁଃଖର ଗର୍ଜନ ବାହାରେ । ପୁବୁଲି ରଡ଼େ । ତାର କାନ୍ଦୁରା ମନ ଉପରେ ଶୀତଳ ହାତ ବୁଲେଇଯାଏ ଗାଁ ସ୍ତ୍ରୀଲୋକଙ୍କର ଐକ୍ୟତାନ ବିଳାପ । ସେ ସତେ କି ରୁନ୍ଧିରଖା ଭିତରେ ବାଟ ଦେଖାଏ । ପୁବୁଲି କିଛି ସମୟ ବେସୁରା ହୋଇ କାନ୍ଦି ଗଡ଼ି ପୁଣି ପ୍ରାଚୀନ କାନ୍ଦଣାର ଛାନ୍ଦରେ କଣ୍ଠ ମିଶେଇ ଦେଇ ଆଗେଇ ଚାଲେ-

 

‘ନିଙ୍ଗେ ଓୟାତାଣାକି । ନିଙ୍ଗେ ତିଞ୍ଜାତାଣାକି । ପାପୁ

ତିତିଆ କୂତାନି ଡୁଗୁତି । ତାମ୍ବେରା କୂତାନି ଡୁଗିତି ।

ନା ହାଇ ହାତିମ ନା ପାପୁ ।’

 

କନ୍ଧ ଗାଁର ‘ରିଙ୍ଗାଜାନି’ ସେ ପୁରୋହିତ-ଜ୍ୟୋତିଷ । ସେ ଯୋଗ ଦେଇଛି, ଶୀଘ୍ର ମୁହଁସଞ୍ଜ ଥାଉ ଥାଉ ଶବ ସଂସ୍କାର ନ କଲେ କାଲିଯାକେ ଅପେକ୍ଷା କରିବାକୁ ପଡ଼ିବ । କାଠଖୁଣ୍ଟା ନେଇ ଗାଁ ଲୋକେ ଚାଲିଆସିଲେ । ମୁର୍ଦ୍ଦାର ଉଠିଲା ।

 

ଦୁଇ କରେ କରେ ନିଆଁହୁଳା ମିଶାଇ ଧରି ଶୋକ ବିଳାପ ଗାଇ ଗାଇ କନ୍ଧ ରଇତମାନେ ସାଓଁତାକୁ ବୋହି ନେଇଗଲେ । ଅଧବାଟରେ ଫଟା ହାଣ୍ଡି ଆଉ ନୂଆ ଭାତ ଥୁଆହେଲା । ତା’ପରେ ଚାଲିଲେ ଦୂରକୁ, ଆହୁରି ଦୂରକୁ । ସେଠି କାଠ ଖଞ୍ଜାହେଲା । ସାଓଁତାକୁ ଶୁଆଇଦେଲେ । ତାର ମୁଣ୍ଡ ପାଖରେ ରଖିଲେ ଫୁଟା ହାଣ୍ଡି, ଛିଣ୍ଡା ଟୋକେଇ । ଆହୁରି କାଠ ଖଞ୍ଜାହେଲା । ସାଓଁତାର ମୁଣ୍ଡରେ ଜଡ଼ାତେଲ ଅଜାଡ଼ିଲେ । ନିଆଁ ଲଗେଇ ଦେଲେ । ସାଙ୍ଗେ ସାଙ୍ଗେ ସମସ୍ତେ ପଳେଇଗଲେ । ଏଣିକି ରହିବାର ନୁହେଁ ।

 

ସମସ୍ତେ ଗାଧୋଇ ପାଧୋଇ ମୁଣ୍ଡରେ ତେଲ ଲଗେଇ ଫେରିଲେ ।

 

ଅନ୍ଧାର ରାତିରେ ଏକୁଟିଆ ଜଳିଲା ସରବୁ ସାଓଁତା । ଚଡ଼ ଚଡ଼ କଡ଼ କଡ଼ ହୋଇ ଜଳିଲା, ଭଉଁରି ଭଉଁରିକା ଅଲଗା ବେଣିପରି ଧୂଆଁ ଉଠିଗଲା ଉପରକୁ, ତା’ ତଳେ ବିକଟାଳ ନେଳିଆ ନିଆଁ-ଧାସ, ନିଆଁର ଲହଡ଼ି, ସାଓଁତା ଜଳି ଭସ୍ମ ହେଲା । ଜୀବନ ସତ୍ୟ, ଜୀବନ ସୁନ୍ଦର ।

 

ସାଓଁତା ଜଳିଲା ।

•••

 

ତିନି

ରାତିଟା ସ୍ୱପ୍ନ ପରି କଟିଗଲା । ସକାଳୁ ସମସ୍ତେ ଉଠିଲେ । କାମିକା ଲୋକଙ୍କ ସକାଳ, ସେଇ ଚିରନ୍ତନୀ କୋଳାହଳ, ଗୋରୁ ଚରିବାକୁ ଯିବେ, କ୍ଷେତକୁ ହଳ ଯିବ, ମଣିଷ ଯିବେ । ଘରକରଣାର ସତସ୍ତରି ରୀତି । ଗାଁର ଗୋଟାଏ ପଟ କୁହୁଡ଼ି ଭିତରେ ଅତିଶୟ ଲାଲ ହୋଇ ସୂର୍ଯ୍ୟ ଉଠିଲା, ଉଠିଲାଣି ସେ ଏଥର ଆଉ ବସେଇ ଦେବ ନାହିଁ । ସବୁ ପୂର୍ବପରି । ଚାରିଆଡ଼େ ଚହଳ, ପାଟି କିଛି ବଦଳି ନାହିଁ । ଖାଲି ସାଓଁତାର ଶୋଇବାଘରୁ ସରୁ ଗଳାରେ କାନ୍ଦଣା ଶୁଭୁଛି ପୁବୁଲିର । ତାର ବି ଘରକରଣା ସରିଯିବ ଏଣିକି । ଯିବ ଯିବ ବୋଲି କେଉଁଦିନୁ ତାର ମନ ହେଲାଣି । କେହି ତାକୁ ଅଟକେଇ ରଖି ନାହିଁ । ଆଜି ସକାଳୁ ସେ ବୁଝିପାରୁଛି କାହିଁକି ଯାଇ ନ ଥିଲା–ମା’ ନାହିଁ, ବାପ ଥିଲା, ବୁଢ଼ାବାପାକୁ ଛାଡ଼ିଦେଇ ପରଘର କରିଯିବାକୁ କେମିତି କେମିତି ଲାଗିଥିଲା । ପୁବୁଲି ଯାଇ ନାହିଁ ।

ବାପା ନାହିଁ, ଏଥର ସେ ମୁକ୍ତ । କିନ୍ତୁ ଏହିପରି ମୁକ୍ତି କ’ଣ ସେ ଖୋଜିଥିଲା ? ପୁବୁଲି ବୁଝେ ନାହିଁ ବାପା ବୁଢ଼ା ହୋଇଥିଲା । ପିଲାମାନଙ୍କ ଆଖିରେ ବାପା ବୋଉ କେବେ ବୁଢ଼ା ହୁଅନ୍ତି ନାହିଁ, ତାଙ୍କର ବୟସ ନାହିଁ । ତଥାପି ବାପା ଡାକ ତାର ଗଲା ବୁଡ଼ି । ଝିଅ ସେ, ତାର ଏ କୁଳର ଜୀବନ କିଏ ମଝିରୁ କାଟି ଅନ୍ଧାର କରିଦେଲା । ପୁବୁଲିର କଇଁ ବାଧା ମାନୁ ନ ଥାଏ । ଲୋଟି ଗଡ଼ି ସେ କାନ୍ଦୁଥାଏ ସେହିପରି ।

ଖରା ପଡ଼ିଲା ସାଓଁତାର ଅଙ୍ଗାର ଉପରେ । ଗୁଡ଼ାଏ ଅଙ୍ଗାର, ଗୁଡ଼ାଏ ଦର୍‌ହପୋଡ଼ା କାଠ । ଖଣ୍ଡ ଖଣ୍ଡ ହାଡ଼ଗୁଡ଼ାଏ, କାଳିଆ ଧୋବଲା । ଗୋଟାଏ ଖପୁରି ଆଉ ଭଙ୍ଗା ହାଣ୍ଡି ଚିରା ଟୋକେଇ ।

କାଲି ଏ ଥିଲା ସରବୁ ସାଓଁତା, ପାଞ୍ଚଶହ କନ୍ଧଙ୍କ ସର୍ଦ୍ଦାର ।

 

ପୁଣି ଗାଁଲୋକେ କାଠ ନେଇ ନିଆଁ ନେଇ ଆସିଲେ । ପ୍ରଥା ଅନୁସାରେ ଧ୍ୱଂସାବଶେଷ ଆଉଥରେ ସକାଳୁ ପୋଡ଼ା ହେବ । ଗୁଡ଼ାଏ ଲୋକ, ଅପ୍ରସନ୍ନ ମୁହଁ, ଗୋଟାଏ ଅପ୍ରୀତିକର କାମ ଚଞ୍ଚଳ ଶେଷକରି ଯିବାକୁ ହେବ । ଦିଉଡ଼ୁ ବି ଥିଲା । ସାଓଁତା ଯାଉ ଯାଉ ତା’ରି ମୁଣ୍ଡରେ ଲଦାହୋଇ ପଡ଼ିଲା କେଜାଣି କେତେ ବୋଝ । ତାର ମୁହଁରେ ଦୁଃଖ ପଥର ହୋଇଛି, ଆଖି କାଚପରି, ତୁଣ୍ଡରେ କଥା ନାହିଁ । ଶୀତଳ ପାଉଁଶ ଏକାଠି କରି ଦରପୋଡ଼ା ହାଡ଼କୁ ଆଉଥରେ ଚିତାରେ ଥୋଇଲେ ।

 

ଏଥର ସବୁ ଶେଷ ।

 

ଲେଞ୍ଜୁ କନ୍ଧର ହୋସ୍ ହେଲା, ଏଥର ସବୁ ସରିଲା, ବଡ଼ଭାଇ ଆଉ ବସି ନ ଥିବ ଘର ଆଗରେ ପଥର ଉପରେ, ବିରାଟ ଧୁଙ୍ଗିଆ ପିଟା ଆଉ ମଝିରେ ମଝିରେ କାଶ । ବଡ଼ଭାଇ ଗଲା, ସେ ବଞ୍ଚିଛି ଏମିତି ଦିନେ ସେ ବି ଯିବ । ଲେଞ୍ଜୁ କନ୍ଧ କାନ୍ଦିଲା । ଦିଉଡ଼ୁ ଥକ୍‌କା ହୋଇ ନିଆଁ ଆଡ଼କୁ ଅନେଇ ଠିଆ ହୋଇଥାଏ । ଦିସାରି ପାଟିକଲା ‘ଛି, ଅଶୁଭ; ପଛକୁ ଅନାନ୍ତି ନା !’

 

ମାଲଭାଇ ପୁଣି ଗାଧୋଇ ପାଧୋଇ ମୁଣ୍ଡରେ ଜଡ଼ାତେଲ ବୋଳି ଘରକୁ ଫେରିଲାବେଳକୁ ବସିଲା ତଣ୍ଟିରେ ପୁବୁଲି କାନ୍ଦୁଛି । ମଣିଷର କାନ୍ଦଣା ନୁହେଁ ତ, ଜନ୍ତୁର କାନ୍ଦଣା । ଯେମିତି ଗୁଳିଖାଇ ପଳେଇ ଯାଇଥିବା ବାର୍‌ହିଆ ଝୋଲାକୂଳର କାଦୁଅରେ ଗଡ଼ି ଗଡ଼ି କାନ୍ଦେ ।

 

ଦିଉଡ଼ୁ କାମ କଲା ନାହିଁ, ବାପ ଯେଉଁ ପଥରରେ ବସେ ସେଠି ଥକ୍‌କା ହୋଇ ବସି ରହିଲା ଆଉ ଧୁଙ୍ଗିଆ ଟାଣିଲା । ଲେଞ୍ଜୁ ଗୋରୁଗାଈଙ୍କି ଫିଟେଇ ନେଇଗଲା । ପୁୟୁ ନାହିଁ, ଯାଇଥିବ ବଣକୁ କନ୍ଦାଖୋଳି, ସେ ଆସିଲେ ରନ୍ଧାହେବ । ଘର ଭିତରେ ପୁବୁଲି କୋଉଠି ପଡ଼ିରହି କାନ୍ଦୁଛି । ଦୁଆରେ ଦସ୍ରୁ ଶୋଇଛି; ଲାଞ୍ଜତଳେ ମୁଣ୍ଡ ପୋତି ଶୋଇ ରହିଛି ସେଇଟା । ଦିଉଡ଼ୁ ବସିରହିଲା । ସବୁ ଶୂନ୍‌ଶାନ୍ । ଭାବିବାକୁ ମନ ହୁଏ । ଭାବନା ମଝିରେ ମୁଣ୍ଡ ଭିତରେ ତୋଫାନ ଆସେ, ଆଖିରୁ ଲୁହଧାର ଲାଗିରହେ ଆଉ ମନେହୁଏ ନଇଁପଡ଼ି ଭାଙ୍ଗିପଡ଼ି ତଳେ ପୋତିହେବାକୁ । ପୁଣି ନିଜକୁ ସମ୍ଭାଳି ନିଏ, ଭାବିବାକୁ ମନ ହୁଏ, ଖାଲି ଭାଁ ଭାଁ ଲାଗେ; ଆଖି ରହେ ଶୂନ୍ୟରେ । ଧୁଙ୍ଗିଆ ପିକା ଜଳିଯାଏ ।

•••

 

ଚାରି

 

ସେହିଦିନ ସକାଳେ ପୁୟୁର ନିଦ ଭାଙ୍ଗିଲାବେଳକୁ ପୁବୁଲି ଶୋଇଥାଏ, ଦିଉଡ଼ୁ ଶୋଇଥାଏ, କୁହୁଡ଼ି ଘୋଡ଼େଇ ଥାଏ ଭାରି ବହଳ କରି । ଗାଁର ବୁଢ଼ାମାନେ ଖାଲି ଉଠିଥା’ନ୍ତି, ଆପଣା ଆପଣା ପିଣ୍ଡାରେ ନିଆଁ ଜାଳି ସେକି ହେଉଥା’ନ୍ତି । କିଛି ସମୟ ଗଲା, ପୁୟୁ ପଦାକୁ ଆସିଲା । ଜାମିରି କନ୍ଧର ବୁଢ଼ୀ ଉଠିଛି, ପିଣ୍ଡାରେ ନିଆଁ ପୁଉଁଛି । ପୁୟୁ ସେଠି ଯାଇ ବସିଲା, ବୁଢ଼ୀ ସାଙ୍ଗରେ ଟୁପୁରୁ ଟାପୁରୁ ହେଲା । ଟିକିଏ ଗଲା, ଝଣର ଝଣର ଶୁଭିଲା, ଆଉରି ଗାଁ ମାଇପେ ଉଠିଲେ, ଫରଚା ହେଲା । ଏପାଖ ସେପାଖ କୁକୁଡ଼ା ଦଉଡ଼ା ଦଉଡ଼ି କଲେ, ଘୁଷୁରି ସଣର ସଣର ହେଲେ ଅସନା ଗାଁ ଦୁଆରରେ । ତା’ପରେ ଘର ଦୁଆର ଓଳିଆ ଓଳି ପୁୟୁ ତାର ଘରକାମ କଲା ।

 

ପୁବୁଲି ଶୋଇଥାଏ । ପୁୟୁ କ’ଣ ମନେକଲା, ପୁବୁଲି ପାଖରେ ଯାଇ ବସିପଡ଼ି ତାର ମୁଣ୍ଡ ଆଉଁଶି ଦେଲା, ଭାରି ଅଳସ ଲାଗୁଥାଏ । ଆଉଁଶୁ ଆଉଁଶୁ ଲୁହ ଦି’ଧାର ଝରିପଡ଼ିଲା ପୁବୁଲି ମୁଣ୍ଡରେ, ଦୀର୍ଘଶ୍ୱାସ ପକେଇ ପୁୟୁ ବାହାରିଗଲା ।

 

ଗାଁ ମାଇପେ ଝୋଲା (ନଈ)କୁ ଯାଉଥିଲେ, ପୁୟୁ ବି ଗଲା, ଗପ କରୁ କରୁ ମନଟା ହାଲୁକା ଲାଗିଲା । ସେତେବେଳେ ଚାରିଆଡ଼େ ଲାଲ ହୋଇଆସିଲା, ପୁୟୁ ଫେରିଲା ।

 

ସୂର୍ଯ୍ୟ ଉଠିଥାଏ । ଲେଲୁ କନ୍ଧର ପିଣ୍ଡାରେ ବଡ଼ ଢୋଲ ଉପରେ ସାନ ପିଲାମାନେ ପିଟୁଥା’ନ୍ତି, ଗାଁର ଲୋକେ କାମକୁ ଯାଇଥା’ନ୍ତି, ଦିଉଡ଼ୁ ନ ଥାଏ, ପୁବୁଲି ସୋର୍‌ ଲଗାଇ କାନ୍ଦୁଥାଏ । ପୁୟୁ ଭାବିଲା ସେ ପଦାକୁ ଯିବ ।

 

ଏଇ ଗୋଳମାଳ ଭିତରେ ତା’କୁ ଲାଗୁଥାଏ ସବୁ ଶୂନ୍‌ଶାନ୍, ସବୁ ଚୁପ୍‌ଚାପ୍ । ଘର ଖାଇ ଗୋଡ଼ାଉଛି, ଗାଁର ସବୁ କଳରବ ମିଶି ଗୋଟାଏ ଶୂନ୍ୟତାର ପୃଷ୍ଠପଟ, ସେ ହାବୁକା ମାରୁଛି ପଦାକୁ ପଦାକୁ ।

 

ଗାଁ-ମାଇପେ ପଞ୍ଝା ହୋଇ କାମକୁ ଚାଲିଲେ, ଅଧିକାଂଶ ଗଲେ କନ୍ଦା ଖୋଳି । ବଣ ଭିତରେ ନାନାଜାତି କନ୍ଦା ହୁଏ, ଥାଏ ବଡ଼ ଗହୀରରେ, ଗୋଟାଏ ବଡ଼ କନ୍ଦା ଉଠେଇ ଆଣିଲେ ଖୁସିରେ ଦି’ଦିନ ଚାଲିଯିବ । କିନ୍ତୁ ବଡ଼ ଦୁର୍ଗ, ଭୟ ବହୁତ, ବାଘ ଖାଏ, ଭାଲୁ ଗୋଡ଼ାଏ । ପୁୟୁର ଯିବାକୁ ମନ ନ ଥିଲା, ପେଟ ଭିତର ଥାଇ ଥାଇ ରକ୍‌ ରକ୍ କରି ଦେଉଛି, ଦେହଟା ତଳକୁ କିଏ ଟାଣି ଟାଣି ଦେଉଛି । କିନ୍ତୁ ଘରେ ମନ ଲାଗୁ ନାହିଁ, ତା’ ଅପେକ୍ଷା ଯାଇ ବୁଲିଆସିବା ଭଲ ।

 

ଛୋଟ ଶାବଳ ଖଣ୍ଡେ ଧରି ଦଳ ଭିତରେ ମିଶି ପୁୟୁ ଚାଲିଲା ଗାଁ ପାହାଡ଼ର ଶୃଙ୍ଗ ଆଡ଼କୁ । ଜଡ଼ାବଣ ତଳେ ତଳେ । ଧାଡ଼ି ହୋଇ ପଛକୁ ପଛ ଗୁଡ଼ିଏ ସ୍ତ୍ରୀଲୋକ । ତିଖ ଉଠାଣି ଦିପାଖେ ଖାଲି ଶୂନ୍ୟ, ଖାଲି ଆକାଶ, କ୍ରମେ ଉପରକୁ ଉପରକୁ, ସେଇ ଉପରେ ଦାଉଦାଉ ହୋଇ ସୂର୍ଯ୍ୟ ଜଳୁଛି । ଦି’ପାଖର ଶୂନ୍ୟରେ କୁହୁଡ଼ିର ସମୁଦ୍ର, ତାହାରି ତଳେ ଛପି ରହିଛି କେତେ ଅଗନାଗ୍ନି ବନସ୍ତ, ବାଘର ଭୂଇଁ, ହରିଣର ଭୂଇଁ, ଉପରେ ସୂର୍ଯ୍ୟର ବିକାଶ, ତଳେ ସୂର୍ଯ୍ୟର ପ୍ରବେଶ ନାହିଁ, ଖାଲି ଅନ୍ଧାରି ଝରଣା ତୋଫାନ ଉଡ଼େଇ ସାଇଁ ସାଇଁ ବହି ଚାଲେ ।

 

ଜଡ଼ାବଣ ଗଲା, ଜଙ୍ଗଲ ପଡ଼ିଲା, ବେଶୀ ଆବାଖାବୁଡ଼ିଆ ପଥର, ପାଦ ଖସିଲେ ଏପାଖେ ବା ସେପାଖେ ଅନ୍ଧାରି ରସାତଳ । ଉପରକୁ ଉପରକୁ ଦି’ପାଖ ଅଁଳା ଗଛର ଜଙ୍ଗଲ, ପେନ୍ଥି ପେନ୍ଥି ହୋଇ କୋଳି ଗୁନ୍ଥି ହୋଇଛି । ଠାଏ ଠାଏ ଲଣ୍ଡା, ଠାଏ ଠାଏ ବୁଦା ବୁଦା ବଣ, ଠାଏ ଠାଏ ଗୋଟା ଗୋଟା ବଡ଼ ଗଛ । ସବୁଠି ପିରି ଘାସର ବଣ, ପୁରୁଷେ ଉଞ୍ଚ ।

 

ଆଗରେ ପୃଥିବୀ ସରୁ ହୋଇଆସିଲା, ଚାରିପାଖର କୁହୁଡ଼ି ଖରା ମିଶା ଝାଲଝାଲୁଆ ଆକାଶ ଭିତରେ ଗୋଜିଆ ହୋଇ ପର୍ବତର ଶୃଙ୍ଗଟିଏ ଖାଲି, ପ୍ରଶ୍ନସୂଚକ ଠାଣିରେ ଉପରକୁ ଅନେଇଁ ରହିଛି, ପ୍ରଶ୍ନର ଜବାବ ନାହିଁ ।

 

ଆର ପାଖେ ଅଳ୍ପ ଢାଲୁଆ ଖୁବ୍‌ ଗୋଟାଏ ଖାଲି ଚକଡ଼ା, ଆସ୍ତେ ତଳକୁ ଚାଲିଯାଇଛି, ତାହାରି ଉପରେ ଏଠି ସେଠି ଅସଂଖ୍ୟ ଗୁମ୍ଫା । ସେଇପାଖେ ବଡ଼ କନ୍ଦା ହୁଏ, କନ୍ଧୁଣୀର କାର୍ଯ୍ୟକ୍ଷେତ୍ର ।

 

ମୁଣ୍ଡ ଉପରେ ଗୋଟିକିଆ ଗଛ ଉପରେ ମସ୍ତବଡ଼ ଝାଲିଆ ମୟୂର ବସି ଖରା ପୁଉଁଛି, ସେପାଖର ଅତଡ଼ାରେ ଅସଂଖ୍ୟ ମୟୂର । ବଣ ଭିତରୁ ବଣ କୁକୁଡ଼ାର ବୋବାଳି ଶୁଭୁଛି, ଠାଏ ଠାଏ ବଣ କୁକୁଡ଼ା ପରିବାର । ଆଉ ଅଳ୍ପ ସମୟ ପରେ ସେମାନେ ଅଦୃଶ୍ୟ ହୋଇଯିବେ ।

 

ଗାଁ ମାଇପେ ଛିନ୍‌ଛତର ହୋଇ କନ୍ଦା ଖୋଜିବାକୁ ଅଦୃଶ୍ୟ ହୋଇଗଲେ । ଏତେଗୁଡ଼ାଏ ଉଠାଣି ଉଠି ପୁୟୁକୁ ଅସଜ ଲାଗୁଥାଏ । ସମସ୍ତେ ଗଲାପରେ ଏକୁଟିଆ ସେ ପଥର ଉପରେ ବସି ରହିଲା । ପାଖରୁ ସ୍ତ୍ରୀଲୋକମାନଙ୍କର ସ୍ୱର ଶୁଭୁଛି । ସମସ୍ତେ କାମରେ ଲାଗିଲେଣି । ମୟୂର ଲୁଚିଲେ । କୁକୁଡ଼ା ବୋବେଇ ବୋବେଇ ଚାଲିଗଲେ । ଆହୁରି ସୂର୍ଯ୍ୟ ଉପରକୁ ଚଢ଼ିଗଲା । ପୁୟୁର ମନ ହେଉଥାଏ ସେଇଠି ସେ ଶୋଇ ପଡ଼ନ୍ତା-ଶୋଇ ପଡ଼ିଥା’ନ୍ତା ଗଛ ଛାଇରେ, ବଣଫୁଲର ବାସ୍ନାରେ । ଜୀବନରେ ଅନେକଥର ମନହୁଏ ଶୋଇ ପଡ଼ିବାକୁ ଶୋଇ ହୁଏ ନାହିଁ, କାମ ଘାରେ ।

 

ପୁୟୁ ଉଠିଲା, ଢାଲୁରେ ଅଳ୍ପ ଓହ୍ଲେଇଗଲା ଗୋଟାଏ କରକୁ । ପାଖର କୁହୁଡ଼ି ଭାଙ୍ଗିଲାଣି, ଦୂରର କୁହୁଡ଼ି ପାତଳ ହେଉଛି । ଜଙ୍ଗଲ ଓହ୍ଲେଇ ଯାଇଛି ପାତାଳକୁ । ପୁୟୁ ଶିଆଳି ଫଳ ତୋଳିଲା, ଶିଆଳି ପତ୍ର ତୋଳିଲା । କଅଁଳ କଅଁଳ ବାଉଁଶ କରଡ଼ି ଭାଙ୍ଗି ଭାଙ୍ଗି ଏକାଠି କଲା-। ଠାଏ ଦିଶିଲା ଗୋଟାଏ କନ୍ଦା-ଲଟା, ପୁୟୁ ବସି ବସି କନ୍ଦା ଖୋଳାରେ ମନଦେଲା ।

 

ନଅମାସ ଗର୍ଭ, ପେଟରେ ଭାର, ଚାରିଆଡ଼େ କେତେ ଦେବତା ଆଉ ପ୍ରେତଙ୍କ ଅଶୁଭ ଦୃଷ୍ଟି, ନିଛାଟିଆ ବଣ । କିନ୍ତୁ ତଳେ ଦର୍ତନୀ, ଉପରେ ଦର୍ମୁ, ବିଶ୍ୱାସ ଅଛି, ଚିହ୍ନା ବଣ, ପୁୟୁର ଭୟ ନାହିଁ । ପେଟ ଭିତରର ବିଚିତ୍ର ଜୀବ କେଉଁଦିନୁ ସାଙ୍ଗ ହୋଇଗଲାଣି, କେମିତି କେମିତି ଲାଗେ, ଗୋଟାଏ ଦେହ ଭିତରେ ଆଉ ଗୋଟାଏ ମଣିଷର ବସା । ପୂର୍ବର ଭୟ କଟିଯାଇଥାଏ । ପୁୟୁ ମନେ ମନେ ଅଚିହ୍ନା ସାଥୀ ସଙ୍ଗେ କଥାଭାଷା ହୁଏ, କଳ୍ପନାରେ ଗଢ଼େ ଆସନ୍ତା ଅତିଥିର ଭବିଷ୍ୟତ୍‍-

 

ନିଛାଟିଆଟାରେ ସାଓଁତା ମନେପଡ଼ିଲା । କେଉଁ କାଳରୁ ବସି ବସି ସମୟରେ ଗତି ମାପୁଥିଲା ବୁଢ଼ା ସାଓଁତା । ସେ ମରିବାକୁ ଚାହିଁ ନ ଥିଲା, ମଲାପରି ଦିଶି ନ ଥିଲା, ତଥାପି ସେ ମଲା । କୁଳବୃଦ୍ଧର ଆଶା ଥିଲା ସେ ନାତି ଦେଖି ମରିବ, ନାତି ତା’କୁ ବୋଧ ଦେଇଥା’ନ୍ତା । ତାର ପୁରୁଣା ସୁଅ ଆଗକୁ ଲମ୍ବି ଚାଲିଛି, ସେତିକି । ପୁୟୁ ଖୋଳି ଲାଗିଲା, କେତେ ବିଚିତ୍ର ଧାରଣା, କେଉଁଟା କେଉଁଠୁ ଆସେ ତାର ଠିକଣା ନାହିଁ । କାମ କରୁ କରୁ କେଉଁଠୁ କାହିଁକି ଆସେ, ରଙ୍ଗ ଲଗେଇ ଦେଇଯାଏ ମନରେ ।

 

ଖରା ବଢ଼ିଲା । ମୁଣ୍ଡ ଉପରୁ ଚଢ଼େଇମାନେ କୁଆଡ଼ୁ କୁଆଡ଼କୁ ଚାଲିଗଲେ । ଆଖପାଖର ସ୍ତ୍ରୀଲୋକମାନଙ୍କର ପାଟିତୁଣ୍ଡ ଆଉ ଶୁଭିଲା ନାହିଁ । ପୁୟୁର ବୋଝ ଟିକିଏ ଏକର ସେକର ହେଲା, ଦେହଯାକ ଖେଳିଗଲା ବିଜୁଳିପରି ବିଚିତ୍ର ଅନୁଭୂତି । ପୁୟୁ କଷ୍ଟ ପାଇଲା ।

 

କନ୍ଦାଖୋଳା ଛାଡ଼ି ଅଳ୍ପ ଉପରକୁ ଚଢ଼ି ଖଣ୍ଡେ ପଥର ଚଟାଣ ଉପରେ ପୁୟୁ ବସିପଡ଼ିଲା-। ସେଠି ସାନ ଶାଳଗଛ ଉପରେ ଭାଲୁକୁଣୀ ପରି ଶିଆଳି ଲଟା ଲଦାଲଦି ହୋଇ ଛାଇ ଅରାଏ ପଡ଼ିଛି । ଏକୁଟିଆ ଆଉଜି ରହି ପୁୟୁ କଷ୍ଟ ପାଇଲା ।

 

ମୁହଁପାଖେ ଆକାଶ, ସୁନ୍ଦର ନେଳି ପଡ଼ିଲାଣି, ତଳେ ନେଳିଆ ସାବୁଜା, ମଝିରେ ସବୁ ଫାଙ୍କା ଫରଚା । ସେଇ ଫାଙ୍କା ଶୂନ୍ୟରେ ଚିଲମାନେ ଘୁଡ଼ିପରି ଉଡ଼ନ୍ତି, ଫୋପାଡ଼ିହେଲାପରି କଳା କଳା ଚଢ଼େଇ ପଲେ ଲେଖା ଉଡ଼ି ଉଡ଼ି ଚାଲିଯାଆନ୍ତି । କେହି ଅଟକି ରହେ ନାହିଁ । ସେହି ଫାଙ୍କା ଶୂନ୍ୟର କୌଣସି ଆଶ୍ୱାସ ନାହିଁ ଦୁଃଖୀଲୋକଙ୍କୁ । ପୁୟୁ ଶୂନ୍ୟକୁ ମୁହଁ ରଖି କଷ୍ଟ ପାଇଲା ।

 

ଏଇ ବେଳପାଇଁ ଅନେକଦିନୁ ଅପେକ୍ଷା କରି ରହିଥିଲା ସେ । ଏ ନିଜ ମନକୁ ଆସେ, ସହଜରେ ଯାଏ । ଚଢ଼େଇ ଡିମ୍ବ ଦିଏ, ଦି ଚାରିଥର କିଳିକିଳା ବୋବାଳି ଛାଡ଼େ, ପାଟି କରି କରି ତୁଣ୍ଡ ସହାନୁଭୂତି ଜଣେଇବାକୁ ଗଞ୍ଜା ତା ପାଖକୁ ଧାଇଁଯାଏ । ଗାଈ ମଇଁଷି ପିଲା ପକାନ୍ତି, ମଣିଷର ଛୁଆ ହୁଏ । ଦେଖି ଦେଖି ଅତି ସହଜ ଲାଗିଛି । କିନ୍ତୁ ଏ କଷ୍ଟ ! କାନ୍ଦିଲେ କେହି ଶୁଣିବେ ନାହିଁ, ଡାକିଲେ ଆସିବେ ନାହିଁ ପାଖକୁ । ପୁୟୁ ଛାତିକୁ ପଥର କଲା । ଭୟ ଉଠି ଉଠିକା ଛାତି ପାଖକୁ ଆସିଲେ ସୁଦ୍ଧା ତାକୁ ତଳକୁ ଠେଲି ଦେଲା । ଏଠି ବିନା ଯୁଦ୍ଧରେ ମଣିଷ ବି ପ୍ରକୃତିଠୁ କିଛି ପାଏ ନାହିଁ, ନିଜର ଯୁଦ୍ଧ ନିଜେ ସେ କରେ, ମରିବାକୁ ଭୟ କରେ ନାହିଁ ।

 

ଥରକୁ ଥର ତୋଫାନ ପରି ଦୁଃଖ ଆସେ, ଦେହ ଉପରେ ଢେଉ ଖେଳେଇ ଦେଇଯାଏ, ପୁୟୁ ଚିତ୍କାର କରେ, କାନ୍ଦେ, ସବୁ ଭୁଲି ହୋଇଯାଏ, ବାହାରର ଉଜ୍ଜ୍ୱଳ ଖରା, ଖୋଲା ପ୍ରକୃତି, ସବୁ । ଯେପରିକି ତାର ଦେହ ଭିତରେ କ’ଣ ଭୟଙ୍କର ବିପ୍ଳବ ଲାଗିଛି, ଛିଣ୍ଡାଛିଣ୍ଡି, ଟଣାଟଣି, ଆଞ୍ଚୁଡ଼ା ଆଞ୍ଚୁଡ଼ି, ସବୁ ଖାଲି ଅନ୍ଧାର ଆଉ ଦୁଃଖ । ପୁୟୁ ଶାଳଗଛକୁ ଦୁଇ ହାତରେ ଜାପ୍‌ଟି ଧରେ, ଗଜାଗଛର ଛାଲିରେ ଦାନ୍ତ ଲଗେଇ ଦେଇ କାମୁଡ଼େ । କାଳିଶି ପରି ଦେହରେ ବଳ ଆସେ । ପୁୟୁ ଟାଳିଯାଏ ।

 

କେତେବେଳେ ଏହିପରି ଗଲା ତାର ମନେ ନାହିଁ । ହଠାତ୍ ତାର ମନେହେଲା ତୋଫାନ ସରିଛି, ଆଖିରୁ ଅନ୍ଧାର କଟିଯାଇଛି, ବଧିରା କାନରେ କ’ଣ କେମିତି ନୂଆ ଜନ୍ତୁର ଚିତ୍କାର, କିଏ ଯେପରି ପାଟିକରି କାନଉତୁରା ପକୋଉଛି ଯେପରି ସେ ଶୁଣୁ । ପୁୟୁ ଆଶ୍ଚର୍ଯ୍ୟ ହୋଇ ଅନେଇଲା । ଭୂଇଁରେ ପଡ଼ି ରଡ଼ୁଛି ନାଲି ହୋଇ ଗୋଟିଏ ସାନ ମଣିଷ । ପୁୟୁର ହୋସ୍ ହେଲା ।

 

ଆଖି ଦି’ଟା ଫାଡ଼ି ଦେଇ ପୁୟୁ ଦେଖିଲା ଏଁ ଏଇ ତାର ଶିଶୁ ! ଏଇ ତାର ଅନ୍ତର ଭିତରେ ଏତେଦିନ ଲୁଚକାଳି ଖେଳୁଥିଲା ! ଏଇ ତାର ! ଗୋଟାସୁଦ୍ଧା ତାର ! ତା’ରି ରକ୍ତ ଆଉ ମାଂସ ଭିତରୁ ଖଣ୍ଡେ !

 

ତୋଫାନ ପଛର ମଳିନ ମୁହଁରେ ସ୍ନେହ ଆଉ କୁତୂହଳ ପୂରେଇ ଗୁରେଇ ତୁରେଇ ପୁୟୁ ଦେଖିଲା ଗୋଟାସୁଦ୍ଧା ନାଲି, ସକାଳର ସୂର୍ଯ୍ୟପରି ମିଟି ମିଟି ଯୋଡ଼ିଏ ଆଖି, ପାହାନ୍ତି ପହରେ ଛାଇ ତଳର ଗହୀର ଝୋଲାପରି । ଗୋଡ଼ହାତ ଛାଟୁଛି, ଅଣ୍ଡାଳି ହେଉଛି-ଚାରି ହଜାର ଫୁଟ ଉଞ୍ଚ ପର୍ବତ ଉପରେ ନୂଆ ଜନ୍ମ ହୋଇଥିବା କନ୍ଧଘର ପୁଅ ।

 

ହାତ ବଢ଼େଇ ପୁଅଟିକୁ ଧରିଲା, ଅବଶ ଦେହରେ ବଳ ଆସିଲା, ମନ ଭିତରେ ଅନେକ ବୁଦ୍ଧି ଆସିଲା, ଦେଖାଦେଲା ଇଖାଶିଖି ବହୁତ କଥା ପୁୟୁ ଜାଣେ ।

 

କେତେବେଳେ ପରେ ପୁୟୁ ଉଠିଲା, ପିଲାର କାନ୍ଦଣା ବନ୍ଦ ନାହିଁ । ସୂର୍ଯ୍ୟ ମୁଣ୍ଡ ଉପରେ ଚଢ଼ିଲାଣି, ବଣ ଉପର ଠାଏ ଫିକା ଠାଏ ଜିକି ଜିକି । ପୁୟୁକୁ ଦୁର୍ବଳ ଲାଗୁଥାଏ । ଏକୁଟିଆ ପୁୟୁ ତାର ପିଲାକୁ ଛାତିରେ ଜାକି ଧରି ଉଠି ଠିଆହେଲା । ମୁଣ୍ଡର ବାଳ ଅଲରା ହୋଇ ଲମ୍ବିଯାଇଛି, କୋତରା ଲୁଗାର ଅବସ୍ଥା ନାହିଁ । ଦେହରୁ କଳା ପାଣି ବୋହି ପଡ଼ୁଛି । କିନ୍ତୁ ଛାତି ତାର ଫାଙ୍କା ନୁହେଁ, ଛାତିରେ ଛୁଆ-ତାର ପହିଲି ଛୁଆ-ପୁଅ ।

 

ଦୁର୍ବଳ ହାତରେ ଧାର ପଥର ଧରି ନିଜେ ପୁୟୁ ପିଲାର ନାହି କାଟିଦେଲା । କଟା ଜାଗାରେ ବୋଳିଦେଲା ଚିହ୍ନା ଔଷଧ ଗଛର ପତ୍ର । ନିଜେ ଖଣ୍ଡେ ଔଷଧ ଚେର ଖାଇଲା । ତାର ପିଲା ମୁହଁରେ ଗୋଟାଏ ପତ୍ରର ରସ ଚଟେଇ ଦେଲା । ଏତକ କନ୍ଧ-ଦେଶରେ ସାଧାରଣ ଜ୍ଞାନ । ପାଦତଳେ ଔଷଧ ।

 

ପୁଅକୁ ଜାକି ପୁୟୁ ଫେରିପଡ଼ିଲା । ଅପରିଷ୍କାର ହୋଇ ଗାଁକୁ ଫେରିଯିବାର ନୁହେଁ । ଅଧବାଟରେ ଜଡ଼ା ଜଙ୍ଗଲ ଭିତରେ ତଳର ଝରଣାକୁ ଓହ୍ଲେଇ ଯିବାକୁ ଆଉ ଗୋଟିଏ ବାଟ ଅଛି । ସେହି ବାଟେ ବାଟେ ଅତଡ଼ା କରେ କରେ ଆସ୍ତେ ଆସ୍ତେ ସେ ଓହ୍ଲେଇଗଲା, ଆସ୍ତେ ଆସ୍ତେ । ଦୁର୍ବଳ ଲାଗୁଥାଏ, କିନ୍ତୁ ପଥରକୁ ପଥର ଓହ୍ଲେଇ ପଡ଼ିବାକୁ ତାର ପାଦ ଥରେ ନାହିଁ, ସବୁଥିରେ ସତର୍କ ହେବାକୁ ପଡ଼ିବ ତା’କୁ, କେବଳ ଏଇ ପୁଅ ପାଇଁ । ଗୋଟିଏ ହାତରେ ତାକୁ ଧରି ଆର ହାତରେ ବାଟ କରର ଗଛକୁ, ଲଟାକୁ ଧରି ଧରି କାନ୍ଥପରି ଅତଡ଼ା ବାଟେ ସେ ତଳକୁ ଓହ୍ଲେଇ ପଡ଼ିଲା । ସର୍ବଜୟା ମାତୃମୂର୍ତ୍ତି । ନିଛାଟିଆ ଝରଣା କୂଳ, ଗାଧୁଆବେଳ ଗଡ଼ିଗଲାଣି । ପଥୁରିଆ ଧାର, ସେଥିରେ ବାଲିସରା । ଖାଲି ଦି’ପାଖେ ଜଙ୍ଗଲ ଭର୍ତ୍ତି । ଏପାଖ ସେପାଖ ଦେଖିଲା, ଝୋଲା କୂଳରେ ଶିଆଳିପତ୍ର ପାରି କଅଁଳା ପିଲାକୁ ଶୁଆଇ ଦେଲା । ନିଜେ ଝୋଲାରେ ବୁଡ଼ି ବୁଡ଼ି ଗାଧୋଇଲା, ଲୁଗା ଧୋଇଲା । ପିଲା ଉପରେ ପାଣି ଛିଞ୍ଚିଦେଲା । ତା’ପରେ ସଫାସୁତୁରା ହୋଇ ପିଲାଟିକି ଛାତିରେ ଜାକି ପୁୟୁ ଗାଁକୁ ଚାଲିଲା ।

 

କେବେ ପର୍ବତ ଉପରେ ଏକୁଟିଆ ସେ ମରଣ ସଙ୍ଗେ ଯୁଦ୍ଧ କରି କ୍ଷତବିକ୍ଷତ ହୋଇଥିଲା ତା’ ପୁୟୁର ମନେ ନାହିଁ । ସେ କେଉଁ ଅତୀତର କଥା । ସେ ନାଲି ସୂର୍ଯ୍ୟପରି ନାଲିଆ ପୁଅର ମୁହଁକୁ ଅନେଇଲା । ଏଇ ତାର ଜୀବନର ସକାଳ, ସେ ପୁଅର ମା’, ସେ ଭାଗ୍ୟବତୀ ।

 

କେଉଁଦିନ ସେ ଧାଂଡୀ (ଯୁବତୀ) ହୋଇ, ହଳଦୀ ବୋଳି ହୋଇ ମୁଣ୍ଡରେ ଫୁଲମାରି ବାୟାଣୀପରି ଚଇତି ପର୍ବରେ ଗୀତ ଗାଇ ଗାଇ ମନର ମଣିଷ ଖୋଜି ଖୋଜି ବୁଲିଥିଲା, କାହିଁକି ପ୍ରଜାପତିପରି ପବନରେ ପକ୍ଷୀ ଖୋଲିଦେଇ ଉଡ଼ି ବୁଲିଥିଲା । ଅତୀତର କଥା ସେ ଜାଣେ ନାହିଁ, ଖାଲି ଜାଣେ, ସେସବୁ ପ୍ରଶ୍ନର ଜବାବ ପାଇଛି, ସେ ମଣିଷ ଛୁଆର ମା, ସେ ଦର୍ତନୀ, ଦର୍ମୁ ତାର କୋଳରେ ।

 

ସେତେବେଳେ ଖରା ନଇଁ ଆସୁଥାଏ । ପୁବୁଲିର ରନ୍ଧା ସରିଥାଏ । ଦିଉଡ଼ୁ ଖାଇ ସାରିଥାଏ । ଧୀରେ ଧୀରେ ତା’ ମନରେ ଆଶଙ୍କା ଆସୁଥାଏ, ଏତେବେଳଯାଏ ପୁୟୁ ଫେରିଲା ନାହିଁ କାହିଁକି ? ଥରକୁ ଥର ସେ ଭାବେ, ଟାଙ୍ଗିଆ କାନ୍ଧରେ ପକେଇ ବର୍ଚ୍ଛାନଳି ଧରି ବଣଆଡ଼େ ଖୋଜିଯିବ, କିନ୍ତୁ ପୁଣି ଭାବେ; ହୁଏତ ଆଶଙ୍କା ଅମୂଳକ ।

 

ଏତିକିବେଳେ ଗାଁ ମୁଣ୍ଡରେ କୋଳାହଳ ଶୁଭିଲା । ଗାଁ ମାଇପେ ସମସ୍ତେ ଗୋଟାଏ ଆଡ଼େ ଧାଇଁ ଏକାଠି ପାଟି କରୁଛନ୍ତି । ଦିଉଡ଼ୁ ସେହିଆଡ଼େ ଗଲା । ପୁୟୁ ଅଧବାଟରେ ପିଲାଟିକୁ ଧରି ଠିଆ ହୋଇଛି, ତା’କୁ ଘେରି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପାଟି କରୁଛନ୍ତି । ଦିଉଡ଼ୁ ଆଁଟାଏ କରି ଠିଆ ହେଲା । କିଏ ଗୋଟିଏ ପୁଅଟିକୁ ଧରି ଟେକିଦେଲା, ଦିଉଡ଼ୁ ଏଥର ହସିଲା । ନୂଆ ଆଗନ୍ତୁକର ଆଶ୍ଚର୍ଯ୍ୟ ଅଭ୍ୟୁଦୟ ସବୁ ଦୁଃଖ, ସବୁ ସନ୍ତାପ ମନରୁ ଉଡ଼େଇ ନେଲା ।

 

ପୁବୁଲି ଆସିଲା, ଭାଉଜକୁ କୁଣ୍ଢେଇ ପକେଇଲା । ଗାଁଯାକ ସ୍ତ୍ରୀଲୋକଙ୍କର ପଟୁଆରେ ମିଶି ପୁୟୁ ଆପଣା ଘରଆଡ଼କୁ ଗଲା । ଲାଗୁଥାଏ, ଯେପରି ସେ ଗୋଟାଏ ଅତି ଆଶ୍ଚର୍ଯ୍ୟ କଥା କ’ଣ କରିଦେଇଛି । ଯାହାର ତୁଳନା ସମଗ୍ର ଦେଶରେ କେଉଁଠି ନାହିଁ । ସାନପୁଅ କାନ୍ଦୁଥାଏ, ପୁୟୁ ହସୁଥାଏ ।

•••

 

ପାଞ୍ଚ

 

କେଉଁକାଳୁ ଏ ପୁରୁଣା ପୃଥିବୀଟା ପଡ଼ିରହିଛି । ତାହାରି ଉପରେ ଲାଗିରହିଛି ଦି’ଦିନିଆଁ ଘରକରଣା । ସବୁ ଗଜା ହେବା, ଗଛ ହେବା ଆଉ ଝଡ଼ିପଡ଼ିବା, ଦି’ଦିନିଆଁ ।

 

କୁଆଡ଼ର ପାଣି କୁଆଡ଼େ ଚାଲିଯାଏ, ସଭ୍ୟତା ବୁଡ଼ିରହେ ମାଟିତଳେ, ବଣ ଉହାଡ଼ରେ, କାହାରି ଗୋଟାକର ଧାର ଖୋଜୁ ଖୋଜୁ ମଣିଷ ନିଜେ ଯାଏ ଭୂତ ହୋଇ, ସବୁ ସଙ୍କେତ ସବୁ ପରିଚୟ ଆପଣାର କରି ଲୁଚେଇ ରଖେ ଗହନ ଘନ ନିବିଡ଼ ମାଟି ସମାଧି ଉପରେ ସୁଖରେ ମାଡ଼େ ଘାସ, ଘାସର ଫୁଲ ଫୁଟେ ଝଡ଼େ ।

 

ଯେ ଯାଏ ସେ ଯାଏ, ଯେ କାନ୍ଦେ ସେ ବି ଯାଏ, ଯେ ଆସେ, କାହାରିକି ଚିହ୍ନେ ନାହିଁ ସେ ବି ଯାଏ ।

 

ସରବୁ ସାଓଁତା ଚାଲିଯାଇଥିଲା । ଆଜିର ପୃଥିବୀକୁ ଅଣ୍ଡାଳି ବସି କିଏ କହିବ କେବେ ସେ ଥିଲା ?

 

କିନ୍ତୁ ଆଖପାଖର ପର୍ବତମାନଙ୍କ ପରି ସେ ଥିଲା ଗୋଟିଏ ମଣିଷପର୍ବତ । ଯେତେବେଳେ ଦେଖିଲେ ସେହିପରି ଥାଏ । ମିଣିୟା ପୁୟୁ ଆଉ ସରବୁ ସାଓଁତା ଅଭିନ୍ନ ।

 

ସରବୁ ସାଓଁତା ଏ ପୃଥିବୀକୁ ଭଲ ପାଉଥିଲା, ବାଛି ବାଛି ଭଲପାଇବା ତାକୁ ଜଣା ନ ଥିଲା । ସେ ଯାହା ଦେଖିଛି, ଯାହା ପାଇଛି ତାକୁ ଭଲ ପାଇଛି । ଅଧ ଅଧ ଚନ୍ଦା ଘାସଛୁଆଣି ଧୂଳିଆ ମାଟିରେ ଦେହ ଭରାଦେଇ ଶୋଇ ଶୋଇ ସେ ସ୍ୱପ୍ନ ଗଢ଼ିଛି, ସେଠି ଗୋବର-ସେଠି ଛେପ-ସେଠି ଛାଲ ପୋଡ଼ିବାର ଫୁରୁକୁଟିଆ ଧୂଆଁ, ସେଠି ଅଳିଆ । ସେ ଘାଘାଉଡ଼କୁ ଡରି ନାହିଁ, ରକ୍ତାରକ୍ତିକୁ ହଟି ନାହିଁ । ପୂଜା ଦେଲାବେଳେ କନ୍ଧ ପୁରୋହିତ ଯେପରି ଚାଉଳ ଟୋକୁଥିବା କୁକୁଡ଼ା ଛୁଆର ମୁଣ୍ଡକୁ ନଖରେ ଆଞ୍ଚୁଡ଼ି ଛିଣ୍ଡାଇଦିଏ, ସରବୁ ସାଓଁତା ସେହିପରି ମାରିଛି, ଛଡ଼େଇ ଦେଇଛି, ଖାଇଛି, ସ୍ନେହରେ ପାଳିଛି ଆନନ୍ଦରେ ଖାଇଛି । ତାର ବିକାର ନାହିଁ । ସେ ବଇଁଶୀ ବଜେଇଛି, ପାହାଡ଼ ଦେଶର ସୁନ୍ଦରପଣିଆରେ ଆପଣାକୁ ଭୁଲେଇଛି, ଜୀବନକୁ ଅନୁଭବ କରି କରି ଚାଖି ଚାଖି ଦେଇଛି ପିଇ । ସେ ମାତିଛି, ବଣ ଭିତରେ ଗୋଡ଼େଇ ଗୋଡ଼େଇ ଭଲ ପାଇଛି, ଦିନବେଳେ ଚାଷ ଖଳା ପାଖେ ବଣ ଉହାଡ଼ରେ ମାଂସର ଡାକକୁ ଜବାବ ଦେଇଛି ।

 

ଅଶୀ ବରଷର ଭଲ-ପାଇବା ତାର, ଅଶୀ ବରଷର ଇତିହାସ । ‘ମୁଁ’ ଆଉ ‘ମୋର’ ବୋଲି କହି ଭଲପାଇବା ଈର୍ଷା କରିବାର ଯେଉଁ ପ୍ରସାରିତ ସଂକୁଚିତ ଘରକରଣା ତାର, ସବୁ ଅଛି, ସେ ନାହିଁ । ଏଇ ତାର ଘର, ତାର ପୁଅ ଝିଅ, ତାର ଗାଈଗୋରୁ, ତାର ବସିବା ପଥର, ସବୁ ତାର-। ଏଇ ନାତିଟି, ଯେ କାଲି ଆସିଛି, ସେ ବି ତାର-

 

କିନ୍ତୁ ସେ ନାହିଁ ।

 

ଝୋଲାକୂଳରେ ଯେଉଁ ଅଶୁଭ ଅଙ୍ଗାର ପାଉଁଶ ଆଉ ଦର୍‌ହପୋଡ଼ା କାଠ ସେଠିବି ସେ ନାହିଁ । ସବୁ ତାର ହୋଇଥିଲା, ନଅଦିନର ମୋଟେ,-ଏଇ ପୃଥିବୀର ଲୋକେ ତାର ସବୁ ସ୍ପର୍ଶ ସବୁ ସମ୍ପର୍କ ପୋଛିପାଛି ଲିପି ନିଭେଇ ଦେଲେ । ବୁଡ଼ ସରିଲା, ଖାଲି ଘରଦୁଆର ଲିପାପୋଛା ଓ ନୂଆହାଣ୍ଡିରେ ମାଉଁସଭାତ । ଚାରିଟା କୁକୁଡ଼ାଛୁଆ କାଟି ତାଙ୍କର ରକ୍ତ ତା’ରି ଉଦ୍ଦେଶ୍ୟରେ ଢାଳି ନିଜେ କୁକୁଡ଼ାଛୁଆଙ୍କୁ ସମସ୍ତେ ଖାଇଲେ । ଗାଁ ପୁରୋହିତ ତା ନାଁ ଧରି ଡାକିଲା, କହିଲା ‘ସରବୁ ସାଓଁତା, ସରବୁ ସାଓଁତା ଆଉ ତୁମେ ଆସ ନାହିଁ, ଯେଉଁ ବାଟେ ଆସିଥିଲ ସେହି ବାଟେ ଯାଅ, ଆମକୁ ଜାଲ ଢାଙ୍କ ନାହିଁ, ରୋଗ ଦିଅ ନାହିଁ, ଆମେ ଅଛୁଁ ବୋଲି ତୁମକୁ ଯାହା କିଛି ଦେଲୁଁ ନ ହେଲେ କିଏ ଦେଇଥାନ୍ତା, କିଏ ତୁମକୁ ପଚାରନ୍ତା, ମାଟି ଖାଇ ଖାଇ ତୁମେ ପନ୍ଦରବର୍ଷ ବି ଏହିପରି ପଡ଼ିଥାଆନ୍ତ । ସରବୁ ସାଓଁତା, ସରବୁ ସାଓଁତା, ଯାହା ଦଉଛୁ ସେଇଆ ନେଇ ତୁମେ ଯାଅ ଭାରି, ଯାଅ, ଆଉ ଆସ ନାହିଁ ।’

 

ଖାଲି ପରି କରିଦେବା ମନ୍ତ୍ର-

‘ନିଙ୍ଗେ ହିୟାତୋମି (ତୁମକୁ ଦଉଛୁଁ)

 

ମାମ୍ବୁ ମଚାଳିସା ହୀୟାତୋମି (ଆମେ ଅଛୁଁ ବୋଲି ଦଉଛୁ) ମାମ୍ବୁ ହିଲାଆତେମା ଏମ୍ୱା ହିୟତୁମା (ଆମେ ନ ଥିଲେ କେଉଁଠୁ ଦେଇଥାନ୍ତୁ, କ’ଣ ଦେଇଥାନ୍ତୁ)

 

ମାମ୍ୱୁ କୋୟୁହିପା ହିହିମ୍ ଜାନୋମି (ଆମେ କୁକୁଡ଼ା ଛୁଆ ଦେଉଛୁଁ)

କୋୟୁ ହିପା ଆସନାହା ନିନୁ ହାଲମୁତେ (କୁକୁଡ଼ାଛୁଆ ଧରି ତୁମେ ଚାଲିଯାଅ)

 

ନିନୁ ଇମ୍ବିଜିରୁ ତ୍ୱାତି ଏଜିରୁ ହାଲାମୁ (ତୁମେ ଯେଉଁବାଟେ ଆସିଥିଲ ସେହି ବାଟେ ଯାଅ)

 

ନଅଟା ଦିନରେ ମୋଟେ । ସମସ୍ତେ ତାକୁ ପର କରିଦେଲେ, କହିଲେ ଯାଅ ଯାଅ । ଏଣିକି ସେ ପ୍ରେତ, ସେ ଅଶୁଭ । ମଣିଷର ଉଷୁମ୍ ଚୁଲି ପାଖେ ତାର ସ୍ଥାନ ନାହିଁ, ଭାଗ ନାହିଁ ଭାତହାଣ୍ଡିରେ-ମନହାଣ୍ଡିରେ । ସେ ନାହିଁ, ସେ କେହି ନୁହେଁ, ସେ ଗୋଟାଏ ନାଁ । କେତେ ଆତ୍ମା ଉଡ଼ି ଚାଲିଯାଇଛନ୍ତି ଶୂନ୍ୟକୁ, ଫୋପାଡ଼ି ଦେଇ ଯାଇଛନ୍ତି ଖାଲି ତାଙ୍କର ନାଁର ଖୋଳପା, ସମୟ ତା’କୁ ବି ଖତିରା କରି ଦେଇଛି, ଧୂଳି କରି ଦେଇଛି । ଧୂଳିରେ ଧୂଳି ମିଶିଛି, ଅଗଣିତ ନାଁ, ଆଜି ବାଛି ହେବ ନାହିଁ ।

 

ଗାଁ ମଝିରେ ବଡ଼ ନିଆଁ ଅଗି ଜଳୁଥାଏ । ଚାରିଟା କୁକୁଡ଼ାଛୁଆଙ୍କ ରକ୍ତ ଢଳା ହେଲା, ରନ୍ଧାମଦ ଢଳା ହେଲା । ଉଡ଼ନ୍ତା ଖଈ ଗୋବିନ୍ଦେ ସ୍ୱାହା । ସରବୁ ସରବୁ ସାଓଁତାର ଆତ୍ମା ଶାନ୍ତ ହେଉ । ପୁରୋହିତ କାମ୍ବେଲା ଜାନି ପ୍ରେତକ୍ରିୟାର ମନ୍ତ୍ର ଶେଷ କଲା । କନ୍ଧମାନେ ଅପେକ୍ଷା କରିଥିଲେ । ଏକାଥରକେ ଶବ୍ଦକରି ବାହାରିଗଲା ଗୁଡ଼ାଏ ଦୀର୍ଘଶ୍ୱାସ । ଏଥର ସରବୁ ସାଓଁତାର ପ୍ରେତ ଗାଁ ଛାଡ଼ି ବାହାରିଗଲା, ଏଣିକି ଶାନ୍ତି । କଳରବ ହେଲା । ମଦପିଆ ଲାଗିଲା । କନ୍ଧ ଡୋଲିଆ ମାଦଳ ପିଟିଲେ । କନ୍ଧ ପିଲାଏ ବଡ଼ ବଇଁଶୀରେ ଐକ୍ୟତାନ ଲଗେଇ ଦେଲେ । ମୁହାଁମୁହିଁ ଦି’ଧାଡ଼ି ହୋଇ ଧାଂଡୀ ନାଚିଲେ, ମାଡ଼ି ଆସିଲେ, ପଛେଇ ଗଲେ ପୁରାତନ ରୀତି । ମଦପିଆ ବଢ଼ିଲା ସବୁ ଗୋଳମାଳ ହୋଇଗଲା । ପଛେ ପଛେ ଭାତ ମାଉଁସ ଭୋଜି । କାଉପରି ରାବିଉଠିଲେ ମଣିଷ ମେଞ୍ଚିମାଞ୍ଚି ହୋଇ ହୋହା ଘୋଘା । ବାଜା ଥମ୍ବି ନ ଥାଏ, ରହି ରହିକା ବଇଁଶୀ ଚାଲିଥାଏ । ଭୋଜି ପରେ ଅଇଁଠା ଗାଁ ଦାଣ୍ଡରେ ପୁଣି ନାଚ । ପୁଣି ଫୁର୍ତ୍ତି, କାହାରି ହୋସ୍ ନ ଥାଏ । ପୁବୁଲି ନାଚୁଥାଏ, ଦିଉଡ଼ୁ ଗଡ଼ୁଥାଏ, ଲେଞ୍ଜୁ କରପଟିଆ ହୋଇ ହାତଗୋଡ଼ ଛାଟି ଡେଇଁ ଲାଗିଥାଏ । ଗାଁଲୋକେ ଖୁସି ହେଉଥାନ୍ତି ।

 

ଏ ବି ପର୍ବ, ପ୍ରେତ-ଘଉଡ଼ା ପର୍ବ । ଉଷୁମ ଅଗି, ନାଚ, ଭୋଜି । ଝୋଲାକୂଳରେ ନିଛାଟିଆ ବଣ ଭିତରେ ଅଙ୍ଗାରଗୁଡ଼ାଏ ପଡ଼ିଥାଏ, ବିଲୁଆ ବୋବେଇ ବୋବେଇ ଯାଏ, ବଣର ଚଢ଼େଇ ବିକଟାଳ ବୋବାଳି ଛାଡ଼େ । ଶୀତ ରାତି, ଅନ୍ଧାର ରାତି । ବଣର ଘୁଙ୍ଗୁଡ଼ି ପରି ଝୋଲା ଭିତରୁ ରହି ରହିକା ଶବ୍ଦ ଆସେ । ଅଙ୍ଗା ରଉପରେ ଧାର ଲାଗିଯାଆନ୍ତି ଜୁଳୁଜୁଳିଆ ପୋକ, କାକର ଗଦା ହୁଏ ।

 

ରାତି ବଢ଼ି ବଢ଼ି ଚାଲିଲା, ମଝିଦାଣ୍ଡର ନିଆଁ ନିଭିଲା, ଗୋଜିଣାଗୁଡ଼ାକ ଛିଞ୍ଚାଡ଼ି ହୋଇ ପଡ଼ି ଧୀରେ ଧୀରେ ମଲା । ସବୁ ତୁନି ପଡ଼ିଲା । ମଝିରେ ମଝିରେ ଛିଗୁଲେଇଲା ପରି ନିଆଁଗୁଡ଼ାକ ଚାଇଁ ଚାଇଁ ଦିଶେ, ପୁଣି ଛାଇ ପଡ଼େ । ଗାଁ ଦାଣ୍ଡ ନିଶବଦ । କବାଟ ପଡ଼ିଲା ।

 

ସରବୁ ସାଓଁତା ଅନ୍ଧାରକୁ ଡରୁଥିଲା, ଉଷୁମ୍ ଭଲ ପାଉଥିଲା । ଘରେ କବାଟ ପଡ଼ିଛି । ଭାରି ଶୀତ, ଅନ୍ଧାର ।

•••

 

ଛଅ

 

ସମସ୍ତେ କହନ୍ତି ପୁୟୁର ପୁଅ ସୁନ୍ଦର ହେବ ! ପୁୟୁ ଖୁସି ହୁଏ, ପିଲାକୁ କୋଡ଼ରେ ପୂରେଇ ସେ ବସିରହେ, ପିଲାଠୁ ତେଣିକି ଆଉ ତାକୁ ଦିଶେ ନାହିଁ, ସେତିକି ସବୁ । କଅଁଳା ପିଲା ଦୁଧରେ ମୁହଁ ଲଗେଇ ଶୋଷେ, ହାତରେ ଅଣ୍ଡାଳେ, ଶୋଷିଲା ଆଖିରେ ପୁୟୁ ତା ପୁଅକୁ ଅନେଇ ରହେ । ଛାତି ଖୋଲାରଖି ଖାଦ୍ୟଭର୍ତ୍ତି ଦୁଧ ପିଲାର ମୁହଁକୁ ଆଗେଇ ଧରେ । ସେହିବାଟେ ଗାଁଲୋକେ ଯାଆନ୍ତି ଆସନ୍ତି, ସ୍ତ୍ରୀ ପୁରୁଷ ଯାହାର ଇଚ୍ଛା ଠିଆ ହୋଇ ପିଲାକଥା ପୁୟୁକୁ ପଚାରନ୍ତି । ସେ ବିନା ସଙ୍କୋଚରେ ସେହିପରି ବସିଥାଏ, କଥାବାର୍ତ୍ତା କରେ । ମା’ର କ୍ଷୀର ପିଲାର ଖାଦ୍ୟ, ସେଥିରେ କିଛି ସରମ ଅଛି ତା କନ୍ଧୁଣୀ ମା’ ବୁଝେ ନାହିଁ, କନ୍ଧ ସମାଜ ବୁଝେ ନାହିଁ, କନ୍ଧୁଣୀ ମା’ ଗର୍ବ କରି ପିଲାକୁ ଖୁଆଏ, ସେ ଦୁର୍ବଳ ନୁହେଁ, ସେ ବନ୍ଧ୍ୟା ନୁହେଁ, ଆପଣାର ରକ୍ତରୁ ପିଲାଟିଏ ସେ ଗଢ଼ିଛି, ଶକ୍ତି ଅଛି ତାକୁ କ୍ଷୀର ଖୋଇ ମଣିଷ କରିବାକୁ । ପୁବୁଲି ବାଧ୍ୟକରି ପିଲାକୁ ଛଡ଼େଇ ନେଇଯାଏ, କହେ ତୁ କାମ କର, ମୁଁ ହାଲିଆ ହୋଇଗଲି । ଛଡ଼େଇ ନେଇ ଘର ଭିତରେ ପଶେ, ଗେଲ କରେ, ଗୁଣୁଗୁଣୁ ହୋଇ ଗୀତ ବୋଲେ । ଚାରି ଆଡ଼କୁ ଅନେଇ ଦେଇ ଆସ୍ତେ ପିଲାଟିର ମୁହଁ ଲଗେଇ ଦିଏ ଆପଣା ଛାତିରେ । ପିଲା ଅଣ୍ଡାଳେ । ପରିଚିତ କ୍ଷେତ୍ର ସେ ପାଏ ନାହିଁ । ପିଲା ରଡ଼େ । ପାଖେ ପାଖେ ବାଁରେଇ ହେଉଥାଏ ପୁୟୁ, କ୍ଷୀର ବୋହିଯାଉଥାଏ । ପୁୟୁ କହେ, ଦେ, ତୁ ଯା ମୁଣ୍ଡ ବାନ୍ଧିବୁ, ବସେଇ ଉଠେଇ ଦେବ ନାହିଁ ତତେ । ପୁବୁଲିର ମନ ଭିତର ବାରମ୍ବାର କହେ, ସେ ହାରିଛି, ଛାତି ଭିତରେ କେଉଁଠି କ’ଣ ହାକୁ ହାକୁ ହୁଏ, ଇଚ୍ଛା ପିଲାଟିକୁ କୁଣ୍ଢେଇ ଧରି ନାଚିବାକୁ ।

 

ପୁୟୁ ପିଲାକୁ କ୍ଷୀର ଦିଏ; ପୁବୁଲି ଠିଆହୋଇ ଅନାଏ, ଉଦାସ ଓହ୍ଲାଏ ତା ମୁହଁକୁ, ଆଖିରେ ସ୍ୱପ୍ନ ଭାସେ । ଏଇ ମା, ଏଇ ତାର ଛୁଆ, ତାର ଭାଇର ପୁଅ, ସେ ଭାଇର ଭଉଣୀ । ଥରେ ପୁୟୁ ନଣନ୍ଦକୁ କହିଥିଲା, ଦେଖ୍ ତାର ଆଖି, ଦେଖ୍ ତାର କପାଳ, ଠିକ୍ ତୋରିପରି, ତୋରିଠୁ ଆଣିଛି, ଆଉ ପାଦ, ଠିକ୍ ତୋରି ପାଦପରି ସାନ ସାନ ହେବ ନାହିଁକି, ଦେଖ୍ ଦେଖ୍ । ପୁୟୁ ହସି ହସି ଗଡ଼ି ଯାଉଥିଲା, ପୁବୁଲି ବି ହସିଥିଲା ।

 

ପୁବୁଲି ପିଲାଟିକୁ ଭାରି ଭଲପାଏ ।

 

ସାନ ଆରଶିରେ ମୁହଁ ଦେଖି ଦେଖି ତେଲ ହଳଦୀ ବୋଳି ହେଲାବେଳେ ପୁବୁଲି ବାଁଆଁରେଇ ହୋଇ ପିଲାକୁ ଅନାଏ, ସତେ କ’ଣ ତାରି ରୂପର ଛାଇ ପଡ଼ିଛି ପୁୟୁର ପିଲା ଉପରେ-! ପୁୟୁ ପିଲାକୁ ଗେଲ କରେ, ପିଲା ଲାଗିଯାଏ ମା ଦେହରେ, ଝିଟିପିଟି ପରି, ପୁବୁଲି ଦୀର୍ଘଶ୍ୱାସ ପକାଏ । ଅଜାଣତରେ ମନଟା କାହିଁକି ଫାଁକା ଫାଁକା ଲାଗେ । ଅଠର ବର୍ଷର ସବୁ ଅଭିଜ୍ଞତାର ମୁଣି ଝାଡ଼ଝୁଡ଼ କରି ପୁବୁଲି ବାଛେ ଖାଲି ଦୁଃଖର ଅନୁଭୂତି । ମଲା ମା’ର କାନିଟା ବାଜିଯାଏ ସତେକି ପୁବୁଲି ଦେହରେ, ମନେପଡ଼େ ବୁଢ଼ା ବାପ, ଆଉ କେତେ କ’ଣ ମନେପଡ଼ିବାକୁ ଅଧାଯାକେ ଉଠି ଆସେ, ପୁଣି ଛପିଯାଏ ।

 

ଉଦାସ ହୋଇ ପୁବୁଲି ଦୂରକୁ ଅନାଏଁ । ହେଇ ପର୍ବତ ସେପାଖେ, ସେଠି ଚନ୍ଦିକାର ଗାଁ, ହିକୋକା ବଂଶର କନ୍ଧମାନଙ୍କ ବସତି । ସକାଳେ ସଞ୍ଜରେ ସେଠୁ ଧୂଆଁ ଉଠେ, ଖାଲରେ ଅଛି ଗାଁ । ଗଛ ସନ୍ଧିରୁ ଧୂଆଁର ଭଉଁରିର ଖିଅ ଧରି ଧରି ଭାବିବାକୁ ପୁବୁଲିକୁ ଭଲଲାଗେ । ସେଠି ଭେଣ୍ଡିଆ ସାଓଁତା ହିକୋକା ହାର୍ଗୁଣା, ଦିଉଡ଼ୁପରି ସେତେ ଉଞ୍ଚ ନୁହେଁ କିନ୍ତୁ କୁନ୍ଦିଲାପରି ଦେହ, ପିଲାଦିନୁଁ କେତେଥର ଦେଖିଛି ସେ ହାର୍ଗୁଣାକୁ, ବେଳେ ବେଳେ ଆସେ, ସରବୁ ସାଓଁତାର ଗୋଡ଼ତଳେ ବସେ । ପୁବୁଲି ଧୂଆଁର ଖେଳ ଦେଖେ । ସରବୁ ସାଓଁତା ଧୂଆଁରେ କେଉଁଆଡ଼େ ମିଶିଗଲା । ସେ ହାର୍ଗୁଣାକୁ ଭଲ ପାଉଥିଲା ।

 

ପୁବୁଲି ହାର୍ଗୁଣା କଥା ଭାବେ, ଲୋକେ କହନ୍ତି ସାଓଁତାର ଝିଅ ସେପାଖ ସାଓଁତାକୁ ଭଲ ମାନିବ । ଦିନାକେତେ ହେଲା ହାର୍ଗୁଣା ଆସି ନାହିଁ । ଫସଲ କଟାକଟି ବେଳ । ଅନର୍ଥକ ପୁବୁଲି ହାର୍ଗୁଣାକୁ କଳି ବସେ, ଆହା ତାର ବି ବାପ ମା’ ନାହାନ୍ତି ।

 

ପୁଅର ନାଁ ଦିଆଯିବ । ପୁୟୁ ତାର ପୁଅର ଭବିଷ୍ୟତ୍‍ କଥା ଭାବେ । ପୁଅକୁ ଅଣ୍ଟିରେ ପୂରେଇ ବସି ସାହି ମାଇପଙ୍କ ସଙ୍ଗେ ଗପ କଲାବେଳେ ପୁୟୁ ସମସ୍ତିଙ୍କୁ ପଚାରୁଥାଏ ପୁଅର ନାଁ କ’ଣ ଦିଆ ହେବ ।

 

ପୁୟୁ ଭାବେ ଗୋଟାଏ କ’ଣ ବଡ଼ ନାଁ ହେବ, ଗୁରୁଗମ୍ଭୀର, ଭୟଙ୍କର, ଯେପରିକି ବଡ଼ ହେଲେ ମାନିବେ, ଡରିବେ । ଦାମଣା, ମେଣ୍ଡ୍ରେଙ୍ଗା, ଡଣ୍ଡ୍ରା ଇଚ୍ଛା ହୁଏ ଦିଉଡ଼ୁକୁ ପଚାରି ବୁଝନ୍ତା ତାର ମତାମତ କ’ଣ । ଦିଉଡ଼ୁର କ’ଣ ଯେମିତି ହୋଇଛି ସେ ଆଉ ବେଶୀ ଦେଖାଦିଏ ନାହିଁ । ପିଲାଟିର ଜନ୍ମ ପରେ ପୁୟୁର ଦେହ ଭାରି ଦୁର୍ବଳ ହୋଇଯାଇଛି, ଲୋକେ କହୁଛନ୍ତି । ପୁୟୁ ଦିଉଡ଼ୁ ଉପରେ ଅଭିମାନ କରେ କାମ କ’ଣ ଏମିତି ବଳେଇ ପଡ଼ୁଛି ! କେତେ ପ୍ରଶ୍ନ ପଚାରିବାକୁ ମନହୁଏ, ସେ କେବଳ ତାର ଦିଉଡ଼ୁର ପରାମର୍ଶ । ଫସଲ କଟାକଟି ଲାଗିଛି, ଗାଁର ସମସ୍ତେ ପାହାଡ଼ତଳେ । ଗାଁ’ଟା ଖାଁ ଖାଁ । ପୁବୁଲି ବି ମାଣ୍ଡିଆ କ୍ଷେତକୁ ଯାଏ ପୁୟୁ ପାଇଁ ମାଣ୍ଡିଆଭାତ ଥୋଇ ଦେଇ ଭାଇ ପାଇଁ, ଦାଦି ପାଇଁ ନେଇଯାଏ । କ୍ଷେତ ଉପରେ ମଞ୍ଚା ବନ୍ଧା ହୋଇଚି, ପାଚିଲା ଫସଲ ଜଗି ରହି କଟା ଫସଲ ଜଗି ରହି ପୁରୁଷମାନେ ଆପଣେ ଆପଣା ମଞ୍ଚା-କୁଡ଼ିଆରେ ରାତିରେ ଶୁଅନ୍ତି ।

 

ପୁବୁଲି ସଞ୍ଜରେ ଫେରେ, ଦସ୍ରୁ କୁକୁର ଫେରେ ତା ସାଙ୍ଗରେ । ରାତିରେ ବଣଜନ୍ତୁଙ୍କୁ ଘଉଡ଼େଇବା ପାଇଁ ଯେତେବେଳେ ମନେପଡ଼େ ଲୋକେ କିଳିକିଳା ରଡ଼ି ଛାଡ଼ନ୍ତି, ଶିଙ୍ଗା ଫୁଙ୍କନ୍ତି । ପୁବୁଲିକୁ ନିଦ ହୋଇଯାଏ, ପୁୟୁ ଶିଙ୍ଗା ଶବ୍ଦ ଶୁଣୁଥାଏ । ବେଳେ ବେଳେ ଶିଙ୍ଗା ଶବ୍ଦ ଶୁଣିଲାକ୍ଷଣି ଦସ୍ରୁ ଧଡ଼ମଡ଼େଇ ଉଠି ଏକାରାଆରେ ଓ୍ୱୋ ପଦ ମେଲିଦେଇ କାନ୍ଦେ । ପିଲା ରଡ଼େ । ନିଆଁ ଜୁକୁଜୁକୁ ଧୂଆଁ ସରସର ନୁଆଁଣିଆ ଘରେ ଶୀତରେ କୁଂକିରିକାଂକିରି ହୋଇ ଶୋଇରହି ପୁୟୁ ଦିଉଡ଼ୁକୁ ମନେ ପକାଏ ।

 

ଏଇ ପାଚିବା କାଟିବା ଦିନରେ କ୍ଷେତ ପାଖେ ବଣ ଉଢ଼ୁଆଳରେ କେତେ ହସଖୁସି କେତେ ଘେନାଘେନି କନ୍ଧଦେଶରେ । ମାଘ ମାସଟା ଖାଲି ବାହାଘର ମାସ । ପାଚିଲା ଫସଲ ଦେଖିଲେ ପେଟ ପୂରେ, ଶୀତୁଆ ଖରା ମତାଏ, ଶୀତ ଏକାଠି କରେ । ପୁୟୁ ପୁବୁଲିକୁ ବିଚିତ୍ର ଆଖିରେ ଅନାଏଁ, ତାର ଭିତରଟାକୁ ଉଣ୍ଡି ଦେଖିବାକୁ ମନକରେ । ପୁବୁଲି ନିଘୋଡ଼ ନିଦରେ ଶୋଇଥାଏ । ନିଛାଟିଆ ଶୀତୁଆ ଅନ୍ଧାରରାତି । ଖାଲି ଶିଙ୍ଗା ଶବ୍ଦ । ଦାଦିକି ସେଠି ଜଗେଇ ଦିଉଡ଼ୁ ଆସି ପାରନ୍ତା ନାହିଁ ? ପୁରୁଷମାନଙ୍କ ମନ କ’ଣ ସତେ ପୁୟୁ ଭାବେ ।

 

ସକାଳ ହୋଇଥାଏ, ଭାରି କୁହୁଡ଼ି । ପାଖ ଗୁହାଳରୁ ତା’ ଉପରେ ତା’ ଉପରେ ଦୋଟିଯାକ ବଳଦ ରଡ଼ି ଛାଡ଼ୁଛନ୍ତି । ପୁୟୁ ଉଠିଲା, ଦେଖିଲା ପୁବୁଲି ଉଠିଯାଇଛି । ଘର ଭିତର ଅଳ୍ପ ଫରଚା, ନିଆଁ ଲିଭିଯାଇଛି । ପିଲାଟି ଶୋଇଛି । ପୁୟୁ ଗାଲିପାରି ଶୋଇ ରହିଲା ପୁବୁଲିକୁ ଅପେକ୍ଷା କରି । ବଳଦ ଯୋଡ଼ାକ ଆହୁରି ଆହୁରି ବୋବେଇଲେ, ଘର ଭିତରେ ଆଲୁଅ ବଢ଼ିଲା । ପୁଅ ଡବ ଡବ କରି ଅନେଇଲା ।

 

ପୁୟୁ ପୁଅକୁ କାଖେଇ ଉଠିପଡ଼ିଲା । ସେତିକିବେଳେ ସେ ଦେଖିଲା ପୁଅର ନାହି ଖସି ପଡ଼ିଛି । ପୁୟୁର ଅଳସ ଭାଙ୍ଗିଗଲା । ନାହି ପଡ଼ିଲା ଆଜି ଘରଦ୍ୱାର ଲିପାପୋଛା, ବାରକାମ ଲାଗିବ । ଦିଉଡ଼ୁ ଉପରେ ରାଗ ଆସିଲା, ଘରର ଦାୟିତ୍ୱରୁ କାଣିଚାଏ କାହିଁକି ତୁଲୋଉ ନାହିଁ ସେ, ଖାଲି ଥରେ କି ଦି’ଥର ତରତର ହୋଇ ଯା ଆସ !

 

ଗାଁ ବାରିକ ଭୁର୍ଷାମୁଣ୍ଡାର ସାନପୁଅ ତୁରୁଞ୍ଜା ଟୋକା ଗୋରୁ ଚରେଇ ନେବାକୁ ଆସିଲା-। ପୁୟୁ ତା’ରି ହାତରେ ଦିଉଡ଼ୁ ପାଖକୁ ଖବର ପଠେଇଲା । ଭୁର୍ଷାମୁଣ୍ଡାକୁ ଡକେଇଲା । ସାଓଁତା ମଲାପରେ ଦିଉଡ଼ୁଗାଁର ନାଇକ ହେବ ଏକଥା ସ୍ୱତଃସିଦ୍ଧ । ବାରିକ ଗାଁ ନାଇକର ଆଜ୍ଞାବହ, ସେଥିପାଇଁ ସେ ‘ବାରିକ-ଭୂମି’ ଖାଏ । ଭୁର୍ଷାମୁଣ୍ଡା ଖବର ନେଇ ଗାଁଗଣ୍ଡା ଯାଏ ।

 

ସେ ସାଙ୍ଗେ ସାଙ୍ଗେ ଆସିଲା, ପୁୟୁ ତାର ବାପଘର ଗାଁ ମିଟିଂ ଖବର ପଠେଇଲା, ଶୁଭକାର୍ଯ୍ୟରେ ମାମୁଘରକୁ ଖବର ଦେବା ବିଧି ।

 

ପୁବୁଲିର ଦେଖା ନାହିଁ ତଥାପି, କୁହୁଡ଼ି ଫାଟିଲାଣି । ଜାମିରି କନ୍ଧର ବୁଢ଼ୀ ପାଖେ ଛୁଆକୁ ଛାଡ଼ିଦେଇ ନାହି ପଡ଼ିବା କଥା କହିଦେଇ ପୁୟୁ ଚଢ଼ିଲା ପର୍ବତରେ । ନାଲି ମାଟି ଆଣିଲା, ଧଳା ମାଟି ଆଣିଲା, ଶିଆଳି ପତ୍ର ଆଣିଲା ।

 

ଫେରିଲାବେଳକୁ ବୁଢ଼ୀ ପାଖେ ପିଲାକୁ ଧରି ପୁବୁଲି ଗପୁଛି । ପୁୟୁ ଘରଦ୍ୱାର ଲିପି ପକେଇଲା । ଗୁହାଳ ପୋଛିଲା । ଦୁଆରେ ଶୁଭ ଚିହ୍ନ ବୋଲି ଶିଆଳି ପତ୍ରର ମାଳ ଲଟକେଇ ଦେଲା । ଲୁଗା ସିଝେଇଲା ।

 

ଝୋଲାରୁ ଫେରିଲାବେଳକୁ ଦିଉଡ଼ୁ ଆସିଥାଏ । ଶୀତ ରାତିରେ ଶିଙ୍ଗା ଫୁଙ୍କି ଫୁଙ୍କି ମଞ୍ଚା ଉପରେ ରାତିକ ଉଜାଗର ପରେ ସେ ପେଟେ ମଦ ପିଇଥାଏ ।

 

ପୁୟୁକୁ ଦେଖି ଘର ଭିତରକୁ ସ୍ତ୍ରୀ ପଛେ ସେ ଚମକି ଆସିଲା । ମଦୁଆ ଆଖିରେ ଗାରଡ଼ କରି ଅନେଇଁ ପୁୟୁର ହାତ ଧରି ସେ ଝାଙ୍କି ନେଲା । ପୁୟୁ ପିଲାକୁ ଧରିଥାଏ, କହିଲା, ଛି ଛି ପୁଅକୁ କାଟିବ । ପୁଅ କ୍ଷୀର ପାଟିରେ ପୂରେଇ ଗୋଟାଏ ଆଖିରେ ବାପକୁ ଅନେଇଁଥାଏ । ଦିଉଡ଼ୁ ଦବିଗଲା । ପୁୟୁ କହିଲା ମଦ ପିଇ ମାତିଲେ ତ ଚଳିବ ନାହିଁ । ବହୁତ କାମ ବାକି, ବେଜୁଣୀକୁ ଡାକିବାକୁ ପଡ଼ିବ, ଦିସାରିଠୁ ପରାମର୍ଶ ନେବାକୁ ହେବ, ନାହି ପଡ଼ିଛି, ପିଲାର ନାଁ ଦିଆହେବ ।

 

ଦିଉଡ଼ୁ ବେଜୁଣୀକୁ ଡାକିବାକୁ ଗଲା । କଳପରି ସେ ଗଲା । ବହୁତ ଉନ୍ମାଦନାରେ ସେ ଏତେଦିନ ପରେ ଘରକୁ ଚମକି ଆସିଥିଲା । ପୁୟୁ ଦୁର୍ବଳ ଦିଶୁଛି, ମୁହଁରେ ପାଣି ନାହିଁ, ଓଠ ଗାଲ ଠାଏ ଠାଏ ଫାଟିଯାଇଛି ଶୀତରେ, ଅଲରା ବାଳ । ମନେ ମନେ ସେହି ମୂର୍ତ୍ତିଟା ଦିଶୁଥାଏ, ତହିଁରେ ସରାଗ ଆସୁନାହିଁ । ପଛ ଆଡ଼ୁ ସେ କେଞ୍ଚି ଲାଗିଛି, ଯାଅ କାମକୁ ଯାଅ । ଶୀତରେ ଦିଉଡ଼ୁର ଦେହ ଫୁଲି ଫୁଲି ଉଠୁଛି, ପାଟିରେ ଖାଲି ଖାର । ପିଲା ହେଲା ପରଠୁ ପୁୟୁ ଖାଲି ଘଉଡ଼ିଦିଏ, ପିଲା ହେବା ଆଗରୁ ସେହିପରି ସେ ଘଉଡ଼େଇ ଦଉଥିଲା । ବଣୁଆ ମଣିଷ ଦିଉଡ଼ୁ, କେତେଦିନ ସେମିତି ଚାଲିଥିବ ? ସକାଳୁ ଝୋଲାକୁ ଚାଲିଛନ୍ତି ଗାଁର ଧାଂଡୀମାନେ, ମୁଣ୍ଡରେ ହାଣ୍ଡି ମାଠିଆ, କାଖରେ କନା । ତୁମ୍ବର ଚାଲିଛି, ନିଲମ ଚାଲିଛି ହରିଣ ପରି, ମାଈ ପଶୁ । ଦିଉଡ଼ୁ ଦେଖି ଦେଖି ଗଲା । ଦଉଡ଼ିଖଟ ଖଣ୍ଡେ ମୁଣ୍ଡରେ ଥୋଇ ଭୁର୍ଷାମୁଣ୍ଡାର ପୁଅ ବାଲ୍‍ମୁଣ୍ଡାର ସ୍ତ୍ରୀ ଚାଲିଛି ସୋନାଦେଈ । ବର୍ଷେ ହେଲା କେଲାର ଗାଁରୁ ଆସିଛି । ବାଲ୍‍ମୁଣ୍ଡା ଡେଙ୍ଗାହୋଇ ଖାଲି ହାଡ଼ ଦି’ଖଣ୍ଡ । ସୋନାଦେଈ ମୁଣ୍ଡକୁ ତଳକୁ ପୋତି ଚାଲିଛି, କି ସୁନ୍ଦର ସେ, ତାର ଗୋଲ ମୁହଁରେ ସବୁବେଳେ କିଏ ଅନ୍ଧାର ଘୋଡ଼େଇଛି । ଖାଲି ଦାଉଦାଉ ଅନ୍ଧାର ଭିତରେ ଦି’ଟା ଆଖି, ସେ କଣେଇ କଣେଇ ଝଲସିଯାଏ ।

 

ଦିଉଡ଼ୁ ଦୀର୍ଘଶ୍ୱାସ ପକେଇଲା । ବର୍ଷେ ତଳର ପୁୟୁ ତାର ମନେପଡ଼ିଲା । ଦସ୍ରୁ କୁକୁରଟା ପଛେ ପଛେ କେତେବେଳେ ଆସିଛି, ବାଟରେ ଘାଟରେ ଖାଲି କୁକୁର ଆଉ କୁକୁର ଛୁଆ-। କ୍ୟାଉଁ କ୍ୟାଉଁ-ଚିଡ଼ି ମାଡ଼େ ।

•••

 

ସାତ

ବେଜୁଣୀର ଘର ହେଲା । ଗାଁ ମୁଣ୍ଡରେ ଗୋଟିକିଆ ଘରଟିଏ । ଚାରିପାଖେ ମୁର୍ଗାବୁଦାର ବାଡ଼, ଭିତରଟା ଅରମା, ତାହାରି ଭିତରେ ଭଙ୍ଗା ଦଦରା ଖଣ୍ଡେ ଚାଳି । ବେଜୁଣୀ ବୁଢ଼ୀ ସେଇଠି ଥାଏ, ତାର କେହି ନାହିଁ । କନ୍ଧ ସମାଜରେ ବେଜୁଣୀର ଗୋଟିଏ ବିଶିଷ୍ଟ ସ୍ଥାନ ଅଛି, ସେ ଚାହିଁଲେ ତାକୁ କାଳିଶି ଲାଗେ, ଯେଉଁ ଦେବତାକୁ ଡାକେ ସେ ଆସି ତାକୁ ଧରେ । ସେ ବନ୍ଧ୍ୟା-। ମଲା ଜୀଇଲା ମଝିରେ ବେଜୁଣୀବୁଢ଼ୀ ଗୋଟିଏ ଶିଡ଼ି ।

ଲୋକେ ତାକୁ ଭଲ ପାଆନ୍ତି ନାହିଁ, ସେ ଅସୁନ୍ଦର । ଛଞ୍ଚାଣର ନଖପରି ବଙ୍କା ବଙ୍କା ତାର ଆଙ୍ଗୁଠି, ପାଟିରେ ଯୋଡ଼ିଏ ବଡ଼ ବଡ଼ ହଳଦିଆ ଦାନ୍ତ, ଆଖି ଧୂଆଁଳିଆ, ଦେହଯାକ ଚମ ଓହଳିଛି । କେହି ତାକୁ ଭଲ ପାଆନ୍ତି ନାହିଁ, ସମସ୍ତେ ତାକୁ ଡରନ୍ତି । ତାର ହାଡ଼ୁଆ ଛାତିରେ ନାନା ବର୍ଣ୍ଣର କାଚମାଳି, ଗୋଛା ଗୋଛା ଡଉଁରିଆ ଜଡ଼ିବୁଟିର ମାଳା । ସେ ଅସାଧ୍ୟ ସାଧନ କରେ, ନିଆଁରେ ଚାଲେ, କଣ୍ଟାରେ ବସେ, ଖଣ୍ଡାରେ ପେଟକୁ ଭୁଷେ । ସେ ଦେବତାର ବାହନ, ବେଜୁଣୀ ।

ବେଜୁଣୀର ବାଡ଼ପାଖେ ଦିଉଡ଼ୁ ଅଟକି ଠିଆହେଲା । ଘର ଚାରିପାଖେ ଲଣ୍ଡା କାଳିଆ ବଡ଼ ବଡ଼ ପଥର, ବୁଦାବୁଦା ଗଛ । ଲୋକେ କହନ୍ତି ବେଜୁଣୀ ସାପ ପୋଷେ, ବିଲୁଆଙ୍କ ସଙ୍ଗେ କଥାଭାଷା ହୁଏ ।

ପିଣ୍ଡାରୁ ପାଟି ଶୁଭୁଛି । ଦିଉଡ଼ୁ ପଶିଲା । ପିଣ୍ଡାରେ ଗୋଡ଼ ଲମ୍ବେଇ ଦେଇ ବେଜୁଣୀ ବସି ଖରା ପୁଉଁଛି, ଝୋଟପରି କେରା କେରା ଚୁଟି ଓହଳିଛି, କାନରେ ମନ୍ଦାର ଫୁଲ, ଅଣ୍ଟାରେ ରଙ୍ଗ କନା, ମନକୁ ମନ ଗପୁଛି ଏମିତି ସେ ମନକୁ ମନ କାହା କାହା ସଙ୍ଗେ କଥାଭାଷା ହୁଏ ।

ସୁଲୁସୁଲିଆ ଶୀତୁଆ ପବନ ଦେଉଛି, ଏଇ ପବନରେ ବେଜୁଣୀକୁ ଛୁଇଁଦେଇ କହିଦେଇ ପ୍ରେତମାନେ ଉଡ଼ି ଚାଲିଯାଆନ୍ତି ବେଜୁଣୀର ଆଖି ସାମ୍ନାରେ ଶୂନ୍ୟକୁ । ଚାଷ ହେଲାପରି ଗାରଗାର ସିଅ ସିଅ ଅଣଓସାର କପାଳରେ, ତାର ଧୂଆଁଳିଆ ଆଖିରେ ଦୂର ଭବିଷ୍ୟତକୁ ଅନେଇ ସେସବୁ ଦେଖେ । ତାର ଦିବ୍ୟଦୃଷ୍ଟି ଅଛି, କେହି ତା’ ଆଖିକୁ ସିଧା ସିଧା ଅନାନ୍ତି ନାହିଁ ।

ଦିଉଡ଼ୁ ବଡ଼ ପାଟିରେ ଡାକିଲା, ‘ବେଜୁଣୀ, ହେ ବେଜୁଣୀ ! ବେଜୁଣୀ ମୁହଁ ବୁଲେଇଲା । ହସିଲା । ଖାଲି ଆଁ । ଦି’ଟା ବଡ଼ ବଡ଼ ହଳଦିଆ ଦାନ୍ତ । ଆଗକୁ ପଛକୁ ବେକ ଦୋହଲାଇ ଦେଇ କହିଲା ‘ନାହି ପଡ଼ିଛି ।’

ଦିଉଡ଼ୁ କହିଲା ‘ଜାଣିଛୁ ତୁ’ ?

ବେଜୁଣୀ ପୁଣି ହସିଲା, କହିଲା ‘ମୁଁ ଜାଣିବି ନାହିଁ’ ? ତା’ ମନକୁ କହି ଲାଗିଲା ‘ସରବୁ ସାଓଁତାର ଡୁମା (ଆତ୍ମା ଜନ୍ମ ହେଲା, ହାକିନା, ହାକିନା । ମନକୁ ମନ କହିଲାଗିଲା ସାଓଁତା ଆଇଲୁ ପୁଣି ତୁରେ । ବେଜୁଣୀ ଆଉ ଧାଂଡୀ ନାହିଁ ନାଟକରି ବୁଲିବୁ ବଣେବଣେ । ହଉ କୋଡ଼ରେ ଧରି ବସିବି ତତେ । କ’ଣ ଖାଇବାକୁ ଦେବି ? କ୍ଷୀର ତ ନାହିଁ ।’ ବେଜୁଣୀ ହସିଲା । ‘ସରବୁ ଥିଲୁ, ହାକିନା ହେଲୁ, ହାକିନା ହାକିନା ।’ ବେଜୁଣୀ ବୁଢ଼ୀ ମନକୁ ମନ ବକିଗଲା, ଦିଉଡ଼ୁ ଥକ୍‌କା ହୋଇ ଠିଆ ହୋଇଥାଏ ।

ଦିଉଡ଼ୁ ପୁଣି କହିଲା, ‘ବେଜୁଣୀ, ବେଜୁଣୀ, ମୋର ପିଲାକୁ ନାଁ ଦବୁ ଆଜି ତୁ । ଡାକିବାକୁ ଆସିଥିଲି ।’ ବେଜୁଣୀ ପ୍ରକୃତିସ୍ଥା ହେଲା । କାନରୁ ମନ୍ଦାର ଫୁଲ ଓହ୍ଲାଇ ପକେଇଲା, ସରୁ ସରୁଆ ଗୋଡ଼ହାତ ଉପରେ ଲୁଗା ଟାଣିଦେଲା । କହିଲା, ‘ଯିବିରେ ପୁଅ ଯିବି । ନାଁ ଦିଆହେବ ତ-? ଗୋରୁ ଲେଉଟାଣି ବେଳେ ଯିବି ଏବେ ତ ଯୋଗ ନାହିଁ । ଯା ପୁୟୁକୁ କହିଦେଇଥା, ଗାଁରେ କହ-।’ ଏଥର ଖାଲି ନିଆଶ୍ରୀ ବୁଢ଼ୀଟିଏ ସେ, ଲୋକେ ପିଲା ଜନମ କରୁଥିବେ, ସେ ଦେବତାକୁ ପଚାରି ନାଁ ଦଉଥିବ, ପୂଜା କରାଉଥିବ, ହି ହି ହି ହୋଇ ନାଚୁଥିବ ।

ଦିଉଡ଼ୁ ଫେରି ଆସିଲା । ଗାଁ ବାଟକୁ ଆସି ସେ ଭାବିଲା ବେଜୁଣୀକୁ ବାଉଳା ଧରୁଛି ପରା, ଏଥର ସେ ବି ଖସିଯିବ ।

ଦିସାରିକୁ ଡାକିବାକୁ ଗଲା । ଦିସାରି ପାଣ୍ଡ୍ରୁ କନ୍ଧ କ୍ଷେତକୁ ଯାଇଥାଏ । ପାଣ୍ଡ୍ରୁ କନ୍ଧ ବେଶୀ ବୁଢ଼ା ନୁହେଁ, ସୁନ୍ଦର ସୁପୁରୁଷ, ଗୋରାଲୋକଟା । ତାର ଐଶ୍ୱରିକ ଶକ୍ତି ଉପରେ ଗାଁ ଲୋକଙ୍କର ବେଶି ବିଶ୍ୱାସ, ସେ କନ୍ଧ ସିଦ୍ଧାନ୍ତୀ, କିନ୍ତୁ ତାର ଆଡ଼ମ୍ବର ନାହିଁ, ଧୁଙ୍ଗିଆ ଚୋବୋଉଥିବା, ତାଷ କରୁଥିବା ସାଧାରଣ କନ୍ଧଟିଏ । ତାର ବାପ ଥିଲା ପ୍ରସିଦ୍ଧ ଦିସାରି, ମେରିଆ ପୂଜାରେ ଯୋଗ ଦେଉଥିଲା ଯୁଦ୍ଧ ଲାଗିଲେ କେତେବେଳେ ଲଢ଼େଇକି ବାହରିବାକୁ ହେବ, କେଉଁଦିନ କ’ଣ କଲେ କ’ଣ ଫଳିବ, ସବୁ କହୁଥିଲା । ପାଣ୍ଡ୍ରୁ କନ୍ଧ କିଛି ଶିଖି ରଖିଛି । ଅଧରାତିରେ ତାରାଭର୍ତ୍ତି ଆକାଶକୁ ଅନେଇଁ ରହି ନକ୍ଷତ୍ର ଗଣି ଗଣି ସେ ବିଧାନ ଦେଇଦିଏ, ଯାହା କହେ, ସବୁ ଫଳେ । କେଉଁଦିନ ବାହା, କେଉଁଦିନ କେତେବେଳେ କେଉଁ ପୂଜା, କେଉଁଦିନ ନୂଆ ଆମ୍ବ ଖିଆଯିବ, ସବୁ ସେ ଠିକଣା କରେ ରାତିରେ ତାରା ଗଣି ଗଣି ।

ଦିସାରି ବି କହିଲା, ଗୋରୁବାହୁଡ଼ାଣି ବେଳ ।

ଦିଉଡ଼ୁ ଫେରିଲା, ଖରାରେ ବୁଲି ବୁଲି ଭୋକ କଲାଣି । ଅଣ୍ଟାର କାହାଳିରୁ ଧୂଆଁମାତ୍ର ସରିଛି । ପୁୟୁ ଉପରକୁ ଆହୁରି ବିରକ୍ତ ହେଲା, ଗୋରୁ ବାହୁଡ଼ାଣି ବେଳ କାହିଁ ଯାଇ, ମିଛରେ ତା’କୁ ଦଉଡ଼ୋଉଛି ଖରାରେ ।

ହାକିନା ହାକିନା ନାଁଟି ମନ୍ଦ ନୁହେଁ ଭଲ ଶୁଭୁଛି, ଦିଉଡ଼ୁ ଭାବିଲା, କିନ୍ତୁ, ହାକିନା କହିଲେ କାଙ୍ଗାଳି ଭୋକିଲା ବିକଳା ଲୋକକୁ ବୁଝାଏ, ତାର ପୁଅ କ’ଣ ଭୋକରେ ରହିବ ? ବେଜୁଣୀର ବୁଦ୍ଧି ନାହିଁ ।

 

କିନ୍ତୁ ନାଁ ଦେବା ତ ବେଜୁଣୀ ହାତରେ ନାହିଁ, ଚାଉଳ ଯେଉଁ ନାଁ କହିଲେ ଠିଆ ହେବ, ସେଥିରେ ଦେବତାର ହାତ, ପଛେ ଦେଖାଯିବ ।

 

ଅପେକ୍ଷା କରି କରି ଦିନ ଗୋଟାକ ଗଲା, ଅସ୍ତାନ୍ ଦିଗରେ ସୂର୍ଯ୍ୟ ଓହଳି ପଡ଼ିଲା, ପୁୟୁ ଛଟପଟ ହେଉଥାଏ । ବାଜେ କାମ କରି କରି ଦେହରୁ ଗୋଟା ଗୋଟା ଝାଳ ଫିଟିଯାଇଛି, ତଥାପି ଗୋଡ଼ ତଳେ ପଡ଼ି ନାହିଁ, ଇଚ୍ଛା ହୋଇଛି ଆହୁରି କ’ଣ କାମ ଥାଆନ୍ତା କି । ଆଜି ତାର ପିଲାର ନାଁ ଦିଆହେବ, ସେଇ ନାଁ ନେଇ ସବୁ ଦେବତାଙ୍କ ଆଶୀର୍ବାଦ ମୁଣ୍ଡେଇ ଶାଳଗଛ ପରି ସିଧା ସଳଖ ହୋଇ ମାଳୁଆ ପିତୃପୁରୁଷଙ୍କ ଭୂଇଁରେ ଠିଆହେବ ଏଇ ପିଲା, ପୁୟୁ ତାର ମା । କେତେ ବିଘ୍ନ କେତେ ରିଷ୍ଟ ଅଛି ଏଠି ମଣିଷର କପାଳରେ । ବଣରେ ବାଘ, ବିଲରେ ସାପ, କେତେ ଜର, ଥଣ୍ଡା, ଛାତିବଥା । ଦଶଟା ଜନମ କରି ପୋଷି ପାଳି ରହେ, ଯମ ଅଇଣ୍ଠା କୋଉଠି ଗୋଟିଏ, ପୁଣି ତାର କପାଳ, କେତେ ଧାଡ଼ି ଧାପ ସାହୁକାରର, ବଡ଼ଲୋକଙ୍କର । ପର୍ବତ ମୁଣ୍ଡେଇ ସେ ପୁଣି ମଣିଷ ହେବ, କେହି ଦୃଷ୍ଟି ନ ଦେଉ, କେହି କୋପ ନ କରୁ, ଆହା !

 

ଦୁଆରଟା ସତରଥର ଓଳିଆ ହେଲାଣି । ସେଠି ପୂଜା ହେବ । ରଙ୍ଗ ମୁରୁଜ, ଭାଲିଆ ଫଳ, ଶିଆଳି ପତର, ନୂଆ ଦିପାଳୀ, କେଡ଼େ ଯତ୍ନରେ ସାଇତା ହୋଇ ସେ ରହିଛି । ଗୋଟିଏ ପତ୍ର ଚଉକନୀରେ ହଳଦୀଗୁଣ୍ଡା, ଗୋଟିକରେ ଅରୁଆ ଚାଉଳ । ବାରମ୍ବାର ପୁୟୁ ନିଘାକରି ଯାଉଛି, ବୁଲି ଲାଗିଛି ।

 

ଲୋକ ଜମିଲେ, ବାଇଦ ବାଜିଲା । ଦିସାରିକୁ ବେଜୁଣୀକୁ ସାଙ୍ଗରେ ନେଇ ଦିଉଡ଼ୁ ଆସିଲା । ଲେଞ୍ଜୁ ଥାଏ, ପୁବୁଲି ସଫାସୁତରା ହୋଇ ମୁଣ୍ଡଟି ବାନ୍ଧି ଅପେକ୍ଷା କରିଥାଏ । ଗହଳି ବଢ଼ିଲା । ପାଣ୍ଡ୍ରୁ ଦିସାରି ଯୋଗ ଦେଇଦେଲା ଏଇଥର ଆରମ୍ଭ ହେଉ । ଧୂପ ଜଳିଲା, ବେଜୁଣୀକୁ କାଳିଶି ଲାଗିଲା ।

 

ବାଜାର ତାଳେ ତାଳେ ଅସମ୍ଭାଳ ହୋଇ ବେଜୁଣୀ ବୁଢ଼ୀ ନାଚିଲା, ଅଳପେ ଘୁଞ୍ଚି ଗାଁଲୋକେ ଅନେଇ ବସିଥାନ୍ତି । ବେଜୁଣୀ ଡିଏଁ, ଦଉଡ଼େ, ଧୂପ ଧୂଆଁ ଖାଏ । ପାଖରେ ଥିବା ଲୋକମାନଙ୍କ ଉପରକୁ ଚମକି ଯାଇ ମୁଣ୍ଡର ଚୁଟି ଧରି ଓଟାରେ । ମୁହଁରେ ମୁଣ୍ଡରେ ନଖରେ ଆଞ୍ଚୁଡ଼େ, ଲୋକେ ମୁହଁ ନୁଆଁଇ ଥିରିହୋଇ ବସିରହନ୍ତି । ବାଉଳା ବେଜୁଣୀକୁ ନାଚିବାକୁ ଛାଡ଼ିଦେଇ ପାଣ୍ଡ୍ରୁଜାନି ଅଧେ ବାଜା ନେଇ ଝାକର ଦେବତା ପୂଜା କରିବାକୁ ଚାଲିଗଲା । କେତେବେଳେକେ ଫେରିଲା । ବେଜୁଣୀ ମନ୍ତ୍ର ପଢ଼ି ପଢ଼ି ନାଚୁଥାଏ । ସାଙ୍ଗରେ ଆଉ ଦିଜଣ ବୁଢ଼ୀ ଭିଡ଼ିଥାଆନ୍ତି, ବେଜୁଣୀ ହାଲିଆ ହୋଇ ଏପାଖ ସେପାଖ ଦୋହଲି ଯାଇ ତାଙ୍କରି ହାତରେ ଟିକିଏ ଆଉଜି ପଡ଼େ ।

 

ସୂର୍ଯ୍ୟ ଅସ୍ତ ହୋଇ ଆସୁଥାଏ, ବେଜୁଣୀର ନାଚ ବନ୍ଦ ହେଲା । ପୁୟୁ ପିଲାକୁ ଧରି ଠିଆହେଲା । ବେଜୁଣୀ ମୁରୁଜ ବିଛେଇ ଦେଲା, ହଳଦିଗୁଣ୍ଡା ଅରୁଆ ଚାଉଳ ଅଜାଡ଼ି ଦେଲା । ତିନିଟା ସାନ ସାନ କୁକୁଡ଼ାଛୁଆଙ୍କୁ ତିନି ବୁଢ଼ୀ ଧରି ତଳେ ଅରୁଆ ଚାଉଳ ଟୋକୋଉଥାନ୍ତି । ବାଜା ବାଜୁଥାଏ, ଧୂପ ଧୂଆଁ ବହଳ ହୋଇ ଉଠୁଥାଏ । ମନ୍ତ୍ର ବୋଲି ବୋଲି ସବୁ ଶୁଭକାମନା ମନାସି ସବୁ ଦିନ, ମାସ, ପାଗମାନଙ୍କର ନାଁ କହି ଦେବତାମାନଙ୍କୁ ଡାକିସାରି ବେଜୁଣୀ ଗୋଟାକ ପରେ ଗୋଟାଏ ତିନିଟାଯାକ କୁକୁଡ଼ାଛୁଆଙ୍କ ବେକ ଛିଣ୍ଡେଇ ଦେଇ ରକ୍ତକୁ ଭୂଇଁରେ ଢାଳିଦେଲା । ରନ୍ଧାମଦ ଢାଳିଦେଲା । ମୁଣ୍ଡରେ ଦିପାଳୀରେ ଜଳନ୍ତା ସଳିତା ମୁଣ୍ଡେଇ ତିନିଥର ମା’ଛୁଆଙ୍କୁ ପ୍ରଦକ୍ଷିଣ କଲା, ପାହାଡ଼ ସେ କରେ ସୂର୍ଯ୍ୟ ଅଧେ ବୁଡ଼ିଯାଉଥାଏ, ସେହି ଆଡ଼କୁ ଅନେଇ ଦୀପାଳିରେ ପାଣି ପୂରେଇ ମନ୍ତ୍ର ବୋଲି ବୋଲି ବେଜୁଣୀ ପାଣି ଢାଳିଦେଲା, ଏଥର ନାଁ ଦିଆହେବ-। ପୁୟୁର ଆଗ୍ରହ ବଢ଼ିଲା । ସମସ୍ତେ ତଳକୁ ଅନେଇଁଲେ । ବେଜୁଣୀ ତଳେ ବସି ଗୋଟାକୁ ଗୋଟା ନାଁ କହିଲାବେଳେ ଚାଉଳଟା ମାଟିରେ ସିଧା ଠିଆହୋଇ ରହିବ, ସେହି ନାଁ ଦିଆହେବ ପିଲାକୁ ।

 

ବେଜୁଣୀ ନାଁ ଡାକିଗଲା–

 

ଦିନ ଅନୁସାରେ-ସୋମା, ମାରାଡୁ, ବୁଦୁ, ଗୁରୁ, ଶୁକୃ, ସନୁ । ମାସ ଅନୁସାରେ ଜେଟୁ, ଆଷାଡ଼ୁ, ବାଳାପନୁ, ବେସୁ, ଦସ୍ରୁ, ଦିଉଡ଼ୁ ।

 

ଜନ୍ତୁମାନଙ୍କ ନାଁ ଅନୁସାରେ-ମେଲ୍ଲୁ (ମୟୂର), ଲେଞ୍ଜୁ (ଚିଲ), ମାୟୁଁ (ହରିଣ),.....

 

ଗଛ ଅନୁସାରେ, ଫଳ ଅନୁସାରେ-କାମ୍ବେଲା (କମଳା), ଜାମୁ (ପିଜୁଳି), ମୁଣ୍ଡ୍ରା (କାକୁଡ଼ି), ଡଣ୍ଡା (ଆଖୁ), ଦେରୁ (ବାଉଁଶ), ମାହାଆ (ଆମ୍ବ) ।

 

ପ୍ରାଚୀନ କନ୍ଧ ନାଁ-ଜାଗିଲି, ବବନ, ଗୟାଁ, ଲେତା, ଲାକା, ଆର୍ଜୁ । ନକ୍ଷତ୍ରମାନଙ୍କର ନାଁ-ଆସ୍‌ନୀ (ଅଶ୍ୱିନୀ), ବାର୍‌ନୀ (ବରୁଣୀ), ସାଲ୍‌ପା (ଶୁକ୍ର), ରାଣ୍ଡା (ମଙ୍ଗଳ, ଊତ୍ରା-ଲଦା-)

 

ତା’ପରେ ଲେଞ୍ଜୁ (ଜହ୍ନ), ଟିଣି (ବିଜୁଳି), ପିୟୁ (ମେଘ)-କେତେ ନାଁ ।

 

ନାଁର ସୁଅ ବହିଚାଲେ, ପୁୟୁର ଛାତିରେ ପଡ଼େ ହାତୁଡ଼ି, ଆଗ୍ରହରେ ସେ ଅପେକ୍ଷା କରେ, ଚାଉଳ ଠିଆହୁଏ ନାହିଁ । ବେଜୁଣୀ ନିର୍ବିକାର ଭାବରେ ନାଁର ତାଲିକା ଗାଇଯାଉଥାଏ, ନିରେଖି ନିରେଖି ସେ ଦେଖୁଥାଏ କେଉଁ ନାଁରେ ଚାଉଳ ଠିଆହେବ, ସମସ୍ତ ଅନେଇଁଥାନ୍ତି-ଭାବୁଥାନ୍ତି, ଗହଳିରେ ଅଧା ଛାଇରେ ଦିଶୁଛି ପରା-କେତେବେଳେକେ-ବେଜୁଣୀ ଫମ୍ପା ଗଳାରେ ଗର୍ଜନ କଲା ‘ହାକିନା’,-କହିଲା ଚାଉଳ ଠିଆହେଲା, ପୁଅର ନାଁ ହାକିନା ରଖିଲେ ଦର୍ମୁ ଦର୍ତନୀ-ମିଶିଆକା ହାକିନା ଏଇ ତାର ନାଁ ।

 

କରପଟିଆ ହୋଇ ଆଖିବୁଜି ପଥର ପରି ପାଣ୍ଡ୍ରୁ କନ୍ଧ ବସିରହିଥାଏ, ଆଖି ଖୋଲି କହିଲା, ‘ଏ ସରବୁ ସାଓଁତା ଡୁମା ।’

 

ପୁୟୁ ଆଖିରୁ ଦିଧାର ଲୁହ ବୋହିପଡ଼ିଲା । ପୁବୁଲି ଦି’ହାତରେ ମୁହଁକୁ ଘୋଡ଼େଇ କାନ୍ଦି ପଳେଇଗଲା । ପୁୟୁ ପୁଅକୁ ଗେଲକରି ଡାକିଲା, ‘ହାକିନା’, ମୋର ସୁନା, ମୋର ମାଣିକ’ । ପୂଜା ସରିଲା । ମଦପିଆ ଧୂଆଁଖିଆ ପର୍ବ କାଲି । ଦିଉଡ଼ୁ କହିଲା ‘ଦେ କ’ଣ ରଖିଛୁ, କ୍ଷେତକୁ ଯାଏଁ ।’ ପୁୟୁ କହିଲା, ‘ଆଜି ବି ଯିବ ?’

 

‘ଯିବି ନାହିଁ, ତେଣେ ପାଚି ସମ୍ବର ଖାଇଦେବ, ହରିଣ ଖାଇଦେବ, କିଏ ଡମ୍ ପଟ୍‌କାର ଚୋରେଇ ନେଇଯିବ, ମୁଁ କ’ଣ ତୋରି ପରି ବସି ରହିଥିବି ଖାଲି ଘର କ’ଣରେ !’

 

ଖାଇପିଇ ମସ୍ତବଡ଼ ନିଆଁ ଅଟାଟାଏ ଧରି ଦିଉଡ଼ୁ ଚାଲିଗଲା ।

 

ପୁବୁଲି କାହିଁ ? ପୁୟୁ ମିଠାଗଳାରେ ଡାକିଲା ‘ପୁବୁଲି କୁଆଡ଼େ ଗଲୁ ? ଆ ୟାଡ଼େ, ହାକିନା ଡାକୁଛି ।’

•••

 

ଆଠ

 

ଉପରେ ଗାଁ, ପର୍ବତ ତଳେ କ୍ଷେତ, ତା ସେପାଖେ ପୁଣି ଜଙ୍ଗଲ ବୋଝେଇ ପାହାଡ଼ । ଢାଲୁଏ ଢାଲୁଏ ହଣାହୋଇଥିବା ଶାଳଗଛର ଥୁଣ୍ଟାଙ୍କ ସମାଧି, କାଳିଆ କାଳିଆ ପଥର ମାଳ ମାଳ ଲାଗିଛି ଯେତେଦୂର ଆଖିଯାଉଛି, ଦୁଇକରରେ ଆହୁରି ଜଙ୍ଗଲ । ମଝିରେ ପଦା ଜାଗାରେ ସୁଆଁ ଲାଗିଛି, ଅଳସି ଲାଗିଛି, ଉପରକୁ ଉପରକୁ ବଡ଼ ହରଡ଼ (କାନ୍ଦୁଲ), ସବାତଳେ ଧାନ ।

 

ଅଧେ ସୁଆଁ ମାଣ୍ଡିଆ କଟା ହୋଇଗଲାଣି, ଅଧେ କଞ୍ଚା ଅଛି । ଧାନ ହେଲାଣି ହଳଦିଆ-। ଯେଝା ଯେଝା କ୍ଷେତରେ ରାତିରେ ଜଗିବା ପାଇଁ ଘର ହୋଇଛି, କେତେ ଘର ଉଞ୍ଚ ଭାଡ଼ି ଉପରେ, କେତେଟା କୁଡ଼ିଆ ଉଞ୍ଚ ଉଞ୍ଚ ଗୋଜିଆ ପଥର ଉପରେ, କେତେଟା ଗଛ ଡାଳରେ-। ତଳେ ନିଆଁ ଜଳେ, ବେଳେ ବେଳେ ତଳକୁ ଓହ୍ଲାଇ ଜଗୁଆଳି ନିଆଁ ପୁଅଁନ୍ତି, ଥାଆନ୍ତି କୁଡ଼ିଆ ଭିତରେ । ମାଘର ମୂଳ, ଭାରି ଶୀତ । ଅନ୍ଧାର ରାତିରେ ଢାଲୁରେ, ଖାଲରେ ଖାଲି କୁହୁଡ଼ି ଲହଡ଼ି ଭାଙ୍ଗେ, ତରା ଧାସରେ ଦିଶେ ଜକଜକ । କୁହୁଡ଼ି ଭିତରେ ଏଠିକା ସେଠିକା ନିଆଁ ଆନ୍ତ୍ରା ଭାସିଲା ପରି ଚହଲିଲା ପରି ଦିଶେ, ଦୂରରୁ ଲାଗେ ବାଘଆଖି ପରି ।

 

ପେଁ ପେଁ କରି ହରିଣପଲ, ସମ୍ବରପଲ, କାନ୍ଦୁଲ କ୍ଷେତରୁ ତଳକୁ ଗଡ଼ି ପଡ଼ନ୍ତି, ମଞ୍ଚା ଉପରୁ ଶିଂଘା ବାଜେ, ବିକଟାଳ ବୋବାଳି ଶୁଭେ, ଲୋକେ ଟିଣ ପିଟନ୍ତି, ଟମକ ବଜାନ୍ତି । ଠୋ ଠୋ ଶବ୍ଦକରି ବଣ ବାର୍‌ହା ଫସଲ ତାଡ଼ିବାକୁ ଓହ୍ଲାନ୍ତି । ଆସ୍ତେ ଆସ୍ତେ ଖସର ଖସର ହୋଇ କୁଟ୍ରା ମାଣ୍ଡିଆ ଖାଇଯାଏ । ବେଳେ ବେଳେ ଦୂରର ମଞ୍ଚାରୁ କିଏ ଓଡ଼ିଆ ନଳି ଫୁଟାଏ, ପର୍ବତ କନ୍ଦରାର ନିଶବ୍ଦତା ଭାଙ୍ଗେ ।

 

ରାତିଯାକ ଏହିପରି ଶବ୍ଦ ଲାଗିଥାଏ ।

 

କେବେ କେବେ ମହାବଳ ବାଘ ଗର୍ଜନ କରି ମଞ୍ଚା ତଳେ ତଳେ ଦୁମ୍-ଦୁମ୍ ଥପ୍ ଥପ୍ କରି ଯାଏ । ମଞ୍ଚା ଉପରୁ ଚର ଚର ହୋଇ ପାଣି ଗଡ଼ିପଡ଼େ, ଗଛରୁ ଝାଇଁ ଝାଇଁ ହୋଇ ଧୂଳି ଝଡ଼େ । ଏଦିନେ ଭାରି ବାଘ ଖାଏ । ମଞ୍ଚା ନୀଚ ଥିଲେ, ନୋହିଲେ ମଞ୍ଚାକୁ ଚଢ଼ିବାକୁ କି ଡେଇଁବାକୁ ଉପାୟ ଥିଲେ କେଞ୍ଚା କେଞ୍ଚି ଓଟରା ଓଟରି କରି ମଣିଷକୁ ନେଇ ପଳାଏ ।

 

ଆଉ କେତେ ଜନ୍ତୁ । କେତେ ପ୍ରକାର ବୋବାଳି, ପିଲା କାନ୍ଦିଲା ପରି ଭାଲୁର କାନ୍ଦଣା, ରାତି ଚଢ଼େଇର କିଳିକିଳା ।

 

ସବୁ ଶବ୍ଦ ସବୁ ଶୀତ ମିଶିମାଶି ବଣ ମଝିରେ ଅନ୍ଧାର ରାତି । ଲୋକେ ସେଠି ଜଗନ୍ତି, ଝାଳରେ ତିଆରି ଫସଲ ପୋଲାଖିଆ ହିଂସିକା ଜନ୍ତୁ ଖାଇଦେବେ ବୋଲି ଶୀତରେ କାକରରେ ଜଗିଥା’ନ୍ତି ।

 

ଶୀତରେ ଅନ୍ଧାରରେ ଲେଞ୍ଜୁ କନ୍ଧ ମଞ୍ଚା ଉପରେ କୁଡ଼ିଆ ଭିତରେ ଶୋଇଥାଏ, ପାଖେ ଦିଉଡ଼ୁ ପାଖେ ଲେଞ୍ଜୁ, ବିଛଣା କେବଳ ଶୁଖିଲା ଖଡ଼, ଘୋରିହେଲା ଛିଣ୍ଡା ଅଖା । ପାଖ କ୍ଷେତର ଜଗୁଆଳିଙ୍କ ଗୋଳମାଳରେ ଲେଞ୍ଜୁ କନ୍ଧର ନିଦ ଭାଙ୍ଗିଗଲା । ହୁ ହୁ ଶୀତ ପଶି ଆସୁଥାଏ । ଦିଉଡ଼ୁ ଶୋଇଛି । ଲେଞ୍ଜୁ ଧୀରେ ଧୀରେ କୁଡ଼ିଆ ଦୁଆର ମୁହଁକୁ ଗଲା, ଜୁକୁଜୁକୁ ହୋଇ ଦଉଡ଼ିରେ ନିଆଁ ଟିକିଏ ତଥାପି ରହିଛି । ହୁସିଆରି ହୋଇ ପଦାକୁ ଅନେଇଁ ଦେଖିଲା । କିଛି କୁଆଡ଼େ ଦିଶୁନାହିଁ, ଖାଲି ମୁଣ୍ଡା ମୁଣ୍ଡା ଅନ୍ଧାର, ଧୁଙ୍ଗିଆ ଧୂଆଁ ପରି କୁହୁଡ଼ି, ଉପରେ ଜଳ ଜଳ ତାରା । ଲେଞ୍ଜୁ ପିକା ଲଗେଇ ଦେଇ ପଦାକୁ ଅନେଇଁ ରହିଲା । ଆଜି ରାତିରେ ନିଦ ହେଉ ନାହିଁ, ଚାଉଁଚାଉଁଆ ଲାଗୁଛି-

 

ଭାରି ଏକୁଟିଆ ଲାଗୁଥାଏ, ତାର ନିଛାଟିଆ ଜୀବନଟା ଭିକାରିପରି ଲୋଟୁଥାଏ ତଳ ଅନ୍ଧାର ଭିତରେ, ତାର କେହି ନାହିଁ ।

 

ବୁଢ଼ା ଭାଇ ଥିଲା, ଗୋଟାଏ ରାଆରେ କଟିଗଲା ଏତେଦିନ ତାରି ମୁହଁକୁ ଅନେଇଁ, ଭାଇ ନାହିଁ, ତାର କେହି ନାହିଁ ।

 

ସେ ବି ଦିନେ ବିଭା ହୋଇଥିଲା, ଲେଞ୍ଜୁ କନ୍ଧ, କାହିଁ କେତେଦିନ ହେଲାଣି ରୁକ୍‌ନୀ ତାର ଘରକୁ ଆଲୁଅ କରିଥିଲା । ରୁକ୍‌ନୀକୁ ବାଘ ଖାଇଲା, କନ୍ଧ ଆଇନ୍ ଅନୁସାରେ ସେ ଆଉ କାହାରିକୁ ବିଭା ହୋଇପାରିବ ନାହିଁ, କେବଳ ବାଘ ଖାଇଥିବା ପୁରୁଷର ସ୍ତ୍ରୀ ବିଧବା ଛଡ଼ା ।

 

ନିଶବଦ ଅନ୍ଧାର ରାତିରେ କ୍ଷେତ ଉପରେ ଜଗିବସିଲେ ରୁକ୍‌ନୀ ମନେପଡ଼େ । ଏମିତି ଶୀତରାତି । ମାଣ୍ଡିଆ କ୍ଷେତରେ ଭୂଇଁ ଉପରେ ସାନ କୁଡ଼ିଆ । ଯେତେ ମନା କଲେ ବି ଗୋଡ଼େଇ ଗୋଡ଼େଇ ରାତିରେ ରୁକ୍‌ନୀ ଚାଲିଆସେ, କହେ ଏଠି ତତେ ଡର ମାଡ଼ିବ, ଘରେ ମତେ ଡର ମାଡ଼ିବ । ଏମିତି ଶୀତରାତି, ଦୁଆର ମୁହଁରେ ନିଆଁ ଜଳୁଥାଏ । ନିଆଁ ପାଖକୁ ରୁକ୍‌ନୀ ଶୋଇଥାଏ । ଅଧରାତିରେ ଆର୍ତ୍ତ ଚିତ୍କାର ଶୁଣି ନିଦ ଭାଙ୍ଗିଗଲା । ରୁକ୍‌ନୀ ନାହିଁ, ଦୂରେଇ ଦୂରେଇ ଯାଉଛି ତାର ବିକଳ ଚିତ୍କାର, ନିଆଁ ଧୂଆଁ ମରି କାକର ଥଣ୍ଡା, ସେ ବାଉଳା ହୋଇ ଧାଇଁଗଲା, ରୁକ୍‌ନୀର ଆଉ ପାଟି ନାହିଁ । ଦୂରରେ ଅନ୍ଧାରରେ ପାଖକୁ ପାଖ ଲାଗି ଦି’ଟା ବଡ଼ ବଡ଼ ଚଳନ୍ତି ନିଆଁ, ଭୂଇଁ ଉପରୁ ଛାତିଏ ଉଞ୍ଚରେ । ଖାଲି ଧାସ ଦିଶୁଥାଏ, ବିରାଟ ମହାବଳ । ଦେଖୁ ଦେଖୁ ବଣ ଅନ୍ଧାରରେ କୁଆଡ଼େ ଲୁଚିଗଲା, ସେ କାଠ ହୋଇଗଲା । ସକାଳେ ଲୋକ ଆସିଲେ, ମାଣ୍ଡିଆ କ୍ଷେତରେ ଘୋଷରା ପଡ଼ିଛି, ବୁଦା ଗଛରେ କେରା କେରା ଛିଣ୍ଡାକନା, ହିଡ଼ ପାଖେ ବଡ଼ ବାଘର ପାହୁଲ, ଅରାଏ ରକ୍ତ ତେଣିକି ଅଗନାଗ୍ନି ବଣ ।

 

ରୁକ୍‌ନୀ ହସକୁରୀ, କଉତୁକୀ ରୁକ୍‌ନୀ, ଓଃ !

 

ମନ ଭାଙ୍ଗିଗଲା, ତାଷ ଉଜୁଡ଼ିଗଲା, ପୁଣି ପଛରୁ ଢିରାଦେଇ ଠିଆ କରେଇଲା ଭାଇ । କହିଲା, ‘ହେଇ ଦେଖ୍ କାହାପାଇଁ ଏସବୁ, ଏସବୁ ତୋର ।’

 

ଭାଇ ଚାଲିଗଲା, ସେ ବି ଚାଲିଯିବ, ହେଲାଣି ପଇଁଚାଳିଶ । କିନ୍ତୁ ଜୀବନଟା ଗଲା ଚାଲି ବୃଥା । ରାତିରେ ଶୀତ ଅନ୍ଧାର ଚେତେଇଦିଏ, ସରବୁର ଦିଉଡ଼ୁ, ଦିଉଡ଼ୁର ହାକିନା, ତାର କେହି ନାହିଁ, ସେ ଗଲେ ସବୁ ଶେଷ । ଆଜି ରୁକ୍‌ନୀର ପ୍ରେତ ଦୁନିଆର ଆନନ୍ଦକୁ ତା’ ଆଖିରୁ ଆଡ଼ କରୁନାହିଁ, ସେ ଖାଲି ଭାବୁଛି ତା’ ପାଇଁ ଘରେ କେହି ଅପେକ୍ଷା କରି ବାଟ ଚାହିଁ ବସିନାହିଁ, ଦେହ କୁହୁଳୁଛି, ମନ ହନ୍ତସନ୍ତ ହେଉଛି, ଏମିତି ହନ୍ତସନ୍ତ ହେଉ ହେଉ ଜୀବନ ସରିଯିବ, ଭୋଗ ତାର କର୍ମରେ ନାହିଁ ।

 

ଲେଞ୍ଜୁ କନ୍ଧ ଧୁଙ୍ଗିଆ ପିଇଲା, ଆଉ ଭାବିଲା, ଭୋଗ କେତେ ପ୍ରକାର ହୋଇପାରନ୍ତା ତା ଭାଗ୍ୟରେ । ତଳର ଅନ୍ଧାରରୁ ଧୀରେ ଧୀରେ ଧାରଣା ସବୁ ଆସି ମନରେ ଉଷୁମ ଦେଲା, ବାହାରେ ଭାରି ଶୀତ । ଲେଞ୍ଜୁ କନ୍ଧ ଭେଣ୍ଡିଆ ହୋଇଗଲା । ମନେ ମନେ କେତେ ନିତିଦେଖା ସ୍ତ୍ରୀଲୋକଙ୍କ ଚିତ୍ରରେ ସେ ଆପଣାର ମନର ବିକାର ରଙ୍ଗେଇ ଦେଇ ନିଜର କାରସାଦି ଦେଖି ଖୁସି ହେଲା । ଭାଇ ଗଲାଦିନଠୁ ହାଲୁକା ମନରେ ସେ ଏପରି ଭାବିପାରେ, ମନ ଭିତରେ କାହାରିକୁ ନାହିଁ ଡର ଭୟ, ମନ ଖୋଲା ମନ ଚାହେ ଆୟୁଷ ଥାଉ ଥାଉ ଦୁନିଆର ସବୁ ଅନୁଭୂତି ଶୋଷି ନେବାକୁ ବାଧା ନାହିଁ ।

 

ଏକାଥରକେ ଟିଣ ଆଉ ଶିଙ୍ଗା ବାଜିଲା । ଗୋଳମାଳରେ ଦିଉଡ଼ୁ ଉଠି ପଡ଼ିଲା । ଦୁଆର ମୁହଁକୁ ଆସିଲା । ତଳେ ଖସ୍ ଖସ୍ ଦୁମ୍ ଦୁମ୍ ଶବ୍ଦ । ଦିଉଡ଼ୁ ପାଟିକଲା ‘ଇଚାବା (ସାନ ବାପ), ଶୁଭୁନାହିଁ ତତେ, ଜନ୍ତୁ ଆମର ଫସଲ ଖାଇଯାଉଛନ୍ତି ଅଧେ ପଣି ଦେବେଣି । କ’ଣ କରୁଛି ବସି ବସି, ଖାଲି ଢୁଳୋଉଚୁ !’ ଦିଉଡ଼ୁ ଜନ୍ତୁ ହୁରୁଡ଼େଇବାକୁ ବିକୃତ ସ୍ୱରରେ ପାଟିକଲା ଇ-ହା ଇହା କହିଲା, ‘କିଛି କାମକା ନୋହୁଁ ତୁ, ଦେ ଶିଙ୍ଗାଟା ଦେ ।’

 

ଲେଞ୍ଜୁ ବିରକ୍ତ ହେଲା, ଭାବିଲା ଦିଉଡ଼ୁ ସାଓଁତା ହେଲା ବୋଲି ଏଥର ବଢ଼ି ବଢ଼ି କଥା କହୁଛି । ଚିହିଁକି ଉଠି କହିଲା ‘ତୁତ ଘୁଙ୍ଗୁଡ଼ି ମାରୁଥିଲୁ, ଜଗିଥିଲା କିଏ ଯେ ଏଡ଼େ ସର୍ଦ୍ଦାରି ଦେଖାଉଚୁ ?’ ତାର ଅକାରଣ ରାଗ ଦିଉଡ଼ୁ ବୁଝି ପାରିଲା ନାହିଁ । ସେ ଖୁବ୍ ଜୋର୍‌ରେ ଶିଙ୍ଗା ଫୁଙ୍କିଲା, ଜନ୍ତୁ ପଳେଇଲେ ।

 

ଲେଞ୍ଜୁ ଗଡ଼ର ଗଡ଼ର ହେଲା, ଥିରିକରି ଅଖା ଘୋଡ଼ି ହୋଇପଡ଼ି ପାଳ ଭିତରେ ଗୁଞ୍ଜି ହୋଇ ଶୋଇପଡ଼ିଲା ପେଟରେ ଆଣ୍ଠୁ ଯାକିଦେଇ ।

 

ଲେଞ୍ଜୁ କନ୍ଧକୁ ନିଦ ହେଲା ନାହିଁ । ଭାବିଲା ଦିଉଡ଼ୁ ତାକୁ ଅପମାନ କରିଛି । ତାର କେହି ନାହିଁ, ସେ ପର ଘରେ ଗୁଞ୍ଜାରୁଅ ପରି ଲାଖିଯାଇଛି, ମାହାଳିଆ ବେଗାରି ଖଟୁଛି, ଗଞ୍ଜଣା ଶୁଣୁଛି । ଭାରି ରାଗ ହେଲା । ସେ ଆଉ ଉଠିଲା ନାହିଁ ।

 

ଦିଉଡ଼ୁ ବସି ରହିଲା । ରାତି ବଢ଼ିଲା । ଦିଉଡ଼ୁକୁ ଚିଡ଼ି ମାଡ଼ିଲା । ତାର ସବୁ ରାଗ ପଡ଼ିଲା ପୁୟୁ ଉପରେ, ସେ ଗୋଟି ଗୋଟି କରି ଭାବି ଲାଗିଲା କେଉଁଠି କ’ଣ ପୁୟୁ ଅପରାଧ କରିଛି ଯାହା ପାଇଁ ତାକୁ ଗାଳି ଦିଆଯାଇପାରେ । ସେଇ ତାର ଚେତି ରହିବା ଉପାୟ ।

•••

 

ନଅ

 

ରାତି ପାହିଲା, ପୁୟୁ ତାର ପୁଅକୁ ଯାକି କାମ ଦାମ ମଝିରେ ରାସ୍ତାକୁ ଅନେଇଁ ଆସୁଥାଏ । ଆଜି ତାର ବାପ ଗାଁରୁ ଲୋକ ଆସିବେ, ଖବର ଯାଇଛି, ଭୁର୍ଷାମୁଣ୍ଡା ବାରିକ ଯାଇଛି ।

 

ତାର ବାପଘର ଗାଁ ମିଟିଂ, ସକାଳୁ ବାହାରିଲେ ପହଞ୍ଚୁ ପହଞ୍ଚୁ ସୂର୍ଯ୍ୟ ହାତେ ଖସିଥାଏ, ଲେଡ଼େଂ ପାଖେ ମିଟିଂ ଘାଟି ପର୍ବତ ଲଙ୍ଘି, ଗଦାଏ ବାଟ ।

 

ସେଠି ବାପା ମା ନାହାନ୍ତି, ଗଲେଣି କେଉଁଦିନୁଁ, ଖାଲି ବୁଢ଼ୀଗୁଡ଼ାକ, ବଉଁଶ କୁଟୁମ୍ବ ଅଛନ୍ତି, ତାଙ୍କ ଭିତରୁ କେହି କେହି ଆସିବେ, ପୁଅର ନାହି ପଡ଼ିଛି, ମଉଳା ଘରୁ କେହି ନ ଆସିଲେ ନ ହୁଏ ।

 

ପୁୟୁ ଜାଣେ, ଏଡ଼େ ସକାଳୁ ସେଠୁ କେହି ଶୀତର କୁହୁଡ଼ି ପହଁରି ଆସିପାରିବେ ନାହିଁ ।

 

କିନ୍ତୁ କେହି ଆଜି ଆସିବେ, ବାଟ କହିଦେଉଛି ଏହାର ଯେଉଁ ସରୁବାଟ ଗାଁ ପର୍ବତରୁ ଓହ୍ଲେଇ ବଣ ଭିତରେ କେଉଁଠି ହଜିଯାଇଛି, ନିଭିଯାଇଛି ।

 

ପୁରୁଷର ମୁହଁକୁ ଅନେଇଥିଲା, ସେଦିନ ବାପଘର ଗାଁର ପର୍ବତ ଝରଣା ଭୁଲିଥିଲା । ଭୁଲିଥିଲା ନିତି ନାଟକରିବା ଗାଁ ଦାଣ୍ଡର ଧୂଳି, ଆଜି ପୁଅର ମୁହଁକୁ ଅନୋଉଛି, ଧୀରେ ଧୀରେ ଭୁଲିଯାଉଛି ସେଦିନର ପୁରୁଷକୁ, ସବୁ ସେ ଭୁଲି ଯାଇଛି, କିନ୍ତୁ ଏହିପରି ଦିନେ ଦିନେ କେଉଁ କଥାକୁ କେଉଁ ମନେପଡ଼େ, ମନ ଭିତରେ ଖାଲି ବଉଦହିଁ ଭାସି ଲାଗିଥାଏ ।

 

କିଯାଏ ସେ ପୋଡ଼ା ଦଦରା ଢିଅକଥା ଭାବି, ବୟସର ସୁଅରେ ଟାଣି ହୋଇ ସେଠା ଆଡ଼କୁ ପଛକରି ସେ ଏକା ରାଆରେ ଚାଲିଅଛି କେଉଁଦିନୁଁ ।

 

ଆଜି ମନେପଡ଼ୁଛି, ସେଠି ବି ସୂର୍ଯ୍ୟ ଉଏଁ, ରଙ୍ଗେଇ ଦିଏ ଦିପାଖର ଗୋଜିଆ ମୁଣ୍ଡା ପାହାଡ଼, ସେଠି ବି ମୟୂର ନାଟ କରେ, ସେଠି ବି ଟୋକିଏ କାମରୁ ପେନ୍ଥି ପେନ୍ଥି ଧଳାଫୁଲ ଗଛରୁ ଉଠେଇ ନେଇ ମୁଣ୍ଡରେ ଖଞ୍ଜିଦେଇ ଏକାଠି ଗଳା ମିଶେଇ ଗୀତ ବୋଲନ୍ତି, ସେପାଖ ପର୍ବତରୁ ଟୋକାଏ କରନ୍ତି ତାର ପ୍ରତିଧ୍ୱନି ।

 

ସେ ବି ଟୋକୀ ଥିଲା । କେତେ ଲୋକ ଅନଉଁଥିଲେ ତା ମୁହଁକୁ, ପାଇବା ନ ପାଇବାର ସନ୍ଦେହ ସଂଘର୍ଷରେ ଆଖି ଜୁଳୁଜୁଳୁ କରି, ସେଠି ତାର କେହି ନାହାନ୍ତି, କିନ୍ତୁ ତାର ବି ଗୋଟାଏ ବାପଘର ଅଛି, ସେଠି ରହିଛି ତାର ଅତୀତ, ଯାହା କଥା ଭାବିଲେ ଭଲ ଲାଗେ ।

 

ଆଜି ବାପଘରୁ ଲୋକ ଆସିବେ, ପୁୟୁ ତାର ଘରକାମ ନିଠେଇ ନିଠେଇ କଲା । ଆପଣା ଦେହ ମୁଣ୍ଡକୁ ଅନେଇଲା-କ’ଣ ଭାବିବେ ସେମାନେ, ଭାବିବେ କି ପୁୟୁ କ’ଣ ପୁଅର ମା’ ହେଲାଣି, ଏଠି ଦୁଃଖରେ ରହିଛି, ଖାଇବାକୁ ଦେଉ ନାହାନ୍ତି, ଖାଲି କାମ କରୋଉଛନ୍ତି ଯେ ଏପରି ଶୁଖିଯାଇଛି ? ପୁୟୁ ତାର ହାତ ଗୋଡ଼କୁ ଅନେଇଲା, ହାତର ଖଡ଼ୁ, ଗୋଡ଼ର ବଳା ଥରେ କଟା ହୋଇ ବି ଆହୁରି ହୁଗୁଳା ହୋଇଗଲାଣି । ହସ ମାଡ଼ିଲା, ଆଜି ତାର ଧାଂଡୀମନ ହୋଇଛି, ଯେତେବେଳେ ଦେହର ଅଭାବ ମନକୁ ଖରାପ ଲାଗେ, କେଉଁଠି ବେସୁରା ହୋଇ ଫିଟି ପଡ଼େ ମନର ରାଗିଣୀରୁ ।

 

ନଣନ୍ଦକୁ ବହେ ଥଟ୍ଟା କଲା, ‘ଆଜି ମୋର ବାପଘରୁ କିଏ କିଏ ପୁଣି ଆସିବେ ଲୋ, ସଜ ହୋଇଥା, ତତେ କାଳେ ପସନ୍ଦ ନ ହେବ ।’ ପୁବୁଲି ବି ମନ ଭିତରେ ଚମକ ଅନୁଭବ କରୁଥାଏ, ନୂଆ ଲୋକଙ୍କ ବାଟକୁ ଅନେଇଲେ ଧାଂଡୀ ମନରେ ଯେଉଁ ଚମକ ଆସେ । ବାହାରେ ସେ ହସି ଉଡ଼େଇ ଦେଲା ।

 

ଦିହେଁଯାକ ଗାଧେଇ ପାଧେଇ ସଫା ସୁତୁରା ହେଲେ, ମୁଣ୍ଡ ବାନ୍ଧିଲେ । ପୁବୁଲି ତାର ବେଶ ହେଲା, ଦିଉଡ଼ୁ ଲେଞ୍ଜୁ ଦୁହେଁ ଆସି ଖାଇପିଇ ଗଲେ, ଦୁହିଁଙ୍କ ମୁହଁ ଭାରି ଭାରି, ଦୁହେଁ ଖାଲି ଗରଗର ।

 

ଗାଁରୁ ପୁରୁଷମାନେ କ୍ଷେତକୁ ଚାଲିଗଲେ । ଅଧେ ଟୋକୀ ଚାଲିଗଲେ । ବେଳ ମୁଣ୍ଡ ଉପରକୁ ଚଢ଼ି ହାତେ ଖସିପଡ଼ିଲା । ପୁୟୁ କାନେଇ କାନେଇ ଘର ଭିତରେ ପୁଅକୁ ଧରି ଶୋଇଥାଏ । କେତେବେଳେକେ ଦୂରରୁ ଗୀତ ଶୁଭିଲା, ଅଚିହ୍ନା କଣ୍ଠରେ କେଉଁ ବାଟୋଇ ଦଳ ଗୀତ ବୋଲି ବୋଲି ଚାଲିଛନ୍ତି, ତାର ଜବାବ ଦେଉଛନ୍ତି କ୍ଷେତରେ କାମ କରୁଥିବା ଏ ଗାଁର ଧାଂଡୀମାନେ । କନ୍ଧଦେଶରେ ଧାଂଡୀ ପଲ ଦେଖିଲେ ଧାଂଡ଼ାପଲ ଗୀତ ବୋଲନ୍ତି । ଏମାନେ ଥରକୁ ସେମାନେ ଥରେ । ବାଟଚଲାଳି ବି ନିଜର ମନକଥା ଗୀତରେ ଗୀତରେ ବାଟକୁ ଶୁଣେଇ ଶୁଣେଇ ଯାଏ । ଉନ୍ନତି ପ୍ରକୃତି ମଣିଷକୁ ଧରି ଗୀତ ଗାଆଏ, ନଚାଏ ମତାଏ, କନ୍ଧ ଦେଶରେ ସବୁ ଚାଲେ ଗୀତରେ ।

 

ଗୀତର ଶବ୍ଦ ପାଖ ହେଲା । ପୁୟୁ କାନ ଡେରିଲା । ଗହଳ ହୋଇ ଗୀତ ପାଖକୁ ଚହଲି ଆସିଲା, ପୁୟୁ ଅର୍ଥ ଧରିଲା ।

 

ପୁରୁଷମାନେ କହୁଛନ୍ତି, ‘ଆରେ ଅଚିହ୍ନା ଟୋକୀମାନେ, ଶରଧାରେ ଆମେ ନାଁ ଦେଉଁଛୁ ନିଲସ ତାଲସ ଲେମ୍ବର ତୁମେ ନିଅ, ହୁଏତ ଆମକୁ ମନେ ରଖିଥିବ । ତୁମେ କ’ଣ ସତେ ଆମକୁ ପଚାରିବ ? ଜୁଳୁଜୁଳିଆ ପରି ଝିଲିକି ଦେଇ ତୁମେ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯିବ, ‘ଏସି’ ଚଢ଼େଇ ପତ୍ର ଗହଳରେ ରାବିଦେଇ ଲୁଚିଗଲା ପରି ତୁମେ ମୁହଁ ଲୁଚେଇବ । ତୁମେ ଆମକୁ ଚାହିଁରହିବା ଖାଲି ଗାତରୁ କଙ୍କଡ଼ା ଅନେଇଲା ପରି, ଆମେ କ’ଣ ଜାଣୁ ନାହିଁ ? ହାଟକୁ ନେଲା ପସରା ପରି ଆମର ସ୍ମୃତି ତୁମ ମନରୁ କୁଆଡ଼େ ଚାଲିଯିବ, ତୁମେ ବଡ଼ଲୋକ, ତୁମ କୋଠାଘରୁ ଚୂନମୁଣ୍ଡା ପରା ସବୁବେଳେ ଝଡ଼ୁଛି, କାହିଁକି ତୁମେ ଆମ ଗରିବକୁ ଅନେଇଁ ରହିଛ ?

 

ପୁରୁଣା କାଳର ଗୀତ, ତାର ଘୋଷା ‘ସୁନୁଗୁଣ୍ଡା ଡୁଲାନା ହେ’

‘ଯେଇଁକେ ମା’ଲ ନିଲସ, ଯେଇକେ ମା’ଲ ତାଲସ, ସୁନୁଗୁଣ୍ଡା ଡୁଲାନେ ହେ,

ଯେଇଁ ଆରଗୁଲୁ ବାଇଲେ ଯେଉଁ ଡୁମ୍ବର ବାଇଲେ, ସୁନୁଗୁଣ୍ଡା ଡିଲାନେ ହେ ।’

 

ପରିଚିତ ଅଞ୍ଚଳର ପରିଚିତ ଗୀତ, ପୁୟୁ ଦଉଡ଼ି ଆସିଲା । ପାହାଡ଼ ତଳିବାଟେ କେଉଁମାନେ ଏକା ସ୍ୱରରେ ଗୀତ ବୋଲି ବୋଲି ଉଠୁଛନ୍ତି । ଗାଁ ସେମୁଣ୍ଡେ ପଞ୍ଝାଏ ଟୋକୀ ଗଛ ଉଢ଼ୁଆଳରେ ଠିଆହୋଇ ଗୀତର ଜବାବ ଗଡ଼େଇବାରେ ଲାଗିଗଲେ । ଦୂରର ଟୋକୀ ପଞ୍ଝାମାନେ ଏକାଠି ହୋଇ ଗୀତର ଜବାବ ଗାଇଗାଇ ଗାଁ ଆଡ଼କୁ ଆସୁଛନ୍ତି ସ୍ୱରର ସ୍ୱରର ହାବୁକା ଲାଗିଛି । ‘ସୁନୁଗୁଣ୍ଡା’ ସାଙ୍ଗକୁ ହିଙ୍ଗା (ହଳଦି) ଗୁଣ୍ଡା ‘ନା, ତୁମେ ସିନା ଧନୀ ସୌଦାଗର, ଏତେ ହଳଦି ସାଇତିଛ, ସବୁବେଳେ ତମଘରେ ହଳଦି ଗୁଣ୍ଡା ଝଡ଼ୁଛି । ଦୂର ବାଟର ବାଟୋଇ, ମାନ ଅଭିମାନ ଭୁଲିଯାଅ, ପରିଶ୍ରମ ଭୁଲିଯାଅ, କାମ ତ ସବୁବେଳେ ଲାଗିଛି, ଆସ ଆମ ଗାଁକୁ ଆସ ଆମ ଗାଁରେ ଅଟକି ଯାଅ, କେତେ ଗୀତ ଗାଇବା, ନାଚ ନାଚିବା, ଦେଖିବ, ଆମେ ତୁମକୁ ଭୁଲିବୁ କି ତୁମେ ଆମକୁ ଭୁଲିବ ।’

 

ପୁବୁଲି ଦଳରେ ଭିଡ଼ିଲାଣି, କନ୍ଧ ଧାଂଡୀ କନ୍ଧ ଧାଂଡାର ଗୀତ ଶୁଣି ତୁନିହୋଇ ରହିପାରେ ନାହିଁ । ପୁୟୁ ହସି ହସି ଫାଟି ପଡ଼ିଲା । ପୁରୁଣା ଗୀତ, ନୂଆ ନୁହେଁ, କିନ୍ତୁ ଯେତେଥର ଶୁଣିଲେ ସୁଦ୍ଧା ହସ ମାଡ଼େ । ହାକିନା ଡବଡବ ଆଖିରେ ଅନେଇ ରହିଲା । ଗାଁର ଟୋକୀମାନେ ଏକାଠି ହୋଇ ଗାଁ ଦୁଆରମୁହଁକୁ ହଟି ଆସିଲେ । ପାହାଡ଼ ଢାଲୁ ଉପରକୁ ଧୀରେ ଧୀରେ ଗୋଟାକ ପଛେ ଗୋଟାଏ ଛଅଟି ମୁଣ୍ଡ ଛଅଟି ବେକ ଉଠିଲା । କାନ୍ଧରେ କାଉଡ଼ି ଭାର, ଟାଙ୍ଗିଆ, ହାତରେ ବର୍ଚ୍ଛା, ଠେଙ୍ଗା । ପୁୟୁ ଦଉଡ଼ିଗଲା, ସେମାନେ ତା ବାପଘର ଗାଁଲୋକ । ସମସ୍ତିଙ୍କ ଆଗରେ ଗୋରା ତକ ତକ ବଳିଷ୍ଠ ଦେହ ବେଶୁ କନ୍ଧ, ମିଟିଂ ଗାଁର ରଘୁ ସାଓଁତାର ପୁଅ, ତୋଫା ଭେଣ୍ଡିଆ, ନିଘଞ୍ଚ ବଣ ଭିତରର ଶିକାରୀ, ତାର ହାତରେ ବର୍ଚ୍ଛା, କାନ୍ଧରେ ମସ୍ତବଡ଼ ଓଡ଼ିଆ ନଳି । ମିଟିଂ ଗାଁଲୋକେ ଢାଲୁ ଉପରକୁ ଚଢ଼ିଗଲେ, ଗୀତ ବନ୍ଦ ହେଲା । ଭାରରେ ଫେଣା ଫେଣା କଦଳୀ, ଚାରୋଟି କୁକୁଡ଼ା, ଟୋକେଇରେ ଆପଣାର ଖାଦ୍ୟ ସରଞ୍ଜାମ, କୁଣିଆ ଘରକୁ ପିଠା । ପଛରେ ଜଣେ ବୁଢ଼ା କନ୍ଧ ଚାଲିଛି, ମୋଟା କନ୍ଧ, ସମ୍ପର୍କରେ ପୁୟୁର କକେଇ । କିଛି ଦୂରରେ ତଫାତ୍‌ରେ ବାଡ଼ି ଭରାଦେଇ ଚାଲି ଆସୁଛି ଏ ଗାଁର ବାରିକ ବୁଢ଼ା, ଭୁର୍ଷାମୁଣ୍ଡା ଡମ୍ ।

 

ସମସ୍ତେ ଆଗେଇ ଆସିଲେ, ଝୋଡ଼ି ଗଛ ମୂଳେ ବେଶୁ କନ୍ଧ ଅଟକି ରହିଲା । ସେତେବେଳକୁ ବେଳ ରତରତ ହେଉଛି, ଝଙ୍କା ଝୋଡ଼ି ଗଛ ବାଳମୁକୁଳା କନ୍ଧୁଣୀ ପରି ଥକ୍‌କା ହୋଇ ଠିଆ ହୋଇଛି, ହରଡ଼ ଚଢ଼େଇ କୋଳି ଖାଉଛନ୍ତି । ବେଶୁ ଭାବିଲା ଏକାଥରକେ ତାର କରାମତି ଦେଖେଇବ, ବନ୍ଧୁ ଘରକୁ ଭେଟି ସଜାଡ଼ିବ । ନଳି ଉଠେଇ ବେଶୁ କନ୍ଧ ଢୁ’ କଲା, ଚାରିଟା ହରଡ଼ ଚଢ଼େଇ ପଡ଼ିଲେ । ଗାଁରୁ ସମସ୍ତେ ଦଉଡ଼ି ଆସିଲେ । ଏ ଗାଁର ଲୋକ ସେ ଗାଁର ଲୋକଙ୍କୁ ଅଭ୍ୟର୍ଥନା କରି ଗାଁ ଭିତରକୁ ପାଛୋଟି ନେଇଗଲେ । ଦିଉଡ଼ୁ-ସାଓଁତାକୁ କ୍ଷେତରୁ ଡାକିବାକୁ ଖବର ଗଲା ।

•••

 

ଦଶ

 

ଗାଁ ମଝିରେ ବଡ଼ ଚଟାପଥର ପଡ଼ିଛି ବସିବା ଜାଗା, ଗାଁ ‘ଭେରାମଣ୍’ । ସମସ୍ତେ ସେଠି ବସିଲେ । ଆଗ ଧୂଆଁପତ୍ର ଆଦାନପ୍ରଦାନ । ଅଣ୍ଟାର କୌପୁନୀପିନ୍ଧା ଡୋରରୁ, ମୁଣ୍ଡର ଚୁଟିରୁ ବଡ଼ ବଡ଼ ପତ୍ର କାହାଳୀ ବାହାରିଲା । ଖଣ୍ଡେ ଶୁଖିଲା କୁର୍‌ହୋଇ ଡାଙ୍ଗ ଉପରେ ଆଉ ଖଣ୍ଡେ ଗୋଜିଆ କୁର୍‌ହେଇ ଡାଙ୍ଗ ସିଧାକରି ଥୋଇ ଦି ହାତରେ ବଳି ନିଆଁ ଟିକିଏ କିଏ କଲା । କାହାଳୀରେ ନିଆଁ ଲାଗିଲା, ଟୁପ୍ ଟାପ୍ ଗପ ହେଲା, ଧୁଙ୍ଗିଆ ପିଆ ପଙ୍ଗତ ଲାଗିଗଲା କନ୍ଧ ରୀତିର । କେବଳ ହସ ଥଟ୍ଟା ଆଉ ବାଟର ଗପ ।

 

କନ୍ଧ ଆଉ ଧୁଙ୍ଗିଆ, ଅଭେଦ୍ୟ । ଗପ ଲାଗିଥାଏ, ପିଲା, ବୁଢ଼ା, ସମସ୍ତେ ଗମତ ଜମେଇ ଥାଆନ୍ତି, ସମସ୍ତେ ଭୁଷ୍ ଭୁଷ୍ ଧୂଆଁ ଛାଡ଼ୁଥାନ୍ତି ପାଖକୁ ପାଖ ଲଗାଲଗି ହୋଇ ବସି, ଅନର୍ଗଳ ଗପ ।

 

ଏ ବର୍ଷ ବାଘଖିଆ ସେତେ ବେଶି ନାହିଁ, ହୁଏତ ଏଣିକି ବଢ଼ିଯିବ । ବାଟରେ ବାଘ ରହୁଥିଲା, ଗୋଟାଏ ବାର୍‌ହା ବଣ ଭିତରେ କେଉଁଠି ଘୁଟ୍ ଘୁଟ୍ ଠକ୍ ଠକ୍ ହୋଇ ବୋବୋଉଥିଲା । ବାଘ ଯାହାକୁ ଖାଏ ତାର ପ୍ରେତ ବାଘ୍‌ଡୁମା ହୋଇ ବଣ ଭିତରେ ବୁଲୁଥାଏ, ସାନପିଲାପରି ଆକୃତି, ମୁଣ୍ଡ ଚନ୍ଦା, ଓଠ ଆଉ ଆଖି ଖୁବ୍ ନାଲି । ବାଟରେ ଆସିଲାବେଳେ ବାଘଡ଼ୁମା ନିଘଞ୍ଚ ବଣ ଭିତରେ କାଠ ହାଣୁଥିଲା, ଉତ୍ତାଣି ପିଲା ପରି କାନ୍ଦୁଥିଲା । ଏତକ ଶୁଣି ପାଣ୍ଡ୍ରୁକନ୍ଧ କାନ ଠିଆକରି ଆଖି ଗୋଜେଇ ପଚାରିଲା ‘କୋଉଠି, କୋଉଠି ।’ ସେ ଦିସାରି, ତାକୁ ବିଦ୍ୟା ଜଣା ଅଛି, ଏମିତି କିଳିଦେବ ଯେ ଆଉ ବାଘଡ଼ୁମା ଦେଖାଦେବ ନାହିଁ । ନ ହେଲେ ବାଘଡ଼ୁମା ସମସ୍ତିଙ୍କି ଡରେଇବ । ମଣିଷଖିଆ ବାଘର ଲାଞ୍ଜରେ ଚଢ଼ି ତାକୁ ଆହୁରି ମଣିଷ ଖାଇବାକୁ ଶିଖେଇବ । ମଣିଷଗୋଷ୍ଠୀର ସବୁ କାଇଦା କଦର ବତେଇଦେବ ତାକୁ ।

 

ହଁ, ବାଟରେ କୁଟ୍ରା କାନ ହଲେଇ ହଲେଇ ସୁଆଁ ଖାଇଯାଉଥିଲା । ବଡ଼ ଚଲାଖ ସେ, କ୍ଷେତ ମଝିକୁ ଆସେ ନାହିଁ, କ୍ଷେତ କରେ କରେ ଜଙ୍ଗଲ ପାଖେ ପାଖେ ଚରୁଥାଏ, ବେଶୁ କନ୍ଧ ଛୁଟିଯାଇଥିଲା, ବୁଦା ଉହାଡ଼ରେ ଛପିଛପିକା, କୁଟ୍ରା ଶୁଣିପାରି ବଣରେ ପଶିଗଲା । ହଁ, ନ ହେବ କାହିଁକି ? ‘ମୟୂର ଦେଖିବାକୁ କୁଟ୍ରା ଶୁଣିବାକୁ’ ଏପରି ପ୍ରବାଦ ଅଛି, ସତକଥା ।

 

ଫସଲ କଟାକଟି ଆରମ୍ଭ ହେଲାଣି ଚାରିଆଡ଼େ, କିନ୍ତୁ କ’ଣ ହେବ, ଏତେ ବୋଝ ଫସଲ ସବୁ ପଶିବ ଯାଇଁ ସାହୁକାର ଘରେ । ବିଲକୁ ହଳ ଯିବା ପୂର୍ବରୁ ଭୋକିଲା ଶୋଷିଲା ଦିନରେ ସାହୁକାର ଆଗତୁରା ଦାଦନ ଲଗେଇ ଦେଇଛନ୍ତି, ସେତିକିବେଳୁ ଭାଉ ଠିକଣା କରି ଦେଇଛନ୍ତି, ଟଙ୍କାକୁ ଲୋକ ଦେଖି କୋଡ଼ିଏ ମାଣ, ଲୋକ ଦେଖି ତିରିଶ ମାଣ ଧାନ । କିଏ ସେତେବେଳେ ଟଙ୍କା ନେଇଛି, କିଏ ଗଣ୍ଡିଏ ଧାନ ନେଇଛି, କିଏ ବା ଟୋପିଏ ମଦ ପିଇଛି । ସେତିକି ଯୋଗୁଁ ବର୍ତ୍ତମାନ ସାହୁକାର ଘରେ ଅଜାଡ଼ି ଦେବାକୁ ପଡ଼ିବ କନ୍ଧ ଦେଶର ସବୁଯାକ ଫସଲ, ଧାନ ମାଣ୍ଡିଆ ସୁଆଁ କାନ୍ଦୁଲ ରାଶି ଅଳସି ଜଡ଼ା ସବୁ । କଥାବାର୍ତ୍ତା ଲାଗିଥାଏ କେଉଁ ଗାଁରେ କେଉଁଦିନ ସାହୁକାରର ଦୂତ ଦେଖା ଦେଲେଣି ।

 

ତା’ପରେ ଅଧିକାରୀମାନଙ୍କ କଥା, ଏଇ ଫସଲ କଟାକଟି ଦିନରେ ସେମାନଙ୍କର ବି ଦେଖା ମିଳେ, କିଏ ଆସେ ଖଜଣା ଅସୁଲ କରିବାକୁ, କିଏ ଘର ତନଖି କରିବାକୁ । ତାଙ୍କର ଭାରୁଆ ଦରକାର, ଜିନିଷ ଦରକାର, ଅନେକ ଜିନିଷ ଦରକାର । ତାଙ୍କୁ ବି କନ୍ଧିଆଭାଇ ସନ୍ତୋଷ କରିବ । ତେଣୁ ଦୁଇ ଗାଁର କନ୍ଧ ଏକାଠି ହେଲେ ଅଧିକାରୀମାନଙ୍କ ପାରିଧି ଖବର ବି ପଡ଼େ ।

 

ଗୋରୁ ରୋଗ କଥା, କିଏ ଗୋରୁଙ୍କୁ ଘାଙ୍ଗି ଦେଇ ପରର ଗୋରୁ ମାରିପକାଏ, କିଏ ବିଷ ଦିଏ, କାଇଁଚ ଫଳ ବତୁରେଇ ବାଟି ସେଥିରେ ମୁନିଆଁ ମୁନିଆଁ କଣ୍ଟା କରି ସେହି କଣ୍ଟାରେ ଦିଏ ଗୋରୁଙ୍କୁ ଭୁଷି, କିଏବା ଟାଙ୍ଗିଆ ମୁଣ୍ଡିରେ ଗୋରୁର ଦି ଶିଙ୍ଘ ମଝିରେ ପାହାରେ ପକାଏ, ନିଛାଟିଆ ଝୋଲାରେ । ସବୁ ଫିକର ଡମ୍ବ-ଲୋକଙ୍କର, ସେମାନେ ହାତରେ ତାଷ କରିବାକୁ ଘୃଣା କରନ୍ତି, ପୋଲାରେ ଖାଇ ବଞ୍ଚନ୍ତି, ଏଇ ଶୀତଦିନେ କ୍ଷେତର ଫସଲ ସାଙ୍ଗେ ଅନର୍ଯ୍ୟାପ୍ ଗୋରୁ ଛାଲ ବି ହାଟକୁ ବାହାରେ ।

 

ଦୁଇ ଗାଁର ଲୋକ ଏକାଠି ବସି କନ୍ଧିଆ ଜୀବନର ବିଶିଷ୍ଟ କଥା ଆଲୋଚନା କରୁଥା’ନ୍ତି-। ଗପ ଶୁଣିବାକୁ ସ୍ତ୍ରୀଲୋକମାନେ ଜମିଲେ, ପିଲା କାଖେଇ ଡୋକ୍ରୀ (ବିବାହିତା ସ୍ତ୍ରୀ) ମାନେ, ଜୁଡ଼ା ବାନ୍ଧି ମୁହଁରେ ତେଲ ହଳଦି ନେସି ଧାଂଡୀମାନେ । କନ୍ଧ ସଂପ୍ରଦାୟରେ ଶିଷ୍ଟାଚାର ଅଭାବ ନାହିଁ, କନ୍ଧ-ବୈଠକରେ ସ୍ତ୍ରୀଲୋକମାନଙ୍କର ବି ସ୍ଥାନ ଅଛି । ସେମାନେ ଆପଣାର ଅଭିମତ ଦେଉଥା’ନ୍ତି, ଆଲୋଚନାକୁ ଆଗେଇ ଦେଉଥା’ନ୍ତି ସରସ କରି ।

 

ବେଶୁ କନ୍ଧ ଶିକାରର ଗପ ପୁଣି ଆରମ୍ଭ କଲା । ଓଡ଼ିଆ-ନଳୀ ତାର କୋଡ଼ରେ ଥୁଆ ହୋଇଛି, ବର୍ଚ୍ଛା ତଳେ ଶୋଇଛି, ତାର ଫଳକ ତାର ଅଣ୍ଟି ପାଖରେ । ଉତ୍ତେଜିତ ଆଖିରେ, ତରଳ କପାଳରେ ନାନା ଭାବ ଆଣି ଆପଣାର ଅଭିଜ୍ଞତାରୁ ବାଛି ବାଛି ସେ କାହାଣୀ କହି ଲାଗିଲା, ତାର ସାଙ୍ଗର ଲୋକ ମୁଣ୍ଡ ଟୁଙ୍ଗାରିଲେ, ଏ ଗାଁର ଲୋକ ତୁନି ହୋଇ ଶୁଣିଲେ । ଶିକାରର ଖୋଜ ଉଣ୍ଡି ଉଣ୍ଡି ଏକୁଟିଆ ବଣରେ ପଶି ଜନ୍ତୁ ମାରିବାର କଥା । ତାହାକୁ କହନ୍ତି ଡୋକ୍ରାବେଣ୍ଟ । ରାତିରେ ପଲାରେ ବସି ଛକିବାର କାହାଣୀ । ତଳେ ବାଘ ଚଡ଼୍ ଚଡ଼୍ କରି ଛିଣ୍ଡେଇ ଖାଏ, ବାଘ ଆଗେ ମୁହାଁମୁହିଁ ହେବା କଥା, ବାଘ ଦାଉରୁ ଆତ୍ମରକ୍ଷା କରିବାର କଥା, ଯାହା ଶୁଣିଲେ ଆଖିରେ ପଲକ ପଡ଼େ ନାହିଁ, ରୋମ ଟାଙ୍କୁରି ଉଠେ । ବେଶୁ କନ୍ଧ ସମସ୍ତିଙ୍କି ମତେଇ ଦେଲା । ହରଡ଼ର ବୋବାଳି ବୁଡ଼ିଲା, ମୟୂରର ବୋବାଳି ବୁଡ଼ିଲା, ସବୁ ଡୁବେଇ ଦେଇ ବେଶୁ କନ୍ଧର ବର୍ଣ୍ଣନାରେ ଠିଆହେଲା ଗିରିକନ୍ଦରା ଭିତରର କେଉଁ ମିଟିଂ ଗାଁ, ସେଠି ବଗ ଧୋବ ଧୋବ ଛଳ ଛଳ ନଈ ଚମ୍ପା ଝରଣା, ସେଠି ଚାରି ଦିଗ ଆବୋରି ରହିଛି ଅଗନାଗ୍ନି ବନସ୍ତ, ଯେଉଁଠି ଖରା ପଡ଼େନାହିଁ, ଆଉ ସବୁବେଳେ ରହି ରହିକା ଶିକାରୀମାନଙ୍କର ଢୋ ଢୋ ନଳି ଫୁଟୁଛି, ଶିକାର ଚାଲିଛି ଦିନରେ ରାତିରେ ।

•••

 

ଏଗାର

 

ସଞ୍ଜ ହେଲା, ଲୋକ ଜମିଲେ, ଦିଉଡ଼ୁ ଲେଞ୍ଜୁ ଘରକୁ ଫେରିଲେ । ହାକିନାକୁ ପଦାକୁ ଅଣାହେଲା । ସାନ ପୂଜାଟିଏ କରି ତାର ବାପଘରର ଲୋକେ ମାମୁଁ ଘରର ଲୋକେ ଏକାଠି ହୋଇ ହାକିନାକୁ ଆଶୀର୍ବାଦ କଲେ-’ବହୁତ ଆୟୁଷ ହେଉ ।

 

ବଣର ପିଲା, ବଣପରି ଦିଶୁଥା ସବୁବେଳେ ପୂର୍ଣ୍ଣ ।

ଝରଣା ପରି ତୋର ଜୀବନ ବହିଚାଲୁ ।

 

ସୁଖରେ ଥା, ଶାନ୍ତିରେ ଥା । ସ୍ତ୍ରୀ ପୁତ୍ର ଧନ ଜନ କୌଣସିଥିରେ ତୋର ଅଭାବ ନ ହେଉ ।’

 

ବାଜା ବାଜୁଥାଏ । ଦୁଇକୁଳର ଲୋକେ ବସିଥା’ନ୍ତି । ସାନ ଅଗିଟିଏ ଜଳୁଥାଏ । ସାନ ଛାମୁଡ଼ିଆଟିଏ ତିଆରି ହୋଇଥାଏ । ପୁରୋହିତ (ଜାନି) ମନ୍ତ୍ର ବୋଲୁଥାଏ, ସବୁ ଦିନ ବାର ମାସର ନାଁ ଧରି କନ୍ଧଦେଶର ପ୍ରତ୍ୟେକ ପର୍ବତକୁ ସ୍ମରଣ କରି କରି ମଙ୍ଗଳ ବର୍ଷଣ କରୁଥାଏ । ସବୁ ମଙ୍ଗଳରେ ବଢ଼ି ସରବୁ ସାଓଁତାର ଡୁମା ଦିଉଡ଼ୁ ସାଓଁତାର ପୁଅ ସ୍ୱାଧୀନ ଆନନ୍ଦରେ ହସଖୁସିରେ କାଳ କଟେଇଯିବ କନ୍ଧ-ପୃଥ୍ୱୀରେ, ରାଜ୍ୟ ଉଜ୍ଜ୍ୱଳ ହେବ, କୁଳ ଉଜ୍ଜ୍ୱଳ ହେବ ।

 

ଅଛିଣ୍ଡା ମନ୍ତ୍ରର ସୁଅ, କନ୍ଧଦେଶର ଅଛିଣ୍ଡା ଗୀତ ପରି । ଦୁଡୁମ୍ ଦୁଡୁମ୍ ବାଜା ସଙ୍ଗେ ସଙ୍ଗେ ଅନର୍ଗଳ ସ୍ତୋତ୍ର । ସେଥିରେ ପୃଥିବୀ ପିଲା ହେଲା, ଖାଲି କାଦୁଅ ପାଣିର ଦେଶ, ଗଛ ନାହିଁ-। ତା’ପରେ ପ୍ରଥମ କନ୍ଧ କନ୍ଧୁଣୀ ଦର୍ତନୀର ପ୍ରଥମ ପୁଅଟିଏ ଜନ୍ମ ହେଲା, ପ୍ରେତମାନେ ତାଙ୍କୁ ଖାଇ ଗୋଡ଼େଇଲେ । ସାତଦିନ ପର୍ଯ୍ୟନ୍ତ ଅନ୍ଧାର କରି ମହାପ୍ରଭୁ ତାଙ୍କୁ ଲୁଚେଇ ରଖିଲେ, ଶିମିଳୀ ଗଛର ଡଙ୍ଗାରେ ଚଢ଼ି ସେ ଭାସୁଥା’ନ୍ତି । ଆଲୁଅ ହେଲା, ଭୂଇଁ ଶୁଖିଲା, ଜଙ୍ଗଲ ହେଲା, ମହାପ୍ରଭୁ କହିଲେ ଘର ସଂସାର କର । ଯେତେଥର ତାଙ୍କୁ ଭେଟାଭେଟି କରେଇଲେ ସେମାନେ କହିଲେ ଆମେ ଭାଇ ଭଉଣୀ । ଗୋଟି ଗୋଟିକିଆ କରି ମହାପ୍ରଭୁ ବଣ ଭିତରେ କେତେଥର ତାଙ୍କୁ ବୁଲେଇ ବୁଲେଇ ଏକାଠି କଲେ, ତଥାପି ସେହି ଚିହ୍ନାଚିହ୍ନି, ସେହି ଭାଇଭଉଣୀ, ଏକାଠି ହେବାକୁ ସେମାନେ ମଙ୍ଗିଲେ ନାହିଁ । ବାଧ୍ୟହୋଇ ମହାପ୍ରଭୁ ବସନ୍ତରୋଗ ସୃଷ୍ଟି କଲେ, ଭାଇଭଉଣୀଙ୍କର ଚେହେରା ବଦଳେଇଲେ, ପରସ୍ପରଙ୍କୁ ଚିହ୍ନି ନ ପାରି ସେମାନେ ସ୍ୱାମୀ-ସ୍ତ୍ରୀ ହୋଇ ଘର କଲେ । ତାଙ୍କର ସାତଟି ପୁଅ ହେଲେ । ପ୍ରଥମେ ମିଣିଆକା, ଦ୍ୱିତୀୟେ ହିମେରିକା, ତୃତୀୟେ ହିକୋକା, ତା’ପରେ ପ୍ରାସ୍କା, ମୁଷ୍କା, ଜାମ୍ବାକା, ମେଲାକା, ପ୍ରତି ପୁଅ ନାଁରେ ଗୋଟିଏ ଗୋଟିଏ ବଂଶ । ପୁଣି ନାତିମାନଙ୍କର ନାଁ ଅନୁସାରେ ବଂଶ । ଦେବତା ବଢ଼ିଲେ, ଆଇନ ହେଲା, ଇତିହାସ ହେଲା । ତା’ପରେ ଦେଶ ଗଲା, ସଭ୍ୟତା ଭାଙ୍ଗିଲା, କେବଳ ସବୁ ଯାଇ ରହିଲା ଆଦିମ ପର୍ବତମାଳ, ସେ ବି ଦେବତା, ସେ ବି ସ୍ମରଣୀୟ, ପ୍ରାଚୀନ ଗିରିକନ୍ଦରାର ଘରଢିଅ । ସବୁ ଯିବ, ରହିବ ସେତିକି, ଘନ ଜଙ୍ଗଲ ଘୋଡ଼ିହୋଇ ହଜିଲା ଅତୀତର ବିସ୍ମୟ ଆବୋରି ଆକାଶକୁ ମୁଣ୍ଡଟେକି ମହାବଳୀ ପର୍ବତଶିଖରୀ, ପ୍ରକାଣ୍ଡ ପ୍ରକାଣ୍ଡ ପର୍ବତମାଳିଦମକ-କନ୍ଧ ସଂସ୍କୃତିର ବିକଟ ସ୍ମାରକ ।

 

କାଣ୍ଡାରାଣିତି

ତିଣିରାଣିତି

ରେକମାଡ଼ିତି

କୁଲେର୍-ପାଣିତି

କୋଡ଼ିହିଁ ମାଡ଼ିତି

ଶୋବାହାଁ ମାଡ଼ିତି

ପାଣ୍ଡ୍ରା ମାଡ଼ିତି

ଡଣ୍ଡ୍ର ମାଡ଼ିତି

ହାତୀ ମାଡ଼ିତି

ବାୟା ମାଡ଼ିତି

ଗୁଆ ମାଡ଼ିତି

ଆନ୍ଦା ମାଡ଼ିତି

ପାଶା ପାଟିଆତି

ସୋଜ ତାଡ଼ିଆତି

ଲେଞ୍ଜୁ ଓ୍ୱାଲିତି

ରାସ୍କାକୋଟାତି

ମାଡ଼ି

ମାଳି

 

(୧)

କାଣ୍ଡାରାଣି

ଓରଫ ହାତୀମାଳି ପର୍ବତ, ଚାରିଅଡ଼ାର ଗାଁ ପାଖେ ।

(୨)

ତିଣିରାଣି

ଲଚୁମଣି ଗାଁ ପାଖର ବିଶାଳ ପର୍ବତ, ‘ତିଣି’ ଅର୍ଥ ବିଜୁଳି ।

(୩)

ରେକମାଡ଼ି

କାକିରିଗୁମ୍ମା ଗାଁ ପାଖେ ।

(୪)

କୋଡ଼ିହିଁମାଡ଼ି

ଚେମ୍ମାଗାଁ ପାଖର ଅତ୍ୟୁଚ୍ଚ ପର୍ବତ ।

(୫)

ଶୋବାହାମାଡ଼ି

ନାରଣପାଟଣାର କୁମ୍‌ହାରପୁଟ୍‌ ପାଖେ ।

(୬)

ପାଣ୍ଡ୍ରାମାଡ଼ି

ଦଣ୍ଡାବାଡ଼ି ଗାଁପାଖେ, ପଞ୍ଚଡ଼ାରୁ ଦଶମନ୍ତପୁର ଯିବାବେଳେ ବାଟରେ ପଡ଼େ ।

(୭)

ଡଣ୍ଡ୍ରମାଡ଼ି

ଦଶମନ୍ତପୁର ଅନ୍ତର୍ଗତ ଯୋଡ଼ିପାଇ ପାଖେ ।

(୮)

ହାତୀମାଡ଼ି

ମିଡ଼ିଂ ଓ ଚମ୍ପାଝରଣା ପାଖେ ।

(୯)

ବାୟାମାଡ଼ି

ନାରଣପାଟଣାର ଆତ୍ମାପର୍ବତ, ବାୟାମାଳ ଅଞ୍ଚଳ ।

(୧୦)

ଗୁଆମାଡ଼ି

ଗୁଆମାଳ ଅଞ୍ଚଳର ବଡ଼ ପର୍ବତ ।

(୧୧)

ଆନ୍ଦାମାଡ଼ି

ଦୁଦାରି ମୁଠାର ପ୍ରସିଦ୍ଧ ଦେଓମାଳୀର ଉଚ୍ଚତମ ଶିଖରୀ ।

(୧୨)

ପାଶା ପାଟିଆ

କାପ୍‌ସିପୁଟ୍‌ର ବିଖ୍ୟାତ ଦମକ ।

(୧୩)

ସୋଦତାଡ଼ିଆ

ବିଜାଘାଟି ଗଡ଼ତି ଅଞ୍ଚଳର ବିଖ୍ୟାତ ଦମକ ।

 

ଏଇ ସଂସ୍କୃତି ଉପରେ ସାମ୍ନାକୁ ମୁହଁକରି ଶାଳଗଛପରି ମିଣିଆକା ହାକିନା ଠିଆ ହେବ, ତାର ନାଁ ଦେବା ପଛେ ପଛେ ବାପଘର ମଉଳାଘର ଦୁଇକୁଳ ଥାଇ ତେଣୁକରି ଏତେ ପୂଜା ଏତେ ମନ୍ତ୍ରୋଚ୍ଚାରଣ ଆବଶ୍ୟକ । ପୃଥିବୀ ମନୁଷ୍ୟର ଜନ୍ମ-କନ୍ଧଜାତି-କନ୍ଧଦେଶର ସଦାଜାଗରୁକ ଭୀଷଣ ଗିରିଶୃଙ୍ଗ-ମିଣିଆକା ହାକିନା । ଏତେ ମନ୍ତ୍ର ଆବଶ୍ୟକ ଏତିକି ସୂଚେଇ ଦେବାକୁ ଯେ ସେ କାହୁଁ ଅଇଲା ନୁହେଁ, ସେ କାଲିକାର ଛତୁ ନୁହେଁ, ଶିଉଳି ନୁହେଁ ଯେ ସମୟ ପ୍ରଭାବରେ ଚିତ୍ର ଛାଇଦେଇ ଆଖି ଝଲସି ରହିଛି ଗଲା କାଲିର ଅନ୍ଧାର ଉତ୍ତାରୁ ଆସନ୍ତାକାଲିର ଅନ୍ଧାର ପୂର୍ବରୁ, ସେ କାହୁଁ ଅଇଲା ନୁହେଁ, ଯାହାର ବାପକୁଳ ନାହିଁ ମା’ କୁଳ ନାହିଁ, ବୁନୀଆଦି ନାହିଁ, ଅତୀତ ନାହିଁ-ଖାଲି ପାହାଡ଼ ଢାଲୁର ହଳଦିଆ ନିର୍ମୂଳୀ ଲଟା, ମଲାଙ୍ଗ, କାଠଛତୁ ।

 

ବାଜା ବାଜୁଥାଏ, ମନ୍ତ୍ର ଚାଲିଥାଏ କେତେବେଳେ ପର୍ଯ୍ୟନ୍ତ । ଇତ୍ୟବସରରେ ଧୂଆଁପତ୍ର ଧୂଆଁ ସରିଗଲା, ମଦପିଆ ଲାଗିଲା, ସରିଲା । ଛୋଟ ଭୋଜିଟିଏ ହେଲା, ଦୁଇପକ୍ଷର ଲୋକ ସେଥିରେ ବସିଲେ ।

 

ମିଣିଆକା ହାକିନା କନ୍ଧ-ଗୋଷ୍ଠୀରେ ଜଣେ ହେଲା ।

•••

 

ବାର

 

ଚାଉଁଚାଉଁଆ ରାତି, ଦୁଇଘଡ଼ି ଛାଡ଼ି ଜହ୍ନ ଉଇଁଲା । ଦୂରର ଗୋଜିଆ ପର୍ବତ ଉପରେ ଜିକି ଜିକି ହୋଇ ଦାଆ ପଟେ । ଦାଆ ପଟେ, ଏଇ ପୁଷରେ ଫସଲ କଟାକଟି, କନ୍ଧ-ଦିସାରିର ମେଡିଂଶିରା ଯୋଗରେ । ଚହଳ ବଢ଼ିଗଲା, ଦୂର ପରଜା ଗାଁରୁ ପୁଷ ପରବର ବାଇଦ ଶୁଭୁଥାଏ, ଶୁଭୁଥାଏ କନ୍ଧ ବଇଁଶୀରେ ଯୋଡ଼ି ଯୋଡ଼ି ହୋଇ ମାଳୁଆ ରାଗିଣୀ । ଜହ୍ନ ଉଇଁଲା ସାଙ୍ଗେ ସାଙ୍ଗେ ଆନନ୍ଦ କୋଳାହଳ । ସାହିର ଝିଅ ଏଘର ସେଘର ହେଲେ । ସାହିର ପିଲାଏ ଖଦି ଘୋଡ଼ିହୋଇ ଏପାଖୁ ସେପାଖ ଯା’ଆସ କଲେ । ଦୁଆରେ ଠା ଠା ହୋଇ ନିଆଁ ଜଳୁଥାଏ । ନିଆଁ ଚାରିପାଖେ ମେଞ୍ଚି ମାଞ୍ଚି ହୋଇ ପଞ୍ଝାଏ ପଞ୍ଝାଏ ବସି ଗପ କରୁଥା’ନ୍ତି । ପୁବୁଲିକି ଖୋଜି ଆସିଲେ ତାର ସାଙ୍ଗୀମାନେ – ରେନ୍ଦ, ପୁଲ୍‌ମେଁ, କାଠ୍‌କ, ଟିଟ, ଜଞ୍ଜଇ । ଏକୁଟିଆ ଘର ଭିତରେ କାହିଁକି ? ଶୀତୁଆ ଜହ୍ନରାତିରେ ଓଦା ଆଲୁଅରେ ଏକାଠି ଗୀତ ବୋଲି ବୋଲି ସାହିର ଏ ମୁଣ୍ଡୁ ସେ ମୁଣ୍ଡ କେତେଥର ବୁଲି ଆସିବାକୁ ହେବ । ପୁବୁଲି ଘରେ ବସି ବସି ଠିକ୍ ସେହି କଥା ଭାବୁଥିଲା । ଦୁଆରେ ଜହ୍ନ ପଡ଼ିଛି, ଦି’ ପାଖରେ ସାନ କୁଡ଼ିଆ ମୁଣ୍ଡ ନୁଆଇଁ ଦେଇଛନ୍ତି ତାହାରି ଆଡ଼କୁ । ଏଗାଁରେ ଆଜି ନୂଆ ଲୋକଙ୍କର ବସା । ହସ ଶୁଭୁଛି, ସିଠି ଶୁଭୁଛି, ସୁରୁଡ଼ି (ବଇଁଶୀ) ଡାକୁଛି । ଟୋକୀମାନେ ଗୀତ ବୋଲି ବୋଲି ବାହାରି ପଡ଼ିଲେ, ଟୋକାମାନେ ଏକାଠି ହେଲେ । ମୁରବିମାନେ କେହି କେହି ନିଆଁଅଟା ଧରି କ୍ଷେତକୁ ବାହରିଲେ, ଲେଞ୍ଜୁ ବାହାରିଗଲା ।

 

ଧୀରେ ଧୀରେ ଗାଁ-ଦୁଆରେ ଗୀତ ରହସ୍ୟ ଗଡ଼ି ଗଡ଼ି ଚାଲିଲା । ବୁଢ଼ା ଜାମିରି କନ୍ଧ ଗାଁ ବାରିକକୁ କହିଲା, ପିଲାମାନଙ୍କର ଶରଧା ହୋଇଛି, ଏଥର ଡମ୍‌ବାଇଦ ମଗା ।

 

ଟୋକୀମାନେ ମିଟିଂଗାଁ ଲୋକଙ୍କୁ ଲକ୍ଷ୍ୟକରି ଗୀତ ବୋଲିଲେ । ଆଦରରେ ନାଁ ଦେଲେ ଲେଉରା, ଜିରୁ କେବ୍‌ଡ଼ା, ଆର୍‌ଗୁ । ଗୀତରେ ଗୀତରେ ନାଁ ଦିଆ ଦେଇ ସବୁବେଳେ ଲାଗିଥାଏ । ମିଟିଂଗାଁର ଲୋକେ ଜବାବରେ ଟୋକୀମାନଙ୍କୁ ନାଁ ଦେଲେ ଡେଁଜୁରି, ଓ୍ୱାଏରି, ନିଲସ, ତାଲସ, ଆନ୍ଦୁଜୋଡୁ, ଫଗୁଜୋଡୁ । ଗୀତ ବଢ଼ିଲା, ଗାଉ ଗାଉ ନାଚ । ଏକାଠି ଧରାଧରି ହୋଇ ଗୀତ ବୋଲି ବୋଲି ଟୋକୀମାନେ ଟୋକାମାନଙ୍କ ଆଡ଼କୁ ମାଡ଼ିଆସନ୍ତି, ଗୋଡ଼ ହାତ ଛାଟି ଗୀତ ବୋଲି ଟୋକାମାନେ ନାଚିନାଚି ମାଡ଼ିଯାଆନ୍ତି ଟୋକୀମାନଙ୍କ ଆଡ଼କୁ । ଗୀତରେ ନାଚରେ ବେଶୁ କନ୍ଧ ଆଗରେ ଥାଏ, ତା’ରି ଦଳର ଭେଣ୍ଡିଆ ମୁଦ୍ରି, ଜାଗିଲି, ମୁର୍ଜୁ, ଲେତା ଥାଆନ୍ତି ପାଖେ ପାଖେ । ଗୀତରେ ମାତି ପୁଷର ଶୀତ ଜଣାପଡ଼ୁ ନ ଥାଏ । ପ୍ରଥମେ ସାଧାରଣ ଆଦରର ଗୀତ, ସ୍ନେହର ଡାକ, ମଧୁର ସମ୍ବୋଧନ । ଧୀରେ ଧୀରେ ଚଢ଼ି ଚଢ଼ିକା ଉପରକୁ ଉପରକୁ, ‘ଆସରେ ତର ତର ପାଦ ପକେଇ ଟୋକୀମାନେ, ଛେଳିପରି ଗୋରୁପରି ଯାହାଙ୍କର ଗୋଡ଼ ଆସ ଆସ, ସାପ ଆଉ ବେଙ୍ଗ ଏକାଠି ହେବା ।’ (‘ପାଇନ ପାଇନ ରାଚୁଡ଼େ କୁଡ଼ାଇଁ’), ଗୀତର ନିଶାରେ ବାଜାର ତାଳରେ ଏତେଥର ଭେଟାଭେଟି ପଛାପଛିରେ ଧାଂଡୀମାନଙ୍କ ସାନ୍ନିଧ୍ୟରେ ଧାଂଡାମାନଙ୍କର ରକ୍ତ ତାତି ଆସୁଥାଏ । ପରିଚୟର ଗହନ ସାନ୍ନିଧ୍ୟ ବଢ଼େଇ ଦେଇ ହାତକୁ ହାତ ଛନ୍ଦି ଦେହଗୋଟାକ ଥରେଇ ଦୋହଲେଇ ତୁହାଇ ତୁହାଇ ତରତର ହୋଇ ମାଡ଼ି ଆସନ୍ତି ଧାଂଡୀମାନେ ।

 

‘ଧୁଙ୍ଗିଆ ଇଚନ ହିୟାମୁ, ଗାଜିଆ ଇଚନ ହିୟାମୁ’

(ଧୂଆଁପତ୍ର ଖଣ୍ଡେ ଦିଅ – ଗୀତରେ)

 

ଧାଂଡାମାନଙ୍କ ଗୀତ ଆହୁରି ଉଗ୍ର ହୁଏ, ଝିମିଝିମିଆ କାକର ରାତିର ଆକାଶରୁ ଖସିପଡ଼େ ମାଟି କାଦୁଅର ପୃଥିବୀ, ଖାଲି ମାଟିର କଥା ସେଠି ସର୍ଜନ ହୁଏ, ଫୁଲ ନାନା ଫାନ୍ଦ ପାତେ ଭଅଁରଠୁଁ ପରାଗଲାଗି ହେବାକୁ, ମଞ୍ଜି ବାନ୍ଧିବାକୁ, ଗଜା ଗଛରେ କସି ଧରେ, ଟିକି ଟିକି ପିଲା ଜନ୍ମ ହୁଅନ୍ତି, ସାନ ଆଙ୍ଗୁଠିରେ ମାଟିକୁ ଆଞ୍ଚୁଡ଼ି ଧରନ୍ତି । ଧାଂଡାଙ୍କ ମତ୍ତ ଗର୍ଜନରେ କମ୍ପିଉଠେ ଷଣ୍ଢର ହେଣ୍ଟାଳ, ଗୀତ ଛୁଟେ ‘ଜୀବନରେ ଶ୍ରେଷ୍ଠ ମିଳନ, ସେଇ ଜୀବନର ଚରମ, ଫୁଲ କେବଳ ମାଟିର ପାତ୍ର; ସେଥିରେ ପରାଗ ଝଡ଼େ, ରସ ଭର୍ତ୍ତି ହୁଏ, କିନ୍ତୁ ଆରେ ଫୁଲ, ସଂସାରରେ ତୁମେ ଖାଲି ସବୁ ନୁହଁ ।’ ଅଟାଳ ବାଉଁଶ ଭାରି ଟାଣ (ନିମାଦେରୁ ଜମ୍ବେଏ) ଧାଂଡା ଗୀତ ବୋଲନ୍ତି ।

 

‘ପୁଚି ରୁମ୍ବେଲି ପୁୟୁଲୋ, ତାଣ୍ଡି ଶୁଗେଲି ପୁୟୁଲୋ, ନିମାଦେରୁ ଜମ୍ବେଏ’ – ଧାଂଡୀ ସେଇ ଗହଳ ଘୋଷା ଧରନ୍ତି, ଆଖିରେ ନିଶା, ମୁହଁରେ ସ୍ୱପ୍ନ, ଦେହ ଟଳ ଟଳ, ଧାଂଡୀ ଧାଂଡା ଏକାଠି ମିଶି ଗୋଜିଆ ପର୍ବତ ଗହୀର ଖାଲ ଉପରେ ଛାଡ଼ି ଦିଅନ୍ତି ଗୀତର ମାଳା, ‘ନିମା ଦେରୁ ଜମ୍ବେଏ ।’ ସେତିକିରେ ସବୁ, ପ୍ରକୃତି ଆଉ ପୁରୁଷ, ଆକାଶ ଆଉ ମାଟି । ବାହାରେ ସର୍ଜନୀଶକ୍ତିର ମାୟା, ଭିତରେ ଦାରୁବ୍ରହ୍ମ । ଆଉ ଅନାଦି ଦେବତା ଯୋଗୀଶ୍ୱର ମହାଦେବ, ଅର୍ଦ୍ଧନାରୀଶ୍ୱର । ଗାଁର ସମସ୍ତେ ଗୀତ ଆଉ ନାଚରେ ଯୋଗ ଦେଇଥା’ନ୍ତି, ବୁଢ଼ାମାନେ ଦେଖୁଥା’ନ୍ତି, ଦେଖିଦେଖି ଶୁଣିଶୁଣି ଚାଲିଯାଇଥିବା ଯୌବନକୁ ଫେରେଇ ଆଣିଥା’ନ୍ତି । କନ୍ଧ ଯୌବନ ଭଲ ପାଏ, ଜୀବନ ଭଲ ପାଏ-। ଥରେ ଗୀତ ନାଚ ଆରମ୍ଭ ହେଲେ ମାତି ରହେ ସାରାରାତି । ବୁଢ଼ା ବୁଢ଼ୀ ସମସ୍ତେ ରୁଣ୍ଡି ଥିଲେ, ସେମାନେ ତାଙ୍କ ଅଭିଆଡ଼ା ପିଲାମାନଙ୍କୁ ସ୍ୱାଧୀନତା ଦେଇଛନ୍ତି, ଧାଂଡୀର ଇଚ୍ଛା ଉପରେ ଧାଂଡାର ଇଚ୍ଛା ଉପରେ କାହାରି ଲଗାମ ନାହିଁ, ସମାଜ ଆଡ଼େଇ ରହେ, ଲଗାମ୍ ଦିଏ ବିବାହ ସରିଲେ ।

 

ବହୁତ ରାତି ହୋଇଥାଏ, ‘ନିମା ଦେରୁ ଜମ୍ବେଏ’ ଉତ୍ତାରୁ ସବୁ ଗୋଳମାଳ ହୋଇଗଲା, ଗୀତ ସରିଗଲା, କିଏ କୁଆଡ଼େ ଗଲେ, ନିଦରେ ଚାଲିଲା ପରି ପୁବୁଲି ଆଉ ତାର ପାଞ୍ଚ ସଖୀ ମିଟିଂଗାଁର ଲୋକଙ୍କ ସାଙ୍ଗେ ଏକାଠି ହେଲେ ଗାଁ ପାଖେ ପଥର ଉଢ଼ୁଆଳରେ । କଥାବାର୍ତ୍ତା ଅଳ୍ପ ଅଳ୍ପ, ଖାଲି ପାଖକୁ ପାଖ ଦୁଇ ଦଳ । ପୁବୁଲି ବେଶୁ କନ୍ଧର ମୁହଁକୁ ଅନେଇଁ ରହିଥିଲା, ବେଶୁ କନ୍ଧ ସୁରୁଡ଼ି ବଜୋଉଥିଲା । ଛାଇପରି ପୁବୁଲି ଠିଆ ହୋଇଥିଲା ପଥର ସେପାଖେ, ବେଶୁ କନ୍ଧର ସୁନ୍ଦର ମୁହଁର ତମ୍ବାବାଳର ଫାଳେ ଝଟକି ଉଠୁଥିଲା ଜହ୍ନ ଆଲୁଅରେ । ପୁବୁଲି ହରିଣୀ ପରି ବେକ ଟେକି ଅନେଇ ରହିଥିଲା ଏଇ ଅଚିହ୍ନା ଅତିଥିକୁ । ମୁହଁରେ କଥା ନାହିଁ, ଦେହରେ ଗତି ନାହିଁ ।

 

ଜହ୍ନ ଆଉ ବଇଁଶୀର ପ୍ରାଣଉଲୁସା କାନ୍ଦଣା ଆଉ ବଳିଷ୍ଠକାୟ ଶିକାରୀ ବେଶୁ କନ୍ଧ, ଏ ଯେପରି ଏକାଠି ମିଶି ଗୋଟାଏ ଆଦର୍ଶ ଯେଉଁ ଆଦର୍ଶ କନ୍ଧୁଣୀ ଭଲ ପାଏ । ହାର୍ଗୁଣା ତାର ମନେ ନ ଥିଲା, ହାର୍ଗୁଣା ପିଲାଦିନର, ବେଶୁ କନ୍ଧ ଯୌବନର । ଏଇ ବେଶୁ କନ୍ଧ ସତେକି ତାର ମନର ପ୍ରଶ୍ନର ଉତ୍ତର, ଯେପରି ଏହି ଏତେଗୁଡ଼ାଏ ବର୍ଷ ସେ ଅପେକ୍ଷା କରି ରହିଥିଲା ଏଇ ରାତିକ ଲାଗି, ଲୋକଟି ପାଇଁ, ଏଇ ତାର ଜୀବନର ପ୍ରଭାତୀ ।

 

ବେଶୁ କନ୍ଧ ବଇଁଶୀ ରଖିଲା । ଦୁହିଁଙ୍କର ହୋସ୍ ହେଲା । ନିଛାଟିଆ ରାତି, ସଙ୍ଗୀମାନେ କିଏ କୁଆଡ଼େ ଗଲେଣି, ଶୀତ ପଡ଼ୁଛି ଥପଥପ । ପୁବୁଲି ଫେରିପଡ଼ିଲା, ଛୋଟିଆ ଛାଇଟିଏ, ମନର ନିଶା ଛାଡ଼ି ନାହିଁ, ବାଟ ଚାଲୁଛି କିନ୍ଦ୍ରି କିନ୍ଦ୍ରି, ଜହ୍ନରାତିର ପ୍ରଜାପତି ପରି । ଅଳ୍ପ ଦୂର ଯାଇଛି ବେଶୁ କନ୍ଧ ପାଖକୁ ଆସିଲା, ଥରିଲା ଥରିଲା ଧୀର ଗଳାରେ ପୁବୁଲିକୁ ଚମକେଇ ଦେଇ କନ୍ଧ କହିଲା ‘ବସ୍ନପି’ (ହେ ଟୋକୀ) । କନ୍ଧଦେଶର ଗୋପନ କଥ ପାଇଁ ‘ସ୍ନ’ ଠାର, ଦୁଇମନର ନିବୁଜା କଥାପାଇଁ । ପୁବୁଲି ବୁଲିପଡ଼ିଲା, ଜହ୍ନ ପଡ଼ିଛି ବେଶୁ କନ୍ଧର ତତଲା ଆଖିରେ, ନାକପୁଡ଼ା ଫୁଲି ଫୁଲି ଉଠୁଛି, ଥୋମଣି ଝୁଲି ପଡ଼ିଛି, ତଳଓଠ ଗୋଜେଇ ଆସୁଛି ଆଗକୁ । ତାର ଓସାର ଡଉଲ ଛାତି ଥରେଇ ଥରେଇ ପୁବୁଲି ଆଡ଼କୁ ଝୁଙ୍କିଯାଇ ବେଶୁ କନ୍ଧ ସ୍ନ ଠାର ଲଗେଇ ପୁଣି କହିଲା, ‘ବସ୍ନପି’ (ହେ ଟୋକୀ) ।

 

ପୁବୁଲି ଜବାବ ଦେଲା,’ଏସ୍ନେନା ଦାସ୍ନାଦା’ (କାହିଁକି ଡାକୁଛୁ) ?

 

ବେଶୁ କନ୍ଧ ପଛେଇଗଲା, ଛେପ ଢୋକି ଢୋକି କହିଲା ‘ଲୋସ୍ନଡ଼ା ମାସ୍ନାନ୍ନେ’ (କାମ ଅଛି) । ଆରମ୍ଭ ହେଲା କନ୍ଧଦେଶର ପ୍ରାଚୀନ ଘେନାଘେନି କଥାଭାଷା, ପ୍ରଶ୍ନକୁ ଉତ୍ତର, ଉତ୍ତରକୁ ପ୍ରଶ୍ନ, ସେହି ସେହି ପ୍ରାଚୀନ କଥାଭାଷା, ଯେପରି ଜବାବ ସୁଆଲରେ ହଜାର ହଜାର ବର୍ଷ ହେଲା ଗଡ଼ି ଆସିଛି କନ୍ଧ ଦେଶରେ । ଅଚିହ୍ନା ଟୋକାଟୋକୀ ଯେତେଥର ପଥର ଉହାଡ଼ରେ ଗଛ ଉହାଡ଼ରେ ମୁହାଁମୁହିଁ ଠିଆହୋଇ ପୂର୍ବରାଗର ରାଗିଣୀରେ ପରସ୍ପରକୁ ସଂବୋଧି ଆସିଛନ୍ତି, ହସରେ, ଭଲପାଇବାରେ, ଜନ୍ମ କରିବାରେ କନ୍ଧ-ପୃଥ୍ୱୀକୁ ନୂଆକରି ସଜେଇ ରଖିଛନ୍ତି ସେକାଳରୁ ଏକାଳ ପର୍ଯ୍ୟନ୍ତ ।

 

ପୁବୁଲି କିଛି ସମୟ ତଳକୁ ମୁହଁପୋତି ଠିଆହୋଇ ଦାନ୍ତରେ କାନି ଚୋବେଇ ଚୋବେଇ ଗୋଡ଼ ହଲେଇ କହିଲା, ‘ଓ୍ୱେସ୍‌ନେସ୍‌ମୁ (କହ)’ ।

 

ବେଶୁ ତରତର ହୋଇ କହିଲା, ‘ହିସ୍ନିୟାଦେକି ଆସ୍ନାଏ’ (ଦେବୁ କି ନାହିଁ ?)

 

ପୁବୁଲି ମୁରୁକି ମୁରୁକି ହସି କହିଲା, ‘ଏସ୍ନେହ୍ନା ଆସ୍ନା ହେଲୋଓଁ’ (କିଛିତ ମୁଁ ଧରି ନାହିଁ ଯେ ଦେବି)

 

ବେଶୁ ଅପ୍ରସ୍ତୁତ ହେଲା, କହିଲା, ‘ଦୁସ୍ନୁଆଁ ହିସ୍ନେୟାମୁଁ’ (ଧୂଆଁପତ୍ର ଖଣ୍ଡେ ଅଛି ତ ଦେ) ।

 

ପୁବୁଲି ସହଜ ହୋଇ ତା ମୁହଁକୁ ଚାହିଁଲା, କହିଲା, ‘ଏସ୍ନେତା ତଲ ପାସ୍ନାଃ ମାସାଇଁ ?’ (କୋଉଠୁ ପାଇବି) ?

ବେଶୁ କହିଲା, ‘ଦେସ୍ନେଦେ ହିସ୍ନିୟାସ୍ନାମୁ’ (ଖଣ୍ଡେ ଥିଲେ ଦେ) ।

ପୁବୁଲି କହିଲା – ‘ଏସ୍ନେନା ପଣା ହିସ୍ନିୟାହିଁ ?’ (କୋଉଠୁ ଦେବି) ?

ବେଶୁ ଆଗ୍ରହରେ ଅଣ୍ଟା ଅଣ୍ଡାଳିଲା, କହିଲା, ‘ନିସ୍ନିଙ୍ଗେ ହିସ୍ନିୟା ହିଲାଆତେହେଁ ନାସ୍ନାନୁ’ (ତତେ ମୁଁ ଦେବି)

ପୁବୁଲି ଫୁଟ୍‌ଫୁଟି ହସି କହିଲା, ‘ତାସ୍ନାତିହେଁ’ (ଦିଅ ତେବେ) ।

ବେଶୁ ଧୂଆଁପତ୍ର ବଢ଼େଇ ଦେଲା, ପୁବୁଲି ଗ୍ରହଣ କଲା, ପୁଣି ମୁହଁକୁ ତଳକୁ ପୋତି ଥୋଡ଼ାଏ ବାଟ ଚାଲିଗଲା । ଅଳ୍ପ ଯାଇଛି ପଛଆଡ଼ୁ ବେଶୁ ଆସି ଆସ୍ତେ ତାର କାନିକୁ ଝିଂକିଲା, କାନପାଖକୁ ମୁହଁ ନେଇ ପୁଣି ଧୀରେ କହିଲା, ‘ବାସ୍ନପି’ (ହେ ଟୋକୀ) !

ପୁବୁଲି ଗୋଟା ସୁଦ୍ଧା ଥରୁଥାଏ, କହିଲା ‘ଏସ୍ନେନା ଦାସ୍ନାଦା’ (କ’ଣ ?)

ବେଶୁ କଁଳେଇ ଫୁସୁଲେଇ ପଚାରିଲା, ‘ନାସ୍ନାତାଣା ନେସ୍ନେହିଁ ମସ୍ନାନୁତି’ (ମୋ ସାଙ୍ଗେ ଭଲହେଇ ରହିବୁ କି) ?

ପୁବୁଲି କହିଲା, ‘ମାସ୍ନାନା ଆତିହେଁ, ନିସ୍ନିନୁଏ’ (କାହିଁକି ନ ରହିବି ? ତୁମେ ସିନା ରହିବ ନାହିଁ) ।

‘ନିସ୍ନିଇନୁଁ ମା ନାସ୍ନାଟୋଁ ଓ୍ୱାସ୍ନାତିହେଁ ଇସ୍ନିନି କାସ୍ନାତା ଯୋସ୍ନାଲାଇଁ’ (ତୁମେ ଆମ ଗାଁଆକୁ ଆସି ରହିଲେ ଯାହାକିଛି କଥା କହନ୍ତି ସିନା) ।

ବେଶୁ କହିଲା, ‘ଓ୍ୱାସ୍ନାନି ଯାକେ ଇସ୍ନି ଇମ୍ବିଆ ଯୋସ୍ନୋଲାଦି ଉସ୍ନୁଜେଏ ଓ୍ୱାସ୍ନାଇଁ’ (ଆସିଲେ ଏଠିକି କଥା କହିବୁ ! ବୃଥା କଥା । ମିଛରେ ଆସିବି) ।

ପୁବୁଲି ବେଶୁ ଆଡ଼କୁ ମୁହଁ ଟେକି ହସିଦେଇ କହିଲା-ଓ୍ୱାସ୍ନାତିହିଁ ନିସାଁ କାସ୍ନାର୍ ଯୋମି’ (ତୁମେ ଆସିଲେ ସିନା । ଘର ଜୋଇଁଆଁ ଆସ) ।

ବେଶୁ କହିଲା, ‘ଆସ୍ନାତ୍ ଓଓଁ’ (ପାରିବି ନାହିଁ) ‘ହେସ୍ନୋ ଓଗାଁଆଁ ଓ୍ୱାସ୍ନାମୁ’ (ତୁ ଘରଛାଡ଼ି ଉଦୁଲିଆ ବାହାରି ଚାଲିଆ) । ପୁବୁଲି କହିଲା, ‘ଲାସ୍ନାଜା ଆସ୍ନାଏକି ?’ (ମୋର ଲାଜ ନାହିଁକି) ? ପୁବୁଲି ପୁଣି ଦିପାହୁଣ୍ଡ ଚାଲିଗଲା, ଛାତିରେ ତୋଫାନ ଭରିଛି, ଉଠୁଛି ଆଖିକୁ । ପଛେ ପଛେ ବେଶୁ ଝପ୍‌ଟିଗଲା, କୈଫିୟତ୍ ଦେଇ ଚିର୍ଚ୍ଚିରେଇ କହିଲା, ‘କାସ୍ନାର୍ ଯୋମି ଅସ୍ନାଡୋଓଁ’ (ଘରଜୋଇଁଆଁ ଆସିପାରିବି ନାହିଁ) ।

ପୁବୁଲି ପୁଣି ଅଟକିଗଲା, କହିଲା, ‘ଓ୍ୱାସ୍ନାଲ୍‌କା ଓ୍ୱାସ୍ନେ ହୋଦିକି ?’ (ଘରଜୋଇଁଆଁ ଆସିଲେ କ’ଣ ପଥର ଭାଙ୍ଗିବ କି) ?

‘ବେଶୁ ଅତି ଆବେଗରେ କହିଲା, ‘ଓ୍ୱାସ୍ନାମୁ’ (ବାହାରିଆସ) ।

ପୁବୁଲି ଘୁଞ୍ଚିଯାଇ ବାହାରିଗଲା ମନ ଭିତର ଉତ୍ତାଳ, ମନ କହୁଚି ସେ ହାରିଛି, କିନ୍ତୁ ବିଜୟର ଆନନ୍ଦ କଳରୋଳ ଶୁଭୁଛି ମନଗହୀରରୁ । ଟୋକୀ ଉଠି ବାହାରିଗଲା, ନିଶ୍ୱାସ ଖୁବ୍ ଦ୍ରୁତ, କିନ୍ତୁ ପାହୁଣ୍ଡରେ ଗତି ନାହିଁ, ନିର୍ଜୀବ ତାର ଚାଲି, ବେଶୁ ନିରାଶ୍ରୟ ହୋଇ ଅନେଇ ରହିଲା, ମୁହୂର୍ତ୍ତେ ତାର ଧୈର୍ଯ୍ୟ ତୁଟିଲା । ଦୁଇ କ୍ଷେପାରେ ଦୂରତା କଟେଇ ଦେଇ ପାଖକୁ ଯାଇ ପୁବୁଲିର କାନ୍ଧରେ ହାତ ରଖିଲା, ମୁହଁକୁ ଗାଲ ପାଖକୁ ନୁଆଁଇ ଆଣିଲା, ପୁଣି ଡାକିଲା ‘ବସ୍ନପି’ (ହେ ଟୋକୀ) । ତାର ତତଲା ନିଶ୍ୱାସରେ ପୁବୁଲିର ଗାଲ, ଟଣକି ଉଠୁଥାଏ ତାର ମୁହଁ ଆଡ଼କୁ । ଇଚ୍ଛା ହେଉଥାଏ ଢଳି ପଡ଼ିବାକୁ, ଆଖି ବୁଜିଦେଲା, ତଥାପି କହିଲା-

‘ଲାସ୍ନାଜା, ତୁସ୍ନୁଇଁ’ (ଲାଜ, ନାହିଁ ନାହିଁ)

ବେଶୁ ସୁତୁରେଇ ସୁତୁରେଇ କାନ ପାଖେ କହିଲା, ‘ଏସ୍ନେ ଏମ୍ବାରି ହିଲୋରି’ (ଏଠି କେହି ନାହାନ୍ତି) ।

ପୁବୁଲି ସେହିପରି ତନ୍ମୟ ହୋଇ କହିଲା, ‘ଲାସ୍ନାଜା, କୁସ୍ନୁଇଁ’ (ଲାଜ ମାଡ଼ୁଛି, ନାହିଁ ନାହିଁ) ।

ଦେହକୁ ଆସ୍ତେ ଝିଂକି ନେଇ ସେ ଆପଣାକୁ ମୁକ୍ତ କଲା, ଧୀରେ ଧୀରେ ଚାଲିଗଲା, ବେଶୁ ବିହ୍ୱଳ ହୋଇ ଅନେଇଁ ରହିଲା ସେହିଆଡ଼କୁ । ପୁବୁଲିର ଛାଇ ଘରତଳ ଛାଇରେ ମିଳେଇଗଲା କୁଆଡ଼େ ।

ବେଶୁ ଠିଆ ହୋଇ ରହିଲା, ଧୀରେ ଧୀରେ ଚାଲିଗଲା ଆପଣାର ବସାକୁ ।

•••

 

ତେର

 

ସେହି ପଥର ମୁଣ୍ଡିଆ ପାଖେ ଗାଁର ଦିସାରି ପାଣ୍ଡ୍ରୁ କନ୍ଧର କୁଡ଼ିଆ । ପାଣ୍ଡ୍ରୁ କନ୍ଧବୁଢ଼ା ପଥର ଉପରେ ନିଶ୍ଚଳ ହୋଇ ବସି ତାରାମାନଙ୍କୁ ନିଘା ଦେଉଥାଏ । ଆକାଶର ଏଇ ଯେଉଁ ଜଳନ୍ତା ବୁନ୍ଦାସବୁ ସାନ ସାନ ହୋଇ, ତାଙ୍କର ପ୍ରଭାବ ପଡ଼େ ମଣିଷର ଘରକରଣାରେ, ତାଙ୍କର ଯିବାଆସିବା ଝିଙ୍କା ଓଟରାରେ ପଡ଼େ ଯୋଗ । କେଉଁ ଯୋଗରେ ଭଲ ହୁଏ, କେଉଁ ଯୋଗରେ ଖରାପ । ସତେଇଶିଟା ନକ୍ଷତ୍ର ମୋଟେ, ତାଙ୍କରି ନାଁ ଅନୁସାରେ ସତେଇଶିଟା ଯୋଗର ନାଁ । ଯୋଗ ଭଲ ହୋଇ ନ ଥିଲେ କନ୍ଧ ଘରୁ ଗୋଡ଼ କାଢ଼େ ନାହିଁ, ତେଣୁ ରାତି ରାତି ଦିସାରିର ପରିଶ୍ରମ ।

 

ଗାଁରେ ଆଜି ଏତେ ଚହଳ ଗହଳ ହେଲା, ପାଣ୍ଡ୍ରୁ ଦିସାରି ଟିକିଏ ବସି ଚାଲିଆସିଲା, ତାର ଧ୍ୟାନ ଆକାଶର ତାରାଙ୍କୁ । ସକାଳେ ପାହିଲା ଲୋକେ ପଚାରିବେ, କେତେବେଳେ ତାଷ କଟାହେବ ? ଦିସାରି ବାଛିଦେବ ମେଡିଂଶିରା ଯୋଗ । କେତେବେଳେ ଫସଲ ଘରକୁ ଆସିବ ? ଖୋଜ, ଉତ୍ତରା ଯୋଗ । କେତେବେଳେ ଜର ଭଲ କରିବାକୁ ବେଜୁଣୀ ନାଚିବ ?-ଲଦା ଯୋଗ ଠିକଣା କରିବାକୁ ହେବ ।

 

ଦିସାରି ଆପେ ପରିଶ୍ରମକୁ ଡରେ ନାହିଁ, କିନ୍ତୁ ସେ ସଂସାରର ହାଲଚାଲ ଦେଖେ, ନକ୍ଷତ୍ରମାନଙ୍କୁ ଅନାଏଁ, ଦେଖେ ଯୋଗ ଘେନି ଫଳ ଫଳିଯାଉଛି । କାହାର ଏତେ କଷ୍ଟରେ ତିଆରି ବସା ପବନରେ ଉଡ଼ି ଚାଲିଯାଉଛି, କାହାର ଗୋରୁ ମରୁଛି, ପୁଅ ମରୁଛି । ପରିଶ୍ରମର ମୂଲ୍ୟ ଆହୁରି ପରିଶ୍ରମ, ନୁଖୁରା ମୁଣ୍ଡ ତେଲିଆ ହେଉ ନାହିଁ ।

 

ଦିସାରିର ଦରକାର ଥିଲା ଜେଟି ଯୋଗ, ଜଣେ ପଚାରିଛି କେତେବେଳେ ଝୋଲା ଅତଡ଼ାକୁ ହାଣି ହାଣି ସେ ଧାନବିଲ କରିବ । ଦିସାରି ଉପରକୁ ଚାହିଁ ଅଥୟ ହେଉଥିଲା । ଦେଖିଲା ମିଟିଂ ଗାଁର ଧାଂଡା ଏ ଗାଁର ପଲେ ଧାଂଡୀ ପଥର ଉହାଡ଼କୁ ଆସୁଛନ୍ତି । ଦିସାରି ମୁଣ୍ଡ ହଲାଇଲା, ଠିକ୍ କଥା, ବର୍ତ୍ତମାନ ‘ରେଦାସି’ ଯୋଗ ପଡ଼ିଛି, ଏହି ଯୋଗରେ ଧାଂଡା ଯାଆନ୍ତି ଧାଂଡୀ ଖୋଜି । ଦିସାରି ହସିଲା, ଗଲେ ସେମାନେ ପଥର ପାଖକୁ । ଭାବୁଥିବେ କେହି ଜାଣେ ନାହିଁ, କେହି କେବେ ଆସି ନାହିଁ ପରା ପଥର ସେପାଖକୁ । କେତେଥର ପଥର ଉପରେ ବସିରହି ସେ ଦେଖିଛି କେତେଦଳ ଟୋକଟୋକୀ ବୁଲିପଡ଼ିଛନ୍ତି ଏ ପଥର ସେପାଖକୁ, ଠିକ୍ ଏଇ ‘ରେଦାସି’ ଯୋଗରେ । ସେମାନେ ଭାବନ୍ତି ତାଙ୍କର କାମ ପୃଥିବୀରେ ନୂଆ, ଆଉ କେହି ଆସି ନାହିଁ ଏବାଟେ, ଆଉ କେହି ଏପରି ଭଲ ପାଇ ନାହିଁ । ଆପଣା ଜୀବନରେ କେତେଥର, ‘ରେଦାସି’ ଯୋଗ ଆସିଛି । ଦିସାରି ଭାବିଗଲା, ସେ ବି ମଣିଷ, ସେପରି ଯୋଗର ବାରମ୍ବାର ଅଧୀନ । ଦିସାରି ଭାବିଲା, କି ଯୋଗରେ ଏ ବଡ଼ ପଥରଟା ତିଆରି ହୋଇଥିଲା, ଭଲଯୋଗରେ ଅବଶ୍ୟ, ଧରାଯାଉ ରୋହିଣୀ ଯୋଗରେ । ପଥର ବାଟେ କେତେଜଣ ଟୋକାଟୋକୀ ଚାଲିଗଲେ । ଦିସାରି ଆଶ୍ଚର୍ଯ୍ୟ ହେଲା କାହିଁ ‘ରେଦାସି’ ଯୋଗ ତ ସରି ନାହିଁ । ବଇଁଶୀ ବାଜିଲା, ତା’ପରେ କେତେବେଳେ ପରେ ବସ୍ନପି-ଏସ୍ନେନା ଦାସ୍ନାନା-ଦିସାରି ମୁଣ୍ଡ ହଲେଇଲା, ଯୋଗ କେବେ ଫିଟିବ ନାହିଁ, ଏ ଯୋଗର ଲକ୍ଷଣ ଏ । ସବୁ ସେ ଦେଖିଲା ଶୁଣିଲା, ସବୁ ଠିକ୍ ଚାଲିଛି, ପ୍ରାଚୀନ ରୀତିରେ, ସମ୍ଭାଷଣ ବି ଠିକ୍ ସେହିପରି । ଭଲ ପାଇଲେ ଏମିତି ଲାଗେ ସତେକି ନିଜର ଏତିକି କଥା ଏ ପୃଥିବୀରେ ନୂଆ, ବାକି ସବୁ ଖତିରା, ପୁରୁଣା, ଖାଲି ଧୂଳି କାଦୁଅ ଗଛ ପଥର । ଟୋକାଦିନର ଔଦ୍ଧତ୍ୟ ଏତକ, ବୁଢ଼ା ଦିସାରି କ୍ଷମାକରି ଶିଖିଛି । କାନପାଖକୁ ମୁହଁଟା ନେଲା, କ’ଣ ହେଉଛନ୍ତି ଏଗୁଡ଼ାକ-ନା, ନା-ଅଲଗା ହୋଇ ଚାଲିଗଲେ ଠିକ୍ ହେଲା,-ଠିକ୍ ଠିକ୍ । କିନ୍ତୁ ଏ ଚାଲିଗଲେ ସିନା, ପୁଣି ଏମାନେ ଭେଟାଭେଟି ହେବେ, ‘ରେଦାସି’ ଯୋଗର କଥାଭାଷା କେବେହେଲେ ଏତିକିରେ ସରେ ନାହିଁ । ଖାଲି ‘ରେତି’ ଯୋଗକୁ ଅପେକ୍ଷା, ରେଦାସିର ଘେନାଘେନି ସେତେବେଳେ ହେବ ବିଭାଘର । ଆଗରେ ଅଛି ଚଇତର ମଉଛବ, ଆସିବ ‘ରେତି’ ଯୋଗ ସେତେବେଳେ । ପାଣ୍ଡ୍ରୁ କନ୍ଧ ଭାବିଗଲା । ଟୋକାଟା କିଏ ଜଣା ନାହିଁ, ଭଲ ଚେହେରା ଖଣ୍ଡେ, କାମକୁ ମଜବୁତ୍ ହୋଇଥିବ ନିଶ୍ଚୟ । ଟୋକୀଟା ସରବୁ ସାଓଁତାର ଝିଅ । ଦିସାରି ତାରାମାନଙ୍କୁ ଅନେଇଁ ଦଣ୍ଡବତ ହେଲା । ସରବୁ ସାଓଁତା କଥା ପକେଇଥିଲା, ବନ୍ଦିକାର ଗାଁର ହାର୍ଗୁଣା ସାଓଁତା ୟାକୁ ବିଭା ହେବ । ସେତେବେଳେ ଦିସାରି ମୁହଁ ମୋଡ଼ିଥିଲା । ହାର୍ଗୁଣା ପିଲା ଭଲ, କିନ୍ତୁ କ’ଣ କରିବ, ତାର ଜନ୍ମ ‘ବେଡ୍‌ତାଇ’ ଯୋଗରେ, ସେ ଯୋଗରେ ଯେ ଜନ୍ମ ହୁଏ ତାର ବିବାହ ଆଉ ବିବାହିତ ଜୀବନ ହୁଏ ଅତି ଦୁଃଖର । କେମିତି ସେ ଏଡ଼େ ସୁନ୍ଦର ଝିଅକୁ ଖୁସି ଆନନ୍ଦରେ ବିଭାହୋଇ ଘର କରନ୍ତା ? ବୃଥା ।

 

ଆକାଶକୁ ଅନେଇଁ ରହି ଆସନ୍ତା ଭବିଷ୍ୟତ୍‍ ବିଷୟରେ ଅନେକ ତଥ୍ୟ ଗୋଟେଇ ସାରିଥିଲା ସେ । ଡେରି ହେଲାଣି । ଅନ୍ଧାରରେ ଖାଲି ତାରା, ସେଠି ଉପରେ ଉପରେ ନିଷ୍ପତ୍ତି ହେଉଛି ସମସ୍ତଙ୍କ ଦୁର୍ଭାଗ୍ୟର କଥା । ଦିସାରିର ମୁଣ୍ଡ ଭିତରେ ଖାଲି ଯୋଗ ଭଉଁରି ବୁଲୁଛି । ସାଲ୍‌ପା (ଶୁକ୍ରତାରା) ଉଜ୍ଜ୍ୱଳ ଦିଶିଲା, ୟା ଯୋଗରେ ଜନ୍ମ ହେଲେ ଖାଲି ସାପ କାମୁଡ଼ିବ । ଧୁଙ୍ଗିଆ ଲଗେଇ ଦେଇ ପାଣ୍ଡ୍ରୁ କନ୍ଧ ଆପଣା ଘରକୁ ଚାଲିଲା ।

•••

 

ଚଉଦ

 

ସକାଳ ହେଲା-। ନିତିଦିନିଆ ମଳିଧୂଳିଆ ଗାଁ ଗୋହିରୀର ଗତ, ଚାଲିଛି ନା ଚାଲିଛି । ସେଥିରେ ରସ ନାହିଁ, ଉଛୁଳା ମନର ଢେଉ ନାହିଁ, ଦିନ ଆଲୁଅରେ ଗଛ, ଗୋଟାଏ ଗଛ, ତୋଟା ଗୋଟାଏ ତୋଟା ଧାଂଡୀ କନ୍ଧଦେଶର କାମିକା ଟୋକୀ, ଧାଂଡା କନ୍ଧ-ଚାଷୀ ।

 

ରାତିର ସ୍ମୃତି କେଉଁଠି ଛିଣ୍ଡା ଫୁଲ ଗଭାରୁ ଝଡ଼ିଛି, କେଉଁଠି ରାତି ଅଗିର ଅଙ୍ଗାର ପାଉଁଶ, କେଉଁଠି ଅଇଁଠା ପତର ଉଳିଆ ପୋଳିଆ ହୋଇ ସଫା ହେଲା, ଗାଁ ଦାଣ୍ଡରେ ଛାଞ୍ଚୁଣି ଚାଲିଲା, କ୍ଷେତର ମଇ ପରି ଗୋଟାଏ ଚଲା ଛାଞ୍ଚୁଣି, ତା’ଉପରେ ପିଲାଟିଏ ବସେ, ଦଉଡ଼ି ଲଗେଇ ଜଣେ ଟାଣି ନେଇଯାଏ । ସବୁ ଅଳିଆ ସଫା ।

 

ମିଣିଆପାୟୁ ଛାଡ଼ିଯିବାକୁ ମିଟିଂ ଗାଁର ଲୋକେ ପ୍ରସ୍ତୁତ ହେଲେ । ତାଙ୍କ ଗାଁରେ ବି ଫସଲ କଟାକଟି, ରାତିରେ ପାହାଡ଼ ତଳେ କ୍ଷେତ ଜଗା । ଆପଣାର କାମ ଛାଡ଼ି ପରଘରେ ଓଳିକରୁ ଦିଓଳି ଅଟକି ରହିବା ଅସମ୍ଭବ ।

 

ସକାଳେ ଗୀତ ନାହିଁ, ବାଟରେ ଘାଟରେ ବ୍ୟସ୍ତ ହୋଇ ତରତର ହୋଇ ସ୍ତ୍ରୀ ପୁରୁଷ ଚାଲିଛନ୍ତି, କନ୍ଦାଖୋଳା, କ୍ଷେତକାମ, ଗୋରୁମେଲା । ଲୋକ ଚାଲିଛନ୍ତି, ଆଉ ଟିକକକୁ ଦେହରୁ ଗମ୍‌ଗମ୍ ଝାଳ ବୋହିବ, ପାଟି ଆଫାଫା ହୋଇଯିବ, ପର୍ବତ ଦେଶର କାମ । ଲୋକ ଚାଲିଛନ୍ତି, ନାଟ କରିବାକୁ କାହାରି ଗୋଡ଼ କୁଣ୍ଡେଇ ହେଉ ନାହିଁ, କେହି ଅଳସେଇ ବସିପଡ଼ୁ ନାହିଁ ସୁରୁଡ଼ି ଫୁଁକିବାକୁ ।

 

ମିଟିଂ ଗାଁର କନ୍ଧ ବୋଝ ଭାର ଉଠେଇ ନେଇ ବିଦା ହେଲେ । କହିଗଲେ ଚଇତକୁ ଆସିବେ, ସେତେବେଳେ ମାସକଯାକ ଛୁଟି, ହୁରି, ଶିକାର, ସେତେବେଳେ ପୁଣି ଦେଖାଚାହାଁ, ସେ ପର୍ଯ୍ୟନ୍ତ-ବିଦାୟ । ଧାଂଡୀ ଟିକିଏ ହସିଥିଲେ, ସେତିକି ରାତିର ପରିଚୟ । ବେଶୁ କନ୍ଧ ପଛକୁ ଫେରି ଅନେଇଁଲା, ପୁୟୁ ଠିଆ ହୋଇଛି, ପୁବୁଲି ଠିଆ ହୋଇଛି । କହିଲା, ‘କସ୍‌ବା ହାଟକୁ ଯାଆନ୍ତି ନାହିଁକି ତୁମ ଗାଁ ଲୋକ ।’ ପୁବୁଲି କହିଲା, ‘କାହିଁକ ଯିବେ ନାହିଁ ? ଯାହାର ଲୋଡ଼ାଥିବ ସେ ଡୁମ୍ବାଗୁଡ଼ା ହାଟକୁ ବି ଯିବ ।’ କସ୍‌ବା ହାଟକୁ ଗଲେ ମିଟିଂ ବାଟେ ଯିବାକୁ ହୁଅନ୍ତା, ଡୁମ୍ବାଗୁଡ଼ା ଗଲେ ମିଣିଆପାୟୁ ବାଟେ । ବେଶୁ ବୁଝିପାରିଲା, ହସିଲା କେବଳ । ପୁବୁଲି ଦୀର୍ଘଶ୍ୱାସ ପକେଇଲା, ପୁରୁଷମାନେ ଏହିପରି, ସବୁ ଶରଧା ଖାଲି ସେଇ ଘଡ଼ିକ, ତା’ ପରେ ନାହିଁ । ତାର ନାରୀ-ମନ ପୁରୁଷକୁ ଦୋଷ ଦେଲା, ପୁରୁଷ ନିଜେ କିଛି ଅସୁବିଧା ଭୋଗିବ ନାହିଁ, ପକେଇ ଦେବ ସ୍ତ୍ରୀ ଉପରେ । ମିଟିଂ ଲୋକେ ଗଲେ ।

 

ଝୋଲାରେ ଲଙ୍ଗଳା ହୋଇ ଗାଁର ସ୍ତ୍ରୀଲୋକ ଗାଧୋଛନ୍ତି, କନ୍ଧଦେଶରେ ଅଭ୍ୟାସ ସେହିପରି । ସେହି ବାଟେ ପରଗାଁ ଲୋକେ ଝୋଲାରେ ପଶି ଚାଲିଗଲେ, ଅନେଇଲେ ବି ନାହିଁ ଟିକିଏ । ଶିଷ୍ଟାଚାର ବିରୁଦ୍ଧ । ତା’ପରେ, ଏ ଦେଶରେ ସବୁ ପ୍ରାୟ ଲଙ୍ଗଳା, ପ୍ରକୃତିଠୁ ଆରମ୍ଭକରି ସମସ୍ତେ ଲଙ୍ଗଳା, ଦେହର କୌଣସି ବିଶେଷ ଚମକ କାହାରିକୁ ନାହିଁ ।

 

ବାଟରେ ବେଶୁ କନ୍ଧ ଗୁମ୍ ଥାଏ । ଖରା ତେଜିଲାଣି, ଏଥର ଲାଗୁଛି ଗୁଡ଼ାଏ ବାଟ । ହଁ, ଟୋକୀ ମଙ୍ଗିଲା, ବିଭା ହେବାକୁ ତାର ଆପତ୍ତି ନାହିଁ, କିନ୍ତୁ ବିଭାଘର ହେବ କିପରି ? ନାନା ପ୍ରସ୍ତାବ ଖେଳୁଥାଏ ମୁଣ୍ଡ ଭିତରେ । ସେ ସାଧାସିଧା ଲୋକ, ଦାୟିତ୍ୱ କଥା ଭାବିଲେ ସବୁ ଗୋଳମାଳ ହୋଇଯାଏ । ଧାଂଡୀ ସଙ୍ଗେ ମିଶିବା ତାର ନୂଆ ନୁହେଁ । ତାର କଳା ଅଛି, ଧାଂଡୀ ତା’ ଆଡ଼କୁ ମନକୁ ଝୁଙ୍କନ୍ତି । କିନ୍ତୁ କ’ଣ ହେଲା କାଲି ରାତିରେ । କୁଆଡ଼ୁ କ’ଣ ହୋଇଗଲା, କଥା ଛିଣ୍ଡିଲା ବିଭାଘରଠିଁ ଯାଇ । କେଉଁଦିନୁଁ ସେ ଠିକଣା କଲାଣି ଏଥର ବିଭାହେବ । ପୁବୁଲି ଏଥର ଆହୁରି ଦିପଦ କଥାଭାଷା ହୋଇଥିଲେ ଭଲ ହୋଇଥା’ନ୍ତା ପରା । କାହିଁକି ସେ ଏ ଗାଁକୁ ଧାଇଁ ଆସିଥିଲା-? କ’ଣ କନ୍ୟା ଠିକଣା କରିବାପାଇଁ ? ଯିବାକୁ ଖରାପ ଲାଗୁଥାଏ, ଚିଡ଼ି ମାଡ଼ୁଥାଏ, ଆରାମରେ ଘୋଡ଼ିପୋଡ଼ି ହୋଇ ଜଣେ ଶୋଇଥିବ, ଆଉଜଣେ କିଏ ହଲେଇ ହଲେଇ ଉଠେଇ ଦେଲେ ଯେପରି ଲାଗେ । ଗାଁ ଲୁଚିଲା, ଏଥର ମାଳୁଆ ଜଙ୍ଗଲ । ବୁଢ଼ାଟି ପଛକୁ ରହିଲା, ଚାଲିପାରୁ ନାହିଁ, ଉଠାଣି ବାଟ । ବେଶୁ କନ୍ଧ ଏଥର ଆଗେଇଲା, ତାର ନୂଆ ଦାୟିତ୍ୱ, ଦଳର ସମସ୍ତିଙ୍କ ଭିତରେ ଶିକାରୀ ସେ, ସମସ୍ତିଙ୍କି ପିଠି ଆଡ଼େଇ ଦେଇ ଆପେ ବଣବାଟର ବିପଦକୁ ମୋହିଁବା ତାର କର୍ତ୍ତବ୍ୟ-। ତା’ ପଛକୁ ସୁବ୍ରି ଜାଗିଲି ମୁର୍ଜୁ ଲେତା । ତାଙ୍କର ହସ ଲାଗିଛି, କାଲି ରାତିର କଥା, ଟୋକୀମାନଙ୍କ କଥା । ବେଶୁ କହିଲା ‘ବୁଢ଼ା ମଝିକି ଆସୁ ।’ ସମସ୍ତିଙ୍କର ହୋସ୍ ହେଲା, ସତର୍କ ରହିବା ଦରକାର । ହାତରେ ବର୍ଚ୍ଛା ଅଛି, କାନ୍ଧରେ ଟାଙ୍ଗିଆ, ବେଶୁର ନଳି, ତଥାପି ଯେମିତି ଚାଲିଲେ ବି ବାଘ ନିଏ । ସବୁତ ଉଞ୍ଚ ଖାଲ, କେଉଁଠି ଲୁଚି ରହିଥାଏ ସେ ଜଣାପଡ଼େ ନାହିଁ । ନାକ ଫଣ ଫଣ କରି ସମସ୍ତେ ବାସ୍ନା ଉଣ୍ଡୁଥା’ନ୍ତି । ଗୋଟିଏ ପ୍ରକାର ଲଟା ଅଛି, ତାର ଫୁଲ ବାଘ ପରି ଗନ୍ଧ ହୁଏ, କାଳଖୁଣ୍ଟର ଫୁଲ ମଧ୍ୟ, ମଝିରେ ମଝିରେ ଚମକ ଲାଗେ ।

 

ଆଖି ସବୁବେଳେ ସତର୍କ, କାନ ଠିଆ, କେଉଁ ବୁଦା ଉଢ଼ାଳରେ ଜନ୍ତୁ ବସିଥିବ । ବଣ ବହଳ ହୋଇ ବଢ଼ିଛି; ଶୀତଦିନେ ବେଶୀ ବଣ । ଦି ପାଖେ ନାଲି ରୋଶ୍ନି-ଲଗେଇଛି ଗିଲିଫୁଲ । ସମ୍ବର ପଲ ପଲ ହୋଇ ଗଡ଼ନ୍ତି ଗିଲିଫୁଲ ଖାଇବାକୁ । ଦିପାଖର ବଣ ସନ୍ଧିରେ ସରୁହୋଇ ଚଲାବାଟ, ଖାଲି ପଥର କୁଢ଼, କେଉଁଠି ଘାଟି, କେଉଁଠି ଗଡ଼ାଣି, କେଉଁଠି ସାନ ସାନ ଝୋଲା, ତା’ ଭିତରେ ଆହୁରି ଅନ୍ଧାରୁଆ ବଣ ।

 

କୁକୁଡ଼ା ବେଳ ମୟୂର ବେଳ କେତେବେଳୁ ଗଲାଣି । ଜଙ୍ଗଲ ଛମ୍ ଛମ୍ । ମଝିରେ ମଝିରେ ଝୋଲାକୂଳ ଦେଖି ଅସୁନ୍ଦର କୋଚିଲାଖାଇ ଚଢ଼େଇ କିଳିକିଳା ଛାଡ଼ୁଛନ୍ତି । ଠାଏ ବଣଲେମ୍ବୁ ଗଛରେ ଗୋଟାଏ ମସ୍ତବଡ଼ କାଇବସା । କନ୍ଧମାନେ ଚିତ୍‍କାର କଲେ, ‘ମଇରିକା-ମଇରିକା’ (କାଇ) । ଜାଗିଲି ଆର୍ଜୁ ତଳକୁ ଓହ୍ଲେଇଯାଇ ଡାଳକୁ ଉହୁଙ୍କି ଧରିଲେ, ବେଶୁ ଟାଙ୍ଗିଆରେ ହାଣିଲା । ସେତେବଳକୁ ଲେତା ସୁବ୍ରି କାଠରେ କାଠ ଘଷି ନିଆଁ ଟିକିଏ କଲେଣି, ବୁଢ଼ା ଶୁଖିଲା କାଠ ଗୋଟେଇଲାଣି । ମଇରିକା ଜାଗିଲି ଆଉ ଆର୍ଜୁ ମୁଣ୍ଡରେ ଦେହରେ ଭର୍ତ୍ତି ହୋଇଗଲେ, କାଇ କାମୁଡ଼ାରେ ପାଟିକରି ସେମାନେ ଡେଇଁଲେ, ବାଳ ଛିଣ୍ଡେଇଲେ, କିନ୍ତୁ ସେ କନ୍ଧଙ୍କର ପ୍ରିୟ-ଖାଦ୍ୟ, ଭାଗ୍ୟରେ ଥିଲେ ମିଳେ । ତେଣୁ ମହାଆନନ୍ଦ, ନିଆଁ ଧାସରେ ସେତକ ପୋଡ଼ାହୋଇ ସାଇତା ହୋଇ ରହିଲା । ୟା ପରେ ତା’କୁ ଚୂନା କରି ମାଣ୍ଡିଆ ଜାଉରେ ପକେଇ ଦେବାକୁ ପଡ଼ିବ, କେଡ଼େ ସୁନ୍ଦର ଆମ୍ବିଳା ଆମ୍ବିଳା ଲାଗିବ । ସେତିକି କଳ୍ପନାରେ ସମସ୍ତିଙ୍କ ମନରେ ଖୁସି । ଜାଗିଲି ଆଉ ଆର୍ଜୁ ହସୁଥା’ନ୍ତି । ବୁଢ଼ା କହୁଥାଏ, ‘କାଇ କାମୁଡ଼ିଲା ଭଲ ହେଲା, ମଜରା କଟିଯିବ, ଜର ହେଲେ ତ ପୁଣି କେହି କେହି ମୁଣ୍ଡରେ କାଇ କାମୁଡ଼େଇ ହୋଇ ଭଲ ହୁଅନ୍ତି, ତେବେ ଆଉ କ’ଣ ?’

 

ମୂଳରୁ ମଇରିକା ଲାଭ । କିଛିଦୂର ଗଲା ପରେ ମାଙ୍କଡ଼ ପଲେ ଦିଶିଲେ । ପୁଣି କନ୍ଧମାନଙ୍କର ନାଟ କରିବା ଦରକାର ପଡ଼ିଲା, ମାଙ୍କଡ଼ ଅତି ପ୍ରିୟ ଖାଦ୍ୟ । ବେଶୁ ଗୋଡ଼େଇଲା, ଗୋଟାଏ ମାଙ୍କଡ଼ ମାରିଲା । ବୁଢ଼ା କନ୍ଧର ପାଟିରୁ ଲାଳ ବୋହୁଥାଏ, ଟୋକାମାନଙ୍କୁ ପତିଆରା ଦେଖେଇବାକୁ ବୁଢ଼ା ଧୂଆଁପତ୍ର ଚୋବୋଉ ଥାଏ । ୟା’ପରେ ହେଇ ଦୂରରେ ଉସ୍କାବଟା । ଠା ଠା ହୋଇ ଅରମା ଭିତରେ କନ୍ଧ କୁଡ଼ିଆ ଦିଶୁଛି, ତାଷ ମଝିରେ ଜଣ ଜଣକର ଘର । ଏଠି ପ୍ରଚୁର ପାଣି ଅଛି, ରୋଷେଇ କରିବା ଜାଗା । ତା’ପରେ ଲାଗି ରହିଥିବ ଛାତିଫଟା ଉଠାଣି ଆଉ ଭୀଷଣ ଅରଣ୍ୟ, ନିତିଦିନର ଚଲା ବାଟ, ଚିହ୍ନା ପରିଚ ।

 

ଝୋଲା କୂଳରେ ଠାଏ ଝଙ୍କା ଆମ୍ବଗଛ । ଗଛମୂଳରେ ଚଟା ପଥର ଦି’ଖଣ୍ଡ, ବସିବାକୁ-। ସ୍ଥାନେ ସ୍ଥାନେ ପଥର ସଜାହୋଇ ଚୁଲି ଥୁଆ ହୋଇଛି, ଦର୍‌ହପୋଡ଼ା ପଥର, ଅଙ୍ଗାର ପାଉଁଶ । ବଣ ବାଟରେ ଏପରି ଜାଗା ଅନେକ ଥାଏ । ନିତି ଦିନକୁ ବାଟୋଇମାନଙ୍କର ରନ୍ଧା କରିବା ଜାଗା, ଜଙ୍ଗଲ ବାଟର ଚିହ୍ନଟ ।

 

ଆଗକୁ ଥାଏ ଗୋଟାଏ ସାନ ଆମ୍ବତୋଟା, ସେଠି ପାଖକୁ ପାଖ ଲାଗି ଗୁଡ଼ାଏ ଚଟା ପଥର । ଯେପରିକି ଚାରିଆଡ଼ର ପର୍ବତ ଢାଲୁର ସବୁ ଭଙ୍ଗା ପଥର ଗଡ଼ିଆସି ଏକାଠି ପଙ୍ଗତ ପକେଇଛନ୍ତି । ତାର ସୂଚନା ସେ ଗୋଟିଏ ଡଙ୍ଗରିଆ ବଣୁଆଁ ହାଟ । ସପ୍ତାହକୁ ଥରେ ଗୋଟିଏ ସାନ ହାଟ ସେଠି ବସେ, ମୋଟେ ଦି’ଘଣ୍ଟା, ସେତିକି ସକାଶେ ବହୁତ ଦୂରରୁ ଲୋକ ଆସନ୍ତି, ବେଶ ହୋଇ ଆସନ୍ତି, ଦୁଇଘଣ୍ଟା ଗଲେ ହାଟ ପଦାରେ ଖାଲି କାଉ, ଘରଚଟିଆ ଜମାଏତ୍ ହୁଅନ୍ତି ସଞ୍ଜ ପର୍ଯ୍ୟନ୍ତ । ପୁଣି ସବୁ ଶୂନ୍‌ଶାନ୍ ସାତଦିନ ପର୍ଯ୍ୟନ୍ତ । ରନ୍ଧା ଜାଗା, ହାଟ, ବସି ବସି ଝାଳ ମାରିବା ଜାଗା, ଉଠାଣିର ମୁଣ୍ଡ, ଗଡ଼ାଣିର ତଳ, ଏହିପରି ବଣବାଟ ବିଭକ୍ତ ହୋଇଛି ।

 

ମିଟିଂ ଗାଁର ଲୋକ ରନ୍ଧାବସାରେ ଭାର ଓହ୍ଲେଇ ଦେଲେ । ମିଣିଆପାୟୁ କେତେ ପଛରେ ରହିଲାଣି, ୟା ପରେ ସିଧା ଗାଁମୁହାଁ । ଆଜି ଡେରି ହୋଇଗଲା, ପହଞ୍ଚିଲାବେଳକୁ ଶିକାର ବେଳ ସରିଯାଇଥିବ ବୋଧହୁଏ, ଦିନକର କାମ ନିକିମା ହେଲା, ଖରା ମୁଣ୍ଡ ଉପରକୁ ଆସିଲାଣି, ଏଥର ବାଟଯାକ ଝାଳ ଆଉ ତାତି । ନୂଆ ଜାଗାର ନୂଆ ଅନୁଭୂତି ମନେପଡ଼େ, ଦୂରର ସ୍ମୃତି ରହେ ପଛରେ । ସୁବ୍ରି ଜାଗ୍‌ଲି ଲେତା ଆର୍ଜୁ ଭୁଲିଯାଇଥିଲେ ଗଲା ରାତିରେ ପର ଗାଁରେ କେମିତି କଟିଥିଲା । ସେ ସବୁ ମାଂସର ଅନୁଭୂତିର କଥା, ଦେହର ଭୋକ କରେ ସେଇ ଘଡ଼ିକ । ଖିଆପିଆ ସରିଲା ପରେ କେହି ଖାଦ୍ୟକୁ ଭାବି ଭାବି କବିତା ଗୁନ୍ଥେ ନାହିଁ । ପୁଣି ନୂଆ ଭୋକ, ନୂଆ ଖାଦ୍ୟ-ଆଗକୁ । ନିଆଁ ଲାଗିଲା । ବୁଢ଼ାକୁ ଚୁଲି ଧରେଇ ଦେଇ କୌପୁନୀ ଉତାରି ଦେଇ ଭେଣ୍ଡିଆମାନେ ଝୋଲା ପାଣିରେ ବୁଡ଼ି ବୁଡ଼ି ଗାଧୋଇଲେ । ପାଣିରେ ଗାଧୋଉ ଗାଧୋଉ ବେଶୁ କନ୍ଧର ମନେପଡ଼ୁଥିଲା ପୁବୁଲିର ମୁହଁ । ପଶ୍ଚାତ୍ତାପ ଆସୁଥିଲା ଯେ ସେ କିଛି ଠିକଣା କରିଆସିବା ଉଚିତ ଥିଲା । କ’ଣ ଯେପରି ଅସମ୍ପୂର୍ଣ୍ଣ ରହିଗଲା । କାକର ପାଣି ଯେତେବେଳେ ମାଂସକୁ ଚାଉଁ ଚାଉଁ କରି କାମୁଡ଼ି ପକାଏ, ଦେହର ମାଂସ ମୁଣ୍ଡା ମୁଣ୍ଡା ପଥର ପରି ଫୁଲି ଠିଆ ହୁଏ ସେ କୌଣସି ଗୋଟିଏ କଥାରେ ମନୋନିବେଶ କରିପାରେ ।

 

ପୁବୁଲି ମନେପଡ଼ୁଥିଲା, ସେ ଅତି ସହଜଭାବେ କହିଥିଲା, ‘ଘରଜୋଇଁଆ ଆସ’, ଅଳ୍ପେ ହସିଦେଇ ଆପଣାକୁ ଖସେଇ ନେଇ ସେ ଚାଲିଗଲା, ଗୋଟାଏ ଫାଙ୍କା ଜାଗା ରଖି ଦେଇଗଲା ଛାତି ତଳେ । ‘ଘରଜୋଇଁ’ ସେ ଆସିପାରିବ ନାହିଁ, ମାନ ଇଜ୍ଜତ ଅଛି, ସାଓଁତାର ପୁଅ । କିନ୍ତୁ ଯେମିତି ହେଲେ ପୁଣି ସେ ଆସି ଦେଖିବ, ଏତିକିରେ ଶେଷ ନୁହେଁ, ଶେଷ ହୋଇ ନ ପାରେ ।

 

ବେଶୁ କନ୍ଧ ବାରମ୍ବାର ପୁବୁଲିକୁ ମନେପକେଇଲା, ନା ଏତିକିରେ ଶେଷ ନୁହେଁ, ଏଇ ମୋଟେ ଆରମ୍ଭ ।

•••

 

ପନ୍ଦର

 

ବଣ, ବଣ ।

 

ଯେଉଁଠି ଗୋଟାଏ ଜାଗାରେ ଠିଆହେଲେ ଦିଶେ ଚାରିପାଖ ନିବୁଜା, ବଣୁଆଁ ଲୋକ ଆରାମରେ ନିଶ୍ୱାସ ମାରେ, ଏଇ ପାଚିରି ଭିତରେ ତାର ସମୁଦାୟ ଘରକରଣା; ବଣ ବାହାରର ମଣିଷର ନିଶ୍ୱାସ ରୁଦ୍ଧ ହୁଏ, ସେ ବନ୍ଦୀ ।

Unknown

 

ରାସ୍ତା ନାହିଁ, ଶଗଡ଼ଗୁଳା ନାହିଁ, ମଣିଷ ନିଜେ ଭାରବୁହା । ଅଗନାଗ୍ନି ବନସ୍ତ ଭିତରେ ଦିନେ ଖୋଲେ ମିଞ୍ଜି ମିଞ୍ଜି ହୋଇ ସରୁ ଚଲାବାଟ, ଉଠି ପଡ଼ି, ସାପେଇ ସାପେଇ ଚାଲିଯାଏ ଏ ଗାଁରୁ ସେ ଗାଁ, ପନ୍ଦର କୋଶ, କୋଡ଼ିଏ କୋଶ, ତା’ପରେ ଭେଟେ ଶଗଡ଼ ଗୁଳାକୁ । ଶୀତଦିନେ ଦି’ପାଖରୁ ଚାପି ଆସେ ପୁରୁଷେ ଉଞ୍ଚ ପରିଘାସ, ଉପରେ ସ୍ଥାନେ ସ୍ଥାନେ ଗଛକୁ ଗଛ ଲଟା ଡିଏଁ । ଓଟାମାଡ଼ା, ପାଏରମାଡ଼ା, ଚଲାବାଟ ଲୁଚିରହେ ଅରମା ତଳେ । ବାଟେ ବାଟେ ପଥର କୁଢ଼, ମଝିରେ ମଝିରେ ଅତଟ ଝୋଲା, ବାଟ ସେଠି ନିଭେ, ଆରପାଖେ କେଉଁଠୁ ପୁଣି ଆରମ୍ଭ ହୁଏ ତା ବଣର ଲୋକ ଜାଣନ୍ତି ।

 

ଦୂରେଇ ଦୂରେଇ ଗାଁସବୁ । ଉପତ୍ୟକା ଭିତରେ, ଯେଉଁଠି ପାଣି ଆଉ ପାଗ ସୁବିଧା ଅଛି, ତାଷ ହୋଇପାରିବ । ଉପତ୍ୟକା ଭିତରେ ମଧ୍ୟ ଗହନ ବଣ । କେବଳ ଜନ୍ତୁ ରହନ୍ତି । ଯେଉଁଠି ତଳେ ଲୁହା ପଥର, ମାଙ୍ଗାନିଜ୍ ପଥର, ଆଗ୍ନେୟଗିରିର ପଥର, ସବୁ ହୁଗୁଳା ସେଠି କୋଶ କୋଶ ଲାଗିଛି ଶାଳବଣ, ଅନ୍ୟାନ୍ୟ ଗଛ ଅଛି, ଶାଳ ପ୍ରଧାନ । ଯେଉଁଠି ପତ୍ତନ ଅପେକ୍ଷାକୃତ ନୀଚ, ତଳର ମାଟି ବାଲିଆ, ହାଲୁକା, ଅବ୍‌ରଖିଆ, ପଥର, ସବୁ ହୁଗୁଳା ସେଠି କୋଶ କୋଶ ଲାଗିଛି ବାଉଁଶ ବଣ, ଜାତି ଜାତିକା ବାଉଁଶ, ନିଦା, ପୋଲା, ମୋଟା, ସରୁ, ଡେଙ୍ଗା, ବାଙ୍ଗର ନାନାପ୍ରକାରର ।

 

ସେତେବେଳେ ଏ ବଣକୁ ବାଟ ନ ଥିଲା । ମଣିଷର ଅଗ୍ରଗାମୀ ବାହିନୀ କନ୍ଧିଆ ଭାଇ, ତାର ଅସ୍ତ୍ର କାନ୍ଧର ଟାଙ୍ଗିଆ ଖଣ୍ଡକ, ଆଉ ନିଆଁ । କନ୍ଧ କମ୍‌ହାର (ଲୋହା) ଲୁହା ପଥରରୁ ଲୁହା ଆଉଟି ଟାଙ୍ଗିଆ ତିଆରି କରେ । କନ୍ଧ ଜଙ୍ଗଲ ହାଣେ, ବାଟ ସଫା କରେ, ତାଷପଡ଼ିଆ ସଫା କରେ, ହାଣିଥିବା ଗଛରେ ଖରାଦିନେ ନିଆଁ ଲଗେଇ ଦିଏ, ପାଉଁଶ ଖତ ହୁଏ । ବେଳେ ବେଳେ ପର୍ବତ ଉପରେ ଗାଁ ବସେଇ ଦିଏ । ପର୍ବତର ଅରମା ସଫାକରି ତାଷ କରେ । ପ୍ରଥମ ବର୍ଷ ମାଣ୍ଡିଆ, ଦ୍ୱିତୀୟ ବର୍ଷ ହରଡ଼, ଜଡ଼ା, ଅଲ୍‌ସି, ତୃତୀୟ ବର୍ଷ ସୁଆଁ, ଆହୁରି ବର୍ଷେ ଦି’ବର୍ଷ ମାଣ୍ଟେଇଯାଏ । ଯଦି ମାଟିରୁ ସାର ସରେ ତେବେ ଗାଁ ଉଠେଇ ନେଇ ଖୋଜେ ନୂଆ ଜଙ୍ଗଲ । କେବେ କେବେ ଥରେ ହାଣି, ତାଷ କରି ଛାଡ଼ିଥିବା କ୍ଷେତର ବୁଦା ଲଟା ଜଙ୍ଗଲ ପୁଣି ହାଣି ପୋଡ଼ି ତାଷ ଲଗାଏ । ତା’କୁ କହନ୍ତି ସରୁଆ ଡଙ୍ଗର ତାଷ । ସେଥିରେ ବେଶି ଉପୁଜେ ନାହିଁ କି ବେଶି ଦିନ ତାଷ କରିହୁଏ ନାହିଁ । ତେଣୁ କନ୍ଧ ଥଟ୍ଟାକରି କହେ, ସରୁଆ ଡଙ୍ଗର ତାଷ, କୋଟ୍ରା ମାଉଁସ, ବୁଢ଼ା ବୁଢ଼ୀଙ୍କ ଆୟୁଷ ସବୁ ସମାନ । କନ୍ଧ କ୍ଷେତ ତିଆରି କରେ । ପଛେ ପଛେ ‘ସଭ୍ୟତା’ ଆସେ, ସାହୁକାର ଆସେ, ଧୋବ ଧାଉଳିଆ ଆସନ୍ତି; ଦେଖନ୍ତି ଭଲ ଜମି, ସେତକ ହାତ କରନ୍ତି, କନ୍ଧ ଚଢ଼େ ଉପରକୁ । ତେଣୁ ଯେଉଁଠି ବଣ ସେଠି କନ୍ଧ, ଜାଗା ଖୋଲିଗଲେ କନ୍ଧ ତଡ଼ି ହୋଇଯାଏ ।

 

ପର୍ବତ ଉପରେ କନ୍ଧର ତାଷ, ତଳେ ସେ ଯେଉଁ କ୍ଷେତକୁ ସବୁଦିନିଆଁ କରି ଛାଡ଼ି ଦେଇଯାଇଛି ସେସବୁ ପରର, ଧୀରେ ଧୀରେ ସାହୁକାର ଆସୁଛନ୍ତି, କ୍ଷେତ ବଢ଼ୋଉଛନ୍ତି, କନ୍ଧିଆ ଦେଶରେ ଚେର ମଡ଼ୋଉଛନ୍ତି । ଯେଉଁଠି ଆଖି ଦୁରୁଶିଆ ଧାନଗହୀର କୋଶ କୋଶକୁ ଲମ୍ବିଯାଇଛି ସେଠି ସାହୁକାର ଶୁଣ୍ଢି, ବ୍ରାହ୍ମଣ, ତେଲେଙ୍ଗା । ସେମାନେ ବାହାର ସଭ୍ୟତାର ଉତୁରା ପେଜପରି ଫୋପାଡ଼ି ହୋଇ ବଣକୁ ଆସିଥିଲେ ଲୋଟା, କମ୍ବଳ ଧରି; ବର୍ତ୍ତମାନ ସେମାନେ ମହାଜନ । ଶୁଣ୍ଢି ମଦ ବିକି ବିକି ଜମି କଲେ । ବ୍ରାହ୍ମଣମାନେ କୁଆଡ଼େ ଭିକମଗା ଚାଉଳ ଏକାଠି ଜମେଇ ଛାଡ଼ିଦେଇ ଯାଆନ୍ତି ଗାଁ ମୁଣ୍ଡିଆଳ ଘରେ, ସେହି ଚାଉଳକୁ ଦେଢ଼ି ଲଗାନ୍ତି, କ୍ରମେ ଅଧମର୍ଣ୍ଣଠାରୁ ଜମି ନିଅନ୍ତି । ତେଲେଙ୍ଗାମାନେ ସବୁ ଉପାୟ କରନ୍ତି, କିଏ ଦେଢ଼ୀ ମହାଜନୀ, କିଏ ବା ତୁଚ୍ଛାକୁ ନଫରନଫର ହୋଇ କୌଶଳ ଲଗେଇ ଜମି ମାରିନିଏ, କେତେ ଉପାୟରେ । ବନ୍ଧୁ ହୋଇ ଆସି, ସଙ୍ଗାତ ମୈତ୍ର ବସି, ମଦପାଣି ଦେଇ ଧୀରେ ଧୀରେ ଚେକା ମାଡ଼ି ବସନ୍ତି । ଅଧିକାରୀଙ୍କ ଶରଣିଆଁ ଯେଉଁମାନେ ତାଙ୍କର ତ ସାତ ଖୁଣ ମାଫ୍ । କାଗଜ ଆଉ ବଟୁ (ଟିପ) ଚିହ୍ନ, ବଟୁ ଚିହ୍ନ ଆଉ କାଗଜ, ଜମି ହାସଲ । କିଏ ବନ୍ଧା ବୋଲି କହି ବିକ୍ରି ଲେଖେଇ ନେଇ ଛୁ, କିଏ ରସିଦ ବୋଲି ନା-ଦାର୍ (ତ୍ୟାଗପତ୍ର) ଲେଖେଇ ନେଉଛି । ବନ୍ଦୋବସ୍ତ ନାହିଁ, ଖତିଆନ ନାହିଁ, ସ୍ୱତ୍ୱ ବିଷୟରେ ସମ୍ପୂର୍ଣ୍ଣ ଧାରଣା ନାହିଁ, ଜୋର ଯାହାର ମୁଲୁକ୍ ତାର, ପୋଷାକ ଯାହାରଜୋର୍ ତାହାର । କାଗଜ ଉପରେ ବଟୁଚିହ୍ନ ମାରିଦେଇ କନ୍ଧିଆ ଭାଇ ନୂଆ ଜମି ଖୋଜିବାକୁ ଚାଲିଯିବ ପର୍ବତ ଉପରକୁ ।

 

ଅନ୍ଧାରି ବଣ, ତହିଁକି ବାଟ ନାହିଁ । ଚାରି ପାଖରୁ ଧୀରେ ଧୀରେ ସାହୁକାର ଆସୁଛନ୍ତି, ଧୀରେ ଧୀରେ ତାଙ୍କର ବେପାର ବଢ଼ୁଛି, ତାଙ୍କର ସହର ବସୁଛି, ଗାଁ ବସୁଛି । ଦେଶୀଆର ଧନ ଦେଶୀଆକୁ କରଜ ଲଗେଇ ସେମାନେ ସୁଧ ଖାଇବେ, ଦେଶୀଆ ତାଙ୍କର ଗୋତି ହେବ, ତାର ପୁରୁଣା କ୍ଷେତ ତଷିବ, କିନ୍ତୁ ତାଙ୍କର ଚାକର ହୋଇ । ତେଣୁ ଫସଲ ଉପୁଜେଇବା ତାର କାମ, ଫସଲର ମାଲିକ ସାହୁକାର, ଫସଲ ପାଚିବା ଆଗରୁ କିଛି କିଛି ଟଙ୍କା ପକେଇ ଦେଇ ପାରିଲେ ସେମାନେ ଦଶଗୁଣ ଶସ୍ତାରେ କିଣି ନେଇଯିବେ, ତା’କୁ କହନ୍ତି ‘ଗଡ଼ମ୍’ । ଫୁ ଆଉ ତାଳି, ଦେଶୀଆ ଖତମ୍ । ବଣ ଭିତରେ ଉଡ଼ି ଉଡ଼ି ଚାଲିଛି ସାହୁକାର ତନ୍ତ୍ରର ଗୁଣ୍ଡୁରି ଜାଲ, ତାହାରି ନାଁ ସଭ୍ୟତା ।

 

ସେହି ଜାଲରେ କନ୍ଧିଆ ଭାଇ ବି ଧରାପଡ଼େ, ଟିକିଏ ଛଟପଟ ହୁଏ, ତା’ପରେ ତାର କାମ ଶେଷ । ଠକେଇରେ ତ ପଡ଼େ, ପଇସା ସରେ, ଗୋତି ହୋଇ ଆପଣା ଧିଆତି ଉପରେ ଆପଣା ପୁଅ ନାତିଙ୍କ ଧିଆତି ବି ବାନ୍ଧିଦିଏ ଖଟି ମରିବାକୁ, କିନ୍ତୁ ଏତିକିରେ ଯଦି ନିସ୍ତାର ମିଳୁଥା’ନ୍ତା-! ଏଇ ବଣ ବାହାରର ଲୋକେ ବଣ ଭିତରକୁ ଆଖିଝଲସା ନୂଆ ଆଲୁଅ ଆଣନ୍ତି, ଆଣନ୍ତି ରଙ୍ଗ ରଙ୍ଗର କାଚ, ଦେଶୀଆ ତହିଁରେ ମାତିଯାଏ । କେବେ ଆପଣା ହାତରେ ତିଆରି କରି ସେ ଧୁଙ୍ଗିଆ ପିଉଥିଲା, ସଭ୍ୟତା ଦେଖାଏ ବିଡ଼ି । ଆପଣା ହାତରେ ବୁଣି ସେ ଲୁଗା କରୁଥିଲା, ‘ଡମ୍ବ’ର ଖଦି, ‘ମିରିଗାଣ୍’ର କୁମ୍ଭପକା ମୋଟା ଲୁଗା, ପରଜା ‘ପାଞ୍ଚିଆ’, ଗଦବାର କେରଂ ପଟର ବାଘ-ପଟିଆ ଲୁଗା, ସଭ୍ୟତା ଏସବୁ ବୁଡ଼ାଏ, ଦେଖାଏ ନୂଆ ଲୁଗା, କୋଟ୍ କାମିଜ୍ । ଦେଶୀଆ ବାବୁ ହେବାକୁ ମନ କରେ, କୌପୁନୀ ପିନ୍ଧେ, ଅଥଚ ଦେହରେ ଖଣ୍ଡେ କୋଟ୍ ଲଗାଏ, ତେଲେଙ୍ଗା ସାହୁକାରକୁ ହନୁକରଣ କରି କୌପୁନୀ ଉପରେ କାନରେ ଲଗାଏ କୁଣ୍ଡଳ, ମୁଣ୍ଡରେ ମସ୍ତବଡ଼ ପଗଡ଼ି, ସେଥିରେ ସେ ପିକାଟାଣିବା କାହାଳୀ ପୁଞ୍ଜାଏ ଖୋସିଦିଏ । କେବଳ ସେତିକି ନୁହେଁ, ସେ ନିଜର ବୁନିଆଦିକୁ ଘୃଣାକରି ଶିଖେ, ନିଜର ଭାଷାକୁ ଭୁଲିବାକୁ ମନ କରି ଟିକିଏ ଟିକିଏ ତେଲେଙ୍ଗା ଓଡ଼ିଆ ମିଶେଇଦିଏ ।

 

ରାସ୍ତାକରର ଦେଶୀଆମାନେ ଆପଣାର ଭାଷା ଭୁଲିଗଲେଣି, ବେଶ ଛାଡ଼ିଲେଣି, ତାଙ୍କର ଘର ତିଆରି କି ଘରକରଣାର ପ୍ରାଚୀନ ଶୈଳୀ କେଉଁଦିନୁଁ ଗଲାଣି, ଗଦବାର ଗୋଜିଆ ଘର ମନ୍ଦିର ପରି, ପରଜାର ଚୌଖୁଣ୍ଟ ଘର ରଙ୍ଗ ରଙ୍ଗ ମାଟିରେ ଚିତ୍ରକରା, କନ୍ଧର ଗୋଷ୍ଠୀ ମାନିଆଁ ଏକାସେଣୀକିଆ ଗାଁ ପରିବର୍ତ୍ତେ କେତେଗୁଡ଼ାଏ ଅବର୍ଜିଆ ମେଣ୍ଢାକୁଡ଼ିଆ ସେଠି ।

 

ସାମାଜିକ ଜୀବନରେ ବି ସେହିପରି ବିଭ୍ରାଟ । ନୂଆ ସଭ୍ୟତାର କବଳରେ ପଡ଼ି ସମାଜ ଭାଙ୍ଗିଛି, ସାବୁନ୍-ଧୁଆ ଶାଢ଼ିପିନ୍ଧା ସ୍ତ୍ରୀଲୋକ ବେଶୀ ସାବୁନ୍-ଧୁଆ ବେଶୀ ଧୋବପିନ୍ଧା ବାହାର ପୃଥିବୀର ପୁରୁଷଙ୍କ ଆଡ଼କୁ ଚହଲି ଯାଇଛନ୍ତି, ତେଲୁଗୁ ଦେଶରୁ ଆସି ପଶିଛି ମେହ ଉପଦଂଶ ରୋଗ, ରାସ୍ତାକରର ଦେଶୀଆପଲ୍ଲୀର ହାଡ଼ର ଶସ ଭିତରେ ।

 

କନ୍ଧ ଅଭିଧାନରେ ‘ବେଶ୍ୟା’ ଶବ୍ଦର ପ୍ରତିଶବ୍ଦ ନାହିଁ, ଗଦବା ଅଭିଧାନରେ ନାହିଁ, କିନ୍ତୁ ସୌରପଲ୍ଲୀ ହାଟ, ନାରଣପାଟଣା, ବନ୍ଦୁଗାଁ, ଆଲମଣ୍ଡାର କନ୍ଧ ଓ ଡୁମ୍ରିପୁଟ୍, ସିମିଳିଗୁଡ଼ା, ଜଇନଗର, ନଓରଂପୁରର ଗଦବା, ନାରଣପାଟଣା, କୋରାପୁଟ ପାଖ ଚିନ୍ଦିରିଗାଁ ଓ ଆଉ କେତେ ଅଞ୍ଚଳର ପରଜା ଏବଂ ସବୁ ଅଞ୍ଚଳର ନୂଆ ହାଓ୍ୱା ଲାଗିଥିବା ଖ୍ରୀଷ୍ଟିଆନ୍ ଡମ୍ବ ବା ପାଣ ଏମାନଙ୍କ ଅଭିଧାନରେ ଖରାପ ଶବ୍ଦର ଆବଶ୍ୟକତା କେଉଁଦିନୁଁ ହେଲାଣି, ଜାତି-କ୍ଷୟକାରୀ ରୋଗ ତ ନିଆଁପରି ମାଡ଼ି ଚାଲିଛି । ବଣ ଆଉ ସଡ଼କ ଧୂଳିର ସଂଘର୍ଷରେ ଯେଉଁମାନେ ନୂଆ ରୂପ ପାଉଛନ୍ତି ସେମାନେ ବିଶ୍ୱାମିତ୍ର ସୃଷ୍ଟି ପରି, ସେମାନେ ଉଦ୍ଦେଶ୍ୟହୀନ କାମକ୍ଷୁଧାର ଫଳ, ତାଙ୍କର ଗଠନ ପାଇଁ ବଛାବଛି ନ ଥିଲା କି ଯୋଜନା ନ ଥିଲା । ମସ୍ତିଷ୍କ ଦୁର୍ବଳ, ମନରେ ବିକଟ ପାଶବିକତା, ଦେହରେ ରୋଗ ବା ରୋଗର ଉପରୋଗ ଗଣ୍ଠିବାତ, ପେଟଫୁଲା, ଚେହେରା ବିଶିଷ୍ଟହୀନ,-ସାହାବ ଆଖି ପରି ଆଖି, ବ୍ରାହ୍ମଣ କପାଳ, କନ୍ଧ ଥୋମଣୀ, ଗଦବା ଭ୍ରୂଲତା ।

 

ତାଙ୍କର ଅତୀତ ସରିଛି, ପୁଣି ପୁରୁଷ ପୁରୁଷ ଉତୁରା ଉତୁରିରେ ସେମାନେ ନୂଆ ହୋଇ କେବେ ଦଳ ବାନ୍ଧିବେ । ତାଙ୍କର ଆପଣାର କେଉଁଠି ମୂଳଦୁଆ କେହି ଜାଣେ ନାହିଁ । ସେମାନେ ଗୋତି ମଜୁରିଆ କୁଲି, ସଂଜବୁଡ଼େ ରାସ୍ତା ଉପରେ ଦଳ ଦଳ ହୋଇ ସେମାନେ ଯାଆସ କରୁଥା’ନ୍ତି, ଆଖିରେ ଆଶା ନାହିଁ, ଛାତିରେ ବଳ ନାହିଁ, ସେମାନେ ଦୋକାନ ପାଖେ ଭିଡ଼ ଲଗାଉଥା’ନ୍ତି, ତାଙ୍କର ସ୍ତ୍ରୀ ଲୋକମାନେ ମୁଣ୍ଡରେ ଫୁଲପେନ୍ଥାମାନ ଖୋସି ଲୁଗାଟିମାନ ସଜାଡ଼ି ପିନ୍ଧି ହେଁ ହେଁ ଫେଁ ଫେଁ ହୋଇ ବୁଲୁଥା’ନ୍ତି । ନିଛାଟିଆ ରାସ୍ତାରେ ପୁରୁଷମାନଙ୍କୁ ଦେଖିଲେ ଗୀତ ବୋଲନ୍ତି ।

 

ଏଇ ଅଧା ତିଆରି ପ୍ରେତଦଳଙ୍କ ଭିତରେ କେଉଁ ଦେଶବିଦେଶର କେତେ ବଡ଼ଲୋକ ସାନଲୋକଙ୍କର ପୁଅଝିଅ ଥିବେ କିଏ କହିପାରିବ; ନିଛାଟିଆ ବଙ୍ଗଳାଘର, ବିଲାତ ମଦର ନିଶା, ଘରଭୁଲା ବାଟୋଇ, ତାର ନିର୍ଜନ ବନବାସ, ଲଙ୍ଗଳା ବଣଦେଶ, ସବୁମିଶି ବିଶ୍ୱାମିତ୍ର ସୃଷ୍ଟି, ଅନାବନା । ବାଟରେ ବାଟୋଇ ଚାଲିଯାଇଛି, ସେ ତାର ସମ୍ମାନ ମୁଣ୍ଡେଇ ବାଟ ଚାଲୁଥିବ କେଉଁ ଦୂରଦେଶରେ, ଏଠିତାର ପ୍ରେତ-ସନ୍ତତି ଯେଉଁମାନେ କେଉଁ କୁଳର ନୁହଁନ୍ତି କୁଲି ଗୋତି ସିଟିଏମ୍ ବେଶ୍ୟା ।

 

ସଭ୍ୟତାର ପହିଲି ରୂପ ଭେକ ବଣଦେଶରେ ।

•••

 

ଷୋହଳ

 

ମିଣିଆପାୟୁ ଦୂରରେ ଅଛି ସଭ୍ୟତାଠୁଁ, ବନ୍ଦିକାର ଦୂରରେ ଅଛି, ମିଟିଂ ଦୂରରେ ଅଛି । ସେଠି ବଣ, ବାଘ, ମାଳ, ବାଟ ନାହିଁ । ଅଦ୍ୟାପି ସେଠି କାଉଆହରଡ଼ ବୋବାନ୍ତି, ବଣି ପରି ବସିପଡ଼ନ୍ତି ଶୁଆ-ସାରୀ ଘର ଅଗଣାର ଝଙ୍କା ଗଛରେ, ବାରିରେ ମୟୂର ନାଚନ୍ତି । କନ୍ଧଦେଶର ପ୍ରାଚୀନ ରୀତି ସେଠି ରହିଛି, ଗାଁ ମୁଣ୍ଡିଆଳର ମାନ୍ୟ ଅଛି, ଗଣ-ମତ ଗଣ-ତନ୍ତ୍ର ଅଛି ସାମାଜିକ ଜୀବନରେ । କିନ୍ତୁ ଏଇ ବଣ ଭିତରେ ପୁଣି ତ ବାହାର ପୃଥିବୀର ପ୍ରଭାବ ପଡ଼ିଆସୁଛି ଟିକିଏ ଟିକିଏ । ମେରିଆ ବଳି ବନ୍ଦ ହେଲାଣି, ଅଧିକାରୀମାନେ କମାନ୍ (ଗସ୍ତ) ବୁଲି ଆସନ୍ତି, ସାଲ୍‌ଟୁ (ଅବକାରି) ଲୋକେ ଆସନ୍ତି ମଦରନ୍ଧା ଦେଖି, ବଣ ଗାରଡ଼ (ଜଗୁଆଳି) ବଣମରା ଦେଖି ଆସନ୍ତି, ଆସନ୍ତି ସାହୁକାରମାନେ ହିଡ଼େ ହିଡ଼େ କ୍ଷେତ ଦେଖିବାକୁ, ପ୍ରସାର ବଢ଼େଇବାକୁ । କିନ୍ତୁ ଏ ପର୍ଯ୍ୟନ୍ତ ଏ ଅଞ୍ଚଳକୁ ନାଲି ସଡ଼କ ପଡ଼ି ନାହିଁ । ମାଳର ଗୁମର ପଦାରେ ପଡ଼ିନାହିଁ ଜଗୁଆଳ ଅଛନ୍ତି ବାଘ, ରୋଗ, ପର୍ବତ । ଏହିପରି ଦିନେ, ବଣର ଛାତି ଚିରିଦେଇ ନାଲିରାସ୍ତା ଫିଟିଯିବ । ସେହିବାଟେ ଶଗଡ଼ ବୋଝେଇ ଫସଲ ଚାଲିବ ଅନ୍ଧାରରୁ ଆଲୁଅକୁ, ଗାଡ଼ିବୋଝେଇ ମଣିଷ ଚାଲିବେ ଆସାମ୍ ଚା’ ବଗିଚାକୁ, ବଙ୍ଗଳା ବନ୍ଧାହେବ, ଅଧିକାରୀ ବିଜେ କରିବେ, ଇସ୍କୁଲ୍, ଡାକ୍ତରଖାନା, କଚିରି, ଆହୁରି ଅଧିକାରୀ । ବଣଦେଶ ସଭ୍ୟ ହେବ । ପରିବର୍ତ୍ତନହୀନ କନ୍ଧଦେଶ ଦୁଲୁକୁଥିବ ଯୁଗ-ସଭ୍ୟତାର ଚାପରେ ।

କନ୍ଧ-ଦିସାରି ଆକାଶର ତାରା ଗଣି ଚାଲିଛି, ଭବିଷ୍ୟତକୁ ଅନେଇ ବସିଛି ଦିବ୍ୟ ଦୃଷ୍ଟିରେ । କ’ଣ ଗୁଡ଼ାଏ ଗୋଳମାଳିଆ ହୋଇ ଦିଶେ, ତାର ରୂପ ବୁଝିବାକୁ ଧୈର୍ଯ୍ୟ ରହେ ନାହିଁ, ସେଗୁଡ଼ାକ ମନର ଖିଆଲ୍, ମଦ ଧୂଆଁ ।

ବଣ ସରୁଛି, ବର୍ଷା କମୁଛି, ଘର ଭାଙ୍ଗୁଛି, କ୍ଷେତ ଚାଲିଯାଉଛି । ଜାତି ସରୁଛି, ରକ୍ତ ଗୋଳିଆ ହେଉଛି, ନୂଆ ରୋଗ ଘୋଟୁଛି । ଗହଳ ଚହଳ ବଢ଼ୁଛି, ନାନାପ୍ରକାର ବିଚିତ୍ର ଶବ୍ଦରେ କାନ ଅତରା ପଡ଼ୁଛି, ବଣର ଶବ୍ଦ ଡୁବୁଛି ।

ଚାରିଆଡ଼େ କେଉଁମାନେ ଡେଇଁ ଡେଇଁ ବୁଲୁଛନ୍ତି, ଗଛକୁ ଗଛ, ଘରକୁ ଘର, ସେମାନେ ମୁଷ୍କା (ପାତିମାଙ୍କଡ଼) ନୁହନ୍ତି, ପ୍ରାସ୍କା (ହନୁମାଙ୍କଡ଼) ନୁହନ୍ତି ଅଥଚ ମାଙ୍କଡ଼, ଆଉ ତାଙ୍କର ଲାଙ୍ଗୁଡ଼ରେ ବଡ଼ ବଡ଼ ନିଆଁହୁଳା, ତାହାରି ତାତିରେ ଛଟପଟ ହୋଇ ସେମାନେ ଡେଉଁଛନ୍ତି, ନିଜେ ଜଳୁଛନ୍ତି, ଦେଶ ପୋଡ଼ୁଛନ୍ତି, ପଞ୍ଝାକୁ ପଞ୍ଝା । ଗଛ ନାହିଁ, ପତର ନାହିଁ, ଖାଲି ଲଣ୍ଡା ପଥର । ତାହାରି ଉପରେ ଡେଇଁ ଲାଗିଛନ୍ତି ହୁଳା-ଲାଙ୍ଗୁଡ଼ିଆ ମାଙ୍କଡ଼ । ଗାଁକୁ ଗାଁ, ଦେଶକୁ ଦେଶ ସବୁ ପୋଡ଼ି ଛାରଖାର ହେଉଛି, ଉଠୁଛି ଆକାଶକୁ ଧୂଆଁ, ପୋଡ଼ୁକଲେ ଯେପରି ଧୂଆଁ ଉଠେ । ପୁରୁଖା ଦିସାରି ପାଣ୍ଡ୍ରୁକନ୍ଧ ଏହିପରି କେତେ ସ୍ୱପ୍ନ ଦେଖେ, ମୁଣ୍ଡ ବାଉଳା ଧରେ । ମୁଣ୍ଡ ହଲେଇ ହଲେଇ ଘରକୁ ଯାଇ ପେଟେ ମଦ ପିଇ ସେ ଆଶ୍ୱସ୍ତ ହୁଏ । ତଥାପି କନ୍ଧ-ଦିସାରି ଭାବେ, କତରା ଘୋରିହୋଇ ଶୋଇଲେ ବି ନକ୍ଷତ୍ରଙ୍କ ଯୋଗ କେବେ ତ୍ରାହି ହେବ ନାହିଁ । ଯାହା ହେବାର ତା’ହେବ । ଭାଗ୍ୟର ଦ୍ୱାହି ଦେଇ କନ୍ଧ ଘରକରଣା କରିଯାଏ, ପାହାନ୍ତି ପହରେ ପର୍ବତ ଉପରେ ଆକାଶର ନାଲିଗାର ପରି ବଣ କରେ କରେ ନାଲି ସଡ଼କର ରେଖା, ଧୀରେ ଧୀରେ ସେ ଲମ୍ବେ, ଭିତରକୁ ଭିତରକୁ ।

•••

 

ସତର

 

ଲେଞ୍ଜୁ କନ୍ଧ ଦିଉଡ଼ୁ ସାଓଁତା ସାଙ୍ଗେ ମନେ ମନେ ଅନେକଥର ସନ୍ଧି କରିପକାଏ, ପୁଣି ମନେ ମନେ ଚିଡ଼େ । ଦିଉଡ଼ୁ ତା’ଠୁ ସାତ ସାନ, ତାର ପୁତୁରା, କିନ୍ତୁ ଦିଉଡ଼ୁ ସାଓଁତା, ଲେଞ୍ଜୁକନ୍ଧ ରଇତ; ମାତ୍ର କନ୍ଧଦେଶର ଆଇନ୍ ଅନୁସାରେ ସାଓଁତା ଗାଁର ସର୍ଦ୍ଦାର, ସବୁ ରଇତ ତାର ଅଧୀନ ଆଉ ବାଧ୍ୟ । ସେତେବେଳେ ସେ କାଳରେ ସାଓଁତା ହିଁ ଦଳପତି, ସେ ଯାହାକୁ ଯାହା କହିବ ସେ ତା’ କରିବ । ଦିଉଡ଼ୁ ଆପଣା ଦାଦିଠୁ ସେପରି ବାଧ୍ୟପଣିଆଁ କେବେ ଦାବି କରେ ନାହିଁ, କିନ୍ତୁ ଲେଞ୍ଜୁ କନ୍ଧ ଭାବେ ସେ ଅପମାନିତ ହେଲା । ଭାଇ ମଲା ପଛେ ପଛେ ତା’ ମନରେ ଛଳ ପଶିଛି, ସେ ଓର ଖୋଜୁଛି ଗରଗର ହେବାକୁ ।

 

ସରବୁ ସାଓଁତା କିଛି କହୁ ନ ଥିଲା, ଦିଉଡ଼ୁ ବି କିଛି କହେ ନାହିଁ । ଦିଉଡ଼ୁ ପକ୍ଷରେ ଜଣାପଡ଼େ ଏଇଟା ଅବହେଳା, ବେଖାତିରି । ସରବୁ ସାଓଁତା ପକ୍ଷରେ କ’ଣ ତା ଲେଞ୍ଜୁ କନ୍ଧ କେବେ ଭାବି ନାହିଁ ।

 

ଯେତେବେଳେ ସେ ଘରକୁ ଆସେ ଦେଖେ ଭାଇ ନାହିଁ । ଘର ଖାଇ ଗୋଡ଼ାଏ, କାହିଁକି ଖାଇ ଗୋଡ଼ାଏ ସେ ଜାଣିପାରେ ନାହିଁ । ଖାଲି ଅଶାନ୍ତି ଅଶାନ୍ତି ଲାଗେ, ସବୁବେଳେ ଖେଁ ଖେଁ ଖୁନ୍ତ୍ ଖୁନ୍ତ୍ । ଘରେ ରହିବାକୁ ମନ ହୁଏ ନାହିଁ ।

 

ଘରକୁ ଆସିଲେ ଚୋର ପରି ଲାଗେ । ଥିରି ହୋଇ ସେ ପିଣ୍ଡା ଉପରେ ବସିପଡ଼େ, ଧୁଙ୍ଗିଆ ଖାଏ, ଗାଁଆଡ଼କୁ ଅନାଏଁ ଆଉ ଭାବେ । ଗାଁରେ କାମଧନ୍ଦା ଲାଗିଛି, ଯେତେବେଳେ ଦେଖିଲେ ଲୋକବାକ ସାଲୁରୁ ସାଲୁରୁ ଗହଳ ଚହଳ । କିଏ ବିଲକୁ ଯାଉଛି, କିଏ ବିଲରୁ ଫେରିଲାଣି, କେବଳ ଫସଲ ମୁଣ୍ଡେଇ ମେଞ୍ଚିମାଞ୍ଚି ଲୋକ, ଗାଁ ଦୁଆରେ କୁଟା, ପାଳ, ଫସଲ । ବର୍ଷଯାକର ଅସଲ କଟାକଟି ଏଇଦିନେ, ଏଇଦିନେ ଫସଲ ସାଇତା ହେବ ।

 

ବିଲର ପାଚି ଘରକୁ ଆସେ, ଲେଞ୍ଜୁକନ୍ଧ ଦେଖେ, ଭାଲୁକୁଣୀ ପରି ପାଳଗଦା ତଳେ ଫସଲ ମେଣ୍ଟି ତଳେ ମୁହଁ ଲୁଚେଇ ଆଶାୟୀ ମଣିଷ ଆତଯାତ ହେଉଥା’ନ୍ତି, ତୁଚ୍ଛା କଳରବ । ସେ ନିଜେ ବି ସାଓଁତା ବିଲର ଫସଲ ବୋହିନେଇ ଘରକୁ ଆସେ, ସବୁ ବର୍ଷ ଆସିଛି ଏ ବର୍ଷ ବି ଆସେ-। କିନ୍ତୁ ଗାଁର ଏ ଘରକରଣାକୁ ତୀକ୍ଷ୍‌ଣ ଦୃଷ୍ଟିରେ ଅନାଇଁ ରହି ପିଣ୍ଡାରେ ବସି ଧୁଙ୍ଗିଆ ଖାଇବା ତା’କୁ ଏକରକମ ଭଲଲାଗେ । ପାଖରେ ଦସ୍ରୁ କୁକୁର ବସି ଲାଞ୍ଜ ପିଟୁଥାଏ, ଲେଞ୍ଜୁ କନ୍ଧ ତା’କୁ ଚାପୁଡ଼େଇ ଚାପୁଡ଼େଇ ଆନନ୍ଦ ପାଏ । ଦୁନିଆଁକୁ ଅନେଇଁ ରହି ଶୀତଦିନେ ଉଷୁମ୍ ମନେପଡ଼େ । ଏତେ ଲୋକଙ୍କ ପରି ତାର ଆପଣାର ଖଣ୍ଡେ ନିଆରା ଘର ହୋଇଥା’ନ୍ତା । ମନେପଡ଼େ, ମନେପଡ଼େ କିଏ ସେଠି ଥାଆନ୍ତା, କନ୍ଧଦେଶର ରୀତି ଯେପରି ସେହିପରି ପଛଆଡ଼େ ପିଠିକି ଆଉଜି ବସି ମୁଣ୍ଡରୁ ଉକୁଣି କାଢ଼ି ଦେଉଥା’ନ୍ତା, ପାଣି ତତେଇ ଖରାବେଳେ ଲାଉ ତୁମ୍ବରେ ଡୁମ୍ବେଇ (ବୁଡ଼େଇ) ତା’କୁ ଘଷିପୋଛି ଗାଧେଇ ଦେଉଥା’ନ୍ତା, ମନେପଡ଼େ ବହୁତ କଥା ।

 

ପଛଆଡ଼ୁ ହାକିନାର କାନ୍ଦଣା ଶୁଭେ, ପୁୟୁ ତା’କୁ ବୁଝାଏ । ଲେଞ୍ଜୁ କନ୍ଧର ମନ ଉପରେ କ’ଣ ବିଚିତ୍ର ପରିବର୍ତ୍ତନ ଗୋଟାଏ ଆସେ । ଏଥର ତା’କୁ ଠିକ୍ ପର ପରି ଲାଗେ, ଚୋର ପରି ଲାଗେ, ଥିରି ହୋଇ ଉଠିପଡ଼ି ଯାଏ ସେ କ୍ଷେତକୁ ।

 

ସେଦିନ ପୁୟୁ ପୁଅକୁ ତା’ ହାତକୁ ଟେକି ଦେଇଥିଲା । ଲେଞ୍ଜୁ କନ୍ଧ ପିଲାଙ୍କୁ ଭଲପାଏ, କିନ୍ତୁ ସାନପିଲାକୁ ଧରିବା ତା’ ପକ୍ଷରେ ବଡ଼ କାଠିକର ପାଠ । ଅତିଆଗ୍ରହରେ ତାର ଲମ୍ବା ହାତ ଦି’ଟାକୁ ସେ ବଢ଼େଇ ଦେଇଥିଲା । ହାକିନା ଅଜା ହାତକୁ ଆସିଲା, ତାର ସାନ ସାନ ହାତ ଗୋଡ଼ ଆହୁରି ଛାଟିଲା, ମିଟି ମିଟି ଆଖିରେ ଶୂନ୍ୟକୁ ଅନେଇଁ ବହେ କାନ୍ଦିଲା । ଲେଞ୍ଜୁ କନ୍ଧକୁ ବଡ଼ ମାଡ଼ି ପଡ଼ୁଥାଏ, ବଡ଼ ଯତ୍ନରେ ଭାରି ଡରି ଡରି ପିଲାକୁ ସେ ଧରିଥାଏ, ବଡ଼ ଭୟ, କାଳେ ତାର ରୁକ୍ଷ ପଥୁରିଆ ହାତରେ ଚିପିହୋଇ କଅଁଳିଆ ମାଂସ ବୁଜୁଳାର କିଛି କଷ୍ଟ ହେବ । ଏଇ ପରା ବଂଶଧର, ତାର ଆଉ ତାର ମଲାଭାଇର । ଇଚ୍ଛା ହେଉଥାଏ ପିଲାଟାକୁ ଟେକିଧରି ସେ ନାଚନ୍ତା, ମଦ ପିଇଲେ ଯେମିତି ସେ ନାଚେ, କିନ୍ତୁ ତା’କୁ ମାଡ଼ି ପଡ଼ୁଥାଏ । ବଡ଼ କୁଣ୍ଠିତ କୁଣ୍ଠିତ ହୋଇ ପିଲାର ମୁହଁକୁ ସେ ଅନେଇଁ ରହିଥାଏ । କାନ୍ଦିଉଠି ପିଲାର ମୁହଁ କଳା ପଡ଼ିଗଲା, ପିଲା ମୂତିଲା, ହସି ହସି ପୁୟୁ ପିଲାକୁ ତା’ଠୁ ନେଇଗଲା । ଆପଣାର କାନିରେ ଆପଣା ଦେହରେ ପିଲାକୁ ବାନ୍ଧିଦେଇ ବାହାରି ପଡ଼ିଲା କାମକୁ, ପିଲାର କାନ୍ଦଣା ବନ୍ଦ ହେଲା । ଲେଞ୍ଜୁ ତ୍ରାହି ପାଇଲା, ସେ କୌଣସି ଦାୟିତ୍ୱ ମୁଣ୍ଡେଇବାକୁ ଚାହେଁ ନାହିଁ, ଏ ଦାୟିତ୍ୱ ତାର ନିଜର ନୁହେଁ । ଏହିପରି ଗୋଟାଏ ଗୋଟାଏ ଦିନର ଅନୁଭୂତି ମନରେ ଭାରି ଖେଞ୍ଚା ଦିଏ । କଥାର ଖିଅ ସେ ବୁଝିପାରେ ନାହିଁ, ଯୋଖିପାରେ ନାହିଁ, କେବଳ ଦିଉଡ଼ୁ ଉପରେ ଗରଗର ହୁଏ, ଏ ଘରଠୁ କରଛଡ଼ା ଦିଏ, ଥାଏ ଦୂରେଇ ଦୂରେଇ ।
 

ଶୀତରେ ମଞ୍ଜ ଥରେ । ଦିନରେ ଅନ୍ଧାର ଘୋଟେ ଥରେ ଥରେ, ଲେଞ୍ଜୁ କନ୍ଧ ଅନୁଭବ କରେ ଏତେଦିନର ଚୁପ୍‌ଚାପ୍ ଭିତରୁ ମନଗହୀରରୁ କ’ଣ ଗୋଟାଏ ଉଠିବାକୁ ଚାହେଁ ଜଳିଜଳିକା ଯାହା ଏପରି ଜୀବନକୁ ସ୍ୱୀକାର କରେ ନାହିଁ । ଏଇ ଧାରଣା ତାର ବ୍ୟର୍ଥତାକୁ ଅସ୍ୱୀକାର କରିବାକୁ ଚାହେଁ, ତାର ମୁଣ୍ଡରେ କିଳାବାଡ଼େଇ ଭୁସି ଦେବାକୁ ଚାହେଁ ଯେ ସେ ତିନିଫୋଲିଆ (ମାହାଳିଆ ନୁହେଁ) । ତାର ମୁଣ୍ଡରେ ତମ୍ବାବାଳ ଖଇରିଆ ଧଇଲାଣି, ଗାଲଗୁଡ଼ାକ ପଶିଗଲାଣି, ରୁଢ଼ିଆ ମୁହଁରେ ହାଡ଼ର ଛାଞ୍ଚ । କିନ୍ତୁ ଦିନୁଁଦିନ ଲାଗେ, ଏଇ କଇଦୀଖାନାର କାନ୍ଥ ଭିତରୁ ଖସି ପଳେଇଯିବ ସେ ଦିନେ, ସେତେବେଳେ ତାର ଏ ଖଇରିଆ ବାଳ ଆଉ ହାଡ଼ୁଆ ମୁହଁ ହାରିଯିବ, ପୁଣି ସେ ସେମିତି ବଞ୍ଚିବ ଯେପରି ସେ ବଞ୍ଚିଥା’ନ୍ତା । ଶୋଷ ବଢ଼େ । କିଛି ଗୋଟାଏ କରିବା ଦରକାର, ନ ହେଲେ ସେ ବୁଢ଼ା ହୋଇଯିବ, ଆୟୁଷ ସରିଯିବ, ତେଣିକି ଏଡ଼େ ବଡ଼ ଜୀବନଟା ଗଲା ।

 

ଏତେଦିନ କାଳ କ’ଣ ଗୋଟାଏ ଅନ୍ତରାୟ ଥିଲା, ତାରି ନାଁ ବୋଧହୁଏ ସରବୁ ସାଓଁତା-। ଗୋଟି ଗୋଟି କରି ଲେଞ୍ଜୁ କନ୍ଧ ତାଲିକା କରିବସେ, ତାର ଦରକାର କ’ଣ । ହୃଦୟ ବୁଝେ, ମନ ଭିତରେ କଥାଟା ପଡ଼ିଲାକୁ ଲୁଚେଇ ଭାବିହୁଏ । ତାର ଦରକାର ଜୀବନ, ଯାହା ଚାଲିଯାଇଛି ତା ତାର ଦରକାର, ସବୁ ନୂଆହୋଇ ।

 

କେଡ଼େ ଚଞ୍ଚଳ ଚାଲିଯାଉଛି ତାର ଜୀବନ, ତାର ମାପ, ଆପଣା ଭାଇର ମୃତ୍ୟୁ, ଦିଉଡ଼ୁର ପୁଅ ହେବା, କାଲିକା ଟୋକାଟା ସେ । ସମୟ ଯାଉଥାଏ, ଗୋଟାଏ ଗୋଟାଏ ଘଟଣା ଚେତେଇଦିଏ ଭାବିବାକୁ ଯେ କେତେ ଗଲାଣି ।

 

ମାପିବସିଲେ ହିସାବ କଷିହୁଏ, କ’ଣ ଲାଭ କ’ଣ କ୍ଷତି ।

 

ଉଦ୍‌ବେଗ ଆସେ କ୍ଷତି ଉପରେ ଲାଭ କରିନେବାକୁ । ଲେଞ୍ଜୁ କନ୍ଧ ଘର କରିବାକୁ ଛଟପଟ ହୁଏ ।

 

ଭାଇ ମଲା ପରେ, କାଲିକାର ଟୋକା ଏ ଦିଉଡ଼ୁ ଲେଞ୍ଜୁ କନ୍ଧକୁ ଲାଗେ ସେହି ତା ପ୍ରତି ଟାହି ଟାପରା, ତାର ଥୁଣ୍ଟା ଲଣ୍ଡା ଜୀବନଟା ପ୍ରତି ଗୋଟାଏ ଦାନ୍ତୁରା ବିଦ୍ରୂପ । ଦାଦି ପୁତୁରା ଦୁହେଁ ମଦ ପିଅନ୍ତି, ଦୁହେଁ ମାତି ଗଡ଼ନ୍ତି, ଦୁହେଁ ପୁଣି ଆସନ୍ତି ସେହି ଏକା ଘରକୁ । କିନ୍ତୁ ପୁତୁରାର ବୟସ ଆଉ ଘରସଂସାର, ପୁତୁରାର ସାମ୍ନାର ବଡ଼ ଜୀବନଟା, ଦାଦିର ଲଣ୍ଡା ପଥର ପରି ଅସ୍ତିତ୍ୱ ପଛକୁ ଢଳିପଡ଼ୁଛି ଅସ୍ତଗାମୀ ସୂର୍ଯ୍ୟ ସେପାରିର ଅନ୍ଧାର ଆଡ଼କୁ । ସେଇ ତାର ଅଭିମାନ, ତାର ସବୁ ଛଟପଟ ବାହାରେ । ସେ ନିରୁଦ୍ଦେଶ, ସେ ନିଷ୍କ୍ରିୟ, ସେ ବିଧାତାର ଉପହାସ, ପଥରପରି ନିଶ୍ଚଳ ହୋଇ ଯେ ବସିଥାଏ, ଖାଲୁଆ ଗାଲ ଉପରେ ଅଣନିଶ୍ୱାସୀ ଯେତେ ଭାବନା ଘୂରେଇ କପାଳରେ ଭାବନାର ଛାଇ, ଆଖି ଶୂନ୍ୟକୁ । ନିଶ୍ଚଳ ହୋଇ ସେ ବସିଥାଏ, ତାର ଅଧିକାର ଖାଲି ଦେଖିବାରେ-। ସେ ପଇଁଚାଳିଶ, ସେ ଅଜା ସ୍ଥାନୀୟ, ବାପ ସ୍ଥାନୀୟ । ଟୋକୀମାନେ କେବେ ତାକୁ ଭାବିବେ ନାହିଁ ଆପଣାର ସାଙ୍ଗୀ ବୋଲି, ତାର ଛାଇ ପଡ଼ିଲେ ଟୋକୀମାନେ ଖାଲି ଭାବିବେ ଆକଟି ହେଲାପରି ସିନା, କାହାରି ଈର୍ଷା ହେବ ନାହିଁ ତା’ ପ୍ରତି, ସେ ଥାଇ ନ ଥିଲା ପରି ।

 

କ୍ଷେତ ପାଖେ ପାଖେ ଖଳା, କୋଠାର, ଦିନବେଳେ ଖଳା ପଛଆଡ଼େ ବୁଦା ଉଢ଼ୁଆଳରେ କିଏ କେତେ ଗପି ଯାଆନ୍ତି, ଫୁସ୍‌ଫୁସ୍ କଥା ଥିରି ଥିରି ହସ, ସାକୁଲାସାକୁଲି ଫୁସ୍‌ଲାଫୁସୁଲି । ବାଁରେଇ ହୋଇ ଲେଞ୍ଜୁ କନ୍ଧ ବୁଲିଯାଏ । ଏଇଦିନେ ଖରାବେଳେ ନିଛାଟିଆ ବଣ ପାଲି ପାଲି ବୁଲିବାକୁ ଭାରି ଭଲଲାଗେ, କେଜାଣି କେଉଁଠି କାଳେ ହରିଣ ସମ୍ବର ଉତୁରିଥିବେ । ଲେଞ୍ଜୁ କନ୍ଧ ବୁଲିଯାଏ, ପତ୍ର ସନ୍ଧିରେ ନିରେଖି ଦେଖେ, କାନ ଶବ୍ଦ ବାରିବାକୁ ଟାଣିହୋଇ ରହେ, ଶୁଭେ ଟୋକାଟୋକୀଙ୍କ କଥାଭାଷା, ଖୁସିଗପ । ଲେଞ୍ଜୁ କନ୍ଧର ଓଠରେ ହସ ଖେଳେ, ଦେହରେ ରକ୍ତ ବେଗି ଚାଲେ, ସେ ଆଗାଏ । ତାର ପାହୁଲ ଶବ୍ଦରେ ତାର ଛାଇ ଚହଲାରେ ଗଛରୁ ଚଢ଼େଇ ଉଡ଼ିଯାଆନ୍ତି, ଟୋକାଟୋକୀ ଚମକିପଡ଼ି ତୁନି ହୁଅନ୍ତି, କିଏ କେଉଁଠି ନେପ୍‌ଟି ଯାଏ, କିଏ ହସି ହସି ଉଛୁଳି ଦଉଡ଼ି ପଳାନ୍ତି ଏପାଖ ସେପାଖ । ଲେଞ୍ଜୁ କନ୍ଧ କେବଳ ହୁରୁଡ଼ାଏ, ବୟୋବୃଦ୍ଧ ମାନ୍ୟଲୋକ ସେ ।

 

ଗୋଟାଏ କିମ୍ଭୂତ କିଂପୁରୁଷ ସେ । କେହି ପାଛୋଟି ଆସନ୍ତି ନାହିଁ ହସିହସିକା, କେହି କଅଁଳେଇ କହେ ନାହିଁ ‘ଏସ୍ନେଦା ଦାସ୍ନାଦା’ ‘ଲାସ୍ନାଜା କୁସ୍ନୁଇ’ । ସେ ଭୂତପରି ବୁଲିବୁଲି ଫେରେ । ଆଖି ଚକପରି ବୁଲିବୁଲିକା ଦେଖେ, କାନ ଶୁଣେ, ରକ୍ତ ତାତେ, କିନ୍ତୁ ଖାଲି ଦେଖେଣାହାରି ସେ, ନିଜକୁ ପତିଆରା ଦେଖାଇ ମୁଣ୍ଡ ହଲେଇବା ଛଡ଼ା ଆଉ କିଛି ନାହିଁ ତା’ ଭାଗରେ ।

 

ତାର ଭାବନା ସଙ୍ଗେ ସଙ୍ଗେ ବାହାର ପୃଥିବୀର ତା’ ପ୍ରତି ସମ୍ବନ୍ଧଶୀଳ ବ୍ୟବହାର ତାଳ ଦେଇପାରେ ନାହିଁ । ତା’ ଅଭିଯୋଗ ମନେ ମନେ ମରେ ।

 

ଏଣିକି ତାର ମନରେ ନିତି ବିକାର ଆସେ, ସେ ଜାଣି ଜାଣି ମନକୁ ମତାଏ, ଖୋଜେ ଧାଂଡୀ, ପାଏ ନାହିଁ, ହତାଶ ହୋଇ ଫେରେ । ଯେତେ ମନକୁ ମତାଏ ସେତେ ତାର ଶୋଷ ବଢ଼େ, ବାହାରେ ପଇଁଚାଳିଶ ବରଷର ସମାଜପତି ସେ, ସେହି ମୁଣ୍ଡ ଟୁଙ୍ଗାରିବା ଖେଳ ତା’କୁ ବଞ୍ଚେଇ ରଖିବାକୁ ପଡ଼େ ଆପଣାକୁ ଠକି ଠକିକା ।

 

ମଣିଷ ବୟସର ହିସାବ ରଖେ ନାହିଁ, ବୟସ ହିସାବ ରଖେ ମଣିଷର । ଏକା ବୟସର ଟୋକାଟୋକୀମାନେ, ନିଜ ନିଜର ସମୟ ଅନୁସାରେ ସେମାନେ ଗୋଟିଏ ଗୋଟିଏ ଦଳ ଗଢ଼ିଛନ୍ତି-

 

ଦଳ ଚାରିପାଖେ ଦୁର୍ଭେଦ୍ୟ ଜାଲିବାଡ଼, ସେହି ଜାଲିବାଡ଼ ସେପାଖେ ଲେଞ୍ଜୁ କନ୍ଧ ଉଙ୍କିମାରେ ସିନା ଗୋଠଖଣ୍ଡିଆ ଗୋରୁପରି, ପଶିବାକୁ ଉପାୟ ନାହିଁ ଖାଲି ହାଇଁପାଇଁ ।

 

ଆପଣାର ଘାଉଡ଼ା ମନ ସାଇତିବାକୁ ଯାଇ ସେ ଦିଉଡ଼ୁ ସଙ୍ଗେ କଜିଆ କରେ । କଜିଆ କଲେ ଅଭିମାନ କଲେ ଘା’ ଚାରିପାଖକୁ ଖୋଳପା ଆଞ୍ଚୁଡ଼ି ହୁଏ ଘା’ ବଢ଼େ କିନ୍ତୁ ମନ ଶାନ୍ତି ହୁଏ ।

 

ସେଦିନ ଦିପହରେ ଖାଇସାରି କ୍ଷେତ ପାଖେ ଟହଲ ଦେଲାବେଳେ ସେ ଦେଖୁଥାଏ କାମକଲା ଟୋକୀମାନେ ଏ ଗାଁର ଆଉ ପରଗାଁର ଏକର ସେକର ହେଉଥା’ନ୍ତି । ଫସଲ କଟାକଟି ଧୁମ୍ ଲାଗିଛି । ମାଛ ମରାବେଳେ ଚଢ଼େଇ ଆଉ ଫସଲ କଟାବେଳେ ଫସଲ ଅମଳ ବେଳେ ମଣିଷ ସାଲୁରୁ ସାଲୁରୁ ହେଉଥା’ନ୍ତି । ସ୍ଥାନେ ସ୍ଥାନେ ଅରମା ସଫାହୋଇ ଅରାଏ ଅରାଏ ଅମଳ କରିବା ଜାଗା, ଫସଲ ଗଦେଇବା ଜାଗା ତିଆରି ହୋଇଛି । ଅମଳ କରିବା ଜାଗାରେ ଘିଅ ସିନ୍ଦୂର ଫୁଲର ଚିହ୍ନ, ଫସଲ ସାଇତିବା ସ୍ଥଳରେ କଣ୍ଟା ଛୁଆଣି ହୋଇ ଉଞ୍ଚ ଉଞ୍ଚ ଗଦା, ଚାରିକରରେ ନେବା ଆଣିବା କରିବାକୁ ଟୋକୀ ପଲପଲ । ଦିଉଡ଼ୁ ସାଓଁତା ଆସିଲା, ମଦ ପିଇ ଆଖି ନାଲ୍‌କରି ମାତି ଆସିଛି ସୋମାତି ମାତି ଗୀତ ବୋଲି ବୋଲି ଏକର ସେକର ଟଳିଯାଏ, ଟୋକୀମାନେ ହସିହସି ତା’କୁ ସହିଯାଆନ୍ତି । ଲେଞ୍ଜୁ କନ୍ଧକୁ ବଡ଼ ଅଡ଼ୁଆ ଲାଗିଲା । ଧୀରେ ଧୀରେ ରାଗ ଚଢ଼ିଲା । ଦିଉଡ଼ୁ ଆଗେ ଏମିତି ନ ଥିଲା, ଏତେଥର ସେ ନିଶାପାଣି ଖାଇ ମାତେ ନାହିଁ, ଏମିତି ବେଆଡ଼ା ସେ ହୁଏ ନାହିଁ । କେଉଁଠି ପଛଆଡ଼ କରି ଟୋକୀ ପଲେ କଟା ଫସଲ ବାନ୍ଧିବାରେ ବ୍ୟସ୍ତ, ପଛଆଡ଼ୁ ଟଳିଟଳିକା ତାଡ଼ିନେଉଛି ମଦୁଆ ଦିଉଡ଼ୁ, ଟୋକୀମାନେ ଅପ୍ରସ୍ତୁତ ହୋଇ ହସି ହସିକା ତିତିର୍‌ ବିତିର୍ ପଳୋଉଛନ୍ତି । ଲେଞ୍ଜୁ କନ୍ଧ ଭାବିଲା ଏଗୁଡ଼ା ଭଲ କଥା ନୁହେଁ, ସାଓଁତା ପକ୍ଷରେ ଏସବୁ ଭେସଡ଼ ନବଜ ଦିନ ଦିପହରେ ଖୋଲା କ୍ଷେତରେ ସାଜେ ନାହିଁ । ମଦୁଆଲୋକ, କହିଲେ ଶୁଣିବ ନାହିଁ, ମିଛରେ ଗୋଳ ଲାଗିବ ତାକୁ ବାଛିଲେ ।

 

ଭାବିଲା ପୁଅର ବାପ ହୋଇ ଗାଁର ସାଓଁତା ହୋଇ ଦିଉଡ଼ୁର ମୁଣ୍ଡକୁ ପିତ୍ତ ଚଢ଼ିଛି, ଏମିତି ସେ ନଷ୍ଟ ହେବ ।

 

ବିରକ୍ତ ଲାଗିଲା । ଏ ଟୋକାଟୋକୀଗୁଡ଼ାକ,-ଛି-!

 

ସେଠୁ ଭୁଟୁରୁ ଭୁଟୁରୁ ହୋଇ ଚାଲି ଲେଞ୍ଜୁ କନ୍ଧ ଭାବିଲା ହେଇ ସେ ଆମ୍ବଗଛ ଛାଇରେ ଟିକିଏ ବସିବ । ସେଠି ସାନପିଲାଗୁଡ଼ିଏ ଡିଆଁ ଡେଇଁ ଦଉଡ଼ାଦଉଡ଼ି କରି ଖେଳୁଛନ୍ତି, ପିଲାଙ୍କର ଖେଳ ତାକୁ ସବୁଦିନେ ଭଲ ଲାଗେ । ଗୋଟିକିଆ ଆମ୍ବଗଛର ଛାଇ ହାତ ହଲେଇ ଡାକୁଛି । ଆମ୍ବଗଛ ସେକର ଜାମିରି କନ୍ଧର ଧାନଜମି, ସେଠି ସ୍ତ୍ରୀଲୋକଟିଏ ଟୋକେଇ କାଖେଇ ନଇଁପଡ଼ି ଠାଆକୁ ଠାଆ ବୁଲି କ’ଣ ଗୋଟାଉଛି, ଦିଶୁଥିଲା । ଦିଶୁଥିଲା ସେ ଭୁର୍ଷାମୁଣ୍ଡା ବାରିକର ବୋହୂ ବାଲ୍‍ମୁଣ୍ଡା ଡମ୍ବର ସ୍ତ୍ରୀ ସୋନାଦେଈ । ଆମ୍ବଗଛର ଛାଇ ଭଲ, ସେଠି ପିଲାମାନେ ଖେଳୁଛନ୍ତି, ଲେଞ୍ଜୁ କନ୍ଧ ସେଠିକି ଚାଲିଲା ।

 

କରପଟିଆ ହୋଇ ଜାଗାଟି । ‘ହେ ଭାଇ, କ’ଣ ଖେଳୁଛ ତୁମେ ?’ ‘ଆମେ ଠେକୁଆ ଶିକାର ଖେଳୁଛୁଁ, ଠେକୁଆ ଆଉ ବଣକୁକୁର । ଆମେ ଠେକୁଆ, ଆମେ ପଳେଇବୁ ।’ ‘ଆମେ ବଣକୁକୁର, ଆମେ, ଘାଟି ଜଗିବୁଁ, ହୁରୁଡ଼େଇବୁଁ, ଧରିବୁଁ ।’ ପିଲାଏ ଖୁବ୍ ଆଗ୍ରହରେ ଜବାବ ଦେଲେ ଘୋଘା ହୋଇ ।

 

ସୋନାଦେଈ ଧାନ ଗୋଟୋଉଛି । ଫସଲ କଟାହୋଇ ଗଲାପରେ ଗରିବଗୁରୁବା ଟୋକେଇ ଧରି ଏମିତି ବୁଲିବୁଲି ଗୋଟେଇ ଗୋଟେଇ କିଛି କିଛି ପାଆନ୍ତି । ସୋନାଦେଈ ବୋଧହୁଏ ସେପାଖ କ୍ଷେତର ସାରିଲାଣି, ୟାଡ଼କୁ ଆସୁଛି । ପ୍ରକୃତରେ, କେତେ କଷ୍ଟ କରୁଛି ଡମ୍ବ ବୋହୂଟା !

 

‘ହେ ଭାଇ, ଖରାରେ ଏମିତି ଦଉଡ଼ୁଛ, ପଥରରେ ଗୋଡ଼ ହାତ ଛିଣ୍ଡିଯିବ, ଲହୁ ଲୁହାଣ ହେବ, ବାପା ଗାଳିଦେବ !’

 

‘କିରେ ଏମିତି ଦୁମ୍ ଦୁମ୍ ହେଉଚ କାହିଁକିରେ ପିଲାଏ ତୁମେ ଶାନ୍ତ ହୋଇ ଖେଳ-କେଡ଼େ ଦୁଷ୍ଟରେ ପିଲାଏ ତୁମେ !’

 

ଆମ୍ବଗଛ ଛାଇ । ପିଲାଙ୍କର ଖେଳ । ସୋନାଦେଈ ଏପାଖକୁ ଆସୁଛି । ସତେ ତ, ଏଇ ପାଖେ ବେଶୀ ଧାନ ତଳେ ପଡ଼ିଥିବ, କେଡ଼େ ଓଲମିଟା ସେ ।

 

ଲେଞ୍ଜୁ କନ୍ଧର ନୀତିବାକ୍ୟ ପିଲାଙ୍କୁ ଚେତେଇଦେଲା । ସତେ ତ, ସେ ତାଙ୍କର ସାଙ୍ଗ ସରିସା ନୁହେଁ, ସେମାନେ ହୁରୁଡ଼ିଲେ, ଅବଧାନ ନିଜର ପରିଚୟ ଦେଲେ ପିଲାଏ ଯେମିତି ଭାଗନ୍ତି ଖେଳର ଜାଗା ଦୂରକୁ ଘୁଞ୍ଚେଇ ନେଲେ-ଦୂରକୁ-ଯେପରି ନ ଦିଶିବ, ଉଢ଼ୁଆଳ ଗୋଟାଏ ବଡ଼ ପଥର ।

 

ଦାର୍ଶନିକ ଲେଞ୍ଜୁ କନ୍ଧ ତୁନିହୋଇ ହିଡ଼ମୁଣ୍ଡରେ ବସି ଧୁଙ୍ଗିଆ ଲଗେଇ ଦେଲା । ଦିଉଡ଼ୁକୁ ମନେ ମନେ ଗାଳି ଦେଲା, ବଡ଼ ଅକୁହାର ହୋଇଯାଉଛି ସେ । ସୋନାଦେଈ ଗଛ ପାଖକୁ ଆସି ବିଲରୁ ଧାନ ଗୋଟେଇଲା, ଲେଞ୍ଜୁ କନ୍ଧକୁ ଗଛର ଛାଇ ଭଲ ଲାଗିଲା, ଭଲ ଲାଗିଲା ଧୁଙ୍ଗିଆ ଧୂଆଁର ଲମ୍ବାଟଣା ଛାତିଭର୍ତ୍ତି ।

 

ସୋନାଦେଈ କିଛି ମୁହଁରେ କହେ ନାହିଁ, କିନ୍ତୁ କେଡ଼େ ସୁଖର ତାର ହାବଭାବ, ତାର ଭଙ୍ଗୀ, ତାର ମାଂସପେଶୀର ଗଢ଼ାଣ, ସେହିସବୁ ଏକାଠି ହୋଇ କଥା କହେ, କହେ ନିଆଶ୍ରୀ ମୁଁ, ସ୍ୱାମୀ ମୋର ନିପାରଗ ।

 

ମୋର ଦେହ ଅଛି, ମନ ଅଛି, ସବୁ ଅଛି, କିନ୍ତୁ ସୁଅ ତୋଡ଼ରେ ଫୁଲ ମୁଁ ଆଶ୍ରା ଚାହେଁ । କହେ, ଦେଖ ମୋର ଯୌବନ, ଏତେ ଥାଇ ମୁଁ ଶୋଷୀ, ପାଣି ମନ୍ଦାଏ ଦେବ କିଏ ?

 

ସଂସାର ଉପରେ ବୋଝ ଦାୟିତ୍ୱ ସେ, ଏଇ ସୋନାଦେଈ । କେଡ଼େ ସୁନ୍ଦର କେତେ ଡଉଲ । ଖରାଏ ଖରାଏ ବିଲଯାକ ବୁଲି ଧାନ ଗୋଟାଇବା ତା’କୁ ସାଜେ ନାହିଁ । କେଡ଼େ ପରିଶ୍ରମ-!

 

ସୋନାଦେଈ ମୁହଁ ଟେକି ଅନାଏଁ, ଡବଡବ ଆଖି ଯୋଡ଼ିକ ସ୍ଥିର ରଖେ କିଛି ସମୟ, ଲେଞ୍ଜୁକୁ ନ ଅନେଇ ତା’ ଭିତର ଦେଖି ଆହୁରି ଦୂରକୁ ଅନେଇ ଦିଏ, ପୁଣି କାମ କରେ । ଲେଞ୍ଜୁ କନ୍ଧକୁ କେମିତି କେମିତି ଲାଗେ ।

 

‘ତତେ ପଠେଇ ଦେଇ ସବୁଲୋକ ପାର, ହଇଲୋ ସୋନାଦେଈ, ବାରିକ ବୁଢ଼ା କୁଆଡ଼େ ଗଲା ?’ ସୋନାଦେଈ ମୁରୁକି ହସିଦେଲା । କହିଲା, ‘ଯେଝା ଯେଝା କାମରେ ଯାଇଛନ୍ତି-।’

 

‘ଏତେ ଖରାରେ ବୁଲୁଛୁ କାହିଁକି ଟିକିଏ କେଉଁଠି ବସି ଯାଉନୁ ?’

ସୋନାଦେଈ ହସିଲା, କାମ ମଝିରେ କଣେଇଁ କଣେଇଁ ଦେଖିଲା ।

 

ଭଲ ଲାଗିଲା ଲେଞ୍ଜୁ କନ୍ଧକୁ । ତାର ମୁହଁର ପାଣି ବଦଳିଗଲା, ଛଟପଟ ଲାଗିଲା । ସୋନାଦେଈ ଧାନ ଗୋଟେଇ ଗୋଟେଇ ଆଗକୁ ମାଡ଼ିଲା । ବେକ ଭାଙ୍ଗି ଅନେଇଁ ପୁଣି ମୁହଁ ବୁଲେଇ ନିଏ । ସୋନାଦେଈ ମାଣ୍ଟେଇ ମାଣ୍ଟେଇ ଦୂର କ୍ଷେତକୁ ଚାଲିଗଲା, ଲେଞ୍ଜୁ କନ୍ଧ ଦେଖିଲା ପିଲାଙ୍କର ଖେଳ ନାହିଁ, କେତେବେଳୁ ଏଠି ଛାଇ ନାହିଁ, ଖରାଟା ମୁହାଁମୁହିଁ ପଡ଼ିଲାଣି ।

 

ଲେଞ୍ଜୁ କନ୍ଧ ଉଠି ଚାଲିଗଲା ।

•••

 

ଅଠର

 

ମିଣିଆକା ହାକିନା କନ୍ଧିସ୍ଥାନ୍‌କୁ ଆସିଲାଣି ପ୍ରାୟ ମାସେ ହେବ, ସାନ ପିଲାଟିଏ ସେ, କିନ୍ତୁ ତାର ବି ଏ ପୃଥିବୀ ଉପରେ ସମାନ ଅଧିକାର । ମଣିଷ ଦେହର ମନର ଯାହା ଦରକାର ସବୁ ତା’ରି ଅଛି, ସେ ସମ୍ପୂର୍ଣ୍ଣ ଅଥବା ଅସମ୍ପୂର୍ଣ୍ଣ ସେତିକି ମାପରେ ଯେପରି ପୃଥିବୀର ଆଉ ସବୁଠି ମଣିଷପିଲା ସମ୍ପୂର୍ଣ୍ଣ କି ଅସମ୍ପୂର୍ଣ୍ଣ । ତାର ଜନ୍ମଦିନ କେଉଁଠି ଲେଖା ହୋଇ ନାହିଁ, ତାର ଜାତକ ନାହିଁ କି ପାଞ୍ଜି ନାହିଁ, କେହି ତାର ଜନ୍ମଦିବସ ପାଳି ନାହାନ୍ତି, ତାର ଜନ୍ମରେ ରାଜ୍ୟରେ ଚହଳ ପଡ଼ି ଯାଇ ନାହିଁ କି ତାର ସ୍ମାରକ ପ୍ରତିଚ୍ଛବି କେଉଁଠି ଛାପା ହୋଇ ନାହିଁ । ସଂସାରର ଅଗଣିତ ପିଲାଙ୍କ ପରି ଜଣେ ସେ ।

 

କିନ୍ତୁ ଆକାଶର ନକ୍ଷତ୍ର ଯୋଗ ଦେଇଛି ସେ ରାଜା ହେବ ନାହିଁ, ତାର ବୋଇତ ଭାସିବ ନାହିଁ, ସେ ମଣିଷକୁ ଖେଳେନା କରି ଫୋପାଡ଼ିବ ନାହିଁ, ନଚେଇବ ନାହିଁ, ଖଟେଇବ ନାହିଁ, ତୋଳିବ ନାହିଁ ମାହାଲା ମାହାଲା କୋଠା ରାବଣା ସାହୁକାରର ସ୍ୱର୍ଗକୁ ନିଶୁଣି ପରି । ଅନେକ ‘ନାହିଁ ନାହିଁ’ ଅଛି ତାର ଜୀବନରେ, ନକ୍ଷତ୍ର ଯୋଗ ଦେଇଛି ।

 

ଦଇବ ତା’ ପାଇଁ ପଘା ଖଣ୍ଡେ ତିଆରି କରି ଖଟେଇ ଦେଇଛି ଖୁଣ୍ଟରେ, ସେତିକିରେ ସେ ଚରିବ ବୁଲିବ, ତା’ ବାହାରକୁ-ନାହିଁ ନାହିଁ କେବଳ ।

 

ପୁଅଟିଏ ହୁଏ, ମା କଳ୍ପନା କରେ କ’ଣ ହେବ ତା କପାଳ, ସ୍ନେହରେ ସିନା ମୁଣ୍ଡ ଉପରେ ଆଙ୍ଗୁଠିରେ ଆଉଁଶି ଆଉଁଶି ଭାବେ ସତେ ଏ ବକଟକ ମଣିଷ ହେବ, କ’ଣ ଅଛି ୟା ଭାଗ୍ୟରେ ଟି ! ଦେବତାଙ୍କୁ ମନାସେ, ବାର ଲାଞ୍ଚ ଯାଚେ, ଦୈବଜ୍ଞାକୁ ଲୁଚେଇ ଲୁଚେଇ ଡାକେ, ଆଉ ପଚାରି ବୁଝେ, ସବୁ ଭଲଟି, ନା କ’ଣ କହ କହ । ଦୈବଜ୍ଞ, ଖଡ଼ି ପକାଏ, ପାଗଯୋଗ ହିସାବ କରେ, ମୋଟାମୋଟି କଷାକଷିରେ କହିଦିଏ ଯୋଗ ଅନୁସାରେ କ’ଣ ହେବ । ମା ସେତିକିରେ ସନ୍ତୋଷ ପାଏ ।

 

ଦୈବଜ୍ଞ କହେ ନାହିଁ କ’ଣ ହେବ ନାହିଁ ।

 

କେଉଁଥିରେ କମ୍ ମିଣିଆକା ହାକିନା ତା ସାଙ୍ଗର ପୃଥିବୀରେ ଅନ୍ୟ ଯେଉଁମାନେ ଜନ୍ମ ହୋଇଛନ୍ତି ତାଙ୍କଠାରୁ ? ଅଥଚ ଅନେକ ଜୁଲୁମ ଅନେକ ଭୋଗ ବାକି ରହିଯିବ ତା’ କପାଳରେ, ତାର ସାଙ୍ଗର ପିଲା ବଡ଼ ହେଲେ ତା’ ପାଇଁ ଆଇନ୍ ବାନ୍ଧି ଦେବେ, କରିବେ ଝୋଳ ଝୋଳ ଫଳ ଫଳ, ତା’କୁ କାଠିରେ ନଚେଇବେ । ସେ ଗରିବ ଭାଇ, ସେ କନ୍ଧିଆ ଭାଇ ।

 

ଯେତେ ଜନ୍ମ ହୁଅନ୍ତି ଅଧିକାଂଶ ତା’ ଭିତରୁ ବୁଝିପାରନ୍ତି ନାହିଁ ତାଙ୍କ ଜୀବନରେ ‘ନାହିଁ ନାହିଁ’ କେତେ । ତାଙ୍କର କଳ ବି ପ୍ରଶ୍ନ ନ ପଚାରି ଗଡ଼ିଚାଲେ, ଯାହା ପାଆନ୍ତି ତା’ ଗୋଟେଇ ନିଅନ୍ତି ହେଉ ଖଣ୍ଡିଆ ବିଡ଼ି କି ସୀତାଭୋଗ ମିଠେଇ, ଜାତକ ଅନୁସାରେ ପାଇଥିବାଟାକୁ ମିଳେଇ ବୁଝିନିଅନ୍ତି ନ ପାଇଥିବା ପଦାର୍ଥର ହିସାବ ନାହିଁ, ଖାଆନ୍ତି ପିଅନ୍ତି, ଆଉ ଦଶ ଜଣଙ୍କ ସାଙ୍ଗରେ ସାମ୍ନାକୁ ମୁହଁ କରି ମଡ଼ାବାଟରେ ଚାଲିଯାଆନ୍ତି ଶେଷ ପର୍ଯ୍ୟନ୍ତ ।

 

ଅଳ୍ପ କେଇଜଣ, ସେମାନେ ଗୋଠ ଅଡ଼ାନ୍ତି, ତାଲିକାରେ ନାଁ ଉଠେ ତାଙ୍କରି, ତାଙ୍କରି ଇଙ୍ଗିତରେ ପୃଥିବୀରେ ତୋଫାନ୍ ଉଠେ, ବଜ୍ର ଘଡ଼ଘଡ଼ି ଅଜାଡ଼େ, ଠେକୁଆ ବେଶୀ, ବଣକୁକୁର ଅଳ୍ପ ।

 

ମିଣିଆକା ହାକିନା ପୃଥିବୀଟାକୁ ଦେଖେ ମା ଛାତିରୁ, ଉଷୁମ୍ ନରମ, ଅଭାବ ନାହିଁ, ଝରଣାର ଅସରନ୍ତି ଧାର ପରି କଳେ କଳେ ମା ଖିର, କି ସୁନ୍ଦର ଖୋଲା ଆକାଶ ନେଳି ଆକାଶ, କାହିଁ ହିଡ଼ବାଡ଼ ନାହିଁ ତ ସେଠି !

 

ସେହି ଆରାମ୍‌ରେ ମିଣିଆକା ହାକିନା ଆଖି ମିଟିକା ମାରେ, ଦେଖେ ଏକସେଣିକିଆ ଦି ସାଉଡ଼ି ଘର, ସବୁଠିଁ ଚୁଲି ସବୁଠିଁ ଉଷୁମ୍, ସମାନ ।

 

ମଣିଷମାନଙ୍କୁ ସେ ଅନାଏଁ ଛାତିଏ ଉଞ୍ଚରୁ, କେହି ତା ଆଖିରେ ଊଣା ଅଧିକା ଦିଶନ୍ତି ନାହିଁ, ହଲିଲା ଚାଲିଲା ଗୁଡ଼ାଏ ମୁହଁ, ସ୍ଥିର ରହିଛି ଯେ ସେ ତାର ମା, ସବୁବେଳେ ଏକାପରି । ବେଳେ ବେଳେ ହାକିନାର ପୃଥିବୀଟା ଦୋହଲେ । ଖଣ୍ଡେ ଟୋକେଇରେ ପଶି ଓରାରୁ ନ ହେଲେ ଗଛ ଡାଳରୁ ଓହଳିଥାଏ ସେ । ଚିହ୍ନା ମୁହଁଗୁଡ଼ାକ ପାଖରେ ନ ଥାଏ, ହାକିନାକୁ ନିଦ ମାଡ଼େ । କେତେବେଳେ ଖାଲି ତଳଟାରେ ପଦାରେ ଖଣ୍ଡେ କନା ଉପରେ ପଡ଼ିଥାଏ ସେ । ଆଖି ଆଗରେ ଗୁଡ଼ାଏ ଛବି ଚାଲିଯାଏ, ଗୋଟାକୁ ଗୋଟାକୁ ସେ ଧରିବାକୁ ଚେଷ୍ଟା କରେ ମନ ଭିତରେ, ପାରେ ନାହିଁ, କାନ୍ଦେ । ସାମାନ୍ୟ ଅଭାବରେ ସେ କାନ୍ଦେ, କାନ୍ଦିଲେ ଅଭାବ ମେଣ୍ଟେ । ମିଣିଆକା ହାକିନାର ଟିକିମୁଣ୍ଡ ଭିତରେ ଗୋଟିଏ ଛୋଟିଆ ଗାର ପଡ଼ିଯାଏ, ଯେ କାନ୍ଦିଲେ ଅଭାବ ମେଣ୍ଟେ ।

 

ଆପଣାର ଅଭାବ ମେଣ୍ଟିଲା ପରେ ସେ ଗୋଟିଏ ଛୋଟିଆ ଦେଖଣାହାରି ହୁଏ, ପାରା ଆଖି ପରି ଆଖି, ସୋରିଷ ପଡ଼ିଲେ ଦିଶେ । କିନ୍ତୁ ଚାହାଣିରେ କେବଳ ପ୍ରଶ୍ନ, ଏ ପୃଥିବୀର ଛନ୍ଦମନ୍ଦର ବନ୍ଧାଗତ ସେ ବୁଝିପାରେ ନାହିଁ । କାଉ ଥଣ୍ଟରେ ଥଣ୍ଟ ପୂରେଇ କାଉଛୁଆ କ’ଣ ଖାଉଥିଲା, ମଣିଷଟିଏ ଆସିଲା, କାଉ ଉଡ଼ିଗଲା । କେତେ ଚଢ଼େଇ ଗଡ଼ର ଗଡ଼ର ହେଉଥା’ନ୍ତି ତା’ ଚାରିପାଖେ କିନ୍ତୁ ସବୁବେଳେ ମନ ଚଂ ଚଂ, ପାଖକୁ ଭରସନ୍ତି ନାହିଁ । ତାର ଇଚ୍ଛା ହୁଏ, ସେମାନେ ତାର ଆହୁରି ପାଖରେ ଆସି ବସୁଥା’ନ୍ତେ । ସମସ୍ତିଙ୍କ ପାଇଁ ତାର ମନ ହୁଏ, କେହି ତା’ ପାଖରେ ଅଟକି ରହନ୍ତି ନାହିଁ ।

 

ତାର ଦେଖା କିଛି କମେ ନାହିଁ, ସେ ରଙ୍ଗ ବାରେ, ସେହି ଅନୁସାରେ ମୁଣ୍ଡ ହଲୋଉଥାଏ । ଯେତେବେଳେ ପଦାରେ ଗଛ ଡାଳରୁ ଟୋକେଇରେ ପଶି ସେ ଲଟକିଥାଏ ଯେତେ ଜିକି ଜିକି ରଙ୍ଗ ସବୁ ସେ ଧରେ, ରଙ୍ଗରେ ରଙ୍ଗରେ ପୃଥିବୀଟା ଜଳ ଜଳ ଦିଶେ, କିନ୍ତୁ ବର୍ଣ୍ଣ ବଦଳେ, ହାକିନାକୁ ଅଭାବ ଲାଗେ, ସେ କାନ୍ଦେ ।

 

ମା’ର ନିତିଦେଖା ମୁହଁର ବର୍ଣ୍ଣସବୁ ଚିହ୍ନି ରଖିବାକୁ ତାର ଆଖି ବୁଲେ, କିନ୍ତୁ ସେଠିବି ପରିବର୍ତ୍ତନ ଘଡ଼ିକି ଘଡ଼ି । ବେଳେ ବେଳେ ମା ମୁହଁରୁ ଉଜ୍ଜ୍ୱଳ ବର୍ଣ୍ଣର ଧାସ ନିଭିଯାଇ ରହିଥାଏ ଖାଲି ଢାଉକଳା, ଦେଖିଲେ କାନ୍ଦ ମାଡ଼େ ।

ସାନ ମଣିଷ, ମନ ଗହୀରରେ ତାର ବି ବାଜେ ଅଭାବରେ ଢେଉ, ପୂର୍ଣ୍ଣତାର, ସେ କାନ୍ଦେ ହସେ, ସବୁ କଥାରେ ବାନ୍ଧିହୋଇ ରହେ ମା’ କାନିରେ ।

•••

 

ଊଣେଇଶ

 

ସେଦିନ ଖାଇପିଇ ସାରି ଖରାବେଳେ ନଣନ୍ଦ ଭାଉଜ ଦିହେଁ ସାହିମାଇପଙ୍କ ସାଙ୍ଗେ ବଣକୁ କାଠ ହାଣି ଯାଇଥିଲେ, ଏପରି ପ୍ରାୟ ଯିବାକୁ ପଡ଼େ କନ୍ଧ ସ୍ତ୍ରୀଲୋକମାନଙ୍କୁ, ପୁରୁଷମାନେ କ୍ଷେତ କାମରେ ବ୍ୟସ୍ତ । ହାକିନା ମା’ ଛାତିରେ ବନ୍ଧା ହୋଇଥାଏ, ତାର ବଣର ଜୀବନ ଆରମ୍ଭ ଆଖି ଫିଟିଲାଦିନୁଁ । ପୁୟୁକୁ ଦୁର୍ବଳ ଲାଗୁଥାଏ, ଏଣିକି କାହିଁକି ତା’କୁ ଭାରି ଦୁର୍ବଳ ଲାଗୁଛି ଦିନୁଁଦିନ-

 

ଖରା ଢଳିଥାଏ । ଭାରି ବଣ, ଶାଳ, ବାଉଁଶ, ତଳେ ପଥର କୁଢ଼ । ଏଠି ସେଠି ଶୁଖିଲା ଡାଳ, ଶୁଖିଲା ବାଉଁଶ, ଉଇ ଲାଗୁଛି, ଏ ବଣ ଭିତରୁ ବାଉଁଶ କାଟି କେହି ପଦାକୁ ବାହାର କରନ୍ତି ନାହିଁ, ଜାତି ଜାତିକା ବାଉଁଶ ।

 

ଗାଁ ମାଇପେ ଗଡ଼ର ଗଡ଼ର ହୋଇ ଚାଲିଥା’ନ୍ତି, ମଝିରେ ମଝିରେ ଆଶ୍ୱାସ ଦେଲାପରି ବଣ ଭିତରୁ ଠା’ ଠା’ କରୁ ଲୋକଙ୍କ ପାଟି ଚହଳ ଶୁଭୁଥାଏ, କୁରାଢ଼ି ପାହାର ଠୋ ଠୋ ଶୁଭୁଥାଏ । କକୋଡ଼ି (ଫର୍ଣ୍ଣ) ବୁଦାର ଗହଳ ଜଙ୍ଗଲ ମଝିରେ କାଚ ଖମ୍ବ ପରି ଜଙ୍ଗଲ ଝୋଲା (ନଈ) ପାଣି ଶୋଇଥାଏ, ଦିପାଖର ଡେଙ୍ଗା ଶାଳଗଛ ମୁଣ୍ଡ ମଝିରେ ଅଳ୍ପ ଠାଏ ଠାଏ ଫାଙ୍କ, ଝକଝକ ଆଲୁଅ ବର୍ଷୁଥାଏ ସେଠି ଛାଇ ଆଲୁଅର ବଣଭୂଇଁ, କନ୍ଧୁଣୀର ଚିହ୍ନାମାଟି ।

 

ବାଟେ ବାଟେ ଉଠାପଡ଼ା, ଉଠିଛି ତ ଉଠିଯାଇଛି ବାଟ, କେତେ ଉଞ୍ଚ ଶାଳଗଛର ମୁଣ୍ଡ ଉପରକୁ, ଗଛର ମୁଣ୍ଡ ପତ୍ତନରେ ଗଛର ମୂଳ ପତ୍ତନ, ପୁଣି ଭଉଁରି ଭଉଁରିକା ଢଳି ପଡ଼ିଛି ଛାଇ ସମୁଦ୍ର ଭିତରକୁ, ଯେଉଁଠି ନିଛାଟିଆ ବଣ ତଳର ସରୁ ଝରଣା ଖିନି ଖିନି ହୋଇ କାନ୍ଦେ, ପଥରକୁ ପଥର ସରୁ ପାଦ ଲମ୍ବେଇ ଦେଇ ଦି କ୍ଷେପାରେ ପାରି, ପୁଣି ଉଠାଣି, ଅତଡ଼ାର ଖଣ୍ଡିବାଟେ ବାଟେ ଉପରକୁ ।

 

ଏଠି ବାଟ ସରେ ନାହିଁ, କାମ ସରେ ନାହିଁ, କେଉଁ କାମ କେତେବେଳେ ଆରମ୍ଭ ହୁଏ ଆଉ କେତେବେଳେ ସରେ କେିହ ତାର ପତ୍ତା ରଖେ ନାହିଁ । ଠିକ୍ କାମ ସଫା କରିବ ବୋଲି କେହି ଲାଗି ରହେ ନାହିଁ, ଲାଗି ରହେ ଅଭ୍ୟାସରୁ ।

 

ସାଙ୍ଗସାଥି ହୋଇ କନ୍ଧୁଣୀମାନେ ଚାଲିଥା’ନ୍ତି, କେଉଁଠି ବାଟ ମଝିରେ ଶୁଖିଲା ଡାହି ଶୋଇ ଶୋଇ ଅପେକ୍ଷା କରିଛି, କେଉଁଠି ସରୁ ମଲାଗଛ, କନ୍ଧୁଣୀ କାମରେ ଲାଗନ୍ତି, କାଠ ଭାଙ୍ଗି ନିଅନ୍ତି । କିଏ ଶିଆଳୀ ପତ୍ର ତୋଳେ, କିଏ କନ୍ଦା ଖୋଳେ, କରଡ଼ି ଭାଙ୍ଗେ କିଏ ବା ରଙ୍ଗ ସରସର ହୋଇ ଧାଇଁଯାଏ ଫୁଲ ପେନ୍ଥାଏ ତୋଳିବାକୁ । ବୁଦା ଉହାଡ଼ରେ ବଣକୁକୁଡ଼ା ଡିମ୍ବ, ମୟୂର ଡିମ୍ବ, ମୁଣ୍ଡ ଉପରେ କାଈ ବସା, ପତର ସନ୍ଧିରେ ମହୁଫେଣା, ଚିହ୍ନରା ଆଖି ଚହଟିଯାଏ, ଚିହ୍ନି ନିଏ ।

 

ଖଣ୍ଡେଦୂର ଉଠି ଝଙ୍କା ଆମ୍ବଗଛ ମୂଳେ ଗୋଡ଼ ଲମ୍ବେଇ ବସି ଏକାଠି ପଙ୍ଗତ, କିଏ ଛୁଆକୁ ଗେଲ କରେ, ଦୁଧ ଖୁଆଏ, କିଏ କିଏ ବସି ଉକୁଣି ମାରନ୍ତି, କିଏ ପିକା ଟାଣେ, ଗପ ପଡ଼େ-। ଏଇ ସ୍ତ୍ରୀଲୋକଙ୍କ ସଭାରେ ଆଲୋଚନା ହୁଏ ମଣିଷ ଜୀବନର ବଡ଼ ବଡ଼ ସମସ୍ୟାର ।

 

ଏହିମାନଙ୍କ ସଙ୍ଗେ ସମତାଳ ରଖି ଏକା ବଣ ଭିତରେ ବଣର ଜନ୍ତୁ ଚାଲିଥା’ନ୍ତି, ଗଛମୂଳେ ବୈଠକ ବସାନ୍ତି, ବଡ଼ ଗଛମୂଳେ ମାଙ୍କଡ଼ ପଲ, ତଳର ଝୋଲାର ବାଲିରେ ହରିଣ ସମ୍ବର ଦଳ ଦଳ, ବଣ ମଝିରେ ଖୋଲା ଜାଗାରେ ବଣ କୁକୁଡ଼ା, ଖୋଲା ଖୋଲା ବୁଦା ଜଙ୍ଗଲଛୁଆଣି ପାହାଡ଼ ଢାଲୁରେ ପଲ ପଲ ମୟୂର । ଖାଦ୍ୟଭର୍ତ୍ତି ବଣ ଭିତରୁ ଦଳବାନ୍ଧି ବୁଲି ଦି’ଟା ଟୋକିନେବା, ପରସ୍ପରର ସାନ୍ନିଧ୍ୟ ଆଉ ସୁଖାଳାପ, ବଣ ବୁଲା, କେବଳ ଏତିକି । ନିଘଞ୍ଚ ବଣ ଭିତରେ ଜନ୍ତୁର ଘର ବି ବାରି ହୁଏ ନାହିଁ, ନା ବାରିହୁଏ ମଣିଷର ପଲା-ଗାଁ, ଏକା ଦଶା ସମସ୍ତିଙ୍କର-

 

ମିଣିଆକା ହାକିନା ସବୁ ଦେଖେ, କାନ ଟଣକେଇ ସବୁ ଶୁଣେ, ବଣୁଆ ପୃଥିବୀ ସାଙ୍ଗେ ତାର ଚିହ୍ନାଜଣା ବଢ଼େ । ପ୍ରଶ୍ନ ଉଠେ, ବିସ୍ମୟ ପରେ ବିସ୍ମୟର ଢେଉ, ଛିଣ୍ଡା ଛିଣ୍ଡା ଅନୁଭୂତି ଏକାଠି ଆଉଟି ଆଉଟି ହୋଇ ଆକାର ପାଏ, ବଣର ସନ୍ତାନ ବଣକୁ ଚିହ୍ନେ ।

 

ପୁଅବାଲୀ ପୁୟୁ ବଣକୁ ଉପଭୋଗ କରୁଥାଏ, କେତେଦିନ ପରେ ଆଜି ତାର ଛୁଟି । ଏଇ ଅନ୍ଧାରି ବଣ, ଖୋଲା-ଦେଶର ଲୋକ ଦେଖିଲେ ତାର ଛାତି ଥରି ଉଠିବ, ଚାଲିଲେ ଗୋଡ଼ ମୋଡ଼ି ହୋଇ ପଡ଼ିବ କେଉଁ ଗହୀରିଆ ଝୋଲା ଭିତରେ । ଏଠି ବାଘ, ଭାଲୁ, ଏଠି ସାପ, କେଉଁ ମୁହୂର୍ତ୍ତରେ ଜୀବନଟି ଯିବ ତାର ଠିକଣା ନାହିଁ । ଖୋଲା ଦେଶର ଲୋକ ୟାକୁ ଡରେ ଜନ୍ତୁଠୁ ବେଶୀ ଡର ଅଜଣା ବଣ ଉଢ଼ୁଆଳକୁ, ସରୁ ବାଟରେ ଜଣକା ପିଛା ଜଣେ, ଗହଳିଆ ପିରିଘାସର ଜଙ୍ଗଲ ବଡ଼ ଗଛ ତଳେ ତଳେ, ‘କୋରାପୁଟିଆ’ ବୁଦାର ଜଙ୍ଗଲ, ସେଥିରେ ଜଣକୁ ଜଣେ ମୁହଁ ଦିଶେ ନାହିଁ, ଦେଖାଚାହାଁ ଜଣାଶୁଣା ଖାଲି ଶବ୍ଦରେ । କିନ୍ତୁ ଏଇ ଅଜଣାର ଚମକ ବଣ ଭିତରେ କନ୍ଧିଆ ଭାଇର ଆନନ୍ଦ, କନ୍ଧୁଣୀର ଖୁସି ଶରଧା । ନିଛାଟିଆ ଜଙ୍ଗଲ ନିଛାଟିଆ ନୁହେଁ, ସେଠି ଚିହ୍ନାଜଣା ଅତି ପରିଚିତ ଗଛ ପଥର ସଙ୍ଗରେ, ଜନ୍ତୁ ସେ ତ ଦୂରର ମନ-ଉଲୁସା ସ୍ୱପ୍ନ, ସେ ଅତି ଚିହ୍ନା ଆପଣାର ପଣିରେ ଚରିଦେଇ ବୁଲିଦେଇ ଚାଲିଯାଆନ୍ତି । ଭୟ ଆଉ କଷ୍ଟ, ଏ ବି ଥାଏ, ନ ଥିଲେ ସୁନ୍ଦରିମା ବୁଝିହୁଅନ୍ତା ନାହିଁ । କିନ୍ତୁ ଭୟ ସଙ୍ଗେ ସଙ୍ଗେ ଦେବତା ସବୁଠି, ଭୟ ନିବାରକ ଅଶରୀରୀ କନ୍ଧ ଦେଶର ଦେବତା, ଜଗୁଆଳି । ବିଶାଳ ଉଦାର ଆକାଶ, ସେଠି ଦର୍ମୁ ଦେବତା, ଅନ୍ଧାର ଗିରି କନ୍ଦରାରେ ବି ତାର ନିଘା । ତଳେ ଦର୍ତନୀ, ବସୁମତୀ, ମଣିଷର ମା, ଘାଟୀ ପର୍ବତ ଢାଲୁ ଉଠାଣି ଆବୋରି ସବୁଠି, ବଣେ ବଣେ ହୋରୁ (ବଣ) – ପେନୁ (ଦେବତା) ଡାକିଲେ ‘ଓ’ କରିବ, ଆଉ, ଯେଉଁଆଡ଼େ ଗଲେ ବି କନ୍ଧ ଜଗତର ଘର ଦେବତା ଝାକର-ପେନୁ, ଖାଲି ସୁମରଣା ଖୋଜେ । ଏଇ ଦେବତାମାନଙ୍କ ଆଶୀର୍ବାଦରୁ ସବୁ ଶୁଭ ହୁଏ । ଅମଙ୍ଗଳ ରହେ ପଛକୁ । ଦେବତା ବିଶ୍ୱାସରେ ଭରା ଦେଇ ସାମ୍ନାକୁ ମୁହଁକରି ମଣିଷ ଆଗେଇ ଚାଲେ, ଇନ୍ଦ୍ରିୟର ସମ୍ପର୍କରେ ଥାଏ ଚେତା, ଝୁଣ୍ଟିପଡ଼ିଲେ ବି ଭାଗ୍ୟ ଉପରେ ସବୁ ଛାଡ଼ିଦେଇ ଟାଳିଯାଏ, ଆଖିରୁ ଦି’ଧାର ଲୁହ ଝରିପଡ଼େ ସିନା, ମନରେ ଅବସୋସ ନାହିଁ ।

 

ଏହି ବିଶ୍ୱାସରେ କନ୍ଧୁଣୀ ବାଘୁଆ ବଣେ କାଠ ହାଣି ଯାଏ, ଏଇ ବିଶ୍ୱାସରେ ପୋଲା ଫୁଙ୍ଗାରେ ଛୁଆକୁ ପାଳି ମଣିଷ କରେ, ଯେତିକି ଉପାଦାନ ଠାକୁରେ ଦେଇଛନ୍ତି, ବଣ ପଥର ଶୀତ ଆଉ ବରଷା, ତାହାରି ଭିତରେ । ଅବସୋସ ନାହିଁ, ଏଇ ତାର ଘର ଦୁଆର ବୁଲିଯିବା ସ୍ଥଳୀ, ଯାହା ଥାଉ ସେଠି । ବାଘ ବୋବାଳି ତାର ପରିଚିତ ଶବ୍ଦ । ଚିଲ ଶାଗୁଣା ନିତିଦିନର ସାଥି, ଏତିକି ନ ଥିଲେ ତାର ସଂସାର ଅପୂର୍ଣ୍ଣ ରହନ୍ତା କ’ଣ କେଉଁଠି ଫାଙ୍କା ପଡ଼ିଯାଆନ୍ତା ଯେପରି ।

 

ବାହାରର ଭୟ ଭୟ ନୁହେଁ, ବାହାରର କଷ୍ଟ କଷ୍ଟ ନୁହେଁ ।

 

ପଦାର ପବନ ଟାଳି ଦେଇ ହୁଏ, ଭିତରୁ ବାହାରେ ଆଗ୍ନେୟଗିରିର ତରଳା ତତଲା ସୁଅ । ରୋକି ହୁଏ ନାହିଁ ତ, ପୋଡ଼ି ଜାଳି ମାରେ । ତାର ଔଷଧ ନାହିଁ, ଥାଏ ଥାଏ, କେଉଁ କଥାରୁ କେଉଁ କାରଣରୁ ଖୋଲିଯାଏ ରୁନ୍ଧିରଖା କାନ୍ଦଣାର ମୁହଁ, ବାହାରର ଜକଜକ ଖରା ଆଉ ଚିକିଚିକି ଖଣ୍ଡ ଖଣ୍ଡ ଅଗଣିତ ସୁନ୍ଦର ଚଢ଼େଇ ମେଘ ମଣିଷକୁ ବୁଝେଇ ପାରେ ନାହିଁ, ସାନ୍ତ୍ୱନା ମାନେ ନାହିଁ, ମଣିଷ କାନ୍ଦେ ।

 

ମନ ଗହନରେ ଅନ୍ଧାରୁଆ କନ୍ଦରା, ତାହାରି ଭିତରେ ହସ କାନ୍ଦର ଲହଡ଼ି, ହାବୁକାର ଛଳଛଳ ବାଜି ଲାଗିଥାଏ ଉପରକୁ ଉପରକୁ ।

 

ଗାଁ-ମାଇପେ କାଠହାଣି ବଣବୁଲି ବାହାରି ଥାଆନ୍ତି, ପଛେ ପଛେ ବୁଢ଼ୀ ଦର୍‌ହ ବୁଢ଼ୀ ଦଳ, ସବା ଆଗରେ ଦଳଛଡ଼ା ହୋଇ ଅଭିଆଡ଼ୀ ଝୁଏ, ମଝିରେ ବୋହୂମାନେ । ବାଟ ଚାଲିଲେ ଆପେ ଦଳର ବିଭାଗ ଫାଟିପଡ଼େ, କେହି ଜାଣିଶୁଣି ସଜେଇ ଦିଏ ନାହିଁ । ପୁବୁଲି ଆଗରେ ଥାଏ, ଅଗ୍ରଗାମୀ ପ୍ରଜାପତି ବାହିନୀ ତାଙ୍କର । ସେହି ଦଳରେ ରେନ୍ଦ, କାଠ୍‌କ, ଟିଟ, ପୁଲ୍‌ମେଁ । କାମ କରିବା ଖାଲି ଗୋଟାଏ ପତିଆରା, କାମପାଇଁ କାହାରି ଗରଜ ନାହିଁ । ଖାଲି ମନ ଆରା ଖୋଜେ ସମସ୍ତିଙ୍କଠୁଁ ଅଲଗା ହେବାକୁ, ହାତକୁ ହାତ ଛନ୍ଦି ବେକରେ ବେକ ଖଞ୍ଜି ଦେଇ କାନ ପାଖେ ଫୁସ୍‌ଫୁସ୍ ହେବାକୁ, ଅକାରଣରେ ହସି ହସି ଗଡ଼ିବାକୁ । କଳରବର ଅର୍ଥ ନାହିଁ, ଉଦ୍ଦେଶ୍ୟ ରହିଛି, ଯୌବନର ସ୍ୱପ୍ନର ରୂପାନ୍ତର ଆନନ୍ଦ । ରୂପାନ୍ତରିତ ସ୍ୱପ୍ନର କାହାଣୀରେ ଛିଣ୍ଡା ଛିଣ୍ଡା ଅନୁଭୂତିର କଥା ପଡ଼ିଯାଏ, କେବେ କିଏ ଦି ଘଡ଼ି ଆଖି ଝଲସେଇ ଦେଇ ଚାଲିଯାଇଥିଲା, କେହି ତା’କୁ ଗଣ୍ଠି ପକେଇ ସାଇତି ରଖି ନାହିଁ, ସେ ଖାଲି ଗୋଟାଏ ପ୍ରତୀକ, ମନର ତଳେ ତଳେ ତାର ଛାପା ନାହିଁ, ତେଣୁ ସେ ହସର ଉପାଦାନ । ସାନ ସାନ କଥା, ଭାଷା ଅଳ୍ପ, ଅଭିବ୍ୟକ୍ତି ବେଶି, ପଛେ ପଛେ ହସ-। ହସୁହସୁ କେହି ଜଣେ ମାଡ଼ି ପକାଏ ନିବୁଜା ମନର କେଉଁ ଗହୀର ସ୍ମୃତିକୁ । ଶୋଇ ଶୋଇ ଯେ ଅପେକ୍ଷା କରି ରହିଥିଲା କେଉଁ ‘ରେଦାସୀ’ ଯୋଗକୁ । ଅଜାଣତରେ ମାଡ଼ି ପକାଏ । ଆଖି ଖୋଲେ, କିରୀଟି କୁଣ୍ଡଳ ପିନ୍ଧା ହସ ହସ ଉଜ୍ଜ୍ୱଳ ମୁହଁ ସ୍ୱପ୍ନରେ ଭାସିଲା ଭାସିଲା, ଚାରିଆଖି ଏକାଠି ହୁଏ, ଯୁବତୀର ଚହଲା ହସ ଆଉ ଚହଳ ପକାଏ ନାହିଁ । ଅନନ୍ତ ଶବ୍ଦ-ବ୍ରହ୍ମର ପୃଷ୍ଠପେଟରେ ବାଜେ ଅନାଦି ମନ୍ତ୍ର ଧ୍ୱନି । ଯୁବତୀ ମୁଣ୍ଡ ନୁଆଁଏ । ଦଳରୁ ଫିଟିପଡ଼ି ଏକୁଟିଆ ଅଳସେଇ ରହେ, ପାଦ ଭାରି ଭାରି, ଧାର ଆଖିରେ ଭାବର ନିଶା । ପହିଲି ଚମକ ସମ୍ଭାଳି ନେଇ ଅନେଇଁ ଦେଖେ ଚାରିଆଡ଼େ ନୂଆ ବଉଳ, ନୂଆ ପତ୍ର, ନୂଆ ଫୁଲର ଝଡ଼ି ତୋଫାନ, ସେ ବି ଆପଣାର ବକଳ ଝାଡ଼େ ।

 

ତାଙ୍କରି ପଛେ ପଛେ ପିଲାବୁଆଲି ବୋହୂମାନଙ୍କ ଗୋଠ । ଗଜାଗଛରେ କଷି ଧରିଛି, ସ୍ଥିତି ଉଦ୍ଦେଶ୍ୟ ପାଇଛି, ଅବାଟରେ କଣ୍ଟା ନାହିଁ, ଆଞ୍ଚୁଡ଼ା ନାହିଁ କି ପ୍ରତୀକ୍ଷାର ଆନନ୍ଦ ନାହିଁ, ଉଚ୍ଛ୍ୱାସ ନାହିଁ । ମଡ଼ା ବାଟର ଆରାମ, ଆନନ୍ଦ କେବଳ ଅଭ୍ୟାସରୁ, ଚାଲି ଧୀରେ ଧୀରେ । ପିଲା ଜନ୍ମ ହୋଇଛନ୍ତି, ଆହୁରି ପିଲା ଜନ୍ମ ହେବେ, ଘରକରଣା ଆରମ୍ଭ ହୋଇଛି, ଆହୁରି ବଢ଼ିଯିବ । ସେମାନେ ସଂସାରରେ ଧରା ପଡ଼ିଛନ୍ତି । ନିତିଦିନିଆ ଦିନ ବଞ୍ଚିବାରେ ତାଙ୍କର ଆନନ୍ଦ । ତାଙ୍କର ନିର୍ଭର ଚାରିପାଖରେ ଦେଖା ପରଖା ମଣିଷ ଆଉ ଜିନିଷ ଉପରେ ବଳର ଉପାଦାନ ସ୍ୱପ୍ନ ନୁହେଁ, ସ୍ମୃତି ନୁହେଁ, କେବଳ ବିଶ୍ୱାସ ।

 

ପଛେ ପଛେ ବୃଦ୍ଧ ଭବିଷ୍ୟତ୍‍ ହଳଦିଆ ଅସ୍ତସୂର୍ଯ୍ୟର ଆଲୁଅରେ ତାଙ୍କର ପ୍ରକାଶ । ବିଶ୍ୱାସର ଦମ୍ଭ ନାହିଁ, ନାହିଁ ସ୍ୱପ୍ନର ନିଶା, ପାଦ ଥୁରୁଥୁରୁ, ମନରେ ନିଷ୍ଫଳ ବିଦ୍ରୋହ, ବିଚାରରେ ଛକା ଛକି ସାତ ପାଞ୍ଚ ।

 

ବଣେ ବଣେ ଏଇ ତିନିଦଳ ।

 

ଗଛକୁ ଥୁଣ୍ଟା କରି ବୁଢ଼ୀମାନେ କାଠ ଭାଙ୍ଗି ନିଅନ୍ତି, କରଡ଼ି ଭାଙ୍ଗି ନେଇ ବାଉଁଶଗଛ ମୂଳକୁ ପଦା କରିଦିଅନ୍ତି, ନିଠେଇ ନିଠେଇ ବାଟ ଚାଲନ୍ତି, ଝୁଣ୍ଟନ୍ତି, ଟୋକୀମାନଙ୍କୁ ସମାଲୋଚନା କରନ୍ତି, ବାଟକୁ ଗାଳି ଦିଅନ୍ତି, ଯେତେ ଫିରିଆଦି ଯେତେ ଅଭିଯୋଗ ସବୁ ତାଙ୍କରି ।

 

‘ହେ ଝିଅମାନେ, କୁଆଡ଼କୁ ଅନେଇଁ ବାଟ ଚାଲୁଛ ଲୋ, କେଡ଼େ ସୁନ୍ଦର କାଈବସା ଛାଡ଼ି ଦେଇଗଲ ହେଇ ଦେଖ ସେଠି, ତୋଳି ନେଇଥିଲେ କାମ ଦେଇ ନ ଥା’ନ୍ତା ?’

 

‘ତୁ ତୋଳୁନୁ ଆଈ ?’

‘ମୋର ତୋଳିବାକୁ ବଳ ବହପ ଥିଲେ ଆଉ ତମୁକୁ ଡାକି ପକାନ୍ତି କାହିଁକି ?’

 

‘ଆଃ ଦେଖ ଦେଖ, କ’ଣ ହେଉଛନ୍ତି ଏଗୁଡ଼ାକ ! ଆଉ ଟିକକୁ ଅନ୍ଧାର ହେବ, ଜନ୍ତୁ-ଜୁନ୍ତା ବାହାରିବା ବେଳ, ଟିକିଏ ଭୟ ନାହିଁ, ଗଲେଣି କେଉଁ ବଣ ଭିତରକୁ ଫୁଲ ତୋଳି ।’ ବୁଲି ବୁଲି ବଙ୍କେଇ କିନ୍ଦ୍ରି ଗାଁ ପାଖ ହେଲା । ବଣ ତଳ ତଳ ଗଡ଼ାଣି ଢାଲୁରେ ଓହ୍ଲେଇ ପଡ଼ିଲେ ତଳକୁ । ୟା ପରେ ପଥର କୁଢ଼ କୁଢ଼ ଅଳ୍ପ ବୁଦୁବୁଦୁକିଆ ମୁଣ୍ଡିଆ ଗୋଟାଏ ଗୋଟାଏ, ଦୂର ଦୂର ଛାଡ଼ି ସେଣିକି କ୍ଷେତ, ତା’ ସେପାଖେ ଗାଁ-ପାହାଡ଼ର ଉଠାଣି ଢାଲୁ ।

 

ଗାଁ ପାଖ ତଳର ଏଇ ପଥୁରିଆ ଖୋଲା ଜାଗାରେ କେତେ କାହାକୁ ବାଘ ଖାଇଛି । ବାଘ ସେତେ ବଣ ଭିତରେ ଖାଏ ନାହିଁ, ଯେତେ ଖାଏ ବଣ ପାଖରେ ଏଇ ଖୋଲା ଜାଗାରେ ।

 

ଦୂରରୁ କନ୍ଧ ଗୀତୁଆଳଙ୍କ ଯୋଡ଼ିବଇଁଶୀ ଶୁଭିଲା । ଚଇତ ନିହାତି ଦୂର ନୁହେଁ, ଏତିକିବେଳେ ଚାରିଆଡ଼େ ଚହଟି ଲାଗେ ଅଳ୍ପ ଅଳ୍ପ ଚଇତ-ପାଖିଆ ନିଶା । ଯୋଡ଼ିବଇଁଶୀ ଶୁଭିଲା, ପଥୁରିଆ କୁଦ ଉପରେ ନାକ ଫଣଫଣ କରି ସିଧା ଥକ୍‌କା ହୋଇ ଠିଆହୋଇ ରହିଲେ ପାଖ ଦଳର ଟୋକୀମାନେ ।

 

‘ଠିଆ ହେଲ କ’ଣରେ, ବେଳ ବୁଡ଼ିଆସିଲା, କ’ଣ ବାସ୍ନା ହେଲାଣି ଚାଲ ପଳେଇବା’ ବୁଢ଼ୀମାନେ ପାଖକୁ ଲାଗି ଆସିଲେ, ଟୋକୀମାନେ ସେହିପରି ଠିଆ ହୋଇଥା’ନ୍ତି ପଥର କୁଢ଼ କୁଢ଼ ମୁଣ୍ଡିଆ ଉପରେ । ସୂର୍ଯ୍ୟ ବୁଡ଼ୁଥାଏ, ତେଜଟା ନିଗିଡ଼ି ଯାଉଥାଏ ଆକାଶ ଉପରୁ ଧୀରେ ଧୀରେ ପାହାଡ଼ ସେପାଖକୁ । ବଇଁଶୀର ସ୍ୱର ପାଖ ହେଲା, ପଡ଼ିଆ ଉପରେ ସରୁ ରାସ୍ତାଏ ରାସ୍ତାଏ ପଞ୍ଝାଏ କିଏ ଆସିଲେ ଭାର ବୋହି, ବର୍ଚ୍ଛା ଧରି ବଡ଼ପାଟିରେ କଥା କହି କହିକା । ଏପାଖର ଦଳ ଆଗକୁ ମାଡ଼ିଲେ, ଏଇ ରାସ୍ତାକୁ କାଟିଦେଇ ଯିବାକୁ ହେବ ।

 

ଦେଖା ହେଲା, ଅଚିହ୍ନା କନ୍ଧ ପଞ୍ଝାଏ, ମଝିରେ ଗୋଟିଏ ଟୋକୀ, ପାଖେ ପାଖେ ଗୋଟିଏ ଭେଣ୍ଡିଆ । ଭାରି ଆନନ୍ଦରେ ଚାଲିଛନ୍ତି, ଟୋକୀକୁ ଟୋକୀ ଏକାଠି ହେଲେ, ସ୍ତ୍ରୀଲୋକମାନେ ପାଖକୁ ଗଲେ । ଟୋକାମାନେ କେତେ ପେଖନାରେ ଗପ କରିବାକୁ ପାଖେଇ ଆସିଲେ ।

 

‘ଏ ଆଈ, ଧୂଆଁପତ୍ର ଅଛି କି ଦେବ ଟିକିଏ ? ....କୁଆଡ଼େ ଯାଇଥିଲ ? ....ଏ ବଣେ ବାଘ ମାତିଲାଣି ? ....ଗାଁରେ ମଦ ରାନ୍ଧିଛ କି; ଗଲେ ଦେବ ?’ ସେମାନେ ପାଣ୍ଡକାପାଇ ଗାଁର ଲୋକ, ଟୋକୀଟି ଗେରେଲା ଗାଁର ବୋହୂ । ପାଖରେ ଭେଣ୍ଡିଆ ପାଣ୍ଡକାପାଇର ଅଭିଆଡ଼ା ଟୋକା, ବାକି ସମସ୍ତେ ତାର ନିଜର ଲୋକ । କେତେଥର ଗେଚେଲା ଗାଁ ବାଟେ କସ୍ପାହାଟକୁ ଯିବାକୁ ପଡ଼େ, ଟୋକୀସାଙ୍ଗରେ ବାଟରେ ଦେଖା ଦେଖି । ଟୋକୀର ବର ତା’ଠୁ ଦେଢ଼ା ବଡ଼, ଭାରି ମଦୁଆଟାଏ ହେଉ ପଛେ ସେ ସାଓଁତାର ଭାଇ । ଟୋକା ଟୋକୀଙ୍କର ଭଲ ପଡ଼ିଲା, ଆପଣାର ବିବାହିତ ଜୀବନ ଖାଇ ଗୋଡ଼େଇଲା ଟୋକୀକୁ, ମଦୁଆ ସ୍ୱାମୀ ଅତ୍ୟାଚାର କରେ, ବଡ଼ଭାଇ ସାଓଁତା ଉପରେ ପଡ଼ି ସାକୁଲେଇ ବାଁରେଇ ହୁଏ । ଟୋକୀ ଯେତେ କହେ ନାହିଁ ନାହିଁ ଗେଚେଲା ଗାଁରେ ଅଟକେଇ ରଖାହୁଏ ତା’କୁ । ସ୍ୱାମୀକୁ ସଫା କହିଦେଇ ସାରିଛି ଦଶଲୋକଙ୍କ ଆଗରେ ‘ତତେ ମୋର ଦରକାର ନାହିଁ’ । କନ୍ଧ ଆଇନ୍ ଅନୁସାରେ ଏତିକି କହିଦେଲେ ବିଭାଘର ଭାଙ୍ଗିଯିବ । ତଥାପି ସେ ଆସିପାରି ନ ଥିଲା । ସୁତୁରା ସୁତୁରି ହୋଇ, କସ୍ପାହାଟରୁ ଏଣେ ଏଣେ ଆଜି ସେ ଛୁ’-ଏଣିକି ସେ ମୁକ୍ତ ।

 

ଟୋକୀମାନଙ୍କର ଆଗ୍ରହ ବଢ଼ିଲା, ଘର ଛାଡ଼ିଲା ବୋହୂ ସହାନୁଭୂତି ପାଇ ଖୁବ୍‌ ଉତ୍ସାହରେ କହିଲାଗିଲା କେତେ ଅତ୍ୟାଚାର ପରେ ସେ ନୂଆ ସ୍ୱାମୀ ଠିକ୍‌ କରି ବାହାରି ଚାଲି ଆସିଛି । ସେ ନୂଆକଥା କରି ନାହିଁ । ମନ ନ ମାନିଲେ ନୂଆ ସ୍ୱାମୀ କରିବାକୁ କନ୍ଧଦେଶରେ ଅଧିକାର ରହିଛି । ନିଜର ମନ ଖୁସିରେ ପଛକୁ ପିଠି ବୁଲେଇ ଦେଇ ଚାଲି ଆସି ପାରିଛି ସେ । ତାର ସ୍ୱାମୀ ତାର ସଙ୍ଗେ ସଙ୍ଗେ । ପୁରୁଣା ବର ଜାଣିବ, ମଦନିଶା ଛାଡ଼ିଲେ ବନ୍ଧୁବାନ୍ଧବ ଧରି ଖୋଜି ଆସିବ, ହୁଏତ ସେ ଏଣିକି ତାର ଅଧିକାର କ୍ଷତିପୂରଣ ଟଙ୍କାରେ, ସ୍ତ୍ରୀଠି ନୁହେଁ । ଠେଙ୍ଗା ବାଡ଼ି, ଧନୁ ବର୍ଚ୍ଛା ବି ଲାଗିପାରେ କନ୍ଧ ଟୋକାଏ ହସରେ ଉଡ଼େଇଦେଲେ ସେମାନେ ପ୍ରସ୍ତୁତ ଅଛନ୍ତି-। ‘ଯାଉଛୁଁ ଆଈ, ଅଟକିଗଲୁ ଘଡ଼ିଏ, ଅନ୍ଧାର ପଡ଼ିବ ।’

 

ଖଣ୍ଡେଦୂର ଚାଲିଯାଇ ଧାଂଡାମାନେ ଗୀତ ବୋଲିଲେ ଲମ୍ବେଇ ଲମ୍ବେଇ-’ଆଜି ଆମର ଭାଗ୍ୟ ଭଲ, ଦେଖ କେମିତି ପିଞ୍ଜରା ଖୋଲିଦେଇ ଉଡ଼େଇ ନେଇ ଚାଲିଛୁଁ ବଣର ଚଢ଼େଇକୁ ଆମର ସାଙ୍ଗୀ ପାଇଁ-ଆଜି ଆମର ସବୁ ଭଲ ଥିଲା, ଅଳ୍ପକେ ଫିଟିଗଲା ଏତିକି ପାଇଁ ଯେ ତୁମେ ଦେଖା ଦେଇ ପୁଣି ଲୁଚିଗଲ । ତୁମେ ବି ବଣର ଚଢ଼େଇ, ଆମ ସାଙ୍ଗେ ଉଡ଼ିଯିବାକୁ ତୁମେ ଚାହଁ ନାହିଁ; କାହିଁକି ଦେଖା ପଡ଼ିଗଲ ତୁମେ ଏଣିକି ଅନ୍ଧାରି ବାଟ ଖାଲି ଭାରି ଭାରି-’

 

ଗୀତର ଲହର ଦୂରରେ ମିଳେଇ ନ ଯାଉଣୁ ଟୋକୀମାନେ ଏକତାନରେ ତାର ଜବାବ ଦେଲେ-’ଆମେ ପିଞ୍ଜରାର ଚଢ଼େଇ ନୋହୁଁ ସାଙ୍ଗୀ, ଆମେ ବଣର ଚଢ଼େଇ; ତୁମେ ବଣର ଚଢ଼େଇ, ଖୋଜୁ ନାହଁତ ବନ୍ଧୁ, ତୁମେ ଖୋଜୁଛ ପିଞ୍ଜରାର ଚଢ଼େଇ, ନ ହେଲେ କି ତୁମେ ଆସି ନ ଥା’ନ୍ତ ବିଦେଶୀ, ଯାଅ ଯାଅ, ଶୁଭ ହେଉ ରାତି-’ ଗୀତର ରା ମିଳେଇଗଲା, ଏଣିକି ହସ ଆଗେ ଆଗେ, ମଝି ଦଳରେ ତର୍କ, ପଛ ଦଳରେ ସମାଲୋଚନା ।

 

ସଞ୍ଜ ପଡ଼ିଆସିଲା, ଗାଁ ବିଲୁଆ ବୋବେଇଲେ । ବଣ ବୁଲାରେ ବେଶୀ କିଛି ହୋଇ ନାହିଁ, କେବଳ ଶେଷର ଏ ଦୃଶ୍ୟ ଟିକିକ । ସେଇ ଅଚିହ୍ନା ଝିଅଟି, ପରଠି ନିର୍ଭର କରି ପାହୁଣ୍ଡ ମେଲିଛି ଯେ ଅଜଣା ବାଟରେ । ସମସ୍ତିଙ୍କର ହେମଁତ୍ ସେ, ସମସ୍ତିଙ୍କର ଧମକର ମୂର୍ତ୍ତି, ଥା-ଥା-ମା-ମା ସନ୍ଦେହର ଶତ୍ରୁ, ନିଜେ ଗଢ଼େ ନିଜେ ଭାଙ୍ଗେ, ନିତିଦିନିଆଁ କନ୍ଧ ଝିଅ । କେମିତି ଜଳିଉଠୁଥିଲା ତାର ମୁହଁଟି ନ୍ୟାୟର ତେଜରେ, ସେ ଆପଣାର ସମାଜକୁ ଚିହ୍ନିଛି, ଜାଣିଛି ନିଜ ସମାଜର ନ୍ୟାୟ ଅନ୍ୟାୟର କଥା । ଅପମାନ ସହିବା, ଅବହେଳା ଅନାଦର ସହିବା ସେଥିରେ ଅନ୍ୟାୟ, ଆପଣାର ରୁଚି ବିରୋଧରେ ମୁହଁ ମାଡ଼ି ପଡ଼ିଥିବା ସେଥିର ପାପ । ସର୍ବଜୟା ନାରୀ ତାର ମର୍ଯ୍ୟାଦା ରଖିଛି, ପୁରୁଷ ହରେଇଥାଉ ପଛେ, ଦୁର୍ବଳ ପୁରୁଷ ତିଆରି ଗୋଷ୍ଠୀ ହରେଇ ଥାଉ ପଛେ ।

 

ଗାଁ ବାହୁଡ଼ାଣି ବାଟେ ବାଟେ ଖାଲି ସେହି ଗପ-।

 

ମାଘର ସଞ୍ଜ । ଏଣିକି ଶୀତ ଆଉ ଅନ୍ଧାର, ସବୁ ଶୀତ ସବୁ ଅନ୍ଧାର ମାଡ଼ି ଦଳି ବାଟ ଚାଲିଥିବ ସେ ବଣୁଆଁ ଆଦର୍ଶ । ସେଥିରେ ଭଲମନ୍ଦର ବିଚାର ନାହିଁ, କେବଳ ଗୋଟାଏ ଆଦର୍ଶ, ଯାହା ପଛରେ ଗୋଡ଼େଇ ଯିବାକୁ ମନ ହୁଏ ।

ପୁୟୁର ପୁଅ ତାର ଛାତିରେ ଢୁଳାଉଥିଲା । ଆଲୁଅ ଗଲେ ତା’କୁ ନିଦ ଧରେ । ପୁୟୁ ଭାବୁଥିଲା ବହୁତ କଥା । ଦିଉଡ଼ୁ ଫେରିଆସି ଚାଲିଯିବଣି କ୍ଷେତକୁ । ଏ ଯେଉଁ ଟୋକୀଟି ଆଉ ଜଣକର ହାତଧରି ଚାଲିଗଲା,ସେମିତି ଦିନେ ତାର ଆଉ ଦିଉଡ଼ୁର ସ୍ନେହ ଅଟଳ ଥିଲା, ଦିଉଡ଼ୁ ବଦଳିଛି, ଏଣିକି ଆଉ ତାର ମନ ଏପରି ନାହିଁ ସେ ଅପେକ୍ଷା କରି ବସିଥିବ କେତେବେଳେ ପୁୟୁ ଫେରିବ । କାହିଁକି ଏପରି ବଦଳିଗଲା ଦିଉଡ଼ୁ, କ’ଣ ପୁୟୁର ଅପରାଧ ? କେତେଥର ଅଭିମାନ ହୁଏ ଦିଉଡ଼ୁ ତାର ଅଭିମାନ ଭାଙ୍ଗିବାକୁ ଚେଷ୍ଟାକରେ ନାହିଁ । ସେଣିକି ତାର ମୋଟେ ନିଘା ନାହିଁ । ଅଭିମାନ ଆପେ ହୁଏ ଆପେ ମରେ, ଛାତି ତଳେ ତଳେ କେତେ କୋରଡ଼ ରଖିଯାଏ ଦିନୁଁଦିନ ।

ଦିଉଡ଼ୁ ସ୍ତ୍ରୀ ଉପରେ ଅତ୍ୟାଚାର କରେ ନାହିଁ, କିଛି କରେ ନାହିଁ ସେ, ତା ବି ତାର ବଦଳିବାର ଚିହ୍ନ, ସ୍ତ୍ରୀର ମନ କୁକୁରର ନାକଠୁ ବେଶୀ ବାରିପାରେ, ଖାଲି ବାରିନେଇ ବୁଝେ ତାର ସ୍ୱାମୀର ମନ ଭାସିଚାଲିଲା ଆଉ ଗୋଟାଏ ଝୋଲାରେ ।

ପୁୟୁର ବଳ କମିଛି, ସେତକ ସେ ନିଜେ ବୁଝିପାରେ, ତାହା ଉପରେ ପୁଣି ଧନ୍ଦା ବଢ଼ିଛି, ସବୁ ଧନ୍ଦା ଏଇ ଛୋଟ ମଣିଷଟି ପାଇଁ । ପୁୟୁ ତା’କୁ କ୍ଷୀର ଖୁଆଏ, ଗେଲ କରେ, ଅଜାଣତରେ ଆଖିରେ ଲୁହ ଟଳ ଟଳ କରେ, ମନ ଭିତରେ ଅଜସ୍ର ପ୍ରଶ୍ନ, କଅଁଳା ପିଲା ମା’ ମୁହଁକୁ ବଲବଲ କରି ଅନାଏଁ, ଜବାବ ମିଳେ ନାହିଁ ତା’ଠୁ । ମନର କୋହ ଆପେ ଆପେ ନିଭେ, କିନ୍ତୁ ଦିନେ ଦିନେ କେଉଁ କଥାରୁ କେଉଁ କଥା ମନେପଡ଼େ, ଯେପରି ଆଜି ବେଳବୁଡ଼ାଣିରେ ଏଇ ଅଚିହ୍ନା ବାଟୋଇ ଝିଅଟି ।

ଜୀବନର ରସ ମନଟାକୁ ଜୁଡ଼ୁବୁଡ଼ୁ କରିଦିଏ, ଆପଣା ଭିତରେ କେତେ କ’ଣ ସୁଖର ସ୍ୱପ୍ନ ଝକ୍‌ଝକ୍ କରେ । ମଡ଼ାବାଟର କଳର ଚେତନା ଆସେ କେଉଁ ନୂଆ ରୂପର ନୂଆ ସୃଷ୍ଟିର, ପୁଣି ଉତ୍ତେଜନା ଜଳିଯାଇ ଛାଡ଼ିଯାଏ ଅଙ୍ଗାର ପାଉଁଶ । କାମ କରିବାକୁ ମନକରି ମଣିଷ ଦେଖେ ତାର ମନଟି ନାହିଁ । ଉଇହୁଙ୍କା ଉପରେ କଅଁଳ ଲତାର ଜାଲ ଲୋଟେ, ଫୁଲ ଫୁଟେ, ତଳର ଥୁଣ୍ଟା ଗଛ କେଉଁ ଦିନୁ ଖତିରା ହେଲାଣି ।

 

ପୁୟୁ ତୁନିତାନି ଚାଲିଥାଏ । ପୁବୁଲି ଚହଳ ପକାଉଥାଏ, ଛାଡ଼ିଆସିଥିବା ସ୍ୱୟମ୍ବର ଝିଅଟିର କଥା ସରି ନ ଥାଏ ତାଙ୍କ ମେଳରୁ ।

 

‘ସତେ ଲୋ ପୁଲ୍‌ମେଁ, ଛାଡ଼ିଦେଲେଁ ସିନା, ରାତିଟା ଆମ ଗାଁରେ ତା’କୁ ରଖିନେଁଇ ସକାଳୁ ବିଦା କରିଥିଲେ ଭଲ ହୋଇଥାନ୍ତା, ରାତି ଶୀତ ବଣବାଟ-’

 

‘କିଛି ଦରକାର ନାହିଁ ପୁବୁଲି, ବଣବାଟ ତାର କ’ଣ କରିବ ? ତାର କର୍ମ ସଳଖ ପଡ଼ିଛି, ମଦୁଆ ଦର୍‌ହବୁଢ଼ା ଚିଡ଼ୋଳ ବର ଛାଡ଼ିଦେଇ ଭଲ ବର ଯୁଆନ ବରର ହାତ ଧରି ଯେ ନୂଆ ଘର କରିବାକୁ ଯାଏ ତାର ମନରେ ଡର ଭୟ ଥିଲେ ସେ ନିଜ ସୁଖ ନିଜେ ତିଆରି କରି ନ ଥା’ନ୍ତା ।’

 

‘ଭାରି ଭଲ ଟୋକୀଟିଏ ଲୋ-’

 

‘ହଁ ହଁ । କିନ୍ତୁ ଯାହା କହ, ଆମ ଗାଁରେ ରାତିକ ରହିଯାଇଥିଲେ ଭଲ ହୋଇଥା’ନ୍ତା, ବାଟରେ ଯଦି ତା’କୁ ବାଘ ଖାଇବ.... ।’

 

‘ନ ରହିଲେ ନାହିଁ, ଚଇତ ଲାଗିଲେ ଯିବା ତାଙ୍କ ଗାଁକୁ । ବାଟରେ ତ ଚିହ୍ନାଚିହ୍ନି ହେଲେଁ, ଗଲେ କ’ଣ ପଚାରିବେ ନାହିଁ କି ?’

 

ପଛରୁ ବୁଢ଼ୀମାନେ ଥଟ୍ଟାକଲେ, ‘କିଲୋ ରବେଇ ଖବେଇ ହଉଚ କାହିଁକି, ତୁମେ ବି ଗଲ ନାହିଁ ତାଙ୍କ ସାଙ୍ଗେ ସାଙ୍ଗେ ବାଟ ବଳେଇ ଦବାକୁ ? ଡର କ’ଣ, କେତେ ତ ଧାଂଡା ଥିଲେ-’

 

‘ନାହିଁ ନାହିଁ, ଡାକି ଆଣିଥିଲେ ଭଲ ହୋଇଥା’ନ୍ତା, ଆମ ଟୋକୀମାନେ ନାଚିଥା’ନ୍ତେ, କଟିଥା’ନ୍ତା ରାତିଟା ଭଲ । ଦେଖିଲ ନାହିଁ କେଡ଼େ ସୁନ୍ଦର ପଟିଗଲେ ସେ ରାତିରେ ମିଟିଂଗାଁ ଭେଣ୍ଡିଆମାନଙ୍କ ସାଙ୍ଗେ ।’

 

ଆଗର ଟୋକୀମାନେ ବହେ ହସିଲେ । କାନ୍ଧକୁ କାନ୍ଧ ହାତରେ ଝାଙ୍କି ଧରି ହସି ହସି ନାଚି ନାଚି ଚାଲିଲେ ଗାଁ ଭିତରକୁ ।

 

ପୁବୁଲିର ମନେପଡ଼ିଲା ମିଟିଂ ଗାଁର ବେଶୁ କନ୍ଧ ।

 

ବନ୍ଧନ ନାହିଁ, ବାଧା ନାହିଁ, ଜୀବନଟା ସେଡ଼େ ନୀରସ ନୁହେଁ ଯେପରି ମଣିଷ ଭାବେ ବେଳେ ବେଳେ, କେବଳ ଡୋରରେ ଗଣ୍ଠି ପକେଇ ପକେଇକା ଦିନଗୁଡ଼ାକ ଗଣିବାକୁ ହୁଏ, ପୁବୁଲି ଭାବିଲା ।

 

ଗୋଟି ଗୋଟିକିଆ ତରା ଫୁଟିଥିଲେ, ଅନ୍ଧାରରେ ଗାଁ ଦାଣ୍ଡରେ ଆଲୁଅ ଜଳିଥିଲା ।

•••

 

କୋଡ଼ିଏ

 

ମିଣିଆପାୟୁର ଫସଲକଟା ସରି ଆସିଥାଏ । କ୍ଷେତସବୁ ଖାଲି ଖାଲି ଖାଁ ଖାଁ । କ୍ଷେତ ମଝିରେ ଜଗୁଆଳିଙ୍କ କୁଡ଼ିଆରେ ପିଲାଏ ବସି ଖେଳ ଖେଳନ୍ତି ଦିନବେଳେ, କିଏ ଖୁଣ୍ଟରେ ଚଢ଼େ, କିଏ ଖୁଣ୍ଟ ଧରି ଧରିକା ମାଙ୍କଡ଼ ପରି ଖସେ ପଦା କ୍ଷେତରେ ।

 

ଅନେଇଁଲେ ଅରାଏ ଅରାଏ ଦିଶେ ଚନ୍ଦା, ମଝିରେ କହରା ସେମେଟା କ୍ଷେତ, ପଛୁଆଣି ଫସଲ, କ୍ରମେ ସେତକ ବି ଉଠିଯିବ ।

 

ଦିଉଡ଼ୁ ସାଓଁତାର କାମ ସରିଆସିଥିଲା । ବର୍ଷଯାକର କାମର କମାଣି କଟେଇ ବାନ୍ଧିନେଇ ସେ ଆଉ ଲେଞ୍ଜୁ କନ୍ଧ ଘରେ ପୂରେଇ ସାରିଛନ୍ତି, ଆଉ ଗଣ୍ଡାଏ ଅଳସି ରହିଛି, ସେ ବି ଯିବ ।

 

ଏଣିକି ଚାଷୀର ହାଲୁକା କାମ, ଫସଲ ସାଇତି ରଖିବ, ଆସନ୍ତା ଫସଲ କଥା ଭାବିବ; ହାଟ ବୁଲିବ । ଅଣନିଶ୍ୱାସୀ କାମ ଭିତରୁ ଛୁଟି ନେଇ ଟିକିଏ ବଇଁଶୀ ବଜେଇବ, ବସି ବସି ଧୁଙ୍ଗିଆ ଧୂଆଁ ପିଇ ପିଇ ଗପ କରିବ, ସବୁ ମାନ୍ଦା ମାନ୍ଦା ।

 

ଏଣିକି ଘରେ ବେଶୀ ବେଳ । ଚାରିଆଡ଼େ ଆନନ୍ଦର ଧୁମ୍, ରାତିରେ ନାଚ । ଆଉ ଠିକ୍ ମଣିଷର ଦରକାର ଅନୁଭବ କରି ମଣିଷର ଅବସରକୁ ସରସ କରିବା ପାଇଁ ମହୁଲ ଗଛରୁ ପାଚିଲା ମହୁଲ ଝଡ଼ୁଛି । ପର୍ବତ କନ୍ଦର ଭିତରେ ଝୋଲା ନଈ କୂଳେ କୂଳେ ଲାଗିରହିଛି ମଦରନ୍ଧା ମଉଛବ ।

 

ସେଦିନ ଦିପହରରେ ଦିଉଡ଼ୁ ପଦାକୁ ବାହାରିଥିଲା । ଘରେ ବସି ବସି ଖରାପ ଲାଗୁଥାଏ, କାମିକା ଲୋକକୁ ଘରେ ବଡ଼ ଅଡ଼ୁଆ ଲାଗେ । ସେଠି ପୁରୁଣା କତରା ପରି ସେହି ଏକାରକମ ଦୃଶ୍ୟ, ଛୁଆଟିକୁ କାନିରେ ଯାକି ମା’ଟି, ଅକାମରେ କାମରେ ମାତିଛି ତାର ଭଉଣୀ; ଏଇଟା ଏଠୁ ନେଇ ସେଠି ସେଠୁ ନେଇ ଏଠି ରଖୁଛି, ଦୁଆରେ ସବୁଦିନ ପରି ଚାରିକାତ ମେଲାଇ ଦେଇ ଦସ୍ରୁ କୁକୁର ଘୁଙ୍ଗୁଡ଼ି ମାରୁଛି, ଓଠ ଉପର ଫୁଲି ଉଠୁଛି, ଦବି ଯାଉଛି, ଫୁଲି ଉଠୁଛି, ଦବି ଯାଉଛି, ଲେଞ୍ଜୁ କନ୍ଧ ନାହିଁ ।

 

ଦିଉଡ଼ୁ ଗାଁ ଏ ମୁଣ୍ଡରୁ ସେମୁଣ୍ଡ ଗଲା, ଦି ପାଖରେ ମଣିଷ ସାଲୁ ସାଲୁ, କୁଟାକୁଟି ବଛାବଛି ଲାଗିଛି ସାଇତା ଫସଲର, ଲଙ୍କାମରିଚ ଶୁଖୁଛି । ଧୂଆଁପତ୍ର ଶୁଖୁଛି, କେଉଁଠି କିଏ ବସି ବସି ଦଉଡ଼ିଖଟ ବୁଣୁଛି । ବୁଢ଼ାମାନେ କାନ୍ଥକୁ ଆଉଜି ବସି ପାଣିଚିଆ ଆଖି ଗଡ଼େଇ ଗଡ଼େଇ ଧୂଆଁ ପିଉଛନ୍ତି । ପିଲା ଖେଳୁଛନ୍ତି । ଗାଁର ଏମୁଣ୍ଡରୁ ସେମୁଣ୍ଡ ଖାଲି ଏଇ ଦୃଶ୍ୟ । ଗୋଟିଏଠିଁ ଅଳସୁଆ ଟୋକା ପଞ୍ଝାଏ ପିଣ୍ଡାରେ ବସି ଗାଁର ବଡ଼ ଢୋଲରେ ପାହାର ପକୋଉଛନ୍ତି । ଦିଉଡ଼ୁକୁ ବିରକ୍ତ ଲାଗୁଥାଏ । ଦିନାକେତେ ହେଲା ବିରକ୍ତ ଲାଗୁଛି । ସିଧା ସଳଖ ମାଡ଼ି ଯିବାକୁ କୌଣସି ବାଟ ଦିଶୁ ନାହିଁ । ଜୀବନଟା ଉଦ୍ଦେଶ୍ୟହୀନ । ଖରାର ତେଜ ଆହୁରି ତୀକ୍ଷ୍‌ଣଭାବେ ମନ ଭିତରଟାକୁ ହସୋଉଛି ଦିନୁଁ ଦିନ, ଅଳ୍ପ ମିଠା ଅଳ୍ପ ଖଟା ଦରୋଟି ଆମ୍ବପରି ଶୀତୁଆ ଉଷୁମ ଚଇତ ପାଖିଆ ଖରା । ବାହାରେ ତାର ଜବାବ ଖୋଜୁଛି ମଣିଷ, ଜବାବ ନାହିଁ । ଚିଡ଼ି ମାଡ଼ୁଛି ।

 

ନୂଆ ମିଳିଥିବା ସର୍ଦ୍ଦାରପଣ ସାଉଁତାଗିରିରେ ଛାତିଟା ଫୁଲେଇ ଦିଉଡ଼ୁ ଚାରିଆଡ଼କୁ ନିଘା ପକାଏ । ମନେ ମନେ ଖୋଜେ କେତେ ଫୁଲ ଚନ୍ଦନ ଅର୍ଘ୍ୟ ଧୂପ । ପୁରୁଷାନୁକ୍ରମିକ ସାତପଛକୁ ଉଠି ଉଠିକା ଚାଲିଯାଏ ଗୋଟାକ ପଛେ ଗୋଟାଏ ହୋଇ ପର୍ଦ୍ଦା । ମାତିଲା ଷଣ୍ଢ ପରି ସିଙ୍ଘକୁ ମାଟିରେ ସାଉଁଳି ପାଉଁଳି ବେକ ଫୁଲେଇ ଆଗକୁ ଅନେଇବାକୁ ସେହି ଅତି ଅତୀତର ମନର କେଉଁ ଆଦିମ ବ୍ୟକ୍ତିତ୍ୱ ପଦାକୁ କଷି ନେବାକୁ ମନ କରେ, ଦିଉଡ଼ୁ ସାଓଁତା ତାର ଉତ୍ତର ପାଏ ନାହିଁ । ଚଇତର ଧାସ ମତାଏ, ବାହାରକୁ ଅନେଇଲେ ମନେପଡ଼େ ବୁଢ଼ା ଲେଞ୍ଜୁ କନ୍ଧର ହାଡ଼ୁଆ ମୁହଁ, ସେଥିରେ ଗୋଟାଏ ଅବଜ୍ଞାର ତାଚ୍ଛିଲ୍ୟର ବଙ୍କା ହସ । ଦିଶେ ପୁୟୁର ମୁହଁ, ଶୁଖିଲା ସେମେଟା ନୀରସ, ପୁୟୁର ଆଖି ବୁଦାବଣ ଭିତରେ ଅଣ୍ଡାଳି ଅଣ୍ଡାଳି ଦିଉଡ଼ୁକୁ ଖୋଜେ ନାହିଁ, ଦେଖିଲେ ଶଙ୍କିଯାଏ । ତାର ବ୍ୟକ୍ତିତ୍ୱ ବାନ୍ଧି ହୋଇ ରହେ ବକଟେ ପିଲା ଚାରିପାଖେ । ଦିଉଡ଼ୁ ସବୁ ଖୋଜେ, କାହାଠି କିଛି ପାଏ ନାହିଁ । ଲାଗେ ଯେପରି ତା’କୁ ରୋଗ ହୋଇଛି । ନିଦ ନାହିଁ, ଆଖି ଦି’ଟା କସରା କସରା । ଚାରିପାଖରୁ ଟାଣି ଧରିଲା ପରି । ଏଇ ତାର ସଂସାର ଉପରେ ବିଦ୍ରୋହ ଯେ, ସେ କାମିକା ଲୋକ ଅଥଚ କାମ ଶେଷରେ ଟିକିଏ ବି ଶାନ୍ତି ନାହିଁ । କେହି ତାର ମହତ୍ତ୍ୱ ବୁଝି ନାହାନ୍ତି କି କେହି ପାଛୋଟି ଆସୁନାହାନ୍ତି ତାର ଝାଳ ପୋଛି ଦେଇ ଟିକିଏ ବିଞ୍ଚଣା ବୁଲେଇବାକୁ ।

 

ଦିଉଡ଼ୁ ସାଓଁତା ଗାଁ ଦାଣ୍ଡରେ ଅଟକି ଅଟକି ରହି ଆଗକୁ ଚାଲିଲା, ଅଣ୍ଟାରେ ହାତ ଦେଇ ଖୋଲା ଦେହରେ ଖରା ଦେଇ ଦେଇ ଅଳସ ଚାହାଣିରେ ସେ ଟିକିଏ ବାଟ ମୁହଁରେ ଅନେଇ ରହେ, କିଛି ନ ବୁଝି ଅନାଏ । କେହି ଉଠି ଆସନ୍ତି ନାହିଁ । ଆଗକୁ ଚାଲେ ।

 

ଗାଁ ମୁଣ୍ଡରେ ଟିକିଏ ଅଲଗା ହୋଇ ବାରିକର ଘର । ସେ ଜାତିରେ ଡମ୍ବ, ତେଣୁ ସେ ତଫାତ୍ । ଅଲଗା ହୋଇ ସାଉଡ଼ିଏ ଛୋଟ ଛୋଟ କୁଡ଼ିଆ । ଚାଳ ଦଦରା ଓଲରା । ଚାରିପାଖେ ଭଙ୍ଗା ବାଡ଼ର ଧ୍ୱଂସାବଶେଷ । ଭିତରେ ଅବର୍ଜିଆ ହୋଇ ପୁଳାଏ ପୁଳାଏ ଦରମଲା ଖାଣ୍ଟିଆ ଗଛ ଛଡ଼ପରି ଉଠିଛି । ଘାସରେ କଖାରୁ, ଲାଉ ଲଟା ମାଡ଼ିଛି । ପାଉଁଶ ଅସନା କୁଢ଼ କୁଢ଼ । ପାରା କୁକୁଡ଼ା ପକ୍ଷୀ । ହାତୀ-ଅନ୍ଧରୁ ଛିଣ୍ଡାଲୁଗା ଛିଣ୍ଡାକନା ଶୁଖୁଛି, ଚାଳରେ ଠାଏ ଖୁରା ସହିତ ଗୋଟାଏ ଗୋରୁର ଗୋଡ଼-ହାଡ଼ । ସେମାନେ ଅଜାତି, ଡମ୍ବ, ଦୁନିଆଁର ବିଶ୍ୱାସରେ ମଣିଷ ଶ୍ରେଣୀରେ ସବୁଠୁ ସାନ, ତାଙ୍କର ମାନ ନାହିଁ ଅପମାନ ନାହିଁ । ତେଣୁ । ଆତ୍ମସମ୍ମାନର ବଡ଼େଇ ଦେଖାଇବା ପାଇଁ କୌଣସି ପ୍ରକାର ଇଚ୍ଛା ନାହିଁ କି ଚେଷ୍ଟା ନାହିଁ ।

 

ଡମ୍ବ ଘରର ହତଶ୍ରିକ ପଣିଆଁ ଦେଖି ଅନୁଭବ କଲାଭଳି ଦିଉଡ଼ୁ ସାଓଁତାର ଚେତନା ନ ଥିଲା । ଅବର୍ଜିଆ ବାରିପଟେ ବାଲ୍‍ମୁଣ୍ଡାର ଭାରିଯା ସୋନାଦେଈ ବସି ବସି ବାଳ ଶୁଖୋଉଛି, ଦିନ ଦିପହର । ଗାଧୋଇ ସାରି ଆସି ଛିଣ୍ଡା ସାନ ଲୁଗା ଖଣ୍ଡିଏ ପିନ୍ଧି ସେ ବସିଛି, ଅଲରା ବାଳ । ଦିଉଡ଼ୁ ମାଣ୍ଟେଇଲା । ଡମ୍ବଘରର ବାରିପଟେ ଅସନା ଗମରା ଗନ୍ଧ । ମଢ଼ିଆ ଧେଡ଼ କୁକୁରଟିଏ ଅଳିଆ ଗଦାକୁ ଆଂପୁଡ଼ିବାରେ ବ୍ୟସ୍ତ । ପାଖରେ କୁକୁଡ଼ା ପଲେ କିଲିବିଲି ହେଉଛନ୍ତି ।

 

ସେମିତି କୁକୁର ପରି କାନ୍ଧ ଉପରକୁ ଅତେଲିଆ ଜଟ ଝାଡ଼ିଝାଡ଼ିକା ଜିକି ଜିକି ଦାନ୍ତ ଧାରେ ବାହାର କରି ହାଡ଼ୁଆ ଗାଲରେ ମୁରୁକି ହସି ବାରିକ ଭୁର୍ଷାମୁଣ୍ଡା ଉଠି ଆସିଲା । ତାର ପଛେ ପଛେ କୌପୁନୀ ଖଣ୍ଡେ ମାରି ଡାଙ୍ଗ ଖଣ୍ଡେ ଧରି ଧୂଳି ସରସର ହୋଇ ନହକା ଭେଣ୍ଡିଆଟି ବାରିକର ପୁଅ ତୁରୁଞ୍ଜା । ଅତି ବିନୟ ଦେଖାଇ ବେକ ହଲେଇ ହଲେଇ ବାରିକ କହିଲା, ‘ସାଓଁତା, ସାଓଁତା, ଖିଆପିଆ ସରିଲାଣି ? କୁଆଡ଼େ କୁଆଡ଼େ ବାହାରିଛୁ ଖରାଟାରେ ?’

 

ବାରିକ ଖୁସାମତ କରେ । ସାଓଁତା ତଳିଆ ବାରିକ ସେ । ସାଓଁତା ଗାଁର ନାଇକ । ପ୍ରତି ରଇତଠୁ ଖଜଣା ଅସୁଲ କରି ରଜାଘର ଅମିନ ରିବିନିଂକୁ ଖଜଣା ଦେଇଦେବ । ଗାଁର ହାନି ଲାଭ ବୁଝିବ । ସେ ଗାଁର ବଡ଼ଲୋକ । ସମସ୍ତିଙ୍କ ମାନ୍ୟର ପାତ୍ର । ବାରିକ ସାଓଁତାର ହାତବାରିଶି, ତାର ହୁକୁମ୍ ନେଇ ଗାଁ ଭିତରେ ଯାହା ଦରକାର ପଡ଼ିବ ସେ କାମ କରିବ । ରଇତଙ୍କ ଘରକୁ କ୍ଷେତକୁ ଦଉଡ଼ ଲଗେଇବ । ସାଓଁତା ଯୁଆଡ଼େ କହିବ ସେଆଡ଼େ ସେ ଯିବ, ଗାଁ ଜଗିବ । ତାର ଭଲମନ୍ଦ କଥା ସାଓଁତା ଖୋଜାଲୋଡ଼ା କରେ । ବାରିକ କାମ ପାଇଁ ଜମି ଦିଏ । ଖୋରାକି ଦିଏ । ରଇତମାନେ ଘର ପିଛା କିଛି କିଛି ତା’କୁ ଦିଅନ୍ତି । ବାରିକ ଚଳିଯାଏ ।

 

ଯେତେ କୂଟବୁଦ୍ଧି ସବୁ ଡମ୍ବ ବାରିକର । ଘର ଭାଙ୍ଗିବା, ଘର ଯୋଡ଼ିବା, କଜିଆ ଭେଇବା, ଶଲା ଦେବା ସବୁ । ସ୍ୱଭାବତଃ ଡମ୍ବର ମୁଣ୍ଡ ପିଲାଦିନୁ ଉର୍ବର । କେବଳ ସେଥିରେ ଦୁଷ୍ଟାମି ବୁଦ୍ଧି ସବୁବେଳେ ଖେଳୁଥାଏ । ଏତିକି ଯାହା ଡମ୍ବ ନିଜେ ପରିଶ୍ରମକାତର, ତେଣୁ ଖୋରାକି ଗଣ୍ଡାକ ସଜିଲ କରିବା ପାଇଁ ଫିକର ବାହାର କରିବା ତାର ଏକପ୍ରକାର ବ୍ୟବସାୟ । ଭୁର୍ଷାମୁଣ୍ଡା ପାକଳ ବାରିକ, ତାର ବୁଝିବାକୁ ବାକି ନ ଥିଲା ଯେ ଦିଉଡ଼ୁ ସାଓଁତା ଟୋକା ହେଲେବି ତାର ହାକିମ, ତାର ସବୁ ଭଲ ମନ୍ଦର ଚୁଟି ସାଓଁତା ହାତରେ ।

 

ଅଳସୁଆ ନିକମା ଅବସରବେଳେ ବାରିକର ବାକ୍‌ଚାତୁରୀ ମନ୍ଦ ଲାଗିଲା ନାହିଁ । ‘ସାଓଁତା ତୁ, ହେଲେ ବାରିକ ଅଛି ବୋଲି ଟିକିଏ ଠେଦେଇ ହେଲୁ (ଅଟକି ଗଲୁ) ତ, ଆମେ ତୋର ଗୁ-ମୂତ ଖାଇ ପଡ଼ି ରହିଛୁଁ । ସରବୁ ସାଓଁତା ମୋ’ ବାପା ପରି ଥିଲା । ତୁ ମଧ୍ୟ ମୋର ବାପା ପରି । ଜିଆଇଲେ ତୁ, ମରାଇଲେ ତୁ, ତୁ ତ ସବୁ ।’

 

ପଛଆଡ଼ୁ ସୋନାଦେଈ ଚାହିଁଥାଏ । ‘କ’ଣ କରିବି ମୋର କପାଳ ସାଓଁତା ସବୁ କପାଳ-। ମୋର ବାପାପରି ସରବୁ ସାଓଁତା ମରିଗଲା’ ବାରିକ କାନ୍ଦିପକେଇଲା ‘ଟୋକା ଦିନେ, ଠିକ୍ ତୋରି ପରି ହୋଇଥିଲା, ଏମିତି ଗାଗଡ୍ (ଦେହ) । ଯେତେ ଲୋକ ଥିଲେ ବାରିହୋଇପଡ଼େ-। ‘ମୁଁ ବି, ସବୁ ପ୍ରଭୁ ଅଧିକାରୀଙ୍କ ସେବା କରି ପଡ଼ିରହିଚି, ଯେ ଯେତେ ଆସିଲେ ଗଲେ । ଶଳା ବୋଲି ଗାଳି ଦେଇଛନ୍ତି ସିନା, ଆଉ କିଛି କହି ନାହାନ୍ତି । ମୁଁ ମୋର ପିଲା ସମସ୍ତେ, ଆମେ ତୋର କୁକୁର, ଦେଖିବୁ ତ ।’ ବାରିକ ବାୟାପରି କଥା କହେ, କଥାରୁ କଥାକୁ ଡିଏଁ, ଭୁଷ୍‌ଭାଷ୍ ନୂଆକଥା ଅଜାଡ଼େ-

 

‘ବୁଝିଲୁ ସାଓଁତା, ସବୁ ଆମର୍ କପାଲ୍ । ଜମି ଏଡ଼ିକି ଟିକିଏ ହଉଚି, କୁଟୁମ୍ବ ବଡ଼, ଖାଦି ଅଣ୍ଟୁ ନାହିଁ । ସାଓଁତା କହିଥିଲା ଆଉ ଖଣ୍ଡେ କୋଉଠୁ ଦବ ବୋଲି, କାହିଁ ଦେଲା ? ଆପେ ତ ମରିଗଲା ।’

 

ପୁଣି ବାରିକ ସୁଁ ସୁଁ ହେଲା । ସେ ଦେଖିଲା ଦିଉଡ଼ୁ ସାଓଁତା ଅନ୍ୟମନସ୍କ ଅଛି, ପଛକୁ ଅନେଇ ରହିଛି, ପୁଣି କହିଲା, ‘ଦେଖିଲୁ ମୋର କପାଳ ସାଓଁତା, ଏଇ ଟୋକୀକୁ ବର୍ଷେ ହେଲାଣି ଆଣିକରି କେଲାର ଗାଁରୁ, ତାର ବାପକୁ ତିନିକୋଡ଼ି ଟଙ୍କା ଝୋଲା ଦେଲି, ଆଣିଥିଲି ପୁଅ ଘର କରିବ ବୋଲି । ଏମିତି ବୋହୂ ସାଓଁତା କ’ଣ କରିବି କପାଳ, ପୁଅ ବୋହୂର ପାଖ ମାଡ଼ୁ ନାହିଁ, ବୋହୂ କହୁଛି ନିଚୁ ନିଚୁ (ନାହିଁ ନାହିଁ) କେତେବେଳେ କାହା ସାଙ୍ଗେ (ସଗର୍ତ୍ତା ନୂଆ ସ୍ୱାମୀ କରି) ପଳେଇବ ଯେ କେ ଜାଣେ ।’

 

ଦିଉଡ଼ୁର ସୋର ଆସିଲା । କହିଲା ‘ପଳେଇବ ? କାହିଁକି ?’

 

‘ପଚାର୍ ପଚାର୍ ସାଓଁତା ତା’କୁ ପୋ’ର ସାଙ୍ଗେ ଜାଟି (କଜିଆ) ଲାଗିବ ନାହିଁ, ଲାଗିବ ମୋ ସାଙ୍ଗରେ, ସବୁବେଳେ ଲାଗିବ, କହିବ କାହିଁକି ମତେ ବୋହୂ କରି ଆଣିଥିଲୁ,-ପଚାର୍ ପଚାର୍ ତାକୁ,-ଏ ସୋନାଦେଈ-’

 

ସୋନାଦେଈ ହସିଦେଇ ଉଠି ଆସିଲା ବାଡ଼ ପାଖକୁ, ମୁହଁକୁ ତଳକୁ ପୋତି ଠିଆହେଲା, ବାରିକ କହିଲା, ‘ପଚାର୍ ତାକୁ, କାହିଁକି ପଳେଇବ ? ମୁଁ ଦଣ୍ଡ ଦେଲି କି, ଲୋକରେ ରଖିଲି କି, ପଳେଇଲେ ମୋର ତିନିକୋଡ଼ି ଟଙ୍କା କିଏ ଦେବେ ଯେ ସେ ପଳେଇବ, କହୁ, ମୁଁ ପଛେ ଯାଉଛି ଭାରି ।’

 

ଦିଉଡ଼ୁ ସାଓଁତାର ଆଗ୍ରହ ବଢ଼ିଥାଏ । ସେ ସମସ୍ତିଙ୍କର ହାନିଲାଭ ବୁଝିବାକୁ ହକ୍‌ଦାର, ତା ଶାସନରେ ବାରିକର ବୋହୂ ଗାଁ ଛାଡ଼ି ପଳେଇବ,-କାହିଁକି ?

 

‘ତୁ ପଳେଇବୁ ?’

ସୋନାଦେଈ ମୁହଁପୋତି ଠିଆହେଲା ।

‘କାହିଁକି ପଳେଇବୁ ?’

ଜବାବ ନାହିଁ ।

 

‘କହ, ମତେ ଡର୍ ନାହିଁ, ବାରିକ ଅଲ୍ରା (ହଇରାଣ) କରୁଛି ?’ ....ସ୍ୱର ନୁଆଇଁ ‘ବାଲ୍‍ମୁଣ୍ଡା ତୋର ଯତ୍ନ ନେଉ ନାହିଁ ?’

 

ଦୁହେଁ ତୁନିତାନି । ଦିଉଡ଼ୁ ଖୁବ୍ ଧୀରେ ଧୀରେ ପଚାରିଲା, ‘ବାଲ୍‍ମୁଣ୍ଡାର କ’ଣ ହୋଇଛି-? କାଇଲା (ବେମାର) ଅଛି କିଛି ? କହ କହ ।’

 

ସୋନାଦେଈର ମୁହଁ ଝାଳେଇ ଯାଇଥାଏ, ଗୋଟାଏ ଗୋଡ଼ ହଲେଇ ହଲେଇ ପାଦରେ ତଳେ ଘଷୁଥାଏ । ଠିଆହୋଇ ରହି ରହି ବୁଲିପଡ଼ି ସେଠୁ ଚାଲିଗଲା । ଦିଉଡ଼ୁକୁ ଶୁଭିଲା ଖାଲି ‘ଛି ଛି ।’

 

ସୋନାଦେଈ ହସି ହସି ଚାଲିଗଲା । ଦିଉଡ଼ୁକୁ ହସ ମାଡ଼ିଲା । ଏଇ ସୋନାଦେଈ ଡମ୍ବ ଜାତି ନ ହୋଇ କନ୍ଧୁଣୀ ହୋଇଥିଲେ ବୟସରେ ତାର ସ୍ତ୍ରୀ ହେବାକୁ ଉପଯୁକ୍ତ, ତା’କୁ କ’ଣ ସେ ପଚାରିବ, କାହିଁକି ତାର ସ୍ୱାମୀ ପାଖରୁ ସେ ପଳେଇ ଯିବାକୁ ଚାହେଁ ! ବୁଢ଼ା ବାରିକ ବାୟାଟା । ବାରିକ ପୁଣି ଆସିଲା, କହିଲା, ‘କହିଲା ନାହିଁଟି, ମୁଁ ଜାଣେ କହି ନ ଥିବ, ସେମିତିଟା ସେ, ତାର ବାପ ମା ତା’କୁ ଘୁଙ୍ଗା କରି ଦେଇଛନ୍ତି ପିଲାଦିନୁଁ । ମାତ୍ର ତୁ ତା’କୁ ପଚାର୍ ସାଓଁତା, ତୋର ଯେତେବେଳେ ଇଚ୍ଛା ପଚାରି ବୁଝ ମୁଁ ପାରିଲି ନାହିଁ ହଟିଗଲି, ସଞ୍ଜବେଳେ ପଚାରି ପଞ୍ଚାତି (ପଞ୍ଚାଏତ୍ ବୁଝାମଣା) କର ତୋର ଏକଲା ଏକଲା’ ବାରିକ ହସିଦେଲା, ଦିଉଡ଼ୁ ସାଓଁତା ହସିଦେଇ ସେଠୁ ବାହାରି ଚାଲିଗଲା, ପଛରୁ ବାରିକ କୁହାଟ ମାରିଲା ‘ମୋର ଜମିର କଥା ହେତାଇବୁ (ମନେ ପକେଇବୁ) ସାଓଁତା, ତୋର ଦୟା ।’

 

ଦିଉଡ଼ୁ ଆଗକୁ ଚାଲିଲା, ଏଥର ଗାଁ ମୁଣ୍ଡ ଶେଷ । କୁଆଡ଼େ ଯାଉଛି ସେ ଜାଣେ ନାହିଁ, କେବଳ ଯିବାକୁ ମନ ହେଉଛି, ତେଣୁ ଯାଉଛି ।

 

ଗାଁ ସେମୁଣ୍ଡରେ ହିଡ଼ ପରି କୁଦ ଉଠିଛି, ଖଣ୍ଡ ଖଣ୍ଡିଆ ତୋଟା ଜଙ୍ଗଲ । ଦିଉଡ଼ୁ ସେହି ଉପରେ ଯାଇ ଠିଆହେଲା । ଛାଇ ପଡ଼ିଛି । ବଉଳ ହେଲାଣି । ପଣସ ଫୁଲର ମନମତାଣିଆଁ ସୁବାସ । ଗୋଡ଼ ତଳେ ତଳେ ତୀଖ ଅତଡ଼ାରେ ଜଡ଼ା ଗଛ, ସାମ୍ନାରେ ଅତଡ଼ା ଓହ୍ଲାଣି ଗୋଟାଏ ବିରାଟ କୋରଡ଼ ପରି ପର୍ବତ ଗୋଲେଇ ହୋଇ ଉପତ୍ୟକା, ତହିଁରେ କନ୍ଧର ବାରି ବଗିଚା ‘କନ୍ଧ-ଗୁଡ଼ିଆ’ ।

 

ପବନ ଦେଲା, ଦେହକୁ ଭଲ ଲାଗିଲା, ଆଶ୍ଚର୍ଯ୍ୟ ହୋଇ ଚମକି ପଡ଼ି ଦିଉଡ଼ୁ ନିଘା ଦେଲା, ପବନରେ ସଜ ମଦର ବାସ୍ନା ।

 

ଖରାରେ ଧୂଆଁ ଦିଶୁ ନାହିଁ ସିନା, ନିଶ୍ଚୟ ମଦ ଅଛି କେଉଁ କନ୍ଧ-ଗୁଡ଼ିଆରେ ।

ଦିଉଡ଼ୁ ଓହ୍ଲେଇ ପଡ଼ିଲା ।

 

ଉପରେ ଗାଁ, ତଳେ କ୍ଷେତ, ସବାତଳେ ପାହାଡ଼ ମଝିରେ ଚଟାଣ ପରି ଗହୀର ଜମି, ସଫା ହୋଇଥିବା ଅରମା ଜଙ୍ଗଲର ମୂଳଦୁଆ ଉପରେ । ଗୋଟାଏ ଗୋଟାଏ ଅଞ୍ଚଳ ଆବୋରି ଜଣ ଜଣକର ତାଷ, ସେଥିରେ ତାଷ-ଘର ଖଣ୍ଡେ ଲେଖାଏଁ ଅଛି, ବତାବୁଣା ବାଉଁଶ ଚଟେଇ ଗୋଲ କରି ଘେରେଇ ଦେଇ ଗୁହାଳ ଘରର କାନ୍ଥ କରଯାଇଛି । ଏଇ ମସ୍ତ ବଡ଼ ବଡ଼ ଅରାଏ ଲେଖାଁ ଜଣ ଜଣକର ଯେଉଁ ବଗିଚା ଜମି, ତାହାରି ନାଁ ‘ଗୁଡ଼ିଆ’ । ସେଥିରେ ସବୁଠି ତାଷ ହୁଏ ନାହିଁ, ସ୍ଥାନେ ସ୍ଥାନେ ପଥର ଅରମା ଅଛି, ଛଡ଼ା ଛଡ଼ା ହୋଇ ଲଟା-ବୁଦାର ବଣ ଅଛି, ଯେଉଁଠି ତାଷ ହୋଇଛି ସେଠି ହରଡ଼ ଲାଗିଛି, ଧୂଆଁପତ୍ର, ଜଡ଼ା ଲାଗିଛି, ଲଙ୍କାମରିଚ ଓ ହଳଦୀ ବାରି ମଧ୍ୟ ଅଛି । ଚାରିପାଖେ ପାହାଡ଼ରୁ ଝରି ସରୁସରୁ ନାଳିଆ ଝରଣା ଚାଲିଛି, ଢିପ ବାରିକୁ ପାଣି ଉଠେଇବାକୁ ସ୍ଥାନେ ସ୍ଥାନେ ତେଣ୍ଡାର ବ୍ୟବସ୍ଥା । ଯେତେଠି, ପାଣିପାଖେ ଉର୍ବର ଚକଡ଼ା ସେତେଠିଁ କନ୍ଧର ଆଦିମ ଫଳ ‘କାମ୍ବେଲା’ (କମଳା-ଲେମ୍ବୁ)ର ତୋଟା, ଭଲ ପାଣିପାଗରେ ଗଛ ଭାଲୁପରି ବଢ଼ିଛି, କେତେଠିଁ ଜଙ୍ଗଲ ହୋଇଛି, ଫଳ ପାଚିଲେ ବେଳେ ବେଳେ ଝୁଡ଼ି ପଡ଼ି ଝରଣାର ସୁଅରେ ଭାସି ଚାଲିଯାଏ ଦୂରର ନଈକୁ । ଜଣକର ଗୁଡ଼ିଆଠୁଁ ଆଉ ଜଣକର ଗୁଡ଼ିଆ ମଝିରେ କାଙ୍କର ପଥର ଢିପ ଢିମା ଜଙ୍ଗଲ ଅରାଏ । କେଉଁଠି ବା ଗହୀର ଝୋଲା, ପାଣି ସୁକୁ ସୁକୁ ବାଲି ସର ସର-। ଏଇ ପଥୁରିଆ ବୁଦା ଜଙ୍ଗଲ ଆଉ ବାଲି ଝରଣାରେ ହରିଣ ଓହ୍ଲାନ୍ତି, ଚଇତରେ ଚାରିଆଡ଼େ ଖେଦା ଲାଗିଲେ ଏଠି ଶିକାର ମାଡ଼ଖାଏ ।

 

ଦିନରେ ଯେତେବେଳେ ଦେଖିଲେ କନ୍ଧ-ଗୁଡ଼ିଆରେ ଲୋକ ଥା’ନ୍ତି, ଗୋରୁଗାଈ ଥା’ନ୍ତି, ଗୋଟାଏ ଗୋଟାଏ କୁଡ଼ିଆ ଘର ଥାଏ ନିଛାଟିଆ ।

 

ଭାରି ଜୋର ମଦ ବାସୁଛି, ଦିଉଡ଼ୁ ଅଥୟ ହେଲା, ଯାହାକୁ ପଚାରିଲେ ବି ସେ ଜାଣେ ନାହିଁ ।

 

ଦିଉଡ଼ୁ ଭାବିଲା ଏଇ କନ୍ଧ-ଗୁଡ଼ିଆରେ କେଉଁ ଝୋଲାପାଖେ କୁଡ଼ିଆ ପାଖରେ ଅବଶ୍ୟ କେଉଁଠି ମଦ ରନ୍ଧା ହେଉଥିବ, ବହୁତ ମଦ ରନ୍ଧା ହେଉଥିବ, ନ ହେଲେ ପବନରେ ଏଡ଼େ ଉତ୍କଟ ବାସନା ରହନ୍ତା କାହୁଁ ? ବଡ଼ ଚୁଲି ଉପରେ ହାଣ୍ଡିରେ ସିଝା ହେଉଥିବ ସଢ଼ା ମହୁଲ । ତା’ ଉପରେ ଢାଙ୍କୁଣି, ଢାଙ୍କୁଣିରେ କଣା ହୋଇ ବାଉଁଶ ନଳା ଲମ୍ବି ଯାଇଥିବ ଢାଙ୍କୁଣୀରୁ ଯେ ନିବୁଜ ଧର୍‌ଣି ହାଣ୍ଡିକୁ । ଧର୍‌ଣି ହାଣ୍ଡିରେ ଝୋଲାର ପାଣି ପଡ଼ୁଥିବ ଡେରା ହୋଇଥିବା ଫାଳ ବାଉଁଶ ବାଟେ । ମଝିରେ ମଝିରେ କେହି କେହି ଧର୍‌ଣି ଖୋଲି ନେଇ ମଦ ସାଇତି ରଖୁଥିବେ । ଗଛ ତଳେ ତଳେ ଝୋଲା କୂଳରେ କେତେ ଲୋକ ଶୋଇ ରହିଥିବେ ଧର୍‌ଣି ହାଣ୍ଡି ଆଡ଼କୁ ଅନେଇଁ ଅନେଇଁ, ମଦ ତିଆରି, ମଦ ପିଆ, ଛାଇ ତଳ, ନିଛାଟିଆ ସେଇ କନ୍ଧିଆ ଭାଇର ଆରାମ୍ ଆଉ ସ୍ୱର୍ଗ । ମଦ ବାସ୍ନା, ଫଗୁଣର ପବନ, ସୁନ୍ଦର କନ୍ଧ-ଗୁଡ଼ିଆ ଦିନ ଦିପହରେ ବି ମଣିଷ ସ୍ୱପ୍ନ ଦେଖେ ।

 

ନିତି ଅନୁଭୂତିର ସେଇ ଗୋଟିଏ ବୋଲି ପ୍ରିୟ ଛବି ଦିଉଡ଼ୁ ସାଓଁତାର ବାରମ୍ବାର ମନେପଡ଼ୁଥିଲା । କିନ୍ତୁ କେବଳ ସେତିକିରେ ଛବି ସମ୍ପୂର୍ଣ୍ଣ ହେବ ନାହିଁ, ୟା ସାଙ୍ଗକୁ ଆହୁରି ଦରକାର, ରଙ୍ଗ ଲୁଗାପିନ୍ଧା କଳା ମିଶିମିଶି ଗୋଲ ଗୋଲ ପିଣ୍ଡୁଳାମୟ ମଣିଷ-ଜନ୍ତୁ, ସେ ସମ୍ବର ନୁହେଁ କିନ୍ତୁ ଧାଇଁଲେ ପଳେଇଯାଏ ସମ୍ବର ପରି ପାଦ ଛାଟି ଛାଟି, ସେ ଚଢ଼େଇ ନୁହେଁ, କିନ୍ତୁ ଦୂରରୁ ତାର ଡାକ ଶୁଭେ ଚଢ଼େଇ ସରୁ ଗଳାପରି, ଆହୁରି ଧାଇଁଯାଏ ମଣିଷ ଖୋଲ ଖାଲ ଭିତରେ ପ୍ରତିଧ୍ୱନି ଭିଆଇ, ସେଇ ଛବି, ସେ ପାହାଡ଼ ଦେଶର ଧାଂଡୀ । ଧରା ଦେଉ ଦେଉ ଫିଟି ପଳେଇଯାଏ ରନ୍ଧାମଦର ବାସ୍ନା ପରି ।

 

ସେତିକି ଛଡ଼ା ସବୁ ଫୁଲ ସବୁ ମଦ ସବୁ ଛାଇତଳ ଅନ୍ଧାର ଝୋଲାର ଉଢ଼ୁଆଳ ଅପୂର୍ଣ୍ଣ-

 

ଦିଉଡ଼ୁ ଖୋଜି ବୁଲୁଥିଲା ।

 

ଫାଙ୍କା ମନର ପଛଆଡ଼େ ଗୋଟାଏ ଫମ୍ପା ଛବି, ସେଠି ତାର ଘର, ପୁୟୁ ପୁବୁଲି ଲେଞ୍ଜୁ ହାକିନାର, ମନର ସବୁ ପ୍ରବଣତା ଆଗକୁ ଆଗକୁ, ଅମଡ଼ା ବାଟକୁ । ଅମଡ଼ା ବାଟ ମନେପଡ଼େ, ଯେତେ ଭୁଲିଲେ ବି ଅଣହୁସିଆରି ବେଳେ ଥାଇ ଥାଇ ଚେଇଁ ଉଠେ । ଶୋଷ ବଢ଼େ, ଅନୁତାପ ହୁଏ, ଅମଡ଼ା ବାଟ ଡାକେ । ବୟସର ହିସାବ କନ୍ଧ ରଖେ ନାହିଁ । କେଜାଣି କେତେ ବର୍ଷ ତଳେ, ବୋଧହୁଏ ଛଅ ବର୍ଷ ହେବ ପରା, ସେତେବେଳେ ଅମଡ଼ା ବାଟର ଗୋଟିକିଆ ବାଟୋଇ, ମୁହଁରେ ହସ, ଦେହରେ ପହିଲି ଯୌବନ ।

 

କେତେ ପ୍ରକାର ଖିଆଲ ଥିଲା ସେତେବେଳେ, ସେ ସଂସାରର ସବୁ ସୁଖ ନେବ, ଭାଗୀ ହେବ ନାହିଁ କୌଣସି ଦାୟିତ୍ୱରେ । ଏମିତି ଉଡ଼ି ଚାଲିଥିଲା କେତେ ଦିନଯାକେ ଜୀବନ । ଶକ୍ତିଶାଳୀ ସରବୁ ସାଓଁତାର ଗୋଟିଏ ବୋଲି କୁଳର ପୁଅ, କେହି କହି ନାହିଁ ଏଇଟା କର ନାହିଁ, କେହି ମନା କରି ନାହିଁ । ତାରି ବୟସର ଅନ୍ୟ ଟୋକାଙ୍କ ସଙ୍ଗେ ପ୍ରତିଦ୍ୱନ୍ଦିତା କରି କେତେଠିଁ ଜିଣିଛି କେତେଠିଁ ହାରିଛି, ଅମଡ଼ା ବାଟରେ ଜିତା ହରାର ସୁଆଦ ।

ଆଜି ସେ ସବୁ ନାହିଁ, ସବୁ ଧରାବନ୍ଧା । ମଦ ଆଉ ଧାଂଡୀ ଧାରଣାରେ ଘାରି ହୋଇ କନ୍ଧ-ଗୁଡ଼ିଆରେ ଟହଲୁ ଟହଲୁ କେତେବେଳେ ପୁୟୁ ଆସି ମନକୁ ଛାଇ ସାରିଥିଲା ଦିଉଡ଼ୁ ଜାଣିପାରି ନାହିଁ କି ରୋକିପାରି ନାହିଁ । ବଣୁଆ ମିଟିଂ ଗାଁ, ଉଞ୍ଚ ଉଞ୍ଚ ପର୍ବତ । ଦିଉଡ଼ୁ ସାଓଁତା ଗୋତ୍ (କୁଣିଆଁ) ଯାଇଥିଲା । ସେଠି ବି କନ୍ଧ-ଗୁଡ଼ିଆ ଅଛି, ଦି’ପାଖରେ ଦି’ଧାର ହୋଇ ଫାଟିପଡ଼ି ଯାଇଛି ଗୋଟିଏ ପର୍ବତିଆ ଝରଣା । ବାଟରେ ଘାଟରେ ଚିହ୍ନାଚିହ୍ନି, କିଛି ନ ଜାଣିଲା ପରି ଧାଂଡୀ ଚାଲିଯାଏ, ଆଖି ଯୋଡ଼ିକ ଉଜ୍ଜ୍ୱଳ ହୋଇ ଧୀରେ ହସି ଡାକେ ‘ଆ-ଆ’, ରାତିର ନାଚରେ ଗହଳ ପରିଚୟ । କନ୍ଧ-ଗୁଡ଼ିଆରେ ଗୀତରେ ବଇଁଶୀରେ ଉଛୁଆଳ ହୋଇ ଗୋଡ଼ିଆ ଗୋଡ଼ି ଖେଳ । ଏମିତି ଫଗୁଣ ହୋଇଥାଏ, ମହୁଲ ଝଡ଼ୁଥାଏ, କନ୍ଧ-ଗୁଡ଼ିଆରେ ଏମିତି ମଦର ବାସ୍ନା ।

ହରଡ଼ ବଣ ଟପି ଜଡ଼ା ବଣ ଟପି ଏମିତି ସେଦିନ ସେ ଚାଲିଥିଲା ଅନ୍ୟମନସ୍କ ହୋଇ । ଆଗରେ ଗୋଟାଏ ବଡ଼ କନ୍ଧ-ଗୁଡ଼ିଆ, ସେଠି ସରୁ ଝୋଲା ସେପାଖେ ଢିପ ଉପରେ କମଳା ବଗିଚା । ମୁହଁ ପାଖେ ଅଦିନିଆ ଗିର୍ଲି ଫୁଲ ଥୋଡ଼ାଏ ଫୁଟିଥିଲା ଠିକ୍ ଇମିତି, ନାଲି ନାଲି ବୋଲି ଗୋଜିଆ ଗୋଜିଆ ଗେଣ୍ଡା । ଦିଉଡ଼ୁ କମଳା ତୋଟା ଆଡ଼କୁ ଚାଲିଲା, ବାଟେ ବାଟେ ଠାଏ ନେଳି ଫୁଲର ଜଙ୍ଗଲ ତାର ନାଁ ନାହିଁ, ବଣର ଫୁଲ, ଗଛରେ ଖୁନ୍ଦି ହୋଇଛି ଏମୁଣ୍ଡୁ ସେମୁଣ୍ଡ; ତା’ପରେ ପେନ୍ଥି ପେନ୍ଥିକା ଧଳା ଧଳା ଫୁଲ, ତଳର ସାବ୍‌ଜା ଉପରେ ଅରାଏ ଅରାଏ, ତା ସେଣିକି ରହିରହିକା ବାସ୍ନାଫୁଲର ବଣ, ପଥୁରିଆ ଜାଗା । କମଳା ତୋଟା ଗଲା, କନ୍ଧ-ଗୁଡ଼ିଆରେ କାହାର ଫାଙ୍କା ବାରି, ଜାଲଜାଲୁଆ ଅରମା ଭିତରେ ସରୁ ବାଟଟିଏ ପଡ଼ିଛି, ଆଗରେ ଦିଶୁଛି ଯେଉଁ ଗୋଟିକିଆ ତାଷଘର ସେଠିକି । ସେଦିନର ଛବି, ସବୁ ସେହିପରି ରହିଛି, ମନ ଭାବିବାକୁ କି ବାରିବାକୁ ଚାହେଁ ନାହିଁ, ସବୁ ଆଦରି ନେବାକୁ ଚାହେଁ । ହୋସ୍ ନାହିଁ, କଳ ପରି ଚାଲିଛି । ମିଟିଂ କି ମିଣିଆପାୟୁ, ଛଅ ବର୍ଷ ଆଗେ କି ଛଅ ବର୍ଷ ପରେ କିଏ ପଚାରେ କ’ଣ ଅନୁଭୂତି ଗଡ଼ିଚାଲିଛି ପୁରୁଣା ଛବିରେ ।

ତାଷ କୁଡ଼ିଆ ପାଖ ହେବାରୁ ଭିତରୁ କାହାର ଗୁଣୁ ଗୁଣୁ ଗୀତ, ୟାବି ଆଗରୁ ଜଣାଥିଲା-। ଗୋଟାଏ କୁଡ଼ିଆର ଓରାତଳେ ଢାଙ୍କୁଣି ପଡ଼ି ହାଣ୍ଡିଟିଏ ଶିକାରୁ ଓହଳିଛି, ଠିକ୍ ପୂର୍ବପରି । ଦିଉଡ଼ୁ ଢାଙ୍କୁଣି ଖୋଲିଲା, ମୁହଁ ଉପରେ ଖେଳିଗଲା ଗୋଟାଏ ବିଚିତ୍ର ବିକଟ ଛବି । ହାଣ୍ଡିରେ ମଦ ଥିଲା-। ପେଟେ ମଦ ପିଇ ଦେହଟାକୁ ଉଷୁମ୍ କରିନେଇ ଗୀତ ଶୁଭୁଥିବା କୁଡ଼ିଆ ଆଡ଼କୁ ଗୋଟିଏ ଗୋଟିଏ ଚାଲିଲା । ଦିପାଖରେ କଦଳୀ ବଗିଚା, ଝିଙ୍କାରିଟିଏ ରା ଧରିଲା, ଏଥର ତାଷ କୁଡ଼ିଆର ଗୁଣୁଗୁଣୁ ଗୀତ ପାହାନ୍ତି ପହରର ବଣୁଆଁ ସାରୀଙ୍କ ଗୀତ ପରି ସୁନ୍ଦର, ବାଁ ପାଖେ ଗହୀର ଝୋଲାରେ ପାଣି ଛଳ ଛଳ ଶୁଭୁଛି । ଚାରିଆଡ଼େ ନିଛାଟିଆ ।

କୁଡ଼ିଆର ଦୁଆର ମୁହଁ ଖୋଲା ଥିଲା, ଘର ଭିତରେ ଏକୁଟିଆ ଗୋଡ଼ ଲମ୍ବେଇ ବସିଥିଲା ଗୋଟିଏ ଧାଂଡୀ, ଅଣ୍ଟିରେ ଫୁଲଗୁଡ଼ିଏ ଅଜାଡ଼ି ନିଠେଇ ମାଳା ଗୁନ୍ଥୁଥିଲା, ଅନ୍ୟମନସ୍କ ହୋଇ ଗୀତ ବୋଲୁଥିଲା ।

ସବୁ ସେଦିନର ଛବି, ଦିଉଡ଼ୁ ଟଳି ଟଳି ପଶିଗଲା, ଅତି ଉଲ୍ଲାସରେ ଚିର୍ଚ୍ଚିରେଇ ଉଠିଲା-’ହାଦ୍ଦିଗୋ’ (ବାଃ ବାଃ, ଠିକ୍ ଠିକ୍) ।

ଧାଂଡୀ ଚମକି ପଡ଼ିଲା । ବାଉଳା ଆଖିରେ ଅନେଇଦେଇ ଫୁଲତକ ଫୋପାଡ଼ିଦେଇ ଘର ଭିତରକୁ ଡିଆଁ ମାରି ଛୁ କଲା । ଆଖି ପିଛୁଡ଼ାକେ ସବୁ ଶେଷ । ପଛର ଛବି ପଛକୁ ପଳେଇଲା । ଏ ତ ସେଦିନର ମିଟିଂ ଗାଁର ପୁୟୁ ନୁହେଁ, ଏ ମିଣିଆପାୟୁର କନ୍ଧ-ଗୁଡ଼ିଆରେ ପୁଲମେଁ, ପୁବୁଲିର ସାଙ୍ଗ । ସେଦିନ ଯାଇଛି, ପୁରୁଣା ସ୍ମୃତି ପଛେ ପଛେ ଗଛ ଖୁଣ୍ଟ ଚିହ୍ନ ଚିହ୍ନିବା ଅଧେ ବାଟ ଗୋଡ଼େଇ ହୁଏ ଆପେ ଆପେ, ତା’ପରେ ଝୁଣ୍ଟିପଡ଼ି ଚିତ୍‌ପଟାଂ ଖାଇ ମଣିଷର ହୋସ୍ ହୁଏ ।

ଦିଉଡ଼ୁ ଥକ୍‌କା ହୋଇ ବସିପଡ଼ିଲା । ଘର ଭିତର ଶୂନ୍‌ଶାନ୍ ।

ପୁୟୁ ନୁହେଁ, ପୁଲ୍‌ମେଁ ହେଲା କ’ଣ, ସେ କ’ଣ ପୁୟୁକୁ ଖୋଜି ଖୋଜି ଏତେବାଟ ଚାଲି ଆସିଥିଲା ? ହେଲେ କ’ଣ ହେଲା ପୁଲ୍‌ମେଁ ପଳେଇଲା କାହିଁକି ? ନିରୋଳାରେ ଦି’ପଦ ପଡ଼ିଥା’ନ୍ତା, ଦିଉଡ଼ୁକୁ ଚିଡ଼ି ମାଡ଼ିଲା ।

 

ମନ ନିଶା ଘାରିଲାଣି । ବାହାରେ ଖରା ଝାଂଜି । ଲମ୍ବହୋଇ ଖାଲି ଚଟାଣରେ ଦିଉଡ଼ୁ ଶୋଇପଡ଼ିଲା, ବିଞ୍ଚି ହୋଇ ପଡ଼ିଥିବା ଫୁଲଗୁଡ଼ାକ ଖାଲି ଦେହରେ ଚାଇଁ ଚାଇଁ ଲାଗେ, ଗୋଡ଼ରେ ହାତରେ ଘଷି ମଳିଦେଇ ଠେଲିଦେଲା ସେଗୁଡ଼ାକ ଦିଉଡ଼ୁ । ବୃଥା ଅଳିଆ ।

ଦିଉଡ଼ୁ ଶୋଇପଡ଼ିଲା ।

•••

 

ବାଇଶ

 

ଡୁମ୍ବାଗୁଡ଼ା ହାଟର ଦିନ, ପୁବୁଲି ଆସି କହିଲା, ‘ଯିବା ନାହିଁ ପୁୟୁ ? ସମସ୍ତେ ଯାଉଛନ୍ତି-।’

 

‘ଏତେ ଦୂର ?’

 

‘ଦୂର କ’ଣ ପୁୟୁ, ସକାଳେ ବାହାରିଲେ ଦିପହରେ ପହଞ୍ଚି ସଞ୍ଜକୁ ପୁଣି ଲୋକେ ଫେରନ୍ତି, ଅଥା ଲାଗିଲେ ରହିଯିବା ପଛେ ରାତିକ, କ’ଣ କହୁଛୁ ?’

 

ପୁୟୁ ହସିଲା, କହିଲା, ‘ବାଟରେ ବନ୍ଦିକାର ପଡ଼ିବ, ଭଲ ଗାଁ ଟିଏ ନା ଲୋ ପୁବୁଲି ?’ ବନ୍ଦିକାର କହି ପୁୟୁ ପୁବୁଲିକୁ ଚିଡ଼ାଏ, ବନ୍ଦିକାର ଗାଁରେ ହାର୍ଗୁଣା ସାଓଁତାର ଘର ।

 

ପୁବୁଲି ଓଠକୁ କାମୁଡ଼ି କାମୁଡ଼ି କହିଲା, ‘ଖାଲି ବନ୍ଦିକାର କାହିଁକି, ଆଉ କ’ଣ ଭଲ ଗାଁ ନାହିଁ, ଆ ଆ ତୋର ମୁଣ୍ଡଟା କୁଣ୍ଡେଇ ଦିଏଁ । ଚାଲ୍ ଯିବା ଆଜି ଡୁମ୍ବାଗୁଡ଼ା ସମସ୍ତେ ଯାଉଛନ୍ତି, ଭାଇ ବି ଯାଉଛି, ତୁ ଯିବୁ ନାହିଁ ?’

 

ପୁୟୁ ଆଉ ଥଟ୍ଟା କଲା ନାହିଁ, ତାର ମୁହଁର ପାଣି ଶୁଖିଗଲା । ହଁ, କନ୍ଧ ଦେଶରେ ଏପରି ଚଳନ ଅଛି ହାଟକୁ ଗଲେ କି ଅନ୍ୟ ଗାଁକୁ ବୁଲିଗଲେ ସ୍ୱାମୀ ପଛେ ପଛେ ସ୍ତ୍ରୀ ବି ଯାଏ, ବାହାହେଲା ସ୍ତ୍ରୀ ସ୍ୱାମୀର ଛାଇ । କିନ୍ତୁ ତାର ଦଶା ନିଆରା, ସ୍ତ୍ରୀର ଆଦର ସୁହାଗ ତାର ସତେକି ସରିଛି, ଦିଉଡ଼ୁ ସାଙ୍ଗେ ସେ ହାଟକୁ ଯିବ ଆଉ ଦିଉଡ଼ୁ ସହିବ ?

 

ପୁବୁଲି ନିଘା ଦେଲା, ‘କାନ୍ଦୁଛୁ କାହିଁକି ପୁୟୁ, କ’ଣ ହୋଇଛି ତୋର ?’

 

‘କାନ୍ଦୁଛି ? ତୁ ଡୁମ୍ବାଗୁଡ଼ା ଯିବୁ ବୋଲି ଭାବି ଭାବି କାନ୍ଦୁଛି, ଜାଣିଛୁ, ପିଲା ଲୋକ ତୁ, ଡୁମ୍ବାଗୁଡ଼ା ହାଟ ସାମାନ୍ୟ ଜାଗା ନୁହେଁ ତ, କାହିଁ କେତେଦୂରରେ କଳାହାଣ୍ଡି ସରିହାଦୁରେ, କେତେ ବଣ ପର୍ବତ ଲାଗିବ, କେତେ ନଈ ନାଳ, ଏକା ପୋଢ଼-ଗାଡ଼ ନଈକୁ କୋଡ଼ିଏ ଜାଗାରେ ପାରିହେବୁ, ଖାଲି କ’ଣ ସେତିକି ପୁବୁଲି; ଧାଂଡୀ ଟୋକୀ ତୁ, କାଳେ ବାଟରେ କିଏ ତତେ ଭଣ୍ଡେଇ ନେଇଯିବ-’

 

ଭାଉଜର ପାଟିରେ ପାପୁଲି ଡେରି ଦେଇ ପୁବୁଲି କହିଲା, ‘ଥାଉ ଥାଉ, ମୁଁ ଜାଣିଲି । କ’ଣ ହେଇଚି ତୋର କହିବୁଟି ?’

 

‘କହିବି’-ପୁୟୁ ଭାରି ପାଟିକରି ହସିଲା, ତାର ଦୁର୍ବଳ ଦେହ ଯେପରିକି ଖଣ୍ଡ ଖଣ୍ଡ ହୋଇ ଛିଣ୍ଡି ପଡ଼ିବାକୁ ଚାହେଁ, ଭାରି ହସିଲା, କହିଲା, ‘ତୋର ସିନା କିଛି ହୋଇ ନାହିଁ, ମୋର କ’ଣ ହେଇଚି ତୁ କ’ଣ ଜାଣି ନାହୁଁ ? ମୋର ପୁଅ ହେଇଚି ।’

 

ପୁବୁଲି ପୁୟୁର ମୁହଁକୁ ଦେହକୁ ବଲ ବଲ କରି ଘଡ଼ିଏ ଅନେଇଁ ରହିଲା, ଯେମିତି ସେ ନୂଆ କରି ତାର ଭାଉଜକୁ ଦେଖୁଛି । ବହୁତ ବେଳ ଅନେଇଁ ରହିଲା, ଉଦାସ ଓହ୍ଲେଇଲା ତା ମୁହଁକୁ-। ‘ସତେ ପୁୟୁ, ଏମିତି ହୀନବଳ ହୋଇ ଶୁଖିଶାଖି ମାଙ୍କଡ଼ ପରି ତୁ ହେଲୁ କେବେ ? ଦିନୁଁ ଦିନ ଖାଲି ଶୁଖିଯାଉଛୁ, କ’ଣ ତୋର ରୋଗ ହେଇଚି ? ତୋର ହସଖୁସି ନାହିଁ, ତୋର ବୁଲା ନାହିଁ, ଗୀତ ନାହିଁ, ସଉକ ନାହିଁ, ମୁଣ୍ଡ ଜଟା ହେଲାଣି, କ’ଣ ହେଇଚି କହୁନୁ, ଦିସାରିକୁ ପଚାରି ଓଷଦ କରିବା ।

 

କଥା ବୁଲେଇ ଦେଇ ପୁୟୁ କହିଲା, ‘ଡୁମ୍ବାଗୁଡ଼ା ସତେ ଯିବୁ ? କିଏ କିଏ ଯାଉଛନ୍ତି ?’

 

ଗାଁର ଅଧେ ଲୋକ । ଏ ଦିନର ହାଟ, ଛାଡ଼େ କିଏ ? ଜିନିଷ (ଶସ୍ୟ) ହେଲା, ଖାଲି କ’ଣ ସାଇତା ହୋଇ ସଢ଼ିବ ? ଥୋକେ ବାହାରିଛନ୍ତି ଧୁଙ୍ଗିଆ ଆଣିବେ କୁଆଡ଼େ । ଖଦିପଟା ଫାଟିଲା, ଚଇତ ଆସୁଛି, କେତେ କ’ଣ ଦରକାର । ବାଟ ତ ଆଉ ଅସାଧ୍ୟ ନାହିଁ, କ’ଣ ହେବ ଘରେ ଘରେ ବସି ବସି ।’

 

ପୁୟୁ ଟିକିଏ ଭାବିଲା, ପୁବୁଲିର ଏଡ଼େବଡ଼ ଆଗ୍ରହ ସେ ଭାଙ୍ଗିବାକୁ ଚାହେଁ ନାହିଁ । କହିଲା, ‘ହଉ ତେବେ ଯା’ ।

 

‘ଆଉ ତୁ ?’

 

‘ମୁଁ ?’ ଅତି କରୁଣ ହୋଇ ପୁୟୁ ଅନେଇଲା, ‘ଆଲୋ ତମେ ସବୁ ସିନା ଟୋକୀ ଅଛ, ଧାଇଁ ଧାଇଁ ଡେଇଁ ଡେଇଁ ଯିବାକୁ ତମର ବଳ ଅଛି, ମୁଁ କ’ଣ ଆଉ ପାରିବି ? କାନ୍ଦି କୁନ୍ଥେଇ ମାଡ଼ିଯାନ୍ତି, ଗଲେ । ଏ ପୁଅ କଥା ଟିକିଏ ଭାବିଲୁ, ଉତ୍ତାଣି ପିଲା, ଦୂର ବାଟ, ନାଇଁ ମୁଁ ଯିବା ପାଇବ ନାହିଁ ।’

 

‘ପିଲାକୁ ତ ମୁଁ କାଖେଇବି, ପିଲାଟା କ’ଣ ତୋର ତୁ ଭାବିଛୁ ? କେତେ ବୋହୂ ଯାଉଛନ୍ତି ପିଲା କାଖେଇ, ତୁ ନ ଯାଆନ୍ତୁ କାହିଁକି ?’

 

‘ନାଇଁ ସୁନାଟା ପରା ମୋତେ ବଳାନା । ବୁଝିଲୁ ପୁବୁଲି, ବେଶୀ ଖଟିଲେ ମୋ ହାତ ଗୋଡ଼ ଝିମ୍ ଝିମ୍ ହେଉଚି ଦିନାକେତେ ହେଲା, ଖରା ବଢ଼ୁଛି ବୋଲି କି କ’ଣ, ଉଠାଣି ଚଢ଼ିଲେ ମୁଣ୍ଡ ବୁଲୋଉଛି, ଛାତି ଭିତର ଝାଇଁ ମାରି ଦଉଚି ।’

 

‘ତେବେ ତୋର କ’ଣ ହେଇଚି, ଲୁଚୋଉଥିଲୁ କାହିଁକି ମତେ ? ଭାଇକି କହିବି ?’

 

‘ଭାଇ କ’ଣ ମୋ ଭିତରେ ପଶିଚି ଯେ ଜାଣିଲେ ଭଲ କରି ଦେବ, କିଛି ନାହିଁ ଯେ ଏ ପିଲାଟା ଜନ୍ମ ହେଲା କିନା, ହଟହଟା ଲୋ ଭଉଣି, ଥାଉ ତୁ ପିଲାଲୋକ । ଏମିତି ଲାଗୁଛି ଦିନାକେତେ ହେଲା, ବଳେ ଭଲ ହେଇଯିବ । ତୁ ଯିବୁତ ଯା, ମୋ ପାଇଁ ପଛେ ଖଜା ଗଣ୍ଡାଏ କିଣି ଆଣିବୁ, ଭଲ କଳାହାଣ୍ଡିଆ ଖଜା ମିଳେ ସେଠି । ଆଉ, ବୁଝି ହୁସିଆର୍ ବଣ ଘାଟି ଟିକ୍ରା, (ଢିପ) ଦେଖି ବୁଝି ଚାହିଁ ଯିବୁ, ମଝିରେ ଚାଲିବୁ, ଏକୁଟିଆ ଫିଟି ପଡ଼ିବୁ ନାହିଁ ବାହାଦୁରି ଦେଖେଇ । ଏକା ବନ୍ଦିକାର ଘାଟି ଡେଉଁ ଡେଉଁ ତତେ କାଠିକର ପାଠ । ବୁଝିବୁ ଯେ, ନାହିଁଲୋ ?’

 

ପୁବୁଲି ହସିଲା ।

 

ହାଟବୁଲା ବଣଦେଶର ଟୋକା ଟୋକୀଙ୍କର ଗୋଟାଏ କାମ ନୁହେଁ, ସେ ଗୋଟାଏ ଓର, ଗୋଟାଏ ସୁଯୋଗ । ଅପନ୍ତରା ବାଟରେ କେତେ ନୂଆ ପୁରୁଣାଙ୍କ ସାଙ୍ଗେ ଚିହ୍ନାଚିହ୍ନି, ହାଟରେ ଦଶରାଇଜର ଲୋକେ ଭେଟାଭେଟି, ସେଠି ଦିଆନିଆ ଚାଲେ, ଧାଂଡା କିଣିଦିଏ ମୁଢ଼ି, ଗୁଡ଼, ଖଜା, ସିଝା କନ୍ଦମୂଳ, କାଚମାଳି, ପିତ୍ତଳମୁଦି, ଧାଂଡୀ କିଣିଦିଏ ଧୂଆଁପତ୍ର, ଆଖୁ । ଏଇ ଚମକରେ ମନର ଘେନାଘେନି ଲାଗେ, ହାଟ ଗୋଟାଏ ମଉଛବ ।

 

କାମ ନାହିଁ, କିଣାବିକା କରିବାର ନାଁ ନାହିଁ, ଅତି ବେଶୀରେ କିଏ କିଣିବାକୁ ଯାଇଛି ଦି ପଇସାର ଲୁଣ, କିଏ ବିକିବାକୁ ନେଇଛି ଲଙ୍କାମରିଚ ଆଞ୍ଜୁଳାଏ । ତଥାପି ଦଶ କୋଶ ଦୂରରୁ ମଣିଷ ଧାର ଲାଗିରହିଛି ହାଟମୁହାଁ ଜନ୍ଦା ପିମ୍ପୁଡ଼ି ପରି, ବାଟଯାକ ରଙ୍ଗ ଆଉ ଗୀତ ।

 

ପୁୟୁର ଇଙ୍ଗିତ ପୁବୁଲି ବୁଝିପାରିଥିଲା । ଡୁମ୍ବାଗୁଡ଼ା ଗଲେ ବନ୍ଦିକାର ଘାଟି ବାଟରେ ପଡ଼େ; ହଁ, ବନ୍ଦିକାରରେ ହାର୍ଗୁଣା ସାଓଁତା, ଧାଂଡା । ଆଗେ ହାର୍ଗୁଣା ବରାବର ଆସୁଥିଲା, ଗାଁର ଲୋକେ ଧରିନେଇଥିଲେ ପୁବୁଲିକୁ ଘେନି ହାର୍ଗୁଣା ଘର କରିବ, ଦୁଇ ଗାଁର ଦୁଇ ସାଓଁତା ଘରେ ସମ୍ବନ୍ଧ ଲାଗିବ ।

 

ପୁବୁଲି ହସି ହସି କହିଲା, ‘ସେଇଥିପାଇଁ ତ ଡାକୁଥିଲି ତତେ, ତୁ ଆ, ବାଟ ବତେଇଦେବୁ । ଖାଲି ଘରେ ବସି କହିଲେ କ’ଣ ହେବ ? ତୁ ଆସିଲେ ସିନା-’

 

‘ମୁଁ ଗଲେ ତୋ ଗୋଡ଼ରେ ଛନ୍ଦି ହୋଇଯିବି ଲୋ, ମିଛରେ ତୋଠୁ ଗାଳି ଶୁଣୁଥିବି, ତୁ ଯା ।’ ଶୁଖିଲା ମୁହଁରେ ପୁୟୁ ଟିକେ ହସିଦେଲା, ପୁବୁଲି ଛାତିରେ ଛୁରୀ ଚାଲିଗଲା । ପୁବୁଲି ସଜବାଜ ହେବାକୁ ଗଲା, ଠିକଣା ହେଲା ସେ ଯିବ । ପୁୟୁ ଏକୁଟିଆ ରହିଲେ କ’ଣ ଭାବିପାରେ, କିନ୍ତୁ ସେ ଯିବ । ପୁୟୁ ଉପରେ ଅଭିମାନ କରିବାକୁ ଚେଷ୍ଟା କରି ସେ ମନକୁ ଦମ୍ଭ ଦେଲା, ହଉ ପୁୟୁ ନ ଗଲେ ନ ଗଲା ।

 

ପୁୟୁ ଏକୁଟିଆ ବସି ପିଲାକୁ କ୍ଷୀର ଖୋଉଥାଏ, ସେ ଘରୁ ଶୁଭୁଥାଏ ପୁବୁଲିର ଗୁଣୁଗୁଣୁ ଗୀତ ।

 

ପୁବୁଲି ଗୁଣୁଗୁଣୋଉଛି, ଦୁଇ ପକ୍ଷ ଏକାଠି ହେଲେ ଜବାବ ସୁଆଲ୍ ଗୀତ । ସାନ ଦର୍ପଣଟି ଆଗରେ ଥୁଆ ହୋଇଥିବ, ତର ତର ହୋଇ ତେଲ ହଳଦି ମିଶା ହାତ ଚାଲିଥିବ ଗାଲରେ ବେକରେ, ଜଡ଼ାତେଲ ଲଗେଇ ମୁଣ୍ଡଟି ସାଉଁଳା ସାଉଁଳି, ଦର୍ପଣର ଛବିରେ ନିଜକୁ ନିରେଖି ଦେଖା, ନିଜର ମୁହଁକୁ ଅନେଇ ହସ, ଛଟା ।

 

ପୁୟୁର ଈର୍ଷା ହେଲା ନାହିଁ, ଦୟା ହେଲା । ଯାଉଛି ତ ଯାଉ, ତାର ଯୋଗ ଫିଟି ନାହିଁ, ତେଣୁ ସେ ଏତେଦିନ ଯାକେ ବସି ରହିଛି, ତା’ ଦିନକୁ ପୁୟୁ ଶାଶୁଘର ଖଟିଲାଣି ।

 

ବାପ ନାହିଁ ମା ନାହିଁ, କେତେ ଦୁଃଖକଷ୍ଟ ଗଲାଣି ତା’ ଭାଗ୍ୟରେ, ଆହୁରି କେତେ ଥିବ, କିଏ ଜାଣେ ? ବାପ ମଲା ପରେ କେମିତି ବିରସ ହୋଇ ସେ ଭାଙ୍ଗି ପଡ଼ୁଥିଲା, ମୁହଁଟି ଶୁଖେଇ କେତେଦିନ ସେ ବସି ରହିଛି, ଆଜି ଯଦି ଫଗୁଣରେ ତାର ଡୋର ଶିଂକୁଳି କାଟିବାକୁ ମନ ହେଉଛି ଭଲ, କାହିଁକି କିଏ ଅଟକେଇବ । ପୁୟୁ ପୁବୁଲିର କଥାହିଁ ଭାବୁଥିଲା, ତାର ପରିବର୍ତ୍ତନ ହୋଇଛି, ଚାଲିରେ ଚାହାଣିରେ, କଥାରେ ।

 

କେହି ରହିଲାଣି ତା’ ମନରେ । କିଏ ? ହାର୍ଗୁଣା ମିଟିଂର କେହି ? ଆଉ କିଏ ?

ସେତିକି ଧାଂଡୀର ରହସ୍ୟ ।

 

ପୁୟୁ ବୁଝେ ଏଇ ଟିକିକ କଥା ତାଡ଼ିବସିଲେ ନାରୀ ମନରେ କଷ୍ଟ ହୁଏ । ତାର ଆନନ୍ଦର ବାରପଣ ଏଇ ଆଶ୍ୱାସରେ ଯେ ତା’ କଥା କେହି ଜାଣନ୍ତି ନାହିଁ ।

 

ଯେ ହେଉ, ପୁବୁଲି ଏଥର ଯିବ । ସେ ତ ତାର ସୁଖରେ ଯିବ, ତା’ପରେ ?

ଭାବିଲେ ମନଟା ଶୁଖିଯାଏ । ସେ ବି ଯିବ, ତାର ଢଙ୍ଗ ଢପ କହି ଦେଉଛି, ସମସ୍ତେ ଗଲେ ରହିବ କିଏ ?

 

ପିଲା କ୍ଷୀର ଖାଉଛି, ଭାବିବାକୁ ବେଳ ନାହିଁ । କ୍ଷୀର ଖାଉଛି, ଗୋଟିଏ ଆଖିରେ ଅନେଇଁ ରହିଛି ମା’ ମୁହଁକୁ । ଶୁଖିଲା ହାତରେ ସେଇ ପିଲାକୁ ଆଉଁଶି ଆଉଁଶି ପୁୟୁ ବସି ରହିଲା ।

 

ଆଜି ତରବର ହେବା ଦରକାର ନାହିଁ, ଯାହାଙ୍କ ପାଇଁ ତରତର ସେମାନେ ହାଟକୁ ଯିବେ, ଦିନ ଗୋଟାକ ତାର ଛୁଟି । ଡୁମ୍ବାଗୁଡ଼ା ହାଟକୁ ଯିବା ଲୋକ ଆଜି ଫେରିବା ଆଶା ନାହିଁ, ସ୍ତ୍ରୀଲୋକ ଯାଉଛନ୍ତି । କାମ ନାହିଁ, ସବୁ ଅବସାଦ ଝୁଂକେଇ ପକୋଉଛି ସାରା ଅସ୍ତିତ୍ୱଟାକୁ, ଗୋଟି ଗୋଟି ହୋଇ ଭାବିବାକୁ ପଡ଼ୁଛି ସବୁକଥା, ଗୋଟିଏ ପାଖେ ପୁଅ, ଆରପାଖେ ଆପଣାର ସବୁ ହାନିଲାଭ ।

 

ପୁବୁଲି ସଜ ହୋଇ ବାହାରିଲା, ଆପଣା ପାଇଁ ଆଉ ଭାଇ ପାଇଁ ବାଟଲାଗି ଖାଦ୍ୟ ସରଞ୍ଜାମ ପୋଟଳି ବାନ୍ଧିଲା । ଦିଉଡ଼ୁ ଥରେ ଆସି ଘରେ ପଶି ତାର ଦରକାରୀ ଜିନିଷତକ ନେଇଗଲା, ପୁୟୁ ଭାବିଥିଲା ଆଉଥରେ ନିଶ୍ଚୟ ସେ ଆସିବ । ତାର ଦିଉଡ଼ୁ କ’ଣ ଟିକିଏ ବିଗିଡ଼ି ଯାଇଛି, ପୁଅର ମୁହଁକୁ ଅନେଇଲେ ବେଳେ ବେଳେ ଆଶାହୁଏ ଦିଉଡ଼ୁ ଅନୁତାପ କରିବ, ଘର କରିଥିଲେ ଏତିକି ଦିନ ମନୋମାଳିନ୍ୟରେ ଘରକରଣା ସମାପ୍ତ ହୁଏ ନାହିଁ । ଅଭ୍ୟାସ ଅନୁଯାୟୀ ନିଶ୍ଚୟ ଆଜି ବି ଦିଉଡ଼ୁ ଆସି ପଚାରିବ, ‘ଆଜି କ’ଣ କ’ଣ ଆସିବ ? ତୋ ପାଇଁ କ’ଣ ଦରକାର ?’

 

ଆଜି ହାଟର ଦିନ, ତାକୁ ପରାମର୍ଶ ନ କରି ଗଲେ ଦିଉଡ଼ୁ କାହିଁକି ବା ଯିବ ? ଘରର ଲକ୍ଷ୍ମୀ ସେ, ପୁରୁଷ ପିଲା ଖଟି ଆଣିଦେବେ, ସେ ଘର ଚଳେଇବ । ଦିଉଡ଼ୁ ତା’କୁ ପଚାରିବାକୁ ଆସିବ । କ’ଣ ସେ କହିବ ଭାବୁଥିଲା । ଟାଣ କଥା ପଦେ କହିଦେବାକୁ ଲୋଭ ହେଉଛି, ‘କ’ଣ ତୋର ହୋଇଛି ଆଜିକାଲି ? ମୁଣ୍ଡ ବିଗିଡ଼ିଗଲାଣି କି ? ଘରକଥା ବୁଝାସୁଝା ତ ଦୂରର କଥା, ଘରେ ରହିବାକୁ ଖାଇ ଗୋଡ଼ଉଚି, ଘରର ଛାଇ ପଇଲେ ନାହି ଡେଉଁଛି । ଏତେ ଦିନକେ ପଦେ କଥା ନାହିଁ । ଖାଲି ଗର ଗର ଫଁ ଫଁ । କାହିଁକି ? ଅପରାଧ କ’ଣ ? ଦେଖ୍ ବାବୁ ଅନାଦର ଅବହେଳାରେ ପଡ଼ି ରହିବାକୁ ଆମ କନ୍ଧ ସମାଜରେ ଡୋକ୍ରି (ସ୍ତ୍ରୀ) ଲେଖିଦେଇ ନ ଥାଏ, ଶୁଣ୍ଢିଘର ନୁହେଁ ତ-ପାଇକ ଘର ନୁହେଁ ତ-ସ୍ୱାମୀ ଯାହା ଇଚ୍ଛା ତା’ କରୁ, ଆହୁରି ସତରଟା ପଛେ ରଖୁ, ମୁହଁମାଡ଼ି ପଡ଼ି ରହିବାକୁ ପଡ଼ିବ,-ଶୁଣ୍ଢି ଘରେ କି ପାଇକ ଘରେ ବି ଏବକାଳେ ସହୁଛି କିଏ ଏତେ-? ଆମ କନ୍ଧଘରେ ମନର ମେଳ ହେଉଛି ବିବାହର ମୂଳୁଦୁଆ, ମନ ନ ମାନିଲେ ଖାଲି ପଦେ କଥା-’ନାନୁ କୁ’ଇନି’ (ମୁଁ ନାହିଁ କରୁଛି, ମୋର ଇଚ୍ଛା ନାହିଁ ।)

 

ବେଶ୍ ବିବାହ ଭାଙ୍ଗିଯିବ । ଯଦି କୌଣସି କାରଣରୁ ତୋର ଇଚ୍ଛା ନାହିଁ, କହିଦେଉନୁ କାହିଁକି, ଆମେ ଅଲଗା ହୋଇଯିବା, କେତେ ମାସ ଏମିତି ବିତିଲାଣି ହିସାବ କଲୁ ଟିକିଏ, ମାଇକିନିଆ ମନ ତ ମୋର, ନା ମୁଁ ପଥର ?’

 

ମନେ ମନେ ଆପଣା ସ୍ୱାମୀ ସଙ୍ଗେ ବୁଝାମଣା ହେଉ ହେଉ ଆଖିରୁ ଲୁହ ବୋହୁଥିଲା । ପଦାରୁ ଦିଉଡ଼ୁର ପାଟି ଶୁଭୁଥାଏ, ‘ଆରେ ତରତର କର’-ତାର ଟାଣ କଥା ଶୁଣି ପୁୟୁର ସ୍ୱପ୍ନ ଭାଙ୍ଗିଗଲା । ନିଜକୁ କାଠ କରି ସେ ବସି ରହିଲା, ଅପେକ୍ଷା କଲା । ତୁରୁଞ୍ଜା ଡମ୍ବ ଆଉ ଲେଞ୍ଜୁ ଆସିଲେ, ତିନିଭାର ଅଳସି ପଦାକୁ ଗଲା । ଖାଦ୍ୟଜିନିଷର ପୁଟୁଳା ମୁଣ୍ଡରେ ମୁଣ୍ଡେଇ ପୁବୁଲି ପ୍ରସ୍ତୁତ ହେଲା । ଗୋଠେ ସ୍ତ୍ରୀଲୋକ ପୁଟୁଳି ମୁଣ୍ଡେଇ ପହଞ୍ଚିଗଲେ । ‘କିଏ ହାଟ ଯିବ ଲୋ ? ପୁବୁଲି, ବାହାର୍ ବାହାର୍ ।’

 

ଟିକିଏ ହସିଦେଇ ପୁବୁଲି ମେଲାଣି ନେଲା, ‘ଯାଉଛି ।’ ପୁୟୁ କହିଲା ‘ଯା’ ।

•••

 

ତେଇଶ

 

ପୁୟୁ ଖାଲି ଅନେଇ ରହିଲା, ଗାଁର ଅଧେ ଲୋକ ଏକାଠି ହୋଇ ଜିନିଷପତ୍ର ଧରି ପାଟି କରି ଚାଲିଲେ ଡୁମ୍ବାଗୁଡ଼ା ହାଟ । ଦିଉଡ଼ୁ ଗଲା, ଲେଞ୍ଜୁ ଗଲା, ଦିଉଡ଼ୁ ଆସିଲା ବି ନାହିଁ ଟିକିଏ କହିଦେଇ ଯିବାକୁ ଯେ ସେ ଯାଉଛି ।

 

ସେମିତି ଫାଙ୍କା ମନରେ ବସିରହିଲା ସେଠି ପୁୟୁ, ଚଙ୍କିଲା ନାହିଁ । ଭାବିଲା, ଏହି ବୋଧହୁଏ ଶେଷ ତା’ ଭିତରେ ଦିଉଡ଼ୁ ଭିତରେ । କାନ୍ଦ ମାଡ଼ୁଥିଲା, ରୋକିନେଲା, ବାହାରେ ସାନ୍ତ୍ୱନା ନାହିଁ ଯେ ସେ କାନ୍ଦିବ । ମରୁଭୂମିର ତତଲା ବାଲି ଉପରେ ଲୁହଟୋପା ଢାଳିବାକୁ ମନ ହୁଏ ନାହିଁ । ନିଜର କିଛି ସେ ଦୋଷ ଦେଖିପାରିଲା ନାହିଁ । ସବୁ ଦୋଷ ଦିଉଡ଼ୁର, ସେ ବଦଳିଛି । ଭାବିଲା, ମଣିଷ ଏହିପରି ସବୁ ସ୍ନେହ ତାଙ୍କର ଦି’ଦିନିଆଁ । ସେ ନିଜେ କିଛି ବଳେ ବଳେ ଆସି ଏ ଘରର ପାରି ଡମ୍ବେଇ (ଅଜାଡ଼ି) ପିଇ ନାହିଁ ।-କେତେ ଧାଁଧପଡ଼ ଦିଉଡ଼ୁର, କେତେ ଫୁସୁଲା ଫୁସୁଲି, କେତେ ଆଶ୍ୱାସ । ‘ଏହିପରି ସ୍ନେହ ରଖିଥିବ ସବୁବେଳେ, ଫୁଲ ପରି ଖାଲି ତୁ ହସିବୁ, ତୁ ପୁୟୁ (ଫୁଲ), ସବୁ କଠିନ କାମତକ ମୋର, ତୋର ଖାଲି ହସ । ଆସିବୁ ନାହିଁ ! ନାହିଁ କଲେ ତତେ ଝୁରି ଝୁରି ମୁଁ ମରିବି, କ’ଣ ହେବ ଏ ବିଫଳ ଜୀବନ ରଖି ?

 

ସେ ବିଶ୍ୱାସ କରିଥିଲା ।

ଦିଉଡ଼ୁ ତାର ବିଶ୍ୱାସ ରଖି ନାହିଁ ।

 

ଦସ୍ରୁ କୁକୁର ଆସି ପାଖରେ ଠିଆ ହୋଇ କେଁ କେଁ ହେଲା, ଲାଂଗୁଡ଼ ପିଟିଲା । ସେ କହିଦେବାକୁ ଚାହେଁ ଯେ ତାକୁ ଭୋକ କଲାଣି । ହଠାତ୍ ପୁୟୁ କଅଁଳ ହୋଇଗଲା, ସାଓଁତା ମନେପଡ଼ିଲା । ସାଓଁତା ଥିଲେ ସେ ଫେରାଦ୍ ହୋଇଥା’ନ୍ତା, ଆଜି ଫେରାଦ ହେବାକୁ କେହି ନାହିଁ ।

 

ଦୀର୍ଘଶ୍ୱାସ ପକେଇ ବିକଳ ହୋଇ ପୁୟୁ ଚାହିଁ ରହିଲା । ହାକିନା ଶୋଇଲାଣି । ଖର ବଢ଼ିଲାଣି । ଭାଁ ଭାଁ ଲାଗୁଛି । ଦସ୍ରୁର ମୁଣ୍ଡ ଆଉଁଶି କହିଲା ‘ଭୋକ କଲାଣି କି ରେ ? ରଇଥା ଖାଇବାକୁ ଦେବି ।’

 

ସେତିକିବେଳେ ପାଖ ଘରର ଦୁଆରେ ଜାମିରି କନ୍ଧର ବୁଢ଼ୀ ଗାଧୋଇବା ପାଣି ଥୋଇଦେଇ ଗଲା, ବୁଢ଼ା ଜାମିରି କନ୍ଧ ଗାଧୋଇବାକୁ ଆସି ବସିଲା । ଜାମିରି କନ୍ଧର ଗାଧୁଆ ଗୋଟାଏ ଘଣ୍ଟା । ସବୁଦିନେ ଠିକ୍ ଏତିକିବେଳେ ବୁଢ଼ାବୁଢ଼ୀ ଦିହେଁ ସେଠି ବସନ୍ତି । ବୁଢ଼ୀ ବୁଢ଼ାକୁ ଗାଧୋଇଦିଏ । ଜାମିରିର ବୁଢ଼ୀ ଲାଉ ଅଣକାରେ ପାଣି ନେଇ ବୁଢ଼ା ଉପରେ ଅଜାଡ଼ିଲା, ଘଷିପୁଷି ଦେଲା, ସାଉଁଳେଇ ଦେଲା । ସବୁଦିନ ପରି ସ୍ୱସ୍ତିର ଭଙ୍ଗୀରେ ମୁହଁ ଉଜ୍ଜ୍ୱଳ କରି ସାନ ପିଲାପରି ବୁଢ଼ା ବସିରହିଥାଏ, ବୁଢ଼ୀର ଅଲିଅଳ ସହୁଥାଏ ।

 

କନ୍ଧ ଦେଶରେ ସ୍ୱାମୀକୁ ଗାଧୋଇଦେବା ସ୍ତ୍ରୀର ଗୋଟିଏ ଅଧିକାର ଆଉ ଅଭ୍ୟାସ । ଯେ ଯେତେ ହସୁ, କନ୍ଧ ଦାମ୍ପତ୍ୟ ଜୀବନର ଏତିକି ସୁଆଙ୍ଗ ଗୋଟିଏ ପୁରୁଣା ଶିଷ୍ଟାଚାର । ଶୋଷୀ ଆଖିରେ ସେହି ଦୃଶ୍ୟ ପୁୟୁ ବସି ଦେଖିଲା । କେଡ଼େ ଆସ୍ତେ କେଡ଼େ ଯତ୍ନରେ ଘଷିଦିଏ ବୁଢ଼ୀ ବୁଢ଼ାକୁ, ନିଠେଇ ନିଠେଇ ଆଉଁଶି ଆଉଁଶି ମଳି ଛଡ଼େଇଦିଏ । ଜାମିରି କନ୍ଧ ଗାଧୋଇ ସାରିଲା, ବୁଢ଼ୀ ଭଲକରି ପୋଛିଦେଲା । ବୁଢ଼ା ଜାମିରି କନ୍ଧ ଅଚଳ ନୁହେଁ, ଆଚ୍ଛା ମଝବୁତ୍ କନ୍ଧ ବୁଢ଼ା ।

 

ପିଲାଝିଲା ଜନ୍ମ ହୋଇଛନ୍ତି, ବଡ଼ ହୋଇଛନ୍ତି, ଆପଣା ଆପଣା ଘର କରିଛନ୍ତି ଅଲଗା ଅଲଗା, ବୁଢ଼ାବୁଢ଼ୀ ପରସ୍ପରକୁ ଆଦରି ପଡ଼ିରହିଛନ୍ତି ସେକାଳରୁ ଏକାଳ ଯାକେ ।

 

ପୁୟୁ ଡାକିଲା, ‘ଏ ଆଈ, ଏଣିକି ଆ ।’

 

‘କ’ଣ ? ଗଲୁ ନାହିଁ କିଲୋ ହାଟକୁ, ହଁ ପିଲାବୁଆଲିଟିଏ କେମିତି ଯିବୁ ? ବସିରହିଛୁ ଯେ, ଖାଆପିଆ ସରିଲାଣି ?’

 

‘ଆଜି ରନ୍ଧା ନାହିଁ, ଦେହଟା ଭଲ ଲାଗୁ ନାହିଁ ।’

‘ଉପାସ ରହିବୁ ନା କ’ଣ, ଏ କି ଛୋପରି କଥା-’

‘ନାଇଁ ସତେ ମଁ ।’

 

‘ଛି ଛି, ଏ ଗୋଟିଏ କଥା ନା । ଆ ମୋ ସାଙ୍ଗରେ ଗଣ୍ଡାଏ ଖାଇଦବୁ, ନ ଖାଇଲେ ଦୁଧ ଶୁଖିଯିବ ଲୋ, ପିଲାଟା ଖାଇବ କ’ଣ ?’

 

‘ଭଲ ଲାଗୁ ନାହିଁ ଆଈ, ଖାଇବାକୁ ମନ ହେଉ ନାହିଁ ।’

 

‘ହଉ ହଉ ଆ ଆ-’ ବଳେ ବଳେ ବୁଢ଼ୀ ଓଟାରି ନେଇଗଲା, ମନକୁ ମନ ସ୍ୱାଧୀନ ମତାମତ ଗାଇ ଲାଗିଥାଏ, ‘ଦେଖ ତ ଏବକାଳ ପିଲାଙ୍କ କଥା-ହଁ ମୁଁ ଜାଣେ ଲୋ ସବୁ ଜାଣେ । ଆ ଆ ।’

 

ବୁଢ଼ା ଅପେକ୍ଷା କରି ବସିଥିବ, ବୁଢ଼ୀ ନ ଗଲେ ସେ ଖାଇବ ନାହିଁ । କେବଳ ସ୍ନେହ, ଭଲପାଇବାର ବିବାହ ବନ୍ଧନ ଯେଉଁଠି ସହି ନ ହୁଏ ସେଠି ଭାଙ୍ଗେ, ଯେଉଁଠି ନ ଭାଙ୍ଗି ରହିଥାଏ ସେଠି ବଜ୍ରପରି ଟାଣ, ଶେଷଯାକେ ।

•••

 

ଚବିଶ

 

ହାଟର ବାଟ, ବୋଝ ବୋହି ତର ତର ଚାଲି, ତର ତର । ପଡ଼ୁପଛେ ଖୋଲ ଖାଲ ଢିପ ଟିକ୍ରା । କଙ୍କର ବାଟ, ପଡ଼ିରହିଛି କୁଢ଼ କୁଢ଼ ପଥର, ପାଦରୁ ଫାଳେ ଫାଳେ ଉଡ଼ି ଯାଉଛି, ବାଲିଆ ବାଟ, ମଲା ନଈର ପାଉଁଶ, ତତଲା ବାଲି ।

 

ମଣିଷ ଚାଲିଛନ୍ତି ।

 

ପୁରୁଷ ପିନ୍ଧିଛନ୍ତି ଖଣ୍ଡେ ଖଣ୍ଡେ ସରୁଆ କୌପୁନୀ, କୋଚଟ ମସିଆ କୌପୁନୀ, ବାକି ଦେହଟା ଖାଲି । କଳା ମିଶ୍ ମିଶ୍ ଝାଳୁଆ ଦେହ, ସବୁ ମାଂସପେଶୀ ଝଟକି ଉଠୁଛି । କାନ୍ଧରେ ଟାଙ୍ଗିଆ, ହାତରେ ବାଡ଼ି ବର୍ଚ୍ଛା । ବୋଝ ଭାର ଲଦି ହୋଇ ପୁରୁଷ ଚାଲିଛନ୍ତି ।

 

ପର୍ବତର କେଉଁ ଖୋଲ ଭିତରୁ ସରୁ ସରୁ ରାସ୍ତା ଗଡ଼ି ଆସିଛି, ଏକାଠି ହୋଇ ଜାଲ ଗୁନ୍ଥିଛି, ରାସ୍ତା ଦିଶୁ ନାହିଁ, ଖାଲି ଧାର ଧାର ମଣିଷ, ଜଣକ ପିଛା ଜଣେ, ଆଣ୍ଠୁରୁ ଅଣ୍ଟାରୁ ତଳକୁ ପିରିଘାସ ଆଉ ଲଟାଜଙ୍ଗଲରେ ଛପିରହିଛି । ଭିନ୍ନ ଭିନ୍ନ ପତ୍ତନରେ ଭିନ୍ନ ଭିନ୍ନ ଧାର, ଯେପରିକି ସ୍ୱର୍ଗରୁ ପାତାଳକୁ ବଙ୍କାଢଙ୍କା ହୋଇ ସଜା ହୋଇ ଚାଲିଛନ୍ତି ତା ତଳକୁ ତା ତଳକୁ ।

 

ସାନ ପିଲା ଚାଲିଛନ୍ତି, ଟୋକେଇରେ ପଶି ଭାରରେ ବୁହାହୋଇ, ମୁଣ୍ଡ ଉପରୁ ଲାଉତୁମ୍ବା ଲଟକିଛି, ବୁଜୁଳା ଓହଳିଛି; ତଳେ ଟୋକେଇ ଭିତରୁ ମିଟି ମିଟି ଆଖି, ତାର ବି ହାଟଦେଖା ସଉକ ଅଛି, ଦେଖି ଦେଖି ସେ ବୁଝିବ ଶିଖିବ ।

 

ଅଗଣିତ ସ୍ତ୍ରୀ, ହାଟ ଆଉ ବାଟ ତାଙ୍କରି ରାଜ୍ୟ । ନାନା ଜାତିର ପୋଷାକ । ଗଦବା ଟୋକୀ, ତାର ମୁଣ୍ଡର ବାଳରେ ନାଲିଆ ପଟିଟିଏ, ଦୁଇ କାନରେ ମସ୍ତ ବଡ଼ ବଡ଼ ପିତ୍ତଳ ତାରର ବଳା ଯୋଡ଼ିଏ, କାନ୍ଧକୁ ପଡ଼ିଛି, ଦେହରେ ତାର ହାତବୁଣା କେରଂ ପଟର ଲୁଗା ଦେହ ସଙ୍ଗେ ଶକ୍ତ ହୋଇ ମିଶିରହିଛି, ଅଣ୍ଟା ପଛପଟେ ସୁତୁଲି ବଣ୍ଡିଲା ଲୁଗାକୁ ଫୁଲେଇ ରହିଛି । ପରଜା ଝିଅ, ଡମ୍ବ ଝିଅ, କନ୍ଧ ଝିଅ, ସମସ୍ତିଙ୍କର ଗୋଡ଼ ହାତ ଚାରିଟି ଖୋଲା ଆଉ ଖାଲି । ଗଦବାର ଉଜ୍ଜ୍ୱଳ ହଳଦିଆ ବର୍ଣ୍ଣ ଦିଶୁଚି, ପରଜୁଣୀର ଗରି ଗରି ହାତ ଗୋଡ଼ ଏମୁଣ୍ଡୁ ସେମୁଣ୍ଡୁ ଚିତାକୁଟା ହୋଇଛି । ହସ ହସ ରଙ୍ଗ ରଙ୍ଗର ଦୁନିଆଁ, ହାଟର ବାଟ ।

 

ଖଣ୍ଡେଦୂର ଯାଇ ଦିଉଡ଼ୁର ଲେଞ୍ଜୁର କଜିଆ, ଦିଉଡ଼ୁ ଗୋଟାଏ ହାଲୁକା ବୋଝ ଧରିଛି, ଆଗେ ଆଗେ ଗପ କରି କରି ଚାଲିଛି, ତାର ଓଜନ ବୋଝ ଗୋଟାଏ ତୁରୁଞ୍ଜା ଗୋଟାଏ ଲେଞ୍ଜୁ ବୋହିଛନ୍ତି । ଲେଞ୍ଜୁ ପଛେଇଥାଏ । ତୁରୁଞ୍ଜା ଚଞ୍ଚଳ ଚଞ୍ଚଳ ଆଖି ବୁଲେଇ ଲାଗିଥାଏ, କେତେ ପ୍ରକାର ମଉଜ ମଜିଲିସ୍ ହୋଇପାରିଥା’ନ୍ତା । କେତେ ଲୋକଙ୍କୁ ଠକି ହୋଇଥା’ନ୍ତା, ଚୋରି କରି ହୋଇଥା’ନ୍ତା, ବୋଝ କାନ୍ଧରେ ସେ ସବୁ ସମ୍ଭବ ନୁହେଁ । ବିରକ୍ତ ଲାଗୁଥାଏ, ଟୋକୀମାନେ ଆଗେ ଆଗେ । ଲେଞ୍ଜୁ ବି ଭାବୁଥାଏ, ଟୋକୀମାନେ ଆଗେ ଆଗେ ଗଲେ । ମନର ଓରମାନ ପଦାକୁ ଫୋପାଡ଼ିବାକୁ ଚେଷ୍ଟା କରି ତୁରୁଞ୍ଜା ଲେଞ୍ଜୁକୁ ଚିଡ଼େଇଦେଲା । କହିଲା, ‘ଦେଖ୍ ସାଓଁତା ଚାଲିଛି ବେଶ୍ ଆଗେ ଆଗେ, ତୋ ପରି ତ ସେ ନୁହେଁ ଲୋ । ସାଓଁତା, ତେଣୁ ତୋର ମୋର ଭାରୀ ବୋଝ, ତାର ହାଲୁକା ବୋଝ, ଭଲ ହେଲା, ସାଓଁତା ମାନ୍ୟରେ ବଡ଼, ସବୁଥିରେ ବଡ଼, ଆଗେ ଆଗେ ସେ ଯିବ ନାହିଁ ତ ଯିବ ଆଉ କିଏ ? ସେଇତ ଆମର ମୁଣ୍ଡ ।’

 

ତୁରୁଞ୍ଜା ଆଉ କେତେ କହିଥା’ନ୍ତା, ଲେଞ୍ଜୁ କନ୍ଧ ରାଗିଯାଇ କହିଲା, ‘ଚୁପ୍ ରହ ଡମ୍ ପଟ୍‌କାର (ମିଛୁଆ), କାଲିକାର ଟୋକା ଦିଉଡ଼ୁ, ସେ ହେବ ଆମରି ମୁଣ୍ଡ ନା ଗଣ୍ଡି-, ଫାଙ୍କିଦେଇ ବଜ୍ଜାତ୍ ଆମକୁ ଭାଲୁ ଧରେଇଦେଇଛି ଉଠାଣି ବାଟରେ ଆଉ ୟେ ତାକୁ ପ୍ରଶଂସି ହଉଚି, ନା-’

 

ତୁରୁଞ୍ଜା ଏଇଆ ଖୋଜୁଥିଲା । ଯାହାହେଉ, ମଜାଟା ଏଥର ଉଠିବ, କହିଲା ‘କ’ଣ ମିଛ କହିଲି ଭଲା ମୋ ଉପରେ ରାଗୁଚୁ ? ତୁ ବି ଭାର ବୋହିଚୁ ମୁଁ ବି ବୋହିଚି, ତୁ ବି ରଇତ, ମୁଁ ବି ରଇତ, ଗାଁର ସାଓଁତା ତ ଆମେ ନୋହୁଁ, ସାଓଁତା ସେ, ସେ ଆଗରେ ଗଲେ ଆମେ ପଛରେ ଯିବା-’

 

ଲେଞ୍ଜୁ ତରତର ହୋଇ ଆଗକୁ ମାଡ଼ିଯାଇ ଡାକିଲା ‘ହେ ଦିଉଡ଼ୁ ରହ ରହ ।’

 

ଦିଉଡ଼ୁ ଅଟକିଗଲା, ତା’ ପରେ ଲାଗିଲା ଦୁହିଁଙ୍କ ଭିତରେ ବାକ୍ ବିତଣ୍ଡା ବୋଝ ବଦଳା ବଦଳି ପାଇଁ ଦିଉଡ଼ୁ ନାରାଜ, ଲେଞ୍ଜୁ ନଛୋଡ଼ବନ୍ଧା, ବାଟ ମଝିରେ ମହାନ୍ କଳିତକରାଳ । ଦିଉଡ଼ୁ କହୁଥାଏ ‘କେମିତି ତୁ ବୋହିବୁ ନାହିଁ ? କ’ଣ ହେଲା କ’ଣ ? ଅଧେବାଟ ତୁ ବୋହିଚାଲ, ବାକି ଅଧକ ମୁଁ ବୋହିବି ।’ ଲେଞ୍ଜୁ ଆହୁରି ରାଗୁଥାଏ, ଶେଷରେ ଭାରବୋଝ ତଳେ ଥୋଇଦେଇ କହିଲା ‘ମୁଁ ପାରିବି ନାହିଁ, ମୁଁ ତୋ’ପରି ଭେଣ୍ଡିଆ ନୁହେଁ, ରହିଲା ଏଠି ।’

 

ଦିଉଡ଼ୁ ଗରଗର ହୋଇ ନରମି ଆସିଲା । ବୋଝ ବଦଳ ହେଲା, କିନ୍ତୁ ଲେଞ୍ଜୁ ଯେଉଁ ପଛରେ ସେହି ପଛରେ । ଦିଉଡ଼ୁ ଆଗେ ଆଗେ ।

 

ଘାଟି ମଝିରେ ଲେଞ୍ଜୁ ଏକୁଟିଆ ବସିପଡ଼ିଲା, ଖରା ଲାଗିଥାଏ, ଦେହରୁ ଝାଳ ଫିଟିପଡ଼ୁଥାଏ । ବହୁତ ଉପରେ ସେମାନେ । ଉପରୁ ଧାର ଧାର ସାନ ପର୍ବତର କରଦେଇ ତଳକୁ ପତ୍ତନ ଗଡ଼ିଯାଇଛି, ବହୁତ ଦୂରକୁ ଦିଶୁଛି, ସ୍ଥାନେ ସ୍ଥାନେ ପର୍ବତର ଧାର, ବାକି ସବୁ ଏତେ ଉଞ୍ଚରୁ ଦିଶୁଛି ଥାଳିପରି ସମାନ, ସେଠି ମଣିଷର ଆଖିକୁ ଧୂଆଁଳିଆ ନେଳିଆ ଖରାଟିଏ କୁହୁଡ଼ିର ଭୋଗ । ଦୃଷ୍ଟି ଯେତେଦୂର ଯାଇଛି ।

 

ଉପରକୁ ଉପରକୁ ପର୍ବତ ସନ୍ଧିରେ ଉଉଁରି ଉଉଁରିକା ମଣିଷଙ୍କ ଧାରା ଏକା ସିଧାକେ ତଳି ଉପର ହୋଇ ପାଞ୍ଚଟି ଉଉଁରି, କେଉଁଠି ସରିଯାଇଛି କେଉଁଠି ମିଶିଛି ଯାଇ ଉପରର ନେଳିଆ ଜଙ୍ଗଲ ଭିତରେ । ଭୀଷଣ ବନସ୍ତ, ବାଟ କରେ କରେ ଅନ୍ଧାରୁଆ ଝୋଲା, ତାର ତଳ ଦିଶୁ ନାହିଁ ଖାଲି ସୁ ସୁ ଶୁଭୁଛି । କ୍ଲାନ୍ତିରେ ଲେଞ୍ଜୁର ସବୁ ଉତ୍ସାହ ଚାଲିଯାଇଥାଏ । କେଉଁ ବାଟବଣା ପବନ କଅଁଳିଆ ପତ୍ରକୁ ହଲେଇ ହଲେଇ ଥର ଥର ହୋଇ ଏ କନ୍ଦି ସେ କନ୍ଦି ବୁଲିବୁଲି ସଂଭାଷିଯାଏ ଟିକିଏ । ଲେଞ୍ଜୁ ତାର ଧୁଙ୍ଗିଆ ଲଗେଇଲା । ମନଗହୀରର ବିରକ୍ତିର ପୃଷ୍ଠପଟ ଉପରେ ଯେତେ ଉଦାସୀ ଧାରଣା ସବୁ ଆସି ପହଞ୍ଚିଗଲା । ଲେଞ୍ଜୁ ଧୁଙ୍ଗିଆ ଲଗେଇଦେଇ ଅଧଆଉଜା ହୋଇ ବସି ଭାବିଲା-ତାର କେହି ନୁହନ୍ତି, କେହି ତାକୁ ଖୋଜନ୍ତି ନାହିଁ । ଦିଉଡ଼ୁ କାଲି ଯେ କାଖ ହେଉଥିଲା, ବାପ ମଲାଠୁ ସେ ମନେ ମନେ ଭାରି ଜଣେ ହୋଇଗଲାଣି ।

 

ଲେଞ୍ଜୁ ଭାବିଲା, ଏ ତାର କେହି ନୁହେଁ, ଏ ଘର ତାର ନୁହେଁ, ଏ କାମ ତାର ବେଠି । ସମସ୍ତିଙ୍କର ସବୁ ଅଛି, ତାର ନାହିଁ ।

 

ପଞ୍ଝାକୁ ପଞ୍ଝା ଲୋକ ଚାଲିଛନ୍ତି ଲେଞ୍ଜୁ ବସିଥାଏ ମଣିଷ ଗହଣରେ ପରର ବୋଝ ବୋହି, ପୁଣି ବାଟ ଧରିବାକୁ ତାର ଆଗ୍ରହ ନାହିଁ ।

 

କିଛି ସମୟ ପରେ,-ହେଇ, ସେଇଟା ସୋନାଦେଈ ନା ସାଙ୍ଗେ ସାଙ୍ଗେ ବୁଢ଼ା ବାରିକ ଭୁର୍ଷାମୁଣ୍ଡା । ବାରିକର ସାନ କାଉଡ଼ି (ଭାରଟିଏ), ସୋନାଦେଈ ମୁଣ୍ଡରେ ପୁଟୁଳିଟିଏ । ହାଟକୁ ଚାଲିଛନ୍ତି ।

 

‘ପଛେଇ ଗଲୁ ସାଓଁତା-’

ଲେଞ୍ଜୁ ଉଠିଲା, ହସିଲା, କହିଲା, ‘ବୁଢ଼ା ହେଇଗଲି ବାରିକ ।’

 

‘କି ବୁଢ଼ା ତୁରେ, ସାଓଁତା, ତତେ ପିଠିରେ ନାଉ କରି ବୁଲୋଉଥିଲି ସେଦିନ, ଏଡ଼ିକିଟିଏ ହୋଇଥିଲୁ-’ ସୋନାଦେଈ ହସିଦେଲା । ବାରିକ କହିଲା, ‘ଆମେ ସବୁ ବସି ଥାଉଁ ଥାଉଁ ତୁମେ ସବୁ ମନେ ମନେ ବୁଢ଼ା ହୋଇଯାଉଛ ପରା !’

 

ଏକାଠି ବାଟ ଚାଲିଲେ । ବାରିକ ତାକୁ ଡାକିଛି ‘ସାଓଁତା’, ଲେଞ୍ଜୁ ଭାରି ଖୁସି ହେଲା । ଏମିତି ସାନ ସାନ କଥା ଗୋଟିଏ ଗୋଟିଏ, ଜାଣ ତା’ ମନର କେଉଁ ମରମରେ ଯାଇ ବାଜେ, ଅନ୍ତର ଭିତରେ ବିଜୁଳିର ଚମକ ଖେଳିଯାଏ, ଜାଣ ତା’ ମନରେ ଗୋଟାଏ ରୂପ ଭାସିଉଠେ, ଅଜଣା ମନଗହୀରରେ ଉଠେ ତାର ପ୍ରତିବିମ୍ବ ।

 

‘ସାଓଁତା’-କେଡ଼େ ଖୁସିର କଥା, ସତେ ତ, ସେତେବେଳେ ବୁଢ଼ାଭାଇ ଥିଲା, ଏକା ନାହି ଦୁଇଖଣ୍ଡ, ତାର ଧୋବଲା ବାଳର ଜଟ ମୁଣ୍ଡେଇ ସେ ସାଓଁତା ହୋଇଥିଲା, ଭଲ ଦିଶୁଥିଲା, ଭଲ ମାନୁଥିଲା, ଆଉ ବର୍ତ୍ତମାନ, ଏ ଅର୍ବାଚୀନ ଘୁଅଡିମ୍ବ ଦିଉଡ଼ୁ ବୋଲେଇବ ସାଓଁତା ଆଉ ସେ ନିଜେ ହେବ ସାମାନ୍ୟ ରଇତ । ବାହାରୁ ଅଧିକାରୀ (ହାକିମ)ମାନେ ଆସିବେ, ଖୋଜିବେ ସାଓଁତାକୁ, ସବୁ ମତାମତ ଦେବ ସେ, ଗାଁର ଭଲମନ୍ଦ ପାଇଁ ସେ ଦାୟୀ ହେବ, ପଥୁରିଆ ନଈ ଭିତରେ ଡଙ୍ଗା ଚଳେଇନେବ ପାଞ୍ଚଶ ଲୋକଙ୍କୁ ଡଙ୍ଗାରେ ବସେଇ ।

 

ସାଓଁତା ହେବା ତାର ପ୍ରାପ୍ୟ, ଦିଉଡ଼ୁର ନୁହେଁ ।

 

ପ୍ରସଙ୍ଗ ଉଠେଇ ଲେଞ୍ଜୁ ଆରମ୍ଭ କଲା, ‘ବୁଢ଼ା ତ ଚାଲିଗଲା, କେମିତି ଅଛି ଆମ ଗାଁ ଦେଖୁଛୁ ତ, ଟୋକାଟାକିଳିଆଙ୍କଦ୍ୱାରା କ’ଣ କାମ ଚଳେ ? ଖାଲି ତୁ ଜଣେ ସେକାଳର ଲୋକ ଅଛୁ ବୋଲି ସିନା ! ନ ହେଲେ କାହା ଭରସାରେ ବଣ ଭିତରେ ଲୋକେ ପଡ଼ି ରହନ୍ତେ-?’

 

‘ସତ୍ କହିଛୁ ସାଓଁତା, ବୁଢ଼ା ଲୋକ ଠିକ୍ ଏ ବୁଢ଼ା ବରଗଛ ପରି, କରନ୍ତୁ ନ କରନ୍ତୁ ଦେଖିଦେଲେ ମନରେ ସାହସ ଆସେ, ବୁଢ଼ା ଜଣେ ଠିଆ ହୋଇଥିଲେ ସବୁ ଠିକ୍ । କ’ଣ ହେବ ? ଏବର ଲୋକେ କ’ଣ ସେ କଥା ବୁଝନ୍ତି ? ଗାଁ ପାଇଁ ଏତେ କଲି । କେତେ ଗାଁର ଲୋକେ ନେହୁରି ହୋଇ ଆସି ଡାକିଲେ, କହିଲେ ଆମ ଗାଁରେ ବାରିକ ହେବୁ ଚାଲ । ହଳ ବଳଦ ଦେବୁଁ, ଜମି ଦେବୁଁ, ଯାହା ମାଗିବୁ ତା’ ଦେବୁଁ । ନେଚି ଦେଲି (ନାହିଁ କରିଦେଲି) ସାଓଁତା, ନେଚି ଦେଲି । କହିଲି ଏଇଟା ମୋରି ଭୂଇଁ, ଏଇଠି ମାଟି କାମୁଡ଼ି ମୁଁ ପଡ଼ିଥିବି । କ’ଣ କରିବି, ବୁଢ଼ା ହୋଇଗଲି । ଏଣିକି ଆଉ ପାରୁ ନାହିଁ, ଏଣେ ବାର ଅଭାବ ବଢ଼ିଚାଲିଛି । ଖାଦି (ଖାଦ୍ୟ) ଅଣ୍ଟୁ ନାହିଁ, ଦିଉଡ଼ୁ ସାଓଁତାକୁ ଜମି ଖଣ୍ଡେ ମାଗି ବୁଲୁଚି, ଦବ କି ନ ଦବ ଯେ, ପିଲା ଲୋକର ମନ ତ !’

 

‘ପିଲାଲୋକର ମନ ଠିକ୍ ନୁହେଁ ବାରିକ, ତା’କୁ ନିଜ ଛଡ଼ା ଆଉ କେହି ଦିଶନ୍ତି ନାହିଁ । ପରର ଦୁଃଖ ବୁଝି ପାରିଲେ ସିନା ଲୋକ ଦଶଜଣଙ୍କ ବଡ଼ମୁଣ୍ଡିଆ ହୋଇ ଗାଁ ଚଳେଇବ । ଏ ଟୋକାଲୋକ କ’ଣ ବୁଝିବ ?’

 

ସନ୍ଦିଗ୍‌ଧ ଆଖିରେ ଥରେ ତା ଆଡ଼କୁ ଚାହିଁଦେଇ ବାରିକ କହିଲା, ‘ସତ୍ ସତ୍’ ।

ଲେଞ୍ଜୁ କହିଲା ‘ମଦୁଆଟା’ ।

ବାରିକ ମୁଣ୍ଡ ହଲେଇଲା ହଁ ହଁ ରୀତିରେ ।

 

ବୋଝ କାଟୁଥାଏ, ଖରା ଗଳିଯାଉଥାଏ ଦେହରେ, ପଛରେ ପକେଇ ସମସ୍ତେ ଚାଲିଯାଇଛନ୍ତି, ଲେଞ୍ଜୁ କହିଲା, ‘ଆପଣାର ଭାରିଯାଠିଁ ମନ ନାହିଁ ।’ ସୋନାଦେଈର କୁତୂହଳ ବଢ଼ିଲା, ସେ ପାଖକୁ ପାଖକୁ ଚହଲି ଆସିଲା । ଲେଞ୍ଜୁ କହିଲା, ‘କେତେଦିନ ହୋଇଗଲା, ଏକାଠି ବସାଉଠା ନାହିଁ, ଖୁସି ଶରଧା ନାହିଁ, ଘରର କଥା କ’ଣ କହିବି ପରକୁ । ଟୋକୀଟାକୁ ଦେଖିଲେ ବିକଳ ଲାଗେ । ପଞ୍ଚାଏତ୍ କରିବି କେଉଁଠି ?’

 

‘ସୋନାଦେଈର ଆଗ୍ରହ ଖୁବ୍ ବଢ଼ିଯାଇଥିଲା । ହସିଲା ଆଖିରେ ବାରମ୍ବାର ସେ ଲେଞ୍ଜୁ ମୁହଁକୁ ଅନୋଉଥିଲା । ବାରିକ ଭାବି ଭାବି କହିଲା, ‘ହୁଁ ହୁଁ’ ।

 

କିଛି ସମୟ ଭାବି ବାରିକ କହିଲା, ‘ତୁ କାହିଁକି ଏମିତି ପଡ଼ିଛୁ ସାଓଁତା, ତୁ ସାଓଁତା ହେଲୁ ନାହିଁ କାହିଁକି ? ଅମିନ୍ ରେବିଣୀଙ୍କ ପାଖେ ଦଶ ଲୋକଙ୍କ ଆପତ୍ତି ପଡ଼ିଥିଲେ ନିଜ ଆଖିରେ ସବୁ ଦେଖି ବୁଝି ସେମାନେ ଯାହାକିଛି କରିଥା’ନ୍ତେ ତ, କେଡ଼େ ସୁନ୍ଦର ହୋଇଥା’ନ୍ତା । ଗାଁର କପାଳ ଖୋଲିଥା’ନ୍ତା, ତୋ ପରି ସାଓଁତା, ସବୁବେଳେ ମୁଁ ତୋ ପାଦତଳେ, କ’ଣ କହୁଚୁ ?’

 

ଲେଞ୍ଜୁ ଖାଲି ଦୀର୍ଘଶ୍ୱାସ ପକେଇଲା ।

 

ସୋନାଦେଈ ସାନ୍ନିଧ୍ୟ ତାର ଚେତନାରେ ଅଙ୍ଗାର ଉସୋଉ ଥାଏ । ବଢ଼ିଲା ନଈର ଫୁଲିଆ ଜୁଆର, ତା’ ଉପରେ ଭସାଣ ଅଙ୍ଗାରର କୁଢ଼ ।

 

‘କ’ଣ କହୁଚୁ, ଏମିତି ଉଡ଼ି ଚାଲିଥିବୁ ସବୁଦିନେ ? କହ, ଖାଲି ତୋଠୁଁ ପଦେ ଶୁଣିଦେଲେ ବାକି ମୁଁ ଲାଗିଯିବି ଚେଷ୍ଟାରେ, କିଛି ଭିଡ଼ କାମ ନୁହେଁ ତ । ଅମିନ୍ ରେବିଣୀକି ଖୁସି କରିଦେଲେ ସବୁ ବେଳେ ହାସଲ । ଏଥର ତ ସେମାନେ ଆସିବେ ଶିସ୍ତୁ ଅସୁଲ କରିବାକୁ, କହିବା-

 

ନାହିଁ ସାଓଁତା, ତୁ ଆଉ ଅମଙ୍ଗ ହ’ ନାହିଁ । ତୋର ଭାଇ ଥିଲା, କେଡ଼େ ସୁନ୍ଦର ମାନିଥିଲା ଗାଁକୁ, ତା’ ବଦଳରେ ତୁ । ତୁ ସାଓଁତା ହେବୁ, ତୋର ଚଗଲା ପୁଅ (ପୁତୁରା)ଟାକୁ ତୁ ଶାସନ କରିବୁ, ସେ ମଣିଷ ହୋଇଚି କୋଉଠି, ତାର ବାପ ତାକୁ ତତେ ଦେଇଦେଲା, ତୁ ତ ତାକୁ ମଣିଷ କରିବୁ ।’

 

‘କ’ଣ ହେବ ସେଇଟା ବାରିକ, ତାର କ’ଣ ଗୋଟିଏ ବୋଲି କିଛି କଥା ଠିକ୍ ଅଛି ! ଆପଣା ଭାରିଯାଠୁ ଏମିତି, ବାଟରେ ଯାହାକୁ ଦେଖିଲା ତା ପଛେ ପଛେ ଧାଇଁଗଲା, ଗୋଟାଏ ବୋଲି କୋଉଠି ଥାଇ ଠିକଣା ନାହିଁ । ଖାଲି ପେଟେ ମଦ, ଆଖିଟା ଚାରିଆଡ଼େ, ଛି-’

ଏଥର ସୋନାଦେଈର ଦୀର୍ଘଶ୍ୱାସ ପକେଇବା ପାଳି, ଏଥର ବାଟର କ୍ଳାନ୍ତି ତାରି ଗୋଟାସୁଦ୍ଧା, ‘ଦୂରବାଟ, ସମସ୍ତେ ବାହାରି ଆସିଲେ, ଘରେ ରହିଲା କିଏ !’

‘ଘରେ ବାଲ୍‍ମୁଣ୍ଡା ରହିଛି, କଥା ଦେଖ, ବୁଢ଼ା ବାପ ହାଟକରି ଯିବ, ଭେଣ୍ଡିଆ ପୁଅ ବସିରହିବ ଘରେ-’

‘କାନ୍ଧରେ ଲାଉ କରି ଆଣିଲୁ ନାହିଁ-!’

ସମସ୍ତେ ହସିଲେ । ବାରିକ କହିଲା, ‘ନାହିଁ ସତରେ ସାଓଁତା, ଭାରି ଅଳସୁଆଟାଏ ସେ, ଏ ଯୁଗର ଟୋକା ସମସ୍ତେ ଅଳସୁଆ ।’

ବାଲ୍‍ମୁଣ୍ଡାର ସମାଲୋଚନା ସୋନାଦେଈ କାନକୁ ଭାରି ଭଲ ଲାଗୁଥାଏ । ସୋନାଦେଈର ସାନ୍ନିଧ୍ୟ ଲେଞ୍ଜୁ କନ୍ଧକୁ ଖୁବ୍ ତେଜି ଦେଉଥାଏ । କେହି କାହାକୁ ପାଟି ଫିଟେଇ ନାହିଁ, ମନେ ମନେ ତାଙ୍କର ପରସ୍ପରକୁ ବୁଝାମଣା ଚାଲିଥାଏ । କଥା ନଅସରେ ଲେଞ୍ଜୁ କନ୍ଧ ଭରସି କହିଲା,

‘ବୁଝିଲୁ ବାରିକ, ପୁଅମାନେ ଏମିତି ନିସ୍ତା (ଅଳସୁଆ) ପିସ୍ତା (ନିକମା) ହୋଇ ଘରେ ବସିଲେ ବୋହୂମାନଙ୍କୁ ଜଗିବାକୁ ବୁଢ଼ା ବାପର ଧାଇଁବା ଦରକାର ହୁଏ ।’

‘ମିଛ କହିନୁଁ ସାଓଁତା, ସତ୍ ସତ୍ ।’

•••

 

ପଚିଶ

 

କିଛିଦୂର ଉତ୍ତାରୁ-

ସୋନାଦେଈର ପଛେ ପଛେ ଲେଞ୍ଜୁ କନ୍ଧ, ବାରିକ ଥାଏ ଟିକିଏ ଆଗରେ ।

 

ବାଟ ଭଲ ଲାଗୁଥାଏ, କି ସୁନ୍ଦର ଶୀତଳ ଛାଇଛାଇଆ । ତା’ ଉପରେ ତା’ ଉପରେ ହୋଇ ପାହାଡ଼ ଉପରେ ପାହାଡ଼, ସଳଖ ସଳଖ ଶାଳବଣ ବୋଝେଇ ପାହାଡ଼, ତଳେ କେତେ ଫୁଲପତ୍ରର ଲଟାବୁଦା । ଅରାଏ ଅରାଏ ବଣକଦଳୀର ବଣ ଦିଶୁଛି, ନିଘଞ୍ଚ ଜଙ୍ଗଲରେ ପାହାଡ଼ ଢାଲୁରେ ତାର ବସା । ଝିରିଝିରି ହୋଇ ବୁଢ଼ା ପାହାଡ଼ର ଫଟା ଓଠ ବାଟେ ପାଣି ନିଗୁଡ଼ୁଥାଏ, ସେଠି ଫୁଲର ବଣ । ଉପରେ ଉପରେ ଆମ୍ବବଉଳ, ପଣସଫୁଲ, ତଳେ ମଲାପତ୍ର ଆଉ ମଲାବଉଳର ଗଦି, ଚାରିଆଡ଼େ ମହୁମାଛି ଆଉ ତାଙ୍କର ଅବିରାମ ଗୁଣୁଗୁଣୁ, ସ୍ଥାନେ ସ୍ଥାନେ ଅଜଣା ବଣୁଆ ନଈର ସାଇଁ ସାଇଁ ।

 

ଏଇ ଠିକ୍ ବାଟ, ଆଗେ ଆଗେ ସୋନାଦେଈ, ପଛେ ପଛେ ଲେଞ୍ଜୁ । କେହି କାହା ମୁହଁକୁ ଦେଖିପାରୁ ନାହିଁ, ଖାଲି ପାଦ ଛାଟିବାର ଶବ୍ଦ, ଦେହ ଝାଡ଼ିବାର ସହସ୍ରେ ଅଙ୍ଗଭଙ୍ଗୀ, ଲେଞ୍ଜୁ କନ୍ଧର ଗଇଁ ସଇଁ, ସୋନାଦେଈର ଆକୃତିରେ ବାଟ ଚାଲିବାର ମନ ଚହଲିବାର ଲହଡ଼ି । କେଡ଼େ ସୁନ୍ଦର କାନ୍ଧ ଉପରେ ଉପର ଲୁଗାର ତଳ ଲୁଗାର ଗଣ୍ଠି ପଡ଼ିଛି, ପାଖେ ନାଲି ପାଖେ ନେଳି, ପାଖେ ସାବୁଜା, ଡମ୍ବର ଲୁଗା । ଖୋଲା ବାହାର ପଛ ଖୋଲା ଗୋଡ଼ର ପେଣ୍ଡି, ମଝିରେ ଧୀର ଢେଉ ଆବୁ ଆବୁ ନିତି ଚିହ୍ନା ନିତି ସୁନ୍ଦର ସକାଳର ପାହାଡ଼ଦେଶ ପରି ।

 

ବାଟ ଚାଲୁ ଚାଲୁ କିଏ କେତେ ପଛରୁ ଆସି ପଞ୍ଝାକୁ ପଞ୍ଝା ପାଟି ଚହଳ କରି ଗୀତ ବୋଲି ହସି ଖେଳି ଆଗକୁ ମାଡ଼ିଯାଆନ୍ତି, ସୋନାଦେଈ ଗତି ବଢ଼ାଏ ନାହିଁ, ଲେଞ୍ଜୁ କନ୍ଧ କାମ ଭୁଲି ଖାଲି କଳପରି ବାଟ ଚାଲେ ଆବିଷ୍ଟ ମନରେ ।

 

ରାଜ୍ୟ ହୁଲସ୍ଥୁଲ ପକେଇ କନ୍ଧ ଟୋକା ଟୋକୀଙ୍କର ଐକ୍ୟତାନ ଗୀତ ଚାଲେ, କେଉଁ ଅନ୍ଧାରି ସନ୍ଧିରୁ ଦଳ ଦଳ ହେଇ ସେମାନେ ଆସନ୍ତି ଯାଆନ୍ତି ଗୀତ ବୋଲି ବୋଲି । ଲେଞ୍ଜୁ କନ୍ଧ ଝାଳେଇଯାଏ ।

 

‘ବାରିକ ବୁଢ଼ା କୁଆଡ଼େ ଗଲା ସୋନାଦେଈ ?’

‘ଯାଇଥିବ ହେଇ ବାଟରେ କୁଆଡ଼େ ମଦ ପିଇବାକୁ ।’

ବେଶି କଥା ନାହିଁ । ଚିହ୍ନାଚିହ୍ନି ପାଦ ଶବ୍ଦରେ, ଭଙ୍ଗୀରେ ।

 

ସବୁ ମନେ ମନେ । ଯେପରିକି ସବୁ ଖୋଲିଯାଇଛି, ପ୍ରଶ୍ନ ହେଉଛି ଜବାବ ହେଉଛି ଆପେ ଆପେ ।

 

‘ଚିହ୍ନିପାରୁଛୁ ମତେ-’

 

‘ଚିହ୍ନିପାରୁଛି, ଚିହ୍ନିପାରୁଛି, ଏ ଖର ନିଶ୍ୱାସ, ପାଦର ଏ ବେତାଳ, ଏ ଅସଂଭବ ତୁନିତାନି ସବୁ ମୁଁ ଚିହ୍ନେ ।’

 

‘ପଳେଇ ଯାଉନୁ ତେବେ-?’

‘କାହିଁକି ପଳେଇବି, ସଂସାରରେ ମୁଁ ଭିକାରୁଣୀ, ଯାହା ପାଏଁ ତା ନିଏଁ ।’

‘ନେବୁ ?’

 

‘ଜାଣେ ନାହିଁ, କ’ଣ ମୁଁ ଚାହେଁ ମୁଁ ଜାଣିବାକୁ ଚାହେଁ ନାହିଁ, ଖାଲି ଯାହା ମିଳେ ତାହା ନିଏଁ ।’

 

‘କହୁଚୁ କ’ଣ ?’

‘କିଛି ନାହିଁ ।’

‘ମୁଁ ତେବେ ଯାଏଁ ?’

 

‘ଦେଖାଯାଉ ନାହିଁ ମୂର୍ଖ, ଆପେ ଆପେ କେମିତି ମୁଁ ପଛକୁ ଝାଙ୍କି ହେଉଛି, ଆଉ କ’ଣ ଅଧିକ କହିବି ?’

 

‘ଆହୁରି ପାଖକୁ ଯାଏଁ, ଆପତ୍ତି ଅଛି କିଛି ?’

 

‘ମତେ ଡର ମାଡ଼ୁଛି, ମୋର ବି ସମାଜ ଅଛି, ସବୁ ସମାଜ ପରି ସେଠି ବି ସମସ୍ତିଙ୍କର ନିୟନ୍ତା ହେଉଛି ଭୟ ।’

 

‘ତେବେ ମୁଁ ପଛେଇ ରହେଁ ?’

 

‘ନା, ଏଇ ଭଲ, ଆମର ମନର ଉଗ୍ର ଆଗ୍ରହ ବଳେ କେବେହେଲେ ସୁଯୋଗ ଆଣିଦେବ । ଭୟ ଭିତରେ ବି ଆଶ୍ରୟ ପାଇଁ ଖୋଲ ଅଛି, ଦୀପ ତଳେ ଅନ୍ଧାର ।’

 

ଲେଞ୍ଜୁ କନ୍ଧ ଚାଳିଶି ମାର୍କା, ସୋନାଦେଈ ତାର ଅଧେ, ସେ ବିବାହିତା । ସୋନାଦେଈ ତାର ଲକ୍ଷଣ ଦେଖିଥିଲା, ବୟସ ଦେଖି ନାହିଁ । ଦୁହେଁ ଦୁହିଁଙ୍କର ଲକ୍ଷଣ ଦେଖିଥିଲେ, ସେ ବୟସର ଅବସ୍ଥାର ସବୁ ଅସାମଞ୍ଜସ୍ୟକୁ ଘୋଡ଼େଇ ପକାଇ ଥିଲା । ଲେଞ୍ଜୁ କନ୍ଧ ଭାବୁଥିଲା, ଅନର୍ଥକ ଏତେଗୁଡ଼ାଏ ଦିନ ତାର ତିନିଫୋଲିଆ (ମାହାଳିଆ) ହୋଇଗଲା, ଏଣିକି ଭୋକ ଘାରୁଚି, ତାର ଦରକାର ଭୋଗ । ସୋନାଦେଈ ଠିକ୍ ସେହି କଥା ଭାବୁଥିଲା, ବାଲ୍‍ମୁଣ୍ଡା ତାର ପୁରୁଷ ନୁହେଁ, ବାଲ୍‍ମୁଣ୍ଡା ତାର ବନ୍ଧନ; ସଂସାରର ଯେତେ ପୁରୁଷ ସମସ୍ତେ ବାଲ୍‍ମୁଣ୍ଡାଠୁଁ ଭଲ ।

 

ବାଟ ଟିକିଏ ନିଛାଟିଆ ପଡ଼ିଲା, ଲେଞ୍ଜୁ କନ୍ଧକୁ ଅଣନିଶ୍ୱାସୀ ଲାଗୁଥାଏ । ବାଟ କରରୁ ଫୁଲ ପେନ୍ଥାଏ ଛିଣ୍ଡେଇ ଥଙ୍ଗେଇ ହୋଇ ସୋନାଦେଈ ହାତକୁ ବଢ଼େଇଦେଇ କହିଲା, ‘ନେ, ଏଇଟା ପିନ୍ଧିଦେ, ସମସ୍ତେ ଫୁଲ ପିନ୍ଧି ହସି ହସି ଚାଲିଛନ୍ତି, ତୁ କାହିଁକି ଖାଲି ମୁଣ୍ଡରେ ଚାଲିଛୁ ?’

 

ସୋନାଦେଈ ଚମକି ପଡ଼ିଲା, ଟିକିଏ ହସିଦେଇ ଚାରିଆଡ଼କୁ ଅନେଇଦେଇ ଫୁଲପେନ୍ଥାଟି ହାତମୁଠାରେ ମୁଠେଇଧରି ଚାଲିଲା । କିଛିଦୂର ଗଲା, ମକଚି ହୋଇଯାଇଥିବା ଫୁଲକୁ ସେ ମୁଣ୍ଡରେ ପିନ୍ଧିଲା । ଏଥର ସେ ତରତର ଚାଲିଲା ।

 

‘କିଲୋ ଏତେ ତରବର କାହିଁକି ଚାଲିଲୁ ?’

‘ଭାରି ଡେରି ହୋଇଯାଉଛି ସାଓଁତା ।’

 

ଲେଞ୍ଜୁ କନ୍ଧ ପଛେ ପଛେ ଚାଲିଥାଏ, ସ୍ତ୍ରୀଲୋକର ମନ ସେ ବୁଝିପାରେ ନାହିଁ । ତାର ଚେତା ହେଲା, ବୃଥା ସେ ଏ ବେଶୀ ଘାଟିବାଟେ ବୁଲାଣି ବାଟେ ବାଟଭାଙ୍ଗି ଚାଲିଆସିଛି । ବନ୍ଦିକାର ବାଟେ ସଳଖ, ବନ୍ଦିକାର କେତେ ତଳେ ରହିଗଲାଣି ଡାହାଣହାତି । ପଚାରିଲା, ‘ଏ ବାଟେ କାହିଁକି ତୁମେ ଆସିଥିଲ କହ ତ ?’ସୋନାଦେଈ ବଡ଼ ସହଜଭାବେ କହିଲା, ‘ତମର ବାରିକ ଆଗରୁ କହିଥିଲା, ଏଇ ପାଖେ ଗଲେ ମଦରନ୍ଧା ଠାନ୍‌ରୁ ସେ ଟିକିଏ ମଦ ପିଇଯିବ ।’ ଲେଞ୍ଜୁ କନ୍ଧ ଭାବିଲା, ଅନର୍ଥକ ଏ ବୁଲାଣି ବାଟରେ ଉଠାଣି ବାଟରେ ସେ ଆସିଲା, ବାରିକ ମଦ ପିଇବ ବୋଲି କଷ୍ଟ ପାଇଲା ସେ । ରାଗିବ କାହା ଉପରେ, କେହି କହି ନାହିଁ ଏ ବାଟେ ଆ’ ବୋଲି । ଦିଉଡ଼ୁ ମଜାକରି ଧାଂଡୀ ଆମ୍ ଖେନ୍ଦାବାଟେ ଗଡ଼ି ପଡ଼ିଥିବ, ଆଉ ସେ- ! ଥୋଡ଼ାଏ ବାଟ ଗଲାରୁ ମଦ ଢୋଲେ ପିଇ ଆଖି ଢୁଳୁଢୁଳୁ କରି ଗୋଟାଏ କରପଟିଆ ବାଟରୁ ବାରିକ ଆସି ପହଞ୍ଚିଲା ।

 

ମଦୁଆ ପାଟିରେ ବଡ଼ ପାଟିଟା କରି କହିଲା-’ଅଛୁନା ମୁଁ ସେଇଟା ଭାବୁଥିଲି ବାଟେ ବାଟେ, ଧାଂଡୀ ଆମ୍ ଖେନ୍ଦାବାଟେ ଗଡ଼ିପଡ଼ିଲା ନା ଆସିଲା । କେମ୍‌ତି ନିଜର ଧାଂଡୀକୁ ଏକୁଟିଆ ଛାଡ଼ିଦେଇ ଯିବ ଆରବାଟେ, ଏଁ ଏଟା କାର ଧାଂଡୀ ? ମୋର ଧାଂଡୀ କି ତୋର ଧାଂଡୀ ? ମୁଁ ତ ବୁଢ଼ା ହେଲି, ମୋର୍ ଆଉ କ’ଣ । ତୁ ଧାଂଡା ଅଛୁ, ଏଇଟା ତୋର । ଆର୍ କାୟଁ (କ’ଣ), ଧାଂଡା ଲୋକର ଧାଂଡୀ ହବନାଇଁ ଆଉ କ’ଣ ବୁଢ଼ାର ହେବ । ହେଇ ସୋନାଦେଈ, ଆଉ ଜାଟି (କଜିଆ) ଲଗେଇବୁ ନାହିଁ ପଳେଇବି ବୋଲି । ନିକ (ଭଲ) ଧାଂଡା । ହେଇ ଏଣିକି ଆ, ଏଇଟା ତୋର ନିକ ଧାଂଡାଟା, ଏଇଟା ତୋର୍-’ ତାର ପାଟିରେ ପାପୁଲି ମାଡ଼ି ଦେଇ ସୋନାଦେଈ କହିଲା, ‘ହଉ ହଉ ଚାଲ୍ ଚାଲ୍’ ।

 

ପଛକୁ ଅନେଇଁଦେଲା ଲେଞ୍ଜୁ କନ୍ଧ ଆଁ’ଟାଏ କରି ହସୁଚି । ତାର ଛାତି ଦୁମ୍ ଦୁମ୍ ହେଲା, ବାରିକର ପିଠିରେ ବାହା ବୁଲେଇଦେଇ କହିଲା, ‘ଚାଲ୍ ଚାଲ୍’ । ବାରିକ ପାଟିକଲା, ‘ମତେ କାହିଁକି ଏମିତି ଧରୁଚୁ ଲୋ, ମୁଁ ବୁଢ଼ାଲୋକ, ତାକୁ ଧର୍ ଧର୍ ତାକୁ, ସେଟା ତୋର୍’-....ସୋନାଦେଈ ତାର ପାଟି ବନ୍ଦକରି ପୁଣି କହିଲା, ‘ଚାଲ୍ ଚାଲ୍ ବାଆ ଡେରି ହୋଇଯାଉଛି ।’

 

‘ଡେରି, କାୟ୍ଁ ଡେରି ? ଧାଂଡା ଧାଂଡୀ ଏକାଠି ଥିଲେ ଡେରି ସଅଳକୁ କିଏ ପଚାରେ ? କେମିତି କଥା କହୁଚୁ ଗୋ-’

 

ବାରିକ ଚହଳ ପକେଇ ପକେଇ ଚାଲିଲା, ତା’କୁ ଧରି ଧରି ଚାଲିଲା ସୋନାଦେଈ, ଲେଞ୍ଜୁ କନ୍ଧ ପଛେଇଗଲା, ଭାବିଲା ମଦ ଟିକିଏ ମିଳିଲେ ସେ ବି ପିଅନ୍ତା ।

•••

 

ଛବିଶ

 

ବାଟ, ବାଟ, ବାଟ-ପୁବୁଲି ଚାଲିଥିଲା । ମନେ ନ ଥିଲା ପୁୟୁ ଆସି ନାହିଁ, ପୁୟୁ ଯେ ତାର ଛାଇ ତାର ଅଧେ-ପୁୟୁ ଅଭିମାନ କରି ରହିଛି, ଏଇ ତାଙ୍କର ପହିଲି ବିଚ୍ଛେଦ, ପୁୟୁ ଉଦାସ ଆଖିରେ ତାର ଗଲାବାଟକୁ ଅନେଇଁ ବସିଥିବ ଦାଣ୍ଡ ପିଣ୍ଡାରେ, ଦୀର୍ଘଶ୍ୱାସ ପକୋଉଥିବ । ଘରେ କେହି ନାହିଁ, ଜିଆନାଡ଼ ପରି ପିଲା ବକଟକ ରେକୁଟୁଥିବ ମା’ର ହାଡ଼ୁଆ ଛାତି ।

 

ମନେ ନ ଥିଲା, ପୁୟୁ ତାଠୁ କଟି ପଡ଼ିଗଲା, ଏଥର ସେ ଏକୁଟିଆ ସରୁ ବାଟ ବଣେବଣେ, ତାର ସତର ବାଙ୍କ ଅଠର ପତ୍ତନ, ବାଟର ଉଚ୍ଛ୍ୱାସ ଅଙ୍କା ହୋଇ ନାହିଁ କେଉଁଠି ତାର କାହାଣୀ ଚଳନ୍ତି ବାଟୋଇ । ନୂଆ ଲୋକଙ୍କ ଚମକ, ପୁରୁଣା ଲୋକଙ୍କ ସ୍ମରଣ, ସବୁ ବାଙ୍କରେ ପ୍ରତି ପଦେ ପଦେ ନୂଆ ପୁରୁଣାକୁ ପ୍ରତୀକ୍ଷା, ପୁବୁଲି ଚାଲିଥିଲା ।

 

ପଞ୍ଝାକୁ ପଞ୍ଝା ଟୋକାମାନେ ମାଡ଼ି ଆସନ୍ତି, କୁନ୍ଦିଲା ପରି ଦେହ, କଚଟିରେ ବଳା, ଚୁଟିରେ କାନରେ ବଣଫୁଲ ଗୁନ୍ଥା ହୋଇଛି, ଭାରି ଦର୍ପରେ ଚାଲିଯାଆନ୍ତି ସେମାନେ ହାତରେ ବାଡ଼ି ବର୍ଚ୍ଛା ଉଞ୍ଚେଇ, ଖୋଲା ଦେହରେ ଆଣ୍ଠୁଯାକେ ଧୂଳି । କେହି ଖୋଜି ବସେ ନାହିଁ କ’ଣ ତାଙ୍କ ପରିଚୟ, କେବଳ ଏଇ ଚଳନ୍ତି ଛବି ଦେଖିଲେ ମନ ଭିତରେ କୁତୁ କୁତୁ ସଲ ସଲ ହୁଏ । ଧାଂଡୀ ହସନ୍ତି, ଚୁମୁଟା ଚୁମୁଟି ପେଲାପେଲି ହୋଇ ବିଞ୍ଛାଡ଼ି ହୋଇ ଯାଆନ୍ତି ବଣ ଭିତରେ । ଅନର୍ଥକ ହସ-। ଏମାନଙ୍କୁ ଦେଖିଲେ ଅକାରଣରେ ଟୋକା ପଞ୍ଝାଙ୍କର କକ୍ଷଚ୍ୟୁତି ଘଟେ, ସିଧାବାଟରୁ ଟିକିଏ ଢଳିପଡ଼ନ୍ତି ସେହି ଆଡ଼କୁ, ପାଦଟା ଟଳିଯାଏ, ସେଇଠି ଇଚ୍ଛାହୁଏ ମାନ୍ଦା ଚାଲିବାକୁ କୌଣସି ପତିଆରା ଫାନ୍ଦି । କିଏ ପଛେ ପଛେ ଚାଲିଛି, ବଙ୍କା ଗଲେ ବଙ୍କା, ସିଧା ଗଲେ ସିଧା, କିଏ ସେହିପରି ଆଗେ ଆଗେ ଚାଲିଛି ଦେଖି ଦେଖି ପୁରୁଣା ଲାଗିଲାଣି ଯେଉଁ ଧାଂଡୀ ବାଟକୁ ବାହାରିଲାଣି ବାଟ ପୂଜା ତାର ପାଉଣା ।

‘ପୁବୁଲି, ହେଇ ବନ୍ଦିକାରର ଗଦ୍‌ବା ଗୁଡ଼ା, ସେଇଠୁ ଟିକିଏ ଚଢ଼ିଗଲେ ତ-’

‘ଆଗରୁ କାହାକୁ କହି ରଖିଚୁ କି ଟିଟ ?’

‘ମୁଁ କହିଲେ କ’ଣ ସେ ରହିବ ?’

‘ପିଲାଟି ଭାରି ଭଲ, ନୁହେଁ ଲୋ ?’

‘ଭାରି ଭଲ, ପୁଲାମେଁ ! କେବେ ବାଛିଲୁ ଲୋ ? ଆଜି କ’ଣ ବାଟରୁ ଉଦୁଳିଆ ପଳେଇବୁ ବୋଲି ଆସିଲୁ କିଲୋ ?’

‘ମୁଁ ପଳାଏଁ ଆଉ ତୁ କାନ୍ଦି କାନ୍ଦି ମରୁଥାଆ, ନା କ’ଣ ?’

‘ତୋ ସୁଖେ ତୁ ଯିବୁ, ମୋର କାନ୍ଦଣା କାହିଁକି ?’

‘କାନ୍ଦିବୁ ନାହିଁ ? ଦେଖ ତୋ ଆଖି-’ ହସର ଧୁମ୍ । ବାଟ ଗୋଟା ଗୋଟା ଏତେଲୋକ, ସବୁ ଗୋଳିଆଗୋଳି ହୋଇ ଗୋଟାଏ ଚଳନ୍ତି ଦୃଶ୍ୟ, ମଣିଷ ମଣିଷ ନୁହେଁ ଯେ ମଣିଷ ଜାତି, ପୁରୁଣା ଆଉ ଘଷରା ଛବି ।

କରପଟିଆ ହୋଇ ଗଦବା-ଗୁଡ଼ା ପଳେଇ ଲାଗିଛି, ସେଠି ଗଦବା ଜାତିର ଲୋକ ରହନ୍ତି, ସେମାନେ ହିକୋକା ହାର୍ଗୁଣା ରଇତ ।

 

ଗଦବା ଓ ତାଙ୍କର ସାନ ଅଂଶ ପାରେଙ୍ଗା ଗୋଟିଏ ବିଶିଷ୍ଟ ଜାତି, ଗୁଣୁପୁର ପାରଳାର ସଓରାଙ୍କୁ ଧରି ମୁଣ୍ଡା ମୁଣ୍ଡାରି ଜାତିମାନଙ୍କୁ ମିଶେଇ ବଙ୍ଗ ପ୍ରଦେଶ ଓ ଆସାମ ବାଟେ ବାଟେ ସେମାନେ ସୂଚାଇ ଦିଅନ୍ତି ପ୍ରାଚୀନ ଚୀନା ରକ୍ତର ଗାର, ଭାରତର ମାଟି ପରେ ଗଦବାର ଚେହେରା ସେହିପରି, ତାର ଭାଷା ସେହିପରି, ତାର ଚରିତ୍ର-ସ୍ୱାଧୀନତା-ପ୍ରିୟ, ନିର୍ଭୀକ, ଅଇଁଗୁଣିଆଁ, ଭାଗ୍ୟବାଦୀ, ରକ୍ଷଣଶୀଳ, ଅତିଶୟ ଗୁଣିଗାରଡ଼ିପ୍ରିୟ-

 

କନ୍ଧ ଗଦବାକୁ କହେ କଦ୍‌ମାଂ, ଗଦବା ନିଜ ଭାଷାରେ ନିଜକୁ କହେ ଗୁତବ୍ । ପାଖକୁ ପାଖ ରହି ଏକା ଗାଁରେ ଘର କରି କନ୍ଧ ଗଦବାର ବୋଲି ବୁଝେ ନାହିଁ, ଗଦବା କନ୍ଧର ବୋଲି ବୁଝେ ନାହିଁ । କେହି କାହାକୁ ଉଧାର ଦେବାକୁ ଖୋଜେ ନାହିଁ । ସମସ୍ତେ ନିଜ ନିଜ ଛୋଟିଆ ଗୋଷ୍ଠୀର ସ୍ୱତନ୍ତ୍ରତା ବଜାୟ ରଖିବାକୁ ବ୍ୟସ୍ତ ।

 

ଏଇ ଗଦବାଗୁଡ଼ାରେ କୂଅ ପରି ଗାଡ଼ୁଆ ଖାଲ ଭିତରେ ବସ୍ତି ବସିଛି । ଦେଉଳ ପରି ଗୋଜିଆ ଗୋଜିଆ ଘର, ଗୋଲେଇ ହୋଇ ପିରି ଘାସ ଛୁଆଣି । ବସ୍ତି ଚାରିପାଖେ ତଳୁ ଉପରକୁ ପାଚିରି ଉଠିଛି, ଗଛ ବଢ଼ିଛି, ଖୋଲା ଖଣି ପରି ବସ୍ତି, ବିଚିତ୍ର । ଏହାପରେ ଅଳ୍ପ ଢାଲୁଢାଲୁଆ ଖୋଲା କ୍ଷେତ, ସେଠି ମକ୍‌କା ଫସଲ ହୁଏ, ହରଡ଼ ହୁଏ, ତେଣିକି କନ୍ଧବସ୍ତି, ବଡ଼ଗାଁ ବନ୍ଦିକାର ।

 

ଗଦବାଗୁଡ଼ାର ଭିତରଟା ବି ଦିଶୁଥାଏ । ମଣିଷ ବେଶୀ ନାହାନ୍ତି ଖାଲି ଘୁଷୁରି, କୁକୁଡ଼ା, କୁକୁର । ଟିକିଏ ବେଳ ଗଡ଼ିଲେ ଦେଶୀଆ ଗାଁରେ କେହି ନ ଥାନ୍ତି, ତହିଁରେ ପୁଣି ଆଜି ହାଟର ଦିନ-

 

ହାର୍ଗୁଣାର ଗାଁ ଲୋକେ ହାଟକୁ ଯିବେଣି, ଖରା ପଡ଼ିଲାଣି, ବନ୍ଦିକାର ସେପାଖେ ଖଣ୍ଡେ ଭଲ ତୋଟା ଅଛି, ତା ସେପାଖେ ପାଣି, ବାଟର ଖିଆପିଆ ସେଇଠି ହେବ ଠିକ୍ ହେଲା ।

 

ବନ୍ଦିକାର ଗାଁ ଭିତରେ ପଶିଲାବେଳକୁ ଗାଁ ଲୋକେ ନ ଥା’ନ୍ତି, କେବଳ ବୁଢ଼ୀମାନେ ସାନ ପିଲାମାନେ, ଗାଁ ମୁହଁରୁ ବାଟ ପାଛୋଟା ଗୀତ ନାହିଁ କି ଛଳ ଛଳ ହସ ନାହିଁ । ଘରର ତାଟିରେ ଦଉଡ଼ି ବନ୍ଧା ହୋଇଛି, ଦୁଆର ମୁହଁରେ କୁକୁରମାନେ ଜଗି ପଡ଼ିଛନ୍ତି ।

 

‘ଏଇ ଘରେ ତତେ ଭଲ ମାନିବ ପୁବୁଲି, ଦେଖିଲୁ କବାଟରେ କେଡ଼େ ସୁନ୍ଦର ଚିତ୍ର ହୋଇଛି, କେଡ଼େ ପାଲିସ୍ ପିଣ୍ଡା-’

 

‘ତୁ ଘୋଳି ହେଲୁଣି ତୁ ରହ ଲୋ ଟିଟ, ମୋର ତ ଗୋଡ଼ ଥକ୍‌କି ନାହିଁ ।’ ହସି ହସି ପଶି ଚାଲିଗଲେ ।

 

ବାହାରେ ହସି ଉଡ଼େଇଦେଲେ ବି ଭିତରେ ଭିତରେ ପୁବୁଲି ଦବିଗଲା । ଏମାନେ ଏତେପ୍ରକାର ଟାହି ଟାପରା କରନ୍ତି ମିଛରେ, କେଉଁ ପିଲାଦିନର କଥା ସେ, ଆଖି ଫିଟି ନ ଥିଲା ଦିନର କାହାଣୀ, ବୁଢ଼ାବୁଢ଼ୀମାନେ ମନ କରିଥିଲେ ବନ୍ଦିକାର ମିଣିଆପାୟୁ ଏକାଠି ବନ୍ଧାହେବ, ପୁବୁଲି ହାର୍ଗୁଣାକୁ ବିଭା ହେବ । ପିଲାଙ୍କ ଖେଳରେ ବୁଢ଼ାବୁଢ଼ୀମାନେ ହାତ ଲଗାନ୍ତି, ମିଛିମିଛିକିଆ ବାହାଘର ଠିକଣା କରି ଖୁସି ହୁଅନ୍ତି ତାଙ୍କ ନିଜର ବିଭାଘର ଆଉ ହେବ ନାହିଁ ବୋଲି । କଣ୍ଢେଇ ବାହାଘରର ସ୍ୱପ୍ନ ଦେଖିଲେ ଆପଣାର ଶୁଖିଲା ହାଡ଼ୁଆ ଦେହ ଭିତରେ କଳ୍ପନାର ଝରଣା ଡିଆଁମାରେ, ହଜିଲା ଅତୀତର କାଠଖୁଣ୍ଟ ଡିମାରଚିହ୍ନଟ ମିଳେଇ ମିଳେଇ ପୁଣି ନୂଆ ହୋଇ ମନେପଡ଼େ ସବୁକଥା । ବୁଢ଼ାବୁଢ଼ୀଙ୍କ କଉତୁକ ସେ, କନ୍ଧ ଯୁବତୀ ତାକୁ ମୁଣ୍ଡରେ ମୁଣ୍ଡେଇବାକୁ ବାଧ୍ୟ ନୁହେଁ ।

 

ହାର୍ଗୁଣାର କଥା-କେତେ ତଳେ ରହିଲାଣି ସେ, ତା’ ଉପରେ ସହସ୍ରେ ତାଳି ।

 

ତଥାପି ପୁବୁଲି ଦବିଗଲା । ହାତରେ ଗ୍ରହଣ ନ କଲେ ବି ସେ ଆଖିରେ ଦେଖିବାକୁ ଚାହେ । ଗ୍ରହଣ ନ କରିବ ବୋଲି ସେ କିଛି ପ୍ରତିଜ୍ଞା କି ଶପଥ କରି ନାହିଁ । ହାଟୁଆ ବାଟର ମଜା ଅଧେ ଏତିକି-କିଣିଲେ ବି ଦରଦାମ ଭାଉ ମୂଲ ଦେଖା ପରଖାର ମଉଜ ।

 

ହାର୍ଗୁଣା ନାହିଁ, ଗାଁର ଟୋକାଏ ନାହାନ୍ତି । ଏଣିକି ଖରା ବଢ଼ିଲାଣି, କାହିଁ ଡୁମ୍ବାଗୁଡ଼ା । କଅଁଳ ପତ୍ରରୁ ଛିରିକି ପଡ଼ି ପଥୁରିଆ ମାଟିରୁ ଛିରିକି ପଡ଼ି ଖରା ଆଖି ଝଲସେଇ ଦେଉଛି ।

 

କ୍ଳାନ୍ତି । ତୋଟାତଳେ ଗୋଡ଼ ଲମ୍ବେଇଦେଇ ବସିପଡ଼ି ପୁବୁଲି କହିଲା, ‘ଏଇଠି ଭଲଜାଗା, ଏଥର ଖିଆପିଆ ।’

•••

 

ସତେଇଶ

 

ଖରାଏ ତରାଏ ଚାଲି ଆସିଛନ୍ତି ମଣିଷ, କେତେଦୂରରୁ । କାହିଁ କେଉଁଠି ପୃଥିବୀର ଫାଟରେ କୁଞ୍ଚରେ ଛପିଛପିକା ତାଙ୍କର ବସତି । ଦି’ଗୋଡ଼ିଆ ସିଧା ଠିଆଜନ୍ତୁ, ଦେହର ଭାରା ପୃଥିବୀରେ, ମୁଣ୍ଡ ଆକାଶରେ, ଗୋଟି ଗୋଟିକିଆ, ସେମାନେ କିଛି ନୁହଁନ୍ତି, ସାନ ପଥର ଖଣ୍ଡିକୁ ଅଣ୍ଟାର ଜୋର୍ ନାହିଁ, ପିରି ଘାସର ବୁଦାଠୁ ବିସ୍ତୃତିରେ ହୀନ, ହାଡ଼ ଚାରିଖଣ୍ଡି, ସେଥିରେ ମାଉଁସ ପୁଳିଏ ପୁଳିଏ, କେଡ଼େ ସାନ । ତାଙ୍କର ସବୁ ଜୋର୍ ଏକାଠି ହେଲା ପରେ, ସେତିକିବେଳେ ସେମାନେ ଆଖିଦୁରଶା ହୁଅନ୍ତି, ମେଣ୍ଟବାନ୍ଧି ନାଟ କରନ୍ତି, ପାଟି କରନ୍ତି ଅଥବା କଜିଆ କରନ୍ତି ।

 

ବଣ ଭିତରେ କେଉଁଠି ତାଙ୍କର ଗାଁ ତାହା ବାରିହୁଏ ନାହିଁ, ପର୍ବତ ସନ୍ଧିରେ କେଉଁଠି ଦି’ଜଣ ଚାରିଜଣ ଏକାଠି ହୁଅନ୍ତି, ଚାରିଆଡ଼େ ଖାଲି ଭୂଇଁ, ପଦା ଜଙ୍ଗଲ କ୍ଷେତ ଆଉ ପଥର-।

 

ଏକାଠି ହେଲେ, ଲାଗେ ତାଙ୍କର କାରସାଦି, ସଭା ପଙ୍ଗତ ଯୁଦ୍ଧ ଆଉ ପୋଡ଼ୁତାଷ, ମଣିଷ ସାଲୁସାଲୁ ବାଲିଜନ୍ଦା ପରି । ସହର ବସେ, ପର୍ବତ ଫାଟେ, ନଈ ବନ୍ଧାହୁଏ, ସବୁ ମଣିଷଦଳର ହାତର କରାମତି । ଘଟନାକୁ ତିଆରି କରନ୍ତି ଦଳ ଅଥବା ଗଣ, ଯାହାହେଉ ତାଙ୍କର ନାଁ, ଏକ ନୁହେଁ ବହୁ । ଏଇ ବାଲିଜନ୍ଦା ପଲଙ୍କର ଗତି ଆଉ ବିରତିରେ ଇତିହାସର ଯୁଗ । ପାଣି ବୋହିଗଲା, ଭାସିଗଲେ ପଲ ପଲ ହୋଇ । ନିଆଁ ଗଦା ହେଲା, ମଲେ ଥୋଡ଼ାଏ ଛଟପଟ ହୋଇ-। ଜାଗା ଖାଲି ହେଲା । ପୁଣି ଲାଗିଗଲେ ମେଞ୍ଚାଏ, ବଣ ସଫା ହେଲା, ଚହଟିଗଲା ଧୋବ ଧାଉଳିଆ କୋଠା, ପଥର ଉପରେ ପଥର ହୋଇ ଉଠି ଉଠିକା ଚାଲିଲା ଆକାଶକୁ ମନ୍ଦିର । ଆପଣାର ହାତ ହତିଆର ଗନ୍ଧମାଦନ ତଳେ ଆଉ ଆଖପାଖରେ ପଡ଼ି ରହିଥାଏ ଏମାନଙ୍କର ଖଣ୍ଡଖଣ୍ଡ ହାଡ଼, କେହି ପଚାରେ ନାହିଁ । ୟାଙ୍କରି ଭିତରୁ ହାତ ହତିଆର ଧରି ଘୋଡ଼ାଚଢ଼ି ବସେ ଜଣେ, ସେ କମେଇଁ ନ ଥିଲା ଖାଲି ଖାଇଥିଲା, ସେ ଦେଇ ନ ଥିଲା ଖାଲି ନେଇଥିଲା, ସେ ପରଙ୍କ ପାଇଁ ନ୍ୟାୟ ବିଚାରର ଶୃଙ୍ଖଳା ଗଢ଼ି ସେଥିରେ ତାଙ୍କୁ ବାନ୍ଧିଥିଲା, ଆପେ ବାନ୍ଧିହୋଇ ନ ଥିଲା । ତାହାରି ନାଁରେ ସମସ୍ତିଙ୍କର ଗାଁ, ନାଲିଆଖି ଦେଖାଇ ଲୁଟିପିଟି ଛାତି ଫୁଲେଇ ଗଦି ଅଥବା ଗାଦି ଉପରେ ବସି ସେ ଚିତ୍କାର କରେ-‘ବୀରଭୋଗ୍ୟା ବସୁନ୍ଧରା, ମୁଁ ବୀର, ମତେ ପୂଜା କର ।’

 

ଜଣେ ମାତ୍ର ସେ, ସେହିପରି ଗୋଟାଏ ଦରଖଣ୍ଡିଆ ସିଧାଗୋଡ଼ିଆ ସାନ ଜନ୍ତୁ ।

 

ମେଞ୍ଚି ମେଞ୍ଚି ମଣିଷପଲଙ୍କର ନିଶ୍ୱାସର ପବନରେ ସେ ଉଡ଼ିଯାଇପାରେ, ଖରାଦିନର ଝାଳ ଆଉ ଶୀତଦିନର ପରିସ୍ରା ପାଣିରେ ତାର ଜଳସମାଧି ହୋଇପାରେ, ସାଲୁ ସାଲୁ ଲୋକଙ୍କ ଗୋଇଠି ତଳେ ଚକଟି ହୋଇ ଗୁଣ୍ଡା ହୋଇ ସେ ମାଟିରେ ମିଶିପାରେ ଆଖି ପିଛୁଳାକେ । କିନ୍ତୁ ତାର କିଛି ହୁଏ ନାହିଁ, ସେ ଘୋଡ଼ା ଚଢ଼େ, ଆଉ ଅଡ଼ାଏ ।

 

ତାର କିଛି ହୁଏ ନାହିଁ, କାରଣ ଆଦିମ ରାତିର ଅନ୍ଧାର ଏ ପର୍ଯ୍ୟନ୍ତ ପୃଥିବୀରୁ କଟି ନାହିଁ, ଯେଉଁ ଅନ୍ଧାର କନ୍ଧ ଦିସାରି କହେ ପୃଥିବୀକୁ ସେତେବେଳେ ଢାଙ୍କି ରଖିଥିଲା । ରାତି କଟି ନ ଥାଏ ଯେଉଁଠି, ସେଠି ସେ ରାତିର ପିଶାଚ ହୋଇ ଆସେ, ମୁର୍ଦ୍ଦାରଙ୍କୁ ଠିଆ କରେ, ଶୋଇଲା ଲୋକକୁ ଚଲାଏ, ନଚାଏ, ତାର ଅବସ୍ଥିତି ଆଉ ଆବିର୍ଭାବ ସେହି ଆଦିମ ରାତିର ଆଦିମ ଅସଭ୍ୟତାର ଅବସ୍ଥିତିର ପରିଚୟ ।

 

ଏଇ ଡୁମ୍ବାଗୁଡ଼ା ହାଟ । କୋରାପୁଟ ଜିଲ୍ଲାର ଉତ୍ତର ଶାର ଆଉ କଳାହାଣ୍ଡି ରାଜ୍ୟର ଦକ୍ଷିଣ ସୀମା ସରିହାଦୁରେ । ଏପାଖ ସେ ପାଖର ପ୍ରାକୃତିକ ସୀମା ପରି ଏଠି ଦୁଇ ପାଖକୁ ପାହାଡ଼ ଛାଡ଼ି ଯାଇଛି । ମଝିରେ ଉପତ୍ୟକା । ଏ ପାଖରେ ଲମ୍ବ ହୋଇ ପାହାଡ଼ର ଧାଡ଼ି ଲାଗିଛି ପନ୍ଦର କୋଶ, ପୂର୍ବରୁ ପଶ୍ଚିମ, କସାକେନ୍ଧୁଠୁ, ଭିତର ବାଗ୍ରିଠୁ ଗିର୍ଲିଗୁମ୍ମା କାଟ୍ରଗଡ଼ା ପର୍ଯ୍ୟନ୍ତ, ବିଶାଳ ପର୍ବତ, ତା’ ଉପରେ ପ୍ରାନ୍ତର, ସେପାଖେ କଳାହାଣ୍ଡିର ବାଉଁଶବଣ ବୋଝେଇ ସାନ ସାନ ପର୍ବତର ଢେଉ ।

 

ଡୁମ୍ବାଗୁଡ଼ା ହାଟ କୋରାପୁଟ ଜିଲ୍ଲାରେ ଗୋଟିଏ ବଡ଼ ହାଟ ।

 

ଏଠୁ ନାଲି ସଡ଼କ ଖୁବ୍ ଅଳ୍ପରେ ପନ୍ଦର କୋଟା । ବୋଝଭାର ଲଦି ଲୋକ ଚାଲିଥା’ନ୍ତି-। କଞ୍ଚା ଗୋରୁଛାଲ, ମଇଁଷିଛାଲ ଭାର ଭାର । ଛେଳି ପରି ମଢ଼ିଆ ମଢ଼ିଆ ସାନ ସାନ କଳାହାଣ୍ଡିଆ ବଳଦ । ବୋଝ ବୋଝ ଦେଶୀ ଲୁହାର କୋଡ଼ି କାଙ୍କ, ଲଙ୍ଗଳ ଫାଳ । ଗୋଦ୍ରିଗାଁର ପ୍ରସିଦ୍ଧ କମ୍‌ହାରଙ୍କ (ଓଡ଼ିଆ ନଳୀ ବନ୍ଧୁକ), ବର୍ଚ୍ଛା, ଛୁରା । ରଙ୍ଗମାଟିର ହାଣ୍ଡିକୁଣ୍ଢେଇ, ଚିତ୍ର ବିଚିତ୍ର ମାଠିଆ, ଫୁଲଛାଞ୍ଚୁଣୀ କେତେ କ’ଣ ।

 

ସବୁଠୁ ବେଶୀ,-ଫସଲ ।

 

ସାନ ସାନ ହାଡ଼ ଚମର ଘୋଡ଼ା ପିଠିରେ ଚଢ଼ି ଆସିଥା’ନ୍ତି ଅତିକାୟ ସାହୁକାର, ନିଶୁଆ, କୁଣ୍ଡଳିଆ ପେଟୁଆ । ଜବରଦସ୍ତ ସାହୁକାର । କେତେ ବିଶୋଇ (ଶୁଣ୍ଢି) । କେତେ ତେଲୁଗୁ-। ମୋପନ୍ନା ପା’ପନ୍ନା । ଗମ୍ପା ଗଧବନା, ଅଣ୍ଡାଭରପୁ ଡାଲିସେଠି ଡୋ’ଗିଲା ଅପ୍‌ଲିସ୍ୱାଁୟାଁ ପେଣ୍ଟୟା, ଏଙ୍କାୟାଁ, ସାତାୟା, ଚଲ୍‌ପତ ରାଓ, ଜଗ୍‌ନାଧ୍ ରାଓ, ରାମା ରାଓ, ଗୁମ୍ପୁସ୍ୱାମୀ, ନାରଣ ମୂର୍ତ୍ତି ।

 

ଏମାନେ ସାହୁକାର । ୟାଙ୍କ ଜାତିରେ ୟାଙ୍କ ଦେଶରେ ବି ଚାଷୀ ମଜୁରିଆ ବେଶୀ । ଦରିଦ୍ର ବେଶୀ । କିନ୍ତୁ ଏମାନେ ସାହୁକାର । ଶଗଡ଼ ଆସିଛି, ବାଟରେ ଅଛି । ଟଙ୍କାଥଳୀ ଆସିଛି । ମାପିବାକୁ ‘ମାଣ’ ଆସିଛି, ପୋଡ଼ି ଆସିଛି । ବଡ଼ ମାଣ, ସାନ ମାଣ, ବଡ଼ ପୋଡ଼ି ସାନ ପୋଡ଼ି । କିଣିଲାବେଳକୁ ବଡ଼ଟିରେ, ବିକିଲାବେଳକୁ ସାନଟାରେ । ବରଗଛ ମୂଳେ ପର୍ବତ ପ୍ରମାଣ କଳା ମିଶ୍ ମିଶ୍ ଗେଣ୍ଡୁମଞ୍ଜି ପରି ଅଳସି ଗଦା ହୋଇ ରହିଛି, ପଡ଼ି ରହିଛି ମାଣ୍ଡିଆ, ଧାନ, ହଳଦୀ, କାନ୍ଦୁଲ, ରାଶି, ଜଡ଼ା, କନ୍ଧିଆ ଭାଇର ସର୍ବସ୍ୱ । ନିର୍ବୋଧ ଦେଶିଆପଲ ସିଝା କନ୍ଦମୂଳ ବଜାରରେ ବ୍ୟସ୍ତ । ରଙ୍ଗ କରିଆ କାଚମାଳି ଦୋକାନରେ ଭିଡ଼ ଲାଗିଛି । ଶସ୍ତାରେ ସୁଲଭରେ ମାଲ୍ ନେଇଯିବାକୁ ପଥଶ୍ରମ କରି ହଡ଼ା ଘୋଡ଼ା ଉପରେ ସବାର ହୋଇ ସାହୁକାର ଆସିଛନ୍ତି । ବୋହି ନେଇଯିବେ ଏକା କ୍ଷେପାକେ ଦୁଲଭ ଶୁଣ୍ଢି ଘରକୁ; ଚମ୍ପିଆ ଶୁଣ୍ଢି ଘରକୁ, ସେଠୁ ସବୁ ଚାଲିଯିବ ଶୀଙ୍ଗିସେଠି ଗୋଦାମକୁ କି ଚିଟିବାକୁ ଗୋଦାମକୁ, ତା’ପରେ ଆଲୋକକୁ । ଫସଲ ଯିବ । ଆସିଯିବ କିଛି ଟଙ୍କା । ଦେଶୀଆ ସେତକ ବାଉଁଶ ନଳୀରେ ପୂରେଇ ମାଟି ଭିତରେ ପୋତି ଦେଇଥିବ । ଦେଖୁ ଦେଖୁ ସେହି ସାହୁକାରର ସୁଧ ଗଣୁ ଗଣୁ ଶିସ୍ତୁ (ଖଜଣା) ଦେଉ ଦେଉ ସେତକ ବି କୁଆଡ଼େ ଉଡ଼ିଯିବ, ତା’ପରେ ଠ ଠା ଠି, ନଖରେ ଆଞ୍ଚୁଡ଼ି, ଶାବଳରେ ତାଡ଼ି ପର୍ବତ ଉପରେ ପଥର ସନ୍ଧିରେ ଆହୁରି ତାଷ ଆଉ ରାତିରେ ମଦପିଆ, ନାଚ; ଡୁଙ୍ଗୁଡୁଙ୍ଗା ବାଜା, ବଇଁଶୀ । ହାଟକୁ ପଶିବା ବାଟରେ ହାଟ କଣ୍ଟ୍ରାକ୍‌ଟରର ଲୋକ ପାନୁ (ହାଟ ଟିକସ୍‍) ଅସୁଲ କରୁଛନ୍ତି । ମୁଣ୍ଡରୁ ପସରା ଟଣା ଓଟରା, ହାତ ମୋଡ଼ାମୋଡ଼ି । କିଏ ବାଉଁଶିଆଏ କରଡ଼ି ଘେନି ଆସିଛି, ପକା ଦି ପଇସା । ଫାରାଷ୍ଟି ଗାର୍ଡ ବଣଦ୍ରବ୍ୟକୁ ଟିକସ ଅସୁଲ କରୁଛି । ନାଲି ପଗଡ଼ିଆ ଜଣେ ଦିଜଣ ଟହଲ ମାରୁଛନ୍ତି ଛାତି ଫୁଲେଇ । ହାତରେ ସାନ ସାନ ବାଡ଼ି । କାଲି କିଏ ଥିଲା ଦେଶୀଆ; ଆଜି ତାର ନାଲିଆ ମୁଣ୍ଡ । ଲୋକେ ଦେଖି ବାଟ ଛାଡ଼ୁଛନ୍ତି; ଗହଳି ଆପେ ଚହଳି ଯାଉଛି ତାର ଆଗକୁ ପଛକୁ । ପାଖେ ସାହୁକାର ଦଳ ବସିଛନ୍ତି । ସାମ୍ନାରେ ଖଣ୍ଡେ ଖଣ୍ଡେ କାଠବାକ୍‌ସ । ଫସଲ ମାପ ଲାଗିଛି । ମୁଣ୍ଡରେ ଠେକା, ତୁଣ୍ଡରେ କାଳିଆ କାଳିଆ ଆଇଁଷିଣିଆ ଗନ୍ଧ ଲମ୍ବ ଲମ୍ବ ପିକା (ସୁଠା), କାନରେ କୁଣ୍ଡଳ; ହାତରେ ପିଟା ସୁନାବାଲା । ଚେକା ଚଉଧୁରୀ ସାହୁକାର ।

 

ପଛଆଡ଼ୁ ଛାଲ ବଜାରର ସଢ଼ା ପୋଚକା ଗନ୍ଧ । ଗୋରୁ ବଜାରର ଗୋରୁ ଗନ୍ଧ, ଘୋ ଘା ‘ଭଲ ଅସର୍ (ଦାମୁଡ଼ି), ଏମିତି ଦିଶୁଛି ସିନା, ହେଇ ଦେଖ ତାର ଦାନ୍ତ, ଦଶଟଙ୍କା ନ ହେଲେ ନ ଦିଏଁ ।’ ଏଠି ସେଠି ଶୁଖିଲା ପୋକ ପରି କାଳିଆ କାଳିଆ ଶୁଖୁଆ, ମାଛି ବେଢ଼ିଛନ୍ତି, ଅସଂଖ୍ୟ ପସରା । ପୋଚକା ଘୋଳଦହି, ଲାଉତୁମ୍ବା ବୁଡ଼ି ରହିଛି, ପୁଳିଏ ପୁଳିଏ ନାଲି ଲୁଣ । ଧୂଆଁପତ୍ର, ଲଙ୍କା, ହଳଦୀ । ବଣର କନ୍ଦାମୂଳ । ରାଶି ପିଡ଼ିଆର ମୁଆଁ, ସୁଆଁର ମୁଆଁ, ମୁଢ଼ି ମୁଆଁ ବହୁତ । ଲୋକ ଚାଲିଛନ୍ତି ଧକ୍‌କାଧକ୍‌କି, ଘଷା ଘଷି, ଧାଡ଼ି ଧାଡ଼ିକା ବଜାର ସନ୍ଧିରେ । ବାଗ୍ରିଗାଁ, ଚେମାଗାଁ, କେଲାର୍‌ଗାଁର କୁଷ୍ଠରୋଗୀ ଗଉଡ଼ ଆଉ ଦୂରର ବରିଗିମୁଠାର କୁଷ୍ଠରୋଗୀ କନ୍ଧ । କସ୍‌ପାଓ୍ୱାଲ୍‌ସା କୁମୁଡ଼ାଗୁଡ଼ାଅଞ୍ଚଳର ‘ୟଜ୍’ ରୋଗୀ କନ୍ଧ, ଗାଲରେ ପିଠିରେ ଯେଉଁଠି ସେଠି ଅରାଏ ଅରାଏ ଥାଳି ଥାଳିଆ ଆକାରରେ ଘା, ସାନ ସାନ କଳାପୋତକ ବେଢ଼ିଛନ୍ତି । ଏହିମାନଙ୍କ ସଙ୍ଗେ ଘଷାଘଷି ହୋଇ ଚାଲିଛନ୍ତି ସୁସ୍ଥ ଲୋକେ । ଚିକ୍‍କଣ ଚାକ୍‌କଣ ଛନଛନିଆ ଫୁଲପିନ୍ଧା ବେଶ ପକେଇଥିବା ଧାଂଡାଧାଂଡୀ । ମାଛି ଆଉ ଧୂଳି, ଗୁଡ଼ ହାଣ୍ଡି, ପିଠା । ଯେ ବସିଛି ତାର ପାଟି ବୁଲୁଛି । ମୁଆଁଟିଏ, ସିଝା କନ୍ଦା ଖଣ୍ଡେ କି ଫଳଟାଏ । ଅଧିକାଂଶ ପସରା ସାନ ସାନ, ତଥାପି କାନ ଅତରା ପଡ଼ୁଛି ।

 

ଅସଂଖ୍ୟ ଲୋକ । ଅସଂଖ୍ୟ ପର୍ବତିଆ ବୋଲି । କିଏ ଘୋଳିହୋଇ ଆମ୍ବଗଛ ମୂଳେ ବସିଲାଣି, ପୁଣି ଘେରାଏ ହାଟ ଭିତରକୁ ଯିବାପାଇଁ ପ୍ରସ୍ତୁତ ହେଉଛି । କିଏ କରଛଡ଼ା ଦେଇ ପଞ୍ଝାଗମତ ଲଗେଇ ଗପି ବସିଛି । ଜାତି ଜାତିକା ବଣଦେଶର କୁକୁର ବାଟେ ବାଟେ, ସାନ ରୁମା ଲମ୍ବ ଲାଞ୍ଜ ‘ବିରାଡ଼ି’ କୁକୁର, ବଡ଼ ବଡ଼ ଆଖି । ଭାଲୁପରି ରୁମ ବଡ଼ ବଡ଼ ଛାଞ୍ଚୁଣୀ ପରି ଲାଞ୍ଜ, କନ୍ଧଘର କୁକୁର । ଏମାନେ ବି ଗୋଡ଼େଇ ଆସିଛନ୍ତି କେତେଦୂରରୁ ହାଟ ଦେଖିବେ ବୋଲି । ଭଲ କୁକୁର, ଘାଉଡ଼ା କୁକୁର, ଧେଡ଼ କୁକୁର । ଗୋରୁ, ମଇଁଷି, ମଣିଷ । ଗୋବର, ଛେଲି, ଚୋପା, ଧୂଳି-। ରାଉ ରାଉ ଗର୍ଜନ । ରଙ୍ଗ ରଙ୍ଗର ଦୃଶ୍ୟ ଆଉ ଶବ୍ଦ ।

 

ଏଇ ହାଟ, ମଣିଷର ପୃଷ୍ଠପଟ । ଏତିକି କାଟିଦେଲେ ଲେଞ୍ଜୁ ଦିଉଡ଼ୁ ପୁବୁଲି ପୁଲ୍‌ମେଁ କାହାରିକୁ ବୁଝିବା ଅସମ୍ଭବ । ଏଇ ଗୋଳମାଳିଆ ଦିଲ୍‌ଖୁସିଆ ଦାୟିତ୍ୱହୀନ ଘରକରଣା ମଣିଷ ସମାଜର ମୂଳଦୁଆ । ସେ ଯୁଆଡ଼େ ଇଚ୍ଛା ସିଆଡ଼େ ମାଡ଼ିଯିବାକୁ ଚାହେଁ । ଯେଉଁଠି ଇଚ୍ଛା ସେଠି ଛେପ ପକେଇବାକୁ ଚାହେଁ । ଲୁଚାଚୋରା ନାହିଁ, ଶଙ୍କା ଦକ ନାହିଁ । ହେଇ ସେଠି ସ୍ତ୍ରୀଲୋକଗୁଡ଼ିଏ ଗଛମୂଳେ ଠିଆ ହୋଇଛନ୍ତି । ମୁଣ୍ଡ ଉପରେ ବୋଝ, ବସି ମୂତିବା ତାଙ୍କର ଅଭ୍ୟାସ ନାହିଁ । ଆଉ ଠାଏ ଶରଧା କରୁ କରୁ ଧାଂଡାଧାଂଡୀ ସାମାନ୍ୟ ଟିକିଏ ଧରାଧରି ହେଉଛନ୍ତି । ହାଟ ଭିତରେ ପରପୁରୁଷ ପାଖେ ଦେହକୁ ଦେହ ଲଗାଇ ଅଗଣିତ ସ୍ତ୍ରୀ ବସି ରହିଛନ୍ତି । ଦେହକୁ ନିଘା ନାହିଁ, ମନ ଆନନ୍ଦରେ ମା’ଠୁ ରେକ୍‌ଟି ରେକ୍‌ଟି ଛୁଆ ଦୁଧ ଖାଉଛି । ବିକାର ନାହିଁ କି ବନ୍ଧନ ନାହିଁ; ଛନ୍ଦହୀନ ଚିତ୍ରବହୁଳତା ହିଁ ଏ ଦେଶର ଛନ୍ଦ ।

 

ବେଳ ନଇଁ ନ ଯାଉଣୁ ପାଟି କରି କରି ହାଟ ଭିତରୁ ଲୋକ ଧାର ଧାର ଛୁଟିଲେ । ଆଜିର ଅନୁଭୂତି ଏତିକି । ଦେଖାଚାହାଁ ସରିଛି । କିଏ ପନ୍ଦର କୋଶ ଦୂରରୁ ଆସିଥିଲା ପଇସାଟିକର ଧୂଆଁପତ୍ର କିଣିବ ବୋଲି, କିଣିଛି । ଦଶକୋଶ ଦୂରରୁ କିଏ ଆସିଥିଲା ଆପଣା ବାରିର ବାଇଗଣ ଚାରୋଟି ବିକିବ ବୋଲି, ବିକିଛି । ନୂଆ ଛେଳିଟିଏ କାନ୍ଧରେ ବୋହି ନେଉଛି କିଏ, ମନ ଆନନ୍ଦରେ ନାଚି ନାଚି ଯାଉଛି । ପୁଣି ପଟୁଆର, କାହାର କାନ୍ଧର ବାହୁଙ୍ଗିରୁ ଓହଳିଛି ଏପାଖେ ଟୋକେଇରେ ଗୋଟିଏ ସାନ ପିଲା, ସେପାଖେ ଖାଲି ଖଣ୍ଡେ ପଥର, ବୋଝ ସମାନ ହେବ ବୋଲି । ହୋ ହା ଘୋ ଘା, ହାଟ ଭାଙ୍ଗିଲା, ଡଙ୍ଗ୍‌ରିଆ (ପର୍ବତିଆ) ହାଟ, ଆଖ ପାଖରେ ବି ଲୋକଙ୍କର ଚିହ୍ନବର୍ଣ୍ଣ ନାହିଁ ।

 

ସଞ୍ଜ ହେଲା । ହାଟ ଫେରନ୍ତି ଦୂର ବାଟୋଇ ଏକାଠି ଜମା ହୋଇ ବସିପଡ଼ିଲେ । ପୋଢ଼ଗାଡ଼, ନଈକୂଳ ଦି’ପାଖରେ ପର୍ବତ ସନ୍ଧିରେ ଅରାଏ ପଡ଼ିଆ ସେଥିରେ ହାଲୁକା ତୋଟାଳିଆ ଜଙ୍ଗଲ । ଜଙ୍ଗଲ ତଳେ ଠାଆ ଠାଆକେ ନିଆଁ ଜଳିଲା ଦାଉ ଦାଉ, ଚାରିଶ ଲୋକଙ୍କର ଏକାଠି ବସବାସ । ସେଇଠି କଜିଆ ଗୋଳ, ଗପ ପଙ୍ଗତ, ଗୀତ ଆଉ ନାଟ ।

 

ରାତି ବଢ଼ିଲା । ନିଆଁ ନିଭିଲା । ସମସ୍ତେ ଶୋଇଲେ । ଉପରେ ଖୋଲା ଆକାଶ, ତଳେ ତୋଟାମୂଳେ ଏକାଠି ଚାରିଶ ଲୋକଙ୍କର ଫଁ ଫଁ ନିଶ୍ୱାସ ଆଉ ସାମନାରେ ପଥୁରିଆ ପୋଢ଼ଗାଡ଼ ନଈର ଛଳଛଳ ସାଇଁସାଇଁ ।

 

ସମସ୍ତେ ଶୋଇରହିଲେ । ପୁବୁଲି ସୋନାଦେଈ ଲେଞ୍ଜୁ ଦିଉଡ଼ୁ । ରାତି, ବଣ ଚଢ଼େଇର କିଳିକିଳା । ନିଦ ଘୋରରେ ଚାରିଶହ ମଣିଷ ଜଣ ଜଣକୁ ଉଠେଇ ଦେଖିଲେ ଗୋଟାଏ ଗୋଟାଏ ଜୀବନବ୍ୟାପୀ ଉପନ୍ୟାସ ।

•••

 

ଅଠେଇଶ

 

ହିକୋକା ହାର୍ଗୁଣା କନ୍ଧ ବନ୍ଦିକାର ଗାଁର ସାଓଁତା ।

 

ହିକୋକା ତାର ଗୋତ୍ର, ହାର୍ଗୁଣା ତା ନାଁ, କନ୍ଧ ତାର ଜାତି । ବାପ ଥିଲା ଲେଞ୍ଜୁ ଅର୍ଥାତ୍ ବଡ଼ଚିଲ, ପୁଅ ନାଁ ହେଲାବେଳକୁ ‘ହାର୍ଗୁଣା’ ନାଁରେ ଚାଉଳ ଠିଆ ହେଲା, ପୁଅ ହେଲା ‘ହାର୍ଗୁଣା’ ଶାଗୁଣା, ଜଟାୟୁ ପକ୍ଷୀ, ସେ ବି ସୁନ୍ଦର । ଗାଁ ସେପାଖେ ଯେଉଁ ବିରାଟ ପର୍ବତ ଉଠିଚି, ଆକାଶ ଭିତରକୁ ତାର ନାକ, ଉପରର ଶାଳଗଛ ଦିଶେ ସାନ ଘାସବୁଦା ପରି, ତାର କେତେ ଉପରେ ସୁନ୍ଦର ନେଳି ଆକାଶରେ ଶାଗୁଣା ଚଢ଼େଇ ଉଡ଼େ, ସେ ଗୋଟାଏ ବିସ୍ମୟ । କନ୍ଧିଆ ମନରେ ଯାହା ବିସ୍ମୟ ଆଣେ ତାହା ସୁନ୍ଦର, ତେଣୁ ହାର୍ଗୁଣା ନାଁଟି ସୁନ୍ଦର ।

 

ଊଣେଇଶି, ପୂରୁଛି, କୋଡ଼ିଏ ଚାଲିବ । ଏତିକିବେଳୁ ତାର ସଂସାରର ଭାର ମୁଣ୍ଡେଇବାକୁ ସେ ଯୋଗ୍ୟ ହେଲାଣି । ପାଞ୍ଚବର୍ଷ ଶେଷରେ ଦି ଆଙ୍ଗୁଳିଆ କୌପୁନୀ ଖଣ୍ଡିଏ ମାରିଦେଇ ବାପ ମା ସାହି ଭାଇଙ୍କ ସାଙ୍ଗେ ମିଶି ପର୍ବତ ଉପରେ ସାନ ଖୁରୁପିରେ ସେ ବି ଭୁଷି ଭୁଷି ମାଟି ହାଣିଥିଲା, ସାତବର୍ଷରେ ସେ ଛେଳି ଜଗିଲା, ନଅବର୍ଷରେ ହଳ ଧରିଲା । ଗଛ ହାଣିବା, ଗଛ ଚଢ଼ିବା, ଦୌଡ଼ିବା, ସବୁ ତାର ପିଲାଦିନୁ ହାସଲ ହୋଇଛି । ଛଅବର୍ଷରୁ ସେ ଧୁଙ୍ଗିଆ (ଧୂଆଁପତ୍ର) ଧରିଛି, ନଅବର୍ଷରୁ ମଦ ଶିଖିଛି, ଚଉଦବର୍ଷରୁ ଯେତେବେଳେ ଦେହ ଭିତରଟା ଶୀର୍ ଶୀରେ ଶୀର୍‌ଶୀରେଇ ପୂରି ଆସୁଥିଲା ସେତିକିବେଳୁ ସେ ସ୍ତ୍ରୀଲୋକ ଚିହ୍ନିଛି । ଊଣେଇଶି ଶେଷରେ ସେ ସମ୍ପୂର୍ଣ୍ଣ ।

 

ବାପ ନାହିଁ, ମା ନାହିଁ, ବନ୍ଧୁବାନ୍ଧବ ନାହାନ୍ତି । ସେ ତାର ଘରର ମାଲିକ । ତାଷ ବେଉସା ବହୁତ, ଗୋରୁ ଗାଈ ବହୁତ, ଦେଖାଚାହାଁ କାମ କମାଣି କରିବାକୁ ସେ ଆଉ ତାର ଗୋତି ହଳିଆମାନେ । କଞ୍ଚା ବୟସରେ ମୁରବି ଅଭାବରୁ ତା’ ମୁଣ୍ଡ ବିଗିଡ଼ି ଯାଇ ନାହିଁ, କାରଣ ମୁଣ୍ଡ ବିଗିଡ଼େଇବା ଭଳି ପ୍ରଲୋଭନ ତାର ପଡ଼ିନାହିଁ । ଯାହା ଖୋଜିଛି ତା’ ପାଇଛି, ଅଶାନ୍ତିରେ ଘାରିହୋଇ କୁହୁଳି ମରିବାକୁ କୌଣସି ଚିରିଗୁଣି ଆଲୁଅ କେବେ ଜଳି ନାହିଁ ତାର ଉଞ୍ଚ ପର୍ବତ ଘେରେଇ ଦିଗ୍‌ବଳୟ ଉପରେ ।

 

ହିକୋକା ହାର୍ଗୁଣା ବିଭାହୋଇ ନାହିଁ । ତାର ସଂସ୍କାରମୟ ଧାରଣାରେ ଫୂର୍ତ୍ତି କରିବା ଗୋଟାଏ କଥା । ବିଭା ହୋଇ ଘର କରିବା ଆଉ ଗୋଟାଏ କଥା । ବିଭାଘର ବିଷୟରେ ତାର ମତାମତ ଅଛି । ଆଉ, ସବୁ ମତାମତ ପଛରେ ଉଙ୍କି ମାରୁଛି ଗୋଟାଏ ଛୋଟ ମୋହ, ଅଠରରୁ ଊଣେଇଶି, ଊଣେଇଶିରୁ କୋଡ଼ିଏ, ସାଙ୍ଗେ ସାଙ୍ଗେ ଚାଲିଛି ।

 

ସେ ମିଣିଆପାୟୁ ସାଓଁତାର ଝିଅ ପୁବୁଲି ।

 

ହିକୋକା ହାର୍ଗୁଣା ସମ୍ଭ୍ରମ ଭଲ ପାଏ, ସେ ସାଓଁତାର ପୁଅ, ନିଜେ ସାଓଁତା, ତାରି ପରି ସାଓଁତା ଝିଅ ତାର ଦରକାର । ଆଖପାଖର ଗାଁମାନଙ୍କରେ ସାଓଁତା ଘର ଝିଅ କେଉଁଠି ନାହିଁ, କେବଳ ପୁବୁଲି ।

Unknown

 

ଲେଞ୍ଜୁ କନ୍ଧ ପୁଅ ପାଇଁ ପୁବୁଲିକୁ ପସନ୍ଦ କରିଥିଲା, ତା ବି ହାର୍ଗୁଣା ମନେରଖିଛି । ଏସବୁ କାରଣର କଥା, ବିଷୟବୁଦ୍ଧିର କଥା, ହାର୍ଗୁଣା ଖୁବ୍ ବିଷୟୀ । କେବଳ ମୋଟା କଥା ଓ କାରଣ ଦୋ ଦୋ ପାଞ୍ଚ କରି ହାର୍ଗୁଣାକୁ ଏପର୍ଯ୍ୟନ୍ତ ଅଟକେଇ ରଖି ନ ଥିଲା । ପୁବୁଲିକୁ ସେ ଦେଖିଥିଲା । ପିଲାଟି ଦିନୁଁ ଯା’ଆସ ।

 

ତାଠୁଁ ବେଶୀ ଆଉ କିଛି ନୁହେଁ,-ପାରିଲା ବୁଢ଼ା ସରବୁ ସାଓଁତାର ଧୂଆଁଳିଆ ଚାହାଣି ଆଗରେ ମୁଣ୍ଡ ନଇଁପଡ଼େ, ସବୁ ଅଟକିଯାଏ ରୋକିହେବାର ପୀଡ଼ା ଆଉ ପ୍ରତୀକ୍ଷାକୁ ବୁଜୁଳି ବାନ୍ଧି ହାର୍ଗୁଣା ଫେରିଆସେ, ଆଉ ଭାବେ ।

 

ସରବୁ ସାଓଁତା ମଲା । ଖବର ଆସିଲା । ହାର୍ଗୁଣା ଭାବିଥିଲା ଏଥର ସେ ଯିବ, ତାର ଯିବା ଦରକାର । ଯିବି ଯିବି ଭାବୁ ଭାବୁ ଆପଣା ସଂସାରର ହଜାରେ କାମ ପାଦରେ ଛନ୍ଦି ହୋଇଯାଏ, ଯାଇ ହୁଏ ନାହିଁ । ବେଲ ପାଚିବା ଦିନ ଗଲା, ଜଗି ଜଗି ଦିନ ରାତି ।

 

ତା’ପରେ କଟାକଟି, ହାଟ କାମ, ସାହୁକାରମାନଙ୍କ ସଙ୍ଗେ ଭାଉ ପଟାପଟି, ଜିନିଷ ବିକ୍ରୀ ।

ଊଣେଇଶି ବର୍ଷରେ ଅନେକ ଦାୟିତ୍ୱ ।

 

ଲୋକେ କହନ୍ତି, ‘ବାହା ହେଉନାହୁଁ କାହିଁକି ?’ ଚାରିଆଡ଼ୁ ତୋଫାନ ପରି ସେଇକଥା ପଦକ ମାଡ଼ିଆସେ, କାନ ବଧିରା କରେ । ସେ ବି ନିଜେ ପଚାରେ, ବାହା ହେଉନାହିଁ କାହିଁକି ? କେମିତି ପୁଣି ପଛେଇଯାଏ, ଶଙ୍କିଯାଏ । ଟିକିଏ ନିଆରା ସେ, କେବଳ କନିଆଁ ଆଣିବା ଛଡ଼ା ଅନ୍ୟାନ୍ୟ ସ୍ୱପ୍ନ ଅନେକ ଅଛି, ମନେ ମନେ ଗଢ଼ିନିଏ ।

 

ମାମୁଁଘର ନାରଣପାଟଣା ପାଖେ । ଏଠୁ ବଡ଼ ଦୂର, ଘାଟି ପର୍ବତ ଚଢ଼ାଣି ଉତୁରାଣି ତିନି ଦିନର ବାଟ । ବର୍ଷକେ ଦି’ଥର ସେ ଯାଏ, ମାମୁଁଘର ଲୋକେ ସଂଖୋଳି ଆସନ୍ତି ।

 

ମାମୁଁଘରକୁ ଗଲେ ବାଟେ ବାଟେ ବଣ ଧଡ଼ିର ସଭ୍ୟତା ତାର ମନ ଉଲୁସାଏ, ସେ ଭାବେ ସେ ସେହିପରି ମଣିଷ ହେବ । ତେଲେଙ୍ଗା ସାହୁକାରର ଚଉଖୁଣ୍ଟ କୋଠା, ଛପର ଛାଉଣି, ସାମ୍ନାରେ ତାଟି ବନ୍ଧା ହୋଇଛି । ଶଗଡ଼, ଗୋଦାମ, କାରବାର ।

 

ଥରକୁ ଥର ଏହି ଧାରଣା ନେଇ ହାର୍ଗୁଣା ସାଓଁତା ଫେରିଆସେ, ନିବିଷ୍ଟ ମନରେ ଆପଣାର ପୁରୁଣା ସଂସ୍କାରକୁ ଦେଖେ, ଭାବିହୁଏ କେଉଁଠି କ’ଣ ପରିବର୍ତ୍ତନ ହୋଇପାରନ୍ତା । ତାର ମାମୁଁଘରର ଲୋକେ ଘରେ ପିନ୍ଧନ୍ତି କୌପୁନୀ, ବାହାରକୁ ବାହାରିଲେ ଖଣ୍ଡେ ଖଣ୍ଡେ ସାନ ଧୋବଲୁଗା ବେଢ଼େଇ ହୁଅନ୍ତି, ଦେହରେ କୋଟ୍ କାମିଜ୍, କାନରେ କୁଣ୍ଡଳ, ହାତରେ ବାଲା, ହାର୍ଗୁଣାର ଟୋକାଳିଆ ସ୍ୱପ୍ନ ଭିତରେ ସେ ବି ପାସ୍‍ ।

 

ପୁରୁଣା ପଦ୍ଧତିର ଦି ଧାଡ଼ିଆ ବସ୍ତିରୁ ଛାଡ଼ି ଅଲଗା ହୋଇ ବାପ ଖଣ୍ଡିଏ ଗୋଦାମ ଘର ତିଆରି କରି ମରିଛି । ନାରଣପାଟଣା ଅଞ୍ଚଳର ସାହୁକାରଙ୍କ ଧାନକୋଟୁ ପରି ସେ ବି ଗୋଟିଏ କୋଟୁ । ଠା ଠାକେ ଛାଡ଼ି ଛାଡ଼ିକା ଦେଢ଼ପୁରୁଷ ଉଞ୍ଚର ଗୋଟିଏ ଗୋଲ ଗୋଲ ହୋଇ ଧାନ ରଖିବାକୁ ଘୁମ ପରି କୋରମେଇଁ, ତାର ତଳ ରହିଛି ସାନ ଭାଡ଼ି ଉପରେ । କାନ୍ଥ ବହଳ ଝାଟି ମାଟିର, ଉପରଟି ବନ୍ଦ । ତଳେ ଉପରେ ଧାନ ଆଣିବାକୁ ଧାନ ଥୋଇବାକୁ ଗୋଟିଏ ଗୋଟିଏ କବାଟ ଲଗା ଜଳା ।

 

ହିକୋକା ହାର୍ଗୁଣାର କଳ୍ପନା ଭିତରେ ଏହି ପ୍ରଥମ ଆଧୁନିକତାର ବାସ୍ତବ ରୂପ । ଅନେକ ଆପତ୍ତି ଉଠିଥିଲା, ଗାଁର ଜାନି ଦିସାରି ପୁରୋହିତ ଗଣକ ସମସ୍ତେ ଆପତ୍ତି କରିଥିଲେ, ଯାହା ନ ଚଳିଛି ତା’ ଚଳେଇବ ଲେଞ୍ଜୁ ସାଓଁତା କିପରି । ଲେଞ୍ଜୁ ସାଓଁତା ଆପତ୍ତି ଶୁଣି ନ ଥିଲା, ତାର ଶଳାଘରର ଲୋକମାନେ ଠିଆ ହୋଇ ମଦଦ୍ ଦେଇଥିଲେ, ଗଢ଼େଇରେ ସାହାଯ୍ୟ କରିଥିଲେ, କୋଟୁ ତିଆରି ହେଲା ।

 

ହିକୋକା ହାର୍ଗୁଣାର ଆଖି ଖୋଲିଥିଲା । ଲେଞ୍ଜୁ କନ୍ଧର ଆଉ ଗୋଟିଏ ଆଶା ଥିଲା, ସେ ଖଣ୍ଡେ ଶଗଡ଼ କରିଥା’ନ୍ତା । ଏ ଅଞ୍ଚଳର ବଣୁଆ କନ୍ଧମାନଙ୍କ ଭିତରେ ଶଗଡ଼ କାହାରି ନାହିଁ, ଯଦିଚ ଶଗଡ଼ ସଙ୍ଗେ ଚିହ୍ନାପରିଚ ଅଛି ସମସ୍ତିଙ୍କର । କାଉଡ଼ିରେ ଲଦି ମଣିଷ କାନ୍ଧରେ ଚାପିଦେଇ ଏତେଦୂର ଦୂରର ହାଟକୁ ଜିନିଷ ନେବାକୁ ହରବର ଲାଗେ, ଶଗଡ଼ ହେଲେ ଭଲ । କିନ୍ତୁ ପର୍ବତିଆ ଘାଟି ରାସ୍ତାରେ ଶଗଡ଼ ଯିବ ନାହିଁ । ବର୍ଷାଦିନେ ଜଙ୍ଗଲ ଆଉ କ୍ଷେତ, ଖାଲି କେବଳ ଏହି ଖରାଦିନ ଚାରିମାସକ । କିନ୍ତୁ ଗୋରୁ ଧଡ଼ସ ବାଟେ ବାଟେ ଶଗଡ଼ ଓଟାରି ଘେନିଗଲେ ଉତ୍ତରକୁ ଉଞ୍ଚ ମାଳ ଆଡ଼କୁ ଯିବ ନାହିଁ ସିନା, ଦକ୍ଷିଣକୁ ଲକ୍ଷ୍ମୀପୁର ଆଡ଼କୁ ଯିବା ସମ୍ଭାବନା । ତା’ପରେ ଗୋରୁ ଧଡ଼ସ ବାଟେ ବାଟେ ବାର ଗାଁର ବାର ଶଗଡ଼ ସଂଗେ ମିଶି ମିଶି ରହି ଚାଲି ରହି ଚାଲି ଧୀରେ ଧୀରେ ନାରଣପାଟଣାର ସମତଳକୁ ନ ହେଲେ ରାୟଗଡ଼ ସମତଳକୁ ।

 

ହାର୍ଗୁଣାର ଭବିଷ୍ୟତ୍‍ର ନିର୍ଘଣ୍ଟ ଭିତରେ ସେ ବି ଥାଏ । ଶଗଡ଼ ତିଆରି ହେବ, ଶଗଡ଼ରେ ବୋଝେଇ କରି ଜିନିଷ ନେଇ ସେ ଯିବ ରାୟଗଡ଼, ସେଠୁ ଶଗଡ଼େ ଧୂଆଁପତ୍ର ଲଦି ଆଣି ବିକ୍ରୀକରି ଦେଖିବ ଆଖପାଖର ହାଟମାନଙ୍କରେ ଆଉ ଡୁମ୍ବାଗୁଡ଼ା ହାଟରେ ।

 

ଏହିପରି ମନେ ମନେ କେତେ ନୂଆ ଅଭିଯାନ । କାମରେ ଲୋଟୁ ଲୋଟୁ ଫାନ୍ଦୁ ଫାନ୍ଦୁ ତାର ଦିନ କଟିଯାଏ । ବିଭାହେବା ଚିନ୍ତା ତାର ମନକୁ ଗ୍ରାସ କରେ ନାହିଁ । ବିଭାହେବା ଚିନ୍ତା ତାର ମନକୁ ଗ୍ରାସ କରେ ନାହିଁ । ବିଭାହେବା ତାର ହାତ ପାଆନ୍ତିରେ । ଯାହା ତାର ହାତ ପାଆନ୍ତିରେ ନୁହେଁ, ସେଥିକି ତାର ମନ ବଳେ ବେଶି । ସେ ବହୁତ ଉପରକୁ ଉଡ଼ିଯିବାକୁ ଚାହେଁ, ସେ ହାର୍ଗୁଣା ।

 

ପଚିଶି ଜଣ ବୋଝିଆଙ୍କ ଦ୍ୱାରା କାଉଡ଼ି ଭାରରେ ତାର ଜିନିଷ ବୋଝେଇ କରି ସେ ହାଟକୁ ଯାଇଥିଲା ଖୁବ୍ ଆଗରୁ । ମଝି ହାଟରେ କିଛି ସମୟ ପୂର୍ବରୁ ଭରାଭର ଭାଉରେ ସେସବୁ ଜିନିଷ ବିକ୍ରୀ କରିଥିଲା, ଖୁବ୍ ଲାଭ ପାଇଥିଲା । ଆଗରୁ ଆଗରୁ ଫେରି ଆସିଥିଲା । ଏଥର ଚଇତ ଆସୁଛି, ଆଗରୁ ସବୁ ସଂଗ୍ରହ, ଯୋଗାଡ଼, ଯୋଗାଣ, ତା’ପରେ ମାସ ଗୋଟାଏ ବ୍ୟାପୀ ଚଇତର ମଉଛବ, ବର୍ଷ ଗୋଟାକର ମନପୂରା ଫୂର୍ତ୍ତି, ପୁଣି ହାଡ଼ଭଙ୍ଗା କାମ । ଖରାଏ ଖରାଏ ମାଟି ପଥର କଙ୍କର ସାଙ୍ଗରେ ଲଢ଼ାଲଢ଼ି ।

 

ହାଟରୁ ଫେରି ସେହି ସଞ୍ଜରେ ହାର୍ଗୁଣା ଘେରାଏ ଆପଣାର ସମ୍ପତ୍ତି ସବୁ ଦେଖିଆସିଲା-। ସେ କ୍ଳାନ୍ତି ଜାଣେନାହିଁ । ସବୁ ଗୋରୁ ଗୁହାଳରେ ଅଛନ୍ତି କି ନା, ଗୁହାରେ ଧାନ କୋଟୁରେ ସବୁଠି ଜଗୁଆଳ ରହିଲେକି ନାହିଁ । ପ୍ରତି ସଞ୍ଜରେ ସବୁ ଘେରାଏ ଦେଖିବା ତାର କାମ । ତା’ପରେ ସେ ଗାଁରେ ବୁଲି, ଦିନଯାକର ହାନିଲାଭ କଥାଭାଷ ଗାଁ ଲୋକଙ୍କ ସାଙ୍ଗେ ଗପ କରି ଗାଁ ବୁଲିଆସିଲା ବେଳକୁ ରାତି । ରାତି ହେଲେ ଖିଆପିଆ, ନାଚ ଫୁର୍ତ୍ତି, ନ ହେଲେ ଏକୁଟିଆ ବସି ବଇଁଶୀ ବଜା ।

 

ହାର୍ଗୁଣା ବସି ବସି ବଇଁଶୀ ବଜୋଉଥାଏ, ରାତି ବଢ଼ିଲାଣି ।

 

ଗୋଟିକିଆ ବଇଁଶୀରେ ପୁରୁଣା ଉଦାସ ରାଗିଣୀ, ଦି’ଧାଡ଼ି ମୋଟେ, ଘୋରତେଇ ପୋରତେଇ । ଅନ୍ଧାର ରାତିରେ ଫଗୁଣ ଶେଷର ସାନ ତୋଫାନଟିଏ ହୁ ହୁ କରି ହଲେଇ କମ୍ପେଇ ଚାଲିଲା । ପର୍ବତ ଦେଶରେ କେତେବେଳେ ତୋଫାନ ଉଠେ ତାର ଠିକଣା ନାହିଁ ।

 

ବଇଁଶୀ ବନ୍ଦ କଲା । ବାହାରେ ଅନ୍ଧାର ରାତି, ପବନ ।

 

ହାର୍ଗୁଣା ଏକୁଟିଆ ଶୁଏ । ଛଟପଟ ଲାଗୁଥାଏ । ନିଦ ହେଲା ନାହିଁ । ଏଇ ଅନ୍ଧାରି ତୋଫାନରେ ମାଳ ଉପରେ ସେ କୁଆଡ଼େ ମାଡ଼ିଯିବାକୁ ଚାହେଁ । ଅନ୍ଧାରି ତୋଫାନ ଭିତରେ ଚହଟି ଚାଲିଲା କୋଡ଼ିଏର ଧୂମ ।

 

ଏକୁଟିଆ ଲାଗିଲା, ଏହିପରି ରାତିରେ ବଇଁଶୀ ଶେଷରେ ଏମିତି ତା’କୁ ଲାଗେ, ମନ ଡାକେ, ବସା ବାନ୍ଧିବାକୁ । ଗୋରୁ ଧାନକୋଟୁ ବେଉସା ହାଟ-ଅଧରାତିର ନୁହନ୍ତି ଏମାନେ, ଏସବୁ ବୃଥା । କାହାପାଇଁ ତାର ଅପେକ୍ଷା । କଳ୍ପିତ ପାତ୍ରୀ ଗୋଟିକା ଗୋଟିକରି ସେ ଭାବି ଦେଖିଲା । କେତେ କାହା ସାଙ୍ଗେ ଚିହ୍ନାପରିଚ । ଅନ୍ଧାର ରାତିରେ, ତୋଫାନ ରାତିରେ, ସ୍ମରଣ କଲେ ସେମାନେ ଆସନ୍ତି । ହାର୍ଗୁଣା ଗୋଟିକା ଗୋଟି ନିରୋଳାରେ ବାଛି ଦେଖିଲା । କାହାର ନାକଟି ଛୋଟ, କାହାର ଅଣ୍ଟାଟି ବେଶୀ ସରୁ, କିଏ ବେଶୀ ହସେ ନାହିଁ, କିଏ ନିହାତି ବେଶୀ ହସେ । ସମସ୍ତିଙ୍କୁ ସେ ବେପସନ୍ଦ କରେ । ପୁରୁଣା ପଦ୍ଧତିରେ ପରଖା ପରଖି କରି ପଛେ ବିଦାବିଦି ହେବାକୁ ସେ ବିଭାହେବ ନାହିଁ । ଏକ କଥା ତାର ଯାହାକୁ ଭଲ ପାଇବ ତା’କୁ ସବୁଯାକ ଝାଡ଼ିଝୁଡ଼ି ଦେଇ ସେ ଭଲ ପାଇବ ।

 

ବେପସନ୍ଦ କରେ, ତଥାପି ତ ଭାବିବାକୁ ଭଲ ଲାଗେ ।

 

ସବା ଶେଷରେ ସବା ତଳେ ବାହାରି ଆସେ ପୁବୁଲି, ଯେପରିକି ସେହି ଠିକ, ସେହି ଚିରନ୍ତନୀ, ପୁବୁଲିକୁ ଉଢ଼ୁଆଳରେ ବସେଇ ରଖି ଅନ୍ୟ ସମସ୍ତିଙ୍କୁ ଡକରା ଦେଇ ବାଛି ଫେରେଇ ଦେବାକୁ ଭଲଲାଗେ । ଏଇ ହାର୍ଗୁଣାର ଖେଳ ।

 

ରାତି ବଢ଼ିଲା । ଧୀରେ ଧୀରେ ହାର୍ଗୁଣା ଠିକ୍ କଲା ଏପରି ବସି ରହିଲେ ତାର ଚଳିବ ନାହିଁ, ସବୁ ଖାଁ ଖାଁ, ଏଥର ସେ ଚେଷ୍ଟା କରିବ । ଧାଂଡୀର ଇଚ୍ଛାରେ କନ୍ଧଦେଶରେ ବିଭା, ଅନ୍ୟ କାହାରି ଅକ୍ତିଆର ନାହିଁ, ଧାଂଡୀ ଜିଦାଜିଦି ବାଦବୁଦିଆ ପରିଶ୍ରମର ଶେଷ ଫଳ । ହାର୍ଗୁଣାର ବିଶ୍ୱାସ ପୁବୁଲି ତା’କୁ ଭଲପାଏ, ପୁବୁଲି ତା’କୁ ନାହିଁ କହିବ ନାହିଁ, ଖାଲି ପଦେ ପଚାରିବା କଥା ।

 

ଶେଷ ପହରେ ସେ ସ୍ୱପ୍ନ ଦେଖୁଥିଲା, ତାର ନୂଆ ଶଗଡ଼ ତିଆରି ହୋଇଛି । ନୂଆ ଶଗଡ଼ ଅଡ଼େଇ ଅଡ଼େଇ ସେ ଚାଲିଛି । ବୋଝେ ଅଳସି ନେଇ ସେ ଚାଲିଛି, ଫେରିଲାବେଳକୁ ଧୂଆଁପତ୍ର ବୋଝେଇ ହୋଇ ଫେରିବ । ଅସଲ କଳିଙ୍ଗୀ ଧୂଆଁପତ୍ର, ନଡ଼ିଆ ପଇଡ଼ ପାଣିରେ ପାଗ ହୋଇ ଦିଶୁଥିବ ହଳଦୀ ଗରଗର । ଶଗଡ଼ ଚାଲିଛି, ଚଇତର ଫୁଲେଇ ବଣ ଭିତରେ । ବଡ଼ ବଡ଼ ପର୍ବତ ଦିଶୁଛି, ଲାଗୁଛି ସତେକି ବାଟ ବନ୍ଦ, ଶଗଡ଼ଗୁଳା ଏଇଠି ଶେଷ । କିନ୍ତୁ ଶଗଡ଼ ଅଟକୁ ନାହିଁ, ପାହାଡ଼ର ସନ୍ଧିରେ ସନ୍ଧିରେ ପଥୁରିଆ ଚଟାଣ ଉପରେ ଶଗଡ଼ଗୁଳା ପଡ଼ି ରହିଛି, ଚାଲିଛି । କେତେ ନୂଆ ବଣ, ନୂଆ ଗାଁ ଆଖିରେ ପଡ଼ୁଛି, କମଳା ତୋଟା, କମଳା ଫଳ । ପଞ୍ଝାକୁ ପଞ୍ଝା ଧାଂଡୀ ଆସୁଛନ୍ତି, ଯାଉଛନ୍ତି, କହୁଛନ୍ତି କେଡ଼େ ସୁନ୍ଦର ଶଗଡ଼ ହୋଇଛି କୁଆଡ଼େ ଯାଉଛୁ, ନେବୁ ଆମୁକୁ ବସେଇ ? ନା-ନା-ନା । ମନଇଚ୍ଛା ଗୀତ ବୋଲି ବୋଲି ସେ ଚାଲିଛି, ଦେଖି ଦେଖି ଯାଉଛି, ଅଟକି ରହୁ ନାହିଁ । ଗୋଟାଏ କୁଦ ଉପରେ ପୁବୁଲି ଠିଆ ହୋଇଥିଲା, ଶଗଡ଼ ଅଟକିଲା, ପୁବୁଲି ଡେଇଁପଡ଼ିଲା । ଦିହେଁ ଏକା ଶଗଡ଼ରେ । ଏଥର ଶଗଡ଼ଟା ଆକାଶରେ ଉଡ଼ିଗଲା, ପର୍ବତର ଆଗ ପାଖେ ପାଖେ ଘଷି ହୋଇଯାଏ । ସାଇଁ ସାଇଁ ପବନ ଖାଲି ମେଘର ଧୂଆଁ, ମେଘ ଉପରେ ଭାସି ଭାସି ତାର ଶଗଡ଼ ଚାଲିଛି-ଚାଲିଛି ।

 

କାହାର ହଲାହଲିରେ ନିଦ ଭାଙ୍ଗିଯାଇ ବାଉଳାପରି ଚାରିଆଡ଼କୁ ସେ ଆଖି ବୁଲେଇ ଆଣିଲା । ଶଗଡ଼ ନାହିଁ, ପୁବୁଲି ନାହିଁ, ମେଘ ନାହିଁ ।

 

‘କାଲି ରାତିରେ ଖୁବ୍ ପିଇଦେଇଥିଲୁ ବୋଧହୁଏ ସାଓଁତା, ଟୋକାଲୋକ ଏତେ ପିଇବା ଠିକ୍ ନୁହେଁ ।’ ‘ମାଇଲା’ କନ୍ଧ ଗମ୍ଭୀର ହୋଇ ଠିଆ ହୋଇଥାଏ, ମାଇଲା କନ୍ଧ ଗାଁର ଗୋଠ ଜଗୁଆଳି ।

 

‘ଏଃ-’

‘ଦିପଟ ପୋଢ଼ ମରିକରି ଶୋଇଛନ୍ତି ଦେଖିବୁ ଚାଲ’ ।

ଧଡ଼୍‌ପଡ଼୍ ହୋଇ ଡିଆଁମାରି ଉଠିପଡ଼ିଲା ହାର୍ଗୁଣା, କହିଲା, ‘କ’ଣ କହିଲୁ ?’

‘ଦିପଟ ପୋଢ଼ !’

 

ଦଉଡ଼ି ଦଉଡ଼ି ହାର୍ଗୁଣା ଗୁହାଳ ଆଡ଼କୁ ଗଲା ସତକୁ ସତ ଦିପଟ ପୋଢ଼ ମରି ପଡ଼ିଛନ୍ତି; କଥା ନାହିଁ ବାର୍ତ୍ତା ନାହିଁ ଏକାରାତିକେ ଚଲ୍ । ହାର୍ଗୁଣାର ମୁଣ୍ଡରେ ଚଡ଼କ ପଡ଼ିଲା ‘ଆଗରୁ କିଛି ଜାଣିଥିଲୁ ମାଇଲା ?’

 

‘କିଛି ନାହିଁ ।’

ତେବେ ?’

 

ମାଇଲା କନ୍ଧକୁ ଡର ମାଡ଼ୁଥାଏ । କାନପାଖେ ତୁନି ତୁନି କହିଲା, ‘ଭାରି ପସନ୍ଦ ଆଖିଦରଶିଆ ହୋଇଥିଲେ, କାଳେ କାହାର ଦୃଷ୍ଟି ପଡ଼ିଯାଇଥିବ, କିଏ ପାଙ୍ଗି (ଗୁଣିଗାରଡ଼ି) ଦେଇଥିବ ସାଓଁତା, ସେଥିକୁ କାହାର ବଳ ଅଛି କହ ?’

 

ତିନିଦିନ ବଣବୁଲା ପରେ ପୋଢ଼ମାନେ କାଲି ସଞ୍ଜରେ ଘରକୁ ଆସିଥିଲେ, ରାତିରେ ଗୋଟାଏ କିଛି ନିଶ୍ଚୟ ହୋଇଥିବ; ନ ହେଲେ ଏଡ଼େ ହଠାତ୍ । ଗୁହାଳଘରେ ଯେଝା ଖୁଣ୍ଟିରେ ଯେଝା ଅଛନ୍ତି । ଫିଟିବା ପାଇଁ ହମାରଡ଼ି ଦେଉଛନ୍ତି । ମଇଁଷିର ଆଖିରେ ଚିର ଅଭ୍ୟସ୍ତ ଗଭୀର କିନ୍ତୁ ନିର୍ବୋଧ ଚାହାଣି, କିଏ ପାକୁଳି କରୁଛି, କିଏ ବିଞ୍ଚି ହେଉଚି, କିଏ ମୁଣ୍ଡ ହଲୋଉଚି, ସେହି ପାଖରେ ପଡ଼ିଛନ୍ତି ଦି’ଟା ମଲା ମଇଁଷି, କାହାରି ଭ୍ରୂକ୍ଷେପ ନାହିଁ ତେଣେ । ଭାରି ଚହଳ ପଡ଼ିଗଲା । ହାର୍ଗୁଣାର ମୁହଁର ପାଣି ମରିଗଲା । ଗୋଟିଏ ଗୋଟିଏ ମଇଁଷି ହାଟରେ ବିକିଲେ ଖୁବ୍ ଅଳ୍ପରେ ତିନିକୋଡ଼ି ଟଙ୍କା । କନ୍ଧର ଖୁବ୍ ବଡ଼ ସମ୍ପତ୍ତି ସେ ।

 

ବିଷାଦ ପରେ ରାଗ ଆସିଲା । ଆଖି ପୋଛିଦେଇ କପାଳର ଝଙ୍କା ବାଳକୁ ହାତ ପାପୁଲିରେ ପଛକୁ ଠେଲି ହାର୍ଗୁଣା ଗର୍ଜିଲା, ଫୁଲିଲା ଥରିଲା । ସେ ରାଗିଗଲେ ଭୟଙ୍କର ଦିଶେ । ଟାଙ୍ଗିଆ ଉଞ୍ଚେଇ ମାଇଲା କନ୍ଧ ଆଡ଼କୁ ଚମକିଯାଇ ହାର୍ଗୁଣା ଗର୍ଜ୍ଜନ କଲା, ‘ତୋରି ପାଇଁ ମୋର ପୋଢ଼ ମଲା, ଏବେ ଭଲେଇ ହେଉଚୁ, ନିଙ୍ଗେ ଟୁଣୁହାଁଇଁନି (ତତେ ହାଣିଦେବି) ।’

 

ସମସ୍ତେ ଧରିପକେଇଲେ । ବିକଳ ହୋଇ ମାଇଲା କନ୍ଧ ପାଟି କରୁଥାଏ, ‘ବୃଥାରେ ମୋ ଉପରେ ରାଗୁଛୁ ସିନା ସାଓଁତା, ମତେ କିଛି ଜଣାନାହିଁ, କିଛି ଜଣାନାହିଁ ।’

 

ଲୋକେ ଗଦା ହୋଇଥା’ନ୍ତି, କିଏ ଜଣେ କହିଲା, ‘ଦେହରେ କିଛି ଚିହ୍ନ ନାହିଁ, କେହି ଅବଶ୍ୟ ପାଙ୍ଗିଛି ।’ ପାଙ୍ଗିବା କାରଣଟି ସମସ୍ତିଙ୍କ ମନକୁ ପାଇଲା । ଲାଲ ଲାଲ ଆଖି କରି କାନ୍ଧ ଫୁଲେଇ ଫୁଲେଇ ଗର୍ଜ୍ଜନ କରି ସାଓଁତା କହିଲା, ‘ପାଙ୍ଗିଛି ? ହଉ କିଏ ପାଙ୍ଗିଛି ଦେଖାଯିବ । ଡକାଅ ବେଜୁଣୀକୁ, ପୂଜା କର, ତାକୁ କାଳିଶି ଲାଗୁ ସେ ନାଚୁ । ବଳେ ଅଇଛା ଠାକର କହିଦେବ କିଏ ପାଙ୍ଗିଛି । ତା’ ପରେ- ।’

 

ଦଳେ ଡମ୍ବ ଲୋକ ଆଁକରି ସେହିଆଡ଼େ ଅନେଇଁ ଠିଆ ହୋଇଥିଲେ, ମଲା ମଇଁଷି ଦେଖି ସେମାନଙ୍କର ଲୋଭ ହେଉଥାଏ । ହାର୍ଗୁଣା ସେହି ଆଡ଼େ ଗୋଡ଼େଇଲା-’ତମେ କାହିଁକିରେ-? ନା ତମେ ବିଷ ଦେଇ ମାରିଚ ଦେଖିବାକୁ ଆସିଲ ?’

 

ତାର ଧରଣ ଦେଖି ‘ଆମେ ନୋହୁଁ ଆମେ ନୋହୁଁ’ କହି ସେମାନେ ଖସି ପଳେଇଲେ । ରାଗିଥିବା ଲୋକ ସହିତ ଉଚ୍ଚବାଚ ହେବା ଠିକ୍ ନୁହେଁ । ଆପଣାର ଦଖଲ ଉପରେ ଅନ୍ୟକେହି ପଶି କ୍ଷତି କରିଦେଇଛି ବୋଲି କନ୍ଧର ବିଶ୍ୱାସ ହେଲେ କନ୍ଧ ରାଗେ, ରାଗିଗଲେ ବଣୁଆଁ ଲୋକ କାନ୍ଧରୁ ଓହଳିଥିବା ଟାଙ୍ଗିଆ ଉପରେ ହାତ ପକାଏ । ପରିଣାମକୁ ଭାବି ଦେଖି ମାପିଚୁପି ସାମାଜିକ ନ୍ୟାୟ ବନ୍ଧନ ଭିତରେ ଚଳିବା ତାର ଅଭ୍ୟାସ ନୁହେଁ । ତେଣୁ, କେଉଁଠି ଜମିବାଡ଼ି ବିଷୟରେ କଜିଆ ହେଲା, କେଉଁଠି ଜଣେ ବସେଇଥିବା ସଳପ-ମଦ ଠେକି ଆଉ ଜଣେ ଜୁରି ଖାଇଗଲା, କିଏ କାହାର ସ୍ତ୍ରୀକୁ ଆଖିଦେଲା, କିଏ କାହାକୁ ଅତ୍ୟାଚାର କଲା, ଛାଟେ ପିଟିଦେଲା, ସେଠି କଥା କଥାକେ ଜଣକର କାନ୍ଧର ଟାଙ୍ଗିଆ ଆରଜଣକର କାନ୍ଧକୁ ଡିଆଁମାରେ । ଅବଲୀଳାକ୍ରମେ ମଣିଷ ଖୁଣ୍ ହୁଅନ୍ତି । ଆଦିମ ମନର ନିୟନ୍ତା ହେଉଛି ଭୟ । ଦିନୁଦିନ ଅବସ୍ଥାରେ ପଡ଼ି ପଡ଼ି ଯେତିକି ଯେତିକି ଭୟର ମାତ୍ରା ବଢ଼ୁଛି, ଖୁଣ୍ ଖରାବ୍ ସେତିକି କମିଯାଉଛି, ତଥାପି ରହି ରହିକା ସେହି ପୁରୁଣା ବଣୁଆଁ ଲୋକର ଆଇନ୍‌ର ଦଣ୍ଡ ମଝିରେ ମଝିରେ ବାହାରିପଡ଼େ, ବାଧା ମାନେ ନାହିଁ, ଆଧୁନିକ ଆଇନ୍ ମାନେ ନାହିଁ ।

•••

 

ଅଣତ୍ରିଶ

 

ଉଦୁଉଦିଆ ଦି’ପହରେ ବନ୍ଦିକାର ଗାଁର ବେଜୁଣୀ ସାଓଁତାର ଦୁଆର ମୁହଁରେ ଡେଇଁଡେଇଁ ନାଚିଲା, ଗାଁ ଲୋକେ ଜମା ହୋଇଥା’ନ୍ତି, ଅପେକ୍ଷା କରିଥା’ନ୍ତି ଦୈବୀ ସନ୍ଦେଶ ପାଇଁ । ମଲା ପୋଢ଼ ଦି’ଟା ଗୋଟାଏ ପାଖେ ପଡ଼ି ରହିଥା’ନ୍ତି, ମାଛି ଘାଉଁ ଘାଉଁ ବେଢ଼ୁଥା’ନ୍ତି । ସମସ୍ତେ ଅପେକ୍ଷା କରିଥା’ନ୍ତି କାହା ମୁଣ୍ଡରେ ଚଡ଼କ ଅଜାଡ଼ିବ ଏ ବେଜୁଣୀ । ଧୂପ ଧୂଆଁ ଖାଇ ଢାଉଁ ଢାଉଁ ବାଜାରେ ବହିରା ହୋଇ ଜଣକ ଉପରେ ସେ ଦୋଷ ଚାପିଦେବ । ପଞ୍ଚାୟତ ଆଗରେ ସେ ଜଣକର ବିଚାର ହେବ, ହେବ ଦଣ୍ଡ । ପୂର୍ବକାଳ ହୋଇଥିଲେ ବେଜୁଣୀର କଥାରେ ଦୋଷୀ ଯେ ଲୋକେ ତା’କୁ ମାରିପକାନ୍ତେ ନ ହେଲେ ଖଣ୍ଡିଆ କରି ଲାଜ ଦେଇ ଗାଁରୁ ତଡ଼ିଦେଇଥା’ନ୍ତେ, ଏକାଳେ ଆଇନ୍ ବଦଳିଛି, ପ୍ରାଣ ଯିବ ନାହିଁ, କଷ୍ଟ ହେବ ଏତିକି ।

 

ପ୍ରତି କନ୍ଧ ଗାଁରେ ସାଓଁତା, ଜାନି, ଦିସାରି ପରି ବେଜୁଣୀ ମଧ୍ୟ ଗୋଟିଏ ଅନୁଷ୍ଠାନ । ହାର୍ଗୁଣାର ରାଗ କମି ଆସିଥାଏ, ଏଥର ଉଚିତ ଉପାୟ ।

 

ମୟୂର ଉତୁରାଣି ବେଳ ହେଲାବେଳକୁ ବେଜୁଣୀ ନାଚି ନାଚି ଥେ, କ୍ଳାନ୍ତ ସ୍ୱରରେ କହିଲା, ‘ପୋଢ଼ ମଲେ ମଲା, କାଟି ଖାଅ, ସବୁ କଥାକୁ ମତେ ଡାକୁଛ ମୋର ମନ ନାହିଁ ମୁଁ ନ କହେଁ । ଆମେ ଦେବତା, ଆମେ ତମର ଚାକର ନୋହୁଁ ।’

 

ବେଜୁଣୀର ସ୍ୱରରେ ଦେବତା ଦିଏ ଜବାବ୍ ।

 

ଗାଁ ଲୋକେ ଅନେକ ପ୍ରକାର ଫୁସୁଲେଇଲେ, ଦେବତା ବିଗିଡ଼ିଗଲା, କହିଲା ‘ଦେଖ, କହି ଦେଇଛି, ଆଉ ବଳେଇଲେ ତମକୁ ଆଳ୍ରା (ହରକତ) କରିଦେବି ।’

 

ବେଜୁଣୀର ନିଶା ଛାଡ଼ିଲା । ଯେଉଁମାନେ ଅତିଶୟ ବିଶ୍ୱାସୀ, ସେମାନେ କହିଲେ ଯେ ପୋଢ଼ମାନଙ୍କୁ ଦେବତା ଖାଇଛି । ଦେବତାର ଯାହାକୁ ଖାଇବାକୁ ମନ ହୁଏ, ସେ ତାକୁ ଖାଏ । ଆଉ କେତେ ତୁନି ହୋଇ ରହିଲେ, ଦେବତା ଉପରେ ବିଶ୍ୱାସ ଥିଲେବି ଏ ଗାଁର ବେଜୁଣୀ ଉପରେ ଅନେକଙ୍କର ବିଶ୍ୱାସ ନାହିଁ, ଫୁସ୍‌ଫାସ୍ ଚାଲିଥାଏ । ଏତିକିବେଳେ ଖବର ମିଳିଲା ପୁଣି ଯୋଡ଼ାଏ ପୋଢ଼ ମଲେଣି ଆଉ ଅନ୍ୟ ଲୋକଙ୍କର, ଠିକ୍ ଏହିପରି ଭାବରେ ।

 

ଜାନି କହିଲା, ‘ଏମିତି ସବୁ ପୋଢ଼ ମରିଯିବେ, ବେଜୁଣୀ ଯଦି କହୁଥିବ ଆମେ ଦେବତା, ଆମେ କହିବୁ ନାହିଁ, ତେବେ ତ ଆମର କଥା ଶେଷ୍ ।’

 

‘ଏ ବେଜୁଣୀକୁ ଆଉ ପଚାରିବା ନାହିଁ, ପଚାରିବା ମିଣିଆପାୟୁ ବେଜୁଣୀକୁ, ଅସଲ ଦେବତା ଲାଗେ ତା’କୁ ।’

 

‘ଏମିତିଆ ବେଜୁଣୀ ଆମର କ’ଣ କରିବ ? ହଉ ମିଣିଆପାୟୁ ଯିବା, ଆଉ କ’ଣ କରିବା ?’ ହାର୍ଗୁଣା ସାଓଁତା କହିଲା । ପର ଗାଁରେ ହାତ ପାତିବାକୁ ସାଓଁତାକୁ ଭଲ ଲାଗେ ନାହିଁ, ସେ କାହାରି ଧାରିବ ନାହିଁ, କିନ୍ତୁ ନିରୁପାୟ ।

 

ମଲା ପୋଢ଼ଗୁଡ଼ାକ ଗଦବାମାନେ କିଣି ନେଇଗଲେ, ସେମାନେ ଗୋରୁ ନ ଖାଇ ମଇଁଷି ଖାଆନ୍ତି ।

 

ହାର୍ଗୁଣା ସମ୍ମତି ଦେଲା । ଦିସାରି ଯୋଗ ଧରିଦେବ, ସେହି ଯୋଗ ମୁହୂର୍ତ୍ତ ଦେଖି ପଞ୍ଝାଏ କନ୍ଧ ମିଣିଆପାୟୁ ଯିବେ, ବେଜୁଣୀକୁ ଦେବତା ଲଗେଇ ପୋଢ଼ ମରିବାର କାରଣଟାକୁ ବୁଝି ଆସି ସେମାନେ ପ୍ରତିକାର କରିବେ । କୌଣସି କଥା ଘଟିବାର ଦେଖିଲେ ବଣୁଆଁ ଲୋକ ତୁନିହୋଇ ରହେ ନାହିଁ, ଖୋଳିତାଡ଼ି କାରଣଟି ବୁଝେ ଆପଣାର ବିଶ୍ୱାସ ଜନ୍ମାଏଁ ସେ ବୁଝିଛି । ତେଣୁ ନିରେଖି ଦେଖିବା ତାର ଅଭ୍ୟାସ, ପ୍ରତ୍ୟେକ ନୂଆ କଥାରେ ତାର କୁତୂହଳ ଆଉ ସନ୍ଦେହ । ନଲଟଣଟା ଜଳେ କେମିତି-ଘଣ୍ଟା ଭିତରୁ କାହିଁକି ଟିକ୍ ଟିକ୍ ଶବ୍ଦ ଶୁଭେ, ଛତାଟା କେମିତି ବୁଜିହୁଏ, ଏତିକିରୁ ଆରମ୍ଭ କରି ଜନ୍ମ ମରଣ ଅନାବୃଷ୍ଟି ମରୁଡ଼ି ମଡ଼କ ପର୍ଯ୍ୟନ୍ତ ତାର କାରଣ ଖୋଜା । ଯାହାକୁ ସେ ବୁଝି ନ ପାରେ, ତା’କୁ ସେ ଡରେ, ଯଥା, କାଗଜରେ ଟିପ ଦେବାକୁ, ତା’ ସମ୍ବନ୍ଧରେ କିଛି ଗୋଟାଏ ଲେଖିଦେବାକୁ, ପୋଢ଼ କାହିଁକି ଭୁସ୍ ଭାସ୍ ମରିଗଲା ତାର କାରଣ ନ ଜାଣିବାକୁ ।

 

ବଣେ ବଣେ ବାଘ ସାପ, ସମାଜରେ ସାହୁକାର, ଅଧିକାରୀ । ଯଦି ଏପରି ଆଶ୍ଚର୍ଯ୍ୟଭାବେ କନ୍ଧଜାତି ବଞ୍ଚି ରହିଛି ସେ ଖାଲି ଏ କାରଣ ଖୋଜିବା ବଳରେ ।

 

ମିଣିଆପାୟୁ-ହାର୍ଗୁଣା ଭାବିଲା, ଦୁଇ କଥା ହେବ, ଚଇତ ଆସୁଛି, ସେ ଗାଁରେ ପୁବୁଲି-

•••

 

ତିରିଶ

 

ସକାଳୁ ଆହୁରି ଯୋଡ଼ିଏ ପୋଢ଼ ମଲେ ।

 

ଦିନବେଳେ କିଛି ଜଣାପଡ଼ି ନ ଥିଲା, ରାତିରେ ଗୁହାଳଘରେ କ’ଣ ହେଲା, ସକାଳକୁ କାଠ । ଦେହରେ କେଉଁଠି ଖଣ୍ଡିଆ ଚିହ୍ନ ନାହିଁ । ସାପ ମାରିଥିବାର କୌଣସି ସୂଚନା ନାହିଁ, ଅଥଚ ଦି ଦିନରେ ଛଅଟି ପୋଢ଼ ଏ ଗାଁର ଗଲେଣି ।

 

କାଟି ଦେଖିଲା ବେଳକୁ ରକ୍ତ ମହଳଣ ପଡ଼ି ନାହିଁ, ଅତି ଉଜ୍ଜ୍ୱଳ ନାଲିଆ, କେବଳ ମୁଣ୍ଡା ହୋଇଯାଇଛି ।

 

ଦେହର କେଉଁ ଆଞ୍ଚୁଡ଼ା ବାଟେ କେଉଁ ସନ୍ତସନ୍ତଆ ଭୂଇଁରୁ ଆନ୍‌ଥ୍ରାକ୍ ବୀଜାଣୁ ପଶିଯାଇଛି । କନ୍ଧ ଆଖିରେ ସେ ପଡ଼େ ନାହିଁ, କନ୍ଧ ଧାରଣାରେ ତାର କଳନା ନାହିଁ । ବଣର ମଣିଷ କପାଳକୁ କୋଡ଼େ, ବେଜୁଣୀ ନଚେଇ ଦେବତାଠୁ ଜବାବ ଖୋଜେ, ବିଶ୍ୱାସ କରି କରି ତାର ଦିନ ସରିଯାଏ ।

 

ମିଣିଆପାୟୁର ବୁଢ଼ୀ ବେଜୁଣୀକୁ ପଚାରି ପୋଢ଼ ମରାର ସତ୍ୟ ଅନୁସନ୍ଧାନ କରିବାକୁ ବନ୍ଦିକାରର ସାଓଁତା ଆଉ ବଡ଼ ରଇତ କେଇଜଣ ଚାଲିଥିଲେ ।

 

ଖରା । ଖାଲି କ୍ଷେତ ଖାଁ ଖାଁ, ଫସଲ ଉଠିଯାଇଛି, ଏଣିକି ପଦା । ବଣର ତେଜ ମଉଳି ଆସିଲାଣି, ଉଠାଣି କାଟୁଛି ।

 

ଖଣ୍ଡ ଦୂର ଗଲେ, ବଣ ଭିତରେ ‘ବାଘ ମାରୁ’ ଝୋଲା ପଡ଼ିଲା । ଗୋବର ପଡ଼ିଥାଏ, କରପାଟିଆ ହୋଇ ଠାଏ ଗୋରୁହାଡ଼ ପଡ଼ିଥାଏ, ଚାରିଟା ବଡ଼ ବଡ଼ ନିଭିଲା ଚୁଲି ।

 

ଟିଙ୍ଗୁ କନ୍ଧ କହିଲା, ‘ହେଇ ଦେଖିଲୁଣି ନା ସାଓଁତା, ଏ କେଉଁ ଡମ୍ ପଟ୍‌କାରଙ୍କ କାମ, ଗୋରୁ ମାରିଛନ୍ତି, ନିସ୍ତୁକ ମଜାକରି ରାନ୍ଧି ଖାଇ ମଉଛବ କରିଛନ୍ତି ।’

 

ସୋଉନା କନ୍ଧ କହିଲା, ‘କେମିତି ଜାଣିଲୁ ଗୋରୁ ମାରିଛନ୍ତି ବୋଲି ? ଖାଲି ଚୁଲି ଥିଲେ ତ ଗୋରୁ ମାରିବା ଜଣାପଡ଼େ ନାହିଁ, ମଲା ଗୋରୁ ହାଡ଼ କ’ଣ ଏଠି ସେଠି ପଡ଼େ ନାହିଁ ଯେ ବଡ଼କଥା ।’

 

‘ନା ଭାଇ ନାଇଁ । ଡମ୍ ଲୋକ ନ ହେଲେ କାହାର ଏତେ ଲୋଭ ହେବ ପରର ଗୋରୁ ଟାଙ୍ଗିଆ ମୁଣ୍ଡିରେ ପିଟି ଖାଇବାକୁ କହ ? ବାଘ ଯେତେ ନ ଖାଏ ସେତେ ଖାଏ ଡମ୍, ସତେ କି ନାହିଁ ? ମହା ଗଣ୍ଡା । (ବଦମାସ୍) ଜାତି ସେମାନେ-।’

 

ହାର୍ଗୁଣା ସାଓଁତା କୌଣସି ମତାମତ ଦେଲା ନାହିଁ । ଗୋଟାଏ ପ୍ରଚ୍ଛନ୍ନ ଭୟ ହେଉଥିଲା ତାର । ଏଇ ଛ’ଟା ପୋଢ଼ ଯେ ଗାଁରୁ ଗଲେ, ଡମ୍ବର ହାତ କ’ଣ ନ ଥିବ ଏଥିରେ ? ସେମାନେ ତ ଡୁମ୍ବା (ପିଶାଚ) ଜାତି, ପା’ନା (ବେଙ୍ଗ) ଜାତି, କାଳେ କିଏ ଲୁଚେଇ ବିଷ ଦେଉ ନ ଥିବ ? ଗୋରୁକୁ ବିଷ ଦେବା, ଲୁଚେଇ ଲୁଚେଇ ମାରିପକେଇବା, ଏଥିରେ ସେମାନେ ହିଁ ଧୁରନ୍ଧର । ତାଷ ବେଉସା ଉଠିଯାଏ, ବଣପୋଡ଼ିରେ ଏଣେ ତେଣେ ଗୋରୁ ଖୋଜି ବୁଲନ୍ତି, ଧେଡ଼ ପଡ଼େ, ଫାଟିଆ ଧରେ, ଗୋରୁ ବସନ୍ତ ହୁଏ, ବଣ ଭିତରେ ଅନ୍ୟ କୌଣସି ଉପାୟ ନାହିଁତ,-ଆଉ ଠିକ୍ ଏତିକିବେଳେ ବଢ଼େ ଡମ୍ବମାନଙ୍କର ଅଦୋଉତି ।

 

ହାର୍ଗୁଣା କହିଲା, ‘ଏତେ ବକିହେଲେ କ’ଣ ହେବ, ମିଣିଆପାୟୁର ବେଜୁଣୀ ବୁଢ଼ୀ ଯଦି ସତେ ଏମିତି କହି ଜାଣେ ତେବେ ଅଳ୍ପ ସମୟରେ ତ କଥାଟା ଜଣାପଡ଼ିଯିବ । ଡମ୍ବ ଯଦି ଆମ ପୋଢ଼ଙ୍କୁ ବିଷ ଦେଲେ ତେବେ ଆମେ ବି କ’ଣ ତାଙ୍କୁ ଛାଡ଼ିଦେବା ?’

 

ଟିଙ୍ଗୁ କହିଲା, ‘ଜାଣିପାରିଲେ ତ, ତାଙ୍କର ନାଁ ଗାଁ ସବୁ । କେଉଁ ଗୋଟାଏ ଗାଁର ଡମ୍ବ ଆଇଲା ବୋଲି କିଏ କହିପାରିବ । କାମଦାମ ନ ଥିବ, ତୁଚ୍ଛାଟାରେ ଦୁଷ୍ଟାମି କରିବା ପାଇଁ ଏଣେତେଣେ ହୋଇ ଡମ୍ବକୁଦା (ଦଳ) ବୁଲୁଥିବେ, ଦେଖିଲେ କହିଦେବେ ଗୋଡ଼ (କୁଣିଆ) ଯାଉଚି, ହାଟକୁ ଯାଉଚି, ବେଭାର କରି ଯାଉଛି, ଏମିତି କେତେ କ’ଣ, ପାରିହେବ ତାଙ୍କୁ ?’ ଖାଇବା ଚରାରେ ମହୁରା ଦେଇଥିବେ, ଜଡ଼ିବୁଟି ଦେଇଥିବେ, କାଇଁଚ ବାଟି ଗୋଜିଆ କରି ସେଥିରେ ଫୋଡ଼ିଦେଇଥିବେ, ଓସ୍ତାଦ ତ ସେମାନେ, କେତେ ଉପାୟ ଜାଣନ୍ତି ।’

 

ହାର୍ଗୁଣା ନିଶ୍ୱାସ ପକୋଉଥାଏ । ଜୀବନର ଏତେ ଯେ ଜଟିଳତା ସବୁ ତାକୁ ସମାଧାନ କରିବାକୁ ପଡ଼ିବ, ତେବେ ଯାଇ ସେ ସମାଲୋଚନାରୁ ଅବ୍ୟାହତି ପାଇବ, ଲୋକଙ୍କର ବିଶ୍ୱାସ ଆସିବ ସେ ତାଙ୍କର ନାୟକ, ସାଓଁତା । ନିଜର ଗୋଷ୍ଠୀର ଭଲ ମନ୍ଦ ସବୁ ବିଷୟରେ ସେ ଦାୟୀ ।

 

ବିରକ୍ତ ହୋଇ କହିଲା, ‘କାହିଁକି ଆଉ ସେହିକଥା ସେହିକଥା ହୋ, ଆଉ କିଛି ପକାଅ-।’ ‘ସତକଥା’, ଟିମା କନ୍ଧ କହିଲା, ‘ଏଥର ବଣ ପଡ଼ିଲା, ଧର, ଗୀତ ଧର ।’

 

ଜଣେ କିଏ ପଦେ ଗୀତ ଆରମ୍ଭ କରିଦେଲା, ତା’ପରେ ସମସ୍ତେ ଏକା ସ୍ୱରରେ ଧରିଲେ । ଗର୍ଜନ କରି ଉଠେଇ ପକେଇ ଲହଡ଼ି ଛାଡ଼ିଦେଇ ଚାଲିଲେ କନ୍ଧମାନେ, ଏହି ତାଙ୍କର ବାଟଚଲାର ନୀତି । ଗୀତ ଘୋଷାର ‘ବାଇଲେ ବାଇଲେ’ ମଝିରେ ଗୀତରେ ଗୀତରେ ଆପଣାର ସବୁ ଦୁଃଖଦୁର୍ଦ୍ଦଶା ସେ କହିଲାଗିଲେ । ସେଥିରେ ତାଷର ଅବସ୍ଥା, ସାଉକାରକୁ ଗାଳି, ମଲା ପୋଢ଼ର ଗୁଣବାହୁନା ସବୁ ରହିଗଲା, କଥାଭାଷାର ବଦଳ ସେ ଗୀତ, କଥାଭାଷା ଅପେକ୍ଷା ଅଧିକା ରହିଛି ସ୍ୱରଲହରୀ ।

 

କିଛିଦୂର ଗଲାପରେ ଦେଖାଗଲା ଦୂରରୁ ଜଣେ କିଏ ଦୌଡ଼ି ଦୌଡ଼ିକା ଆସୁଛି । ହାତରେ ଚାଖଣ୍ଡେ ଲମ୍ବର ଖଣ୍ଡେ ବତା ଧରିଛି । ସେଥିରେ କ’ଣ ବନ୍ଧା ହୋଇଛି । ଆଗରେ ଦିଶୁଛି ଗୋଟାଏ ବଡ଼ ନାଲି ଲଙ୍କାମରିଚ । ଗୀତର ଲହଡ଼ି ଚୂନା ହୋଇଗଲା, ମୁହଁର ପାଣି ମରିଗଲା, ସମସ୍ତେ ଥକ୍‌କା ହୋଇ ଠିଆହେଲେ, ସମସ୍ତିଙ୍କ ଦୃଷ୍ଟି ସେହି ନାଲି ଲଙ୍କାମରିଚ ଆଡ଼କୁ ।

 

ଆସିବା ଲୋକ ଏଥର ଧୀରେ ସୁସ୍ଥେ ପାଖକୁ ଲାଗିଆସିଲା । ହାତର ବତାକୁ ଟେକି ଧରିଛି । ମୁହଁ ଖୁବ୍ ଖୁସି, ଖୁସି, କପାଳ ଝାଳରେ ଜୁଡ଼ୁବୁଡ଼ୁ ।

 

ପାଖକୁ ଭିଡ଼ିଆସି ହସିଦେଇ ସେ କହିଲା, ‘ଓ ହୋ କପାଳ ଭଲ; ଏଇଠି ଦେଖା ମିଳିଗଲା, ଖରାରେ ଦଉଡ଼ି ଦଉଡ଼ି ଏତେ ବାଟ, ଅଇଚ୍ଛା ପୁଣି ଦଉଡ଼ି ଦଉଡ଼ି ଯାଇଥାନ୍ତି ବନ୍ଦିକାରଯାକେ । ବସିବା ଟିକିଏ । ନିଆଁ ଅଛି ଟିକିଏ ବାହାର କର ।’

 

‘କେଉଁଠୁ ଆସିଲ ?’

 

‘ବହୁତ ଦୂର, ଭାଲୁଯୋଡ଼ି, ଯାଉଥିଲି ତ ତମ ବନ୍ଦିକାର ଗାଁକୁ, ଆଉ ପାରିବି ନାହିଁ ଏଥର ତୁମେ ନିଅ, ମୋର କାମ ଶେଷ ।’

 

‘କେମିତି ଜାଣିଲ ଆମ ଗାଁ ବନ୍ଦିକାର ବୋଲି ?’

 

ଆଗନ୍ତୁକ ହସିଲା । କହିଲା, ‘ସେଇଆ ତ କହୁଥିଲି । ଏକୁଟିଆ ଲୋକ, ଚାରିଆଡ଼କୁ କାନେଇଁ କାନେଇଁ ଆସୁ ଆସୁ ତୁମ ଗୀତ ଶୁଣିଲି । ଯାହାହେଉ, ଭେଣ୍ଡିଆ ଲୋକ ବୋଲି ସିନା ତମେ ଗୀତରେ ଗୀତରେ କହୁଥିଲ ଆମେ ବନ୍ଦିକାରିଆ ବୋଲି, ନ ହେଲେ ମୁଁ ବାଟ ଭାଙ୍ଗି ତେଣେ ତେଣେ ଚାଲିଯାଇଥାନ୍ତି । କୁଆଡ଼ୁ ହୁଅନ୍ତା ? ମୋର ଯୋଗ ଥିଲା ଏଇଠି ବୋଝ ଖସିବ ବୋଲି ।’

 

‘ବୋଝ ?’

 

‘ହଁ’ ଲଙ୍କାମରିଚ ଆଡ଼କୁ ଆଙ୍ଗୁଠି ଦେଖେଇଲା । ଏଇ ଠପା (ଚିଠି) ଅମିନ୍ ପଠାଇଚି ଫଟ୍‌କିଯାମ୍‌ରୁ ଡୋକ୍ରିବେଡ଼ା ଯିବ ରିବିନି ପାଖକୁ । ଜରୁରୀ ଅଛି, ତେଣୁ ମରିଚ ବାନ୍ଧିଦେଲା । ଦୌଡ଼ି ଦୌଡ଼ି ଯିବାକୁ ହେବ । ମୋର ପାଳି ବନ୍ଦିକାରଯାକେ । ତୁମେ ସେଠୁ ଯାହା କର ତୁମର ଇଷ୍ଟ (ଇଚ୍ଛା), ଦେଖା ତ ହୋଇଗଲା, ଏଥର ତୁମେ ବୁଝିନିଅ ମୁଁ ଯାଉଛି ।’

 

ପିକା କାହାଳୀଟି କୌପୁନୀରେ ମାରିଦେଇ ଟାଙ୍ଗିଆ କାନ୍ଧେଇ ଆସିବା ଲୋକଟି ବଣ ଭିତରର ଆଉ ଗୋଟିଏ ବାଟରେ ।

 

ଲଙ୍କାମରିଚ ବନ୍ଧାହୋଇଥିବା ବତା ଓ ଚିଠି ସେହିପରି ପଡ଼ିରହିଲା । ବିମର୍ଷ ହୋଇ ସେହିଆଡ଼କୁ ସମସ୍ତେ ଅନେଇ ରହିଲେ । ଯେଉଁ ଚିଠିରେ ଲଙ୍କାମରିଚ ବନ୍ଧା ହୋଇଛି ପର୍ବତିଆ ବୁଝାମଣାରେ ସେ ଖୁବ୍ ଜରୁର୍ ଚିଠି, ତାକୁ ଦୌଡ଼ି ଦୌଡ଼ି ନେଇ ପହଞ୍ଚେଇବା ଭାର ସମସ୍ତିଙ୍କ ଉପରେ । ଲଙ୍କାମରିଚ ବାନ୍ଧିସାରି ଜଣକ ହାତରେ ତାକୁ ଦେଇଦେବାକୁ ହୁଏ, ଠିକଣାଟା କହିଦେବାକୁ ହୁଏ, ତା’ପରେ ଚିଠି ମନକୁ ଚାଲିଲା, ଦୌଡ଼ି ଦୌଡ଼ି ଚାଲିଲା, ଯାହା କାନ୍ଧରେ ଲଦି ଦେଲା ସେ ପୁଣି ଧାଇଁ ଧାଇଁକା ଆର ଗାଁରେ ଦେଇଦେବାକୁ ବାଧ୍ୟ ।

 

କେଉଁ ପୁରୁଣାକାଳରୁ ଏ ପ୍ରଥା କନ୍ଧ ଦେଶରେ ଚାଲି ଆସୁଥିଲା, ବୋଧହୁଏ କନ୍ଧର ରାଜୁତି ଅମଳରୁ ଡାଙ୍ଗ ଖଣ୍ଡକରେ ଚିଟାଉ ଲଟକାଇ ସେଥିରେ ନାଲି ଲଙ୍କାମରିଚ ବାନ୍ଧିଦେଲେ ଖବର ଜରୁରୀ ହୁଏ, ଗଇଁ ସଇଁ ହୋଇ ଧାଇଁଯାଇ ସେ ଖବର ପହଞ୍ଚେଇବାକୁ ସମସ୍ତେ ବାଧ୍ୟ, ନାହିଁ କରିବାକୁ କାହାରି ଚାରା ନାହିଁ । କାଳକ୍ରମେ ଏଇ ପ୍ରଥାର ସୁବିଧା ନେଇଛନ୍ତି ଅନ୍ୟଲୋକେ, ତାଙ୍କର ଭାର କାଉଡ଼ି ସହିତ ଘରୋଇ ଚିଠିରେ ବି ନାଲି ଲଙ୍କାମରିଚ ବନ୍ଧା ।

 

ହାର୍ଗୁଣା କହିଲା, ‘ବେଠି ହାବୁଡ଼ିଗଲା ଅଧାବାଟରେ । ଯିବାକୁ ତ ହେବ ଯାଅ, ଗୋଦ୍ରି ପର୍ଯ୍ୟନ୍ତ ଆମ ଗାଆଁର ଯିବାର କଥା, ସେଠି ଯାଇ ପହଞ୍ଚେଇ ଦେଇ ଆସ ।’ ରଘୁ କନ୍ଧ, ଦାସ କନ୍ଧ ବାହାରି ଚାଲିଗଲେ, ଦଳ ପାତଳ ହୋଇଗଲା ।

 

ବାଟେ ବାଟେ ସେହି ଚିଠିର ଆଲୋଚନା ।

‘କ’ଣ ଲେଖି ପଠେଇବି କେଜାଣି ।’

‘ଶିସ୍ତୁଦାସ୍ତୁ (ଖଜଣା), କମାନ୍ (ଗସ୍ତ), କିଏ କହିପାରିବ କ’ଣ ଅଛି ?’

 

‘ନାଇଁ ସରୁ ଚାଉଳ, ଘିଅ, ପାଳୁଅ, କୁକୁଡ଼ା, ଛେଳି,’ ସୋଭେନା କହିଲା, ‘କ’ଣ ବାହାଘର ଲାଗିଛି କାହାରି ?’

 

‘କେବେ ତାଙ୍କର ବାହାଘର ନ ଲାଗେ କି ବଣକୁ ଆସିଲେ ?’ ଟିଙ୍ଗୁ କନ୍ଧ କହିଲା, ‘ଥରେ ବିଜେ କଲେ ଲାଗି ରହିଥିବ ଭାର ପଛରେ ଭାର, ଆମେ ବୋଝ ବୋହି ବାଇଲେ ବାଇଲେ (ବିଶେଷତଃ ବାହାଘରବେଳେ ବୋଲାଯାଏ) କରି ଗୋଡ଼େଇ ଥବୁ, ଠିକ୍ କନିଆ ଖେଟେଇ (ପହଞ୍ଚେଇ) ଦେଇ ଗଲାପରି ।

 

ସମସ୍ତେ ହସିଲେ ।

 

‘ଜିନିଷ ସାଙ୍ଗକୁ ଡମ୍ବସାହି କି ଖିରସ୍ତାନି ସାହି ପଡ଼ିଗଲେ ନିଛାଟିଆ ବଙ୍ଗଳା ଘରେ ଚାଲିଲା ବାହାଘର । ଏମିତି ତ ତାଙ୍କର ଧାରଣା’, ସୋଭେନା କହିଲା ।

 

ସମସ୍ତେ ହୋ ହୋ ଗଡ଼ିଲେ ।

 

ଟୋକା ସାଓଁତା ଖୁବ୍ ଗମ୍ଭୀର ହୋଇ କହିଲା, ‘ଖାଲି ହସି ଦେଉଛ ତୁମେମାନେ କଥା ବୁଝୁନା’ ।

 

‘କ’ଣ ?’

 

‘ଚିଠି ତ ଗଲା, ୟା ପଛେ ପଛେ ଯଦି କାହାର କମାନ୍ (ଗସ୍ତ) ପଡ଼ିଗଲା ତ ଆମେ ହରବର, ଭାର କାଉଡ଼ି ଡୋଲି ବୋହି ବୋହି କାନ୍ଧ ଭାଙ୍ଗିପଡ଼ିବ ।’

 

‘କହନା ସାଓଁତା କହନା, ସେଗୁଡ଼ା ଅଶୁଭ କଥା । କୋଉଠି ଆମ ଗାଁକୁ କାହାର କମାନ୍ ପଡ଼ୁଛି, ଆମେ ତ ବଣ ଖୋଲିରେ ଅଛୁଁ, ବହୁତ ଦିନୁଁ ସେ ଜଞ୍ଜାଳ ବନ୍ଦ । ବେଳେ ବେଳେ ବଡ଼ ଅଧିକାରୀମାନେ ଗଡ଼ି ଆସନ୍ତି, ଆରାମ ଚୌକି ବାଉଁଶ ବାନ୍ଧିଦେଇ ଡୋଲି କରି ଆମେ ଉଠେଇ ନେଇ ଚାଲୁ, ଖାଲି ଯଦି ଅଧିକାରୀ ଡୋଲିରେ ବସୁଥା’ନ୍ତେ ! ହଁ କ’ଣ କରିବା ଆମର ମା’ ବାପ, ଜଣିକିଆ ଲୋକ; ଉଠେଇ ନିଅନ୍ତୁ ଚାଲନ୍ତୁ । କିନ୍ତୁ ସେତିକି ତ ନୁହେଁ, ଦଲାଇତ୍ (ଚପରାସୀ) ବାବୁମାନଙ୍କ ପାଇଁ ଡୋଲି, ଗୁମାସ୍ତା ବାବୁ (କିରାନିମାନଙ୍କ) ପାଇଁ ବି ଡୋଲି, ନୌକର ପାଇଁ, ରୋଷେଇୟା ପାଇଁ, ଜୋତାବୁହା ପାଇଁ, ପାଣିବୁହା ପାଇଁ ଶେଷରେ କୁକୁର ପାଇଁ ବି ଡୋଲି । ସେମାନେ ଚଢ଼ିବସିବେ ଆମେ ବୋହିବୁଁ, କମି ଗମତ୍ ?’

 

‘ଡୋଲି ବନ୍ଦ ହୋଇଗଲା ସୋଭେନା ଭାଇ’, ଟିଙ୍ଗୁ କନ୍ଧ କହିଲା, ‘ଗବର୍‌ମେଣ୍ଟୁ ଅଡ଼ର୍ ଡୋଲି ବୁହା ବନ୍ଦ, ନ ହେଲେ ଯେଡ଼େ ପାହାଡ଼ କନ୍ଦରାରେ ଥିଲେ ସୁଦ୍ଧା ରକ୍ଷା ମିଳନ୍ତା ନାହିଁ ।’

 

‘ସତ୍ ସତ୍’, ସୋଭେନା କହିଲା, ‘ଷଣ୍ଢ ସାହିବ (ସାଣ୍ଡାର୍ସ) ଗୁଟେ ଆସିଥିଲା, ଆହା କୁଆଡ଼େ ଗଲା ବିଚରା, ତାର ବଡ଼ତି ହେଉ । ହଜାରେ ବରଷ ବଞ୍ଚୁ, ରକ୍ଷାକଲା ରକ୍ଷାକଲା ସେ । ସେଇ ବନ୍ଦ କରିଦେଇଗଲା ଡୋଲି । ହାଟରେ ବାଟରେ ଡେଙ୍ଗୁରା ପିଟେଇଲା, ଗବରମେଣ୍ଟ୍ ଅଡ଼ର୍, ଡୋଲି ବନ୍ଦ୍, କେହି ଡୋଲିରେ ଚଢ଼ିପାରିବେ ନାହିଁ, କାହାକୁ ଡୋଲି ଦିଅ ନାହିଁ, ଆହା ହା, ଦେବତା ପରି ଲୋକ, ବଡ଼ ଭଲଲୋକର ଡୁମା ସେ, ଯେଣେ ଥାଉ ତାର ଜୟ ଜୟକାର ହେଉ, କନ୍ଧ ଲୋକର ମା ବାପ୍’ ।

 

ବନ୍ଦିକାରର ବୁଢ଼ା ଜାନି ଶଲ୍‌ପୁ କନ୍ଧ, ଆଖିବାଳ ବି ତାର ପାଚିଛି, ବୁଢ଼ା ତୁନିତାନି ଚାଲି ଲାଗିଥିଲା ଆପଣାର ବୟସର ବୋଝ ମୁଣ୍ଡେଇ । ସାଣ୍ଡାର୍ସ ନାଁରେ ତାର ଧୂଆଁଳିଆ ନେଳିଆ ଆଖି ଭିତରେ ନିଆଁ ଜଳିଉଠିଲା । ବିଜୁଳିର ଚମକ ଖେଳିଗଲା ଦେହ ଭିତରେ । କନ୍ଧ କୃତଜ୍ଞତାରେ ବନ୍ଧା ପଡ଼େ, ଦୟା ପାଇଲେ ଶିଙ୍କୁଳି ବାନ୍ଧିହୁଏ, ଆଉ କିଛି ନାହିଁ ସଂସାରରେ ତାର ଦୂରନ୍ତ ମନରେ ବେଡ଼ି ପିନ୍ଧେଇବାକୁ ।

 

‘କି ନାଁ ଧରିଦେଲରେ ପିଲେ ଆଜି’ ଶଲ୍‌ପୁ କନ୍ଧ, ଫମ୍ପା ଗଳାରେ କହିଲା, ‘ଆହାହା, ଆଜି ଦିନଗୋଟାକ ଭଲ ହୋଇଗଲା । ତୁମେ ତା’କୁ ଦେଖିଛି କି କେବେ, ଷଣ୍ଢ ସାହେବକୁ ? ଦେଖିଥିଲେ ପାପ ଆଖି ପବିତ୍ର ହୋଇଥା’ନ୍ତା ।’

 

ବାଟର କର୍କଶପଣିଆଁ କୋମଳ ହୋଇଉଠିଲା ସାଣ୍ଡାର୍ସ ସାହେବର ସ୍ମୃତିରେ । ବୃଦ୍ଧ ଶଲ୍‌ପୁ କନ୍ଧ ଶୂନ୍ୟକୁ ଅନେଇଁ ବାରମ୍ବାର ଜୁହାର କରିକରି କହିଲାଗିଲା-

 

‘ଅଧିକାରୀମାନେ ଆସନ୍ତି, ଆମର କନ୍ଧପୃଥ୍ୱୀ ଜୟ କରିଛନ୍ତି ଶାସନ କରିବାକୁ । ଷଣ୍ଢ ସାହିବ ଆମକୁ ଶରଧା କରିବାକୁ ଆସିଥିଲା । ପୁଅପରି ପାଳିବାକୁ ଆସିଥିଲା ।

 

ଆଗେ ଥିଲା ସାହିବ ଲୋକର ଦିସାରି (ମିଶନେରୀ), ପଛେ ହେଲା ପୁଲିସ୍ ସୁପ୍ରଣ୍ଟ । ସାହିବ କାହିଁକି କହିବ ତାକୁ, ବର୍ଣ୍ଣରେ ସାହିବ ସିନା, ଏଡ଼େ ଭଲ ଲୋକଟି ଠିକ୍ କନ୍ଧପରି, ଆମରି ପରି ଖଦି (ଲୁଗାପଟା) ପିନ୍ଧିବ, ଲାଉତୁମ୍ବା ଝୁଲାଇବ, ମେଘ ହେଲେ ପତ୍ର ସିଲେଇ ତଳ୍ର ତଲ୍ରି (ବର୍ଷାତି) ନାଇବ, ଗୋଟିଏ ଲୋକ ଧରି ଚାଲି ଚାଲି ପଶିବ ବଣରେ, ଓଃ କି ଚାଲି ଚାଲିବ ସେ ଘାଟି ଟିକ୍ରା ସବୁ ହିଣ୍ଡି (ଚାଲି) ଯିବ । ଆମରି ପରି ପେଜ (ମାଣ୍ଡିଆ ଜାଉ) ଖାଇବ, ଓଣ୍ଡା ତମ୍ପା (ମାଣ୍ଡିଆ ଭାତ) ଖାଇବ, ଫୁଙ୍ଗାରେ ପଦାରେ ଗଛମୂଳେ ହେଲେ ଶୋଇପଡ଼ିବ, ଏଡ଼େ ସାହାବଟେ, ଗଉଁ ନାହିଁ ଆଡ଼ମ୍ବର ନାହିଁ କିଛି ନାହିଁ । ଠିକ୍ ଆମର ଲୋକପରି ।

 

ଯେବେ ଆସିବ ଆମ ପାଇଁ ଧୁଙ୍ଗିଆ ଆଣିଥିବ, ପିଠା ଆଣିଥିବ, ସାମାନ୍ୟ ଲୋକପରି ଗୋଟିଏ ଗୋଟିଏ ଚାଲିଆସି ଗାଁ ଦାଣ୍ଡରୁ ପାଟି କରି ‘ନାଇକ ମହାପ୍ରଭୁ, ସାଓଁତା ମହାପ୍ରଭୁ, ଜୁହାର ଜୁହାର୍’ ।

 

ପିଣ୍ଡା ଉପରେ ବସିପଡ଼ି, କହିବ ‘କିଛି ଡର ନାହିଁ, ଆମେ ତୁମର ବନ୍ଧୁ, ପେଜ ମନ୍ଦେ ଦବ ?’ ଷଣ୍ଢ ସାହେବ ମହାତ୍ମା ଜଣେ ସେ ।

 

ତାହାର ଜାବିରୁ (ମୁଣି) ଲଫାପା ବାହାର କରିବ, କାଗଜ ବାହାର କରିବ, କହିବ ନିଅ-! ତୁମେ ତ ଲେଖାପଢ଼ା ଜାଣିନଁ, କେହି ଆଲରା କଲେ (ହରକତ କଲେ) କେମିତି କରିବ ? ହେଇ ଦେଖ, ଯଦି କିଏ ତମୁକୁ ମାଡ଼ମାରିବ, ଏ କାଗଜରେ ଅଙ୍ଗାରରେ ଏମିତି ଗୋଟାଏ ଛକି ଲେଖିଦେବ, ଯଦି କେହି ପଇସା ମାଗିବ, ତେବେ ଏ କାଗଜରେ ଏମିତି ଗୋଟିଏ ଗୋଲ୍ ଗାରେଇ ଦବ, ଏ ଲଫାପାରେ ପୂରେଇ ଦେବ, ହାଟଦିନ କିଏ ଲୋକ ଯାଉଥିବେ ନାରଣପାଟଣା କି ଡୁମ୍ରିପୁଟ୍ କି କୋରାପୁଟ କି କୋଉ ଟେସନକୁ, ଡାକରେ ପକେଇ ଦେବେ । ପକେଇ ଦେଲେ,-ମୁଁ ଝଟ୍ ଚାଲିଆସିବି । ଆସୁଥିଲା ସେ, ଷଣ୍ଢ ସାହେବ, କଥା ଦଉଥିଲା, କଥା ରଖୁଥିଲା ।

 

ଜଣେ ଅଧିକାରୀ ଥିଲେ, ଦୋରାଗାରୁ, ହାତୀପରି ମଣିଷ, ଗର୍ଜନ ବାଘପରି, ସେ ଆସିଲେ ରକ୍ତ ଶୁଖିଯାଉଥିଲା ସମସ୍ତିଙ୍କର । ଏଡ଼େ ଏକ ଡୋଲି, ଖଣ୍ଡେ ଗାଡ଼ିପରି, ସେଥିରେ ସେ ଶୋଇପାରିବେ, ବସି ପାରିବେ, ସାମାନ୍ (ଜିନିଷ) ରଖିପାରିବେ । ପ୍ରତି ତିନିକୋଶକୁ ଗାଁ ଲୋକ ବାଟରେ ଜମା ହୋଇଥିବେ । ସଞ୍ଜରେ ସେ ଡୋଲି ଚଢ଼ିବେ । ଡୋଲି ବୋହିକରି ଦଉଡ଼ି ଦଉଡ଼ି ତାଙ୍କୁ ନେବାକୁ ହେବ, ଦି’ପାଖେ ଜଳନ୍ତା ମଶାଲ ଧରି ବର୍ଚ୍ଛା ଧରି କୋଡ଼ିଏ ଜଣ ଦଉଡ଼ି ଥିବେ, ଡୋଲି ଚାଲିଲା । ପ୍ରତି ଛ’ କୋଶରେ ଲୋକ ବଦଳୁଥିବେ । ଏକାରାତିକେ କୋରାପୁଟରୁ ଗିର୍ଲିଗୁମା, ତିରିଶି କୋଶ୍ ।

 

ଷଣ୍ଢ ସାହିବ ତା’କୁ ବି ସାଧ୍ୟ କଲା । ଥରେ ଡୋଲି ଚଢ଼ି ଯାଉଥିଲା, ଆମେ ବୋହିଥିଲୁଁ ହୋ, ଷଣ୍ଢ ସାହିବ ଡୋଲି ଅଟକେଇଦେଲା । ଦୋରାଗାରୁ କହିଲା ‘କିଏବେ ?’ ୟେ କହିଲା, ‘ମୁଁ ଷଣ୍ଢ ମୁଁ ସୁପର୍‌ଦଣ୍ଡ ଚିହ୍ନିଲୁ କି ?’ କହିଲା, ‘ବହୁତ ଅଏସ୍ କଲୁଣି, ଚର୍ବି ହୋଇଚି ଏବେ ଉତୁର୍, ତୁ ଡୋଲି ବୋହ୍ ।’ ଆମକୁ ଡୋଲିରେ ପୂରାଇଲା, ତାକୁ ଡୋଲି ବୁହାଇଲା, କହିଲା ‘ଏବେ ବୁଝିଲୁ କେମିତି ଗମତ୍ ଡୋଲିରେ ବସିବା ? ଗବ୍‌ର୍‌ମେଣ୍ଟ ଅଡ଼ର୍, ଡୋଲି ବନ୍ଦ, ଆଉ ଦିନେ ଚଢ଼ିଚୁ କି, ଦେଖ୍ ।’

 

‘ଷଣ୍ଢ ସାହେବ ଡୋଲି ବନ୍ଦ୍ କରିଦେଇ ଗଲା ।’

ସମସ୍ତେ କହିଲେ, ‘ଭଲ ଲୋକଟିଏ, କୁଆଡ଼େ ଗଲା ଆଉ କ’ଣ ତାକୁ ଦେଖିବା ?’

 

‘ଦେଖିବା ନାହିଁ ? ଶଳପୁ କନ୍ଧ କହିଲା, ‘କାହିଁକି ଦେଖିବା ନାହିଁ ? ବଞ୍ଚିବା ଯାକେ ସିନା ଦେଖା ହେବ ନାହିଁ, ସେ କେଉଁଠି, କେଉଁଠି ବା ଆମେ । କିନ୍ତୁ ମଲାପରେ-ସେ ପୁରରେ ତାକୁ ଖୋଜିବା, ପଚାରି ପଚାରି ଖୋଜିବା, କହିବା କୁଆଡ଼େ ଗଜଲା ଆମର ଷଣ୍ଢ, ମୁଁ ବନ୍ଦିକାରିଆ ଶଳପୁ କନ୍ଧ ଆସିଛି, କହିଦିଅ ତାକୁ ଟିକିଏ, ପୁଣି ଦେଖାହେବ, ପୁରୁଣା ପରି ସ୍ନେହ ଆଦର ଖୋଜାଲୋଡ଼ା, ସେ ଧୁଙ୍ଗିଆ ଦେବ ଆମେ ପେଜ୍ ଦେବା-’

 

ସମସ୍ତେ ଗୁମ୍ ପଡ଼ିଗଲେ, କଥା ସରିଗଲା ।

 

ଲଙ୍କାମରିଚ ଆସିଛି, କେହି ଜଣେ ବିଜେ କରୁଥିବେ ପରା-ସମସ୍ତେ ତ ଆଉ ଷଣ୍ଢ ସାହେବ ନୁହନ୍ତି !

 

ବନ୍ଦିକାର ପାଖ ହେଲା । ଚଢ଼ାଣିରେ ପଲେ ଧାଂଡୀ । ପୁଣି ଗୀତ ଆଉ ଗୀତର ଜବାବ, ଡିଆଁମାରି ଲୁଗା ଉଡ଼େଇ କୁହାଟମାରି ଭେଣ୍ଡିଆମାନେ ଚାଲିଲେ ଆଗକୁ ।

 

ଲଙ୍କାମରିଚ ଭୁଲିହେଲା ।

•••

 

ଏକତିରିଶ

 

ମିଣିଆପାୟୁ ଗାଁ ଭେରାମଣରେ (ସଭା ବସିବା ମଝି ଦାଣ୍ଡରେ) ପଞ୍ଚାତି ବସିଥାଏ । କନ୍ଧର ସାମାଜିକ ଜୀବନରେ ସବୁକଥାରେ ପଞ୍ଚୁଆତି । କିଏ କାହାକୁ ଗାଳିଦେଲା, କାହାର ଗୋରୁ କାହାର ଫସଲ ଖାଇଲା, ଏସବୁ ତ ଛୋଟ ଛୋଟ କଥା । ବ୍ୟଭିଚାରର ଶାସ୍ତି, ଚୋରକୁ ଦଣ୍ଡ, ଅନ୍ୟାୟ ବିଷୟରେ ମତାମତ । ତା’ପରେ ଗୋଷ୍ଠୀର କଥା, କେଉଁଠି ବଣମରା ହେବ, କେଉଁଠି ଘରତୋଳା ହେବ, କେଉଁ ଗାଁ ସାଙ୍ଗରେ ଅଥବା କେଉଁ ଦଳ ସହିତ ବନ୍ଧୁତା ଶତ୍ରୁତା ହେବ ।

 

ଆଜିର ପଞ୍ଚାୟତର ଟିକିଏ ବିଶେଷତ୍ୱ ଥିଲା । ଏ ଗାଁର ବୁଢ଼ା ବାଆଲି କନ୍ଧର ପୁଅ ସୁଗ୍ରୀ କନ୍ଧ ଘରର ଦୁରବସ୍ଥା ବଢ଼ିବାରୁ ଯାଇ ପର ଗାଁରେ ଭୋଗିଲା ଜଗନ୍ନାଥ ଶୁଣ୍ଢି ଘରେ ଗୋତି ରହିଥିଲା । ଗୋତି ବୋଲନ୍ତେ କିଣା ଚାକର, ଦଶୋଟି ଟଙ୍କା କରଜ ଆଣିଥିଲା ସେଥିପାଇଁ ଆଉ ଦର୍‌ହମା ନ ନେଇ ଦୁଇବର୍ଷ ଖଟିବାକୁ ପଡ଼ିବ, ଦିନରାତି ବନ୍ଧା, କେବଳ ମାସକୁ ଏକ ପୁଟି ମାଣ୍ଡିଆ, ଶୀତଦିନେ ବର୍ଷକୁ ଖଣ୍ଡେ ଟଙ୍କିକିଆ କମ୍ବଳ । ସୁଗ୍ରୀ କନ୍ଧ ସାହୁକାରର ଛେଳି ଜଗେ, ସାହୁକାରର ଘର ପାଖେ ଛେଳି କୁଡ଼ିଆ । ସେଦିନ ରାତିରେ ସାହୁକାର ଆପଣା ଘରକୁ ଚାଲି ଯାଇଥାଏ, ଫେରିଆସି ସୁଗ୍ରୀ କନ୍ଧ ଦେଖିଲା ଯେ ଗୋଟାଏ କଲରାପତରିଆବାଘ ଛେଳି କୁଡ଼ିଆରେ ପଶି ସବୁଯାକ ଛେଳିକୁ ମାରି ସାରିଛି । କେବଳ ଭୋଜି ଖାଇବା ବାକି । ସୁଗ୍ରୀକନ୍ଧ ଟାଙ୍ଗିଆ ଉଞ୍ଚେଇ ଧାଇଁଗଲା, ବାଘ ପଳେଇଲା । ସାହୁକାର ଖବର ପାଇ ଆସି ସୁଗ୍ରୀ କନ୍ଧ ଉପରେ ଛେଳିର ଦାମ୍ ଭିଡ଼ିଦେଲା । ଅଧିକାଂଶ ଥିଲେ ଛେଳିଛୁଆ, କିନ୍ତୁ ସାହୁକାର କହିଲା ଯେ ସେମାନେ ସବୁ ଦିନେ ବଡ଼ ହୋଇଥା’ନ୍ତେ ତେଣୁ ଛେଳିଛୁଆର ଦାମ୍ କଷିଦେଲା ବଡ଼ ଛେଳି ବୋଲି । କହିଲା, ‘ଘରକୁ ଖାଇବାକୁ ଯାଇ ନ ଥିଲେ ମୋର ଛେଳି ମରି ନ ଥା’ନ୍ତେ, ତେଣୁ ତାଙ୍କର ଦାମ୍ ଦେବାକୁ ବାଧ୍ୟ’ । ସୁଗ୍ରୀକନ୍ଧର ଟଙ୍କା ନାହିଁ, ତେଣୁ ସାହୁକାର ଠିକଣା କରିଦେଲା ଯେ ଏ ବର୍ଷକ ପୂର୍ବ ସର୍ତ୍ତରେ ସେ କାମ କରିବ, ବାକି ରହିବ କରଜରୁ ପାଞ୍ଚ ଟଙ୍କା ଓ ଛେଳିର ଦାମ୍ ପଞ୍ଚାବନ ଟଙ୍କା, ସେଥିଯୋଗୁଁ କେବଳ ମାସକୁ ଖାଇବାମାନିଆ ପୁଟିଏ ମାଣ୍ଡିଆ ନେଇ ସୁଗ୍ରୀକନ୍ଧ ପନ୍ଦରବର୍ଷ ଖଟିବ, ଟଙ୍କା ପାଇବ ନାହିଁ । ପାଞ୍ଚଟଙ୍କା ହିସାବରେ କଳ୍ପିତ ଷାଠିଏ ଟଙ୍କା ବାରବର୍ଷରେ ଛିଡ଼ିଥା’ନ୍ତା, କିନ୍ତୁ ଭୋଗିଲା ଜଗନ୍ନାଥ ବୁଝେଇଦେଲା ଯେ ଏସବୁ ଛେଳିଛୁଆ ବଡ଼ ହୋଇଥିଲେ ସେ ଏମାନଙ୍କୁ ବିକିଥା’ନ୍ତା ଓ ବିକ୍ରୀ ଟଙ୍କାକୁ କରଜ ଲଗେଇ ସେ ଟଙ୍କାରୁ ତିନିଗୁଣ କରିଥା’ନ୍ତା; ପନ୍ଦରବର୍ଷ ପରିବର୍ତ୍ତେ କୋଡ଼ିଏ ବର୍ଷ କରିବା ଉଚିତ ଥିଲା କିନ୍ତୁ ଦୟା କରି ପାଞ୍ଚଟା ବର୍ଷ ସାହୁକାର କଟେଇ ଦେଇଛି । ଏହିସବୁ ସର୍ତ୍ତରେ ପନ୍ଦରବର୍ଷ କିଣା ନୌକରଗିରି ସୁଗ୍ରୀକନ୍ଧଠୁ ଭୋଗିଲା ଜଗନ୍ନାଥ ଅଣାକିଆ ଟିକସ ଉପରେ ଲେଖାଇ ନେଇଛି । ଭବିଷ୍ୟତକୁ ଅନେଇଁ କାନ୍ଦି ବୋବେଇ ସୁଗ୍ରୀକନ୍ଧ ଗାଁ ଲୋକଙ୍କର ସଲାହ ନେବାକୁ ପଞ୍ଚାତି ଡକେଇଛି, ପଞ୍ଚାଏତ ବସିଛି ।

 

ଟୋକାଦଳ ଆଉ ବୁଢ଼ାଦଳଙ୍କର ଲାଗିଥାଏ । ବନ୍ଦିକାରର ଲୋକେ ପହଞ୍ଚିଲେ । ଦିଉଡ଼ୁ ସାଓଁତା କହୁଥାଏ, ‘ଦେ ମେଡ଼ିଦେ (ଅମାନ୍ୟ କରିଦେ), କ’ଣ କରିବ ତୋର ସାହୁକାର । ବାଘ ଛେଳିକୁ ଖାଇଲା ଭଲ କଲା, ତୁ କ’ଣ ବାଘକୁ ଶିଖେଇ ଦେଇଥିଲୁ ? ଦୋଷ ଯଦି କାହାରି ତେବେ ସାହୁକାରର, ତୁ ନ ଆସିବାଯାକେ ଛେଳି ଗୁହାଳ ଛାଡ଼ିଦେଇ କାହିଁକି ସେ ଗଲା-।’

 

ବୁଢ଼ାଦଳ ମେଡ଼ିଦେବାର ବିପକ୍ଷରେ, ତାଙ୍କର ଅଗ୍ରଣୀ ଲେଞ୍ଜୁ କନ୍ଧ ।

ଲେଞ୍ଜୁ କନ୍ଧ କହିଲା, ‘ତୁମେ ତ ବୁଝିପାରୁ ନାହଁ; ସାହୁକାରର କ୍ଷତିପୂରଣ ପାଇବ ସେ କେମିତି ?’

‘ବାଘଠୁଁ ପାଇବ ।’

 

‘କାହିଁକି, ବାଘ କ’ଣ ଗୋତି ରହିଥିଲା ନା ସୁଗ୍ରୀ ଗୋତି ରହିଥିଲା ? ଗୋତିର କାମ ଛେଳି ଜଗିବା, ବାଘର କାମ ଛେଳିକୁ ମାରିବା । ବାଘ ତାର କାମ ଠିକ୍ କଲା, ଗୋତି ତାର କାମ କଲା ନାହିଁ, ସେ ଗଣିବ ।’

 

‘ଭାରି ସାହୁକାରର ପଟ ନେଇ କଥା କହୁଚୁ ଦାଦି, ବୁଢ଼ା ଲୋକର ବିଚାର କ’ଣ ଏହିପରି, ନା ବୁଢ଼ା ହୋଇଗଲେ ଲୋକର ମିଞ୍ଜାସ୍ ଖରାପ ହୋଇଯାଏ ? ବାଘ ଖାଇଲା ଛେଳି, ବିଚରା ସୁଗ୍ରୀ କ’ଣ କଲା ? ସାହୁକାରକୁ କହି ଗଣ୍ଡିଏ ଖାଇବାକୁ ଯାଇଥିଲା । ୟେ କ’ଣ ଗୋଟାଏ ଦୋଷରେ ଲେଖା ଯେ ତା’ ଉପରେ ଦୋଷ ଲଦିଦେଉଛୁ ?’

 

‘ନାହିଁ ନାହିଁ, ଟୋକାଲୋକର ବିଚାରିବା ମୁଣ୍ଡ ଭାରି ଠିକ୍, ସାଓଁତା ହୋଇଛୁ ନା ସେଥିପାଇଁ ତୋ’ର ଭାରି ବୁଦ୍ଧି ହୋଇଯାଇଛି ପରା, ଆଉ ଆମେ ବୁଢ଼ାଗୁଡ଼ାକ ସମସ୍ତେ ଓଲୁ । ହଉ ସୁଗ୍ରୀବ କନ୍ଧର କିଛି ଦୋଷ ଥାଉ ବା ନ ଥାଉ, ସାହୁକାର ତା’ଠୁ ଲେଖେଇ ନେଇଛି, ଏବେ କ’ଣ କରିବୁ କର ।’

 

‘କ’ଣ କରିବି ? ତାର ଲେଖା ତାଠି ଥାଉ, ତାର ଲେଖାକୁ ନେଇ ସେ ଯାଉ ତାର ବାପା ପାଖକୁ, ମୋର ସେଥିରେ କି ଯାଏ । ମୁଁ ଗୋତି ଖଟିବି ନାହିଁ, ସେ କ’ଣ କରିବ କରୁ ।’

 

‘ଏମିତି ଦୁର୍ବୁଦ୍ଧି ଦେଇ ଗାଁଯାକ ଲୋକଙ୍କୁ ତୁ ଉସୁକେଇବୁରେ ପିଲା, ପିଲାଲୋକର ବୁଦ୍ଧି-ଛି-ଥୁ ।’ ଲେଞ୍ଜୁ କନ୍ଧ ଛେପ ପକେଇଲା ।

 

ବଡ଼ଲୋକଙ୍କ ସାଙ୍ଗରେ ସାମାନ୍ୟ କଥାରେ ତୁ ବିରୋଦା ଲାଗିବୁ, ଜଣକ ପାଇଁ ସମସ୍ତେ ମରିବେ । ନା କ’ଣ କହୁଚୁ ପାଣ୍ଡ୍ରୁଜାନି ସତ କି ନାହିଁ ? ସାହୁକାର ପଟରେ ସବୁ ବଡ଼ଲୋକମାନେ, କାହାକୁ ସେ ପଇସା ଦେଇଛି, କାହାକୁ ସରୁ ଚାଉଳ, ପରିବା, ଗୁଡ଼, କମଳାଲେମ୍ବୁ, କାନ୍ଦୁଲ ଡାଲି । ଦରକାର ପଡ଼ିଲେ ପଣେ ମାଇକିନିଆଁ ସେ ଯୋଗେଇ ଦେବ । ଯେତେ ବଡ଼ ବଡ଼ ଲୋକ ଆସିଲେ ତା’ରି ଘରେ ବସା । ତା ସାଙ୍ଗରେ ବାଦୀ ? ଆମେ ବଞ୍ଚିପାରିବା ? ତାର ସବୁ ଅଛି, ଆମର କେହି ନାହିଁ । କେହି ନାହିଁ ।’ ଅତି କରୁଣ ଭାବରେ ଲେଞ୍ଜୁ କନ୍ଧ ମୁଣ୍ଡ ହଲେଇଲା । ତାର ଓଜସ୍ୱିନୀ ବକ୍ତୃତା, ତାର ଠାଣିରେ ସବୁ ବୁଢ଼ା ଲୋକମାନେ ମୁଗ୍‌ଧ ହୋଇଯାଇ ମୁଣ୍ଡ ହଲେଇ କହିଲେ ‘ସତ୍ ସତ୍ ।’

 

ପାଣ୍ଡ୍ରୁଜାନି କହିଲା, ‘ସବୁ ଯୋଗର କଥା ପିଲାମାନେ, ସବୁ ଯୋଗର କଥା । ତୁମେ ବୃଥା ବାଡ଼େଇପିଟି ହେଉଛ । ହେଇ ଉପରେ (ଆକାଶକୁ ହାତଟେକି) ହେଇ ଉପରେ ଗ୍ରହ ନକ୍ଷତ୍ର ବୁଲୁଛନ୍ତି ତାଙ୍କର ଭେଟାଭେଟି ବିଦାବିଦିରେ ତୁମର ଆମର ଭାଗ୍ୟ ନିଷ୍ପତ୍ତି ହେଉଛି ଏସବୁ ପୁରୁଣା କଥା । ସାହୁକାରର ଜନ୍ମ ମାକ୍‌ଡ଼ି ଯୋଗରେ, ତେଣୁ ସେ ପଟ୍‌କାର (ଜାଲିଆ, ଠକ, ମିଛୁଆ) ତା ପାଖରେ ପହଞ୍ଚିଲା ଆମର ସୁଗ୍ରୀ ଠିକ୍ ସଅଦା ଯୋଗରେ, ସେ ଯୋଗରେ ଲୋକ ହୀନସ୍ତା ହୁଅନ୍ତି-। ଛେଳିଛୁଆଙ୍କ ଜନ୍ମ ମାଗା ଯୋଗରେ, ନ ହେଲେ ତାଙ୍କୁ ବାଘ ଖାଆନ୍ତା ନାହିଁ । ସମସ୍ତେ ଏକାଠି ହେଲେ, ଜଣେ ପଟ୍‌କାର, ଜଣକୁ ବାଘ ଖାଇବ, ଜଣେ ହୀନସ୍ତା ହେବ । ଟ୍ୟାମ ଲେଖାହେଲା, କଥା ଦିଆହେଲା, ଏବେ ଫିଟିବ କେମିତି ।’

 

ଏହି ତର୍କ ଭିତରେ ବନ୍ଦିକାର ଲୋକେ ପଶିଗଲେ, ତର୍କରେ ଯୋଗଦେଲେ । ଟିକିଏ ରହେ, ଲୋକେ ହୋ ହୋ ହୋଇ ବିଚାର କରନ୍ତି, ତା’ପରେ ଜଣେ କହେ, ବାଦବିବାଦ ଲାଗେ ।

 

ଦିଉଡ଼ୁ କହିଲା-’ନ୍ୟାୟର କଥା ନ କହି ଖାଲି ଡର ଭୟ ପାଗ ଯୋଗର କଥା କହୁଥିବ ତୁମେ ବୁଢ଼ାଲୋକେ । ଜଣକୁ ମାହାଳିଆଟାରେ ସାହୁକାର ହରବର କରୁଛି, ସେ ତୁମ ପାଖେ ଫେରାଦ ହୋଇଛି, ବଡ଼ଲୋକ ସାଙ୍ଗେ ବାଦୀ ଲାଗିଲେ ତୁମର ଚମ ଆଞ୍ଚୁଡ଼ି ହୋଇଯିବ ବୋଲି ତୁମେ ଡରେଇଦେଇ ଫନ୍ଦିକଥା କହୁଛ ? ତୁମେ ପରା କନ୍ଧ ବୋଲାଉଚ ? ଲଜ୍ଜା ସରମ ନାହିଁ, ଏମିତି ଡରି ଡରି କଥା କହୁଚ ତୁମେ ? ବଡ଼ଲୋକ ପିଟୁଥିବ ତୁମେ ଗୋଇଠା ମାଡ଼ ଖାଇ କହୁଥିବ ‘ଚିତମ୍ ଚିତମ୍’ (ଯେ ଆଜ୍ଞା ଯେ ଆଜ୍ଞା) ତଳଦେଶର ଲୋକପରି କୋଉ ଗାଁର କନ୍ଧ ତୁମେ ? ଡରୁଆ ବୁଢ଼ାଲୋକ ପ୍ରାଣକୁ ଏତେ ଭୟ ଯଦି ପଞ୍ଚାତି ବସ କେଉଁ ମୁହଁରେ ?’ ଭାରି ଗୋଳମାଳ ଲାଗିଥା’ନ୍ତା, ବନ୍ଦିକାରର ବୁଢ଼ା ଶଳପୁ କନ୍ଧ ଗମ୍ଭୀର ହୋଇ କହିଲା, ‘ଆଉ କୋଉ ଗାଁର କନ୍ଧ ତୁମେ ଟୋକା ସାଓଁତା ଯେ ମେଡ଼ି ଦେବାକୁ ବତେଇ ଦେଉଛ ? କନ୍ଧ ମରିବାକୁ ଡରେ ନାହିଁ, ଅସତକୁ ଡରେ । ତୁମର ସୁଗ୍ରୀ କଥା ଦେଇ ଦେଇଛି, ରାଜି ହୋଇଯାଇଛି, କୋଉ ଅକଲରେ ତୁମେ ବିଧାନ ଦେଉଛ ସବୁକଥା ଭୁରୁଡ଼େଇ ଦେବାକୁ ? କନ୍ଧ କେବେ କଥା ଦେଇ କଥା ଭାଙ୍ଗେନା । ଯଦି ସାହୁକାର ଅନ୍ୟାୟ କରିଛି ଶାସ୍ତିଦେବ ସେ (ଉପରକୁ ହାତଟେକି) ତୁମର ଅଧିକାର ନାହିଁ, ନିଜ କଥାରେ ନିଜେ ତୁମେ ବନ୍ଧା ପଡ଼ିଛ ।’

 

ସମସ୍ତେ ତୁନି ପଡ଼ିଗଲେ । ହାର୍ଗୁଣା ଟିକିଏ ଭାବିଚିନ୍ତି କହିଲା, ‘ଶତ୍ରୁକୁ ନିକାଶ କରିବାକୁ କ’ଣ କିଛି ଯୋଗ ନାହିଁ ଜାନି ?’

 

‘ଅଛି ? କାହିଁକି ନାହିଁ । ଆମେ କ’ଣ ଯୁଦ୍ଧ କରୁ ନ ଥିଲେ ନା ଶତ୍ରୁକୁ ନିପାତ କରୁ ନ ଥିଲୁ ?’ ପାଣ୍ଡ୍ରୁଜାନିର ଆଖି ଉଜ୍ଜ୍ୱଳ ହୋଇଗଲା, ଶୂନ୍ୟକୁ ଦୃଷ୍ଟିରଖି ସେ କହିଲା, ‘ଏଇ ହାଲିର କଥା, କେତେ ହାଣକାଟ କେତେ ଯୁଦ୍ଧ । ମେରିଆ ପୂଜା ଦେଉଁ ରୋହିଣୀ ଯୋଗରେ, ଆସ୍ତା ଉତ୍ରାର ଶୁଭ ଯୋଗରେ ଘରୁ ଗୋଡ଼ କାଢ଼ୁ, ଯୁଦ୍ଧ ଆରମ୍ଭ କରୁ ଜେଟି ଯୋଗରେ, ଶତ୍ରୁକୁ ନିପାତ କରୁଁ ପୁର୍ଷଆ ଯୋଗରେ-’

 

‘ତାହେଲେ ସେଇଆ ହେବ ଜାନି, ସାହୁକାର ଆମର ଶତ୍ରୁ, ପୁର୍ଷଆ ଯୋଗ ଆମର ଦରକାର । ଆମେ କମେଇବୁଁ ସେ ଖାଇବ, ଆମେ ଭୋକରେ ମରିବୁଁ ସେ ଦଉଲତ ସଜେଇବ, ତିନିଫୋଲିଆରେ ସେ ହେବ ସାହୁକାର ନିର୍ଦୋଷରେ ଆମେ ଗୋତି, ତାର କରଜ ବାପ ଅଜା ସାତପୁରୁଷରେ ସୁଝିବ ନାହିଁ । ଆମର ଗୋରୁଟିଏ ଜନମ ହେଲେ, ତାର ମନେପଡ଼ିବ କଳନ୍ତର କଥା, ତାର ଛେଳିକୁ ବାଘ ଖାଇବ ଆମେ ଦେବୁଁ ଭରଣା, ସେ ଆମର ଶତ୍ରୁ, ଆମର ଶତ୍ରୁ । ଦିଅ ପୁର୍ଷଆ ଯୋଗ, ଟୁଣୁ ହାୟମୁଁ (ହାଣ) ।’

 

ଟୋକାମାନେ ଝଙ୍କାର ଦେଇ ଗର୍ଜିଉଠିଲେ ‘ଟୁଣୁ ହାୟମୁଁ-ଟୁଣୁ ହାୟୁମଁ ।’

 

ତା’ପରେ ବୁଢ଼ାମାନଙ୍କର ତିରସ୍କାର । ‘ଛି ଛି କ’ଣ ହେଉଛ ତୁମେ ପିଲାଏ, ଏମିତି ତତଲା ମୁଣ୍ଡରେ କୁର୍‌ହାଡ଼ି ମାରିବ ଆପଣା ଗୋଡ଼ରେ, ବାପ ଅଜାଙ୍କର ନାଁ ବୁଡ଼େଇବ । ପୁଲିସ୍ ଅଛି, ମେସ୍ରେଟ୍ (ମ୍ୟାଜିଷ୍ଟ୍ରେଟ୍) ଅଛି, କଇଦିଖାନା ଅଛି, ଫାଶି ଅଛି । ତୁଚ୍ଛାଟାରେ ପିଣ୍ଡାରେ ଠିଆହୋଇ ଟୁଣୁ ହାୟମୁଁ ଟୁଣୁ ହାୟମୁଁ-ବୁଦ୍ଧି ଅଛି ନା ଖାଲି ମଦ ?’ ପଞ୍ଚାଏତ ଭାଙ୍ଗିଗଲା । ବାଆଲି ଆଉ ସୁଗ୍ରୀ ନିରାଶ ହୋଇ ଫେରିଗଲେ ।

 

‘ତା’ପରେ ଅତିଥି ସତ୍‌କାର । ମଦ ଧୁଙ୍ଗିଆ (ଧୂଆଁପତ୍ର), ମିଠାକଥା ।’

‘ଏତେଦିନକେ ?-’

‘କ’ଣ ଧାଂଡୀ ଖୋଜି ଆସିଛୁ ସାଓଁତା ?’

‘ସେ ଦୁଃଖର କଥା କାହିଁକି କହୁଚ, ସରବୁ ସାଓଁତା ମରିଗଲା ।’

•••

 

ବତିଶ

 

ଏଇ ହାର୍ଗୁଣା-ପୁବୁଲି ଦେଖିଲା, ଏଇ କୁଆଡ଼େ ତାର ବର ।

 

ମନକୁ ମନ କେତେ କଳ୍ପନା କରିଥିଲା ସେ, ଆଖିରେ ପୁଣି ଦେଖିବାରୁ ଛାତିଟା ଥରିଉଠିଲା । ଲାଜ ମାଡ଼ୁଥାଏ, କାଳେ ସତେ ତାରିପାଇଁ ହାର୍ଗୁଣା ଆସିଥିବ । ନ ହେଲେ କାହିଁକି ଏତେ ଲୋକ ଜନ ଧରି ଭାର କାଉଡ଼ି ବୋହି-’

 

ଘରୁ ପୁୟୁ ଡାକ ପକେଇଲା-’କୁଆଡ଼େ ଆଜି ଦିନଯାକ ବୁଲିଲାଗିଛୁ ତୁ ଟୋକୀ, ମୁଣ୍ଡ ଫୁରୁଫୁରୁ, ଦେହଯାକ ଧୂଳି-ଆ, ମୁଣ୍ଡ ବାନ୍ଧିଦିଏଁ ।’

 

‘ଆଉ ତୁ ବା କୋଉ ଶୋଭାକାର ହୋଇଛୁ ତୁ ଯେ ପୁୟୁ, ମତେ ବାଛୁଚୁ ?’

 

‘ହଉ ଆ ଆ’, ପୁୟୁ ହସି ହସି ଡାକିଲା, ‘ମୋର ବୟସ ଆଉ ଆସୁଛି ବେଶ ହେବାକୁ ? ମତେ ପଛେ ବରମାନେ ପସନ୍ଦ ନ କରିବେ, ନ କରନ୍ତୁ, ତୁ ଆ, ଖାଇନୁଁ କିଛି ।’

 

ପୁବୁଲିକୁ ହସ ମାଡ଼ୁ ନ ଥାଏ, ଅଚିହ୍ନା ଲୋକଗୁଡ଼ାଙ୍କୁ ଦେଖି ତାଙ୍କ ଉଦ୍ଦେଶ୍ୟ ଠଉରେଇ କେମିତି ଘଡ଼ବଡ଼େଇ ଯାଇଥାଏ ସେ । ଡର ମାଡ଼ୁଥାଏ, ଏଇ ସନ୍ଧି ମୁହୂର୍ତ୍ତରେ, ଯେତେବେଳେ ସେ ଭାବୁଥାଏ ଗୋଟାଏ ନିଷ୍ପତ୍ତି ତାର ଦରକାର, ମନ ଶଙ୍କିଯାଇ ପଛେଇ ପଛେଇ ହେଉଥାଏ, ଯେ ସେ ପ୍ରସ୍ତୁତ ନୁହେଁ, ସେ ଆହୁରି ଦେଖିବ ସେ ଆହୁରି ଭାବିବ, ସମୟ ଦରକାର ।

 

କିଏ ଗୋଟାଏ ତୁରୀ ଫୁଙ୍କୁଛି । ହାକିନା ଅନେଇ କାନେଇ ଥାଏ । ହାକିନା ଛନଛନିଆଁ ବନିଆସୁଛି, ହାକିନାର ଆଖିରେ ବୁଦ୍ଧିର ଆଲୁଅ । ପୁବୁଲି ହାକିନାକୁ କାଖେଇପକେଇ ଗେଲ କଲା, ଶୀତଳ ଲାଗିଲା, ଯେପରିକି ଦୋହଲୋଉଥିବା ତୋଫାନ ଭିତରେ ଏଇ ପିଲା ଚାଖଣ୍ଡକ ତାର ଆଶ୍ରୟ । ପୁୟୁ ହସୁଥାଏ । ପୁୟୁ କ’ଣ ଗୋଟାଏ କହିବ ବୋଲି ଆଶଙ୍କା କରି ପୁବୁଲି ଥରୁଥାଏ, କହିଲା ‘ଯାଉଚି ମୁଁ ପିଲାକୁ ନେଇ ବୁଲେଇଆଣେ-’

 

‘ହଉ ଯା’, ପୁୟୁ କହିଲା, ‘ଭଲ ବୁଦ୍ଧି ନୁହେଁ ନା-ପିଲାଟାକୁ କାଖେଇ ପଦାକୁ ବାହାରିଲେ ଯଦି କିଏ କହିବ ଏଇଟା ତୋରି ଛୁଆ ବୋଲି, କୋଉ ବରଟା ଦଉଡ଼ି ଆସିବ ତୋ ପାଖକୁ କହିଲୁ-? ସେମିତି ନାହିଁ, ପିଲାଟାକୁ ମତେ ଦେ, ସଫାସୁତୁରା ସଜବାଜ ହେଇ ପଦାକୁ ବାହାର, ହାର୍ଗୁଣା ଆସିଛି, ବନ୍ଦିକାରିଆ ଆସିଛନ୍ତି, ସେମିତି ହ’ନା-’ ପୁୟୁ ଭାରି ହସିଲା, ହାତ ବଢ଼େଇ ଦେଲା, ହାକିନା ଡେଇଁପଡ଼ି ମା ଛାତିରେ ଜାକିହେଲା । ପୁବୁଲି ଦୌଡ଼ି ଦୌଡ଼ି ପଳେଇଗଲା । ପୁୟୁ ଡାକ ଛାଡ଼ିଥାଏ ‘ଏମିତି ଅଥୟ ହୋଇ ପଳେଇଲୁ ଲୋ, ଏଡ଼େ ତରତର, ଫୁଲ ପିନ୍ଧିଲୁନାହିଁ, ମାଳି ପିନ୍ଧିଲୁ ନାହିଁ-’

 

ପୁବୁଲିକୁ ଲାଜ ମାଡ଼ୁଥାଏ, ବହୁତ ଦିନ ପରେ ଆଜି ତା’କୁ ଲାଜ ମାଡ଼ୁଛି । ନିଷ୍ପତ୍ତି ଶେଷ ହେଲେ ବଣୁଆଁ ଝିଅ ଲାଜ କରେ ନାହିଁ, ଉପରେ ପଡ଼ି ମାଡ଼ିଯାଏ, ବାପଘରର ସବୁ ସ୍ନେହର ଡୋର କାଟିଦେଇ ପରର ହାତଧରି ଚାଲିଯାଏ ବଣେ ବଣେ । କିନ୍ତୁ ଏଠି ତାର ନିଷ୍ପତ୍ତି ସରି ନାହିଁ, ଅଦିନିଆଁ ଆସିଛି ହାର୍ଗୁଣା, ଯେଉଁ ଟୁପ୍‌ଟାପ୍ ପିଲାଟିଦିନୁଁ ଲାଗିରହିଥିଲା ତା’ରି ଅନିମନ୍ତ୍ରିତ ପ୍ରତିମୂର୍ତ୍ତି-

 

ସଞ୍ଜ ବୁଡ଼ୁଥାଏ, ଗୋରୁ ବାହୁଡ଼ୁଥା’ନ୍ତି, ପୁବୁଲି ତରତର ହୋଇ ଗାଁ ବାହାରକୁ ଚାଲିଛି, ବାଟେ ବାଟେ ଯାହା ସଙ୍ଗେ ଦେଖା, ଖାଲି ସମସ୍ତେ ରାଆ ଧରିଛନ୍ତି ସେହି ଗୋଟାଏ କଥା ‘ହାର୍ଗୁଣା ଆସିଛି, ହାର୍ଗୁଣା ଆସିଛି, କୁଆଡ଼େ ଯାଉଛୁ ? ହାର୍ଗୁଣା ଆସିଛି ।’

 

ମାଳର ସୂର୍ଯ୍ୟାସ୍ତ, ବଣର ଢେଉ ଉପରେ ସୁନେଲି ରଙ୍ଗଣୀ ଝରଝର ଗୁଣ୍ଡା । ଚଇତର ପବନ, କଅଁଳି ପତ୍ରରେ ସଜାସଜି ଅଧାନିଦୁଆ ଗଛ, ସବୁ ମଳିନ ପଡ଼ିଯାଉଛି, ସବୁଠି ସେହି ଗୋଟାଏ କଥା ‘ହାର୍ଗୁଣା ଆସିଛି-’

 

ପୁଲ୍‌ମେଁ ଭେଟିଲା । ‘ଆଜି ଏକୁଟିଆ ଯେ ? ହଁ ମୁଁ ବୁଝିଲି, ଯା ଯା ସିଆଡ଼େ ଯାଇଛି, ହାର୍ଗୁଣା ଆସିଛି ।

 

ଗାଁ ବାହାରେ ଯୋଡ଼ିଗଛମୂଳେ ପଥର ଉପରେ ଗୋଡ଼ ବିଛେଇଦେଇ ପୁବୁଲି ବସିପଡ଼ିଲା ଆଉ ଭାବିଲା କାହିଁକି ଲୋକେ ତାର ସ୍ୱାଧୀନତାତକ ନେଇଯିବାକୁ ଏତେ ଖୋଜୁଛନ୍ତି, ହାର୍ଗୁଣା ଆସିଛି ଆସୁ, କ’ଣ ତାର ସେ-

 

ବିନା କାରଣରେ ପୁବୁଲିକୁ କାନ୍ଦ ମାଡ଼ିଲା, ପୁବୁଲି କାନ୍ଦିଲା, ମନଟା ଟିକିଏ ହାଲୁକା ଲାଗିଲା, ବାରମ୍ବାର ସେହିକଥା ସେ ଭାବିହେଲା । ବାପ ଗଲା, ସରବୁ ସାଓଁତା ଗଲା, ହାକିନା କୁଆଡ଼େ ତାର ଡୁମା (ଆତ୍ମା)ର ପୁନର୍ଜନ୍ମ । ହାକିନା ବି ପଛରେ ରହିଯିବ ପୁୟୁ ରହିଯିବ, ପୁଣି କେଉଁ ଅଜଣା ବଣଦେଶରେ ତାର ଆପଣାର ସଂସାର ଲାଗିବ ।

 

ତା’କୁ ଯିବାକୁ ପଡ଼ିବ-

 

ହାର୍ଗୁଣା,....ହଁ କି ନାହିଁ-ହଁ ନାହିଁ ଭିତରେ ମିଛମିଛିଆ ଲୁଚୁକାଳି ଲାଗୁଲାଗୁ ଆଜି ସତରେ ସତରେ ହାର୍ଗୁଣା ଆସିଛି । ପିଲାଦିନେ ବୁଢ଼ାବୁଢ଼ାମାନେ କଥା କରିଥିଲେ । ହାର୍ଗୁଣା ତାର ଦାବିର କଥା କାଢ଼ିବ । ହାର୍ଗୁଣାକୁ ଭାବୁ ଭାବୁ ବେଶୁ କନ୍ଧ ମନେପଡ଼ିଲା, ହାର୍ଗୁଣା ସାନ ହୋଇଗଲା, ବେଶୁ ବଡ଼ ହୋଇଗଲା । ଆସନ୍ତା ଅନ୍ଧାର ପରି । ଅନ୍ଧାର ପଡ଼ିଲା, ସେଠି ଜକଜକ ତରା, ସେହି ଜକଜକ ସତେ କି ତାର ମନ ଭିତରର ଅତି ବିଚଳିତ ଚିନ୍ତାର ବିନ୍ଦୁ । ଅନ୍ଧାର ଘୋଟିଗଲା, ସେଠି ହାର୍ଗୁଣାର ସ୍ଥାନ ନାହିଁ । ବେଶୁ କନ୍ଧ ନିଶ୍ଚୟ ଆସିବ, ସେ ଅପେକ୍ଷା କରି ରହିଛି-। ପବନ ଦେଲା, ପୁବୁଲିକୁ ଆଶ୍ୱସ୍ତି ଲାଗିଲା ।

 

ଆସୁ ଆସୁ ହାର୍ଗୁଣାର ପାଟି ଶୁଭିଲା । ଗାଁ ଦାଣ୍ଡରେ ପିକା ଜୁକୁଜୁକୁ ହୋଇ କଥା ଶୁଭୁଛି-। ପୁବୁଲିକୁ ଲାଜ ମାଡ଼ିଲା ନାହିଁ, ସବୁ ଲାଜ ସେ ଗାଁ ବାହାରେ ଫୋପାଡ଼ି ଦେଇ ଆସିଛି । ହାର୍ଗୁଣାର କଥାରେ ମନ ତାର ପୁଣି ଚେଇଁ ଉଠିଲା । କିନ୍ତୁ ଏଥର ମୋହ ନାହିଁ, ସେ ଚେଇଁଛି ।

 

କ’ଣ କହୁଛି-ଗୋରୁଗୁଡ଼ାକ ମରିଯାଇଛନ୍ତି ! –ଆହା ବଡ଼ ଦୁଃଖର କଥା । ତୁନିତାନି ଘରକୁ ଫେରିଲା । ଭିତରେ ପୁୟୁ ଚୁଲି ଲଗେଇଛି, ବାହାରେ ଅନ୍ଧାର । ଡାକିଲା-’ପୁୟୁ’, ‘କିଲୋ ଭାରି ତୁନିତାନି ଆସିଛୁ ଯେ, ଦେଖା ମିଳିଲା ?’ ପୁବୁଲି ଘର ଭିତରକୁ ପଶିଗଲା ।

•••

 

ତେତିଶ

 

ପରଗାଁରୁ ଲୋକ ଆସିଛନ୍ତି, ରାତିରେ ପୁଣି ଗାଁରେ ମଉଛବ । ମିଣିଆକା ବଂଶର ଦିଉଡ଼ୁ ସାଓଁତା ମଦ ମାଂସ ଧୁଙ୍ଗିଆ ସବୁ ଖଞ୍ଜା କରିଦେଲା, ଯେପରି ସେମାନେ କେହି ଅପବାଦ ନ ରଟେଇବେ ଯେ ତାକୁ ଅତିଥି ସତ୍କାର ଜଣାନାହିଁ ବୋଲି । ଅତିଥିକୁ ଆଦର କରିବା ଗୁଣରେ କନ୍ଧ ସମସ୍ତିଙ୍କୁ ଟପିଯାଏ । ଖିଆପିଆ ବୁଝିବା, ବୋଲହାକ କରିବା, ଲୋକ ଯୋଗେଇବା, ରାତିରେ ନିଆଁ ଜାଳି ଜଗିରହି ଶୋଇବା, ନାଟ ଦେଖେଇବା, ମନଖୋଲି ମଉଜ ମଜଲିସ୍ କରେଇବା ଏ ସବୁ ତ ସାଧାରଣ ଭଦ୍ରତା, ସେ କେବଳ ଖୋଜେ ଅତିଥି ସୁଧାର ମଣିଷ ହୋଇଥିବ, କନ୍ଧର ଜିନିଷକୁ, କନ୍ଧର ସ୍ତ୍ରୀକୁ ଆଖି ପକେଇବ ନାହିଁ, କାହାରିକୁ ଅପମାନ କରିବ ନାହିଁ, କଷ୍ଟ ଦେବ ନାହିଁ, କେବଳ ଏତିକି ।

 

ମଦୁଆ ଚିଣ୍ଡୁ କନ୍ଧର ସ୍ତ୍ରୀ ପାଟି କରି କରି ତାର ଶୋଇଲା ବରକୁ ଉଠୋଉଥାଏ ‘କେମିତିକିଆ ଲୋକ ? ଅତିଥିର ଖବର ବୁଝା ନାହିଁ ଖାଲି ଆପଣା ପେଟଟି, ଆପଣା ନିଦଟି ? ଉଠୁଚନା ?-’

 

ବନ୍ଦିକାରିଆ ଲୋକଙ୍କୁ ଘେରି ବସିଥା’ନ୍ତି ଏ ଗାଁର ଯେତେ ଛୁଆ ଆଉ ବଡ଼ ମଣିଷ । ଭଦ୍ରତା ଆଦାନ ପ୍ରଦାନ, ଧୂଆଁପତ୍ର ଦେଣ ନେଣ,-ଆଉ ରାଜ୍ୟଯାକର ଯେତେ ଲୋକକଥା, ଅଛିଣ୍ଡା କଥା ।

 

କୋଉ କୋଉ ଗାଁରେ ବାଘ ଧରିଲାଣି ?-ଏବର୍ଷ କୋଉଆଡ଼ ପୋଡ଼ୁ କରୁଛ (ବଣ ମାରୁଛ) ? ହାଟକୁ କ’ଣ କ’ଣ ବାହର କଲଣି ?

 

ଅମିନର ଡକରା ପହଞ୍ଚିଲାଣି କି ନା ତୁମ ଗାଁରେ ? ଖଜଣା ଟଙ୍କା ରଖିଚ ? ଅମିନ ସାଙ୍ଗରେ ଚପରାସୀ କିଏ ଆସୁଛନ୍ତି ଜାଣ କି ?

 

ଚୋରିଭୟ କେମିତି ତୁମ ଗାଁରେ ? ଡମ୍ବଲୋକେ କ’ଣ ଆରମ୍ଭ କଲେଣି ?’

ନାନାଦି କଥା ।

 

ବେଜୁଣୀ ବୁଢ଼ୀକୁ ଡାକିଗଲେ । ବେଜୁଣୀ କହିଲା, ‘ସକାଳକୁ । ରାତିରେ ଦେବତାକୁ ଗୋଳମାଳ କରିବା ଭଲ ନୁହେଁ ।’ ହସିଲା, କହିଲା, ‘ଏ ଗାଁରେ ଟୋକୀ ନାହାନ୍ତି କି ? ରାତିରେ ବୁଢ଼ୀର ନାଚ ଦେଖିବାକୁ କାହିଁକି ଫରମାସି କରୁଛ ।’ ବାଧ୍ୟହୋଇ ଅପେକ୍ଷା କରିବାକୁ ପଡ଼ିଲା । ବେଜୁଣୀର କଥା ଉପରେ ଆଉ ଜବାବ୍ ନାହିଁ ।

 

ରାତିରେ ଡମ ବାଇଦ ବାଜି ଗାଁ ଦାଣ୍ଡରେ ନାଚ ହେଲା, ସମସ୍ତେ ନାଚିଲେ ।

 

ଅଧରାତି ହୋଇଥାଏ, ନିଶା ଭୋଳରେ ଲୋକେ ଡେଇଁ ଲାଗିଥା’ନ୍ତି । ଥକିଯାଇ ଜଞ୍ଜଇ ଆଉ ପୁବୁଲି ଦଳରୁ ବାହାରି ପଦାକୁ ଆସିଲେ । ଗାଁ ମଝିର ହାଲୋଳ ଚାରିପାଖେ କଳା ମିଶ୍ ମିଶ୍ ଅନ୍ଧାର ରାତି । ଥାଇଥାଇକା ହୁ ହୁଆ ପବନରେ ପର୍ବତ ଉପରେ ଗାଁ ଗାଁକର ଶବ୍ଦ ଉଡ଼ି ଆସୁଥାଏ-। ଚଇତ ପରବ ଆସୁଛି, ଏହି ତାହାର ଆଗମନୀ ବାଜା ।

 

ଗାଁ ଭିତରେ ହୋ ହା ଶୁଭୁଛି, ନାଚର ଗର୍ଜନ, ଘରେ ଘରେ ସମସ୍ତେ ଶୋଇଲେଣି । ଜଞ୍ଜଇ କହିଲା, ‘ଭାରି ଭଲ ରାତିଟିଏ ହୋଇଛି ଲୋ, ବହୁତ ଦିନ ପରେ ଆଜି ନାଚ-’

 

‘ହଁ’ ପୁବୁଲି କହିଲା, ‘କିନ୍ତୁ ସେ ରାତିପରି ରାତିଟିଏ ଆସିବ ନାହିଁ । କେଡ଼େ ସୁନ୍ଦର ଜହ୍ନରାତି ଥିଲା ସେଦିନ, ଆଉ ଆଜି ଖାଲି ଅନ୍ଧାର ।’

 

‘ସେ ଦିନର ଭେଣ୍ଡିଆ ବି ଭାରି ମଉଜି ଥିଲେ, ହସେଇ ହସେଇ ପେଟ ଫଟେଇ ଥିଲେ, କାହିଁ ଆଇଲେ ନାହିଁ ତ ଆଉ ସେ ମଛାକ ?’

 

‘କାହିଁ କେତେଦୂର’ ପୁବୁଲି କହିଲା, ‘ପୁୟୁର ବାପଘର ଗାଁ ବଣମିଟିଂ, ସେତେବେଳେ ଲୋଡ଼ା ଥିଲା ବୋଲି ସିନା, ସବୁଦିନ କ’ଣ ସେମାନେ ଆସୁଥିବେ ?’ ପୁବୁଲି ମନଟା ଦବିଗଲା, ଯେପରି ପ୍ରଶ୍ନଟା ତାର ମନ ଭିତରର, ଆଉ ଜବାବ୍ ମଧ୍ୟ । ସେଥିରେ ଶାନ୍ତି ନାହିଁ ।

 

‘କହିବୁ ଗୋଟିଏ କଥା ପୁବୁଲି-ଏଇ ହାର୍ଗୁଣା, ତୋରି ପାଇଁ ତ ନିଶ୍ଚେ ସେ ଆସିଛି, କେବେ ଯାଉଛୁ ତା ଘରକୁ ?’

 

‘ଧ୍ୟାତ୍ ।’

 

‘ଧ୍ୟାତ୍ କ’ଣ ? ଭାରି ଭଲ ହେବ ପୁବୁଲି, କେମିତିଆ ଚାଇଁ ଟୋକା ଖଣ୍ଡେ ହେଇଚି ମନ ଜାଣୁଥିବ ଯେ ।’

 

‘ତୁ ଖାଲି ଏଣୁତେଣୁ ବକୁଛୁ, ପୁଣି ନାଚିବାକୁ ତୋ ମନ ହେଉଛି, ଫେରିଚାଲ୍ ।’

 

ଜଞ୍ଜଇ ହାର୍ଗୁଣା କଥା ବାରମ୍ବାର ପକେଇଲା, ପୁବୁଲି ବାଁରେଇ ଦେଲା, ଲେଉଟି ଚାଲିଲେ । ଘର ଆଗରେ ଉପରକୁ ମୁହଁକରି ଦର୍‌ହ ଆଉଜା ହୋଇ ବସି ରହିଛି ପାଣ୍ଡ୍ରୁ ଦିସାରି । ବସି ବସି ତାରା ଦେଖୁଛି, ପିକା ଟାଣୁଛି । ଜଞ୍ଜଇ ଡାକିଲା ‘ଦିସାରି-’

 

ଦିସାରି ଚମକି ପଡ଼ିଲା । ‘ଅନ୍ଧାରରେ କି ଦୁଷ୍ଟାମି କରି ଯାଇଥିଲରେ ଟୋକୀମାନେ, ଗାଁରେ ତେଣେ ନାଟ ଲାଗିଛି ।’

 

‘ଚୋରିକରି ଆସିଛୁ ଦିସାରି’-ଜଞ୍ଜଇ କହିଲା ।

‘କାହାକୁ ଚୋରିକରି ନେଇଥିଲୁ, ସେ କାହିଁ ?’ ‘ତତେ ଚୋରି କରିବୁଁ ଦିସାରି ।’

 

ଦିସାରି ହସିଲା । କହିଲା, ‘ମୁଁ ବୁଢ଼ାଲୋକ, ରକ୍ତ ନାହିଁ କି ମାଉଁସ ନାହିଁ, ଯାହିବା ଅଛି ଘରର ଡାଆଣୀ ଜଗି ବସିଛି ବାଡ଼ିଧରି । କୁଆଡ଼େ ଯାଇଥିଲ ?’

 

‘ବଡ଼ ଖରାପ ରାତି ହେଇଚି ଦିସାରି’, ପୁବୁଲି କହିଲା, ‘ବଡ଼ ଗରମ ।’

 

‘ତୁମେ କହୁଚ ଖରାପ ରାତି, ମୁଁ କହୁଚି ଭଲ ରାତି ହେଇ ଦେଖନା, ଆଦ୍ରା ଯୋଗ ପଡ଼ିଛି ବର୍ତ୍ତମାନ, ଯାହା ଖୋଜିବ ତାହା ପାଇବ’-

 

‘ସତରେ ଦିସାରି ?’ ଜଞ୍ଜଇ ଥଟା କଲା । ‘ଯାହା ଖୋଜିବ ତା ମିଳିବ, ହଜିଲା ଗାଈ ଖୋଜିଲେ ମିଳିଯିବ ?’

 

ତୀକ୍ଷ୍‌ଣ ଦୃଷ୍ଟିରେ ତାର ମୁହଁଆଡ଼କୁ ଅନେଇ ହସିଦେଇ ଦିସାରି କହିଲା, ‘ଖାଲି ହଜିଲା ଗାଈ ? ହଜିଲା ମଣିଷ ବି ଡାକିଦେଲେ ପାଖକୁ ଆସିଯିବ । ଅଛି କେହି ସେମିତି ? ଡକେଇବି ?’

 

ଜଞ୍ଜଇ ଅପ୍ରସ୍ତୁତ ହେଲା, ତା’ ବୟସରେ ଅନେକ ଝିଅଙ୍କର ହଜିଲା ମଣିଷ ଥାଆନ୍ତି, ଅନ୍ଧାର ରାତିରେ ଆଉଣ୍ଡି ଆଉଣ୍ଡି ଖୋଜିବାକୁ ଇଚ୍ଛା ହୁଏ । ପୁବୁଲି କହିଲା, ‘ଆଚ୍ଛା ଦିସାରି ଅଜା, ରାତି ରାତି ବାହାରେ ବସି ଏମିତି ଯେ ଉପରକୁ ତୁ ଅନେଇଁ ଦେଖୁଥାଉ, କ’ଣ ଦେଖୁ ଏତେ ଦିସାରି ଅଜା ?’

 

‘ଏଡ଼େ ବଡ଼ କଥାଟାଏ କ’ଣ ବୋଲି ତତେ ବୁଝେଇ ଦେବି ଝିଅ ?’

‘ସତରେ ଏଥିରେ କିଛି ଅଛି ?’

 

‘କିଛି ନାହିଁ ? ଦେଖିଲୁ କେମିତି ସୁନ୍ଦର ଅନ୍ଧାର ରାତି । ଆଜି ଚାରିଆଡ଼େ ଅନ୍ଧାର’, ଅନ୍ଧାର;-ମହୁ ଚାଖିଲା ପରି ମିଠାମୁହଁ କରି ଦିସାରି କହିଲା, ‘ଅନ୍ଧାର-କି ସୁନ୍ଦର !’ (ଉପରକୁ ହାତଟେକି) ‘ଆଜି ତାଙ୍କର ରାତି, ସବୁ ବଡ଼ ବଡ଼ମାନେ ବାହାରିଛନ୍ତି, ସତେଇଶି ଜଣଯାକ, ଅଶୀନୀ-ବାର୍‌ନୀ-କାର୍ତ୍ତିକା ରୋହିଣୀ-ମେଡିଂଶିରା-ଆଦ୍ରା-ବେଡ଼ୁତାଇ-ପୁଷୁବେଲି-ସାଲ୍‌ପା-ମାଗା-ରାଣ୍ଡା-ଆସ୍ତା-ଉତ୍ରା-ସଅଦା-ଲଦା-ଜେଟି-ମୁଡ଼ା-ସୁଡ଼ା-ସାତ୍‌ଦିଣି-କେତେ କହିବି ବୁଢ଼ାଲୋକ, ସମସ୍ତେ ସେଠି ବାହାରିଛନ୍ତି, ସଭା କରିଛନ୍ତି, ଆଉ ମୁଁ ତାଙ୍କର ପୂଝାରି । ଏମିତି ରାତିରେ, ନ ଜାଣିଲା ଲୋକ ସିନା ମଦ ପିଇବ, ନାଟ କରିବ, ଶୋଇ ରହିବ ଘର ଭିତ୍ରେ, ମୁଁ କ’ଣ ଶୋଇ ରହିବି ?’

 

ଅନ୍ଧାର, ମେଞ୍ଚା ମେଞ୍ଚା ମୁଣ୍ଡା ମୁଣ୍ଡା ଅନ୍ଧାର, ଆଉ ଉପ୍‍ରେ ନିଆଁ ଆନ୍ତ୍ରା ଜାଳି ଗୋଟି ଗୋଟିକିଆ ହୋଇ ସେମାନେ ବସି ସଭା କରୁଛନ୍ତି କେଡ଼େ ସୁନ୍ଦର-!

 

ଗପୁଡ଼ି ବୁଢ଼ାଲୋକ ପାଖେ ବସି ରହିବାକୁ ଚିଡ଼ିମାଡ଼େ । ତେଣେ ବାଜା ଦାଉଁ ଦାଉଁ ବାଜୁଛି, ହସ ଗୀତ ଛଳଛଳେଇ ଆସୁଛି । ବାଜାର ତାଳରେ ଗୋଡ଼ ଥରିଲାଣି । ଜଞ୍ଜଇ କହିଲା, ‘ଏତେକଥା ଜାଣିଚୁ ଦିସାରିବୁଢ଼ା, କହିଲୁ ଆମର ପୁବୁଲିକୁ ହାର୍ଗୁଣା ଏଥର ନେବ କି ନାହିଁ, ଦଳବଳ ସଜାଡ଼ି ଆସିଛି ଯେ’ ।

 

‘ହାର୍ଗୁଣା ! ବନ୍ଦିକାରିଆ ସାଓଁତା ।’ ଦିସାରିବୁଢ଼ା ହୋ ହୋ ହସିଲା । ‘ହାର୍ଗୁଣା ଏ ଟୋକୀକୁ ନେବାକୁ ଆସିଛି, ନା-ପଚାର ତା’କୁ ହେଇ ତା’କୁ, ତା ନାଁ ବେଡ୍‍ତାଇ ।’ ଦିସାରିବୁଢ଼ା ଆହୁରି ହସିଲା, କହିଲା, ‘ବେଡ୍‌ତାଇ ଯୋଗରେ ଜନ୍ମ ହେଲେ ବିଭାହେଲେ ଦୁଃଖ ପଡ଼େ’, ଗମ୍ଭୀର ହୋଇ କହିଲା, ‘ବଡ଼ ଦୁଃଖୀ, ସେ’ରେ ବଡ଼ ଦୁଃଖୀ, ପୁବୁଲି ଟୋକୀକୁ ସେ ପାଇପାରିବ ନାହିଁ, ବେଡ୍‌ତାଇର ହୁକୁମ ନାହିଁ ।’

 

ମଝି ରାତିରେ କେଉଁ ପ୍ରେତଲୋକରୁ ଆସି ପହଞ୍ଚିଲା ଏ ଜବାବ୍, ନିର୍ମମ, ନିଷ୍ଠୁର, କରୁଣାର ସ୍ଥାନ ନାହିଁ । ଯାହା ମଣିଷ ଦେଖୁଛି ବୁଝୁଛି, ସେସବୁ ଯେପରିକି ଫାଙ୍କା ହାଓ୍ୱା, ତାର ରୂପରେଖ ନାହିଁ, ସ୍ଥୂଳତା ନାହିଁ, ଖାଲି ବହିଲାଗିଛି ଏ ମୁଣ୍ଡରୁ ସେ ମୁଣ୍ଡକୁ, ସବୁ ମିଛ ଆଉ ସତ ଏଇ ଅନ୍ଧାର, ତରା ଆଉ ଦିସାରିବୁଢ଼ାର ପ୍ରଳାପ । ରାତିର ଚଢ଼େଇ ଚିର୍-ଚିର୍ ବୋବେଇଲା, ଝିଅମାନେ ଚମକି ପଡ଼ିଲେ । ଅନ୍ଧାର ରାତିରେ ଦୈବୀବାଣୀ ବଡ଼ ଖରାପ ଶୁଭିଲା । ଦିହେଁ ଦୌଡ଼ି ଦୌଡ଼ି ଚାଲିଲେ ନାଚ ଆଡ଼କୁ ।

 

ଦିସାରିବୁଢ଼ା ଏଥର ହସିଲା । କହିଲା, ‘ମୂର୍ଖ’ । ପୁଣି ଶାନ୍ତ ହୋଇ ତାରା ପଢ଼ିବାରେ ମନ ଦେଲା ।

•••

 

ଚଉତିରିଶ

 

ନାଚ ଶେଷରେ ହାର୍ଗୁଣା ପୁବୁଲି ଆଡ଼କୁ ଆସିଲା, ଦୁଇ ପାପୁଲି ବଢ଼େଇଦେଇ କହିଲା,-’ହେ ନୁନି-’

 

‘କ’ଣ ?’

‘ମୋ ସାଙ୍ଗରେ ଖେଳିବୁ ନାହିଁ ?’

‘ଖେଳିଲି ପରା, ଏତେ ନାଚିଲି, ଆଉ କ’ଣ ?’

 

ହାର୍ଗୁଣା ଦବିଗଲା, ଗୁମ୍ ମାରି ଠିଆହେଲା । ପୁବୁଲି କହିଲା, ‘ଯାଉଛି, ଭାରି ନିଦ ମାଡ଼ିଲାଣି ।’ ହାର୍ଗୁଣା ପାଟିକଲା, କହିଲା, ‘କାଲିକି ମୁଁ ଚାଲିଯିବି, ଶୁଭୁଛି-କାଲିକି ମୁଁ ଚାଲିଯିବି-’ ପୁବୁଲି ଚାଲିଯାଇଥିଲା । ହାର୍ଗୁଣାକୁ ଖରାପ ଲାଗିଲା । ସେ ବହୁତ କହିଥା’ନ୍ତା । ଭାବିଲା, କ’ଣ କହିଥା’ନ୍ତା ସେ ବିଭାହେବାକୁ ? ବିଭାହେବାକୁ ତ ସେ ନିଶ୍ଚୟ କରିନାହିଁ, କ’ଣ ବୋଲି କହନ୍ତା ? ପୁବୁଲି ଏପରି ପଳାଏ ନାହିଁ । ହୁଏତ ପୁବୁଲି ଅଭିମାନ କରିଥିବ, ତାର ବାପ ମରିଗଲା, ଏ ସଙ୍ଖୋଳି ଆସିଲା ନାହିଁ ବୋଲି । କ୍ଷଣକର ଅଭିମାନ ତା’ ଉପରେ ବଳ ଅଛି ବୋଲି ସିନା ସେ ଅଭିମାନ କରିଛି । କାମିକା ମଣିଷ । ଅଭିମାନ କ’ଣ ? ପୁବୁଲିଟା ସବୁଦିନେ ନାକକାନ୍ଦୁରୀ ଥିଲା । ଅଳ୍ପକେ ରାଗେ ଅଳ୍ପକେ ବୁଝେ । ହାର୍ଗୁଣା ସାଓଁତା ଭାବିଭାବି ମନକୁ ବୋଧ ଦେଲା । ତାର ବି ଆଖି ଢୁଳେଇ ଆସିଲାଣି । ବାଟଚଲା ଉପରେ ନାଚ । ଭାବିଲା ଚଇତ ଆସୁଛି, ସେତେବେଳେ ଦେଖାଯିବ ।

 

ପୁବୁଲି ପହଞ୍ଚିଲାବେଳକୁ ପୁୟୁ ଶୋଇ ନ ଥାଏ । ଆଖିରେ ତାର ନିଦ ନାହିଁ । ଅନ୍ଧାର ରାତି, ନାଚର ଶବ୍ଦ, ଘରେ ପିଲାକୁ ଧରି ସେ ଏକୁଟିଆ । ପିଲା କେତେବେଳୁ ଶୋଇଲାଣି । ତାର ଆପଣାର ଧାଂଡୀପଣିଆଁ ସବୁଯାକର ପ୍ରତିନିଧି ହୋଇ ପୁବୁଲି ପଦାକୁ ଯାଇଛି, ଯେଉଁଠି ମଣିଷପଣିଆଁ ସାର୍ଥକ ହୁଏ, ଦିଆନିଆର ମଉଚ୍ଛବ ହୁଏ, ଯେଉଁଠି ଅନ୍ଧାରେ ଅନ୍ଧାରେ ଚିର ଯୌବନର ଫଲ୍‌ଗୁଧାରା....

 

ଆଜି ତାର କିଛି ନାହିଁ, କେବଳ ଅନ୍ଧାରର ଭାଗୀ ସେ ।

ପୁବୁଲି ଆସିଲା । ‘କିଲୋ ଶୋଇ ନାହୁଁ କି ଲୋ ?’

‘ଭାରି ଗରମ ।’

‘ହଁ ।’

ପୁୟୁର ମନଟା ଆହୁରି କୁହୁଳିଲା ।

•••

 

ପଇଁତିରିଶ

 

ଗାଁ ଶେଷରେ ନୀମା କନ୍ଧର ଜଣିକିଆ ଘରର ଓସାର ପିଣ୍ଡାରେ ବନ୍ଦିକାରିଆ ଲୋକେ ଶୋଇ ରହିଥା’ନ୍ତି । ସେ ପାଖେ ଗୋଟିଏ ମହୁଲଗଛ, ସୁନ୍ଦର ବାସ୍ନା ଆସୁଥାଏ । ହାର୍ଗୁଣାକୁ ନିଦ ହୋଇଯାଇଥାଏ । ଶେଷ ରାତିରେ ସେ ସ୍ୱପ୍ନ ଦେଖିଲା ସେ ଆପଣା ଗାଁ ପାଖ ମାହାଳଗଛ ତଳର ବଡ଼ ଗୋଜିଆ ହୁଙ୍କା ଉପରେ ବସିଛି । ତାର ମୁଣ୍ଡରେ ଦୁଇଟି ଶିଙ୍ଘ ହୋଇଛି, ଦୁଇ ବାହାପାଖେ ଦୁଇଟା ପଖି । ସେଇ ଉଞ୍ଚ ଆସନ ଉପରେ ସେ ବସିରହିଛି ଆଉ ଯୋଡ଼ହାତ ହୋଇ କେତେ ଯେ ଟୋକୀ ଠିଆ ହୋଇଛନ୍ତି ତା ସାମ୍ନାରେ, ଅତି କରୁଣ ହୋଇ ମିନତି କରୁଛନ୍ତି । ସେହି ଦଳରେ ପୁବୁଲି ବି ଅଛି, ସମସ୍ତିଙ୍କର ଆଗରେ । ବାରମ୍ବାର ଗର୍ଜନ କରି ସେ ହାଙ୍କୁଛି ‘ନାଃ-ନାଃ’ ।

 

କାହିଁକି ସେମାନେ ମିନତି କରୁଛନ୍ତି ? କି ନିଷ୍ଫଳ ଅନୁରୋଧ, କମ୍ପିଉଠୁଛି ଏକାରାଆରେ ଏତେ କଅଁଳିଆ କଣ୍ଠରୁ ? ହାର୍ଗୁଣା ତାର ପଖି ଝାଡ଼ିଦେଲା, ଆପଣାର ଫଡ଼ ଫଡ଼ ଶବ୍ଦ ତାର କାନରେ ବାଜିଲା, ଏଥର ସେ ନିଶ୍ଚୟ କଲା ଏଠୁ ଉଡ଼ି ଚାଲିଯିବ । ଠିକ୍ ସେତିକିବେଳେ ହୃଦୟଭେଦୀ ‘ଓଃ ଓଃ’ ଚିତ୍କାର କରି ଦୁଇ ହାତ ବଢ଼େଇଦେଇ ପୁବୁଲି ତା’ ପାଖକୁ ଚମକି ଆସିଲା । ହାର୍ଗୁଣା ହଟିଯାଇ ପାରିଲା ନାହିଁ । ପୁବୁଲିର ଉଷୁମ୍ ନିଶ୍ୱାସ ତାର ମୁହଁରେ ଗାଲରେ, ପୁବୁଲିର ଆଖିରୁ ଲୁହଧାର ଛୁଟିଛି, ଆପଣାର ବୀରପୁରୁଷ ପର ଢାଣିକୁ ଅଳ୍ପକେ ଢିଲେଇ ଦେଇ ହାର୍ଗୁଣା ଅନେଇ ରହିଚି, ଚାରିଆଡ଼େ ଖାଲି ଏଃ-ଓଃ-ଏଃ-ଓଃ, ଆଉ ଉଷୁମ୍ ଉଷୁମ୍ ପ୍ରାଣ ଭିତରର ତତଲା କୋହ ।

 

ହାର୍ଗୁଣାର ନିଦ ଭାଙ୍ଗିଗଲା । ସବୁ ସତ ପରି ଲାଗୁଥାଏ । ଅନେଇଁ ଦେଖିଲା କାହାନ୍ତି ସବୁ ଟୋକୀମାନେ, ତାର ଚିହ୍ନା ଦରଦର ଚିହ୍ନା । କେବଳ ଅନ୍ଧାର ପାତଳା ହୋଇଯାଉଛି, ଆଉ ଆଖପାଖରେ ତ ସେହି ମର୍ମଭେଦୀ ହାହାକାର ଓଃ-ଓଃ-ଉଃ-ଉଃ । ସ୍ୱପ୍ନର ନିଶା ଛାଡ଼ିଗଲା, ରାତି ଜାଙ୍ଗୁଲୁ ଜାଙ୍ଗୁଲୁ । ପିଣ୍ଡାତଳେ କ’ଣ ଅନ୍ଧାର ମୁଣ୍ଡୁଳା ବାନ୍ଧିଛି ଆଉ ଜଗତର ଯେତେ କରୁଣ ବେଦନା ସବୁ ତାର ଶୋଇବା ପିଣ୍ଡାତଳେ । ଡିଆଁମାରି ହାର୍ଗୁଣା ତାର ବର୍ଚ୍ଛା ଧରି ଟାଙ୍ଗିଆ କାନ୍ଧେଇ ଠିଆହୋଇ ପଡ଼ିଲା, ଆକସ୍ମିକ ଘଟଣା ଘଟିଲେ ବଣର ଲୋକ ଯେପରି ସଚେତ ହୁଏ ସେହିପରି । ତଳକୁ ଅନେଇଁ ତାର ହୋସ୍ ଆସିଲା । ଉଞ୍ଚ ପିଣ୍ଡା ଉପରେ ସେ ଶୋଇଛି ସତ, କିନ୍ତୁ ତଳେ ପୁବୁଲି ନୁହେଁ, ଗୋଟାଏ ମସ୍ତବଡ଼ ଭାଲୁ । ଦି’ ହାତରେ ଆଞ୍ଚୁଡ଼ି ଆଞ୍ଚୁଡ଼ି ପିଣ୍ଡା ତାଳୁ ପର୍ଯ୍ୟନ୍ତ ଖଣ୍ଡିଆ କରୁଛି ଆଉ ଭାରି ଦୁଃଖିତ ହୋଇ କୁନ୍ଥେଇ ହଉଚି । ଚହଳ ପକେଇ ହାର୍ଗୁଣା ସମସ୍ତିଙ୍କି ଉଠେଇଲା, ‘ଓଡ଼େ ସୋଇ, ଜାମ୍ବା, ଜାମ୍ବା (ଆରେ ଭାଇରେ, ଭାଲୁ, ଭାଲୁ) ।’ ହୋ ହା କରି ସମସ୍ତେ ଗୋଡ଼େଇଗଲେ, ଭାଲୁ ପଳେଇଲା । ତା’ପରେ ଲାଗିଲା ହସ, ବିପଦ ଗଲେ ବଣୁଆଁ ଲୋକର ହସ ବାହାରେ । ଏହିପରି ସେଦିନର ପାହାନ୍ତା ଫାଟିଲା । ଚଇତର ଆରମ୍ଭ ହେଲେ ବି ପାହାନ୍ତି ପହରେ ମାଳଦେଶରେ ଶୀତ ପଡ଼େ । ନିଆଁ ଆନ୍ତ୍ରା ଲାଗିଲା, ଗପ ପଡ଼ିଲା । ଫଜେରା ହେଉ ହେଉ ସେହି ବାଟେ ବାଟେ ଗାଁର ଟୋକୀମାନେ ପଦାକୁ ଗଲେ । ହାର୍ଗୁଣା ସାଓଁତା ଭାବିଲାଗିଲା କାହିଁକି ଦୌଡ଼ି ଆସିଛି ସେ । ସକାଳର ଅପ୍ରୀତିକର ଚେତନା ଉତ୍ତାରୁ ମନ ଭିତରଟା ଗର ଗର ହେଉଥାଏ, ସକାଳୁ ମଣିଷ ଭାଲୁ ମୁହଁ ଦେଖିଲା, ଦିନ ଗୋଟାକ ନିଷ୍ଫଳା ହୋଇଯିବ ବୋଧହୁଏ । ପୋଢ଼ କେଇଟା ମଲେ, ପ୍ରଥା ଅନୁସାରେ ବେଜୁଣୀ ନାଚିଲା, କାମ ସରିଲା, ତା’ପରେ ଆହୁରି ଖୋଳତାଡ଼ କରି ଏତେଗୁଡ଼ାଏ ବାଟ ପରଗାଁକୁ ଛୁଟି ଆସିବାକୁ କିଛି ଦରକାର ନ ଥିଲା । କିନ୍ତୁ ଦରକାର ଅଦରକାରର ହୋସ୍ ତ କନ୍ଧର ଆସେ ନାହିଁ କାମ କଲାବେଳେ, ପାଞ୍ଚଜଣ ବସନ୍ତି ପଙ୍ଗତ ଜମେ, ଯାହା ଗୋଟାଏ କରିବା ବୋଲି ନିଷ୍ପତ୍ତି ହୁଏ ସେଇଆ ହୁଏ, ତା’ପରେ ଧାଁଦଉଡ଼ର ବଳ ତୁଟିଗଲେ ଥିରିଥାରି ସମସ୍ତେ ଘରକୁ ଫେରନ୍ତି । ନିତିଦିନର ନିର୍ଘଣ୍ଟ ଭିତରେ ଏପରି ଅନାମି କାମ ଅନେକଥର ଆସେ । ଜଣେ ପାରାଟିଏ କିଣି ଯାଇଛି, ଏଗାଁରୁ ସେ ଗାଁ ସେ ଗାଁରୁ ଏ ଗାଁ, ଖରାଏ ତରାଏ । ଜଣେ ଯାଇଛି ମୁଷାଟିଏ ଧରିବାକୁ, ଗୀତ ବୋଲି ବୋଲି କାନ୍ଧରେ ଟାଙ୍ଗିଆ ପକେଇ ଘେରାଏ ବୁଲି ଆସିବାହିଁ ଗୋଟାଏ କାମ ।

 

ଶଳ୍‍ପୁ କନ୍ଧ କହିଲା, ‘ବୁଢ଼ା ସାଓଁତା ଥିଲାବେଳେ ଏ ଗାଁକୁ ମାନୁନଥିଲା କେଡ଼େ ସୁନ୍ଦର, ଆଜି କାହିଁ ?’

 

ସୋଭନା କହିଲା, ‘ବୁଢ଼ାବୁଢ଼ାମାନେ କ’ଣ ସବୁଦିନେ ବସିଥା’ନ୍ତେ, ତା’ହେଲେ ତାଙ୍କର ଡୁମା (ଆତ୍ମା) ଆଉ ନୂଆ ଜନ୍ମ ନିଅନ୍ତା ନାହିଁ । ନୂଆ ପିଲା ହୁଅନ୍ତେ ନାହିଁ, ଲୋକେ ବାହାହେଇ ବସି ଅପେକ୍ଷା କରିଥା’ନ୍ତେ ପିଲାଝିଲା ବନ୍ଦ, ଏଇଆ ନା ।’

 

ଶଳ୍‍ପୁ କନ୍ଧ କହିଲା, ‘ମାନିଲି ସତକଥା ଯେ, ସେସବୁ ବିଚାରରେ ତୁମର ମୁଣ୍ଡ ଖେଳେଇବା ଦରକାର କ’ଣ ? ତୁମେ ତ ବାହା ହବାକୁ ଆଉ ମନ ଦଉନା-’

 

ହାର୍ଗୁଣା କହିଲା, ‘ମନଦେଲେ କ’ଣ ବାହାଘର ହୋଇଯାଏ ?’

ଶଳ୍‍ପୁ କହିଲା, ‘ଆଉ କେମିତି ହୁଏ ?’

ହାର୍ଗୁଣା କହିଲା, ଆଃ, ଯେତେବେଳେ ଯାହା ହବାର ଥାଏ ତା’ ହୁଏ-’

 

ଟିଙ୍ଗୁ କହିଲା, ‘ସତ କଥା ସାଓଁତା, ଆସିଥାଇଁ ଯେତେବେଳେ ଏତେବାଟ, ତୋର ବାହାଘର କଥା ବି ନିଷ୍ପତ୍ତି କରିଦେଇ ଯାଇଥିଲେ ହୋଇଥା’ନ୍ତା ସାଓଁତା, ଖାଲି ବେଜୁଣୀ ନଚେଇ ଫେରିବ ନା ?’

 

ଶଳ୍‍ପୁ କହିଲା, ‘ଆଉ କିଏ କରିବ, ସାଓଁତା ତ ମଲା ।’

 

ସୋଭେନା କହିଲା, ‘ଟୋକୀକୁ ପଚାରିଥିଲୁ ? ନ ହେଲେ ଚାଲ ଉଠେଇ ନେଇଯିବା, କୁଳରେ ତ ଅଛି, ଟୋକୀର ମନ ହେଲେ ଉଠେଇ ନେଇ ଚାଲିଯିବା, କିଏ ଆମର କ’ଣ କରିବ ?’

 

ଶଳ୍‍ପୁ କହିଲା, ‘ସେମିତି ଉଦୁଲିଆ ରକମର ବିଭା କ’ଣ ନିଜେ ଗାଁର ସାଓଁତା ହୋଇ କରିବ ? ସେମିତି କରନ୍ତି ଗରିବ ଲୋକ, ନ ହେଲେ ବିଭା ହେବାକୁ ଯେଉଁମାନେ ଟୋକୀଘର ମତ ପାଆନ୍ତି ନାହିଁ ସେମାନେ, ଏ ଦୁଇଟାରୁ କେଉଁ ଗୋଟାକ ଆମର ସାଓଁତା ଯେ ସେ ଲୁଚେଇ ଲୁଚେଇ ଚୋରେଇ ଚୋରେଇ ବିଭା ହେବ ? କାହିଁକି ? ଭଲରେ ପାଞ୍ଚ ଲୋକଙ୍କୁ ବସେଇ କହି ଝିଅ ନେଲେ କ’ଣ କିଏ ମନା କରିବ ?’

 

ଟିଙ୍ଗୁ କହିଲା, ‘ସତ, ସତ ।’

 

ଶଳ୍‍ପୁ କହିଲା, ‘ସତ ସତ ନୁହେଁ ତ ଆଉ କ’ଣ ମିଛ ମିଛ ଭାବୁଥିଲୁ ? ଆରେ ପିଲେ, ବହୁଦିନ ତ କଟେଇଲଣି ଧାଂଡୀ ନଚେଇ ନଚେଇ, ଏଥର ବାଛ, ବିଭା ହୁଅ, ଘର କର, କନିଆଁ ବାଛ, ଆପଣା ମନ ଠିକଣା କର, ଯେମିତି ଆଉ କାହାକୁ ପଛେ ଦେଖିଲେ ମନଟା ଆଉ ହାଇଁପାଇଁ ନ ହେବ । ତା’ପରେ, ଆମେ ବୁଢ଼ାଲୋକ ଖଣ୍ଡେଅଧେ ତ ଏପର୍ଯ୍ୟନ୍ତ ହଲୁଛୁଁ, ତୁମେ ତୁମର ମଉଜ କର, ଆମକୁ ଖାଲି ଟିକିଏ କହିଦିଅ ଆମେ ଆମର ରୀତିର କଥାଟା ଛିଣ୍ଡେଇ ଦେଉଁ । ତୁମପାଇଁ ଆମକୁ ଯେପରି କଥା ଶୁଣିବାକୁ ନ ପଡ଼େ କି ଆମପାଇଁ ତମକୁ ନ ପଡ଼େ ?’

 

ହାର୍ଗୁଣା ସାଓଁତା ଏ ସଦୁକ୍ତିର କୌଣସି ଜବାବ୍ ଦେଲା ନାହିଁ । ଥରେ ଭାବେ, ପୁବୁଲିକୁ ସେ ବିଭା ହେବ, ପୁଣି ହେବ, ଏତେ ଚଞ୍ଚଳ କାହାରି ଗୋଟାକ ପାଖେ ଧରାପଡ଼ି ଆପଣାର ବେପରୁଆ ଧାଂଡାପଣିଆଁରୁ ଡୋକ୍ରା(ବିବାହିତ ଲୋକ ବୁଢ଼ା) ପଣିଆଁକୁ ଓହ୍ଲେଇ ପଡ଼ିବାକୁ ମନ ଡାକୁ ନାହିଁ, ଏଇ ଖୋଲା ଜୀବନଟାକୁ ଧରି ଆହୁରି ଦିନାକେତେ ବର ଖେଳ ଖେଳିବା ଦରକାର, ଏତେ ଚଞ୍ଚଳ ନୁହେଁ ।

 

ଖେଳ ଖେଳିବା ଦରକାର !

 

ସତ । କିନ୍ତୁ ତେଣେ ଖେଳୁ ଖେଳୁ ଯଦି ପୁବୁଲି ବି ହାତରୁ ହାତରୁ ଖସି ଚାଲିଯାଏ, ଯଦି ଏହିପରି ଆଉ ଯେତେ ଚିହ୍ନାପରିଚ ଜଣାଶୁଣା ସମସ୍ତେ ଚାଲିଯାଆନ୍ତି ନିଜ ସୁଖରେ ? ମନ ସବୁ ସହେ, କେବଳ ସେତିକି ସହେ ନାହିଁ ଯେ ଆପଣାର ଅଧିକାର ଜାରି କରିବାକୁ ପୁଞ୍ଜାଏ ପାଞ୍ଚଟା ନାହାନ୍ତି । ସେତିକି ଚାହେଁ ନାହିଁ ଯେ, ଭୋଗ ନ ହେଉ ପଛେ ଭୋଗର ସାମଗ୍ରୀ ମଧ୍ୟ ନାହିଁ । ଧରିବାକୁ ଚାହେଁ ନାହିଁ, ଛାଡ଼ିଗଲେ ମନ ଭିତର ହାହାକାର କରେ, ଦୋଦୋପାଞ୍ଚ ହୋଇ ଭାବେ ବୋଧହୁଏ ଯେ ଗଲା ସେହି ଥିଲା ଭଲ, ତାଠୁ ଭଲ ଆଉ ହେବ ନାହିଁ ।

 

ସକାଳେ ଅତିଶୟ ଭରସି ହୋଇ ପୁବୁଲି ପାଣିରୁ ଫେରିଲା ବାଟରେ ଗଛମୂଳେ ସେ ଅପେକ୍ଷା କରିଥାଏ । ପୁବୁଲି ସଙ୍ଗେ ଦିପଦ କଥାଭାଷା ତାର ନିତାନ୍ତ ଦରକାର । ସେହିବାଟେ ପୁବୁଲି ଫେରିଲା । କିନ୍ତୁ ଏକାକିନୀ ନୁହେଁ, ସାଙ୍ଗରେ ପଲେ ଟୋକୀ, ଉଠାଣିରେ ଫେରନ୍ତା ବାଟକୁ ଅନେଇଦେଇ ପୁବୁଲିକୁ ଠେଲି ଠେଲି ମେଞ୍ଚାମେଞ୍ଚି କରି ସେମାନେ ଥଟ୍ଟା ଆରମ୍ଭ କଲେ, ‘ହେଇଲୋ ଦେଖ୍ ଠିଆ ହେଇଛି ।’ ଟିଟି ବୋଲିଲା ଗୀତ । ହାର୍ଗୁଣା ଅପ୍ରସ୍ତୁତ ହେଲା । କୌଣସି ଜବାବ୍ ସେ ଖୋଜି ପାଇଲା ନାହିଁ । ଭାବିଲା ଧେତ୍, ପଛେ ଦେଖିବା ।

 

ପଛେ ଦେଖିବା ପଛେ ଦେଖିବା ହୋଇ ହୋଇ ବେଳ ଉଛୁରି ଗଲା, ସୁଯୋଗ ଆସିଲା ନାହିଁ ।

•••

 

ଛତିଶ

 

ଗହଳି ଉଠିଲା, ଗାଁ ଦାଣ୍ଡରେ ବେଜୁଣୀ ନାଚିଲା । ଏହିପରି ତାର ଗର୍ବର ଦିନ ପଡ଼େ, ଯେତେବେଳେ ତାର ପ୍ରାଧାନ୍ୟ ସ୍ୱୀକାର କରି ପରଗାଁରୁ ଲୋକ ଆସନ୍ତି ତାର ସାହାଯ୍ୟ ମାଗି । ବାଜା ବାଜିଲା, ବେଜୁଣୀ ନାଚିଲା, କନ୍ଧର ଧାରଣାରେ ଅବତାରୀ ଦେବତା ବେଜୁଣୀ ବାଟେ ନିଜକୁ ପ୍ରକାଶ କରେ ।

 

ଦେବତା ସେ-ସବୁଠିଁ, ତାର ଅବୟବ ଆକାଶ, ମଣିଷଠୁଁ ସେ ଖୁବ୍ ଉଞ୍ଚରେ, ସେ କରିଯାଏ ମଣିଷ ସହିଯାଏ । କିନ୍ତୁ ମଣିଷ ଭାବେ ତାର ନିଜର ଉପାୟରେ ସେ ଦେବତାକୁ ବାନ୍ଧିଦେଇ ଗୋଷ୍ଠୀ ଆଗରେ ରଖିପାରେ, ବର ଦେବାକୁ, ବାଟ ବତେଇବାକୁ, ନିଜର କର୍ମ ବୁଝେଇ ହିସାବ ନିକାଶ କରିବାକୁ, କୈଫିୟତ୍ ଦେବାକୁ । ସେତିକି ଉପାୟ ପାଇଁ ମଣିଷ ସବୁ ଉପାଦାନ ସଂଗ୍ରହ କରେ, ଆପଣାର ମନର ବିଶ୍ୱାସ, ପୂଜା, ବଳି ସବୁ କ୍ରିୟାକର୍ମ ।

 

ସାଓଁତା ପଚାରିଲା, ‘ଦେବତା, ମୋର ପୋଢ଼ କାହିଁକି ମଲେ ?’

ବେଜୁଣୀ ଉତ୍ତର ଦେଲା, ‘କାହିଁକି କିଏ ମରେ ? ଆୟୁଷ ପୂରିବାରୁ ସିନା ।’

‘କିଏ ମାରିଲା ଦେବତା, ହାତୀପରି ଛ’ଟା ପୋଢ଼ ମୋ ଗାଁର, କିଏ ମାରିଦେଲା ?’

 

ବେଜୁଣୀ ହସିଦେଲା, କହିଲା, ‘ବାୟା ହେଲୁ ତୁ ପୁଅ, କେହି କି ମାରିପାରେ, କେହି କି କିଛି କରିପାରେ ? ସବୁ ମୁଁ କରେ । ମୁଁ ଜିଆଏ, ମୁଁ ମାରେ, ସବୁ ମୁଁ ।’

 

‘କହିଦେ ଦେବତା, କିଏ ଆମକୁ ଏମିତି ଦଣ୍ଡ ଦେଲା, ଗାଁରେ ପଚାରିଲି, ବେଜୁଣୀ ନଚେଇଲି, ସେଠି କହିଲୁ ମୁଁ କହିବି ନାହିଁ ମୋର ଇଷ୍ଟ ଏଠି ପଚାରୁଛି ଏମିତି ମୋତେ ଭାଁ ବୁଲେଇ ଦେଉଛୁ, ଯାହା ଚାହିଁବୁ ସେ ବଳି ତତେ ଦେବି, ତତେ କୋଟି କୋଟି ନମସ୍କାର, କହିଦେ, କାହା ହାତରେ ମୋର ପୋଢ଼ ମରେଇଲୁ, କାହିଁକି ମରେଇଲୁ, କ’ଣ ତୋର ପୂଜାବିଧିରେ ଅନିଷ୍ଟ ହେଲା-’

 

ବଣର ମଣିଷ ତର୍କ ବୁଝେ ନାହିଁ, କେବଳ ବୁଝେ ସଫା ସଫା ଦିପଦ କଥା, ସଫା କଥା, ନିଦାନ କଥା । କିଏ ? –କାହିଁକି ?

 

ବେଜୁଣୀ ମନ ଇଚ୍ଛାରେ ସାତ ଘେରା ନାଚିଗଲା, ଚଇତର ଖଣ୍ଡିଆଭୂତ ପରି, ସତେ କି ଦେବତା ଆପଣାର ଛବି ଦେଖୋଉଛି, ଆପଣାର ଖିଆଲରେ ଯେପରି ଦୁଇକୂଳ ଖାଇ ଦୋହଲି ଦୋହଲି ମାଡ଼ିଚାଲେ ସେଇଆ ଦେଖାଉଛି, ସମସ୍ତେ ଆଶାୟୀ ହୋଇ ରହିଲେ, ଅପେକ୍ଷା କରି ରହିଲେ । ବଡ଼ ଭୟଙ୍କର, ବୁଢ଼ୀ ବେଜୁଣୀ ଉପରେ ନାଟ୍ୟଦେବତା, ମଶାଣିରେ ଖପୁରୀ ଭିତରେ ସାଇଁସାଇଁଆ ପବନ ପରି, ସେଠି ଅବିକଳ ଝୁଣାଧୂଆଁ, ସେଠି ମୁରୁଜ, ଫୁଲ, ଭାଲିଆ ଫଳ, ସେଠି ବିକଟ ବାଦ୍ୟ ଯାହା ମନେପକାଇଦିଏ ଖାଲି ସୃଷ୍ଟିର ଶେଷ ଦିନର ଧ୍ୱଂସଦିନର କଥା-ମଝିରେ ଉତ୍ତାଳ ଅସମ୍ଭାଳ ବେଜୁଣୀ ଗୋଟାଏ ନରକଙ୍କାଳ, ବିକଟ ବୀଭତ୍ସ, କେବଳ ଦୁଇଟା ଉଜ୍ଜଳ ନିଆଁଗିଳା ଆଖି, ଅସମ୍ଭବ ଭ୍ରୂକୁଟି । ବେଜୁଣୀର ହୋସ୍ ନାହିଁ, ଦେବତାର ହୋସ୍ ନ ଥାଏ । ଯାହା ଅସମ୍ଭବ, ଅଦ୍ଭୁତ, ମଣିଷର ସାଧାରଣ ଅଭିଜ୍ଞତାର ବାହାରେ, ସେଇଆକୁ ମଣିଷ ଆପଣା ସାମ୍ନାରେ ଠିଆ କରି ରଖେ ସାଧାରଣତାର ମାପକାଠି ପରି, ସେଇଆକୁ କରେ ଦେବତା ।

 

ସମସ୍ତେ ବେଢ଼ି ବସିଥା’ନ୍ତି, ଏଥର ହୁଏତ ବେଜୁଣୀ ଜବାବ୍ ଦେବ, ପଦେ କଥାରେ ଛିଣ୍ଡିଯିବ ବନ୍ଦିକାରର ଅନିଷ୍ଟ ପାଇଁ ଦାୟୀ କିଏ । ପାଣ୍ଡ୍ରୁଜାନି ଖରାକୁ ଅନେଇ ଯୋଗ ଦେଖୁଥାଏ । ବେଳ ଉଣ୍ଡି ପାଣ୍ଡ୍ରୁଜାନି ହାତଯୋଡ଼ି ପଚାରିଲା, ‘କହ ବେଜୁଣୀ, କହ ଦେବତା, ବନ୍ଦିକାରର ପୋଢ଼ ମାରିଲା କିଏ । ବହୁତ ଆଶା ବାନ୍ଧି ସେ ଗାଁର ଲୋକେ ତୋର ଗୋଡ଼ତଳକୁ ଦୌଡ଼ି ଆସିଛନ୍ତି, କହ ପୋଢ଼ କାହିଁକି ମଲେ-’

ସେହିପରି ଅନ୍ୟମନସ୍କ ହୋଇ ବେଜୁଣୀ କହିଲା, ‘ତୁମେ ମଣିଷମାନେ ପ୍ରତି କଥାରେ ଅନ୍ଧାରୀ ବଣର ମାୟା କଥା ପଚାରିବସ, ସବୁବେଳେ ତୁମର ଇଚ୍ଛା କୌଣସି ଉପାୟରେ ହେଲେ ଦେବତାର ହାତରୁ ଦୈବର ଚାବି ଓଟାରି ନେବାକୁ । ସବୁ ତ ତୁମକୁ ଅଜାଡ଼ି ଦେଇଛି ପିଲାମାନେ । ସବୁ ଝାଡ଼୍‌ଝୁଡ଼ କରି ଟିକିଏ ବୋଲି ରଖିଛି ତଳତଳିଆ କାଣ୍ଟି, ତାକୁ ବି ତୁମେମାନେ ନେଇଯିବାକୁ ଚାହଁ ।

ଦେଖ କ’ଣ ଅଛି ମୋର ଆଉ ? କ’ଣ ଅଛି ? ଫମ୍ପା କୋଥଳି ଭିତରେ ଶୁଖିଲା ସେମେଟା ହୋଇ ଖଣ୍ଡିଏ ଜଡ଼ିବୁଟି, କେଉଁ କାଳର ପୁରୁଣା । ସେଇ ମୋର କାଉଁରି ହାଡ଼, ତାକୁ ବି ରଖିଛି ତୁମରି ପାଇଁ, ତୁମେ ତାର ବ୍ୟବହାର ବୁଝିବ ନାହିଁ ।

ଯଦି ଆଜି ସେତିକି ମୋର କୋଥଳିରୁ ଯାଇ ତୁମ ହାତରେ ପଡ଼ିବ, ଆଉ ତୁମେ ବୁଝିବ କାହିଁକି କ’ଣ କେମିତି ତେବେ ଆଲୁଅ ପରେ ହୁଏତ ଅନ୍ଧାର ରାତି ଆସିବ ନାହିଁ, ଜହ୍ନ ଆଲୁଅରେ ଝଲସି ଉଠିବ ନାହିଁ ବଣ ପୃଥ୍ୱୀ, ସବୁ ପାଇଥିବା ନିରାଶାରେ ସୁଖର ପୂର୍ଣ୍ଣତାରେ ତୁମେ ବୁଡ଼ି ମରିବ ମହୁହାଣ୍ଡିରେ ପିମ୍ପୁଡ଼ି ପରି । ତୁମେ ମୋତେ ପୂଜା କରୁଛ, ତୁମେ ମତେ ଭୟ କରୁଛ, କିନ୍ତୁ ଖାଲି ଭୟ ତ ନୁହେଁ, ଅଜଣାର ସୁଖ-ସ୍ୱପ୍ନ ଅଜଣାର ମାୟା....ନିର୍ଭର ଭରସା । ସେତିକି ତୁମର ସୁଖର ଶେଯ, ସେତିକି ଗଲେ କେମିତି କଟିବ ପଥର ଉପରେ ଅନ୍ଧାରୁଆ ଶୀତର ରାତି, ଯେତେବେଳେ ତାରାର ଝିକିମିକି ବି ନ ଥିବ, ନ ଥିବ କାହାର ଦୂରଗଛ ଉହାଡ଼ରେ ଜୁକୁଜୁକୁ ସାନ ନିଆଁ ଅଟାଟି, ହାଉ ହାଉ ପବନ ।

 

ସବୁ ତୁମେ ଜାଣିନେବାକୁ ଚାହଁ, ସବୁ ଜାଣିଲେ ବଞ୍ଚିବାର ମୋହ ଭାଙ୍ଗିଯିବ-ସବୁ କରିପାରିଲେ ଗଢ଼ିବାର ପୁଞ୍ଜି ଶେଷ ହୋଇଯିବ, ତା’ପରେ ନୀରସ ନୀରସ କଠିନ ଦିନଗଣା ଭଲ ଲାଗିବ ତ ?

 

ନା ମୋର ପ୍ରିୟ ପିଲାମାନେ-ମୁଁ ଦର୍ମୁ, ମୁଁ ଦର୍ତନୀ, ଏହିପରି ମୋର ଆପଣାଗଢ଼ା ସଂସାର ଚାଲିଥାଉ ସେଠି, ସେଠି ସୁଖର ଦୁଃଖର ରଙ୍ଗ ଲାଗୁଥାଉ, ଆଲୁଅ ଅନ୍ଧାର ଛିରିକି ଛିରିକି ଲାଗି ରହିଥାଉ ପାଖ ପାଖ ।

 

ନା ପିଲାମାନେ, ମୁଁ ତୁମର ସୁଖପାଇଁ ଦାୟୀ, ତୁମେ ନିର୍ବୋଧ, ମୁଁ କହିବି ନାହିଁ-କହିବି ନାହିଁ-’

 

ସମସ୍ତେ ଆଁ କରି ଅନେଇ ରହି ଶୁଣୁଥା’ନ୍ତି, ବନ୍ଦିକାରିଆ ଲୋକେ ବଡ଼ ଅସନ୍ତୋଷ ହେଉଥା’ନ୍ତି, କାହିଁ ତାଙ୍କର ପ୍ରଶ୍ନର ଜବାବ୍, ଆଉ ଏଗୁଡ଼ାକ କ’ଣ ଗୋଳମାଳିଆ କଥା । ଏ ତା ମୁହଁକୁ ସେ ୟା ମୁହଁକୁ ଅନୋଉଥା’ନ୍ତି, କେବଳ ଟାଳିଯିବା କଥା ସମସ୍ତେ ଖୁଜ୍‌ବୁଜ୍ ହେଉଥା’ନ୍ତି ଏକା ଶଳ୍‍ପୁ କନ୍ଧକୁ ଛାଡ଼ି । ବଡ଼ ନିବିଷ୍ଟ ମନରେ ଅନେଇ ରହି ଶଳ୍‍ପୁ ବାରମ୍ବାର ମୁଣ୍ଡ ହଲୋଉଥାଏ, କେତେ ରାଗର କେତେ ରସର ଛବି ଢେଉପରି ଖେଳି ଯାଉଥାଏ ତାର ମୁହଁ ଉପରେ । ବେଜୁଣୀକୁ ଅନେଇଁ ରହି ବାରମ୍ବାର ମୁଣ୍ଡ ହଲେଇ ହଲେଇ ଶଳ୍‍ପୁ କହୁଥାଏ, ‘ଆହା-ହା, ଆହା-ହା ଅଳ୍ପ ଦୂରରେ ଟିକିଏ ଢିପ ଉପରେ ବସି ପାଣ୍ଡ୍ରୁ ଦିସାରି ପରଗାଁର ଲୋକଙ୍କ ଉପରେ ତାର ଗାଁର ବେଜୁଣୀର ଭାଷଣର ପ୍ରଭାବ ଉଣ୍ଡି ଲାଗିଥାଏ, ଶଳ୍‍ପୁ କନ୍ଧର ତଦ୍‌ଗତ ଅବସ୍ଥା ଦେଖି ଆତ୍ମ-ପ୍ରସାଦରେ ତାର କପାଳ ଆଉ ଆଖି ଉଜ୍ଜ୍ୱଳ ହୋଇ ଉଠୁଥାଏ ।

 

ହାର୍ଗୁଣା ଆଉ ସମ୍ଭାଳି ପାରିଲା ନାହିଁ । ସୋଭେନାକୁ ଜୋର୍‌ରେ ହଲେଇଦେଇ ହାର୍ଗୁଣା କହିଲା, ‘ହାଜୁଃ-ହାଜୁଃ-(ଯାଅ ଯାଅ, ଅର୍ଥାତ୍ ଯିବା ଯିବା) ଆଚ୍ଛା ବାୟା ହାବୁଡ଼େ ପଡ଼ିଲା ମଣିଷ; କ’ଣ ଏଗୁଡ଼ାକ ବକୁଛି ଗାଣ୍ଡି ନାହିଁ କି ମୁଣ୍ଡ ନାହିଁ, କେଉଁ କଥାଟା କେଉଁଠି ଯାଇ ଲାଗୁଛି, କ’ଣ ତାର ମାନେ-ନ ହେଲେକି ମିଛରେ ସକାଳୁ ଭାଲୁ ମୁହଁ ଦେଖି ଉଠିଛି ମଣିଷ-ହାଜୁଃ ହାଜୁଃ-ବାୟା ଆହାଶ୍ନେ (ବାୟା ହେଇଚି ସେ) ।’

 

ସୋଭେନା ହସିଲା; କହିଲା, ‘ପକ୍କା ବାୟାଣୀ ବୁଢ଼ୀ, ଦେବତା ଲାଗିଛି ନା ବାୟା ଲାଗିଛି-ଏଡ଼େ ବେକୁଫ୍ ଏ ଗାଁର ଲୋକେ ଏ ବାୟା ଗପ ଶୁଣିବାକୁ ଏମିତି ହୁଅନ୍ତି, ମିଛରେ ମଣିଷ ଏତେ କଷ୍ଟକରି ଏ ନିସ୍ତା (ବାଜେ) ଗାଁକୁ ଦୌଡ଼ି ଆସିଥିଲା, କାଲି ରାତିରେ ଯେଉ ମଶା କାମୁଡ଼ା ଛେଃ-’

 

ହାର୍ଗୁଣା କହିଲା, ‘ଚାଲ ଯିବା ଆଉ ଡେରି କାହିଁକି ? କାଲି ରାତିରେ ହରକତ, ସକାଳୁ ଭାଲୁ, ଦିପହରେ ବାୟାଣୀ, ୟା ପରେ ଆଉ ଅଛି କେଜାଣି ? ଏ ଗାଁରୁ ପଳେଇଲେ ଭଲ-’

 

ସୋଭେନା କହିଲା, ‘ସତ କଥା, ଏଠି ପାଣି ଅଛି ପିଇହେବ ନାହିଁ, ଫୁଲ ଅଛି ବାସ୍ନା ନାହିଁ, ମଣିଷ ଅଛନ୍ତି ବୁଦ୍ଧି ନାହିଁ-ଦେଖ୍ ଦେଖ୍ କେମିତି ଡେଉଁଛି, ପିଲାଏ ଦେଖିଲେ ଭେଟେଣା ହେବେ ।’

 

ପାଟିରେ ଶଳ୍‍ପୁ କନ୍ଧ ବିରକ୍ତ ହୋଇ କହିଲା, ‘ଅନ୍ୟମନସ୍କ ହୋଇ ଦେବତାର ବିରକ୍ତି ମୁଣ୍ଡାଅ ନାହିଁ ପିଲେ, ଶୁଣ ଶୁଣ-କି ସୁନ୍ଦର, ଦେଖ-’

 

ବୁଢ଼ୀର ନାଟ ତୁ ଦେଖୁଥା ଅଜା, ଆମର ଦରକାର ନାହିଁ-’

‘ନା ତୁମର ଧାଂଡୀ ନାଟ ଦରକାର, ଯ ଯ’ ।

 

ବେଜୁଣୀ ଅନେକ କଥା ଗପିଗଲା; ବାରମ୍ବାର ପଚରା ଉଚୁରାରେ କହିଲା, ବନ୍ଦିକାରର ପୋଢ଼ଙ୍କୁ ମଣିଷ ମାରି ନାହିଁ, ଦେବତା ରୋଗ ପଠେଇ ମାରିଛି, ତହିଁକି କାହାର ହାତ ନାହିଁ । ବେଜୁଣୀର ଅବତାର ସରି ନ ଥାଏ, ଶଳ୍‍ପୁ କନ୍ଧ ଉଠିବାକୁ ନାରାଜ, ଟୋକାମାନେ ବାହାରିଗଲେ । ଦିଉଡ଼ୁ ସାଓଁତା ଘରେ ଖିଆପିଆ । ପିଣ୍ଡାରେ ପୁୟୁ ବସିଛି । ପୁବୁଲି ବସିଛି । ପୁୟୁର ମନ ଛକପକ କରୁଥାଏ, ପୁବୁଲିର ବିଭାଘର କଥା କିଛି ପଡ଼ିଲା ନାହିଁ । ବନ୍ଦିକାରିଆ ଆସିଗଲେ, କାମ ବାହାନାରେ ପୁବୁଲି ଘର ଭିତରକୁ ଗଲା । ପୁୟୁ କହିଲା, ‘ଦେଖ ତମକୁ ଲାଜ କରୁଛି, ଆଲୋ ଏହିମାନେ ତ ତୋର ଆପଣାର, ଘର ତ ପର ଘରେ କେତେଦିନ ପଶି ରହିଥିବୁ !’ ଜାମିରି କନ୍ଧର ବୁଢ଼ୀ ଆସି ପହଞ୍ଚିଲା, ହାର୍ଗୁଣାକୁ ଲକ୍ଷ୍ୟକରି କହିଲା, ‘ଆମର ଟୋକୀମାନଙ୍କୁ ତୁମେ ନେଇଯିବ ଆଉ ଆମେ ଟୋକୀମାନଙ୍କର ମା ଆମୁକୁ ପଚାରିବ ନାହିଁ ।’ ସୋଭେନା ଥଟ୍ଟାକରି କହିଲା, ‘ଆମ ଟୋକାମାନଙ୍କ ବାପ ଥିଲେ ସିନା ।’ ପୁୟୁ କହିଲା, ‘କ’ଣ ସବୁ ଚୁପ୍‌ଚାପ୍‌ରେ କଥାଭାଷା ଛିଡ଼େଇଦେଲ, ଆମ ଝିଅକୁ ଚୋରେଇ କରି ନେଇଯିବ ନାହିଁ ତ !’ ହାର୍ଗୁଣା ତାର ଜବାବ୍ ଦେଲା ନାହିଁ ଖାଲି ହସୁଥାଏ । ଜାମିରି କନ୍ଧର ବୁଢ଼ୀ କହିଲା, ‘ଆହା ଆଜି ସରବୁ ସାଓଁତା ଥା’ନ୍ତା କିରେ, କେଡ଼େ ଭଲ ପାଉଥିଲା ଏ ହାର୍ଗୁଣାକୁ, ନ ହେଲେ କ’ଣ ମାହାଳିଆ ଠିକଣା କରିଥିଲା, ଗୋଟିଏ ବୋଲି ଝିଅ ତାକୁ ଏ ବିଭାହେବ !’ ଏତିକିରେ ସୋଭେନା ଆଉ ଟିଙ୍ଗୁ ଭିତରକୁ ଉଦ୍ଦେଶ୍ୟ କରି ଡାକ ଛାଡ଼ିଲା ‘କଙ୍କଡ଼ା ପରି ଗାଡ଼ରେ ଲୁଚିଲେ ଚଳିବ ନାହିଁ, ବାହାର, ବାହାର ।’ ‘କିରେ ସାଓଁତା, କଥା କହୁଛୁ ଯେ ?’ ‘ହଁ ଏତେଜଣଙ୍କ ଆଗରେ କ’ଣ କଥା କହିହୁଏ ? ଯେଉଁଠି କଥା ହେବ ସେଇଠି ନା-’, ଅନର୍ଗଳ ଗୁଡ଼ାଏ ଥଟ୍ଟା ନକଲ, ହାର୍ଗୁଣାର ମୁହଁ ପୁବୁଲିର ମୁହଁ ବାନ୍ଧି ହୋଇଯାଇଥାଏ, ୟେ ତା’କୁ ସେ ୟାକୁ କଣେଇଁ କଣେଇଁ ଅନୋଉଥା’ନ୍ତି । ସେହି ତୁନିତାନି ଭିତରେ କେତେ ତଉଲାତଉଲି, କେତେ ସାତପାଞ୍ଚ, ପଦାକୁ ସବୁ ତୁନିତାନି । ହାର୍ଗୁଣା ଦମ୍ଭଧରି ପୁବୁଲି ଆଡ଼କୁ ମୁହଁକରି ପଚାରିଲା, ‘ଆମେ ତ ଆଇଲୁଁ, କେବେ ତୁମେ ଯିବ ଆମ ଗାଁକୁ ? ଚଇତକୁ ଆସ ।’

 

ପୁବୁଲି କବାଟକୁ ଆଉଜି ନଖ ଚୋବାଉଥାଏ । ତାର ହୋଇ ପୁୟୁ କହିଲା, ‘ତାକୁ କାହିଁକି ପଚାରୁଛ, ମନକୁ ପଚାର । ତର ସହି ହେଉ ନାହିଁ ପରା-’ ଦିଉଡ଼ୁ ଆସିଥାଏ, ମିଣିଆପାୟୁର ଭେଣ୍ଡିଆମାନେ ଆସିଥା’ନ୍ତି, ହାର୍ଗୁଣା କଥା ବଙ୍କେଇ ନେଇ କହିଲା, ‘ନା କାହିଁକି କହୁଥିଲି କି-ବହୁତ ସମ୍ବର ଓହ୍ଲେଇଛନ୍ତି ଆମ ବଣକୁ, ଲୋକେ କହୁଛନ୍ତି-କଳାହାଣ୍ଡି ବଣରୁ ବଳିଆକୁକୁର ଗୋଡ଼େଇ ଆଣିଛି, ଯା’ନ୍ତ ଶିକାର ହୁଅନ୍ତା, ନାଟ ହୁଅନ୍ତା, ବୁଲିବା କଥା ତ ।’

 

ଏହିପରି ଅନେକ କଥା ପଡ଼ିଲା । ହାର୍ଗୁଣାର ଗପ ଭିତରେ ଗୋଟିଏ ଇଙ୍ଗିତ ଥାଏ, ସେତିକି ମାତ୍ର । ପୁବୁଲିର ବିଭାଘର କଥା ସଫା ସଫା ନିଷ୍ପତ୍ତି ହେଲା ନାହିଁ । ସେପରି ନିଷ୍ପତ୍ତି ମଧ୍ୟ କନ୍ଧ ସମାଜରେ ଖୁବ୍ ବେଶୀ ହୁଏ ନାହିଁ । ପରସ୍ପରଙ୍କର ଦେଖାଚାହାଁ ଠିରିକା ଠିରିକି ସରିଯାଇ ବିଭାହେବାକୁ ଦୃଢ଼ଭାବରେ ଯେତେବେଳେ ଉଭୟେ ନିଷ୍ପତ୍ତି କରିସାରନ୍ତି ସେତେବେଳେ ଯାଇ ଉଭୟ ପକ୍ଷଙ୍କର ବନ୍ଧୁ ବାନ୍ଧବଙ୍କର ବୈଠକ ବସେ । ମଦପିଆ, ଧୂଆଁଖିଆ ଭିତରେ କଥାଟା ପଡ଼େ, ବର ତରଫ କନ୍ୟା ମାଗନ୍ତି, କନ୍ୟା ତରଫ କନ୍ୟାସୁନା (‘ଝୋଲ’) ମାଗନ୍ତି, ସ୍ୱୀକାର କରନ୍ତି ।

 

ବେଳ ବଢ଼ିଲା । ବନ୍ଦିକାରିଆ ଉଠିଲେ । ଗଲାବେଳେ ହାର୍ଗୁଣା ସାଓଁତା ଦିଉଡ଼ୁ ସାଓଁତାକୁ ନିମନ୍ତ୍ରଣ କରିଗଲା ‘ନିଶ୍ଚୟ ଆସିବୁ, ନିଶ୍ଚୟ ।’

 

ବଣଦେଶର ଖୋଲା ପ୍ରଜାପତି, ତାର ବି ଧରା ଦେବାକୁ ମନହୁଏ ।

 

ହେଉ, ସେମାନେ ଚାଲିଯାଉଛନ୍ତି, ହେଇ ଦୂରରେ, ପୁବୁଲି ଏକୁଟିଆ ଠିଆହୋଇ ଦେଖିଲା । ଖାଲକୁ ଓହ୍ଲେଇ ପଡ଼ୁଛନ୍ତି କି ତରତର ଚାଲି କାହିଁକି ଜୀବନଯାକ ମଣିଷ ଖାଲି ତରତର ତରତର ? ଏଥର ମୁଣ୍ଡ ଲୁଚିଗଲା, ଏମାନେ ରହିଗଲେ ଢାଲୁର ଉଢ଼ୁଆଳରେ, ପୁବୁଲି ଦେଖିଲା ।

 

ସେମାନେ ଚାଲିଗଲେ ।

 

ଏକା ଧ୍ୟାନରେ ସେ ଦେଖୁଥିଲା, କ’ଣ କହିଥିଲା ପାଣ୍ଡ୍ରୁ ଦିସାରି ଯେ ହାର୍ଗୁଣା ସହିତ ତାର ବିଭାଘର କେବେ ଘଟିବ ନାହିଁ । ପାଣ୍ଡ୍ରୁ ଦିସାରିର କଥା ଏତେବେଳେ ପୁବୁଲିର ମନେ ନ ଥିଲା । ଦୀର୍ଘଶ୍ୱାସ ପକେଇ ସେ ଖାଲି ଦେଖୁଥିଲା, ବଣ ପର୍ବତ ପାରିହୋଇ ପରଗାଁର ଲୋକ ଆସିଥିଲେ, ପୁରୁଷ ଆସିଥିଲେ, ସେମାନେ ଚାଲିଗଲେ, ହୁଏତ ଆଉ ଆସିବେ ନାହିଁ ।

 

ଏଇ ଘାଟିର ଢାଲୁରେ ଗଡ଼ିପଡ଼ିଲା ତାର ପିଲାଦିନର ଗୋଟିଏ ସ୍ୱପ୍ନ, ଯୌବନ ସଙ୍ଗେ ସଙ୍ଗେ ଦେହ ଉପରେ ମନ ଉପରେ ସେ ବଢ଼ି ଲାଗିଥିଲା ଏତେଦିନଯାକେ, ଆଜି ମନେହେଉଛି ଯେପରି ତାର ଜାଗା ଫାଙ୍କା କରିଦେଇ ସେ ଉଡ଼ି ଚାଲିଗଲା, ଆଉ ଆସିବ ନାହିଁ, ଆଉ ଆସିବ ନାହିଁ । ହାର୍ଗୁଣା ତାକୁ ସଙ୍ଖୋଳି ଗଲା ନାହିଁ, ହାର୍ଗୁଣା ତାକୁ ପାଟି ଫିଟେଇ ଗଲା ନାହିଁ, ହାର୍ଗୁଣା ଆଉ ତାର ନୁହେଁ, ନାରୀର ମନ ତାର ବିନା ସନ୍ଦେହରେ ବୁଝେଇ ଦେଇଛି । ପୁବୁଲିର ମନରେ ଚୋଟ ଲାଗିଥିଲା, ପୁଣି ମନ ଭିତରେ ତେଜି ଉଠିଥିଲା ଶିକାରୀର ଛଇ, ହାର୍ଗୁଣାକୁ ସେ ପାଦରେ ଦଳିବ ।

 

ପଛକୁ ଅନେଇଁ ରହି ମନ ଭିତର ପଛରୁ ଆକୁଳ ହୋଇ ଡାକୁଥିଲା, ଚହଳ ପକେଇ ଡାକୁଥିଲା, ‘ଆ ଆ ଫେରିଆ ମୁଁ ଖେଳ ଖେଳିବି ।’ ବାହାରେ ସବୁ ନୀରବ, ତୁଣ୍ଡରେ ତାଲା ।

 

ସେମାନେ ଅଦୃଶ୍ୟ ହେଲେ, ନାରୀର ଚରମ ଅପମାନ ବ୍ୟର୍ଥତା ଝାଇଁ ଝାଇଁ କଲା ତାର କାନରେ, ମୁହଁ ଶୁଖେଇ ଅନ୍ୟମନସ୍କ ହୋଇ ଠିଆହୋଇ ରହିଲା ସେ ଖରାରେ ।

 

ପର୍ବତ ଉପର ଗାଁରେ ଦୂରକୁ ମୁହଁକରି ସାଧାରଣ କନ୍ଧ ଝିଅଟିଏ, ଅଳସେଇ ଚାହିଁ ରହିଛି ମହୁଲଫୁଲିଆ ପବନରେ, ବାହାରର ଚିତ୍ର ଏତିକି, ନିତିଦିନିଆଁ ।

 

କିନ୍ତୁ ପୁବୁଲି ଝୁରି ହେଉଥିଲା, ହାର୍ଗୁଣା ପାଇଁ ନୁହେଁ ନିଜ ପାଇଁ । ଆପଣା ଭିତରେ ଗୋଟାଏ ମଣିଷର ଛାଞ୍ଚ ଫାଙ୍କା ହୋଇ ରହି ବଢ଼ିବଢ଼ିକା ଚାଲିଛି, ବାହାରର ଚଳନ୍ତି ପଟୁଆରର ଜଣେ ଜଣେ ବାହାରୁ ବାହାରୁ କଣ୍ଟି ହୋଇ ଅସମାନ ହୋଇ ଗଡ଼ି ଚାଲିଛନ୍ତି, ଅଟକି ରହୁ ନାହାନ୍ତି....

 

 

ସେ ଊଣେଇଶ, ତଥାପି ସେ ଅପୂର୍ଣ୍ଣ ।

କେହି ଅଟକି ରହି ନାହାନ୍ତି ।

•••

 

ସଇଁତିରିଶ

 

ଗାଁ ସେମୁଣ୍ଡେ ସେହି ଦଦରା ଘରର ଅରମା ଅଗଣାରେ ହାତ ଉପରେ ଗାଲ ଥୋଇଦେଇ ବସି ବସିକା ସୋନାଦେଈ ଭାବେ, କିଏ କେତେକର, କିଏ ତାର ।

 

ସେହିପରି ତାର ଫଟାତୁଟା ଲୁଗା, ସେହିପରି ତାର ଅଲରା ବାଳ, ଆଉ ଚାହାଣି – ନିତିଦିନର ନିଛାଟିଆ ନିରିମାଖୀ ଜୀବନର ଭାବନାରେ ବୋଝ ବୋଝ, ଭାରି ଭାର ।

 

କେବେ ବାପଘରେ ସେ ହସିଥିଲା, ଫୁଲ ନାଇଥିଲା, କେବେ କେତେ ଆଶାୟୀ ତରୁଣ ଚାହିଁ ବସିଥିଲେ ତାର ସେ କାଳର ମୁହଁକୁ । ତା’ପରେ, ଜୁଆରରେ ଭଟ୍ଟା ନିପାରଗ ସ୍ୱାମୀ-ବାଲ୍‍ମୁଣ୍ଡା ।

 

ଭୁଲ କାଟୁଥିବାବେଳେ ପହିଲି କେଇଦିନ,-ମନ ମାତେ, ଦେହ ତାତେ, ଆକୁଳ ହୋଇ ଅଣ୍ଡାଳି ଅଣ୍ଡାଳି ହାତରେ ପଡ଼ୁଥାଏ କେବଳ ଘୁଙ୍ଗା ବାଲି, ଅଭାବ ମେଣ୍ଟେ ନାହିଁ ।

 

ତା’ପରେ ମଡ଼ା ବାଟରେ ଗୋଡ଼ ପଡ଼ିଯାଏ ଛାଁକୁ ଛାଁଆ, ସବୁ ଲୁଚିରହେ, ଉଦ୍‌ବେଗ ଆଉ ଇଚ୍ଛା । ଜୀବନଟା ବେଶ୍ ଭୁଲି ହୋଇଥିଲା, ତାର ନିପାରଗ ସ୍ୱାମୀ, ଶଶୁର, ଦିଅର । ସେମାନେ ଚୋର ହୁଅନ୍ତୁ, ତାଙ୍କର ଭଙ୍ଗାରୁଜା ଘରକରଣା ଭିତରେ କେନ୍ଦ୍ର ସେ ସୋନାଦେଈ, ସଂସାର ଚଳେଇବାର ଆନନ୍ଦ ବଳିପଡ଼େ ପାଇବାର ଆନନ୍ଦଠୁ, ଦିନ ଭୁଲି ହୁଏ ।

 

ଏହିପରି କେତେ ପୁରୁଷ କେତେ ସ୍ତ୍ରୀ ।

 

କିନ୍ତୁ କେବେ କିଏ ଅତୀତ ମନର ସ୍ମାରକ ଚିଠିପରି ପବନରେ ଉଡ଼ି ଉଡ଼ି ଆସେ, କହେ ମୁଁ ଚିହ୍ନିଛି, କେବେ ପାଣିପାଗର ସୁଯୋଗରୁ ଥୁଣ୍ଟା ଗଣ୍ଡି ଉପରେ ବିନା ପତ୍ରରେ ବଉଳ ଗଜୁରେ, ପୁଣି ସବୁ ମନେପଡ଼େ, ମୁଣ୍ଡରେ ଚଢ଼େ ଅତୀତର ପ୍ରେତ ।

 

ଯମୁନା ଉଜାଣି ବହେ ।

 

ଦିଉଡ଼ୁ ସାଓଁତା ଗାଁର ସାଓଁତା, କାରଣ ଥାଉ କାରଣ ନ ଥାଉ ବାଁରେଇ ହୋଇ ବାରିକ ବୁଢ଼ାକୁ ଡାକି ଡାକିକା ଯାଏ । ଠିକ୍ ପଛେ ପଛେ ଖୋଜି ଖୋଜିକା ଆସେ ଲେଞ୍ଜୁ କନ୍ଧ, ଚାଲିଯାଏ ନାହିଁ, ଅଟକି ରହେ, ସୋନାଦେଈ ପାଖକୁ ଚାଲିଆସି ଅତି କଅଁଳ ହୋଇ ଦୁଃଖସୁଖ ହୁଏ । ସବୁବେଳେ ତା’ ମୁହଁରୁ ହସ, ହସରେ ହସରେ ଉଡ଼େଇଦେବାକୁ ଚାହେଁ ସୋନାଦେଈ ଦୁଃଖ । ପୁରୁଷ କେବେ ଖୋଜିଆସେ ସ୍ତ୍ରୀ ତା ବୁଝେ, କହିବା ଦରକାର ପଡ଼େନାହିଁ । ସୋନାଦେଈ ବୁଝେ,-ଖାଲିଭାବେ, ମନ ଉପରୁ ଖୋଳପା ଗୋଟାକ ପରେ ଗୋଟାଏ ଛାଡ଼ିଛାଡ଼ିକା ବାହାରିଆସେ ଅତୀତର ମନ ଯେତେବେଳେ ସେ ବନ୍ଧାହୋଇ ନ ଥିଲା, ଥିଲା ସ୍ୱୟମ୍ବରା ।

 

କେଲାର ଗାଁର ଗର୍ଜନ ଡମ୍ବ ଓରଫ୍ ରାଫାଏଲ କିଷ୍ଟାନ ତାର ବାପ, ବହୁତ ପ୍ରସିଦ୍ଧ ଡମ୍ବକୁଦା (ଦଳର) ଝିଅ ସେ ।

 

ପ୍ରାଚୀନ କାଳରୁ ଡମ୍ବ ଜାତିର ପେସା ଗୋରୁ ଚୋରି, ସିନ୍ଧି, ଠକାମି, ଡକାଇତି, ବାଟମାରଣା ଇତ୍ୟାଦି । ଏପରିକି ପ୍ରଥା ଅଛି ଯେ ପୁଅଟିଏ ଜନ୍ମ ହେଲେ କାନ୍ଥରେ ଠାଏ ଗାତ ଖୋଳି ତହିଁରେ ତାର ମୁଣ୍ଡ ଭର୍ତ୍ତି କରି ଗୋଟିଏ ପୂଜା କରାହୁଏ, ଯେପରିକି ସେ ସିନ୍ଧିକାମରେ ପରେ ଖୁବ୍ ଧୁରନ୍ଧର ହେବ । ଏହି ପ୍ରାଚୀନ ବୃତ୍ତି ସେମାନଙ୍କର ରାମାୟଣ କାଳରେ ମଧ୍ୟ ମହଜୁଦ୍ ଥିଲା, ସେକାଳର ଡମ୍ବ ବୀର କବି ରତ୍ନାକର, ପରେ ସେ ହେଲେ ବାଲ୍ମୀକି ଏବଂ ତାଙ୍କର ନାମ ଅନୁସାରେ ମତ୍ସ୍ୟକୁଣ୍ଡ ଉଡ୍ରଗଡ଼ ଅଞ୍ଚଳର ଡମ୍ବମାନେ ‘ବାଲ୍ମୀକି’ ବୋଲାଇଲେ । କୁଳ ବେଉସାର ପ୍ରସାର ସକାଶେ ଡମ୍ବର ଘରକରଣା, ତେଣୁ ଡମ୍ବ ପିଲାଏ ବିନା କାମରେ ଏଣେ ତେଣେ ବୁଲୁଥା’ନ୍ତି, ଡମ୍ବ ସ୍ତ୍ରୀଲୋକମାନେ ଛୋଟ ପସରା ମୁଣ୍ଡେଇ ହାଟକୁ ହାଟ ବୁଲନ୍ତି, ଡମ୍ବ ପୁରୁଷମାନେ ତାଷ କରିବାକୁ ଘୃଣା କରନ୍ତି । ଏହି ଚୋରିର ଉନ୍ନତତର ପ୍ରକାଶ ଦଳବାନ୍ଧି ଅସ୍ତ୍ରଶସ୍ତ୍ର ଧରି ଡକାଇତି, ହାଟ ଜୁରିବା,ବାଟ ଜୁରିବା, ଗାଁ ଜୁରିବା । ପୁଲିସର ଚାପ ବଳିପଡ଼ିବା ପୂର୍ବରୁ ବଣୁଆ ମାଳ ଭିତରେ ଦଳ ଦଳ ଜୁରିଆ ଥିଲେ, ହାଟକୁ ଶଗଡ଼ ଚାଲିଲାବେଳେ ବାଟରେ ଲୁଟି କରୁଥିଲେ, ଦିନ ଦିପହରେ ଗାଁଲୋକେ କ୍ଷେତକୁ ଯାଇଥିଲାବେଳେ କି ହାଟକୁ ଯାଇଥିଲାବେଳେ ଗାଁ ଲୁଟି ନିଆଁ ଲଗେଇ ଦେଉଥିଲେ । ଏହିପରି କରି କେତେ ଜାଗାରେ ତାଙ୍କର ଦଖଲ ଥିଲା, ଗଡ଼ ବସେଇଥିଲେ, ସେମିଳିଗୁଡ଼ାର ଭଙ୍ଗା ଡମ୍ବଦୁର୍ଗ ତାର ସ୍ମାରକ । କନ୍ଧମାନଙ୍କ ସଙ୍ଗେ ସଂଘର୍ଷ ହୋଇଥିଲା, ଫୁଲ୍‌ବେଡ଼ାରେ ଓ ପଞ୍ଚଡ଼ାରେ ଯୁଦ୍ଧ ହୋଇ ସେଠି କନ୍ଧ ଡମ୍ବମାନଙ୍କୁ ନିପାତ କରିଥିଲେ-। କେଲାର ଗାଁ ପଞ୍ଚଡ଼ା ଅଞ୍ଚଳରେ, କାକିରିଗୁମ୍ମା ପାଖରେ ।

 

ଏମାନଙ୍କର କଳ୍ପନା ଶକ୍ତିର ବଳ ମୂଳରୁ, ତାହା ସହିତ ମିଶିଯାଏ ସାଧୁ ପରିଶ୍ରମ ପ୍ରତି ଅତି ବିମୁଖ ମନୋଭାବ, ଦୁଇଟା ଶକ୍ତିର ମଝିଏ ମଝିଏ ବଙ୍କା ବାଟରେ ଠେଲି ହୋଇଯାଏ ଡମ୍ବ, ପଦେ ପଦେକେ ମିଛ ବାହାରେ । ବିକୃତ ମନ ବଂଶ ପରମ୍ପରାକ୍ରମେ ଗଡ଼ି ଚାଲେ, ଫନ୍ଦିଫିକର ହୁଏ ଡମ୍ବର ଜାତିଗତ ଗୁଣ, ଆଖି ସବୁବେଳେ ପରର ଜିନିଷ ଉପରେ । ଚାଷକୁ ଇଚ୍ଛା ନାହିଁ, ତେଣୁ ଗୋରୁ କେବଳ ଭୋଜ୍ୟବସ୍ତୁ, ଯେଉଁଠି ସୁବିଧା ମିଳିଲା ସେଠି ଚୋରି କର, ଟାଙ୍ଗିଆମୁଣ୍ଡିରେ ଦି ଶିଙ୍ଘ ମଝିରେ ଲଗାଅ ପାହାରେ, ତା’ପରେ ଛାଲଛଡ଼େଇ ନେଇ ହାଟରେ ବିକ୍ରୀ କରିବାକୁ ବହୁତ ହାଟ ଅଛି । ଯାହା ଆପଣାର ଝାଳବୁହା ମାଲ ନୁହେଁ ତାର ଖର୍ଚ୍ଚରେ କୌଣସି କସାକସି ନାହିଁ । ତେଣୁ କେବଳ ଦାୟିତ୍ୱହୀନ ଭୋଗର ଘରକରଣା, ଘରେ ବାହାରେ ।

 

ସବୁବେଳେ ମଦ ମାଂସ । ପୁରୁଷଙ୍କ ଚେହେରା ପ୍ରକାଣ୍ଡ ହୁଏ, ମୁହଁର ଠାଣି ନୃଶଂସ ଅବିଶ୍ୱାସୀ । ସ୍ତ୍ରୀର ବଢ଼ିଆଳ ଦେହ, ତାର ଦ୍ୟୋତନା କେବଳ ଅଳସ ପାଶବିକତା । ଘରକରଣାରେ କଳିଗୋଳ, କୋଳାହଳ, ଦାମ୍ପତ୍ୟ ଡୋର ଅତି ସରୁ । ଅଳ୍ପକେ ଛିଣ୍ଡିଯାଏ, ସହିବା ଶକ୍ତି ବଡ଼ ଅଭାବ । ସବୁ ସ୍ୱାମୀ ବଞ୍ଚିଥିଲେ ସୁଦ୍ଧା ବଦଳେଇ ବଦଳେଇ ଗୋଟାକ ପରେ ଗୋଟାଏ ହୋଇ ବାହାଘର ହେବା ଦେଖାଯାଏ ଏହି ଜାତିରେ, ଚରିତ୍ରହୀନତାର ଚରମସୀମା ଏଠି । ସ୍ତ୍ରୀ ପୁରୁଷ ଉଭୟଙ୍କ ଚେଷ୍ଟା ଆଉ ଉଦ୍ଦେଶ୍ୟ କେବଳ କ୍ଷଣିକ ସୁଖ, ପୁରୁଷ ଲୁଂଗୁଡ଼ା, ସ୍ତ୍ରୀ ବିଟପୀ । ବାଟ ଚାଲିଲେ ସ୍ତ୍ରୀ ଦେହକୁ ଦୋହଲେଇ ହାବଭାବ ଦେଖାଇ ଯାଏ, ସବୁବେଳେ ଅଶାନ୍ତ ସେ । ଜୀବନ ଧାରଣ କାର୍ଯ୍ୟରେ ମିଛ ଏମାନଙ୍କର ପ୍ରଧାନ ଗତି ହେବାରୁ କଥାବାର୍ତ୍ତାରେ ସବୁବେଳେ ବାକ୍‌ଚାତୁରୀ ଫୁଟେ, ଡମ୍ବ ବହୁତ କହେ, କଥା କହିଲେ ଉଦ୍ଦେଶ୍ୟ ରହେ ପରର କିପରି ବିଶ୍ୱାସ ହେଉ, ତେଣୁ ତାର କଥା କହିବା ଗୋଟାଏ ଅଭିନୟ । ଅତି ବିନୟ ଦେଖାଯାଏ, ଅତି ଭକ୍ତି ଦେଖାଯାଏ, ନିଜର ଉଦ୍ଦେଶ୍ୟ ସାଧିବାକୁ ପରପାଖେ ଅତି ତଳକୁ ସେ ଖସିପାରେ । ସେ ବିଚିତ୍ର, ସେ ମାୟାବୀ, ମାଳର କାଉ ।

 

ଯେତେବେଳେ ପୁଲିସ୍‌ର ପ୍ରତାପ ଏତେ ଭିତରକୁ ଭେଦି ନ ଥିଲା ଅଭାବ ନ ଥିଲା । କେତେବେଳେ ଭଲ ଲୁଗାପଟା ଆସି ପହଞ୍ଚିଯାଏ, କେତେବେଳେ ଆଉ କେଉଁ କଥା, ସବୁଦିନେ ମାଉଁସ ଭାତ । ରାତି ରାତି ଗାଁରୁ ଲୋକେ ହାତ ହତିଆର ଧରି ବାହାରି ଚାଲିଯାଆନ୍ତି, ସ୍ତ୍ରୀଲୋକମାନେ ଅପେକ୍ଷା କରି ରହନ୍ତି, ସକାଳକୁ ଘର ପୂରେ, ଚାଉଳ ଦିନେ ଚାଉଳ, ମାଣ୍ଡିଆ ଦିନେ ମାଣ୍ଡିଆ, ଆଖୁ, ଗହମ, ତୈଳବୀଜ, ଦେଶର ସବୁ ଫସଲ ଆସେ, ସେଥିସକାଶେ ଖରାଏ ତରାଏ କ୍ଷେତରେ ଖଟି ମରିବାକୁ ପଡ଼େ ନାହିଁ । ଯଦି କେଉଁଦିନ ଜଣେ କୁଆଡ଼େ ବୁଲି ବାହାରି ପଡ଼ିଛି ସେ ଖାଲି ହାତରେ କେବେ ଫେରିବ ନାହିଁ, ଖାଲି ମୁଣ୍ଡର ଫିକର ଖେଳେଇଲେ ଅଣ୍ଟା ଭର୍ତ୍ତି-। କେଉଁ ଗାଁରେ ଜଣେ କିଏ ନିଜର ପୋଷା ଛେଳି ମାରି ଭୋଜି କରୁଛି, ଗୋଟିକିଆ ଡମ୍ବ ଜଣେ ହାବୁଡ଼ି ଖାଲି ଧମକ ଦେଲା, ‘ପୁଲିସ୍‌ରେ ରିପୋଟ୍ ନ କରି କାହିଁକି ଛେଳି ମାରିଲୁ ?’ ସେହି ଧମକରେ କିଛି ନିଜର ଉପାୟ କରିନେଲା; ଅମିନବାବୁ ଗସ୍ତରେ ଗଲେ, ପଛେ ପଛେ ଡମ୍ବ ଯାଇ ଗାଁ ଗାଁଆଁକେ ବଟ୍ଟା ଅସୁଲ୍ କରିନେଲା, ତାଙ୍କ ନାଁ କହି, ଜିନିଷପତ୍ର ବୋହି ନେଇଗଲା କ’ଣ ନା ଅମିନବାବୁ ପଠେଇଛନ୍ତି । ପଞ୍ଝାଏ ଡମ୍ବପିଲା ଶିଖାଶିଖି ହୋଇ ପଇସା ଦେଇ ଚଳନ୍ତି ଶଗଡ଼ରେ ବସି ପଡ଼ିଲେ, କହିଲେ ଆମେ ହାଟକୁ ଯିବୁ, ଅନ୍ଧାର ପଡ଼ିଲାରୁ ଅଧବାଟରେ ପଛ ଗାଡ଼ିରୁ ଜଣେ ପିଲା ପାଟିକଲା, ‘ଚୋର ଚୋର’ । ସବୁ ଶଗଡ଼ିଆ ପଛକୁ ଦଉଡ଼ିଲେ, ଆଗର ଗାଡ଼ିରୁ ଶଗଡ଼ିଆଙ୍କ ଲୁଗା ଗାମୁଛା ପୋଟଳି ବାନ୍ଧି ଡମ୍ବପିଲାଏ ଚିଲା ମାରିଲେ । ତାଲା ପଡ଼ିଲା ଘରୁ ଚୋରି ହେଉଛି, ଦାଣ୍ଡ କବାଟରେ ତାଲା, କାନ୍ଥରେ ସାନ ଗାତଟିଏ କରି ପିଲାଟିଏ ପଶି ବାରି କବାଟ ଖୋଲିଦେଲା, କାମ ଶେଷରେ ବାରି କବାଟ ବନ୍ଦ କରି ସେହି କଣାବାଟେ ଚାଲି ଆସିଲା, ବଡ଼ ଲୋକଙ୍କୁ ଧରିବାକୁ ଉପାୟ ନାହିଁ । କେତେ ଫନ୍ଦି, ଗାଁରେ ବସି ହସିବାକୁ ବହୁତ ବେଳ ମିଳେ ।

 

କ୍ରମେ କ୍ରମେ ପୁଲିସ୍ ଭେଦିଗଲେ, ଡମ୍ବର ସ୍ୱରାଜ୍ୟ ଶେଷ ହେଲା । ହଳ ହଳ ହୋଇ ସମସ୍ତେ ବନ୍ଧା ହୋଇଗଲେ, ତା’ପରେ ନୂଆ ଆଇନ୍, ଥରେ ଚୋରି କଲେ ନଜରବନ୍ଦୀ, ରିପୋଟ୍ ନ କରି ଗାଁ ବାହାରକୁ ଗୋଡ଼ କାଢ଼ିଲେ ପୁଣି ଜେଲ୍ କ୍ରମିନେଲେ ଟ୍ରାଇବ୍ । ଡମ୍ବ ଛିନ୍‌ଛତର ହୋଇଗଲେ, ବଡ଼ ବଡ଼ ଡମ୍ବ ଘର ଭାଙ୍ଗିଗଲା । ଅନେକ ଖ୍ରୀଷ୍ଟାନ୍ ହୋଇଥିଲେ କାଳେ ପାଦ୍ରି ସାହେବ ଆଇନ୍ କବଳରୁ ରକ୍ଷା କରିବେ; ସେ ମୋହ ତୁଟିଗଲା, ଖ୍ରୀଷ୍ଟାନ୍ ହେବା କମିଗଲା । ଦମନ ନୀତି ନୂଆ ଆଇନ୍‌ର କ୍ରୁର ବିଧାନ, ଡମ୍ବ ଭାଙ୍ଗିପଡ଼ିଲା ।

 

ୟା ପରେ ଅନ୍ୟାନ୍ୟ ଜାତିଙ୍କ ଗାଁରେ ବୁଦ୍ଧିଦାତା ‘ବାରିକ’ରୂପେ, ଗୋରୁ ଜଗୁଆଳ ହୋଇ କି କୁଲିମଜୁରିଆ ହୋଇ ଡମ୍ବମାନେ ଛିଟିକି ପଡ଼ିଲେ, ଚାଷ ଆରମ୍ଭ କଲେ, ଢୋଲ ବଜେଇବା, ମହୁରି ଫୁଙ୍କିବା, ଲୁଗା ବୁଣିବା, ଛାଲ ବିକିବା, ସାନ ସାନ ପସରା ଧରି ହାଟ ବୁଲିବା, ଡମ୍ବ ଜାତିର ଏହିସବୁ ସାବକ କାମ ଅତି ମାତ୍ରାରେ ବଢ଼ି ଚାଲିଲା, ଜୁରିଆ ବସିପଡ଼ିଲା ସମାଜରେ କିନ୍ତୁ ନିଜକୁ ଯେତେ ଲୁଚେଇଲେ ବି ପରର ନିଘା ପରର ଘୃଣାରୁ ସେ ଅବ୍ୟାହତି ପାଇଲା ନାହିଁ । ଆପଣାର ପ୍ରବୃତ୍ତି ମଧ୍ୟ ତା’କୁ ଛାଡ଼ିପାରିଲା ନାହିଁ । ଡମ୍ବ ଚୋରି ନ କରେ ଯେତେ, ନିନ୍ଦାପାଏ ତାଠୁ ଅଧିକ । ଡମ୍ବ, ପାଣ, ଗଣ୍ଡା, ଏମାନେ ଏକା ପାହାଡ଼ି ଜାତି, ଏକା ଚେହେରା ଏକା ଜାତିଗତ ଗୁଣ, କୁଲ୍‌ଦିପିଆ, ମହାନନ୍ଦିଆ, କାଟ୍ରି, ଟାକ୍ରି, କମ୍‌ଲା, ଗରଡ଼ା, ବାଘ, ମୃଗ, ଖଗ, ମାଛ-ଏହିପରି ଏମାନଙ୍କର ଗୋତ୍ର, ଅନ୍ୟାନ୍ୟ ବଣୁଆଁ ଜାତିଙ୍କ ପରି ନାଁ ଶେଷରେ ଗୋତ୍ର ଯୋଡ଼ାହୁଏ, ଏକା ଗୋତ୍ରରେ ବିବାହ ନିଷିଦ୍ଧ, ବିବାହର ପ୍ରାୟ ଏକାପ୍ରଥା । ବରକନ୍ୟାଙ୍କ ମୁଣ୍ଡ ଉପରେ ପାଣି ମାଠିଆ ଥୁଆହୁଏ, ପରସ୍ପରଙ୍କ ପାଦ ଆଙ୍ଗୁଠିକୁ ପାଦଆଙ୍ଗୁଠିରେ ମାଡ଼ି ଧରି ପରସ୍ପର ଛାପ ପକାପକି ହୁଅନ୍ତି, ତୁଠରେ ଗୋଟାଏ ପୂଜା ହୁଏ ତାର ନାଁ ରାହୁପୂଜା । ମାଳୁଆ ପଦ୍ଧତିରେ ଏମାନଙ୍କର କ୍ରିୟାକର୍ମ, ବ୍ରାହ୍ମଣ ଲାଗନ୍ତି ନାହିଁ ।

 

ଏହି ଡମ୍ବକୁଳ ସୋନାଦେଈର ପିଠି ପଛଆଡ଼େ ଆଭିଜାତ୍ୟ । ତେଣୁ ତାକୁ ସୁଖ ଭଲ ଲାଗେ, ଅଭାବ ଖାଲି ହାଇଁ ପାଇଁ କରେ, ଓଲିଆ ଗାଈ ପରି ସେ ଏଣେତେଣେ ମୁହଁ ବୁଲାଏ । ଗର୍ଜନ ଡମ୍ବ ପୁଲିସ୍ କବଳରୁ ରକ୍ଷା ପାଇବାକୁ ରାଫାଏଲ୍ କିଷ୍ଟାନ ହୋଇଥିଲା; ବଞ୍ଚି ପାରିଲା ନାହିଁ-। କେଲାର୍ ଗାଁର ଡମ୍ବ-ଶ୍ରୀ ପବନରେ ଉଡ଼ିଗଲା, ଯେଉଁମାନେ ରହିଲେ ବାଧ୍ୟ ହୋଇ ସେମାନଙ୍କୁ ଗୋତିଗିରି, କୁଲିଗିରି କରିବାକୁ ପଡ଼ିଲା । ଅନହୂତି ଭାଗ୍ୟ ବିପର୍ଯ୍ୟୟରେ ଯେତେବେଳେ ସବୁ ଛାରଖାର ହୋଇଗଲା, ସେତେବେଳେ ସୋନାଦେଈ ବାଲ୍‍ମୁଣ୍ଡାର ଘର କରିବା ପାଇଁ ମିଣିଆପାୟୁ ଚାଲିଆସିଥିଲା । କନ୍ଧ ଗାଁରେ ବାରିକ, ତାର ଭଲ ଉପାୟ, ସୋନାଦେଈର ଉଚ୍ଚାଶା ଥିଲା । କିନ୍ତୁ ଆଶା କରି କରି ଦିନ ପରେ ଦିନ ଗଡ଼ି ଚାଲିଲା, ବିବାହରେ ସୁଖ ମିଳିଲା ନାହିଁ । ବାପକୁଳରେ କେହି ନାହିଁ, କେଉଁଆଡ଼ୁ କିଛି ଭରସା ନାହିଁ, ପାଖରେ କନ୍ଧ ଅଞ୍ଚଳରେ ବେଶୀ ଡମ୍ବ ନାହାନ୍ତି ଯେ ସୋନାଦେଈ ମନଇଚ୍ଛା ବାଛି ବୁଲିବ, ନୂଆ ଘରପାଇଁ ଉଦ୍‌ଯୋଗ କରିବ । ସେହିପରି ବନ୍ଦିକାରର ଢିଅର ମାଟି କାମୁଡ଼ି ପଡ଼ିରହି ସେ କେବଳ ଅପେକ୍ଷା କଲା ।
 

ଆପଣାର ମନକୁ ସେ କଳି ସାରିଛି, ବାଲ୍‍ମୁଣ୍ଡା ପାଖେ ରହିବାକୁ ତାର ଇଚ୍ଛା ନାହିଁ, କେବଳ ଦିନ ଗଣିବା କାମ ।

 

ଏତିକିବେଳେ ନିଘା ଦେଲା ସେ, ଲେଞ୍ଜୁ କନ୍ଧର ଆଗ୍ରହ ବଢ଼ୁଛି । ଲେଞ୍ଜୁ କନ୍ଧ ଟୋକା ନୁହେଁ ସତ, କିନ୍ତୁ ଡମ୍ବୁଣୀ ଝିଅ ନିତାନ୍ତ ତରଳ ନୁହେଁ ମଧ୍ୟ । ଆଗ ତାର ଲାଭ କ୍ଷତିର କଳନା । ଦିଉଡ଼ୁ ସାଓଁତାର ସ୍ତ୍ରୀ ଅଛି, ଦିଉଡ଼ୁ ସାଓଁତା ମଦୁଆ, ତାର ସବୁ ଦି’ଦିନିଆ । ଠିକ୍ ତାରି ପାଖେ ପାଖେ ଠିଆ କରି ସେ ଦେଖେ ଲେଞ୍ଜୁ କନ୍ଧକୁ, ବାରିକ ସହିତ କ’ଣ ତାର ଫୁସୁର୍‍ଫୁସୁର୍ ମନ୍ତ୍ରଣା ଲାଗି ରହିଛି ସବୁବେଳେ, ଷଡ଼ଯନ୍ତ୍ରର ଟିକିଏ ଟିକିଏ କାନରେ ବାଜିଯାଏ । ଲେଞ୍ଜୁ କନ୍ଧର ଭବିଷ୍ୟତ୍‍ ଅଛି, ଆଉ ଲେଞ୍ଜୁ କନ୍ଧର ଚାହାଣିରେ ଦିନୁଁଦିନ ଟଳଟଳେଇ ଉଠୁଛି ଗୋଟାଏ ନିଶା, ଯେତିକି ଦେଖିବା ପାଇଁ ସୋନାଦେଈ ଅଧୀର ହୋଇ ଅନେଇ ରହିଥାଏ ।

 

ଲେଞ୍ଜୁ କନ୍ଧ ଆସେ ଯାଏ, ଛକିଲା ପରି କେଉଁଠି ଯେ ଥାଏ, କେହି ନ ଥିଲାବେଳେ ନଈ ଖଣ୍ଡିରୁ, ତୋଟା ଉହାଡ଼ରୁ, ବାଡ଼ ସେ ପାଖରୁ ବାହାରିପଡ଼ି ଘାଗଡ଼ା ଗଳାରେ ଅଟକେଇ ଦିଏ-। ଥଙ୍ଗେଇ ଥଙ୍ଗେଇ କଥା କହେ, କେତେ ପ୍ରଶ୍ନ ତାର, ବାରିକ ନାହିଁ ?-ବାଲ୍‍ମୁଣ୍ଡା କୁଆଡ଼େ ଯାଇଛି-? ଦିଉଡ଼ୁ ଆସିଥିଲା କି ? ସବୁ ପ୍ରଶ୍ନର ଜବାବ୍ ପାଇଁ ସେ ସୋନାଦେଈ ପାଖକୁ ଦୌଡ଼ିଆସେ, ତାର ସବୁ ପେଖେନା ସୋନାଦେଈ ଦେଖେ, ମୁହଁକୁ ତଳକୁ ପୋତିଦେଇ ହସେ ।

 

କେବେଠୁ ବାରିକ ବୁଢ଼ା ଲେଞ୍ଜୁ କନ୍ଧର ଏଡ଼େବଡ଼ ବନ୍ଧୁ ହୋଇଗଲା ! ସୋନାଦେଈ ଭାବେ । ଠିକ୍ ସଞ୍ଜ ପଡ଼ିଲେ ଲେଞ୍ଜୁ କନ୍ଧ ବାରିକ ବୁଢ଼ାକୁ ଖୋଜି ଆସୁଥିଲା, ଥାଉ ନ ଥାଉ ।

•••

 

 

ଅଡ଼ତିରିଶ

 

ମାଳ ମାଳ ହୋଇ ବୁଢ଼ା ପାହାଡ଼ର ଦେଶ, ପ୍ରାଚୀନର କେଉଁ ଭୂମିକମ୍ପ ଆଗ୍ନେୟଗିରିର ତତଲା ଉଚ୍ଛ୍ୱାସରେ ତିଆରି ସେ । ଆଜି ଆଉ ସେଦିନର ତାତି ନାହିଁ, ତରଳା ଆଉଟା ପଥର କାଠୁଆ ହୋଇଛି, ଖାଲି ଦିନେ ତରଳା ଧାରର କଠିନ ପଥୁରିଆ ଦଣ୍ଡା ସିଅ ସିଅ ହୋଇ ଉପରୁ ତଳକୁ, ଦହିଖୁଆ ପରି, ଆଉ ସବା ଉପରେ କାଦୁଅ ପୋଖରୀ-ଆଗ୍ନେୟଗିରିର ମୁହଁ ଥିଲା । ମାଳ ପବନର ତୀବ୍ର ଧମକ ସେ ଟାଳିଯାଏ, ସହିଯାଏ ମାଳୁଆ ଦେଶର ହାତୀଶୁଣ୍ଢ ପରି ବରଷା, ଦର ଦର । କେତେ ଫଡ଼ା କେତେଠୁଁ ଯାଇଛି, ସନ୍ଧିରୁ ମାଟି ଗୋଳିହୋଇ ବୋହିଯାଇଛି ଖାଲି ଗହୀରିଆ ଫାଙ୍କ; କେତେପ୍ରକାର ରୂପ ସେ ପର୍ବତର ଆଉ ସ୍ଥାନେ ସ୍ଥାନେ କୋଶ କୋଶ ଲମ୍ବାକାନ୍ଥ ବାଡ଼ପରି ‘ମାଳି’, ‘ଦମକ’ କେତେ ଉପରକୁ ଉଠିଯାଇଛି, ଉପରଟା ସିଧା ସମତଳ । ତଳର ମାଟି, ସେ ବି ପଥର, ଢାଲୁ ଅତଡ଼ା ଢିପ ଖାଲ ହୋଇ ବି ପର୍ବତର ଅନୁରୂପ । ପର୍ବତ ଆଉ ପଥର ଏତିକି ସୂଚନା ସେ ଦେଶ ଗୋଟାକର, ଏତିକି ସତେ କି ତାର ବର୍ଣ୍ଣନା, ଆଉ ସେ ଦେଶର ମଣିଷର ଧରଣ, ଯେପରିକି ପର୍ବତଗୁରୁ ଶିଖେଇ ଦେଇଛି ଆପଣାର ଆଦର୍ଶ, ଆଘାତକୁ ଭ୍ରୂକ୍ଷେପ ନ କରି ଇତିହାସର ଏକୋଇଶା ଦିନଠାରୁ ଏ ପର୍ଯ୍ୟନ୍ତ ପଡ଼ି ରହିବାକୁ । ଅପରିବର୍ତ୍ତନୀୟ ଆଦର୍ଶ । ଏହି ଆଦର୍ଶରେ ବଣର ଜୀବନ ବଣେ ବଣେ ଚଳି ଆସିଛି, ନିର୍ବିକାର ଉଲଂଗ । ସଭ୍ୟତାର ମୁଖା ପିନ୍ଧି ପରିଚ୍ଛଦର ଝଲସ ତଳେ ତଳେ ଛାଲର ଜାଦୁ ଆଉ ମନର କପଟ ଲୁଚେଇ ଛପେଇ ବଞ୍ଚି ଶିଖି ନାହିଁ, ତେଣୁ ସେ ଅସଭ୍ୟ । ସେଠି ଛଅ ରିପୁ ଅଛି, ସେଠି ଗନ୍ଧ ମଇଳା ଅଛି, ସେଠି ଯାହା ସବୁଠି ତାହା, କିନ୍ତୁ ମଣିଷ ମନର ନିଦାନ ମୂଳଖୁଣ୍ଟର ସ୍ୱରୂପ ଖେଳୁଚି ବଣର ତରଙ୍ଗରେ, ସଫା ଖୋଲା । ତେଣୁ ସେଠି ଘା’ ପବନ ବାଜି ଶୁଖେ, ଦେହ ଖରା କାକର ଖାଇ ଟାଣ ହୁଏ, ମନର ବେଦନା ପ୍ରକାଶ ପାଇ ନିକାଶ ହୁଏ । ଦୁଃଖ ସେଠି ଗାଁ ପୋଖରୀର ପଙ୍କ ପାଲଟେ ନାହିଁ, ପ୍ରକୃତିର ବିଶାଳ ଆନନ୍ଦ ମଣିଷର ହତାଶ ଦୁର୍ଦ୍ଦଶା ଉପରେ ପରଶ ସିଞ୍ଚି ସବୁ ଭଲ କରେ, ମଶା ଡାଆଁଶ ଉତ୍‌ପାତ ଅଦୌତିର ଝଞ୍ଜା ବା’ରେ ବି ମଣିଷ ମନର କଅଁଳ ରାଗିଣୀ ବାଜୁଥାଏ, ଥମ୍ବେ ନାହିଁ ।

 

ବୁଢ଼ା ପାହାଡ଼ ପରି ବୁଢ଼ା, ମଣିଷର ସମାଜ ।

 

ମଣିଷର ମୃତ୍ୟୁ ନାହିଁ, ଦେହରୁ ପ୍ରାଣ ଛାଡ଼ିଗଲେ ପରଜା କହେ ଗଦବା କହେ କନ୍ଧ କହେ ଆତ୍ମା (ଡୁମା) ପୁଣି ଦେହ ଧରିବ, ପୁଣି ଜନ୍ମ ହେବ । ପିଲାଟିଏ ଜନ୍ମ ହେଲେ ଖୋଜା ପଡ଼େ ସେ କାହାର ଡୁମା, ଦିସାରି (ପୁରୋହିତ ସିଦ୍ଧାନ୍ତୀ) ତାର ପୂର୍ବଜନ୍ମର ଇତିହାସ କହେ, ସମସ୍ତେ ସେହି କଥା ବିଶ୍ୱାସ କରନ୍ତି । ସମସ୍ତେ ଜାଣନ୍ତି ସେମାନେ କାହାର ଡୁମା ।

 

ସେ ଗୀତା ପଢ଼ି ନାହିଁ, କିନ୍ତୁ ତାର ପୂର୍ବପୁରୁଷମାନେ ବି ଏହି ଅନୁଭୂତ ଅଭିଜ୍ଞତା ରଖିଦେଇ ଯାଇଛନ୍ତି ଯେ ଆତ୍ମା ଅବିନଶ୍ୱର । ସେ ବେଦ ପଢ଼ି ନାହିଁ, କିନ୍ତୁ ସେ ବିଶ୍ୱାସ କରେ ଆନନ୍ଦହିଁ ଜୀବନର ଶ୍ରେଷ୍ଠ ।

 

ପାହାଡ଼ ଉପରେ ଋତୁର ରଙ୍ଗ ପରି ମଣିଷ ବି ପ୍ରକାଶ ପାଏ ୠତୁରେ, ଋତୁର କ୍ରିୟା କର୍ମରେ, କେବେ ତାଷ କରିବ, କେବେ ପାଚି କାଟିବ, କେବେ ଦଣ୍ଡା (ଆଖୁ) କେବେ ଜୋଣା ମକ୍‌କା, ବର୍ଷଯାକର ନିର୍ଘଣ୍ଟ ଅନୁସାରେ କାର୍ଯ୍ୟର ଚକ୍ର, କେବଳ, ଏହାର ଫାଙ୍କରେ ତାଷ ଆଉ ଫସଲର କ୍ରମ ଅନୁସାରେ ତାର ଗୋଟିଏ ଗୋଟିଏ ପର୍ବ, ଯେପରି ପୃଥିବୀର ସବୁ ଦେଶରେ ତାଷକାମର ପାହାଚ ପାହାଚକେ ସୁମରଣି ପର୍ବର ବିନ୍ୟାସ ।

 

ତାଷ କଟାହୋଇ ସାରିଛି, ପୁଣି ଜମି ହଳ ହେବ, ନୂଆ ବଣ ହଣାହୋଇ ପୋଡ଼ାହୋଇ ଜମି ହେବ । କାମର ଭିଡ଼ ନାହିଁ । ନାଚିବାକୁ ବେଳ ଅଛି । ମହୁଲ ପାଚିଲାଣି, ପ୍ରଚୁର ମଦ । ଶୁଖିଥିବା ବଣରେ ଶିକାରର ସୁବିଧା । ବସନ୍ତ ଯାଇ ନାହିଁ ମାଳର ଶୋଭାରେ ଅଟକି ଯାଇଛି ଘଡ଼ିଏ । ଏହି ସମୟରେ ପୂର୍ବଘାଟର ମାଳରେ ଓଡ଼ିଶାର ଗଡ଼ଜାତମାନଙ୍କରେ ବିଖ୍ୟାତ ଚଇତ ପର୍ବ, ବଣର ମଣିଷର ବର୍ଷକର ଶ୍ରେଷ୍ଠ ପର୍ବ, ସର୍ବତ୍ର ।

 

ବଣର ମଣିଷ ଦିନ ଗଣେ; ଫଗୁଣର ଜହ୍ନକୁ ଅଭିସଂପାତ କରେ, କେବେ ଜହ୍ନ ମରିଯିବ ଚଇତଜହ୍ନ ଉଦିବ ଲାଗିବ ଚଇତ ପରବ । କେତେ ଆଶା ଧରି ନୂଆ ଆନନ୍ଦର ଜହ୍ନଘଡ଼ିକୁ ସେ ଅପେକ୍ଷା କରି ବସେ, ଆନନ୍ଦ ଆସିବ, ଆନନ୍ଦ ମତେଇ ନଚେଇ ରଖିଦେଇ ଯିବ ସ୍ମୃତିର ଝଲକ, ଚଇତ ପରବ୍ ଚଇତ ପରବ୍ ।

 

ମାସକ ଆଗରୁ ସଜାସଜି, ପରବ ଲାଗିଲେ କାମ ଛାଡ଼, ମୂଲିଆ ମୂଲ କରିବ ନାହିଁ, ବୋଝିଆ ଭାର ବୋହିବ ନାହିଁ, କେବଳ ଫୂର୍ତ୍ତି । ତେଣୁ ଆଗରୁ ପୁଞ୍ଜିପାତି ସାଇତା ହୋଇ ରହିଥିବ-। ଯେପରି ମଣିଷ ବସିରହି ଖାଇବ, ଖୁବ୍ ଭଲ ଖାଇବ । କାନ୍ଧର ଜୁଆଳି ବୟସର ବୋଝ ଉତାରି ଦେଇ ଦିନରାତି ଖାଲି ନାଚ ଗୀତ, ଭୋଜି, ଶିକାର, ମାଳ ଦେଶରେ ବସନ୍ତ ଅଭିଯାନ ।

 

ଭେଦାଭେଦ ନାହିଁ, ମାନ ଅଭିମାନ ନାହିଁ । ପର ଆପଣା ନାହିଁ । ବାଟେ ଅବାଟେ ଟୋକାଟୋକୀ ଦଳ । ସମସ୍ତିଙ୍କର ଘର ସବୁଠି । ସବୁଠି ଆନନ୍ଦରେ ବିହ୍ୱଳ ଭାବ । କେବଳ ହସ, ଫୁଲ, ହାତ ଛନ୍ଦାଛନ୍ଦି ହୋଇ ଦଳଦଳ ହୋଇ ନାଚ । ସେଥିରେ କ୍ଳାନ୍ତି ଅବସାଦ ନାହିଁ । ପର୍ବତର ଫାଟରୁ ଖୋଲରୁ ସମଗ୍ର ଦେଶ ଆବୋରି କେବଳ ନାଚ ବାଇଦର ଶବ୍ଦ, ନାନା ଜାତି । ବଣ ଭିତରେ ଜନ୍ତୁ ହୁରୁଡ଼େଇବାର ଉଲ୍ଲାସ କୁହାଟ, ଓଡ଼ିଆ ନଳୀର ଢୁ’ଢା । ଗଛ ତଳେ ଚଟାଣ ଉପରେ ବଣ ନାଳିଆର ଅତଡ଼ାରେ ବଣଭୋଜି ନାଟ । ଲଟା ଉହାଡ଼ରେ ଶରଧାର କଥା ପ୍ରାଣକୁ ପ୍ରାଣ ।

 

ଏତିକିବେଳେ ମଣିଷ ପ୍ରମାଣ କରେ, ଟଙ୍କା ତାର ଶ୍ରେୟ ନୁହେଁ, ପ୍ରାଣ ତାର ଶ୍ରେୟ । କାନ୍ତରାଟି ମୁଣ୍ଡକୁ କୋଡ଼େ, କାମ ବନ୍ଦ, ଅଧିକାରୀମାନେ କମାନ୍ (ଗସ୍ତ) ଯିବାକୁ କଷ୍ଟ ପାଆନ୍ତି, ଭାରୁଆ ନାହିଁ । ଗାଁକୁ ଗଲେ ଲୋକଟିଏ ନାହିଁ କାମ କରିବାକୁ ଏତେବେଳେ ପଇସା ଲୋଭାଏ ନାହିଁ । ଯେତେ ଯାଚିଲେ କିଛି ଫଳ ନାହିଁ । ମାଳର ଲୋକ ଖୋଜେ ସମସ୍ତିଙ୍କ କାମ ଅଚଳ ହୋଇ ରହୁ, ସମସ୍ତେ ମାତନ୍ତୁ । ତେଣୁ ଧାଂଡୀ ଦଳ ରଜାର ହାତୀ ବନ୍ଦ କରନ୍ତି, ଅଧିକାରୀର ମଟର ଅଟକାନ୍ତି, ରାସ୍ତାରେ ଚଳନ୍ତି ଗାଡ଼ି ଅଟକେଇ ଦେଇ ଆପଣା ଦେଶର ନାଟ ଦେଖାଇ ଖୁସି ଶରଧାରେ ଇନାମ୍ ନେଇ ଚାଲିଯାଆନ୍ତି । ବାଟ ଚଲାଳିକୁ ଘେରିଯାଇ ସେମାନେ ନାଟ କରାନ୍ତି । ସଭାଇନ୍‌ସପିଟି ‘ଇନାମ୍’ ଦେଇ ଦେଇ ହଇରାଣ ।

 

ଏହିଦିନେ ବିଦେଶୀକୁ ନିମନ୍ତ୍ରଣ,-ଥାଳିଏ ଚାଉଳ, ସେଥିରେ କୁକୁଡ଼ାଡିମ୍ବ କେତୋଟି, କଦଳୀ, ପାନ, ପିକା, ବେକରେ ଫୁଲ ମାଳେ ଓହଳେଇ ଦେବ, ଗୋଟିଏ ଦଣ୍ଡବତ । ନିମନ୍ତ୍ରଣ, ଆସ ଆମର ଗାଁକୁ ଆସ, ଆନନ୍ଦ ଉପଭୋଗ କର ।

 

ଏହି ଚଇତର ନାଚର ଢେଉ । ପ୍ରାଚୀନ ପାହାଡ଼ । ବନାନୀର ଦୃଶ୍ୟ । ଦିନର ଘଡ଼ିକୁ ଘଡ଼ି ନୂଆ ରଙ୍ଗର ବିନ୍ୟାସ, ଢେଉ ଢେଉକା ପାହାଡ଼ରେ ଖୋଲରେ । ନିଆଳୀର ମନ ସଲସଲ ବାସ୍ନା, ଚମ୍ପା, ମହୁଲ, ଆଉ ଢୋଲ ଯମକ ତୂରୀ ଡୁଙ୍ଗୁଡୁଙ୍ଗାର ଉତ୍ତାଳ ନାଦ ତରଙ୍ଗରେ ସମଗ୍ର ଦେଶବ୍ୟାପୀ ସୁସ୍ଥ ସୁଠାମ ରକ୍ତମାଂସଗଢ଼ା ଉଜ୍ଜ୍ୱଳ ଅଙ୍ଗ ସମଷ୍ଟିର ନାଟ୍ୟ ।

 

ନାଟ ଦେବତା ତର୍ଜନୀ ଟେକେ, ଅନ୍ଧାର ଓଟାରି ହୋଇଯାଏ ଉଏଁ ଚଇତର ଜହ୍ନ, ଜହ୍ନ ଉଏଁ, ଚଇତ ପରବର ଧୂମ୍ ଲାଗେ ।

 

ଏହିପରି ନାଚର ଦେବତା ଥରକୁ ଥର ହଲେଇ ଦେଇ ଦୋହଲେଇ ଦେଇଯାଏ, ବଣଦେଶର ଶାନ୍ତ ପ୍ରକୃତି ଭିତରେ କରେ ଛନ୍ଦର ଯୋଜନା । ପର୍ବତ ଝିମେଇଁ ଝିମେଇଁ ଦେଖେ ଆନନ୍ଦର ଲହଡ଼ି । ବରଷ ପରେ ବରଷ ବିତିଯାଏ ।

 

ଖାଇବାକୁ ଅଧେଦିନ ମାଣ୍ଡିଆ ଜାଉ, ଅଧେଦିନ ଶଳପ ଗଛର ଗଣ୍ଡି, ଆମ୍ବକୋଇଲି, ତେନ୍ତୁଳି ଶସ, ଯେତେ କଠିନ ପଥୁରିଆ ଚେର ମୂଳ । ପିନ୍ଧିବାକୁ କୌପୁନୀ । କାନ୍ଧରେ ବୋଝଭାର, ପଥର ଜୁଆଳି । ମନରେ ଆଦିମ ଯୁଗର ଅନ୍ଧବିଶ୍ୱାସ ଆଉ ସ୍ୱପ୍ନ-ବଣର ଶୋଭା ମଣିଷର ଶିରୀ ଭୁଲାଏ, ମହୁଲ ମଦ ମତାଏ, ଚଇତ ନଚେଇ ନଚେଇ ଗୁନ୍ଥିଦେଇ ରଖିଯାଏ କନ୍ଧିଆ ଭାଇର ଜୀବନ, ମଲିଫୁଲର ମାଳାପରି ।

•••

 

ଅଣଚାଳିଶ

 

‘ପରଜା’ ଗାଁରେ ‘ଗଦବା’ ଗାଁରେ ଚୈତ ପରବ ଲାଗିଯାଇଥାଏ, ପର୍ବ ଲାଗେ, ସରେ ଭିନ୍ନଭିନ୍ନ ଜାତିରେ ଭିନ୍ନ ଭିନ୍ନ ଗାଁରେ ଅଲଗା ଅଲଗା ଦିନରେ । ଦିସାରିର ଗଣନା ଅନୁସାରେ ଭିନ୍ନ ଭିନ୍ନ ଗାଁରେ ପର୍ବର ଦିନ ଧାର୍ଯ୍ୟ ହୁଏ । ‘ପରଜା’ର ପୋଥି ଅଛି, ଓଡ଼ିଆ ଅକ୍ଷରରେ ଲେଖା, ଖଣ୍ଡିଏ ତାଳପତ୍ର ପାଞ୍ଜି ଶହେବର୍ଷ ଚାଲିଥିବ । ଦିନମାନଙ୍କର ଫଳାଫଳ ଅଥବା କୌଣସି ଯୋଗର କଥା କୌଣସି ଏକା ଜାଗାରେ ଲେଖା ନାହିଁ, ହିସାବ କରିକରି ଏମୁଣ୍ଡୁ ସେମୁଣ୍ଡ ପାଞ୍ଜି ଗୋଟାକଯାକ ଖୋଜିଗଲେ ପରଜା ଦିସାରି ସବୁକଥା କହିଯିବ, କେଉଁଦିନ କେତେବେଳେ କି କାମ କରାଯିବ, କାହା ପକ୍ଷରେ କେଉଁଦିନଟା ଭଲ ଇତ୍ୟାଦି । କେବଳ ‘ପରଜା’ ନୁହନ୍ତି, ଓଡ଼ିଆ କହୁଥିବା ଭୋତଡ଼ା, ମିରିଗାଣ, ରଣା, ପୁଟିଆ, ପାଇକ, ମାଳୀ ଇତ୍ୟାଦି ସବୁ ଜାତିର ଲୋକ ଏହିପରି ଓଡ଼ିଆରେ ଲେଖା ହୋଇଥିବା ବିଚିତ୍ର ପାଞ୍ଜି ଅନୁସାରେ ଚଳନ୍ତି । ଔଷଧ ସକାଶେ ସେହିପରି ଓଡ଼ିଆରେ ଲେଖା ହୋଇଥିବା ପୁରୁଣାପୋଥି ତାଙ୍କର ଆଶ୍ରୟ ।

 

‘କନ୍ଧ’ ମଧ୍ୟ ପ୍ରାଚୀନ ଓଡ଼ିଆ ରାଜ୍ୟର ଜଣେ ସାମନ୍ତ, କଳିଙ୍ଗର କନ୍ଧଭାଷାରେ ରାଜାକୁ କୁହାଯାଏ ଓଡ଼େସି, ଅର୍ଥାତ୍ ଓଡ଼ । କିନ୍ତୁ କନ୍ଧ ଲେଖା ପୋଥି ବ୍ୟବହାର କରେ ନାହିଁ, ସେମାନଙ୍କର ଲେଖା ହରଫ୍ କିଛି ନାହିଁ, ସବୁ ଜ୍ଞାନ କଥିତ, ଅର୍ଥାତ୍ ଶ୍ରୁତି, ସବୁ ଜ୍ୟୋତିଷ ଚାକ୍ଷୁଷ ଗଣନା ଉପରେ । ଏମାନେ ତଳେ କାଠ ପୋତି ସୂର୍ଯ୍ୟର ଗତି ମାପନ୍ତି, ବେଳ ଗଣନା କରନ୍ତି ଲାଠିରେ, ଅର୍ଥାତ୍ କେତେ ଲାଠି ସୂର୍ଯ୍ୟ ଉପରକୁ ଉଠିଲାଣି ସେହି ହିସାବରେ, ରାତିର ଗଣନା ତାରାକୁ ଦେଖି କରନ୍ତି, ଆଖି ଆଗରେ ଆଙ୍ଗୁଠିରେ ଛକି କରି ତାହାରି ଭିତରେ ତାରାମାନଙ୍କୁ ଚାହିଁ ଚାହିଁ ଦେଖନ୍ତି । ଏସବୁ ଦେଖା ହିସାବ ଦେଖା ମାପ ଉପରେ ପୁଣି ଦିସାରିର ବେଜୁଣୀର ଦିବ୍ୟଦୃଷ୍ଟିର ଫଳ, କେତେ ତହିଁରୁ ଦିବ୍ୟ ଦୃଷ୍ଟି କେତେ ରନ୍ଧା ମଦର ବାମ୍ଫ କିଏ କହିବ ତା ? ଏସବୁ ବିଶ୍ୱାସର କଥା, ଯାହା ବିଶ୍ୱାସ ହୋଇଗଲା ବଣୁଆଁ ମଣିଷ ସେହିଆକୁ ଯାକି ଧରିଥାଏ, ଯାହା ହେଉ ତାର ଫଳ । କେବେ କିଏ ବିଶ୍ୱାସ ଜନ୍ମେଇଲା, କଳାଜିନିଷ ଅମଙ୍ଗଳର ହେତୁ, ଯଥା କଳା ଛେଳି, କଳା ଘୁଷୁରି, କଳା କୁକୁଡ଼ା । ବିଶ୍ୱାସ ବଢ଼ିଗଲା, ଯେତେ ଜିନିଷ ଯେତେ କଳା ଜନ୍ତୁ ଏକା ଦିନକେ ସମସ୍ତେ ନିପାତ । ମାଳୁଆ ତୋଫାନରେ ଏହିପରି ବିଶ୍ୱାସ ବି ଆସେ, ଯାହାର କଥାରେ ଏମାନଙ୍କର ବିଶ୍ୱାସ ରହିଛି, ସେ ଯାହା ମତେଇ ଦେଲା ତାହା ମଧ୍ୟ ବିଶ୍ୱାସ ।

 

ବିଶ୍ୱାସ ଆଉ ଗଣନାର ମତଭେଦ ଅନୁସାରେ ଦେଶକେ ଫାଙ୍କ୍ ନଈକେ ବାଙ୍କ୍ ନୀତିରେ ବେଳେ ବେଳେ ଗାଁକୁ ଗାଁ ଶୁଭଦିନ ପର୍ବଯୋଗର ଦିନ ତଫାତ୍ ପଡ଼େ ।

 

ଡୁଙ୍ଗୁଡୁଙ୍ଗା (ଲାଉ ଏକତାରା) ବଇଁଶୀ, ଡମ୍ବ ଢୋଲ, ଡମ୍ବ ତୂରୀ, ବଡ଼ ଢୋଲ, ଟମକ ଇତ୍ୟାଦିର ବାଜା ଗହଳ ହୋଇ ରାତି ରାତି ଯେତେବେଳେ ଚାରିଆଡ଼ୁ ପବନରେ ଭାସି ଆସିଲା, ଗାଁ ଲୋକେ ପରଗାଁ ବାଜାର ଟାହିଟାପରାରେ ଚଞ୍ଚଳ ହୋଇ ଉଠିଲେ, ଗାଁ ଦିସାରି ପାଣ୍ଡ୍ରୁ ଜାନି ସମସ୍ତିଙ୍କୁ ଧମକେଇ ଦେଇ କହିଲା,’ରହିଥା, ବେଳ ଆସି ନାହିଁ ।’

 

ଟୋକାଟାକଳିଆ ପ୍ରତିବାଦ କରି କହିଲେ, ‘ବୁଢ଼ାମାନଙ୍କର ଏହିପରି କଥା, ତାଙ୍କର ବେଳ ଆସିଲାବେଳକୁ ମଣିଷର ବଳ ନ ଥାଏ ।’

 

ପାଣ୍ଡ୍ରୁଜାନି ତାରା ଗଣି ଗଣି ତାର ହିସାବ କଷେ, କହେ, ‘ନା, ବେଳ ଆସି ନାହିଁ, ବସ-।’

 

ଦିନ ଦିନ ରାତି ରାତି ଟୋକାଟୋକୀମାନେ ପ୍ରସ୍ତୁତ ହେଉଥା’ନ୍ତି, ଏଣିକି ଗୀତ ବେଶୀ ବେଶୀ, ବାଜା ବେଶୀ ବେଶୀ । ଦିନ ଦିପହରେ ଟୋକାମାନେ ବସି ଢୋଲ ଟମକରେ ନାଚର ବାଜା ବଜାନ୍ତି, ଗାଈ ଜଗୁଆଳ ବେଶୀ ବେଶୀ ବଇଁଶୀ ବଜାଏ, କାମ କରୁ କରୁ ଟୋକୀମାନେ ଗୀତ ବୋଲନ୍ତି, ନାଚନ୍ତି ।

 

ପାଣ୍ଡ୍ରୁଜାନି ସବୁ ଦେଖେ, ଅସ୍ଥିର ହୁଏ ନାହିଁ ।

 

ସେ ବିଶ୍ୱାସ କରେ ସଂସାର ଚାଲିଛି ଗୋଟାଏ ଶୃଙ୍ଖଳାରେ, ବନ୍ଧା ଆଇନ୍‌ରେ, ଯାହା ଯେତେବେଳେ ହେବାର ତା ହୋଇଯାଉଥିବ, ହେଉଥିବ, ସେଥିରେ ଆଗପଛ ହେବାଲାଗି ହାତଗୋଡ଼ ପିଟି ତରତର ହେବା ନିଷ୍ପ୍ରୟୋଜନ । ଏ ତାରା ନ ଖସିଲେ ସେ ତାରା ଉଇଁବ ନାହିଁ । ସବୁ ଯେପରିକି ତାର ଆପଣାର ନିର୍ଘଣ୍ଟ ପରି, ତାରା ଆଉ ପୃଥିବୀ, ସବୁ । ତେଣୁ ସେ ଘର ଆଗରେ ଫୁଙ୍ଗାଟାରେ ଦଉଡ଼ିଆ ଖଟରେ ପଡ଼ିରହି ଧୁଙ୍ଗିଆ ପିଇବାକୁ ଭଲପାଏ, ଆଉ ଘର ଭିତରର ଯାବତୀୟ ଶବ୍ଦ, ଯେତେ ପ୍ରକାର ଗୋଳମାଳ, ଘରଣୀର ପାଟି, ସବୁ ତାର କାନକୁ ଶୁଭେ ସଙ୍ଗୀତ ପରି । ତାର ପିଲାଝିଲା ନାହିଁ, ଅନେକ କଥା ତ ନାହିଁ । କିନ୍ତୁ ସବୁଥିରେ ସେ ଅଦେଖାହାତର ଶୃଙ୍ଖଳା ଦେଖେ, ସତାର୍, ସବୁର୍ ସବୁ ତାର ଅଛି ।

 

ଏହିପରି ଦିନେ, ଆପଣାର ଗଣନା ଅନୁସାରେ ବାଛି ବାଛି ପାଣ୍ଡ୍ରୁଜାନି ଥୋଇଦେଲା ଉତ୍ରା ଯୋଗ, ଯେଉଁ ଯୋଗରେ ଘର ଦେବତାର ପୂଜା ହୁଏ । ଘର ଦେବତା ଭିତରେ ଥାଏ, ଘର ଜଗେ, ମଣିଷର ଦେହପା ଶୁଭାଶୁଭ ଜଗେ । କୌଣସି ମଙ୍ଗଳ କାର୍ଯ୍ୟ, କୌଣସି ପର୍ବ କରିବା ପୂର୍ବରୁ ଆଗ ତାର ପୂଜା । ପର୍ବତ ଅଞ୍ଚଳରେ ‘ପର୍ବ ପାଳିବା’ ପରିବର୍ତ୍ତେ ଲୋକେ କହନ୍ତି, ‘ପର୍ବ ଖାଇବା’ କାରଣ କୌଣସି ପ୍ରକାର ନୂଆ ଫଳ ନୂଆ ଶସ୍ୟ ଖାଇବା ସମୟରେ ପ୍ରାୟ ନୂଆ ପର୍ବ । ଆଗ ଖାଏ ଘର ଦେବତା । କାର୍ତ୍ତିକ, ଅଶିଣ, ପୁଷ, ମାଘ, ଚୈତ୍ର କେବଳ ଏହି ପାଞ୍ଚମାସରେ, ବଡ଼ ବଡ଼ ‘ପୂଜା ଖାଇବା’ ପୂର୍ବରୁ ମାସକୁ ଥରେ ଗୁରୁବାର ଦିନ ତାକୁ ପୂଜା ଦିଆହୁଏ । ଘର ଦେବତା ଏକପ୍ରକାର ବିନାୟକ ।

 

ପଦ୍ଧତିକ୍ରମେ ଘରଦେବତା ପଛେ ପଛେ ଝାକର୍ ଦେବତାର ପୂଜା, ତା ସକାଶେ ମଧ୍ୟ କନ୍ଧ ଦିସାରି ‘ଯୋଗ’ ଅଛି । ଆଶ୍‌ନି ବା ବାର୍‌ନି ନକ୍ଷତ୍ରର ଯୋଗ । ଝାକର୍ ପେନୁ (ଦେବତା) କେବଳ ଧରିତ୍ରୀ ମାତା, ତାଷର ଦେବତା ସେ, ଗ୍ରୀକ୍ ପୁରାଣର ମା’ ଶିରୀସ୍ । ଅନେକ ନାଁରେ ପ୍ରସିଦ୍ଧ ମାଳଦେଶରେ, କେଉଁଠି ‘ନିଶାଣି-ମୁଣ୍ଡା’, କେଉଁଠି ଝାକର, କେଉଁଠି ଦର୍ତନୀ । ଧର୍ମ-ଭାବନା ଯେତେବେଳେ ପହିଲି ହୋଇ ଗଜୁରି ଆସୁଥିଲା ମଣିଷର ମନରେ, ସେତେବେଳେ ମଣିଷ ଦେଖୁଥିଲା, ଉପରେ ଆକାଶ ତଳେ ମାଟି । ସବୁଠୁ ବଡ଼ ଏ ଦୁହେଁ, ଆକାଶର ରଜା ସୂର୍ଯ୍ୟ, ମାଟିରେ କେବଳ ପରଜା, ସେଠି ରାଜାର ସ୍ଥାନ ନାହିଁ, ସବୁଠି ସମାନ । ତେଣୁ ପ୍ରଥମ ଦେବତା ସେମାନେ, ଉପରେ ଧରମ୍, ତଳେ ଦର୍ତନୀ । ଦର୍ତନୀର ଅନ୍ୟ ନାମ ଝାକର୍ ଦେବତା । କନ୍ଧ କର୍ମକାଣ୍ଡରେ ବରଷକେ ଚାରିଥର ତାର ବଡ଼ ପୂଜା, ଥରେ ପଣ୍ଡ୍ (ମାର୍ଗଶୀର) ମାସରେ, ବୁଣାବୁଣି ଆଗରୁ, ମାଘରେ ଥରେ, ଭୋଦୁଅର ନୂଆ ଖିଆବେଳେ ଥରେ, ଆଉଥରେ, ଏହି ଚୈତ୍ରରେ, ଆମ୍ବ ଖାଇବା ପୂର୍ବରୁ, ଶିଆଳୀ ଫଳ ଖାଇବା ପୂର୍ବରୁ ।

 

ଗାଁ ପାଖେ ଠାଏ ନିଛାଟିଆରେ ବଡ଼ଗଛ ମୂଳେ ଝାକର୍‍ ଦେବତାର ପ୍ରତିଷ୍ଠା । ଅରାଏ ନିରୋଳା ଅରମା ଭିତରେ ଟିକିଏ ଥାନ । ସେଠି ଖେଳଣା କଣ୍ଢେଇପରି ମାଟିର ହାତୀ ଘୋଡ଼ା ଥୋଡ଼ାଏ ପଡ଼ିଥାଏ । ପିଲାଙ୍କ ଖେଳଣାପରି ସାନ ସାନ କାଠର ଖଣ୍ଡା ବର୍ଚ୍ଛା, ସେଥିରେ ନାଲିଆ କାଳିଆ ହୋଇ ଟୋପି ଟୋପିକା ଚିତ୍ରର ଦାଗ । ତଳେ ସେଠି ରନ୍ଧା ମଦ ଢଳା ହୁଏ । ଆଣ୍ଠୁଏ ଉଞ୍ଚ ତାଳ ଛାମୁଡ଼ିଆ ଉପରେ କୁକୁଡ଼ା ଡିମ୍ବ ଭଙ୍ଗା ହୋଇ ଥୁଆହୁଏ । ସେଇଠି ଜାନି ମନ୍ତ୍ର ବୋଲି ବୋଲି କୁକୁଡ଼ା ଛୁଆକୁ ଅରୁଆ ଚାଉଳ ଟୋକାଏ, ତା’ପରେ ତାର ବେକଟା ଟାଣି ଛିଣ୍ଡେଇ ଦେଇ ତାର ରକ୍ତ ଢାଳେ ମାଟିରେ । ସେଇଠି ଶ୍ଳୋକ ବୋଲି ବୋଲି ବେଜୁଣୀ ନାଚୁଥା’ନ୍ତି । ବୁଢ଼ୀମାନେ ହାତ ଧରାଧରି ହୋଇ ସାତ ଘେରା ସତର ଘେରା ବୁଲନ୍ତି । ଗୋଟାଏ କଡ଼ରେ ଘଣ୍ଟା ପିଟିଲାପରି ସମାନ ସମୟ ରଖି ଢୋଲ ଢାଉଁ ଢାଉଁ ବାଜୁଥାଏ । ଅତି ପବିତ୍ର ସ୍ଥାନ, ଝାକର୍ ଦେବତାର ଆସ୍ଥାନ-

 

ଗାଁ ଝୋଲା କୂଳରେ ଝାକର ଦେବତାର ଆସ୍ଥାନ ପାଖେ ନେଳି ଫୁଲର ବଣ, କୁର୍‌ହେଇ ଫୁଲର ବଣ । ଜାତିଜାତି ପତ୍ରଭର୍ତ୍ତି କକୋଡ଼ି (ଫର୍ଣ୍ଣ) ଜଙ୍ଗଲ, ଉପରେ ଉପରେ ଜାଲ ଜାଲ ହୋଇ ଗୁଳୁଚି ମାଡ଼ିଛି କେଉଁ କାଳର ପୁରୁଣା । ଗାଁ ଝୋଲା କୂଳେ କୂଳେ ପେନ୍ଥି ପେନ୍ଥି ଉଜ୍ଜ୍ୱଳ ହଳଦିଆ ସୁନାରି ଫୁଲ କାନ୍ଦି କାନ୍ଦି ହୋଇ ପାଣି ଉପରେ ଝୁଲି ରହିଚି । ଚଇତର କଅଁଳପତ୍ର, ସ୍ଥାନେ ସ୍ଥାନେ ଶାଳଗଛ ଉପରେ ଶିଆଳିମାଳ ବିମାନ ପରି ଅଜାଡ଼ି ହୋଇଛି । ଆମ୍ବଗଛ ଦେହରେ ପଗ ପଗ ହୋଇ ‘ହାଡ଼-ଭଙ୍ଗା’ ଡଙ୍କ ଲଟେଇଛି, ଗୋରୁଗାଈଙ୍କ ହାଡ଼ଭଙ୍ଗାକୁ ଅବ୍ୟର୍ଥ ଔଷଧ, ସେଥିରେ ଛଡ଼ା ଛଡ଼ା ହୋଇ କୁଲା ଆକାରର ପତ୍ର । ତଳେ ଠାଏ ଠାଏ ବଣ କଦଳୀଗଛ ଠିଆ ହୋଇଛି । ସେଠି ରଙ୍ଗ ରଙ୍ଗର ସାନ ସାନ ଚଢ଼େଇ ମିଠା ଗଳାରେ ବସି ଗୀତ ବୋଲନ୍ତି । ମୟୂର ନାଟ କରେ, ଡାହୁକ ଲୁଚେ, କୁମ୍ଭାଟୁଆ ଘୁମୁରେ, କନ୍ଦାମୂଳ ତାଡ଼ିତାଡ଼ିକା ତଳକୁ ମୁହଁ ପୋତି ଘୁଟ୍‌ଘୁଟ୍ ଶବ୍ଦ କରି ବଣ ବାରିହା ଓହ୍ଲେଇ ଯାଆନ୍ତି ତଳର ସରୁସରୁ ‘ପାଣିବାଉଁଶ’ ବଣକୁ । ବନ୍ଦିକାରର ଝଙ୍କାର ସେଠି, କେତେ ଅତୀତର ଉକ୍ତିର ଉଚ୍ଛ୍ୱାସରେ ଢଳା ହୋଇଥିବା ଖାଦ୍ୟ ଅଖାଦ୍ୟର ରଙ୍ଗରେ ଗନ୍ଧରେ ଓଦା ଜୁଡ଼ୁବୁଡ଼ୁ । ସେଠି କେହି ଶିକାର କରେ ନାହିଁ, ସେଠି କେହି ଅପବିତ୍ର କିଛି କରେ ନାହିଁ । ଝାକର୍ ଦେବତାକୁ ସ୍ନେହ ଆଦର ଯେତିକି, ଭୟ ତହିଁରୁ ଅଧିକ, ଅମାନ୍ୟ କଲେ ନାଶ ହୋଇଯିବେ କାଳେ !

 

ଝାକର୍ ପୂଜା ହେଲା ମହା ସମାରୋହରେ । ନୂଆ ଆମ୍ବଖିଆ ହେଲା, ନୂଆ ଶିଆଳିଫଳ ଖିଆ ହେଲା, ଗାଁରେ ମହାସମାରୋହ, ମଦପିଆ, ଭୋଜି ।

 

କାରଣ ଏ ଚଇତ ପରବର ଆଗାମୀ ଢେଉ । ଦେବତାର କାମ ସରିଲା, ତା’ପରେ ମଣିଷଙ୍କ କାମ ।

ଫଗୁଣ ଜହ୍ନରୁ ଅଳ୍ପ ବାକି, ତା’ପରେ ସେ ମରିବ-

 

ସମସ୍ତେ ଆକାଶକୁ ଅନାନ୍ତି, ଦିନୁ ଦିନ କେମିତି ସେ କ୍ଷୀଣ ହୋଇଯାଉଛି । ଆଉ ତାର ବଳ ବହପ ନାହିଁ, ଗୁଳି ଖାଇଥିବା ବାଘ ପରି । ଗୁଳି ଖାଇଥିବା ବାଘ ଗୁଳି ଚୋଟରେ ନ ମରେ ଯଦି ଝୋଲା କୂଳରେ ବୁଦା ଭିତରେ ଘୋଷାରି ହୋଇ ଶୁଖି ଶୁଖିକା ମରେ, ସେତେବେଳେ ତାର ଖାଲି ହାଡ଼ ଚମ ଥାଏ ।

 

ସେହିପରି ଏ । ଆଉ ବଣର ମୁଣ୍ଡରେ ଜହ୍ନ ମଝି ରାତିରେ ରଙ୍ଗ ରଙ୍ଗର ଶିରିପା ବାନ୍ଧିଦେଇ ଉପରେ ତାର ସିଂହାସନରେ ବସି ପର୍ବ କରୁ ନାହିଁ । ଏଣିକି ସେ ଖସୁଛି, ତଳକୁ ତଳକୁ-। ଛାଇ ଅନ୍ଧାର ବଢ଼ୁଛି, ଖୋଲରେ ଖାଲରେ କେବଳ ଆସନ୍ତା ଭବିଷ୍ୟତ୍‍ ଆଗର ନିଃଶବ୍ଦ ପ୍ରତୀକ୍ଷା-। ତାହାରି ଭିତରେ ଅନ୍ଧାରି ଝରଣା ଚାଲିଛି, ଅନ୍ଧାରି ଭାଲୁ ମହୁଲ ଖାଉଛି, ମଣିଷ ମନେ ମନେ ରଚୁଛି ଆସନ୍ତା ଆନନ୍ଦର ସ୍ୱପ୍ନ ।

 

ସବୁ ନିର୍ଭର କରୁଛି ଫଗୁଣ ଜହ୍ନର ମଲା ଉପରେ, ସେ ମଲେ, ତେଣିକି ସବୁ-।

 

ତଥାପି ଆଉ ଆଉ ଜହ୍ନ ପରି ସେ ବି ଥିଲା ଗୋଟାଏ ଜହ୍ନ । ଏହି ଆଜି ରାତି ଶେଷରେ ଗେରୁଆ ହୋଇ ଯାହାର ଧାରଟିଏ ଲାଗି ରହିଛି କଳାଘୁମର ଆକାଶର ତଳ ଆସନରେ । ଆଜି ରାତି ଝକାଝକ୍ ତରା ବିଲିବିଲି, ଦାଉ ଦାଉ ଜଳୁଛନ୍ତି ସେମାନେ । ଆଜି ସେମାନେ ସଭା କରି ତୁଚ୍ଛ ତାଚ୍ଛଲ୍ୟର ପ୍ରସ୍ତାବ ଅଜାଡ଼ୁଛନ୍ତି ତାହାରି ମୁଣ୍ଡ ଉପରେ, ଦିନେ ସେମାନଙ୍କୁ ସେ ତାର ତେଜରେ ଗ୍ରାସ କରୁଥିଲା, ଖଣ୍ଡ ଖଣ୍ଡ ହୋଇ ଅଗଣିତ ଏହି ତାରାଗଣମାନଙ୍କୁ । ଆଉ ଆସନ୍ତା ଭବିଷ୍ୟତ୍‍ରେ ଚୈତ୍ରର ଜହ୍ନ, ସମସ୍ତିଙ୍କ ସହିତ ମିଳିମିଶି ସର୍ଦ୍ଦାରି କରି ସେ ବି ବଢ଼ିଚାଲିବ ଦିନୁଁ ଦିନ, ସମାନ ସମାନ କହି ଆପଣାର ଗରିମାରେ ଅସମାନ କରାଇବ ସେ, ପୁଣି ସେ ଓଲଟିବ । ସବୁଦିନେ ତାରା, ସବୁଦିନେ ଜହ୍ନ, ସବୁଦିନେ ବଢ଼ିବା ଛିଡ଼ିବା, ଖାଲି ଆଶା ଆଉ ସ୍ୱପ୍ନ, ଯେ ଦିନେ ସବୁ ସମାନ ହେବ, ପ୍ରଶାନ୍ତ ଆକାଶର କଳା ପୃଷ୍ଠପଟ ଆଗରେ ଫୁଟି ଉଠିବ ପ୍ରତି ତାରାର ତାତିର ଝଲକ, ପ୍ରତି ତାରାର, ଅଗଣିତ ଆତ୍ମାର ଅଗଣିତ ସ୍ୱରୂପରେ ଉଦ୍‌ଭାସିତ ହେଉଥିବ ସୌରଜଗତର ଆକାଶ, ଅନାଦିରୁ ଅନନ୍ତ ପର୍ଯ୍ୟନ୍ତ ।

 

ଫଗୁଣ ଜହ୍ନ,-କେହି ଚାହିଁଛି ସେ ଯାଉ, ସେ ମରୁ, କେତେଠିଁ ସେ ବସନ୍ତ ଗଢ଼ିଛି, ଆଣିଛି ଆନନ୍ଦର ତୋଫାନ, ମରମ ଭାବର ବନ୍ୟା । କିଏ ତାହା ପାଇଁ କବିତା ଗାଇଛି, କିଏ ତାହାର ନାଁରେ ଆପଣାର ସ୍ନେହଜନର ନାଁ ରଖିଛି ଶରଧାରେ,-‘ଫଗୁଣ’ । ଫଗୁଣ ! କେତେ ବଉଳ କେତେ ଫୁଲ କେତେ ଅବିର ସେ ଆଣି ଅଜାଡ଼ି ଦେଇଗଲା ପୃଥିବୀ ଉପରେ ଭାର ଭାର କରି, କେତେଠିଁ ଲାଗିଲା ଦୋଳଯାତ୍ରାର ମହୋତ୍ସବ । ଫଗୁଣ, ଆଜି ସେ ଫତୁର୍, ଆଜି କେବଳ ସେ ନିଭିଲା ନିଭିଲା ଗାର ଟିକିଏ, ସେତିକି ସୁଦ୍ଧା ମଣିଷର ଆଖିରେ ସହିଲା ନାହିଁ, ସମସ୍ତଙ୍କର ଦୃଷ୍ଟି ସେହି ଆଡ଼କୁ, ସେ ମରୁ ।

 

ସେଦିନ ରାତିରେ ଉଆଁସ ହୋଇଥିଲା, ଫଗୁଣର ଜହ୍ନ ମଲା । ଅସଂଖ୍ୟ ଅଗି ଜଳିଲା ଗାଁ ଗାଁକେ, ଉଞ୍ଚ ଉଞ୍ଚ ପର୍ବତର ମୁଣ୍ଡିଆ ଉପରେ ଖାଲି ଦାଉଦାଉ ନିଆଁ । ଉଆଁସ ରାତିରେ ପୂର୍ବଘାଟ ମାଳଦେଶରେ ନାଟ ଲାଗିଗଲା ଏମୁଣ୍ଡୁ ସେମୁଣ୍ଡ । ସବୁଆଡ଼ୁ ଏକାଥରକେ କଥାଳୁ ହୋଇ ବାଜି ଉଠିଲା ଉତ୍ତାଳ ବଣ୍ୟ ବାଦ୍ୟଯନ୍ତ୍ରର ଘମାଘୋଟ, ଡମ୍ବର ବାଜା, ପରଜାର ଡୁଙ୍ଗୁଡୁଙ୍ଗା, କନ୍ଧର ସାରିଙ୍ଗି ବଇଁଶୀ, ପେରେଣ୍ଟାର ତୁଣ୍ଡ । ଅନ୍ଧାର ରାତିରେ ସବୁ ତରା ଝଟକି ଉଠିଲେ । ତଳେ ଚେତାବୁଡ଼ା ଆନନ୍ଦ । ଯାହା ମୁହଁରେ ଶୁଣିଲେ କେବଳ ‘କାଲି ଚଇତ’-‘କାଲି ଚଇତ’ । ଦାଣ୍ଡର ନାଚରେ ମଦହାଣ୍ଡି ଭାଙ୍ଗିଲା, ଗଭାର ଫୁଲ ଛିଡ଼ିଲା ।

 

ଫଗୁଣର ଜହ୍ନ ମରିଥିଲା ।

•••

 

ଚାଳିଶ

 

ନାଲି ରାସ୍ତା ପଶୁଛି ଧୀରେ ଧୀରେ, ଖଣ୍ଡ ତତଲା ନାଲିଆ ଛୁରୀ ପରି । ସେହି ଛୁରୀର ଛୁଆଁତା ଲାଗି କେତେ ରାଇଜର କେତେ ରାମ ରାବଣ ଅମଳର ଦଣ୍ଡକାରଣ୍ୟ ମାଲ୍ୟବନ୍ତଗିରିର ଶାଳଗଛ ସବୁ ମୂଳରୁ ଛେଦି ହୋଇଯାଉଛି । ସପ୍ତତାଳ ଭେଦ ହୋଇଛି, ମେଦମେଦା ଅସୁରର ହାଡ଼ର କୁଢ଼ ପରି ଗଦା ହୋଇ ପଡ଼ିଛି ପୁରୁଣା ମଣିଷର ସଂସ୍କୃତିର କୋଣାରକ, ଗଦା ଗଦା ।

 

ନାଲି ରାସ୍ତା କରେ କରେ ଅଧା ଗିଜ ମୁଣିପିନ୍ଧା ଶୋଲ ଟୋପିଦିଆ ମଣିଷ, ଲମ୍ବା ପାଇଜାମାପିନ୍ଧା ମଣିଷ, ସେଠି କଳ ମୂଷଳ ଧୂଆଁ ଛାଡ଼ି ଛାଡ଼ି ତଳର ପୁରୁଣା ଭୂଇଁକୁ ଛେଚି ମାଡ଼ି ଆପଣା ସୁଖରେ ଗଡ଼ି ଗଡ଼ି ଚାଲିଛି । ସେଠି ବାରଭାଇ ହାଟ, ବାର ଝୋଲାର ପାଣି ଏକାଠି ଗୋଳିଆ ଘଣ୍ଟା । ବାହାରର ସଭ୍ୟତା । ତାର ଆଦର୍ଶ ଧୋବଧାଉଳିଆ କୋଠା, ମାହାଲା ମାହାଲା, ମଣିଷର ଭୋଗର ଜଟିଳତା, ସେଥିପାଇଁ ହାତର କାମ ଅଳ୍ପ, କଳର କାମ ବେଶୀ, କ୍ଷିପ୍ରତା, ଚାଞ୍ଚଲ୍ୟ, ଅତି ଗତି, ପ୍ରଗତି । କିନ୍ତୁ ସେଠି ମଣିଷର ଶିକ୍ଷିତ ଉନ୍ନତତର ମନଗଛର ବଣ ପରିବର୍ତ୍ତେ ଇଟା ସୁର୍କୀତିଆରି ନିର୍ଜୀବ କୋଠା ବଣରେ ଅପ୍ରାକୃତ ପରିସ୍ଥିତିରେ ଛଟପଟ ହୁଏ, ବଣର ନଈରେ ଭସାଣ ଫୁଲ ପତ୍ରର ଚହଲା ଭଙ୍ଗୀ ପରିବର୍ତ୍ତେ ଦିଶେ ସହରର ରାସ୍ତା-ନଦୀରେ ଅସମଞ୍ଜସ ମଣିଷ ଗାଡ଼ିର ସୁଅ । ସେଠି ଗହଳ ଚହଳ, ରୁନ୍ଧିଲାପରି ମଣିଷର ନିଶ୍ୱାସ, ଧୂଳି ଆଉ ଧୂଆଁ, ରାସ୍ତାର ଅସଂଖ୍ୟ କଳର । ସେଠି ସୂର୍ଯ୍ୟୋଦୟ କେବଳ ଛଟପଟ ମଣିଷର ପେଟବିକଳକୁ ଆହୁରି ପରିଷ୍କାରଭାବେ ଦେଖାଏ ଧୂଆଁ ଆଉ ଧୂଳି ଭିତରେ ସୂର୍ଯ୍ୟାସ୍ତ ଦିଶେ ମେଞ୍ଚିମାଞ୍ଚି ମଣିଷଙ୍କର ଭଙ୍ଗା ଆଶା ଉଚ୍ଛ୍ୱାସର ନିଭି ଆସୁଥିବା ଅଙ୍ଗାର ପରି । ସେହି ସଭ୍ୟତାର ଭଗ୍ନାଂଶ ଚାଲେ ନାଲି ରାସ୍ତାରେ ଗଡ଼ିଗଡ଼ିକା ଭିତରକୁ ଭିତରକୁ, ନାଲି ରାସ୍ତା ଲମ୍ବିଯାଏ ।

 

ତାର କଳକବ୍‌ଜାର ଆଧୁନିକତାକୁ ଉପହାସ କରି ସେହି ବାଟେ ପାରି ହୁଏ ଚଇତ ପରବ, ରାସ୍ତାଏ ରାସ୍ତାଏ, ବଣରୁ ଆସି ରାସ୍ତାକୁ କଟାକଟି କରି, ରାସ୍ତାକୁ ଉପେକ୍ଷା କରି । କୌପୁନୀପିନ୍ଧା ଉନ୍ନତ ପୁରୁଷ, ହାତରେ ଧନୁ, ବର୍ଚ୍ଛା, ଓଡ଼ିଆ ନଳୀ । ପଞ୍ଝା ପଞ୍ଝା ସ୍ତ୍ରୀଲୋକ, ରନ୍ଧା ମଦର ହାଲୁକା ନିଶାରେ ଆଖି ଢୁଳୁଢୁଳୁ, ଓଠ ଅଳ୍ପ ଫାଙ୍କା, ତଳେ ଜିକି ଜିକି ଦାନ୍ତ, ମୁଣ୍ଡରେ ଜଡ଼ାତେଲ ସୁରୁସୁରୁ, ଦେହମୟ ହଳଦୀ, କୁହୁଡ଼ି ପହଁରିଲା ପରି ଥମ୍ବିଲା ଦେହରେ ହାଲୁକା ଚାଲି, କେବଳ ଫୁଲ, ମଦ, ଗୀତ । ଏହିପରି ଚାଲିଆସିଛି ଚଇତ ତାଙ୍କ ଦେଶରେ, ଯେତେଦିନୁଁ ଯାହାର ସ୍ମରଣ ଅଛି, ସବୁଦିନେ ।

 

ଏହି ଲଙ୍ଗଳା ସଭ୍ୟତା, ନାଲି ରାସ୍ତାର ସେ ଧାରେ ନାହିଁ । ଏଠି ପୁନେଇଁର ବଡ଼ ଜହ୍ନ ଉଏଁ ପର୍ବତ ମାଳର ଢେଉ ସେପାରି, ଖୋଲା ପବନ ଭିତରେ ନିର୍ମଳ ହୋଇ ଦିଶେ ତାର ବିଜୟର ପୋଷାକ, ମଝିରେ ଧୂଳି ନାହିଁ, ଗହଳି କୋଠାର ଅସୁନ୍ଦର ଅଭ୍ୟନ୍ତର କି ଛାଇ ନାହିଁ ।

 

ନାଲି ଟହ ଟହ ବଡ଼ ଜହ୍ନ କୁଦା ମାରିଥିଲା, ପର୍ବତ ସମୁଦ୍ର ଭିତରୁ ଢେଉ ଉପରକୁ, ଜହ୍ନ ଉଇଁଲା, ସଙ୍ଗେ ସଙ୍ଗେ ସୁଲୁସୁଲିଆ ପବନ, ଜହ୍ନ ଉଇଁଲେ ସବୁଦିନେ ପବନ ଟିକିଏ ଦିଏ କାହିଁକି ? ଜହ୍ନ ଉଇଁବ, କେତେ ଆଗରୁ ତାର ସୂଚନା । ମଝିରେ ତୁନିତାନି ସନ୍ଧିରେ ବିପ୍ଳବ ପୂର୍ବର ପ୍ରତୀକ୍ଷା ବିସ୍ମୟର ଶାନ୍ତି, ତା’ପରେ ପବନ ଦେଲା, ହଠାତ୍ ସତେକି ଚମକ ଖେଳିଗଲା, ଲାଲ୍ ଜହ୍ନ ଉଠିଲା, ଚାରିଆଡ଼େ କଳରବ, ଚୈତ ପରବ ଆରମ୍ଭ ହେଲା ।

 

ଚଇତର ଜହ୍ନକୁ ଅନେଇଁ ଅନେଇଁ ଦିଉଡ଼ୁ ସାଓଁତା ଭାବୁଥାଏ, ତାର ମଦପିଆର ଅନ୍ତ ନାହିଁ, ଭାବନାର ଅନ୍ତ ନାହିଁ । ପାହାଡ଼ି ମଣିଷ ଅଶିକ୍ଷିତ ମଣିଷ, ଗୋଟାଏ ଘଟନା ପାଖେ ଆଉ ଗୋଟାକୁ ପକେଇ ରଖି ଯୋଖି ମିଶେଇ ଭାବିବାର ଶିକ୍ଷା ତାର ନାହିଁ, ସେ କାମ କରେ, ଆଉ ଭାବେ ଯେତେବେଳେ ଯାହା ମନେପଡ଼େ, ଭିନ୍ନଭିନ୍ନ ପାଗରେ ଭିନ୍ନଭିନ୍ନ ପ୍ରକାର ତାର ଭାବନା । ଦିନର ଉଜ୍ଜ୍ୱଳ ଆଲୁଅରେ ଶିକାର ପାଇଁ ଫନ୍ଦି କରି ସେ ଗାଁ ସଭାରେ ଉତ୍‌ସାହ ଦେଖାଇଛି, ସର୍‌ଗି ଘାଟି ଚନ୍ଦନି ଘାଟିରେ ଶିକାର ହେବ, ମେଣ୍ଟବାନ୍ଧି ସାନ ବଣରୁ ହୁରୁଡ଼େଇ ହୁରୁଡ଼େଇ ସମସ୍ତେ ସେହିଆଡ଼େ ଯିବେ । ଦିନବେଳେ ସାଙ୍ଗ ମେଳରେ ନାନା ପ୍ରକାର କାମ, ନାନା ପ୍ରକାର ଚିନ୍ତା, ସେ ସବୁ ଦଳର ଚିନ୍ତା ।

 

ରାତି, ପହିଲି ପହରକ ଗାଁର ଧନ୍ଦା ହଟଗୋଳ । ତା’ପରେ ଖିଆପିଆ । ପେଟ ପୂରିଲେ ମଦଖିଆ, ଗାଁ ଦାଣ୍ଡରେ ଚହଳ ପକେଇ ନାଚ । କିନ୍ତୁ ଯେତେବେଳେ ଗାଁ ବସ୍ତି ଶୂନ୍‌ଶାନ୍ ପଡ଼େ, ସବୁ ଚେତଥିବା ମଣିଷ ଯାଇ ଠୁଳ ହୁଅନ୍ତି ଗାଁ ଦାଣ୍ଡର ନାଚରେ, ସେତିକିବେଳେ ଆରପାଖେ ଲାଗେ ଟୋକାଟୋକୀଙ୍କର ଘେନାଘେନି ଅଭିଯାନ, କିଏ କେଉଁଠି ଛପେ ତାର ଠିକଣା ନାହିଁ ।

 

ଘୋରତେଇ ପୋରତେଇ ଗାଁ ନାଚର ହୋହାରୁ ଉଛୁଳି ଆସି ଦିଉଡ଼ୁ ସାଓଁତା ଠାଏ ଗୋଟିକିଆ ହୋଇ ବସିଥାଏ, ସେ ଆଉ ଜହ୍ନ, ଏକୁଟିଆ । ନାନାପ୍ରକାର ହସ, ନାନା ପ୍ରକାର ପାଦଶବ୍ଦ ତାର କାନରେ ପଡ଼େ । ପାଦଶବ୍ଦ ଉଣ୍ଡିବା ବଣୁଆଁଜାତିର ବିଶିଷ୍ଟତା, ଜନ୍ତୁର ପାଦଶବ୍ଦରୁ ତାର ପ୍ରକାର ଆଉ ଧରଣ ବୁଝିବାକୁ ଚେଷ୍ଟା କରୁ କରୁ ମଣିଷର ପାଦଶବ୍ଦରୁ ତାର ଅବସ୍ଥା ଏବଂ ଗୁଣ ନିଜେ ବୁଝିହୁଏ । ଢପ୍‌ଢପ୍-ଢପ୍-ଢପ୍ କିଏ ଜଣେ ଅଳସୁଆ ହୋଇ ଟହଲ ମାରୁଛି, ତାର କୌଣସି ନିର୍ଦ୍ଦିଷ୍ଟ ଲାଖ ନାହିଁ, ହାୟ ହତଭାଗା ! ଢପ୍-ଢପ୍-ଢପ୍-ଢପ୍-ଢପ୍-ପ୍ରତୀକ୍ଷା, ଉଚ୍ଛନ୍ନ ଲାଗିଲାଣି,-କାହିଁ ଆର ଜଣକ ବାହାରି ଆସୁ ନାହିଁ ଏପର୍ଯ୍ୟନ୍ତ । ନାନାଜାତି ଉଦ୍ଦେଶ୍ୟ, ନାନାଜାତି ଚରିତ୍ରର ମଣିଷ, ଘୁଙ୍ଗୁର ଶବ୍ଦ ଶୁଭିଯାଏ,-କେଉଁ ଟୋକୀ ବେଶ ହୋଇ ନାଚିବାକୁ ଯାଉଛି, କିଏ ଫେରୁଛି, ନାଚି ନାଚି ଥେ, ଏଥର ଭରା ପାଇଲେ ଶୋଇବ ।

 

ନିର୍ଜନ ଚିନ୍ତା ଦିଉଡ଼ୁର ମନକୁ ଶାନ୍ତି ଦେଲା ନାହିଁ, ଜହ୍ନରାତି ମନ ଭିତରେ କେବଳ କାମନା ପୂରେଇଥିଲା, ଆଖି ଧାରହୋଇ ଆସିଥିଲା, କାମନା ଚିରଦିନ ଅତୃପ୍ତ ।

 

ସେଇ ପୁରୁଣା ରୋଗ ତାର ମନେପଡ଼ୁଥାଏ । ବାଛି ବାଛି ସେ ପୁୟୁକୁ ଆଣିଥିଲା ଘର କରିବାକୁ । ସେ ପୁୟୁ ଆଉ ନାହିଁ । ଏ ଘରଣୀ ଆଉ ସେ ଧାଂଡୀ ଭିତରେ କେତେ ନାହିଁ କେତେ ଫାଙ୍କ୍, ଧାରଣା ଉଜାଣି ଚାଲେ କେବଳ ମନକୁ କୁହୁଳେଇବାକୁ । କ’ଣ ୟାକୁ ଘୋଟିଛି, ସେ ଦେହ ନାହିଁ, ସେ ମନ ନାହିଁ । ଖାଲି ରାନ୍ଧିବାଢ଼ି ଦେବ, କାମରେ ଲୋଟୁଥିବ, ପିଲାଟିକୁ ଜାକିଧରି ଏଘରୁ ସେ ଘର ହେଉଥିବ, ଦେଖା ପଡ଼ିଗଲେ ତୁଣ୍ଡରେ ସରାଗ ନାହିଁ, ମୁହଁ ଗରଗର ଅଭିମାନରେ, ଯେପରି କିଏ ତାର କ’ଣ ଅନିଷ୍ଟ କରିଛି । କେତେ ଦିନରେ ଦିନେ ଦିଉଡ଼ୁ ତାର ସ୍ତ୍ରୀ ପାଖକୁ ଯାଏ, ସ୍ତ୍ରୀ କିଛି ବୁଝେ ନାହିଁ । ବଣକୁ ଗଲେ ହେଲେ ଗଛପତ୍ରର ଛାଇ ଟିକିଏ ଅଛି, ସ୍ତ୍ରୀ ପାଖକୁ ଗଲେ ତାହା ବି ନାହିଁ । ଚଇତ ରାତିରେ ସ୍ତ୍ରୀଟିକୁ ଧରି ନାଚିବାକୁ ହୁଏ, ସ୍ତ୍ରୀ ଆଉ ନାଚୁଣୀ ନୁହେଁ ।

 

ଭାବିଭାବିକା ଦିଉଡ଼ୁ ରାଗିଲା, ଉଠି ପଡ଼ିଲା, ପ୍ରତିଜ୍ଞା କଲା ଆଜି ଯେମିତି ହେଉ ଅନ୍ଧାରି ଘରୁ ପୁୟୁକୁ ଆଲୁଅକୁ ସେ ଓଟାରି ଘେନିଯିବ, ଝୋଲା କୂଳକୁ, ଚଇତ ଡାକିଛି, ଆଜି ଆଉ ରକ୍ଷା ନାହିଁ । ଦୁଲୁ ଦୁଲୁ ଛାତିରେ ଚୋର ପରି ଦିଉଡ଼ୁ ଆସି ପହଞ୍ଚିଲା, ନୂଆ ପରିଚୟ ଉତ୍ତାରୁ ପହିଲି ଦେଖାଚାହାଁକୁ ଗଲା ପରି । ଏହିପରି ପୁୟୁ ସହିତ ପହିଲିଥର ମିଶିଥିଲା ।

 

ଓଳି ତଳ ଅନ୍ଧାର, ଘର ଭିତର ଅନ୍ଧାର ।

 

କବାଟ ଖୋଲାଥାଏ, ଦୁଆରମୁହଁରେ ନିତିଦିନର ଜଗୁଆଳି, ବୁଢ଼ା ଦସ୍ରୁକୁକୁର । ନିଦ ବାଉଳାରେ ଭାଉଁ ଭାଉଁ ହୋଇ ଦସ୍ରୁ ଦଉଡ଼ିଗଲା, ତା’ପରେ ସେ ଆଶ୍ୱସ୍ତ ହେଲା । ଏହି ପ୍ରଥମ ବାଧା, ଦିଉଡ଼ୁ ପ୍ରକୃତିସ୍ଥ ହେଲା, ଘର ଭିତରେ ପଶିଲା ମୁଣ୍ଡ ଗରମ, ନିଶ୍ୱାସ ଦମ ଦମ । ତୁଣ୍ଡର ଧୂଆଁପତ୍ର ପିକାକୁ ଟାଣି ଟାଣି ଜାଳିଲା, ଧୁଙ୍ଗିଆ ଗୁଲର ଜୁକୁଜୁକୁ ଆଲୁଅରେ ଦିଶିଲା ମୁହାଁମୁହିଁ ହୋଇ ପାଖକୁ ପାଖ ଲାଗି ପୁବୁଲି ଆଉ ପୁୟୁ ଶୋଇ ରହିଛନ୍ତି । ପୁବୁଲି କୋଡ଼ରେ ହାକିନା ଶୋଇଛି । ଦିଉଡ଼ୁ ପୁୟୁ ଉପରକୁ ନଇଁ ପଡ଼ିଲା, ତାର ଶୀର୍ଣ୍ଣ ମୁହଁଟି ଭଲ ହୋଇ ଦିଶୁ ନାହିଁ । ଅନ୍ଧାର ସବୁ ଲୁଚେଇ ଦେଇଛି, ସବୁ ଦୁର୍ବଳତା, ସବୁ ନିସ୍ତେଜପଣିଆ । ସେହି ଅନ୍ଧାରରେ ତରଙ୍ଗର ଉପର ପରି କେବଳ ସୁଷୁପ୍ତ ଗୋଟିଏ ନାରୀଦେହ, ସେ ତାରି, ସେ ତାରି । ପାଗଳ ପରି ଦିଉଡ଼ୁ ହାତରେ ଅଣ୍ଡାଳିଗଲା, ପୁୟୁର ନିଦ ଭାଙ୍ଗିଲା ନାହିଁ, ସେହିପରି ତଳକୁ ଓହଳିପଡ଼ି ଦୁଇହାତରେ ଦିଉଡ଼ୁ ତାର ପାଦ ଧରି ଘୋଷାଡ଼ିଲା, ଏଥର ପୁୟୁର ନିଦ ଭାଙ୍ଗିଲା, ଘୋଷଡ଼ା ଖାଇ ହାକିନା ଉଠିପଡ଼ି ଚିତ୍କାର ଛାଡ଼ିଲା । ବିସ୍ମିତ ହୋଇ ପୁୟୁ ଅନେଇ ରହିଲା, ଭାବିଲା ହୁଏତ ଚଇତି ମଦର ଫଳ ଏ । ପୁବୁଲି ଉଠିବାକୁ ଉପକ୍ରମ କଲା, ନାଚର କ୍ଳାନ୍ତି ଛାଡ଼ି ନ ଥାଏ ତାର, ଦେହଯାକ ବଟା ହଳଦି ଗନ୍ଧ । ଏଥର ଦିଉଡ଼ୁର ଦମ୍ଭ ପାଣି ହୋଇଗଲା-ଏଣେ ହାକିନାର ପାଟି, ତେଣେ ଭଉଣୀ ପୁବୁଲିର ନିଦ ମଳମଳ ‘ଏଁ ଏଁ,’ ପୁୟୁ ଓଠକୁ ଦାନ୍ତରେ କାମୁଡ଼ି ଥିରି ଥିରି କହୁଛି ଏହ୍ନା-ଏହ୍ନା-(କ’ଣ କ’ଣ) । ନିରସ୍ତ ହୋଇ ଦିଉଡ଼ୁ ଫେରି ଚାଲିଗଲା, ଯେପରିକି ଅନ୍ଧାର ଭିତରେ ତୋଫାନ ଆସି ପଶିଥିଲା, ଅନ୍ଧାରେ ଅନ୍ଧାରେ ବାହାରି ଚାଲିଗଲା ଫେରି ।

 

ପଦାକୁ ଆସିଲା, ଭାରି ଚିଡ଼ି ମାଡ଼ୁଥାଏ, ବଳିଯାଇଥିବା ମନର ଝଡ଼ ହଠାତ୍ ବା ଅଟକିଯାଇ ଝାଇଁ ଝାଇଁ ହେଲାପରି ମୁଣ୍ଡ ଭିତରେ ଝଣ୍‌ଝଣେଇ ଯାଉଥାଏ, ବିକୃତ ମନକୁ ଟାହିଟାପରା କଲାପରି ଶୁଭୁଥାଏ ଚଇତି ନାଚର ବାଜା, ଗୀତ, ନାଚର କୋଳାହଳ । କେତେ ଲୋକ ସେଠି ମାତିଛନ୍ତି, ସେଠି କନ୍ଧଗୋଷ୍ଠୀର ଟଳ ଟଳ ଆନନ୍ଦ । ଦିଉଡ଼ୁକୁ ସେ ପିତା ଲାଗୁଥାଏ । ସେଠିକି ଯିବାକୁ ମନ ନାହିଁ ଅଥଚ ସେଠା କଥା କାନରୁ ଛାଡ଼ିବାକୁ ମନ ହେଉ ନାହିଁ । ପୁରୁଣା ଘାକୁ ଆଞ୍ଚୁଡ଼ି ଆଞ୍ଚୁଡ଼ି ରକ୍ତ ବୁହାଇବା ମନୋବୃତ୍ତି ନେଇ ମହୁଲ ଗଛକୁ ଆଉଜି ରହି ଦିଉଡ଼ୁ ସେ କୋଳାହଳ ଶୁଣିଗଲା । ରକ୍ତ ତାତି ଆସିଲା, ପୁଣି ଆସିଲା ରାତି, ପାଗଳ ଜହ୍ନ, ପାଗଳର ନିଶା ।

 

ଧାଂଡାମାନେ କରୁଣ ସ୍ୱରର ଗୀତ ଧରିଥା’ନ୍ତି, ତୁହାଇ ତୁହାଇ ଧାଂଡୀମାନଙ୍କ ଉପରକୁ ଅଭିମାନର ବର୍ଷା ଛେଚି ଯାଉଥା’ନ୍ତି-’କାହିଁକି ତୁମେ ଚାଲିଗଲ ?’

 

ତୋଟା ଭିତରେ ଜହ୍ନ ଲୁଚକାଳି ଖେଳୁଥିଲା, ଗୋଡ଼ରେ ପିନ୍ଧିବା ‘ଆନ୍ଦୁ’ ଆଉ କାନରେ ପିନ୍ଧିବା ‘ଫଗୁ’ ନାଇ କେଡ଼େ ସୁନ୍ଦର ଛନ୍ଦରେ ତୁମେ ନାଚି ବୁଲୁଥିଲ, ଝମକି ଝମକି ତୁମର ହାତର ଚୁଡ଼ି ପଇଁଚ ବାଜୁଥିଲା କୁଆପଥର ଝଡ଼ିବାର ଶବ୍ଦରେ, କୁକୁଡ଼ା ନ ଡାକୁଣୁ କାହିଁକି ତୁମେ ପଳେଇଲ-? କି କୁହୁଡ଼ି ଘୋଟିଗଲା ତୁମକୁ, କି ବାୟା ଘୋଟିଲା ? ଗଛ ଉହାଡ଼ରୁ ‘ପିଓଟି’ ଚଢ଼େଇ କାନ୍ଦୁଛି, ‘ଅଝଟି’ ଚଢ଼େଇ କାନ୍ଦୁଛି । ସବୁ ଶୂନ୍‌ଶାନ୍ କରି ଛାଡ଼ି ଚାଲିଗଲ, କାହିଁକି ତୁମେ ପଳେଇଲ ?’ *

 

* ତିନି ଦାଣି ତୋଟାତା ଆଦିୟା ରିତୁ ଲାଁ ହୁଁ ଗାଜିୟାଁ ରିତୁ

ଯେଉଁ ଫଗୁଯୋଡୁ ଯେଉଁ ଆନ୍ଦୁଯୋଡୁ ଲାହଁ ଗାଜିୟାଁ ରିତୁ

କୋୟୋକ୍‌ଣେ କୁପତେ ତାଁ ଆତିୟାଁ ରିତୁ, ଲାହଁ ଆଜିୟାଁ ରିତୁ

ଏହ୍ନିଆଁ ଦୁହୋତା, ତା ଆଜିୟା ରିତୁ ଲାଁହ ଗାଜିୟା ରିତୁ

ଏହ୍ନି ବାୟା ହୋତା,

ପିଓଟି ଲାଡ଼ିତେ, ଅଣଟି ଲାଡ଼ିତେ, ଲାଁହ୍ଁ ଗାଜିୟାଁ ରିତୁ

ତିନି ଦାଣି ତୋଟା, ତାଁ ଆଜିଆଁ ରିତୁ, ଲାଁହଁ ଗାଜିୟାଁ ରିତୁ ।

 

ଦେହର ଭୋକର ଅଭିମାନ, ମନର ଛଳ, ଫମ୍ପା ହୃଦର କବିତା, ତାର ଉଦ୍ଦେଶ୍ୟ କେବଳ ମଣିଷକୁ ପୁଣି ତେଜି ପୁଣି ଉସ୍କେଇ ପଶୁପରି ଧାଇଁବାକୁ ଚାବୁକ ପିଟିବାକୁ । ଆକାଶରେ ପୁନେଇ ଜହ୍ନ ତଳକୁ ଢଳୁଛି, ଦିଉଡ଼ୁ ଘାରି ହୋଇ ହୋଇ ଆଗକୁ ଚାଲିଲା । ପୁୟୁକୁ ମନେ ମନେ ସେ ପରିତ୍ୟାଗ କଲା । ଅଳ୍ପ ମଦୁଆ ବିଚାରରେ ଅଭିମାନ ଗୋଳେଇ ସେ ଭାବିଗଲା, ପୁୟୁକୁ ଶେଷଥରକ ସେ ଗୋଟାଏ ସୁଯୋଗ ଦେଇଥିଲା, ପୁୟୁ ତାକୁ ଘେନିଲା ନାହିଁ, ସେ ତାର ଦୋଷ ନୁହେଁ, ସବୁ ଦୋଷ ସ୍ତ୍ରୀର, ସବୁ ଦୋଷ ପୁୟୁର । ଏହିପରି ଆପଣାକୁ ଶୁଖେଇ ଶୁଖେଇ ମନ ବିରସ କରି ଆପଣାର ମରଦପଣିଆକୁ ଅପମାନ ଦେଇ ଦେଇ କେତେଦିନ ସେ ପଡ଼ି ରହିଥିବ ? ପୁୟୁ ଉପରେ ପ୍ରତିଶୋଧ ସେ ନେବ, ଅବଶ୍ୟ ନେବ, ଏହି ରାତିରେ । ଗୋଳମାଳିଆ ହୋଇ ଭାବି ଭାବିକା ଚାଲୁ ଚାଲୁ ମୁଣ୍ଡରେ ସାମାନ୍ୟ ଖେଞ୍ଚା ବାଜି ସେ ଚମକି ପଡ଼ିଲା, ଦେଖିଲା ବହୁତ ଦୂର ସେ ଚାଲିଆସିଛି, କନ୍ଧ ବସ୍ତି ସରିଛି, ଗାଁ ସରିଛି, ଡମ୍ବ ବାରିକର ବାରି ଭିତରେ ପଶି ସେ ଠିଆ ହେଲାଣି ଆସି ବାଲ୍‍ମୁଣ୍ଡା ଡମ୍ବର ଶୋଇଲା ଘର ଆଗରେ, ନୁଆଁଣିଆ ଚାଳର ଓଳି ମୁଣ୍ଡରେ ବାଜିଛି ।

 

ଭାବିଲା ଏଇ ଭଲ ଏଇ ଭଲ, ଆପଣାର ବିବାହିତା ସ୍ତ୍ରୀ ଉପରେ ପ୍ରତିଶୋଧ ନେବାକୁ ଯାଇ ଡମ୍ବଘରେ ପଶିବା ଏକ ରକମ ଭଲ, ଜାତି କୁଳ ଆଭିଜାତ୍ୟ ସବୁ ବୁଡ଼େଇ ଦେଇ ସିଧା ଚାଲିଚାଲିକା ଡମ୍ବ ଘର ଭିତରକୁ । ଡମ୍ବ ଘର ପାଣିମାଠିଆରୁ କି ପେଜହାଣ୍ଡିରୁ ଡୁମ୍ବେଇ ଦେଇ (ଅଜାଡ଼ି ଦେଇ) ଟୋପିଏ ପିଇଦେଇ ଅ-ଡମ୍ବ ଡମ୍ବ ହୋଇଯାଏ । ତେଣିକି ତ ସବୁ ସହଜ ।

 

କିନ୍ତୁ ସେ ଡମ୍ବ ହେବାକୁ ଚାହେଁ ନାହିଁ । ପୁରୁଷାନୁକ୍ରମିକଭାବେ ଗଡ଼ି ଆସୁଥିବା କନ୍ଧ କୁଳର ସାଓଁତାପଣିଆଁ ପରିବର୍ତ୍ତେ କେଉଁ ଛୋଟଲୋକ ଗାଁରେ ଡମ୍ବବାରିକ ହୋଇ ଗୋରୁ ଚରେଇବାକୁ ଚାହେଁ ନାହିଁ ।

 

ବିଚାର ନାହିଁ, ଚିନ୍ତା ନାହିଁ, ଉପରେ ଜହ୍ନ, ମନ ଭିତରେ ଉଦ୍ଦାମ ପାଶବିକତା, ତାର ହୋସ୍ ହେଲା ସେ ସୋନାଦେଈ ଘର ଦୁଆର ମୁହଁରେ, ଭିତରେ ହୁଏ ତ ସୋନାଦେଈ, ନିପାରଗ ସ୍ୱାମୀ ସହିତ ରହି କୁହୁଳି ଯାହାର ମନରେ ଜଳୁଛି କେଉଁ କେତେ କାଳର ଅମେଣ୍ଟା ଭୋକ । ସେଇଠି ସେ କାଠହୋଇ ଠିଆ ହେଲା, ମୁଣ୍ଡରେ ଠୁକର ବାଜିଲା ଯେ ବହୁତ ବାଟ ସେ ଚାଲିଆସିଛି । ମାଳୁଆ ପବନରେ ଶୀତ କରିଆସୁଥାଏ । ଦୂରରୁ କାହାର ଖଣ୍ଡିକାଶ ପରି ଶୁଣାଗଲା-। କିଏ ହୁଏତ ନାଚରୁ ଫେରୁଛି । ତାର ଭୟାଳୁ ମନ ଚେତେଇ ଉଠିଲା ସେ ପାପ କରିବାକୁ ବସିଛି, ପରର ଜମି ପରର ସ୍ତ୍ରୀ, ଦୁହିଁକି ଆଖିଦେବା କନ୍ଧ ସମାଜରେ ପାପ । ଭାବିଲା, କେଉଁ ଡୁମା (ପ୍ରେତ) ଏ ନିଛାଟିଆ ରାତିରେ ଏ ପର୍ଯ୍ୟନ୍ତ ତାକୁ ବାଟ କଢ଼େଇ ଆଣିଛି । ସବୁ ଭୁଲ ମୂଳରୁ ଶେଷଯାକେ । ଖଣ୍ଡିକାଶର ଶବ୍ଦ ପାଖକୁ ପାଖ ଲାଗିଆସୁଥାଏ । ଧର୍ମର ସବୁଯାକ ଧାରଣା ଚେତେଇ ଦେଉଥାଏ ସେ-ହିଁ । କିଏ ଯଦି ଆସେ, କ’ଣ କହିବ ସେ ?

 

ପୁଣି ଖଣ୍ଡିକାଶ, ଦିଉଡ଼ୁ ସାଓଁତା ସେଠୁ ଗୋଟିଏ ଗୋଟିଏ ହୋଇ ଚାଲିଗଲା । କ’ଣ କହିବ ? ଚେକୁ (ଇଂରେଜି ଚେକ୍) ଚେକୁ,-ଠିକ୍ ତାହାହିଁ । ଡମ୍ବଲୋକ ରାତିରେ ଘରେ ଅଛି କି ନାହିଁ କି କ’ଣ କରୁଛି ଜାଣିବାକୁ ଚେକୁ କରିବାକୁ ଆସିବା ଗାଁର ବଡ଼ମୁଣ୍ଡିଆ ପକ୍ଷରେ କିଛି ବଡ଼ କଥା ନୁହେଁ ।

 

ବାଡ଼ି ଡେଇଁ ରାସ୍ତାରେ କିଛିଦୂର ଚାଲିଆସିଲା ବେଳକୁ ସେ ଦେଖିଲା, ଗାଁର ବେଜୁଣୀ ବୁଢ଼ୀ କାଶିକାଶିକା ଆସୁଛି । ବେକରେ ପଡ଼ିଛି ମନ୍ଦାର ମାଳ, ବିକଟାଳ ଦିଶୁଛି । ମନକୁମନ ବକିବକିକା ବେଜୁଣୀ ଚାଲିଛି ନିଛାଟିଆ ବାଟରେ ଏତେ ରାତିରେ ।

 

ପୁନେଇଁ ରାତିରେ ନରକଙ୍କାଳ ପରି ବୁଢ଼ୀ ବେଜୁଣୀର ବାଟଚଲା ଚଇତର ଫୁର୍ତ୍ତି ସାଙ୍ଗେ ଖାପିପାରିଲା ନାହିଁ ଦିଉଡ଼ୁ ସାଓଁତା ଆଖିରେ,-ଡରି ଡରି ସେ ପଛେଇ ରହିଲା । ଭାବିଲା, କୁଆଡ଼େ ଯାଇଥିଲା ବେଜୁଣୀ ? କେଉଁଠୁ ଆସିଲା ?

 

ପିଲାଦିନୁଁ ବୁଢ଼ୀକଥା ଭାବିଲାବେଳକୁ ସହଜରେ ଯେଉଁ ଶଙ୍କା ଆସୁଥିଲା, ସେହି ଶଙ୍କା ଆସିଲା, ତାର ମୂଳୁଦୁଆ ଏତିକି ବିଶ୍ୱାସ ଉପରେ ଯେ ବେଜୁଣୀ ଦେବତାମାନଙ୍କ ସଙ୍ଗେ ପ୍ରେତମାନଙ୍କ ସଙ୍ଗେ ମିଶେ, ସେ ମଣିଷ ବହୁତ ସତ କିନ୍ତୁ ଅସାଧ୍ୟ ସାଧନ କରେ ।

 

ବେଜୁଣୀ ସାଙ୍ଗେ ସାଙ୍ଗେ ଚାଲି ନ ଥିବେ ନା ଭୂତ ପ୍ରେତ, ତାକୁ ଘରେ ପହଞ୍ଚେଇ ଦେଇ ଆସିବା ପର୍ଯ୍ୟନ୍ତ । ଗାଁର ବାଜା ଦୂରରୁ ଶୁଭୁଛି, ବାଟରେ କେହି ନାହିଁ, ଜହ୍ନ ଆଲୁଅରେ ଗଛ ଖୁଣ୍ଟ ଝିଲ୍‌ଝିଲ୍ କରୁଛି, ଅନ୍ଧାର ଆଲୁଅର ସମାବେଶରେ କେତେପ୍ରକାର ରୂପ ଦିଶୁଛି କେତେଠିଁ । ବଣର ଜନ୍ତୁ ପରି ଅନ୍ଧାର ଘୋଡ଼ି ହୋଇ ଶୋଇ ରହିଛି ଜହ୍ନ ଆଡ଼ୁକା ପର୍ବତ ସବୁ, ଏବଂ ଗାଁ ତଳର ଗୁଡ଼ିଆ,-ସେଠି ଜହ୍ନ ଆଲୁଅ ସତେ କି ଚାରିଆଡ଼ୁ ନିଗିଡ଼ି ପଡ଼ି ଠୁଳ ହୋଇ ରହିଛି ପୋଖରୀରେ ପାଣିପରି ।

 

ବିକୃତଭାବେ କାଶି କାଶିକା ଖେଙ୍କି ଖେଙ୍କିକା ସିଧା ଦୂରରେ ବେଜୁଣୀ ବୁଢ଼ୀ ଅଦୃଶ୍ୟ ହୋଇଗଲା । ଦିଉଡ଼ୁ ସାଓଁତା ତାଟକା ହୋଇ ରହିଲା ।

 

Unknown

ତାର ବଣର ମନରେ ପ୍ରଧାନ ପ୍ରକ୍ରିୟା ଭୟର, ଭୟ ସରିଲେ ଖାଦ୍ୟର ତାହା ପରେ କାମ । ଭୟ ତାର ଗଢ଼େଇର ଉପକରଣ ନିଛାଟିଆ ବାଟରେ ବୁଢ଼ୀ ବେଜୁଣୀକୁ ଭେଟଣ; ଏଣିକି ଏକୁଟିଆ ଭରସିବାକୁ ସତ ବଳିଲା ନାହିଁ, ମନରେ ହଲର୍ ହଲର୍ ବଂଶପରମ୍ପରାର କୁଢ଼ କୁଢ଼ ଭୟର ବୀଜାଣୁ, ଦିଉଡ଼ୁ ପୁଣି ଲେଉଟି ଆସିଲା, ବାରିକକୁ ଡାକି ସାଙ୍ଗରେ ନେଇଯିବାକୁ ଇଚ୍ଛା ହେଲା, ନିଛାଟିଆ ବାଟରେ ସାହି ମୁଣ୍ଡିଆଳି ବଡ଼ ତେନ୍ତୁଳିଗଛ ତଳେ ତଳେ ଏକୁଟିଆ କେବେ ସେ ଯିବ ନାହିଁ ।

 

ପଛକୁ ଲେଉଟୁ ଲେଉଟୁ ପୁଣି ଦେଖିଲା ସେ ଆଉ ଗୋଟିଏ ଦୃଶ୍ୟ । ବାରିକ ଡମ୍ବ ଘର ରାସ୍ତାରମୋଡ଼ରୁ ଡେଙ୍ଗା ଡେଙ୍ଗା ଗୋଡ଼ ପକେଇ ଦୋହଲି ଦୋହଲି ଜଣେ କିଏ ମାଡ଼ି ଆସୁଛି-ସରୁ ସରୁ, ଡେଙ୍ଗା ଡେଙ୍ଗା, ମୁହଁଟା ଦିଶୁ ନାହିଁ, ମୁଣ୍ଡ ତଳକୁ, ସିଧା ଆଗକୁ ମାଡ଼ୁଛି ।

 

ଏତେ ବେଳଟାରେ ଏପରି ଦୃଶ୍ୟ ଦେଖିବ ବୋଲି ସେ ଆଶା କରି ନ ଥିଲା, ବେଜୁଣୀ ହେଇ ଆଗରେ ଯାଇଛି, ହେଣ୍ଟାଳ ଛାଡ଼ୁଥିବା ରାତିର ବାଘ ପରି । ଆଧିଭୌତିକ ଡେଙ୍ଗା ‘କିଏସେ’ ପାଖକୁ ଚମକି ଆସୁଛି, ଦିଉଡ଼ୁ ଦେଖିଲା ଠିଆ ହୋଇ କିଛି ଲାଭ ନାହିଁ ।

 

ଦିଉଡ଼ୁ ସାଓଁତା ଦୌଡ଼ିଲା ।

 

ଏଥର ପଛରୁ ଆସୁଥିବା ମୂର୍ତ୍ତିଟା ଠିକ୍ ତାର ପିଛା ନେଲା, ସେ ବି ଦୌଡ଼ିଲା; ବସ୍ତି ଆଖପାଖ ହେଲା ବେଳକୁ ପଛ ଜଣକ ଦୌଡ଼ି ଦୌଡ଼ି ପାଟିକଲା, ‘ଚୋର-ଚୋର’-କୁଆଡ଼ର ଢିଅକୁତୀ ଏଥର ପାଳି ଧରିଲା । ଏହି ଆୟୋଜନରେ ଆଶ୍ୱସ୍ତ ହୋଇ ଦିଉଡ଼ୁ ସାଓଁତା ଠିଆ ହେଲା, ଝାଳ ମାରିଲା, କାରଣ ସେ ବୁଝିଥିଲା ପଛର ଜଣକ ଭୂତ ନୁହେଁ, ମଣିଷ, କେବଳ ମଣିଷ ବି ନୁହେଁ ସେ ତାର ଲେଞ୍ଜୁ କକା ।

 

ଅନ୍ଧାରରେ କରପଟିଆ ସେ ଠିଆ ହୋଇଥାଏ, ତା’ରି ମୁହଁ ପାଖେ ଗାଁ କୁକୁରମାନଙ୍କୁ ସତର୍କ କରି କରି ଲେଞ୍ଜୁ କକା ଦୌଡ଼ି ଦୌଡ଼ି ଗଲା । ଦିଉଡ଼ୁ ଭାବିଲା ସେ ପଚାରିବ, ପୁଣି ବିଚାରିଲା ବେଶୀ ଗୋଳିଆଘଣ୍ଟା କଲେ ସେ ନିଜେ ଧରା ପଡ଼ିଯିବ ।

 

କିଛି କହିପାରିଲା ନାହିଁ, କିନ୍ତୁ ସନ୍ଦେହ ହେଲା, ଲେଞ୍ଜୁ କନ୍ଧ ଏତେ ରାତିରେ କୁଆଡ଼େ ଯାଇଥିଲା ?

•••

 

ଏକଚାଳିଶ

 

ସେଇ ଚଇତ ପରବ ଲାଗିଥିଲା ବନ୍ଦିକାର ଗାଁରେ ।

 

ଗାଁରେ ବାହାରେ ଢିପରେ ଢାଲୁରେ ଫୁଲପିନ୍ଧା ତେଲ-ହଳଦିମଖା ଟୋକୀମାନଙ୍କର ଅହରହ ନାଟ, ସବୁବେଳେ ଢାଉଁ ଢାଉଁ ବାଜା କାନ ଅତରା ପକେଇ ପକେଇକା । ଲୋହା (କମ୍ଭାର) ଶାଳରେ ଭାରି ଭିଡ଼, ଓଡ଼ିଆ-ନଳି, ଝାମ୍‌କି ନଳି, କେପୁ ନଳି ମରାମତ୍ ଲାଗିଛି, ଲୋହା ଲୁହା ପଥରରୁ ଲୁହା ବାହାର କରୁଛି, ଗଢ଼ି ପକୋଉଛି ନୂଆ ବନ୍ଧୁକ, ବର୍ଚ୍ଛା, ଲୁହାର ଗୁଳି ।

 

ସବୁଠି ଶିକାର ପାଇଁ ଆୟୋଜନ; କିଏ କାମୁଡ଼ା କନ୍ଧକୁକୁର ପଲ ପଲ ଛେଳି ମେଣ୍ଢା ହୁରୁଡ଼େଇବା ଛଳରେ ଚଇତି ବେଣ୍ଟ ଅଭ୍ୟାସ କରୁଛି, କିଏ ଭୃଙ୍ଗରାଜ ଚଢ଼େଇ ହାତରେ ବସେଇ ଦେଖୁଛି ସତରେ କେମିତି ବଣ ଭିତରେ ଚିଲା ମାରିମାରି ଆଖିପାଖେ ପକ୍ଷୀ ଫଡ଼ଫଡ଼ କରି କଜଳପାତୀ ପରି ଏଡ଼େ ଟିକିଏ ଚଢ଼େଇ ଭୃଙ୍ଗରାଜ ଜନ୍ତୁକୁ ପଦାକୁ ବାହାର କରେ, ବିଶେଷତଃ ବାଘକୁ । ବଣକୁ ଯାଇ ମାଦଳ ବଜେଇଲେ ବାଘମାମୁଁ ଅବଶ୍ୟ ବାହାରିବ । ଗୁଣି ଜାଣିଥିବା ଲୋକ ଅଛନ୍ତି ସେମାନେ କ’ଣ ‘ପାତି ପକାନ୍ତି’, ତହିଁରେ ଜନ୍ତୁ ଛାଁକୁ ଡାକି ହୋଇ ବାହାରି ଆସେ ନ ମରିବା ପର୍ଯ୍ୟନ୍ତ, ଗୁଳିଚୋଟରେ ମରିବା ପାଇଁ ଅପେକ୍ଷା କରି ରହେ, ଯେତେ ଗୁଳି ଫୁଟେଇ ଦେଲେ ବି ହୁରୁଡ଼ି ପଳାଏ ନାହିଁ । ବର୍ଷାଦିନେ ଶୀତଦିନେ ଯେତେ ମଣିଷଙ୍କୁ ବାଘ ଖାଇଛି, ଏହି ବଣ ଶୁଖିଲାଦିନେ ତାର ପ୍ରତିଶୋଧ । ତେଣୁ ଏତେ ଗୁଳି ବର୍ଚ୍ଛା ବନ୍ଧୁକ । ଜାଣିଥିବା ଲୋକେ ଲୁହାର ଶରଫଳକ ଅଗରେ ବିଷ ଚଢ଼ୋଉଛନ୍ତି, ଚେରରବିଷ, ସଢ଼ା ମାଂସର ବିଷ । ସବୁଠି ଲାଗିଛି ଶିକାର ଚର୍ଚ୍ଚା । କେହି କେହି ବଣ ଭିତରେ ହରିଣ ସମ୍ବର ମାରିବା ପାଇଁ ଖାରି ପକେଇ ଆସିଲେଣି, ଖାରି ବୋଲନ୍ତେ ଲୁଣ, ମୂତ, ଶୁଖୁଆ, ମେଥି, ରସୁଣ ଇତ୍ୟାଦିର ଘଣ୍ଟାଚକଟା, ଅରାଏ ଜାଗାରେ, ଜନ୍ତୁ ସେଠି ଖାରି ଖାଇବାକୁ ଆସି ଜମିବେ । ଗାଁର ପିଲାମାନେ ଠେକୁଆଧରା ଜାଲ ଧରି ଗାଁ ତଳିଆ ବୁଦାମାନଙ୍କରେ କୌଶଳ ଆରମ୍ଭ କଲେଣି, ରାତିରେ ଆଲୁଅ ଜାଳି ଘଣ୍ଟି ବଜେଇଲେ ଠେକୁଆ ଆସେ ।

 

ମଦ ଖାଇ ନ ମାତିଥିବା ମର୍ଦ୍ଦ ଖୁବ୍ ଅଳ୍ପ । ବଣଭିତରୁ ଚୋରା ରନ୍ଧାମଦ ପର୍ଯ୍ୟାପ୍ତ ଆସିଛି, ସମସ୍ତେ ନିଶାରେ ଢୁଳୁ ଢୁଳୁ, ଖାଲି ଦୀର୍ଘ ବକ୍ତୃତା, ନ ହେଲେ ଗୀତ ଲାଗିରହିଛି ସମସ୍ତିଙ୍କ ମୁହଁରେ ।

 

ସବୁଦିନେ ମାଂସ, ଗାଁଠୁ ଦୂରରେ ପଥର ଚଟାଣ ଉପରେ ବୁଢ଼ା ହଡ଼ାର ଶବକୁ ବେଢ଼ିବସି ଶାଗୁଣା ପରି ଲୋକେ ହତିଆରରେ ଖୁମ୍ପୁଛନ୍ତି, ମାଂସ ଆସୁଛି ।

 

ଚଇତର ଗୋଳମାଳ ଭିତରେ ବିଭାଘରର ଚିନ୍ତା, ପୁବୁଲିର ଚିନ୍ତା, ବାଜା ତାଳରେ ଛପିଛପିକା ଆସି ପୁଣି ପଛକୁ ଘୁଞ୍ଚିଯାଏ, ହାର୍ଗୁଣା ସାଓଁତା କାମରେ ମନଦିଏ । କାରଣ ଚଇତ ଘରକରଣାର ଦିନ ନୁହେଁ, ଘର ଉଜୁଡ଼ା ଗୋଷ୍ଠୀଗତ ଆନନ୍ଦର ଦିନ । ଗାଁର ସେ ମୁଣ୍ଡିଆଳ, ବୟସରେ ବଡ଼ ହେଉ, ସାନ ହେଉ, ଦାଢ଼ିମୁଛ ପାଚିଥିବା ବଡ଼ ବଡ଼ ଲୋକେ ତୁଚ୍ଛାକୁ ହେଲେ ଆସି ତାର ପରାମର୍ଶ ନେଇ ଯାଆନ୍ତି । ସେ ଅନୁଭବ କରେ ଯେ ସବୁଥିରେ ସେ । କେତେବେଳେ ଦଉଡ଼ି ଖଟରେ ବସି ଯେତେବେଳେ ସେ ମୁହୂର୍ତ୍ତେ ବିଶ୍ରାମ କରୁଥାଏ, ମଦ ପିଇ ହୋ ହୋ କରି ଗାଁ ଭାଇମାନେ ମାଡ଼ିଆସନ୍ତି, ଖଟ ସହିତ ତାକୁ କାନ୍ଧରେ ଉଠେଇ ନେଇ ପାଟି ଚହଳ କରି ‘ବାଇଲେ ବାଇଲେ’ ଘୋଷା ଧରି ନାଚି ନାଚିକା ଚାଲିଯାଆନ୍ତି ନାଚମଣ୍ଡପ ପାଖକୁ ।

 

ଚିତ୍କାର ପଡ଼େ ‘ସାଓଁତା, ସାଓଁତା, ଆମର ଭେଣ୍ଡିଆ ସାଓଁତା’ । ଆଉ କେତେବେଳେ ନାଚୁଣି ଟୋକୀମାନେ ବେଢ଼ିଯାଇ ତାକୁ ଫୁଲ ଫୋପାଡ଼ନ୍ତି, ଟାହି ଟାପରା ଲଗେଇ ଜବରଦସ୍ତି ତାକୁ ନଚାନ୍ତି । ତାରି ଗାଁ ଭିତରଦେଇ ଦଳହୋଇ ପରଗାଁର ଝିଅମାନେ ଗୀତ ବୋଲି ବୋଲି ଚଇତର ରଙ୍ଗିଣୀ ସୁଅରେ ବୋହି ଚାଲିଯାଆନ୍ତି, ବଡ଼ ଶଙ୍କାର, ନିଶାର ଖାଲକଣା, କନାପାଡ଼ି, ଦାମନଗଣ୍ଡା, କାର୍ଲି, କେତେ ଗାଁର କନ୍ଧୁଣୀ ଝିଏ, ପରଜୁଣୀ, ଡମୁଣୀ । ଜାତି ଜାତିକେ ଅଲଗା ଅଲଗା ଦଳ, ଆପଣା ଜାତି ଲୋକ ପାଇଲେ ଭାରି ଧୁମ୍‌ଧାମ୍ ଲାଗେ, ସେମାନଙ୍କର ଫୁର୍ତ୍ତି ପ୍ରକାଶ୍ୟରେ, ହଁ ବୋଇଲେ ହଁ, ନାହିଁ ବୋଇଲେ ନାହିଁ, ସବୁକଥା ଧାଂଡୀର ଇଚ୍ଛା, ମନହେଲେ ଖେଳିବ, ନ ହେଲେ କହିବ ନିଚୁ ନିଚୁ, କୁ’ଇ-କୁ’ଇଁ, ଆମର ଇଚ୍ଛା ନାହିଁ ।

 

ଦେଶ ଗୋଟାକର ମିଳାମିଶାର ଆନନ୍ଦ, ସବୁ କେବଳ ଭୋଗ ପାଇଁ, ମନ କରତି ହେଲାପରି ବିରହ ଗୁମାନରେ ବସିବାକୁ ସୁଯୋଗ ନାହିଁ କି ସମୟ ନାହିଁ ।

 

କିନ୍ତୁ ହିକୋକା ହାର୍ଗୁଣା ସାଓଁତା ଚଇତ ପରବରେ ମାତି ସୁଦ୍ଧା ଆପଣା ମାମୁଁଘରକୁ ଯିବାବାଟରେ ନାରଣପାଟଣା ତଳମାଳର ନୂଆ ସଭ୍ୟତା କଥା ଭୁଲିପାରେ ନାହିଁ, ମନେ ମନେ ସାତ ପାଞ୍ଚ କରି ବସେ ଚଇତର ଧୂମ୍‌ଧାମ୍ ସରିଗଲେ ସେ ଖଣ୍ଡେ ଶଗଡ଼ କରିବ, ଲୁହା କରେଇରେ କେମିତି ଗୁଡ଼ ତିଆରି ହୁଏ ସେ ବିଷୟରେ ଯତ୍ନ ନେବ । ତାର ଉଚ୍ଚାଶାରେ ପ୍ରଗତିବାଦରେ ତାର ଦଳର ଅନ୍ୟାନ୍ୟ କନ୍ଧମାନଙ୍କଠାରୁ ଆପେ ଆପେ ସେ ଉପରକୁ ଟେକି ହୋଇଯାଏ, ପିଲା ବୟସରେ ସାଙ୍ଗସୁଖର ଖେଳ ମଜଲିସ୍ ଭିତରେ ତାର ମନର ଘରକରଣା ସ୍ୱଭାବ ତୁଟିଯାଏ ନାହିଁ ଗୋରୁପଲଙ୍କୁ ପରବର ପେଟପୂରା ଖାଦି ଖୋଇ ବସିଲାବେଳେ ନିରେଖି ନିରେଖି ସେ ଭାବି ହୁଏ କେଉଁ ଯୋଡ଼ିଏ ବଳଦ ସେ ବାଛିବ ତାର ଶଗଡ଼ ଟାଣିବାକୁ ଏବଂ ବେଳକାଳକେ ଗୋଟାଏ ବେମାର ପଡ଼ିଗଲେ କେଉଁ ଗୋଟାକୁ ସେ ରଖିଥିବ ବଦଳିଆ ପାଳିଆ କରି । ଏହି ହିସାବରେ କନ୍ଧର ସାଧାରଣ ବିବେଚନାର ନିକିତି ଝୁଲେଇ ମନେ ମନେ ସେ କଳିନିଏ କାହାକୁ ସେ ଘରକୁ ଆଣିବ ତାର ସ୍ତ୍ରୀ କରି, ତାର ବଳ ଦରକାର, ସହିଷ୍ଣୁତା ଦରକାର, ସେ ପରିଶ୍ରମୀ ହୋଇଥିବ, ବୁଦ୍ଧିମତୀ ହୋଇଥିବ ସାଧାରଣ ପ୍ରକାର, ସେ ତାଠିଁ ଲାଖି ରହିଥିବ ମଲା ପର୍ଯ୍ୟନ୍ତ, ସନ୍ତାନର ମା ହେବାକୁ ଗୌରବ ମଣିବ, ହାର୍ଗୁଣା ପରି ସ୍ତ୍ରୀର ବି ଉଦ୍ଦେଶ୍ୟ ରହିଥିବ ନୂଆ ସଭ୍ୟତାର ସୁଯୋଗ ନେଇ ବର୍ଦ୍ଧିଷ୍ଣୁ ପରିସର ଭିତରେ ଘରକରଣାରେ ବଢ଼ି ବଢ଼ି ଚାଲିବାକୁ ।

 

ଏତିକି ବିବେଚନା ଫଳରେ ଚଇତ ପରବ ଭିତରେ ବି ସେ ଘରଣୀ ଆଣିବା କଥା ଭାବେ, ସେହି ସମ୍ପର୍କରେ ଆସେ ପୁବୁଲିର ଚିନ୍ତା, କେବଳ ସ୍ତ୍ରୀଲୋକଙ୍କର ଚିନ୍ତା ବିଷୟରେ ନୁହେଁ, ଭୋଗରେ ସେ ଅନଭ୍ୟସ୍ତ ନୁହେଁ, ସ୍ତ୍ରୀର ଚିନ୍ତା ହିସାବରେ ।

 

ମିଣିଆପାୟୁ ଛାଡ଼ି ଆସିଲା ପରେ, ଟିଙ୍ଗୁ, ବିଙ୍ଗୁ, ସୋଭେନା କେହି ବାଟର ଧୂଳିକୁ ସ୍ମରଣରେ ବି ଉଠାଇ ନାହାନ୍ତି, ଅବସୋସ ଆସିଥିଲା ଶଳ୍‍ପୁ କନ୍ଧର । ସେ ବୁଢ଼ାଲୋକ ବୁଢ଼ା ସରବୁ ସାଓଁତାର ଅଭାବର ଆଘାତ ନେଇ ଫେରିଆସିଥିଲା, ତାର ବଡ଼ ଆଶା ଥିଲା ହୁଏତ ଏହି ଦେଖାରେ ପୁବୁଲି ଓ ହାର୍ଗୁଣା ଭିତରେ କିଛି ଗୋଟାଏ ଘଟିବ, କୌଣସି ଘଟନା ଘଟିଲା ନାହିଁ । ଶଳ୍‍ପୁ କନ୍ଧ ଟିଙ୍ଗା ଲୋକ ସତ, ବାହାରଟା ତାର ସେତେ କଅଁଳ ନୁହେଁ, କିନ୍ତୁ ବୁଢ଼ାଲୋକ ହାତକୁ ଦିହାତ ଖଞ୍ଜି ଦେଖିବାକୁ ସୁଖ ପାଆନ୍ତି ଏବଂ ମନ ଭିତରେ ଶଳ୍‍ପୁ କନ୍ଧର, କେବଳ ଗୋଷ୍ଠୀର ପ୍ରତ୍ୟେକ ମଣିଷ ସକାଶେ ସ୍ନେହ ଏବଂ ଶୁଭେଚ୍ଛା । ଦୀର୍ଘଶ୍ୱାସ ପକେଇ ଶଳ୍‍ପୁ କନ୍ଧ ଭାବିଲା, ଯାହା କଥା ଥିଲା ଦୁଇ ଗାଁର ଦୁଇ ସାଓଁତାଘର ବିବାହର କୁସୁମଗଣ୍ଠିରେ ବନ୍ଧା ପଡ଼ିବେ ତାର ଆଶା ଦୂରକୁ ଘୁଞ୍ଚିଯାଉଛି ।

 

ସେହି ଶଳ୍‍ପୁ କନ୍ଧ ହାର୍ଗୁଣାକୁ ମନେପକାଇ ଦିଏ ମିଣିଆପାୟୁର ପୁବୁଲି କଥା ।

 

‘ଚୈତ ପରବ ତ ଲାଗିଲା ସାଓଁତା, ଚାଲ ଏସାଲେ ଯିବା ମିଣିଆପାୟୁ, ନା କ’ଣ କହୁଚୁ-?’

 

‘ହେଇ ଏବେ ପରା ବେଜୁଣୀ ନଚେଇ ଯାଇଥିଲେଁ-’,-ହାର୍ଗୁଣା କହିଲା ।

 

‘ସେ ତ ଭିନ୍ନ କାମ, ଏ ଭିନ୍ନ କାମ, ଚାଲନା ଥରେ ଯିବା, ତୁମେ ଭେଣ୍ଡିଆମାନେ ସିନା ଆଗୁଆଳି ହୋଇ ବାହାରନ୍ତ, କୁଆଡ଼େ ଯିବା ନ ଯିବାରେ ଆମ ବୁଢ଼ାଲୋକଙ୍କର କ’ଣ ଥାଏ ?-’

 

ନାନାପ୍ରକାର ବାଁରେଇ ହୁଏ ସେ, କିନ୍ତୁ ହାର୍ଗୁଣା ସହଜରେ ଧରାଦେବା ପିଲା ନୁହେଁ । ଆପଣାର ଅଭିମାନରେ ସେ ଟିଙ୍କପରି ଫୁଲେ, ଭାବେ-ଏତେ ତାର କାମ, କୌଣସି ଧାଂଡୀର ମନତୋଷ କରିବାକୁ ବେଲିଛେଲି ହେବାକୁ ତାର ମୋଟେ ସମୟ ନାହିଁ ।

 

ସବୁକଥା ଭାବି ମୁଣ୍ଡ ଭିତରେ ବିଛା କାମୁଡ଼ିଲେ ଏତେ ନାଚ ଏତେ ଧାଂଡୀ ଗହଣରେ ସୁଦ୍ଧା ହାର୍ଗୁଣା ଉଦାସ ହୋଇଯାଏ, ଏସବୁ କିଛି ତାକୁ ଭଲ ଲାଗେ ନାହିଁ, ଭାବେ ସବୁ ସ୍ତ୍ରୀ ସମାନ, ଏକାପରି ନିର୍ବୋଧ, ଏକାପରି ହିସାବୀ, ସ୍ୱାର୍ଥପର ଆଉ ନିଷ୍ଠୁର, ତା ଅପେକ୍ଷା ତାର ଶଗଡ଼ଟିକୁ ସେ କଳ୍ପନା କରେ, ତାର ଆସନ୍ତା ବଣିଜ ଜୀବନର ପ୍ରଥମ ପାହାଚ ସେ ।

 

ଶଗଡ଼-ତାଷ-ବ୍ୟବସାୟ ବେପାର-। ସେ ପ୍ରସ୍ତୁତ ହେଉଥିବ, ହୁଏତ ଏହାପରେ କେବେ ରାସ୍ତା ଆସିବ । କୋଠା ଗଢ଼ାହେବ, ବେପାର ପାଇଁ ବଜାର ଭଲ ହେବ,-ସେତେବେଳ ପାଇଁ ସେ ପ୍ରସ୍ତୁତ ହେଉଥାଏ; ବଡ଼ ଘର, ଧାନ, ମାଣ୍ଡିଆର କୋଟୁ,-କାନରେ କୁଣ୍ଡଳ, ମୁଣ୍ଡରେ ଠେକା, ଦେହରେ କୋଟ୍ କାମିଜ । ଅଣ୍ଟାରେ ଲମ୍ବ ଲାଞ୍ଜିଆ ରଙ୍ଗ କୌପୁନୀ ସାହୁକାର ବୃତ୍ତି, ଟଙ୍କା, ବେକରେ ସୁନାହାର । ଘରେ ହୁଏତ ସେଇଥିରୁ ଗୋଟାଏ ଆଲୁଅ ଯାହାକୁ ସେ ଦେଶର ଲୋକେ ଦୋକାନରେ ଝୁଲେଇ ରଖନ୍ତି, ଦୂରରୁ ଦିଶେ ସଫା ତାରାପରି ।

 

ବାକି ସବୁକୁ ସେ ହସରେ ଉଡ଼େଇ ଦିଏ, ଭାବି ଭାବି ସ୍ୱାସ୍ଥ୍ୟ ନଷ୍ଟ କରେ ନାହିଁ । ଏହି ତାଲିକାରେ ସ୍ତ୍ରୀଜାତି । ଯେ ଆଗେଇ ଆସିବ ଆସୁ, ନିଜେ ପାଛୋଟିବାକୁ ଯିବା ତାର ଚରିତ୍ରର ବିରୋଧୀ ।

•••

 

ବୟାଳିଶ

 

ଚୈତ୍ରର ବଣକୁ ସାନ୍ତ୍ୱନା ଦେଇ ଦେଇ ଅଣେ ବଣେ ଲମ୍ବିଚାଲିଛି ଚୈତ୍ରର ବାଟ, ତାର ଥିଲା ଆଜି ନାହିଁ, ୟାର ନ ଥିଲା ଆଜି ପୂରିଛି, ଦୁହେଁ ମିଶିଯାଇ ପୁଣି ସେହି ଚେତନାର ଗହଳି ବଣ, ଗଛର ବଣ ପାତଳ ହୋଇଛି, ମଣିଷର ବଣ ବଢ଼ିଛି ।

 

ସେହି ସରୁ ସରୁ ଗୋଡ଼ଦଳା ଚଲାବାଟ, ଲାଜ ସୁରୁସୁରୁ, ଭୟ ଥୁରୁଥୁରୁ, ଆଭିଜାତ୍ୟର ପିତ୍ତଳ ଛାତି ଉପରେ ଝକଝକେଇ ସେ କେବେ ଇତିହାସ ତିଆରି କରିବାର ଦମ୍ଭ ଦେଖାଇ ପୃଥିବୀ ଆଗରେ ଗଫା ବଖାଣି ନାହିଁ, ଆଜି ତାର ଶିରାଏ ଶିରାଏ ମଣିଷ ଖୁନ୍ଦାକୁନ୍ଦି, ତାର ବାଙ୍କେ ବାଙ୍କେ ସର୍ଜନର ଅପୂର୍ବ ସରାଗ, ସେଠି କୋଳାହଳ ସେଠି ଆନନ୍ଦ ସେଠି ରଙ୍ଗ । ପଞ୍ଝାପଞ୍ଝା ଆସନ୍ତି ପଞ୍ଝାପଞ୍ଝା ଯାଆନ୍ତି ସେହି ଆପଣା-ଭୁଲା ସରୁ ବାଟରେ । ପର୍ବତର ଅନ୍ଧି ସନ୍ଧି, ଘାଟି ଟିକ୍ରାର ପାହାଚେ ପାହାଚେ, ପତ୍ରଲଟାର ସୁଡ଼ଙ୍ଗର ତଳେ ତଳେ ଚହଟି ବୁଲନ୍ତି ଅଗଣିତ ମଣିଷ, ବାଟର ବରଗଛ ମୂଳେ ମେଳା ବସେ, ଖାଲରେ ଶିକାର, ପଥୁରିଆ ଝୋଲାକୂଳର ସାନସାନ ଗୁମ୍ଫାରେ ଶିଉଳିର ଶେଯ ଉପରେ ଯେଉଁଠି ଝୋଲାର ଛଳଛଳରେ ଚେତନାର ଉନ୍ମେଷ ହୁଏ, ସେଠି ବଣର ମାୟାଜାଲର ତଳେ ତଳେ ଟୋକାଟୋକୀ ବସିପଡ଼ନ୍ତି, ସୁଲୁସୁଲିଆ କୁର୍‍ହେଇ ବାସ୍ନାରେ ।

 

ଭିନ୍ନ ଭିନ୍ନ ଜାତି, ମଣିଷର ବିକାଶର କ୍ରମ ମଝିରେ କେଉଁ ଫାଙ୍କରେ ପଳେଇ ଆସି ବଣର ପଣତ ତଳେ ଆଶ୍ରା ନେଇଥିଲେ କେବେ ସେ, ଆଜି ସେମାନେ ଆନନ୍ଦର ପୂଜକ, ଚୈତ୍ରର ବାଟେ ବାଟେ ଆନନ୍ଦ ଲାଗିଛି । କେତେ ଉପାୟ ସେଠି, କେତେ ଭିଆଣ, କେତେ ଆଶା । ଭଙ୍ଗା ମଦହାଣ୍ଡି, ଛିଣ୍ଡା ଫୁଲ, ଖସି ପଡ଼ିଥିବା ଛିଣ୍ଡା କନା, ଅଜସ୍ର ପାଦର ଧୂଳି, ଏହି ସେ ବାଟର ଭୂଷଣ, ବାଟର କାହାଣୀ । କିନ୍ତୁ ସେଠି ଚିତ୍ରର ଝଲକ ଏକା ହେଲେ ବି ଫଳକ ଏକା ନୁହେଁ, ତେଣୁ ସେଠି ବିଭିନ୍ନ ଛବି, ଆଲୁଅ କେବଳ ଏକ ।

 

ଚଇତ୍ ପରବ୍ । ବିଭିନ୍ନ ଛବି, ଜଣେ ଜଣେ ପ୍ରକାରେ ପ୍ରକାରେ, ଦଳେ ଦଳେ ପ୍ରକାରେ ପ୍ରକାରେ, ଦୂର ଦେଶରୁ ସାହୁକାରର ଗୋତିପଲ ଛୁଟିରେ ଫେରୁଛନ୍ତି, ଡୁଙ୍ଗୁଡୁଙ୍ଗା ବଜେଇ ରଡ଼ି କିଳିକିଳା ଛାଡ଼ି ଫେରୁଛନ୍ତି ଉତ୍କଳସନ୍ତାନ, କଳକବ୍‌ଜା ଦେଶର ଚାକିରି ଗାଁରୁ, ସାହାବର ଚା’ ବଗିଚାରୁ କାହିଁ କେଉଁ ସୁଦୂର ଆସାମରୁ-ଖୁବ୍ ଅଳ୍ପ । ପଞ୍ଝାଏ ଫେରୁଛନ୍ତି ଶିକାର ମାରି, ନିବିଡ଼ ବଣରୁ, ମଲା ଜନ୍ତୁ ଦେହରେ ମାଳ ମାଳ ଫୁଲ ଟାଙ୍ଗି କୋକେଇରେ ବୋହି ନାଚି ନାଚି ଫେରୁଛନ୍ତି-। ଦଳେ ଖାଲିହାତରେ, ମୁଣ୍ଡକୁ ତଳକୁ ପୋତି । ଦଳେ ବୀରବେଶରେ ଛାତି ଫୁଲେଇ ଚାଲିଛନ୍ତି ଶିକାର କରି ସତେକି ପର୍ବତ ଓପାଡ଼ିବେ । ଗୀତ ମାରିମାରିକା ଜାତି ଜାତିର ଧାଂଡୀପଲ-। ଅନୁସରଣିଆଁ ଧାଂଡା ଦଳ । ଅସଂଖ୍ୟ ଲୋକ କୁଣିଆଁଘର ଚାଲିଛନ୍ତି, ଆହୁରି ଅସଂଖ୍ୟ କନିଆଁ ପାଣି । ନୂଆ ବୋହୂ ଶାଶୁଘର ଯାଉଛି, ଅଛି ଅଛି ଫେରିପଡ଼ି ମା’ର କାନି ଧରି ଓଟାରି କହୁଛି ଯିବି ନାହିଁ ଯିବି ନାହିଁ । କିଏ ଗୋଟିଏ ‘କନିଆଁ’ କାଖେ ନେଇ ପଳୋଉଛି, ଏହି ତାର ‘ଉଦୁଲିଆ’ ବିଭା । ସେହିପରି କଥା ଅନୁସାରେ ‘କନିଆଁ’ର ସଙ୍ଗିନୀମାନେ ତାକୁ ଘେରିଯାଇ ଗୋଗୋଛ ବାଡ଼ିଆ ବାଡ଼ୋଉଛନ୍ତି । ସେ ସହୁଛି । ଉଞ୍ଚରେ ଥାଇ କନିଆ ହସୁଛି ।

 

ଏହି ବାୟା ଚଇତର ମଠୁଆଣି ବାଟରେ ଯେଉଁଠି ଚାଲିଗଲା ଲୋକ ରହି ରହିକା ଦେଖି ଦେଖି ଉଣ୍ଡି ଉଣ୍ଡି କାନ ପାରି ଯାଏ, ଏହି ବାଟରେ ଆସୁଥା’ନ୍ତି ମାଡ଼ି ଦୁଇଟି ଲୋକ, ଗୋଟିଏ ବୁଢ଼ୀ ଗୋଟିଏ ଟୋକୀ । ବେଳ ଥାଏ, ବନ୍ଦିକାର ପାଖ ହେଲାଣି ଏଇ ଘାଟିଖଣ୍ଡିକ ଓହ୍ଲେଇ ପଡ଼ିଲେ ତେଣିକି । ଛାଇ ଲେଉଟାଣିରେ ତଳୁ ଉପରକୁ ।

 

ଦହିଖୁଆ ପରି ଆଂଶଆଂଶିଆ ପର୍ବତ ଉପରେ ଦିନ ପଛୁଆଣିର ଆଲୁଅର ଖେଳ, ବୁଢ଼ୀ ପଛେଇ ପଛେଇ ଦେଖୁଥାଏ, ଆଣ୍ଠୁ ଉପରେ ହାତଭରା ଦେଇ ଅପେକ୍ଷା କରି ଯାଉଥାଏ । ଟୋକୀର ଆଖି ଆଗକୁ କରକୁ, ଯେଉଁଠି ହସାହସି ହୋଇ ଅନେଇଦେଇ ଟାପରା ମାରିଦେଇ ଲୋକେ ପଳେଇ ଯାଉଥା’ନ୍ତି, ସେ ଆପଣାର ସୁନ୍ଦରପଣରେ ଆପେ ମନ ଫୁଲେଇ ବାଟ ଚାଲିଥାଏ, ତାର ଅବସୋସ ତା’ ପାଇଁ କେହି ଅଟକି ରହୁ ନାହିଁ, କେହି ତା ପ୍ରତି ନିରେଖି ଅନେଇ ବାଟ ଭୁଲିହେଉ ନାହିଁ ।

 

ଦେହ ଉପରେ ଯୌବନ ହାତ ବୁଲେଇଦେଇ ଯାଇଛି, ତାହା ଉପରେ ପରିପାଟୀ କରିଛି ମଣିଷର ହାତ । ପିନ୍ଧିଛି ରଙ୍ଗିଣୀ ଶାଢ଼ି ଚଉଦ ହାତ ଲମ୍ବ, ଶାଢ଼ିର ଫେର ତଳେ କୁଞ୍ଚ କୁଞ୍ଚ ହୋଇଛି, ଉପରେ କେବଳ ଗୋଛାଏଁ ରଙ୍ଗିଣୀ ପଇତା ପରି ଖୋଲା ଦେହରେ ଅଣ୍ଟାରୁ ବେକଯାଏ ସେ ଶୋଇରହିଛି । ମୁଣ୍ଡରେ ଦଖିଣି ଖୋଷା, ସେଥିରେ ଜାତି ଜାତି କିଆଫୁଲ । ପାଦରେ ଧୂଳି ସଙ୍ଗେ ନାଲି ଅଳତା, ମିଶିଯାଇଛି । ବର୍ଣ୍ଣ ମଧୁରିଆ ଗୋରା, କିନ୍ତୁ ସେଥିରେ ହଳଦି ଓ ଜଡ଼ାତେଲର ପୁଟ ଦିଆହୋଇ ଆହୁରି ଜିକି ଜିକି କରିଛି । ଗଠନ ସ୍ୱାସ୍ଥ୍ୟବାନ୍ । କିନ୍ତୁ ଏସବୁ ଗୋଟାଏ ପାଖେ, ଆର ପାଖେ ତାର ମୁହଁଟି, ଯେଉଁ ମୁହଁ ଥରେ ଦେଖିଥିଲେ ଉପର ଆଖିରୁ ମନଗହୀରକୁ ଗଡ଼ିପଡ଼ି ରାତିର ସ୍ୱପ୍ନରେ ଉଏଁ । ଯେତେବେଳେ କାଳିଜହ୍ନର ହାଲୁକା ଆଲୁଅରେ ସ୍ୱପ୍ନ ଦିଶୁଥାଏ ମଣିଷ ଖାଲି ଗହୀର ଝୋଲା ଭିତରେ ହରିଣ ମାରି ଚାଲିଛି, ଗୋଜିଆ ପର୍ବତ ଉପରେ ଚଢ଼ି ତଳର ଖାଲ ଆଡ଼କୁ ଧାଇଁ ଧାଇଁ ଓହ୍ଲୋଉଛି, କେବଳ ବଣର ଦୃଶ୍ୟ ।

 

ଫୁଲପିନ୍ଧା ଖୋଷା ଉପରେ ବୁଜୁଳି ବୋହି ବୁଢ଼ୀ ଆଗେ ଆଗେ ଝିଅଟି ଚାଲିଥାଏ, ବୁଢ଼ୀ ଯେପରିକି ତାର ପିଠି ଆଡ଼ର ଜଗୁଆଳ । ଦେହରୁ କଳାପାଣି ବୋହି ପଡ଼ୁଛି, ପିନ୍ଧିଛି ମୋଟା ମଇଳା ତେଲେଙ୍ଗା ଲୁଗା, ମୁହଁରେ ଜଳନ୍ତା ଶୁଠା (ପିକା), ହାଡ଼ୁଆ ଗାଲର ଫମ୍ପା ଖାଲ ସତେକି କର୍କଶ କୁଟିଳତାର ଢଳେଇ ପାଇଁ ଛାଞ୍ଚ । ତାର ହାତ କଚଟିରେ ମୋଟା ଚଉଖୁଣ୍ଟ ପିଟା ପିତ୍ତଳର ବାଲା, ସେ ବି ତାର ସାଧାରଣ କଠିନତା ସଙ୍ଗେ ମିଶିଯାଉଥାଏ । ତାର ବଡ଼ ବଡ଼ ପାଦ, ଶିରମୋଡ଼ା ଗୋଡ଼ର ମାଂସପେଶୀ । ସବୁ ସେହିପରି, ଦେଖିଲେ ଲାଗେ ଠିକ୍ ଯେପରି କେହି ଜଣେ ଶୁଖୁଆବିକାଳି ।

 

ଲୋକେ ଦେଖି ଭାବନ୍ତି, ତେଲେଙ୍ଗା ବେପାରୀ ହୁଏତ ଏମାନେ, ଏହିପରି ଧୂଆଁପତ୍ର ବିକିବାକୁ ନହେଲେ ଶୁଖୁଆ ବିକିବାକୁ ଦଶକୋଶ ପନ୍ଦରକୋଶ ବାଟ ପର୍ବତଦେଶରେ ଚାଲିଚାଲି ବୁଲନ୍ତି ହାଟକୁ ହାଟ, କେହି ତାଙ୍କୁ ଅନାଏ ନାହିଁ । କିନ୍ତୁ ଏ ଦୁଇଜଣ, ଏମାନଙ୍କ ମୁଣ୍ଡରେ ଖାଲି ପସରା ନାହିଁ, ଏମାନଙ୍କର ଦଳ ନାହିଁ । ସବୁଠୁ ବିଚିତ୍ର ଏମାନଙ୍କ ତୁଣ୍ଡରେ ଅବିରଳ ବୋହୁଥିବା ତେଲେଗୁ ଭାଷାର ଶବ୍ଦ-ବାହୁଲ୍ୟ ନାହିଁ । ବାଟ ଯହୁଁ କଟିଯାଏ ବୁଢ଼ୀର କଠିନତା ଉପରେ ପଡ଼େ ଉଦାସର ଛାଇ, ଚିହ୍ନିଲା ଚିହ୍ନିଲା ପରି ଚାରିଆଡ଼କୁ ଅନେଇଁନେଇ ସେ ସବୁ ଠଉରେଇ ଯାଏ, ଟୋକୀ ବିରକ୍ତ ହୁଏ, ଏପରି ଘାଟି ଉପରେ ଚଢ଼ି ବୁଲିବାକୁ ତାର ଦେହର ତିଆରି ନୁହେଁ, ତାର ଚେହେରା ଓ ବେଶବିନ୍ୟାସ ଦରକାର ଅନ୍ୟ କାମ ପାଇଁ । କାହାରିଠୁ ପ୍ରଶଂସା ଶୁଣିବା କିମ୍ବା ସ୍ତୁତି ଶୁଣିବା ତାର ଅଭ୍ୟାସ, ତା ପାଖରେ ସମସ୍ତେ ମୁଣ୍ଡ ନୁଆଁଇବେ ଏ ମଧ୍ୟ ତାର ଅଭ୍ୟାସ,-ମୁଣ୍ଡ ନୁଆଁଇବେ-କାହାକୁ ଟେକିବ କାହାକୁ କଚିବ ସେ ନିଶାପ ତାର ଭ୍ରୁଲତାର ଭଙ୍ଗୀରେ ଓଠର ବିଭିନ୍ନ ବାଙ୍କରେ କେତେ ତ ଚାଲିଛନ୍ତି, ଅସନା ଅପୋଛା ଅଧାଲଙ୍ଗଳା ବଣର ପୁଏ, ଖାଲି ନଥ ନଥ ଚାଲି, ହସାହସି କେବଳ ନିଜ ଭିତରେ । ତାର ମନ ଘୋଳି ହେଉଥିଲା ।

 

ତାର ଈର୍ଷା କୁହୁଳେଇଦେଇ ବାଟେ ବାଟେ ସେମାନେ ଚାଲିଯା’ନ୍ତି, ବଣଦେଶର ଧାଂଡା ଧାଂଡୀ । ଆପଣାର ତଳଦେଶର ଚହଟ ଚିକ୍‍କଣ ତଳେ ତଳେ ସେମାନଙ୍କର ଉତ୍ତାଳ ମନର ଚପଳ କଥା ଭେଦେ, ଥରାଏ, ଏ ଝିଅଟି ସେ ବି ଭାବେ ଏମାନଙ୍କ ସଙ୍ଗେ ପାଦ ମିଳେଇ ପୁଣି ବଣୁଆଁ ହୋଇ ସେ ଚାଲିଯିବ, କିନ୍ତୁ ପରିସ୍ଥିତି ବାଧେ । ଉଞ୍ଚ ପାହାଡ଼, ଛାଇ ବଢ଼ିଲେ ଏହି ଚଇତ ମାସରେ ସୁଦ୍ଧା ଘାଟି ଟିକ୍ରା ଉପରେ ଶୀତୁଆ ପବନ ମଞ୍ଜ ଥରାଇ ଯାଏ, ସହର ନାହିଁ, ବଡ଼ ବସ୍ତି ନାହିଁ, ଯେଉଁଠି ଦେଖିଲେ ଖାଲି ଭୀଷଣ ପାହାଡ଼, ଆଖି ଆଗରେ ବଢ଼ି ବଢ଼ିଯାଏ, ଦୃଷ୍ଟି ସହିତ ପ୍ରାଣଟାକୁ ବି ଶୋଷିନେବାକୁ ଚାହେଁ ଖାଲି ଗିଳିପକେଇଲା ପରି ।

 

‘ଓଃ ଆଉ କେତେଦୂର ଅଛି ମା’ ?’ ଝିଅଟି କହିଲା ।

 

କଠିନ ମୁହଁ ଉପରେ କଅଁଳ ସହାନୁଭୂତି ଖେଳେଇ, ପଥର ଉପରେ ସଞ୍ଜର ଛାଇ ପରି ମଳିନ ହୋଇ ବୁଢ଼ୀ କହିଲା, ‘ବଡ଼ କଷ୍ଟ ପାଇଲୁ ମା’, ନୁହେଁ ? ପାଞ୍ଚ ଦିନ, ପାଞ୍ଚ ରାତି କମ୍ ନୁହେଁ ତ ? ତେବେ ଏଇ ଶେଷ, ଆଉ ଟିକିକୁ ଆମର ଘର । ଘର ଆଉ କେଉଁଠୁ ପାଇବା ମା’, ଘର ନୁହେଁ ତ ଆମର ଗାଁ-’

 

‘ପାଖ ହେଲାଣି, ଟିକିଏ ବସିବା ?’

 

‘ବସିବୁ ଯଦି ବସ ଟିକିଏ, ଆହା ଏତେ ଚାଲି ଚାଲି-। ଉଛୁର ହେଲେ ଫେର୍ ଦେଖ୍ ପୁଣି ଗାଁ ପାଖହେଲେ କ’ଣ ହେଲା ବଣର ଜନ୍ତୁକୁ ବିଶ୍ୱାସ ନାହିଁତ-’

 

‘ବଣର ଜନ୍ତୁ’ ଝିଅଟି ହସିଲା, ‘ଖାଇବାର ଥିଲେ ପ୍ରାଣ ପାଇଁ ଏତେଦୂର ଆସିଥା’ନ୍ତେ ଆମେ ମା’ ? କି ଦେଶ ଲୋ ମା’-କି ବାଟ-ଆମକୁ ମରଣ ନାହିଁ ବୋଲି ସିନା ମା ।’

 

‘ଛି ଛି ଏମିତି କହନ୍ତି ନା ? ଭୟକୁ ଡାକିଲେ ଭୟ ପାଖକୁ ଆସେ, ମରଣକୁ ଡାକିଲେ ମରଣ ପାଖକୁ ଆସେ, ଜାଣିଲୁ ମା’, ଏମିତି କହିବାର ନାହିଁ ।’

 

ବୁଢ଼ୀଟି ଚିନ୍ତିତ ହେଲା । କୁତୂହଳୀ ହୋଇ ଟୋକୀ ମା’ ଆଡ଼କୁ ଅନେଇଁ ରହିଲା । ଦୁହେଁ ଟିକିଏ ତୁନିହୋଇ ରହିଲେ । ଝିଅଟି କ’ଣ ଭାବୁଥାଏ । କହିଲା, ସତରେ ମା’, ସତେ ଡାକିଦେଲେ ମରଣ ଏପରି ପାଖକୁ ଚାଲିଆସେ ? ତୁ ତ ଜାଣିଛୁ ମା’, ଲୋକେ କହନ୍ତି ତୁ ସବୁ ଜାଣୁ, ସତ କହିଲୁ, ଡାକିଦେଲେ ଯଦି ମଣିଷର ସବୁ ଦୁଃଖ କଷ୍ଟ ଏପରି ଚାଲିଯାଆନ୍ତା, ତୁ ଜାଣୁ ତେବେ ନ ମରି ମତେ ନ ମାରି ଏତେବାଟ ବଣେ ବଣେ ଧାଇଁଆସିଛୁ କାହିଁକି ? କ’ଣ ଆମର ବାକି ଯେ ପ୍ରାଣ ବଞ୍ଚେଇବା ସକାଶେ ଏଡ଼େ ଭୀଷଣ ଦେଶ ଭିତରକୁ ବାଟ କଢ଼େଇ କଢ଼େଇ ନେଇ ଆସିଲୁ ମା’ ।’

 

ବୁଢ଼ୀ ଏଥର ଚିଡ଼ିଲା, ଉପରେ ଉପରେ ବିରକ୍ତି ଦେଖେଇ କହିଲା, ‘ଦେଖ୍ ‘ପିଓଟି’, ତତେ ଆଉ ମୁଁ ପାରିବି ନାହିଁ । ଯେତେ ମନାକଲେ ସେହିକଥା ସେହିକଥା ତୁ ଧରିଛୁ ମରିଯିବୁ ମରିଯିବୁ, କାହିଁକି ମରିଯିବୁ କେଡ଼େ ଅପରଛନ କଥା ସବୁବେଳେ । କନ୍ଦାବୋବା କଲେ, କପାଳକୁ ଯେତେ ନିନ୍ଦିବାର ନିନ୍ଦିଲେଇଁ, ଗାଳି ଦେଲେଇଁ, ଆଉ କାହିଁକି ସେହିକଥା ସବୁବେଳେ ? ଏଡ଼େ ହଟହଟି, ଏଡ଼େ ଛୋପରିଟା ତୁ ସବୁଦିନେ ?

 

ଯେଉଁଠି ଯେତେଦିନ ଲେଖାଥିବ, ସେଥିକି ଦୁଃଖ କାହିଁକି ? କୋଳିଖାଇ କେହି କୋଳିମଞ୍ଜି ପୋତିଛିକି ଝୁରିହେବ ? ଭଲଦିନ ଆସିଥିଲା ଏଇ ବଣ ଭିତରୁ ଆମେ ତଳ ଦେଶକୁ ଯାଇଥିଲୁଁ, ପୁରି ଅସାର୍ (ଖରାପ) ଦିନ ଆସିଲା, ବଣ ଭିତରକୁ ପଳେଇ ନ ଆସିବା ଛଡ଼ା ଆଉ ବାଟ ନାହିଁ । କଣ୍ ହୋଇଗଲା କଣ୍ ?

 

ବୁଝିଲୁ ପିଓଟି, ଯେଉଁ ବଣ ଡଙ୍ଗରକୁ ଦେଖି ତୋର ନାହି ଡେଉଁଛି, ସେଇଠି ତତେ ପାଇଥିଲି (ଜନ୍ମ କରିଥିଲି) ସେଇଠିକି ତତେ ପୁଣି ନେଇ ଚାଲିଛି, ଏଥର ମୋ ଦାୟିତ୍ୱ ଶେଷ । ସେ ବି ଏଇଆ କହି ମରିଥିଲେ, ‘ଘାଗଡ଼ା ଗଳାରେ ବୁଢ଼ୀ କହିଲାଗିଲା, ‘ମରିବାକୁ ଡର ନାହିଁ, ଥରେ ମଲେ ଥରକୁଥର ମନ ଇଚ୍ଛାରେ ପୁଣି କାହା ପେଟରେ ପୁଣି ଜନ୍ମ ହେଉଥିବା, ମରିବାକୁ ଡର ନାହିଁ ସିନା ଯଦି ଦେଖିବ ହରବର ହେବ; ଅଚଳ ହେବ ଏଠି, ବାରଦୁଆରେ କୁକୁରପରି ଏଠି କେଭେ ରହ ନାହିଁ, ପଳା ମୋର ଦାଦି ଆନିରଗାଁକୁ ସେଇଠି କୁଲିଭୂତି ଲାଗିବ, ଏଠି ନୁହେଁ, ଏଠି କେହି ପଚାରିବେ ନାହିଁ । ତଳଦେଶରେ ଧନ ଅଛି ସିନା, ମନ ନାହିଁ । ସେତେବେଳେ ତୁମେ ମୋର ଗାଁକୁ ଫେରିଯିବ, ଘର ଭାଙ୍ଗିଥାଉ ନୂଆଘର ହେବ, ସେଠି ତୁମକୁ ଶଳ୍‍ପୁ ଚିହ୍ନିବ, ଲେଞ୍ଜୁ ଚିହ୍ନିବ, ଯେ ତା’ହେଲେ ମନେ ପକେଇବ ବନ୍ଦିକାର ଗାଁରେ କୋଣ୍ଡାତାମ୍ବେରୁ ବଂଶର ସଂଡ୍ରଙ୍ଗା ବୋଲି କେହି ଜଣେ ଥିଲା ।’

 

ବୁଢ଼ୀ ଗୁମ୍‌ମାରି ବସିଲା । ଟୋକୀ କଥା କହିଲା ନାହିଁ । ମା’ର ଏହି କଥା ବାରମ୍ବାର ସେ ଶୁଣେ, ଯୁକ୍ତି ନୁହେଁତ, ଖାଲି ଗହୀର ମନର କେଉଁ ରାଗିଣୀର ଘୋଷା, ଗୀତ ଉପରେ ତର୍କ ଚାଲେ ନାହିଁ, ଟୋକୀ ତୁନି ରହେ ।

 

ଭୁସ୍‌କରି ବୁଢ଼ୀ ପୁଣି କହିଲା, ‘ଦେଖିଲୁ ପିଓଟି, ଭଲ ଲାଗୁ ନାହିଁ ? ସତ କହିଲୁ ! ଘର ପାଖ ହେଲା, ସେଠି ଆମର ଲୋକ ଆମର ଗାଁ-ପୁଣି ଫେରି ଆସିବାରୁ ଭଲ ଲାଗୁ ନାହିଁ ? ଓଃ କେଡ଼େ ବଡ଼ ନିଦଟେ ହେବ-’

 

କିଛି ନ କହି ହି ହି ହି ପିଓଟି ହସିପକେଇଲା, ସତକୁ ସତ ସେତେବେଳକୁ ପାହାଡ଼ର ପଣତରେ ଅସ୍ତାନ୍ ସୂର୍ଯ୍ୟ ନିଆଁ ଲଗେଇଦେଇଛି ଡେଇଁଡେଇଁକା ଉପରକୁ ଉପରକୁ ଉଠୁଛି ତାର ଶିଖା । ତାର ଆଉ ପିଓଟିର ମନର, ଦୁହିଁଙ୍କର ସାମଞ୍ଜସ୍ୟ ଥିଲା, ଆଉ ଦୁହିଙ୍କ ମଝିରେ ସମ୍ପତ୍ତିବାଦୀ ପୁଞ୍ଜୀଭୂତ ଅନ୍ଧାର ପରି ବୁଢ଼ୀ, ସେ ତାର ମା’ ଧରି ଧରି ଧସେଇ ଧସେଇ ତଳକୁ ଖସିପଡ଼ୁଛି ।

 

ପିଓଟିର ହସ ବାଧା ମାନିଲା ନାହିଁ, ପୁଣି ଦୁହେଁ ଚାଲିଲେ । ମନ୍ତ୍ର ବିଳିବିଳେଇ ପୁଣି ବୁଢ଼ୀ କହିଲା, ‘ହସୁଥା ମା’ ହସିଲେ ଆୟୁଷ ବଢ଼େ । ତୁ ଏମିତି ହସୁଥା, ତୋରି ଆଗରେ ମୁଁ ଟଳିପଡ଼େ । ତୋର କ’ଣ ବୁଦ୍ଧିହୋଇ ନାହିଁ କି ମୁଁ ତତେ କହିବି ? ଚଇତରେ ଆସିଛୁ, ଏତେ ବର୍ଷକେ ଆସିଛୁ, ଗାଁଲୋକେ କୋଟି-ନିଧି ପରି କରିଲେ ହସେଇ ନଚେଇ ଅଥା (କ୍ଳାନ୍ତ) କରିଦେବେ, ତୋର ଖୁସିରେ ମୋର ଖୁସି, ବାକି ମୋ ସାନକୁହା ମାନିବୁଟି ? ବେଶୀ ଗୁଡ଼ାଏ ଭାକୁଚିଆଳି ହୋଇ ଗପିବୁ ନାହିଁ, ମୋ ସୁନାଟି ପରା, ଆଉ,-ମନଇଚ୍ଛା ଖୁସି ହ’, ମନଇଚ୍ଛା ନାଚ୍ ଆମର ପଛ କଥାଗୁଡ଼ାକ କାହାରି ଆଗରେ ଗପ୍‌ନା । ଲୋକେ ବାର ଛଇରେ କଥା ନେବାକୁ ଆସିବେ ପଚାରିବେ, ସବୁ ଶୁଣିବେ କଳି କରିବେ, ଅର୍ଥ ଯୋଖିବେ, ତୁଚ୍ଛାକୁ ଭଗାରୀ ହସିବେ । ବୁଝିଲୁ-ସେଗୁଡ଼ାକ ପାସୋରିପକା, ଏଣିକି ନୂଆ ଘରକରଣା, ନୂଆ କଥା; ସେଗୁଡ଼ା ଆଉ ନାହିଁ,-ଛି-।’

ହସ ଢୋକିଦେଇ ପିଓଟି ଚାଲିଲା ।

ଆଃ, କେଡ଼େ ଚଞ୍ଚଳ ଛାଇଗୁଡ଼ାକ ନିଗିଡ଼ି ପଡ଼ୁଛି କେତେଦୂର ଆଉ । ଛାଇ ମଣିଷ ଭିତରେ ବାଦବୁଦିଆ ‘ଶୂନ’ ହେବ କିଏ ।

ଆଗରେ, ଅଚିହ୍ନା ପର ଗାଁର କନ୍ଧ-ଭେଣ୍ଡିଆଗୁଡ଼ିଏ ଚଇତି-ଗୀତ ବୋଲି ବୋଲି ଚାଲିଛନ୍ତି । କେଡ଼େ ଗମତ୍ ! ଦେହଯାକ ଫୁଲ, ଅଣ୍ଟାରେ ଡୋର କୌପୁନୀ, କିନ୍ତୁ ଦେହର ଭଙ୍ଗୀରେ ସ୍ୱାସ୍ଥ୍ୟ ଛିଟିକି ଉଠୁଛି । ବଣର ଅରଣା ପଶୁପରି ସବଳ, ସେହିପରି ଉଗ୍ର ନିଶା । ଖଞ୍ଜାଖଞ୍ଜି ମାଂସପେଶୀ, ଗୀତର ଛନ୍ଦରେ ଛନ୍ଦରେ ଫୁଲି ଫୁଲି ଉଠୁଛି । ଧନୁଶର ବର୍ଚ୍ଛା । ଓଡ଼ିଆ-ନଳୀ, ବୀରପୁରୁଷ ପରି ଆଗକୁ ଛାତି ।

କିଏ ସତେକି ତାର ନାଁ ଧରି କ’ଣ କହିଲା, ଦଳ ଭିତରୁ କେଉଁ ଜଣକ ? କିପରି ଚିହ୍ନିଲା-? ସଂଶୟ ଭାଙ୍ଗିଦେଇ କନ୍ଧ ଗୋଷ୍ଠୀର ଗୀତ ଛୁଟିଲା, ‘ହୁସିଆର, ହୁସିଆର ବାଡ଼ ବାହାରକୁ ଯା’ ନାହିଁ ।’

ତେଣେ ପିଓଟି (ହଳଦୀବସନ୍ତ) କାନ୍ଦୁଛି, ତେଣେ ଅଣଟି କାନ୍ଦିଲାଣି, ଚଇତର ନିଶା, ବାଡ଼ ବାହାରକୁ ଯା ନାହିଁ ।

‘ଆଲୋ ମାମୁଁଘର ଝିଅ ଆଲୋ ଶଶୁରର ଝିଅ, ଗୋଡ଼କୁ ବଳା ପରି କାନକୁ ନୋଳି ପରି ଆମ ସଙ୍ଗରେ ତୁ ମିଶିକରି ଅଛୁ, (ହଳଦୀବସନ୍ତ) ପିଓଟି କାନ୍ଦିଲାଣି, ବାଡ଼ ବାହାରକୁ ତୁ ଯା ନାହିଁ ।’

ପିଓଟି ଚମକି ପଡ଼ିଲା । ତୁହାଇ ତୁହାଇ ଉଠିଲା ସେହି ଗୀତ, ଧାଇଁ ଧାଇଁ ପୁଣି ଧାଇଁ ଧାଇଁ ଯାଇ ଆହୁରି ଦୂରରେ ଠିଆହୋଇ ଗଲାପରି, ଏହିପରି ତାର ସ୍ୱର ।

 

‘ପିଓଟି ଲୋ ଡିତେ, ଲୋ ଅଣଟି ଲୋ ଡିତେ, ଲୋ ସରୁ ସୋଲମାଲି, ଆଲୋ ଆନ୍ଦୁଜୋଡୁ, ଲୋ ଆଲୋ ଫପୁଜୋଡୁ, ଲୋ ସରୁ ସୋଲମାଲି, ଆଲୋ ଶାଲାବାଡ଼ା, ଲୋ ଆଲୋ ବିଦାବାଡ଼ା, ଲୋ ସରୁ ସୋଲମାଲି ଯେଇ ନିଲସ ବାଇ, ଲୋ ଯେଇ ତାଲସ ବାଇ, ଲୋ ସରୁ ସୋଲମାଲି ।’

 

ପିଓଟି ଆଗେଇ ଗଲା, ପଛକୁ ଚାହିଁ ବୁଢ଼ୀ ଦେଖୁଥାଏ, ଜାଣିଜାଣି ମଠେଇ ମଠେଇ ହୋଇ ସେ ଅଟକି ରହିଲା ।

 

ଏତିକି ତାର ଭରାଦେବାକୁ ବାଡ଼ି ଅଥଚ ଏତିକି ଦାୟିତ୍ୱ ପର ହାତକୁ ବଢ଼େଇ ଦେବାପାଇଁ ସେ ଧାଇଁ ଆସିଛି ଦୂର ବନସ୍ତ ଭିତରକୁ ।

 

ଚଇତି ବାଟରେ ଛିଣ୍ଡାଛିଣ୍ଡା ଭଉଁରୀ ପରି ପଞ୍ଝା ପଞ୍ଝା ଟୋକା, ସେମାନଙ୍କ ରକ୍ତରେ ଅଛି ନିଆଁ, କେତେବେଳେ କ’ଣ ହେବ ସେ କହି ନ ପାରେ ।

 

ବୁଢ଼ୀର ସବୁ ଆଶା ପାଣିଫଟେଇ ଦେଇ ହଠାତ୍ ଗୀତ ବନ୍ଦ ହୋଇଗଲା । ପିଓଟି ସେତେବେଳକୁ ମଝିକୁ ଗଲାଣି । ଦୂରରୁ ତାର ଛାଇ ଛାଇଆ ରୂପର ଆଭାସ ସୂଚେଇ ଦେଇଥିଲା ସେ ନାରୀ, ସେହି ସୂଚନାରେ ଗୀତର ଉଲ୍ଲାସ, କିନ୍ତୁ ପାଖକୁ ଆସିଲାରୁ ଟୋକାମାନେ ଦେଖିଲେ ସେ ତାଙ୍କ ଦଳର ନୁହେଁ । ଯେପରିକି କେଉଁ ତେଲେଙ୍ଗୀ ସାହୁକାର ଘରଝିଅ, ଶୁଖୁଆ ବିକିସାରି ହାଟକୁ ଫେରୁଛି । କିଏ ଜଣେ କହିଲା, ‘ସାହୁକାର୍‍ନୀ-ସାହୁକାର୍‌ନୀ’, ଏତିକିରେ ସବୁ ଥରି ଏତିକିରେ ।

•••

 

ତେୟାଳିଶ

 

ସଞ୍ଜର ଛାଇ ଜୋର୍ ଜୋର୍ ଖସୁଛି । ହେଇ ସେ ଦୂରରେ ବନ୍ଦିକାର ଗାଁର ବସ୍ତିର ଛାତ, ତଥାପି ପିଓଟିର ହାଓ୍ୱା ଲାଗି ପଛେ ପଛେ କନ୍ଧ ଧାଂଡାମାନେ ଭଦ୍ରଲୋକ ହୋଇ ଚାଲୁଛନ୍ତି, ଧୀରେ ଧୀରେ ଆପଣା ଭିତରେ ଟୁପୁରୁ ଟାପୁରୁ କଥାଭାଷା, କେବଳ ସେତିକି ।

 

ଦୁଇପାଖରୁ ଅନ୍ଧାରରେ ଫଲି ମଝିର ସରୁ ରାସ୍ତାକୁ ବଣ ଚାପି ଆସିଛି, ଯେପରିକି ଗୋଟାଏ ଛୋଟ ଗଳି । ପିଓଟିର ଇଚ୍ଛା ହେଉ ନ ଥିଲା ଏହିପରି ଭଦ୍ରଲୋକ ପରି ବାଟେ ବାଟେ ସେ ଚାଲୁଥିବ । ଏତେଗୁଡ଼ାଏ ହସ-ଉଜ୍ଜ୍ୱଳ ମୁହଁ, ଏତେ ପ୍ରକାର ପ୍ରାଣମତାଣିଆଁ ଗୀତର ଧ୍ୱନି, ପିଓଟିର ଅଣଟିର କାନ୍ଦଣା ପରି ଗୀତ ଆଉ ତାର ମୋହ, ବାଡ଼ ବାହାରେ ଅଜଣାର ଟାଣ, କୁଆଡ଼େ ଗଲା ଏସବୁ, କେବଳ ଶୂନ୍‌ଶାନ୍ ବଣବାଟ, ଘର ଦିଶିଲେ ବି ବାଟ ସରୁ ନାହିଁ ।

 

ପିଓଟି ମନେପକେଇଲା, ଏହି ବୋଧହୁଏ ବାଟଚଲାର ଶେଷ । ପିଲାଟିଦିନୁଁ ତାର ବିଚିତ୍ର ଜୀବନ ଚଳିଆସିଛି ସେ ତଳଦେଶର ବିଭିନ୍ନ ସ୍ଥାନରେ । ତାର ନିଜର ଜାତି କନ୍ଧ ସେଠି ଖୁବ୍ କମ୍ । ଖୋଲା ମେଲା ଦେଶ, ନରମ ମାଟିର ଦେଶ, ଗାଁକୁ ଗାଁ ବଡ଼ ପୋଖରୀ, ଠାକୁ ଠା, ବଡ଼ ବଡ଼ ତୋଟା । ସେଠି ପୋଖରୀରେ ତରା ଆଲୁଅ ଜକଜକ ଦିଶୁଥିବ । ନଡ଼ିଆ ବାହୁଙ୍ଗା ଆସ୍ତେ ଆସ୍ତେ ହଲୁଥିବ, ହାତୀକାନ ପରି,’ତ୍ୟଗରାଜ’ଙ୍କର କୃତିସଙ୍ଗୀତର ତାନ ଭାଙ୍ଗିଭାଙ୍ଗିକା ଶଗଡ଼ ପଛେ ଶଗଡ଼ ଚାଲିଥିବ । ଭାଲୁକୁଣି ପରି କାଠ ବାଉଁଶ ବୋଝେଇ ହୋଇ ବଣରୁ ଗାଁଲୋକେ ଫେରୁଥିବେ, ଆଉ ଏଇ ମୁହଁସଞ୍ଜବେଳେ ‘ବେଣୁଗୋପାଳ ମୁଁ’ କି ‘ଏଙ୍କଟେସ୍ୱରଲୁ’ ମନ୍ଦିରରୁ ଭାବି ଆସୁଥିବ ଆରତିର ବାଜଣା । ମୁହଁ ଶୁଖେଇ ପିଓଟି ବାଟ ଚାଲିଲା, ସେ ଦେଶ ଆଉ ଏ ଦେଶ ! ସେଠି ତାର ମୂଲ୍ୟ ଥିଲା, ଆଉ ଏଠି-

 

ଜନ୍ମଭୂମି, ଜନ୍ମଭୂମି ବୁଢ଼ୀ ମା’ କହେ ଏଠି କୁଆଡ଼େ ସେ ଜନ୍ମ ହୋଇଥିଲା, ଆଗରେ ହେଇ ବନ୍ଦିକାର ଗାଁରେ ତାର ବାପ କୋଣ୍ଡାତାମେରୁ ସଂଡ୍ରଙ୍ଗାର ଘର ଥିଲା, ପରେ କରଜ ବଢ଼ିଲା, ପୁଣି ସାହୁକାର ଜମିତକ ନେଇଗଲା, କୁଲି ସୁଅରେ ପିଲା ଭାରିଯା ଧରି ସଂଡ୍ରଙ୍ଗା ଚାଲିଲା ଦକ୍ଷିଣ ଦେଶକୁ । ସେ ସବୁ ପିଓଟିର ମନେନାହିଁ, ତାର ବୁଦ୍ଧି ଫିଟିଲା ଦିନୁଁ ସେ ଦେଖି ଆସିଛି ଭିନ୍ନ ଦେଶ, ସେହି ଦେଶର ପାଣି ପବନରେ ସେ ବଢ଼ି ଆସିଛି, ସେହି ତାର ଜନ୍ମୂଭୂମି, ସେଇଠି ତାର ପିଲାଦିନର ବଡ଼ ଦିନର ସାଙ୍ଗ ସାଙ୍ଗୀ ସୋମୟା, ସାଙ୍ଗନ୍ନା, ପ୍ୟାଡ଼ିତାଲ୍ଲିଆମ୍ମା । କେବେ କେଉଁ ଦେଶର ମାଟି ବାର ଆଙ୍ଗୁଳି ଉପରେ ତାର ପିଠିଟା ଲାଗିଥିଲା, ମା’ ଦେଖିଛି, ସେହି ବାର ଆଙ୍ଗୁଳି ମାଟିର ଦାଗ ତା ଦେହରେ ଲାଖି ରହି ନାହିଁ ।

 

ଘରେ ବାପ ମା’ ଶିଖେଇଲେ ଗୋଟାଏ ଭାଷା, ସେ କୁଆଡ଼େ ମାଳଭୂମିର ପ୍ରାଚୀନ ‘କୁଭି’, ବାହାରେ ସୋମୟା, ସଙ୍ଗାନ୍ନା ଏମାନଙ୍କ ଦଳରେ ଆଉ ଗୋଟାଏ ଭାଷା, ଦୁଇ ଭାଷା ଆୟତ୍ତ ହୋଇଗଲା, ଦୁଇ ବୋଲିରେ କେବେ କଜିଆ ଲାଗି ନାହିଁ, ତା’ପରେ ଘର ବି ତାର ଆପଣାର, ବାହାର ବି ତାର ।

 

ସେଇଠି ଘରେ ବାହାରେ ଲୁହରେ ଲହଡ଼ିରେ ତାର ଘରକରଣା, ସୁଖର ଦୁଃଖର । ସଞ୍ଜର ସ୍ମୃତି ଅନେକ ତ ଅଛି, ନିର୍ଜନ ବଣ ବାଟର, ଯେତେବେଳେ ହାଟ ଗୋଟାକର ଦିନ ଗୋଟାକ ପରେ ପ୍ରାଣ ସୁଖ ଖୋଜେ, ଦେହ ଅଳସ ହୋଇ ଲମ୍ବିଆସେ ଆଉଜି ପଡ଼ିବାକୁ । ଦୁଃଖର ଦିନ ଆସିଲା, ବାପ ମଲା, ଆପଣାର ବୋଲି ନିରଙ୍କୁଶ ହୋଇ ଆଶ୍ରା ନେବାକୁ ରାସ୍ତାକରର ଗଛମୂଳେ ବି ସ୍ଥାନ ନାହିଁ । ସବୁ ଗଲା, ଜୀବନ ଶେଷ ହୋଇ ଆସିଲାପରି ଲାଗିଲା, ତଥାପି ସେହି ସୁଖର ସ୍ମୃତି, ଯେ ଚେତେଇଦିଏ ଚେକା ଭଉଁରୀରେ ଘୂରିଘୂରିକା ପୁଣି ଫେରି ଆସିବ ହଜିଲା ଦିନଗୁଡ଼ାକ ।

 

ଆଜି ବଣ ବାଟ, ସେ ବି ନାହିଁ ।

 

ବୁଢ଼ୀ ଅନେକ ସମୟ ଅପେକ୍ଷା କରି କରି ବାଟ ଚାଲିଲା, ଦେଖିଲା କିଛି ଘଟିଲା ନାହିଁ, ବଣର ଛୁଆକୁ ବଣ ଚିହ୍ନିଲା ନାହିଁ ଭାବି ବୁଢ଼ୀ ମନ ଅଶାନ୍ତି ଲାଗିଲା । ନାଃ, ଏପରି ତ ହୁଏ ନାହିଁ । ତେବେ ହଁ,-ସତର ବର୍ଷ ଘୋର ପରିବର୍ତ୍ତନ । ଦି’ପାଖେ ଘଞ୍ଚ ମୁର୍ଗା ବାଡ଼ ମଝିରେ ଗହୀର ଗାଁ ଗୋହରୀର ବାଟ, ତା ତେଣିକି ଗାଁର ତୋଟା ପଡ଼ିବ ଯେଉଁଠି ଖାଲରେ ଢିପରେ ଧାଡ଼ି ଧାଡ଼ି କନ୍ଧ ବସ୍ତି ।

 

ଏଇ ଗାଁରୁ ସ୍ୱାମୀର ହାତଧରି ପେଟପାଇଁ ଦିନେ ସେ ବାହାରି ପଡ଼ିଥିଲା, ଆଜି ସେ ଫେରୁଛି,-ବାହା ଛିଣ୍ଡି ପଡ଼ିଛି ତଥାପି ଫେରୁଛି, ସୁଖ ଝଲ ଝଲ ଗୋଲ୍‌ଗାଲ୍ ଗାଁ ଆଗରେ ତାର ବିକଳାଙ୍ଗ ମୁହଁ ଦେଖେଇବାକୁ । ବୁଢ଼ୀ ଚିର୍ଚ୍ଚିରେଇ ପାଟିକଲା ‘ପିଓଟି, ପିଓଟି, ପିଓଟି’, କନ୍ଧ ଭାଷାରେ ଅନର୍ଗଳ ବକିଗଲା ‘ହେଇଲୋ ପିଓଟି, ଆମର ଗାଁ ହେଲା, ତୋର ବାପଅଜା କୁଳର ଗାଁ-ଦେଖୁଚୁ ପିଓଟି, ଜୁହାର୍‍ କର୍, ଜୁହାର୍ କର୍ ତୋର ଗାଁ ମାଟିକୁ-’ । ତା’ପରେ ବୁଢ଼ୀ କାନ୍ଦିଲା ।

 

ମା’ର କାନ୍ଦଣା ପିଓଟିର କାନରେ ବାଜିଲା ନାହିଁ, ସେ ତୁନି ତାନି ହୋଇ କେତେ ଆଗରେ । ବୁଢ଼ୀର କନ୍ଧ-କଥା ଶୁଣିଲେ କନ୍ଧ ଧାଂଡାମାନେ, ସେମାନେ ଚଞ୍ଚଳ ହୋଇ ଉଠିଲେ, ସରୁହୋଇ ହେଇ ସେ ଦୂରରେ ପିଓଟିର ଛାଇ ମିଶି ଯାଉଛି, ସଂଶୟ ଭାଙ୍ଗିଗଲା, ଏକାଥରକେ ସମସ୍ତେ ‘ହୋ’ ହୋଇ ଉଠିଲେ ‘ମାଁ ପଃ କିଡ଼େ ? (ଆମରି କିରେ) ମାଁ ପଃ କିଡ଼େ ?’ ପୁଣି ଗୀତ ଛୁଟିଲା, ହସ ଗୀତ, ଥଟ୍ଟା, କଥାଭାଷା ହେବାକୁ ଆଗ୍ରହ, ସିଠି ତାଳି, ‘ଆରେ ଭାଇ ଆମର କି ଏମାନେ ? ଆମ ଜାତିର ? ହେ ନୁନି କୁଆଡ଼େ ଗଲୁ ? ଶୁଣ୍ ଶୁଣ୍-’

 

ପିଓଟି ପ୍ରମାଦ ଗଣିଲା । ଏକୁଟିଆ । ଧାଇଁ ଧାଇଁ ପଳେଇଲା ପିଓଟି । ତାର ପାଦର ଛଟର ଛଟର ପଛେ ପଛେ ଏକାଠି ସବୁ ଧାଂଡା ‘ବାଇଲେ ବାଇଲେ’ ଗୀତ ବୋଲି ଦୌଡ଼ି ଦୌଡ଼ି ଗାଁରେ ପଶିଲେ । ଗାଁ ଦୁଆର ମୁହଁରେ ସବୁ ଧାଂଡୀ ଠିଆ ହୋଇଥିଲେ, ଢୋଲ ଟମକ ସଜ ହୋଇଥିଲା, ଏକାଥରକେ ବାଦ୍ୟ ବାଜିଉଠିଲା, ଦୁଇ ପକ୍ଷର ଗହଳି ଗୀତରେ କାନ ଅତରା ପଡ଼ିଲା-। ସେହି ଗହଳ ଘୋଷାରେ ଅନ୍ଧାର ଭିତରେ ମୂଷା ପରି ପିଓଟି ନୁଚିଗଲା । ଚଇତର ମଉଜ ।

 

ପର ଗାଁର ଧାଂଡା କି ଧାଂଡୀ ବୁଲି ବୁଲି ଯେଉଁ ଗାଁରେ ଇଚ୍ଛା ଛାଉଣି ପକାନ୍ତି, ସେଥିରେ ବନ୍ଧନ ନାହିଁ କି ଆକଟ ନାହିଁ ।

 

ଗହଳି ପଛେ ପଛେ ନାଚି ନାଚି ଧାଇଁଧାଇଁ ଧାଂଡୀ ପଛେ ପଛେ ଧାଂଡା । ତାଙ୍କ ପଛେ ପଛେ ଗାଁ ଲୋକେ ଦେଖଣାହାରୀ ଗାଁଦାଣ୍ଡ ଆଡ଼କୁ ମାଡ଼ିଲେ । ଗୁଲୁଗୁଲୁ କରି ପିଓଟି ଅନେଇଁ ରହିଥାଏ, ଏ ଘରଠୁ ସେ ଘର, ସେ ଘରଠୁ ଏ ଘର ଦୃଷ୍ଟି ବୁଲାଏ । ଚଲା ତୋଫାନ ପରି କମ୍ପେଇ ଥରେଇ ଗହଳି ଚାଲିଗଲା, ପିଓଟି ଏକୁଟିଆ ପଛରେ ପଡ଼ିଗଲା । ମା’ କହିଥିଲା ଏଇ ଗାଁ । ହେଲା ଘର ? କେଉଁଠି ତାଙ୍କର ଆଶ୍ରା ।

 

ଦି’ପାହୁଣ୍ଡ ଆଗେଇ ଯାଉଁ ନ ଯାଉଁ ଘାଉଁ ଘାଉଁ କରି କନ୍ଧଗାଁର ଜଗୁଆଳି କୁକୁର ଖେଦି ଆସିଲେ । ଗୋଟାଏ ଗଛ ଦେହରେ ଲେପ୍‌ଟେଇ ହେଇପଡ଼ି ପିଓଟି ଆଶ୍ରା ଖୋଜିଲା । ଏଥର ମନେହେଲା ବଡ଼ କ୍ଳାନ୍ତ ସେ, ଆଖିରେ ଜୁଳୁଜୁଳିଆ ପୋକ ଦିଶୁଛି, ମୁଣ୍ଡ ଭାଁ ଭାଁ, ଗୋଡ଼ ଛିଣ୍ଡି ପଡ଼ୁଛି, ଆଉ ବଳ ନାହିଁ । ସେତିକିବେଳେ ପିଓଟି ପିଓଟି ପାଟିକରି ବୁଢ଼ୀ ମା’ ଆସିଲା । ପିଓଟି ଉଦାସ ସ୍ୱରରେ ଜବାବ୍ ଦେଲା । ମା’ ଝିଅ ଏକାଠି ହେଲେ, ବୁଢ଼ୀ କାନ୍ଦି ପକେଇ କହିଲା, ‘କାହାପରି ଆଡ଼େଇ ହେଇ ଠିଆହୋଇଛୁ ମା’, ଆ ଆମ ଗାଁ ହେଲା ପରା । ଏମିତି କରଛଡ଼ା ଦେଲେ ଚଳିବ ମା’, ଆମେ ପରା ବିଦେଶୀ, କିଏ ଅଛି ଆମର ? ଆ ଆ ।’

 

କାନ୍ଦିବାକୁ ପିଓଟିର ଇଚ୍ଛା ହେଲା ନାହିଁ, କିନ୍ତୁ ଉଦାସ ଲାଗିଲା, ଏତେ ଗହଳି ଏତେ ଆନନ୍ଦ, ଚଢ଼େଇର ହେଲେ ବସା ଅଛି, କେହି ତାଙ୍କର ନାହିଁ ।

 

ମା’କୁ ସେ ବାଧା ଦେଲା ନାହିଁ । ଟାଣିହୋଇ ଚାଲିଲା ଅଚିହ୍ନା ଗାଁ ଭିତରକୁ ଯେଉଁଠି ବାର ଆଙ୍ଗୁଳି ମାଟି କେବେ ଲାଗିଥିଲା ତାର କଅଁଳା ଶିଶୁ ଦେହରେ ।

•••

 

ଚଉରାଳିଶ

 

‘ଲେଲ୍ଲୁ-ଲେଲ୍ଲୁ ଜିତ୍ରୁ-’ ମଲା ହଜିଲା କେତେ ଲୋକଙ୍କ ନାଁ ଧରି ବୁଢ଼ୀ ଡାକି ବୁଲିଲା, କେତେ ଦୁଆରୁ ନିରାଶ ହୋଇ ଫେରିଲା, କୌଣସିଠି ଜବାବ୍ ନାହିଁ । ‘ଲେଲ୍ଲୁ-ଲେଲ୍ଲୁ-ଜିତ୍ରୁ-’ କେହି ଶୁଣିଲେ ନାହିଁ । ଚଇତର ରାତିରେ ଦୁଇ ଗାଁର ଲୋକ ଏକାଠି ହୋଇଛନ୍ତି । ଗାଁ ମଝିରେ ଅଗି, ନାଚ, ମଦପିଆ । ମଲାଲୋକ ମରିଛନ୍ତି, କୁଆଡ଼େ ଗଲେ କେହି ଖବର ରଖି ନାହିଁ । ଅନର୍ଥକ ନିରର୍ଥକ ଡାକ ।

 

ପୁଣି ସେଇପରି ଡାକି ଡାକିକା ଗହଳି ମଝିରେ, କେତେ ଲୋକ ମଦନିଶାରେ ବାଉଳା ଧରୁଛନ୍ତି, କିଏ ବୁଝୁଛି କାହା କଥା ?

 

ଶଳ୍‍ପୁ କନ୍ଧ ମଦ ଟିକିଏ ପିଇ ଘରକୁ ଫେରିଲା, ଦେଖିଲା ଦୁଆରେ ଦଉଡ଼ି ଖଟରେ ଜଣେ କିଏ ବସିଛି । ପଚାରିଲା-’କିଏ ?’ ଜବାବ୍ ନାହିଁ । ‘କିଏ ? କିଏ ସେଠି ?’

 

‘ଆମେ ।’

‘କିଏ ତୁମେ ?’

 

ଏତେ ଫଟେଇ ହୋଇ ଜବାବ୍ ଦେବାକୁ ପିଓଟିର ଜୋର୍ ନ ଥିଲା । କିଛି ନ କହି ଲମ୍ବହୋଇ ସେ ଦଉଡ଼ି ଖଟ ଉପରେ ଶୋଇ ପଡ଼ିଲା, କିଛି ଉତ୍ତର ଦେଲା ନାହିଁ । ଆଶ୍ଚର୍ଯ୍ୟ ହୋଇ ଶଳ୍‍ପୁ କନ୍ଧ ସେହିପରି ଅନେଇଁ ରହିଥାଏ, କିଛି ବୁଝିପାରିଲା ନାହିଁ । ଏ ଗାଁର ଝିଅ ତ କେଭେ ନୁହେଁ । ବେଶଭୂଷା ଧରଣ ଧାରଣ ମୋଟେ କନ୍ଧୁଣୀ ପରି ନୁହେଁ, ତାହାହେଲେ ମଧ୍ୟ ସେ ବୁଝିଥା’ନ୍ତା, ଟୋକାଙ୍କ ସାଙ୍ଗରେ ଟୋକୀ ବି ଉଠି ଆସନ୍ତି ଭିନ୍ନ ଗାଁରୁ ଚଇତର ପଟୁଆରରେ । କନ୍ଧ ଯାହା ବୁଝି ନ ପାରେ ତହିଁରେ ତାର ସନ୍ଦେହ ଆସେ, ଦବକ ଆସେ,-ଶଳ୍‍ପୁ କନ୍ଧ ଭାବିଲା ତାହାଲେ କ’ଣ ଫାରାଷ୍ଟି ଆସିଛି ? ଫାରାଷ୍ଟି ଆସିଲେ ଏହିପରି ଗୋଟାକୁ କାହାକୁ ସାଙ୍ଗରେ ଧରି ଆସେ । ସମ୍ଭବ ସେହି, ନ ହେଲେ ଏତେ ଗଉଁରେ ଏତେ ସାହାସରେ ତା’ରି ମୁହଁ ଉପରେ ତା’ରି ଦଉଡ଼ିଆ ଖଟ ଉପରେ ଶୁଅନ୍ତା ବା କିଏ ?

 

ଶଳ୍‍ପୁ କନ୍ଧ ବିପଦ ଗଣିଲା । ଫାରାଷ୍ଟି-’ଚଇତର ପର୍ବ ମଝିରେ ବଣମରା ଧରା ବିଦେଶୀ ଫାରାଷ୍ଟି କେବଳ ଅମଙ୍ଗଳର ଚିହ୍ନ । ଗୋଟାଏ ଜାଗାରେ ଗାଦିମାଡ଼ି ବସିପଡ଼ିବ । ତା’କୁ ପୋଷିବାକୁ ପଡ଼ିବ, ତାକୁ ଏବଂ ତାର ସାଙ୍ଗର ସମସ୍ତିଙ୍କୁ । ତା’ପରେ ମୁଣି ଭିତରୁ କାଠକଣ୍ଢେଇ ବାହାର କରି ତା’ ମୁଣ୍ଡରେ ସିନ୍ଦୂର ମାରି ଫାରାଷ୍ଟି ମାଟି ଉପରେ ଥାପିବ, କହିବ ଏଇଟା ତିରୁପତି (ରାମଚନ୍ଦ୍ର) ଠାକୁର । ଜଣ ଜଣ କରି କନ୍ଧମାନେ ପାଣି ଗାଧୋଇ ଆସି ୟାରି ମୁଣ୍ଡରେ ହାତଦେଇ କହିଦେଇ ଯା, କିଏ କେଉଁଠି ବଣ ମାରିଛ, ମୁଁ ଲେଖିନେବି ।’ ନାହିଁ କରି ହେବ ନାହିଁ, ପିଣ୍ଡାରେ ବସି ଫାରାଷ୍ଟି ସବୁ ଖବର ଲେଖିନେବ, ତା’ପରେ ?

 

ନ ହେଲେ ଲଗେଇବ ତୁମେ ଆମ ବଣରୁ ସମ୍ବର ମାରିଛ, ହରିଣ ମାରିଛ, ସେସବୁ ଆମର ଗୋରୁ, ଆମେ ତାଙ୍କୁ ଆମ ବଣରେ ଛାଡ଼ିଛୁ, ଯଦିବା ସେମାନେ ତୁମର ଫସଲ ଖାଇଲେ ତୁମେ ତାଙ୍କୁ ଅଡ଼େଇ ନେଇ କାଞ୍ଜିଆଉଦାରେ ନ ପକେଇଲେ କାହିଁକି ? ମାରିବାକୁ ତୁମର କି ଅଧିକାର, ତୁମର ଗୋରୁ ଆମ ଫସଲ ଖାଇଲେ ଆମେ କ’ଣ ତାଙ୍କୁ ମାରିପକାନ୍ତୁ ?

 

ଶଳ୍‍ପୁ ଭାବିଲା ନିଶ୍ଚୟ ୟେ ଫାରାଷ୍ଟି ସାଙ୍ଗରେ ଆସିଛି, କେଉଁ ତେଲେଙ୍ଗୁ ‘କାଁପ’ କି ଓଡ଼ିଆ ‘ପାଇକ’ ଘର ଝିଅ, ‘ଫାରାଷ୍ଟି’ ଆଉ ‘ଅନଷ୍ଟି’ ପଦ ମିଳେ, ଫାରାଷ୍ଟି ଆସିଲା ।

 

ଏଡ଼େବଡ଼ ଆଖି କରି ଝିଅଟିକୁ ଅନେଇଁ ଅନେଇଁ ତାହାର ଅବସ୍ଥିତିରୁ ଆସନ୍ତା ବିପଦର ସୂଚନା ବୁଝୁଥିଲାବେଳେ ପଛରୁ କିଏ ପାଗଳପରି ଡାକି ଡାକି ଆସିଲା ।

 

‘ଲେଲ୍ଲୁ ସାଓଁତା, ହେ ଲେଲ୍ଲୁ ସାଓଁତା, କୁଆଡ଼େ ଗଲୁରେ, ଆମେ ଆସିଛୁ ।’ ଲେଲ୍ଲୁ ସାଓଁତା ? –ସେ ତ କେତେ ବର୍ଷ ହେଲା ମଲାଣି । ତଥାପି ସେହି ଡାକ । ମଲା ଲୋକକୁ ଭେଟିବାକୁ ଆସିଛି କିଏ ? ସାକ୍ଷାତ୍ ପ୍ରେତାତ୍ମା ।

 

ଶଳ୍‍ପୁ କନ୍ଧ ଭାବିଲା ବୁଢ଼ୀ ବୟସ ଯୋଗୁଁ ସେ ପାଗଳ ହେଲାଣି । ବଡ଼ ପାଟିକରି ହସିଉଠିଲା । ଶଳ୍‍ପୁର ସେ ବିକୃତ ହସରେ ଶୋଇଥିବା ଝିଅଟି ଧଡ୍‌ପଡ଼େଇ କରି ଉଠିପଡ଼ିଲା । ବୁଢ଼ୀ ବନ୍ଦ ହୋଇଯାଇ ଶଳ୍‍ପୁ ପାଖକୁ ଆସି ନଇଁପଡ଼ି ଦେଖିଲା । ଶଳ୍‍ପୁ ଭାବିଲା ସେ କେବଳ ବାୟା ହେଉଛି ତା’ ନୁହେଁ, ଭେଟଣା ହେଉଛି ସେ, କୌଣସି ପ୍ରକାର ମନ୍ତ୍ରବଳ କି ଜଡ଼ିବୁଟି ତା’କୁ ରକ୍ଷା କରିପାରିବ ନାହିଁ । ଶଳ୍‍ପୁର ତୁଣ୍ଡରୁ କଥା ନ ବାହାରୁଣୁ ବୁଢ଼ୀ ପାଟିକରି ଡାକିଲା, ‘ଶଳ୍‍ପୁ, ଶଳ୍‍ପୁ ଭାଇ !’

 

‘କିଏ ସେ ତୁ କିଏ କିଏ ?’

‘ମୁଁ ଆସିଛି ଶଳ୍‍ପୁ ଭାଇ !’

 

‘କାହିଁକି ଆସିଲୁ ତୁ-କିଏ ତତେ ପଠେଇଛି ? ମୁଁ ତ ତତେ ଡାକି ନାହିଁ । ମୋର ତ ସମୟ ହୋଇ ନାହିଁ । କୁଆଡ଼େ ଆସିଲୁ ତେବେ ତୁ ? ଏଁ-କହ-କିଏ ତୁ ?’

 

ତାର ବିହ୍ୱଳତା ଦେଖି ପିଓଟି ହସି ହସି ଗଡ଼ିଗଲା; ଶଳ୍‍ପୁ କନ୍ଧ ଚମକି ପଡ଼ିଲା । କିଏ ୟେ, କିଏ ଏମାନେ ?

 

ସ୍ମରଣ ଆସିଲାଦିନଠୁ ପିଓଟି ଏମାନଙ୍କୁ ଚିହ୍ନେ । ବାପର କଥାରେ ମା’ର କଥାରେ ଗୋଟାସୁଦ୍ଧା ଦିନୁ ଦିନ ଜଳ ଜଳ ହୋଇ ଠିଆ ହୁଅନ୍ତି ଏମାନେ । କିନ୍ତୁ ମନ ଭିତରେ ଥିବା ମଣିଷ କେବେ ବଢ଼ନ୍ତି ନାହିଁ କି କେବେ ଛିଡ଼ନ୍ତି ନାହିଁ, ଅଥଚ ଏଇ ବୁଢ଼ା ଶଳ୍‍ପୁ କନ୍ଧ ଯାହାର ବାଳ ଆସି ଝୋଟ ହେଲାଣି ।

 

ହସୁ ହସୁ ପିଓଟିକୁ ପିତା ଲାଗିଲା । ଆପଣାର ଅବସ୍ଥା ମନେପଡ଼ିଲା । କାହାର ଖଟିଆ ଜବରଦସ୍ତି ମାଡ଼ିବସିଛି ସେ, ଆଶ୍ରୟ କାହିଁ ?

 

ମା’ ଏତେ କହେ, ୟେ ମୋର, ସେ ମୋର, ମୋର ମୋର ହୋଇ ପାଉ ଏଥର, ଭଲ ହେଲା, କେହି ନ ଚିହ୍ନନ୍ତୁ ।

 

‘ଚିହ୍ନିପାରୁ ନାହୁଁ ଶଳ୍‍ପୁ ଭାଇ-’ ବୁଢ଼ି କହିଲା, ‘ସଂଡ୍ରଙ୍ଗା ତୋର ମନେ ନାହିଁ ? ଏଡ଼େ ଚଞ୍ଚଳ ଭୁଲିଗଲୁ ? ଏଇଟାକୁ ସିନା ଚିହ୍ନିପାରୁ ନାହୁଁ, ଏଇଟା ସେତେବେଳେ କ୍ଷୀର ଖାଉଥିଲା ଆମେ ଗାଁ ଛାଡ଼ି ଚାଲିଗଲାବେଳେ ।’

 

‘ସଂଡ୍ରଙ୍ଗା ! ସଂଡ୍ରଙ୍ଗା ! କୋଣ୍ଡାତାମ୍ବେରୁ ସଂଡ୍ରଙ୍ଗା ! କାହିଁ ସେ ଭଉଣୀ-’

 

‘ଆଉ କାହିଁ ସେ ! କିଏ କହିବ ପଚାରୁଛୁ ଯେ !’ ବୁଢ଼ୀ ଏଥର କାନ୍ଦିଲା, ଦୂର ବିଦେଶରେ ସବୁ ହୀନିମାନ ବାହାରି ଲାଗିଲା କାନ୍ଦଣାର ଜୁଆରରେ, ଚେକା ପକେଇ ବସି ମରଣର କାନ୍ଦଣା ବୁଢ଼ୀ ଗାଇ ଲାଗିଲା ।

 

‘ଆଲୋ ଲୋ ହାତେୟୁ (ମରିଗଲା) ହାତେୟୁଁ ପାପୁ

ନିଙ୍ଗେ ଓୟାତାଣାକି ନିଙ୍ଗେ ତିଞ୍ଜାଣାକି ପାପୁ’

 

‘ଓଃ’ ଶଳ୍‍ପୁକୁ ଘୋର ବାଧାହେଲା, ‘କାନ୍ଦ୍‌ନା, ଥାଉ ଥାଉ ।’ ଗୋଟାଏ ହାଡ଼ୁଆ ପାପୁଲି ତାର ମୁହଁ ଉପରେ ଆରଟା ତାର କାନ୍ଧ ଉପରେ ମାଡ଼ି ଧରି ଶଳ୍‍ପୁ ତାର ଘାଗଡ଼ା ଗଳାରେ ପ୍ରବୋଧ ଦେଲା, ‘ଚୁପ୍ ଚୁପ୍, ଏମିତି କାନ୍ଦିଲେ ଲୋକେ କ’ଣ କହିବେ କହିଲୁ ? ଚଇତ ଲାଗିଛି ପରା, ଏତେ ଲୋକଙ୍କ ହସ ମୁହଁରେ ଲୁହ ବୁହାଇବୁ ? ହଉ ହଉ, ଗାଁ ମାଟିକୁ ପୁଣି ଫେରିଆସିଲୁ ଭଲହେଲା । କ’ଣ କିଛି ଖାଇଛୁ ? ଯା’ ମା’, ଗୋଡ଼ହାତ ଧୋ-ହେ ଟୋକୀ, ବସି ରହିଲୁ କ’ଣ ? ପାଦ ଫୋଟକା ହେଇ ଯାଇଥିବ ଚାଲି ଚାଲି । ଲୁଣପାଣି ଗରମ କରି ପାଦ ବୁଡ଼େଇ ଦବୁ ଯା । ଉଠ ଉଠ ।’

 

ତରବରେଇ ଗଦଗଦେଇ ସମସ୍ତିଙ୍କୁ ବିଦା କରିଦେଇ ଶଳ୍‍ପୁ କନ୍ଧ ଉଠିଲା । କହିଲା, ‘ସଂଡ୍ରଙ୍ଗା, ସଂଡ୍ରଙ୍ଗା ନିଦ ଗଲୁ, ଲୁଣ କିଣି ଗଲୁ (ମଲୁ) । କେଉଁ ବିଦେଶରେ ଅଚିହ୍ନା ଡୁମା (ପ୍ରେତ)ମାନଙ୍କ ସାଙ୍ଗେ ସାଙ୍ଗ ହେବାକୁ ତୋର ମନ ବଳିଲା ସଂଡ୍ରଙ୍ଗା, ନିଦ ଯିବାକୁ ଗାଁର ମାଟିରେ ତତେ ସ୍ଥାନ ନ ଥିଲା-ଆଃ ।’

 

ଶଳ୍‍ପୁ ଜାନିର ଉଦ୍‌ବେଗ ଏତିକି, ଅନେକ ଜନ୍ମ ଅନେକ ମରଣ ସେ ଦେଖିଛି, ଆଉ ଫୁଲି ଉଠିବାକୁ ଛାତିର ନହକାପଣ ନାହିଁ ।

 

ଗାଁର ହଟ୍ଟଗୋଳ ସରି ନ ଥାଏ । ପଡ଼ୋଶୀ ଗାଁ ମିଣିଆପାୟୁର କନ୍ଧମାନେ ଆସିଛନ୍ତି, ମିଣିଆପାୟୁର ଦିଉଡ଼ୁ ସାଓଁତା ଓ ତାର ଦଳବଳ ଆସିଛନ୍ତି, ଗାଁ ଯାକ ହସାହସି ଭିଡ଼ାଭିଡ଼ି । ଚଇତ ଆଗରୁ ଏ ଗାଁର ସାଓଁତା ସେ ଗାଁଆକୁ ଯାଇଥିଲା ବେଜୁଣୀକୁ ପଚାରି ବୁଝିବାକୁ, ସେ ଗାଁର ଅତିଥି ଆସିଛନ୍ତି, ଅତିଥିକୁ ସତ୍କାର କରିବା କନ୍ଧର ପ୍ରଥମ କର୍ତ୍ତବ୍ୟ ପ୍ରଧାନ ଆଭିଜାତ୍ୟ । ସମସ୍ତେ ସେଠି ରୁଣ୍ଡ ହୋଇଥାଆନ୍ତି, ନାଟ ଲାଗିଥାଏ । କାଲି ଦୁଇ ଗାଁର କନ୍ଧ ମିଳିମିଶି ହେଇ ସେ ପାଖର ‘ବାଘ ଡଙ୍ଗର’ ବଣକୁ ଶିକାର କରିବାକୁ ଯିବେ, କାଲିକ ମୋଟେ ଦିନ ଏକାଠି ମିଳାମିଶା ।

 

ସାଙ୍ଗେ ସାଙ୍ଗେ ରାତିକ ସକାଶେ ଭୋଜି ଆୟୋଜନ ହୋଇଗଲା । ଗାଁ ଭେରାମନ୍‌ରେ ମଦ ଆଉ ନାଟ, ଥୋକେ ରନ୍ଧା ବସେଇଦେଲେ । ଥୋକେ ଲାଗିଗଲେ ଡାଳ ଡାଳିଆ ଛେଦି ବାଲ୍‌ସା ବା ପତ୍ରକୁଡ଼ିଆ ବାନ୍ଧିବାରେ । ଏଣେ ତେଣେ ଅନ୍ଧାରରେ ମଶାଲର ନିଆଁ । କାର୍ଯ୍ୟବ୍ୟସ୍ତ ଲୋକ, ମିଣିଆପାୟୁ ଯେପରି ଅପବାଦ ରଟେଇବ ନାହିଁ ବନ୍ଦିକାର ଆତିଥ୍ୟ ଜାଣେ ନାହିଁ ବୋଲି ।

 

ଖା’ପିଆ ସାରି ବୁଢ଼ୀ ଶଳ୍‍ପୁ କନ୍ଧ ପିଣ୍ଡାରେ ଶୋଇପଡ଼ିଲା । ଟୋକୀ ଗଲା ସାହି ବୁଲି । ଗହଳି ତାକୁ ଭଲ ଲାଗେ, ଧୂଳି ଆଉ ଗହଳି ତାର ଅଭ୍ୟାସ, କିନ୍ତୁ ‘ସଭ୍ୟ’ ଅଞ୍ଚଳର ଆଖିରେ ସେ ଏସବୁ ଦୃଶ୍ୟକୁ ସମାଲୋଚନା କରି ଦେଖିଲା ଏହା ଭିତରେ ଆଉ ତା’ ଭିତରେ କେଉଁଠି ପ୍ରଚ୍ଛନ୍ନ ସମ୍ବନ୍ଧ ଟିକିଏ ଅଛି, ରକ୍ତର ଡୋରି, ସେତିକି ଛଡ଼ା ତାହା ଆଖିରେ ଏସବୁ ଜଘନ୍ୟ, ଏସବୁ ହାସ୍ୟାସ୍ପଦ, ଏ ତାର କିଛି ନୁହେଁ ।

 

ବଗିଚା ତାର ସଉକ, ତୋଟା ସେ ବୁଝିପାରେ-ଧାଡ଼ିଧାଡ଼ିକା ଏକା ମଛାକେ ଗଛ । କିନ୍ତୁ ବଣର ଅର୍ଦ୍ଦାଉଳିଆ, ମୋଟା ସରୁ, ସିଧା ତେଢ଼ା ଗଛଲତା ଏକାଠି ଛନ୍ଦାଛନ୍ଦି ଏହି ଗୋଳମାଳିଆ ସୃଷ୍ଟିର ସାମଞ୍ଜସ୍ୟ-ବୈପରୀତ୍ୟବୋଧ ପ୍ରଥମେ ଛୁଏଁ ତାର ମନକୁ, ଏହା ମଝିରେ କେଉଁ ଖିଅ ଅଛି ଯେ ସେଥିରେ ସବୁ ଗୁନ୍ଥା ହୋଇଛି ତା’ ତାର ନିଘା ନାହିଁ କି ବୁଝିବାକୁ ଶକ୍ତି ନାହିଁ, ତେଣିକି ସବୁ ଅନ୍ଧାର ।

 

ସେହିପରି ଏ ବଣର ଘରକରଣା । ତାର ସମାଲୋଚନାର ଦୃଷ୍ଟିରୁ ଏ ବିଚ୍ଛନ୍ଦ ବେତାଳ ବେସୁରର ସୁନ୍ଦରପଣ ନାହିଁ ।

 

କେହି ତାକୁ ନିମନ୍ତ୍ରଣ କରି ଆସିଲେ ନାହିଁ, ଏଣିକି ଅଳ୍ପ ଉଶ୍ୱାସ ଲାଗିବା ପରିବର୍ତ୍ତେ ମାଡ଼ି ମାଡ଼ି ପଡ଼ିଲା, ଆଜିର କଥା ଏତିକି, କାଲିକି ଦେଖାଯିବ ।

•••

 

ପଇଁଚାଳିଶ

 

ସକାଳକୁ ପିଓଟିର ନିଦ ଭାଙ୍ଗିଲା ଖୁବ୍ ଡେରିରେ । ଅଚିହ୍ନା କୋଳାହଳ ଶୁଣି ବିରକ୍ତ ହୋଇ ସେ କସରା କସରା ଆଖିରେ ଅନେଇଁ ଦେଖିଲା ତା’କୁ ବେଢ଼ି ବସିଛନ୍ତି ଗୁଡ଼ାଏ ଲୋକ, ସ୍ତ୍ରୀ ଆଉ ପୁରୁଷ । ପରିଷ୍କାର ଖରା ଲାଗିଲାଣି, ନିଶାରାତିର ଲୁଚୁକାଳିର ଆଶ୍ୱାସ ପରିବର୍ତ୍ତେ ଟାଆଁସିଆ ଆଲୁଅର ନିର୍ଦ୍ଦୟ ଚିତ୍ର ।

 

ସେମାନେ ବସିଛନ୍ତି, କେବେ ସେମାନଙ୍କୁ ସେ ଦେଖିଥିଲା ତାର ହେତୁ ପଡ଼ୁନାହିଁ । ପୁରୁଷମାନଙ୍କର ଏପରି ଚିକ୍‍କଣଚାକ୍‍କଣ ଖୋଷା ଅଥଚ ସ୍ତ୍ରୀମାନଙ୍କର ଫୁରୁଫୁରୁ ବାଳ, ମୁହଁର ଦେହର ଗଠନ ଏପରି ବିଚିତ୍ର, ଲୁଗାପିନ୍ଧା ବା ନ ପିନ୍ଧା ନିଆରା । ଯେଉଁ ତେଲୁଗୁ ଦେଶରୁ ସେ ଆସିଛି, ସେ ଦେଶର ମଣିଷଙ୍କ ସହିତ ଆଦୌ ତୁଳନା ପଡ଼ୁନାହିଁ, ଏ ବିଚିତ୍ର !

 

ସେମାନଙ୍କ ମୁହଁରେ ସହାନୁଭୂତିର ଚିହ୍ନ ନାହିଁ, କାହାର ଚାହାଣିରେ କୁତୂହଳ, କାହାର ବା ପରିହାସ । ତରତର କରି ଲୁଗାପଟା ବେଢ଼େଇ ହୋଇପଡ଼ିଲା, ଉଠିବାକୁ ଝପିଟି ହେଲା, ଗୋଡ଼ ଆଉ ଉଠୁ ନାହିଁ, ମୁଣ୍ଡ କେମିତି ଝିମି ଝିମି କରୁଛି । ବାଟର କଷ୍ଟ ମନେପଡ଼ିଲା, ଏକା ହାବୁକାରେ ମାଡ଼ିଆସିଲା ସବୁ ପରିବର୍ତ୍ତନର ସ୍ମୃତି ।

 

ପଛଆଡ଼ୁ ତାର ମା’ ଡାକିଲା, ‘ପିଓଟି, ଉଠ୍ ଉଠ୍, ଦେଖିଲୁ କେତେ ଖରା ପଡ଼ିଲାଣି ।’ ସବୁ ବଦଳ ଉଦଳ ମଝିରେ ଏତିକି ଯେପରି ସ୍ଥିର ଆଉ ଧ୍ରୁବ, ସକାଳର ନିଦଭଙ୍ଗା ସଙ୍ଗୀତ, ନିତିଦିନର ମା’ର ସେହି କଥାପଦକ । ତାହାରି ଉପରେ ଭରାଦେଇ ସ୍ୱପ୍ନରୁ ବାସ୍ତବକୁ ଆସ୍ତେ ଆସ୍ତେ ସେ ଉଠି ଚାଲିଲା; କୋଳାହଳ ବଢ଼ିଲା, ଯେଉଁଥିପାଇଁ ସେମାନେ ଅପେକ୍ଷା କରିଥିଲେ ତା’ ଘଟିଛି । ଏକାଥରକେ ଗୁଡ଼ାଏ ମତାମତ ମେଞ୍ଚାଏ ବିରୁଡ଼ି ପରି ତାର କାନରେ ବିନ୍ଧିଲା । ପାହାନ୍ତିଆରୁ ଖବର ପାଇ ସେମାନେ ଦେଖିବାକୁ ଧାଇଁ ଆସିଥିଲେ । ଦେଖିଲେ ୟାର ପୋଷାକ ଅଳଙ୍କାର ହାବଭାବ ସବୁ ତେଲୁଗୁ ଝିଅ ପରି, କିଏ କେତେପ୍ରକାର କହିଲେ, ପିଓଟିର ମା’କୁ ଦୋଷ ଦେଲେ, ସବୁ ସମାଲୋଚନାକୁ ପିଠି ଆଡ଼େଇ ଦେଇ ବୁଢ଼ୀ କହିଲା, ‘ହଉ ହଉ ପରେ ସବୁ ସୁଧୁରିଯିବ ନାହିଁକି ?’

 

କ’ଣ ସୁଧୁରିଯିବ ପିଓଟି ବୁଝିପାରିଲା ନାହିଁ, ତାର ନିତ୍ୟକର୍ମରେ ମନଦେଲା । ସେଠି ବି ନିସ୍ତାର ନାହିଁ, ଗାଁର ସାନ ପିଲାଏ ଓ ଝିଅମାନେ ତାର ପଛେ ପଛେ । ତାର ଦାନ୍ତଘଷା, ତାର ଗାଧୁଆ, ପ୍ରତ୍ୟେକ ଜିନିଷ ଲକ୍ଷ୍ୟ କରିବା କଥା, କିଛି ନୂଆ ଦେଖିଲା ମାତ୍ରେ କନ୍ଧ ନିରେଖି ନିରେଖି ଚାହେଁ । ମନ ଖୁସିରେ ତା’ ସାଙ୍ଗରେ ମିଶି ନ ଗଲେ ସୁଦ୍ଧା ପଚାରିବାକୁ କେହି ଊଣା ନୁହନ୍ତି । ଗୋଡ଼ର ବଙ୍କା ମୁଦି କାହିଁ ? ବେକରେ ଖଗଲା କାହିଁ, ସରା ସରା ମାଳି କାହିଁ ? ଏଗୁଡ଼ା କି ଅଳଙ୍କାର ? ୟାର ଉପକାରିତା କ’ଣ ? ଇତ୍ୟାଦି ।

 

ଗାଧୋଇସାରି ଘରକୁ ଫେରି ଆସିଲାବେଳକୁ ମା’ ଡାକିନେଲା, କହିଲା, ‘ଝୁଅ, ଶୁଣ୍ କଥା ଅଛି ।’ ମା’ ଝିଅ ବସିଲେ । ଶଳ୍‍ପୁ କନ୍ଧର ପିଣ୍ଡାରେ ତାଟି ଘେରେଇ ହୋଇ ଚାଳି ଖଣ୍ଡିଏ ହୋଇଛି, ଆଶା ସେତିକି । ବୁଢ଼ୀ କହିଲା, ‘ଶୁଣ୍ ମା’, ସାତଦିନ ଘାଟି ଚାଲି ଚାଲି ଆମେ ଆମ ଗାଁରେ ଆସି ପହଞ୍ଚିଲୁଁ, ଏଠି ଲୋକବାକ ଅଛନ୍ତି, ବନ୍ଧୁ କୁଟୁମ୍ବ ଅଛନ୍ତି, ଆମର ହୋଇ ଏ ଗାଁରେ କିଛି ନାହିଁ । ଏଠି ଏତେ ଅବସ୍ଥା ପଡ଼ିବ ମୁଁ ଆଗରୁ ଜାଣିଥିଲି, ଯାହା ତ ହବ, ହବ, ଆମର ସେଠା କାକୁର୍ତ୍ତି ଅବସ୍ଥାକୁ ପୁଣି ଏଗୁଡ଼ାକ କହି ମନ ଖରାପ କରେଇବାକୁ ମୁଁ ଚାହିଁ ନାହିଁ । ଛାଡ଼, ତଳେ ଦର୍ତନୀ ଉପ୍ରେ ଦର୍ମୁ, ସେହି ମାହାପୁରୁ ଭରସା । କୁହାପୋଛା ମଗାଯଚା କରି ଯେମିତି ସେମିତି ଆମର ଚଳିଯିବ, ଧୈର୍ଯ୍ୟ ଦରକାର, ପରକଥାକୁ ଛଳ କଲେ ଆମର ଚଳିବ ନାହିଁ । କାକୁଲି (ଦୁଃଖୀ) ଲୋକର ଦଶା ଏହିପରି ।

 

ପ୍ରଧାନ କଥା ବର୍ତ୍ତମାନ, ଆମର ତଳଦେଶର ବେଶଭୂଷାକୁ ଆମ ଲୋକେ ଥଟ୍ଟା କରୁଛନ୍ତି, ଏଠି ସେଗୁଡ଼ାକ ଚଳିବ ନାହିଁ, ସେପରି ହେଲେ କେହି ଆମ ସାଙ୍ଗରେ ମିଶିବେ ନାହିଁ, ଆଡ଼େଇ ହୋଇ ରହିଥିବା । ମୁଁ ସିନା ଜାଣେ, ତୁ ତ ଜାଣିନୋହୁଁ ଝିଅ, ତୁ ବଦଳୁ ବଦଳୁ ଯୁଗେ ବିତିଯିବ । ଚଇତ ପରବ ଲାଗିଛି, ଏ ଦେଶର ଝିଅପରି ମୁଣ୍ଡ ବାନ୍ଧ, ଲୁଗା ପିନ୍ଧ, ନାଟ କର, ଦେଖି ଦେଖିକା ଶିଖ, ତତେ ଚଳେଇ ନେବେ ।

 

ଏପରି ଭେଶ ହୋଇ ବସିଥିଲେ ବସିଥିବୁ, କଣ୍ ଥାଏ ସେଥିରେ, ସବୁଦିନେ ତ ବିଦେଶରେ ଆମେ ରହିଥା’ନ୍ତୁ ।

 

ସେଥିଲାଗି କହିଛି ଝିଅ, ‘ସକାଳୁ ସକାଳୁ ଆଜିଠୁ ତୁ ବଦଳିଯିବା, ନା ମନ ବେସ୍ତ କରନା, ନେ ଏଗୁଡ଼ା ଖୋଲି ପକେଇବୁଟି ।’

 

ପିଓଟି ଏଥର ବୁଝିଲା, ମାଟିରେ ମିଶି ପଡ଼ିବାକୁ ମନ ହେଲା । ସତେ ତ-ବଗ କାଉ ହେଲାପରି ତାକୁ ବଦଳିବାକୁ ପଡ଼ିବ, ଏଠି ବି ସମାଜ ଅଛି, ସମାଜର ଆଇନ୍‍ଗୁଡ଼ାଏ ଅଛି ଚଳାଚଳ ବିଷୟରେ, ପ୍ରଶ୍ନ ନ ପଚାରି ସମସ୍ତେ ତା’କୁ ମୁଣ୍ଡେଇ ନେଇଥା’ନ୍ତି । ସେହିପରି ହେବ ସେ, ରାଶିତେଲ ନ ମାଖି ଜଡ଼ାତେଲ ମାଖିବ, ମୁଣ୍ଡରେ ପାନିଆ ଖୋସିବ, କନ୍ଧ ଦେଶର ସବୁ ଛଇ ଢପ ତା’କୁ ଆୟତ୍ତ କରିବାକୁ ପଡ଼ିବ ।

 

ନ କଲେ ! ହସ ମାଡ଼ିଲା, ଆଉ ଯାହା ହେଉ ନ ହେଉ ମା’ କହିବ ବର ମିଳିବ ନାହିଁ । ବରଟାଏ ଦରକାର, ସେତିକି ପାଇବା ପାଇଁ ବେଶ ହେବା, କନ୍ଧୁଣୀ ହେବା, ନାଟ କରିବା, ଗୀତ ବୋଲିବା, ସବୁ କରିବାକୁ ପଡ଼ିବ । ଆଉ ଏ ଚଇତି ପରବ-ବରମାନଙ୍କର କନ୍ୟାମାନଙ୍କର ମେଳା ହୁଏ ଏଠି ।

 

ଭାବିଭାବିକା ମନର ସବୁ ‘କିମ୍ବା’ ‘କିନ୍ତୁ’କୁ ଗୋଟି ଗୋଟି କରି ସେ ଭାଙ୍ଗୁଥାଏ । ବୁଢ଼ୀ ଚାଲିଯାଇ କୁଆଡ଼ୁ ଗୁଡ଼ାଏ କନ୍ଧ ଅଳଙ୍କାର ନେଇ ଆସିଲା, ବୋଝେ ମାଳି, ମୁଦି । ଆପଣା ହାତରେ ଝିଅକୁ ପିନ୍ଧେଇ ବସିଲା, ମୁଣ୍ଡ ବାନ୍ଧି ବସିଲା । ଚଇତର ଚିହ୍ନସ୍ୱରୂପ ବଟା ହଳଦୀ ମୁହଁରେ ଦେହରେ ବୋଳିଦେଲା ।

 

ପିଓଟି ଦର୍ପଣରେ ମୁହଁ ଦେଖିଲା, ଦୀର୍ଘଶ୍ୱାସ ପକେଇଲା, ମନ ଆଗରେ ଗୋଟାକ ପରେ ଗୋଟାଏ ଚହଲି ହୋଇ କୁହୁଡ଼ିକୁ ଭାସିଗଲେ କେତେ ମୁହଁ-କାନ୍ନା, ନାନ୍ନା, ମାଧବରାଓ-, ଗୋଟାଏ ଗୋଟାଏ ମୁହଁରେ ଗୋଟାଏ ଗୋଟାଏ ସ୍ମୃତି, ପ୍ରତ୍ୟେକ ଛବି ମନକୁ ଦୋହଲେଇ ଦିଏ ଥରେ, ଯେତେହେଉ ତାର ବ୍ୟବଧାନ ଅଥବା ଦୂରତା । ଏଣିକି ସେସବୁ ମୁହଁ ହଜିଲେ, ଏଣିକି ସେ ବଣର କନ୍ଧୁଣୀ, ଗାଁ-ଖୁଣ୍ଟିରେ ତାର ବେକର ପଘା, ଆଉ ସେସବୁ କାହିଁକି ?

 

ବାହାରେ ଗୀତର ଗର୍ଜନ ଶୁଭିଲା, ଘରେ ରହି ହେଲା ନାହିଁ, ପିଓଟି ପଦାକୁ ବାହାରିଲା, ସଙ୍ଗେ ସଙ୍ଗେ ଆହୁରି ଗର୍ଜନ ।

 

ଲୋକେ ଆଶ୍ଚର୍ଯ୍ୟ ହୋଇପାରନ୍ତି, ହୁଅନ୍ତୁ ଏଥର ସେ ଅଚିହ୍ନା ହେଲେ ମଧ୍ୟ ଗୋଷ୍ଠୀର ଜଣେ, କେଉଁ ଝିଅସବୁ କୁଆଡ଼ୁ ଆସି ତାର ଡେଣାରେ ଡେଣା ଛନ୍ଦି ଦେଇ ତା’କୁ ଉଡ଼େଇ ନେଇ ଚାଲିଲେ, ଚଇତର ଉତ୍ତାଳ ସମୁଦ୍ରରେ ପିଓଟି ବୁଡ଼ିଗଲା ପବିତ୍ର ହେବାକୁ, ଆଗପଛ ଭୁଲିଗଲା ।

•••

 

ଛଇଆଳିଶ

 

ସମସ୍ତେ ଶିକାର ଆଡ଼େ ଚାଲିଗଲା ପରେ ଗାଁ ଶୂନ୍‌ଶାନ୍, କେବଳ ତଳିତଳିଆ କାଣ୍ଟି, ଗାଁର ବୁଢ଼ୀଗୁଡ଼ିକ, ପିଲାମାନେ । ପିଓଟିର ମା’ ଗପ କରିବାକୁ ସମୟ ପାଇଲା, ଅଛିଣ୍ଡା ଗପ ତାର ସରେ ନାହିଁ । ଅଭାବରେ ପଡ଼ି କୁଲିକାମ କରିବାକୁ ସେ ଓ ତାର ବୁଢ଼ା ସଂଡ୍ରଙ୍ଗା ଗାଁ ଛାଡ଼ିଥିଲେ, ତଳମାଳରେ ଦିନାକେତେ, ଧୀରେ ଧୀରେ ତଳଦେଶକୁ, ଏଠୁ ସେଠି ସେଠୁ ଏଠି ହୋଇ କୁଲିର ଘରକରଣା, ଚାଉଳକଳ, ଚିନିକଳର କଥା, ସାହୁକାରର ତାଷକାମ, ହାଟ ଜଗୁଆଳି, ପର୍ଯ୍ୟାପ୍ତ ବଦଳା ବଦଳି । ହଠାତ୍ ରୋଗରେ ପଡ଼ି ବୁଢ଼ା ମଲା, କଳଘର ବସ୍ତିର କୁଡ଼ିଆରୁ ଦାନାପାଣି ଉଠିଲା, ପତରଚକି ପରି ବାରଦୁଆର ଶୁଣ୍ଢିପିଣ୍ଡା ହେଲାପରେ ପୁଣି ସେମାନେ ଗାଁକୁ ଫେରି ଆସିଛନ୍ତି, ଅତି ସାଧାରଣ ମଜୁରିଆର ଇତିହାସ, କିନ୍ତୁ ସବୁକଥା ବୁଢ଼ୀ କହେ ନାହିଁ, କଥା ଲୁଚାଏ, ଭାବେ ତାର ଆତ୍ମସମ୍ମାନରେ ବାଧା ହେବ, ପାହାଡ଼ୀ ଜାତି ଆତ୍ମସମ୍ମାନକୁ ଅତି ମୂଲ୍ୟବାନ୍ ଭାବେ-

 

ଲୋକେ ତାକୁ ଭୁଲି ନାହାନ୍ତି ।

 

ଏଇ ଗାଁରେ ଠାଏ ତାଙ୍କର ଘର ଥିଲା, ସଂଡ୍ରଙ୍ଗା ଥିଲା ଜଣେ ପ୍ରଧାନ ରଇତ । ଆଜି ସେ ଘର ଭାଙ୍ଗି ପଡ଼ିଛି, ଘରର ଖଣ୍ଡେ ଗୋରୁଶାଳ ତାର ଅବସ୍ଥାନର ଚିହ୍ନ ।

 

ଏ ଗାଁରୁ ଯିବାର କେତେଦିନ ପୂର୍ବରୁ ଗାଁରେ ଧୀରେ ଧୀରେ ହୁଲ୍‌ର୍ ହୋଇଥିଲା ସଂଡ୍ରଙ୍ଗାର ବୁଢ଼ୀକୁ ଗୁଣୀଗାରଡ଼ି ଜଣା, ସେ ପାଂଣିଆଣୀ, ପାଙ୍ଗି ଦେବ (ଗୁଣି ମାରି ଦେବ) । ଯେଉଁ ଦି’ଚାରିଜଣଙ୍କ ସାଙ୍ଗରେ ସଂଡ୍ରଙ୍ଗାର ଅଦୋଉତି ଥିଲା ସମସ୍ତେ ମରିଥିଲେ, ଜଣକୁ ବାଘ ଖାଇଥିଲା, ବାଘର ଲାଙ୍ଗୁଡ଼ କେହି ଦେଖି ନାହିଁ ତେଣୁ ସମସ୍ତିଙ୍କର ବିଶ୍ୱାସ ଯେ ସେ ବାଘ ନୁହେଁ ସେ ପାଂଣିଆଣୀ । ବାଘ ଯିବାବାଟରେ ମଣିଷ ଖୋଜ ପଡ଼ିଥିଲା, ଏ ଦ୍ୱିତୀୟ ପ୍ରମାଣ । ଖୋଜଗୁଡ଼ାକ ସଂଡ୍ରଙ୍ଗା ଘର ପାଖରୁ ପଦାକୁ ଯାଇଥିଲା ଅଥଚ ସଂଡ୍ରଙ୍ଗା ସେତେବେଳେ ଗାଁରେ ନ ଥିଲା, ତେଣୁ ପ୍ରମାଣ ତାର ଭାରିଯା ପାଂଣିଆଣୀର ଏ କୀର୍ତ୍ତି । ଦ୍ୱିତୀୟ ଥର ସେ ଜାଗାରେ ଅର୍ଥାତ୍ ଠିକ୍ ଗାଁ ପିଠିଆଡ଼େ ପଥରତଳେ ବାଘ ଖାଇ ନାହିଁ କାରଣ ଦିସାରି ମନ୍ତ୍ର ପଢ଼ିଦେଇ ସେଠି କିଳା ମାରିଦେଇଥିଲା ଏବଂ ସମସ୍ତିଙ୍କ ଆଗରେ ବଡ଼େଇ କରି ଡରେଇ ଦେଇଥିଲା ଯେ ଏଥର ବାଘକୁ ଦେଖିଲେ ସେ ତାହା ଉପରେ ହଳଦୀପାଣି ଛିଞ୍ଚିଦେବ ଅତଏବ ବାଘ ପୁଣି ମଣିଷ ହୋଇଯିବ । ବଡ଼ ଦୁର୍ଯୋଗରେ ମଲା ସେ, ଡମ୍ରୁ କନ୍ଧ । ସଂଡ୍ରଙ୍ଗା ସଙ୍ଗେ ଜମି କଜିଆ ଥିଲା, ମଲାପରେ ତାର ପ୍ରେତାତ୍ମା ଅର୍ଥାତ୍ ବାଘ୍-ଡୁମା ଅନେକ ଦିନ ପର୍ଯ୍ୟନ୍ତ ବୁଢ଼ୀର କାନି ତଳେ ତଳେ ବୁଲିଲା ବୋଲି ଲୋକେ କହୁଥିଲେ ।

 

ସାନ ପିଲାପରି ଆକୃତି, ଚନ୍ଦାମୁଣ୍ଡ, ମୁଣ୍ଡ ଓଠ ଆଖି ନାଲି, ଟିକିଏ ଦେଖାଦିଏ ପୁଣି ଅଦୃଶ୍ୟ ହୋଇଯାଏ, ନାନାପ୍ରକାର ବୋବାଳି ବୋବାଏ । ବାଘ-ଡୁମାର ସ୍ଥାନ ବାଘର ଲାଞ୍ଜ କିନ୍ତୁ ଯେହେତୁ ଏ କ୍ଷେତ୍ରରେ ବାଘ ପାଂଣିଆଣୀ ନିଜେ, ବାଘଡ଼ୁମା ତାର କାନି ତଳେ ତଳେ ବୁଲେ, ତେଣୁ ସେ ପାଂଣିଆଣୀ । ଡମ୍ରୁ ଡମ୍ ମଧ୍ୟ ତାର ଶତ୍ରୁ ଥିଲା, ଦି’ଟା ଦିନରେ ପଟୋ ପାଟୋ ଗୋରୁଗୁଡ଼ାକ ତାର ଗୁହାଳରେ ପଡ଼ି ମରିଗଲେ, ତେଣୁ ସେ ପାଂଣିଆଣୀ । ଏହିପରି ଚକ୍ରଗତିରେ କାରଣକୁ ଧରି ଫଳାଫଳକୁ ଧରି କାରଣ ଦେଖାଇ ଦେଖାଇ କେତେଲୋକ ଗାଁରେ ପ୍ରଚାର କରିଥିଲେ ଯେ ସେ ପାଂଣିଆଣୀ । ପାଙ୍ଗିବା ଲୋକକୁ ଗାଁ ଲୋକେ ନିପାତ କରିଦିଅନ୍ତି, ଅନେକ ଖୁଣ୍ ହୁଏ ପାଂଣିଆଣୀ ତାର କପାଳ ଜୋର୍‌ରେ ବଞ୍ଚିଥିଲା, କାରଣ ଶଳ୍‍ପୁ କନ୍ଧ ଏବଂ ତାର ପଡ଼ୋଶୀମାନେ ଅବିଶ୍ୱାସ କରିଥିଲେ ଯେ କେବେ ଏତେ ବିଦ୍ୟା ଜାଣିଲା ଯେ ସେ ମଣିଷକୁ ପାଙ୍ଗିପାରିବ । ବିଶ୍ୱାସ ହେଉ ଅବିଶ୍ୱାସ ହେଉ, ସେହିଦିନୁ ନାଁଟି ତାର ରହିଗଲା ପାଂଣିଆଣୀ ଏବଂ ଲୋକଙ୍କ ସାହାଯ୍ୟ ପାଇ ସାହୁକାରର ଅଦୌତିରେ ଯେ ସେମାନଙ୍କୁ ଗାଁ ଛାଡ଼ିବାକୁ ପଡ଼ିଲା, ସେଥିସକାଶେ ମଧ୍ୟ ଶତ୍ରୁମାନଙ୍କର ରଟନା ଅଳ୍ପ ଦାୟୀ ନୁହେଁ ।

 

ବହୁବର୍ଷର ହାବୁକାରେ ସବୁ ଅପବାଦ ସବୁ କଳିଗୋଳ ଧୋଇ ହୋଇଯାଇଛି, ଆଜି ସେ ନିଆଶ୍ରୀ, ତେଣୁ କାହାରି ବାଦ ନାହିଁ ତାହା ସଙ୍ଗରେ । ଶତ୍ରୁତା ଯେଉଁମାନେ କରୁଥିଲେ, ଆଜି ମରିହଜି ଭୂତ ହେଲେଣି ସେମାନେ, ଅଦୋଉତି ନାହିଁ, ଆଣ୍ଟ ନାହିଁ । ପୁରୁଣା ଘରଗୁଡ଼ାକ ଦାନ୍ତ ନିକୁଟି ପଡ଼ିରହିଛି, ଦେଖିଲେ ବିକଳ ଲାଗେ, କୁଆଡ଼େ ଗଲେ ଯେଉଁମାନେ ଡିହ ଉପରେ ଠିଆହୋଇ ମୁଣ୍ଡ ହଲେଇ ହାତ ହଲେଇ ଦାଉ ସାଧିବାକୁ ବକ୍ତୃତା ଝାଡ଼ୁଥିଲେ !

 

ପାଂଣିଆଣୀ ଖୋଜି ଖୋଜି ବୁଲୁଥିଲା, ତାର ସତରବର୍ଷ ଉତ୍ତାରୁ ତାର ହଜି ଯାଇଥିବା ସମୟକୁ, ସେତେବେଳର ସମୟର ସୀମାର ଚିହ୍ନଟ ଖୁଣ୍ଟି ଆଜି ହଜିଛି, ଏଠି ସେ ବାଡ଼ ଥିଲା, ସେଠି ଆଜି ଘର, ସେଠି ସେ ଗଛଟା ଥିଲା, ତା’ ଜାଗାରେ ଗୁହାଳ, ନୂଆ ରାସ୍ତା ଫିଟିଛି ପୁରୁଣା ରାସ୍ତା ବୁଜା ହୋଇଛି, ତୋଟା ଲଣ୍ଡା ହୋଇଛି, ଜାଗାର ରୂପ ଓଲଟ ପାଲଟ । କେବଳ ଯଦି ସେତିକି ହୋଇଥା’ନ୍ତା; ସତରବର୍ଷରେ ସତର ଦଳ ପିଲା ଜନ୍ମ ହୋଇଛନ୍ତି, ବଢ଼ିଛନ୍ତି, ପିଲାଏ ଘର କରିଛନ୍ତି, ଚିହ୍ନାଲୋକେ ପଛେଇଚନ୍ତି, କେତେ ଧୂଳିରେ ମିଶିଛନ୍ତି, ପୁରୁଣା ସମୟ ଉପରେ ଠିଆ ହୋଇଛି ସତର ତାଳ ପାଣି, ସବୁ ଲୁଚିଯାଇଛି ।

 

କିନ୍ତୁ ଖୋଜି ବୁଲୁ ବୁଲୁ ପାଂଣିଆଣୀ ଅନୁଭବ କଲା ଆକାଶରେ ସେହି ରଙ୍ଗ, ଗାଁର ପବନରେ ଠିକ୍ ସେହି ଅନୁଭୂତି, ଏବଂ ଚାରିଆଡ଼ର ଯେଉଁ ମହାବଳି ପର୍ବତର ଲହଡ଼ି, ଠିକ୍ ସେହିପରି ରହିଛି ସେ । ପର୍ବତ ବଦଳି ନାହିଁ, ମାଟି ବଦଳି ନାହିଁ, ଭୂଇଁର ଢାଲୁ ସେହିପରି ଗଡ଼ି ଚାଲିଛି ତଳ ଉପର ହୋଇ । ବାହାରର ଏହି ଚିହ୍ନା ଛବି ଧାସ ପକାଇଯାଏ କେଉଁ ମଝିକି, ସବୁ ଧାସ ଏକାଠି ହୁଏ, ହୁ ହୁ ହୋଇ ଜଳି ଜଳି ଉଠେ ତାର ପୁରୁଣା ପରିଚୟ । ସେତିକି ତାର ସାନ୍ତ୍ୱନା-

 

ବୁଢ଼ୀର ମୁହଁରେ ଭାଷା ନାହିଁ, ପଚାରିବାକୁ ସାହସ ନାହିଁ । ବାଟରେ ତାର ସାନ୍ତ୍ୱନା, କିନ୍ତୁ କାହାରି ଘରେ ସେ ଖାଲି ଗୋଟାଏ କାହୁଁ ଅଇଲା, ଯେପରିକି ତାର ପରମ୍ପରା ନାହିଁ, ପରିଚୟ ନାହିଁ, କେଉଁ ଦେଶର କେଉଁ ପୁରର ଲୋକ । କିନ୍ତୁ ତାର କୁତୂହଳ ହୁଏ ଚୁପ୍‌ହୋଇ ନିରେଖି ନିରେଖି ଠିଆହୋଇ ରହିବାକୁ, ମନ ଖୋଜେ ସେ ଦେଖନ୍ତା ସବୁ ଭୁଲ, ସବୁ ଭୁଲ, ସେତିକି କହିଦେଇ ନିଜକୁ ବାହାବା’ ଦେଇ ମୁରୁକି ହସି ସେ ଚାଲିଯାଆନ୍ତା । ଭୁଲ ଭାବିବାକୁ ଚେଷ୍ଟା କରେ, ପାଏ ନାହିଁ, ତୁନିତାନି ମୁହଁ ଶୁଖେଇ ଚାଲିଯାଏ ।

 

ମଝିଦାଣ୍ଡରେ ତାର ନିଘା ପଡ଼ିଲା, ନାଲି ପଥର ଖଣ୍ଡେ ସେହିପରି ପଡ଼ିଛି, ସବୁଦିନ ପରି ପିଣ୍ଡା ଉପରେ ବୁଢ଼ୀଟିଏ ବସି ସୁଆଁ ଫେଷିବା ଗାତ ଭିତରେ କାଠ ମୁଷଳ ପୂରେଇ ସୁଆଁ ଫେଷୁଛି । ଗୁମ୍‌ସା କନ୍ଧର ଘର ନୁହେଁ କି ଏଇଟା ? ସାମ୍ନାରେ ଗୋଟାଏ ଶଳଫ ଗଛ, ପଛଆଡ଼େ ସଜନା ଗଛ । ଗୁମ୍‌ସା କନ୍ଧର ଘର । ଦୁଆରେ ଗୁଡ଼ାଏ ଅଚିହ୍ନା ପିଲା, କବାଟ ସେପାଖେ କିଏ ଗୋଟିଏ ଅଚିହ୍ନା ବୋହୂ ବସି କ’ଣ କାମ କରୁଛି, ଖୋଲା ଛାତିରୁ ପିଲାଟିଏ ଲଟକିଛି, ଏମାନେ ଅଚିହ୍ନା, କାଲିକାର ଗଜା । ବହୁବର୍ଷ ହେଲା ଭଙ୍ଗା ଖଟ ଖଣ୍ଡେ କରପଟିଆ ହୋଇ ପଡ଼ିରହିଥିଲା, ଉଇ ଲାଗୁଥିଲେ, ସେତିକି ଅଭାବ । ଗୁମ୍‍ସା ବୁଢ଼ୀ ହସିଦେଇ ପଚାରିଲା, ‘ତୁନିତାନି ହୋଇ ଠିଆହୋଇ ରହିଛୁ କାହିଁକି ଅପା, କ’ଣ ପାଙ୍ଗିବାକୁ ମନ ହେଉଛି କି ?’ ବୁଢ଼ୀ ହସି ହସି ତାର ଜବାବ୍ ଦେଲା, ‘ହଁ, ପଥର ପରି ବସି ରହିଚୁ ତୁ, ତତେ ପରା ପାଙ୍ଗବି ।’ ଗୁମ୍‌ସାନୀ କହିଲା, ‘ବିଦ୍ୟା ଭୁଲି ନୋହୁଁ ତାହେଲେ, ଆ ବସ୍ ।’ ଦି ବୁଢ଼ୀ ବସି ହସାହସି ହେଲେ, ଧୁଁଗିଆ ପିଇଲେ । ସତର ବର୍ଷର କଥା, ଏକାଦିନକେ ଛିଣ୍ଡେ ନାହିଁ ।

 

‘ଲେଲ୍ଲୁ କେବେ ମଲା ନୁନି ?’

 

‘ଲେଲ୍ଲୁ !’ ଦୁଇ ପାପୁଲିର ସବୁ ଆଙ୍ଗୁଠି ଖୋଲି ଦେଖେଇଲା ଗୁମ୍‌ସାନୀ । ଜଣକୁ ଯାହା ଚମକେଇ ଦିଏ ଆଶ୍ଚର୍ଯ୍ୟ ଲାଗେ, ଆର ଜଣକୁ ସେ କଥାର ଅର୍ଥ ବି ଜଣାପଡ଼େ ନାହିଁ, ଭାବ ତ ଦୂରର କଥା ।

 

‘ସେ ଘରଟା କେବେ ଭାଙ୍ଗିଲା ନୁନି ?’

 

‘ଘର ଥିଲା କି ସେଠି ? କାହିଁ ନାହିଁ ତ, ହଁ ହଁ ସତକଥା, କେତେ ମନେରଖିଛୁ ଲୋ ତୁ ! ଏଡ଼େ ବୁଦ୍ଧି, ନ ହେଲେ ମାହାଳିଆରେ କହନ୍ତେ ତତେ ପାଂଣିଆଣୀ-।’ ଆହୁରି ବୁଢ଼ୀଗୁଡ଼ିଏ ଆସିଲେ, ଭଲ ଗପ ଜମିଲା, କେବଳ ପୁରୁଣା ଆଖିରେ ନୂଆ ଘଟନାର ସମାଲୋଚନା, କେବଳ ସେହି ପଦେ କଥାର ଦ୍ରୁତ ବିଳମ୍ବିତ ଧ୍ରୁପଦ, ଖେଆଲରେ ତାନ-’ଆଉ କ’ଣ ସେକାଳ ଅଛି ?’ ଯେତେ ଢାଞ୍ଚାରେ ହୋଇପାରେ ।

 

ରନ୍ଧା ବସି ନାହିଁ, କ’ଣ ଖିଆ ହେବ ତାର ଠିକଣା ନାହିଁ । କନ୍ଧ ଗାଁରେ ଏସବୁ କଥା କାହାରି ଅଟକି ଯାଏ ନାହିଁ, ତୁଣ ଶାଗ ଦିଆନିଆ ତ ଅତି ସାଧାରଣ କଥା, ପ୍ରାଚୀନ ସମାଜର ସ୍ମୃତି ରହିଛି, ଏକାସେଣିଆଁ ଗାଁର ବସ୍ତିର ତଳେ ଥିଲା ଏକା ହାଣ୍ଡିର ଗୋଷ୍ଠୀ, ଆଜି ଏକାହାଣ୍ଡି ନାହିଁ, କିନ୍ତୁ ଜଣକର ଭାତରନ୍ଧା ହୋଇଥିଲେ ଆର ଜଣକ ଉପାସ ରହେ ନାହିଁ । ଘରଢିଅ ନାହିଁ, ଗାଁର ସାଓଁତା ଘରଢିଅ ଦେବ, ଘର ନାହିଁ ଗାଁ ଭାଇମାନେ ଘର ତୋଳିଦେବେ, ଜମି ମିଳିବ, ଯେତେଦିନ ନ ଚଳିବ ଗାଁ ଲୋକେ ମାଣ୍ଡିଆ-ଭାତ ବାଢ଼ିଦେବାକୁ କୁଣ୍ଠିତ ହେବେ ନାହିଁ । ସମାଜ ସବୁ ଦେବ, ବଦଳରେ କହିବ ଯେ କାମ କର, ସମାଜ ଭିତରେ ଏକାଠି ହୋଇ ମଞ୍ଜ ଟାଣ ରଖ, କେବଳ ଏତିକି ।

 

ସେହି ବିଶ୍ୱାସରେ ସଭ୍ୟ ସମତଳ ଛାଡ଼ି ଅସଭ୍ୟ ବଣକୁ ପାଂଣିଆଣୀ ଦୌଡ଼ି ଆସିଥିଲା, ସେ ନିଧ୍‌ଡ଼କ ବେଳ ମୁଣ୍ଡେ ସେପାଖେ ହେଲା, ଗୁମ୍‌ସାର ସ୍ତ୍ରୀ ଡାକିଲା, ‘ଆ ଖାଇ ବସିବା ।’ ବଡ଼ କଅଁଳ ହୋଇ ଆସିଲା ପାଂଣିଆଣୀର ମନ, କ’ଣ ଭାବିଲା, କହିଲା, ‘ଗୁମ୍‌ସା କେବେ ମଲା ନୁନି-?’ ‘ଗୁମ୍‌ସାର ସ୍ତ୍ରୀ ଦୀର୍ଘନିଶ୍ୱାସ ପକେଇଲା, କିଛି କହିଲା ନାହିଁ । ପାଂଣିଆଣୀ ଆହୁରି ଥରେ ପଚାରିଲା । ଭିତର ଘରର ଚାଳ ତଳୁ ସାନ ଦଉଡ଼ି ଖଣ୍ଡିଏ ତା ଆଡ଼କୁ ଫୋପାଡ଼ି ଦେଇ ଗୁମ୍‌ସାର ସ୍ତ୍ରୀ ମୁହଁ ଶୁଖେଇ ଠିଆହେଲା, କିଛି କହିପାରିଲା ନାହିଁ । ପାଂଣିଆଣୀ ଦଉଡ଼ିଟି ଖୋଲି ଦେଖିଲା; ସେଥିରେ ତେରଟି ଗଣ୍ଠି ପଡ଼ିଛି । ତେର ବର୍ଷର ହିସାବ ୟେ । ବର୍ଷେ ଗଲେ ଗଣ୍ଠିଟିଏ ପଡ଼େ । ତେର ବର୍ଷ ହେଲା ଗୁମ୍‌ସା ମଲାଣି, ତାର ସ୍ତ୍ରୀ ଦଉଡ଼ିରେ ଗଣ୍ଠି ପକେଇ ପକେଇ ବର୍ଷର ସୁମାରି ରଖିଛି । କଅଁଳ ହୋଇ ପାଂଣିଆଣୀ ତାହା ଆଡ଼କୁ ଚାହିଁଲା । ଗୁମ୍‌ସାର ସ୍ତ୍ରୀ କାନ୍ଦି ନାହିଁ, ପୁରୁଣା ଦରଜାଟା ଦରଦୀର ହାତ ବାଜି ପୁଣି ଟଣକି ଉଠିଛି, ତାର ସ୍ୱାମୀର ମୃତ୍ୟୁ । ତାର ଶୁଖିଲା ମୁହଁ, ବାମ୍ଫୁଆ ଆଖି, ବାହାରୁ ଆସି ଭିତରକୁ ଭିତରକୁ ପଶି ଯାଉଥିବା କଳାଛାଇ ସେହି ସେ । ଇତିହାସର ପରିଚ୍ଛେଦ । ଦୁହେଁ ଦୁହିଁଙ୍କ ମୁହଁକୁ ଚାହିଁରହିଲେ । ଗୁମ୍‌ସା ମରିଛି, ଲେଲ୍ଲୁ ସାଓଁତା ମରିଛି, ଜିତ୍ର ମରିଛି, ଏହି ଅନର୍ଯ୍ୟାପ୍‍ ମରଣର ଦୁଇମୁଣ୍ଡରେ ଯେପରିକି ଏହି ଦୁଇଟି ବୁଢ଼ୀ, ଏମାନଙ୍କର ଗଣ୍ଠି ଗଣା ସରି ନାହିଁ । ଗୁମ୍‌ସାର ସ୍ତ୍ରୀ କହିଲା, ‘କାହିଁକି ସେଗୁଡ଼ାକ ଅପା, ଆ ଖାଇ ବସିବୁ ।’ ପାଂଣିଆଣୀ କହିଲା, ‘ମନେପଡ଼ୁଛି ଲୋ ନୁନି, ଗଲାଦିନ ତୋରି ଘରେ ଭାତ ଖାଇ ଯାଇଥିଲି । ପଛେ ପଛେ ଗୁମ୍‌ସା ପାଛୋଟି ଯାଇଥିଲା ଗଦାଏ ବାଟ । ଥାଆନ୍ତି ଥାଆନ୍ତି କୁଆଡ଼େ ମୁଣ୍ଡ ଲୁଚାନ୍ତି ଲୋ, ଆମରି ପାଇଁ ଖାଲି ଯେତେ ଦହଗଞ୍ଜ-’ ଗୁମ୍‌ସାର ସ୍ତ୍ରୀ କାମରେ ମନ ଦେଲା ।

 

ଚାରିଆଡ଼ୁ ବାଜା ଶବ୍ଦ କାନରେ ବାଜୁଛି, ବଡ଼ ଧୀର । ପାଟି ଶୁଭୁଛି, ଜନ୍ତୁ ହୁରୁଡ଼େଇବାର କିଳିକିଳା । ପର୍ବତ ଉପରୁ ଶବ୍ଦ ଚହଟି ଆସେ ଗାଁ ଭିତରକୁ । ଏପର୍ଯ୍ୟନ୍ତ ତୁନିତାନି ଥିଲା, ଲୋକେ ବୋଧହୁଏ ଖାଲରେ ଥିଲେ, ଢାଲୁରେ ଥିଲେ । ହେଇ, ତୁନି ପଡ଼ିଗଲା, ଏଥର ଶିକାରୀମାନେ ଜାଗା ବାଛିନେଲେ, ଘାଟି ଜଗି ବସିଲେ ହୁଏତ । ଟିକିଏ ଟିକିଏ ରହିରହିକା ପାଟି ‘ଈ-ହା, ଈ-ହା’, ଟେକା ମାରି ମାରି ଗଛରେ ଡାଙ୍ଗ ପିଟି ପିଟି ମଝିକୁ ଜନ୍ତୁମାନଙ୍କୁ ହୁରୁଡ଼େଇ ଆଣୁଥିବେ ।

 

ଶବ୍ଦ ଶୁଭୁଛି, ଉଞ୍ଚ ପର୍ବତ ଉପରେ ଲଣ୍ଡା ପଥର ଉପରେ ଯେଉଁମାନେ ବୁଲୁଛନ୍ତି ସେମାନେ ବି ଦିଶୁଛନ୍ତି । ତାଙ୍କର ପାଟି ପରିଷ୍କାର ଶୁଭେ, ବଣ ଭିତରେ ଲୁଚିଥିବା ଲୋକଙ୍କ ସ୍ୱର ପରସ୍ତ ପରସ୍ତ କମ୍ବଳ ଭିତରୁ ବାହାରିଲାପରି ।

 

ଯେ କାମ କରିଯାଉଛି ସେ କରୁଛି, ଯେ ନ କରୁଛି ତାର କେବଳ ଅପେକ୍ଷା ଓ କଳ୍ପନା । ପର୍ବତ ତଳିର ଗାଁ ଲୋକେ କେବଳ ଅପେକ୍ଷା କରିଥିଲେ । ପାଟି ହୁଏ, ମଝିରେ ମଝିରେ ସବୁ ତୁନି ପଡ଼ିଯାଏ, ସେତିକିବେଳେ ଛନ୍‌ଛନ୍ ଲାଗେ, କାନ ଡେରି ମଣିଷ ଅପେକ୍ଷା କରେ ବନ୍ଧୁକର ଢାଇ ଶବ୍ଦକୁ ।

 

କ’ଣ ଢାଇପରି ଶୁଭିଲାକି ? ଘର ଭିତରୁ ଦୁଆରଆଡ଼କୁ ବାହାରି ଆସି ପର୍ବତ ଉପରକୁ ଅନେଇଁ ଲୋକେ ଠିଆ ହୁଅନ୍ତି । ଜନ୍ତୁ ମରିଥିଲେ ପର୍ବତ ଉପରେ ଚାଞ୍ଚଲ୍ୟ ବଢ଼ନ୍ତାଣି, ନା ପୁଣି ଅପେକ୍ଷା ।

 

‘କୁଆଡ଼େ ଥିବେ ଟୋକୀମାନେ ହଇଲୋ ନୁନି ?’

 

‘ହଁ, ପିଲାଲୋକଙ୍କ କଥା ତ, ତାଙ୍କ ଦଳରେ ସେ ତାଙ୍କର କଥା ବୁଝିବେ, ଆମେ କାହିଁକି ଏଁ ?’ ଗୁମ୍‌ସାର ସ୍ତ୍ରୀ ପ୍ରବୋଧ ଦେଲା । ଗୁମ୍‌ସାର ପିଣ୍ଡାରେ ବସି ତାର ସ୍ତ୍ରୀ ସାଙ୍ଗରେ ଧୁଙ୍ଗିଆ ପିଉ ପିଉ ପାଂଣିଆଣୀକୁ ଲାଗିଲା ସେ କେବେ ଏ ଗାଁରୁ ଅନ୍ତର ହୋଇ ନାହିଁ । ପିଓଟି କୁଆଡ଼େ ଗଲା ବୋଲି କେବେ କାହାକୁ ସେ ପଚାରିଥିଲା ଆଜିପରି ? ତା’କୁ ଜଣାପଡ଼ିଲା ଆଜିର କଥା ଖାଲି ଆଜିର ନୁହେଁ, ଆଉ ଏ କଥା ସଙ୍ଗରେ ଏ ସ୍ଥାନ ଓ ସମୟ ସବୁ ମିଶି ଠିକ୍ ପୂର୍ବପରି । ରହିରହିକା ପୂର୍ବବେଳ ଏମିତି ଚାଲିଆସେ; ତେବେ ନୂଆ ଆଉ କ’ଣ ? ନିଛାଟିଆ ବେଳ, ଖରା ଅଳ୍ପେ ଢଳିଛି; ଗୁମ୍‌ସାର ସ୍ତ୍ରୀ ଏକୁଟିଆ ଗଲାଣି ପାଣି ଆଣି । ପିଓଟିର ମା’ ନିଶ୍ଚଳ ହୋଇ ପିଣ୍ଡା ଉପରେ ବସିଥାଏ । ଥିରିଥିରି ଚଇତର ପବନ ଆସି କଅଁଳା ପିଲାପରି ଧୂଳି ଖେଳ ଖେଳି ଲୋଟି ଗଡ଼ିଯାଏ, ତା’ ପଛେ ପଛେ ଯେପରି କିଏ ଗୋଡ଼େଇ ଆସେ, ମୁହଁ ପାଖରେ ପର୍ବତ ଉପରେ ଗଛଗୁଡ଼ାକ ତରତର ହୋଇ ଆଡ଼େଇ ହୋଇ ବସେ । ପିଓଟିର ମା’ ବକା ହୋଇ ବସି ସ୍ୱପ୍ନ ଦେଖୁଥାଏ । ସଂଡ୍ରଙ୍ଗା ହେଇ ପର୍ବତ ଅଗରେ ଚଢ଼ିଛି । ଶିକାର ଲାଗିଲେ ତାକୁ ଆଉ ଘରେ ରଖି ହୁଏ ନାହିଁ । ବେକରେ ଟାଙ୍ଗିଆ ପକେଇ ହାତରେ ବର୍ଚ୍ଛାଧରି ପଛକୁ ପଛ ହୋଇ ଡେଙ୍ଗା ଲେଲ୍ଲୁ ସାଓଁତା, ଜିତ୍ରୁ, ଗୁମ୍‌ସା । ଚଇତ ପରବ, ପ୍ରତି ବର୍ଷ ଏହିପରି । ଆଉ ଟିକିକୁ ଢୁ ଢୁ ଶବ୍ଦ ଶୁଭିବ ପରା, ତା’ପରେ ଏକାଥରକେ ବଣ କମ୍ପେଇ ବାଜା ବାଜିବ, ଶିକାର ଲେଉଟାଣି ବେଳ, ଗାଁ ହୁରୁହୁରୁ କମ୍ପିବ ।

 

‘ତୁ କ’ଣ କଲୁ ଡୋକ୍ରା (ବର)-’

 

ହସି ହସି ଉଛୁଳି ପଡ଼ୁଥିବ ସେ, ଝାଳ ସରସର ଦେହ ଝଟକି ଉଠୁଥିବ । ‘ମୁଁ-ମୁଁ ନ ଯାଇଥିଲେ ଶିକାର ମାରି ପାରିଥା’ନ୍ତେ ଏମାନେ ? କୋଉଠି ଲୁଚିଥିଲା, କେଞ୍ଚିକାଞ୍ଚି ତା’କୁ ବାହାର କଲି, ଘାଟି ଆଡ଼କୁ ହୁରୁଡ଼େଇ ନେଲି, ତା’ପରେ ଏମାନେ ଡାଦ୍ଧୁକରି ମାରିଲେ । କେହି ହାତରେ ମାରିଲା କି ? ଖାଲି ବନ୍ଧୁକଟା ଟେକିବା କଥା, ଆଉ କ’ଣ ଅଛି । ବାକି ମୁଁ-ହୁରୁଡ଼େଇ ହୁରୁଡ଼େଇ ଅର୍ଦ୍ଧପ୍ରାଣ । ସାଓଁତା କ’ଣ କହିଲା ଶୁଣିଲୁ କି ସଂଡ୍ରଙ୍ଗା ନ ଥିଲେ ଶିକାର ପଡ଼ିବ ନାହିଁ-’ ବୀର ପୁରୁଷ ପରି ଛାତିଫୁଲେଇ ଦେଇ ସେ ଘର ଭିତରକୁ ପଶିଯିବ ।

 

ପିଓଟିର ମା’ ସ୍ୱପ୍ନ ଦେଖୁଥିଲା । ଗାଁ ମାଟି ବାହାରେ, କଳିଂତକ ଦେଶରେ ତେଲୁଗୁ ଦେଶରେ ଯେ ସତରଟା ବର୍ଷ ତାଙ୍କର କଟିଗଲା ସେଗୁଡ଼ା ତାର ମନେନାହିଁ । ଗୋଟାଏ ଗୋଟାଏ ସ୍ଥାନର ଗୋଟାଏ ଗୋଟାଏ ମନ । ତେଣର କଥା ଆଉ ଗୋଟାଏ ସ୍ୱପ୍ନ, କେବଳ ଦୁଃସ୍ୱପ୍ନ, ଦୁଃଖର ଅନୁଭୂତି ଲାଖିରହିଛି ସେଥିରେ । ଡୋରରେ ସେ ଗଣ୍ଠି ପଡ଼ି ନାହିଁ ।

 

ପିଓଟିର ମା ତାର ପରମ୍ପରାର ଡୋରର ଗଣ୍ଠି ଖୋଜି ପାଇଥିଲା । ସେ ଶୋଇଥିଲା ।

•••

 

ସତଚାଳିଶ

 

ମଣିଆକା ଦିଉଡ଼ୁ ସାଓଁତା ତାର ଦଳବଳ ଧରି ଚଇତର ମଜ୍‌ଲିସ୍ ଭିତରେ ମଉଜ ଖୋଜି ଯାଇଥିଲା, ସେ ତାର ନିର୍ଘଣ୍ଟ ଠିକଣା କରିପାରିଥିଲା, ଆଗ ବନ୍ଦିକାର, ସେଠି ଦିଦିନ, ତା’ପରେ ଖାଳ୍‌କଣା, ଆବଶ୍ୟକ ପଡ଼ିଲେ ଚିଲିଶଙ୍କା ପର୍ଯ୍ୟନ୍ତ ସେ ଯିବାକୁ ପ୍ରସ୍ତୁତ । ଯେଉଁଠି ମଉଜ ବେଶୀ ମଦ ବେଶୀ, ସେଠି ସେ ଅଟକି ରହିବ । ଯେଉଁଠି ଭଲ ଶିକାର ପାଇବ ସେଠୁ ଶିକାର ମାରି ସେ ଫେରିଆସିବ । ଏବର୍ଷ ଭଲ ଶିକାର ତାର ଦରକାର । ତାରି ଭୀଷ୍ମ ପ୍ରତିଜ୍ଞା, ଖାଲି ହାତରେ ସେ ଫେରିବ ନାହିଁ, କଟୁ ଦିନାକେତେ ବାଟେ ବାଟେ । ସାଓଁତାର ନିଷ୍ପତ୍ତି ଗାଁଯାକର ନିଷ୍ପତ୍ତି, ତେଣୁ ତାର ଦଳବଳ ତାର ପଛେ ପଛେ ।

 

ବାଟର ନିଶା, ସେ କନ୍ଧର ମନ ଭିତରେ, ଖୋଜିଖୋଜି ବୁଲିବୁଲି କାହିଁକା କାହିଁ, ଆଜି ବିଚାର ପଡ଼ିଲା ଏ ଗାଁ ଭଲ ନୁହେଁ, ନୂଆ ଜମି ତିଆରି କରି ଖାଇବାକୁ ବଣ ମାରିବାକୁ ଆଉ ବଣ ନାହିଁ, କନ୍ଧ ତାର ଗାଁ ଉଠେଇନେଲା, ନୂଆ ବାଟର ନିଶା କନ୍ଧର ନୂଆ ନୁହେଁ । କିନ୍ତୁ ଦିଉଡ଼ୁ ସାଓଁତା ତାର ପୂର୍ବପୁରୁଷମାନଙ୍କ ପରି ଖାଲି ଅମଡ଼ା ମାଡ଼ିବାର ଝୁଙ୍କରେ ବୁଲି ବାହାରି ନ ଥିଲା ।

 

କେଉଁଦିନୁଁ ମନେ ମନେ ସେ ବୁଝିଲାଣି, ସେ ତାର ସ୍ତ୍ରୀ ପୁୟୁକୁ ଆଉ ଭଲପାଏ ନାହିଁ । ପୁୟୁ ତାର ଦି’ଆଖିର ଖେଣ୍ଟା । ସେ ପୁରୁଷ, ସେ ଫୁର୍ତ୍ତି ଚାହେଁ, ସେ ଚାଷୀ, ଭୂଇଁ ତାଡ଼େ, ଢୋଲେ ପିଏ, ତା’ପରେ ଖୋଜେ ସାଙ୍ଗୀ । ଜୀବନର କ୍ରମରେ କେବେ ପୁୟୁକୁ ଦେଖି ସେ ପାଗଳ ହୋଇଥିଲା, ଘରକୁ ଆଣିବାକୁ ତର ସହି ନାହିଁ, ଆଜି ସେସବୁ ପାସୋରା କଥା । ମନକୁ ପ୍ରବୋଧ ଦିଏ, ସେଦିନର ପୁୟୁ ଆଜି ନାହିଁ । ୟା ମୁହଁରେ ହସ ନାହିଁ, ୟାର ଦେହରେ ସୌନ୍ଦର୍ଯ୍ୟ ନାହିଁ, କ’ଣ ଭିତରେ ଭିତରେ ୟାକୁ ଗ୍ରାସିଛି, ବୁଢ଼ୀ ପରି ହେଲାଣି ଦିନୁଁଦିନ । ଆଉ, ପୁୟୁର ମନ,-ସେ ମନଟା ତାର ବଦଳିଯାଇଛି, ସ୍ୱାମୀକୁ ଆକର୍ଷଣ କରିବାକୁ ମତେଇବାକୁ ତାର ପ୍ରବୃତ୍ତି ନାହିଁ ମୋଟେ, ତାହାଛଡ଼ା ସ୍ୱାମୀ ଆଗେଇ ରସିଲେ ବି ପଛେଇଥିବା ତାର ଅଭ୍ୟାସ ହୋଇଗଲାଣି ।

 

କେବଳ ଛାତିରେ ଗୋଟାଏ କାଉଁକାଉଁଆଁ ପିଲା, ସବୁବେଳେ ବିନା କାମରେ ସୁଦ୍ଧା ଘରକାମ । ଘରଟା ଓଳେଇଦେଲେ ଚଳୁ ନାହିଁ, ଆହୁରି ସାତଥର ଓଳେଇବା ଦରକାର, ଥରେ ଲିପିଲେ ଘର ଶୁଦ୍ଧ ହେଲା ନାହିଁ, ଲାଗି ରହିଥିବ ମାଟି-ଗୋବର ହାତରେ ସେଠି । କିନ୍ତୁ ଦିଉଡ଼ୁ ସାଓଁତାର ମଣିଷର ମନ, ସେ ମନରେ ଶେଷ ନିଷ୍ପତ୍ତି ସମ୍ଭବେ ନାହିଁ । କେବେ ବୁଝେ ଭଲପାଏ ନାହିଁ ପୁୟୁକୁ, ପୁଣି ମନଟା ଅଜାଣତରେ କଅଁଳ ହୋଇଆସେ, ଭାବେ ସବୁ ସୁଧୁରିଯିବ, ପୁୟୁ ତା ସାଙ୍ଗରେ ବୁଲି ବୁଲି ନାଚୁଥିବ ଗାଉଥିବ ବଣେ ବଣେ । ଏଭଳି ଧାରଣା ମନ ଭିତରେ ବେଶୀ ଥର ଆସେ ନାହିଁ, ଭିତର ମନରୁ ଉଠିଉଠିକା ଆସେ ବିଦ୍ରୋହ, ବିରାଗ । ନିଦରୁ ଉଠି କେବେ ଚିଡ଼ି ଚିଡ଼ି ଲାଗେ, ଅନର୍ଥକ ଦୋଷ ବାଛେ, ସମାଲୋଚନା କରେ, ଆଉ କେବେ କେବେ ହଠାତ୍ ମନ ଉପରେ ଅଜାଡ଼ି ହୋଇପଡ଼େ କେଉଁ ଅଜଣା କାରଣରୁ ବିଷାଦ, ହାହାକାର, ଘର କରିବାକୁ ମନ ରୁଚେ ନାହିଁ, ଦିଉଡ଼ୁ ସାଓଁତା ମଦ ଠେକିର ଓଠରେ ଓଠ ଲଗାଇ ଶାନ୍ତି ପାଏ । ଏହି ଝିଙ୍କାଓଟରାରେ ଘରୁ ଯାଇ ପର ଉପରେ ତାର ଦୃଷ୍ଟି ପଡ଼େ, ତାର ଛୋଟିଆ ପରିସର ଭିତରେ ହାତପାଆନ୍ତି ଯାହା ପାଏ ତହିଁରେ ସେ ମନକୁ ଭୁଲାଏ, ବାଲ୍‍ମୁଣ୍ଡାର ସ୍ତ୍ରୀ ସୋନାଦେଈର ଘର ଆଗରେ ଅନେକ ଥର ଯା’ଆସ କରେ, ଏହିପରି ତାର ଦିନ ଚଳିଯାଏ, ସେ ଶାନ୍ତି ପାଏ ନାହିଁ ।

 

ଋତୁର ନିଜସ୍ୱ ଚିନ୍ତାରେ, ବାସନ୍ତୀ ମନୋଭାବ ଯହୁଁ ଯହୁଁ ସିଞ୍ଚି ଯାଉଥିଲା ଫଗୁଣ ଶେଷରେ ମାଳୁଆ ପବନ, ଦେହରେ ରସ ବଢ଼ିଥିଲା ଦିଉଡ଼ୁ ସାଓଁତାର ବିକୃତି ବଢ଼ି ଚାଲୁଥିଲା । ତାଷବେଉସା ଥିଲା, ପରିଶ୍ରମର ଚାପ ମାଂସ ଉପରେ, ଟପ ଟପ ଶ୍ରମଝାଳ, ସେହି ପରିଶ୍ରମ ବାଟେ ମନର ବିକାର ବାମ୍ଫେଇ ବାମ୍ଫେଇ ବାହାରି ଯାଉଥିଲା । ଚଇତର ହୁମ୍‌ଦୁମ୍ ଆସିଲା, ତାଷ ବନ୍ଦ, ଚାରିଆଡ଼େ ମଦ ଆଉ ଦେହର ଉପଚାର, ମନର ବିକୃତି ଦିଉଡ଼ୁ ସାଓଁତାକୁ ବାଟ ବତୋଉଥିଲା ଚାଲ୍ ଚାଲ୍ ଅମଡ଼ା ମାଡ଼ି ଚାଲ୍, ଅବାଟର ନିଛାଟିଆରେ ପ୍ରବୃତ୍ତି ଚରିତାର୍ଥ ପାଇଁ ନୀରବ ଆୟୋଜନ, ଏହି ତଡ଼ାରେ ଦିଉଡ଼ୁ ସାଓଁତା ଗାଁ ପଞ୍ଚାଏତ୍‌ରେ ନିଷ୍ପତ୍ତି କରିଥିଲା ଚଇତର ନିର୍ଘଣ୍ଟ ।

 

ବନ୍ଦିକାର । ଚଇତ ପରବରେ ମଣିଷ ପଶୁ । ମଦ ନିଶାରେ ବିବେକ ଟର୍ । ସେଠି ଭଲମନ୍ଦ ନାହିଁ । ସେଠି ଅନୁଭୂତି ଅନୁଭୂତି ନୁହେଁ, ଖାଲି ଗୋଟାଏ ଆପଣା ଭୁଲା ନିଶା, ମୋହ । ବାଟରେ ଯାଉ ଯାଉ ଚଇତ ବୁଲାରେ ପର ଗାଁରେ କନ୍ଧ ଝିଅ ଆଖିରେ ପଡ଼ନ୍ତି, ହାଲୁକା ନିଶାରେ ଆଖି ଢୁଳୁ ଢୁଳୁ, ନାନା ସମାଲୋଚନା କରି ସେମାନେ ଗୀତ ବୋଲନ୍ତି, ଆଗ ଖୁଜୁବୁଜୁ ହୁଅନ୍ତି ନାରୀ, ତା’ପରେ ଏ ପକ୍ଷରୁ ଆପେ ତାର ଉତ୍ତର ଯାଏ । ଜନ୍ତୁ ସମୟ ଖୋଜେ, ଜହ୍ନ ରାତିରେ ଝାଇଁ ଝାଇଁ ପଡ଼ିଲେ କଜଳପାତୀ ଦମ୍ପତି ଜବାବ ସୁଆଲ ଲଗାନ୍ତି, ଡାହୁକର ସକାଳ ସଞ୍ଜ, କାପ୍ତାର ଉଦାସୀ ଦିପହର, ବାଘର ଅଧରାତି, ମଣିଷ ସମୟକୁ ଅନାଏ ନାହିଁ । ଆପଣାର ରୁଚିରେ ଆପଣାର କଳ୍ପନାରେ ସମୟ ଆଉ ପରିସ୍ଥିତି ରଚିଯାଏ ରୁଚି ଅନୁସାରେ ।

 

ବନ୍ଦିକାର ବାଟେ ବାଟେ ମନର ଉନ୍ମତ୍ତତାରେ ସେମାନେ ଧାଇଁ ଧାଇଁ ଚାଲିଥିଲେ, ଗୀତକୁ ଗୀତ ଯୋଡ଼ି ଲାଗିଥିଲା । ଗୀତ ଗାଉ ଗାଉ ମନର ତାତିରେ ଦେହ ତାତେ, ଡେଇଁ ନାଚି ହୋହୋ କରି କନ୍ଧମାନେ ଗୋଡ଼ାନ୍ତି, କନ୍ଧୁଣୀ ଝିଅଦଳ ଛିନଛତର କରି ପଳାନ୍ତି, ପଥର ଉଢ଼ୁଆଳରୁ ବଣ ଭିତରୁ ଶୁଭେ ତାଙ୍କର ଟାପରା ଗୀତ ।

 

ଗୀତର ଦେଶରେ ପାହାଚେ ପାହାଚେ ହୋଇ ଧାଇଁ ଧାଇଁ ସେମାନେ ବନ୍ଦିକାର ପହଞ୍ଚିଲେ, ରାତିରେ ସେଠି ମହାସମାରୋହରେ ଭୋଜି ନାଚ, ତହିଁ ଆରଦିନ ଶିକାର ବୁଲା । ଦିଉଡ଼ୁ ସାଓଁତା ଖୁସି ଥିଲା, ହାର୍ଗୁଣା ସାଓଁତା ଗାଁର ଇଜ୍ଜତ୍ ରଖି ଜାଣେ, ବଡ଼ ଉଦାର ତାର ମନ, ତାର ଭିଣେଇଁ ହେବାକୁ ହାର୍ଗୁଣା ଅନୁପଯୁକ୍ତ ନୁହେଁ । ପ୍ରଚୁର ତାର ମଦ ପିଇ ମନଇଚ୍ଛା ଫୁର୍ତ୍ତି ମଉଜ କରି ଦିଉଡ଼ୁ ସାଓଁତା ହାର୍ଗୁଣାର ପ୍ରଶସ୍ତି ଗାଉଥିଲା ।

 

କନ୍ଧ ଦେଶର ଅଭ୍ୟାସ ଅନୁସାରେ ବଣକୁ ଶିକାର କରିଯିବା ପୂର୍ବରୁ ଶଳ୍‍ପୁ ଦିସାରିର ନେତୃତ୍ୱରେ ‘ଚିତାଗୁଡ଼ି’ ଦେବତାର ପୂଜା ହେଲା । ‘ଚିତାଗୁଡ଼ି’ ବା ‘ଚିତାମା’ ବା ‘ସୀତାମା’ ସବୁ ପ୍ରକାର କ୍ଷତିରୁ ନଷ୍ଟରୁ କନ୍ଧଜାତିକୁ ରକ୍ଷା କରେ, ତେଣୁ ଶିକାର ସକାଶେ ବଣ ବୁଲିବା ପୂର୍ବରୁ ‘ଚିତାମା’ ଆଗରେ କୁକୁଡ଼ାଛୁଆ ଦୁଇଟି ହାଣି ରନ୍ଧାମଦ ଟୋପିଏ ଢାଳି ବଣର ବିପଦରୁ ରକ୍ଷା କରିବା ସକାଶେ ମାଗୁଣି କରିଯିବା ଦରକାର ପଡ଼େ । ତିନିହାତ ଉଞ୍ଚା ସାନ କୁଡ଼ିଆ ଭିତରେ ସିନ୍ଦୂର ବୋଳିହୋଇ ଖୋଲା ପଥର ବେଶରେ ଚିତାମା ଦେବୀ । ଦିସାରି ସମସ୍ତିଙ୍କ ପାଇଁ ସେଠି ପ୍ରାର୍ଥନା ଜଣାଇଲା, ‘ଆମେ ତମର ପୁଅ, ଆମକୁ ବିପତ୍ତିରୁ ରକ୍ଷା କରିବ, ବଣରେ ପଶିବୁଁ, ମୁଣ୍ଡରେ ଲଟା ନ ବାଜୁ, ଗୋଡ଼ରେ କଣ୍ଟା ନ ଫୁଟୁ, ପୋକ ନ କାମୁଡ଼ୁ, ସାପ ନ ମାରୁ, ବାଘ ନ ଖାଉ ।’ ପୂଜା ସାରିଦେଇ ସେଠି ବତି ଜାଳିଦେଇ ସମସ୍ତେ ଶିକାରକୁ ଚାଲିଲେ ।

 

ସେଠି ମିଣିଆପାୟୁର ଲୋକ କି ବନ୍ଦିକାରର ଲୋକ ବୋଲି ନାହିଁ, ସେଥିରେ କାହାରି ଅସ୍ତିତ୍ୱ ନ ଥିଲା । ଆଗରେ ଗହଳି ଗର୍ଜନ କରି ବାଜା ବାଜିବାଜି ଚାଲିଛି, ପଛରେ ଗୀତ ବୋଲିବୋଲି ନାଚିନାଚି ଗାଁର ଟୋକୀମାନେ ଚାଲିଛନ୍ତି, ସାମ୍ନାରେ ଲକ୍ଷ୍ୟସ୍ଥାନ, ତା’ଉପରେ ତା’ଉପରେ ହୋଇ ବାଘ ଡଙ୍ଗର ପର୍ବତ-ସବୁ ମିଶିଯାଇ ଗୋଟାଏ ମୂର୍ଚ୍ଛନା ।

 

ସେହି ମୁଣ୍ଡଘୂରା ଭଉଁରୀ ଭିତରେ ସମସ୍ତିଙ୍କ ସାଙ୍ଗେ ଘୋଷାରି ହୋଇ ଚାଲିଥିଲା ପିଓଟି-। କଳିଂତଳ ଦେଶର ଅଭ୍ୟାସ ଅନୁଯାୟୀ ସମସ୍ତିଙ୍କୁ ଜିଣେ କେବଳ ମଦପିଆରେ । ଗୀତ ଗାଇ ଆସେ ନାହିଁ । କେବଳ ତେଲୁଗୁ ଦେଶର ଗୋଷ୍ଠୀ ଗୀତରୁ ପଦେ ଅଧେ ସେ ଜାଣେ । ଗୀତ ଜାଣେ ନାହିଁ, ତେଣୁ ସମସ୍ତେ ଗୀତ ବୋଲିଲେ କେବଳ ଘୋଷାର ସ୍ୱରଦଣ୍ଡିଟି ଧରି ସେ ପାଟି ମେଲେଇ ଦିଏ, ବହୁତ ହସେ । କଙ୍କର ପଥର ବାଟ, ଧୀରେ ଧୀରେ ଉଠାଣି ବାଟ, ଦୂରକୁ ଦୂରକୁ ଦେହ ବୋଝ ଲାଗେ, ମଦନିଶାରେ ଦେହ ବୋଝ ଲାଗେ । କେବେ କେବେ ଆଶ୍ଚର୍ଯ୍ୟ ହୋଇ କେହି ସାଙ୍ଗୀ ପିଓଟି ଆଡ଼କୁ ଅନାନ୍ତି, ତାର ବେହାଲ୍ ହୋଇ ଆସୁଥିବା ଅବସ୍ଥା ଲକ୍ଷ୍ୟ କରନ୍ତି, ବଣଦେଶର କନ୍ଧୁଣୀ ଏତେ ମଦ ପିଏ ନାହିଁ, ଡମ୍ବଜାତିର ସ୍ତ୍ରୀଲୋକ ଛଡ଼ା ଏପରି ମଦ ପିଅନ୍ତି ନାହିଁ କେହି । ଢେଉପରି ତା ଉପରକୁ ତା ଉପରକୁ ଢିପ, ସମସ୍ତିଙ୍କ ସଙ୍ଗରେ ପିଓଟି ବି ଉପରକୁ ଉଠିଗଲା ।

 

ଟୋକୀମାନେ ତାକୁ ଆଦରି ନେଇଛନ୍ତି, ଟୋକାମାନେ ପାରି ନାହାନ୍ତି । ତାର ଯେଉଁ ବିଚିତ୍ର ଭାବ-ଭଙ୍ଗୀ, କନ୍ଧୁଣୀ ରୂପ-ଭେକ ହେଲେହେଁ ଅବୁନିଆଦୀ ପରଦେଶୀ ଢାଞ୍ଚା ତାକୁ ଭେଦକରି ପଶିବାକୁ ସମୟ ଦରକାର । ସମୟ ଦରକାର ଜାଣିବାକୁ କ’ଣ ସେ ଭଲ ପାଏ, ତା ସହିତ ଗତାଗତ କେତେଦୂର, କେମିତି ତାର ଧରଣ, ସେ ଯେ ଗୋଟିଏ ବିଚିତ୍ର ଜନ୍ତୁ ତା ଯେକୌଣସି କନ୍ଧ ଅନେଇଁ ଦେଇ ଜାଣି ନେଇପାରେ, ସେହି ବିଚିତ୍ରତା ଗୋଟିଏ ନୂଆ ଚମକ ଆଣେ, କେବଳ ଏହି ଚମକ୍‌ରେ ଆନନ୍ଦ ପାଇବା ସକାଶେ ଚୈତବଣର ଅଭିଯାନ ନୁହେଁ, ମିଳାମିଶା କରିବା ଅସଜ ଲାଗେ, ଲୋକେ ଦେଖି ଦେଖି ଶିକାର କରି ବାହାରି ଚାଲିଯା’ନ୍ତି ।

 

ପାହାଡ଼ର ଅଧାରେ, ଠାଏ ଅତଡ଼ା ଛିଣ୍ଡିଛି ତଳର ପାତାଳକୁ । କିଛିଦୂର ଛାଡ଼ି ସେ ପାଖରେ ଆଉ ଗୋଟିଏ ପାହାଡ଼ । ଏପାଖ ପାହାଡ଼ରେ ଅତଡ଼ା କରେ କରେ ଅରାଏ ଚଟାଜାଗା, ତାର ପିଠିଆଡ଼େ ପାହାଡ଼ ଉଠି ପଡ଼ିଛି । ଆଗ ପଟେ ବଙ୍କେଇଛି । ତାର ସାମ୍ନାରେ ବଣଭର୍ତ୍ତି ସେହି ପାତାଳ । ଆଗପଟେ କେତେ ଉପରୁ ସହସ୍ର ଧାର ହୋଇ ସେଠୁ ଏଠୁ କେତେ ଛୋଟ ଛୋଟ ଝରଣା ପଡ଼ୁଛି, ସେଥିରେ ଅନେକ ଜଳପ୍ରପାତ ଇନ୍ଦ୍ରଧନୁ ବୋଝେଇ ହୋଇ ସାମ୍ନାରେ ଝୁଲି ରହିଛି, ପାହାଚ ପାହାଚକରେ ମାଡ଼ ଖାଇ ଖାଇ ତଳର ପାତାଳକୁ ଖସିପଡ଼ୁଛି । ଚାରିଆଡ଼େ ବଣ, ସାମ୍ନାରେ ଏ ଦୃଶ୍ୟ । ଗହୀର ପାତାଳ ଉପରେ ସ୍ଥାନେ ତଳମାଳ ଦିଶୁଛି, ତା ତଳକୁ ତା ତଳକୁ ହୋଇ ପର୍ବତସବୁ ଶୋଇ ଶୋଇ ଯାଇଛି, ଦୂରରେ କେତେ ତଳେ ସମତଳର ନେଳି ଚକ୍ରବାଳ ।

 

କେତେଜଣ ଝିଅ ସେଠି ବସିରହିଲେ, ପୁରୁଷମାନେ ତଳୁ ଧାର ଲାଗିଥା’ନ୍ତି ଉପରର ପର୍ବତକୁ । ଯେ ଯୁଆଡ଼େ ଗଲେ । ଶବ୍ଦ ହାଉଳି କମିଗଲା । ସେହି କେତେଜଣ ଝିଅ ଖାଲି ବସି ରହିଥା’ନ୍ତି । ଶିକାରର ନିୟକୁ ମାନି ସମସ୍ତେ ତୁନିତାନି, କେବଳ ପିଓଟି କଥା କହୁଥାଏ, ସମସ୍ତିଙ୍କର ବାରଣ ନ ମାନି କଥା କହୁଥାଏ । ସବୁ ଗଛରେ ନୂଆ କଅଁଳି ଧୂଆଁରଙ୍ଗ ପରି ଚିତ୍ର । ପବନରେ ବଣ ଫୁଲର ବାସ୍ନା । ସେଠି ବଣଫୁଲ ଫୁଟିଛି, ନାନା ରଙ୍ଗର । ଝିଲିଝିଲିଆ ପାଣିଜାଗାରେ ଜାତିଜାତିକା କକୋଡ଼ି (ଫର୍ଣ୍ଣ) ବଣ । ପିଠିଆଡ଼ର ପର୍ବତରେ କଅଁଳା ବାଉଁଶପତ୍ର ଛୁଆଣି ସରୁ ବାଉଁଶ ଗଛର ଜାଲି, ଭୀଷଣ ବାଉଁଶବଣ ଲମ୍ବିଯାଇଛି ଝୋଲା ଅତଡ଼ି ତଳକୁ ବୋଲି । ପାତାଳ ସେପାଖ ପାହାଡ଼ରେ ବଣକଦଳୀ ବହୁତ ହୋଇଛି । ଏହି ବଣର ଦୃଶ୍ୟରେ ପିଓଟିର ଆଖି ଘୋଳି ହେଉଥିଲା । ସମସ୍ତିଙ୍କ ସଙ୍ଗେ ଅପେକ୍ଷା କରି କରି ମାନ୍ଦା ଲାଗୁଥିଲା । କ୍ରମେ ତାର ମତୁଆ ଦରୋଟି କଥା ବନ୍ଦ ହୋଇଗଲା । ପିଓଟି ଶୋଇପଡ଼ିଲା ।

•••

 

ଅଠଚାଳିଶ

 

ଶିକାର କ୍ରମକୁ ଅପେକ୍ଷା କରି କରି ସମୟ କଟେ ନାହିଁ, ଯେକୌଣସି ପ୍ରକାର ପ୍ରତୀକ୍ଷା ଲମ୍ବା ସମୟ ଉପରେ ବିଛେଇହୋଇ ରହିଲେ ତାର ଭାର ଓଜନ ଲାଗେ, ମାଡ଼ିପଡ଼େ । କାନ ଡେରି ଡେରି ବହେ ସମୟ । ଅବଶ୍ୟ ପୁରୁଷମାନେ ଅକୃତକାର୍ଯ୍ୟ ହେଲେ ଅସନା ବାଳ ଓ କାଦୁଅ ଗୋଳି ଗୁଳି ତିଆରକରି ତାଙ୍କୁ ଫୋପାଡ଼ିବାକୁ ଅଧିକାର ସ୍ତ୍ରୀଲୋକମାନଙ୍କର ଅଛି, ଛିଣ୍ଡାକନାତକ ଏକା ଗଣ୍ଠେଇ ଗାଁ ଦୁଆର ମୁହଁରେ ଲଟକେଇ ଦେଇ ତାହାରି ତଳେ ମୁଣ୍ଡ ନୁଆଇଁ ତଳକୁ ଚାଲିବାଲାଗି ପୁରୁଷମାନଙ୍କୁ ଅକଳେଇବାକୁ ଅଧିକାର ମଧ୍ୟ ଅଛି । କିନ୍ତୁ ସେସବୁ ପଛର କଥା, ଶିକାର କରିଗଲେ ମଣିଷ ଭାବେ ସାଫଲ୍ୟ ତାର କାନିରେ ଗଣ୍ଠା ହୋଇଛି ।

 

ନିତିଦିନର ପ୍ରକୃତିକୁ ଅନେଇଁ ଅନେଇଁ ସେହି ପୁରୁଣା ବଣ ଚଢ଼େଇମାନଙ୍କର କଚର ମଚର ଶୁଣି ଶୁଣି ବହୁତ ସମୟ ଗଲା, ଯେବେ ଦେଖିଲେ ଥିବ ସେ, ତାର କିଛି ନୂଆ ଅର୍ଥ ନାହିଁ ସେମାନଙ୍କ ଆଖିକୁ ।

 

ପିଓଟି ସେହିପରି ଶୋଇଥାଏ, କେତେକ ଝିଅ ଆଖପାଖରେ ଫୁଲପତ୍ର ଛିଣ୍ଡୋଉଥା’ନ୍ତି-। ଖରା ଢଳିପଡ଼ିଲା, ଆଲୁଅ ଦାଉ ଦାଉ ବଣ ପରିବର୍ତ୍ତେ ରଙ୍ଗ ବଦଳିଗଲା, ଅଧା ଆଲୁଅ ଅଧେ ଛାଇ ମିଶାମିଶି ଅସଂଖ୍ୟ କୁଞ୍ଜ ଖେଳିଗଲା ବଣ ଭିତରେ, କେଉଁଠି ଶିଆଳି ଲଟା ଛାଇ କରିଛି, କେଉଁଠି ପେନ୍ଥି ପେନ୍ଥି ହୋଇ ବଣନିଆଳୀ ବଣମଲ୍ଲୀ ଝୁଲି ରହିଛି । ଟୋକୀମାନେ ଉଚ୍ଛନ୍ନ ହେଉଥା’ନ୍ତି । ଏତିକିବେଳେ ଉପର ଆଡ଼ୁ ପାଟି କରି କରି ଚମକି ଆସିଲା ଦିଉଡ଼ୁ ସାଓଁତା, ତାର ତୁଣ୍ଡରେ ଅସଂଲଗ୍ନ କଥା, ନିଶାରେ ଆଖି ନାଲି ନାଲି, ପିଠିପାଖ ପାହାଡ଼ର ଢାଲୁ ଉପରେ ଟୋକୀମାନଙ୍କ ମୁଣ୍ଡ ଉପରେ ଠାଏ ତେର୍ଚ୍ଛା ହୋଇ ତଳକୁ ସେ ଅନେଇଁ ରହିଲା, ଏତେ ଝିଅଙ୍କୁ ଏକା ଠାନକେ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଆଁ କରି ଠିଆହେଲା । ସୁଲୁସୁଲିଆ ପବନ ତା ଦେହରେ ବାଜୁଥାଏ, ତଳ ଡୁଡୁମାର ପାଣିର ଝର୍ଝର ତା କାନରେ ବାଜୁଥାଏ, ଅତଡ଼ା ଖାଲ, ପାତାଳ, ବଣ ଧାଡ଼ି ଧାଡ଼ି ପର୍ବତ, ତଳେ ବିହ୍ୱଳ ହୋଇ ଟୋକୀମାନେ, ଢାଲୁରେ ଉଗ୍ର ଉଦ୍ଧତ ପଶୁମୂର୍ତ୍ତିରେ ଦିଉଡ଼ୁ ସାଓଁତା-ଲମ୍ବା ବାଳ ବିଛେଇ ହୋଇ ପଡ଼ିଛି, କାନ୍ଧରେ ବନ୍ଧୁକ, ହାତରେ ବର୍ଚ୍ଛା, ସବୁ ଯେପରିକି ଚଳଚ୍ଚିତ୍ର ମଝିରେ ଖଣ୍ଡିଏ ସାନ ସମୟ-ବନ୍ଧା ଦୃଶ୍ୟ । ସେହି ଦୃଶ୍ୟର ଗୋଟାଏ ଆଧ୍ୟାତ୍ମିକ ଇଙ୍ଗିତ ଥାଏ ପରା, ମାଟିର ମଣିଷର ମୋଟା ମୋଟା ଆଙ୍ଗୁଠିଗୁଡ଼ାକରେ ତାର ସୂକ୍ଷ୍ମ ଭାବ ଖସି ପଳେଇଯାଏ । ଧରାପଡ଼େ ତାର ଆରପାଖର ଅର୍ଥ ମୋଟା କର୍କଶ,-କେବଳ ଉଗ୍ର ପାଶବିକତା, ଲଙ୍ଗଳା ପ୍ରକୃତିର ଛବିରୁ ଯେ ପାଏ ପୃଷ୍ଠପଟ, ମଦାନ୍ଧ ତାମସିକ ପଶୁମନ, ରୂଢ଼ ମୌଳିକ ରଙ୍ଗ ଆଧାର ଯାହାର, ସେଠି ଭୟ, କ୍ରୋଧ, କାମ, ହିଂସା ।

 

ଦିଉଡ଼ୁ ସାଓଁତାର ମନ ଭିତରେ କର୍ମପନ୍ଥା ସଜାଡ଼ି ହୋଇଗଲା । ସେ ଆସିଥିଲା ଏକୁଟିଆ ହରିଣ ମାରିବାକୁ ତଳର ଝୋଲା ଖଣ୍ଡିରେ, ତାର ଉଦ୍ଦେଶ୍ୟ ବାଟ ଭାଙ୍ଗି ଗଡ଼ିଗଲା ତଳର ଧାଂଡୀମାନଙ୍କ ଆଡ଼କୁ । ଗୋଟାଏ ବିକଟ ହସ ହସି ଧାଇଁଧାଇଁକା ତଳକୁ ସେ ଗଡ଼ିପଡ଼ିଲା । ତାର ଉଦ୍ଦେଶ୍ୟ ଅତିଶୟ ସୁସ୍ପଷ୍ଟ ।

 

Unknown

ତାକୁ ଦେଖି ସବୁ ଧାଂଡୀ ତର୍କିଥିଲେ । ତାର ହାବଭାବ ଯେ ସମୟକୁ ଉପଯୋଗୀ ନୁହେଁ ତା ନୁହେଁ, ଚଇତ ଅଭିଯାନର ଅଙ୍ଗ ଏ, ବଣ ପୁରୁଷର ଉଦ୍ଦାମ ପାଶବିକତା ସାଙ୍ଗକୁ ବଣୁଆ ସ୍ତ୍ରୀର ଉଗ୍ର ସହଯୋଗିତା, କିନ୍ତୁ ଧାଂଡୀମାନେ ଗୋଷ୍ଠୀରେ ଥିଲେ ଏବଂ ଗୋଷ୍ଠୀରେ ଏକାଠି ରହିଥିଲେ ପରସ୍ପରକୁ ଈର୍ଷାରେ ଛକାଛକି ହୋଇ ନିଜ ମନକୁ ଆସେ ଗୋଟାଏ ଶୃଙ୍ଖଳା, ଯାହାର ଆର ନାଁ ଚକ୍ଷୁଲଜ୍ଜା । ସମସ୍ତିଙ୍କ ଉପରେ ମନରେ ରୋକିନେବା ପାଇଁ, ପଛେଇ ଦେବାପାଇଁ ସେତିକି ସମାଜଗଢ଼ା କଟକଣା ।

 

ଦିଉଡ଼ୁ ସାଓଁତା ଝପ୍‌ଟି ଆସିଲା, ସମସ୍ତଙ୍କ ମନରେ ଆସିଲା ଭୟ, ଦଶ ଜଣଙ୍କ ଆଗରେ ଲୋକଦେଖାଣିଆ ନିଜର ସଂଭ୍ରମକୁ ବଞ୍ଚେଇବା ସକାଶେ ପାଟି କରି କରି ଯେ ଯୁଆଡ଼େ ଛତରଛାଉଳ ହୋଇ ଛୁ’ । ଗୋଟି ଗୋଟିକିଆ ହେଲା ପରେ ଉଢ଼ୁଆଳରୁ ତାଙ୍କର ହସ ଶୁଭିଲା, ପୁଣି ସେମାନେ ଏକାଠି ହୋଇ ଜାଗା ବଦଳେଇ ନେଲେ, ଦିଉଡ଼ୁ ସାଓଁତା ପାଟି କରି କରି ଦିଖୋଜ ଏଣେ ଧାଇଁଲା, ଦିଖୋଜ ତେଣେ ଧାଇଁ ତା’ପରେ ଖଣ୍ଡେ ଚୌଖୁଣ୍ଟା ପଥର ଉପରେ ବସିପଡ଼ିଲା ଥକ୍କା ହୋଇ । ଜନ୍ତୁର ମୁହଁରୁ ଶିକାର ଚିତା କାଟିଲେ ଯେପରି କ୍ଷୋଭ ହୁଏ, ସେହିପରି କ୍ଷୋଭ ଦିଉଡ଼ୁ ସାଓଁତାକୁ ବାଧୁଥିଲା, ଅରଣା ଜନ୍ତୁ ପରି ତଳର ପାତାଳର କଳାଘୁମର ମୁଣ୍ଡରେ ବସି ରହି ଦିଉଡ଼ୁ ସାଓଁତା ସଁ ସଁ ନିଶ୍ୱାସ ଛାଡ଼ିଲା । ଛିଗୁଲେଇଲା ପରି କେତେଦୂରରୁ ପଛଆଡ଼ୁ କେଉଁ ଗହଳିରୁ ଗୀତ ଶୁଭେ, ଦିଉଡ଼ୁ ସାଓଁତା ବେକକୁ ଝାଡ଼ିଦିଏ, କରଡ଼ା ବାଳଗୁଡ଼ାକ ପଛକୁ ଛିଞ୍ଚାଡ଼ି ହୁଏ, ଗାରଡ଼ ପରି ଆଖି କରି ସେହି ଦିଗକୁ ଦିଉଡ଼ୁ ଅନାଏଁ, ନାକ ଫଣ ଫଣ ହୁଏ,ବଣର ଜନ୍ତୁ ପବନରୁ ବାସ୍ନା ଉଣ୍ଡିଲା ପରି ।

 

ଏହି ପଥର ଉପରେ ସକାଳ ଖରାରେ ମହାବଳ ବାଘ ବସି ଖରା ପୁଏ ପରା, ସହସ୍ର ଧାର ଜଳପ୍ରପାତର ଇନ୍ଦ୍ରଧନୁ ଦେଖେ, ଏହି ଉପରେ ବସି ସକାଳୁ କୁଆଡ଼େ ବାଘ ଆପଣାର ହାତ ଦେଖେ, ଦିନ ଗୋଟାକର ଭାଗ୍ୟର ଛବି ସେଥିରେ ସେ ଦେଖେ, ପ୍ରସ୍ତୁତ ହୁଏ । ଲୋକେ କହନ୍ତି ହେଇ ପଥର ତଳେ ମୁଣ୍ଡାମୁଣ୍ଡା ବଡ଼ ବାଘର ଘୁଅ । ଅତି ତାଚ୍ଛଲ୍ୟ ଦେଖାଇ ଦିଉଡ଼ୁ ସେଗୁଡ଼ାକ ଗୋଡ଼ରେ ଭାଙ୍ଗିଦେଲା, ଗଡ଼େଇ ଦେଲା । ବାଘର ଦିନ ଏଠୁ ଯାଇଛି, ପୁଣି ଖରାଦିନ ସରିଲେ ଆସିବ ବାଘର ଦିନ । କାନ୍ଧର ବନ୍ଧୁକ ଛାତିରେ ଦମ୍ଭ ଆଣିଥାଏ ।

 

ଟିକିଏ ଗଲା, ଉପରୁ ଶିକାରୀମାନଙ୍କର ପାଟି ଶୁଭୁ ନାହିଁ । ତଳର ଖାଲରୁ ଉପରକୁ ମୟୂର ବୋବାଳି ଚହଟି ଆସୁଛି, ଚଡ଼ର ଚଡ଼ର ଶୁଭୁଛି । ନଳି ସଜାଡ଼ି ଧରି ଦିଉଡ଼ୁ ତଳକୁ ଡେଇଁପଡ଼ିଲା, ବୁଦା ତଳେ ତଳେ ଗଛ ତଳେ ତଳେ ତାର ଆଖି ନିରେଖି ଦେଖିଲା । ତାର ଉଦ୍‌ବେଗ ବଢ଼େଇ ଦେଇ ସେହି ଝୋଲା ଢାଲୁର ଅନ୍ଧାର ଭିତରେ କେତେ ପ୍ରକାର ବଡ଼ଜନ୍ତୁର ଚାଲିଶବ୍ଦ ଚହଟି ଆସିଲା, ତଳୁ କରପଟିଆ ହୋଇ ଜନ୍ତୁ ହୁରୁଡ଼େଇବାର ଶବ୍ଦ ଶୁଭିଲା । ଦିଉଡ଼ୁ ପୁଣି ପଶୁ ହୋଇଗଲା, ଶିର ଆଉ ମାଂସର ଗଣ୍ଠି ଟଣକି ଉଠିଛି, ଦେହ ଆଉ ଅବୟବ ସବୁ ଧନୁପରି ଅଳ୍ପ ବଙ୍କେଇ ଯାଇଛି ଯେପରିକି ଜନ୍ତୁ ହୋଇ ଜନ୍ତୁ ଉପରକୁ ସେ ଡେଇଁପଡ଼ି ଝାମ୍ପ ମାରିବ, ଚାଲିରେ ଆଶ୍ଚର୍ଯ୍ୟ ପ୍ରକାର ଛପିଲା ଛପିଲା ସତର୍କତା, ଆଉ ଆଖିର ଚାହାଣି ମୁହଁର ଛଇ ମଣିଷର ନୁହେଁ ସେ, ରକ୍ତମୁହାଁ ବାଘର ।

 

ହଠାତ୍ କେଉଁ କନ୍ଦରାରୁ ବଡ଼ ବାଜା ବାଜିଲା, ହଲ୍ଲା ବଢ଼ିଲା, ଧାଇଁ ଆସୁଥିବା ଜନ୍ତୁର ପାଦ ଶବ୍ଦ ସିଧା ଉପରକୁ ନ ଉଠି କରପଟିଆ ହୋଇ ଫିଟି ଚାଲିଗଲା ଗୋଟାଏ ଆଡ଼େ, ଶବ୍ଦ ଧୀରେ ଧୀରେ କମି କମି ଗଲା, ଶୁଖିଲା ପତ୍ର ଉପରେ ଚହଲି ପଳୋଉଥିବା ଭସାମେଘର ଟପର ଟପର ପରି ।

 

ଏଣେତେଣେ ଉଣ୍ଡୁ ଉଣ୍ଡୁ ଦିଉଡ଼ୁ ସାଓଁତା ଦେଖିଲା, ଗୋଟାଏ ଗଛ ମୂଳେ ପଥର ସନ୍ଧିରୁ ଧୀରେ ଧୀରେ ଉଠି ଠିଆ ହୋଇଛି ଟୋକୀଟିଏ, କେହି କୁଆଡ଼େ ନାହିଁ ।

 

ଜନ୍ତୁ ପଳେଇଗଲେ, ବାଜା ଶବ୍ଦର ଗୋଳମାଳ ଗୋଟାଏ ଆଡ଼େ କୁଆଡ଼େ ଉଭେଇ ଗଲା, ଦିଉଡ଼ୁ ସାଓଁତା ଦୁଃଖିତ ହେଲା ନାହିଁ । ଧୀରେ ଧୀରେ ଓଟାରି ହେଲାପରି ସେହି ଟୋକୀ ପାଖକୁ ସେ ଗଲା । ଧୀରେ ଧୀରେ ତାର ଶିକାରୀର ସତର୍କ ଗମ୍ଭୀର ମୁହଁ ଉପରେ ଖେଳିଗଲା ସ୍ୱାଗତମ୍‌ର ମଧୁର ହସ, ସବୁ ମଧୁର, କେବଳ ତାର ଆଖିର ଚାହାଣିରେ ସେହି ବୁଭୁକ୍ଷା, ଭିକାରୀର ଦୁର୍ବଳ ଲୋକ ନୁହେଁ, ଶିକାରୀର ବଳିଷ୍ଠ ଭୋକ, ଯହିଁରେ ଆହୁତି ପାଏ ଆପଣାର ସବୁ ସ୍ଥୂଳ ବ୍ୟକ୍ତିତ୍ୱ, ମେଦମାଂସ ଅସ୍ଥି ରକ୍ତ ସବୁ ।

 

ପିଓଟି ଚମକି ପଡ଼ିଲା, କେହି କୁଆଡ଼େ ନାହାନ୍ତି ଗୋଟିଏ ବୋଲି ତାର ସାଙ୍ଗର ଝିଅମାନେ, ନାଁ ଧରି ଡାକିବାକୁ କାହାରି ନାଁ ମନେନାହିଁ ତାର, କେତେବେଳେ ସେ ଶୋଇପଡ଼ିଥିଲା-। ସମସ୍ତେ ତାକୁ ଏକା ଛାଡ଼ିଦେଇ ଯେ ଯୁଆଡ଼େ ପଳାଇଛନ୍ତି । ବାଜା ଶବ୍ଦରେ ଗୋଳମାଳରେ ନିଦରୁ ଉଠି ପିଓଟି ଦେଖିଲା କିଏ ଜଣେ ବଣୁଆଁ କି ବାଣୁଆଁ ଗୋଟିଏ ଗୋଟିଏ ହୋଇ ତାହା ଆଡ଼କୁ ମାଡ଼ିଆସୁଛି । ନିଜକୁ ଯଥାସାଧ୍ୟ ସଂଯତ କରିନେଲା, ବାହାରେ ତାର ଆଦୌ ଭୟ ନାହିଁ, କଳିଂତଳ ଦେଶରେ ବଢ଼ି ସେ ଆପଣାକୁ ଯଥେଷ୍ଟ ସଭ୍ୟ କରିପାରିଛି, ପୁରୁଷ ସହିତ ଅଚିହ୍ନା ନ ହୋଇଥିବାରୁ ଅପ୍ରସ୍ତୁତ ହେବାଭଳିଆ ତାର କିଛି ନାହିଁ ।

 

କିନ୍ତୁ ଏକା ସାଙ୍ଗକେ ପିଓଟିର ଆଉ ଦିଉଡ଼ୁର ଗହୀର ମନ ଓ ଦେହ ପରସ୍ପରକୁ ଦେଖିବା ସଙ୍ଗେ ସଙ୍ଗେ ଦେଖିପାରୁଥିଲେ ଭେଟାଭେଟିର ସେହି ବଣ୍ୟ ପୃଷ୍ଠପଟକୁ, ସ୍ଥାନ କାଳ ପାତ୍ର ସବୁ ଅନୁକୂଳ ଗୋଟାଏ ଉଦ୍ଦେଶ୍ୟ ପାଇଁ । ସେହି ଉଦ୍ଦେଶ୍ୟରେ ସ୍ତ୍ରୀ ନିଜକୁ ବଳିଦିଏ, ପୁରୁଷ ନିଜକୁ ବଳିଦିଏ, ବଳିର ଭୋଜ୍ୟବସ୍ତୁ ହେଲେହେଁ ତାର ମତ୍ତତାର ଆନନ୍ଦ ଆସେ ଏବଂ ବଳିର ଉଦ୍ଦେଶ୍ୟ ବୁଝିନିଏ ଚିରନ୍ତନୀ ପ୍ରକୃତି, ତାର ଉପାୟକୁ ଘେନି କବି ଶିଳ୍ପ ଲେଖେ, ସ୍ତ୍ରୀ ପୁରୁଷ ଭାବନ୍ତି ଏହି ତାଙ୍କର ଶାଶ୍ୱତ ପ୍ରେମ । କିନ୍ତୁ ଏ ଭିତର ମନର କଥା । ଚାପି ରଖିଲାଭଳି ସଂସ୍କାରର ବଳ ଦିଉଡ଼ୁ ସାଓଁତାର ନାହିଁ, ପିଓଟିର ଥିଲା, ବାହାରର ସେ ତଳଦେଶର ସଂସ୍କାରରେ ଝାଳୁଆ ଲଙ୍ଗଳା ଦେହର ସ୍ଥାନ ନାହିଁ । ଦିଉଡ଼ୁ ସାଓଁତା ଦେଖୁଥିଲା, ଅତି ସୁନ୍ଦରୀ ସ୍ତ୍ରୀ, ତାର ହୁଗୁଳା ବେଶଭୂଷା ଭିତରୁ ଯାହା ଦିଶୁଛି ସେ ଅତି କାମ୍ୟ ନାରୀଦେହ, ଦିଉଡ଼ୁ ସାଓଁତା ସେହି ଦେହକୁ ମନେ ମନେ ଘେନି ପାରୁଥିଲା ବାସ୍ନା ଆଉ ସୁଆଦର ଧାରଣାରେ, ଯେପରି ସେ ବୁଝିପାରେ ଚୁଙ୍ଗୁଡ଼ି ମାଛ, କାଇପୋକ ବା ‘ମଇରିକା’, ହନୁମାଙ୍କଡ଼ର ମାଂସ, କଞ୍ଚା ମହୁଫେଣା, ଉତ୍କଟ ମହୁଲ ମଦ । ଖାଦ୍ୟର ବାସ୍ନା ପବନରେ ଉଡ଼ି ଆସିଲେ ତାର ଭୋକ ବଢ଼େ । ପିଓଟି ଦେଖୁଥିଲା-ତାର ଆପଣାର ତୁଳନାତ୍ମକ ସ୍ମୃତିର ଭଣ୍ଡାର ଭିତରେ ୟେ କେବଳ ଗୋଟାଏ ଅଧଲଙ୍ଗଳା କନ୍ଧ । ରାମାୟା ସିଂଗାନ୍ନା, ପେଣ୍ଟାୟା, ସୋମାୟା-ନା ଏ ତା ନୁହେଁ । ଢିଲା ପାଇଜାମା ଉପରେ କାମିଜ, ପାଦ ଖାଲି, ଜରିଧଡ଼ିଆ ଲୁଗା, କାନ୍ଧରେ ତଉଲିଆ ମୁଣ୍ଡରେ ଠେକା,-ସାନ ଲୁଗା, ଦେହରେ କୋଟ୍, ହାତରେ ସୁନାବଳା, କାନରେ କୁଣ୍ଡଳ, ମୁଣ୍ଡରେ ଜରି ପଗଡ଼ି, ମୁହଁରେ ଦୀର୍ଘ କାକାନାଡ଼ା ସୁଠା-ନା ଏ ତା ନୁହେଁ, ହୋଇପାରେ ସୁସ୍ଥସବଳ ଶିକାରୀ, ତାର ଆପଣାର ଜାତି କନ୍ଧ,-ଏ ତା ନୁହେଁ-ଏ ତା ନୁହେଁ । ମନର ବାହାରଟା ଏକା ଘୋଷାରେ ଯେପରି କହି ଲାଗିଛି ଏ ତା ନୁହେଁ-‘କୁଇଁ-କୁଇଁ’ (ମୋର ରାଜି ନାହିଁ)-କିଏ ଏଇଟା !

 

କିନ୍ତୁ ସେହି ମନର ପିଠିଆଡ଼ୁଟା, ନିଜର ଅଜାଣତାରେ ଯେଉଁଠି ଦର୍ପଣ ଉପରେ ଛାଇ ପଡ଼ିଯାଏ,-ସେଠି କେବଳ ଗୋଟାଏ ଭାବନା-ସବୁ ନିଛାଟିଆ, ସବୁ ସୁନ୍ଦର, ପୁରୁଷ ଆସୁଛି, ସେ ସ୍ତ୍ରୀ ।

 

ଦିଉଡ଼ୁ ସାଓଁତାର ଆଗୁଆଳି ବୀରପଣକୁ ଅଧବାଟରେ ଛେକି ଦେଇ ଉପରେ ପଡ଼ି ପିଓଟି କହିଲା,-’ଆମର ସାଙ୍ଗର ଲୋକଙ୍କୁ ଦେଖିଲ କି ?’

 

‘ନା ମୁଁ ଦେଖି ନାହିଁତ ।’ ଟିକିଏ ରହି ଦିଉଡ଼ୁ କହିଲା, ‘ଏକ୍‌ଲା ପଡ଼ିଗଲ ?’ ହସିଦେଇ ପିଓଟି କହିଲା, ‘ଆଉ କାହିଁର ଏକ୍‌ଲା, ତୁମେ ତ ଅଛ’

 

ମୁଁ ତ ଶିକାର କରି ବାହାରିଛି ତୁମ୍ଭଙ୍କୁ ଏଠି ଜଗି ବସିଥିବି କି ?

 

ବେପସନ୍ଦ ହସ ହସି ପିଓଟି ଜବାବ୍ ଦେଲା, ‘ଶିକାର ତ କରିବ ଗୋଟାଏ ଜାଗାରେ ନ ବସିଲେ କ’ଣ ସବୁ ଜନ୍ତୁ ତୁମ ପଛ ପଛ ଗୋଡ଼େଇ ଥିବେ ?’

 

ଦିଉଡ଼ୁ କହିଲା, ‘ଜାଗା ବାଛିବାକୁ ବୁଲି ବୁଲି ଦେଖିବାକୁ ପଡ଼ିବ ତ ।’

 

ପିଓଟି ଠୋ ଠୋ ହସି କହିଲା, ଓହୋ ‘ତୁମେ ବୋଧେ ପଛରେ ଆସିଲ ଯେ ସବୁ ଜାଗାରେ ମଣିଷ ବସିଗଲେଣି । ଏଇ ଜାଗାଟା ଖାଲି ଦେଖିଲ ପରା । ହଉ ଏଠି ବସୁନା ଜନ୍ତୁ ବାହାରିବେ ଯେ-’

 

‘ତୁମେ କ’ଣ ଶିକାର କର ?’

 

‘ମୁଁ ? -ଦେଖୁଛ ତ ମୋର ନଳୀ ନାହିଁ ।-ଯଦି ତୁମପରି ଏଡ଼େ ନଳୀ ଥା’ନ୍ତା-ପିଓଟି ହସିଲା, ଅବସ୍ଥା ସହଜ ଲାଗିଲା ।’

 

ଦୁହେଁ ଦୁଃଖ ସୁଖ ହେଲେ, ଦିଉଡ଼ୁ ସାଓଁତା ଛଟପଟ ହେଉଥାଏ, ପିଓଟି କଥା କହି କହି ତାକୁ ଝଡ଼େଇ ଦେବାକୁ ଚାହେଁ, ଉଡ଼େଇ ଦେବାକୁ ଚାହେଁ । ମନର କଳରବ ଲୁଚେଇ ନ ପାରି ଦିଉଡ଼ୁ ଆଖି ମିଟିକେଇ ଥିରି ଥିରି ପଚାରିଲା, ‘ଆସିବ ମୋ ସାଙ୍ଗରେ-’

 

ପିଓଟି ଓଠ କାମୁଡ଼ି କାମୁଡ଼ି ହସିଲା, ଦିଉଡ଼ୁର ଆଶା ବଢ଼ିଲା, ଦି’ ଖୋଜ ଆଗକୁ ଯାଇ କହିଲା-’ଆସିବୁ ?’

 

ସେହିପରି ହସୁଥାଏ, ପିଓଟି କହିଲା-’ତୁମ ଦେଶର ଏହିପରି ରୀତି ପରା, ବଣ ବାଟରେ ମାଇକିନିଆଁ ଝିଅକୁ ଏକୁଟିଆ ପାଇଲେ ଏମିତି ପଚାରିବ-ଆସିବୁ ମୋ ସାଙ୍ଗରେ ? ଆସିବୁ ?’ ଖତେଇ ବିଗୁଲେଇ ପିଓଟି କହିଲା, ‘ଆସିବୁ ? ଆସିବୁ ?’ ହସି ହସି ଗଡ଼ିଗଲା ।

 

ଦିଉଡ଼ୁ ଅପ୍ରସ୍ତୁତ ହେଲା । ୟା ପରେ ତାର ଦମ୍ ଶେଷ, ଦିଉଡ଼ୁ ଭାବିଲା କିଛି ନ କହି ସେ ରହିପାରୁ ନାହିଁ, କ’ଣ କହିବ ତାକୁ ଆସୁ ନାହିଁ । ପୁଣି ପଚାରିଲା-’ଧୁଙ୍ଗିଆ ଖାଇବ, ଧୁଙ୍ଗିଆ ?’

 

ପିଓଟି କହିଲା,-’ମୁଁ ଧୁଙ୍ଗିଆ ଖାଏ ନାହିଁ ।’

 

ଏଣିକି ଦିଉଡ଼ୁ ହଟିଗଲା, ତାର ଅଭିମାନ ହେଲା,-ଚଇତ ବେଣ୍ଟ (ଶିକାର)ର ଆଦର ସମ୍ଭାଷଣ ଏ ନୁହେଁ, ଏ କନ୍ଧ ଶିଷ୍ଟତାର ବାହାରେ । ଭାବିଲା ଏଠୁ ଉଠି ଚାଲିଯିବ ସେ, ଆଉ କ’ଣ ସଂସାରରେ ଲୋକ ନାହାନ୍ତି ? ଭାରି ଚାତର ଦେଖାଉଛି ଏ ଟୋକୀ । କିନ୍ତୁ ମନେମନେ ଯେତେ ବିଦ୍ୱେଷ ଭାବ ଆଣି ଏ ଖାଲରୁ ସେ କୁଦା ମାରିବାକୁ ଚେଷ୍ଟା କଲା ସେତିକି ସେତିକି ତଳକୁ ଦବିଗଲା । ଅଭିମାନ ଦେଖେଇ ବନ୍ଧୁକ କାନ୍ଧରେ ପକେଇ ଏଠୁ ଚାଲିଯିବାକୁ ତାର ଇଚ୍ଛା କିନ୍ତୁ ହେଇ ସେପାଖେ ଗଛକୁ ଆଉଜି ପିଓଟି ଠିଆ ହୋଇଛି, ଗୁଣୁ ଗୁଣୁ ହୋଇ ଗୀତ ବୋଲୁଛି, ଗୋଟାଏ ଗୋଡ଼ ତାର ଥରୁଛି ତଳେ ପିଟି ହେଉଛି, ଦୁଇହାତ ଉପରକୁ ଟେକି ସେ ତାର ବାଳ ସଜୋଉଛି, ତାର ଦେହ ଦୁଲୁକୁଛି, ସେହିପରି ସଜା ହୋଇ ରହିଛି ତାର ଯୌବନ ଢଳଢଳ ଠାଣି, ଛଳଛଳ ନାରୀଦେହ, ଯାଇହେଉ ନାହିଁ ପାଖକୁ ଆସୁ ନାହିଁ, ଯେପରିକି ସମାନ ଦୂରତାରେ ବଳେ ବଳେ ତାକୁ ଅଟକେଇ ରଖିଛି କେବେଳ କଲବଲ କରିବାକୁ ।

 

ପିଓଟି କେବଳ ତା ଆଡ଼କୁ ମୋହିଁଥିଲା, କେବଳ ତାର ଆଭାସ ଇଙ୍ଗିତରେ ତାର ମନ ଉପରେ ବିପ୍ଳବ ଉଠୋଉଥିଲା । ପିଓଟି ସାନ ଆଙ୍ଗୁଠିରେ ଠାଏ କୁଣ୍ଡେଇ ହୁଏ, ଦିଉଡ଼ୁ ସାଓଁତାର ଛାତିରେ ହାତୁଡ଼ି ପଡ଼େ । ପିଓଟି ଦେହଟାକୁ ଟିକିଏ ବଙ୍କେଇ ଦିଏ, ଦିଉଡ଼ୁର ମୁହଁ ଉପରେ ଚାଲେ ତତଲା ଝାଞ୍ଜିବାଆ, ମୁହଁ ଶୁଖିଯାଏ, ପିଓଟି ଗୋଟାଏ କରକୁ ଟିକିଏ ଘୁଞ୍ଚିଯାଏ, କୋଡ଼ିଏ ହାତ ଦୂରରେ ଥାଇ କୋଣମାପରେ ସେତିକି ଝାଙ୍କି ହୁଏ ଦିଉଡ଼ୁର ବେକ ।

 

ଏହିପରି କିଛିକ୍ଷଣ ଗଲା, ମୁଣ୍ଡ ଉପରେ ଗଛରେ କୁଆଡ଼ର ଯୋଡ଼ିଏ ଚଢ଼େଇ ଉଡ଼ିଆସି କଥାଭାଷା ଆରମ୍ଭ କରିଦେଲେ, ସୁନ୍ଦର ସାନ ସାନ ଚଢ଼େଇ ଦୋଓଟି, ନାଲି ନାଲି, ପୋଡ଼ା ଇଟା ପରି ନାଲି । ଦୁହିଁଙ୍କର ପକ୍ଷୀ ଫଡ଼ଫଡ଼ରେ ଦୁଇଟା ନିଆଁ ଯେପରିକି ଜଳିଉଠିଲା । ପିଓଟି ସେଇଆଡ଼କୁ ଅନଇ ତାଙ୍କର ଖେଳ ଦେଖୁ ଦେଖୁ ସତେକି ଆପଣାକୁ ପାସୋରି ପକେଇଲା, ତାର ଅନ୍ୟମନସ୍କ ହାତର ଆଙ୍ଗୁଠି ପିଠି ଉପରେ କେତେବେଳେ ମୋଟାମୋଟି ଗୋଟାଏ ତେଲେଙ୍ଗାବେଣୀ ଝୁଲେଇ ସାରିଥିଲା । ସେପାଖେ ସହସ୍ରଧାର ଜଳପ୍ରପାତର ଝାଇଁ ଝାଇଁ, ମୁହଁ ଉପରେ ଦୋ’ଟି ଚଢ଼େଇଙ୍କର ଘରକରଣା ଖେଳ, ପିଓଟି ବାସ୍ତବିକ୍ ଅଧେ ବୁଡ଼ି ସାରିଥିଲା, ଦିଉଡ଼ୁ ପିଓଟିକୁ ହିଁ ଲକ୍ଷ୍ୟ କରିଥିଲା । ୟାର ଚାଲିଚଳନ ସବୁ ନୂଆ, ଅଥଚ ହାତ ପାହାନ୍ତିଠୁ ବେଶୀ ଉପରେ ନୁହେଁ ବୋଲି ଦିଉଡ଼ୁର ମନେ ହେଉଥିଲା, ଏହି ନରମ ଦେହଟା, କେତେ ବା ୟାର ପ୍ରତିରୋଧ କରିବାର ଶକ୍ତି ହୋଇଥିବ । ନରମ୍ ଦେହ, ଉଷୁମ୍ ଦେହ, କଅଁଳ ତାର ସ୍ପର୍ଶ । ଟାଆଁସିଆ ରୁଢ଼ରୁଢ଼ିଆ ଝାଳୁଆ ମଣିଷର ଆଶ୍ରୟ ପାଇଁ ଉପଯୁକ୍ତ ଏହି । ଆଗେଇ ଗଲେ କ’ଣ କହିବ ? କିନ୍ତୁ ନା, ସାହସ ତ ହୁଏ ନାହିଁ ।

 

ଶିକାର କଥା ଦିଉଡ଼ୁର ମନେ ନ ଥିଲା, ଆପଣାର ଜଣା ମନର ଉଦ୍ଦେଶ୍ୟ ଭୁଲିଯାଇ ଅଜଣା ମନର ଦାରିଦ୍ର୍ୟ ପଞ୍ଚାକ୍ଷରରେ ସେ ଘାରି ହେଉଥିଲା । ଭାବୁଥିଲା କ’ଣ କଲେ ସେ ଝିଅଟିକୁ ଖୁସି କରିପାରିବ ।

 

ହଠାତ୍ ଢୁଢା ଗୁଡ଼ାଏ ଗୁଳି ଶବ୍ଦ ହେଲା, ଏକାଥରକେ ବାଜା ଟମକ ବଜେଇ ହୋହା କରି ଏପାଖୁ ସେପାଖୁ ଖୁନ୍ଦାଖୁନ୍ଦି ଲୋକ ଦୌଡ଼ିଲେ, ପୁରୁଷ ସ୍ତ୍ରୀ ଉପରେ ଆନନ୍ଦର ଚିତ୍କାର ଛୁଟିଲା, ତା ସଙ୍ଗେ ସଙ୍ଗେ ନାଚର ବାଜା, ଗୀତ, ସେଠି । ବକା ପରି ହୋଇ ବନ୍ଧୁକଟି କାନ୍ଧରେ ପକାଇ ଦିଉଡ଼ୁ ସାଓଁତା ସେହି ଆଡ଼କୁ ଦୌଡ଼ି ପଳାଇଲା । ପିଓଟି ହସିଲା ।

 

ଦିଉଡ଼ୁ ସାଓଁତା ଗଲାପରେ ପିଓଟି ଦେଖିଲା ଦିଉଡ଼ୁ ସାଓଁତା ତାର ବର୍ଚ୍ଛାଟି ଛାଡ଼ିଯାଇଛି-। ପିଓଟି ବର୍ଚ୍ଛାଟି ଉଠେଇ ନେଇ ହାତରେ ତଉଲି ଦେଖିଲା, ଖୁବ୍ ବୋଝ ଅଛି । ବର୍ଚ୍ଛାକୁ ହାତରେ ଧରିଲା, କାନ୍ଧରେ ପକାଇଲା, ବର୍ଚ୍ଛା ସଙ୍ଗରେ ଆପଣାର ଛାଲର ସ୍ପର୍ଶ ପିଓଟିକୁ ଭଲ ଲାଗିଲା, ଯେ ୟାକୁ ଧରେ, ଯେ ୟାକୁ ଚଳାଏ, ତାର ତାକତର ମାପ ପରିମାପ ୟେ । ହାତରେ ୟେ ଥିଲେ ତେଣିକି ସେ ନିର୍ଭୟ ବାଡ଼ି ଖଣ୍ଡେ ହାତରେ ଥିଲେ ସାହସ ଆସେ, ହାତକୁ ହତିଆର ମିଳିଲେ କେମିତି ଗୋଟାଏ ବଳୁଆ ଲାଗେ, ଛାତି ବେକଟା ସିଧା ସଳଖ କରି ଚାହାଣିରେ ସମସ୍ତିଙ୍କି ତଳକୁ ପୋତି ପୋତି ଚାଲିଲାପରି ଲାଗେ, ପିଓଟି ଭାବୁଥିଲା ।

 

ଲୋକ ଗହଳିରେ ପିଓଟି ମିଶିଗଲା ।

•••

 

ଅଣଚାଶ

 

ସେଦିନର ଶିକାରରେ ଦୋ’ଟି ହରିଣ ଗୋଟିଏ କୁଟ୍ରା ମାରିଥିଲେ, ସେଥିପାଇଁ ସମସ୍ତିଙ୍କର ମହାଆନନ୍ଦ । କୋକେଇ ବାନ୍ଧି ଫୁଲମାଳ ପକେଇ ମହାସମାରୋହରେ ଜନ୍ତୁମାନଙ୍କୁ ବୋହି ଲୋକେ ଗାଁକୁ ଫେରିଲେ । ପିଓଟିକୁ ଖୁବ୍ ଭଲ ଲାଗୁଥାଏ । ଗୋଷ୍ଠୀର ଜୀବନ ତାକୁ ଆପଣାର କରି ସାରିଥିଲା, ସେ ଭାବୁଥିଲା ଶିକାରର ସାଫଲ୍ୟରେ ତାର ବି ଭାଗ ଅଛି । ସମସ୍ତିଙ୍କର ଭାଗ ଅଛି । ଭାବୁଥିଲା ଏହି ତାଷ, ଶିକାର, ବଣ ଆଉ ଫୁର୍ତ୍ତିର ଜୀବନରେ ନିଜର ଆନନ୍ଦ ଅଛି, ବାଟରେ ପୁଣି ସମସ୍ତେ ମଦ ପିଇଥିଲେ । ପୁଣି ଟୋକାଟୋକୀ ନାଚିଥିଲେ, ଧରାପରା ହୋଇଥିଲେ । ଗାଁ ପାଖର ଝୋଲାକୁ ଗଡ଼ି ଯାଉ ଯାଉ ଅଣଓସାର ଗଡ଼ାଣି ବାଟରେ, ଯେଉଁଠି ଦୁଇପାଖେ ଦୁଇ କାନ୍ଥ ପରି ପଥର ଠିଆ ହୋଇଛି ଘଞ୍ଚ ଅରମା, କିଏ ଜଣେ ପଛରୁ ଆସି ତାର କାନ୍ଧ ଉପରେ ଓଜନ ହାତ ଚାପି ଦେଇଥିଲା, ପିଓଟି ଦେଖିଲା, ସେହି ସେ-ଦିଉଡ଼ୁ ସାଓଁତା ।

‘ଭଲ କଲୁ ମୋର ବର୍ଚ୍ଛାଟା ଖୋଜି ଆଣିଲୁ ନୁନି, କେଉଁଠି ଫୋପାଡ଼ି ଦେଇ ଆସିଥିଲି । ଗୋଦ୍ରି ଗାଁର ଅସଲ ଲୁହାରେ ତିଆରି ମୋର ବର୍ଚ୍ଛାଟା, ଆଉ ଜାଣିଛୁ, ଥରେ ବାଘ ଖାଇ ଗୋଡ଼େଇଲା ଯେ ତା ପାଟିରେ ମାଇଲି ଭୁଷାଏ, ଯେତେଥର ଧାଏଁ ସେତେଥର ତା ମୁହଁ ପାଖକୁ ବର୍ଚ୍ଛାଟା ଦେଖାଇ ଦିଏ ବାଘ ହଟିଯାଏ । ବର୍ଚ୍ଛାକୁ କାମୁଡ଼ି ପକେଇଥିଲା, ଲୁହା ଉପରେ ତାର ଦାନ୍ତର ଚିହ୍ନ ଅଛି ହେଇ ଦେଖ୍ ।’ ତାର ନିଜର ଅଭିଜ୍ଞତା କି ଆଉ କାହାରି ପିଓଟି ଭାବିବାକୁ ବେଳ ପାଇଲା ନାହିଁ । ବର୍ଚ୍ଛା ବଢ଼େଇଦେଲା । ବହୁତ ଲୋକ ଯକାଯକି, ଛାଇ ତଳେ ଅନ୍ଧାର । ତାର ଦେହରେ ଦେହ ଲଗେଇ ଦେଇ ସେଇ ଠେଲାଠେଲିରେ ଚାଲି ଲାଗିଛି ସେହି ଲୋକଟା, ଅନର୍ଗଳ ଗପୁଛି । କେତେବେଳେ ତାର କାନ୍ଧ ଉପରେ ଦୁଇଟା ବାହା ତଳକୁ ଓହଳି ପଡ଼ିଲା । ଭିଡ଼ ଭିତରେ ଅକଳରେ ପଡ଼ି ପିଓଟି ନ ଜାଣିଲାପରି ଚାଲିଥାଏ, ଦେହଟା ସରୁଥାଏ, ସେହିପରି ଅନ୍ୟମନସ୍କ ହୋଇ ପିଓଟି ଚାଲୁଥାଏ, କେତେବେଳେ ମନେ ହେଲା କାହିଁ ସମସ୍ତେ କେତେ ଆଗକୁ ଚାଲିଗଲେଣି ତ, ଭିଡ଼ ନାହିଁ, ସଞ୍ଜ ଆଗରେ ଜିକିଜିକି ଆଲୁଅରେ ବଣବୁଦାରେ ଶାନ୍ତି ଆସିଛି, ଭିଡ଼ ନାହିଁ ଅଥଚ ତାହା ପଛେ ପଛେ ସେହି ଲୋକଟା, ସେହିପରି ତାକୁ ଧରି ରହିଛି । ପିଓଟିର ଦେହର ମୋହ ଭାଙ୍ଗିଗଲା, ଛାଟିପିଟି ହୋଇ ସେ ପଳେଇଲା । ପଛଆଡ଼ୁ ଦିଉଡ଼ୁ ସାଓଁତାର ପାଟି ‘ପଳେଇଲୁ କାହିଁକି ? ହେ ନୁନି, ପଳେଇଲୁ କାହିଁକି ?’

ଦିଉଡ଼ୁ ସାଓଁତାର ଦେହ ଜଳୁଥାଏ । ଦଳ ଭିତରେ ଆହୁରି ଥରେ ଦେଖାଚାହାଁ । ପିଓଟି ଆପଣାକୁ ସମ୍ଭାଳି ନେଇଛି, ମୁହଁରେ ଆଖିରେ ସେହିପରି ଗୋଟାଏ ଦୂରର ଦୂରର ଅଚିହ୍ନା କାହାଣୀ । ଦିଉଡ଼ୁ ଗୁପ୍ତକଥା କହିଲାପରି ଆଗକୁ ଭରସି ଗଲା । କିଛି ନ ଜାଣିଲାପରି ନ ଚିହ୍ନିଲାପରି କଳିଂ ତଳ ଦେଶର ଠାଣିରେ ଚାଲିରେ ପିଓଟି ତାକୁ ଅଭିଭୂତ କରିଦେଲା । ତାର ଚାହାଣିରେ ଧକ୍କା ଖାଇ ଦିଉଡ଼ୁ ମୁଣ୍ଡ ପୋତି ତଳକୁ ହଟିଲା । ଭାବିଲା ସବୁ ଏ ଟୋକୀମାନଙ୍କର ମର୍ଜି, ଯେତେବେଳେଯାଏ ତାଙ୍କର ମନ ଥିବ ସେତେବେଳଯାକେ ଖେଳୁଥିବେ ଖେଳୋଉଥିବେ, ତା ପରେ ଆଉ ନାହିଁ, ଗୋଡ଼ରେ ଠେଲିଦେବେ ।

ପିଓଟିର ବ୍ୟକ୍ତିତ୍ୱର ଡାକ କେବଳ ମାଂସର ନୁହେଁ, ଦିଉଡ଼ୁ ସାଓଁତା ଅଭିଭୂତ ହୋଇଥିଲା ।

‘କିଛି ତ୍ରୁଟି ହେଉ ନାହିଁ ତ ଦିଉଡ଼ୁ ଭାଇ, ଆମ ଗାଁ କେମିତି ଲାଗୁଛି ?’ ହାର୍ଗୁଣା ସାଓଁତା ଦିଉଡ଼ୁକୁ ପଚାରିଲା । ଦିଉଡ଼ୁ ହସି ହସି ମୁଣ୍ଡ ଟୁଙ୍ଗାରିଲା ।

‘ତୁମେ ଏକା ଆସିଲ, ଟୋକୀଗୁଡ଼ାଙ୍କୁ ଆଣିଲ ନାହିଁ କାହିଁକି ? କ’ଣ ମନ୍ଦ ହୋଇଥା’ନ୍ତା-? ଆମର ଏଠି କ’ଣ ଚଳାଚଳ ସେତେ ଅସୁବିଧା ହୋଇଥା’ନ୍ତା ? ହେଇ ଦେଖ ଦିଉଡ଼ୁ ଭାଇ, ସେଇ ଟୋକୀଟା ଲୁଗାପଟା ଟିକିଏ ଆମପରି ପିନ୍ଧିଛି କିନ୍ତୁ ସେ ଏକଦମ୍ କଳିଙ୍ଗୀ, ସତର ବର୍ଷ ହେଲା ବିଦେଶରେ ବଢ଼ିଥିଲା, କାଲି ସଞ୍ଜରେ ଆସି ପହଞ୍ଚିଛି ତାର ମା ସାଙ୍ଗରେ । ଭଲକରି କଥା କହି ଶିଖୁ ନାହିଁ ।

ଆମର ସବୁ କଥାକୁ ନାକ ଟେକୁଛି କୁଆଡ଼େ, ସମସ୍ତେ କହୁଛନ୍ତି । ହେବାର କଥା ତ ସେହିପରି ଦିଉଡ଼ୁ ଭାଇ, ସେ ଦେଶର ଲୋକେ ଆମଠୁଁ ବେଶୀ ଖୁସିରେ ଅଛନ୍ତି, ବହୁତ ଜାଣନ୍ତି-। ନାରଣପାଟଣା ବାଟେ ମୋର ମାମୁଁ ଘରକୁ ଗଲେ ବାରମ୍ବାର ମୁଁ ସେଇକଥା ଦେଖେଁ । କ’ଣ କରିବା, ଆମରିପରି ସେଠି ଏତେ ବଣ ନାହିଁ ତ, କି ଏତେ ଶୀତ ନାହିଁ, ସେ ଦେଶର କନିଆଁକୁ ମାଂଗ୍‌ଣି କଲେ ନାହିଁ କରିଦେବେ, କହିବେ ଏଡ଼େ ଶୀତକୁ ଆମେ ଯିବୁ ନାହିଁ । ତାଙ୍କର ଖୋଲା ଜାଗା, ଭୂଇଁ ବେଶୀ ପାଚିଦିଏ, ସେଠି ରୋଟୁ ଅଛି, ଗାଡ଼ି ଅଛି, ଅଧିକାରୀମାନେ ଅଛନ୍ତି, ସେଥିପାଇଁ ସେମାନେ ଆମଠୁ ଉଞ୍ଚରେ, ତାଙ୍କର ଦେଖି ଆମେ ଝରସରି ହେଲେ କ’ଣ ଭଲା, ନା କ’ଣ ?’

ଦିଉଡ଼ୁ ସାଓଁତା ଦେଖୁଥିଲା, ହେଇ ସେଠି ପିଓଟି ଚାଲିଯାଉଛି । ଏତେ ତ ଏ ଗାଁର ଝିଅ ଅଛନ୍ତି କେମିତି ବାରିହୋଇ ପଡ଼ୁଛି । କେଡ଼େ ସୁନ୍ଦର ଭାସିଗଲା ପରି ଚାଲିଟି, କେଡ଼େ ସୁନ୍ଦର ତାର ସବୁ କଥା । ବାରିହୋଇ ପଡ଼ୁଛି ପିଓଟି,-ଦିଉଡ଼ୁ ସାଓଁତା ଭାବୁଥିଲା କି ଦୁଃଖରେ ପୁୟୁକୁ ସେ ବିଭା ହୋଇଥିଲା, ତାର କ’ଣ ଦେଖିକରି । ପୁୟୁ ଆଉ ପିଓଟି-ସେ ଦୀର୍ଘନିଶ୍ୱାସ ପକେଇଲା, ଜଣକର ସାହଚର୍ଯ୍ୟରେ ଗୃହସ୍ଥର ବ୍ରହ୍ମଚର୍ଯ୍ୟ ଆସେ । ପୁଣି ମନେହୁଏ ସବୁ ଉଜାଡ଼ି ଦେଇ ବସିବାକୁ, ଆଉ ଆରକ,-ଶଳ୍ପ (ଶୁକ୍ରତରା) ପରି ଜଳି ଲାଗିଥାଏ ଦିଗ୍‌ବଳୟରେ, ଉତ୍ସାହ ଆଣେ, ବଳ ଆଣେ; ଅସାଧ୍ୟ ସାଧନ କରି ଜୀବନଟାକୁ ଜୀବନପରି ଉପଭୋଗ କରିବାକୁ ।

•••

 

ପଚାଶ

 

ମିଣିଆପାୟୁ ଗାଁରେ-

 

ଚାରିଦିନ ଶିକାର ମଦ ନାଚ ଫୁର୍ତ୍ତି ପରେ ଗାଁଟା ଶୂନା ପଡ଼ି ଯାଇଥାଏ, ଶୂନା ଆଉ ମାନ୍ଦା, ଚାରିଦିନର ନାଚର କ୍ଳାନ୍ତି ଭାଙ୍ଗିବା ପାଇଁ ଧାଂଡୀମାନେ କସରା ଆଖି ଉପରେ ଟଣକା ଆଖିପତା ଆଉଜେଇ ଦେଇ ଘୁଙ୍ଗୁଡ଼ି ମାରୁଥା’ନ୍ତି । ପୁବୁଲି ଘରେ ଶୋଇଥାଏ, ପୁୟୁ ହାକିନାକୁ କାଖେଇ ବସି କ୍ଷୀର ଖୋଉଥାଏ । ସଞ୍ଜ ଆଗରୁ ଚାରିଆଡ଼ ମଲା ନିର୍ଜୀବା । ଗାଁର ଗୋରୁ ଘରକୁ ଫେରୁଥା’ନ୍ତି, ଫିକା ଧୂଳି । ବଣ କନ୍ଦରାରେ କୁଟ୍ରା ଘୁମୁରୁଥାଏ, ବଡ଼ ଉଦାସ ଆଉ କରୁଣ ତାର ସ୍ୱର-। ଘଡ଼ିଏ ଗଲେ ସଫା ଜହ୍ନଟା ଉଇଁବ, ଟାପରା କରି କହିବ କ’ଣ କରୁଛ ? କେମିତି ଅଛ ? ମଣିଷ ଜନମ ନେଇ ମଣିଷ ଜୀବନର ଆନନ୍ଦରୁ କେତେ ଭାଗ ତୁମେ ଭୋଗ କରି ସାରିଲଣି ଆଉ କେତେ ଭାଗ ଅଛି ?

 

ଜାମିରି କନ୍ଧର ବୁଢ଼ୀ ତାର ବରର ଲୁଗା କାଚୁଥିଲା । କହିଲା, ‘ସାଓଁତା କେବେ ଆସିବ କହିଯାଇଛି ବୋହୂ ?’ ‘କାହିଁ ମୁଁ ଜାଣି ନାହିଁ ତ ।’ ବୁଢ଼ୀ ଆଶ୍ଚର୍ଯ୍ୟ ହେଲା ପରି କହିଲା, ଜାଣି ନାହୁଁ କ’ଣ, ତତେ କହି ଯାଇ ନାହିଁ ?’ ପୁୟୁ କିଛି ଉତ୍ତର ଦେଲା ନାହିଁ । ବୁଢ଼ୀ କହିଲାଗିଲା, ‘ଭାଗେ ପୁରୁଷ ଅଛନ୍ତି ସେହିପରି ସେମାନେ, ବୁଲିଯିବେ କହିଯିବେ ନାହିଁ କୁଆଡ଼େ ଯାଉଛନ୍ତି କେତେବେଳେ ଆସିବେ, ଏଣେ ମଣିଷ ଧନ୍ଦି ହେଉଥିବେ ତେଣେ ତାଙ୍କ ବାଟରେ ସେ । ବଡ଼ ଖରାପ, ଭାରି ଖରାପ । ଆମର ବୁଢ଼ା ସେମିତି ନୁହେଁ । ହେଇ ଦେଖୁନ, ଏତେ ଲୋକ ଗଲେ ବୁଢ଼ା ଗଲା ନାହିଁ । କହିଲି ଯା, ମଉଜ କରି ଆସିବୁ ଯା, ବରଷକେ ଥରେ ତ । କ’ଣ କହିଲା ଜାଣୁ ? କହିଲା ବରଷକେ ଥରେ ଯେ ସେ ଖାଲି ଆସେ ଚାଲିଯିବା ପାଇଁ, ତା ପଛରେ ଗୋଡ଼େଇ କ’ଣ ହେବ ? ଖାଲି ଦରଜ ଘୋଳା ବିନ୍ଧା । ତୁ ନ ଗଲେ ସେ ବି ଭଲ ଲାଗିବ ନାହିଁ । ତା ଅପେକ୍ଷା ଆମର ବୁଢ଼ାବୁଢ଼ୀ ଏକାଠି ଏଇ ଗାଁରେ ଚଇତ ପାଳୁଥିବା, ତୁ ମୋ ପାଖରେ ଥିବୁ, ମୁଁ ତୋ ପାଖରେ ଥିବି ।’ କହିଲାବେଳେ ବୁଢ଼ୀର ମୁହଁ ଉପରେ ହସରେ ହସରେ ସାନ ସାନ ଲହଡ଼ି ଖେଳୁଥାଏ, ଟୁବି ଗଡ଼ିଆରେ ବେଙ୍ଗଡିଆଁ ଟିକି ଢେଉପରି ବୁଢ଼ୀର ଆଖି ଝଲସି ଉଠୁଥାଏ ଗର୍ବରେ-

 

ଶୁଣି ଶୁଣି ପୁୟୁ ତାର ପୁଅକୁ ଆଉଁଶୁଥାଏ, ଭବିଷ୍ୟତ୍‍ରେ ଏଇ ଟିକକ କେବେ ମଣିଷ ହେବ, ତେବେ ଯିବ ତାର ଦୁଃଖ, କାହାର କାହାଣୀରେ ତାର ଥାଏ କ’ଣ ?

 

ପର୍ବର ବାଜା ବାଜି ଆସେ ଆଖପାଖ ଗାଁରୁ, ମନର ସରୁ ସରୁ ଖିଅଗୁଡ଼ାକ ଧରି ଆଲରା କରି ପକାଏ, ଦୂରରୁ କାହାର ଉଲ୍ଲାସର ଗୀତ କୁହାଟ, କେଉଁ ବାଟୋଇ ଚଇତର ମହୁରେ ମନ ଭର୍ତ୍ତିକରି ଉଡ଼ି ଚାଲିଛି । ପୁୟୁ ଭାବେ, ଝୁରି ହୁଏ ସେତିକିବେଳେ । ତଳକୁ ମୁହଁପୋତି ପିଠି ପଥର କରି ମଡ଼ା ବାଟରେ ଚାଲିବାର ଘୁଙ୍ଗାପଣ ଉଭେଇଯାଏ କୁଆଡ଼େ, ଯେତେ ମନକୁ ସମ୍ଭାଳିବାକୁ ଖୋଜିଲେ ବି କାହିଁକି ଅକାରଣରେ ମନେପଡ଼େ, ମଣିଷ ମଣିଷ, ମଣିଷ ହସ କାନ୍ଦର ଆଲୁଅ ଛାଇର ମଣିଷ, ସେ କେବଳ ଅବସ୍ଥାର ଦାସ ନୁହେଁ, ଗୋଷ୍ଠୀର ଛେଚା ପିଟା ମତବାଦର ଦାସ ନୁହେଁ, ତାର ଅନୁଭୂତି ଅଛି । ପୁୟୁ ହାତ ପିଠିରେ ଲୁହ ପୋଛେ, ହାକିନା ମା’ ଦୁଧରେ ମୁହଁ ଲଗେଇ ଦେଇ ସଂସାର ଆଡ଼କୁ ପିଠି କରି ଝୁଲି ପଡ଼ିଥାଏ, ମାର ଆଖିର ଲୁହ ସେ ଦେଖେ ନାହିଁ ।

 

ପୁୟୁ ଭାବୁଥିଲା, ସଂସାରର ସାଧାରଣ ମଣିଷ ଯେପରି ଭାବନ୍ତି, ସେ ଭାବନାର ଆରମ୍ଭ ଶେଷ ନାହିଁ, ତର୍କର ସୂତା ଗୁନ୍ଥା ହୋଇ ନାହିଁ ତହିଁରେ, କେବଳ ମେଞ୍ଚାଏ ଧୂଳିମଳିମିଶା ପବନର ହୁ ହୁ, ମନ ଭିତର ଘାଉଁ ଘାଉଁ କରେ, ଦେହର ସୂକ୍ଷ୍ମ ଅଂଶାଣୁ ଉପରେ ଖେଳେ ତାର ପ୍ରକ୍ରିୟାର ଫଳିତ ଛବି । କେତେ ଅଧାତିଆରି ମନର କଥା, କେତେ ସ୍ମୃତି ତହିଁରେ, ସବୁ ମିଶିଯାଇ ଆଉଟି ହୋଇଆସେ ଗୋଟାଏ ମନର ଭାବନା, ଆଖିର ଚାହାଣିର ଗୋଟାଏ ରୂପ, ମୁହଁର ଗୋଟାଏ ବନ୍ଧା ଠାଣି ।

 

ଏହିପରି ପାଗ କେବେ ହୋଇଥିଲା । ସାହିର ଭଉଣୀ ଶରଧାରେ ବସି ମୁଣ୍ଡ ବାନ୍ଧି ଦେଉଥିଲା, ଗାଲରେ ଚିକ୍‍କଣ କରି ବୋଳି ଦେଉଥିଲା ଜଡ଼ାତେଲ ହଳଦୀ, ମାଠି ମାଠି ଦେଖୁଥିଲା କାଚପରି ଦିଶିଲା କି ନାହିଁ । ଅଣ୍ଟାଯାକେ ଖୋଲା କନ୍ଧୁଣୀଦେହ ତାର ଝଟକି ଉଠୁଥିଲା ସାନ ଖରାର ଚଂ ଚଂ ଆଲୁଅରେ । ତଳେ ମେଞ୍ଚାଏ ଫୁଲମାଳ, ମୁଣ୍ଡ ବାନ୍ଧିସାରି ଦେହ ମାଠିସାରି ସହୀ ତାର ଗଳାରେ ଗଭାରେ ଫୁଲ ନାଇଦେବ । ଦୁଆରେ ଚାହିଁ ବସିଛନ୍ତି କେଉଁମାନେ ତୁଣ୍ଡରୁ ପଦେ କଥା ଶୁଣିବାକୁ, କିଏ ଯାଉଛି ଆସୁଛି ବାରେଇ ହେଉଛି କେତେ ଛଟକରେ ଦର୍ପଣରେ ତାର ଛାଇ ପଡ଼ି ଯାଉଛି, ଓଠରୁ ହସ ଓଟାରୁଛି ଯେତେ ମୁହଁ ଲଦିଲେ ବି । ମା ଠିଆହୋଇ ରହିଛି ପଛଆଡ଼େ, ଏକାଜିଦ ଧରିଛି ‘ନା ତୋର ପେଟ ପୂରି ନାହିଁ, ଆଉ ଗଣ୍ଡିଏ ଖାଇକରି ଯା ଖାଇକରି ଯା ।’ ଦୁଆରେ ସେ କିଏ-ଜାଣି ଜାଣି ଘାଗଡ଼ା ଗଳାକୁ କଅଁଳ କରି ସ୍ୱରଧରି ଡାକୁଛି ‘ପୁୟୁ ପୁୟୁ ହେଇତି ନେ ମକା ଯୋଡ଼ିଏ ଆଣିଛି ।’ ହସ ଆନନ୍ଦ ମଣିଷର ଅସରନ୍ତି ଆଶା । କେବେ ବାପଘରେ ଝିଅ ହୋଇଥିଲା ସେ, କୁଆଡ଼େ ଗଲା ସେ ଦିନ । ଯୌବନ କାହିଁ ? ସ୍ୱାସ୍ଥ୍ୟ କାହିଁ ? କ’ଣ ହେଇଯାଉଛି ଏ ଦେହ ଦିନୁଁ ଦିନ କେଉଁ ଚୁଲିରେ ପଶୁଛି ଆହା !

 

ପୁୟୁ ନିରାଶ ହୋଇଥିଲା । ବୁଝିଥିଲା, ସବୁ ଯାଇଛି ଆଉ ଫେରାଇ ଆଣି ହେବ ନାହିଁ ଯେତେ ଚେଷ୍ଟା କଲେ । ଏଣିକି ପୁରୁଷ ତାର ଆୟତ୍ତାଧୀନ ନୁହେଁ । କିନ୍ତୁ ଏଡ଼େ କଠିନ ସତକଥାଟା ମୁଣ୍ଡ ଭିତରକୁ ଯେତେ ଗଳେଇଲେ ବି ଅଧାରୁ ଅଟକିଯାଏ, ଅଧାରୁ ଭାଙ୍ଗିପଡ଼େ । ପୁରୁଷ ଆୟତ୍ତାଧୀନ ନୁହେଁ, ତେବେ କାହିଁକି ଏ ପିଲାଟା, ଏଇ ହାକିନା କିଏ ୟେ ? ସବୁ ନିଷ୍ଠୁର କଥା କଠୋର କଥାର ମୁର୍ତ୍ତିମନ୍ତ ଅବିଶ୍ୱାସର ପିଣ୍ଡୁଳା । ପିଲାଟା ହସେ, ଦି ହାତ ହଲେଇ ଆଞ୍ଚୁଡ଼ି ପକାଏ, ବାଡ଼େଇ ପକାଏ । ଏତିକିରେ ତାର ସଂସାର ଭର୍ତ୍ତି, ଏଇ ପିଲାର ସାଓଁଳା ଶୀତଳ ଦେହରେ ହାତ ବୁଲେଇଲେ ସଂସାରର ଆରପାଖଟା ଭୁଲିହୁଏ । ପୁୟୁ ତାର ଦେହର ଗୋଟାଏ ଗୋଟାଏ ଅବୟବ ଓଟାରି ଓଟାରି ପିଲାକୁ କିଲି କିଲି କରେ, ମା ହସେ ପିଲା ହସେ । ମା’ର ଦର୍‌ହଭଙ୍ଗା ମନ ଯୋଡ଼ି ହୋଇଯାଏ ।

 

‘କ’ଣ ଏତେ ହସାହସି ଲଗେଇଛୁ ମ ପୁୟୁ, କିଲୋ କ’ଣ ହେଲା କି ?’ ପୁୟୁ ରୋକିନେଲା । ନିଦ ମଳ ମଳ ଆଖିରେ ପୁବୁଲି । ପୁବୁଲି ଠିଆହୋଇ ଭିଡ଼ିମୋଡ଼ି ହେଲା, ହାଇ ମାଇଲା । ଏଣିକି ଭାବନାର ଦିଗ ବଦଳିଗଲା । ସେହିପରି ପୁବୁଲି ଠିଆ ହୋଇଥାଏ, ଭାରିଭାରି ମୁହଁରେ ହସରେ ଯୋଗଦେବାକୁ ମନକରି ଗୋଳେଇ ମିଶେଇ କହୁଥାଏ, ‘ମଲା ବନ୍ଦ ହୋଇଗଲୁ କାହିଁକି ମ’ କ’ଣ ହେଲା କହ କହ ।’ କାଲିକାର ଟୋକୀ ପୁବୁଲି ଆଜି କେଡ଼େଟାଏ ହୋଇଗଲାଣି । ଯେପରିକି ସୁସ୍ଥ ସବଳ ମୋଟସୋଟ ହୋଇ ଗୋଟାଏ ଫୁଲଗଛର ଲଟା ତହିଁରେ ପତ୍ରବିଛାବିଛି ଚାରିଖଣ୍ଡ ଡଙ୍କ ବଡ଼ ବଡ଼ ଚାରିପେନ୍ଥା ଫୁଲ, ଗଣ୍ଠିଏ ଗଣ୍ଠିଏ ଫୁଲ, ସେହିପରି ସେ । ଗୋଡ଼ ଫରକଟେଇ ଦିହାତ ଫଡ଼କେଇ ଦେଇ ଅଳସ ମାରିବାକୁ ଯେତେବେଳେ ସେ ଠିଆ ହୋଇଥାଏ ଦୃଷ୍ଟିରେ ପଡ଼େ ସେହି ଟାଣ ଲଟାର ଡୋରି, ଶିଆଳୀମାଳ ପରି, ବଣର ‘ପାଏର୍‌ମାଳ’ ଫୁଲପରି ସେହି ଫୁଲ ପେନ୍ଥାଗୁଡ଼ାକ, ବାଟର ବାଟୋଇ ଯାହାକୁ ଅନେଇ ଦେଖିବାକୁ ଖୁସିପାଏ । ପୁୟୁ ଆଖିରେ ଆଖିରେ ପୁବୁଲିର ବଳ କଷୁଥିଲା, ଆପଣାର ମନଟା ଦବି ଦବି ଯାଉଥିଲା ଅତି ତଳକୁ । ଏଇ ସ୍ୱାସ୍ଥ୍ୟ, ଏଇ ଯୌବନ, ଏଇସବୁ । ଆଉ ସେ,-ଗୋଟାଏ ଫମ୍ପା ଖୋଳପା । ଭିତରୁ ଆଉ ଗୋଟାଏ ଜୀବନ ପଦାକୁ ଗାଭିଲି ପକେଇ ପୋଲାହେଇ ପଡ଼ି ରହିଛି ଯେ ମାଟି ସଙ୍ଗେ ମିଶିବାକୁ-। ମନ ସ୍ୱୀକାର କରେ ନାହିଁ ପୁବୁଲି ସଙ୍ଗରେ ତାର କୌଣସି ବାଦ ଅଛି ବୋଲି, ପୁବୁଲି, ତାର ସ୍ନେହର ପୁବୁଲି,-କିଏ ଏତେ ଭଲପାଏ ତାକୁ ପୁବୁଲି ବିନା ? ଅକାରଣରେ ମନଟା ଦବିଯାଏ ମନଗହୀରର ସୂଚନା ଯେତିକି ପ୍ରକାଶ ସେତିକି ।

 

‘ସେମିତି ମୁହଁଟାକୁ ଲଦି ରହିଲୁ କାହିଁକି ପୁୟୁ ? କେଡ଼େ ସୁନ୍ଦର ହସୁଥିଲୁ, ଆଜିକାଲ ତୋ ମୁହଁରେ ହସ ଦେଖିବା ହେଲାଣି ସାତ ସପନ, ନୁହେଁ ଲୋ ପୁୟୁ ?’

 

ପୁୟୁ ପୁଣି ଅନ୍ୟମନସ୍କ ହେଲା, ଏହି କଥା ପଦକ-ମନେପଡ଼େ କେତେ କଥା ତହିଁରେ-କିଏ କେବେ କହିଥିଲା ଏହି କଥା ? ଅଭିମାନ କରି-ସ୍ନେହୀଜନ-ପୁୟୁ ଜନ୍ମ ଇତିହାସର କେଉଁ ଯୁଗରେ ସେ-ମନେ ନାହିଁ । କିନ୍ତୁ କହିଥିଲା । ମୁହଁ ଉପରେ ଛଟ୍ କରି ଛାଇ ଚାଲିଗଲା । ତା’ପରେ ପୁୟୁ ଆଶ୍ୱସ୍ତ ହେଲା । ଟାଣି ଓଟାରି ନିଜକୁ ପ୍ରସ୍ତୁତ କଲା ।

 

ପୁୟୁ କହିଲା, ‘ଏତେ ଜଲ୍‌ଦି ଉଠିପଡ଼ିଲୁ କାହିଁକି ମଁ ପୁବୁଲି, ଆଉ ଟିକିଏ ଶୋଇଲୁ ନାହିଁ ?’

 

ଏଥର ପୁବୁଲିର ବଳ ପାଇଲା । ଜୋର୍ କରି କହିଲା, ‘ଭୋକ କରୁଚି, କ’ଣ ଗଣ୍ଡାଏ ଦେ ।’ ପୁୟୁ କହିଲା, ‘ରଇଥା ଟିକିଏ, ପିଲାଟା ଦୁଧ ଖାଇସାରୁକି - ‘ ବାଉଳା ହେଲାପରି ପୁବୁଲି ଚଟ୍‌ଚଟ୍ କରି ଭାଉଜ ପିଠିରେ ମାଇଲା, ଲୁଗାକୁ ଓଟାରିଲା । କହିଲା, ‘ଆଉ ରଇଥା ରଇଥା କ’ଣ, ଦଉନୁ ଗଣ୍ଡାଏ - ‘ପୁୟୁ କହିଲା-’ ଏଡ଼େ ତରତର କାହିଁକି ମ, ଟିକିଏ ରହ । ଖାଇସାରି କୁଆଡ଼େ ଯିବୁ କ’ଣ କାହାକୁ କଥା ଦେଇଛୁ ?’ ପୁବୁଲି କହିଲା, ‘ତୁ କଥା ଦେଇଛୁ ତୁ ଯିବୁ ।’

 

‘ମୁଁ ଯିବି ?-ତେବେ ତତେ ସମ୍ଭାଳିବ କିଏ ? ହଇଲୋ ପୁବୁଲି ଗଲୁ ନାହିଁ କାହିଁକି ତୋ ଭାଇ ସାଙ୍ଗରେ, ସେମାନେ ପରା ବନ୍ଦିକାର ଯିବେ କହୁଥିଲେ-’

 

‘ତୁ ଗଲୁ ନାହିଁ ?’

 

‘ମୁଁ ଯାଆନ୍ତି ? ମୋର କ’ଣ ସେଦିନ ଆଉ ଅଛି, କହିଲୁ । ମୋର ଯୋଉ ଶିରୀ-ପଦାକୁ ବାହାରିଲେ ଲୋକ ମିଛରେ ଭେଟଣା ହେବେ । ଆମେ ଡୋକ୍ରୀଲୋକ, ଆମର ଏଇ ଚୁଲିମୁଣ୍ଡ । ନାହିଁ ସତେ ମ, ଗଲୁ ନାହିଁ କାହିଁକି, ମୁଁ ସେଇଆ ଭାବୁଚି, କୋଉଠି ଚିନ୍ତାରେ ଗାଲରେ ହାତଦେଇ ବସି ଭାବୁଥା’ନ୍ତୁ ନା, ଖାଲି ନିଶ୍ଚିନ୍ତ ନିଘୋଡ଼ ନିଦ । ତୁ ଆଉ ଖାଇବୁ କ’ଣ ତୁ ଯା ବସି ଚିନ୍ତାକର ।’

 

ପୁବୁଲି ହସୁଥିଲା । କହିଲା, ‘ତୁ ଭାରି ଚିନ୍ତା କରୁଥିଲୁ ମୋ ଭାଇ ପାଇଁ ନୁହେଁ ଲୋ ?’

 

ପୁୟୁ କହିଲା, ‘ତୁ ଦେଖି ନୋହୁଁ ପରା, ସେଇଥିପାଇଁ କହୁଚୁ । ତୋ ଭାଇ ପାଇଁ ଚିନ୍ତା ନ କରୁଥିଲେ ତୋରି ପରି ତ ଶୋଇ ରହିଥା’ନ୍ତି ଆଉ ଚେଇଁ ଥା’ନ୍ତା କିଏ । ହଉ ତୁ ଟିକିଏ ପୁଅକୁ ନେଲୁ, ମୁଁ ଖାଇବାକୁ ଦେବି ।’ ପୁବୁଲି ହାକିନାକୁ ଧରି ଅନ୍ୟମନସ୍କା ହୋଇ ବସି ରହିଲା ।

 

ଏଡ଼ିକି ବକଟେ ପିଲା, ଏଇ କୁଆଡ଼େ ତାର ବାପର ଆତ୍ମା । କାହିଁ କେଉଁପରିଟା ତା ବାପର, କିଛି ତ ଦିଶୁ ନାହିଁ, ପିଲାଟା ଆଉ କାନ୍ଦୁ ନାହିଁ ତା ପାଖରେ, ପିଲା ବି ବୁଝିଲାଣି ଏଇମାନେ ତାର ସଂସାରର । ଘର ଭିତରୁ ଖୁଡ଼୍‌ଖାଡ଼୍ ଧୁଡ଼୍‌ଧାଡ଼୍ ଶୁଭିଲା, କୁଆଡ଼େ ଥିଲା ଦସ୍ରୁ କୁକୁର ଝାଡ଼ିୁଝୁଡ଼ି ହୋଇ ଆସି ପହଞ୍ଚି ମୁହଁକୁ ଅନେଇଁ ଲାଙ୍ଗୁଡ଼ ବାଡ଼େଇଲା । ତାର ଦେହରୁ ଜାତି ଛାଡ଼ୁଛି ଏ ଗରମରେ । ଦିନଯାକ ଶୋଇ ରହିବାରୁ କି କ’ଣ ପୁବୁଲିକୁ ଆଦୌ ସୁଖ ଲାଗିଲା ନାହିଁ । ଭିତରୁ ପୁଣି ଖୁଡ଼୍‍ଖାଡ଼୍‍ ଧଡ଼୍‌ଧାଡ଼୍, ତାର ତାଳେ ତାଳେ ଦସ୍ରୁ କୁକୁରର ଲାଙ୍ଗୁଡ଼ ବାଡ଼ିଆ । ସବୁ କାନ୍ଦୁରା କଥା ମନର ସବୁ ଭିକାରୀପଣିଆ ମନେପଡ଼ିଲା ପୁବୁଲିର ସେ ପରବରୁ ଏ ପରବ କେତେଦିନ ସେ ବସି ହିସାବ କଲା । ସଞ୍ଜ ବୁଡ଼ିଯାଉଛି, କୁଆଡ଼େ କିଛି ସୋର ଶବଦ ନାହିଁ ଏହିପରି ଦିନଗୁଡ଼ାକ କଟି ଯାଉଛି । କେଉଁଠି କଳରେ ମୁର୍ଚ୍ଚା ଧରିଛି, ପର୍ବର ଆନନ୍ଦ ଭିତରେ କେଉଁଠି ଗୋଟାଏ ବିଦାବିଦିର ଦୁଃଖ ଲୁଚି ରହିଛି । ଯହୁଁ ଯହୁଁ ଆଲୁଅ ନିଭି ନିଭି ଆସିଲା ତହୁଁ ତହୁଁ ପୁବୁଲିର ମୁଣ୍ଡ ଉପର ଭାରିଭାରି ଲାଗିଲା, ଆସୁଛି ଏଇ ରାତି, ଏଇଥିରେ ବୋଧହୁଏ ସବୁ ଶେଷ । ପୁବୁଲିର ସରାଗ ନିଭି ଯାଇଥିଲା ।

 

ହାଣ୍ଡିଶାଳରେ ପୁୟୁ ଚୁଲି ଲଗେଇଲାଣି କିଛି ଗୋଟାଏ କରି ନ ଦେଲେ ସେ ଖାଇବାକୁ ଦେବ ନାହିଁ । ସବୁଦିନେ ସେହିପରି ସେ, ଖଟି ମରିବାକୁ ଭଲପାଏ । ପୁବୁଲି ଭାବୁଥିଲା । ‘ହଇଲୋ କ’ଣ ଏତେ ଭୋଜି ରାନ୍ଧୁଚୁ ମଁ, ତତେ ଏତେ ମାଡ଼ିପଡ଼ୁଛି କାହିଁକି ।’

 

ରୋଷେଇ ଘର ଚେଁ ଚେଁ ସାଇଁ ସାଇଁ, ସେହି ତାର ଜବାବ୍ । ତାର ଉଡ଼ନ୍ତା ମନ ବସା ବାନ୍ଧିବାକୁ ଖୋଜୁଥିଲା, ପୁବୁଲି ଭାବୁଥିଲା ପୁୟୁର ଦିନ ଭଲ ଯାଉ ନାହିଁ ।

•••

 

ଏକାବନ

 

ସେହି ସଞ୍ଜରେ, ପୁଣି ଗାଁ ଭେରାମଣରେ ବରଗଛ ଫାଙ୍କରେ ଜହ୍ନଆଲୁଅ ବିଞ୍ଚିହୋଇ ପଡ଼ିଲା, ନିତିଦିନର ଅଭ୍ୟାସ ଅନୁଯାୟୀ ତାହାରି କଣିକା ଗୋଟେଇ ମନରେ ସାଇତିବା ସକାଶେ ଝଙ୍କାଗଛ ତଳେ ମଣିଷ ରୁଣ୍ଡ ହେଲେ । ଜହ୍ନରାତିରେ ଧୂଳି ଉଡ଼େଇ ନାଚିବାକୁ ପାଦ ଉଠୁଛି ମନ ଥରୁଛି, କିନ୍ତୁ ନଚେଇବାକୁ ଟୋକାଏ ନାହାନ୍ତି ଯେ, ତାଙ୍କୁ ଅପେକ୍ଷା କରି କରି ସମୟ ଢଳା ହେଉଛି ମାଟିରେ ପାଣି ପରି, ଏଣେ ନାଚ ବନ୍ଦ ହେଲା, ଶିକାର ବୁଲା ବନ୍ଦ ହେଲା, ଟୋକୀମାନଙ୍କ ମନ ଛକପକ । ସେହି ଆଲୋଚନା ପଡ଼ିଥିଲା ମଝିଦାଣ୍ଡରେ, ‘ଆଉ ଟାକି ବସିଥିବା କେତେଦିନ, ନ ହେଲାବେଳକୁ ବୁଢ଼ା ଦି ତିନିଜଣଙ୍କୁ ଧରି କାଲି ବାହାରି ପଡ଼ିବାକୁ ହେବ । ପର୍ବର ବୁଲା ତ, ଏକା ଝିଅ ପଞ୍ଝାଏ ଗଲେ ଚଳିବ, ଯେଉଁ ଗାଁକୁ ଗଲେ ସେ ଗାଁରେ ଆଦର, ଟୋକାଏ ଫେରନ୍ତୁ ଦେଖିବେ ନାଚ ପାଇଁ ଲୋକ ନାହାନ୍ତି ।’ ବୁଢ଼ାମାନେ କହୁଥାନ୍ତି, ‘ଠିକ୍ କଥା ଠିକ୍ କଥା ।’ ଟୋକା ଟୋକୀ ଦୁଇ ପକ୍ଷ ନ ହେଲେ ନାଚ ଅସମ୍ଭବ । ବୁଢ଼ାମାନଙ୍କର ମଦୁଆ ବକ୍ତୃତା, କାହାର ପଡ଼ିଛି ହାଲୁକା ଶଳ୍‌ପ ମଦ, କେବଳ ଗୀତ ଗାଇବାକୁ ଇଚ୍ଛା ହେଉଛି, କାହାର ବା କଡ଼ା ମହୁଲ ମଦ, ଖାଲି ନାଚ ମାଡ଼ୁଛି । ଥାଇ ଥାଇକା ପଙ୍ଗତ ଆଗରେ କିଏ କେତେ ବୁଢ଼ା ଗୋଟି ଗୋଟିକିଆ ହୋଇ ନାଚି ନାଚି ତଳେ ପଡ଼ୁଛନ୍ତି । କେବଳ ବେହେଲ, ହସାହସି, ଗଡ଼ାଗଡ଼ି ।

 

ଦୁଇଜଣ ବୁଢ଼ା, ଲେତା ଆଉ ଆର୍ଜ୍ଜୁ ପରସ୍ପରକୁ ଟୋକା ଟୋକୀ ବୋଲି ଧରିନେଇ ଦୁଇ ପ୍ରକାର ନାଚ ଦେଖୋଉଛନ୍ତି, ଜଣେ ବୋଲୁଛି ଧାଂଡାର ଗୀତ ଆଉ ଜଣେ ଧାଂଡୀର । ‘ଆଦ୍ଦାଦ୍ଦା କେଡ଼େ କେଡ଼େ ନିଶ ମୋର ଧାଂଡୀର ବାଃ-’ ‘ଆହୁରି ବଡ଼ ଥିଲା ଗୋ, ଦାଆ ଧରି କାଟିପକେଇଲି ସେଦିନ ।’ ଏହି ବେତାଳ ନାଚକୁ ସାନ ପିଲା ପଞ୍ଝାଏ ବେତାଳିଆ ବାଜା ବଜୋଉଛନ୍ତି, ଢୋଲ ଉପରେ ଦିଜଣ କିଏ ବଇଁଶୀ ବଜୋଉଛନ୍ତି ଛଅ କଣାର ଦିହାତିଆ କନ୍ଧ ବଇଁଶୀ ।

 

ଠିକ୍ ଏତିକିବେଳେ ଦୂରରୁ କାହାର ପାଟି ଘୋ ଘୋ ଶୁଭିଲା । ପଞ୍ଝାଏ ଲୋକ ଅବଶ୍ୟ, ଜହ୍ନ ରାତିରେ କୁଆଡ଼େ ମିଶିଯାଇଛନ୍ତି ବାରି ହେଉ ନାହିଁ । କିଏ ଜଣେ କହିଲା, ‘ଜୁରିଆ (ଡକେଇତ)’ । ମଦୁଆ ଦିଜଣ ପାଟିକଲେ ‘ଜୁରିଆ-ଜୁରିଆ ।’ ‘ସତକୁ ସତ ଜୁରିଆ ହୋଇଥିଲେ କ’ଣ କରିବୁ ପାଣ୍ଡ୍ରୁ ଦିସାରି ? ମର୍ଦ୍ଦ ତ ନାହାନ୍ତି, ତୁଚ୍ଛା ବୁଢ଼ା ଲୋକ, ତୋର ନକ୍ଷତ୍ରମାନେ କ’ଣ କିଛି ସାହାଯ୍ୟ କରିପାରିବେ ?’ କିଏ ଜଣେ କହିଲା ।

 

‘ନକ୍ଷତ୍ର କହିଛନ୍ତି ଏତେବେଳେ ଏମିତି ଖାଲି ପାଟି କରି କରି ହଲି ଦୋହଲି କରି ଜୁରିଆ ଆସନ୍ତି ନାହିଁ, ନକ୍ଷତ୍ର ଯୋଗ ଦେଇ ଦେଇଛି ଜୁରିଆ ଆସିବେ ନାହିଁ ।’

 

କିଏ ଜଣେ ଡାକିଲା, ‘ଜୁରିଆ ହେ ଜୁରିଆ-’ ତେଣୁ ଆସୁଥିବା ଲୋକ ଗହଳିରୁ ତାର ପ୍ରତିଧ୍ୱନି ହେଲା, ‘ଜୁରିଆ ଜୁରିଆ ।’ ହୋହୋ ହସ ଶୁଭିଲା, ଜଣେ ପାଟିକଲା, ‘ଆମେ ତୁମ ଗାଁ ଜୁରିବାକୁ ଆସିଗଲୁ, ସବୁ ଜୁରିନବୁଁ, କୁଆଡ଼େ ଗଲ-ଧାଂଡୀମାନେ ଅଛ କିରେ ?’ ତେଣୁ ଗୀତ ଶୁଭିଲା । ଧାଂଡୀମାନେ ଚଞ୍ଚଳ ହେଲେ ଜାମିରି କନ୍ଧ କୁକୁରମାନଙ୍କୁ ସମ୍ବୋଧନ କରି କହିଲା, ‘ଡ୍ରୁଃ-ଡ୍ରୁଃ-ଚୋଃ ଚୋଃ-’ ଅର୍ଥାତ୍ କନ୍ଧଦେଶର କୁକୁର ଭାଷାରେ ହେ କୁକୁରମାନେ, ଯାଅ ଦେଖ । ଡ୍ରୁଃ ଡ୍ରୁଃ ଶବ୍ଦରେ ଗଣ୍ଡାଏ ପାଞ୍ଚଟା କନ୍ଧ କୁକୁର ଭୁକିଭୁକିକା ଦୌଡ଼ିଗଲେ, ଝିଅମାନେ ଉଠିବାକୁ ହେଉଥିଲେ ଜାମିରିକନ୍ଧ କହିଲା, ‘ରହ, ବସ’ । ପାଣ୍ଡ୍ରୁ ଡାକିଲା, ‘କିଏ ଯାଉଛ’-

 

‘ଆମେ ଜୁରିଆ’ ।

 

‘ଏ ଗାଁରେ ଟେସିଣି (ଥାନା) ଲୋକ କମାଣ୍ କରୁଛନ୍ତି, ଜୁରିଆ ତ ବାଟେ ବାଟେ ଯାଅ-।’ ଉତ୍ତରରେ କେବଳ ହସ । କିଏ ଜଣେ କହିଲା, ‘କ’ଣ ଭେଣ୍ଡିଆ ଭେଣ୍ଡିଆ ସବୁ ଶିକାର କରି ଯାଇଛନ୍ତି ନା କ’ଣ ? ଖାଲି ବୁଢ଼ାମାନଙ୍କ ପାଟି ଶୁଭୁଛି’-ବନ୍ଧୁକ ଅବାଜ ହେଲା ଢୋ କରି । ଗଛରୁ ଚଢ଼େଇଗୁଡ଼ାକ ଉଡ଼ିଲେ । କୁକୁରଙ୍କ ବୋବାଳି ଅତି ଭୀମରୁ ଅତି କରୁଣ ବିଳାପଠି ଆସି ପହଞ୍ଚିଗଲା । ଜାମିରି କନ୍ଧ ବିରକ୍ତ ହୋଇଥିଲା । ଲେତାକନ୍ଧ ଧାଂଡୀମାନଙ୍କ କାନେ କାନେ କହୁଥିଲା, ‘ତୁମେ ଶୋଇଯା ତୁମେ ଶୋଇଯା ।’ ଜାମିରିକନ୍ଧ ବଡ଼ ପାଟିରେ କହିଲା, ‘ତୁମ ଘର କୋଉ ଗାଁ ହୋ ?’

 

‘ଆମର ଘର ଆଜି ରାତିରେ ତୁମ ଗାଁରେ-’

 

‘ଦେଖ ଅଚିହ୍ନା ଲୋକ, ଥଟ୍ଟା ନକଲ ପଛେ ହେବ । ଏତେ ରାତିରେ ତୁମେ ଆମ ଗାଁକୁ ଆସୁଛ, ସେଇଠି ଠିଆହୁଅ, କହ କ’ଣ ତମ ପରିଚୟ, ଆଉ ପାଦେ ଆଗେଇଛ କି ପଛେ ପସ୍ତେଇବ, ଭଲ ହେବ ନାହିଁ ମୁଁ କହିଦେଉଛି, ହୁସିଆର୍ ।’

 

ତେଣୁ ସହି ଜହ୍ନ ଆଲୁଅ ଭିତରୁ ପ୍ରତିଧ୍ୱନି ପରି ପଂଙ୍ଗା ଶବ୍ଦରେ କଥାଭାଷା ଶୁଭିଲା ‘ଆରେ କହିଦିଅରେ, ବେଶୀ ଗେଲ ଖେଳୁ ଖେଳୁ ପୁଣି ହରବରରେ ପଡ଼ିଯିବଟି ।’

 

ତା’ପରେ ମଧୁର ଗଳାରେ ସମ୍ଭାଷଣ ଭାସି ଆସିଲା, ‘ଓଡ଼େ ସୋଇ (ହେ ବନ୍ଧୁ) ଓଡ଼େ ସୋଇ (ହେ ବନ୍ଧୁ) ଆମେ ମିଟିଂଗାଁର ହୋ, ଆସୁ ଆସୁ ଏତେ ରାତି ହୋଇଗଲା କ’ଣ କରିବୁ-’ ଅଚିହ୍ନା ସ୍ୱର ଆହୁରି ଅନେକ ବିବରଣ ଦେବାକୁ ବସିଥିଲା, ତାର କଥା ଦାବିଦେଇ ଏ ପାଖରୁ ଗୋଟାଏ ବଡ଼ ‘ହୋ’ ହେଲା, ପିଲାଝିଲା, ଟୋକୀ ସମସ୍ତେ ଧାଇଁଗଲେ । ସବୁ ଗୋଳମାଳ ହୋଇଗଲା ଗୀତରେ ଗୀତରେ । ସବୁ ମାନ୍ଦାପଣିଆଁ ସବୁ ପ୍ରକାର ଘଟନାହୀନତା କଟିଯାଇ ମିଣିଆପାୟୁର ମାଟି ଦୁଲ୍‌ଦୁଲ୍ କମ୍ପିଲା, ପର୍ବ ଚେଇଁ ଉଠିଲା ।

 

ହାତ ଧରାଧରି ହୋଇ ପୁଲେମେଁ କାଠ୍‌କ ଟିଟ ଜଞ୍ଜଇ ପୁବୁଲିକୁ ଖୋଜିବସିଲେ । ଏତେ ଗୋଳମାଳରେ ପୁବୁଲିର ଦେଖା ନାହିଁ ।

 

ଅତିଥି ସତ୍କାର ଲାଗି ମିଣିଆପାୟୁ ବ୍ୟସ୍ତ । ଗାଁର କୁକୁର ପଛକୁ ଘୁଞ୍ଚିଗଲେ, ମଣିଷ ଆଗକୁ ଆସିଲେ । ପୁୟୁ ଖୋଜି ଖୋଜି ବସି ପହଞ୍ଚିଲା । ତାର ବାପଘରର ଲୋକ ଆସିଛନ୍ତି । ଠିକଣା ବେଳେ ଆସିଛନ୍ତି ତାର ହତାଶ ମନ ପଛଆଡ଼େ ଢିରାଦେଇ ବସିବାକୁ । ଆଜି କାଉ ରଡ଼ି ନାହିଁ, ଆଜି ହାତରୁ ଖସି ନାହିଁ ।

 

କେହି ଡାକିଯାଇ ନାହିଁ, ତଥାପି ସେମାନେ ଆସିଛନ୍ତି ଭୁଲିଲା ମାଟିର ଖବର କାନ୍ଧେଇ-। ପୁୟୁର ମନ କୁଣ୍ଢେମୋଟ ହୋଇଗଲା । ‘ହେଇରେ ହାକିନା, ମାମୁକୁ ଦେଖିବୁ ଆ । ହେଇ ଦେଖିଲୁ ଦେଖିଲୁ କିଏ ଆସିଛନ୍ତି, ହେଇ ଦେଖମଁ ।’ ହାକିନା ମା କୋଡ଼ରୁ ମୁଣ୍ଡଟେକି ଅନେଇଲା, କେଡ଼େ ସୁନ୍ଦର ଶାନ୍ତିରେ ମା ଦେହରେ ଆଉଜି ଯାଇଥିଲା, ନିଦବେଳ । ହାକିନା ଡବ ଡବ ଆଖିରେ ଅନେଇଁ ଦେଖିଲା, ଚାରିଆଡ଼େ ଝିଲ୍ ଝିଲ୍ କରୁଛି, ତହିଁରେ ଚିକ୍ ଚିକ୍ ଦାନ୍ତ, ଅଚିହ୍ନା ମୁହଁଗୁଡ଼ାକ ଲାଗିଲାଗି ଆସୁଛି ତା ମୁହଁ ପାଖକୁ । ଦି ହାତରେ ମା’ର କାନି ମୁଠେଇ ଧରି ହାକିନା ପୁଣି ମୁହଁ ଲୁଚେଇଲା । ପୁୟୁ କହିଲା, ‘ଶୋଇଲା ବେଳ, ତେଣୁ । ତୁମର କାହିଁକି ଏତେ ଡେରି ହେଲା ? ସହଜେ ବଣବାଟ ସଞ୍ଜ ଆଗରୁ ଗାଁ ଧରିବା କଥା, ରାତିକି ରହନ୍ତି ନା-’

 

ପୁୟୁର ସହାନୁଭୂତି ଗୋଟାଏ ପାଖେ, ତାର ବୁଢ଼ାଳିଆ ସହାନୁଭୂତିକୁ ଟୋକାମାନଙ୍କର ଆଗ୍ରହ ନାହିଁ, ବାପଘର ଗାଁର ଡମ୍ବଠାରୁ କନ୍ଧ ପରଜାଯାକେ ସମସ୍ତିଙ୍କ କଥା ଗୋଟାଗୋଟି କରି ନ ପଚାରିଲେ ତାର ନ ଚଳେ, ଖାଲି ମଣିଷ ନୁହେଁ, ଗାଁର ଗଛମାନଙ୍କ କଥା, ବାରିଘର କଥା, ସବୁ କଥା ତାର ଜାଣିବା ଦରକାର । କିଏ ଏତେ ଫଟେଇ ହେବ ତା ସାଙ୍ଗରେ ? ଏତେ ଗହଳି, ତଥାପି ବେଶୁ କନ୍ଧ ପାଟି କରୁଥାଏ ‘ଆଉମାନେ କାହିଁ ଗଲେ, ଆଉମାନେ କାହିଁ ଗଲେ ?’ ବୁଢ଼ାମାନଙ୍କର କୁଶଳପ୍ରଶ୍ନର ଶିଳାଦୃଷ୍ଟିରୁ ଏଡ଼ାଇ ମଝିଫାଙ୍କର ସେହି ଅନୁପସ୍ଥିତ ଆଉମାନଙ୍କୁ ଖୋଜିବା ସକାଶେ ବେଶୁ କନ୍ଧ ପଛେ ପଛେ ସୁବ୍ରି ଜାଗିଲି ମୁର୍ଜୁଲେତା । ଉତ୍ତର ଦେବାକୁ ବସିରହିଲେ କେବଳ ସେହିମାନେ, ଯେଉଁମାନେ କ୍ଳାନ୍ତ, ଯାହାଙ୍କର ଏ ଗାଁ ସଙ୍ଗରେ ପରିଚୟ ନାହିଁ ।

 

କିଛି ନ ଜାଣିଲାପରି ପୁବୁଲି ତୁନିହୋଇ ଯାଇ ଘର ସେପାଖର ବଡ଼ପଥର ସେକରେ ଏକୁଟିଆ ଜହ୍ନଆଡ଼କୁ ମୁହଁକରି ବସି ରହିଥାଏ । ସେହି ପଥର ସେପାଖେ, ଯେଉଁଠି ତାର ଓ ବେଶୁ କନ୍ଧର ପରିଚୟ ନିବିଡ଼ରୁ ନିବିଡ଼ତର ହୋଇଯାଇଥିଲା । ଜାଣି ଜାଣି ନିରୋଳା ଜାଗା ବାଛିବା ପାଇଁ ସେହି ଜାଗାକୁ ପସନ୍ଦ କରି ସେ ବସି ନାହିଁ, କେବଳ ମନର ଖିଆଲ । ପାଦ ଆପେ ଆପେ ଗଡ଼ିଯାଇଥିଲା ସେହି ଜାଗାକୁ, ଯେପରିକି ସେହି ଜାଗା ତାର ଇତିହାସର ଘାଟି, ଉତ୍ତାଳ ମନରେ ନିସତ ଦେହର ଆଧାର ହେବାପାଇଁ । ଜହ୍ନଆଡ଼କୁ ମୁହଁକରି ସେ ବସିଥିଲା, ଆପଣା ମନର ଜହ୍ନ ଆହୁରି ପ୍ରବଳ, ତାହାର ତେଜରେ ଦୃଷ୍ଟି ବାନ୍ଧିହୋଇ ରହେ ମନେ ମନେ, ପଦାକୁ ଯାଏ ନାହିଁ ।

 

କେତେ ତାର ଥିଲା ଫୁଲଗୁନ୍ଥା ଆଉ ଦିନଗଣା, ମନେ ମନେ ସେ ବେଶୁ କନ୍ଧକୁ ବିଭା ହୋଇସାରିଛି, ମନେ ମନେ ଘରକରଣା କରିଛି, କେତେ ମନେ ମନେ ସାତ ପାଞ୍ଚ କରି ଅନୁଭୂତିରେ ଭାସିଚାଲିଛି ଥରକୁ ଥର । ଧାଂଡୀ ବାଟ ଚାହିଁ ବସିଥାଏ, ଯୋଗକୁ ଯଦି ମନର ମଣିଷ ଆସେ ଧାଂଡୀ ଥରେ ବାଛେ, ଥରେ ମନକୁ ଥ’କରେ । ସେ ଭାବିଥିଲା ସେ ତାର ହାତର ମାଳା ଫୋପାଡ଼ି ଦେଇସାରିଛି । ସେହି ଯେ ବେଶୁ କନ୍ଧ ଆସି ମତେଇ ଦେଇ ରଙ୍ଗ ବୋଳିଦେଇ ଚାଲିଗଲା ଆଉ ତାର ଶୁଣାଗୁଣା ନାହିଁ । କ’ଣ ହୁଅନ୍ତା ଏତେ ଦେଖାଦେଖି ଏତେ ଶୁଣାଗୁଣା-ଦିନେ ନା ଦିନେ ସବୁ ଅବଶ୍ୟ ହେବ । ଏଥିରେ ତାର ଦୁଃଖ ନ ଥିଲା, ମନେ ମନେ ସେ ନିର୍ଭର ପାଇଥିଲା ବେଶୁ ତାର । ତା ଗୋଡ଼ରେ ବେଡ଼ି ନାହିଁ ।

 

ତେଣୁ ବେଶୁ ତାର ଦେହରେ, ବେଶୁ ତାର ମନରେ, ତାର ମନରେ ବିରହର ଦୁଃଖ ନ ଥିଲା, କାରଣ ସେଠି ସନ୍ଦେହ ନାହିଁ । ଈର୍ଷା ନାହିଁ, ଅଭାବ ନାହିଁ ।

 

କିନ୍ତୁ ଯେମିତି ସେ ଗାଁରେ ଗୋଡ଼ ଦେଇଛି, ଦେହଟା କ’ଣ ହୋଇଗଲା କାହିଁକି ?

 

ପୁବୁଲି ଏକୁଟିଆ ବସି ରହିଥିଲା, କେହି ଡାକି ଆସିଲେ ନାହିଁ କି ଖୋଜି ଆସିଲେ ନାହିଁ-। ବେଳ ଗଲା । ଗାଁର ହୁମୁଦୁମୁ ସବୁ ଶୁଭୁଥାଏ । ସମସ୍ତେ ସେଠି ଥିବେ । ସେ ଯିବ । କ’ଣ କହିବ ବେଶୁ ତାକୁ ? ଚଇତ ପର୍ବରେ ଗାଁ ବୁଲିବାକୁ ମିଂଟିରୁ ଏକଦମ୍ ମିଣିଆପାୟୁ, ମଣିଷ ବୁଲିବାକୁ କ’ଣ ଏତେଦୂର ସତରେ ଚାଲିଆସେ ? ପୁୟୁର ବାପଘର ହଁ, ଏମିତି କ’ଣ ପୁୟୁ ପାଇଁ ସକେଇ ହୋଇ କାହାର ଦିନ ସରୁ ନାହିଁ ! ପୁବୁଲି ଭାବିଲା, ନା ଏସବୁ ମିଛ, ଏସବୁ ପତିଆରାର କଥା, ଛଳନାର କଥା । ବେଶୁ ଆସିଛି ତାହାରି ପାଇଁ, ବେଶୁ ଓର ଉଣ୍ଡି ଉଣ୍ଡି ଆସିଛି, ଶୁଂ ଶୁଂ ହୋଇ କୁକୁର ଯେପରି ମାଡ଼ିଆସେ ଅନହୁତି କେଉଁ ଦୂରରୁ ।

 

ଏହିପରି ଭାବିଭାବି ମଣିଷ-ପଶୁ ଆପଣାକୁ ଧୀରେ ଧୀରେ ତତୋଉଥିଲା, ଏକା ଆଖିରେ ଜହ୍ନଆଡ଼କୁ ମୁହଁକରି ବସିରହିବା ସୋର୍ ତାର କଟିଯାଇଥିଲା । ସେ ଅସ୍ଥିର ହେଲା, ବସି ବସି ଗୋଡ଼ ହଲେଇଲା, ନଖରେ ଭାଙ୍ଗି ପକେଇଲା ଛିଣ୍ଡେଇ ପକେଇଲା ସାନ ସାନ ତାଳପତ୍ର, ପୁବୁଲିର ମନେହେଲା ଏଥର ସେ ଯିବ ।

 

ତେଣେ ବେଶୁ କନ୍ଧ ପୁବୁଲିକୁ ଖୋଜି ବୁଲୁଥାଏ । ଅଚିହ୍ନା ଗାଁର ଟୋକାପଲ ପରଦେଶୀର ମୋହର ବଶୀକରଣ ଚିତା ମୁଣ୍ଡରେ ମାରି ଧାଇଁ ଆସିଛନ୍ତି । ସେହି ତନ୍ତ୍ରରେ ଏ ଗାଁର ଝିଅ ଖୁଜୁବୁଜୁ ହୋଇ ନାନା ଛଟକରେ ପାଖକୁ ଲାଗିଆସନ୍ତି । ଜହ୍ନ ଆଲୁଅ । ଶୂନ୍‌ଶାନ୍ ବଢ଼ି ଚାଲିଥିବା ରାତି । ଦିନ ଗୋଟାକର ଘାଟି ଚଢ଼ା ଢାଲୁ ଓହ୍ଲିଆରେ ହାଲିଆ ହାଲିଆ ହୋଇ ଦେହ ଖୋଜୁଛି ଶାନ୍ତି ।

 

ଦେହ ଦୃଷ୍ଟିରେ ଏହି ରାତିରେ ଜଣେ ଆର ଜଣକଠୁ ବେଶୀ ଫରକ୍ ଲାଗେ ନାହିଁ । କିନ୍ତୁ ବେଶୁ କନ୍ଧର ଫଳ ହେଲା ବିପରୀତ । ପୁବୁଲି ତାର ବେଶୀ ବେଶୀ ସ୍ମରଣ ପଡ଼ିଲା, ସେ ଖୋଜି ବୁଲିଲା । ଚାରିଆଡ଼େ ଖୋଜି ନ ପାଇ ବେଶୁ କନ୍ଧ ବି ଅନ୍ୟମନସ୍କ ହୋଇ ଚାଲିଲା ସେହି ଅବାଟରେ, ଏ ଗାଁର ଏହି ଗୋଟାଏ ଅବାଟ ସେ ଚିହ୍ନେ । ଦୂରରୁ କାହାର ପଦଶବ୍ଦ ଶୁଣି ଗଳା ଖଙ୍କାରିବା ଶୁଣି ପୁବୁଲି ଚମକି ଅନେଇଁ ଦେଲା । କେଡ଼େ ଡେଙ୍ଗା ଦିଶୁଛି ଲୋକଟା, ଛାଟି ଛାଟି ଝାଙ୍କି ଝାଙ୍କି ପାହୁଣ୍ଡ ପକୋଉଛି । କ’ଣ ତାର ମନରେ ଖବର ଦେଲା ଏ ସେହି ହୋଇଥିବ; ଭିତର ମନ ଧରିଲା, ଉପର ମନ ଧରିଲା ନାହିଁ ।

 

ଆପଣାର ଅସ୍ତିତ୍ୱ ପ୍ରଚାର କରିବା ପାଇଁ ପୁବୁଲି ଗୀତ ଧରିଲା, ପ୍ରଥମେ ଗୁଣୁଗୁଣୁ ହୋଇ, ସେ ପାଖକୁ ଯେପରି ଗଳା ଖଙ୍କାରିବା ଖୁବ୍ ଟାଣ ଟାଣ ହେଲା ବଡ଼ପାଟିରେ ଗୀତ ବୋଲିଲା । ତା’ ଦେହରେ ପ୍ରବୃତ୍ତି ସେହି ସରଳ ଗୀତକୁ ଦେଲା ମହୁଲର ନିଶା, ଆପଣାର ଉଦ୍ଦେଶ୍ୟ ସଫଳ କରିବା ସକାଶେ । ପୁବୁଲି ଗୀତ ବୋଲିଲା । ବସୁଧା ଟାଣି ଧରିଲା ତାର ଅଞ୍ଚଳଟି, ଜହ୍ନ ଆଲୁଅ ହେଲା ପିଠିଆଡ଼ର ଛବି, ବେଶୁ କନ୍ଧର ଛଟପଟ ଉଭେଇଗଲା, ଗୀତର ଜବାବ୍ ଗାଇବାକୁ ମନେପଡ଼ିଲା ନାହିଁ, କୁହୁକରେ ଟାଣି ହୋଇଗଲାପରି ସେ ଚାଲିଚାଲି ଆସିଲା । ସେ ଯହୁଁ ଯହୁଁ ପାଖକୁ ପାଖ ଆସିଲା ପୁବୁଲିର ଗୀତ ଆହୁରି ଉପରକୁ ଉଠିଲା, ପୁବୁଲି ଠିଆ ହୋଇ ପଡ଼ିଥାଏ ।

 

ବେଶୁ କନ୍ଧର ମୁହଁବନ୍ଧନ ଫିଟି ଆସିଲା ଧୀରେ ଧୀରେ । ଠେଲି ପେଲି କେତେ କଅଁଳ ଉପମା ବାହାରି ଆସିଲା ତାହା ମନରୁ ଘାଗଡ଼ା ଶବ୍ଦରେ ପବନର ତୋଫାନ ମିଶେଇ, ଗୋଟାକ ଉପରେ ଗୋଟାଏ, ଜକାଜକି ଶବ୍ଦ ଯାହାର ଅର୍ଥ ସେ ବି ବୁଝିବାକୁ ସମୟ ନାହିଁ, ଧୀରେ ଧୀରେ ତାର ବି ସ୍ୱର ବଢ଼ି ବଢ଼ି ଗଲା,-ନାନା ଜାତି ଉପମା, ନାନା ଜାତି ରୂପକ, ନାନା ଜାତି ସମ୍ବୋଧନ । ଶରଧାରେ ଧାଂଡୀକୁ ଯେଉଁ ନାଁ ଦିଆହୁଏ ଯାହାର ଅର୍ଥ ଅଭିଧାନରେ ନାହିଁ-ଲେମ୍ବର ଡୁମ୍ବର ଜାମ୍ବର, ନିଲମ ତାଲମ୍ କେବଳ ଫଳ ପରି ଶୁଭେ;-ଜୋଡ଼ିଦାନା, ସଙ୍ଗଦାନା, ଆନ୍ଦୁଜୋଡ଼ୁ, ଫଗୁଯୋଡ଼ୁ, ବନ୍ଦରପାଣି, ଯାହାର ଅର୍ଥ କେବଳ କାନ୍ଧକୁ କାନ୍ଧ ମିଶିଲା ଭଳି, ସାଙ୍ଗର ଲୋକେ ଯେ ନିଜଠି ମିଶିକରି ଅଛି,-ବିରିବାଡ଼ା, ସାଲାମବାଡ଼ା, ବିଦାବାଡ଼ା ଅର୍ଥାତ୍ ସେହି ମାମୁଁଝିଅ ଯାହାକୁ ମଣିଷ ବିଭା ହୋଇପାରେ-ସରଳ ଶବ୍ଦ ଯେକି କେବଳ ଗୋଟାଏ ଗୋଟାଏ ଆଂଶିକ ଅର୍ଥରେ ବଳୀୟାନ୍ ହୋଇ ଧୂପଧୂଆଁ ପରି ଧାଂଡୀ ଆଗରେ ଉପରକୁ ଉପରକୁ ଉଠେ, ତା’ପରେ ପୁବୁଲି ଟିକିଏ ଆଗେଇଗଲା, ବେଶୁ ଟିକିଏ ଆଗେଇ ଆସିଲା, ମଝିରେ ବଡ଼ ବଡ଼ ପଥର ବ୍ୟବଧାନ ଥାଇ ଦୁହେଁ କଣ୍ଠ ମିଳେଇ ପୁରୁଣା ଗୀତ ଗାଇ ବସିଲେ-’ଦାଦୌ ପୁଇଁବାଡାରେ’ (ପୂର୍ବପୁରୁଷମାନଙ୍କ ଭୂଇଁରେ ବୁଦ୍ଧିହେଲା ବୟସରେ ଆମେ ଏକାଠି ହୋଇଛୁ) । ବେଶୁ ପରିଷ୍କାର ଗଳାରେ ଡାକିଲା, ‘ପୁବୁଲି !’

 

ପୁବୁଲି ଡାକିଲା-’ବେଶୁ !’

 

ଦେହ ଦୃଷ୍ଟିରୁ ତାଙ୍କର ଦୁର୍ବଳ ଭଲ ପାଇବା ନୁହେଁ ଯେ ପରସ୍ପର ପାଖ ହେଉ ହେଉ ମୂକ ବଧିର, ନିର୍ଜୀବ ହୋଇ ପରସ୍ପର ଆଡ଼କୁ ଆଉଜିପଡ଼ି ରହିଯିବେ, ହୃତ୍‌ପିଣ୍ଡ ବନ୍ଦ୍ ହୋଇ ଆସିବ । କନ୍ଧ ଚାଷୀର ପ୍ରେମ, ବଳିଷ୍ଠ ଦେହ । ଦେହର ମୂଲରେ ଜୀବନର ତଉଲ । ସ୍ତ୍ରୀ ସନ୍ତାନ ପ୍ରସବ କରିବ । ପୁରୁଷ ସନ୍ତାନର ପିତା ହେବ । ଦୁହେଁ ମିଶି ସନ୍ତତି ରଖି ଦେଇଯିବେ-ବାଘ ରୋଗ ଶୀତ ଆଉ ପଥର ଦେଶରେ ଭୂଇଁ ତଷି ମଣିଷର ଧଜା ଉଡ଼ାଇବାକୁ ।

•••

 

ବାଉନ

 

ସକାଳୁଆଟା ହୋଇଥାଏ, ଲେଞ୍ଜୁକନ୍ଧ ଗାଁକୁ ଉଠି ଆସୁଥାଏ ‘ଗୁଡ଼ିଆ’ ଆଡ଼, ଯେଉଁଠି ଉପତ୍ୟକାରେ ତୋଟା ଆଉ ତାଷ ହୋଇ କନ୍ଧମାନଙ୍କର ଖଣ୍ଡ ଖଣ୍ଡ ତାଷ ବାଡ଼ି (ଗୁଡ଼ିଆ) ହୋଇଛି-। ଉପରୁ ଖରା ଫିଟିପଡ଼ୁଛି ତଳର ଖାଲକୁ । ହାଲୁକା କୁହୁଡ଼ି ପଡ଼ିଛି, କି ଖରା କି ଶୀତ ଯେପରି କୁହୁଡ଼ି ପଡ଼େ ସକାଳବେଳେ ଏହି ମାଳ ଦେଶରେ । ଗାଁରେ ଟୋକାଏ ନାହାନ୍ତି, ଲେଞ୍ଜୁ କନ୍ଧକୁ ଭଲ ହୋଇଛି, ବୁଢ଼ାମାନଙ୍କ ଭିତରେ ଯେଉଁମାନେ ବୟସରେ ସାନ ଅର୍ଥାତ୍ ଦର୍‌ବୁଢ଼ାମାନଙ୍କଠୁ ଟିକିଏ କମ୍ ସେହି ଦଳରେ ସେ । ତାର ମନ୍ତ୍ରୀ ଭୁର୍ଷାମୁଣ୍ଡା ବାରିକ । ଦିନରାତି ତାହାରି ପାଖେ ବସି ଫୁସୁର ଫୁସୁର ହୋଇ ତାହାରି ପାକଳ ଉପଦେଶରେ ଟୋକ ନ ଥିବା ଗାଁ ଚଳେଇବ ସେ । ଏ ଦୁହିଁଙ୍କର ଆଲୋଚନାର ପ୍ରଧାନ ବିଷୟ ହୋଇଉଠେ-ଗାଁର ଟୋକାମାନଙ୍କର ଚରିତ୍ରର ହୁଗୁଳାପଣିଆଁ, ସେମାନେ ବେମୁରବ୍ୟା ହୋଇ ପଡ଼ୁଛନ୍ତି, ଏହାଦ୍ୱାରା କେତେବେଳେ କ’ଣ ଅନିଷ୍ଟ ହେବ । ଅଶାନ୍ତି, ଅଭାବ, ସୁଶୃଙ୍ଖଳ ଜୀବନର ଅଭାବ, କ୍ରମେ ବଂଶଲୋପ, ଅମାନିଆଁ ହେଲେ କେତେବେଳେ କେଉଁ ‘ଅଧିକାରୀ’ଙ୍କର କୋପ ପଡ଼ିବ ତହିଁରେ ଗାଁ ଉଜୁଡ଼ିବ । ଆଜି ସକାଳୁ ଗୁଡ଼ିଆ ଅଞ୍ଚଳରୁ କାମ ସାରି ପୁଣି ସେହିପରି ଗାଁ ବାରିକ ସଙ୍ଗରେ ଟିକିଏ ଆଲୋଚନା ପଡ଼ିଗଲେ ଭଲ ହେବ ବୋଲି ଲେଞ୍ଜୁ କନ୍ଧ ଚାଲିଛି । ନିତିଦିନ ପରି ମନ୍ଦାଏ ଲେଖାଁ ରନ୍ଧାମଦ ପିଇ ବାରିକ ମୁଣ୍ଡ ଟୁଙ୍ଗାରିବ, ରନ୍ଧାମଦ ପିଇବାକୁ ମିଳିବ ସେଠି । ବାରିକ କହୁଥିବ ବାରମ୍ବାର,-’ଗାଁ ଉଜୁଡ଼ୁଛି, ତୁ ସାଓଁତା ନ ହେଲେ ନ ଚଳେ ।’ ଆଉ, ସେଠି ଥିବ ସୋନାଦେଈ । ମଦ ଆଣିବାକୁ, ପରର ବିହିତ ଚର୍ଚ୍ଚା କରିବାକୁ ବାରିକ ଭୁର୍ଷାମୁଣ୍ଡାର ହାତବାରିଶୀ ।

 

ଲେଞ୍ଜୁ କନ୍ଧ ଅଧା ଢାଲୁ ପର୍ଯ୍ୟନ୍ତ ଉଠିଯାଇଛି ହଠାତ୍ ତାର ଦୃଷ୍ଟି ଆକର୍ଷଣ କଲା ତଳ ଖାଲର ଧଡ଼ିର ପଦା ଜାଗାରେ କୁଟ୍ରା ଦି’ଟା ଦଉଡ଼ି ପଳେଇଗଲେ । ଲେଞ୍ଜୁ କନ୍ଧ ନିଜେ ଶିକାରୀ ନୁହେଁ, କିନ୍ତୁ ଶିକାର ପଛେ ପଛେ ଦୌଡ଼ିବା ଓ ହୋହା କରିବାକୁ ତାକୁ ଭଲ ଲାଗେ । ‘ଯାଃ’ ଲେଞ୍ଜୁ ଭାବିଲା ଲୋକେ ଯାଆନ୍ତି ପର୍ବତ ମହୁଡ଼ରେ ଶିକାର ଖୋଜିବାକୁ, ଜନ୍ତୁ ବୁଲନ୍ତି ଗାଁ ତଳ ତଳ ବୁଦାରେ କ୍ଷେତ ଭିତରେ ।’

 

ଟୋକା ମନର ବିଦ୍ରୋହର କାରଣ ଦେଖାଇବା ପାଇଁ ଯେଉଁ ତୂଣୀର ସେ ସଜେଇଛି ତହିଁରେ ଗୋଟାଏ କାରଣ ହେବ ସେମାନଙ୍କର ନିର୍ବୁଦ୍ଧିତା, ଆଜି ଭୁର୍ଷାମୁଣ୍ଡା ବାରିକ ପାଖରେ ମଦତାଟିଆ ଉପରେ ଯେଉଁ ବକ୍ତୃତା ହେବ ତାହାର ବିଷୟବସ୍ତୁ ସେ ବାଛିନେଲା । କିନ୍ତୁ ଏ କ’ଣ ? କୁଟ୍ରାକୁ ଦେଖୁ ଦେଖୁ ଲେଞ୍ଜୁ ଦେଖିଲା ଦି’ଟା ଟୋକାଟୋକୀ ଗୋଡ଼ିଆ ଗୋଡ଼ି ହେଉଛନ୍ତି । ତା’ ଗାଁର ଦିହେଁ-ବୁଢ଼ା ଗୟାକନ୍ଧର ଝିଅ ପୁଲମେଁ ଆଉ ଆତ୍ରିର ପୁଅ ବାତ୍ରି । ଲେଞ୍ଜୁ କନ୍ଧ ଆହୁରି ଦେଖିବା ସ୍ଥାନକୁ ଘୁଞ୍ଚିଗଲା । ପୁଲମେଁ ବାତ୍ରି ଉପରେ ଫୁଲଗୁଡ଼ାଏ ଫୋପାଡ଼ି ଦେଇ ଧାଇଁ ପଳେଇଲା, ହେଇ ବାତ୍ରି ଖଣ୍ଡେ ଧୂଆଁପତ୍ର ଦେଖାଉଛି, ପୁଲମେଁକୁ ଭୁଲାଇବାକୁ ଅବଶ୍ୟ ।

 

ଲେଞ୍ଜୁ କନ୍ଧର ମନେପଡ଼ିଗଲା, କାହାଳୀରୁ ଧୂଆଁପତ୍ର ସରିଛି । ଦିଉଡ଼ୁ ସାଓଁତା ଭଲମନ୍ଦ ଖବର ବି ବୁଝୁ ନାହିଁ । ହେଇ ସେଇଠି-ପୁଲମେଁ ଲୁଚିଛି, ବାତ୍ରି ଖୋଜୁଛି, ଦେଖା ପଡ଼ିଗଲା, ହସ । ବଡ଼ ଆମ୍ବଗଛ ଗଣ୍ଡି ଚାରିପାଖେ ଭାଲୁ ଧରିଲା ପରି ଦିହେଁ ଗୋଡ଼ିଆ ଗୋଡ଼ି ହେଉଛନ୍ତି । ଦେଖୁ ଦେଖୁ ଲେଞ୍ଜୁ କନ୍ଧକୁ ଚିଡ଼ି ମାଡ଼ିଲା, ସେ ସମାଜପତି, ଏଗୁଡ଼ାକ ଯିବ ନାହିଁ ତାହା ଆଖିରେ ।

 

କିଏ ପଚାରୁଛି ତାର ମତାମତକୁ । ଲେଞ୍ଜୁ କନ୍ଧ ବିଡ଼ିରି ବିଡ଼ିରି ହୋଇ ସେମାନଙ୍କୁ ଗାଳିଦେଲା । କେତେଥର ଏହି ଗୁଡ଼ିଆରେ ସେମାନଙ୍କର ଏହି ମଉଜ ତାର ଆଖିରେ ପଡ଼ୁଛି । ଦିହେଁ ବିଭା ହେଉନାହାନ୍ତି କାହିଁକି ? ଲେଞ୍ଜୁ ବିଚାରିଲା । ସେମାନଙ୍କର ବିଭା ହେବାର ପ୍ରୟୋଜନ ହିଁ ନାହିଁ । କେବଳ ପ୍ରଜାପତି, ଦାୟିତ୍ୱ ନେବେ ନାହିଁ, ଲାଗିଥିବ ୟାଂକର ଗୋଡ଼ିଆଗୋଡ଼ି !

 

ଗୟା କନ୍ଧର ଆଖିକି ଦିଶେ ନାହିଁ, ଆଉ ଆତ୍ରି, କେଉଁଦିନୁ ଡୁମା ହୋଇଯାଇ ନିସ୍ତାର ପାଇଗଲାଣି ସେ । ଢାଲୁ ବାଟେ ଗୋଟିଏ ଗୋଟିଏ ହୋଇ ଟୋକାଟୋକୀ ଖାଲକୁ ଗଡ଼ୁଥା’ନ୍ତି । ଲେଞ୍ଜୁ କନ୍ଧ ତେଣେ ଅନାଏଁ, ଯେତେ ମନକୁ ଫେରାଇବାକୁ ଚାହିଁଲେ ବି ସେହି ବାତ୍ରି ଆଉ ପୁଲମେଁ । ଖେଁ ଖେଁ ଖେଁ ଖେଁ ହସ,-ଟିକିଏ ଛପି ଯାଉଛନ୍ତି ଟିକିଏ ବାହାରି ପଡ଼ୁଛନ୍ତି, ଛେଃ । ଲେଞ୍ଜୁ କନ୍ଧ ଆଉ ସହିପାରିଲା ନାହିଁ । ସକାଳୁ ତାର ମିଜାଜ୍‌ଟା ବିଗିଡ଼ି ଗଲା । ଉପରକୁ ଉଠିଗଲା ବେଳକୁ ଗଛ ଉଢ଼ୁଆଳ ହେବାରୁ ମାରି ସାରିଲା ସେଆଡ଼କୁ ତାର୍ତାର ଉପରେ ଯୋଡ଼ାଏ ଟେକା ।

 

ତା’ପରେ, ବିରକ୍ତି ସହିତ ଭୟ ହେଲା । ବାଘ ବାଘୁଣୀ ଖେଳ ଖେଳୁଥାନ୍ତି, ବାଧା ପାଇଲେ କୁଆଡ଼େ ମାରିବାକୁ ଧାଇଁ ଆସନ୍ତି । ସେହିପରି ଏ ଟୋକାଗୁଡ଼ାକ ଅମାନିଆଁ, ଅକୁହାର । ଆପଣାର ଇଜ୍ଜତ୍ ଆପେ ଜଗି ଲେଞ୍ଜୁ କନ୍ଧ ପହଞ୍ଚିଗଲା ଯାଇ ବାରିକ ଘର ଆଗରେ ।

 

ସୋନାଦେଈ । ଲେଞ୍ଜୁ କନ୍ଧ ଦେହରେ ବିଜୁଳି ଖେଳିଗଲା । ତତଲା ମୁହଁରେ ଚାରିଆଡ଼କୁ ଥରେ ସେ ଅନେଇଁଦେଲା । କେହି କୁଆଡ଼େ ନାହିଁ । କେତେଦିନ ଏହିପରି ଉପାଧିଆ ଉଗାଧିଆରେ କଟୁଥିବ ତାହାର ? ବାରିକ ଜାତିରେ ଡମ୍ବ, ସୋନାଦେଈ ଡମ୍ବ, କନ୍ଧର ଧାରଣାରେ ସେମାନେ ଅଜାତି, ଲୋକେ କହନ୍ତି ଡମ୍ବ ଜାତି ଚୋରଜାତି, ଲୋକେ କହନ୍ତି ସେମାନେ ଛଳନାରେ ଧୁରନ୍ଧର, କିନ୍ତୁ ଲେଞ୍ଜୁ କନ୍ଧ ସୋନାଦେଈକୁ ଦେଖେ ଆଉ ଭାବେ ମଣିଷ ଜାତି ଏକ, ମଣିଷ ଜାତି ସୁନ୍ଦର, ଟୋକାଙ୍କ ଧାରଣାରୁ ଉଧାର ନେଇ ସେ ମନକୁ ପୁଷ୍ଟ କରେ । ସୋନାଦେଈ କୁଆଡ଼େ ଯାଉଛି । ଲେଞ୍ଜୁ କନ୍ଧ ଡାକିଲା, ‘ରହ ଶୁଣ ।’ ବାଡ଼ର ଉଢ଼ୁଆଳରେ ଦୁହେଁ ଠିଆ ହୋଇଥା’ନ୍ତି । ସବୁଦିନେ ସେହିପରି ତଳକୁ ମୁହଁକରି ଠିଆହୁଏ ସୋନାଦେଈ । ନିତିଦିନ ଅପେକ୍ଷା କରିବା ତାର ସ୍ୱଭାବ ।

 

‘ସୋନାଦେଈ-’

ସେହିପରି ଚୋବୋଉ ଚୋବୋଉ ମୁହଁ ନ ଉଠେଇ ଶବ୍ଦ କଲାପରି ତାର ଜବାବ୍-’ଉଁ’ ।

 

ତୁନିତାନି ଦୁହେଁ କିଛି ସମୟ । ସୋନାଦେଈକୁ ଏପରି ଅସହାୟ ଏକୁଟିଆ ଅବସ୍ଥାରେ ଦେଖିଲେ ଲେଞ୍ଜୁ କନ୍ଧର ବୁଦ୍ଧି ହଜିଯାଏ । ଦୋହରା ପ୍ରଶ୍ନ ମନେପଡ଼େ ନାହିଁ ।

 

‘ହଁ ସୋନାଦେଈ’ ।

‘ଉଁ’ ।

‘ବାଲ୍‍ମୁଣ୍ଡା ଘରେ ଅଛି ?’

 

ସବୁଦିନ ପରି ଶୋକସନ୍ତପ୍ତ ମୁହଁରେ ସୋନାଦେଈ ମୁଣ୍ଡ ହଲେଇଲା, ବାଲ୍‍ମୁଣ୍ଡା ନାହିଁ, ବାଲ୍‍ମୁଣ୍ଡା ରହେ ନାହିଁ, ସେ ବାହାରି ଚାଲିଯାଏ କେଉଁ ଦୂର ଗାଁକୁ ଚୋରି କରିବାକୁ ନ ହେଲେ ମଦ ପିଇ ଗଡ଼ିବାକୁ, ତାର ଜୀବନରେ ଏତିକି ମାତ୍ର ସୁଖ, ସମସ୍ତେ ଜାଣନ୍ତି ।

 

‘ତୁରୁଞ୍ଜା ?’

‘ନାହିଁ ।’

 

ପାଗ ଭଲ । କି ସୁନ୍ଦର ନାଲି ହୋଇ ସୂର୍ଯ୍ୟଟା ଉଠି ଆସୁଛି ହେଇ ସେଠି, ଲେଞ୍ଜୁ କନ୍ଧକୁ ହଠାତ୍ ଭଲ ଲାଗିଲା । ‘ବାରିକ ଅଛି ?’

 

‘ହୟ ।’

‘ଆଚ୍ଛା ତୁ ଆ, ଯା ବାରିକକୁ କହ ମୁଁ ଆସିଛି ।’

 

ସୋନାଦେଈ ଟିକିଏ ହସିଲା, ଆଗେ ଆଗେ ଯାଇ ଘର ଭିତର ପଶିଗଲା । ଲେଞ୍ଜୁ ପଛେ ପଛେ ଆସିଲାବେଳକୁ ଦୁଆରମୁହଁରୁ ବାରିକ ବାହାରିଲା ଫୁର୍ ଫୁର୍ ମୁଣ୍ଡ, ତଳ ଓଠ ତଳକୁ ଝିଙ୍କି ହେଉଛି, ମୁଣ୍ଡ ଦେହ ପାଉଁଶ, ବାରିକ ଦୁଇହାତ ବଢ଼େଇ ଦେଇ ସମ୍ଭାଷଣ ଜଣାଇ ପାଟିକରି ଉଠିଲା, ‘ଜୁହାର୍ ଜୁହାର୍ ସାଓଁତା, ମୋର ସାଓଁତା ଅଇଲା, ତୁ ମୋର ରଜା ।’

 

ବାରିକ ସକାଳୁ ଉଠି ମଦ ପିଇ ମାତି ସାରିଥିଲା । ଅନର୍ଗଳ ବକିଗଲା, ପଛଆଡ଼େ ସୋନାଦେଈ ହସୁଥାଏ । ବାରିକ ଚୁପ୍‌ଚାପ୍ ବସି ଖୁସ୍ ଗପ କରିବାର ଅବସ୍ଥାରେ ନ ଥିଲା । କହିଲା, ‘ଦେଖ୍ ସାଓଁତା, ତୁ ନିଶାପ କର, ବୁଢ଼ା ବୁଢ଼ା ହୋଇଗଲେ ଏମିତି କ’ଣ ବାପକୁ ଅମାନ୍ୟ କରିବା ପୁଅମାନଙ୍କର କାମ, ମତେ ଘର ଜଗେଇଦେଇ ଯେ ଯୁଆଡ଼େ ପଳେଇଲେ । ମଦ ଟୋପିଏ ରଖିଯାଇ ନାହାନ୍ତି ଖାଲି ପାଣିଗୁଡ଼ାକ । ପାଣି ପିଇ ପିଇ ତ ମୁଁ ମରି ସାରିଥିବିନି ସେମାନେ ଧନ ଦଉଲତ ବୋଝେଇ ହୋଇ ଘରକୁ ଫେରିଲେ ମତେ କୋଉ ପୋଷି ପକେଇବେ । ତୁଚ୍ଛା ପାଣିଗୁଡ଼ାକ, ଆଚ୍ଛା ମୋର ରଜା, ତୁ ଟିକିଏ ଥା ମୁଁ ମନ୍ଦେ ପାଣି ପିଇ ଆସେଁ । ହେ ତୁ ବସିଥା ମୋର ରଜା ସାଙ୍ଗେ କଥାହ’ ମୁଁ ଆସୁଛି ।’

 

ଲେଞ୍ଜୁ କନ୍ଧ ବୋକାପରି ବସି ରହିଥାଏ, ବାରିକ ଚାଲିଗଲା, ଆର ଘରକୁ ମଦ ପିଇଲା, ପାଟି କରି କରି ଚାରିଆଡ଼କୁ ଗଲା । ତାର ଫେରିବାର ଆଉ ସୂଚନା ନାହିଁ । ତଥାପି ଲେଞ୍ଜୁ କନ୍ଧ ବସିଥାଏ ।

 

ସୋନାଦେଈ ଗଲା । ବାଟ ଆଡ଼କୁ ଶୁଖେଇବାକୁ ଲୁଗା ଟାଙ୍ଗି ଦେଇ ଫେରିଆସିଲା । ଗୋଟାଏ ରସତାଟିଆରେ ରନ୍ଧାମଦ ଆଣି ଲେଞ୍ଜୁ କନ୍ଧ ହାତରେ ଧରେଇ ଦେଲା । ଲେଞ୍ଜୁ ସେତକ ପିଇଦେଲା, କହିଲା, ‘ଆହୁରି ।’ ସୋନାଦେଈ କିଛି ସମୟ ଛାଡ଼ି ଆହୁରି ମଦ ଧରି ଫେରିଲା, ଲେଞ୍ଜୁ ହାତକୁ ବଢ଼େଇ ଦେଲା । ଲେଞ୍ଜୁ କନ୍ଧ ମଦ ପିଉ ପିଉ ସୋନାଦେଈ ପିଠି ଆଉଁଶୁଥାଏ, ସୋନାଦେଈ ସେହିପରି ସେଠି ବସି ରହିଥାଏ । ସକାଳର ଗୋଡ଼ିଆ ଗୋଡ଼ି ଦୃଶ୍ୟର ଦୁଃସାହସ ସ୍ମରଣରେ ପକେଇ ଲେଞ୍ଜୁ କନ୍ଧ ଆଗୁସାର ହେଲା । ସୋନାଦେଈ ମିନତି କଲାପରି କହିଲା, ‘ଛି-ଛି-ଏମିତି ହୁଅନା, ଏମିତି ମାତିଲେ ଲୋକେ କ’ଣ କହିବେ-ହେଇ ବାରିକ ଆସୁଛି ।’ ପୁଅମାନଙ୍କୁ ଗାଳି ଦେଇ ଦେଇ ବାରିକ ବୁଢ଼ା ଆସି କହିଲା, ଛି ଛି ଚୁଛା ପାଣି-ଚୁଛା ପାଣିଗୁଡ଼ାକ ।’

 

ଲେଞ୍ଜୁ କନ୍ଧ ଆସ୍ତେ ଆସ୍ତେ ଉଠି ଚାଲିଗଲା । ତାର ଦେହଗୋଟା ଥରୁଥାଏ ।

 

ଏମିତି ସୋନାଦେଈ କହେ । କଅଁଳେଇ ଆପତ୍ତି କରେ । ଅଳସେଇ ଅଳସେଇ ମଠେଇ ମଠେଇ ପାଖ ବାଟଦେଇ ଦୂରକୁ ଘୁଞ୍ଚିଯାଏ ଆତ୍ମରକ୍ଷା କରି । ଲେଞ୍ଜୁ କନ୍ଧ ବୁଝେ ସୋନାଦେଈର ବିଶେଷ ଆପତ୍ତି ନାହିଁ । ମନେ ମନେ ସବୁ ବୁଝେ । କିନ୍ତୁ ସେତିକିରେ ସେ ନିବୃତ୍ତ ହୁଏ । ସେ ତାର ଭଲ ପାଇବାରେ ସୁଦ୍ଧା କୌଣସି ପ୍ରକାର ସ୍ୱାର୍ଥତ୍ୟାଗ କରିବାକୁ ଚାହେଁ ନାହିଁ । ସେହିପରି ସମ୍ମାନାର୍ହ ସମାଜପତି ହୋଇ ଆପଣାର ବୟସର ଆସନ ଉପରେ ସେ ବସି ରହିଥିବ, ତାର ଦୁର୍ନାମ ରଟିବ ନାହିଁ । ତାକୁ କଷ୍ଟ ପଡ଼ିବ ନାହିଁ । ଅଥଚ ସେ ମନର ପ୍ରବୃତ୍ତି ଚରିତାର୍ଥ କରିବ କେବଳ ତାର ଭୋଗ, ତ୍ୟାଗର ପାଖ ପଶିବ ନାହିଁ ସେ । ନିତି ଦିବସ ବିକୃତ ଚିନ୍ତାରେ ଘାରି ହୋଇ ହୋଇ ତାର ମନର ଅଧଃପତନ ଘଟିଛି । ସେ ମନ ଆଉ ଖୋଲା ମେଲା ନୁହେଁ । ସେଠି ଭୟ ଅଛି, ସନ୍ଦେହ ଅଛି, ଆଶଙ୍କା ସବୁବେଳେ, କୌଣସି ଗୋଟାଏ ଚାଳ ପାଇଁ ସେ ନିଶ୍ଚିନ୍ତ ନୁହେଁ-। କିନ୍ତୁ ଯେତେବେଳେ ହାତପାଆନ୍ତିରେ ସୋନାଦେଈକୁ ସେ ପାଏ, ଠିକ୍ ଯେତେବେଳେ ଈପ୍‌ସିତ ସାଫଲ୍ୟ ସକାଶେ ତାର ଦେହର ପ୍ରତ୍ୟେକ ରକ୍ତବିନ୍ଦୁ ଅପେକ୍ଷା କରି ରହେ,-ସେତିକିବେଳେ କ’ଣ ଗୋଟାଏ ଘଟେ, ସମୟର ପ୍ରତିକୂଳ ଗାମ୍ଭୀର୍ଯ୍ୟ ଆସି ପହଞ୍ଚିଯାଏ, ଲେଞ୍ଜୁ କନ୍ଧ ନିରସ୍ତ ହୁଏ । ସେହି ନିରସ୍ତ ହେବାରେ ତାର ତଫାତ୍, ଟୋକାମାନଙ୍କ ସଙ୍ଗରେ, ବାତ୍ରି, ଦିଉଡ଼ୁ ଇତ୍ୟାଦିଙ୍କ ସଙ୍ଗରେ, ତାର ବୟସର ଚାପରେ, ଅବସ୍ଥାର ଚାପରେ ତଳକୁ ଦବିଯାଇ ଟୋକାମାନଙ୍କ ସ୍ତର ପାଖକୁ ସେ ଉଠିପାରେ ନାହିଁ ବୋଲି ସେମାନଙ୍କୁ ଈର୍ଷା ହୁଏ, ଈର୍ଷାରୁ ହୁଏ ରାଗ । ସେହି ରାଗର ଜୋର୍‍ରେ ତାର ସମାଜପତି ଆସନ, କିନ୍ତୁ ସେତିକିରେ ତାର ଶାନ୍ତି ନାହିଁ ।

 

ବେଳେବେଳେ ତାର ବି ଆଶା ଛାଡ଼ିଦେବାକୁ ମନହୁଏ, ସଁ ସଁ ହୋଇଯାଇ ଆପଣା ଦେହ ଉପରେ ତାର ବିରକ୍ତି ଆସେ, ଭାବେ ଏ ଜନ୍ମ ଗଲେ ତେବେ । ଏତେ ହନ୍ତସନ୍ତ ଛଟପଟ ହୋଇ କି ଲାଭ ଅଛି ? ଜୀବନରୁ ବଡ଼ ଭାଗକ ଗଲାଣି, ବାକି ଭାଗକ ସ୍ୱପ୍ନ ପରି କଟିଯିବ, ତା’ପରେ ସେ ଆଉ ଠକେଇ ହେବ ନାହିଁ, ତା’ପରେ ହୁଏତ ପୁଣି ସୁଖର ମୁହଁ ଦେଖିବ ସେ । କିନ୍ତୁ ଦେହଟା ତାର ଆୟତ୍ତାଧୀନ ନୁହେଁ । ମଦ ଟୋପିଏ ପଡ଼ିଲେ, କ୍ରମାନ୍ୱୟ ମାଂସ କି ଡିମ୍ବ ଭୋଜନ ମିଳିଲେ ନ ହେଲେ ନିଛାଟିଆ ବାଟରେ ପରର ସୁଖ ଦେଖିଲେ ଅଥବା ଯେତେବେଳେ ହେଲେ ଏଇ ସୋନାଦେଈ ହାବୁଡ଼ିଗଲେ ଲେଞ୍ଜୁ କନ୍ଧ ଅନୁଭବ କରେ, ଦେହଟା ଫୁଲୁଛି, ଦେହର ଯେତେ ଅଜଣା ପ୍ରକ୍ରିୟା ତତେଇ ଚାଲିଛି ତାର ମନକୁ, କନ୍ଧଦେଶର ପ୍ରାଚୀନ ଦର୍ଶନ କି ତ୍ୟାଗର ପଥ ତାକୁ ସେତେବେଳେ ବୋଧଶୋଧ ଦେଇ ପାରନ୍ତି ନାହିଁ ।

 

ତାର ମନର ବିକାରରେ ଓଲଟପାଲଟ ଖାଇଖାଇ ସେ ଖୋଜେ ପୁରୁଣା ସ୍ମୃତି କଟେଇ ଦେଇ ଫିଟି ଚାଲିଯିବାକୁ । ଦିଉଡ଼ୁଠାରୁ ସେ ଅଲଗା ହେବ । ସବୁ ଘରଦ୍ୱାର ତାର ତୋଳା ହେବ ନିଜର ହୋଇ, ଆଉ ଏ ଗାଁ, ଯଦି ଏଠି ରାଜୁତି ଯୋଗ ନାହିଁ, ତାର ତେବେ ଏଠି ତାର ସ୍ଥାନ ନାହିଁ, ମନ ନାହିଁ ଟୋକାଟାକିଳିଆଙ୍କ ହାତତଳିଆ ହୋଇ ପଡ଼ିଥିବ ଏଇ ଗାଁରେ ।

 

କିଏ ଅଛି ତାର ? କିଏ ଅଛି ? ଆପଣା ବୟସର ବିଫଳତା ଆପେ ଆପେ ଆଣେ କାନ୍ଦୁରା ଚିନ୍ତା, ନିଜ ଉପରେ କୃପା ହୁଏ, ନିଜକୁ ପର ମନେକରି ସାକୁଳେଇ ହୁଏ, ବଣର ପଶୁ ଆଘାତ ପାଇ ଆସି ଗୋଟିଏ ଜାଗାରେ ବସିରହି ନିଜ ଜିଭରେ ଘା’ଗୁଡ଼ାକ ଯେପରି ଚାଟୁଥାଏ ସେହିପରି ।

 

ଲେଞ୍ଜୁ କନ୍ଧ ଠାଏ ସ୍ଥିର ହୋଇ ବସି ରହିଥିଲା ।

•••

 

ତେପନ

 

ରାତିଟା ତାର କେମିତି କଟିଲା ସେ ଜାଣେ ନାହିଁ,-ପୁବୁଲି-କେବଳ ପିଛୁଡ଼ାଏ ଟିକିଏ କର ଲେଉଟେଇବ ତା’ପରେ ନିଦ ଭାଙ୍ଗିଯିବା ପୁଣି ଆଖି ବୁଝିଦେବା ପୁଣି ଉଠିପଡ଼ିବା । ତାର ଭଲ ପାଇବା ଠିକ୍ ଗୋଟାଏ ବଡ଼ ବଥ ପରି । ଆଉ ସେହି ବଥ ବର୍ତ୍ତମାନ ଟଣକେଇ ରହିଛି ଠିକ୍ ଫାଟିବା ଉପରେ । ଏହି ପରା ମଣିଷର ଜୀବନ କୁଆଡ଼େ, ଯେ ତାର ଭଲ ପାଇବା ବି ଗୋଟାଏ ରୋଗ, ଗୋଟାଏ କଷ୍ଟ ଏବଂ ତାର ସନ୍ତାନ ଜନ୍ମ କରିବା ମଧ୍ୟ, ଯାହା ସେହି ଭଲ ପାଇବାର ଗୋଟାଏ ପାହାଚ । କୋଡ଼ିଏ ଥର ଉଠି ପଦାକୁ ଯାଇ କୋଡ଼ିଏ ଥର ପିଣ୍ଡା ଉପରକୁ ଫେରିଆସି ପୁବୁଲି ଶୋଇ ପଡ଼ିଥିଲା । ସକାଳକୁ ତାର ନିଦ ହୋଇଯାଇଥିଲା, ହାତ ବୁଲେଇ ଦେଇଥିଲା ପ୍ରକୃତି, ଉପର ମନର ସବୁ ଦ୍ୱନ୍ଦ ସଂଶୟ ଉପରେ ଗହୀର ମନର ସ୍ଥିର ଉଦ୍ଦେଶ୍ୟ ପ୍ରତିଜ୍ଞା ହୋଇ ଜମି ବସିଥିଲା । ସେହି ଶୋଇବା ଦେହରେ କୌଣସି ଅସ୍ଥିରତା ନାହିଁ, ସେହି ଶୋଇବା ଦେହ ଉପରେ କେଉଁଠି ହେଲେ ନାହିଁ ତିଳେମାତ୍ର ବିଚ୍ଛନ୍ଦତାର ରେଗେଡ଼ା ବାଲି । ପୁବୁଲି ଭାସୁଥିଲା ।

 

ସକାଳୁ ପୁୟୁ ଉଠିଲା, ହାକିନାର କୋଳାହଳ ଆରମ୍ଭ ହୁଏ ପହିଲି ଆଲୁଅବେଳଠୁ । ପୁୟୁ ସେଠି ଅନେଇଁ ରହିଲା । ତାର ନିଦରେ ବ୍ୟାଘାତ ନାହିଁ, କିନ୍ତୁ ତାର ଅଶାନ୍ତିରେ ଦେହର ପୀଡ଼ା, ଆଖି କସକସ, ଦେହ ରଜରଜ । ପୁଅକୁ ଧରି ପୁବୁଲି ପାଖରେ ଘଡ଼ିଏ ଠିଆ ହେଲା, ବିନା କାରଣରେ । ଗୋଲ ଗୋଲ ହାତ ଗୋଡ଼, ବଳିଷ୍ଠ ଛାତି, ଆଉ ସେହି ମୁହଁ ପୁବୁଲିର ବୟସର । ବଳିଷ୍ଠ ବ୍ୟକ୍ତିତ୍ୱର ଅଦେଖା ତେଜ ଚୁମ୍ବକ ପରି ଅଟକେଇ ଦିଏ ଦୁର୍ବଳ ବ୍ୟକ୍ତିତ୍ୱକୁ । ପୁୟୁ ଗଲା । ଆହୁରି କେତେ ଆସିଲେ ଗଲେ । ମିଟିଂଗାଁର ଲୋକେ ଗାଁ ଆର ପାଖେ ଥା’ନ୍ତି । ଗାଁ କୋଳାହଳ ବଢ଼ିଲାରୁ ପୁୟୁ ଉଠିଲା, ସକାଳର ନିଦଭଙ୍ଗାରେ ପୁଣି ଆସିଲା ନାହିଁ ହଁର ତର୍କ ଆଲୋଚନା । ଏହି ପୁରୁଣା ମାଟି, ଏହି ପୁରୁଣା ଜନ୍ମସ୍ଥଳୀ ମୁହୂର୍ତ୍ତ ମୁହୂର୍ତ୍ତକର ସହଚର । ଏହି ଧୂଳିରୁ ଏହି ପବନରୁ ସତେକି, ବଢ଼ି ଉଠିବା ସଙ୍ଗେ ସଙ୍ଗେ ସାନବଡ଼ କେତେ ସ୍ୱପ୍ନ ଆସି ମନର ଖୋଲିରେ ବସା ବାନ୍ଧିଛି, ଘର କରିଛି, ଟିକିଏ କିଛିହେଲେ ଏକାସାଙ୍ଗେ ସବୁ ସ୍ମୃତିର ଜୀବନ ସମଷ୍ଟି ଫଡ଼୍‍ଫଡ଼୍‍ ହୋଇ ଅସ୍ତିତ୍ୱଟାକୁ ଦୋହଲେଇ ପକାଏ । ଯେପରି ବାରି ପଛଆଡ଼ ଝଙ୍କା ଗଛରେ ରାଜ୍ୟର ସାନ ଚଢ଼େଇ ରାତି ଅନ୍ଧାରରେ ପତ୍ରରେ ଡାଳରେ ଲାଖି ରହିଥା’ନ୍ତି, ଅଳ୍ପକେ ଛୁଇଁଦେଲେ ଗଛଯାକ ଝର ଝର ଶବ୍ଦ, ଏକା ସାଙ୍ଗରେ ସମସ୍ତେ ଥରି ଉଠନ୍ତି ଚହଲି ଉଠନ୍ତି । ସେହିପରି ପୁବୁଲି ଥରୁଥାଏ, ପୁବୁଲିର ଚେତନାରେ ଗୋଟି ଗୋଟିକିଆ ସ୍ମୃତି ଥରୁଥାଏ ଗଭୀର ମନର ସ୍ଥିର ନିଷ୍ପତ୍ତିର ସୂକ୍ଷ୍ମ ଦ୍ୟୋତନାରେ-

 

ହେଇ ସେଠାର ସେଇ ଶାଳଗଛ ମୂଳେ, ସେଇଠି ସରବୁ ସାଓଁତା ତାର ବିଶାଳ ଦେହଟା ଫୋପାଡ଼ି ଦେଇ ଉଡ଼ିଗଲା, ଏ ଘରର ସବୁ ଗଣ୍ଠି ଛିଣ୍ଡେଇଦେଇ ହୁଗୁଳା କରିଦେଇ, ଚିରଦିନକୁ ବାପା ଡାକ ଡୁବେଇ ଦେଇ । ସେଠି ମା’ ମରିଥିଲା, ମା’ ଭାବି ଭାବି କାନ୍ଦିବାକୁ ଭାରି ଇଚ୍ଛାହୁଏ, କିନ୍ତୁ ତାର ରୂପଟା ମନେପଡ଼େ ନାହିଁ । ମା’ ସେ, ଜନ୍ମ କରିଥିଲେ । ଏହି ମାଟିରେ ତାର ବି ସମାପ୍ତି । ଏହିବାଟେ ଆସିଥିଲା ପୁୟୁ । ଭାବି ବସିଲେ ସିଡ଼ି ଲମ୍ବିଯାଏ, ପ୍ରତ୍ୟେକ ସ୍ମୃତି, ଯେପରିକି କହେ, ‘ମୁଁ ବି ଅଛି, ମୁଁ ବି ଅଛି-ମତେ ଟିକିଏ ମତେ ଟିକିଏ’-ସକାଳୁ ସାଙ୍ଗ-ସରିସାପରି ପାଖକୁ ପାଖ ବସିଲା ଆସି ଦସ୍ରୁ କୁକୁର, ମୁହଁଟିକୁ ପୁବୁଲି ମୁହଁକୁ ଟେକିଦେଲା ଗୁଲୁ ଗୁଲୁ ହୋଇ ଅନେଇଁ ରହିଲା । ‘ମୁଁ ବି ସ୍ମୃତି-ମୋର କ’ଣ ତୁମଠିଁ ସ୍ଥାନ ନାହିଁ-ପଦେ କଅଁଳ କଥା-ଟିକିଏ ଆଉଁଶା ମୁଁ ଦସ୍ରୁ-।’

 

ପୁବୁଲି ଦୀର୍ଘଶ୍ୱାସ ପକେଇ ଉଠିଗଲା ।

ଆଜି,-ତାର ଜୀବନର ଗୋଟାଏ ଅଧ୍ୟାୟ ।

 

ଗାଧୁଆ ତୁଠରେ ପୁୟୁ ସଙ୍ଗରେ ଦେଖା । ‘କେତେ ଛୁଣିକା ଗାଧୋଇବାକୁ ଚାଲି ଆସିଲୁଣି ହଇ ଲୋ, କାହିଁ ମୁଁ ତ ମୋଟେ ଦେଖି ନାହିଁ ।’

 

ପୁୟୁ ହସିଲା, ଶେଷ ଟୋପାକ ଗିଳି ପକେଇଲା ପରି ତାହାରି ଆଡ଼କୁ ପୁବୁଲି ଅନେଇ ରହିଲା । ଏଇ ତାର ସ୍ନେହର ପୁୟୁ, ତାର ସାଙ୍ଗ, ତାର ମା, ତାର ଭାଉଜ ସବୁ ସେ, ମିଣିପଙ୍କ ସଙ୍ଗେ କେତେ ବା ଦେଖା । ‘ତୋରି ପରି ସୁସ୍ଥି ହୋଇଛି କି ମୁଁ, ତୁ ସିନା ନିଦରୁ ଉଠିବୁ ନାହିଁ, ମୋର ଆଉ ସେ ବୟସ ଅଛି ନା ?’ ସକାଳୁ ନଣନ୍ଦ ସାଙ୍ଗେ ଥଟ୍ଟା ଲଗେଇବ ବୋଲି ତାର ଓଦା ମୁହଁଟି ଝଲସି ଉଠୁଥାଏ ସହସ୍ରେ ଭଙ୍ଗୀରେ, କହିଲା, ‘ଏଡ଼େ ବଡ଼ ଚଇତ ପରବ ଚାଲିଯାଉଛି, ଗଲୁ ତ ନାହିଁ ବନ୍ଦିକାର ଟିକିଏ ଆଉ କ’ଣ ହେଲା ? ଖାଲି ନିଦରେ ନିଦରେ ସ୍ୱପ୍ନ ଦେଖିଲେ କ’ଣ ପେଟ ପୂରିବ ?’

 

ସେହିପରି ନବଜ ଲଗେଇ ତାର ଜବାବ ଦେବାକୁ ଯାଇ ପୁବୁଲି ହସ ରଖିପାରିଲା ନାହିଁ, ଗମ୍ଭୀର ହୋଇଗଲା, କହିଲା, ‘ଆଜି ଆମେ ଯାଉଛୁ ମଁ, ଯିବୁ ତୁ ?’

 

‘ଏଁ-ବନ୍ଦିକାର ?’

 

‘ଆମେ ଆଜି ବଣ ବୁଲି ଶିକାର କରି ଯାଉଛୁଁ ଲୋ, ସେମାନେ ଗଲେ ଯେ ଗଲେ, ତାଙ୍କୁ ଅପେକ୍ଷା କରି ବସିରହିଲେ ଆହୁରି ଥରେ କ’ଣ ଚଇତ ପରବ ଆସିବ ? ହେଇ ଦେଖୁନୁ ଭାଇ କଥା, ଭାରି ଆପଣା ସାର୍ଥିକା, ଚଞ୍ଚଳ ଆସିବ ବୋଲି ଜାଣି ଜାଣି ଉଛୁର କରୁଛି ବାଦୁଆଟା-’

 

‘କ’ଣ ଦରକାର ଭଉଣୀ ?-ଆପଣା ପାଇଁ ଯେଝା, ଆପଣା ଖୁସିରେ ବୁଲି ଯା, ମଉଜ କର, କାହାକୁ ଅପେକ୍ଷା ଗୋଟାଏ କ’ଣ ?’ ପୁ୍ୟୁ ଚୁପ୍ ହୋଇଗଲା । ପୁବୁଲି ଭାବିଲା କଥାଗୁଡ଼ାକ କେମିତି ଛଳେଇ କରି ସେ କହିଛି । କାହିଁକି ? ପୁବୁଲି ଭାବୁଥିଲା ପୁୟୁର ମନ ଭଲ ନାହିଁ । ପୁୟୁ କୂଳକୁ ଆସିବାରୁ ପୁବୁଲି ତା ବେକରେ ଓହଳି ପଡ଼ିଲା, ଆଖି ଛଳ ଛଳ କରି କହିଲା, ‘ମୁଁ ଯାଉଛି, ମନରେ କିଛି ଧରିବୁ ନାହିଁ ତ ପୁୟୁ-’ ପୁୟୁ ଫେର୍ ହସିଲା । ପୁବୁଲି ଆପଣାକୁ ସଂଯତ ରଖିପାରିଲା ନାହିଁ, ଉଠି ପଳେଇଗଲା, ତାର କାନ୍ଦିବାକୁ ମନ ହେଉଥିଲା ।

 

କିଛି ସମୟ ପରେ ଗାଁ ବାଟରେ ଲେଞ୍ଜୁ କନ୍ଧ ସଙ୍ଗେ ଦେଖା । ସେଠି ବି ବୁଲିଯିବା ପାଇଁ ପୁବୁଲି ଅନୁମତି ମାଗିଲା, ଥମ ଥମ ହେଲା ସେଠିବି । ଦାଦି ଆପଣାର ଭାବନାରେ ଆପେ ବ୍ୟସ୍ତ, ଝିଆରି ସଙ୍ଗେ ଏତେ ଗପ କରିବାକୁ ତାର ସମୟ ନାହିଁ ।

 

ତା’ପରେ ଜାମିରିକନ୍ଧ । ବୁଢ଼ା ଆଶୀର୍ବାଦ କଲା, ‘ଭଲ ଶିକାର ପା, ବିପଦ ନ ପଡ଼ୁ, ମନ ଖୁସିରେ ଦିନ କଟୁଥାଉ ।’

 

ସଜବାଜ ହୋଇ ସମସ୍ତେ ବାହାରିଲେ, ଶିକାରୀ ସାଜରେ ବଣ ମିଟିଂର ଧାଂଡାମାନେ, ତାଙ୍କ ସଙ୍ଗେ ମିଣିଆପାୟୁର ବୁଢ଼ା କେଇଜଣ, ଆଉ ସବୁଯାକ ଧାଂଡୀ । ବାଜା ଶବ୍ଦରେ ଦାଣ୍ଡ କମ୍ପିଲା । ପୁବୁଲି ତରତରରେ ଆସି ହାକିନାକୁ କାଖେଇ ପକେଇଲା, ଗେଲ କଲା, ପୁୟୁକୁ କହିଲା, ‘ମୁଁ ଯାଉଚି !’

 

ସ୍ୱର ଥରି ଯାଉଥାଏ । ନଣନ୍ଦ ଭାଉଜ ମୁହଁ ଚାହାଁଚାହିଁ ହେଲେ, ପୁବୁଲିର ତୁଣ୍ଡ ବନ୍ଦ, ଆଖିରେ ଚାହାଣିରେ ଅନେକ କଥା । ପୁୟୁ ଭାବୁଥାଏ, କେବେ ଏପରି ସେ ଦେଖିଥିଲା, କେଉଁଠି ଦେଖିଥିଲା, କ’ଣ କହିବାକୁ ଖୋଜୁଛି ପୁବୁଲିର ଆଖି । ବାରମ୍ବାର ପୁବୁଲି କହିଲାଗିଛି, ‘ମୁଁ ଯାଉଛି ମୁଁ ଯାଉଛି’, ଗୋଡ଼ ଚଳୁ ନାହିଁ । ଦାଣ୍ଡରୁ ବଡ଼ବାଜା ଆଉ ତୂରୀ ଡାକ ପକେଇଲା, ବଂଶୀରେ ସ୍ୱର ଭାଙ୍ଗି ଭାଙ୍ଗି କେଉଁମାନେ ବଜେଇ ଲାଗିଲେ ‘ଓ୍ୱାମୁଡ଼େ ଓ୍ୱାମୁଡ଼େ’ (ଆସ ଆସ), ତାର ବିଷଣ୍ଣ ଆଖିରେ ଉଜ୍ଜ୍ୱଳ ପ୍ରତିଜ୍ଞାର ତେଜ ଫୁଟେଇ ଶେଷ ଥରକ ଚମକେଇ ଦେଇ ପୁବୁଲି କହିଲା, ‘ମୁଁ ଯାଉଛି ପୁୟୁ’ ଆଉ ବାହାରି ଚାଲିଗଲା ।

 

ବାଟରେ ତାର ପିଣ୍ଡା ଉପରେ ବସି ରହିଛି ଗାଁର ଦିସାରି ପାଣ୍ଡ୍ରୁ କନ୍ଧ । ସେହିପରି ନିଶ୍ଚଳ ହୋଇ ବସିଛି ସେ ଯେପରି ବସେ । ଏତେ ଗହଳ ଚହଳ ଏତେ ପଟୁଆର,-କାହିଁରେ ସେ ନାହିଁ ଯେପରିକି,-ଦେଖିଦେଖିକା ଆଖିର କଳା ଏତେ ବର୍ଷରେ କଳାରୁ କସରା, କସରାରୁ ନେଳି ପଡ଼ିଆସିଛି, କିନ୍ତୁ ସମସ୍ତିଙ୍କୁ ସମାନ ଆଶୀର୍ବାଦ ତାର, ନିଜେ ଭାଗୀ ନ ହେଲେ ବି । ସେଠି ବି ପୁବୁଲି ଅଟକିଗଲା, କହିଲା, ‘ମୁଁ ଯାଉଛି’ ।

 

‘ଯାଉଛୁ ସତେ ? ହଉ ଯା ଝିଅ, ଯୋଗ ତ ଭଲ ଅଛି ।’

 

ପୁବୁଲି ଚମକିପଡ଼ିଲା, ସନ୍ଦିହାନ ଦୃଷ୍ଟିରେ ବୁଢ଼ା ମୁହଁକୁ ନିରେଖି ଦେଖିଲା । ନା ସେହିପରି ସେ ମୁହଁ, ସେହି ଶାନ୍ତ ପ୍ରସନ୍ନ ହସ, ଉଢ଼ୁଆଳରେ ତାର କି ଗଣନା କି ବିବେଚନା ଅଛି ବାରି ହେବ ନାହିଁ । ପୁବୁଲିକୁ ଅଟକିଯିବାର ଦେଖି ପାଣ୍ଡ୍ରୁଜାନି ନିଜେ ତରତର କଲା, କହିଲା, ‘ଯା’ ଯୋଗ ଫିଟିଯିବ, ଭଲ ଯୋଗ ଅଛି, ଏତିକିବେଳେ ଯା । ସେମିତି ଥକ୍‌କା ହେଲୁ କାହିଁକି ମା’ ? ପିଲାଲୋକ ଏ ଦିନେ ଏତେ ଚିନ୍ତା ଦକ କାହିଁକି ? ଯା’ ମନ ଫୁର୍ତ୍ତି କର୍, ଖୁସିରେ ବୁଲ୍ ।’

 

ପଟୁଆର ବାହାରି ଚାଲିଗଲା ।

 

ପିଲାଟିକୁ କାଖେଇ ଠିଆ ହୋଇଥାଏ ପୁୟୁ, ବେକ ଭାଙ୍ଗି ଭାଙ୍ଗି ଅନେଇ ଅନେଇ ବାଙ୍କ ବୁଲିଗଲା ପୁବୁଲି । ଲେଞ୍ଜୁ କନ୍ଧ ନିର୍ବୋଧ ପରି ବସି ପିଂକା ଟାଣୁଥାଏ । ପାଣ୍ଡ୍ରୁ କନ୍ଧ ନିଶ୍ଚିନ୍ତ ହୋଇ ବସି ରହିଥାଏ । ମନକୁ ମନ କହିଲା, ‘ଠିକ୍ ଠିକ୍-ରେଦାସି’ ଯୋଗରେ ଭେଟା ଭେଟି । ‘ରେତି’ ଯୋଗରେ ବିଭାଘର ପାଗ । ଏହି ତ ରେତି ଯୋଗ ପଡ଼ିଛି, କେବେ ଭୁଲ ହୋଇପାରେ ? ଧନ୍ୟ ଧନ୍ୟ ତୁମେ ଆକାଶର ତାରା, କି ନାଚ ନଚାଅ ମାଟିର ମଣିଷକୁ, ଆଜି ରେତି ଯୋଗରେ ମଣିଷକୁ କରିଛ ଦଶରା ମାସର କୁକୁର !’ ବୁଢ଼ାଟା ମନକୁ ମନ ବକେ । ଘରୁତାର ବୁଢ଼ୀ ବାହାରିଲା । ପାଣ୍ଡ୍ରୁ କନ୍ଧ କହିଲା, ‘ଆଣିଚୁ ?’ ବୁଢ଼ୀ ହାଣ୍ଡିରେ ଟୋପିଏ ବଢ଼େଇ ଦେଲା । ପାଣ୍ଡ୍ରୁ କହିଲା, ‘ଦେଖିଲୁ-ସରବୁ ସାଓଁତାର ଝିଅ ଗଲା ।’ ବୁଢ଼ୀ କହିଲା, ‘କୁଆଡ଼େ ଗଲା ?’ ‘ଗଲା-’ ପାଣ୍ଡ୍ରୁ କନ୍ଧ ହସିଲା, ‘କେତେ ତ ଯାଆନ୍ତି ଆସନ୍ତି ଏଇ ଦାଣ୍ଡରେ ‘ରେତି’ ଯୋଗ ପଡ଼ିଥିଲେ, ସେଥିରେ ଆଉ ନୂଆ କ’ଣ ? ତେବେ,-ଆମ ସାଓଁତାର ଝିଅ ଗଲା, ଟିକିଏ ଦେଖିଥା’ନ୍ତୁ ।’

•••

 

ଚଉବନ

 

ଗାଁ ପର୍ବତର ଢାଲୁଏ ଢାଲୁଏ, ତଳକୁ ତଳକୁ-

 

ଅଣେଇଁ ହେଲା ଥାଳିପରି ବଡ଼ ପଦର ଉପରେ ମାଣ୍ଡିଆ ଭୂଇଁ, ଅଳସି ଭୂଇଁ, ଗାଁର ଭାତଥାଳି । ମଣିଷର ପ୍ରତିନିଧି ପରି ସେହି ଖାଲି ପଦର ଉପରେ ପାଖ ପାଖ ହୋଇ ଅସଂଖ୍ୟ ମଲା ଥୁଣ୍ଟା, କୁର୍‌ହାଡ଼ି ପାହାର ପଡ଼ିବା ପୂର୍ବରୁ କେବେ ସେ ଗଛ ହୋଇଥିଲା । ଠିଆଠିଆ କଳା କଳା ଥୁଣ୍ଟା ଆଉ ଖଣ୍ଡ ଖଣ୍ଡ ପଥର, ସେଠିକି ସେଠି ।

 

ସେହି ଗଡ଼ାଣି ବାଟରେ ତରତର ହୋଇ ସମସ୍ତେ ଓହ୍ଲେଇ ପଡ଼ିଲେ, ଦିନଗୋଟାକ ଆଗରେ ପଡ଼ିଛି ସିନା ଶିକାରର କଥା ଠିକଣା ନାହିଁ । ଅରାଏ ଅରାଏ ବଡ଼ ଗଛର ଜଙ୍ଗଲ, ସାନଗଛ ସରିଛି, ଲଟାମାଳ ଶୁଖିଛି, ପାତଳ ହୋଇଛି । ସବା ତଳେ,-ସେଠି ଥିଲା ଧାନଭୂଇଁ ଚେନାଏ, ଧାନ ନାହିଁ । ସେଇଠି ଠିଆହେଲେ ଶିକାରର ଜାଗା ପାଖ ହୁଏ । ସେଇଠି ଝୋଲାର ଫାଟରେ ଜୀଆଦ ସମ୍ବରଙ୍କର ଚରାଭୂଇଁ, ପର୍ବତର ଗୁମ୍ଫାରେ ବାଘର ଘର, ଏଦିନେ ମଣିଷର ଦାଉ, ତା’ପରେ ଖରାଦିନଟା କୌଣସିମତେ କଟେଇ ଦେଲେ ପଟାଳିଆ ବାଘର କାଳ ପଡ଼ିବ, ଆଉ ମଣିଷ ନ ପଶେ ।

 

ସେହି ତଳର ଖାଲରୁ ପୁବୁଲି ଉପରକୁ ଅନେଇଁ ବସିଲା । ହେଇ ସେ ଉପରେ କେଉଁ ବାଙ୍କରେ ତାଙ୍କର ଗାଁ । ଗାଁ ଅଛି ବୋଲି କେହି ପତ୍ତା ପାଇବ ନାହିଁ । ପର୍ବତର ଗୋଲେଇ ଆଉ ଢାଲୁରେ ଉପରର କେତେ ଭାଗ କୁଆଡ଼େ ଲୁଚି ରହିଯାଏ, ତଳୁ ଦେଖି ମଣିଷ ଯେଉଁଟାକୁ ଭାବେ ପର୍ବତର ଶିଖରୀ ବୋଲି ସେ କେବଳ ଗୋଟାଏ ତଳର ପାହାଚ । ନା, ଗାଁ ଦିଶୁ ନାହିଁ । ସେହି କେତେ ଉଞ୍ଚରେ ବୋଲି, ସେଇଠି ତାର ବାପଅଜାର ମାଟି, ସେଇଠି ତାର ପିଲାଦିନ, ସେଇଠି ତାର ଏପର୍ଯ୍ୟନ୍ତ ଅସ୍ତିତ୍ୱର ଚିହ୍ନବର୍ଣ୍ଣ, ଆଉ ଆଗରେ,-ଶିକାର, ଫୁର୍ତ୍ତି ମଣିଷ ଜୀବନର ନୂଆ ପରିଚ୍ଛେଦ, ସବୁ ନୂଆ ।

 

ସମସ୍ତେ ଆନନ୍ଦରେ ଚାଲିଥା’ନ୍ତି, ପୁବୁଲି ତାର ସାଙ୍ଗର ଟୋକୀମାନଙ୍କ ସଙ୍ଗରେ ଥାଏ, କେତେ ଆଗରେ ବଣବୁଦା ଉଣ୍ଡି ଉଣ୍ଡିକା ନଳି ଟେକିଟେକି ମିଟିଂଗାଁର ଧାଂଡାମାନେ ।

 

ବଣ ପଡ଼ିଲା, କେବଳ କୁଞ୍ଜ ଆଉ ଖୋଲ, ଚାରିପାଖେ ଅନ୍ଧାରର ବିସ୍ମୟ । ସେଠି ଭୂଇଁର ଫାଟପରି ଗହୀରିଆ ଝୋଲା ଉପରୁ ତଳକୁ ସିଅସିଅ ହୋଇ ଚାଲିଯାଇଛି, ତାହାରି କରେ କରେ, ଚଢ଼ିବା ବାଟ । ବଣରେ ପଶି ଧାଂଡାମାନେ ଆଗେ ଆଗେ ଗୀତ ଧରିଲେ, ପଛରୁ ଧାଂଡୀମାନେ ଗାଇଲେ ତାର ଘୋଷା । ଆଗରୁ ଜଣେ କିଏ ସମସ୍ତିଙ୍କୁ ତୁନି କରିଦେଲା, ହାତଠାରି କହିଦେଲା ଅଟକି ରହିବାକୁ । ତୁନିହେଇ ସମସ୍ତେ ଅପେକ୍ଷା କଲେ, ଗୋଟାଏ ଉଠାଣି ତଳେ । ସାମ୍ନାରେ ଉଠାଣି ଉପରକୁ ବନ୍ଧୁକ କାନ୍ଧେଇ ବେଶୁ କନ୍ଧ ଉଠିଯାଇଛି । କାନ୍ଥ ପରି ବାଟର ଦାଢ଼, ସେଠି ଖସଡ଼ା ପଥର, ଗଛର ଥୁଣ୍ଟା ଖେଣ୍ଟା । ଶବ୍ଦ ନ କରି ଖୋଜ ଠିକଣା ରଖି ସେହିବାଟେ ଉଠାଣିରେ ଚଢ଼ିଲା ବେଳକୁ ଦେହର ମାଂସପେଶୀସବୁ ଟଣକି ଉଠୁଛି । କେଡ଼େ ଓସାର ତାର ଛାତି, କୁନ୍ଦିଲା ପରି ଦେହର ଗଢ଼ଣ,-କଳା ମିଶ୍‌ମିଶ୍ ଲୁହା-ଭୀମ । ବନ୍ଧୁକ ଉଞ୍ଚେଇ ଉଠାଣି ମୁଣ୍ଡ ଉପରେ ବେଶୁ କନ୍ଧ ଅଦୃଶ୍ୟ ହୋଇଗଲା, ତଳେ ତଳେ ବାଙ୍କ ବୁଲି ଚାଲିଗଲା ତାର ବନ୍ଧୁ ସୁବି କନ୍ଧ-

 

କ’ଣ ପାଇଁ ଅପେକ୍ଷା କରିଛନ୍ତି ଏତେ ଲୋକ ? କେଡ଼େ ତୁନିତାନି ! ଶିକାରୀ ଜାତିଙ୍କ ତାଲିମ୍, କେହି ହଲ୍‌ଚଲ୍ ହେବେ ନାହିଁ, କେହି ଜାଣିବେ ନାହିଁ ।

 

ଚୁପ୍‌ଚାପ୍ ।

 

ଏଇ ଅପ୍ରାକୃତ ତୁନିତାନି ଭିତରେ ପୁବୁଲି ଗୋଟାଏ ଗଛକୁ ଆଉଜି ଠିଆ ହୋଇଥାଏ । ପ୍ରତୀକ୍ଷାର ବିସ୍ମୟ ପଶିଥାଏ ତାର ଛାତିରେ, ଆପଣା ଛାତିର ଧୁଡ଼୍‌ମୁସ୍ ପିଟା ଆପେ ଶୁଭୁଥାଏ । ବେଳ ଗଲା, ମୁଣ୍ଡ ଉପରେ ଖରା, ଅଗନାଗ୍ନି ବନସ୍ତ ଭିତରେ କେଉଁଠି ଟିକିଏ ଖୁଡ଼୍ କରି ସୁଦ୍ଧା ନାହିଁ-। ପୁବୁଲିର ମନ ଭିତରେ ଆଶଙ୍କା ଦୋହଲିଲା । ଏତେବଡ଼ ଭେଣ୍ଡିଆ, ହାତରେ ହତିଆର ଅଛି ସତ, ବେଶୁ କନ୍ଧ, ଯଦି ଆଉ ସେ ନ ଫେରିବ ? ଟିକିଏ ରହି ଯଦି ଶୁଭିବ କେବଳ ତାର ଆର୍ତ୍ତ ଚିତ୍କାର ? ବଣ ଯେତେ ଆପଣାର ହେଉ ପଛକେ, ବଣକୁ କେଭେ ବିଶ୍ୱାସ ନାହିଁ ତ ! ଉଠାଣି ସେକରେ ବାଘର ମାଟି, ମଣିଷପରି ବାଘ ବି ବୁଲୁଥାଏ ପାରିଧି କରି, ମଣିଷ କି ଛାର ତାହା ପାଖରେ ? ଗୋଟାଏ ସାନଡିଆଁ, ଗୋଟାଏ ସରୁ ବୋବାଳି, ଗୋଟାଏ ଚାପଡ଼, ତା’ପରେ ଝିଟିପିଟି ପାଟିରେ ଝରିପୋକ ପରି ମଣିଷ ଚାଲିବ ବାଘ ମୁହଁରେ, ନିତିଦିନର ଦେଖା ଦୃଶ୍ୟ ।

 

ଅପେକ୍ଷା କରି କରି କାନ ଭିତରେ ଭାଁ ଭାଁ ହେଲା । ପୁବୁଲି ଅପେକ୍ଷା କରି ରହିଛି, ବେଶୁ କନ୍ଧର ଚିତ୍କାର ଶୁଣିବ । ହୁ ହୁ ହୋଇ ପବନ ଦେଲା, ବଣ ଭିତରେ ସାଇଁସାଇଁ । କେଉଁଆଡ଼ୁ ଚମ୍ପାର ବାସ୍ନା ଆସିଲା, କେଉଁଆଡ଼ୁ ବଣ ନିଆଳିର । କୁତ୍ସିତ ପ୍ରତୀକ୍ଷାର ମୋହ କଟିଗଲା । ଅନ୍ତର୍ଦୃଷ୍ଟି ଛାଡ଼ି ବାହାରକୁ ଅନେଇ ପୁବୁଲି ଦେଖିଲା ଚଇତର ଖରା, ବଣ ଭିତରେ ଝିଲ୍ ଝିଲ୍, ତାର ସାଙ୍ଗର ଲୋକେ ତୁନିତାନି ହୋଇ ବସିଛନ୍ତି, ଉପରକୁ ଅଧାବାଟରେ ଠା ଠା ହୋଇ ଗାଁର ବୁଢ଼ାମାନେ ବସିଛନ୍ତି । କାହିଁ କିଛି ନାହିଁ ।

 

ହଠାତ୍ ବଜ୍ରର ରଡ଼ି ଛାଡ଼ି ନଳିର ଢାଇ ଶୁଭିଲା । ପୁବୁଲି ଚମକିପଡ଼ି ତଳେ ପଡ଼ିଗଲା । ସମସ୍ତେ କଳରବ କରି ଆଗକୁ ଧାଇଁଲେ । ଦୂରରୁ କାହାର ଉଲ୍ଲାସର ସ୍ୱର ଭାସି ଆସିଲା ଜନ୍ତୁ ଗଡ଼ିଛି, ଧାଇଁ ଆସ ଧାଇଁ ଆସ ।

 

ପଡ଼ିଉଠି କେତେ ବାଟ ସେ । ସ୍ଥାନେ ଝୋଲାରେ କଟାକଟି ଢିପ ଢାଲୁର ଟାଙ୍ଗରରେ, ପର୍ବତ ତଳେ, ଗିର୍ଲି ବୁଦା ପାଖେ ବଡ଼ ଶିଙ୍ଗାଳ ସମ୍ବରଟିଏ ପଡ଼ି ରହିଛି, ତାହା ପିଠିଆଡ଼େ ତାର ଲମ୍ବା ନଳି ଧରି ବେଶୁ କନ୍ଧ ଠିଆ ହୋଇ ଧୀରେ ଧୀରେ ହସୁଛି ।

 

ସମସ୍ତେ ବେଢ଼ିଗଲେ । ଖୁସିରେ ଧାଂଡୀମାନେ ଚାରିପାଖେ ଘୂରି ଘୂରି ନାଚିବାକୁ ଲାଗିଲେ । ଧାଂଡାମାନେ ବେଶୁ କନ୍ଧକୁ କାନ୍ଧରେ ଟେକି ଚକା ବୁଲିଲେ । ସମସ୍ତିଙ୍କ ମୁହଁରେ ପ୍ରଶଂସାର ବାଣୀ, ବଣରେ ପଶୁ ପଶୁ ଛଞ୍ଚାଣ ଆଖିରେ ଜନ୍ତୁ ବାରି ପାରି ଓଡ଼ିଆ ନଳିରେ ଜନ୍ତୁ ନିକାଶ କରିବା କାହାରି ପକ୍ଷରେ କମ୍ ପ୍ରଶଂସାର କଥା ନୁହେଁ । ଅସଂଖ୍ୟ ପ୍ରଶ୍ନର ଉତ୍ତର ଦେଉ ଦେଉ ବେଶୁ କନ୍ଧର ଝାଳ ବୋହିପଡ଼ିଲା । ‘କେମିତି ଦେଖିଲୁ ?’ ‘କେମିତି ମାରିଲୁ ?’ ‘ଆଉ କ’ଣ କ’ଣ ମାରିଲୁଣି ।’ ‘ଭଲ ଲାଖ ଅଛି ଭେଣ୍ଡିଆ ।’ ବେଶୁ କେବଳ ପୁବୁଲି ମୁହଁକୁ ଅନେଇଲା, ପିଲାଳିଆ ହସଟିଏ ହସୁଥାଏ । ତାର କହିବା ଉଦ୍ଦେଶ୍ୟ ‘କଥାରେ କ’ଣ ଅଛି, କାର୍ଯ୍ୟରେ ଦେଖିଲୁ ତ’-ପୁବୁଲି ଚାହିଁ ଚାହିଁ ହସୁଥାଏ, କିଛି କହୁ ନ ଥାଏ ସେ, ତାର ମନର କଥା,-’ଲୋକେ ଜାଣିବାରେ କ’ଣ ଅଛି ? ସବୁ ମୁଁ ଜାଣେ । ତେଣୁକରି ତ ଗୋଟା ସୁଦ୍ଧା ମୁଁ ତୁମର-’

 

ସେଠି ବିଚାର ଲାଗିଗଲା, ଶିକାର ଆଉ ହେବ ନା ଏତିକିରେ ଶେଷ । ଦୁଇ ଦଳର ଦୁଇ ମତ । ବୁଢ଼ାମାନେ ଉପଦେଶ ଦେଉଥା’ନ୍ତି ‘ଯୁଆଡ଼ୁ ହେଉ ଗୋଟାଏ ଜନ୍ତୁ ତ ପଡ଼ିଲା ଚାଲ ଫେରିଚାଲ, ଆଉ ହରବର କାହିଁକି ?’ ଟୋକାମାନେ ପରଦେଶୀ ଲୋକ ତାଙ୍କର ମତାମତ ନାହିଁ, ସେମାନେ କାତରପଣ କି କ୍ଳାନ୍ତି ଦେଖାଇବାକୁ ଟୋକୀମାନଙ୍କୁ ଆଗକୁ ଆସି ନାହାନ୍ତି । କିନ୍ତୁ ସେମାନେ ଦିନିକିଆ ଶିକାରୀ ନୁହଁନ୍ତି ଯେ ମାରି ପକେଇବାର ପାଗଳାମିରେ ମାତି ଗୋଟାକ ପରେ ଗୋଟାଏ ଶୁଆଇ ଲାଗିଥିବେ । ଏ ମତର ବିପରୀତ ଦୁନିଆଁର ସ୍ତ୍ରୀଲୋକମାନେ, ଶିକାର ବନ୍ଦ ହୋଇଯିବ ଭାବି ନାଚି ନାଚି ପାଟିକରି ସେମାନେ ଜିଦ ଧରିଥା’ନ୍ତି ‘ଏତିକିରେ କ’ଣ ହେବ, ଏତ ମୋଟେ ଆରମ୍ଭ ହୋଇଛି । ବଣ ଘେରୋଉ ହୋଇ ନାହିଁ, ଜନ୍ତୁ ଖେଦା ହୋଇ ନାହିଁ, ଘରୁ ଆସୁ ଆସୁ ଶିକାର ବନ୍ଦ ! ହରିଣର ପୁରୁଷ ସମ୍ବରୀର ପୁରୁଷର ନିର୍ଦ୍ଦୋଷ ପ୍ରାଣ ଉପରେ କାଳତୁଣ୍ଡ ଅଜାଡ଼ି ଅଜାଡ଼ି ଟୋକୀମାନେ ଘୋଷା ଧରିଥା’ନ୍ତି ‘ଆହୁରି-ଆହୁରି’ । ସମସ୍ତେ ରାଜି ପଡ଼ିଗଲେ, କଥା ଛିଡ଼ିଲା ଭଲ ଜାଗା ବାଛିନେଇ ବର୍ତ୍ତମାନ ବିଶ୍ରାମ କରାଯିବ, ଖାଇପିଇ ସାରି ପୁଣି ଶିକାର, ତା’ପରେ ଘର ବାହୁଡ଼ା ।

 

ଅଳ୍ପ ଦୂରରେ ଝରଣା-ଅତଡ଼ାରେ ଛାଇତଳେ ସମାନ ଭୂଇଁ ତିନି ପାଖେ ଜଙ୍ଗଲ । କାନ୍ଧରୁ ଭାରବୋଝ ଓହ୍ଲା ହେଲା, ଲାଉତୁମ୍ବାରୁ ମାଣ୍ଡିଆ ଆଉ କାନ୍ଦୁଲ (ବଡ଼ ହରଡ଼), ବଣର କନ୍ଦା-। କନ୍ଧଘର ରନ୍ଧା ବେଶୀ ବେଳ ନିଏ ନାହିଁ । ବଣରୁ କାଠ ଆସିଲା ପତ୍ର ଆସିଲା । ପାଖପାଖ ହୋଇ ରୋଷେଇ ବସିଗଲା, ତାହା ପୂର୍ବରୁ ସାଙ୍ଗରେ ଆଣିଥିବା ବାସି ଖାଦ୍ୟରେ ସାମାନ୍ୟ ଜଳଖିଆ । ପଥର ଉପରେ ଦେହ ଭରାଦେଇ ଧୀର ଧୀର ଥଟ୍ଟା ଗପ ସାଙ୍ଗେ ସାଙ୍ଗେ କଳେ ଲେଖାଁ ଧୂଆଁପତ୍ର-ପିକା, ଏହିପରି ବଣର ମଣିଷର ବିଶ୍ରାମ, ସମ୍ବରଟା ଠାଏ ପଡ଼ି ରହିଥାଏ । ମରା ନ ହେବା ପର୍ଯ୍ୟନ୍ତ ସମସ୍ତିଙ୍କର ଆଖି, ମରା ହେଲେ ଶିକାର ଖେଳ ସରିଗଲା, ତାହାପରେ ସେଇଟା କେବଳ ଖାଦ୍ୟ, କେହି ଦୁଇଥର ତା’ପାଇଁ ଭାବେ ନାହିଁ ।

 

ରୋଷେଇ କାମ ବଢ଼ିଗଲା । ଖରାର ଝାଞ୍ଜି ବାଜିଗଲାଣି ଚାଇଁଚାଇଁ । ଖରା ଅଳ୍ପେ ଢଳିଲେ ପୁଣି ଶିକାର ହେବ । ପାଖରେ ଅଛି ଖଣ୍ଡେ ବୁଦା ଜଙ୍ଗଲର କୁଦ, ତିନି ପାଖେ ଝରଣା, ଘେରାଉକରି ଘାଟି ଜଗି ବସିଥିଲେ ହରିଣ ମିଳିବା ସମ୍ଭାବନା । ବୁଢ଼ାମାନେ ଢୁଳେଇଲେ । ଟୋକାଟୋକୀ ପାଖପାଖ ହୋଇ ବସି କଥା ଗପିଲେ, କାହାରି କାହାରିକୁ ଭୟ ନାହିଁ, ନିଜ ରୁଚି ବିରୋଧରେ ଇଚ୍ଛା ବିରୋଧରେ କେହି ବାଧ୍ୟ ନୁହନ୍ତି । ସେହି କଥାଗପ ଭିତରେ ଭବିଷ୍ୟତର ବଡ଼ ଜୀବନକୁ ଆଖି ଆଗରେ ରଖି ପରସ୍ପରକୁ କଳନା । ସମୟର ମୋହରେ ପଡ଼ି ଜଣେ ଜଣକୁ କେତେ ସମ୍ବର୍ଦ୍ଧନା କରନ୍ତି, ଫୁଲର ଫଳର ଭେଟି, କଅଁଳ କଥା ମିଠାଆଖିର ସୁଖରେ ସମୟ କାଟିବାକୁ ଦୁହିଁଙ୍କର ରାଜି ।

 

ଏହି ଟୁପ୍‌ଟାପ୍ ଫୁସ୍‌ଫାସ୍ ମଝିରେ, ବେଶୁ କନ୍ଧ ପ୍ରସ୍ତାବ କଲା, ‘ଆସ ଝୋଲାରେ ମାଛ ମାରିବା ।’ ଅନେକେ ଆଗ୍ରହରେ ଉଠିପଡ଼ିଲେ, ମାଛମରା କେବଳ ଶିକାରୀର ମଉଜ ନୁହେଁ । ସମସ୍ତେ ମିଶିଯାଇ ଝୋଲାର କୌଣସି ଗୋଟିଏ ଅଂଶ ପଥରରେ ବାନ୍ଧିଦେଇ ପାଣି ବୋହିଦେବେ, ତା’ପରେ ହାତରେ ଚିପିଚିପିକା ମାଛମରା । କେତେ ପାଣି ଛିଞ୍ଚାଛିଞ୍ଚି କାଦୁଅ ଫୋପଡ଼ା ଫୋପାଡ଼ିର ସୁବିଧା ଏଥିରେ, ମାଛ ମାରିବା ଦୁଇ ଦଳଙ୍କର ମିଳିମିଶି କେବଳ ଏକ ପ୍ରକାର ଖେଳ । ହସାହସି ହୋଇ ଅନେକେ ପାଣିକି ଓହ୍ଲେଇ ପଡ଼ିଲେ, ପାଖ ତୁଠରେ ବନ୍ଧ ପକା ହୋଇ ପାଣି ବୁହାହେଲା, ଗଦାଏ କାମ, ସମସ୍ତେ ଯେତେବେଳେ ଏକାଠି ଲାଗିଥା’ନ୍ତି, ଉପରେ ଗଛମୂଳେ ବୁଢ଼ାମାନେ ନିଦରେ ଢୁଳୋଉଥା’ନ୍ତି, ବେଶୁ କନ୍ଧ ପୁବୁଲି ପାଖକୁ ଆସିଲା, ପୁବୁଲି ନଇଁ ପଡ଼ିଥାଏ । ପୁବୁଲିର କାନମୂଳେ ନିଆଁ ଗଦେଇଦେଇ ଦେହରେ ବିଜୁଳି ଖେଳେଇ ଦେଇ ବେଶୁ କନ୍ଧ କହିଲା, ‘ଚାଲ ଆମର, ସେ ଭିତରକୁ ଯିବା, ସେଠି ଝରଣା ସରୁ ହୋଇଛି ମତେ ଲାଗୁଛି, ଚଞ୍ଚଳ ମାଛ ମିଳିବ । ଚତୁର ପଣିଆରେ ଦୁହେଁ ହସାହସି ହେଲେ । ବଡ଼ ପାଟିକରି ବେଶୁ କହିଲା, ‘ରହ ସେଠି ଅନ୍ଧାର ହୋଇଛି, ନଳିଟା ନେଇଯିବା ଭଲ ।’ ବେଶୁ କନ୍ଧ ତାର ନଳି ଆଉ ସାମାନ୍ୟ ବୋଝ ଉଠେଇ ନେଲା । ସମସ୍ତେ ପାଣି ବୋହୁଥା’ନ୍ତି, ମିଣିଆପାୟୁର ପୁବୁଲି ଏବଂ ମିଟିଂଗାଁର ବେଶୁ ପଛକୁ ପଛ ହୋଇ ପଶିଗଲେ ଅନ୍ଧାରୁଆ ଝୋଲା ଭିତରେ ।

 

ଦୁଇ ପାଖେ ଦୁଇ କାନ୍ଥ ଠିଆ ହୋଇଛି । ଅଳ୍ପ ଛାଡ଼ି ତାହାରି ଫାଟରେ ଝୋଲା ଚାଲିଛି-। ପର୍ବତିଆ ନଈ । ମଝିରେ ସରୁ ଧାରଟିଏ, ଦୁଇପାଖେ ଓଦା ସରସର ସରୁବାଲି, ପାଣି ପାଇ ବନସ୍ତ ବଢ଼ିଛି, ଉପରେ ଏପାଖର ବଣ ସେପାଖର ବଣ ଜାଲପରି ଛନ୍ଦିହୋଇ ମିଶିଯାଇଛି ତଳେ ସୁଡ଼ଙ୍ଗ ପଥ, ସେହି ଝୋଲା ବାଟେ ବାଟେ ବାଁ ଡାହାଣରୁ ଆହୁରି କେତେ ସେହିପରି ଝୋଲା ଆସି ମିଶିଛି, ପାତାଳ ଭିତରେ ମାୟା ସୁଡ଼ଙ୍ଗ ପରି ।

 

ଦି’ ଖୋଜ ଯାଇ ପୁବୁଲିର ବାହାକୁ ଧରିପକେଇ ବେଶୁ କହିଲା, ‘ହୁସିଆର ନୁନି ହୁସିଆର, ଡର ମାଡ଼ୁଛି କି ?’ ସାମ୍ନାର ସେହି ଅନାମିକାକୁ ଦେଖିଲେ ଛାତି ଥରିବାର କଥା । କେବେଳ ଅନ୍ଧାରର ସୁଅ ଉପରେ ଭିଡ଼ା ଭିଡ଼ି ଗଛଲଟାର ଜାଲ ମଝିରେ କେଉଁ ଆକସ୍ମିକ କଣା ବାଟେ ମୁଣ୍ଡ ଉପରୁ ଗୋଲ ଗୋଲ ହୋଇ ଅରାଏ ଅରାଏ ସୂର୍ଯ୍ୟ ଆଲୁଅ ଝରିଛି, ଦ୍ୱିପ୍ରହର ବେଳ ବୋଲି । ତାକୁ ବି ଗିଳି ପକାଇବା ସକାଶେ ଦି’ପାଖ ତୀଖ ପାହାଡ଼ କାନ୍ଥରୁ ଝୁଲିପଡ଼ିଛି ନିଘଞ୍ଚ କକୋଡ଼ି (ଫର୍ଣ୍ଣ) ବଣ, ସବୁବେଳେ ସେଥିରେ ହଲର୍ ହଲର୍ ଲାଗିଛି । ମଶାର ମେଘ ଗାଁ ହୋଇ ଉଡ଼ୁଛି ମୁହଁ ଉପରକୁ । ଏ କାନ୍ଥରୁ ସେ କାନ୍ଥ ବୁଢ଼ିଆଣୀ ଜାଲ ଛନ୍ଦି ହୋଇଛି, ପୁଞ୍ଜିପତି ପରି ବଡ଼ ବଡ଼ ବୁଢ଼ିଆଣୀ ସେଥିରେ ବସିଛନ୍ତି, ଆଖିରେ ତୀବ୍ର କଠୋର ଚାହାଣି । ପାହାଡ଼ର କାନ୍ଥ ଚାପି ଆସିଲାପରି ଲାଗୁଛି । ଆକାଶ ନାହିଁ । ଟାଣକରି ବେଶୁକନ୍ଧର ହାତକୁ ଧରି ପକେଇ ପୁବୁଲି କହିଲା ନା ଭୟ ନାହିଁ ।’

 

ସେହିପରି ସେମାନେ ଆଗକୁ ଚାଲିଲେ । ପଛଆଡ଼ୁ ଲୋକଙ୍କ ପାଟି ଶୁଭି ଶୁଭି ଯାଉଥାଏ, ଧୀରେ ଧୀରେ ତାହା ବି ତୁନି ହୋଇଗଲା ଦୁଇଟା ଫାଙ୍କ ବୁଲିଗଲା ପରେ ବାହାର ମଣିଷର ସବୁ ଗନ୍ଧ ସବୁ ସ୍ପର୍ଶ ଶେଷ । ପୁବୁଲି ପଚାରିଲା, ‘ଏଥର କୁଆଡ଼େ ବେଶୁ-’

 

ବେଶୁ ହସିଲା, କହିଲା, ‘ଯାଉ ତ ଆଉ ଟିକିଏ, ଏଣିକି ଝୋଲାଟା ଢିପ ହୋଇ ହୋଇ ଉପରକୁ ଚଢ଼ିଛି । ଆମେ ଚଢ଼ୁଛୁଁ ପର୍ବତର ଉପରକୁ ଉପରକୁ । କେତେ ତଳେ ସେମାନେ ରହିଲେଣି । ଏଥର ହୁସିଆର ନୁନି, ବାଘମାମୁଁ ରହେ ଏଇ ଉପର ଝୋଲାରେ । ଭୟରେ ମୁଣ୍ଡ ବିଗିଡ଼େଇବୁ ନାହିଁ, କିଛି ଗୋଟାଏ ବାହାରି ପଡ଼ିଲେ ମତେ କୁଣ୍ଢେଇ ଧରିବୁ ନାହିଁ, ମୋ ପଛରେ ମୋ ପାଖେ ପାଖେ ରହିବୁ, ମୁଁ ଠିକ୍ କରିଦେବି । ଆଉ ଟିକିଏ ତ ।’

 

ଅନ୍ଧାର ବଢ଼ିଲା । ଝୋଲା ଅଣଓସାର ହେଲା । ପାହାଡ଼ କାନ୍ଥରେ ଖୋଲ ଆଉ ଗୁମ୍ଫା, ସେଠି ମେଞ୍ଚା ମେଞ୍ଚା ଅନ୍ଧାର । ମୁଣ୍ଡ ଉପରେ ଜନ୍ତୁମାନେ ଦଉଡ଼ି ପଳେଇବାର ଶବ୍ଦ ହୁଏ, ଏ କାନ୍ଥରୁ ସେ କାନ୍ଥ ହରିଣ ସମ୍ବର ଡିଅଁନ୍ତି, ପୁବୁଲି ହାତ ଦେଖାଏ, ବେଶୁ କନ୍ଧ ଇଙ୍ଗିତକରି କହେ, ରହ ରହ । ଝୋଲାର କାନ୍ଥ ଧୀରେ ଧୀରେ ସାନ ହୋଇ ଆସୁଛି, ଝୋଲାର ଗତିପଥ ଅତଟ ହୋଇ ଉଠିଛି, ତହିଁରେ ପାହାଚ ପାହାଚ । ଝରଣାର ଗର୍ଜନ ବଢ଼ି ଲାଗିଛି । ଏଣିକି ଝୋଲା ଭିତରୁ ଉପରକୁ ବଡ଼ ଗଛ ଉଠିଛି ପର୍ଯ୍ୟାପ୍ତ । ବେଶୁ କହିଲା, ‘ଭଲ ଜାଗା ଦେଖିଲେ ଏଥର ଆମେ ଉପରକୁ ଚଢ଼ିଯିବା, ଆମର ଝୋଲାବାଟ ସରିଆସିଲା ପରା ।’

 

ଆହୁରି ଟିକିଏ ଉପରକୁ, ଝୋଲାର ଅତଡ଼ାଯାକ ପଲପଲ ହୋଇ ମୟୂର ବସିଛନ୍ତି । ପୁଣି ବେଶୁ କନ୍ଧ ହାତ ଦେଖାଇା ପୁବୁଲିକୁ ବାରଣ କଲଶ, ଟିକିଏ ଉତ୍ତାରୁ ଆସ୍ତେ ଆସ୍ତେ ମ୍ୟାଉଁ ମ୍ୟାଉଁ କରି ଏପାଖ ଅତଡ଼ାର ବାଘ ସେପାଖ ଅତଡ଼ାର ବାଘୁଣୀ ପରସ୍ପରକୁ ସମ୍ବୋଧନ କଲେ । ଅତି କଅଁଳ, ରସାଳ ସ୍ୱର । ବାଘର ଯେପରିକି ମିନତିର ‘ହୋଇ ହୋଇ’ ସ୍ୱର; ବାଘୁଣୀର ‘ନାହିଁ ନାହିଁ’, ଭଦ୍ର କଅଁଳ । ବେଶୁ ଉପରକୁ ହାତଟେକି, କହିଲା, ‘ବଡ଼ ବାଘ, ବାଘ ବାଘୁଣୀ ।’ ପୁବୁଲି ଭୟରେ କାଠ ହୋଇଗଲା, ବେଶୁ ପାଖକୁ ଘଷିହୋଇ ଆସଲା । ବନ୍ଧୁକ ପ୍ରସ୍ତୁତ ରଖି ବେଶୁ ପୁବୁଲିକୁ ଧରି ଦିଖୋଜ ତଳକୁ ଓହ୍ଲେଇ ପଡ଼ିଲା, ବାଘୁଆ ଭାଷାର ମଧୁର ଲହର ତଥାପି କାନରେ ବାଜି ଯାଉଛି, ଗଛରୁ ପତ୍ର ଝଡ଼େଇ ପକେଇବା ଭଳି ଘଡ଼ଘଡ଼ିଆ ବୋବାଳି, ଯହିଁରେ ରକ୍ତ ପାଣି ହୋଇଯାଏ ଦେହ ନିଶ୍ଚଳ ହୁଏ । କାହିଁ ଏଥିରେ ତାହାର ଆଭାସ । ଅତି ଧୀର, ଅତି ଭଦ୍ର, ଚିହ୍ନା ସ୍ୱର ପରି । ବେଶୁ ହସୁଥାଏ । କହିଲା, ‘ନିଜ ଭିତରେ ଏମିତି ଏମାନେ ଗେଲ ଲାଗିଛନ୍ତି । ଶିକାର ଦେଖିଲେ ତାଙ୍କର ତୋଡ଼ ବାହାରିବ । ବାଘର ଘର ଅଛି ସେ ଉପରେ । କେଉଁଠି ଗୋଟାଏ ବଡ଼ ଗୁମ୍ଫା, ତା ତଳେ ଭୂଇଁ ଦୁଇଫାଳ ହୋଇ ଫାଟିଯାଇ ସେଠୁ ଝରଣା ବାହାରିଥିବ, ପାଣି ପାଖ, ରନ୍ଧା ବସାକୁ ପାଖ । ସେଇ ତ ଭଲବସା । ଏପାଖେ ଜଣେ ଯାଇଛି ସେପାଖେ ଜଣେ ଯାଇଛି, ମତେ ଛୁଁ କେମିତି ଛୁଇଁବୁ । ବାଘ ଯାଚୁଛି ଭଲ ମୟୂର ଶିକାର, କହୁଛି ଯେତେଟା ମାଗିବୁ ତତେ ଦେବି ଖାଲି ପାଖକୁ ଆ, ବାଘୁଣୀର ନାହିଁ ନାହିଁ । ହଉ ଆମର ତଳକୁ ଟିକିଏ ଚାଲ, ଜାଣିଜାଣି ବାଘ ବାଘୁଣୀ ମଝିରେ ପଡ଼ିବାକୁ କୌଣସି ଦରକାର ନାହିଁ, ନଳି ଥିଲେ କ’ଣ ହେଲା’ ପୁବୁଲିର ହାତ ଧରି ବେଶୁ କନ୍ଧ ଅତି ହୁସିଆରିରେ ତଳକୁ ଓହ୍ଲେଇ ଓହ୍ଲେଇ ଚାଲିଲା । ଉଜାଣି ବାଟ ଭଲ ଥିଲା, ତଳକୁ ଅତି ଖସଡ଼ା, ଥରେ ପଡ଼ିଲେ ଆଣ୍ଠୁଗଣ୍ଠି ଯିବ । ପୁବୁଲି ତଳକୁ ଅନେଇଁଲା, ଚଢ଼ିଲାବେଳେ ଜଣାପଡ଼ୁ ନ ଥିଲା, ତଳକୁ ତଳକୁ ଅନ୍ଧାରି ପାତାଳ, କାନ ବଧିରା କରି ଝୋଲାର ଛଳଛଳ ଶବ୍ଦ, ଯେପରି ଖାଲି ସବୁ ଖସିପଡ଼ୁଛି ସଡ଼୍‌ସଡ଼୍, ଖସିପଡ଼ି ଭାସିଯାଉଛି ଝୋଲାଏ ଝୋଲାଏ ।

 

ବେଶୁ ପୁବୁଲିର ମନକଥା ବୁଝିପାରିଲା । ତଳକୁ ଓହ୍ଲେଇବାକୁ କନ୍ଧୁଣୀର ବି ସାହାସ ପାଉ ନାହିଁ । ପୁବୁଲିକୁ ଅପେକ୍ଷା କରିବାକୁ କହି ଅତଡ଼ାଏ ଅତଡ଼ାଏ ବେଶୁ ଉପରକୁ ଉଠିଗଲା । ପବନର ଦିଗବାରି ନାକଟେକି ଶୁଙ୍ଘି ବସିଲା । ଗଛ ପତ୍ରରେ ଭୂଇଁରେ କାନପାରି ପରସ୍ତେ ଶୁଣି ଲାଗିଲା । ନଇଁ ଠିଆ ହୋଇ ଗୁରୁଣ୍ଡି ଲେପ୍‌ଟି ବୁଦାରେ ଝଟାରେ ଟେକା ଫୋପାଡ଼ି ଆଖପାଖର ବନସ୍ଥଳୀକୁ ଥରେ ପରଖି ଦେଖିଲା । ବେଶୁ ନିଶ୍ଚିନ୍ତ ହେଲା, ବିପଦ ନାହିଁ । ଉପରୁ ଆଶ୍ୱାସର ହସ ମେଞ୍ଚା ମେଞ୍ଚା କରି ତଳକୁ ଫୋପାଡ଼ିଲା । ଉପରେ ବେଶୁ, ତଳେ ମୟୂରୀ ପରି ଉପରକୁ ମୁହଁଟେକି ପୁବୁଲି । ବେଶୁ ଓହ୍ଲେଇ ଆସିଲା । ପୁବୁଲିକି ଟେକିଧରି ମୋଟ ଶିଆଳୀ ମାଳରେ ଚଢ଼େଇ ଦେଇ ଆପେ ଅତଡ଼ାରେ ଚଢ଼ିବାକୁ ଲାଗିଲା ପଛେ ପଛେ ।

 

ପୁବୁଲିର ବିଶ୍ୱାସ ଆସିଥାଏ । କିଛି ସମୟ ପରିଶ୍ରମ ପରେ ଉପରର ଲତାଜାଲ ପାଖେ ସେମାନେ ପହଞ୍ଚିଗଲେ । ତା’ପରେ ଅତଡ଼ାର ମୁଣ୍ଡି, ତା’ପରେ ଉପର ।

 

ତଳୁ ଠିକ୍ ଉପରଟା ଯେତେ ବେଶୀ ଜଙ୍ଗଲ ଭର୍ତ୍ତି ଦିଶେ ପ୍ରକୃତରେ ସେତେ ଜଙ୍ଗଲ ସେଠି ନାହିଁ । ସବୁ ଜଙ୍ଗଲ ଝୋଲାର ମୁଣ୍ଡାମୁଣ୍ଡି । ଅସଂଖ୍ୟ ଚଢ଼େଇ ବସା, ନାନା ଜାତିର ଚଢ଼େଇ, ତଳର ଝୋଲାର ସୀମା ଦେଖାଇବା ଲାଗି ଝୋଲା ଉପରେ ସାପେଇ ସାପେଇ ବନସ୍ତର ଲହଡ଼ି । ଦି’ପାଖ ଅଳ୍ପ ଢାଲୁ, ବୁଦା ବୁଦା ଗୋଟା ଗୋଟା ବଣ, ପଥର ବେଶୀ । ହେଇ ସେ ଉପରେ ପର୍ବତର ଚୂଡ଼ା ଦିଶୁଛି, ପର୍ବତର ଉପରେ ସେମାନେ, ସେଠି ପରିଷ୍କାର ଆକାଶ ଚାରିପାଖ ଖୋଲା, ମଝିରେ ସାନ କୁଦପରି ପଥର ଜଙ୍ଗଲ ଭର୍ତ୍ତି ପର୍ବତର ଚୂଡ଼ା । ବେଶୁ କହିଲା, ‘ଝୋଲା ପାଖେ ପାଖେ ଘାଟିବାଟ ନିଶ୍ଚୟ ଥିବ, ଚାଲିଆ ।’

 

କେଉଁଠି ସେମାନେ ମାଛ ଧରୁଥିଲେ ? କେଉଁଠି ତାଙ୍କର ବନ୍ଧୁବାନ୍ଧବ ଅପେକ୍ଷା କରି ରହିଥିବେ ? କାହିଁ କେଉଁଠି ? ସେ ପର୍ବତ କେତେ ତଳେ ରହିଲାଣି ।

 

ଝୋଲାର ତଳି, ପର୍ବତର ତଳି, ପାତାଳ ସେ ଏ ଉପରୁ ଦେଖିଲେ, ଆଉ ମେଘର ପରସ୍ତ ପରି ଏହିସବୁ ପାହାଡ଼ ପର୍ବତ ଉହାଡ଼ରେ କେଉଁଠି ଲୁଚି ରହିଲାଣି ଆହୁରି ଖଣ୍ଡେ ସାନ ପର୍ବତ ଯାହା ଉପରେ ତାଙ୍କର ଗାଁ ମିଣିଆପାୟୁ । ବିପଦରୁ ଉଦ୍ଧାର ପାଇଲା ପରେ ସହଜ ମନରେ ଉଦାସ ଲଗାଇ ସେହିଆଡ଼େ ପୁବୁଲି ଅନେଇଁ ରହିଲା ଖୋଜିଲା, କାହିଁ ତାର ପତ୍ତା ନାହିଁ ତ । ଖାଲି ପର୍ବତ ତଳେ ପର୍ବତ ବିଛେଇ ହୋଇଛି, ସନ୍ଧିର ଗହୀର ଖୋଲରେ ଗହଳି ଜଙ୍ଗଲ ଖରା ଢଳି ଆସିଲାଣି, ପର୍ବତର ଉପର ଅଧକ ବାଇଗଣି ଦିଶୁଛି, ତଳର ଖୋଲକୁ କଳା ଛାଇ ଲମ୍ବି ଚାଲିଛି; ଯେତେଦୂର ଆଖି ଯାଉଛି ଖାଲି ଢେଉ ଢେଉକା ପର୍ବତ, ମଣିଷର ସ୍ଥାନ ନାହିଁ ସେଠି । ତାର ଅକୁଳର ମନର ବଥା କ୍ଷଣକେ ବୁଝିନେଇ ବେଶୁ କନ୍ଧ କହିଲା, ‘ଗାଁ ଖୋଜୁଛୁ ପୁବୁଲି ? ହେଇ ସେଇ ପର୍ବତ ଉଢ଼ୁଆଳ ରହିଲାଣି । ସେ-ଏ-ତଳୁ ଆମେ ଉଠିଉଠି ଆସିଥିଲୁଁ, ଆଉ ବାଟ ପାଇବୁ ସେଠିକି ? କାହିଁକି ଆଉ ମନ ବେସ୍ତ କରୁଛୁ ନୁନି, ଗଲାକଥା ଗଲା, ଏଥର ଧାଇଁଚାଲ୍ ବେଳ ପଡ଼ିଯିବ, ଆଜିକ ଯେ କୌଣସି ମତେ କାକିରି ଘାଟି ପାଖେ ଲଚାଉଣି ଗାଁ-ରାତିକ ରହି କାଲି ରନ୍ଧାବସାକୁ ଚମ୍ପା ଝରଣା ଧରିପାରିଲେ କାଲି ବେଳବୁଡ଼ୁ ସୁଦ୍ଧା ଆମ ଗାଁରେ ପହଞ୍ଚିଥିବା । ଏଠି କ’ଣ ଦେଖୁଛୁ ନୁନି, ଚାଲ୍ ସେଠିକି ଚାଲ୍, ଦେଖିବୁ ଆମ ଗାଁରେ ଥଳ କେମିତି, ବଣ କେମିତି, ଦେଖିବୁ ସେଠି ଶିକାର କେମିତି ହୁଏ, ଖାଲି ଜନ୍ତୁର ଖଣି । ବଣବାଟ, କିଛି ଭୟ ନାହିଁ, ଏଇ ନଳି ତ ଅଛି, ବାଟରେ ଆମ ଗାଁ ଲୋକ ପୁଣି ଭେଟି ପାରନ୍ତି, ସେମାନେ ବାହାରି ଯିବେଣି ।’

 

ପୁବୁଲିର ଦୋହଲା ମନକୁ ଢିରାଦେଇ ସିଧା କଲାପରି ବେଶୁ କନ୍ଧ ଯାବତ ଟାଣ କଥା କହି ଦମ୍ଭ ଦେଲା, ଆଉ ଭାବିବାକୁ ବେଳ ନାହିଁ, ପଛକଥା ପଛରେ ରହିଲା, ବେଶୁ କନ୍ଧର ହାତ ଧରି ଅଜଣା ବଣ ବାଟରେ ପୁବୁଲି ପକ୍ଷୀ ମେଲିଦେଲା ।

 

ଆଦିମ କାଳରୁ ପ୍ରଥା ଏପରି, ବଣର ହରିଣୀକୁ ଧରିଲାପରି ବଣର ଝିଅକୁ ଧରିନେଇ ଯାଇ ଥୋକେ ବିଭା ହୁଅନ୍ତି ତାକୁ କହନ୍ତି ଉଦୁଲିଆ ବିଭା । ଟୋକାଟୋକୀଙ୍କ ମନ ଘେନି କନ୍ଧ ସମାଜର ବିଭାଘର, ଆଗରୁ କହିରଖି, ଆଗରୁ ସୁତୁରାଇ, ଦିନେ ବର ଆସି କନ୍ୟାକୁ ଉଡ଼େଇ ନେଇଯାଏ, ଧରାପଡ଼ିଲେ ଯୁଦ୍ଧ ଦେବାକୁ ସେ ଆଗରୁ ପ୍ରସ୍ତୁତ, ମାଡ଼ ଖାଇ ମାଡ଼ ଦେଇ ସେ ବିଭା ହୁଏ । ଅବଶ୍ୟ ଏ କେବଳ ଗୋଟାଏ ପ୍ରକାର ବିଭାଘର । ଯାହାର କନ୍ୟାସୁନା ଦେବାକୁ ସଙ୍ଗତି ନାହିଁ, ଯେଉଁଠି ବଡ଼ବଡ଼ିଆଙ୍କର ଅମତ ଆଶଙ୍କା, ଅଥବା ଯଦି ଘରଜୋଇଁଆ ଖଟି ପରିଶ୍ରମରେ କନ୍ୟାସୁନା ଶୁଝିବାକୁ ବରର ଅମତ ସେଠି ଏହି ‘ଉଦୁଲିଆ’ ବିଭାର ପ୍ରଚଳନ ଅଛି, ପ୍ରାଚୀନ କାଳର ମଣିଷ ସମାଜର ଧରାକନ୍ୟା ବିଭା ହେବା ପ୍ରଥାର ସ୍ମାରକ ଏ ।

 

ଏହିପରି ଥରେ ଚିହ୍ନା ପରଗାଁ ଲୋକର ହାତଧରି ପୁବୁଲି ଚାଲିଗଲା । ଦୁନିଆଁର ବଜାରରେ ଯେଉଁଠି ନିଜ ମନର ଗଢ଼ଣ ଅନୁଯାୟୀ ନିଜ ଆଦର୍ଶର ସାଙ୍ଗ ବାଛିବାକୁ ରୁଚି ଧାଏଁ, ଥରେ ଚିହ୍ନାରେ ଆପଣାକୁ ସେ କଳି ସାରିଥିଲା, ଆଉ ତାର ବଛାବଛି ନାହିଁ । କେଉଁଠି କେବେ ବଢ଼ିଥିଲା ସେ । କାହା ଘରର ମାଣ୍ଡିଆ ଭାତ କନ୍ଦାସିଜା ଖାଇଖାଇ ଯୌବନର ଏ ଦୁଃସାହସ ପାଇଁ ତାର ଦେହ ଗଢ଼ା ହୋଇଥିଲା, କାହାର ସେ, କେଉଁ ଗାଁର । ଏତେ ତଉଲ ତାଉଲ ତାର ମନେ ନାହିଁ । ସେ ଯୁବତୀ, ତାର ମନ ଡାକିଲା, ତାର ରୁଚି ବାଛିଲା, ସେ ଚାଲିଗଲା ।

•••

 

ପଞ୍ଚାବନ

 

ତେଣେ ଅତଡ଼ା-ତଳ ଝୋଲାରେ-

 

ପାଣି ବୋହିବୋହି ପାଣି ସରିଲା, ପଥୁରିଆ ଝୋଲା ଭିତରେ ଖାଲି ସାନ ମାଛ ସାଲୁସାଲୁ । ପଥର ଖୋଲିଲେ ଗଡ଼େଇ ମାଛ ମୁଣ୍ଡ ପୋତୁଛି, ବାଲିଗରଡ଼ା ବାଲିରେ ମୁହଁଟିକୁ ପୋତିଦେଇ ଭାବୁଛି ସେ ନିସ୍ତାର ପାଇଛି, ସାନସାନ ମାଛର ଏଣେତେଣେ ଫୁକୁର୍ ଫୁକୁର୍ ଡିଆଁଡେଇଁ । ସମସ୍ତେ ଏଣେତେଣେ ଧାଇଁ ମାଛ ଗୋଟୋଉଛନ୍ତି, ଏ ତା ଉପରେ ସେ ୟା ଉପରେ ପଡ଼ୁଛି । ସେହି ମାଛଧରା ଭିତରେ ପାଖକୁ ପାଖ ଠେଲାଠେଲି ହେବାରୁ କିଏ କାହାକୁ କେଞ୍ଚି ଦେଉଛି କୁତୁକୁତୁ କରୁଛି ଖାଲି ହସର ପାଟି, ନକଲି ରାଗରପାଟି । ଗୋଳମାଳରେ ଅତଡ଼ା ଉପରୁ ବୁଢ଼ାମାନଙ୍କର ନିଦ ଭାଙ୍ଗିଲା । ଉପରୁ ଦିଶୁଛି ଖଣ୍ଡେଦୂରରେ ସ୍ଥାନେ ଦଳଦଳ ମୟୂର ଓହ୍ଲେଇ ଖୋଲର ଢାଲୁଯାକ ବସିଗଲେଣି । ମାଛମରାର ଆଗ୍ରହଠୁ ବଳି ବୁଢ଼ାତୁଣ୍ଡରେ ନରମ ମୟୂର ମାଂସର ସୁଆଦର କଳ୍ପନା ।

 

ବୁଢ଼ାମାନେ ଉପରୁ ପାଟିକଲେ, ‘ମେଲକା-ମେଲକା’ (ମୟୂର ଗୁଡ଼ାଏ, ମୟୂର ଗୁଡ଼ାଏ) ଆରେ ତୁମେ ମାଛମାରି ଆସିଛ କି ବେଣ୍ଟ୍ (ଶିକାର) କରି ଆସିଛ ? ଆସ ଆସ । ଶିକାରର ଆଗ୍ରହ ଯେଉଁମାନଙ୍କର ସମସ୍ତେ ଉଠିପଡ଼ି ଅତଡ଼ାକୁ ଆସିଲେ । ବନ୍ଧୁକ ସଜା ହେଲା, ଦୂରତା ଦେଖା ହେଲା, ସଙ୍ଗେ ସଙ୍ଗେ ମନ୍ତ୍ରଣା ବସିଗଲା କିଏ କେଉଁବାଟେ ଯିବ, କାରଣ ମୟୂର ଚଞ୍ଚଳ ଦେଖିନିଏ । ମନ୍ଦାକେ ଗୋଟାଏ ବଡ଼ ଝାଲିଆ ମୟୂର, ପଞ୍ଝାଏ ଲେଖାଁ ମାଈ । ସୁବିଧାରେ ବସିଛନ୍ତି, ଏଠି ମଣିଷର ରାହାଜାନି ନାହିଁ, ତେଣୁ ।

 

ଯେଉଁ ଲୋକଟା ସକାଳେ ଆସିଲାବେଳେ ହେଇ ଏଡ଼େବଡ଼ ସେ ଶିଂଘାଳ (ଅଣ୍ଡିରା ସମ୍ବର) ସମ୍ବରଟାକୁ ଏକୁଟିଆ ଶିକାର କରି ଆଣିଲା ମୟୂର ବିରୋଧରେ ଅଭିଯାନ ଆରମ୍ଭ ହେବାରୁ ତାହାରି କଥା ସମସ୍ତିଙ୍କ ତୁଣ୍ଡରେ ଆସିଲା । ମିଣିଆପାୟୁର ବୁଢ଼ା ବାଗୀ କନ୍ଧ କହିଲା ସେଇ ଭେଣ୍ଡିଆ ଆଗକୁ ଆସୁ, ସେ କହୁ । ଝିଅମାନେ ଏକାଠି ହେଲେ । ମାଛମରା ନିଶା ଛାଡ଼ିଯିବାରୁ ଝିଅମାନେ କାଠକ ଚିଟ ଜଞ୍ଜାଇ ପାଟି କଲେ, ‘ପୁବୁଲି ? ପୁବୁଲି କାହିଁ ?’

 

ମିଟିଂଗାଁର ଧାଂଡାମାନଙ୍କ ମଧ୍ୟରେ ଚହଳ ଖେଳିଗଲା । ଲେତା ଆର୍ଜୁ ଉଢ଼ୁଆଳକୁ ଯାଇ ମନ୍ତ୍ରଣା କଲେ । ଆର୍ଜୁ କହିଲା, ‘ଥା ତୁନିତାନି, ଗାଁକୁ ଗଲେ କହିବା ।’

 

ଲେତା କହିଲା, ‘ବାୟା ହେଇଛୁ ତୁ । ସେମାନେ ତ ଗଲେଣି । ଏମାନେ ଯଦି ଆଜି ନ ଜାଣିବେ କାଲି ଜାଣିବେ ତ । ବର୍ତ୍ତମାନ ଧନ୍ଦିହୋଇ ସମସ୍ତେ ମରିବେ ଯେ । ବାଘ ଖାଇଲା କି ସାପ ଖାଇଲା ଭାବିବେ, କନ୍ଦାବୋବା ହେବେ ।’

 

Unknown

ଆର୍ଜୁ କହିଲା, ‘ହେଲେ ବା କନ୍ଦାବୋବା, ଖାଲି ତାଙ୍କ ଝିଅ ପାଇଁ ହୁଅନ୍ତେ ଏମିତିରେ ଆମ ପୁଅ ପାଇଁ ବି ମନ ଦୁଃଖ କରିବେ ।’

 

‘ନା ନା, ସେ ଗୋଟାଏ କଥା ନା; ବୃଥା କାରଣରେ କନ୍ଦେଇ ଦବା-’

‘କହିଲେ ମାଡ଼ପାଇଁ ପିଠି ପତେଇ ଥିବୁଟି ଭାଇ ।’

‘ସେ ତ ହେବ ।’ ଦିହେଁ ହସିଲେ ।

 

ମିଟିଂଗାଁର ଲୋକେ ପ୍ରକାଶ କଲେ, ବେଶୁ ଆଉ ପୁବୁଲି ଉଦୁଲିଆ ପଳେଇଛନ୍ତି । ମୂହୂର୍ତ୍ତେ, ବଜ୍ର ପଡ଼ିଲା ପରି ସମସ୍ତେ ସ୍ତବ୍‌ଧ ହୋଇଗଲେ । ତା’ପରେ ତୋଫାନ ଉଠିଲା । ବୁଢ଼ା, ଟୋକୀ ସମସ୍ତେ ଏକାଠି ହୋଇଗଲେ । ଏକାଠି ରାଗର ଗାଳି ଖଇପରି ଫୁଟିଲା ସମସ୍ତିଙ୍କ ତୁଣ୍ଡରୁ, କାଠ୍‌କ ଚିଟ ଜଞ୍ଜାଇ ପୁବୁଲିର ସାଙ୍ଗମାନେ ସତକୁସତ କଇଁ କଇଁ ହୋଇ କାନ୍ଦିଲେ, ଆଉମାନେ ହସିଲେ, ବୁଢ଼ାମାନେ ଗର୍ଜିଲେ, କିଏ କାହାର ହାତକୁ ଯୋରରେ ଧରି ଟିକିଏ ଝାଙ୍କିଦିଏ ତରତର କରି କହେ, ‘କହ କହ କେଉଁବାଟେ ଗଲେ ?’ କିଏ ଖଣ୍ଡେଦୂର ଦୌଡ଼ିଯାଏ ପୁଣି ଦୌଡ଼ି ଦୌଡ଼ି ଫେରିଆସି ହାତ ହଲାଏ, ମୁଣ୍ଡ ହଲାଏ, ଛଟପଟ ହୁଏ । ପ୍ରଥମ ଘୋ ଘା ଉତ୍ତାରୁ ଦୁଇ ଗାଁର ଲୋକ ଦୁଇ ଦଳ ହୋଇ ମୁହାଁମୁହିଁ ଠିଆ ହେଲେ । କହରା ଜଟ ଝାଡ଼ି ଝାଡ଼ି ଯୂଥପତି ପରି ଦଳ ଆଗରେ ଠିଆହୋଇ ମିଣିଆପାୟୁ ବୁଢ଼ାମାନେ ମହାଦର୍ପରେ ଗାଳି ଆରମ୍ଭ କଲେ ।

 

ଖଙ୍ଗାର (ଖଣ୍ଟ) ପଟ୍‌କାର (ଠକ) ଗଣ୍ଡା (ମନ୍ଦ) ତାନ୍ତ୍ରିଆଁ (କୁଟିଳ) ମିଟିଂଗିଆମାନେ, ମାଗିଥିଲେ କ’ଣ ଦେଇ ନ ଥା’ନ୍ତୁ ଯେ ଆମର ଝିଅକୁ ଆସି ଚୋରିକରି ନେଇଗଲ ଗ୍ୟାଳ୍ପ ଚୋରମାନେ । ନା ପିରା ବୁଡ଼୍‌ତାତି ମି ଗୁତିତା କାଞ୍ଜାଇଁ (ଖରାପ ଗାଳି) ଗଣ୍ଡା ପଟ୍‌କାର ନିସ୍ତା ପିସ୍ତା (କୋଢ଼ିଆ) ଶଳେ । ଆମର ମଦ ପାଣି ଦିଅ, ଆମ ଭୋଜିଭାତ ଦିଅ, ଆମର ଝୋଲା (କନ୍ୟା ସୁନା) ଦିଅ ଭଲ ଦଶା ଅଛି ତ । ଆମର ହକୁ (ନ୍ୟାଯ୍ୟ) ଦେଇକରି ନ ଗଲେ ଆଗ କାଳପରି ମାଡ଼୍‌ ଖୁଡ଼ି ଚଳିବ ଦେଖ ।’

 

ମିଟିଂ ଟୋକାଏ ତାଳିମାରି ହସୁଥା’ନ୍ତି । ଜବାବ ଦେଲେ ଆମର କିଛି ଦୋଷ ନାହିଁ ତୁମର ଝିଅ ତା ରାଜିରେ ଆମର ପାଣି ଡୁମ୍ବେଇ (ଢାଳି) ପିଇଛି, ତା’ ରାଜିରେ ଘର କରି ଚାଲିଯାଇଛି । ଆମେ ନା ଚୋରି କରିଛୁଁ ନା ଡକେଇତି କରିଛୁଁ ଆମକୁ ଗାଳି କରୁଛ ? ଏଥର ତୁମେ ଆମର ଶଳା ହେଲ, ଶଶୁର ହେଲ, ଆଉ ମନ ରୁଖାରୁଖି କାହିଁକି ଶଶୁରମାନେ ? ତୁମେ ପାଇ ପାଇ ପଟେ ହଡ଼ା ପାଇବ, ଟିଣେ ମଦ ପାଇବ, ଗୋଟେ ଭୋଜି ପାଇବ । ତୁମେ ତ ଅସଲ ହଡ଼ା ବେପାରି, ହଳଦି ବେପାରି, ତୁମ ପାଉଣା ନ ପାଇଲେ ତୁମେ କାହୁଁ ଛାଡ଼ିବ, ଶଶୁରମାନେ ? ସଙ୍ଗେ ସଙ୍ଗେ ଟୋକୀମାନେ ମିଟିଂ ଲୋକଙ୍କୁ ଆକ୍ରମଣ କଲେ । ବିଧା ଚାପୁଡ଼ା ଆଞ୍ଚୁଡ଼ା-ଦୁର୍ବଳା ଅବଳା ଯାହା କରିପାରନ୍ତି । ଏ ମାଡ଼ ମଧ୍ୟ ଦେଶାଚାର, ଏଥିରେ ତିକ୍ତତା ନ ଥିଲା, କେବଳ ପୂର୍ବ କାଳର ଧରାକନ୍ୟା ବିଭାର ସ୍ମାରକ । ଟୋକାମାନେ ଆପତ୍ତି ନ କରି ସବୁ ସହିଯାଉଥା’ନ୍ତି ଓଲଟି ହସୁଥା’ନ୍ତି । ମନଇଚ୍ଛା ମାଡ଼ ହେଲା । ତା’ପରେ ଦୁଇପକ୍ଷ ଅଲଗା ହେଲେ, ମିଟିଂଲୋକ ମିଟିଂକୁ ଗଲେ, ମିଣିଆପାୟୁର କୁଦା (ଦଳ) ମିଣିଆପାୟୁ ଗଲେ ।

•••

 

ଛପନ

 

ମଦ ଆହୁରି ମଦ, ଲେଞ୍ଜୁକନ୍ଧ ଠେକିଧରି ବସି ରହିଥାଏ, ଏତିକି ତାର ଜୀବନର ଆରାମ । କେତେ ପ୍ରକାର ଅଭିନୟ ମନେ ମନେ ସେ ଆବୃତ୍ତି କରେ, ସବୁ ହାରିଯାଏ ସୋନାଦେଈ ପାଖେ, ସେ ମଣିଷଟି ତାର ହାତ ଭିତରେ ଛିଂଲେଁଇ କରି ବାହାରି ଚାଲିଯାଏ, ଲେଞ୍ଜୁ କନ୍ଧ ଖାଲି ଆବାକାବା ହୋଇ ପଛକୁ ଅନେଇଥାଏ । ଯେତେଥର ସେ ହାରେ ସେତେଥର ସେ ଆପଣାକୁ କଳି ବସେ, ଟୋକାମାନଙ୍କୁ ଗାଳିଦିଏ, କ’ଣ ସେମାନଙ୍କର ଅଛି ଯାହା ତାର ନାହିଁ ? ସେ ଭାବିପାରେ ନାହିଁ ।

 

ହେଇ ସେତେବେଳେ ବାରିକ ଥାଏ ନାହିଁ, ଲେଞ୍ଜୁ କନ୍ଧ ମଧ୍ୟ ମଦ ପିଇଦେଇ ଭେଣ୍ଡିଆ ଲୋକପରି ଯାଇ ଗର୍ଜନ କରିଥିଲା, ‘କୁଆଡ଼େ ପଳାଇବୁ ଘର ମେଲା କରିଦେଇ, ହେଇ ବସ, ହେଇ ନେ-’, ଜବାବ ନାହିଁ, ଖାଲି ଗୋଟାଏ ପିଠିରୁ ଫାଳେ, ହେଇ ହେଇ କରୁକରୁ ସରୁ ହୋଇ ହୋଇ ପିଠିଟା କୁଆଡ଼େ ମିଶିଗଲା । ଆହୁରି ଟୋପିଏ ପିଇ ମନଟାକୁ ସରସ କରି ହସି ହସି ଡାକିଲା, ‘ଆରେ ଲୁଚିଲୁ କୁଆଡ଼େ, ଆ ଆ କଥା ହେବା, ନାଟ କରିବା-’ ତ ଗରିଆଟିଏ କାଖେଇ ବାଟେ ବାଟେ ବାହାରି ଚାଲିଗଲା, ସେ କହିଦେଇ ଗଲା ‘ଟିକିଏ ଦେଖୁଥା ସାଓଁତା, ବାରିକ ଆସିବ, ଏଇଲେ ତୁମେ ତ ଅଛ, ଘର ମେଲା ଥାଉ-’ ଆହୁରି ଆହୁରି ହୋଇ ଠେକିକଯାକ ସରିଗଲା, ତା’ପରେ ବାରିକ ଘର ଉଣ୍ଡାଳିଲେ ବି ‘ଖାଲି ତୁଚ୍ଛା’ ପାଣି, ନାଟ ସରିଲା ଗୀତ ସରିଲା-ତଥାପି ତାର ଦେଖା ନାହିଁ । ହଁ ଖୋଜି ଯାଇଥା’ନ୍ତା ବା, ସେ କେମିତି ଖୋଜିଯିବ କଥା ଦେଇଛି ଘର ଜଗିଥିବ । ବାରିକର ଘରେ କ’ଣ ବା ଅଛି କିଏ ଚୋରି କରିବ ତା ନିଜ ଘରର କୁଦା ଦଳ ବିନା, କିନ୍ତୁ ନା, ଯେତେ ମଦ ଖାଇଲେ ବି ନିଶାଟା ଯାଇ ଭୟ ଦେହରେ ଧକ୍‌କା ବାଜେ, ଉଢ଼ୁଆଳରେ ଏଇ ଘରେ ଏଇ ଦୁଆରେ ମନ ଇଚ୍ଛାରେ ସେ ତାର ମୂର୍ତ୍ତି ଦେଖେଇପାରିବ କିନ୍ତୁ ପଦାରେ ନୁହେଁ । କେଉଁଦିନ କ’ଣ ବକୁ ବକୁ କ’ଣ କହି ହୋଇଯିବ କାଳେ ସେତିକି ନିତିଦିନର ଚିନ୍ତା, ଭୟ ।

 

କୌଣସିଟା ନ ପାରି ସବୁଠି ହାରି କେବଳ ମୁଣ୍ଡରେ ହାତ ଦେଇ ସେ ବସିଥାଏ, ସଂସାରର ସବୁଯାକ ଦୁଃଖ ଯେପରିକି ତାର ମୁଣ୍ଡ ଉପରେ ଲଦାଲଦି । କ’ଣ ମନ ଭିତରୁ କହି ଲାଗିଛି ତାକୁ ଆସେ ନାହିଁ ତାକୁ ଆସେ ନାହିଁ । ପୁଣି ଭାବୁଛି, ତାର କେହି ନାହିଁ କେହି ତାକୁ ଖୋଜୁ ନାହିଁ । ଏହିପରି ମାନ୍ଦା ଦୁଃଖର ଅବତାର ହୋଇ ନିସ୍ତେଜ ହୋଇ ପଥର ଉପରେ ବସିଥିଲାବେଳେ ତାର ମଲା ସ୍ତ୍ରୀ ରୁଫ୍‌ନା ବି ମନେପଡ଼େ । ଯେତେ ଯେ ମରିଛନ୍ତି ଯେତେ ଯେ ହଜିଛନ୍ତି ସବୁ ହାଲୁକା ହୋଇ ଉପରକୁ ଭାସିଆସେ ମଦର ରସ ଗରୁଆ ହୋଇ ତଳକୁ ଗଳିପଡ଼େ ।

 

ଜାଣିଜାଣି ଆପଣାକୁ ବହୁତ ଦୁଃଖିତ କରି ସାରିଥିଲା ସେ । ପାଣ୍ଡ୍ରୁ କନ୍ଧ ପାଖକୁ ଆସି କହିଲା, ‘ତୋର ଦେହ ବଡ଼ ବିରସ ଦିଶୁଛି, ବିଭଙ୍ଗ ଦିଶୁଛି ଲେଞ୍ଜୁ ଭାଇ ହୁସିଆର ତତେ ଜର ହୋଇପାରେ’ ଲେଞ୍ଜୁ କନ୍ଧର କାନ୍ଦଣା ଧ୍ୟାନ ଭାଙ୍ଗି ନ ଥାଏ । ପାଣ୍ଡ୍ରୁ କନ୍ଧ ଆହୁରି ଉପଦେଶ ଦେଲା, ‘ତୁ ବେଳୁସୁ ହୁସିଆର ହ ଓ ଖା, ଏ ଦିନେ ବଡ଼ ଖରାପ ମାଳୁଆ ଜର ହେବ ଚାରିଆଡ଼େ । ପଡ଼ିଯିବୁ ପଡ଼ିଯିବୁଟି-’

 

କଥାଟା ବଡ଼ ଭଲ ଲାଗିଲା ଲେଞ୍ଜୁ କନ୍ଧକୁ, ମଦ ନିଶାର ଶେଷାଶେଷି ନିଜ ଉପରେ ଦୟା ଆସିଲା, ଇଚ୍ଛା ହେଲା ପାଣ୍ଡ୍ରୁ କନ୍ଧର ବେକକୁ କୁଣ୍ଢେଇ ସେ ବହେ କାନ୍ଦିବ । ଏହି ଭଲ ହେଲା, ସେ ମରିଯିବ, କେହି ତା କଥା ଭାବିବେ ନାହିଁ, କେହି ଶୋକ କରିବେ ନାହିଁ, ସଂସାରରେ ଅଧମ ସେ ନିର୍ଦ୍ଦୋଷ ଢମଣା ।

 

ପାଣ୍ଡ୍ରୁଜାନି ସୁଦ୍ଧା ବସି ରହିଲା ନାହିଁ ଘଡ଼ିଏ ।

ସଂସାରଟା ଏହିପରି ।

 

ଗାଁଟା ତୁନିପଡ଼ି ରହିଛି । ନିଶ୍ୱାସ ବନ୍ଦ କରି ରହିଛି ସେତିକି, କ’ଣ ଗୋଟାଏ ଖବର ଶୁଣିବା ଆଶାରେ । କେତେ ଶୂନ୍‌ଶାନ୍, ଲେଞ୍ଜୁ କନ୍ଧ ଭାବୁଥାଏ-ଏଡ଼େ ନିରୋଳାରେ ବି ସୋନାଦେଈ ଖାଲି ତାକୁ ଚେତେଇ ଦେବ ଯେ ସାଓଁତା ହେଉକି ଯାହାହେଉ ସେ, ସେ ନୁହେଁ ତାହା ମଚ୍ଛାର ।

 

ଏମିତି ଭଲ, ଯାଉ ଜୀବନଟା ଶେଷ ହୋଇଯାଉ, ଚଞ୍ଚଳ ସରୁ, ଏ ଜୀବନର ଅମେଣ୍ଟ ଆଶା ଆର ଜୀବନରେ ମେଣ୍ଟେଇ ହେବ କାଳେ । କେହି ତାର ନୁହେଁ, ତେଣୁ କେହି କାହାର ନୁହେଁ, ସଂସାର ତୁଚ୍ଛ, ମିଛ ମାୟା ।

 

ବେଳ ରତରତ ହେଉଥାଏ, ଗାଁ ମୁଣ୍ଡରେ ବାଜା ବାଜିଲା, ଗୀତ ଶୁଭିଲା । ଚହଳ ପଡ଼ିଗଲା, ଚାରିଆଡ଼ୁ ସମସ୍ତେ ଦୌଡ଼ି ଆସିଲେ । ଗୋଟାଏ ମଲା ସମ୍ବରକୁ ଫୁଲମାଳରେ ବେଶ କରି କୋକେଇରେ ପକେଇ ବୋହି ଚାଲି ଆସୁଛନ୍ତି ଗାଁର ବୁଢ଼ାମାନେ, ସାଫଲ୍ୟରେ ମୁହଁକୁ ହସ ଅଣ୍ଟୁ ନାହିଁ, ସେମାନଙ୍କୁ ଘେରି ହାତ ଛନ୍ଦାଛନ୍ଦି ହୋଇ ଆଗକୁ ପଛକୁ ଦୋହଲି ଦୋହଲି ନାଚି ନାଚି ଆସୁଛନ୍ତି ଗାଁର ଝିଅମାନେ, ଗୀତରେ ପାଟିରେ ଦାଣ୍ଡ କମ୍ପୁଛି । ଲେଞ୍ଜୁ କନ୍ଧର ଆଖି ପଡ଼ିଲା ସେହି ସମ୍ବରଟା ଉପରେ ଆସ । ସେ ଅନୁଭବ କଲା ତାକୁ ଭୋକ କଲାଣି । ସମ୍ବର ମାଂସ ବାସି ହେଲେ ଭଲା ଲାଗେ, ତେବେ ସଜ ଥିଲେ ବି ମନ୍ଦ ନୁହେଁ, ନିଆଁରେ ଟିକିଏ ସେକିଦେଇ ଚୋବେଇ ଚୋବେଇ ଖାଇବାକୁ । ଭୋକ ସଙ୍ଗେ ସଙ୍ଗେ ପୁଣି ସେହି ଅନାଥ ଭାବ । କିଏ ଅଛି ତାର, ଏତେ ଭୋକ କରୁଛି, ବୁଝୁଛି କିଏ ? କାହିଁକି ଏମାନେ ଏମିତି ହେଉଛନ୍ତି ? ଜଣାଯାଉଛି ଯେପରି ଉପରେ ଚଢ଼ି ସମ୍ବରଟାକୁ ଚୋବେଇ ଖାଇଦେବାକୁ ତାଙ୍କର ମନ । ଲେଞ୍ଜୁ କନ୍ଧ ଆଉ ସମ୍ଭାଳି ହେଲା ନାହିଁ, ଭାବିଲା ଏଥର ଉଠିବ । ଉଠୁ ଉଠୁ କରୁଛି ଜଞ୍ଜଇ ଦୌଡ଼ିଦୌଡ଼ି ଆସିଲା, କହିଲା, ‘ଲେଞ୍ଜୁ କାକା, ପୁବୁଲି ଉଦୁଲିଆ ପଳେଇଲା ସେ ମିଟିଂଗାଁର ବେଶୁ କନ୍ଧ ସଙ୍ଗରେ-’

 

ପୁବୁଲି, ମିଟିଂ, ବେଶୁ କନ୍ଧ ଏକାଠି କରି ହେଲା ନାହିଁ, ଲେଞ୍ଜୁ କନ୍ଧ କହିଲା, ‘ଏଁ-’

‘ଆମେ ସବୁ ଝୋଲାରେ ମାଛ ଧରୁଥିଲୁଁ, ବେଶୁ-’

‘ବେଶୁ ?’

‘ହଁ ସେଇ ଯେ ସେ ସମ୍ବରଟାକୁ ମାରିଛି-ଏମିତି ଶିକାରୀ ସେ ଲେଞ୍ଜୁ କକା-’

 

ଧୀରେ ଧୀରେ ସବୁ ଧାରଣା ଏକାଠି ହୋଇଗଲା । କପାଳ ଉପରେ ବଙ୍କାଢଙ୍କା ଗାର, ଓଠ ଥରିଲା, ନାକ ଡେଇଁଲା, ଅହେତୁକ ରାଗରେ ଭୟଙ୍କର ମୁହଁ ସରବୁ ସାଓଁତାର ଭାଇ ଲେଞ୍ଜୁକନ୍ଧ ଦାଣ୍ଡ କମ୍ପେଇ ଗର୍ଜନ ଛାଡ଼ି ଡେଇଁ ପଡ଼ିଲା, ‘କ’ଣ ହେଲା-ଉଦୁଲିଆ ନେଇ ପଳେଇଲା-! ମୋର ପୁବୁଲିକୁ ବେଶୁ କନ୍ଧ ନେଇ ପଳେଇଲା !’ ‘କ’ଣ ହେଲା କ’ଣ ହେଲା’ କହି ଚାରିଆଡ଼ୁ ଲୋକ ଦୌଡ଼ିଆସିଲେ, ବାଜା ନାଚ ବନ୍ଦ ହୋଇଗଲା, ଶିକାରକୁ ଯାଇଥିବା ଲୋକେ ତାଟଙ୍ଗା ହୋଇ ଅନେଇଲେ, କେତେକ ବୁଢ଼ୀ କାନ୍ଦି ପକେଇଲେ । ଲେଞ୍ଜୁ କନ୍ଧ ଗର୍ଜନ କରୁଥାଏ ।

 

ପୁୟୁ ହାକିନାକୁ ବୁଝେଇବାକୁ ଘରୁ ଆସୁଥାଏ, ‘ହେଇତିରେ ହାକିନା, ସମ୍ବର ଦେଖିଯିବା ଚାଲ୍ ଦେଖିଲୁ କେମିତି’ ହଠାତ୍ ବାଜା ବନ୍ଦ ହୋଇଗଲା । ଶୁଭିଲା ଯେମିତି କିଏ ସବୁ ଗର୍ଜନ ଛାଡ଼ୁଛନ୍ତି, ଯେପରି କ’ଣ ମାଡ଼ ଫଉଜ୍‌ଦାରି ଲାଗିଯାଇଛି ଗାଁ ଦାଣ୍ଡରେ । ଗଇଁସଇଁ ହୋଇ ଦୌଡ଼ିଦୌଡ଼ି ଟୋକୀପଞ୍ଝାଏ ଆସି କହିଲେ, ‘ବେଶୁ ପୁବୁଲିକୁ ଉଦୁଲିଆ ନେଇଗଲା-’

 

ହଠାତ୍ ପୁୟୁର ଦି ଆଖିରେ ଲୁହ ଟୋପାଗୁଡ଼ାକ ଭର୍ତ୍ତି ହୋଇଗଲା । ପୁୟୁ ଲେଉଟି ଆସିଲା ।

 

ଗାଁ ଦାଣ୍ଡରେ ଲେଞ୍ଜୁ କନ୍ଧ ଗର୍ଜି ଲାଗିଥାଏ ‘ଏହ୍ନାତକି (କାହିଁକି)-ଏହ୍ନାତକି’, ୟା ହାତରୁ ତା କାନ୍ଧରୁ ବର୍ଚ୍ଛା ବନ୍ଧୁକ ଝିଙ୍କି ଲାଗିଥାଏ । ‘ସେଇଟା କିଏ ତା ଘର କୋଉଠି ପରପାଇଁ ସାଇତା ହୋଇଥିବା ଧନକୁ ଚୋରେଇ ନେଇ ଚାଲିଗଲା, ଆମୁକୁ କୁହା ନାହିଁ ବୋଲା ନାହିଁ । ହାର୍ଗୁଣା ସାଓଁତା କ’ଣ ଭାବିବ ? ତୁମେ ଏତେ ଲୋକ ଯାଇଥିଲା ଗାଁ ନାଁ ବୁଡ଼େଇଦେଇ ଆଇଲ ? ଶିକାର କରି ଯାଇଥିଲ ପରା ହାତହତିଆର ଧରି, ପର ଲୋକ ତୁମ ଝିଅକୁ ଝିଙ୍କି ନେଇଗଲା, ଲାଜ ମାଡ଼ିଲା ନାହିଁ ? ଚାଲ ବାହାର ? ଚାଲ କୋଉଠି ହୋଇଥିବେ, ତାଙ୍କ ପାଇଟି କରିଦେଇ ଆସିବା, ନ ହେଲେ ତାଙ୍କ ଗାଁକୁ ଯାଇ ଗାଁ ଉଜାଡ଼ିଦେଇ ଆସିବା, ଉଠ ଉଠ, ଗାଁରେ ଭେଣ୍ଡିଆ ନାହାନ୍ତି ବୋଲି ଆମେ କ’ଣ କେବେ ଭେଣ୍ଡିଆ ହୋଇ ନ ଥିଲେ ?’ ତାର ଓଜସ୍ୱିନୀ ବକ୍ତୃତାରେ ସେ ନିଜେ ତାତୁଥାଏ ଆଉ କେହି ତାତୁ ନ ଥା’ନ୍ତି । କାରଣ ରାଜି ଉପରେ କାହାରି କଥା ନାହିଁ, ଝିଅର ଯାହାକୁ ଇଚ୍ଛା ତାକୁ ସେ ବିଭା ହେଲା ଏବଂ ଏହି କନ୍ଧଦେଶରେ, ଯେଉଁଠି ଦୁଇଟା ବଳିଷ୍ଠ ହାତ ମଣିଷର ଶ୍ରେଷ୍ଠ ସମ୍ପଦ, ସେଠି ଗୋଟାଏ ହାର୍ଗୁଣା ସାଓଁତା ଗୋଟାଏ ବେଶୁ କନ୍ଧ ଭିତରେ ତଫାତ୍ ବେଶି ନାହିଁ । ଲେଞ୍ଜୁ କନ୍ଧର ରାଗିବାକୁ ହେଉଥାଏ । ସେ ରାଗୁଥାଏ, ତାର ମନ ପଛଆଡ଼େ ଥାଏ ରାଗ ଉପରେ ଆଉ ମନ ଗୋଟାଏ ପ୍ରବଳ ଶକ୍ତି, ସେ ତାର ଭୟ । ଦିଉଡ଼ୁ ଫେରିବ, ଦିଉଡ଼ୁ ଶୁଣିବ, ସେ ଯେପରି ଆଣ୍ଡୁଆ ଲୋକ କାହାକୁ ଦାୟୀ କରିବ କିଏ ଜାଣେ ?

 

ପାଗଳ ପରି ଲେଞ୍ଜୁ କନ୍ଧ ଧାଇଁଗଲା ତାର ଘରକୁ, ପାଟିକରି କହିଲା, ‘ବୋହୂ ବୋହୂ ଶୁଣିଲୁଣି ହେ ବୋହୂ !’ ପୁୟୁ କିଛି ନ କହି କାଠପରି ଠିଆ ହୋଇଥାଏ । ‘ଆମେ କ’ଣ ହତାଦର କଲୁ ତାକୁ ବୋହୂ, ନ କହି ନ ପୋଛି ଏହିପରି ଉଦୁଲିଆ ପଳେଇବାକୁ ତାର ମନ ଥିଲା । ଏତେ ଲୋକ ତ ବିଭା ହୋଇଛନ୍ତି ତା’ପରି କିଏ ଉଦୁଲିଆରେ ଆସିଛି କହିଲୁ ? ସାଓଁତାର ଝିଅ, ସାଓଁତାର ଭଉଣୀ, କେଡ଼େ ସୁନ୍ଦର ବର ଅପେକ୍ଷା କରି ବସିଛି ହାର୍ଗୁଣା ସାଓଁତା । ଏମିତି ହେଲା-’

 

ଲେଞ୍ଜୁ କନ୍ଧ ପାଟି କରୁଥାଏ, କାହାରିଠୁ ଜବାବ୍ ନ ପାଇ ତାର ରାଗ ଆହୁରି ତିକ୍ତ ହୋଇ ଉଠୁଥାଏ । ଗୋଳମାଳରେ ବୁଢ଼ୀ କେଇଟି ଏକାଠି ଜମିଥା’ନ୍ତି, ପିଲାମାନେ ସମସ୍ତେ ଯାଇ ଦାଣ୍ଡରେ ସମ୍ବର ପାଖେ, ଯେଉଁଠି ନାଚ ଚାଲିଛି, ଶିକାରର ସଫଳତା ଯୋଗୁଁ ମଦପିଆ ଲାଗିରହିଛି-। ଗୋଳମାଳ ଭାଙ୍ଗିବାକୁ ଗମ୍ଭୀର ମୁହଁ କରି ପାଣ୍ଡ୍ରୁ କନ୍ଧ ଆସି ପହଞ୍ଚିଗଲା । ଲେଞ୍ଜୁର କାନ୍ଧରେ ହାତ ପକାଇ ପଛକୁ ଟାଣିନେଲା, କହିଲା, ‘ବାୟା ଲାଗିଛି ତତେ ଲେଞ୍ଜୁ, ଏପରି ହେଉଛୁ-? କ’ଣ ହେଲା, ଯେ ଯାହାର ସେ ତାର ହୋଇ ବଛାବଛି ହୋଇ ଆଦରାଆଦରି ହେଲେ, ସେଥିରେ ଆମର କି ଯାଏ ? ଆମର ବୟସ କ’ଣ ତାଙ୍କର ହୋଇଛି ଯେ ତୁମ ଆମ ପରି ପିଣ୍ଡା ଉପରେ ଗୋଡ଼ ଲମ୍ବେଇ ବସି ସାତ ପାଞ୍ଚ କରି ହିସାବ କରି କାମ କରୁଥିବେ ? ଭେଣ୍ଡିଆ ଲୋକ, ଯେତେବେଳେ ଯାହା ମନେହେଲା ତା’ କରିବେ, ଆମଠୁ କଥା ଶୁଣିବାକୁ ଗୋଡ଼ଭାଙ୍ଗି ଅପେକ୍ଷା କରିଥିବେ, ନା କ’ଣ ଜାମିରିଭାଇ ?’

 

ଜାମିରି କହିଲା, ‘ସତ ସତ’ ।

 

ଲେଞ୍ଜୁ କନ୍ଧ ସବୁ ରାଗ ଖର୍ଚ୍ଚ କରି ସାରିଥିଲା । କହିଲା, ‘ହଉ ହଉ ତୁମେ ଗାଁ ଲୋକେ ଏଡ଼େ ବଡ଼ ଅପବାଦ ପାଇ ଯଦି ଚଙ୍କିବ ନାହିଁ, ଏକା ମୁଁ କାହିଁ ପାଟି କରି କରି ମରୁଥିବି ?’

 

ପାଣ୍ଡ୍ରୁ କନ୍ଧ କହିଲା, ‘ସେଇ ଭଲ ସେଇ ଭଲ । ଏତେ ସାଓଁତା ସାଓଁତା କହୁଛୁ ଯେ ସାଓଁତାଘର ଝିଅ ହେଲେ ବି ତ ସେ ମଣିଷ ! ଆରେ ବାବା, ତୁମେ ଆମେ କିଏ ସବୁ ପାଗଯୋଗ ନକ୍ଷତ୍ରର କଥା, ମୁଁ ତ କହିଦେଇଥିଲି । ହାର୍ଗୁଣାଟା ମାକ୍‌ଡି ଯୋଗର ପିଲା, ହାର୍ଗୁଣା ତାକୁ ପାଇ ନାହିଁ, ପାଇବ ନାହିଁ, ନକ୍ଷତ୍ରର କାମ ନକ୍ଷତ୍ର କଲା, ତୁମେ ଏତେ ବ୍ୟସ୍ତ କାହିଁକି ?’

 

ପାଣ୍ଡ୍ରୁ କନ୍ଧ ତାର ଉଦାସ ପ୍ରସନ୍ନ ହସଟି ହସିଦେଇ ଚାଲିଗଲା । ଲେଞ୍ଜୁ କନ୍ଧ ଗଲା, ତାର ଭୟ ସରି ନାହିଁ, କ୍ଷଣକୋପୀ ଦିଉଡ଼ୁ ପାଖକୁ ଖବର ଦେବାକୁ ହେବ । ସମସ୍ତେ ଗଲେ ଏକୁଟିଆ ପଡ଼ିଗଲା ପୁୟୁ, ଯେ ଯୁଆଡ଼େ ହେଲେ ବି ତାର ତ ଯିବାର ନାହିଁ କୁଆଡ଼େ ! ସରଳ ସମ୍ଭାବିତ କଥାଗୁଡ଼ାକ ଥରେ ଘଟିଗଲେ କେଡ଼େ ଜୋର୍‌ରେ ବାଜେ ମଣିଷର ମନରେ । ପୁୟୁ ଭାବୁଥିଲା, ପୁବୁଲି ସତେ ବିଭାହୋଇ ଚାଲିଗଲା ! ପୁବୁଲି ବି ଘର ବାନ୍ଧିପାରେ ! କିଏ ତେବେ ତାର ?

 

ପୁୟୁ ସେଇଠି ବସିରହିଲା । କେତେବେଳେ ସଞ୍ଜ ଗଡ଼ିଗଲା, ଜହ୍ନରାତି, ଗାଁ ଦାଣ୍ଡରେ ଆନନ୍ଦ କୋଳାହଳ । କେତେବେଳେ କନ୍ଧ ଗାଁର ପିଣ୍ଡା ଉପରେ ରୋଷେଇ ନିଆଁ ଧିମେଇଁ ଧିମେଇଁ ଜଳିଲା, ରନ୍ଧାବଢ଼ା କାମ, ଖୁସି ଗପ କାମ, ମଲା ସମ୍ବରକୁ ବେଢ଼ି ନାଚ, ବୁଢ଼ାମାନଙ୍କର ମଦପିଆ, ଝିଅମାନଙ୍କ ଗୀତ, କ୍ରମିକ ଜୀବନର ସହଜ ଛନ୍ଦ । ପୁୟୁର ଜମା ମନେ ନାହିଁ । ଏକା ଠାଆକେ ସେହିପରି ସେ । ଗୋଟାକ ପରେ ଗୋଟାଏ କଳାଛାଇ ଖସୁଛି, ସବୁ ନିଭିଯାଇଛି । ଚଇତ ରାତି ନୁହେଁ ତ ଶ୍ରାବଣର ଉଆଁସି ମେଘ । ତାରାଗ୍ରାସୀ ମେଘ ଆଉ ଅନ୍ଧାରି ହାହାକାର । ଏତିକି ତାର ଅନୁଭୂତି, ଖାଲି ପଦର ଉପରେ ବର୍ଷାର କୋଳାହଳ, ସେଠି ଉଷୁମ ନାହିଁ ।

 

ଜାମିରିର ବୁଢ଼ୀ ରନ୍ଧା ବସେଇଦେଇ ପାଖ ଦୁଆର ପିଣ୍ଡାରୁ ପୁୟୁର ନାଁ ଧରି ଡାକିଲା । ଜବାବ୍ ନାହିଁ । କହିଲା, ‘ଆରେ, ବୋହୂଟା କ’ଣ ଶୋଇପଡ଼ିଲା ? ଚୁଲି ଲଗା ହୋଇ ନାହିଁ ! ଏମିତି ଉପାସ ଭୋକରେ ଗଡ଼ିଲେ କ୍ଷୀର କୋଉଠୁ ହେବ ଯେ ପିଲା ଖାଇବ ?’ ବୁଢ଼ୀ ଆସି ପୁୟୁକୁ ହଲେଇ ଦେଲା । ସ୍ୱପ୍ନରୁ ଉଠିଲା ପରି ଉଠିପଡ଼ି ପୁୟୁ କହିଲା, ‘ଏଁ ପୁବୁଲି-ପୁବୁଲି’ ତାର ସ୍ୱର ଭାଙ୍ଗିପଡ଼ିଲା, ପୁୟୁ କାନ୍ଦିଲା ।

 

ତାର ପିଠିରେ ହାତ ବୁଲେଇଦେଇ ସାନ୍ତ୍ୱନା ଦେଇ ବୁଢ଼ୀ କହିଲା, ‘କ’ଣ ହୋଇଛି କ’ଣ-? ପିଲାଙ୍କ ପରି ଏମିତି ହଉଛୁ ? ଉଠ୍ ଉଠ୍ ।’

 

ପୁୟୁର କଇଁ ବାଧା ମାନିଲା ନାହିଁ ।

•••

 

ସତାବନ

 

ସେଦିନ ଗପ ପଡ଼ିଥିଲା, ଦିଉଡ଼ୁ ସାଓଁତା ଶୁଣୁଥିଲା, ପଟାଳିଆ ମହାବଳ ବି କୁଆଡ଼େ ସୁନ୍ଦରପଣକୁ ବିନତି କରେ, ଏଡ଼ିପାରେ ନାହିଁ । ସେହି ବନ୍ଦିକାର ଗାଁରେ, କେବେ ଗୋଟିଏ ସୁନ୍ଦରୀ କନ୍ଧଧାଂଡୀକୁ ମଣିଷଖିଆ ପଟାଳିଆ ଧରିନେଇ ଯାଇଥିଲା । ପଥର ଚାଁବ୍ରା ଉପରେ ପକେଇ ରଖିଲା, ଧାଂଡୀର ହୋସ୍ ନ ଥାଏ । ପଟାଳିଆ ଯାଏ ଆସେ, ଶୁଙ୍ଘେ ଚାଟେ, ଅତି ଯତ୍ନରେ ତାର ମଖମଲ ଥାବାର ନଖଗୁଡ଼ାକ ଘୋଡ଼େଇ ପକେଇ ଧାଂଡୀକୁ ଆଉଁଶେ ସାଉଁଳେ, କାନପାଖେ କହେ ମ୍ୟାଓଁ ମ୍ୟାଓଁ । ଚାଲିଯାଏ ଏକାଦୃଷ୍ଟିରେ ନିରେଖି ବସୁବସୁ ଦେହଟା ତାର ଫୁଲିଯାଏ, ନିଶ ଠିଆହୁଏ, ଲାଞ୍ଜକୁ ତଳେ ପିଟିପିଟି ପର୍ବତ କମ୍ପେଇ ଗର୍ଜନ ଛାଡ଼ି ସେ ଡେଙ୍ଗୁରା ପିଟେ ସେ ପଟାଳିଆ, ସେ ମହାବଳ; କିନ୍ତୁ ଧାଂଡୀକୁ ଖାଏ ନାହିଁ । ସେହି ସୁନ୍ଦର ଦେହକୁ ନିରେଖି ଦେଖୁ ଦେଖୁ ବାଘର ବେଳ ଗଲା, କିଏ ଗୋଟାଏ ବସେଇ ଦେଲା ଢୁ ଢୁ । ମହାବଳ ଟଳିପଡ଼ିଲା ।

 

ସେହିକଥା ଭାବେ ଦିଉଡ଼ୁ ସାଓଁତା, ପିଓଟି ସୁନ୍ଦର । ଯେତେ ଯେଉଁଆଡ଼େ ଶିକାର କରିଗଲେ ବାଟ ପଡ଼ିଥାଏ ସେହି ବନ୍ଦିକାର ବାଟେ, ବନ୍ଦିକାର ଗାଁ ଦିଉଡ଼ୁ ସାଓଁତାକୁ ଭଲ ଲାଗେ । ଶିକାର ଭୋଜି ଓ ନାଟ କରି କରି ଆହୁରି କେତେ ବେଣ୍ଟ ବୁଲୁଥିବା ଗାଁ ଲୋକଙ୍କ ସଙ୍ଗେ ଦେଖାହୁଏ କଥାଭାଷା ହୁଏ, ଜନ୍ତୁ ମରନ୍ତି ଶିକାରୀର ନାଁ ଉଡ଼େ ।

 

ସେହି ସୁଯୋଗରେ ଦେଖାହୁଏ ପିଓଟି ସହିତ, ବାରମ୍ବାର । ପିଓଟି, ନିତି ନୂଆ ତାର ସାଜ । ତଳଦେଶର ଶିକ୍ଷାରେ ବଢ଼ିଆସି ଉପରମାଳରେ କ୍ରମେ କ୍ରମେ କନ୍ଧୁଣୀ ହେଉ ହେଉ ନିତି ତାର ରୂପ ବଦଳିଯାଏ, ସେ ସୁନ୍ଦର ଦିଶେ, ସୁନ୍ଦର ଲାଗେ, ଦିନୁଁଦିନ ନୂଆ ଭାଷା ଶିଖୁଥିବା ଦରୋଟି ଶିଶୁପରି । ଦିଉଡ଼ୁ ଉପରେ ପଡ଼ି ତା ସହିତ ବନ୍ଧୁତା କରେ ଦୁହିଁଙ୍କର ଗୋଟାଏ ସମାନ ପତ୍ତନ ଏତିକି ଯେ ଦୁହେଁ ମଦ ଖାଇ ଜାଣନ୍ତି, ପିଓଟି ଅନେକ କଥାରେ ଅନ୍ୟାନ୍ୟ କନ୍ଧୁଣୀମାନଙ୍କ ପରି ନୁହେଁ । ଉପରେ ପଡ଼ି ମାଡ଼ିଆସେ, ଦିଉଡ଼ୁର ପଶୁମନକୁ ଚଞ୍ଚଳ କରିଦିଏ, ମାଡ଼ିଗଲେ ପଛେଇ ଯାଏ, କନ୍ଦା, କୋଳି ଆଉ ଫୁଲ ମିଶି ଯେତେ ଉପହାର ସବୁ ଉଠେଇ ନେଇ ହସି ହସି ଚାଲିଯାଏ । କହେ, ‘ମୁଆଁ ଦେବୁ ? ମଦ ଦେବୁ ? ଧୁଙ୍ଗିଆ ଦେବୁ ଦିଉଡ଼ୁର ଇଚ୍ଛା ହୁଏ ଝରଣା ପାଖ ପଥର କୁଦ ଉପରେ ବସି ଅନାଇଁ ଅନାଇଁ ଗର୍ଜନ କରି କରି ସେ ବି ଲାଞ୍ଜ ପିଟନ୍ତା, ବୁଝେଇ ଦିଅନ୍ତା ମିଣିଆକା ବଂଶର ସରୁବୁ ସାଓଁତାର ପୁଅ ଦିଉଡ଼ୁ ସାଓଁତା ସେ, ସେ କି ଏ ବନ୍ଦିକାରକୁ ଖାତିର କରେ ? ଲାଞ୍ଜ ପିଟନ୍ତା, ତାର ଲାଞ୍ଜ ନାହିଁ, ବାକି ସବୁ ଅଛି ।
 

ପୁୟୁକୁ ସେ ଭୁଲି ରହିପାରିଛି, ଭୁଲିବା ପାଇଁ ଚଇତର ପରବ, ସେ ଭୁଲିଛି । କିନ୍ତୁ ତାର ଦଳର ଅନ୍ୟ ସମସ୍ତେ ଏତେ ଭୋଗ ଅଏସ୍ କରିଗଲେ, ପାଇବା ହଜମ କରିବାର ହିସାବ ଯୋଡ଼ିଦେଇ ତାଙ୍କର ସମୟର ଗଣନା, ଦିଉଡ଼ୁର ଖାଲି ମଦଠେକି ଆଉ ପିଓଟି ପିଓଟି ପବନ ଆକାଶ ଅନୁଭୂତି । ସେହିପରି ଭାସି ଚାଲିଥିଲା ସେ-।

 

ସେଦିନ ଭଲ ସଞ୍ଜଟିଏ ଓହ୍ଲେଇ ଆସୁଥିଲା ତା’ ଆଗରେ । ପିଠିପଟେ ଖୋଲର ସମତଳ ଉପରେ ଘଞ୍ଚ ଶାଳବଣ ସାମ୍ନାରେ ପଥର ଆଉ ବାଲିଗରଡ଼ା ଖଣ୍ଡଖଣ୍ଡ ହୋଇ ସୁଲୁସୁଲୁ ଝୋଲାଟିଏ, ସେଇଠି ସେଦିନର ଶିକାରୀ କୁଡ଼ିଆ, ପତ୍ରର ବାଲସା (କୁଡ଼ିଆ) ଧାଡ଼ିଧାଡ଼ିକା, ସାନ କନ୍ଧବସ୍ତିଟିଏ ପରି । ଆଗରେ କାଠଗଣ୍ଡି ସବୁ ପଡ଼ିଛି ରାତିର ଧୁନି ହେବ ବୋଲି । ଠାଆକୁଠାଆ ବର୍ଚ୍ଛା ପୋତା ହୋଇଛି, ଖେଣ୍ଟାରୁ ଧନୁ ଝୁଲୁଛି, ଓଡ଼ିଆ ନଳିସବୁ ଛକି ମରାହୋଇ ଠିଆ ହୋଇଛି । ଲୋକେ ମଉଜ କଳରବରେ ବ୍ୟସ୍ତ । କେଉଁଠି ଗୀତ ଲାଗିଛି, କେଉଁଠି କନ୍ଧ-ବଇଁଶୀର ପ୍ରତିଯୋଗିତା, କେଉଁଠି ଅବା ବୁଢ଼ାମାନେ ପଥର ଉପରେ ବସିଯାଇଛନ୍ତି, ପିକା ଧୂଆଁ ସଙ୍ଗେ ସଙ୍ଗେ କନ୍ଧ-ପୃଥିବୀର ହାଲ୍‌ଚାଲ୍ ନିଷ୍ପତ୍ତି ହେଉଛି । ତାହାରି ଉପରେ କୋଲାବ୍ କୂଳର ସୁନାଧୂଳି ବିଞ୍ଚିବିଞ୍ଚିକା ସ୍ୱପ୍ନର ପକ୍ଷୀ ଫଡ଼ଫଡ଼ କରି ମାଳଦେଶର ସଞ୍ଜ ଓହ୍ଲେଇଲା । ଦିଉଡ଼ୁ ସାଓଁତା ଖୁସି ଥାଏ । ପିଓଟି ଆଜି ତା’ ପାଇଁ ଧୂଆଁପତ୍ର ଖଣ୍ଡେ ଧରି ଛାଉଣିକୁ ଆସିଥିଲା, ସମସ୍ତେ ତାକୁ ଘେରି ବସିଥିଲେ, ତାର ସଖୀମାନଙ୍କୁ ସେଠି ବନ୍ଧା ପକେଇ ଦେଇ ପିଓଟି ଦିଉଡ଼ୁକୁ ସଂଖୋଳି ଆସିଥିଲା ଖରାବେଳେ ।

 

‘ସବୁଦିନେ ତୁ ଖାଲି ଦେଉଥିବୁ ସାଓଁତା ମୁଁ କିଛି ଦେବି ନାହିଁ ?.... ନାହିଁ ନାହିଁ ଆଜି କିଛି ଖାଇବି ନାହିଁ ସାଓଁତା-ଯଦି ଏତେ ଜିଗର କରୁଛୁ କାଲିକୁ ଆମେ ସବୁ ଆସିବୁ, ଶିକାର କରି ଯିବା ହେଇ କେଉଁ ପାଖକୁ, ସେଠୁ ଫେରିଲେ ଖାଇବୁ ପଛେ-’ କ’ଣ ଗୋଟାଏ ବାସ୍ନା ଆସୁଥିଲା ତାର ଜିକିଜିକି ମୁଣ୍ଡରୁ, ସେଠି ଫୁଲ ତ ନ ଥିଲା । ଦିଉଡ଼ୁ ତାର ବିଣ୍ଡିମୟ ହାତପାପୁଲିରେ ସେହି ଜୁଡ଼ା ଉପରେ ସାଉଁଳେଇ ସାଉଁଳେଇ ହାତ ଶୁଙ୍ଘିଥିଲା, ମୁଣ୍ଡରେ ନାକ ଲଗେଇ ଥିଲା । ପିଓଟି ଘୁଞ୍ଚି ଯାଇ ନାହିଁ । ପିଓଟି ବିରକ୍ତ ହୋଇ ନାହିଁ । ପିଓଟି କାଲି ଆସିବ । ସେ ସ୍ମୃତି ସାଇତି ରଖିବାକୁ ଆସିଛି ଏ ସଞ୍ଜ, ଦିଉଡ଼ୁ ସାଓଁତା ଖୁସି ଥିଲା ।

 

କେତେ ହରଡ଼ ଚଢ଼େଇ ବସିଲେଣି ସେ ଝୋଡ଼ିଗଛରେ । ଗୋଟାଏ ଗୁଳିରେ ଦି’ପୁଞ୍ଜା ପଡ଼ନ୍ତେ ପରା । କିନ୍ତୁ ଦିଉଡ଼ୁର ମନ ହେଲା ନାହିଁ । ସେ ବାଟେ ସେଠି କାମ୍ବେଲାକନ୍ଧ ଏ ପାଖୁ ଚାରିକନ୍ଧ ବନ୍ଧୁକ ଉଠେଇ ନେଇ ଆଗେଇଗଲେ । ଦିଉଡ଼ୁ ବସି ରହିଥାଏ । ନା ସେ ମାରିବ ନାହିଁ । ବଣର ଚଢ଼େଇ, କାହାର ସେ ଧାରନ୍ତି କ’ଣ ? ବଣ ଗଛରୁ କୋଳି ଦି’ଟା ତ । ମଲାବେଳେ କି କରୁଣ ଆଖି, ଯେପରି ଡୋଳା ପଛଆଡ଼େ ମେଘ ଖଣ୍ଡେ ଉଠିଉଠି ଆସୁଛି, ଦୂରରୁ ପାଖକୁ ଆସୁଛି, ପହଞ୍ଚୁ ନାହିଁ । ପଅରଦିନ ଯେଉଁ ଚଢ଼େଇଟି ଜୀଅନ୍ତା ଖସିପଡ଼ିଥିଲା ରହିଥିଲା ଆଜି ସକାଳେ କୋଳିଟିଏ ବାନ୍ତି କରିପକେଇ ସେ ମରିଗଲା, ଆଖିର ଚାହାଣିରେ କହିଗଲା ସତେକି ‘ଏତିକି ମୁଁ ତୁମ ପୃଥିବୀର ଧାରିଥିଲି ହେଇ ନିଅ ।’

 

ବଞ୍ଚିଥିଲେ ପିଓଟି ନେଇଥା’ନ୍ତା । କ’ଣ ଭାବୁଭାବୁ କ’ଣ ଭାବିହୁଏ । ଯାଃ । ଚାଚିରି ସାଓଁତା କେତେ ଲାଖ କରୁଛୁ । କିନ୍ତୁ ଦିଉଡ଼ୁ ମନା କରିବ ନାହିଁ, ହରଡ଼ଚଢ଼େଇ ମାଂସ ସୁଆଦ ଲାଗେ, ୟେ ଅସଲ କାଉଆ ହରଡ଼ । କିନ୍ତୁ ମନେ ମନେ ସେ ମନା କରିବ । ଦେଖାଯାଉ, ଝାକର୍ ଦେବତାକୁ ଡକରା କରାଯିବ, କେତେ ତାର ଶକ୍ତି ବିଡ଼ାଯାଉ । ହେ ଝାକର୍ ପେନୁ, ଯଦି ତୁ ସତ ତା’ହେଲେ ଏଇ ମାରଣା ଦୁଇ ବଣୁଆଙ୍କ ଲାଛ ଫିଟିଯାଉ, ଫିଟିଯାଉ । ଢୁ-ଢୁ-ଧନ୍ୟ ଝାକର୍ ଦେବତା, ହେ ପ୍ରଭୁ, ଜୁହାର ଜୁହାର । ଚାଚିରି ପାଟି କରୁଛି, ‘ଯାଃ ଆଲୁଅ କମିଗଲା, କୋଉଟା ପତର କୋଉଟା ଚଢ଼େଇ ଟିକେ ଚିହ୍ନା ପଡ଼ିଲା ନାହିଁ ।’

 

ଦିଉଡ଼ୁ କହିଲା, ‘ହଁ ହଁ ସେମିତି ହୁଏ ।’

 

କାମ୍ବେଲା ଜାନି ଆପଣା ନଳିକୁ ଗାଳି ଦଉଛି । ‘ସେଇ ବିଲୁଆଟା ମାରିଦେଇ ପୁଅଟା ମୋ ନଳି ଖରାପ କରିଦେଲା । ମନା କରିଥିଲି ବିଲୁଆ ମାରିଲେ ନଳି ଭଲ ମାଡ଼ ଦିଏ ନାହିଁ, କଥା ଅଛି । କ’ଣ ମାନିଲା ? ନଳିଟା ଖାଲି ଛିଙ୍କୁଚି, ମାଡ଼ ଦୂରକୁ ଯାଉ ନାହିଁ କିଛି ନାହିଁ ।’

 

ଦିଉଡ଼ୁ ଉପଦେଶ ଦେଲା, ‘ଧୂଆଁପତ୍ର ଖଣ୍ଡେ ଘଷିଦେଇ ଟିକିଏ ମନ୍ତୁରେଇ ଦଉନୁଁ ।’ କିନ୍ତୁ ମନେ ମନେ ଭାରି ଖୁସି । ଝାକର୍ ତାର ମନର ଗୁହାରି ଶୁଣିଲା । ଯାଃ-ଦିନ ଆଲୁଅ ଶେଷ, ଜହ୍ନ ଆଲୁଅ ଆସିଲା । କେଡ଼େ ନିଛାଟିଆ ଲାଗିବ ଏଥର । ହାକିନା କ’ଣ କରୁଥିବ । ସାନ ଛୁଆଟି, ବଡ଼ ହେଲେ ସେ ବି ବାଣୁଆଁ ହେବ । ବାଣୁଆଁ ହେବ । ଧାଂଡୀ ଖୋଜିବ ଆଃ, ପିଓଟି ବନ୍ଦିକାର ଗଲେ ହୁଅନ୍ତା ନାହିଁ ରାତିକ । ପିଓଟିର ଘର । ପୁୟୁ-ଛିଃ, ହାକିନା-ପୁୟୁ, ପିଓଟି-ପୁୟୁ-ଧେତ୍ କି ଦୁଃଖ ପଡ଼ିଥିଲା ସେଇଟାକୁ ସେ ବାହା ହୋଇଥିଲା । ଏଥର ଉଦାସ ଲାଗିଲା । କ’ଣ ତାର ଅଭାବ-? କେଉଁ ଜାଗାଟା ଖାଲି ପଡ଼ିଯାଇଛି ? ହଁ ରାତିକ ବନ୍ଦିକାର ଗଲେ ଭଲ ହୁଅନ୍ତା ।’

 

‘ଆରେ-ଯିବା ? ହେଇ ପାଖଟା ତ’ ‘କାଇଁକି ହୋ ଏତେ ପର ଗାଁକୁ ? ଭାବିବେ ୟାଙ୍କର ଖାଦି ସରିଯାଇଛି, ଆସିଲେ ଭାତିଆ ମାଗିବାକୁ, ନା ନା-ଏଠି କ’ଣ ଅଡ଼ୁଆ ହଉଚି କି ଆମର ?’

 

‘ଆରେ ସାଓଁତାକୁ ଏକୁଟିଆ ଲାଗୁଥିବରେ, ଏକୁଟିଆ ରହିବାକୁ ତ ତାର ଅଭ୍ୟାସ ନାହିଁ-।’ ହୋ ହୋ ହୋ ହସ ଧ୍ୟାତ୍ ।

 

ବଣ ସନ୍ଧିରେ ଦି’ଟା ନିଆଁପରି କ’ଣ ହଲର୍ ହଲର ହେଉଛି, ପର୍ବତ ଉପରେ-ତଳକୁ ଗଡ଼ି ଆସୁଛି । ଏକାଠି ବୁଲିବୁଲି ଯାଉଛି ବାଁକୁ ଡାହାଣକୁ । ‘ଓଡ଼େ ସୋଇ, ଦେଖ ତ ସେଇଟା କ’ଣ-? ବାଘ ଆଖି ନା ?’

 

‘ହାଃ-ଆରେ-ବାଘ ଆଖି କୁଆଡ଼ୁ ମ, ବାଘ ଆଖି କ’ଣ ନାଲିଆ ଦିଶେ ?’

 

‘ଦେଖୁଁତ, ବିଲୁଆ କି ହେଟା-ତାଙ୍କରି ଆଖି ଦିଶେ ନାଲିଆ, ବାଘ ଆଖି ତ ସାବ୍‌ଜା ଦିଶେ, ତାରା ଆଲୁଅ ପରି ।’

 

‘ଭାରି ଜାଣିଲାବାଲା, ଗୟଳ କି ବଣ-ପୋଢ଼ ନ ହୋଇଥିବ କାହିଁକି ?’

‘ଆରେ ସେଗୁଡ଼ା ଗୋରୁଜାତିଆ, ଆଖିଗୁଡ଼ାକ କାଚପରି ଜୁକୁଜୁକୁ ଦିଶେ ବଡ଼ ଜୁଳୁଜୁଳିଆ ପୋକପରି ।’

‘ବିଲୁଆ-’

 

‘ବାୟା ହେଲୁ, ଏଡ଼େ ବଡ଼ ବିଲୁଆ କୋଉଠୁ ଆସିବ, ଏତେ ଉଞ୍ଚରୁ ଆଲୁଅ ଦିଶୁଛି, ୟେ ଗଧିଆ ବାଘ ନ ହେଲେ ବଡ଼ ଚିତା ବାଘ, ତାରି ଆଖି ଦିଶିଯାଏ ଟିକିଏ ଟିକିଏ ନାଲିଆ ।’

 

‘ଆଛା ଦେଖୁଁତ ।’

ଆଲୁଅ ଦି’ଟା କିଛି ସମୟ ପରେ ପାଖକୁ ଆସିଲା, ଦେଖିଲାବେଳକୁ କେବଳ ଦି’ଟା ନିଆଁଅଟା ।

‘କିଏ ହୋ ?’

‘ଆମର ମିଣିଆପାୟୁ ଲୋକ ଅଛ କିହୋ, ସାଓଁତା ଅଛି ?’

 

ଭାରି ହସ ଲାଗିଲା । କେବଳ ବୁଢ଼ା ବାରିକ ଆଉ ତା’ ସଙ୍ଗରେ ବନ୍ଦିକାରର ଲୋକେ । ବାରିକ ତାର କାମ ବଜେଇବାକୁ ଆସିଛି, ବଡ଼ ଗମ୍ଭୀର ।

 

‘କେମିତି ମାଡ଼ିଆସିଲୁ ବୁଢ଼ା ବାରିକ, ରାତି ରାତି ଏକୁଟିଆ-’

 

‘ସେଟା ତ କହୁଛେ-ରାତି କାମକୁ ବୁଢ଼ା ବାରିକ, ଆମେ ତ ରାତିରେ ବୁଲିବା ଲୋକ, ଦିନ କାମକୁ ଭେଣ୍ଡିଆ ସାଓଁତା ।’

 

‘କେନ୍ତି ହେଲା ବାରିକ ।’

 

‘କହୁଛେଁ, ଟୋପେ ଦେବ କିଛି ପିଇବି । ବୁଢ଼ା ହୋଇଗଲିଣି ସାଓଁତା ଗୋଡ଼ ଗାଗଡ଼୍‌ମାନ୍ (ଅଙ୍ଗପ୍ରତ୍ୟଙ୍ଗ ସବୁ) ଝିକି ଦେଉଛି, ତହିଁରେ ପୂରା ଖାଦି ନାହିଁ । ଦେ ଟୋପେ ଦେ ।’

 

‘ଆରେ ଦିଅରେ କାହା ପାଖରେ ଅଛି, ବୁଢ଼ାକୁ ଦିଅ ।’ ତଣ୍ଟିଟା ଉଷୁମେଇ ଦେଇ ବାରିକ ତାର କାହାଣୀ କହିଲା । ଦିଉଡ଼ୁ ସବୁ ଶୁଣିଲା । ରାଗରେ ତାର ଥୋମଣି ଯାବ ପଡ଼ିଗଲା, ଦେହ ଟଣକି ଉଠିଲା । ଟାଙ୍ଗିଆ ଟାଣିନେଇ ପାଖର ଗଛଥୁଣ୍ଟା ଉପରେ ସେ ଦି’ଚାରି ଚୋଟ ପକେଇଲା, ଦାନ୍ତ ରଗଡ଼ିଲା, ଦମ୍‍ଦମ୍‍ ହୋଇ ଭୂଇଁରେ ଗୋଡ଼ କଚାଡ଼ି କଚାଡ଼ି ସେ ଦୁଇ ଘେରା ବୁଲିଆସିଲା । ରାଗରେ ତା ମୁହଁରୁ କଥା ବାହାରୁ ନ ଥାଏ, ଖାଲି କହିଲା, ‘ଆଣ୍ ପିଇବି ।’

 

ଟାଣୁଆଁ କରି ଠେକିରୁ ମନ୍ଦିଏ ପିଇସାରି ତଣ୍ଟି ଝାଡ଼ିଦେଇ ଏକାଥରକେ ସେ ଗର୍ଜିଉଠିଲା, ତାର ଆଖି ଘୂରିଲା, ପାଟି ଫେଣେଇଗଲା, ବାୟାପରି ହୁଙ୍କାର ଦେଇ ଠିଆହେଲା ଦିଉଡ଼ୁ ସାଓଁତା, ସମସ୍ତେ ଗଦା ହୋଇ ପଡ଼ିଲେ ।

 

‘କ’ଣ ହେଲା ! କୁହା ନାହିଁ ପୋଛା ନାହିଁ ଏକଦମ ଉଦୁଲିଆ ଉଡ଼େଇ ନେଇ ଛୁ ! ସେହି ପୁୟୁ ସେଇ ପୁୟୁ-ଗାଁର ଲୋକ ମିଟିଂଗାଁର ଲୋକ । ଏକାଦିନକେ କେବେ ୟା ହୋଇପାରେ ? ଉଦୁଲିଆ ନେବା ଆଗରୁ ସୁତୁରେଇବାକୁ କୁଟୁଣୀ ଜଣେ ଦରକାର ତ । ସେହି କୁଟୁଣୀ କାମ କରିଛି ପୁୟୁ ପକ୍‌କା ବଦମାସ୍ ମଉନମୁହୀଁ । ଯେମିତି ଆମେ ଏଣେ ବାହାରି ଆସିଲୁଁ ତେଣେ ଖବର ପଠେଇଥିବ ‘ଆସ ଏଥର, କେହି ନାହିଁ ।’ ଆଚ୍ଛା ରହ ରହ । ଲେଞ୍ଜୁକକା ଥିଲା, କ’ଣ ତାର ହେଇଛି ଦିନୁଁଦିନ ପିଲାପରି ହୋଇଯାଉଛି ଦେଖ ତା’ କଥା । ଆଚ୍ଛା ରହ ଆଚ୍ଛା ରହ ମନ୍ନମୁଁ (ରହ) ଗାଡ଼ାକା (ଟିକିଏ) ଏମିତି ଘର ଜଗୁଆଳି ହୋଇଛି ବୁଢ଼ା ବାରିପଟେ ଚିତାକାଟି ଭାଗେ । ଇଜ୍ଜତ ମହତ ସବୁ ଗଲା । ହାର୍ଗୁଣା ପିଲା କ’ଣ ଭାବିବ । ନଉ ସେ ‘ସଗର୍ତ୍ତା’ (କ୍ଷତିପୂରଣ) ମିଟିଙ୍ଗିଆ ଗଣନ୍ତୁ । ମହା ଠକ ସେମାନେ, କୋଉ ବଣରେ ପଶିବେ ଆଉ ଝୋଲା (କନ୍ୟାସୁନା) ଦେବେ ନା ସଗର୍ତ୍ତା ଦେବେ, କିଏ ତାଙ୍କ ଅନ୍ତ ପାଇବ । ଚାଲ ପିଲେ ଉଠ ଏଥର ଆଗ ମିଟିଂ ବାଟ ଧରିବା ଡିଆଁସିଲ ଡମ୍ରିପଦର ବାଟେ । ଟୁଣୁହାୟମୁଁ (ହାଣ) ଟୁଣୁହାୟମୁଁ-’

 

ସାଓଁତାର ଗର୍ଜନ ଆଗରେ ଅନ୍ୟ ସମସ୍ତେ ତୁନି ହୋଇଥିଲେ । ବାରିକ ବୁଢ଼ା ବରଡ଼ାପତ୍ର ପରି ଥରୁଥିଲା, କନ୍ଧର ରାଗ, ପର୍ବତର ନିଆଁ, କେତେବେଳେ ଚହଟି ଆସିବ ଯଦି କଥା ସରିଲା । ସମସ୍ତେ ଗୁମ୍‌ମାରି ବସିଥା’ନ୍ତି । ବାରିକ ବୁଢ଼ା ନିଘା କରୁଥାଏ, କ’ଣ ଥିବ ଏତେ ମନରେ ଏହିପରି ଏମାନେ ସବୁ ତୁନିହୋଇ ବସି ଏକାତାନରେ ସବୁ କଥା ଭାବନ୍ତି, ଜଣେ ଯାହା ଭାବୁଥିବ ସମସ୍ତେ ସେଇଆ । ହୁଏତ ସମସ୍ତେ ବର୍ତ୍ତମାନ ସାଓଁତା ସହିତ ତାଳ ଦେଇ କହିବେ ‘ଟୁଣୁହାୟମୁଁ’ ଉଠିପଡ଼ିବେ ସମସ୍ତେ ଏହି ରାତି ରାତି । କନ୍ଧର ପ୍ରତିଜ୍ଞା ଆଉ ହାତୀର ଦାନ୍ତ ପଛକୁ ହଟେ ନାହିଁ । କିନ୍ତୁ ନା, ବାରିକର ଆଶଙ୍କା ଅମୂଳକ ହେଲା । ତାର ବିରୋଧୀ ଜହ୍ନରାତି, ପାଖରେ କେଉଁ ଛାଉଣୀରୁ ବଇଁଶୀ ଡୁଙ୍ଗୁଡୁଙ୍ଗା ଏ ସଙ୍ଗୀତର ଐକ୍ୟତାନ ଏବଂ ଝିଅ ତୁଣ୍ଡରେ ତାର ଉତାର ସଙ୍ଗୀତ-। ସାଓଁତାର ରାଗ ହାଉଳି ଖାଇଖାଇ ଖସି ପଡ଼ିଲା, ତାହାର ପିଠିଆଡ଼େ ଢିରାଦେବାକୁ କେହି ନାହାନ୍ତି । ତାର ସରିଲା, ଦଳରୁ ଜଣେ କିଏ ଉଠି ସ୍ୱାଧୀନ ମତାମତ ବଖାଣିବାକୁ ଆରମ୍ଭ କଲା । ‘ଏହ୍ନାତକି (କାହିଁକି) ?’

 

ବାରିକ ବୁଢ଼ାର ଆଶଙ୍କା ତୁଟିଲା । ‘ଏହ୍ନାତକି ? କାହିଁକି ଆମକୁ ତତୋଉଛୁ ସାଓଁତା, କ’ଣ ଦୋଷ ହେଲା ଯେ ଆମକୁ ଯିବାକୁ ପଡ଼ିବ କାହାକୁ ମାରିବାକୁ ? ତୋର ମନ ହେଉଛି ତୁ ରାଗୁଛୁ, ଆମକୁ ରାଗ ମାଡ଼ୁ ନାହିଁତ । ଯାହାର ଯାହାକୁ ମନେହେଲା ସେ ତା ସାଙ୍ଗରେ ଗଲା, ଆଉ ମଣିଷ ବାହାହୁଏ କେମିତି ? ଆମୁକୁ ନ କହି ଚାଲିଗଲେ, ତାଙ୍କର ଇଚ୍ଛା, ତାଙ୍କ ଦୟା । ହାର୍ଗୁଣା ସାଓଁତାକୁ କନ୍ୟା ଅପ୍ରାପତ ହେବେ ନାହିଁ, ଆମ ଦେଶରେ କନ୍ୟା ଯାହାକୁ ଯେତେ । ତଥାପି ସେ ରାଗିବ ଯଦି ରାଗୁ, କାହାର ରାଗ ଆମେ ବନ୍ଦ କରିପାରିବା ନାହିଁତ । କାହିଁର ସଗର୍ତ୍ତା କିଏ ଦେବ-? କ’ଣ ବିଭାକନ୍ୟା ନା ସଗର୍ତ୍ତା ଦେବ ? ଏମିତି ଚଇତ ପରବରେ, ଟୋକାଟୋକୀଙ୍କ ମନଘେନି ପରବ ଲାଗିଛି, ଏଡ଼େ ସୁନ୍ଦର ଦିନରେ ତିନିଫୋଲିଆ (ମାହାଳିଆ)ରେ ଆମେ ଯିବୁଁ ମଦପିଇ ହାଣକାଟ୍ କରିବାକୁ ? ଲୋକେ କ’ଣ କହିବେ,-ଅଧିକାରୀ କ’ଣ କହିବେ ? ନାଇଁ ନାଇଁ ମୁଣ୍ଡ ଥଣ୍ଡା କର୍ ସାଓଁତା, ବିନା ଦୋଷରେ କାହିଁର ଦଣ୍ଡ ବିନା କାରଣରେ କାହିଁର ରୋଷ ?’ ଅନେକେ ପାଟିକରି ଉଠିଲେ, ‘ହାଦ୍ଦିଗୋ (ସାବାସ୍) ହାଦ୍ଦିଗୋ, ଠିକ୍ ଠିକ୍ । ଏଥର ମଉଜ କର, ତୁ ଗାଁ ଯିବୁ କହୁଥିଲୁ ପରା ସାଓଁତା, ଚାଲ୍ ବନ୍ଦିକାର । ହେ ଭାଇ ଖାରି ପକେଇ ନାହାନ୍ତି କେହି, ଜହ୍ନରାତିରେ ହରିଣ ସମ୍ବର ଓହ୍ଲାନ୍ତେ । ଆଚ୍ଛା, କିଛି ଆପତ୍ତି ନାହିଁ ଚାଲ୍ ବନ୍ଦିକାର ।’

 

ଦିଉଡ଼ୁ ଆନନ୍ଦରେ ଯୋଗ ଦେଇପାରିଲା ନାହିଁ । ତାର ମନରୁ ସରାଗ ଉଡ଼ିଯାଇଥିଲା । ଫାଙ୍କା ମନର କାକୁତି ମେଣ୍ଟାଇବା ପାଇଁ ସେ ମନରେ ପୂରାଇଥିଲା ରାଗ, ଅଭିମାନ । ପୁବୁଲି ତାର ଦଖଲରୁ ଖସିଗଲା, ଭଉଣୀ ହେଉପଛେ ସେ ପରର । ଦଖଲରୁ ଖସି ଚାଲିଗଲା, ନାରୀ, ତାର ସୁଖରେ ସେ । ଭାଇର ଅଧୀନତା ସ୍ୱୀକାର କଲାନାହିଁ, ପିଲାଦିନର ଏତେ ସ୍ନେହ ଏତେ ସମ୍ବନ୍ଧ, ସବୁ ଉଭେଇଗଲା ଦି’ଦିନ ଦେଖା ପର ମଣିଷର ମୁହଁକୁ ଅନାଇଁ । ପଦେ ପଚାରି ଗଲା ନାହିଁ ଚାଲିଗଲା । ସନ୍ଦେହ କଲା ଭାଇ ତାର ସୁଖର କଣ୍ଟକ ଯେ ମନକୁ ମନ ‘ଉଦୁଲିଆ’ ପଳେଇଗଲା । ଦିଉଡ଼ୁର ଅଭିମାନରେ ଆଘାତ ବାଜିଥିଲା, ସେ କେବଳ ଭାଇ ନୁହେଁ ସେ କନ୍ଧ ସାଓଁତା, କିନ୍ତୁ କ’ଣ ସେ କରିବ ଦଳର ମତ ତାର ମତ ଫରକ୍ । ଏମାନେ ହସି ଉଡ଼େଇ ଦେଉଛନ୍ତି ବୁଝିବାକୁ ଚେଷ୍ଟା ନାହିଁ ନିରୁପାୟ । ଦିଉଡ଼ୁ ଗୁମ୍ ହୋଇ ବସିଲା, ରାତିଟା କଟିଗଲେ ସକାଳକୁ ସେ ତାର ମନର ଗର୍ଜନକୁ ପ୍ରକାଶ ଦେବ ।

 

ନିଦ ହେଲା ନାହିଁ । ଏକା ରାଆକେ ମନ ଭାବି ଲାଗିଛି ଭାବି ଲାଗିଛି । ମଲା ଗଲା ଏକାପରି, ଭଉଣୀର ଅସ୍ତିତ୍ୱ ବିଷୟରେ କେବେ ବସି ସେ ମନକୁ ମନ ଭାବି ନ ଥିଲା । ଘର ଆଉ ଜୀବନ ସହିତ ସହଜ ଉପକରଣ ସେ ବି, ମନ ଘେନି ନେଇଥିଲା ସେ ବି ଚିରନ୍ତନୀ । କିନ୍ତୁ ଆଜି ବିଶ୍ୱାସ ତୁଟିଛି, ସେହି ଆସନ କିଏ ଓଟାରି ନେଇଛି । ଅବଶ୍ୟମ୍ଭାବୀ ଶୋକକୁ ସ୍ୱୀକାର କରିବାକୁ ଯାଇ ଦିଉଡ଼ୁ ରାଗୁଥିଲା, ନିଜ ନିଜକୁ ସନ୍ତୁଳୁଥିଲା, ବାହାରେ ତାର ସହାନୁଭୂତି ନାହିଁ । ଏତେବଡ଼ ଦୁଃଖକୁ ଭୁଲେଇ ଉଡ଼େଇ ଦେବାକୁ ତାର କିଛି ନାହିଁ । କେବଳ ମଦ, ମଦ, ଆହୁରି ମଦ । ଅତି ମଦ ପିଇ ଦିଉଡ଼ୁ ଶୋଇରହିଲା । ତା’ପରେ ସେ ସବୁ ଭୁଲିଗଲା ।

 

ରାତି । କେବଳ ଗୁଡ଼ାଏ ନିଦରେ ଅଚେତନ ଦେହ । କାହାର କେବଳ ଦୀର୍ଘ ନିଶ୍ୱାସ । କାହାର ଘୁଙ୍ଗୁଡ଼ି । ଗାଲ ଫୁଲିଉଠୁଛି ଦବିଯାଉଛି ଫୁଲିଉଠୁଛି ଦବିଯାଉଛି, ପାଟିବାଟେ ଭୁସ୍‌ଭୁସ୍ ପବନ । କାହାର ମୁହଁ କରରୁ ଧୀରେ ଧୀରେ ପାଣି ଧାରଟିଏ ତଳକୁ ବୋହିଆସୁଛି । ଶୋର ନାହିଁ ଶବ୍ଦ ନାହିଁ ଗୁଡ଼ାଏ ମଣିଷ ଦେହ, ଆଶ୍ରା ତାର ମାଟି, ଯେଉଁ ମାଟିରେ ଖତ ଗୋବର ଗଛ ପଥର, ସଂସାରର ଏତେ ଛପନକୋଟି ଜୀବଜନ୍ତୁ । ଦେହ, ଅଧାଲଙ୍ଗଳା ଦେହ, ଅଲଗା ବାଳ, ବଡ଼ ବଡ଼ ରୁମ ହନୁମାଙ୍କଡ଼ ଦେହ ପରି । ତାହାରି ଭିତରେ ଅଛପା ହୋଇ ଶୋଇରହିଛି ଚେଇଁବସିଛି ଅଜଣା ଶକ୍ତି, ଏବଂ କେତେ ଚିନ୍ତା, ଭାବ, ଧାରଣା । ସେତିକି ଛଡ଼ା ଏଡ଼େ ବଡ଼ ମୋଟା ଦେହରେ ନିଜର କିଛି ପ୍ରକାଶର ଆଲୁଅ ନାହିଁ । ନିସ୍ତେଜ ସେ, ଜଡ଼ ମାଟି । ହେଇ ସେଇଟା ଦିଉଡ଼ୁ ସାଓଁତାର ଦେହ, ଲମ୍ବା ଲମ୍ବା ପଗ, ଗୁଡ଼ାଏ ଖୁଣ୍ଟ, ଗୁଡ଼ାଏ ପିଣ୍ଡୁଳା, ତହିଁରେ ବନ ଅଛି ଜୀବନ ଅଛି, ନିଦରେ ସବୁ ତୁନିତାନି । ତାର ପରିସର ଏତିକି, ଏଥିରୁ ଅଧିକ ନୁହେଁ, କିନ୍ତୁ ତାହା ଭିତରେ ଯେଉଁ ଧାରଣା ଏବଂ ଯେଉଁ ସ୍ୱପ୍ନ ତାର ପରିସର ଦିଶୁ ନାହିଁ, କେଉଁ ଦୂର ଦିଗ୍‌ବଳୟ ସେପାରି ଆହୁରି କେଉଁ ଦିଗ୍‌ବଳୟର ଧାଡ଼ିରେ ତାର ଆଖିଦରଶା ତେଜ, ତେଣିକି ସବୁ ଅନ୍ଧାରେ ଅନ୍ଧାରେ ।

 

ମଦୁଆ ନିଦରେ ମୁହଁର କମନୀୟତା ନାହିଁ, ଭିତରର ଆଲୁଅ ବାହାରକୁ ପଡ଼ୁନାହିଁ, ବାହାରେ କେବଳ କାନର କଠୋରତା,-ଗୋଟାଏ ମଣିଷର ଅବୟବ, ତାହା ଉପରେ ମୃତ୍ୟୁର ଧାସ । ଏହି ଖୋଳପା ତଳେ ପୌରୁଷର ଈର୍ଷା କ୍ରୋଧ ଅନୁରାଗ ପୁୟୁ, ଖାଇପିଇସାରି ଅଇଁଣ୍ଠା ପତର ଫମ୍ପା ମଦହାଣ୍ଡି ଖତକୁରରେ ଫୋପାଡ଼ା ହୋଇଛି, ସେଠି କଦଳୀଚୋପା ମକ୍‌କାର ଥୁଣ୍ଟା ଥୋଡ଼, ପଶୁର ହାଡ଼ । ମନର କାଉଁରି ହଜିଛି ଯେ ଖୋଳପାକୁ ସ୍ପର୍ଶ କରିଦେଇ ପୁଣି ସେ ଆଉ ଯୌବନ ଦେବ, ଦେଖିଲେ ବିରକ୍ତ ଲାଗେ । ହାକିନା, କେବଳ ବଂଶଧର, ମା’ର ଏକଚେଟିଆ, ପୁରୁଷର ବାର୍ଦ୍ଧକ୍ୟର ସ୍ମାରକ, ପ୍ରତିଦ୍ୱନ୍ଦୀ । କେବଳ ଅଧିକାର ସ୍ୱତ୍ୱ ଯୋଗୁଁ ତାହା କଥା ଭାବିବାକୁ ହୁଏ । ହାକିନା ଆଉ ପୁୟୁ-ସାମାଜିକ ଦାୟିତ୍ୱ । ପୁବୁଲି, ଭଉଣୀ, ଆପଣାର ଦେହରୁ ଖଣ୍ଡେ, ଆପଣାର ଦେହର । କିନ୍ତୁ ସେ ନାହିଁ । ବାଡ଼ିରେ କଦଳୀ କାନ୍ଦିକ ଫୁଲି ଫୁଲି ବନି ଆସିଥିଲା, ଅଧିକାରୀ ତାକୁ କାଟି ନେଇଗଲେ । ପିଓଟି, ସେ ଗୋଟାଏ ଜବାନ୍‌ର ମୂର୍ତ୍ତିମନ୍ତ ଦେହ, ଯେତେଥର ଶୁଣିଲେ ଜବାବଟା ଭଲଲାଗେ, ରୁଚେ, ଦେହର ମନର ଆଜି ଦିନର ଅବସ୍ଥାକୁ । ସୋନାଦେଈ-ମଡ଼ାବାଟ ଛାଡ଼ି ଅନ୍ଧାରି ଝୋଲାକୁ ମନେପକାଇ ଦିଏ, ଯେଉଁଠି ସମାଜର ବନ୍ଧନ ନାହିଁ, ମନର ପ୍ରେତ ସୁଖରେ କାହାରି ସୁଖରେ ବୁଲି ରହନ୍ତି, ସେଠି ଇଚ୍ଛା ହୁଏ ଏଣିକି ତେଣିକି ଚାହିଁ ଅକଥା କରିବାକୁ, ଗୋଡ଼ ଦି’ଟା ଉପରକୁ ଟେକି ମୁଣ୍ଡରେ ଚାଲିବାକୁ, ନାକବାଟେ ପାଣି ପିଇବାକୁ । ଭିତରେ ଭିତରେ ଏହିପରି ଚଳତ୍-ଚିତ୍ର, ଖଣ୍ଡଖଣ୍ଡ ହୋଇ ଆସେ, କିନ୍ତୁ ତାର ବି ଆରମ୍ଭ ଅଛି-ମଝି ଅଛି-ଶେଷ ଅଛି, ସେଠି ବି ସମାଧାନ ହୁଏ, ଧାରଣା ଆଗକୁ ଆଗକୁ ବଢ଼େ, ଜାଗ୍ରତ ଅବସ୍ଥାରେ ସେକାସେକିର ବାଡ଼ ଡେଇଁ ଉଛୁଳି ପଡ଼େ ତାର ପ୍ରକାଶ ନିତିଦିନର ଜୀବନକୁ । ଭିତରେ ଭିତରେ ମନ ଗହୀରର ତଳେ ତଳେ ଜୁଆର ଚାଲିଛି, ବାହାରେ ତାର ପରିଚୟ ନାହିଁ । ବାହାର ଆଉ ଭିତର ମଝିରେ କବାଟ ପଡ଼ିଛି, ଏଣୁ ତେଣିକି ତେଣୁ ଏଣିକି ବନ୍ଦ । ଭିତରେ କେବଳ ଗଣାଗଣି ଲାଗିଛି, ହିସାବପତ୍ର ଲାଗିଛି କେବେ ବାହାରୁ କ’ଣ ଆସିଥିଲା ସେହିସବୁର । ବାହାରେ ଦିଉଡ଼ୁ ସାଓଁତାର ନିଦୁଆ ଦେହ, କେବଳ ଖଣ୍ଡେ ଗଛ ପରି, ପଥର ପରି, ସେଠି ପୁୟୁ ନାହିଁ-ପୁବୁଲି-ନାହିଁ ପିଓଟି ନାହିଁ । କେବଳ ଘାଉଁ ଘାଉଁ ମଶା ବସିବସି ରକ୍ତ ଶୋଷୁଛନ୍ତି । ଜହ୍ନ ଢଳି ଢଳି ଚାଲିଛି, ଶାଳଗଛର ଛାଇ ପଡ଼ିଛି ସବୁଦିନ ପରି । ସେଠି ସହାନୁଭୂତି ନାହିଁ ।

•••

 

ଅଠାବନ

 

ସକାଳୁ ଉଠି ଦିଉଡ଼ୁ ସାଓଁତା ଦଳକୁ ଡାକି ହାଙ୍କିଲା, ଆଜି ଗାଁକୁ ଫେରିଯିବାକୁ ହେବ, ଆଉ ଏଠି ଅଟକି ରହିଲେ ଚଳିବ ନାହିଁ । ଧାଂଡାମାନେ ରାଜି ପଡ଼ିଗଲେ, ବାସ୍ତବିକ ତେଣେ କେଡ଼େ ଗାଳି ଦେଉଥିବେ ଗାଁର ଧାଂଡୀମାନେ, ଶିକାର କରେଇ ଦେବାକୁ ଗାଁର ଲୋକ ନ ଥିବାରୁ ସିନା ପରଗାଁ ଲୋକଙ୍କ ଭରସାରେ ବାହାରିପଡ଼ି ଗୋଟିଏ ଟୋକୀ ଉଦୁଲିଆ ପଳେଇ ଆସିଲା । ଚଇତକୁ ବିଶ୍ୱାସ ନାହିଁ ।

 

ଥରେ ଯହୁଁ ନିଷ୍ପତ୍ତି ହେଲା ଗାଁକୁ ଯିବା, କନ୍ଧିଆ ଭାଇର ଅନ୍ୟ ଚିନ୍ତା ନାହିଁ । ତାକୁ କେବଳ ଗୋଟାଏ ନିଷ୍ପତ୍ତି କରିବାକୁ ଯାହା ବେଳ ଲାଗେ, ଥରେ ତା’ ସରିଲେ ସେ ଏକାମୁହାଁ ।

 

ଛାଉଣୀ ଉଠିଲା, ବଣେ ବଣେ ବାଟ, ଘାଟିଟିକ୍ରା ଡେଇଁ । ବନ୍ଦିକାର ଥୋଡ଼ାଏ ବାଟ ଥାଇ ଗୋଟାଏ ଦୋଛକି ରାସ୍ତା, ଗୋଟାଏ ଘାଟି ଉପରେ ଗୋଟାଏ ପର୍ବତ ତଳେ ସମତଳ ଉପରେ ବଙ୍କେଇ, ବୁଲେଇ, ବନ୍ଦିକାର ବାଟେ । ଦିଉଡ଼ୁ କହିଲା, ‘ଚାଲ ଏହି ତଳବାଟେ ।’ ‘ଏମିତି ଗାଁକୁ ଗାଁ ବସିବସି ଗଲେ କେତେବେଳକୁ ଆମ ଗାଁ ଧରିବା ସାଓଁତା’, ଜଣେ କହିଲା, ‘ନା ଚାଲ ସିଧା ଉପର ବାଟେ,’ ତର୍କ ଲାଗିଲା । ଆଉ ଜଣେ କହିଲା, ‘ଖାଲି ବନ୍ଦିକାର ବନ୍ଦିକାର ହୋଇ କ’ଣ ହେବ ହୋ, ଯେତେ ଖୁସି ଶରଧା କରିବାର ସବୁତ ସରିଲା, ଆହୁରି ଆହୁରି କେତେ ?’ ‘ସେ ଗାଁରେ ସକାଳ ବେଳଟାରେ କିଏ ବସିଥିବ କେ ସେଠିକି ଯିବ ? ଏଁ ? ସମସ୍ତେ ଥିବେ ଯାଇ ଝୋଲା କୂଳରେ ।’ ‘ଏଇ ସିଧା ଘାଟିଟିକକ ଉଠିପଡ଼ିବ ନାହିଁ ଯେ ପୁନେବୁଲା ଘାଟିଚଢ଼ିଲେ ହେବ କ’ଣ ? ସକାଳ ହୋଇଛି, କ’ଣ ଝାଳ ବୋହିବ ?’ ବନ୍ଦିକାର ଯିବା ହେଲା ନାହିଁ, ଦଶଜଣଙ୍କ ମତରେ ଜଣକର ମତ, ଦିଉଡ଼ୁ ରାଗୁଥାଏ, ପୁଣି ମନେପଡ଼ୁଥାଏ ତାର ମତ ନ ନେଇ ତାର ଭଉଣୀର ଉଦୁଲିଆ ବିଭାଘର ହୋଇଯାଇଛି । ରାଗ ରାଗି ଜୋର୍‌ଜୋର୍ ଚାଲି । ସବୁ ରାଗ ନିଗିଡ଼ି ନିଗିଡ଼ି ପୁୟୁ ଉପରେ ।

 

‘ହୁଁ, ମାଡ଼ିଆସ, ଆଉ ପଛେଇଲ କାହିଁକି ?’

 

‘ତୋ ସାଙ୍ଗରେ ଧାଇଁପାରିବୁ ନାହିଁ ସାଓଁତା, ପିଲାଙ୍କର ବାପ ହୋଇ ତଥାପି ତୁ ଭେଣ୍ଡିଆ ହୋଇ ରହିଛୁ ।’ ବାଟ ଚାଲିକୁ କନ୍ଧ ମସଲା ହସଥଟ୍ଟା, ଦିଉଡ଼ୁର ସେସବୁକୁ ମନ ନ ଥିଲା, କିଛି ମନ ନ ଥିଲା, ଆଜିର ସକାଳଟା କେଉଁଠୁ କ’ଣ ବିଗିଡ଼ି ଯାଇଛି, ମୁଣ୍ଡର ପଛଆଡ଼େ କିଏ ଜଣେ କେନ୍ଦରା ଧରି ଯେପରିକି ଘୋଡ଼ାବାଳ ଉପରେ ଘଷି ଲାଗିଛି ଗୋଟାଏ କାନ୍ଦୁରା ରାଗିଣୀ, ନିରାଶାର ଗୀତ । ସବୁ ଓଲ୍‌ଟି ଯାଇଛି, ସବୁଥିରେ ବିଫଳ ସେ ।

 

ଗାଁ ପହଞ୍ଚୁ ପହଞ୍ଚୁ ପ୍ରଥମେ ଦେଖା ଲେଞ୍ଜୁ କନ୍ଧ ସଙ୍ଗରେ । ଦୂରରୁ ଧାଂଡ଼ାପଲ ଦେଖି ଲେଞ୍ଜୁ କନ୍ଧ ଦବିଯାଇଥିଲା । କାନ୍ଧରେ ଟାଙ୍ଗିଆ ପକେଇ ସେହିପରି ଏକା ଠାଆକେ ସେ ଠିଆ ହୋଇ ରହିଥିଲା । କିଏ ଥଟ୍ଟା କଲା, ‘ପହରା ଦଉଛି । ଉଦୁଉଦିଆ ଖରା, ଚୋରିହାରି ହେବ ନାହିଁ ତ ?’ ଗୋଟାଏ କରକୁ ଝୋଲା କୂଳରେ ନଇଁପଡ଼ି ବାଲ୍‍ମୁଣ୍ଡା ଡମ୍ବର ସ୍ତ୍ରୀ ସୋନାଦେଈ ପାଣିମାଠିଆ ବୁଡ଼ୋଉଛି । ଦଳଭିତରୁ ବୁଢ଼ା ବାରିକ ପାଟିକଲା, ‘ହେ ସୋନାଦେଈ, ସବୁ ଭଲ ତ-?’ ‘ତୁ ଏଇଦିନେ ଘରୁ ଚାଲି ଆସିଥିଲୁ କ’ଣ ଅସାର ହୋଇଯାଇଥା’ନ୍ତା ବାରିକ’ । ‘ବୋହୂ ଅଛି ବାରିକ, ପଳେଇ ନାହିଁ, ଦେଖୁନୁ କିଏ ଜଗିଛି ।’ ଦିଉଡ଼ୁ ଆହୁରି ରାଗିଲାଣି । ଲେଞ୍ଜୁ କନ୍ଧର ହୋସ୍ ହେଲା, ଅନର୍ଥକ ଏମାନଙ୍କୁ ଅପେକ୍ଷା କରି ଠିଆ ହୋଇଥିଲେ ତାର ଆପଣା ଗୌରବରୁ ହାନି ହେବ । ପିଠି ବୁଲେଇଦେଇ ଲେଞ୍ଜୁ କନ୍ଧ ଚାଲି ଯାଉଥିଲା । ଦିଉଡ଼ୁ ଚିତ୍କାରକରି ଡାକିଲା, ‘ଲେଞ୍ଜୁ କକା ?’

 

‘ହୋ-’

‘ମୋର ପୁବୁଲିକୁ କ’ଣ କଲୁ ଲେଞ୍ଜୁ କକା ପଟ୍‌କାର ନିସ୍ତା ପିସ୍ତା ବୁଢ଼ା କାହିଁକା-’

 

‘କ’ଣ କହିଲୁ-’ । ଆଖି ତରାଟି ଟାଙ୍ଗିଆ ମୁଠେଇ ଧରି ଲେଞ୍ଜୁକକା ଦି ପାହୁଣ୍ଡ ଆଗେଇ ଆସିଲା । କ’ଣ କହିଲୁ, ଫେର ଆଉ ଥରେ କହ, ଆଉ ଥରେ କହ, କ’ଣ କହିଲୁ ! କ’ଣ କହିଲୁ ! ଦିଉଡ଼ୁ ଖତେଇ ଚିଗୁଲେଇ ହେଲା । ‘କହିବେ ନାହିଁ ୟାଙ୍କୁ ଡରିବେ । ନିସ୍ତାପିସ୍ତା ବାୟାବୁଢ଼ା କାହିଁକା, ତୋର ମଣିଷପଣିଆ ଥିଲେ ଗାଁ ମୁହଁରେ ଜୋତାମାରି ଝିଅକୁ ଝିଙ୍କିନେଇ ଯାଇଥା’ନ୍ତେ ପର ଗାଁର ଲୋକ ? କହିବି ନାହିଁ ଛାଡ଼ିଦେବି ? ତୁ ମୋର କରିବୁ କ’ଣ ?’

 

ଲେଞ୍ଜୁକନ୍ଧ ରାଗରେ ପାଗଳପରି ହୋଇ ଟାଙ୍ଗିଆ ଉଞ୍ଚେଇ ଝୋଲାଆଡ଼କୁ ଧାଇଁ ଆସିଲା, ସେ ପଟୁ ଦିଉଡ଼ୁ ବି ମାଡ଼ି ଆସୁଥାଏ, ଝୋଲାଖଣ୍ଡକ ପାରିହୋଇ ପଡ଼ିଲେ ଲାଗିଯିବ ଲୁହା ସାଙ୍ଗକୁ ଝକମକି । ଦିଉଡ଼ୁର ସାଙ୍ଗୀଲୋକ ଦିଉଡ଼ୁର ଲେଞ୍ଜୁର ମୁହଁର ଭଙ୍ଗୀ ନିଘାକରି ପାରି ନ ଥା’ନ୍ତି । ସେମାନଙ୍କ ଧାରଣାରେ ମନଦୁଃଖ ହେଲେ ଏପରି କଜିଆ ବହୁତ ହୁଏ, ପୁଣି ବୋଧଶୋଧ ହୋଇଯାଆନ୍ତି, କିନ୍ତୁ ନିଘା କରୁଥାଏ ଆଉଜଣେ, ସେ ଝୋଲା ସେ ପାଖର ସୋନାଦେଈ । ମଣିଷର ଆଖିରେ ବାଘର ଚାହାଣି, ତାର ସଙ୍କେତ କେବଳ ଗୋଟିଏ । ଲେଞ୍ଜୁକନ୍ଧ କେବେ ଏପରି ରାଗେ ନାହିଁ, ଦିଉଡ଼ୁ ସାଓଁତାର ଖୁସିବାସିଆ କାଉଁନ୍ଦା ମୁହଁରେ ଖେଳିଯାଏ ନାହିଁ ସହିବା ଶେଷର ଏପରି ବିକଟ ଭଙ୍ଗୀ । ଦୁହେଁ ଦୁଇଆଡ଼ୁ ଆଗେଇ ଆସିଲେ ଦୁଇ ରାଗୀ ମଣିଷ ପଶୁର ଆଖିର ବିଜୁଳି କଟାକଟି ଦେଖୁ ଦେଖୁ । ସୋନାଦେଈ ତାଟକା ହୋଇଗଲା, କ’ଣ ତାର ଘୋଟିଗଲା, ଚିତ୍କାର ଛାଡ଼ି ମାଠିଆ ସମେତ ଝୋଲା ଭିତରକୁ ହାମୁଡ଼େଇ ହୋଇ ସେ ପଡ଼ିଲା । ମୁହଁ ବୁଲେଇ ଲେଞ୍ଜୁ କନ୍ଧ ଦେଖିନେଲା ଆଉ ଧାଇଁଗଲା, ମୁହଁପାଖେ ହେଇ ସେଠି ସୋନାଦେଈ ମରୁଛି, ମରୁଛି ନିଶ୍ଚୟ, ନୋହିଲେ ଏପରି ଆକସ୍ମିକଭାବେ ଆଉ କିଛି ଆସେ ନାହିଁ । କନ୍ଧର ଟାଙ୍ଗିଆ କାନ୍ଧକୁ ଫେରାଇଆଣି ଲେଞ୍ଜୁ କନ୍ଧ ଦଉଡ଼ିଯାଇ ତାକୁ ଧରି ଉଠାଇଲା, ସୋନାଦେଈ ବଲବଲ ହୋଇ ଅନାଇ ରହିଥାଏ । ‘କ’ଣ ହେଲା, କ’ଣ ହେଲା,’ କହି ଝୋଲା ସେପାଖରୁ ସମସ୍ତେ ଧାଇଁ ଆସୁଥା’ନ୍ତି । ବୁଢ଼ା ବାରିକ ପାଗଳପରି ପାଟି କରୁଥାଏ । ସେହିଆକୁ ମଝିରେ ରଖି ଚାରିପାଖେ ଘେରି ସମସ୍ତେ କୋଳାହଳ କରୁଥା’ନ୍ତି । ହାତଗୋଡ଼ ଛାଟୁଥା’ନ୍ତି, ବିଞ୍ଚୁଥା’ନ୍ତି, କିଏ କହୁଥାଏ ବଣ ଭିତରୁ ଚେରମୂଳର ଔଷଧ ଆଣିବାକୁ । ସୋନାଦେଈ ଆଶ୍ୱସ୍ତ ହେଲା । ତରତର ହୋଇ ଉଠିପଡ଼ି ଆପଣାକୁ ସଜାଡ଼ି ନେଲା, ଆଖିରେ ସେହି ଅଜଣା ଭୟ, କିନ୍ତୁ ଭୟର କାରଣ ଏଠି କିଛି ନାହିଁ । ଅତି କଅଁଳ ହୋଇ ଅତି ଯତ୍ନରେ ତାହାରି ସୁବିଧା ପାଇଁ ସମସ୍ତେ ଲାଗିପଡ଼ିଛନ୍ତି । ତୁନିହୋଇ ସେ ଘରକୁ ଚାଲିଗଲା । ଗଡ଼ର ଗଡ଼ର ହୋଇ ହୋଇ ପଛେ ପଛେ ପାଛୋଟି ଗଲାପରି ସମସ୍ତେ ଚାଲିଗଲେ, ଲେଞ୍ଜୁ କନ୍ଧ ଥାଏ ଆଗେ ଆଗେ, ତାହା ପଛକୁ ବୁଢ଼ା ବାରିକ, ତାର ମୁଣ୍ଡରେ ଅଜସ୍ର ପ୍ରଶ୍ନ, ଜବାବ୍ ଦେବାକୁ ସୋନାଦେଈର ପ୍ରବୃତ୍ତି ନାହିଁ ।

 

ଘୋ ଘା ସାରି ଘରକୁ ଗଲାବେଳକୁ ଦିଉଡ଼ୁ ଦେଖିଲା ଲେଞ୍ଜୁକକା ନାହିଁ । ଭାବିଲା ଏହିପରି ନିର୍ଲିପ୍ତ ଏ ଲୋକଟା, ପୁବୁଲି ଯାଇଛି, କ’ଣ ହେଲା ସେ ବିଷୟରେ ନିଜ ମୁହଁରେ ଦିପଦ କଥା କହିବାକୁ ବି ସେ ଚାହେଁ ନାହିଁ । ଭାବିଲା ଏ ଦାୟିତ୍ୱ ନେବ ନାହିଁ ଭାଗ ନେବ, କଷ୍ଟ କରିବ ନାହିଁ, ସମାଲୋଚନା କରିବ, ଦସ୍ରୁ କୁକୁର ସୁଦ୍ଧା ୟାଠାରୁ ଢେର୍ ଭଲ । ଗାଁ ଦାଣ୍ଡରେ ଦସ୍ରୁ କୁକୁର ସାଙ୍ଗେ ଭେଟ ସତକୁ ସତ । ଏତେଦିନ ଅଦର୍ଶନ ପରେ ତାର ସାହୁକାର ଫେରିଛି, ଗୋଡ଼ ଯୋଡ଼ିକ ଟେକି ଲାଞ୍ଜ ହଲେଇ ହଲେଇ ମୁହଁ ଚାଟିଚାଟି ହସିହସି ଦସ୍ରୁ ମାଡ଼ିଆସିଲା, ତାର ପୁରସ୍କାର କାନମୋଡ଼ି ଗାଲରେ ଏକ ବ୍ରହ୍ମ ଚାପୁଡ଼ା । ଦିଉଡ଼ୁର ମନ ବିଗିଡ଼ି ଯାଇଥିଲା । ସମସ୍ତିଙ୍କ ଘର ଆଗରେ ପାଛୋଟିବା ପାଇଁ ବାୟାଣୀପରି ଆସୁଛନ୍ତି କାହାର ଭଉଣୀ-କାହାର ସ୍ତ୍ରୀ, ତା ନିଜ ବେଳକୁ ଖାଲି ବୁଢ଼ା କୁକୁର । ଏତେ ଆସ୍ପର୍ଦ୍ଧା ବଢ଼ିଯାଇଛି କୁକୁରଠୁ ମଣିଷଯାକେ ସମସ୍ତିଙ୍କର ।

 

ହେଇ ତାର ଘର । ପୁଣି ଦୁଇଜଣ ଫୁଲସର ମାରି ମନର ରାଗ । ଆଜି ପୁୟୁକୁ ସେ ପିଟିବ, ଲଙ୍ଘା କରି ପିଟିବ, ସବୁ ଗୋଳମାଳ ପାଇଁ ଦାୟୀ ସେ ପୁୟୁ, ନ ହେଲେ ତା ବାପଘର ଗାଁର ଲୋକ ସୁତୁରେଇ କବଲେଇ କେମିତି ଅଚିହ୍ନା ଧାଂଡୀକୁ ଉଠେଇ ନେଇ ଚାଲିଯାଆନ୍ତେ, ଆସିଥା’ନ୍ତେ ପୁଣି ଓର ଉଣ୍ଡି, ଯେତେବେଳେ ଗାଁର ଭେଣ୍ଡିଆମାନେ ନ ଥିବେ ସେତେବେଳେ ?

 

ଦୁଆର ମୁହଁରେ ପୁୟୁ ଠିଆହୋଇ ଅପେକ୍ଷା କରୁଛି । କେଡ଼େ ଦୁର୍ବଳ ଦିଶୁଛି ସେ । ଦିଉଡ଼ୁର ନିଘା ତାର ସରୁସରୁ ହାତଗୋଡ଼ ଉପରେ ଥରେ ବୁଲିଆସି ବେକତଳେ ଅଟକି ରହିଲା, କେବଳ ହାଡ଼ କେତେଖଣ୍ଡ, କେଡ଼େ ଦୁର୍ବଳ ହୋଇଯାଇଛି ସତେ ପୁୟୁ ! ଦିଉଡ଼ୁର ରାଗ କ୍ରମେ କ୍ରମେ ବିବେଚନାକୁ ଫେରିଆସିଲା, ଭାବିଲା ଆଜିପରା ଦିନରେ ସେ ପୁୟୁକୁ ହାତ ଉଠେଇବ ନାହିଁ, ପୁୟୁ ତାର ମାଡ଼ ସହିପାରିବ ନାହିଁ । ଭିତରକୁ ଯାଇ ହାକିନାକୁ ଧରି ପୁୟୁ ପୁଣି ପଦାକୁ ଆସିଲା, ଝୁଲେଇ ଝୁଲେଇ ପୁଅକୁ ଗେଲ କରୁଥାଏ, ପୁଅର ବାପକୁ ଚାହିଁ ଚାହିଁ ଦେଖୁଥାଏ । ହାକିନାକୁ ଧରି ଠିଆ ହେଲେ ତାର ମୁହଁର ଦାରିଦ୍ର୍ୟ କେତେ ଅଂଶରେ କମ୍ ଦିଶେ ଦିଉଡ଼ୁ ଭାବିଲା-। ପୁବୁଲି ଯାଇଛି, ପୁୟୁ ଅଛି । ପୁବୁଲି ପରଗୋତ୍ରୀ, ପୁୟୁ ତାର ନିଜର, ଆପଣାର । କ’ଣ ଭାବୁ ଭାବୁ କେଉଁ ଆଡ଼କୁ ମନ ଗଲା । ଦିଉଡ଼ୁ ରାଗିପାରିଲା ନାହିଁ । ସ୍ତ୍ରୀ ଉପରେ ଦୟା ହେଲା । ଯେ ଯୁଆଡ଼େ ଯାଉ ପଛେ ଗାଳି ଅବହେଳା ସହି ସେହିପରି ପୁୟୁ ଲାଖି ପଡ଼ିରହିଛି । ଦୀର୍ଘଶ୍ୱାସ ପକେଇ ନିଜକୁ ସମ୍ଭାଳିନେଇ ଦିଉଡ଼ୁ ପୁୟୁ ପାଖକୁ ଗଲା । କହିଲା, ‘ଧୂଆଁପତ୍ର ଥିଲେ ଟିକିଏ ଦେ-’, ଅଚିହ୍ନା କନ୍ଧ-କନ୍ଧୁଣୀଙ୍କର ସାଧାରଣ ପରିଚୟର ଭାଷା । ତାର କଥା ଶୁଣି ପୁୟୁ ଚମକି ପଡ଼ି ଅନେଇଲା । ଭାବିଲା କାମର ପଘାରୁ ଦିନାକେତେ ଫିଟିରହି ଦିଉଡ଼ୁ ମଝିର ଗୋଳମାଳିଆ କଥା ମନରୁ ପୋଛି ପକେଇଲା ବୋଧହୁଏ । ଦିଉଡ଼ୁ ପୁଣି ପଚାରିଲା, ‘ଧୁଙ୍ଗିଆ ଅଛି ଦେବ ନା ମୁଁ ଦେବି-?’ ପୁୟୁ ହସି ପକେଇଲା ।

•••

 

ଅଣଷଠି

 

ନିଶ୍ଚଳ ରାତି । ଆପଣା ଘରର ପିଣ୍ଡା ଉପରେ ପିକା ଜୁକୁଜୁକୁ ଲଗେଇ ଦିଉଡ଼ୁ ସାଓଁତା ବସି ରହିଥାଏ । ପୁୟୁ ରନ୍ଧାବଢ଼ା କାମରେ ବ୍ୟସ୍ତ । ଯାଉଛି ଆସୁଛି, ପାଦର ଦୁମ୍‌ଦୁମ୍, ହାତର ବଳାର ଝୁଣଝୁଣା ଭିତରୁ ରୋଷେଇର ଶବ୍ଦ, ଧୂଆଁ । ମୁହଁପଟେ ଏକା ସେଣିକିଆ ପିଣ୍ଡାରେ ଖୋପ ଖୋପ ହୋଇ ନିଆଁ ଧାସ, ମଝିରେ ମଝିରେ କେଉଁ ପଡ଼ୋଶୀଘରୁ କଥାଭାଷାର ଶବ୍ଦ । ପିଣ୍ଡା ତଳେ ଦୁଆରମୁହଁ ଆବୋରି ବସିରହି ଦସ୍ରୁ କୁକୁର ପହରା ଆରମ୍ଭ କଲାଣି, ରହି ରହିକା ଧୀରେ ଧୀରେ ଭୁକେ, ଘଡ଼ିକେ ପହରକେ ଖିଦିଖାଦିଆ ହୋଇ କାହାକୁ ଗୋଡ଼େଇଯାଏ, ଫେରିଆସି ଲାଞ୍ଜ ବାଡ଼ାଏ । ସେହିପରି ଅନ୍ଧାରର ଶାନ୍ତି, ଘରର ଆରାମ୍ ।

 

ଏହି ପୁରୁଣା ଛବି ।

 

ନୁଆଁଣିଆ ଚାଳତଳେ, ଅନ୍ଧାରୁଆ ଅଣଓସାର ପିଣ୍ଡାଉପରେ ପରିଚିତ ଏହି ଅନୁଭୂତି,-ପିତୃପୁରୁଷଙ୍କ ଦିନରୁ ମଣିଷର ଚିହ୍ନା ଖୋଳପା ପରି, ବୁଲି ବୁଲି ହାଲିଆ ହାଲିଆ ହୋଇ ଫେରିଆସି ଏଇଆ ଘୋଡ଼େଇ ହୋଇ ବସିବାକୁ ଭଲ ଲାଗେ ।

 

ଦିଉଡ଼ୁ ସାଓଁତା ଥିରିହୋଇ ବସିଥିଲା । ମନ କେଉଁଠି ଅଛି ସେ ଜାଣେ ନାହିଁ । ସେଠି ରାଗରୋଷ ନାହିଁ, ଅବସୋସ ନାହିଁ କି ଉଲ୍ଲାସ ନାହିଁ । ଖାଲି କ୍ଳାନ୍ତି, ମଠେଇ ମଠେଇ ଧୂଆଁପତ୍ର ପିଉପିଉ ଆଖିପତା ଉପରେ ବୋଝ ବୋଝ କାକର ନିଦ । କେଡ଼େ ନିଶ୍ଚଳ ଏ ଅନ୍ଧାର, ଗଛପତ୍ର ସେହିପରି ଠିଆ ଠିଆ ହଲ୍ ନାହିଁ ଚଲ୍ ନାହିଁ । ଆକାଶରେ ତରା ବେଶୀ, କାଲି ଖୁବ୍ ଖରା ହେବ ପରା ।

 

ପୁବୁଲି ଚାଲିଯାଇଛି । ଲେଞ୍ଜୁକକାର ଏପର୍ଯ୍ୟନ୍ତ ଦେଖା ନାହିଁ । ଲେଞ୍ଜୁ କକା-କେଉଁଠୁ କେଉଁଠିକି ରାଗ ଗଡ଼ି ପଡ଼ିଥିଲା, ନାଲିଆ ରାଗ । କେବେ ଏତେଦୂର ହୁଏ ନାହିଁ, ଯାଃ ଯାହା ହେବ-। ସେଥିପାଇଁ ବି ଦିଉଡ଼ୁର ମନ ଘାରି ହେଉ ନ ଥିଲା । ସବୁ ସହଜ, ମନେ ମନେ ଥାଇଥାଇ ସବୁ ପୁରୁଣା । ତାର ଲେଞ୍ଜୁକକାର ପଟିବ ନାହିଁ । ଲୁଚାଚୋରାରେ କେଉଁଦିନୁ ସମ୍ବନ୍ଧଟା ଘୁଣ ଖାଇଖାଇ ପୋଲା ହୋଇଯାଇଥିଲା ଆଜି ଦେଖାଦେଖିରେ ମଟ୍.. ଯାଉ ।

 

ମନ ଭିତରୁ ବାହାରିଆ ଜିନିଷ ଗୋଟିଗୋଟି କରି ଅନ୍ଧାରକୁ ଚାଲି ଯାଉଥିଲାବେଳେ ପିଓଟି ମନେପଡ଼ୁ ନ ଥିଲା । କେତେ ତଳେ ସେ । କରୁଣ ଆଉ ଅବସାଦ ଏକାଠି ମିଶିମାଶି ଯାଇଛି । ଚେତନାରୁ ଅନୁଭୂତି ହଜିଛି, କେବେ ଶିକାର କରି ସେ ଯାଇଥିଲା । କାହିଁକି ଏତେ ବଣବୁଲା ଏତେ ଘୋଳାବିନ୍ଧା ? ଦିଉଡ଼ୁ ଭାବୁଥିଲା ସବୁ ନିଷ୍ଫଳ । କିଛି ଦରକାର ନାହିଁ ।

 

ହାଇ ଉପରେ ହାଇ ଖୁନ୍ଦିହୋଇ ଆସିଲା । ମନହେଲା ପୁବୁଲିକୁ ସେ ଡାକିବ । ଖୁବ୍ ଦୁର୍ବଳଭାବେ ସ୍ମରଣ ହେଲା ଯେପରି, ପୁବୁଲି ନାହିଁ । ପୁବୁଲିକୁ ସେ ଡାକିବ ନାହିଁ, ନାହିଁ ଥାଉ ।

 

କେତେବେଳେ ଦିଉଡ଼ୁ ଅନୁଭବ କଲା ମୁହଁପାଖେ ଆଲୁଅର ତେଜ, କିଏ ତାକୁ ଠେଲି ଠେଲିକା ଉଠୋଉଛି, ଯେପରିକି ସକାଳ ହେଲାଣି, ନିଦଟା ବି ନିଷ୍ଫଳ, ନିଦଟା ବି ନିଷ୍ପ୍ରୟୋଜନ । ସେହିପରି ନିଦୁଆ ମନ ପଛକୁ ଝୁଙ୍କିଯାଇ ଭାବିହେଲା-କିଏ ଯାଏ, କିଏ ପାରେ-ନିଦର ଆରାମ୍‌ଟା-

 

ଆଲୁଅ ଧରି ମୁହଁପାଖେ ଝୁଙ୍କିପଡ଼ି ପୁବୁଲି ଉଠୋଉଛି-ନା ନା-ପୁୟୁ ଉଠୋଉଛି ‘କଣ୍-ଖାଇବା ନାହିଁକି ? ମା’ ଲୋ କି ନିଦ-’

 

‘ଏଁ ଏଁ ଲେଞ୍ଜୁକକା ?-’ ପିଣ୍ଡାତଳେ ପଥର ଉପରେ ନିଶ୍ଚଳ ହୋଇ ଅନ୍ଧାର ମେଞ୍ଚାଏ ବସିଛି-ଦିଉଡ଼ୁ ପାଟିକରି ପଚାରିଲା, ‘ଲେଞ୍ଜୁକକା ଖାଇଲାଣି ?’

 

ପଥର ଉପରୁ ଦସ୍ରୁ କୁକୁର ପୁଣି କାହାକୁ ଗୋଡ଼େଇଲା, ଦିଉଡ଼ୁ ହତାଶ ହେଲା, ପୁୟୁ କହିଲା, ‘ଉଠ ତୁମେ ଖାଇନିଅ ତ, ଲେଞ୍ଜୁକକା କାହିଁ ଆସି ନାହିଁ ଏପର୍ଯ୍ୟନ୍ତ-ପୁଣି କ୍ଳାନ୍ତି । ଦିଉଡ଼ୁ ଆଖି ବୁଜିଦେଲା, କାନ୍ଥ ଆଡ଼କୁ ଢୁଳେଇ ପଡ଼ିଲା । ହଲେଇ ହଲେଇ ପୁୟୁ ଉଠେଇ ଲାଗିଲା, ‘ପୁଣି ଶୋଇଲା ଯେ, ଉଠ୍‍ ଉଠ୍‍, ପୁଅ ଏକୁଟିଆ ଶୋଇଛି ପରା, ଉଠୁନ ।’ ସେପାଖୁ ଜାମିରି କନ୍ଧ ଗୋଟାଏ ବଡ଼ ହାକୁଟି ମାରିଲା, କହିଲା, ‘କିରେ ଦିଉଡ଼ୁ ଖାଇଲୁଣି ?’ ଦିଉଡ଼ୁ ଚମକିପଡ଼ି ଉଠି ଠିଆହେଲା । ଭଲ ଲାଗୁ ନାହିଁ ତଥାପି ଖାଇବାକୁ ହେବ । ପୁୟୁ ଅତି ଖୁସିହୋଇ ବାଢ଼ିବାକୁ ଚାଲିଗଲା । ଦିଉଡ଼ୁ ଗମ୍ଭୀର ହୋଇ ପଛେ ପଛେ ଗଲା । ମନେପଡ଼ୁଛି, ଅନେକ କଥା ମନେପଡ଼ୁଛି, କଥା ଥିଲା ପୁୟୁ ଉପରେ ସେ ରାଗିବ । କିନ୍ତୁ ରାଗର ପୁଞ୍ଜି ସବୁ ଝାଡ଼ିଝୁଡ଼ି ନେଇ ଲେଞ୍ଜୁକକା ଅନ୍ଧାରରେ କୁଆଡ଼େ ଛପିଛି, ବେଶୁ କନ୍ଧ ସୁଖରେ ଘର କରୁଛି, କୌଣସି କାମ କରିବାକୁ କି ରାଗିବାକୁ ଦିଉଡ଼ୁର ମନର ପ୍ରବୃତ୍ତି ନ ଥିଲା ।

 

ସନ୍ଦେହରେ ସନ୍ଦେହରେ ପଚାରି ବସିଲା, ‘ମିଟିଂଗାଁର ଲୋକ କେତେବେଳେ ଆସିଥିଲେ ? ଆସିବେ ବୋଲି ଆଗରୁ କିଛି କହିଥିଲେ ? ପୁବୁଲି କିଛି କହିଥିଲା ? ଏପରି ହଠାତ୍ ପୁବୁଲି ଚାଲିଗଲା ଯେ,-ଆଗରୁ କିଛି କହିଥିଲା କି ?’ ଯହୁଁ ଯହୁଁ ଦିଉଡ଼ୁ ଚେଇଁ ଉଠୁଥାଏ ତହୁଁ ତହୁଁ ତାର ମନର ପୁରୁଣା ଅବସ୍ଥା ଫେରିଆସୁଥାଏ, ସେହି ରାଗ, ସେହି ଅଭିମାନ, ସେହିପରି କଷା ପିତା ଚିନ୍ତା । କିନ୍ତୁ ସାମ୍ନାରେ ହେଇ ହାକିନା ନିର୍ଦ୍ଦୋଷ ନିଘୋଡ଼ ନିଦରେ ଶୋଇରହିଛି, ଭାତ ଖୋଇବାକୁ ସେବାଯତନ କରିବାକୁ ପୁୟୁର ଏତେ ଆଦର ଆଗ୍ରହ, ଗୋଡ଼ ତଳେ ପଡ଼ୁ ନାହିଁ, ମୁହଁରେ କିଲିବିଲେଇ ଉଠୁଚି ନାନା ପ୍ରକାର ଶୁଭ ଇଚ୍ଛା, କୁଶଳ ପ୍ରଶ୍ନ । ଦିଉଡ଼ୁ ତାହା ଉପରେ ରାଗିପାରିଲା ନାହିଁ, ଭଉଣୀକୁ କାହିଁକି ଉଡ଼େଇଦେଲୁ ବୋଲି କାଠଫାଳିଆରେ ସେହି ପାତଳ ଦୁର୍ବଳମୁହଁକୁ ଛେଚି ପକେଇବାକୁ ହାତ ଗଲା ନାହିଁ । ଶାନ୍ତି ଅଶାନ୍ତିରେ ଦୋହଲି ଦୋହଲି ମୁହଁ ବିକୃତ କରିକରି ଦିଉଡ଼ୁ ତାର ସେବାଯତ୍ନ ସହିଗଲା । ବହାରକୁ କାଠ ପରି ।

 

‘ହେଇତି,-ଆଉ ଦି’ଟା ମାଣ୍ଡିଆ ଭାତ ଦିଏଁ, ଏଁ ? ଆଉ ଖାଇବ ନାହିଁ ? ଏତିକିରେ ପେଟ ପୂରିଗଲା ! ଆଉ ଖଣ୍ଡେ କନ୍ଦା-ଆଉ ଦି’ଟା ପୋଡ଼ା ଶିଆଳି ମଞ୍ଜି-ଏତିକିରେ ଉଠିଯିବ ?’

 

ଆଜି ପୁୟୁ ଉପରେ ପଡ଼ି ଆଗ୍ରହ ଦେଖାଉଛି । ଯେତିକି ସେ ଛଟପଟ ହେଉଛି, ସେତିକି କେମିତି କେମିତି ଲାଗୁଛି ଦିଉଡ଼ୁକୁ । ପୁୟୁର ପାଟିରେ ବାଟୁଳି ବାଜୁ ନାହିଁ ଆଜି, ପାଦରେ ପକ୍ଷୀ ଲାଗିଛି । କ’ଣ ହେଇଚି କ’ଣ ?

 

‘ଗୋଡ଼ ଲୁଣପାଣିରେ ବୁଡ଼େଇଲ ନାଇଁ ଯେ-ଘୋଳି ହେଉ ନ ଥିବ ? ପାଣି ବସିଛି ଦେବି ? ଖରାପ ଲାଗୁଛି ? ଗୋଡ଼ ଘଷିଦିଏ । ନାଏ ମୁଁ ପରେ ଖାଇବି, ଘଷିଦିଏ ତୁମେ ଶୁଅ ।’

 

ନିଶ୍ଚଳ ରାତି, ବିକୃତ ରାତି । ଦିଉଡ଼ୁ ପଦାକୁ ଆସିଲା । ଖାଇପିଇ ପେଟ ଶାନ୍ତି । ନିଦ ଭାଙ୍ଗିଯାଇଛି । ମୁହଁରେ ଥଣ୍ଡାପବନ ବାଜୁଛି । ଦେହର ଦୁର୍ବଳତାର ମୋହ ମନରେ ନାହିଁ । ଦେହର ବଳ ବଢ଼ୁବଢ଼ୁ ମନ ଭିତରେ ପୁରୁଷପଣ ବଢ଼ିଯାଇଛି, ମନର ରୁକ୍ଷତାରେ ପୁୟୁର ମୂଲ ନାହିଁ । ଚାରିଆଡ଼କୁ ଅନେଇ ଦେଲା । ଗାଁ ଶୂନ୍‌ଶାନ୍ । ସମସ୍ତେ ଶୋଇ ପଡ଼ିଲେଣି । କେଉଁଠି ହେଲେ ଆଲୁଅର ଧାସ ଧାପେ ନାହିଁ । କ’ଣ ହେଉଛି ଆଜି ? କୁଆଡ଼େ ଗଲା ତାର ପ୍ରତିଜ୍ଞା । ପୁଣି ସେ ପୁୟୁକୁ ଗ୍ରହଣ କରିନେଇଛି ଆଗଦିନ ପରି ।

 

ସବୁ ମନେପଡ଼ିଲା । ପୁୟୁ-ଶୁଖିଲା ସେମେଟା ହାଡ଼ୁଆ ରୋଗିଣା ମଣିଷ । ଆଖିରେ ଆଲୁଅ ନାହିଁ, ମୁହଁରେ ନାହିଁ ମହୁଲର ପାଣି । ପୁୟୁର ଏହି ମୂର୍ତ୍ତି ଯେପରିକି ତାର ଆଖି ଆଗରେ ସବୁଦିନ ଅଙ୍କାହୋଇ ରହିଛି, ଆଖିରେ ଖେଞ୍ଚା ମାରିବା ପାଇଁ । ସେହି ପୁୟୁ ସହିତ ପୁଣି ମିଳାମିଶା ପୁଣି ସନ୍ଧି ! ଅତି ଦେଖେଇ ହେଉ ହେଉ କେମିତି ତାର ମୁହଁଟା କେମ୍ପେଇ ହୋଇଯାଏ, ବିଭତ୍ସ ଦିଶେ । ଦେହରେ ହାଡ଼ ବାଜେ, ଥଣ୍ଡା ହାଡ଼, ନିଜର ପତି ନିଜକୁ ସିଝାଏ । ଏତେଦିନ ଯେ ପୁୟୁ ଆଉ ପ୍ରକାରେ ଥିଲା, ଆଜି ଏପରି ଉପରେ ପଡ଼ି ଭୁଲେଇବାକୁ ଆସୁଛି । ଦିଉଡ଼ୁ ଭାବିଲା ସ୍ତ୍ରୀଲୋକର ସ୍ୱଭାବ ଏପରି, ହାରିଗଲେ ଏହିପରି ସେ ଛଳନା ଦେଖାଏ, ପେଖନା କରେ । ସବୁ ବିରୋଧୀ ଚିନ୍ତା ମନ ଭିତରେ ଗୋଳେଇ ପୋଳେଇ ଦିଉଡ଼ୁ ଏକାଠି ବଳୁଆ କଳି ପୁୟୁ ବିରୋଧରେ ଠିଆ କରିବାକୁ ଚେଷ୍ଟାକଲା, ଯେତିକି ସେ ଭାବିଲା ଯେତିକି ସେ ନିଛାଟିଆରେ ଆପଣାକୁ କଳିବସିଲା ସେତିକି ଯେପରିକି ତାର ବିଶ୍ୱାସ ଆସିଲା । ଏ ସାଲିସ ତାର ସେ ତାର ହୋଇ ନାହିଁ, ପୋଡ଼ା ତୁଣ ପୋଡ଼ି ଅଙ୍ଗାର ହୋଇଯାଇଛି, ଆଉ ତାକୁ ସୁଧୁରେଇବାକୁ ଚେଷ୍ଟାକରି କି ଲାଭ ?

 

ନିଦ ଭାଙ୍ଗିଗଲା, ଅପ୍ରାକୃତ ଅନୁଭୂତି କଟି କଟି ଗଲା । ଖାଇପିଇ ଧୁଙ୍ଗିଆ ପିଇ ନିଶ୍ଚିନ୍ତରେ ପିଣ୍ଡା ଉପରେ ବସି ଯହୁଁ ଯହୁଁ ଦେହ ଗୋଟାକରେ ଉଷୁମ୍ ଉଷୁମ୍ ଆସୁଚି ଲାଗୁଥାଏ ତହୁଁ ତାର ଚିନ୍ତା ପୁୟୁକୁ ଛାଡ଼ି ପଦାକୁ ମୋହୁଁଥାଏ । ଏଇ ନିଛାଟିଆ ରାତି । ସୋନାଦେଈ ଶୋଇଥିବ । ହଠାତ୍ ତାର କ’ଣ ଏପରି ହୋଇଗଲା, ଠିକଣା ମୁହୂର୍ତ୍ତରେ ଏଡ଼େବଡ଼ କିଳିକିଳା ଛାଡ଼ି ସେ ପାଣିଭିତରେ ପଡ଼ିଗଲା । ସୋନାଦେଈ ତାର ରଇତ । କେବଳ ରଇତ ନୁହେଁ । ତାର ସେବାଏତ୍ ଆପଣାର ଲୋକ ବୁଢ଼ା ବାରିକର ବୋହୂ । ଦିଉଡ଼ୁ ଆପଣାକୁ ନିନ୍ଦିବସିଲା ଯେ କାହିଁକି ସୋନାଦେଈର ଭଲମନ୍ଦ ବୁଝିବା ସକାଶେ ସେ ଗଲା ନାହିଁ । ଆଜି ବେଶୀ ରାତି । ପୁୟୁ ଜଗୁଆଳୀ ପରି । କାଳେ ଗାଁରେ କିଏ କ’ଣ କରୁଛି ? ସେ ନିଶ୍ଚୟ କଲା କାଲି ସେ ଅବଶ୍ୟ ଯିବ । ତା’ପରେ ପିଓଟି-ପିଓଟି ଭାବିଲେ କେବଳ ଖୁସି ଲାଗେ ନାହିଁ, ଛାତି ଭିତରେ କେଉଁଠି କ’ଣ ପାଙ୍କା ପାଙ୍କା ଲାଗେ, ମନ ଦବିଯାଏ । ପିଓଟି ପଛେ ପଛେ କ୍ରୋଧ ବଢ଼େ, ପୁବୁଲି, ଦାୟିତ୍ୱ ସୂତ୍ରରେ ଲେଞ୍ଜୁକକା-। ଲେଞ୍ଜୁକକା ଯେଉଁଆଡ଼େ ଯାଉ ନ ଆସୁ ସେଥିରେ କାହାର କହିବାକୁ କିଛି ନାହିଁ । ଦିଉଡ଼ୁ ଭାବିଲା, ଲେଞ୍ଜୁକକା ଏପରି ନିକମା ହୋଇଯାଉଛି । ସେ ବୁଢ଼ାଲୋକ ହେଲେ ବି ତାକୁ ଶାସନ କରିବା-ଆକଟ କରିବା ଦରକାର । ଆପଣାର ବ୍ୟବହାର ପାଇଁ ତିଳେ ତାର ଦୁଃଖ ହେଲା ନାହିଁ । ପିଓଟିର ସ୍ମୃତି ହେତୁ ତାର ଯେଉଁ ଆନନ୍ଦ ତାକୁ ଭାଙ୍ଗିଦେବାର ହେତୁ ହେଉଛି ପୁବୁଲିର ଉଦୁଲିଆ ବିଭା, ତେଣୁ ଦାୟିତ୍ୱ ପରର-ଦୋଷ ପରର । ଭାବୁ ଭାବୁ ବୈରାଗ୍ୟ ଆସିଲା । ସଂସାରରେ ସେ ଜନ୍ମ ହୋଇଛି ଯେ କେହି ତାର ନିଜର ନୁହେଁ, କେହି ତାହାର ସାହାଭରସା ନାହିଁ, ସମସ୍ତେ ବିରୋଧୀ, ସମସ୍ତେ ଅକଳେଇବାକୁ ଜୀବନଟା ଦୁର୍ବହ କରିଦେବାକୁ ଇଚ୍ଛୁକ, ଶାନ୍ତି ନାହିଁ । ଏହି ଅନ୍ଧାର ରାତିରେ, ତାର ମା’ ମନେପଡ଼ିଲା, ବାପ ମନେପଡ଼ିଲା । ଥାଆନ୍ତେ ଭଲା ସେମାନେ ! ଲେଞ୍ଜୁକକା ଉପରେ ପୁୟୁ ଉପରେ ନିର୍ଭର କରିବାକୁ ପଡ଼ନ୍ତା ନାହିଁ । ସେମାନେ ଥିଲେ ହୁଏତ ସବୁ ଭଲ ହୋଇଥା’ନ୍ତା ।

 

ଖାଲି ତରା ମେଞ୍ଚିମାଞ୍ଚି । ଖାଲି ଜାଲଜାଲୁଆ ଅନ୍ଧାର । ବିଭିନ୍ନ ଜାତିର, ପରପର ମେଘପରି, ଧୂଆଁପରି । ସମସ୍ତେ ଶୋଇଥିବେ । କେବଳ ଭୂତ, ପ୍ରେତ ଜନ୍ମ ନ ହୋଇଥିବା ଡୁମା, ଆଉ ଅନ୍ଧାର, ଭିତରେ ବାହାରେ । ଦିଉଡ଼ୁ ସାଓଁତାର ଅଶାନ୍ତମନ କୁହୁଳି ଉଠୁଥିଲା, ରଙ୍ଗ ନେଉଟିଲା ।

 

କାମସାରି ପୁୟୁ ଡାକିଲା, ‘ବସିଛ ଯେ, ନିଦ ମାଡ଼ୁ ନାହିଁ ?-’ ଟାପରା କଲାପରି ହାଲୁକା ଅନ୍ଧାରରେ ଫାଇଁକରି ତାର ଦାନ୍ତ ଦିପାଟି ଦବିଗଲା ପରି ଲାଗିଲା । ପୁୟୁ କହିଲା, ‘ଦେହକୁ ବାଧାହେବ, ଶୁଅ-’ ।

 

‘ହୁଁ-’ ଦିଉଡ଼ୁ କହିଲା । କଳ ଚାଲିଲା ପରି ଗୋଟିଏ ଗୋଟିଏ ହୋଇ ଅନ୍ୟମନସ୍କଭାବେ ଘର ଭିତରେ ଶୋଇବାକୁ ଗଲା ।

 

ସେତେବେଳକୁ ପୃଥିବୀ ଶୋଇପଡ଼ିଥାଏ । କେବଳ ସ୍ୱପ୍ନ ଅନୁଭୂତିର ଜୀବନ, ସଂକେତରେ ସଂକେତରେ ।

•••

 

ଷାଠିଏ

 

ସକାଳୁ ପିଲାଟାର ଅପ୍ରିୟ କାନ୍ଦଣାରେ ନିଦ ଭାଙ୍ଗିଲା । କେବଳ କାନ୍ଦଣା ନୁହେଁ, ଗୂଢ଼ କଥାରେ କାନପାଖେ କିଏ ଯେପରି କ’ଣ କହୁଛି । ନିଦ ଭାଙ୍ଗୁ ଭାଙ୍ଗୁ ଲାଗୁଥିଲା ଯେପରିକି କିଏ ସମ୍ବାଦ ଆଣିଦେଇଛି ରାତିରେ ସୋନାଦେଈ ମରିଗଲା-ମରିଗଲା-ଚମକିପଡ଼ି ମନେମନେ ଆହା ଉହୁ କରୁକରୁ ପୁଣି କ’ଣ କହିବ ସେ ଜବାବ୍ ଫାନ୍ଦୁଛି, ଏତିକିବେଳେ ଏ ଅପ୍ରିୟ ବାଧା । ରୁଢ଼ ବଢ଼ିଛି, ଆଖି ନାଲି ନାଲି, ଭ୍ରୁକୁଟିକରି ଆଖି ଗାରଡ଼େଇ ଦିଉଡ଼ୁ କହିଲା, ‘ଏଁ-କ’ଣ କହୁଛୁ ?’

 

‘ସାହିଲୋକେ ସମସ୍ତେ କଥାଭାଷା ହେଉଛନ୍ତି, ଲେଞ୍ଜୁକକା କୁଆଡ଼େ ଗଛମୂଳେ ବସି କାନ୍ଦୁଛନ୍ତି, ତୁମେ ତାଙ୍କୁ କ’ଣ ଗାଳି ଦେଇଥିଲ ? ସମସ୍ତେ କହୁଚନ୍ତି ଲେଞ୍ଜୁକକା କୁଆଡ଼େ ଅଭିଶାପ ଦଉଚନ୍ତି । କହୁଛନ୍ତି ଭାଇ ମରିଗଲାରୁ ତୁମେ ତାଙ୍କୁ ହତାଦର କଲ-’ ପୁୟୁ କହି ଲାଗିଛି ପୁଣି ଧୀରେ ଧୀରେ ଭୟରେ ଭୟରେ ଫୁସ୍‌ଫୁସ୍ ହୋଇ କହିଲା, ‘ଲେଞ୍ଜୁକକା କୁଆଡ଼େ ଭିନେ ହେବେ କହୁଛନ୍ତି, ଛି ଛି କି କଥା ହେଲା-କ’ଣ ତାଙ୍କୁ କହି ଆସିଲ, ଶୋଇଛ କ’ଣ, ଘର ପୋଡ଼ିଜଳି ଛାରଖାର ହେଲାଣି, ଖାଲି ଭଗାରି ହସୁଛନ୍ତି, ଉଠ, ଯାଅ ଟିକିଏ ବୁଝ-’

 

‘ଏଁ, କ’ଣ କହିଲୁ ?’

 

‘ତୁମେ ଟିକିଏ ଯାଅ, ତାଙ୍କୁ ବୁଝେଇ ଘରକୁ ଘେନିଆସ, ପଛକଥା ପଛକୁ, ଯେତେହେଲେ ତୁମ ଦାଦି ତ, ରାଗଭୋଳରେ କ’ଣ ବକିଦେଇଥିବ, ରୁଷିଛନ୍ତି, ଯାଅ ବାତି (କ୍ଷମା) ମାଗି ତାଙ୍କୁ ନେଇଆସ । ଯାଉଛ-’

 

ୟେ କ’ଣ କହୁଛି ? ଦିଉଡ଼ୁ ଆଖି ଫାଡ଼ିହୋଇ ଆସିଲା, ମୁହଁ କଠିନ ହୋଇଗଲା । ହଜିଲା ରାତିର ସବୁ କଅଁଳପଣିଆ ମନରୁ ପୋଛି ହୋଇଗଲା । ଦିନ ଫିଟିଲାଣି, ସେ କାଲି ସକାଳେ ଯେଉଁ ଦିଉଡ଼ୁ ଥିଲା ଆଜି ସକାଳେ ସେହିଆ । ଏ ଯେଉଁ ପୁୟୁ ଥିଲା ସେହି ପୁୟୁ, ପରିବର୍ତ୍ତନ ନାହିଁ । ୟେ କ’ଣ କହୁଛି ? ହତଶ୍ରୀ ଅପ୍ରିୟବାଦିନୀ ନରକଙ୍କାଳ । ବାତି ମାଗିବାକୁ ଯିବ ସେ, ଦିଉଡ଼ୁ ସାଓଁତା ! ପୁଣି ସବୁକଥା ତାର ଆଉଣ୍ଡି ହୋଇ ଲେଉଟି ଆସିଲା, ଯେପରିକି ହେଇ ବର୍ତ୍ତମାନ ସେ ଆଉ ଲେଞ୍ଜୁକନ୍ଧ କଜିଆ ଲଗେଇଛନ୍ତି, ଲେଞ୍ଜୁ କନ୍ଧ ତାକୁ ଗାଳି ଦେଇଛି, ତାର ଉତାର ଶୋଧନ ପାଇଁ ୟେ ପ୍ରସ୍ତୁତ ହେଉଛି । ଗର୍ଜିଉଠି ପୁୟୁ ଉପରକୁ ଚମକିଯାଇ ସେ ରଡ଼ିଛାଡ଼ିଲା-’କ’ଣ କହିଲୁ ? ମୁଁ ଯିବି ବାତି ମାଗିବାକୁ ? ଗଣ୍ଡା ପଟ୍‌କାର ଦୁଷ୍ଟଲୋକମାନେ-ତୁ ଆଉ ତୋର ଲେଞ୍ଜୁକକା ମିଳି ମୁଁ ନ ଥିଲାବେଳେ ମୋର ଭଉଣୀକୁ ଘରୁ ଭଗେଇଦେଲ, ଉଡ଼େଇଦେଲ, ଲାଜ ମାଡ଼ୁ ନାହିଁ ପୁଣି କଥା କହୁଚୁ ?’

 

ପୁୟୁ କାଠ ହୋଇଗଲା । ଡରି ଡରି କହିଲା, ‘ତା’ ହେଲେ ତୁମେ ଯିବ ନାହିଁ ? ତା’ହେଲେ ସତେ ଲେଞ୍ଜୁକକା ଆମଠୁ ଅଲଗା ହୋଇଯିବ ? ତାର ନିଶ୍ୱାସ ପଡ଼ିବ ମୋର ହାକିନା ଉପରେ ? ମତେ ମାରିବ ପଛେ ମାର, ତୁମେ ଯାଅ,-ଯାଅ-’

 

‘ଫେର୍-ଫେର୍-’ ହାତ ଉଞ୍ଚେଇ ଦିଉଡ଼ୁ ତା ପାଖକୁ ଦଉଡ଼ିଗଲା, ‘ଆଉ ସେମିତି କହିଚୁ କି ତତେ ଠିକଣା କରିଦେଇଛି ଜାଣିଥା-’ ମନକୁ ମନବକର ବକର ହୋଇ ଦିଉଡ଼ୁ ଗାଁ ଭିତରକୁ ଚାଲିଗଲା ଗାଳି ଦେଇଦେଇକା । ପୁୟୁ ସେହି ଏକା ଜାଗାକେ ଠିଆହୋଇ ଅନେଇଁ ଥାଏ, ଆଖିରୁ ଲୁହ ଧାର । ଦିଉଡ଼ୁର ଆଜି ଏ କି ଭୀମମୂର୍ତ୍ତି ! ଏକା ଦିନକର ନୁହେଁ, କେତେଦିନର ବଢ଼ନ୍ତା ଷାଠି-ସାପ ଯେପରିକି ପାଣିଭିତରୁ ତାର ଲାଞ୍ଜ ଦେଖେଇ ଦେଇଛି, ଦାଉରେ ଯାହା ପଡ଼ିବ ପିଟିନେଇ ଆଣି କଣା କରି ଖାଇଦେବ । ସେହିପରି ୟାର ମନର ଚିତ୍ର ।

 

ପୁୟୁ ସନ୍ଦେହରେ ପଡ଼ିଥିଲା, ଗଲା ରାତିର ବ୍ୟବହାର ସଙ୍ଗେ ଏହାର ଟିକିଏ ବୋଲି ସାମଞ୍ଜସ୍ୟ ନାହିଁ, ତେବେ କ’ଣ ତାର ବିଶ୍ୱାସ ଭୁଲ୍‍, ଦିଉଡ଼ୁ ଆଉ ତାର ହେବ ନାହିଁ ? ଆଖିର ଧାର ବହଳ ହୋଇଯାଉଥାଏ ।

 

ଏହି ଆଜିର ସକାଳ ପହିଲି ହୋଇ-

 

ଦିଉଡ଼ୁ ସାଓଁତା ଗର୍ଜିଗର୍ଜି ଗାଁ ଭିତରକୁ ଗଲା । ନିଦଟା ଦର୍‌ଖଣ୍ଡିଆ ହୋଇ ଭାଙ୍ଗିଛି, ସକାଳୁ ପୁଣି ଏ ଖେଞ୍ଚା, ଦିନ ଗୋଟାକ ତ ଆଗରେ ପଡ଼ିଛି । ସତକୁ ସତ ଲେଞ୍ଜୁକକା ଶଳପ ଗଛମୂଳେ ବସି ରହିଛି, ଗାଁର ବୁଢ଼ା ବୁଢ଼ା ବୁଢ଼ା ଲୋକେ ତାକୁ ବେଢ଼ି ବସିଛନ୍ତି, କଥାଭାଷା ପଡ଼ିଛି, ସମସ୍ତେ ଗମ୍ଭୀର । ବକିବକି ପାଖକୁ ଲାଗିଆସିଲାବେଳକୁ ସମସ୍ତେ ଗମ୍ଭୀର ହୋଇ ତାହାରି ଆଡ଼କୁ ଅନେଇଁ ରହିଲେ, ଦୁଇ ପକ୍ଷଙ୍କ ପାଟିତୁଣ୍ଡ ବନ୍ଦ ହୋଇଗଲା । ବୁଢ଼ାମାନଙ୍କର ସ୍ଥିର ଚାହାଣି ଓ ଆତଙ୍କିତ ମୁହଁ ଆଗରେ ଦିଉଡ଼ୁ ତାର ଔଦ୍ଧତ୍ୟର ଟେକ ସମ୍ଭାଳି ପାରିଲା ନାହିଁ, ଏଡ଼େ ଟିକିଏ ହୋଇଗଲା ।

 

ବୁଢ଼ା ଜାମ୍ବାକନ୍ଧ ଧୀରେ ଧୀରେ କହିଲା, ‘ଆସିଲୁ ଭଲ କଲୁ ସାଓଁତା, ପଞ୍ଚାତି ହେବ ଯେ ଅଇଛା ତତେ ଡକେଇ ପଠେଇଥା’ନ୍ତୁ ଆମେ-’

 

ଦିଉଡ଼ୁ କହିଲା, ‘ଭଲ, ଭଲ, ପଞ୍ଚାତିରେ ପକାଅ, କେତେକଥା କହିବାକୁ ଅଛି । ଗାଁ ଛାଡ଼ିଦେଇ ଘର ଛାଡ଼ିଦେଇ ମଣିଷ ପଦାକୁ ଟିକିଏ ଗୋଡ଼ କାଢ଼ିବାର ବି ଉପାୟ ନାହିଁ, ଟିକିଏ ପିଠି ବୁଲେଇଲେ, ଯାହାଙ୍କୁ ଭରସା କରି ମଣିଷ ଜଗେଇ ଦେଇ ଯାଇଥିବ ସେ ଯିବେ ମଦ ପିଇ ଗଡ଼ିବେ, ସବୁ ଉଜୁଡ଼ିଲା । କ୍ଷେତ କାମକୁ ପଠାଅ, ଯାହାହେଲେ କମାଣି (ଆବାଦ୍) କରିବାକୁ ଦିଅ ନିଜେ ନ ରହିଲେ ସବୁ ଢିଲମ୍‌ଢିଲା । ଯଦି ଭଲରେ ମନ୍ଦରେ ପଦେ କହିଦେଇଛି ତ ଯିବି କୁଆଡ଼େ, ସାଙ୍ଗେ ସାଙ୍ଗେ ଗରମ ହୋଇ ହାଣିବି ପୂଜିବ ଏମିତି କଥା, ତୁଚ୍ଛାକୁ ରୁଷାରୁଷି ତୁଚ୍ଛାକୁ ଅଭିମାନ । କେତେ କିଏ ସହିବ କେତେ ୟାଙ୍କୁ ଚଳେଇବ ତୁମେ ହେଲେ କହ । ନା, ପଞ୍ଚାତି କରି ଛିଣ୍ଡେଇଦିଅ, ସବୁଦିନେ କାହିଁକି ଅଶାନ୍ତି ଲାଗିଥିବ ।’

 

ଲେଞ୍ଜୁ କହିଲା, ‘ଶୁଣୁଚ, ଶୁଣୁଚ ?’

 

କେହି ପାଟି ଫିଟେଇଲେ ନାହିଁ । ସେହିପରି ତୁନିହୋଇ ଦିଉଡ଼ୁର ମୁହଁକୁ ଚାହିଁ ରହିଲେ-। ସେ ଦବିଗଲା, ଏଣିକି ତାହା ମନରେ ଆଶଙ୍କା ହେଲା କେଉଁଥିରୁ କ’ଣ ସେ କହିଦେଇଛି, ଯାହା କହିବାର ନୁହେଁ ତାହା ତାର ମୁହଁରୁ ବାହାରି ଯାଉଛି, ପରିଣାମ ଅବଶ୍ୟମ୍ଭାବୀ । ମୁହଁ ଶୁଖେଇ ସେ ଠିଆହୋଇ ରହିଲା । ସମସ୍ତିଙ୍କର ଅପ୍ରାକୃତ ତୁନିତାନି ଦେଖି ଲେଞ୍ଜୁକନ୍ଧ ମଧ୍ୟ କିଛି କହିବାକୁ ଭରସିଲା ନାହିଁ । ତାର ରାଗ ଖସି ପଡ଼ୁଥିଲା ।

 

ସେହି ଜାମ୍ବାକନ୍ଧ ପୁଣି କଥା ଆରମ୍ଭ କଲା, ‘ତେବେ ଏଠିଟାରେ କାହିଁକି ? ଚାଲ ଗାଁ ଭେରାମଣକୁ ଯିବା, ସେଠି କଥା ପକେଇବା ।’ ସମସ୍ତେ ହୋ ହୋଇ ଉଠିପଡ଼ିଲେ । ଲେଞ୍ଜୁ ଆଉ ଦିଉଡ଼ୁ ଗହଳି ଭିତରେ ତୁନିତାନି ମୁଣ୍ଡ ନୁଆଇଁ ଚାଲିଲେ, କାହାରି ତୁଣ୍ଡରେ କଥା ନାହିଁ । ଦୁହେଁ ସତେକି ଏକାଥରକେ ଅନୁଭବ କରିଛନ୍ତି ଦିହିଁକା ଦିହେଁ ଅପରାଧୀ, ଗାଁ ଲୋକଙ୍କ ଦଳବଳ ଆଗରେ କେଉଁ କଥାରୁ କେଉଁ କଥା ହେଲାଣି, ଝିମିଟି ଖେଳରୁ ମହାଭାରତ । ଦିହିଁକାଦିହେଁ ବିଚାର ଆରମ୍ଭ କଲେଣି, ପଞ୍ଚାଏତ୍ ହେବ ? କାହିଁକି ହେବ ? କିଏ ଡାକିଛି ପଞ୍ଚାଏତ୍, କି ଦୋଷ କାହାର-? ବାଟରେ ଜାମ୍ବାକନ୍ଧ ପୁଣି କଥା ପକେଇଲା, ‘ପ୍ରକୃତରେ, ଦିଟା ଦାଦି ପୁତୁରା ଏପରି ମାଡ଼ଗୋଳ ଲାଗି ଅଶାନ୍ତି ଅସନ୍ତୋଷ, କାହାରି ମନ କାହାରି ସଙ୍ଗେ ମିଳୁ ନାହିଁ । ଦିନୁଁ ଦିନ କଜିଆ ବଳେଇଲା-। ସରବୁ ସାଓଁତା ଥାଆନ୍ତା, ତା’ତ ନାହିଁ । ଏମିତି ଦିହେଁ ଦୁହିଁଙ୍କ ଛାଇ ପଡ଼ିଲେ ଡେଉଁଥିବେ, ଆମେ ଗ୍ରାମବାସୀ ଦେଖୁଥିବୁ ? ନା, ତା ହୋଇ ନ ପାରେ, ଆଜି ଯଦି କଥାଟା ପଡ଼ିଲା ତେବେ ବୁଝିଦେବା ଭଲ, ଚିରକାଳକୁ ଛିଣ୍ଡିଯିବ, ନା କ’ଣ କହୁଚ ଭାଇ ?’

 

ଧୀରେ ଧୀରେ ଦିଉଡ଼ୁ ରାଗି ଆସୁଥିଲା । ତାର କକା, ତାର ଘର, ତା’ ଉପରେ ଏତେପ୍ରକାର କଳି ଲଗେଇ ଧୁଡ଼ୁକି ବଜେଇ ନିଷାପ କରିବାକୁ କିଏ ଏମାନେ ? ହଠାତ୍ ତାର ପାଟିରୁ ବାହାରିଗଲା, ‘ଗଣ୍ଡା ପଟ୍‌କାର-ଖବର୍ଦ୍ଦାର, ଜାଗ୍ରତା, ବହୁତ କହି ପକୋଉଚୁ । ଭାରି ଭଲଲୋକ ବୋଲୋଉଛୁ ତ ନା ଜାମ୍ବାକନ୍ଧ ? ମନଅଛି ତ ତୁନିହୋଇ ଆମର ଶାସନ ମାନିନେଇ ଏ ଗାଁରେ ଘର କର, ନ ହେଲେ ନିକାଲି ଦେଉଛି ଯା ତୋର ଯୁଆଡ଼େ ଇଚ୍ଛା-’

 

ହାଁ ହାଁ ହୋଇ ସମସ୍ତ ଘେରିଗଲେ । ବୁଢ଼ାମାନଙ୍କର ରାଗ ସଙ୍ଗେ ସଙ୍ଗେ ମନରେ ଆଶଙ୍କା ଆସିଲା, ଦି’ଟା ଥୋଇଲା କି ? ଅକୁହାର ଅମାନିଆଁ ରାଗୀଲୋକ, କ’ଣ ତାର ଠିକଣା । ‘ନିକଲ ଜାମ୍ବାକନ୍ଧ, ମୁଁ ସାଓଁତା ନା ତୁ ସାଓଁତା ? ତୋର ମୁଣ୍ଡରେ ପିତ୍ତ ହେଲାଣି ମୋର ଘରକଥା ନେଇ ତୁ ପଞ୍ଚାତି କରିବୁ ? କିଏ ତତେ ପଞ୍ଚାତି ମାନିଲା, କିଏ ?’ ‘କାହିଁକି ଚିଡ଼ୁଛୁ ସାଓଁତା, ମୁଁ ତ ତା ଆଗରୁ କହୁଥିଲି, ନାହିଁ କିହୋ ଭାଇ । କହି ନାହିଁ ? ଆମର ଗାଁରେ ସାଓଁତା ସେ, ସେ ପିଲା ହେଉ କି ବୁଢ଼ା ହେଉ ଆମେ ତାର ତଳେ ରଇତ । ଯଦି ତା ଉପରେ ପଞ୍ଚାତି ଡାକିବ ତେବେ ଆମ ରଇତଙ୍କଦ୍ୱାରା ତା’ ହେବ ନାହିଁ, ସାତ ଖଣ୍ଡ ଗାଁର ପଡ଼ି-ପଡ଼ିଶା ସାଓଁତା ବଡ଼ ରଇତଙ୍କୁ ଡାକ । ଆମ ମୁଣ୍ଡ ଉପରେ ଏ ବୋଝ କିଏ ଦେଲା, କିଏ କହିଲା ଆମକୁ ଗାଳି ଖାଇବାକୁ, ନା କ’ଣ ହେ-?’

 

‘ପଞ୍ଚାତି କରୁଛନ୍ତି,-’ ଦିଉଡ଼ୁ ଖେଙ୍କି ଲାଗିଥାଏ, ‘ଖୁଣି ହୋଇଛି ନା ଚୋରି ହୋଇଛି ଯେ ପଞ୍ଚାତି କରୁଛନ୍ତି, ସବୁ ଏଇ ଲେଞ୍ଜୁକକାର ମତଲବ, ବୁଢ଼ା ହେବାରୁ ବୁଦ୍ଧି ପାଚୁଛି ।’ ଦିଉଡ଼ୁ ଗର୍ଜନରେ ଲେଞ୍ଜୁର ଗର୍ଜନ ମିଶିଗଲା । ଗାଳି ଖାଇ ବୁଢ଼ାବୁଢ଼ାମାନେ କରକୁ ହୋଇଗଲେ । ଏତିକିବେଳେ ପୁଅଟିକି କାଖେଇ ବାଳ ଫୁରୁଫୁରୁ ଉଡ଼ୁଛି ଦୌଡ଼ିଦୌଡ଼ି କିଏ ସେଠିକି ଆସିଲା, ଲେଞ୍ଜୁ କନ୍ଧର ହାତ ଧରିପକେଇ ଓଟାରି ନେଇ କହିଲା, ‘ସେ ତ ସେମିତି, କାହିଁକି ତାଙ୍କ ସଙ୍ଗେ ଜଣକୁ ଜଣ ହେବ, ଚାଲ ଲେଞ୍ଜୁକକାକୁ ଜବାବ ଦେବାକୁ ଅବସର ନ ଦେଇ ପୁୟୁ ଓଟାରି ନେଇ ଚାଲିଲା, କହିଲା, ‘ଆସ ଆସ ପୁଅ କାନ୍ଦିଲାଣି । ଆଗ ତମକୁ ଖାଇବାକୁ ଦେଲେ ପରେ ତା କଥା ବୁଝିବି, କାହା ଉପରେ ତୁମେ ଅଭିମାନ କରିଛ ? ସେ କ’ଣ ମଣିଷ ?’ ମୁହଁଟା ପଛକୁ ବୁଲେଇ ଦିଉଡ଼ୁକୁ ଶୋଧିଶୋଧିକା ଆଗକୁ ପାଦ ପକେଇ ପକେଇ ଲେଞ୍ଜୁକନ୍ଧ ଘରକୁ ଚାଲିଲା । ଏଥର ସେ ପଞ୍ଚାଏତ୍ ପାଇଁ ଖୁସାମତ୍‌ଖୋର ନୁହେଁ, ଏଥର ସେ ଲେଞ୍ଜୁକକା । ଦିଉଡ଼ୁର ଜବାବ ତାର ପାଟି ଭିତରେ ପାଣି ହୋଇଗଲା, ଲେଞ୍ଜୁକକାର ତାତି ଆଗରେ ମୁଣ୍ଡ ନୁଆଁଇଦେଇ ମୁହଁ ଗରଗର କରି ଦିଉଡ଼ୁ ପଛରେ ମାଣ୍ଟେଇ ରହିଗଲା ।

 

ସମାଧାନ ତାର ମନକୁ ଘଟିଯାଇଛି, ଏଣିକି ମର୍ଯ୍ୟାଦାହାନି ହେବା ଭୟ ନାହିଁ, କିନ୍ତୁ ଦିଉଡ଼ୁ ମନରେ ସୁଖ ନ ଥିଲା । ସେହିପରି ଅପ୍ରସନ୍ନ ଦୃଷ୍ଟିରେ ସେ ଚାହିଁ ରହିଲା ଲେଞ୍ଜୁ ଆଉ ପୁୟୁ ଯିବା ବାଟକୁ । ସଂସାର । ଏହିପରି ସେ, କେବଳ ସେ ହାରିହାରିକା ପଛେଇ ପଛେଇ ଯାଉଥିବ ସମସ୍ତେ ମେଣ୍ଟ ବାନ୍ଧୁଥିବେ, ସୁଖରେ ଘର କରୁଥିବେ । ସବୁଥିରେ ଥିଲେ ବି କାହାରି ଉପରେ ତାର ଅକ୍ତିଆର ନାହିଁ । ଲେଞ୍ଜୁକକା ତାର ଅଭିମାନ ଫୁ ଉଡ଼େଇଦେଇ ତାକୁ ହରେଇଦେଇ ତାର ଭାଇଘରକୁ ଗଲା, ଲୋକେ ତାକୁହିଁ ଦୟା କରିବେ, ତାକୁ ସାହାଯ୍ୟ କରୁଥିବେ, ଦିଉଡ଼ୁ ସାଓଁତା ହୋଇ ସୁଦ୍ଧା ପଦାରେ ପଦାରେ । ଲେଞ୍ଜୁକକା ପରାଜୟ ଦେଇଗଲା, ଶେଷରେ ତାକୁ ବଳ ଦେଇଗଲା ତାର ଆପଣାର ସ୍ତ୍ରୀ ପୁୟୁ !

 

ଗୋଟାଏ ଠାଆକରେ ଏପାଖ ସେପାଖ ହେଉ ହେଉ ସେହି ଦୁହିଁଙ୍କ ଉପରେ ଦିଉଡ଼ୁ ରକ୍ତଚାଉଳ ଚୋବାଉଥାଏ, ପାଣ୍ଡ୍ରୁଜାନି ଆସିଲା, ଦିଉଡ଼ୁର କାନ୍ଧ ଚାପୁଡ଼େଇ ପିଠି ଚାପୁଡ଼େଇ କହିଲା, ‘ବାଃ ବାଃ-’

 

ସେହିପରି ଗରଗର ହୋଇ ବାଳ ଛିଞ୍ଚାଡ଼ି ଦେଇ ପାଣ୍ଡ୍ରୁ କନ୍ଧ ଆଡ଼କୁ ଦିଉଡ଼ୁ ମୁହଁ ବୁଲେଇଦେଲା । ସେ ମୁହଁରେ ରାଗ, ବିକଟାଳ ରାଗ, ଦୁନିଆ ପୋଡ଼ାରାଗର ନିଆଁ । ପାଣ୍ଡ୍ରୁ କନ୍ଧ ଅନ୍ୟମନସ୍କ ଥାଏ, ଦିଉଡ଼ୁର ରାଗ ଛୁଇଁଲା ନାହିଁ । ମନଖୁସିରେ ଗପିଗଲା, ‘ବାଃ ବାଃ ମୁଁ ସେହିଆ ଦେଖୁଛି । ରିଷା ହୁଅ, ଝଗଡ଼ା କର ଯାହା କର, ଠିକ୍ ପୁଅ ତୁ ସରବୁ ସାଓଁତାର, ଆଉ ସେ ଠିକ୍ ତାର ଭାଇ । ଏମିତିବେଳେ ସାଓଁତା ଯାହା କରିଥା’ନ୍ତା, ଯେପରି କରିଥା’ନ୍ତା ତୁମେ ସେହିପରି କଲ-। ସତ କଥା, ଆପଣା ଘରକୁ ଆପେ, ବାଡ଼ିଆପଟା ହୁଅ କି ଗାଳି ଫଜିତ ହୁଅ, ନିଜକଥା ନିଜେ ବୁଝିବା ଚାହି, ସେଥିକି ପର କାହିଁକି ? ତାକୁ ମୁହଁ ହଲେଇବାକୁ ଦେଲେ ମୁହଁ ବଢ଼ିଯିବ, ସେମାନେ କାହିଁକି ?’

 

ତାର ହିତ ଉପଦେଶ ଦିଉଡ଼ୁର କାନରେ ଗଜିଲା ନାହିଁ, କହିଲା, ‘ଦେଖୁଛୁ ତ ୟାଙ୍କର କଥା-’ ପାଣ୍ଡ୍ରୁ ଦିସାରି କହିଲା, ‘ଏହିପରି ସେ ରାଗୁଥିଲା, ସରବୁ ସାଓଁତା, ଏମିତି ତାର ମୁହଁ ଦିଶେ ସେତେବେଳେ । ବାଃ ବାଃ, କେମିତି ଏକାବେଳକେ ମିଳିଯାଏ ସେ ମୁହଁର ଛିଲିକା-’

 

ଶୂନ୍ୟକୁ ଅନେଇ ପାଣ୍ଡ୍ରୁ ଦିସାରି କହିଲା, ‘ସରବୁ ସାଓଁତା-ସରବୁ ସାଓଁତା-’

 

ବାପର ନାଁ ଶୁଣି ଦିଉଡ଼ୁର ଉଦ୍ଧତପଣିଆ ଧୀରେ ଧୀରେ ଦବିଗଲା । ଧୀରେ ଧୀରେ ତାର ସାଓଁତାପଣିଆ ବସି ବସିକା କୁଜା ହୋଇଗଲା । ସେ ଆଜି ନାହିଁ, କିନ୍ତୁ ତାର ନାଁଟା ଅଛି, ସେହି ନାଁରେ ଆସେ ତାର ସ୍ମୃତି, ଦିଉଡ଼ୁ ତାର ଆସନକୁ ଖସିଯାଏ ।

 

ଘରକୁ ଯିବାକୁ ମନ ହେଲା ନାହିଁ, ସେଠି ପୁଣି ସେହି ଅପ୍ରୀତିକର ତୋଫାନ, ସେଠି ଲେଞ୍ଜୁ, ପୁୟୁ, ବଳ ଦେଖାଇଲେ ଅନର୍ଥ ଘଟିବ, ଗାଁରୁ ବାହାରି ଗୋଟିଏ ଗୋଟିଏ ହୋଇ ଦିଉଡ଼ୁ ବଣକୁ ଚାଲିଲା ।

 

ବଣ ଶୁଖିଯାଇଛି, ବଣ ଖାଲି, ମୁହଁ ଉପରେ ଖରା ।

 

ବଣ ନିଆଁ ଲାଗିହେବାକୁ ଅପେକ୍ଷା କରିଛି, ପର୍ବ ସରି ଆସିଲା, ଏଣିକି ନୂଆ କାମ ଲାଗିବ । ଆଗରେ ସେହି ବଣଟା ହଣାହୋଇ ନିଆଁ ଲଗାଇବାକୁ ଏବର୍ଷ କଥା ଥିଲା । କୁଦ ଉପରୁ ଉଣ୍ଡି ଉଣ୍ଡି ଦିଉଡ଼ୁ ସବୁ ଦେଖିଲା । ସବୁ ଚୁପ୍‌ଚାପ୍ ଥିଲା, ଦୂରରୁ କେଉଁଠି କୁରିଚଢ଼େଇ ବୋବେଇଲା, କୁର୍‌ରୁ-କୁର୍‌ରୁ-ବାରମ୍ବାର-ବାରମ୍ବାର ।

 

କ’ଣ ହଜିଯାଇଛି କି ? କ’ଣ ଚାଲିଯାଇଛି ? ଆତ୍ମହରା ହୋଇ ଚଢ଼େଇ ଖୋଜୁଛି,-ସେହି ଏକାପ୍ରକାର । ଶାଳଗଛର କାନ୍ଧରେ ଲମ୍ବ ମହୁଫେଣା ଓହଳିଛି । ଅଦ୍ୟାପି ଛାଇ ଟିକିଏ ଟିକିଏ ଅଛି, ତଳର ଅଛପା ଝୋଲାରେ ପାଣି କଳ କଳ । ଆଉ କୌଣସି ଜନ୍ତୁର ଶବ୍ଦ ନାହିଁ କେବଳ କେତେଦୂରରେ ସେହି ଚଢ଼େଇଟା । ଝିଙ୍କାରିଟିଏ ଝିଁ ଧରିଲା । ହଠାତ୍ ଦିଉଡ଼ୁ ସାଓଁତା ଭାବିଲା, ଏତେ ତାଷ ଏତେ ବଣମରା ଏସବୁ କ’ଣ ହେବ ? କାହା ପାଇଁ ଏ ? କିଏ କାହାର ? କହିବାକୁ ସମସ୍ତେ, ସହିବାକୁ କେହି ନାହିଁ । ଭାରି କ୍ଳାନ୍ତି ଲାଗିଲା । ସଂସାରକୁ ଅଭିମାନ କରି ଆପଣାକୁ ଦୟା ଦେଖାଇ ସେଇଠି ଛାଇତଳେ ତାର ଲେଙ୍ଗୁଟିପିନ୍ଧା ଦେହକୁ ଢୁଳେଇ ଦେଇ ସେ ବୋଧ ଦେଲା, କେହି କାହାରି ନୁହେଁ, ତେଣୁ ଏତେ କାହା ପାଇଁ ? କହିବାକୁ ସମସ୍ତେ ଆଗୁସାର ସିନା, ସହିବାକୁ କେହି ନୁହେଁ ।

 

ସବୁ ବୃଥା ।

ଧୀରେ ଧୀରେ ତାର ନିଦ ହୋଇଗଲା, ଦେହ-ବାଧିକା ଥିଲା ।

•••

 

ଏକଷଠି

 

ପର୍ବ ସରିଆସୁଥିଲା । କ୍ଷଣିକ ମୋହର ଆବେଗ ଶେଷରେ ସର୍ଜନ କଳ୍ପନା ।-ସୃଷ୍ଟି, ଆଉ ସ୍ଥିତି । ଆମ୍ବଗଛରେ ଚଣା ଫୁଟିଲାଣି । ଅଣେବଣେ ଫୁଲର ଡେମ୍ଫରେ ଟାଣୁଆ ପଥରିଆ କଷି, ସେ ତୋଫାନ ସହିବ, ତାତି ସହିବ, ବଡ଼ ହେବ । ଦି’ଦିନିଆଁ ରଙ୍ଗରଙ୍ଗର କଅଁଳ ପତ୍ରର ଚମକ୍ ଲଗାଉଥିବା ଶୋଭା ପରିବର୍ତ୍ତେ ନିତି ଚିହ୍ନା ସେହି ଟାଆଁସିଆ ସାବୁଜା ସବୁଦିନିଆ ।

 

ଚଇତ ‘ଡୋକ୍ରୀ’ (ବିବାହିତା ସ୍ତ୍ରୀ) ହେଲାଣି, ଏଣିକି ତାର ରୂପ ଆଉ ଚଇତ ନୁହେଁ ।

 

ଦିନକର ହାଟତୋଟାର ସାଙ୍ଗି ଧାଂଡୀ ବାଟଭାଙ୍ଗି ଗଲା ପରେ ଘରର ସଂସ୍ଥିତିବତୀ ବିବାହିତା ସ୍ତ୍ରୀର ସ୍ମରଣ ପରି ପର୍ବର ଶେଷ ମଉଜ ଆଡ଼କୁ ଜମିର ଚିନ୍ତା । ବେଢ଼ା-ଜମି ନିଘୋଡ଼ ନିଦରେ ଶୋଇଛି, ଘୁଙ୍ଗୁଡ଼ି ମାରୁଛି, ସେଠି ଫଡ଼ା ଫଡ଼ା ଫାଟ, ସାଇଁ ସାଇଁ ପବନ, ଯାବତ ଅଲରା ଅରମା ଘାସ ଲଟା, ବେଣା ଗଇଶ ଟାଆଁସିଆ କୋଟଳକାଳି ମୁଣ୍ଡ ମୁଣ୍ଡ ଫୁଲ । ବେଢ଼ା ଜମି ଉପରେ ଲଙ୍ଗଳ ମାଡ଼ି ତାଷ କରିବାକୁ ପଡ଼ିବ ।

 

ତଥାପି ସେଦିନ ରାତିରେ ବନ୍ଦିକାର ଗାଁରେ ପର୍ବ ଲାଗିଥାଏ । ଜହ୍ନ ନାହିଁ । ଅଗି ଚାରିଆଡ଼େ ନାଚ, ବାଜା, ଗୀତ । ମଝିରେ ଥମ୍ବି ଯାଏ, ମଦ ପିଆ ଲାଗେ, ଲୋକଗହଳି ନାହିଁ । ପୁଣି ଦଳେ ଆସନ୍ତି, ନାଚ ଅଳପେ ତେଜେ ।

 

ପିଓଟି ବସି ନାଚ ଦେଖୁଥିଲା, ପିଓଟିର ମା’ ବୁଢ଼ୀମାନଙ୍କ ସଙ୍ଗେ ସମାଲୋଚନାରେ ବ୍ୟସ୍ତ ଥିଲା । ବଡ଼ ଢୋଲ ବାଜୁଛି, ଶଳପୁ କନ୍ଧ ବୁଢ଼ାପଣ ଭୁଲି ମଦପିଇ ଯୋଦ୍ଧାର ନାଚ ନାଚୁଥାଏ-। ହାତରେ ବନ୍ଧୁକ ନାହିଁ, ଖଣ୍ଡା ନାହିଁ, ଅସ୍ତ୍ର ପରିବର୍ତ୍ତେ କେବଳ ଖଣ୍ଡେ କଞ୍ଚାଡାଳ । ସେତିକି ଧରି ପ୍ରାଚୀନ ପଦ୍ଧତି ସୁମରି ବୁଢ଼ା ଶଳପୁ କନ୍ଧ ଆଖିଡୋଳା ବୁଲେଇ ବୁଲେଇ ଛଟାଛଟି ଭୁସାଭୁସି କରୁଛି, ତାର ଦ୍ୟୋତନା ପାଇଁ ଚାରିପାଖରୁ ଗୋଷ୍ଠୀର କୋଳାହଳ, ସାମ୍ନାରେ ନିଆଁର ଧାସ, ସେତିକି ।

 

ସେହି ତିନିହଜାର ଫୁଟ୍ ଉଞ୍ଚ ମାଳ ଉପରେ, ବଣ ଦେଶରେ କନ୍ଧର ଯୁଦ୍ଧନାଚ, ପାହାଡ଼ ଗୋଲେଇ ହୋଇ ଆଖି ରୁନ୍ଧିହୋଇ କନ୍ଧର ବିଚାରରେ ନିଜର ଖଣ୍ଡିଆ ଟାଙ୍ଗିରେ ଯୋଦ୍ଧା ସେ, ସେ ମଣିଷ ସମାଜର ସମାଜପତି । ବାହାରେ କଳରବ, ମାରଣକୁ ଏତେ ପ୍ରକାର ଯତ୍ନ, ଏତେ ପ୍ରକାର ସାଜ-ସଜ୍ଜା, ସେଗୁଡ଼ାକ ତାର ଗୋଷ୍ଠୀର ଗଢ଼େଇ ଭିତରେ ପଶି ତାର ବିଶ୍ୱାସ ଆଉ ସ୍ୱପ୍ନକୁ ଉଡ଼େଇ ନେଇ ନାହିଁ । ଶଳପୁ କନ୍ଧର ମୁଣ୍ଡବୁଲା ନାଚରେ ଦେଖଣାହାରିର ରକ୍ତ ତାତି ଆସୁଥାଏ, ବାଜାର ଥାକ ତରବରେଇ ଯାଉଥାଏ, ଘୋ ଘା ବଢ଼ୁଥାଏ ।

 

କେମିତି ପରିସ୍ଥିତିର ସମ୍ପର୍କରେ ମଣିଷର ଚିନ୍ତା ବାଙ୍କବୁଲି ଉଗ୍ର ହେଉଥାଏ । ବୁଢ଼ୀମହଲରେ ଆଲୋଚନା ପଡ଼ିଥିଲା ପର୍ବ ଶେଷଆଡ଼କୁ ଯେଉଁ ଛୋଟିଆ ଛୋଟିଆ ଅଧିକାରୀମାନେ ଆସିଥିଲେ ସେହିମାନଙ୍କ ବିଷୟ । ‘ଅମିନ’ର ଦଳ ଗଲେ, ‘ରିବିନି’ର ଦଳ ଆସିଥିଲେ । ସେମାନେ ଗଲେ, ପୁଣି ‘ଫରାଷ୍ଟି’ର ଦଳ । ତା’ଛଡ଼ା ସାଲ୍‌ଟୁ ଗିଲ୍‌ଟୁ ପିଆଦା ଚପରାସୀ ପଲ ପଲ, କାହାରିକୁ ଅସନ୍ତୋଷ କରିବାକୁ ମଣିଷର ସାହସ ନାହିଁ । ତାଷ ହେବ, ଯିବ କୁଆଡ଼େ ଖାଇବ କିଏ । କଦଳୀ ଫଳିବ, କାଟିବ କିଏ । ଏତେ ପରିଶ୍ରମରେ ବଣ ଭିତରର ଉଜୁଡ଼ା ରାଇଜରେ ଏତେ ପ୍ରକାର ଯେ ତାଷ, ପରକୁ ଖୋଇ ଖୋଇ ଦେଇ କେତେ ତହିଁରୁ ବଳିବ । କୁକୁଡ଼ା ଡିମ୍ବ ଦେଉଛି କାହାପାଇଁ, କାହା ସକାଶେ ଛେଳି ଛୁଆ ପକୋଉଛି । ଚିଲାମାରି ଲୋକେ ନେଇସାରିଲା ଉତ୍ତାରୁ ବୁଢ଼ୀମାନଙ୍କର ଏକାଠି ବସି ‘ଗଲା ଗଲା’ ନାଦ ।

 

ସେହି ନାଚର ବାଜାରେ ମନର କୋହ ଜଳିଜଳି ଉଠୁଥାଏ, ଯେତେପ୍ରକାର ବିଦ୍ରୋହ ଅଭିମାନ । ପୁରୁଷଙ୍କ ପଙ୍ଗତରେ ନାନାପ୍ରକାର ଜମିକଜିଆ ଆଲୋଚନା ହେଉଛି । କେମିତି ଖଞ୍ଜରେ ତାଙ୍କ ଗାଁର ଗୁଡ଼ା (ପଲ୍ଲୀ) ପର ଗାଁରେ ସାମିଲ୍ କରି ଦିଆହୋଇଛି, କର ନ ଥିବା ଝୋଲା ଜମି ଉପରେ କେଉଁ ଅଧିକାରୀ ଖଜଣା ଭିଡ଼ି ଲାଗିଛି ।

 

ଏହି ଗପ ଓ ଗହଳି ଭିତରେ ବୁଜୁଳା ବୁଜୁଳି ଧରି ପିଠିରେ ବାନ୍ଧି ପାଖ ଗାଁର ଡମ୍ବ ପଞ୍ଝାଏ ଦାଣ୍ଡକୁ ଆସି ବସିଲେ । ସୋଭେନା କନ୍ଧ ପଚାରିଲା, ‘ଏତେ ରାତିରେ କାହାର ମୁଣ୍ଡପିଟି ଫେରୁଛ ରେ ?’

 

‘କାହିଁର୍ ମୁଣ୍ଡପିଟା ସାଓଁତା-ମହାଶନି ପଡ଼ିଛି ଆମୁକୁ ଆଜି ଆଉ ମୁଣ୍ଡ ପିଟିବୁ ?’ ‘କ’ଣ ହେଲାରେ ଚୁଁଚେଇଁ ? ଏତେବେଳଯାକେ ଥିଲା କୋଉଠି ?’

 

‘ହାଟରୁ ବାଟେ ବାଟେ ଘରକୁ ଫେରୁଥିଲୁଁ-ତିତିଝୋଲା ଗାଁ ପାଖେ ଅମିନର ଲୋକେ ଧରି ପକାଇଲେ, କହିଲେ ଅମିନ ଆସିବ, ଏଇ ଝୋଲା ପାଖେ ବାଲ୍‌ସା ଖଣ୍ଡେ କରିଦିଅ; ଡାଳପତ୍ର ହାଣ, ଜାଗା ତାଞ୍ଛ । କହିଲୁଁ ବାବୁ ଖାଦି ନାହିଁ, ଆମେ ଦୂରିଆ ବାଟର ଲୋକ, ଆଉ ଲୋକ କ’ଣ ମିଳିବେ ନାହିଁ ? ଆମୁକୁ କାହିଁକି ?’

 

ସେ ଯେଉଁ ନିଶୁଆ ପାଇକ ଦଳେଇତ, ବାଡ଼ି ଉଞ୍ଚେଇ ଖେଦି ଆସିଲା, ହଟ୍ ହଟ୍, ମାଠ ଗଣ୍ଠ୍ରି ଉତାର୍, ରଖ୍ ସେଠି । କାମ ନ କରି ଯିବୁ କୁଆଡ଼େ ?

 

କାମରେ ଲାଗିଲୁ, ବେଳ ମୁଣ୍ଡେଯାକେ ହେଲା, ଖିଆ ନାହିଁ ପିଆ ନାହିଁ ।

 

ସେଠୁ ଉଦ୍ଧାରପାଇ ଅଧେବାଟ ଆସିଛୁଁ, ଧରି ପକେଇଲା ଗୋଟାଏ ଜମାନ୍ ବୋଲୁଛ କି । କହିଲା ବୋଝ ବୋହ୍, ଅଧେ ବାଟ ଖେଟେଇ ନେଇ ଚାଲ ବଣବାଟ । ଫେର୍ ତା ସଙ୍ଗରେ ଗଲୁ । ବେଳ ବସିଗଲା । ତା’ପରେ ମିଣିଆପାୟୁ ଗାଁରେ ଟିକିଏ ରହିଗଲୁ ବାରିକ ଘରେ, ବୋଇଲୁଁ କି ଆଜି କାହା ମୁହଁ ଦେଖି ମଣିଷ ହାଟରୁ ବାହାରିଛି ଯେ, ଯୁଆଡ଼େ ଗଲେ ଖାଲି ଅଧିକାରୀ, ବୋଝ ବୋହ୍, ବାଲ୍‌ସା ବାନ୍ଧ୍, ଏହିପରି କାମ ହେଲେ ବେଳ ଥିଲେ ସିନା ! ବେଳ ବୁଡ଼ୁ, ଲୋକ ନ ଦେଖିଲାପରି ହେଲେ ଥିରି ଥିରି ଘରକୁ ଫେରିଯିବା-।’

 

‘ଏଁ ତୁମେ ମିଣିଆପାୟୁ ଯାଇଥିଲ । ବାଟରେ ଅଧିକାରୀମାନଙ୍କୁ ବି ଭେଟିଲ । କ’ଣ ଖବର କହିବଟି-’ ପାଞ୍ଚ ସାତ ଜଣ ପାଖକୁ ଘୁଞ୍ଚିଆସିଲେ । ଏହି ନିଘଞ୍ଚ ବଣ ଭିତରେ ବି ଖବର ଶୁଣିବାକୁ ମଣିଷର ଆଗ୍ରହ ବହୁତ । ବାହାରର ଖବର, ପର ମଣିଷର ଖବର, ମଣିଷ,-ପରସ୍ପର ସହିତ ବନ୍ଧାବନ୍ଧି ଗୁଡ଼ିଆଗୁଡ଼ି ଏକା ସୂତାରେ ।

 

କାକ ବାରତା ପରି ବାରତା ବୋହି ବୋହି ବିଞ୍ଚି ବୁଣି ଏ ଗାଁରୁ ସେ ଗାଁ ସାନ ବେପାରୀମାନେ ବୁଲନ୍ତି, ଯେତେ ପୁରୁଣା ହେଉ, ଯେତେ ନୂଆ ହେଉ ଗୋଟେଇନେଇ ଆଲୋଚନା କରନ୍ତି ବଣର ମଣିଷ-।

 

କଥାକଥାକେ ମିଣିଆପାୟୁ ଖବର ପଡ଼ିଲା । ଖବର ମିଳିଲା ସାଓଁତାର ଭଉଣୀ ମିଟିଂର ବେଶୁ କନ୍ଧ ସଙ୍ଗେ ଉଦୁଲିଆ ପଳେଇଛି, ସେଥିପାଇଁ ତାଙ୍କ ଘରେ କଳିଗୋଳ ଲାଗିଛି, ଦିଉଡ଼ୁ ସାଓଁତା ସମସ୍ତିଙ୍କୁ ଖାଇ ଗୋଡ଼ାଉଛି । ସାଧାରଣ କୁତୂହଳ ସ୍ୱଭାବରେ ସ୍ତ୍ରୀଲୋକମାନେ ଗପସପ ମଝିରେ ଖବର ଘେନିବାକୁ କାନ ଡେରିଥା’ନ୍ତି, ତେଣେ ଶଳପୁ କନ୍ଧ ନାଟ କରୁଥାଏ । ମିଣିଆପାୟୁର ଗୋଟାଏ ଝିଅ ଉଦୁଲିଆ ବିଭାହୋଇ ଯାଇଛି । କିଛି ନୂଆ ଖବର ନୁହେଁ,-ଏ ଗାଁର ଏତେ କନ୍ଧ ବୋହୂ ଭିତରୁ କେତେଜଣ ଉଦୁଲିଆ ନୁହଁନ୍ତି !

 

ଏହି ଉଦୁଲିଆ ନାଁରେ ମହୁ ଲାଗିଛି, ଉଦୁଲିଆ ବୁଢ଼ୀମାନେ ଭାବୁଥା’ନ୍ତି, ଆଉ ଯାହାର ବର ଜୁଟି ନାହିଁ, ତାର ସ୍ମରଣ ଭିତରେ ଏହି ନାଁଟା କେବଳ ଗୋଟାଏ ଖେଣ୍ଟା, ଭାବି ଭାବି ଝରସରି ହେବାକୁ । ବାଧା ନାହିଁ, ମନ ଯେଣେ ଚାହିଁଲା ଉଡ଼ି ଉଡ଼ିକା ଏଣେତେଣେ ଯାଏ ଚାଲି, କତିରେ ଅଛି ଆପଣାର ମନବଛା ମନ ମାଫି ମଣିଷ ଆଗରେ ବିସ୍ତୃତ ପୃଥିବୀ, ବଡ଼ ଜୀବନ । ‘ଉଦୁଲିଆ’ ତାର ପରିଚୟ ।

 

କିଏ କେତେକଥା ଭାବୁଥିଲା, ଆପଣାର ସ୍ୱପ୍ନ ଅଭିଜ୍ଞତାର ଛାଞ୍ଚରେ ଢଳା ଆପଣା ମାନିଆ ଚିତ୍ର । ପିଓଟି ପାଟିରେ ଆଙ୍ଗୁଠି ଗୁଞ୍ଜି ମୂର୍ତ୍ତି ପରି ଠିଆ ହୋଇଥିଲା । ତାର ଆଖି ଆଗରେ ମାଳର ରାତିକୁ ପଛକୁ ଠେଲିଦେଇ ଭାସି ଉଠୁଥିଲା ତଳ ରାଇଜର ଛବି । କେତେ ଲୋକ ଆସିଥିଲେ, ସମସ୍ତେ ପଛରେ ରହିଗଲେ, କିଏ କେତେ ଉଦୁଲିଆ ଚାଲିଯାଇଛନ୍ତି, ତଥାପି ମା’ କାନିକୁ ସେ ଛାଡ଼ିପାରି ନାହିଁ, ସେହିପରି ବନ୍ଧାହୋଇ ପଡ଼ିଛି ।

 

ଯାହାର ଏଥିରେ ସମ୍ବନ୍ଧ ନାହିଁ ସେ ଭାବୁଥିଲା । ଯାହାର ସମ୍ବନ୍ଧ ଥିଲା ସେ ଖବର ଜାରି କରୁଥିଲା, କ୍ରମେ ଦଳ ଭିତରେ ଖବର ପହଞ୍ଚିଗଲା ପୁବୁଲି ଆଉ ହାର୍ଗୁଣାକୁ ଅପେକ୍ଷାକରି ବସି ନାହିଁ, ପୁବୁଲି ଘରକରି ଗଲାଣି ।

 

ଟୁପୁରୁଟାପୁରୁ ହେଉ ହେଉ ଶବ୍ଦ ବଢ଼ିଗଲା, ତୀବ୍ର ସମାଲୋଚନା ଲାଗିଲା, ପାଟି ହେଲା, ଶଳପୁକନ୍ଧ ଯୋଦ୍ଧାର ନାଚ ଛାଡ଼ି ଚିର୍ଚ୍ଚିରେଇ ଉଠିଲା-’ଏଁ, ଟୋକୀ ବାହାରିଗଲା !’

 

ନାଚଦାଣ୍ଡରେ ପଞ୍ଚାଏତ୍ ବସିଥିଲା । ସମସ୍ତେ ଗମ୍ଭୀର ।

 

‘ଆଗର କାଳ ଯଦି ହୋଇଥା’ନ୍ତା ପିଲାମାନେ ତେବେ ଆମେ ଯାଆନ୍ତେ ମିଟିଂ ଯୁଦ୍ଧ କରିବାକୁ । ମାରି ହାଣି ପୋଡ଼ି ସେମାନଙ୍କୁ ଅଙ୍ଗାର ନ କଲେ ମଣିଷ ଘରକୁ ଫେରନ୍ତେ ନାହିଁ । ମନେଅଛି ମୋର ପିଲାଦିନେ ଏଇ କାରଣରୁ କେତେ ହଣାକଟା ହୋଇ କେତେ ଲୋକ ମରିଛନ୍ତି-’

 

ସୋଭେନା କହିଲା, ‘ହଁ, ମରିଛନ୍ତି, ସେଥିପାଇଁ ଆମେ ବି ମରିବା । ଏକା ତତେ ଛାଡ଼ିଦେଲେ ତ ତୁ ଯାଇ ମାରିଦେଇ ଆସନ୍ତୁ, ଆଉ ଏତେ ଜଣଙ୍କୁ ଏତେ ଖୁସାମତ କାହିଁକି ? ନା କଣ୍ ଅଜା-’

 

‘ଗେଲ ଲାଗିଛି, ନୁହେଁ । ତୁ କନିଆଁଟିଏ ଆଣ୍, ଆଉ ଜଣେ ଝିଙ୍କିନେଇ ଯାଉ, ବୁଝିବୁ ତେବେ-’

 

‘କନିଆଁ ତ ହାର୍ଗୁଣା ସାଓଁତା ଆଣି ନାହିଁ, ଆଣିଥିବା କନିଆଁ ବନ୍ଦିକାର ଗାଁରୁ ଭୁଲେଇ ନେଇଯିବ ଏଡ଼େ ସାଧ୍ୟ କାହାର ?’

 

‘ସତ୍ ସତ୍’, ଶଳ୍‍ପୁ କନ୍ଧ ଟୋକାମାନଙ୍କୁ ଗାଳିଦେଲା, ‘ନିଜେ ଯାଇଥିଲ ପରା ମିଣିଆପାୟୁ ଛାଡ଼ିଦେଇ ଆସିଲ । ଏବେ ପା । ଚଢ଼େଇ ଉଡ଼ିଗଲାଣି, ରବେଇ ଖବେଇ ହୋଇ ଖାଲି ଟେକା ପକେଇବା ସିନା, ଆଉ ଚାରା କ’ଣ ?’

 

ବହୁତ ବେଳଯାକେ ପଞ୍ଚାତି ବସିରହିଲା । ଲୋକେ କେବଳ ମିଣିଆପାୟୁ ଲୋକଙ୍କୁ ଗାଳିଦେଲେ, କିଛି ଠିକଣା ଜବାବ୍ ଦିଆହୋଇ ନ ଥିଲା ବୋଲି କ୍ଷତିପୂରଣ ଟଙ୍କା ଆଦାୟ କରିବା ଅସମ୍ଭବ ପଡ଼ିବ, ଚଳନ୍ତି ଆଇନ୍ ଅନୁସାରେ କାହାରିକୁ ଦୋଷ ଦେଇ ହେବ ନାହିଁ ।

 

କିନ୍ତୁ ବନ୍ଦିକାର ରାଗୁଥିଲା । ଏ ଯେପରିକି ବନ୍ଦିକାର ଗାଁ ଉପରେ ଘୋର ଅପମାନ ।

 

ପିଓଟିର ମା-ବୁଢ଼ୀ ପିଓଟି ଥାଇ ପରଙ୍କୁ ବୁଝେଇ କହିଲା, ବାଁରେଇ ହୋଇ ଗୁଡ଼ାଏ ବକିଗଲା, ‘ଦେଖୁଚୁ ଲୋକେ ଏପରିଭାବେ ମଣିଷକୁ ଦଗାବାଜି କରନ୍ତି । ସାଓଁତା ପିଲା, କେଡ଼େ ସୁନ୍ଦର, କେଡ଼େ ସୁଧାର, ଦି ଗାଁ ଭିତରେ କଥା ପଡ଼ିଥିଲା ସେ ଟୋକୀକୁ ବୋହୂ କରି ଆଣିବେ । ଲାଞ୍ଜ ଟେକି ସେ ଛୁ’ । ୟାକୁ କ’ଣ କନିଆଁ ମିଳିବେ ନାହିଁ, କିନ୍ତୁ ତାର କଥା ଦେଖ, କି ଭଲ ବରଘର ପାଇବ ବୋଲି ଏମିତି କଳି ଲଗେଇଦେଇ ସେ ପଳେଇଗଲା । ଗଲେ ଗଲା ସେଥିକି ଏତେ ପଞ୍ଚାତି କାହିଁକି ?’

 

ଗୁମ୍‌ସାର ସ୍ତ୍ରୀ ମୁଣ୍ଡ ଟୁଙ୍ଗାରିଲା, ‘ଭଲ ଟୋକୀଟେ ଥିଲା ସେ ଅପା, ତୁ ତାକୁ ଦେଖିଚୁ ?’

 

ପିଓଟିର ମା’ କହିଲା, ‘କି ଭଲ ଲୋ । ଭଲ ହୋଇଥିଲେ ଏମିତି ସେ ଚାଲିଯାଇଥା’ନ୍ତା-। ପର ଗାଁକୁ ଅପେକ୍ଷା ରହିଲେ ଏମିତି ହୁଏ, ବରଂ ନିଜେ ଦେଖି ଶୁଣି ଜାଣି ନିଜ ଗାଁ କି ନିଜ ଅକ୍ତିଆର ଭିତରୁ ଗୋଟିକୁ ଆଣିଲେ ଏମିତି ବିପଦ ପଡ଼େ ନାହିଁ ।

 

ମା’ କହି ଲାଗିଥାଏ, ମନେ ମନେ ପାଦକୁ ପାଦ ଯୋଡ଼ିଦେଇ ପିଓଟି ଭାବି ଲାଗିଥାଏ, ଭାବିବାକୁ ଅସୁଖ ଲାଗେ ନାହିଁ, ମା’ର କହିବା କଥା ସେ ଟିକିଏ ଟିକିଏ ବୁଝିପାରେ । ଅଜାଣତରେ ସ୍ନେହ ଢାଳିଦେଇ ପିଓଟିର ମା’ ଝିଅ ପିଠିରେ ହାତ ବୁଲେଇ ଦେଲା, କହିଲା, ‘ନାଟ ତ ସରିଲାଣି, ଆଉ ରାତି ଜାଗୁଛୁ କାହିଁକି ଝିଅ, ଘରକୁ ଯା । ଦେଖ, କେମିତି ହୁଣ୍ଡୀଟା, ନିଜ ଦେହକୁ ଟିକିଏ ବି ନିଘା କରିବ ନାହିଁ । ଗାଲରେ ତେଲ ହଳଦୀ କାହିଁ, ମୁଣ୍ଡରେ ସୁନ୍ଥା କାହିଁ ଫୁଲ କାହିଁ,-ଦାଣ୍ଡକୁ ଏମିତି ବାହାରନ୍ତି ?’

 

ଗୁମ୍‌ସାର ସ୍ତ୍ରୀ କହିଲା, ‘କ’ଣ ହେବ ଅପା, ଯେ ନିଜେ ସୁନ୍ଦର ତାକୁ ବାହାର ସୁନ୍ଦର ମୋଟେ ଦରକାର ନାହିଁ ।’

 

ପିଓଟିକୁ ଯା ଯା କହି ପିଓଟିର ମା’ ହାର୍ଗୁଣା ଆଡ଼କୁ ହାତ ଦେଖାଇଦେଲା । ପଞ୍ଚାୟତ ଜାଗାରେ ଖଣ୍ଡେ ଉଞ୍ଚ ପଥର ଉପରେ ସେ ବସି ରହିଛି, କହିଲା, ‘ଦେଖ ଦେଖ, କେମିତି ନୋଚାକୋଚା ହୋଇ ପିଲା ବସିଛି, ପିଲା ମନ, ସତରେ କ’ଣ ସେ ଗାଁର ସାଓଁତାର ଭଉଣୀକୁ ସେ ଏତେ ଭଲ ପାଉଥିଲା ? ତା’ନୁହେଁ ଯେ ଲୋକଙ୍କ କଥାରେ ତା ମନରେ ଛଳ ପଶିଛି, ମାଡ଼ ବାଜିଛି-। ହେଲା ତ ହେଲା, ଲୋକେ ଏତେ କଥା ମାଜିମାଜି ମୋଟ କରନ୍ତି କାହିଁକି ? ଆହା ବିଚରା, ମା’ ନାହିଁ ବୋଲି ସିନା !’

 

ହାର୍ଗୁଣା ସାଓଁତା ତୁନିହୋଇ ବସିଥାଏ । ହାର୍ଗୁଣା, ସେ ଜଟାୟୁ ପକ୍ଷୀ, ଡେଣା ମୁଦିଦେଇ ମୁହଁ ତଳକୁ କରି କୁଦ ଉପରେ ବସିରହି ସେ ଭାବୁଛି । ଏଡ଼େ ବଡ଼ ଚଇତି ପରବ ତାର ପିଠି ଉପରେ ଢେଉ ଭାଙ୍ଗି ଯାଇଛି, ତାର ପକ୍ଷୀ ତିନ୍ତେଇ ନାହିଁ । ତାର ମୁହଁବାଟେ ଦେହ ହାତ ଛାଟି ନାନା ପ୍ରକାର ଠାଣି ଦେଖାଇ ଦେଖାଇ ପିଓଟି ଗଲା, ହାର୍ଗୁଣା ମୁଣ୍ଡ ଟେକିଲା ନାହିଁ । ପୁବୁଲି ଚାଲି ଯାଇଥିଲା, ତେଣୁ ସେ ତାକୁ ଧ୍ୟାନ କରୁଥିଲା ।

 

ବହୁତ ରାତିରେ କୋଳାହଳ ସରି ସଭା ଭାଙ୍ଗିଥିଲା । କିଛି ଠିକଣା ହୋଇପାରି ନାହିଁ । କେବଳ ବନ୍ଦିକାର ରାଗୁଥିଲା ।

•••

Unknown

 

ବାଷଠି

 

କେଡ଼େ ଚଞ୍ଚଳ ଖରାର ତାତି ବଢ଼ି ବଢ଼ିଯାଏ, ମାଳ ଦେଶରେ ଖରା ଜଲ୍‌ଦି ବଢ଼େ, ଜଲ୍‌ଦି ସରେ, ସରୁ ସରୁ ମାଡ଼ିଆସେ ବରଷାର ଧାର, ଶୀତ ପର୍ଯ୍ୟନ୍ତ ।

 

ଆଗର କଳପରି ହାର୍ଗୁଣା ସାଓଁତା କାମକରି ଯାଉଥିଲା, ସେ ବିଷୟୀ ଲୋକ, ତାର କାମ ବହୁତ । ଅନେକେ ଥା’ନ୍ତି ଯେଉଁମାନଙ୍କ ମନର ବୟସ ଦେହର ବୟସର ବହୁତ ଆଗରେ, ସେହିପରି ସେ, ହିକୋକା ହାର୍ଗୁଣା । କାମ ଦେଖିଲେ ତାକୁ ଭଲ ଲାଗେ, ସେ କାମ କରେ ।

 

ଚଇତ ସରୁ ସରୁ ଗାଁରେ ପଞ୍ଚାତି କରି ପୋଡ଼ୁ ହାଣିବାକୁ ନିଶ୍ଚିତ ହୋଇଥିଲା । ଭଲ ଦିନ ଦେଖି ଗାଁର ଦିସାରି ଶଳ୍‍ପୁ କନ୍ଧ ସମସ୍ତିଙ୍କୁ ନେଇ ପୋଡ଼ୁ’ର ଶୁଭ ଦେବାକୁ ଗଲା । ବନ୍ଦିକାରରୁ ମିଣିଆପାୟୁ ଆଡ଼କୁ ଯେଉଁ ପର୍ବତ ପଡ଼ିଛି ଏବର୍ଷ ସେହି ପର୍ବତ ଢାଲୁରେ ଗଛ କାଟି ନିଆଁ ଜାଳି ପୋଡ଼ୁ ତାଷ କରିବାର ବ୍ୟବସ୍ଥା । ଆଇନ୍ ଅଦାଲତ ଗୋଟାଏ ପାଖେ, ଗାଁ ପଞ୍ଚାତିର ନିଷ୍ପତ୍ତି ଗୋଟାଏ ପାଖେ । ଆପଣା ଛୋଟିଆ ସଂସାରର ସୁବିଧା ହିସାବ କରି ଗୋଷ୍ଠୀର ନିଷ୍ପତ୍ତି କାର୍ଯ୍ୟର ବିଧାନ କରିଦିଏ, ସମସ୍ତେ ସେହି ଆଡ଼କୁ ମାଡ଼ିଚାଲନ୍ତି । ‘ପୋଡ଼ୁ ତାଷ’ କଲେ ବଣ ନଷ୍ଟ ହୁଏ, ବିନା ସଙ୍କୋଚରେ ଏତେ ପ୍ରକାରର ଏତେ ବଡ଼ ବଡ଼ ଗଛ ମୂଳପୋଛ କରିଦେଇ କନ୍ଧ ନିଆଁ ଲଗେଇଦିଏ ପ୍ରଥମ ବର୍ଷ ମାଣ୍ଡିଆ, ଦ୍ୱିତୀୟ ବର୍ଷ ‘ଅଳସି’ ତେଲମଞ୍ଜି ଫସଲ, ତୃତୀୟ ବର୍ଷ ସୁଆଁ, ତା’ପରେ ଜମିର କପାଳ, ଭଲ ଜମି ଥଲେ ତାଷ ହେଉଥିବ, ନ ହେଲେ ସେ ଗଲା ।

 

ଜମି ଠିକଣା ସରିଲା, ବଣର ପରିଧି ନିଶ୍ଚିତ ହେଲା, ଦିସାରିର ମତାମତ ନେଇ ଦିନେ ପୂଜାଟିଏ ହେଲା, ସେହିପରି ବେଜୁଣୀ, ଅରୁଆ ଚାଉଳ, କୁକୁଡ଼ା ଛୁଆ, ରନ୍ଧାମଦ ମିଶେଇ ପୂଜା । ଏହି ପୂଜା ବଣ ଭିତରେ ଥିବା ପୋଡ଼ୁତାଷର ଅଧିଦେବତା ବାନ୍ଦୁଣୁ ପେନୁ ପ୍ରତି । ପୂଜା ଶେଷରେ ମହା ସମାରୋହରେ ଗାଁ ଲୋକେ ଯାଇ ନିଶ୍ଚିତ ଅଞ୍ଚଳର ପରିଧିରେ ଗୋଟିଏ ଗଛ ହାଣି ନିଆଁ ଲଗେଇଦେଲେ, ଶୁଭକାର୍ଯ୍ୟର ଆରମ୍ଭ ଏହିପରି-କନ୍ଧ ଦିସାରିର ଗଣନା ଅନୁଯାୟୀ ବିଖ୍ୟାତ ଉତ୍ରା ଯୋଗରେ, ଏହି ପୋଡ଼ୁର ଆରମ୍ଭ, ବଣ ପୋଡ଼ିରୁ ପୋଡ଼ୁ ତାଷର ଉପକ୍ରମ ।

 

ଏହାପରେ ଫାରାଷ୍ଟି ଗାରଡ଼ର ଅଣ୍ଟାଗୁଞ୍ଜା ‘ମାସୁଲ’, ତାକୁ ବଳେଇଲେ ଫାରାଷ୍ଟି ନିଜେ, ସେତେବେଳକୁ ଘରେ ଫସଲ ଥିବ, ବାରିରେ କଦଳୀ ଥିବ, ସାହୁକାରମାନେ ଗଣିଦେଇଥିବା ଦାଦନରୁ କଞ୍ଚାଟଙ୍କା କିଛି ଥାଇପାରେ । ଯଦି ନିତାନ୍ତହିଁ ମକଦ୍ଦମା ଲାଗିବ ତେବେ ପଚିଶି ଜଣଙ୍କ ପୋଡ଼ୁତାଷ ଅଞ୍ଚଳ ଦୁଇଜଣଙ୍କ ମୁଣ୍ଡରେ ଅଠା ବୋଳିଦେଇ ଜୋରିମାନା ଗାଁଯାକ ଭେଦାକରି ଦେବେ, ଯାହାର ଯାହା ହେଉ ସବୁକଥାକୁ ଦାୟୀ ନିଖିଳ ଗୋଷ୍ଠୀ ।

 

ସେଦିନ ସଞ୍ଜରେ ବନ୍ଦିକାର ଲୋକେ ଏକାଠି ହୋଇ ପୋଡ଼ୁତାଷର ଶୁଭ ଦେଉଥା’ନ୍ତି । ପୂଜା ସରୁ ସରୁ ସଞ୍ଜ ଶେଷ । ହାଣ ଖାଇ ଢିପ ଉପରେ ମହାଲିମ୍ବ ଗଛ ପଡ଼ିଥାଏ । କଟା ଗଣ୍ଡି ଦିଶୁଥାଏ ନାଲି ଟହଟହ, କଳା ଗଛର ନାଲିଆ ଘା’ ପରି । ନିଆଁ ଲଗେଇ ଦେଲେ । ଦିନ ଦିନ ରାତି ରାତି ଏ ଗଛ ଜଳି ଜଳି ଅଙ୍ଗାର ହେଉଥିବ । କାମ ସରିଲା । ଦଣ୍ଡେ ବସି ଝାଳମାରିଲା ପରେ ଘରବାହୁଡ଼ା । ସମସ୍ତେ ଖୁସି ଥା’ନ୍ତି ।

 

ଚଡ଼ଚଡ଼ ହୋଇ ଜଳି ଜଳି ନିଆଁ ଉପରକୁ ଉଠୁଛି, କେତେ ପ୍ରକାର ତାର ରଙ୍ଗ ।

 

ମାଳ ଉପରେ ଶୀତଳ ପଡ଼ିଲାଣି, ଶାନ୍ତି ପଡ଼ିଲାଣି, କୁଦ ଉପରେ ଗୋଟିକିଆ ନିଆଁ ଆଲୁଅ । ଦୂର ପର୍ବତରେ ମିଞ୍ଜି ମିଞ୍ଜି ହୋଇ ନିଆଁର ଗାର ଫୁଟି ଉଠୁଛି, ଦୂରର ନିଆଁ ସବୁଦିନେ ସୁନ୍ଦର, ଅନ୍ଧାର ମୁହଁର ବିସ୍ମୟ ଆଉ କିମିଆଁ ।

 

ହାର୍ଗୁଣା ସେହି ନିଆଁକୁ ଅନେଇଁ ଭାବୁଥାଏ । ଆସନ୍ତା କାମର ସୂଚନା ପରି ଏ ନିଆଁ । ବଣ ଭିତରେ କୁର୍‌ହାଡ଼ି ପାହାର ପଡ଼ିବ, ବଣ ହାଣିବାକୁ କନ୍ଧର ଜନ୍ମ, ଆଜିର ବଣ ମାସକ ପରେ କୁଆଡ଼େ ଯାଇଥିବ । ନୂଆ ପଦା ଜାଗା ଏଣିକି ତାଷ, ଫସଲ ନିତିଦିନିଆଁ କାମ । ଭାବୁଥାଏ, ଏଥର ସେ ଶଗଡ଼ ପାଇଁ ଚେଷ୍ଟା କରିବ, ନୂଆ ଧାରଣା ଆଣିବା ପାଇଁ ପୁଣି ନାରଣପାଟଣା ଯିବ ମାମୁଘରକୁ । ସମ୍ପତ୍ତି ଓ ସମୃଦ୍ଧି କଳନା ଅନୁପାତରେ ତାର ଜୀବନର କବିତା, ସେ ବଢ଼ି ଉଠିବାକୁ ଚାହେଁ ।

 

ଗୋଟିକିଆ ବଇଁଶୀଟିଏ କିଏ ଗାଁରେ ବଜୋଉଛି, ସାମ୍ନାରେ ଗଛର ବତା ନିଆଁ, ପାଖେ ପାଖେ ଗାଁ ଭାଇମାନେ, ଧୀର ତୁଣ୍ଡରେ ଗପ ଲାଗିଛି । ବଇଁଶୀ ତାକୁ ଭାରି ଭଲ ଲାଗେ । ସେହି ଗୋଟିକିଆ ବଇଁଶୀର ଚିହ୍ନା ରାଗିଣୀ ଶୁଣୁ ଶୁଣୁ ପ୍ରଗତିର ଧାରଣା ବର୍ତ୍ତମାନର ବାସ୍ତବତା ଛାଡ଼ି କେଉଁ ଶୂନ୍ୟକୁ ମନଟା ଉଡ଼ି ପଳେଇଗଲା । ସେଠି କେବଳ ଶୂନ୍‌ଶାନ୍ ରାତି, ବିଞ୍ଚିହୋଇଥିବା ତରା ଆଲୁଅ ତଳେ ପରସ୍ତ ପରସ୍ତ ଅନ୍ଧାର ଉପରୁ ହାଲୁକା ହୋଇ ଖସି ତଳେ ଘନ ହୋଇଯାଇଛି । ବଇଁଶୀର ସ୍ୱରକୁ ଗୋଡ଼େଇ ଗୋଡ଼େଇ ସେଇଠି ମନଟା ଧାଇଁ ପଳେଇଥାଏ । ସବୁ ଚିହ୍ନାଚିହ୍ନି ଦୁଇ ପାଖଦେଇ ଧାଇଁ ଧାଇଁ ପଛକୁ ଦୌଡ଼ି ପଳୋଉଛି, ଆଗକୁ ନିଛାଟିଆ ଆଉ ଏକୁଟିଆ ଉଦାସ ।

 

କେତେବେଳୁଁ ନିଃସଙ୍ଗ ମନ ପୁବୁଲିର ସ୍ମୃତିକୁ ବାଟର ସାଙ୍ଗୀକରି ସଙ୍ଖୋଳି ନେଇଥିଲା ତାର ଖିଆଲ ନାହିଁ । ପାଖର ଲୋକେ ତାହାରି ବିଭାଘର କଥା ପକାଇଲେ, ସେତେବେଳେ ଉଙ୍କିମାରି ସେ ଦେଖିଲା, ସେ ବୁଡ଼ିଛି । ଏତେଦିନଯାକେ ପାଖେ ପାଖେ ହାତ ପାଆନ୍ତିରେ ପାଇ ବି ସେ ବୁଝିପାରୁ ନ ଥିଲା, ଆଜି ଯେତେବେଳେ ପୁବୁଲି ଚାଲିଗଲା ଡେରିରେ ତାର ବୁଦ୍ଧି ହେଉଛି, ହାଇଁପାଇଁ ଲାଗୁଛି, କାରଣ ପୁବୁଲି ଆଉ ତାର ହେବ ନାହିଁ ।

 

ଏଡ଼ିକି ସୁନ୍ଦର ଥିଲା ସେ, ଏମିତି ତାର ଗଢ଼ଣ, ତାର ମୁହଁ, ଆଖି ।

 

ଆଜି ନ ପାଇବାର ଝଲସ ଲାଗି ଆହୁରି ଲକ୍ଷେଗୁଣ ବଢ଼ି ଉଠୁଛି ତାର ବିଚିତ୍ରତା, ପୁବୁଲି ସବୁଠୁ ଉପଯୁକ୍ତ ଥିଲା, ସବୁଠୁ ସୁନ୍ଦର, ଜଗତର ଶ୍ରେଷ୍ଠା ସୁନ୍ଦରୀ, ଗୁଣରେ କେହି ତାକୁ ସରି ହେବ ନାହିଁ, ସବୁଥିରେ ସମସ୍ତିଙ୍କଠୁ ଉପରେ ସେ । ପାଇବାର ଆତ୍ମପ୍ରସାଦ ଭିତରେ ବାନ୍ଧିହେବ ନାହିଁ ବୋଲି ସେ ଆଜି ସବୁ, ସବୁ ।

 

ଚିହ୍ନାଦିନଠୁ ବଡ଼ଦିନ ଯାକେ ସବୁ କଥା ଗୋଟିଗୋଟି କରି ମନେପଡ଼ିଲା, ହାର୍ଗୁଣା ହତାଶ ହେଲା । ଆଜି ସେ ଆପଣାକୁ ଦୋଷ ଦେବ, ନିଶ୍ଚୟ ଘଟିବ ବୋଲି ମନକୁ ମନ ଧରିନେଇ ପୁବୁଲିକୁ ପୋଷା ମଣେଇବାକୁ କେବେ ସେ ଉପରେ ପଡ଼ି ଚେଷ୍ଟା କରି ନାହିଁ । ଦିନୁଁଦିନ ତାହା ବିରୋଧରେ ଆପଣା ମନରୁ ମତାମତ ସଂଗ୍ରହ କରି ତାର ମୂର୍ତ୍ତିରେ ଧୀରେ ଧୀରେ ସେ କାଳି ବୋଳୁଥିବ, ତାର ବିପତ୍ତି ଶୁଣିଲେ ଖୁସି ହେଉଥିବ, କଠିନ ହୋଇ ନିର୍ଦ୍ଦୟ ଭାବରେ ରୋଷକୁ ଧ୍ୱଂସ କଲାପରି ସବୁ ସୌଖୀନ୍ ସ୍ମୃତି ସେ ଧ୍ୱଂସକରି ପକାଇବ, କିନ୍ତୁ ସେଦିନର ସୂର୍ଯ୍ୟ ଉଇଁ ନାହିଁ, ଆଜି ସବୁ କଳାଘୁମର ।

 

ଦିଉଡ଼ୁ ସାଓଁତା ଆପଣାର ସମ୍ମାନ ବଞ୍ଚେଇବା ଲାଗି ଗାଁର ସମସ୍ତିଙ୍କ ଉପରେ ବିରକ୍ତ ହୋଇଛି, ଘରେ ତାର କଳିଗୋଳ, ହାର୍ଗୁଣା କାନରେ ଖବର ପହଞ୍ଚିଛି, ଦିଉଡ଼ୁକୁ ସେ ଦୋଷ ଦେଇପାରେ ନାହିଁ, ବିଶ୍ୱାସ ହୁଏ ନାହିଁ ଯେ ଜାଣି ଜାଣି ଦିଉଡ଼ୁ ଶଠତା କରିଥିବ ।

 

କିନ୍ତୁ ଦୋଷ ଦେବା ନ ଦେବାରେ ଅଛି କ’ଣ ? ପୁବୁଲି ତ ଚାଲିଯାଇଛି, ପୁବୁଲି ପରର-

 

ଜଳନ୍ତା ମହାଲିମ୍ବ ଗଛକୁ ଛାଡ଼ିଦେଇ ସମସ୍ତେ ଫେରିପଡ଼ିଲେ । ଲୋକଙ୍କ କୋଳାହଳ ଭିତରେ ବି ସେହି ଗୋଟିକିଆ ବଇଁଶୀର ସ୍ୱର ପରିଷ୍କାର ହୋଇ ଶୁଭୁଛି । ପର୍ବତ ଉପରୁ ତଳର ବନ୍ଦିକାର ଗାଁର ବସ୍ତିର ଆଲୁଅ ଝକମକ ଦିଶୁଥାଏ । ଗୋଡ଼ତଳେ ତାର ଗାଁ ବସିଛି, ଏ ଗାଁରେ ତାର ଭବିଷ୍ୟତ୍‍ର କାମ । କିନ୍ତୁ ଖରାଦିନିଆଁ ସଞ୍ଜରେ ପରିଶ୍ରମରୁ ଫେରି ଗାଁକୁ ଅନେଇ ଦେଇ ଆହୁରି ତାକୁ ନିଛାଟିଆ ଲାଗିଲା । ନିତିଦିନ ଏତେ ଖଟଣି, ଏତେ କାମ, କାହା ପାଇଁ ?

 

ଉଦାସୀ ଦୁଃଖର ପସରା ମୁଣ୍ଡେଇ ସାଧାରଣ ମଣିଷର ବାହାରକୁ ଦେଖାଇବା ସହଜ ଭଙ୍ଗୀରେ ହାର୍ଗୁଣା ସାଓଁତା ଗାଁ ଭିତରକୁ ଓହ୍ଲେଇ ପଡ଼ିଲା । ନିତିଦିନର ଘସରାବାଟ ପରି ନିତିଦିନର ଜୀବନ, ସେଥିରେ ନୂଆ କଥା ନାହିଁ, ନୂଆ ଅନୁଭୂତି ନାହିଁ, ସ୍ୱପ୍ନ ପାଇଁ ସ୍ଥାନ ନାହିଁ । ମନର ଭାବନାର ଓଲଟା ଛବି ବାହାରକୁ, ଆପଣାର ମନ ତୃପ୍ତି ଛାଡ଼ିଦେଲେ ଆଉ ତୃପ୍ତି ନାହିଁ ।

 

ନ ପାଇବାର ପରାସରେ ପ୍ରାଣ ଟଣକି ଉଠିଲାବେଳେ ହାର୍ଗୁଣା ସାଓଁତା ଭାବି ଲାଗିଲା ଜୀବନକୁ ଧରି ସେ ବହୁତ ଖେଳିଛି ଖାଲି, ସେ ବସାବାନ୍ଧି ନାହିଁ, ତେଣୁ ତାର ବସା ନାହିଁ, ସେ ଅଘୋରି । ଟିକି ବୟସରେ ପ୍ରଥମ ଯୌବନରେ ନାଲି ମନ ଉପରେ ଖଇରିଆ ଗେରୁଆ ଢାଙ୍କି ହୋଇ ସେ ବୈରାଗ୍ୟ ଭାବୁଥିଲା, କେବେ ତାର ଗୋଚର ନ ଥିଲା ଯେ ପୁବୁଲି ତାର ମନର ଏତେ ଭାଗ । ପୁବୁଲି, ଯାହା ସାଙ୍ଗେ ଉପରେ ଉପରେ ଦି’ଦିପଦ କଥାଭାଷା, ଯାହା ତୁଲେ ଘନିଷ୍ଠତା ହେଉ ହେଉ ଅଧବାଟରେ ଅଟକି ଯାଇଛି, ଆଜି ତାହାରି ଚିନ୍ତା ହାର୍ଗୁଣାର ମନର ଗୁଣ, ଘୁଣଖିଆ ବାଉଁଶରୁ ସଙ୍ଗୀତ ପରି ତାର ପୋଲାମନର ରାଗିଣୀରେ ତାହା ମନର କବିତା,-ସବୁ ଦୁଃଖର ।

 

ଅନ୍ଧାରରେ ଗାଁରୁ ବି ପର୍ବତ ଉପରର ମହାଲିମ୍ବ ଗଛଟି ଜଳିବାର ଦେଖାଯାଉଥାଏ । ଚାରିଆଡ଼ର ଅନ୍ଧାରର ପର୍ବତ ଭିତରେ ସେହି ଗୋଟିଏ ବୋଲି ବଡ଼ ଅଗି, ବଣଭୂଇଁରେ ମଣିଷର ନିଶାଣ । ଗାଁର ପବନରେ କାମର ଗନ୍ଧ ଖୋଲ ଭିତରେ ମଣିଷବସତି ମେଞ୍ଚିମାଞ୍ଚି । ପେଟ ଆଉ ମନର ଦରକାର ଅଦରକାର ଅନୁପାତରେ ଏତେ ଲୋକଙ୍କର ଗୋଡ଼ ଛଟାଛଟି ହାତ ଛଟାଛଟି, ବଣ ପର୍ବତ ଡୁବେଇଦେଇ ମାଳର ଯେତେ ହିଂସ୍ର ପ୍ରତିକୂଳ ଅବସ୍ଥା, ସବୁ ପରାହତ କରି ଅନ୍ଧାର ଭିତରେ ସେହି ମହାଲିମ୍ବର ଧୁନିନିଆଁ ପରି ମଣିଷର ଗୋଟାଏ ବୋଲି ପ୍ରବଳ ଉତ୍କଣ୍ଠା, ସେ ମଣିଷ ହୋଇ ବଞ୍ଚି ରହିଥିବ, ଯାହା ଯାଉ ଯାହା ଆସୁ ସେ କାନ୍ଧରୁ ଟାଙ୍ଗିଆ ଓହ୍ଲେଇ ଦେବ ନାହିଁ, ହାତରୁ ଲଙ୍ଗଳମୁଠା ଛାଡ଼ିଦେବ ନାହିଁ । ଏହି ବୀରପଣର ସୂଚନା ଦିଏ ବନସ୍ତ ଭିତରେ ଗାଁ ବସତିର ପବନ-

 

ଧୀରେ ଧୀରେ ହାର୍ଗୁଣାର ମନରେ କାମର କଳ୍ପନା ଗଜୁରି ଉଠୁଥାଏ, ତାହା ସଙ୍ଗେ ସଙ୍ଗେ ମନ-କରତା ପୁବୁଲି-ଦୁର୍ବଳତା ପ୍ରତି ସବଳ ପ୍ରତିରୋଧ । ପୁବୁଲି,-ପ୍ରଜାପତି, ପ୍ରଜାପତି ପରି ଉପରର ରଙ୍ଗରେ ଆଖି ବାନ୍ଧିହୋଇ ମିଟିଂଗାଁର ଲୋକଙ୍କ ସୁତୁରା ସୁତୁରିରେ ଭୁଲି ସେ ଚାଲିଯାଇଛି, ସେ ଯେତେ ଉପଯୁକ୍ତ ହେଉ ସେହି ଶେଷ ନୁହେଁ, ପଣା ଗୋଳିବାକୁ ଜଣେ କେହି ବାସୁପଣ୍ଡା ଏକା ପୃଥିବୀରେ ଜନ୍ମ ହୋଇଛି ଏକଥା ମିଛ । ପୁବୁଲିର ଆଘାତକୁ ହାର୍ଗୁଣା ଜୟ କରିପାରେ ।

 

କିନ୍ତୁ କାଟେ ଯାହା ସେହି ଅପମାନଟା, ପୁବୁଲି ତାର ହେଲା ନାହିଁ-ସେ ଗୋଟାଏ ଅପମାନ । ପୁବୁଲି ତାକୁ ଉପଯୁକ୍ତ ମନେକଲା ନାହିଁ, ମିଣିଆପାୟୁ ମନେକଲା ନାହିଁ ସେ ଉପଯୁକ୍ତ; ସେ,-ଲେଞ୍ଜୁ ସାଓଁତାର ପୁଅ ହିକୋକା ହାର୍ଗୁଣା, ତାର ମଣିଷପଣିଆ ସାଓଁତା ପଣିଆକୁ ଉପହାସ କଲାପରି ତା’ ପାଇଁ ଠିକଣା ହୋଇଥିବା ବୋହୂ ଆଉଜଣଙ୍କୁ ଦିଆଗଲା । ଅପମାନ ଭାବିଲେ ସେ ରାଗରେ ଥରେ, ତାର ରାଗକୁ ବାଡ଼ ହିଡ଼ ନାହିଁ ।

 

କ’ଣ ତୋର ହୋଇଛି ସାଓଁତା, ଏତେ ମନ ବିରସ କାହିଁକି ? ଗୋଟାଏ ଟୋକୀ ଚାଲିଗଲେ ଦଶଜଣ ମିଳିବେ ମନକଲେ, ସେଥିପାଇଁ ଏତେ ଦୁଃଖ କାହିଁକି ?’ ସୋଭେନା କନ୍ଧ କହିଲା ।

 

‘କିଏ ଦୁଃଖ କରୁଛି ଯେ ଏତେ ପ୍ରବୋଧ ଦେଉଛୁ ତୁ ରେ, କିଏ ତତେ ଭଲଲୋକି କରିବାକୁ ଡାକିଛି ?’

 

‘ମୋ ଉପରେ ରାଗିବୁ ଯଦି ରାଗ୍ ସିନା ଏମିତି ଗୁମ୍‌ହୋଇ ତୁ ବସି ରହନା, ତୁ ଲୁଚେଇବୁ ସିନା, ମୁଁ କ’ଣ ଜାଣେ ନାହିଁ ?’

 

ହାର୍ଗୁଣା କିଛି କହିଲା ନାହିଁ ।

 

ସୋଭେନା କହିଲା, ‘ସେମାନେ ଭଲଲୋକ ନୁହନ୍ତି ସାଓଁତା, ଠକ, ତାଁତର, ତାଙ୍କର କଥାରେ ଠିକଣା ନାହିଁ । ସେ ଗାଁରୁ କନିଆ ଆଣି କ’ଣ ହ’ନ୍ତା, ଦିନେ ହେଲେ ଦିନେ ଠକିଦେଇ ବାପଘରକୁ ଯାଉଛି କହି ଚାଲିଯା’ନ୍ତା, ତା’ପରେ ଆଉ କାହା ସାଙ୍ଗରେ ପଳାନ୍ତା । ସେତେବେଳକୁ କେମିତି କରିଥା’ନ୍ତୁ । ସେ ମଞ୍ଜି ତ ସେଇଆ । ନା ଭଲହେଲା ସେ ଆଗରୁ ଚାଲିଯାଇଛି । ମୁଁ ଜାଣେପରା ସେ ଟୋକୀଟାକୁ ଦେଖିଲା ବେଳଠୁ !’

 

ଆଉ ୟାଠୁ ଖରାପ କଥାରେ କନ୍ଧ ଗାଳିଦେଇ ପାରନ୍ତା ନାହିଁ । ସୋଭେନାର ନାକଟେକା ହାର୍ଗୁଣାକୁ ତିଳେମାତ୍ର ଘୁଞ୍ଚେଇ ପାରିଲା ନାହିଁ । ପିଲାଙ୍କ ପରି ସେ କହିଲା, ‘କାହିଁକି ସେଗୁଡ଼ାକ କହୁଛୁ ସୋଭେନା, ମୁଁ ସେକଥା ଭାବି ନାହିଁ, ମୋର ସେଥିକି ଛଳ ନାହିଁ । ରାଜ୍ୟଯାକର କାମ ମୋର ବାକି ପଡ଼ିଛି, କିଏ କାହାସଙ୍ଗେ ଉଦୁଲିଆ ଗଲା ପଚାରୁଛି କିଏ ? ଏଥର ଖଣ୍ଡେ ଶଗଡ଼ କରିବି ଭାବୁଛି, ନା’ କ’ଣ କହୁଚୁ ? ଭଲ ବଢ଼େଇଟିଏ ଖୋଜିଲୁ ।’

 

ସୋଭେନା ତୁନିହୋଇ ଚାଲିଗଲା ।

•••

 

ତେଷଠି

 

ମିଣିଆପାୟୁ ଆଉ ବନ୍ଦିକାର ଦୁଇ ଗାଁର ଅଭିସମ୍ପାତ ମୁଣ୍ଡେଇ ଯେଉଁ ଦୁଇଜଣ ଟୋକାଟୋକୀ ଘର ଛାଡ଼ି ପଦାକୁ ବାହାରିଗଲେ ସେମାନଙ୍କର ପସ୍ତେଇବାକୁ କୌଣସି କାରଣ ନ ଥିଲା । ପର ପାଇଁ ଲୋକେ ମନାସନ୍ତି, ଅଧିକାଂଶ ମନ୍ଦ, ଅଳ୍ପ ଭଲ, କିନ୍ତୁ କିଛି ଫଳେ ନାହିଁ । ସମାଜକୁ ଖତେଇ ବିଗୁଲେଇ ହୋଇ ବିବାହ ବାହାରେ ଅଜାତି ପିଲା ତଷୁ କୋରମେଇଁରେ ପଡ଼ି ବି ମଣିଷ ହୁଏ, ବିଘଟନ ବି ସୁଖର ହୁଏ, ବୃଥା ପରକୁହାରେ ତତଲା ପାଣିରେ ଘର ପୋଡ଼େ ନାହିଁ-

 

ବେଶୁର ବାପା ମିଟିଂଗାଁରୁ ବୁଢ଼ା ରଘୁ ସାଓଁତା ବୋହୂକୁ ପାଇ ବଡ଼ ଖୁସି ହୋଇଥିଲା, ତାର ସ୍ତ୍ରୀ ବହୁଦିନୁଁ ମରିଛି, ପହିଲି ଯୌବନରେ ସ୍ତ୍ରୀର ସବୁ ପରିଚୟ ଘେନି ବୁଢ଼ା ମନକୁ ଉଷୁମେଇବା ପାଇଁ ଘରକୁ ପୁବୁଲି ଆସିଛି । ରଘୁ ସାଓଁତା ପୁଅ ବୋହୂଙ୍କ ପାଇଁ ଅଲଗା ଘର ତୋଳିଦେଲା, କନ୍ଧକୁଳରେ ପଦ୍ଧତି ଯେପରି, ବୋହୂ ଘର ମଣିଗଲା ।

 

ନୂଆ ବିବାହ, ଛାଇପରି ମିଶିଯାଇ ଦିହେଁ ଏକାଠି ବୁଲନ୍ତି, ବେଶୁ ଆଉ ପୁବୁଲି । ବେଶୁ ‘ବେଢ଼ା’ରେ ହଳ କରେ, ପୁବୁଲି ପଥର ବାଛେ, ପର୍ବତକୁ ବେଶୁ ଯାଏ କାଠ ହାଣି, ପୁବୁଲି କନ୍ଦା ଖୋଳି ପତ୍ର ଆଣି । ବୁଲିବୁଲି ପରସ୍ପରକୁ ଭଲ ପାଇଲାଗି ଖରା କାଟେ ନାହିଁ, କାମ ବାଧେ ନାହିଁ, ଝାଇଁ ଖରାରେ ବି ମୁହଁକୁ ମୁହଁ ଅନେଇ ଦେଲେ ଥଣ୍ଡା ଲାଗେ, ଆଖି ଢୁଳେଇ ଆସେ । ବେଶୁର ଶରଧା ଶିକାର ବୁଲା । ସମ୍ବର ହରିଣଙ୍କୁ ଫୁସୁଲେଇ ଏକାଠି ଜମେଇବା ପାଇଁ ଘାଟିପାଖେ ଜାଗା ପରଖକରି ବେଶୁ ‘ଖାରି’ ପକାଏ; ଅର୍ଥାତ୍ ଅରାଏ ଖୋଳିଦେଇ ପାଣିକାଦୁଅ କରି ମାଟିରେ ଲୁଣ, ଶୁଖୁଆ, ମୂତ ଏକାଠି ଗୋଳେଇପୋଳେଇ ଦିଏ । ‘ଖାରି’ର ବାସ୍ନାରେ ଜନ୍ତୁ ଆସି ଦିନୁଁ ଦିନ ଟିକିଏ ଟିକିଏ ଚାଖି ଚାଖି ଯାଆନ୍ତି, ତା’ପରେ ଶିକାରୀ ଦିନେ ଜଗିରହି ଢୁ ଫୁଟାଏ । ଗହଳି ବଣଭର୍ତ୍ତି କାନ୍ଥପରି ପାହାଡ଼ ଉପରେ କେତେଠି ଚନ୍ଦା ଖାରି ଦୂରକୁ ଦିଶେ, ‘ଖାରି’ ପାଖେ ଗଛଡାଳ ଉପରେ ଡାଳପତ୍ରର ବସାବାନ୍ଧି ମଣିଷ ସେଠି ଜଗି ରହେ । ଖାରି ଛଡ଼ା ଅନ୍ୟ ଅନେକ ଉପାୟରେ ଶିକାରୀ ଜନ୍ତୁକୁ ଉଣ୍ଡେ, ବୁଲିବୁଲି ଜନ୍ତୁର ପ୍ରିୟ ଗଛପତ୍ରରେ ଖଣ୍ଡିଆ ଦେଖି, ତଳେ ମାଟିରେ ପାଦଚିହ୍ନ ଦେଖି ନିର୍ଣ୍ଣୟ କରେ କେଉଁଠିକି ଜନ୍ତୁ ଖରା ଝାଞ୍ଜିରେ ପାଣି ପିଇବାକୁ ଓହ୍ଲେଇବ, କେଉଁଠିକି ଚରିବା ପାଇଁ-। ଏଥିରେ ବି ପୁବୁଲି ବେଶୁର ଛାଇପରି ବୁଲୁଥାଏ, ସ୍ୱାମୀର ଲାଖ ସ୍ୱାମୀର ବଳ ସେ ପାଖେ ପାଖେ ଥାଇ ଅନୁଭବ କରି ଖୁସି ହେବାକୁ ଚାହେଁ । ଯେଉଁଆଡ଼େ ଗଲେ ଖୋଲା ପ୍ରକୃତି, ବଣର କାନ୍ଥ, ଚଡ଼ା, ସୁଡ଼ଙ୍ଗ, ଯେତେ ଖରା ହେଲେ ଯେତେ ଗଛ ଶୁଖିଲେ ବି ମାଳର ଶୋଭାରେ ହ୍ରାସ ହୁଏ ନାହିଁ ଚିରଦିନ ରହିଥାଏ ସେ, ଯୌବନର ଶ୍ୟାମ ପୃଷ୍ଠପଟ ।

 

ଚମ୍ପା ଝରଣା ପାଖେ ଖାରି ପକେଇ ମଞ୍ଚା ବାନ୍ଧି ବେଶୁ କନ୍ଧ ଜନ୍ତୁ ଜଗେ, ଡାଳ ଉପରେ ସ୍ୱାମୀର ଦେହରେ ଆଉଜି ପଡ଼ି କଣାବାଟେ ପଦାକୁ ଅନେଇଁ ପୁବୁଲି ବସିଥାଏ । ଜହ୍ନ ଉଠେ, ଛାଇ ଆଲୁଅର ନେସାନେସିରେ ପଥର ଆଉ ଗଛ ଉପରେ ନାନାପ୍ରକାର ରୂପ ଆଙ୍କି ହୋଇ ରହେ, ଦୁହେଁ ଅପେକ୍ଷା କରି ବସି ରହନ୍ତି । ବାହାରର ଭିତରର ସଙ୍ଗୀତ ପାଇଁ କେବଳ ଗୋଟାଏ ଆଧାର ଯୋଗାଏ କନ୍ଧକନ୍ଧୁଣୀଙ୍କର ଭଲପାଇବା ଚାଲେ ନିଛାଟିଆ ବଣ ଭିତରେ ଖୋଲଖାଲରେ, ପଥର ସନ୍ଧିରେ, ଗଛ ଡାଳରେ । ଝାମ୍‌କି ନଳି ପ୍ରସ୍ତୁତ ଅଛି, ହାତରେ ବର୍ଚ୍ଛା, ଖଣ୍ଡା, ଛୁରୀ, ଟାଙ୍ଗିଆ, ଧନୁ, ସବୁ ହାତହତିଆର ଖଞ୍ଜିହେଇ ଦୁହେଁ ଶିକାର କରି ବୁଲନ୍ତି, ଏଣୁ ଗଲେ ତେଣୁ ଗଲେ ସହସ୍ର ବାଙ୍କରେ ପରସ୍ପର ସଙ୍ଗେ ଭେଟାଭେଟି । ଆଖି ଯେତେଦୂର ଯିବ ଖାଲି ଅଗ୍ନାଅଗ୍ନ ବନସ୍ତ, ଏକରେ ସେକରେ ଢାଲୁଢାଲୁଆ ହୋଇ କେତେ ଉପରକୁ ଉଠିଯାଇଛି, ଦୁଇ ଢାଲୁର ବିକଟ ମିଳନ ସନ୍ଧିରେ ପାତଳ ଗହୀରର ଉପତ୍ୟକା ତଳେ ପଥର ସାଲୁସାଲୁ ଅନ୍ଧାରି ଝରଣା, ସେହି କନ୍ଧକନ୍ଧୁଣୀ ଭେଟାଭେଟି ହେବା ଜାଗା । ବାଟେ ବାଟେ ପର୍ବତର ଅତଡ଼ା କରେ କରେ ସରୁରାସ୍ତା, ଗୋଡ଼ ଖସିଲେ ହାଡ଼ ସୁଦ୍ଧା ଗୁଣ୍ଡା ହୋଇଯିବ । ତଳର ଖାଲକୁ ଚାହିଁଦେଲେ ମୁଣ୍ଡ ବୁଲିଯିବ, ଗଛର ଥୁଣ୍ଟା ଗଛ ଚେର ଏବଂ ପଥର ଛେକାଛେକି ହଜାର ହଜାର ଫୁଟ ଉଚ୍ଚତା ଉପରେ ରାସ୍ତା, ସେଠିକି ଗାଡ଼ି ଯିବ ନାହିଁ, ଘୋଡ଼ା ଯିବ ନାହିଁ, କେବଳ ଆପଣାର ଭାଗ୍ୟ ଆପଣାର ଜୀବନକାନ୍ଧରେ କାନ୍ଧେଇ କନ୍ଧୁଣୀଙ୍କର ସେଠି ଗତାଗତ । ସ୍ଥାନେ ସ୍ଥାନେ ମାଳରେ ଦମକରେ ଗଣ୍ଠି ପଡ଼ିଲା ପରି ପର୍ବତ କୁଢ଼କୁଢ଼ ବାଙ୍କ, ବୁଲୁବୁଲୁ କେଉଁଠି କେତେ ତଳରେ ହଠାତ୍ କେଉଁ ଗାଁ ଆଖିରେ ପଡ଼ିଯାଏ, ବଣ ଭିତରେ ଏପରି ଖଞ୍ଜରେ ଲୁଚି ରହିଛି ଯେ ବାହାରୁ ନିଘାକୁ ଆସିବ ନାହିଁ, ସେହିପରି ହଠାତ୍ ଅଦୃଶ୍ୟ ହୋଇଯାଏ । ପର୍ବତର ଫାଟରେ ସନ୍ଧିରେ ଉପରୁ ତଳକୁ ଝରଣା ଗଡ଼ିଆସିଲା ବାଟରେ କେଉଁଠି ଦିଶେ ଗୋଟିଏ ଜଙ୍ଗଲର ସୁଡ଼ଙ୍ଗ, ସେହିବାଟେ ଗୋଟିଏ ଗୋଟିଏ ହୋଇ ଖଣ୍ଡେଦୂର ଉଠିଗଲେ ହଠାତ୍ ଜଙ୍ଗଲ ଟିକିଏ ଆଡ଼େଇ ହୋଇ ଦିଶେ ଆବୁଡ଼ାଖାବୁଡ଼ା ବଡ଼ ବଡ଼ ପଥର ଉପରେ ହାମୁଡ଼େଇ ହୋଇ ବସିପଡ଼ିଥିବା ଧାଡ଼ି ଧାଡ଼ି କନ୍ଧବସ୍ତି । କେଉଁଠି ସେହିପରି ନିଘଞ୍ଚ ବଣ ଭିତରେ ଚାରିପାଖର ପାଚିରି ପାହାଡ଼ ଉପରେ ହଠାତ୍ ଶୁଭେ କାଠହଣା ହେଉଥିବାର ଠୋ ଠା ଶବ୍ଦ । ସେହି ପାଚିରିର ଆହୁରି ଉପରେ ଆହୁରି ଉଞ୍ଚରେ କେଉଁ ଗାଁ ଥିବ, ସେଠି ପିଲା ନାଟ କରୁଥିବେ, ଧାଂଡାଧାଂଡୀ ଗୀତ ବୋଲୁଥିବେ । ପଦାକୁ ତାର ପରିଚୟ ନାହିଁ । କେବଳ ଖରାତେଜରେ ଫିକା ପଡ଼ିଯାଇଥିବା ମେଘବରର୍ଣ୍ଣ ଜଙ୍ଗଲ, କୁଢ଼କୁଢ଼ ପର୍ବତ, ଆକାଶକୁ ତାର ଗୋଜିଆ ଚେପ୍‌ଟା ଚୂଡ଼ା, କେଉଁ ପର୍ବତ ସମ୍ପୂର୍ଣ୍ଣ ଦିଶୁଛି, କେଉଁଟାରୁ ଫାଳ ଫାଳ ଖାଇହୋଇ ଗଲାପରି, କେଉଁଟା ତଳୁ ସରୁହୋଇ ଉପରକୁ ବୋଝ ବୋଝ ହୋଇ ଏପରିଭାବେ ରହିଛି ଯେପରି ଅଇଛା ଭାଙ୍ଗିପଡ଼ି ଗଡ଼ଗଡ଼େଇ ଚାଲିବ ତଳର ଝୋଲା ନଈରେ ଆଉଟି ହେବାକୁ ।

 

ଶିକାରକୁ ଉଣ୍ଡି ଉଣ୍ଡି ବଣରୁ କନ୍ଦାଟାଏ ଫଳଟାଏ ଉଠେଇ ନେଇ ଏହି ବଣରେ ଦଳ ଦଳ ହୋଇ କନ୍ଧକନ୍ଧୁଣୀ ବୁଲନ୍ତି, ଦୃଶ୍ୟ ଦେଖନ୍ତି । ବୁଲୁ ବୁଲୁ କେଉଁ ଚୂଡ଼ା ଉପରୁ ପର୍ବତର ଫାଟେ ଫାଟେ ପୂର୍ବର ଦିଗ୍‌ବଳୟ ଖୋଲିଯାଇ ଦିଶେ ପତ୍ତନ ଟଳିପଡ଼ିଛି ତଳକୁ ତଳକୁ, ସୂଚେଇ ଦେଉଛି ଦୂରରେ ସେହି ଝଞ୍ଜାବତୀ ନଦୀର ଗତିପଥ ।

 

ବେଶୁ କଥା ଗପେ, ପୁବୁଲି ଶୁଣେ ।

 

ଘରୁ ପଳେଇଆସି ବି ପଳେଇବାର ନିଶା ସେମାନଙ୍କର ତୁଟିଯାଇ ନ ଥାଏ, ତଥାପି ଲୋକଙ୍କ ଆଖିକୁ ଠକି ଉଢ଼ୁଆଳରେ ବୁଲିବାକୁ ମନ, ବଣେ ବଣେ ଆପଣାକୁ ହଜେଇ ଦେବାକୁ, ଯେପରିକି ଏ ସଂସାରରେ ଦୁଇଜଣଙ୍କ ଛଡ଼ା ତୃତୀୟ ଜଣ ବୋଲି ଆଉ କେହି ମଣିଷ ନାହିଁ । ସେଠି ନାହିଁ ସମାଜର ଶାସନ ଆଉ ଆଇନ୍, ପରର ମନ ଜଗି ଚଳିବାର ବାଧ୍ୟତା । ଦୁନିଆର ଆଖିଦରଶା ନୀତିରେ ଆପଣା ମନର ଆପଣା ରୁଚିର ସବୁ ନିଜସ୍ୱକୁ ଛେଚି ଭାଙ୍ଗିଦେଇ ଭଦ୍ରହୋଇ ଗଣିଗଣିକା ଦିନ ବଞ୍ଚିବା ସୁଆଗ । ତାଙ୍କର ପୂରା ସ୍ୱାର୍ଥପର ଜୀବନ, ଜଣେ ଜଣକଠି ଆବଦ୍ଧ, ତା’ ବାହାରକୁ ପଚାରିବାକୁ ତାର ଇଚ୍ଛା ନାହିଁ କି ତର ନାହିଁ ।

 

ସେହି ଉଢ଼ୁଆଳ-ଭର୍ତ୍ତି ବଣ ଭିତରେ, ଯେଉଁଠି ପଥର ଗଛ ଗୋଲେଇ ହୋଇ ଗୋଟାଏ ଗୋଟାଏ ସାନ ସାନ ଖୋଲ ଗୋଟାଏ ଗୋଟାଏ ସଂସାରର ରୂପ, ସେଠି ବି ଛାଇ ଆଲୁଅ ଚଳନ୍ତି ଛବିରେ ରଙ୍ଗ ବଦଳାଏ, ତାର ଅଣଓସାର ନାଲିଆ ସୁଡ଼ଙ୍ଗ ବାଟ ମୁହଁରେ ପ୍ରତୀକ୍ଷା ବି ଆସେ, କ’ଣ ଏଠି ଥିବ ଭାବି ପିଲାଳିଆ ପ୍ରତୀକ୍ଷା ଏବଂ ସେହି ପ୍ରତୀକ୍ଷାର ଉତ୍ତର ମିଳେ ଆପଣା ମନ ଭିତରେ ଛବି ବଦଳାବଦଳିରେ ।

 

ଉଦୁଉଦିଆ ଖରାରେ ଝୋଲାକୂଳରେ ଛାଇ ନିଶ୍ଚଳରେ ବସି ପଲ ପଲ ମୟୂର ଢୁଳୋଉଥାନ୍ତି, ତୋଟାର ପତ୍ର ଗହଳିରୁ ଶୁଭେ ଶାରୀମାନଙ୍କର ସଙ୍ଗୀତ ପ୍ରତିଯୋଗିତା, କୁଟ୍ରା, ହାବୁଡ଼େ, ହରିଣ ସମ୍ବର ଦିଶିଯାଇ ପୁଣି ମୁହଁ ଲୁଚାନ୍ତି, କସ୍ତୁରି-ମୂଷା ଡେଇଁ ଡେଇଁ ପଳେଇଯାଏ । ଟିକିଏ ଆଉ ବୁଲିଗଲେ ଏତେ ପ୍ରକାର ଜନ୍ତୁ । କାହାର ଚମକ ଲାଗେ ମଣିଷର ପେଟରେ, କାହାର ବା ମଣିଷର ଆଖିରେ, କାହାର ମନରେ । ଶିକାରୀ ବହୁତ ଦେଖେ, ମାରେ ଯେତେ ଅଭିଜ୍ଞତା ଗୋଟାଏ ଯଥେଷ୍ଟ ଅଧିକ । ଝାଳ ବୁହେ, ତତଲା ଗୋଜଦିଆ ପଥର ଆଉ କଣ୍ଟା ପାଦରେ ଫୁଟେ, କିନ୍ତୁ ବଣର ମଣିଷ ବଣ ବାଟରେ ପାଦ ଖସାଏ ନାହିଁ ଅଥବା କ୍ଳାନ୍ତ ହୁଏ ନାହିଁ । ପିଇବାକୁ ଝୋଲାର ପାଣି ଖାଇବାକୁ ଲାଉତୁମ୍ବାରୁ ମାଣ୍ଡିଆ ଭାତ, ମାଣ୍ଡିଆ ପେଜ, ବିଶ୍ରାମ ଗଛ ତଳେ । ବେଶୁ କନ୍ଧ ଆଉ ପୁବୁଲି ମିଟିଂଗାଁ ପାଖ ବଣ ଜଙ୍ଗଲରେ ବୁଲି ଲାଗିଥା’ନ୍ତି । କେବେ କେବେ ଶିକାର ପଡ଼େ, ଗୋଟାଏ ଦିନର ଚେଇଁ ଆସୁଥିବା ଉଚ୍ଛ୍ୱାସର ଶେଷ ସେଇଠି, ଶିକାର ନ ମିଳିଲେ ବି ଖରାଟିଆ ଖରା ଗୋଟାଏ ଗୋଟାଏ ହଜମ କରିସାରି ଫେରିବାକୁ କିଛି ଖରାପ ଲାଗେ ନାହିଁ ।

 

ଯେଉଁ ସହଜ ସରସଗୁଣରେ ସ୍ତ୍ରୀ ଦି’ଦିନରେ ପରକୁ ଆପଣାର ଏବଂ ଆପଣାର ଲୋକଙ୍କୁ ପର କରିଦେଇପାରେ ସେହି ଗାରଡ଼ିରେ ପୁବୁଲି ମିଣିଆପାୟୁକୁ ଭୁଲିଥିଲା । କେତେଦିନ ଗଲା, ମିଣିଆପାୟୁ ଲୋକେ ସଂଖୋଳି ଆସିଲେ ଦିଉଡ଼ୁ ଆସିଲା । ଗାଁରେ ପଶି ପ୍ରଥା ଅନୁସାରେ ବେଶୁ କନ୍ଧକୁ ସେମାନେ ମାଡ଼ ମାଇଲେ । ତଳମୁହାଁ ଚାଳ ତଳେ ବାଟମୁହଁରେ ଅଣ୍ଟା ଭାଙ୍ଗି ବଡ଼ ବଡ଼ ଆଖି କରି ପୁବୁଲି ଠିଆହୋଇ ଦେଖୁଥାଏ, କାଳେ ଏମାନେ ବେଶୀ ମାଡ଼ ମାରିବେ ନାହିଁତ ! ବେଶୀ ମାରିଲେ କ’ଣ ହେବ । ପିଟୁ ପିଟୁ କେତେଠି ରୋଷ ଚଢ଼ିଯାଏ, ଲହୁଲୁହାଣ ହୁଅନ୍ତି ।

 

କିନ୍ତୁ ତାହାରି ଆଡ଼କୁ ଦେହ ବଙ୍କେଇ ସଳଖ ହୋଇ ଠିଆହୋଇ ବେଶୁ ହସୁଥାଏ, କହୁଥାଏ ‘ସରିଲା ନା ଆଉ ଅଛି ? ଚଞ୍ଚଳ ସାର, ଯାହା ମାରିବ ମାର ।’ ଚଞ୍ଚଳ ସରିଲା ତାର ହସହସ ଖୁସିମୁହଁକୁ ଅନେଇଁ ଅପ୍ରିୟତା କରିବାକୁ କାହାରି ଇଚ୍ଛା ନ ଥିଲା, ଖାଲି ନାଁକୁ ପ୍ରଥାପାଇଁ । ଦୁଇପକ୍ଷ ଏକାଠି ବସି ଧୂଆଁ ପିଇଲେ, କଥାଭାଷା ତୁଟିଲା । ସଙ୍ଗେ ସଙ୍ଗେ କନ୍ୟାସୁନା (ଝୋଲା) ବାବତକୁ ବେଶୁର ବାପ ରଘୁ ସାଓଁତା ଦଶୋଟି ଟଙ୍କା ଥୋଇଦେଲା, ଗୋଟିଏ ହଡ଼ା ଆଣି ସେମାନଙ୍କ ଆଗରେ ବାନ୍ଧିଦେଲା, ଟିଣେ ରନ୍ଧାମଦ ରଖିଦେଲା । ‘ପିଲା ପିଲାଙ୍କ ମନ ତ, ମନ ହେଲାତ ଉଡ଼ି ପଳେଇଗଲେ, ହେଲେ କ’ଣ ହେଲା ? ବିଭା ହେଲେ ଆମ କୁଳରେ ଯାହା ଦିଆହୋଇଥା’ନ୍ତା ଯାହା କରାହୋଇଥା’ନ୍ତା ତାହା ଆମେ କରିବୁଁ, ନ କରିବୁଁ ବୋଲି ଦୋଷ ଦେବ କିଏ ?’

ଦିଉଡ଼ୁ ତାର ଦଳର ଲୋକଙ୍କୁ ଅନେଇଁ ରହିଲା । ତାର ଉଦ୍ଦେଶ୍ୟ ବୁଝିପାରି ଶିବଜାନି କହିଲା, ‘ଏସବୁ ତ ଦେଲୁ ସାଓଁତା, କିନ୍ତୁ ଆଉ ଗୋଟିଏ କଥା ରହିଗଲା ଯେ । ବନ୍ଦିକାର ହାର୍ଗୁଣା ସାଓଁତାକୁ ସଗର୍ତ୍ତା (କ୍ଷତିପୂରଣ) ଦେବାକୁ ହେବ, କନ୍ୟା ତ ତାର, ତୁମେ ସିନା ଉଦୁଲିଆ ନେଇଆସିଲ ।’

ରଘୁ ସାଓଁତାର ଶାନ୍ତିପ୍ରିୟ ମୁହଁ ଗମ୍ଭୀର ହୋଇଗଲା ।

‘କ’ଣ କହୁଚୁ ସାଓଁତା, ସଗର୍ତ୍ତା କଥାଟା ମଧ୍ୟ ବର୍ତ୍ତମାନ ଛିଣ୍ଡିଯାଉ, ପଛକୁ କାହିଁକି ଅଡ଼ୁଆ ରହିଥିବ-’ ଆଖି ନାଲିକରି ଜଟ ଝାଡ଼ିଦେଇ ରଘୁ ସାଓଁତା କହିଲା, ‘କ’ଣ କାହାର ଛାଡ଼ିରୀ ଫାଡ଼ରୀ (ଦୁଶ୍ଚରିତ୍ରା) କନ୍ୟା ହୋଇଛି ଯେ ମୁଁ ତା’ ପାଇଁ ସଗର୍ତ୍ତା ଦେବି ? କିଏ କ’ଣ ଯାଇ କାହା ଘରୁ କାହା ବିଭାହେଲା ସ୍ତ୍ରୀକୁ ଘେନି ଆସିଛି ଯେ ମୁଁ ସଗର୍ତ୍ତା ଦେବି ? କାହିଁକି ଏପରି ଅପମାନିଆଁ କଥା ଉଠୋଉଛ ତୁମେ ? ଭଲରେ ଭଲରେ ବନ୍ଧୁ ବାନ୍ଧିବା ନା ବୃଥା କଥାରେ ପିଟାପିଟି ହୋଇ ଆମେ ମରିବା ?’

ପୁବୁଲି ଏକାଠାଆକେ ଠିଆହୋଇ ଚାଳକୁ ହାତରେ କଟମଟ କରି ଧରିରହି ଶୁଣୁଥାଏ, ଖଣ୍ଡେ ଛାଡ଼ି ଗାଁ ଦାଣ୍ଡରେ ତାହାରି ଉପରେ ପଞ୍ଚାଏତ୍ ବସିଛି । ବାପଘର ଗାଁ ପ୍ରତି ତାର ଅଶ୍ରଦ୍ଧା ନ ଥାଏ, କିନ୍ତୁ ମନେ ମନେ ଏହି ପଞ୍ଚାୟତ୍ କଥା ଭାବିଲାବେଳକୁ ବାପଘର ବିରୋଧରେ ସେ ପଟନେଇ ଠିଆହୁଏ, ଖାଲି ଡାକୁଥାଏ ଚଞ୍ଚଳ କେମିତି ଏ ଗୋଳମାଳ ସରିଯାଉ ତାଙ୍କର କଥା ନ ରହୁ ।

କେଡ଼େ ପଥରର ଛାତି ଏମାନଙ୍କର ! କେବଳ ବେଉସା-ବେଉସା ।

ଏମାନେ କେବେ ଭଲ ପାଇ ନ ଥିଲେ ? ବାହା ହୋଇ ନ ଥିଲେ ? କାହିଁକି ଏତେ କଠିନ ଏମାନେ ? ନାହିଁ, କଥା ଛିଡ଼ିଆସୁଛି । ରଘୁ ସାଓଁତା ସମସ୍ତିଙ୍କି ଦବେଇ ଦେଇ କହିଲା, ‘ଟୋକାଲୋକ ତୁମେମାନେ, ବୁଢ଼ା ବୁଢ଼ାତ ନାହାନ୍ତି କି ଅକଲ ତମୁକୁ ଜଣା ? ଝୋଲା ଉପରେ ସଗର୍ତ୍ତା, ନେବେ ସଗର୍ତ୍ତା ହଉ ଉଠ ଏଥର ଏ ପଞ୍ଚାତି ସରିଲା ।’

ଏ ଗାଁ ପ୍ରତି ପୁବୁଲିର ଶ୍ରଦ୍ଧା ବଢ଼ୁଥାଏ ।

ସଭା ଭାଙ୍ଗୁ ଭାଙ୍ଗୁ ଛାଇ ଲେଉଟାଣି ବେଳ, ପୁବୁଲି ଜାଣିଥାଏ ଏଥର ଦିଉଡ଼ୁ ଆସିବ । ସମସ୍ତେ ବକିଛନ୍ତି ଦିଉଡ଼ୁ ବେଶୀ କିଛି କହି ନାହିଁ । ଦିଉଡ଼ୁ ଏପରି ତୁନିହୋଇ ବସେ ନାହିଁ, ତାର ମନ ଭିତରେ କ’ଣ ଗୋଟାଏ ଘାରୁଛି । ଲେଞ୍ଜୁକକା ଆସି ନାହିଁ ।

 

ସେମିତି ଅପେକ୍ଷା କରୁକରୁ ବହୁତ ବେଳ ଗଲା । ଦିଉଡ଼ୁ ତାର ସାଙ୍ଗୀମାନଙ୍କ ସଙ୍ଗେ କ’ଣ କ’ଣ କଥାଭାଷା ହେଉଥାଏ, ବୃଥା ଅପେକ୍ଷା କରିବା ସାର ହେଲା, ଦିଉଡ଼ୁ ଆସିଲା ନାହିଁ । କରଛଡ଼ା ଦେଇ ତାର ଗୋଟିଏ ବୋଲି ଭାଇ ଖାଲି ଏକର ସେକର ହେଉଛି, ପୁବୁଲି ନିଜର ମନକୁ କଳି ଦେଖିଲା, ଅପରାଧର କୌଣସି ଚିହ୍ନ ସେଠି ସେ ପାଇଲା ନାହିଁ, କିନ୍ତୁ ମନକୁ ଯେତେ ଢିରାଦେଇ ଉପରକୁ ଟେକିଲେ ବି ଦିଉଡ଼ୁର ଏପରି ଧରଣରେ ମନଟା ଦବି ଦବି ଚାଲିଲା । ଜାଣି ଜାଣି ପଦାକୁ ବାହାରେ, ଡାକିବ ଡାକିବ ବୋଲି ଭାବି ଦି’ଖୋଜ ଆଗକୁ ମାଡ଼ିଯାଏ ପୁଣି ଫେରିଆସେ । ବିନା କାରଣରେ ହେପର ମୁଠା (ଛାଞ୍ଚୁଣୀ) ଧରି ବାରମ୍ବାର ପିଣ୍ଡାଟିକି ଓଳେଇ ଲାଗିଲା, ସମୟ ଗଲା, ଦୂରରୁ ବାଁରେଇ ହୋଇ ଥରଟିଏ ଏପାଖକୁ ଅନେଇ ଦେଇ ପୁଣି ଦିଉଡ଼ୁ ମୁଣ୍ଡ ବୁଲେଇ ନିଏ । ପୁବୁଲି ଆହୁରି ଛଟପଟ ହେଉଥାଏ । କ’ଣ ଭାବିଛି ଦିଉଡ଼ୁ ?

 

ରଘୁ ସାଓଁତା ଡାକିଲା, ‘କ’ଣ ବୋହୂ, ଭାଇ ସାଙ୍ଗରେ ଦେଖା ହେଲାଣି ?’

 

ମୁହଁ ନେଫେଡ଼ି ଓଠ ଗୋଜିଆ କରି ପୁବୁଲି କହିଲା, ‘ଡେରି ହେଲାଣି, ମୁଁ ପାଣିକି ଯାଉଛି ।’ ତିନିଥର ଯାଇ ଝୋଲା ଭିତରୁ ପାଣି ଟେକି ଆଣିଲା । ଦଣ୍ଡାରେ ଗୋଡ଼ ଲମ୍ବେଇ ଦେଇ ଅଳଙ୍କାର ଝଣଝଣେଇ ବସି ମୁଣ୍ଡ ବାନ୍ଧିଲା । ଦିଉଡ଼ୁ ଗାଳି ଦେଇଥିଲେ ସେ ହସି ଦେଇଥା’ନ୍ତା, କିନ୍ତୁ ଏ ତୁନିତାନି, ବଡ଼ ବାଧେ ।

 

ସଞ୍ଜ ଅଳ୍ପ ଡେରି । ପୂର୍ବ ଘାଟର ମାଳ ଉପରେ ସଞ୍ଜ ପୂର୍ବର ଫିକା ଆଲୁଅ ଟିକିଏ ମଠେଇ ମଠେଇ ହୁଏ ଏକାଥରକେ ଦୂରର ପାଖର ପର୍ବତଶ୍ରେଣୀ ଉପରେ ବିଭିନ୍ନ ଆକୃତିର ନିଆଁର ଧାର ଝକମକି ଉଠିଲା, ଦିନଯାକ ସେ ଜଳେ, ରାତିକି ତାର ରୂପ ଚହଟେ ବିଜୁଳିର ଝଲକ ପରି । ଗାଁଯାକ କେବଳ ଧୂଳି ଆଉ ପାଟି, ସମସ୍ତେ ଆପଣା ଆପଣା ଘର ଆଗରେ ମେଞ୍ଚାମେଞ୍ଚି । ଯିବା ଆସିବାର ପାଟିତୁଣ୍ଡ କମିଗଲା । ତାହା ଉତ୍ତାରୁ ସଞ୍ଜ ପୂର୍ବର ନିରୋଳା ନିଛାଟିଆ । କାହାପରି ହୋଇ ପିଣ୍ଡା ଆଗରେ ଏକୁଟିଆ ଦିଉଡ଼ୁ ଠିଆ ହେଲା, ଘର ଭିତରେ ପୁବୁଲି କାର୍ଯ୍ୟରେ ବ୍ୟସ୍ତ ଥାଏ-

 

ଦିଉଡ଼ୁ ଡାକିଲା-’ପୁବୁଲି !’

 

କିଲିକାଲିଆ ହୋଇ ଘରଭିତରୁ ପୁବୁଲି ଛୁଟିଆସିଲା, ପଦାକୁ ଆସି ମଠ ମଠ ହେଲା, ଛାତି ଦମଦମ, ଜାଣି ଜାଣି ଏହିପରି ସମୟରେ ଏ ମୁହୂର୍ତ୍ତଟା ଆସିଲା ?

 

ଦିଉଡ଼ୁ ଡାକିଲା, ‘ପୁବୁଲି-!’

ପୁବୁଲି କଥା କହିପାରିଲା ନାହିଁ । ମୁହଁକୁ ତଳକୁ ପୋତି ଠିଆ ହୋଇଥାଏ ।

 

ଟିକିଏ ରହି ଦିଉଡ଼ୁ କହିଲା,-’ମତେ ଅନା ପୁବୁଲି-’, କେଉଁଠି ତାର ସ୍ୱର ଭିତରେ ଆଉ କେଉଁ ଚିହ୍ନାସ୍ୱରରୁ ଟିକିଏ ମିଶିଯାଇଥାଏ ପରା ସରବୁ ସାଓଁତା ଏହିପରି କଥା କହୁଥିଲା ।

 

ପୁବୁଲି ମୁଣ୍ଡ ଟେକିଲା, ପୁଣି ମୁଣ୍ଡ ନୁଆଁଇଦେଲା । କାଠ ପରି ଦୁହେଁ ଠିଆହୋଇ ରହିଥା’ନ୍ତି; ଦିଉଡ଼ୁର ଦୀର୍ଘଶ୍ୱାସର ଶବ୍ଦ ପୁବୁଲିକୁ କେବଳ ବିଚଳିତ କରୁଥାଏ ।

 

ମନକୁ ମନ ଦିଉଡ଼ୁ କହିଲାଗିଲା, ‘ନାଃ-ଥାଉ-’ । ପୁବୁଲିର ମୁହଁ କଳାକାଠ ପଡ଼ିଯାଇଥାଏ, ଭିତରୁ କାନ୍ଦଣା ପଦାକୁ ବାହାରିବାକୁ ପ୍ରାଣପଣେ ଚେଷ୍ଟା କରୁଛି, ଦେଖି ଦେଖି ଦିଉଡ଼ୁର ମନ କଅଁଳ ହୋଇଆସିଲା । କଥା ବୁଲେଇ ନେଇ ଦିଉଡ଼ୁ କହିଲା, ‘କିଛି କହୁ ନାହୁଁ ଯେ, ଏଡ଼େ ଚଞ୍ଚଳ ପାସୋରି ପକେଇଲୁ ଆମୁକୁ ।’ ବିନା କାରଣରେ ପୁବୁଲି ଆଖିରୁ ଝରଝର ଲୁହ ବୋହିପଡ଼ିଲା । ଦିଉଡ଼ୁ କହିଲା, ‘କାନ୍ଦୁଛୁ କାହିଁକି ?’ ହସିଦେଇ କହିଲା, ‘ପୁଣି ଯଦି ତୋର ବଣୁଆଁ ବର କି ତୋର ବୀରପୁରୁଷ ଶଶୁର ଦେଖି ପକେଇବେ ତେବେ କହିବେ କିଏ ଏ ଲୋକଟା, ଅନର୍ଥକ ଆସି ଆମ ଘରମଣିଷକୁ କନ୍ଦୋଉଛି, ୟାର ପାଇଟି କରିଦେବା-, ନାଇଁଲୋ ପବୁଲି-’

 

ଏତିକି କଥାରେ କିଏସେ ଯେପରି ତେନ୍ତୁଳି ଛାଟରେ ପୁବୁଲିର ମୁହଁ ଉପରେ ଟାଣକରି ପାହାରେ ପିଟିଦେଲା, ପୁବୁଲି କଇଁକଇଁ ହୋଇ କାନ୍ଦିପକେଇଲା ।

 

ଦିଉଡ଼ୁ ପ୍ରକୃତରେ ତରଳିଗଲା, ପାଖକୁ ଆସି ପୁବୁଲିର କାନ୍ଧରେ ହାତ ଥୋଇ ମୁହଁକୁ ଟେକିଧରିଲା, ମୁଣ୍ଡ ଉପରେ ଆସ୍ତେ ଆସ୍ତେ ଆଉଁଶିଲା । ଅତିଶୟ ଦୁଃଖରେ ତାର ଆଖି ଓଜନ ହୋଇ ନଇଁପଡ଼ିଲା ଭଉଣୀର ମୁହଁ ଉପରକୁ ।

 

ଦିଉଡ଼ୁ କହିଲା, ‘କାନ୍ଦ୍‌ନାଁ-ଛି, କାନ୍ଦୁଛୁ କାହିଁକି ? ଏହି ପଦେକଥାକୁ ମୋର ଏପରି ଛଳକଲୁ ତୁ ପୁବୁଲି ? କାହିଁ ଘରେ ତ କେବେ ଅଇଁଗୁଣ ବୁଝୁ ନ ଥିଲୁ-’ ପୁବୁଲିର ଲୁହ ବୋହି ଲାଗିଥାଏ, ସେହି ଲୁହଧାରରେ ଭାସିଯାଉଥାଏ ପିଲାଦିନର ସବୁ ସ୍ମୃତି, ବାପଘରେ ବଢ଼ି ବଡ଼ ହେବାଯାକେ । ବିଚ୍ଛେଦରେ ସବୁ ଦୁଃଖର ଯବନିକା ପରି ଭାଇ ଆଗରେ ଭଉଣୀର ଏହି କାନ୍ଦ । ଦିଉଡ଼ୁ କହିଲା, ‘ତୁ କାନ୍ଦନା, କେବେ ତୋର ଆଖିରେ ଲୁହ ମୁଁ ଦେଖିଥିଲି କହିଲୁ ? ....କାନ୍ଦିବାର କ’ଣ ଅଛି ଭଉଣୀ, ଯଦି ତୁ ଖୁସିରେ ରହିଛୁ ସେତିକି ଆମର ଯଥେଷ୍ଟ । ବାହା ତ ଯେବେ ହେଲେ ହୋଇଥା’ନ୍ତୁ, କିଏ ତୋର ଇଚ୍ଛା ବିରୋଧରେ କେଉଁଠି ତତେ ଖଟେଇ ଦେଇ ନ ଥା’ନ୍ତା ତ, ଯେଉଁ ଘରକୁ ତୋର ମନହେଲା ସେ ଘରକୁ ତୁ ଆସିଲୁ, ମୋର ସେଥିରେ କିଛି ଅବସୋସ ନାହିଁ, ତୁ କାନ୍ଦ୍‌ନା ।’

 

କେବେ ମଦୁଆ ଦିଉଡ଼ୁ ଏପରି ଉଦାର ହୋଇଗଲା ! କେବେ ତାର ମନ ଏଡ଼େ ଥଣ୍ଡା ଏଡ଼େ ସ୍ନେହଶୀଳ ହୋଇଗଲା ? କାହା ମୁହଁର ଏ କଥା, ଏ ଆଶ୍ୱାସ ? ପୁବୁଲି ଭାବିପାରିଲା ନାହିଁ-। କିନ୍ତୁ ତାର ମନରେ ଦମ୍ଭ ଆସିଲା ।

 

ଦୂର ଗାଁରେ ନୁଖୁରା ସଞ୍ଜରେ ଆଜି ଯେପରି ଭାଇଭଉଣୀ ପରସ୍ପରକୁ ନୂଆକରି ଚିହ୍ନୁଛନ୍ତି । ପୁବୁଲିର ନିଜର ସଂସାର ହୋଇଛି, ସେ ଆଉ ଭାଇର ହାତତଳିଆ ନୁହେଁ, ଆଜି ଦୁହେଁ ସମାନ ସମାନ, କେହି କାହା ଉପରେ ନିର୍ଭର ନ କରିବାରୁ ପରସ୍ପର ପ୍ରତି ଦୃଷ୍ଟିକୋଣ ତାଙ୍କର ଆଜି ଭିନେ ଭିନେ ।

 

‘ପୁୟୁ ଭଲ ଅଛି ଭାଇ ?’

ଅନ୍ୟମନସ୍କ ହୋଇ ଦିଉଡ଼ୁ କହିଲା, ‘ହଁ ।’

 

‘କ’ଣ କହି ପଠେଇଛି ମୋ ପାଖକୁ ?’ ଦିଉଡ଼ୁଠୁ ଜବାବ୍‌କୁ ଅପେକ୍ଷା ନ କରି ପୁବୁଲି କହିଲାଗିଲା, ‘ଏଥର ତାର କାମ ଭିଡ଼ ପଡ଼ିବ, ବଡ଼ ବେମାର ଅଛି ସେ, ତୁ ତାକୁ ଗାଳି ଦବୁ ନାହିଁଟି ଭାଇ ?’ ଦିଉଡ଼ୁର ମୁହଁ ଭୟଙ୍କର ହୋଇ ଆସିଲା, ଯେପରିକି କ’ଣ ତାର ମନର କଥା ପଦାକୁ ଆସିବାକୁ ଖୁଜୁବୁଜୁ ହେଉଛି, ଅଭିନୟ ବହୁତ ବେଶୀ ହୋଇଗଲା, ଏଣିକି ସେ ତୁଲେଇ ପାରୁ ନାହିଁ-। ପୁୟୁର କଥା ଇତିଶ୍ରୀ ହେଲା, କେଉଁଠୁ ପଛଘୁଞ୍ଚା ଦେବାକୁ ହୁଏ ନାରୀମନର ହୁସିଆରି ପଣିଆରେ ପୁବୁଲି ତାହା ବୁଝିପାରିଥିଲା । ଗୋଟି ଗୋଟି କରି ହାକିନାଠୁ ବେଜୁଣୀ ପର୍ଯ୍ୟନ୍ତ ସମସ୍ତିଙ୍କ କଥା ପୁବୁଲି ଫଟେଇ ଫଟେଇ ବୁଝିଲା, ଆଲୁଅ ଜାଳିବା ବେଳ ହେଲା । ଭରସି ଭରସି ଦିଉଡ଼ୁ ପଚାରିଲା, ‘ତା’ପରେ, ଭଲଜାଗା ପରି ଲାଗୁଛି ତ, ତତେ କେମିତି ଲାଗୁଛି ?’ ପୁବୁଲିର ପାଟି ଖୋଲିଗଲା, ଭରସା ପାଇ କହିଲାଗିଲା କେଡ଼େ ଭଲ ଏ ଜାଗା, ତାଷକୁ ଭଲ ଶିକାରକୁ ଭଲ-। ଦିଉଡ଼ୁକୁ ତୁନିତାନି ଦେଖି ମନଇଚ୍ଛା ପୁବୁଲି ଗପିଗଲା, ଭାଇ ଭାରି ଖୁସି ହେଉଛି । ବେଳ ଗଲା, ରଘୁ ସାଓଁତା ଆସିଲା, ବେଶୁ କନ୍ଧ ଆସିଲା, ରଘୁ ସାଓଁତା କହିଲା, ‘ଖାଲି ବସେଇ ରଖି ଗପୁଚୁ କ’ଣ ଲୋ ବୋହୂ, ଭାଇକୁ ଖୋଇବୁ ପେଇବୁ ନା, ଖାଲି ଗପୁଥିବୁ ?’ ଦିଉଡ଼ୁ ଦେଖିଲା, ପୁବୁଲିର ଆଖି ହସ ଛଳଛଳ, ମୁହଁରେ ଆଖିରେ ନୂଆ ପ୍ରକାର ଆଲୁଅ । ଅଳ୍ପ କେଇଟା ଦିନରେ ପୁବୁଲି ବଦଳିଯାଇଛି, ଯାହା ଥିଲା ତାହା ଆଜି ନାହିଁ ।

 

ଆପଣାର ଭଙ୍ଗା ଦଦରା ମନ ସହିତ ତଉଲି ଦେଖିଲା, ତୁଳନା ହୋଇ ନ ପାରେ ।

 

ତାର ଅଶାନ୍ତିରେ ତାର ଦୁଃଖରେ ତିଳେ ହେଲେ ଭାଗୀ ହେବ ନାହିଁ ଏ, ମା’ପେଟର ଭଉଣୀ ହେଲେ ବି । ଆଉ ୟାର ନିଜର ଆନନ୍ଦ, କେଡ଼େ ସ୍ୱାର୍ଥପର, ପାଖତଳର କାହାରି ମୁହଁକୁ ଚାହିଁ ସେ ଉପରୋଧ ରଖି ନାହିଁ ।

 

ଭାବିଲା ନାରୀଜାତିଟା ଏହିପରି ଆପଣାର ସୁଖରେ ବୁଡ଼ିରହି ପର ଆଡ଼କୁ ବିଲ୍‌କୁଲ୍ ଅନ୍ଧ ।

 

ସଁ ସଁ ହୋଇ ଦିଉଡ଼ୁ ଉଠି ଚାଲିଗଲା । ଟାଣୁଥିବା କାହାଳୀକୁ ତାହା ହାତକୁ ଧରେଇ ଦେଇ ବେଶୁ କନ୍ଧ କହିଲା, ‘ଶିକାର ଯଦି କରିବାକୁ ମନ ଥିବ ଚାଲି ଆସିବ ଆମ ଗାଁକୁ, ଚାରିଆଡ଼ୁ ଢିପ ଢାଲୁ ଆମରି ଅଞ୍ଚଳରେ ତଳକୁ ଖସି ଯାଇଛି, ଦଶକୋଶର ଯେତେ ଜନ୍ତୁ ସମସ୍ତିଙ୍କ ଖଣି ଯେପରିକି ଆମରି ଗାଁ ବଣରେ ପଡ଼ିଛି, ଯେତେବେଳେ ବଣକୁ ଆସିବ, ଖାଲି ହାତରେ କେବେ ଫେରିବ ନାହିଁ । ୟେ ବଣରେ ବଣ-ପୋଢ଼ ଅଛନ୍ତି, ତୁମ ବଣରେ ଅଛନ୍ତି ?’

 

ଦିଉଡ଼ୁ କହିଲା, ‘ନା-’

 

ବେଶୁ କନ୍ଧ କହିଲା, ‘ଏ ବଣରେ ବାର-ଶିଂଘା ହରିଣ ଅଛନ୍ତି, କଳା ବାଘ ଅଛନ୍ତି, ଭୃଙ୍ଗରାଜ ଚଢ଼େଇ ବି ଅଛନ୍ତି । ଆସ କେବେ ଥରେ, ଖେଦା କରିବା ।’

 

ରଘୁ ସାଓଁତା ହସିଲା, ବିନୟୀ ନମ୍ର ହୋଇ କହିଲା, ‘ଯେତେବେଳେ ତାଠୁ ଶୁଣ ଖାଲି ଶିକାର କଥା, ସେଥିପାଇଁ ତ ମୁଁ କହେ, ମଣିଷପିଲା ବାହା ହେଲୁ କାହିଁକି, ବଣର ବାର୍‌ହିଆ ଗୋଟାକୁ ବାହା ହୋଇଥା’ନ୍ତୁ ସେ ବଣେ ବଣେ ଧାଇଁଥାନ୍ତା ତୁ ତା ପଛେ ପଛେ ଗୋଡ଼େଇଥା’ନ୍ତୁ । ବାୟାଟା, ତା କଥା କାହିଁକି ଶୁଣୁଚ ? ବାହା ହେଇକରି ମଧ୍ୟ କ’ଣ ଘରେ ରହୁଚି ? ଖାଲି ଧାଂଡୀଟାକୁ ଧରିକରି ବଣେ ବଣେ, ଆଜି ଏଠି ଖେଦା ଅଛି ତ କାଲି ସେଠି ଗଛ ଉପରେ ଜଗି ବସିବା-’, ତା’ ପୁଅ ପ୍ରତି ବଙ୍କେଇ ବୁଲେଇ ଗୌରବ ସୂଚେଇ କହିଲା, ‘ବାୟାଟା ହେଉ କି ବୁଲାଟା ହେଉ ମାରେ ଭଲ, ହାତ ସଳଖ ଅଛି ।’ ଦିଉଡ଼ୁକୁ କହିଲା, ‘ଦେଖୁଛ ତ କେମିତି ବଣର ଦେଶ ଆମର, ତୁମ ବଣକୁ ବଳିକରି, ଆମେ ଏଠି ମାଙ୍କଡ଼ ବରାବର୍ ଅଛୁଁ, ଆମକୁ ଆରେଇଲାଣି ତୁମକୁ କଷ୍ଟ ହେବ, ଯାହାହେଉ ଝିଅ ଦେଇଛ ସହିଯାଅ ଦି’ଦିନ ଆଉ କ’ଣ କରିବ ।’

•••

 

ଚଉଷଠି

 

ଏହି ପରା ତାର ଶଶୁର ଘର,-ମିଟିଂଗାଁ, ଦିଉଡ଼ୁ ସାଓଁତା ଭାବୁଥାଏ ।

ଜବରାନ କରି କେହି ତାଠି ମାଡ଼ିଦେଇ ନାହିଁ, ମନକୁ ଏ ଗାଁର ଆକାଶ ମାଟିକୁ ପିଠି ଆଡ଼େଇ ଦେଇ ପୁୟୁ ଏଠୁ ଯାଇ ତାର ଘରେ ପଶି ନାହିଁ, ପୁୟୁକୁ ସେ ଡାକି ନେଇଥିଲା ଖୋଜି ନେଇଥିଲା, ସେଦିନର ଆଲୁଅର ରଙ୍ଗରେ ପରୀ ପରି ଦିଶିଥିଲା ପୁୟୁ ଆଉ ବିଜେତା ପରି ଦିଉଡ଼ୁ ତାର ମନଟାକୁ ଜୟ କରି ଧରି ନେଇଯାଇଥିଲା ସରବୁ ସାଓଁତାର ବୋହୂ କରି ତାର ପାଦତଳେ ଖଟେଇ ଦେବାକୁ ।

କେବେ, କେବେ ସେ ବିଭା ହୋଇଥିଲା ?

ସେଦିନର ସ୍ଥାନ ଆଜି ବି ପଡ଼ିରହିଛି ତାର ସୂଚନା ନାହିଁ, ସେହି ମଣିଷ ସେ କେତେ ବଦଳିଛି, ସେ ଦିନର ସ୍ମୃତି ଆଜି ସେ କାଟେ, ଯାହା ସେତେବେଳେ ଗୌରବର ଟିକା ପରି ମୁଣ୍ଡରେ ପିନ୍ଧି ବଡ଼ାଇ କରିବାକୁ ମନ କହୁଥିଲା ଆଜି ସେ ଚିଆଁ, ଆଜି ସେ ଚୂନକାଳି, ଲୁଚେଇଲେ ପ୍ରାଣ ଶାନ୍ତି ପାଏ ।

ସେହି ଘର ସେହି ଦୁଆର, ସେ ମଣିଷ ନାହାନ୍ତି, ପୁୟୁର ନିଜର ବୋଲି ଏଠି କେହି ନାହିଁ । ଏ ଗାଁର ଜ୍ୱାଇଁ ବୋଲି ଲୋକେ ଥଟ୍ଟା କରନ୍ତି, ବୁଢ଼ୀ ବୁଢ଼ୀମାନେ ବି ବଙ୍କା ଅଣ୍ଟାରେ ହାତ ଭରାଦେଇ ଥଙ୍ଗେଇ ଥଙ୍ଗେଇ ପଚାରନ୍ତି, ‘ଆମର ପୁୟୁ କେମିତି ଅଛି ? ମନେ ପକାଏ ନା ଆମକୁ-? ପୁଅ କେମିତି ଅଛି ? ପୁଅ କାହାରି ହୋଇଛି ?’

ତାର ଏ ରାଜ୍ୟ, ତାର ଜନ୍ମସ୍ଥଳୀ । ଏଡ଼େ ଭୀଷଣ ଅରଣ୍ୟ, ପାତଳ ଉପରେ ଓହଳିଲା ପରି ଝୋଲା ଉପରେ ଉପତ୍ୟକା ଉପରେ ନାନା ଠାଣିର ନାନା ଆକାରର ପର୍ବତ, କେଉଁ ଅନ୍ଧାରିତଳେ ତାର ମୂଳ, କେଉଁ ଉପରେ ଯାଇ ତାର ଚୂଡ଼ା ଅସୁରର ପାଚିରି ପରି ଧାର ଧାର ଆକାଶରୁନ୍ଧା ପର୍ବତଶ୍ରେଣୀ ଲମ୍ବ ଲମ୍ବ ‘ମାଳି’ ଉପରେ ଚଟା ପତ୍ତନ ହୋଇଥିବା ‘ଦମକ’, ନିବିଡ଼ ବଣ, କେଉଁ ସରୁ ସନ୍ଧିରେ ତହିଁକୁ ବାଟ । ତଥାପି ଏଇଠି ପୁୟୁ ବଢ଼ିଥିଲା, ଲୋକଆଖି ଅନ୍ତରାଳରେ ମାଳର ଫୁଲ ପରି ଏହି ଦାଣ୍ଡରେ ଚହଳ ପକେଇ ସେ ଧୂଳିଖେଳ ଖେଳିଥିବ, ଏମାନେ ତାକୁ ଚିହ୍ନିଥିବେ ଏହି ପ୍ରକୃତି, ଏ ଦେଶର ମୟୂର ଜୀଆଦ ।

ଇଚ୍ଛା ନ ହେଲେ ବି ପୁଣି ସେଦିନଗୁଡ଼ାକ ମନେପଡ଼େ, ଆପଣାର ବିବେକ ବିରୋଧରେ ସୁଦ୍ଧା ଦିଉଡ଼ୁ ପାଏ ଏଠି ଏକପ୍ରକାର ଦଖଲି ସ୍ୱତ୍ୱ । ମିଟିଂ ଭଲ ଲାଗେ, ପୃଥିବୀର କୋଟିଏ ଅଜ୍ଞାତ କୋଣ, ଏତେ ବିପଦ ମୁଣ୍ଡେଇ ଏଡ଼େ ଭିତରକୁ କେହି ଆସନ୍ତି ନାହିଁ, ପରର ଆଖି କନ୍ଧର ଶତ୍ରୁ ।

 

ସବୁ ଭଲ ଲାଗେ, ପୁଣି ସବୁ ଅଡ଼ୁଆ ହୋଇଯାଏ, ପରଘରେ ଚୋର ହୋଇ ପଶିଲାପରି ଲାଗେ, ପୁୟୁର ସ୍ମୃତି ଯେପରିକି ଡାକ ପକେଇଛି ‘ଏ ଚୋର, ଚୋର !’ ଯେଉଁଆଡ଼ୁ ଭାବୁ ଆଗ ଆପଣା ପ୍ରତି ଦୟା ହୁଏ, ପରେ ପୁୟୁ ପ୍ରତି, ପୁଣି ଉଦାସ ଲାଗେ ।

 

ଏହି ତାର ବାପଘର ବସ୍ତିରେ ସ୍ପଷ୍ଟ ମନେହୁଏ, ପୁୟୁକୁ ସେ ଭଲପାଏ ନାହିଁ, କେବେ କେହି କାହାରିକୁ ଭଲ ପାଇ ନ ଥିଲେ, ମୂଳରୁ ଏଯାକେ ସବୁ ଗୋଟାଏ ଭୁଲ, ପ୍ରତିକାର ନାହିଁ ।

 

ଏହି ମିଟିଂଗାଁ, ତାର ଭଲ ପାଇବାର ସମାଧିସ୍ଥଳ । କେବେ କେଉଁ ଭୁଲା ଅତୀତରେ ରକ୍ତର ନିଶାରେ ତରଳ ଯୌବନର ପାଗଳାମିରେ ଏଇ ଗାଁରେ ସେ ଧରା ପଡ଼ିଥିଲା, ଭବିଷ୍ୟତକୁ ଆଶା ବାନ୍ଧି ଝୋଲାଏ ଝୋଲାଏ ଛାଡ଼ି ଦେଇଥିଲା ତାର ଘରକରଣାର ସାନ ନାହାଟି । ମଣିଷ ଧାଏଁ, ଭାବି ବସିଲେ ବୁଝେ ସବୁ ବୃଥା, ତେଣୁ ଦିଉଡ଼ୁ ସାଓଁତା ବିରକ୍ତ ହୋଇ ମଙ୍ଗ ଛାଡ଼ିଦେଇଛି ।

ଧରା ପଡ଼ିଗଲା, ପୁୟୁ ହେଲା ସ୍ତ୍ରୀ । ତା’ପରେ ବିଶାଳ ଜୀବନରେ ଦିନୁଁ ଦିନ କେତେ ଝିଅ ସେ ଦେଖିଛି, ଭାବିଛି ସମସ୍ତେ ପୁୟୁଠୁଁ ସୁନ୍ଦର, ସମସ୍ତେ ପୁୟୁ ଅପେକ୍ଷା ଉପଯୁକ୍ତ ଆହୁରି । ଆଖିରେ ଦେଖି ଅନୁଭୂତିରେ ତଉଲି ବାଛିବାଛିକା ମନ ତାର ବହୁତ ଆଗକୁ ଚାଲିଯାଇଛି, ପୁୟୁ, ଧତଡ଼ା ସେମେଟା ଶୁଖିଲା ପୁୟୁ, କେତେ ତଳେ ରହିଲାଣି ତାର ସ୍ଥାନ, ଆଜି ଭାବି ବସିଲେ ତା ପଛକୁ ତା ପଛକୁ ହୋଇ ଅସଂଖ୍ୟ ଫୁଲ୍‌ମେଁ, ପିଓଟି, ସୋନାଦେଈ ପିଠି ଆଡ଼କରି ରଖିନିଅନ୍ତି ପୁୟୁର ଛାଇକୁ । କର୍ତ୍ତବ୍ୟର କଠୋର ବାଟରେ ଜାଗତିଆର ରହି ସଲକୁ ଅସଲ ବୋଲି ଭାବି ଅଗ୍ରସର ହେବାକୁ ଚେତାଇବାପାଇଁ ସରବୁ ସାଓଁତାର ଶୁଖିଲା କାଶ ଆଉ ନାହିଁ, ବାଧ୍ୟରେ ପଡ଼ି ଭୟ ଲାଜକୁ ଡରି ପରହାତରେ ବାଗେଇ ହୋଇଥିବା ମନର ଗତି ନିଆରା, ବଣ ଭିତରେ ଅମଣିଆଁ ମାଡ଼ି ଚାଲିଥିବା ମନ ନିଆରା, ଗୋଟାଏ ଆରଟା ସାଙ୍ଗରେ ଠିକଣା ହୋଇ ମିଶିପାରେ ନାହିଁ ।

ପୁୟୁ ବହୁତ ତଳେ, ଅଥଚ ଲୋକଦେଖାଣିଆକୁ ଦେଖେଇ ହେବାକୁ ପୁୟୁ ଆଉ ଆଉ ତାର ଅଭିନ୍ନ ପ୍ରାଣ, ସବୁବେଳେ ତାହା ମନର ପୁୟୁ । ତେଣୁ ବାଧ୍ୟରେ ମୁହଁ ଫିଟେଇ ହସିବାକୁ ପଡ଼ିବ, ବାଧ୍ୟରେ ମୁଣ୍ଡ ଟୁଙ୍ଗାରିବାକୁ ପଡ଼ିବ, କନ୍ଧ ଯେତେ ସଳଖ ସିଧା ବଣର ମଣିଷ ହେଉପଛେ ସେ ମଣିଷ ଏବଂ ମଣିଷର ନିଜର ଗୁଣ ଆତ୍ମଗୋପନ ପାଇଁ ପ୍ରତାରଣା ।

ପୁୟୁ ସହିତ ସମ୍ପର୍କ ଏପରି ବୋଲି ପୁଣି ସେହି ଗାଁରେ ବିଭାହେଲା ବୋଲି ପୁବୁଲି ଉପରେ ତାର ମନର ରାଗ ମନ ଭିତରେ ସବୁ ରବେଇ ଖବେଇ ରଖି ବାଧ୍ୟହୋଇ ବାହାରକୁ ଦାଣ୍ଡଲାଜକୁ ତାକୁ ମୁଖା ପିନ୍ଧିବାକୁ ହୁଏ, କାରଣ ପୁବୁଲି ତାର ଭଉଣୀ ହେଲେ ବି ପୁବୁଲି ଜଣକର ଘରଣୀ, ଦୁଇ ସ୍ୱାଧୀନ ମଣିଷଙ୍କ ଭିତରେ ରୁଷାରୁଷି ହେଲେ ଖାଲି ସମ୍ବନ୍ଧ ଭାଙ୍ଗେ ସିନା, କାହାରି ହାରିବା ଜିତିବାର କଥା ଉଠେ ନାହିଁ । ଦିଉଡ଼ୁ ଭାବୁଥାଏ ଏଇ ଥରକରେ ଶେଷ, ସମାଜରେ ବାନ୍ଧିହୋଇ ଏହି ଶେଷଥରକ ମିଟିଂଗାଁରେ ତାର କାମ ତୁଟେଇ ଦେଇ ସେ ପିଠି ବୁଲେଇ ଦେବ, ତେଣିକି ପୁବୁଲିର ଭାଗ୍ୟ, ତାର ଆଉ କି କାମ ଏଠି ?

କିନ୍ତୁ ଭଲ ଜାଗାଟିଏ, ହଜାରେ ତର୍କଜାଲ ମନର ଢାଉଆ ରଙ୍ଗ କଟେଇ ଦେଇ ଆଜିବି ସେଦିନର ସ୍ମୃତି ଚେଇଁ ଚେଇଁ ଉଠେ, ସେଠି ସେଇମାନଙ୍କରେ ହେବ ପରା, ବଣ ମିଟିଂ ଯାଇ ସମୁଝା ଗାଁ ବାଟେ ଝଞ୍ଜବତୀ ନଦୀ ସେପାରି ନାରଣପାଟଣା ଯିବା ବାଟ । ଏପାଖେ ପଛକୁ ପଛ ହୋଇ ପର୍ବତକୁ ପର୍ବତ ବିଖ୍ୟାତ ଲାଉମାଳ ମୁଠା, ପୂଜାରି ପର୍ବତ ପର୍ଯ୍ୟନ୍ତ ତାର ଧାପ, ସେପାଖେ ସୋଡ଼ାବିଶି ମୁଠା ବାଟେ ରାୟଗଡ଼ର କନ୍ଧମାଳକୁ । ଏହି ମିଟିଂ, ସମତଳକୁ ଓହ୍ଲେଇ ପଡ଼ୁଥିବା ଘାଟ ଢାଲର ମୁଣ୍ଡ ଉପରେ କିନ୍ତୁ କି ଦୁର୍ଭେଦ୍ୟ, କନ୍ଧ ଏଠି ନିଧଡ଼କ । ପର୍ବତର ଭଉଁରି ଭିତରେ କେଉଁଟା ଏଠିକୁ ପଶିବାକୁ ବାଟ ତା କେହି ଜାଣିପାରିବେ ନାହିଁ । ବଣର ବିପଦ ଏଡ଼ି କେହି ଆସିବ ନାହିଁ କନ୍ଧର ସେ ରନ୍ଧାହାଣ୍ଡିର ସୋରିଷ ଗଣିବାକୁ । ଏହି ଭୁଲା ପୃଥିବୀରେ ସେ ନିରଙ୍କୁଶ ଛତ୍ରପତି-

 

କେବଳ ନିରାଶର ଦୀର୍ଘଶ୍ୱାସ । ତାର ଏଠି ସ୍ୱତ୍ୱ ଥାଇ ବି ସ୍ୱତ୍ୱ ନାହିଁ, କିଛି ନାହିଁ, ସେ କାହୁଁ ଅଇଲା ।

ପୁବୁଲିର ବେଶୁର ବିଭାଘର ହେବ ।

 

କ୍ଷତି କ’ଣ ଯଦି ବିଭାଘର ଯଥେଷ୍ଟ ପୂର୍ବରୁ ସ୍ୱାମୀ ସ୍ତ୍ରୀ ପରି ଏକାଠି ବହୁଦିନୁଁ ସେମାନେ ଘର ସଂସାର ଆରମ୍ଭ କରିଦେଲେଣି ? କନ୍ଧର ଆନନ୍ଦ ପୂଜାର ସଂସ୍କାର ଭିତରେ ସ୍ତ୍ରୀ ପୁରୁଷ ଚିହ୍ନାଚିହ୍ନି ହେବାକୁ ପରିସର ଅଛି, କେତେ ଖୋଜାଲୋଡ଼ା କେତେ ପରୀକ୍ଷା ଉତ୍ତାରୁ ଠିକଣା ପୁରୁଷକୁ ଠିକଣା ସ୍ତ୍ରୀ ଏହି ସଂସାର ଜଙ୍ଗଲରେ ଜୁଟେ, ସେ ସବୁ ପୂର୍ବରାଗ ବିବାହ ପିଞ୍ଜରାର ବାହାରେ । ବିବାହ ନ ହେଲେ ବି କ୍ଷତି ନ ଥିଲା, ବିବାହ ପର୍ବରେ ଅଧିକ ବା କ’ଣ ହୁଏ ? କିନ୍ତୁ ମଣିଷର ଶେଷ ଦୁର୍ବଳତା ଆତ୍ମାଭିଯାନ ଆତ୍ମସମ୍ମାନ କୌଣସି ଗୋଟାଏ ଜାତିରୁ ଅନ୍ତର ହୋଇ ନାହିଁ, ସେହି ଗୁଣକୁ ପରିପୁଷ୍ଟ କରି ଆତ୍ମପ୍ରସାଦ ପାଇବା ସକାଶେ ‘କନ୍ଧ’ ବିଭାହୁଏ, ‘ଗଦବା’ ବିଭାହୁଏ, ‘ପରଜା’ ବିଭାହୁଏ, ତାର ବିଭାଘର ଘଟି ସାରିଥିବା ମନର ଯୋଡ଼ର କେବଳ ଗୋଟାଏ ଶସ୍ତା ବିଜ୍ଞାପନ ।

 

ରଘୁ ସାଓଁତା ମୁଣ୍ଡ ଟୁଙ୍ଗାରି କହନ୍ତା, ‘ଗୋଟିଏ ବୋଲି ପୁଅ ମୋର, ତାର ବିଭାଘର ହେବ ନାହିଁ ?’ ଦିଉଡ଼ୁ ସାଓଁତା ନାଲି ଆଖି କରି ଗର୍ଜିଉଠି କହନ୍ତା, ‘କ’ଣ ! ମୋର ଭଉଣୀ କ’ଣ ପାଦ୍ରି ହୋଇଛି ଯେ ମୋର ଜାତିର ଟେକ ବୁଡ଼େଇ ଦେଇ ତଳଦେଶର ଲୋକଙ୍କ ପରି ରଖୁଣୀ ହୋଇ ରହିବ ?’

 

କିନ୍ତୁ ଏକା କଥା, ଏକାଦିନକେ ପାଟିର ପୁ’ଦ୍ୱାରା ବିବାହର ସବୁ ଗୂଢ଼ତତ୍ତ୍ୱ ଓଲଟେଇଦେଇ ପୁବୁଲି କହିଦେଇ ପାରନ୍ତା ‘ମୋର ସ୍ୱାମୀ ମତେ ଭଲ ପାଏ ନାହିଁ, ମୁଁ ମୋର ସ୍ୱାମୀକୁ ଭଲ ପାଏ ନାହିଁ, ଆଜିଠୁ ବିବାହ ଭାଙ୍ଗିଗଲା ମୁଁ ଚାଲିଲି ।’ ସନ୍ତାନ ଥିଲେ ପୋଷିବାକୁ କୌଣସି ଅସୁବିଧା ହୁଅନ୍ତା ନାହିଁ । ସନ୍ତାନ ବାପର, ଚୋରେଇ ନେଇପାରିଲେ ମା’ର ମଧ୍ୟ । ବଞ୍ଚିବାର ସରଞ୍ଜାମ ଯେଉଁଠି ଅତି ସରଳ, ଛଅ ବର୍ଷରେ କୋଡ଼ି କୁର୍‌ହାଡ଼ି ଧରି ମୁଣ୍ଡରେ ପଗଡ଼ି ବାନ୍ଧି ତୁଣ୍ଡରେ ପିକା ଲଗାଇ ଶିଶୁ ସଂସାରର ଉପାର୍ଜନକ୍ଷମ ମଣିଷ ଜଣେ ହୁଏ, ଯେଉଁଠି ପ୍ରାଣ ଧରିବାର ଉପକରଣ ଗୋଟାନ୍ତି ସ୍ତ୍ରୀ ପୁରୁଷ ଉଭୟେ, ଯେଉଁଠି ମାଟି କାଦୁଅ ଦୁଃଖ ମଡ଼କର ବିକଟ ବାସ୍ତବିକତା ଆଗରେ ସମସ୍ତେ ସମାନ, ସେଠିକାର ସମାଜ ହୁଏ ନିଆରା, ଅର୍ଥନୀତିର ପରିବର୍ତ୍ତିତ ସଂସ୍କରଣରେ ସେ ସମାଜର ମୂଳଦୁଆ, ଗୋଡ଼ରେ ହାତରେ ନାଇ ଝମଝମ କରିବାକୁ ସେଠି ସୌଖୀନ ଶୃଙ୍ଖଳ ନାହିଁ ।

 

ଯାହାହେଉ, ପୁବୁଲିର ବେଶୁର ବିଭାଘର ହେବ, ଗାଁ ଦାଣ୍ଡରେ ଦୁଇ ଗାଁ ଲୋକଙ୍କର ପଞ୍ଚାଏତ୍‌ରେ କଥା ପଡ଼ି ‘ଝୋଲା’ (କନ୍ୟାସୁନା) ଦିଆନିଆ ସରିବା ବେଳଠୁଁ ତାର ଶୁଭ ଦିଆହୋଇ ସରିଛି । ଦର୍ତନୀର ପୋର୍‌ହୁଆଁ ପୁଅ କନ୍ଧ, ଗୁମ୍ଫା ମଣିଷର ଉଷାମୟ ପଦ୍ଧତିରେ ତାର ବିବାହ ଆଚରଣ । ପ୍ରଥମେ ଭଞ୍ଜକବିଙ୍କର ଅନୁରାଗ, ତା’ପରେ ଯୁଦ୍ଧରେ କନ୍ୟାହରଣ ଏକପ୍ରକାର କାଞ୍ଚୀବିଜୟ ପରି, ତାହାପରେ ଶୁଭବିବାହ, ସମଗ୍ର ହଟ୍ଟଗୋଳ ମଝିରେ ମେରୁଦଣ୍ଡ ପରି ଥାକଥାକ ହୋଇ ସଜାସଜି ଘରକରଣା ପାଇଁ ମଣିଷର ଉଦ୍‌ବେଗ ଓ ଉଦ୍ୟମ । ସେହି ରାତିରେ ସାନ ଭୋଜିଟିଏ ହେଲା, କନ୍ଧ ଭୋଜି-ଭାତ ଭଲପାଏ । ଉଙ୍ଗା (ମାଂସ) ଆଉ କୁଚା (ଶାଗ), ଓଣ୍ଡା (ଭାତ) ଆଉ ତମ୍ପା (ମାଣ୍ଡିଆ ଭାତ) ସବୁ ଏକାଠି ମିଶାମିଶି, ଶେଷରେ ମିଟିଂର ଗୁପ୍ତ ଝୋଲାରୁ ଟିଣରେ ଟିଣେ ମଦ । ଉଭୟକୁଳ ଖୁସି ଥିଲେ । ଅଧରାତିରେ ଚାରିଆଡ଼କୁ ଚାହିଁ ସବୁ ନିଶ୍ଚଳ ନିଶବଦ ଠଉରେଇ ବେଶୁକନ୍ଧ ଧୀରେ ଧୀରେ ଘର ଭିତରକୁ ପଶିଗଲା । ସାହିରେ କେବଳ ନିଶ୍ୱାସର ଶବ୍ଦ, ଥାଇ ଥାଇ ଜଗୁଆଳି କୁକୁରଙ୍କ ପରିଚୟ । ଖାଇପିଇ ନିଘୋଡ଼ ନିଦରେ ସମସ୍ତେ । ଅନ୍ଧାରୁଆ ଘର ଦୁଆରମୁହଁରେ ଧଳା ଧଳା ହୋଇ ଜିକି ଜିକି କ’ଣ ଦିଶୁଛି । ବେଶୁ କନ୍ଧ ଠିଆହୋଇ ରହିଲା, ଶବ୍ଦ ନାହିଁ । ବୁଲିପଡ଼ି ବେଶୁ ଯିବାକୁ ଭାବିଲା, ଦେହରେ ବଳ ଥିବାରୁ ସଂଯମ ତାର ବେଶୀ, ପୁବୁଲି ଶୋଇଥିଲେ ସେ ତାକୁ ବିରକ୍ତ କରିବ ନାହିଁ । ବୁଲି ପଡ଼ୁପଡ଼ୁ ଧଡ଼ପଡ଼ ହୋଇ ପୁବୁଲି ଉଠି ଠିଆହେଲା, ବେଶୁ ଲେଉଟି ଆସିଲା । ତଣ୍ଟି ବସେଇ ବସେଇ ସାକୁଲେଇ ହୋଇ ପୁବୁଲି କହିଲା, ‘ଭାରି ନିଦ ମାଡ଼ୁଛି ।’ ବେଶୁ ହସିଲା ଏତେବେଳ ହେଲାଣି ଆଖି କସରା ପଡ଼ି ନାହିଁ, ସେହିପରି ଦୁଆର ମୁହଁରେ କବାଟକୁ ଆଉଜି ମେଞ୍ଚାମେଞ୍ଚି ହୋଇ ପୁବୁଲି ଅପେକ୍ଷା କରି ରହିଛି । ସେହି ପୁବୁଲି ତାର, ଗୋଟାସୁଦ୍ଧା ତାର ।

 

‘ନିଦ ମାଡ଼ିଲାଣି ଶୋଇ ନାହୁଁ କାହିଁକି ନୁନି ?’

‘କବାଟ ମେଲା ଅଛି, ଘରେ କେହି ନାହିଁ ।’

 

‘ଘର ଜଗିଚୁ ?’ ବେଶୁ ହସିଲା, ‘ଓଃ କେତେ ଝାଳ ବୋହୁଚି । ଘର ବଳେ ଆପେ ଆପଣାକୁ ଜଗିବ, ବଡ଼ ଗରମ ହେଉଛି, ଚାଲ୍ ଆମେ ବାହାରକୁ ଯିବା ।’

 

ଦୁହେଁ ବାହାରି ଚାଲିଗଲେ, ଝାଳ-ଧୂଳି-ମଳି-ବୋଳା ଲେଙ୍ଗୁଟିପିନ୍ଧା ପୁରୁଷଟିଏ, ତାର ରୁଢ଼ ବଢ଼ିଛି ଶତମୂଳି ଗଛର ଡଙ୍କପରି, ମୁହଁରେ ମହୁଲ ମଦର ଉତ୍‍କଟ ଗନ୍ଧ, ଦେହ ପଥର ପରି । ଆଉ ସ୍ତ୍ରୀଟି, ହଳଦି ଜଡ଼ାତେଲ ଓ ଝାଳର ପୁଟ ନାଇଛି, ଖୋଲା ଛାତିରେ ବୋଝ ବୋଝ କାଚମାଳି, ଅଣ୍ଟାରେ ଖଣ୍ଡେ ମୋଟ ଖଦି ।

 

ବାହାରି ଚାଲିଗଲେ,-ଡେଣାକୁ ଡେଣା ଖଞ୍ଜିଥିବା ଆକାଶର ଦୁଇ ଚଢ଼େଇ ପରି । ସେମାନେ ଚୋର ତସ୍କର ନୁହନ୍ତି,-ରାତିବୁଲା ପ୍ରାଣୀ; କେବଳ ମାଯି ଆଉ ବିଜୁଳି ଗୋଳିଆଗୋଳି ମଣିଷ ଦୋଟି, ରୁନ୍ଧାରୁନ୍ଧି ଘର କ’ଣରେ ଯାହାଙ୍କର ସମୟ କଟେଇବାକୁ କଷ୍ଟ ହୁଏ, ଆଉ ମନକଥା ଖୋଲି ଛାତିର ଧୁଡ଼ୁକି ଶୁଣି ଶୁଣି ଡୋଳା ଖୋସିଦେଇ ଏକାତାଳ ପିଟିବାକୁ ଦରକାର ଖୋଲା ଆକାଶ, ତରା ଥାଉ କି ନକ୍ଷତ୍ର ଥାଉ, ଖୋଲା ଭୂଇଁ, ପ୍ରକୃତି, ଝିଙ୍କାରି ଗୋଟିଏ ଯୋଡ଼ିଏ ଆଉ ରାତିର ଚଢ଼େଇ ।

 

ବାଟରେ ବେଶୁ କହିଲା, ‘ଆଉ ଡେରି ନାହିଁ ନୁନି, ଦିସାରି ଖୁବ୍ ଚଞ୍ଚଳ ଯୋଗ ଦେଇଛି, କାଲି ଆମର ବିଭାଘର ହେବ । ଜିନିଷ ଖଞ୍ଜାଖଞ୍ଜି, ବାଜା ଆଉ ଭୋଜି, କମି କି କାମ ? ସେଥିପାଇଁ ଏତେ ଡେରି ହେଲା ପରା । ଯାହା ହେଉ ନୁନି, ସବୁ ମନମାଫି ହେଉଛି, ତୋର ଗାଁ ଲୋକେ ମତେ ଆଉ ଦୋଷ ଦେବେ ନାହିଁ ।’ ପୁବୁଲି କିଛି କହିଲା ନାହିଁ, କେବଳ ବେଶୁର ହାତ ପାପୁଲିକୁ ଚାପି ଧରିଲା, ବାଟ ଚାଲିଲା ।

 

ଅନ୍ଧାର ରାତିରେ ବଣରେ ନିଆଁ ଲାଗିଛି, ଦୂରର ଦିଗ୍‌ବଳୟ ହାଲୋଳମୟ । କଳା ବିସ୍ତୃତି ଭିତରେ ଉପର ତଳ ହୋଇ ଛକାଛକି ହୋଇ ଗାର ଗାର ଆଲୁଅ ଝୁଲୁଛି, ଲତାପରି ଡଙ୍କେଇ ଡଙ୍କେଇ ଲେନ୍ତି ଲେନ୍ତି ଫୁଲ ଫଳ ଓହଳିଲା ପରି, ବଣ ଦେଶର ଖରାଦିନିଆଁ ହାବେଳି । ଅନ୍ଧାରରେ ନିଆଁ କେଡ଼େ ଖୁସି ଲାଗେ, ଅଜଣା ଭିତରେ ଜ୍ଞାନର ଧାସ ପରି, ପର୍ବତର ଅବୟବ ଦିଶୁ ନାହିଁ, କେବଳ ଶୂନ୍ୟେ ଶୂନ୍ୟେ ନିଆଁ ଦୋହଲୁଛି । କେବଳ ବିସ୍ମୟର ଦ୍ୟୋତକ ।

 

ପାଖପାଖ ତୋଟାର ଗଛସବୁ କମ୍ବଳ ଲଦାଲଦି, ମଝିରେ ମଝିରେ ଫାଙ୍କ ଭିତରେ ପାତଳ ଅନ୍ଧାର, ତଳ ଉପର ହୋଇ ଲମ୍ବିଯାଇଛି ଗଡ଼ିଗଡ଼ିକା, ଦୂରରେ ବର୍ଣ୍ଣର ବହଳ ପାତଳ ଘେନି ଏକା କଳା ଅନ୍ଧାରରେ ଭିନ୍ନ ଭିନ୍ନ ରୂପ । ଉପରେ ତାରା ଝକମକ, ଜଳ ଜଳ ଆଲୁଅ ପରି ଛାୟାପଥ ।

 

ଅଧରାତି ଗଡ଼ିଥାଏ । ଝିଙ୍କାରି ଝିଂ ଝିଂ କରୁଥାଏ । ଗୋଟା ଗୋଟା ଗୋଠଖଣ୍ଡିଆ ଜୁଳୁଜୁଳିଆ ପୋକ ଟିକି ମଶାଲ ଜାଳି ଦୂର ବାଟକୁ ତୀର୍ଥଯାତ୍ରା ଲଗେଇଥା’ନ୍ତି । ଉପରୁ ସର ସର ହୋଇ ଖଣ୍ଡ ଖଣ୍ଡ ତାରା-ଗୁଣ୍ଡି ଝଡ଼ିଲା ପରି ଉଲ୍‌କା ଖସିପଡ଼ି ଅଧବାଟରେ ନିଭିଯା’ନ୍ତି କେଉଁଆଡ଼େ-

 

ଏହିପରି ରାତିରେ ପଥର ଉପରେ ବେଶୁ ଆଉ ପୁବୁଲି ବସିରହିଥା’ନ୍ତି, କରେକେ ଗାଁ ଚାନ୍ଦର ନିର୍ଭରମୟ ଛବି, ଆଉ କରକେ ଭୂଇଁ ଢାଲୁ ହୋଇ ଚାଲିଯାଇଛି ସେପାଖର ଓହଳିଥିବା ପର୍ବତ ତଳର ପାତାଳର ପେଟକୁ ବୋଲି ।

 

ଢାଲୁରେ ଅଳ୍ପ ଦୂରରେ ନିଆଁ ପରି କଲରାପତିରିଆର ଆଖି ଜଳଜଳ କରି ବୁଲି ଲାଗିଲା । ବେଶୁ କହିଲା, ‘ସବୁଦିନେ ଏତିକିବେଳେ ଆସୁଛି କୁକୁର ଚୋରଣୀ ଡୁର୍କା, ପଟେ ଧଳା କୁକୁର କି ଧଳା ଛେଳି ବାନ୍ଧି ମଞ୍ଚାବାନ୍ଧି ଜଗିଲେ ହୁଅନ୍ତା ରାତିଏ ।’ ପୁବୁଲିର ଆଖି ଢୁଳେଇ ଆସୁଥାଏ, ଚମକିପଡ଼ି ଅନେଇଁ ଦେଇ ତାଚ୍ଛଲ୍ୟରେ କହିଲା, ‘ଓ ଏଇଟା’ । ସ୍ୱର ଶୁଣି ଡୁର୍କା ପଳେଇଗଲା, ଆଉ ବସିଲା ନାହିଁ ।

 

କେତେବେଳକେ, ଦୂର ବଣରୁ ମଡ଼ ମଡ଼ ସାଇଁ ସାଇଁ ହୋଇ ଶବ୍ଦ ଚହଟି ଆସିଲା । ବେଶୁ କହିଲା, ‘ତୋଫାନ ଆସୁଛି, ଚାଲ ଏଥର ଯିବା ।’ ତୋଫାନ ପାଖେଇ ଆସିଲା । ଆଗରୁ ଆଗରୁ ଦେହରୁ ଦେହ ଉଲୁସେଇ ହାବୁକା ହାବୁକା ପବନ । ଝିମିଝିମିଆଁ ଅନ୍ଧାର ରାତିରେ ତୋଫାନର ଶବ୍ଦରେ ମନ ଭିତରକୁ ଦୁର୍ବଳତା ଉଡ଼ି ଉଡ଼ି ଆସେ, ଆସେ କେତେ ଅଧା ଶୁଣିଥିବା ବୁଢ଼ୀମା’ ଗପର କିମ୍ଭୂତ କଳ୍ପନା । ପୁବୁଲିର ମନ ଭର୍ତ୍ତିଥାଏ, ଶାନ୍ତିର ଅଳସ ଆସ୍ତେ ଆଡ଼େଇ ଦେଇ ହାଇମାରି ପୁବୁଲି ଉଠି ପଡ଼ିଲା ।

 

ତୋଫାନର ଶବ୍ଦ ପାଖେଇ ଆସିଲା । ପୁବୁଲି କହିଲା, ‘ଏମିତି ଅନ୍ଧାର ଏ ତୋଫାନ ସଙ୍ଗେ ମିଶି ଭୂତ ପ୍ରେତ ବୁଲି ବାହାରିଥିବେ ନା-’

 

ବେଶୁ କହିଲା, ‘ବାହାରିଲେ ବାହାରନ୍ତୁ-ଆମର କ’ଣ କରିବେ ?’

 

ଘରପାଖୁଆ ହେବାରୁ ପୁବୁଲି କହିଲା, ‘ଭାବୁଥିଲି ଗୋଟିଏ କଥା, ମୁଁ ଯଦି ମରିବି ଏହି ଅନ୍ଧାର ରାତିରେ ତୋଫାନରେ ଆସି ତୁମର ଘରକରଣା ଦେଖି ଯାଉଥିବି, ତୁମେ କ’ଣ ଚିହ୍ନିପାରିବ-?’ ବେଶୁଠୁ ହାତମୋଡ଼ା ଖାଇ ପୁବୁଲି କହିଲା, ‘ଉ-ନା ଆଉ କହିବି ନାହିଁ, ଜାଣେ ପରା ତମେ ଚିଡ଼ିବ-।’

 

ଘର ଭିତରେ ବେଶୁ କହିଲା, ‘ଥିରି ହୋଇ ଶୋଇପଡ଼, କାଲି ପରା ଆମ ବା’ ଘର ।’

•••

 

ପଁଷଠି

 

ସେହି ନିଶା ରାତିରେ, ବୈଶାଖର ଅନ୍ଧାରି ତୋଫାନ ଆଗରେ ଯେତେବେଳେ ସବୁ କଡ଼ କଡ଼ ଡାକୁଥିଲା ସମସ୍ତେ ନିରାପଦରେ ଲୁଚିବାକୁ ଖୋଲ ଖୋଜୁଥିଲେ, ଗାତ ଖୋଜୁଥିଲେ, ପ୍ରକୃତିର ଭ୍ରୁକୁଟୀରେ ଖେଳୁଥିଲା ଅଜଣା ଭୟ, ସେହି ରାତିରେ ଚାଲିଥିଲା ଆଉ ଗୋଟିଏ ଲୋକ, ଗୋଟିଏ ଶୁଖିଲା ହାଡ଼ୁଆ ବୁଢ଼ାଟିଏ, କାନ୍ଧରେ ଟାଙ୍ଗିଆ ଖଣ୍ଡେ, ଗୋଟିଏ ହାତରେ ଜୁକୁଜୁକୁ ନିଆଁ ଅଟା, ଆର ହାତରେ ମାଠିଆଟିଏ । ଅନ୍ଧାରର ଅଂଶ ସେ ବି, ଅନ୍ଧାରି ଦେବତାର ଉପାସକ । ଗଛ ତଳେ ସେ ଖାଲି ମଡ଼ ମଡ଼ ପତରର ଶବ୍ଦ, ପଦାରେ ଖୋଲାରେ ତାରା ଆଲୁଅରେ ସେ କେବଳ ଗୋଟିଏ ଛାଇ, ପିଠି ମଝିରେ ବନ୍ଧନୀ ଚିହ୍ନପରି ଖଣ୍ଡିଏ ଶୁଖିଲା ପାଣିଖିଆ ବାଉଁଶର କଳା ଧନୁ, ତା ତଳକୁ ଦି’ଖଣ୍ଡ ବାଡ଼ି, ଚଟୁପରି ଚଟା ଚଟା ପିଚା ଦିଫାଳି ତରତର ହୋଇ ଆଗକୁ ପଛକୁ ବୁଲୁଛି, ବାଡ଼ି ଦି’ଖଣ୍ଡି ଚାଲିଛି ଠୁକୁରୁ ଠୁକୁରୁ ସମାନ ବ୍ୟବଧାନ, ସମାନ ଗତି ।

ସେହି ଏ ଗାଁର ଦିସାରି ବୁଢ଼ା, ପୁୟୁର କେଉଁ ବଂଶର ଲୋକ, ହାର୍ଗୁଣା ସଙ୍ଗେ ମିଣିଆପାୟୁ ଯାଇଥିଲା ସେଥର ପୁୟୁର ପୁଅକୁ ଆଶୀର୍ବାଦ କରିବାକୁ ।

ସାମ୍ନା ଆକାଶରେ ଅନ୍ଧାର ଉଡ଼େଇ ବର୍ଷର ପହିଲି ତୋଫାନ ଆସୁଛି; ପବନର ଗତିରେ ଗଛଲଟା ଦୋହଲି ଲାଗିଲାଣି, ବୁଢ଼ା ମାଠିଆଟିଏ ଧରି ଚାଲିଛି । ଆଜିର ନିଶାପରେ କାଲି ଦୁଇ ଟୋକା ଟୋକୀଙ୍କର ବିଭାଘର ବ୍ୟବସ୍ଥା ଦେଇଛି, କାଲିକା ଯୋଗରେ ବିଭାଘର ହେବ; ବୁଢ଼ାର ଦାୟିତ୍ୱ ପୂଜା ଭଲ ହେବ, ଦେବତା ପ୍ରସନ୍ନ ହେବ, ଯେଉଁ ଦୁଇଜଣଙ୍କୁ ସେ ଏକାଠି ଛନ୍ଦିବ ତାରପୂଜା ମନ୍ତ୍ରର ଦୃଢ଼ ଅଠାରେ ସେ ଦୁହିଁଙ୍କ ପ୍ରେମ ହେବ ଅଟଳ, ସୌଭାଗ୍ୟ ଆସିବ, ଜଣକର କଲ୍ୟାଣ ହେଲେ ଗୋଷ୍ଠୀର ମଙ୍ଗଳ ହେବ । ସେହି ଦାୟିତ୍ୱ ମୁଣ୍ଡେଇ ବୁଢ଼ାକୁ ନିଦ ନାହିଁ, ଭୁଲ୍‍ ହେଉ କି ଠିକ୍ ହେଉ ତର୍କର ଗୋଲକଧନ୍ଦାରେ ତାର ପାଦ ଖସି ନାହିଁ, କେବଳ ତାର ବିଶ୍ୱାସ, ସେହି ବିଶ୍ୱାସରେ ତାର ମନର ନିଷ୍ଠା ।

କାଲି ପୂଜା ହେବ । କନ୍ଧର ଶାସ୍ତ୍ରରେ ଅଛି ବିବାହ ପାଇଁ ଶୁଦ୍ଧପାଣି ମାଠିଆଏ ରାତିରୁ ସାଇତା ହୋଇ ରହିଥିବ । ନିଶା ଅନ୍ଧାରରେ, କେହି ଦେଖିବେ ନାହିଁ, କେହି ଜାଣିବେ ନାହିଁ, ତୁନି ତାନି ପାଣି ମାଠିଆଏ ଆଣି ସେ ସାଇତି ରଖିଥିବ । କାହାରି ଦୃଷ୍ଟି ପଡ଼ିଗଲେ ସେ ପାଣି ଅପବିତ୍ର ହୋଇଯିବ, ପଶୁ ତ ପଶୁ ଟିକି ଚଢ଼େଇଟିଏ ଯଦି ସେହି ଘାଟରେ ସେତେବେଳେ ଥଣ୍ଟ ବୁଡ଼େଇଥିବ, ତେବେ ବି ସେ ଘାଟରୁ ପାଣି ନେଲେ ଅଶୁଦ୍ଧ ହୋଇଯିବ, ତେଣୁ ନିରୋଳା ନିଛାଟିଆରେ ତାର ଅଭିଯାନ-, ଆସ୍ତା, ଉତ୍ରା ଅଥବା ‘ଲଦା’ ଯୋଗ ପଡ଼ିଥିବ, କନ୍ଧ ଗଣତିରେ ସତେଇଶି ଯୋଗ ଭିତରେ ଶୁଦ୍ଧ ଯୋଗ; ବଣର ଚଢ଼େଇ ପାଣି ପିଉ ନ ଥିବେ, ସେତିକିବେଳେ ନୂଆ ମାଠିଆଟିଏ ଧରି ଦିସାରି ପାଣିକୁ ଓହ୍ଲାଇବ । ସେହି ପାଣିରେ ବିଭାଘର କାମ ।

ତୋଫାନ ଭିତରେ ମହାବଳର ବୋବାଳି ପରି କ’ଣ ଶୁଭୁଛିନା, ତୋଫାନ ତାକୁ ଆଖିମିଟିକା ମାରିଛି, ଏହି ତାର ବେଳ । ଏହି ଯୋଡ଼ି ବରଓସ୍ତ ତଳେ ସେ ବର୍ଷ ବାଘ ଖାଇଥିଲା, ଆହୁରି ହେଇ ସେ ମକ୍‌କା ପଦର ଉପରେ, ପୁଣି ସେଠି ମାଣ୍ଡିଆ କ୍ଷେତର କୁଦ ଉପରେ ଡେଙ୍ଗା ପଥରର ଗୋଡ଼ତଳେ, ପଦେ ପଦେ ବିପଦର ଇତିହାସ । ଝୋଲାର ସେହି ବାଙ୍କରେ, ସେ ଦିନର କଥା ତ, ଷାଠି ସାପ ପାଣିଭିତରୁ ଲାଞ୍ଜ ଛାଟି ଗାଁର ଗୋଟିଏ ବୁଢ଼ୀକୁ ଅତଡ଼ାରୁ ତଳେ ପକାଇ ଦେଇଥିଲା; ଅପମୃତ୍ୟୁ ।

ଗାଁଠୁ ଦୂରକୁ ଅନ୍ଧାରେ, ଗୋଡ଼ପାଖେ କେତେ ପ୍ରକାର ଶବ୍ଦ, କ’ଣ ସବୁ ଚାଲି ଯାଉଛନ୍ତି, କିଏ ଛକୁଛି କିଏ ଡେଇଁ ପଡ଼ୁଛି, କିଏ ଲୁଚୁଛି । ଦେବତାର ବେଳ ଏ, ଆଉ ପଶୁର, ମଣିଷ ଅଚେତ ନିଘୋଡ଼ ନିଦରେ, ବୁଢ଼ା ଚାଲିଛି । କାଲି ଛାଡ଼ି ଆରଦିନ ହୁଏତ ତାର କାଳ ପୂରିଯିବ, ତା’ପରେ ‘ଡୁମା’ ହୋଇ ଏହି ଅନ୍ଧାର ଆଉ ତୋଫାନ ସଙ୍ଗେ ମିଶି ସେ ବୁଲୁଥିବ, ଯେପର୍ଯ୍ୟନ୍ତ ଜନ୍ମ ନ ହୋଇଛି । ସେଥିପ୍ରତି ବୁଢ଼ାର ଭ୍ରୂକ୍ଷେପ ନାହିଁ । ସେ କନ୍ଧ, ସେ ସଂସାରକୁ ଯେପରି ପାଏ ସେହିପରି ନିଏ, ଭୟ ଥିଲେ ବି କର୍ତ୍ତବ୍ୟରୁ ହଲେଇ ଦେଇପାରିବେ ନାହିଁ । ତାହାରି ଦେଖନ୍ତିରେ ଏହି ଅତଡ଼ା ଉପରେ କେଜାଣି କେତେ ଲୋକଙ୍କର ଛାଇ ଅସ୍ତ ହୋଇଯାଇଛି, ଏହି ନିରୋଳାରେ ସବୁ ମନେପଡ଼େ । ତାର କଷଟି ସେହିମାନେ, ଫାଙ୍କା ପବନର ବି ଆଖି ଅଛି, ଦର୍ମୁ ଶୁଏ ନାହିଁ, ଦର୍ତନୀ ଶୁଏ ନାହିଁ ଏବଂ କାୟା ଛାଡ଼ି ଛାୟା ହୋଇଥିବା ଯେତେ ପୂର୍ବପୁରୁଷଙ୍କର ଡୁମା, ସମସ୍ତେ ସବୁବେଳେ ଦେଖୁଥା’ନ୍ତି କନ୍ଧ ଆଦର୍ଶ ରଖିଛି ନା ହଜେଇ ଦେଇଛି ।

ସେହି ଶୁଖିଲା ଦିସାରି, ଲୋକ ଗଣତିରେ ଜଣେ ସେ ଦଳ ଗଣତିରେ କେଉଁ ପଛରେ ଗହଳି ଭିତରେ ଦେହଟାକୁ ସେ ଚାପିଦେଇ ଲୁଚେଇ ଦେଇଥାଏ । ‘ଅଧିକାରୀ’ର ଆଖିରେ ଲେଙ୍ଗୁଟିପିନ୍ଧା ଧୂଆଁପତ୍ରଖିଆ କନ୍ଧଟାଏ, ଫୁରୁଫୁରୁ ବାଳ, ଦୃଷ୍ଟି ତଳକୁ ତଳକୁ, ବିଶିଷ୍ଟତା ନାହିଁ କାରଣ ଦୁର୍ବଳ ବୁଢ଼ାଟାଏ,-କାଉଡ଼ି ବୋହି ପାରିବ ନାହିଁ, ଡାଳ ହାଣିବାକୁ ଦେଲେ ଥକିଯିବ ।

କିନ୍ତୁ ଅଧରାତିରେ ସେ ଚାଲିଛି, ଦିନରେ ଯେ ମୌନ ଅନ୍ଧାରରେ ସେ ତ୍ୟାଗର ଦୀପ୍ତିରେ ହସମୁହଁ ହୋଇ ଚାଲିଛି, ତାହାରି ଏ ଶୁଖିଲା ହାତ ଲାଗି କେତେ ଘରୁ ଅନିଷ୍ଟ କଟିଛି, କେତେ ବିବାହ ସୁଖର ହୋଇଛି, ଖାସୁଲା ଖାସୁଲା ଧୂଳିଆମଳିଆ ସବଳ କନ୍ଧପିଲା ଏତେ ଏତେ,-ସବୁ ତାର କରାମତି, ତାର ନିଷ୍ଠାପରତାର ପ୍ରମାଣ ବୋଲି ସେ ଭାବେ, ସମାଜର ଉପକାରରେ ଲାଗିଛି ବୋଲି ଖୁସିପାଏ ।

ଚାରିଆଡ଼କୁ ଅନେଇ ଦେଇ ଝୋଲାର କଳା ଅତଡ଼ା ବାଟେ ଅନ୍ଧାର ଭିତରକୁ ସେ ଓହ୍ଲେଇ ଗଲା, ଥୁଣ୍ଟା ଆଉ ପଥରଖଣ୍ଡ, ତଳର ରେଗେଡ଼ା ମଟାଳ, ସ୍ପର୍ଶରେ ସେ ବାଟ ଚିହ୍ନେ, ଦୁନିଆକୁ ଚିହ୍ନେ । ପାଣିମାଠିଆ ଧରି ସେ ଉଠିପଡ଼ିଲା, ତୋଫାନ ବଢ଼ିଲାଣି, ନିଆଁ ଅଟାରୁ ଛିରିକି ଛିରିକି ଝୁରା ଉଡ଼ୁଛି, ଆକାଶର ଫାଳେ ଅନ୍ଧାର ହେଲାଣି, ଦୂରରେ ଘଡ଼ଘଡ଼ି ଉପରେ ଘଡ଼ଘଡ଼ି । ସେହି ନିଆଁଅଟାକୁ ସେ ଦୃଢ଼କରି ଧରିଥାଏ, ପାଣିମାଠିଆଟି ହୁସିଆରରେ ସାଇତିଥାଏ । ପୃଥିବୀର ବିକଟାଳ ରୂପ ଦେଖି ଶୁଖିଲା ଛାତି ଭିତରେ ଖସଖସ ଲାଗୁଥାଏ, କାରଣ କର୍ତ୍ତବ୍ୟ ସରିଛି । ତରତର ହୋଇ ଚାଲିଆସିଲାବେଳେ ଦିସାରି ମନ୍ତ୍ର ଜପୁଥାଏ-

‘ସାପ ନ ଖାଉ,-

ବାଘ ନ ଖାଉ,

ଗୋଡ଼ରେ କଣ୍ଟା ନ ପଶୁ-

ମୁଣ୍ଡରେ ଝଟା ନ ଲାଗୁ-

କାହାରି ଦୃଷ୍ଟି ନ ପଡ଼ୁ, ସବୁ ସୁଖର ହେଉ-’

ପବନରେ ମନ୍ତ୍ରର ଶବ୍ଦ ସେ ଶୁଣିପାରୁ ନ ଥାଏ, ଶୁଣୁଥାଏ ମନେ ମନେ ।

କନ୍ଧ ଗୋଷ୍ଠୀର ଜଣେ ନଗଣ୍ୟ କର୍ମୀ ସେ, ତାର କାମ ନିଜ ପାଇଁ ନୁହେଁ, ତାର ଦଳ ପାଇଁ ।

•••

 

ଛଷଠି

 

ରାତିର ତୋଫାନ ରାତିରେ କୁଆଡ଼େ ଗଲା ଚାଲି । ସକାଳୁ ଉଜ୍ଜ୍ୱଳ ହୋଇ ପୂର୍ବଦିଗରେ ସିନ୍ଦୂରା ଫାଟିଲା; ଘର କୁକୁଡ଼ାଙ୍କ ପାଟି, ବଣ କୁକୁଡ଼ାଙ୍କ କୁହାଟ, ମୟୂର ବୋବାଳି, ରୁନ୍ଧି ରହିଥିବା ବଣ ଚଢ଼େଇଙ୍କ କୋଳାହଳ, ସବୁମିଶି ରଜା ନିଦ ଭାଙ୍ଗିବାର ନହବତ ବାଜଣାଠୁ ବଳି ଦୁନିଆର କାମିକା ମଣିଷକୁ ସୃଷ୍ଟିର ଆନନ୍ଦ ବିଶ୍ୱାସର ସ୍ୱାଗତମ୍ । ପୁବୁଲି ଉଠିଲା, ପରସ୍ପରକୁ ଅନେଇ ରହି ଗୋଟିଏ ଚିନ୍ତାରେ ମଗ୍ନ ରହି ଦୁହେଁ ଦୁହିଁଙ୍କୁ ଅପେକ୍ଷା କଲେ, ଆଜି ତାଙ୍କର ବାହାଘର ।

 

ଏକାଠି ଘରକରି ରହିଲେଣି ବୋଲି ଚମକ ତାଙ୍କର ଊଣା ନୁହେଁ, ବିଭାଘର ଦଳର ଚମକ, ଗୋଟିକିଆ ମଣିଷ ସେଥିରେ ଭାଗ ନେବାକୁ ବାଧ୍ୟ । ଆଜି ଦଳ ସହିତ ତାଙ୍କର ଚୁକ୍ତି ହେବ, ସମସ୍ତିଙ୍କ ପରି ସେମାନେ ବି ପରସ୍ପରକୁ ଆବୋରି ସଂସାର କରିବେ, ଆଜି ଭବିଷ୍ୟତ୍‍ର ସ୍ୱପ୍ନକୁ ଦଳର ଆଖିରେ ସେମାନେ ଦେଖିବେ, ସବୁ ଆନନ୍ଦ ଆଉ ବିସ୍ମୟ । ଶୁଭଦିନ ।

 

ବେଶୁ ଗଲା, ଆୟୋଜନ କରିବାକୁ ହେବ । ବେଜୁଣୀ ଓ ଦିସାରିଙ୍କୁ କୁହାପୋଛା, ଦୁଆରେ ଛାମୁଡ଼ିଆ ତିଆରି । ପର ପରି ଆଡ଼େଇ ହୋଇ ରହିଲେ ତାର ଚଳିବ ନାହିଁ; ବୁଢ଼ା ବାପ । ପୁବୁଲି ଗଲା, ଘରଦ୍ୱାର ଲିପାପୋଛା କରି ସବୁ ଠିକଣା ରଖିବା ତାର ଦାୟିତ୍ୱ, ସବୁ ସାରି ସେ ନିଜେ ପ୍ରସ୍ତୁତ ହେବ । ରଘୁ ସାଓଁତା ସକାଳୁ ଉଠି କୁଆଡ଼େ ଯାଇଛି, ତାର ଦେଖା ନାହିଁ । ମିଣିଆପାୟୁର ଲୋକ ବାହାରେ ବାହାରେ ।

 

ବୋଝେ କାମ ସାରି ଝାଳ ସରସର ହୋଇ ବେଶୁ ପହଞ୍ଚିଲା ଜାଗିଲି କନ୍ଧ ପାଖରେ । ଜାଗିଲି ତାର ବନ୍ଧୁ ଏବଂ ଜାଗିଲି ଖିଅର କରେ । ଜାଗିଲି ହସି ହସି ଧୂଆଁପତ୍ର ବଢ଼େଇ ଦେଲା, କହିଲା, ‘ବସ ।’ ବେଶୁ କାହିଁକି ଆସିଛି ଜାଗିଲି ଅନୁମାନ କରିପାରୁଥିଲା, ତଥାପି କହିଲା, ‘କୁଆଡ଼େ ଶିକାରକୁ ଯିବାକୁ ଡାକି ଆସିଲୁ, ଭଲ ହେଲା ମୟୂର ଉତ୍ରି ଥିବେ ।’

 

ନାଁ ଆଜି ଶିକାର ନୁହେଁ ।

 

‘ଶିକାର ଅଛି ଯେ ତୁ ଏକୁଟିଆ ଯିବୁ, ମୁଁ ଗଲେ ଭାଗ ଦେବାକୁ ପଡ଼ିବ, ଆଜି ତୁ ଭାଗ ଦେବୁ ନାହିଁ । ଏହି କଥା ନା ।’

 

‘ସତେରେ, ଶିକାର ଯିବି ନାହିଁ । ହେଇ ଦେଖିଲୁ କେତେ ରୁଢ଼ ବଢ଼ିଛି ଭାଲୁପରି ହେଲିଣି, ଆଉ ମୁଣ୍ଡରେ ଯେଉଁ ବାଳ, ଆହାହା-। ଗରମ ବଢ଼ୁଛି କିନା, ବାଳଗୁଡ଼ାକ ବଡ଼ ଅଡ଼ୁଆ ଲାଗୁଛି, ଟିକିଏ ହିଣିପି (ଖିଅର କରି) ଦିଅନ୍ତୁ ନାହିଁ ?’

 

‘ହାଁ ହାଁ, ଦେବା, କାହିଁକି ନ ଦେବା । ଗରମ ତ ବଢ଼ୁଥିବ, ଏଥର ଆହୁରି ବଢ଼ିବ, ନା କ’ଣ ?’ ଦିହେଁ ହସିଲେ । ବେଶୁ ଆଣ୍ଠୁଯୋଡ଼ି ବସି ରହିଲା, ଜାଗିଲି ତାର କାମ ଆରମ୍ଭ କଲା । ଚାଳରୁ ତାର ହିଣିପ୍‌ପା (ଖୁର) ବାହାର କଲା, ମସ୍ତବଡ଼ ହତିଆର, ସେହି ଗୋଟାଏ ଛୁରୀରେ ଦୁଇ କାମ ଚାଲେ-ଖିଅର ଓ ବାଳକଟା । ବେଶୁର ମୁହଁ ସଫା ହେଲା, ଠାଏ ଦିଠା ଆଞ୍ଚୁଡ଼ି ହୋଇଯାଇ ରକ୍ତ ବୋହୁଥାଏ । ସିଧା କପାଳ ଉପରକୁ ମୁଣ୍ଡରେ ଅଧେ ବାଟଯାକେ ପରିଷ୍କାର ହୋଇ ଖିଅର ହେଲା, ସେହ ହିଣିପା ଦାଢ଼ରେ ମାଣ୍ଡିଆ ଫସଲ କାଟିଲାପରି ଚୁଟିକୁ ହାତରେ ଝାଙ୍କି ଧରି ଛୋଟ କରି କରିକା ଜାଗିଲି ଆଗକୁ ମାଡ଼ିଲା, ବେଶୁ ଖାଲି କହୁଥାଏ, ‘ସମାନ ହେଉଛି ତ ?’

 

ମୁଣ୍ଡ ପଛପଟେ ମେଞ୍ଚାଏ ଲମ୍ବା ବାଳ, ଜନମ ବାଳ, ମୁଣ୍ଡର ବାଳର ସୁଦ୍ଧା ଲମ୍ବା ଇତିହାସ ଅଛି ଏଣିକି ତାର ପ୍ରମାଣ । ଖିଅର ସରିଲା । କରେ କରେ ଚନ୍ଦା ହୋଇ ମଝିରେ ନଡ଼ିଆ ଭୁଣ୍ଡିପରି ପୁଳିଏ ବାଳ, ସେହି ତାର ଶୋଭା, ସେହି ତାର ସୁନ୍ଦର । ମୁଣ୍ଡର ସଦ୍ୟ ଚନ୍ଦା ହୋଇଥିବା ଅଂଶ ଧଳାଧଳା ଦିଶୁଛି, ମଝିବଣ ଚାରିପାଖେ ସଦ୍ୟ ପୋଡ଼ୁର ପାଉଁଶପରି । ଏତେବଡ଼ ହତିଆରରେ କେଉଁଠି ଜଙ୍ଗଲ ହାଣିଲାପରି ନିଠେଇ ନିଠେଇ ଖିଅର ହେବା ଗୋଟାଏ ନିମିତ୍ତି ଉଠେଇବା ସଙ୍ଗେ ସମାନ । ସବୁ ସହି ଗମ୍ଭୀର ହୋଇ ବେଶୁ ତାର କର୍ତ୍ତବ୍ୟ କରୁଥାଏ, କେବଳ ଝାଳେଇ ପଡ଼ୁଥାଏ ।

 

ସେଠୁ ଗଲା । ଝୋଲାର କାକର ପାଣିରେ ବୁଡ଼ିବୁଡ଼ି ଗାଧୋଇଲା, ସରୁବାଲି ଆଉ ‘ଚିଲି’ ପତ୍ର ମିଶେଇ ହାତ ରଗଡ଼ି ରଗଡ଼ି ଘଷିହେଲା, ସବୁ ତମ୍ବାବର୍ଣ୍ଣ ପଡ଼ିଗଲା । ଖଣ୍ଡେ ସଫା କୌପୁନୀ । ମୁଣ୍ଡରେ ଜଡ଼ାତେଲ ବୋଳି ବାଳକୁ କୁଣ୍ଡେଇ ଗଣ୍ଠି ପକେଇଦେଲା ଦେଉଳପରି, ତାହା ଭିତରେ ଖଣ୍ଡେ ସାନ କାଠ ପାନିଆଁ ।

 

ଶୁଚି ଓ ନିଷ୍ଠାରେ ମନ ଭିତର ପବିତ୍ର । ଝୋଲାକୂଳରୁ ପ୍ରସ୍ତୁତ ହୋଇ ଗାଁକୁ ଆସୁ ଆସୁ ମନେ ମନେ ବେଶୁ କନ୍ଧ ଦେବତାମାନଙ୍କୁ ଡାକୁଥାଏ, ଦର୍ମୁ, ଦର୍ତନୀ, ଝାକର ଦେବତା, ବଣ ଦେବତା, ଘର ଦେବତା । ଆଜି ତାର ଏତେ ବଡ଼ ଦିନ । ସମସ୍ତିଙ୍କ ସାହାଯ୍ୟ ଦରକାର । କେତେ ଅଦେଖା ବିପଦ, ଅଜଣା ଅମଙ୍ଗଳ; ମଣିଷର ଜୀବନ ପାଣିଫୋଟକା ପରି । ଯେତେ ଦମ୍ଭ ଥାଉ ସାହସ ଥାଉ; ଗମ୍ଭୀର ହୋଇ ଜୀବନର ନିଷ୍ପତ୍ତି ଆଗରେ ମୁହାଁମୁହିଁ ହୋଇ ଠିଆହେଲେ ମୁଣ୍ଡ ଘୂରିଯାଏ, ସୂର୍ଯ୍ୟକୁ ଅନେଇଁ ମଣିଷ ତେଜ ଭିକ୍ଷା କରେ, ପବନଠୁଁ ବଳ, ମାଟିଠୁ ସହିବା ଶକ୍ତି ।

 

ସେପାଖ ବଣରେ ମୟୂର ପାଟି କରୁଛନ୍ତି ।

 

ମୟୂର ମାଂସର ସୁଆଦ ମନେପଡ଼ିଲା, ବଣ ବୁଲିଯିବା ନିଶା । ବେଶୁ ସେହିସବୁ ରୋକିନେଲା, ଶିକାରୀର ଧନୁର୍ବାଣ କରକୁ ଡେରିଦେଇ ମାଂସର ବୃତ୍ତ ନିରୋଧ କରି ସେ ତପସ୍ୟା କରିବ, ସବୁ ମଙ୍ଗଳ ତାର ଦରକାର ।

 

ଜୀବନ ଭିତରେ ଆଜିର ଦିନଟିଏ ତ, ଜନ୍ମ ହେବାଦିନ ମନେ ନାହିଁ, ମରଣଦିନ ଚେତା ନ ଥିବ । ଦୁଇ ଶିଖର ମଝିରେ ଆଜିହିଁ ତାର ମନମାପି ଘାଟି, ଅନୁଭୂତିର ଲହଡ଼ି ଆଗକୁ ପଛକୁ ।

•••

 

ସତଷଠି

 

ପୁବୁଲିକୁ ହଳଦୀ ଜଡ଼ାତେଲରେ ଜୁଡ଼ୁବୁଡ଼ୁ କରି ମିଟିଂଗାଁର ଝିଅମାନେ ଘାଟକୁ ନେଇଗଲେ । ଧାର ଲାଗିଛନ୍ତି ପଚାଶ ଝିଅ । କେଉଁ ଗାଁର ସେ, କେଉଁ ଗାଁର ସେମାନେ । କିନ୍ତୁ ଉତ୍ସାହ ତାଙ୍କରି । ପଚାଶଟି ମୁହଁ ଝଲସି ଉଠୁଛି ଆନନ୍ଦରେ, ପଚାଶ କଣ୍ଠରୁ ଏକାଥରକେ ଗୀତ । ପୁବୁଲି ତାର ନିଜର ନୁହେଁ, ସେ ଗୋଷ୍ଠୀର । ଗାଁ ଦାଣ୍ଡରେ ବାଜା ବସିଛି, ଗାଁଯାକ ଲୋକ ଉତ୍ସବ ପାଇଁ ପ୍ରସ୍ତୁତ, ଗାଁର ବୋହୂ ଝିଅ ନୂଆ କନିଆଁର ସଙ୍ଗେ ସଙ୍ଗେ । କନ୍ଧ ଏକାଶେଣିକିଆ ଗାଁର ରୀତି ଏହି, ଜଣକର ଯାହା ସମସ୍ତଙ୍କର ତାହା ।

 

ପର୍ବତମାଳାର ଢେଉଢେଉକା ଦେଶ ଉପରେ ବିଭାଦିନର ଆନନ୍ଦ କାନ ବଧିରା କରି ଗଡ଼ି ଲାଗିଥାଏ । ବାଟର ବାଟୋଇ କାନ୍ଧର ବୋଝ ଉତୁରେଇ ଦେଇ ଠିଆହୋଇ କାନପାରେ । ପର ଗାଁର ସ୍ତ୍ରୀଲୋକ ଚାଲିଗଲାବେଳେ ଏ ଗାଁର ବାହାଗୀତର ଘୋଷାରେ କଣ୍ଠ ମିଶାନ୍ତି ।

 

ଶାନ୍ତିସ୍ନିଗ୍‌ଧ ବଣ କୋଳରେ ପଥୁରିଆ ଚପଳା ନଈ । ଚହଳ ପକେଇ ସମସ୍ତେ ପାଣିକି ଓହ୍ଲେଇଲେ । କନ୍ୟା ଉପରକୁ ଆଞ୍ଜୁଳା ଆଞ୍ଜୁଳା ପାଣି ଫୋପାଡ଼ି ଫୋପାଡ଼ି ପାଣି ଛାଟିବାର ଗୀତ ବୋଲିଲେ ।

 

ସମସ୍ତେ ଆନନ୍ଦରେ ମତ୍ତ । ପୁବୁଲି କେବଳ ଖେଳେଣା କଣ୍ଢେଇଟିଏ । କିଏ ଦେହରେ ମୁହଁରେ ବଟା ଚିଲିପତ୍ର ବୋଳି ମଳି ଛଡ଼େଇଦେଲା, କିଏ ଘଷିଦେଲା, କିଏ ପୋଛିଦେଲା । ପୁଣି ପୁବୁଲିକୁ ପାଣିରୁ ଉଠେଇ ସେମାନେ ନେଇ ଚାଲିଲେ, ସମସ୍ୱର ଗୀତ ଛାଡ଼ ନ ଥାଏ, ପୁବୁଲିର ନିଜର ଆୟତ୍ତ ନ ଥାଏ । କେବଳ ଗୋଟାଏ ପ୍ରତୀକ ସେ, ସେହିଆକୁ ଉପଲକ୍ଷ କରି ଭଲପାଇ ଘର କରିବା ଶକ୍ତି ଆଗରେ ଏତେ ମଣିଷଙ୍କର ଗୀତ ନାଚ । ମୁଣ୍ଡରେ ଜଡ଼ାତେଲ ମଖାହୋଇ ମୁଣ୍ଡ କୁଣ୍ଡେଇ ଦିଆହେଲା, ଦେହରେ ମୁହଁରେ ହଳଦୀ ଓ ଜଡ଼ାତେଲର ପୁଟ । ଦେହଯାକ ଲେନ୍ତି ଲେନ୍ତି ବଣଫୁଲମାଳ । କନ୍ଧଦେଶର ବିଚିତ୍ର ଅଳଙ୍କାରରେ ଝଣଝଣ ହାତଗୋଡ଼ । ରଘୁ ସାଓଁତା ଖଣ୍ଡିଏ ନୂଆ ଖଦି ଓ ଗୋଟିଏ ଟଙ୍କା ଉପହାର ଦେଲା । ପୁବୁଲି ବି ପ୍ରସ୍ତୁତ ହେଲା ।

 

ବେଳ ଦୁଇଲାଠିବେଳକୁ ରଘୁ ସାଓଁତାର ଦାଣ୍ଡ ବାଇଦ ବାଜଣାରେ କମ୍ପିଉଠିଲା । ଗାଁ ଲୋକେ ସେଠି ରୁଣ୍ଡ ହେଲେ । ଛାମୁଡ଼ିଆ ତିଆରି ସରିଛି, ତିନି କରେ ଡାଳ ପତ୍ର ଛାଟିଦେଇ ଅନ୍ଧାରୁଆ ଘରଟିଏ ହୋଇଛି । ଦିସାରି ବୁଢ଼ା ତାହାରି ଭିତରେ ମଙ୍ଗଳ କଳସ ରଖିଦେଲା, ଗଲା ରାତିରେ ଏତେ କଷ୍ଟରେ ଆଣିଥିବା ପାଣି ମାଠିଆକ । ଭାଲିଆ ଫଳ, ରଙ୍ଗ ମୁରୁଜ, ହଳଦୀବୋଳା ଅରୁଆ ଚାଉଳ ପକେଇଲା, ଦୀପ ଲଗାଇଲା, ଧୂପ ଜାଳିଲା । ଏକୁଟିଆ ସେହି ଅନ୍ଧାର ଘରେ ବସି ଗାଁର ପୁରୋହିତ ‘ଜାନି’ ଅବୁଝା ମନ୍ତ୍ରର ମେଘର ବାମ୍ଫ ଉଡ଼େଇଦେଇ ଦେବତା ଥାପିଲା । ବାହାରେ ଗାଁର ବେଜୁଣୀ ସଙ୍ଗେ ବୁଢ଼ାମାନେ ପାଳି ଧରିଲେ । ମଶା ଘାଉଁ ଘାଉଁଠୁ ଆରମ୍ଭକରି ଢୋଲର ଶବ୍ଦ ପର୍ଯ୍ୟନ୍ତ ଉଠି ଉଠି ମନ୍ତ୍ର ଚାଲିଲା, ବେଜୁଣୀକୁ କାଳିଶି ଲାଗିଲା, ପୂଜା ଆରମ୍ଭ ହେଲା-

 

ବେଜୁଣୀ ଡେଇଁଲା । ସାହିମାଇପେ ତାହା ପଛେ ପଛେ ଗୋଡ଼େଇଲେ, ରନ୍ଧାମଦ ଢଳା ହେଲା, କୁକୁଡ଼ାଡିମ୍ବ ଥୁଆହେଲା, କାର୍ଯ୍ୟ ବଢ଼ିଚାଲିଲା ।

 

ଦିସାରି ଲଗ୍ନ ଧରିଦେଲାରୁ କନ୍ୟାକୁ ନେଇ ସମସ୍ତେ ଝୋଲା (ନଈ) କୂଳକୁ ଗଲେ । ସେଠି ଆଗ ରାହୁପୂଜା ଅର୍ଥାତ୍ ଘାଟପୂଜା, ତା’ପରେ ବଣ ଭିତରେ ଝାକର ଦେବତାକୁ ପୂଜା, ଅନ୍ୟାନ୍ୟ ଦିଅଁ ଦେବତାଙ୍କୁ ଜଣାଣ । ଗାଁ ଚାରପଟେ ଦେବତା ସ୍ଥାନମାନଙ୍କରେ ଚିତ୍ର ହୋଇଥିବା ସାନ ସାନ କାଠବର୍ଚ୍ଛା, କାଠଖଣ୍ଡା ଥୁଆହେଲା, କୁକୁଡ଼ା ଡିମ୍ବ, ଫୁଲ ଥୁଆ ହେଲା । ସେତେବେଳକୁ ମୁଣ୍ଡେ ବେଳ । କନ୍ୟା ପଛେ ପଛେ ଦୁଇଧାର ହୋଇ ସ୍ତ୍ରୀ ଓ ପୁରୁଷମାନେ ପାଖ ବଣକୁ ଗଲେ, ତୁଣ୍ଡରେ ‘ବାଇଲେ ବାଇଲେ’ ଘୋଷାର ଗୀତ । ବଣରେ ‘କନ୍ଦା ଖୋଳା’ ପର୍ବ । କନ୍ୟା କନ୍ଦାଖଣ୍ଡିଏ ବୋହି ଫେରିଆସିଲା, ତାହା ପଛେ ପଛେ କଦଳୀ, କନ୍ଦା ଓ ଅନ୍ୟାନ୍ୟ ପରିବାପାତି ବୋହି ପଟୁଆର କରି ଧାଂଡାମାନେ ଚାଲିଲେ । ସ୍ତ୍ରୀ ପୁରୁଷ ଗୋଡ଼େଇଲେ । ଗାଁ ବୁଲା ହେଲା । ଧାଂଡାମାନେ ‘କନ୍ଦା-ଖୋଳା’ ଗୀତ ବୋଲୁଥା’ନ୍ତି, ଗୀତର ଗହଳ ଘୋଷାରେ କେବଳ ‘ଡୁଁବରା ମାଲିଗାଁ’ ଧାଂଡୀମାନଙ୍କୁ ଶରଧାରେ ‘ଡୁମ୍ବର’ ‘ଲେମ୍ବର’ ବୋଲି ଡାକି ଆପେ ବାହାଦୁରୀ ନେବା ଖଞ୍ଜ-

 

‘ହେଁ ହେଁ ଡୁଁବରା ମାଲିଗାଁ-(ଆରେ ଡୁମ୍ବରମାନେ, ମାଲିମାନେ) ।

ତାଡ଼ିଁଗା ତାଚ୍ଚାମାନ୍ନା ମେଲ (ଆମେ କଦଳୀ ଆଣିଛୁଁ)

କୁନ୍ନାଆଁ ତାଚ୍ଚାମାନ୍ନା ମେଲ (ଆମେ କନ୍ଦା ଆଣିଛୁଁ)

ବିରିବାଡ଼ାତି ଲେହେଁ ତତ୍ତି

ମେଏଣା ହାରା ଲେହେଁ ତତ୍ତି

ଡୁଁବରା ମାଲିଙ୍ଗା (ଆରେ ମାମୁଁଘର ଝିଅମାନେ, ଆଣ ଆଣ)

 

କେବଳ ‘ହେଁ ହେଁ ଡୁଁବରା ମାଲିଁଗା ।’ ସବୁଥିରେ କନ୍ଧର ପରମ୍ପରା ଅଭିନୟ । କନ୍ୟା ମଙ୍ଗୁଳା ହେଲା, ଘର କରି ବସିଲା କନ୍ଧର ସହଜ ଜୀବନଯାତ୍ରାରେ ଆଦିମ ବ୍ୟବସାୟ ବଣରୁ କନ୍ଦାମୂଳ ଖୋଳି ଆଣିବ, ସେଥିରେ ସେ ଯୋଗ ଦେଲା, ତା’ପରେ ପୁରୁଷ ସ୍ତ୍ରୀ ମିଶି ସୁଖରେ ଦେଣ୍‌ନେଣ୍‌ର ଘରକରଣା, ଝାଳନାଳ ହୋଇ କାମ କରି କରି ଯାହା ଯେମିତି ଗୋଟେଇ ପୋଟେଇ ପୁରୁଷ ଘରକୁ ବୋହିଆଣିବ, ସ୍ତ୍ରୀ ପେଜ ରାନ୍ଧିବାଢ଼ି ଦେବ, ଧୂଆଁପତ୍ର ବଳି ପିଙ୍କା କରିଦେବ, ଆଦର ଦେବ, ସୁଆଗ କରିବ ।

 

ଜଣକର ଶୁଭ ବିବାହ-ଅନ୍ୟ ଲୋକର ମନେପଡ଼େ ନିଜର ଅତୀତ । ଦିଉଡ଼ୁ ସାଓଁତା ଗୋଟିଏ ଉଞ୍ଚାପଥର ଉପରେ ବସି ବିଭାଘର ଦେଖୁଥାଏ, ଗାଁଯାକ ହଳଦୀପାଣିରେ ଜୁଡ଼ୁବୁଡ଼ୁ ମଣିଷ ସାନ୍ଦିସୁନ୍ଦି ହୋଇ ଲହଡ଼ି ଖେଳୁଛନ୍ତି, ସମସ୍ତିଙ୍କର ଏକା ଗୀତ, ସମସ୍ତିଙ୍କ ମୁହଁରେ ଏକା ଆବେଶ ଭାବ । ଗାଁ ଉଠୁଛି ପଡ଼ୁଛି । ଆଜି ଦି’ଟା ଲୋକଙ୍କର ବିଭାଘର ।

 

ଦିଉଡ଼ୁ ଭାବୁଥାଏ, ଦିନେ ସେ ବି ବିଭା ହୋଇଥିଲା ।

 

ସେଦିନ ବି ଏହିପରି ଛାମୁଡ଼ିଆ ହୋଇଥିଲା । ବାଜା ବାଜୁଥିଲା, ଗୀତରେ ବାଜାରେ ଦାଣ୍ଡ କମ୍ପୁଥିଲା । କୌଣସି ସ୍ତୋତ୍ର କୌଣସି ପୂଜା ଅଭାବ ପଡ଼ି ନ ଥିଲା ତାର ବିଭାଘରରେ । ଆଜି ଭାବିଲାବେଳକୁ ଚିଡ଼ିମାଡ଼େ, ଉଦାସ ଲାଗେ । ବାହାଘର, ଚ୍ଛେଃ ବାହାଘରରେ ଆଜି ତାର ବିଶ୍ୱାସ ନାହିଁ । ମିଛ କଥା । ଦଉଡ଼ିରେ ବାନ୍ଧିଲେ ଦି’ଟା ମନର ଯୋଡ଼ ଧରେ ନାହିଁ କେବେ । ଖାଲି ଲୋକ ଦେଖାଣିଆଁ ।

 

ଦୁଇଟା ପ୍ରାଣୀ, ବାଲିଘର ତୋଳି ମିଛିମିଛିକିଆ ଘରକରଣା ଲଗେଇ ଦେବାକୁ ବ୍ୟସ୍ତ । ସେହିମାନଙ୍କୁ କୁଣ୍ଢେଇ କରି ସମାଜ ଖେଳିବ ବାହାଘର, ଲୋକେ ତୂରୀ ଫୁଙ୍କିବେ, ଢୋଲ ପିଟିବେ, ସେ ଗୋଟାଏ ଉପଲକ୍ଷ ହେବ ପାଟି କରିବାକୁ, ନାଚିବାକୁ, ମଦ ପିଇବାକୁ । ସଂସାର ତୃପ୍ତ, ଗୋଷ୍ଠୀର ଖେଳ ଶେଷ । ଦୁଇଟା ଜନ୍ତୁ ଦୁଇ ଦିଗରୁ ଆସି ଅନ୍ଧାରରେ ପଶିବେ, ପରସ୍ପରଙ୍କର ଅଖାଡ଼ୁଆମି ବିଯୋଡ଼ପଣିଆଁ ଲୁଚେଇ ମାତିଯିବେ ଦି’ଦିନ କଞ୍ଚାମାଂସର ମୂଲ ତଉଲରେ । ତା’ପରେ ଅଠା ଶୁଖିଯିବ, ଗଣ୍ଠି ଖୋଲିଯିବ, କେବଳ ସବୁ ଅଖାଡ଼ୁଆ ପରସ୍ପର ଆଡ଼କୁ ମୁହାଁମୁହିଁ ଦାନ୍ତକୁ ଦାନ୍ତ, ଥଣ୍ଟକୁ ଥଣ୍ଟ, ଖୁଣ୍ଟା ଆଉ ଢିମାକୁ ଖୁଣ୍ଟା ଆଉ ଢିମା । ତଥାପି ସଂଘର୍ଷରେ ମାତି କେଁ କଟର ହୋଇ ଘରକରଣା ଚଳେଇ ନେବାକୁ ପଡ଼ିବ ଦଶଲୋକଙ୍କୁ ଦେଖେଇହେବା ସକାଶେ ସେହି ଶୁଭ-ବିବାହର ‘ଛିଡ଼ିନିବନ୍ଧା’ କେବେ ଆଉ ମୁକୁଳିବ ନାହିଁ ।

 

ସେହି ଡେଙ୍ଗା ପଥର ଉପରେ ବସି ଚାରିଆଡ଼କୁ ଦେଖି ଗୋଡ଼ ଉପରେ ଗୋଡ଼ ଲଦିଦେଇ ଧୂଆଁ ଟାଣୁଟାଣୁ ଦିଉଡ଼ୁ ସାଓଁତା ଘାଉଡ଼ା ମନରେ ସମାଜର ରୀତି ଆଲୋଚନା କରୁଥାଏ । ତାକୁ ହସମାଡ଼େ । ଥାଇ ଥାଇ ସମାଲୋଚନା ପଦେ ଦିଏ ବଜେଇ, ଆହୁରି ପାଟିକରି ଗୀତ ବୋଲ, ଅଣ୍ଟା ଦୋହଲୁ ନାହିଁ, ନାଚ ହେଲା ନାହିଁ । ଅନର୍ଥକ ତାର ମୁହଁଟା ବିକୃତ ହୋଇଯାଏ, ସେହିପରି ଶାନ୍ତି ପାଏ ସେ, ମନର ବିଷ ପଦାକୁ ବାହାରେ ।

 

କିଏ ପଚାରେ ତାକୁ । ଆଜି ଲୋକେ ମଦ ପିଅନ୍ତି, ସାଧାରଣ ଦୃଶ୍ୟ ।

 

ଖରାର ଝାଞ୍ଜି ବଢ଼ିଯାଇଥାଏ । ବଣର ବାମ୍ଫୁଆ ନିଶ୍ୱାସ ପରି ରହିରହିକା ମେଞ୍ଚାଏ ଲେଖାଁ ଝୋଲାମରା ପବନ । ବର ବେଶୁ କନ୍ଧ ଅପେକ୍ଷା କରିକରି ଛଟପଟ ହେଉଥାଏ । ଛାମୁଡ଼ିଆ ସାମ୍ନାରେ ବାଜା ସଙ୍ଗେ ସଙ୍ଗେ ଅସଂଯତ କୋଳାହଳ । ଶୁଖିଲା ବୁଢ଼ା ଦିସାରିଟି ଅପେକ୍ଷା କରି ରହିଥାଏ ଭୂଇଁରେ କାଠି ପୋତିଦେଇ । ଦିସାରି ଛାଇକୁ ଦେଖିଲା; ସମସ୍ତିଙ୍କୁ ଚମକେଇ ଦେଇ କହିଲା, ‘ଏଥର ବିଭା ଲାଗିଲା’, ତାର ସରୁ ହାତଟି ଉପରକୁ ଟେକୁ ଟେକୁ ସବୁ ଗୋଳମାଳ ବନ୍ଦ ହୋଇଗଲା । ବେଜୁଣୀ ଆପଣା ପେଟରେ ଖଣ୍ଡାରେ ଭୁଷୁଥାଏ, ପାଟି ଆଁ କରି ଧୂପଦାନି ଉପରେ ନଇଁପଡ଼ି ଧୂପଧୂଆଁ ଖାଉଥାଏ । ସିନ୍ଦୂରବୋଳା ଖଣ୍ଟାଟିକୁ ଟେକି ନିଦରେ ଚାଲିଲାପରି ସେ ଗୋଟିଏ ଗୋଟିଏ ହୋଇ ଦିସାରି ଆଡ଼କୁ ଚାଲିଆସିଲା । ଦିସାରି କେବଳ କହିଲା, ‘ହୁଁ’ ।

 

ଆଉ ବେଶୀ କହିବାକୁ ପଡ଼ିଲା ନାହିଁ, ବରକୁ ଧରି ବରପକ୍ଷର ଦୁଇଜଣ ପ୍ରତିନିଧି ରଘୁ ସାଓଁତା ଓ ମୁର୍ଜୁ କନ୍ଧ ଆସିଲେ । କନ୍ୟାକୁ ଧରି କନ୍ୟାପକ୍ଷର ଦୁଇଜଣ ପ୍ରତିନିଧି ଦିଉଡ଼ୁ ସାଓଁତା ଆସିଲେ । ଦିସାରି ଆରହାତରେ ପୁଣି ଇଙ୍ଗିତ କଲା । ବାଜା ଶବ୍ଦରେ ଦାଣ୍ଡ ଝଣଝଣେଇ ଉଠିଲା, ତର୍ଚ୍ଛରେ ବଣର ସବୁଯାକ ପଶୁ ଯେପରି ଏକାସଙ୍ଗରେ ବୋବାଳି ଛାଡ଼ୁଛନ୍ତି । ଦିସାରି ଗଲା, ପାଣିମାଠିଆଟି ଆଣିଲା । ମାଠିଆ ମୁହଁରେ କଦଳୀପତ୍ର ବାନ୍ଧିଦେଇକନ୍ୟା ମୁଣ୍ଡକୁ ମାଠିଆଟି ଟେକିଦେଲା । ପାଣିମାଠିଆ ମୁଣ୍ଡେଇ ଗୁରୁ ଦାୟିତ୍ୱ ମୁଣ୍ଡେଇଲା ପରି ଗମ୍ଭୀର ହୋଇ ପୁବୁଲି ବେଶୁ କନ୍ଧର ଚାରିପାଖେ ବୁଲିଲାଗିଲା । ବୁଲା ସରିଲା । ପୁବୁଲିକୁ ଧରି ଦିସାରି ବେଶୁକନ୍ଧ ପାଖକୁ ଆଣିଲା । କହିଲା, ‘ପାଦ ଚାପିଧର ।’ ସମଗ୍ର ଗୋଷ୍ଠୀର ଜଳଜଳ ଆଖିଆଗରେ ବେଶୁ ଡାହାଣ ପାଦ ଟେକି ପୁବୁଲିର ବାଁ ପାଦ ଉପରେ ମାଡ଼ି ଧରିଲା । କାନଅତରା ପକେଇ ବାଜା ବାଜୁଥାଏ । ବରକନ୍ୟା ଏହିପରି ଠିଆହୋଇ ରହିଥିବାବେଳେ ସେମାନଙ୍କ ଚାରିଆଡ଼େ ଉଭୟପକ୍ଷର ଦି’ଦିଜଣ ଓ ତାଙ୍କ ପଛେ ପଛେ ଦି’ଜଣ ବେଜୁଣୀ ବୁଲି ଲାଗିଥା’ନ୍ତି । ଛାମୁଡ଼ିଆ ପାଖେ ଜାନି ବସି ମନ୍ତ୍ର ବୋଲୁଥାଏ । ପିଣ୍ଡା ଉପରୁ ପଥର ଉପରୁ ଗୋଛାହୋଇ ନଇଁପଡ଼ି ଘରଣୀମାନେ, ପିଲାମାନେ ବାହାଘର ଦେଖୁଥା’ନ୍ତି । ଦିସାରି କହିଲା, ‘ଲଗ୍ନ ହେଲା ।’ ଦିସାରି ପାଣିମାଠିଆ ଟେକିଦେଲା, ବେଜୁଣୀ ବରକୁ କନ୍ୟାକୁ ପାଖକୁ ପାଖ ଯୋଡ଼ିଦେଇ ଠିଆକରି ଦୁଇଜଣଙ୍କ ମୁଣ୍ଡକୁ ଏକାଠି କଲା, ଦୁଇ ମୁଣ୍ଡ ଉପରେ ପାଣିମାଠିଆକ ଥୋଇଲା । ଦୁହେଁ ଏକାଠି ଦିସାରିର ମନ୍ତୁରା ପାଣି ମୁଣ୍ଡେଇ ଠିଆହେଲେ । ତା’ପରେ ବେଜୁଣୀ ପାଣିମାଠିଆଟି ଟେକି ଦୁଇ ମୁଣ୍ଡ ଉପରେ ଠିଆହେଲା । ବାହାଘର ସରିଲା ।

 

ପାଣି ଢାଳିବା ସଙ୍ଗେ ସଙ୍ଗେ ହୋହା କରି ଗାଁଯାକ ଲୋକ ଦଉଡ଼ି ଆସିଲେ । ସ୍ତ୍ରୀଲୋକମାନେ ପୁବୁଲିକୁ ମୁଣ୍ଡ ଉପରକୁ ଟେକିନେଲେ, ପୁରୁଷମାନେ ବେଶୁ କନ୍ଧକୁ ଟେକିଲେ । ବରକନ୍ୟାକୁ କାନ୍ଧେଇ ମୁହାଁମୁହିଁ ଦୁଇଦଳ ହୋଇ ନାଚିଲେ ।

 

ଏତିକିବେଳେ ସମସ୍ତିଙ୍କ ମୁହଁରୁ ପ୍ରାଚୀନ ପଦ୍ଧତିରେ, କନିଆଁ ଉତୁରେଲା ବେଳର ଓହ୍ଲେଇ ଦେଲାବେଳର ଶରଧା ଗୀତ, ପୁଣି ସେହି ଲେମ୍ବର, ଡୁମ୍ବର, ତାଲସ ନିଲସ ପ୍ରଭୃତି ଧାଂଡୀମାନଙ୍କ ଶରଧା ନାଁର ଗୀତ, ସେହିପରି ସେଥିରେ ମାମୁର ଝିଅର ପ୍ରତିଶବ୍ଦ ବିଡ଼ିବାରା, ମେହେଣାତାଙ୍ଗି ପ୍ରଭୃତି ଯୋଖା ହୋଇଛି, ‘ସଙ୍ଗରଗୋଡ଼ି’ ‘ବନ୍ଦର ପାଣି’ ଅର୍ଥାତ୍ ‘ସାଙ୍ଗର ଲୋକ’ର ପ୍ରତିଶବ୍ଦ ସବୁ ରହିଛି, ସେହିପରି ହୋ ହା’ରେ ତାର ଅନ୍ତ । ଖରା ତରା ଭୁଲି, ଧୂଳିଧୂଳା ଭୁଲି ଗୋଳମାଳିଆ ହୋଇ ସମସ୍ତେ ନାଚିଲେ । କେତେ ସିଟି, କେତେ କୁହାଟ, ଗଡ଼ାଗଡ଼ି ଧରାପରା ଭିତରେ ଯାହା ବାହାରେ ତାହା ।

 

‘ଜେଇକେ ଡୁମ୍ବର ଡୁମ୍ବର ହେ

ଯେଇକେ ଲେମ୍ବର ଲେମ୍ବର ହେ

ଯେମୁନି ବିରିଁଗା ବାଡ଼ାରେ ହେ

ଯେମୁନି ମେହେଣା ହାରାରେ ହେ

ସଙ୍ଗର ଗୋଡ଼ିତି ଲେକାନି ହେ

ବନ୍ଦର ପାନିତି ଲେକାନ୍ତି ହେ....’

 

ଗୋଳମାଳ ସରିଆସିଲା, ଆନନ୍ଦ କଳରବରେ ସମସ୍ତେ କ୍ଳାନ୍ତ, ଏହି ପର୍ଯ୍ୟାୟର ଯବନିକା ପରି ଆରମ୍ଭ ହେବ ବୁଢ଼ାମାନଙ୍କ ଗୀତ, କାରଣ ଧ୍ୱଂସ ହୋଇଥିବା କନ୍ଧସଂସ୍କୃତିରେ ଅଭିନୟ ଚାତୁରୀ ମାତ୍ରକ ଏବେ ଅଛି । ଲୋକେ ଜନ୍ମ ହୁଅନ୍ତି, ବଢ଼ନ୍ତି, ବାହା ହୁଅନ୍ତି, କିନ୍ତୁ ତା’ପରେ-? ତା’ପରେ ବୁଢ଼ାପଣ ଆସେ । ଏହି ବିଭାଘର ଦୁଆରେ ବୁଢ଼ାମାନଙ୍କର ବି କହିବାକୁ କଥା ଅଛି, ହେଉପଛେ ବୁଢ଼ାର ଗୀତ ଦୁଃଖର ।

 

ସବୁ ବୁଢ଼ା ଏକାଠି ହେଲେ । ଝୁଲିଝୁଲି ଗୀତ ବୋଲିଲେ, ‘ବୁଢ଼ାଲୋକର କୌତୁକ’ର ଗୀତ :–

ଜୀଓ୍ୱନ ମନ୍ନେ ମାଲ (ଜୀବନ ଅଛି ବୋଲି ସିନା)

ପାରାଣା ମନେ ମାଲ (ପ୍ରାଣ ଅଛି ବୋଲି ସିନା)

ଇଁଚିରେ ସୋଡ଼ାଗା ମାଲ (ଏପରି ଆନନ୍ଦ ହେଲା)

ଇଁଚିରେ ଓ୍ୱେଡ଼େକା ମାଲ (ଏପରି ଶରଧା ହେଲା)

 

କିନ୍ତୁ କ’ଣ ହେବ ? ଦିନ ସରିଯିବ । କୁଟ୍ରାଠିଁ ମାଂସ ଖୁବ୍ ଅଳ୍ପ, ବୁଢ଼ାର ନାଟ ବି ଅଳ୍ପ ବେଳ । ସଂସାରରେ ଦୁଃଖର ଭାଗ ବେଶୀ । ଯେତିକି ଦିନ ଆୟୁଷ ଅଛି, ଖୁସି ଆନନ୍ଦରେ ସମୟ କଟେଇ ଦେବା ଭଲ :

 

ବୁଁଡ଼ରେ ନାଟ ଡେଁ ଡେଁ କା (ବୁଢ଼ାର ନାଟ ଅଳ୍ପ ସମୟ)

କୋଟାର ମାଁସ କାଁଡ଼େ କା (କୁଟ୍ରାର୍ ମାଂସ ଖୁବ୍ ଅଳ୍ପ)

ଇଁଚିରେ ମୋଚି ପୁରୁ ତା (ଏହି ମର୍ତ୍ତପୁରରେ)

କାକୁଲି ଗାଟା କୋନେ ତା (ଅତି ଦୁଃଖଥିବା ଲୋକ)

କୋକ୍‌କାରି ଓ୍ୱେଡ଼ା କାକୁ ଲି (ପିଲାଦିନରୁ ମଣିଷରୁ ଦୁଃଖୀ)

କୁମାଁଡ଼ା କୁଚା କାକୁଲି (କଖାରୁ ଗଛ ଶାଗ ହେଲା ଦିନଠାରୁ ଦୁଃଖୀ)

ବାଉଁଶି କୁଚା କାକୁ ଲି (ବାଉଁଶଗଛ ହଲିହଲିକା ମରିଯାଏ)

ପରଜା ବୁଲି ମରେ ମା (ରଇତ ବୁଲିବୁଲିକା ମରେ)

ଡିତିରେ ନହକନା ତା (ଭାଙ୍ଗିବା ଲୁହା ଘରକ’ଣରେ ଫୋପଡ଼ା ହୁଏ)

କାକୁଲି ଗାଟା ଜାଡ଼ା ତା (ଦୁଃଖୀଲୋକ ପଶେ ଘୋର ବଣରେ)

ଟୋଟୋତା ବର ଆସାଁ ହାଁ (କାନ୍ଧରେ ଶାବଳ ବୋହି)

ତ୍ରାୟୁଁକା କର୍ଲିଆସାଁ ହାଁ (ମୁଣ୍ଡରେ ଟୋକେଇ ବୋହି କନ୍ଧର ଘରକରଣା)

 

ଅତୀତର କେଉଁ ଧ୍ୱଂସ ନିପାତର ଇତିହାସକୁ ଅଭିମାନ କରି ଏ କରୁଣ ଗୀତ ଯେ ଉଚ୍ଚାରଣ କରି ସ୍ମରଣ କରାଇଦେବାକୁ ଗାଇବାକୁ ହେବ ମଙ୍ଗଳ ସମୟରେ, ଏ ଦିନର କନ୍ଧର ତା ସୋର୍ ନାହିଁ । ସେ ଏପରି ଗାଏ କାରଣ ତାର ବାପ ଅଜା ଏପରି ଗାଇଥିଲେ । ପ୍ରାଚୀନତାକୁ ମୁଣ୍ଡପାତି ସେ ଗୌରବ ଅନୁଭବ କରେ । ସଂସ୍କୃତି ସେ ତାର ଜୀବନଠୁ ବଡ଼ । ଜୀବନ ସିନା ଜଣେ ମଣିଷର, ସଂସ୍କୃତି ଲକ୍ଷେ ଜୀବନର ଇତିହାସ । ସେ ଗୋଷ୍ଠୀର, ତାର ଗଠନ ପଛଆଡ଼େ ଗୋଟାଏ ଜାତିର ଗୋଷ୍ଠୀଗତ ଚରିତ୍ର । ଆଗ ସେ ।

 

ଏହିପରି ନାଚି ଗାଇ ଖରାଗୋଟାକ ପିଠିରେ ଭାଙ୍ଗିଗଲା । ତେଣେ କର୍ମକର୍ତ୍ତାମାନେ ଭୋଜି ଆୟୋଜନ କରୁଥା’ନ୍ତି । ହଡ଼ା ହଣା ହୋଇ ରନ୍ଧା ଲାଗିଥାଏ । ଛାଇଲେଉଟାଣି ବେଳକୁ କାଉ-ଶାଗୁଣା ପରି ସାଲୁ ସାଲୁ ହୋଇ ଲୋକେ ଭୋଜିରେ ବସିଗଲେ, ତା’ପରେ ମଦ ପିଆପିଇ, ଯେ ଯେତେ ପାରିଲା । ସଞ୍ଜ ପବନରେ ମଦଗନ୍ଧ ଗାଁ ବାହାରକୁ ଚାରିଆଡ଼େ ଚହଟି ବୁଲିଲା, ଗାଁ ବାହାରର ବିବାହର ସୂଚନା । ଦିଉଡ଼ୁ ନିଘୋଡ଼ ନିଦରେ ଶୋଇ ରହିଥିଲା, ତାର ସାଙ୍ଗୀମାନେ ଗାଁ ଭିତରେ ବୁଲୁଥିଲେ, ରାତିକି ଆହୁରି ବାସି ଭୋଜି ଅଛି, ନାଚ ଅଛି ।

 

ବେଶୁ କନ୍ଧ ବୁଲି ବୁଲି ଦେଖିଲା, ପୁବୁଲି ସଙ୍ଗେ ଭେଟାଭେଟି ଅସମ୍ଭବ । ଆଜି ସେ ଗାଁର ନୂଆବୋହୂ, କେତେ ପରସ୍ତ ସ୍ତ୍ରୀଲୋକଙ୍କ ବ୍ୟୂହ ମଝିରେ ସେ, ତାକୁ ଯେତେପ୍ରକାର ସଜାଇ ଯେତେ ସୁଆଦିଆ ଖାଦ୍ୟ ଦେଲେ ସୁଦ୍ଧା ତାଙ୍କର ମନ ମେଣ୍ଟୁ ନାହିଁ । ସବୁ ଘର ତାକୁ ବୁଲେଇବେ, ସବୁ ଘରୁ ସେ ଉପହାର ପାଇବ, କେଉଁଠୁ ରଙ୍ଗଲୁଗା, କେଉଁଠୁ ବା ରଙ୍ଗକାଚର ମାଳି ସରିଏ । ତାକୁ ଛୁଟି ନାହିଁ ।

 

ବେଶୁ କନ୍ଧ ମନେ ମନେ ଠିକଣା କଲା, ଗୋଟାଏ ନୂଆକଥା ସେ ନିଶ୍ଚୟ କରିବ, କେହି ଜାଣିବେ ନାହିଁ, ତାର ଉଦ୍ଦେଶ୍ୟ ପୂରିବ ।

 

ସେତେବେଳେ ସଞ୍ଜ ବୁଡ଼ିଆସୁଥାଏ । ପର୍ବତ ମୁଣ୍ଡ ଉପରେ ଆକାଶରେ ଗାର ଗାର ହୋଇ ସିନ୍ଦୂର । ବେଶୁ ନିଆଁଖେଣ୍ଟା ଧରି ଟାଙ୍ଗିଆ ପକେଇ ନଳି କାନ୍ଧେଇ ବଣରେ ପଶିଲା । ଗଛ ସନ୍ଧିରେ ଅନ୍ଧାର ଝିଲିମିଲି, ଖାଲ ଭିତରକୁ କଳା ବୋହିପଡ଼ୁଛି, ବନସ୍ତ ଉପରେ ଧୀରେ ଧୀରେ ରାତି ଓହ୍ଲୋଉଛି ।

 

ଏତିକିବେଳେ ବାଘ ବାହାରେ, ନ’ ନୂଆଣି ବୁଲନ୍ତି ।

 

ଖେପା ମାରି ବେଶୁ ଗୋଜିଆ ପର୍ବତ ଉପରକୁ ଚଢ଼ିଗଲା । କିଛି ସମୟ ପରେ ସେହିପରି ତରତର ହୋଇ ଓହ୍ଲାଇ ଆସିଲା ।

 

ରାତି ହେଲା, ସଞ୍ଜର ସିନ୍ଦୂର ଆଉ ନିଭିଲା ନାହିଁ, ସମସ୍ତେ ଦେଖିଲେ, ଆଶ୍ଚର୍ଯ୍ୟ ହୋଇ ଦେଖିଲେ, ଗାଁ ସେପାଖର ଉଚ୍ଚ ଗୋଜିଆ ପର୍ବତର ଚୂଡ଼ା ଦାଉ ଦାଉ ହୋଇ ଜଳିଲାଗିଛି ।

 

ବୁଢ଼ା ଦିସାରି ବେଶୁର କାନ୍ଧ ଥାପୁଡ଼େଇ କହିଲା, ‘ଦେଖ୍ ଦେଖ୍, ତୋର ବିବାହ ସୁଖର ହେବ, କେଡ଼େ କପାଳିଆ ତୁ, ହେଇ ଦେଖ୍ ଦେବତାର ଇସାରା ।’

 

ବେଶୁ ସେହି ଆଡ଼କୁ ଚାହିଁରହିଲା ।

•••

Unknown

 

ଅଠଷଠି

 

ପାଞ୍ଚ ମାସ, ମିଣିଆକା ହାକିନା ବଡ଼ ହୋଇଥିଲା ।

 

ପାଞ୍ଚୋଟି ମାସ ଶିଖାଇଥିଲା ତାକୁ କନ୍ଧଘର ପୁଅର ସରଳ ସୁନ୍ଦର ଅଖଳା ହସ, ସେହି ହସରେ ଲାଗିରହେ ପଥରଡିଆଁ ଝରଣାର ଛବି, ମାଳଦେଶର ଚାରିଆଡ଼ ଖୋଲା ଢେଉ ଢେଉକା ନିଦୁଆ ପୃଥିବୀର ସ୍ପର୍ଶ, ଆଖି ଘିମାଏ, ମୁହଁ କୁଞ୍ଚେଇ ଉଠେ, ବାଆବତାସି ଦୁଃଖ ଦୁର୍ଦ୍ଦିନକୁ ଉପହାସ କରି ଜନ୍ମାନ୍ତରବାଦୀ ଆଶାୟୀ କନ୍ଧ ହସେ ହସ ।

 

ମା’ ଭାବେ,-କେଡ଼େ ସୁନ୍ଦର !

 

ପାଞ୍ଚ ମାସରେହିଁ ମିଣିଆକା ହାକିନା ମୁଠେଇ ଶିଖିଥିଲା । ଯାହା ହାତାପାଖିଆ ମିଳିପାରିଲା, ସେଥିରେ ବଛାବଛି ନାହିଁ, ଅବସୋସ ନାହିଁ କେବଳ ଉଜ୍ଜ୍ୱଳ ଆଖି, ତୃପ୍ତି । ମା’ର ଫୁରୁଫୁରୁ ଉଡ଼ୁଥିବା ତମ୍ବାଳିଆ ଚୁଟିରୁ ମେଞ୍ଚାଏ; ମା’ର ବୋଝ ବୋଝ କୋତରା ମାଳିରୁ ଯେତେ ସରି ହାବୁଡ଼େ ପଡ଼ିଲା, ଆଉ ମା’ କ୍ଷୀର । ହାତ ଜାବ ପଡ଼ିଯାଏ, ଦେଖି ଦେଖିକା ହାକିନାର ପାଟିରୁ ଲାଳ ଉତୁରି ପଡ଼େ, ଫୁଟେ ହସ ।

 

ପାଞ୍ଚ ମାସରେ ସେ ତାର ଭବିଷ୍ୟତ୍‍ର ଲୀଳାକ୍ଷେତ୍ର ଚିହ୍ନି ସାରିଥିଲା । ଏଇ ବୈଶାଖର ଖରାରେ ଲୁଚି ଲୁଚିକା ବଣ ଭିତରୁ ଯେତେବେଳେ ଝାଞ୍ଜି ପବନ ହାଲୁକା ଶୁଖିଲା ଜିଭ ବଢ଼େଇଦେଇ ଶୋଷିନେଇଯାଏ ପର୍ବତ ଦେଶର ଶିରୀ, ଏଇ ଝୋଲାମରା ଖରାରେ ମା’ ଛାତିରେ ବନ୍ଧା ହୋଇ ହାକିନା ଗାଁରୁ କ୍ଷେତରୁ କ୍ଷେତକୁ ବଣରୁ ବଣକୁ ବୁଲୁଥାଏ । ଯେଉଁଆଡ଼େ ଗଲେ ସେହି ପରିଚିତ ଦୃଶ୍ୟ, ସେହି କେବଳ ମଣିଷ । ଭାଗେ ସେଥିରୁ, ମା’ର ଯୋଡ଼ି କ୍ଷୀରପରି ହାକିନାର ଖାଦ୍ୟର ଭଣ୍ଡାର ବୋହି ଚାଲିଛନ୍ତି, ସେହି ଆଡ଼କୁ ଆଁ କରି ଅନେଇଁବାକୁ ହାକିନାକୁ ଭଲ ଲାଗେ । ତାଙ୍କ ହାତରେ ବି ପିତ୍ତଳର ବଳା, ବେକରେ ମାଳି, ସମସ୍ତେ ଦିଶନ୍ତି ମା’ର ଜାତି, କିନ୍ତୁ ନା, ସେମାନେ ମା’ଠୁ ଊଣା, ଯେତେହେଲେ କିଏ ମା’ପରି ହୋଇପାରେ କି ? ସେମାନେ ଯେତେଥର ହାତ ବଢ଼ାନ୍ତି ହାକିନା ତାର ମା’ ଛାତିରେ ପିଟେ, ହସି ହସିକା ମା’ ଛାତିରେ ମୁହଁ ଲୁଚାଇ କ୍ଷୀର ଖାଏ, ଗୋଟାଏ ଆଖିରେ ଅନେଇଁ ରହେ ସେହିମାନଙ୍କୁ । ମା’ ତାର ଘର, ସେତିକି ଭିତରେ ଠିଆହୋଇ ଜଗତକୁ ସେ ବୃଦ୍ଧାଙ୍ଗୁଠି ଦେଖାଇବ, ଏହିପରି ତାର ଅଭିପ୍ରାୟ ।

 

ଆଉ ଆରଜାତିଆ ଯେଉଁମାନ-ବିଧାତା ତାଙ୍କୁ ଗଢ଼ିଛି ଶାଳଗଛରେ ବଳାବଳା ହୋଇ ପୁରୁଣା ଗୁଳୁଚି ଲଟା ଭିଡ଼ିଲାପରି । ବଡ଼ କର୍କଶ ସେମାନେ, ମୁହଁରେ ସେହି କଳାକଳା ଲମ୍ବା ଲମ୍ବା ପିକା, ଧୂଆଁ ବାହାରୁଛି । ପାଖକୁ ଆସି ନିଆଁଗିଳା ଆଖିରେ ଅନାନ୍ତି, ବହଳ ବୁଦାଳିଆ ଆଖିପତା, ଦେହଯାକ ରୋମ, ପଥର ଫାଟରୁ ଚପ ଚପ ପାଣିପରି ଅବିରାମ ଝାଳ, ଭାଲୁଆ ଛାତିରେ ସକାଳ ପହରେ ମାଣ୍ଡିଆ ପଦାରେ କାକରଟୋପା ପରି ଟୋପା ଟୋପା ଝାଳ । ବଡ଼ ଆଗ୍ରହରେ ପାଖକୁ ମାଡ଼ିଆସନ୍ତି । ମୁହଁକୁ ପାଖକୁ ଆଣନ୍ତି । ସେହି ଏକାପ୍ରକାର ଗନ୍ଧ, ହାକିନାର ନାକ ରୁନ୍ଧି ହୋଇଯାଏ, ଧୁଙ୍ଗିଆ ଧୂଆଁରେ କାଶ ମାଡ଼େ । ହାକିନା ତାର ମା’କୁ କୁଣ୍ଢେଇ ଧରେ, ସତେକି କିଏ ତାର ମା’କୁ ନେଇଯିବାକୁ ଆସିଛି, ସଂସାର ଭିତରେ ତାର ଗୋଟିଏ ବୋଲି ସମ୍ପତ୍ତିକୁ । ସନ୍ଦେହରେ ଭୟରେ ସେମାନଙ୍କୁ ହାକିନା ଚାହେଁ । ତାକୁ ଭଲପାଏ ନାହିଁ ।

 

ବୈଶାଖର ଖରାରେ କ୍ଷେତରେ ସାନ ସାନ ବଳଦ ଯୋଚିଦେଇ ଲୋକେ ହଳ କରୁଥା’ନ୍ତି । ପର୍ବତ ଉପରେ ସୁଦ୍ଧା ତାଷ ଲାଗିଥାଏ, କେବଳ ହାତରେ ତାଡ଼ିତାଡ଼ିକା, ବଣରେ ଖାଲି ଠୋ ଠା କୁରଡ଼ି ପାହାର । ଗହୀରିଆ ବେଢ଼ା (ଖାଲଜମି) ଭିତରୁ ଢିପପଦର ଉଞ୍ଚ ଜମି ବାଟେ ପର୍ବତର ଢାଲୁରେ ଭର୍ତ୍ତି ହୋଇ ଶିଖରୀ ଉପରଯାକେ ଯେଉଁଆଡ଼େ ଦୃଷ୍ଟିଯାଉଛି କେବଳ ମଣିଷ, ଉପରକୁ ଉପରକୁ ଛୋଟ ହୋଇ ହୋଇ ସୁଦ୍ଧା ଉପରେ ସେମାନେ କେବଳ କଣ୍ଢେଇ । ହାକିନାର ମନହୁଏ ସେମାନଙ୍କ ସଙ୍ଗେ ସେ ଖେଳନ୍ତା । ଗୋଟାକୁ ଗୋଟା ମଝିରୁ ଧରି ଟେକିନେଇ ତାର ପାଟିରେ ପୂରେଇ ଦିଅନ୍ତା, ସବୁ କଥାକୁ ତାର ମନହୁଏ । ସବୁ କଥାରେ ସେ ଆଶ୍ଚର୍ଯ୍ୟ ହୁଏ । କିନ୍ତୁ କେବଳ ତାର ମା’ଛଡ଼ା ଆଉ କାହାରିକୁ ସେ ଆଶ୍ଚର୍ଯ୍ୟ କରିଦିଏ ନାହିଁ । ସେ କେବଳ ଗୋଟାଏ ମଣିଷଛୁଆ-ସେତିକି ।

 

ସେ ଆଉ ତାର ମା, ବାପର ସ୍ନେହ କ’ଣ ସେ ଜାଣେ ନାହିଁ ଅଥଚ ବାପର ନାଁର ମୂଳଦୁଆ ଉପରେ ତାକୁ ଘର କରିବାକୁ ପଡ଼ିବ । ବାପକୁ ସେ ଭଲ ପାଏ ନାହିଁ, ବାପକୁ ଦେଖିଲେ କେବଳ ତାର ଇଚ୍ଛା ହୁଏ ମା’କୁ ଆହୁରି ଦୃଢ଼ଭାବେ ଧରିପକେଇ ଅଟକେଇ ରଖିବାକୁ, ମା’ ଯେପରିକି ଆଉ କୁଆଡ଼େ ଯିବ ନାହିଁ, ତା’ଠୁ ମା’କୁ କେହି ଛଡ଼େଇ ନେଇପାରିବେ ନାହିଁ । ସେହି ଛାଇଟା ବେଳେ ବେଳେ ଏପାଖ ସେପାଖ ହେଉଥାଏ, ଯାହାର ମୁହଁକୁ ତୁଚ୍ଛାରେ ଦେଖିଲେ ଅଜଣା ଭୟ ଆସେ, ଯେ ଆସିଲେ କେଉଁଦିନ ଶାନ୍ତିରେ ଯାଏ ନାହିଁ, ଡରାଏ, ପାଟିକରେ, ମା’ର ମୁହଁକୁ ଗୁଲୁଗୁଲୁ କରି ଅନେଇଁ ହାକିନା ଦେଖେ ମା’ର ମୁହଁ ବଦଳିଯାଇଛି, ଆଉପ୍ରକାରେ, ଯାହାକୁ ଦେଖିଲେ ଭଲ ଲାଗେ ନାହିଁ । ସେ ବିପଦ ଚାଲିଯାଏ,-ଲୋକେ ଯାହାକୁ କହନ୍ତି ବାପ, ତାର ମା’କୁ କେହି ଛଡ଼େଇ ନେଇପାରି ନାହାନ୍ତି, ହାକିନା ଖୁସିରେ ମୂତି ପକାଏ, ପ୍ରଶଂସା ପାଇବା ପାଇଁ ଆପଣା ମୁହଁକୁ ମା’ ମୁହଁ ଆଡ଼କୁ ଟେକି ଧରେ ସେହି ତାର ସବୁ ।

 

ମନ ଯେତେବେଳେ ଶାନ୍ତ ଥାଏ, ଉଦ୍‌ବେଗ ନାହିଁ, ଅଭାବ ନାହିଁ, ହାକିନା ପଦାକୁ ଅନେଇ ଖୁସି ପାଏ, ମନର ସବୁ ଦୁଆର ଖୋଲିଯାଇଥାଏ, ସେହିବାଟେ ଭିତରକୁ ଆଲୁଅର ଯେତେକ ବଦଳାବଦଳି, ପ୍ରକୃତିର ଯେତେ ଛବି, ଖରା, ଧୂଳି, ପବନ, ସବୁ । ମା’ କ୍ଷୀର ପରି ସେ ବି ତାର ଖାଦ୍ୟ, କିନ୍ତୁ ଏଠି ଜାଣି ହୁଏ ନାହିଁ, ହାକିନା ଆପେ ଆପେ ଫୁଙ୍ଗାରେ ବଢ଼େ । ଫୁଙ୍ଗାରେ କେତେ ଧାରଣା ଆସି ବସା ବାନ୍ଧି ରହେ ତାର ବଢ଼ନ୍ତା ମନରେ ସାମ୍ନାର ବଡ଼ ଜୀବନ ପାଇଁ । ହାକିନା ବଢ଼େ ।

•••

 

ଅଣସ୍ତରି

 

ଦିଉଡ଼ୁ ସାଓଁତା ଘରକୁ ଫେରିଥିଲା ।

 

ସେହି ପାହାନ୍ତିଆରୁ ଉଠି, କୁକୁଡ଼ା ଡାକିଲାବେଳରୁ-ଯେତେବେଳେ କନ୍ଧ ଯାତ୍ରା ଆରମ୍ଭ କରେ, ପଛଆଡ଼ୁ ଯେପରି କାହାର ପେଲା ଖାଇ ଖାଇ ଦିଉଡ଼ୁ ସାଓଁତା ଉଠି ପଳେଇ ଯାଇଥିଲା । ଜୀବନଯାକ ମଣିଷ ଯାଉଥାଏ, କେବେ କେଉଁଥରକ ସ୍ମୃତି ଭିତରେ ସନ୍ଧି ହୋଇ ରହିଯାଏ, ଦିଉଡ଼ୁ ସାଓଁତା ମନେ ରଖିଥିଲା । ପୁବୁଲିର ବାହାଘର ସରିଛି, ଏଣିକି ତାର ସେ କେହି ନୁହେଁ, ଆଗ ବର ପଛେ ଭାଇ, ପୁବୁଲି ତାର ସୁଖର କଥାହିଁ ଭାବି ଲାଗିଥିଲା, ଦିନ କେତେଟାରେ ଏତେ ଦିନର ରକ୍ତର ଟାଣ ସେ ଭୁଲିଛି, ସେ ଗାଁରେ ଦିଉଡ଼ୁର କାମ ନାହିଁ । ମଦର ନିଶା ଗଲା, ନିଦର ନିଶା ଗଲା, ପାହାନ୍ତିଆରୁ ନିଦ ଭାଙ୍ଗି ଦିଉଡ଼ୁ ଭାବିଲା ଆରେ ସତେ ତ’ । ଦଳବଳ ଧରି ବାଟ ଚାଲି ଚାଲି ଘାଟି ଉପରେ ଝାଳ ଶୁଖେଇ ବସି ଦିଉଡ଼ୁ ଦେଖିଲା ଖରା ଫିଟିଛି, ପାହାଡ଼ ସବୁ ଧୋବ, ନେଳି ଆଉ ବାଇଗଣି, ପଛର ପାହାଡ଼ ଉଢ଼ୁଆଳ କରି ରଖିଲାଣି ମିଟିଂଗାଁକୁ ।

 

ମିଟିଂ,-ପୁବୁଲିର ଶଶୁର ଘର, ଦିଉଡ଼ୁ ତାକୁ ଘୃଣା କରେ ।

 

ସେହି ମିଟିଂରୁ ସେ ପୁୟୁକୁ ଆଣିଥିଲା, ତାର ସବୁ ବିପତ୍ତି ସବୁ ହୀନିମାନର କାରଣ ଏହି ମିଟିଂ,-କାହିଁକି ? କେବେ କେଉଁ ଜନ୍ମରେ ବାଘ ହୋଇ ସେ ଏ ମିଟିଂକୁ ଧ୍ୱଂସ କରିଥିଲା ? କ’ଣ କରିଥିଲା ସେ ଗାଁର ଯେ ଏହି ଗାଁ ହେଲା ତାର କାଳ ? ନାକ ଫୁଲେଇ ଆଖି ନାଲି କରି ଦିଉଡ଼ୁ ସାଓଁତା ଚାହିଁରହିଲା ସେହି ଆଡ଼କୁ ହାତମୁଠା କରି କହିଲା ‘ମିଟିଂ-ହେଇ ମିଟିଂ’ । ହଉ,-ସେଠି ଆଉ ତାର କେହି ନାହିଁ, ଯେ ଯିବାର ସେ ଯାଉ ତାର କି ଯାଏ । ଅତି ତାଚ୍ଛଲ୍ୟରେ ସେ ପିଠି ବୁଲେଇଦେଲା । ବୋଝ ଉତ୍ତାରି ଦେଲାପରି ଫାଙ୍କା ଲାଗିଲା ମନ ଗୋଟାକ ।

 

ଦିଉଡ଼ୁ ସାଓଁତା ଫେରିଥିଲା ।

 

ପୁଣି ସେହି ଗାଁ, ପୁଣି ତାର ଘର ଦୁଆର ସବୁ । କିନ୍ତୁ ଲାଗିଲା କେବଳ ସେଠି ଭଙ୍ଗାଘରୁ ଖେଣ୍ଟା ପରି ବତାଗୁଡ଼ାକ ବାହାରିଛି, ତା ଦେହରେ ଖୁଞ୍ଚା ମାରି ବିନ୍ଧିବା ସକାଶେ, ସେତିକି ତାର ବାଟପାଛୋଟା ଅଭ୍ୟର୍ଥନା । ମୁଣ୍ଡ ଫାଙ୍କା, ଏଠି ତାର କିଛି ନାହିଁ, କେବଳ ତାକୁ ପୋଡ଼ିଜାଳି ମାରିବାକୁ ସମସ୍ତିଙ୍କର ମେଣ୍ଟ, ଏଠି ଶାନ୍ତି ନାହିଁ । କାରଣ ମନରେ ପଶିଛି ଅଶାନ୍ତିର କୀଟ, ବିରକ୍ତ ଲାଗୁଥିଲା । ମନେଅଛି ଦାଣ୍ଡଦୁଆରେ ଠିଆ ହୋଇଥିଲା ପୁୟୁ, ପୁଅକୁ କାଖେଇଥିଲା-। ‘ଦେଖିଲୁରେ ପୁଅ କିଏ ଆସୁଛି ? ହେଇ ଦେଖ୍, କାନ୍ଦ୍‌ନା, କାନ୍ଦ୍‌ନା ।’ ପିଣ୍ଡା ଆଗରେ ପଥର ଉପରେ ବସି ଲେଞ୍ଜୁକନ୍ଧ ପିକା ଟାଣୁଥିଲା, ଗୋଡ଼ତଳେ ଦସ୍ରୁ କୁକୁରଟା । ହସି ହସି ପୁୟୁ ପଚାରିଲା, ‘କେମିତି ହେଲା ? ବାହାଘର ସରିଲା ? ପୁବୁଲି କ’ଣ କହୁଥିଲା ?’ ଲେଞ୍ଜୁକକା ମୁହଁ ଫଟେଇ ହସୁଥାଏ, ବଡ଼ ବଡ଼ ଖଇରିଆ ଦାନ୍ତରେ ବିକଟ ବିଦ୍ରୂପ । ‘କ’ଣ କହୁନା କାହିଁକି ? ଭୋଜିପିଠା ସବୁ ତ ଖାଇଲ, ଆମୁକୁ କହିବ ନାହିଁ ସୁଦ୍ଧା ପଦେ ।’ ପୁଣି କୁଆଡ଼ର ଟେକା କେଉଁଠି ଯାଇ ବାଜିଲା, ଦିଉଡ଼ୁର ମୁଣ୍ଡକୁ ପୋକ ଉଠିଗଲା । ପୁୟୁର ଆକୃତିଟା ଦିଶିଲା କେମିତି ସରୁ ଆଉ ପିଲାଳିଆ, ବେକଟା ଯେମିତି ବଡ଼ ପାଟିରେ ଡାକ ପକେଇଛି, ମତେ ଚିପିଦିଅ ଭାଙ୍ଗିଦିଅ ହାତକୁ ନରମ ଲାଗିବ । ରାଗିଯାଇ ଚମକିଗଲା ଦିଉଡ଼ୁ, କ’ଣ ଗୁଡ଼ାଏ ବକିଗଲା । କୁଆଡ଼ୁ କ’ଣ ହୋଇଥା’ନ୍ତା, ମଝିରେ ଲେଞ୍ଜୁକକା ଆସି ଆସ୍ତେ ଦିଉଡ଼ୁକୁ ପେଲିଦେଇ କହିଲା, ‘ମଦୁଆ କାହିଁକା, ନିଶା ଝାଡ଼ିବାକୁ ଜାଗା ମିଳିଲା ନାହିଁ ଖାଲି ଆପଣା ଭାରିଯା ଛଡ଼ା ?’

 

ପୋତା ଖୁଣ୍ଟ ପରି ଠିଆହୋଇ ରହିଥାଏ ପୁୟୁ, ମୁହଁରେ ରକ୍ତ ନାହିଁ, କ’ଣ ସେ ସଜେଇ ରଖିଦେଇଥିଲା, କିଏ ଆସି ଗୋଇଠା ମାରି ଫୋପାଡ଼ି ଦେଲା ସତେକି, କେତେ କଷ୍ଟରେ ନିପାଣିଆଁ ଦେଶରେ ଅଟାଳ କ୍ଷେତରେ ଗଜା ଅଙ୍କୁରି ଆସିଥିଲା, ପୁଣି ଶୁଖିଯାଇ ସବୁ ସେହି ପୁରୁଣା ଟେଳାବଣ । ଗରଗର ହୋଇ ଦିଉଡ଼ୁ ଅନ୍ୟଆଡ଼େ ଚାଲିଗଲା, ଗାଳି ଦେଇ ଦେଇ ସମାଲୋଚନା କରି କରି ଗୋଟାଏ ଆଡ଼େ ଗଲା ଲେଞ୍ଜୁକକା । ପୁୟୁ ସେହିପରି ସେଠି ଠିଆହୋଇ ଶୂନ୍ୟକୁ ଚାହିଁ ରହିଥାଏ । ସେହି ଶୂନ୍ୟରେ ତାର ଦର୍‌ହପୋଡ଼ା ଟେଳାବଣ, ସବୁ ଶୁଖିଯାଇଛି, ସବୁ-। କେତେଦିନ ଏହିପରି ଚାଲିଥିବ ? କାହିଁକି ତାର ସ୍ୱାମୀ ତାକୁ ଭଲ ପାଏ ନାହିଁ, କେଉଁଆଡ଼େ ଗଲା ତାର ସ୍ନେହ ଆଦର ? କିଏ ତାକୁ ଗୁଣି ଗାରଡ଼ି କଲା ? ଗାଁ ଲୋକେ କାଠପତର ଆଣି ଯାଇଛନ୍ତି, ସକାଳର ଗହଳିରେ ସବୁ ଶୂନ୍‌ଶାନ୍ ପଡ଼ିଛି । ପୁୟୁ ଆସି ପିଣ୍ଡା ଉପରେ ବସିଲା । ଆଖିରୁ ବୋହିଲାଗିଲା ଦରଦର ଲୁହ । ସମାଧାନ ନାହିଁ ।

 

ଦିଉଡ଼ୁ ପୁଣି ଯାଇଥିବ ମଦ ପିଇ ପିଇ କାହା ପଛେ ପଛେ ଗୋଡ଼େଇ ଗୋଳମାଳ ଲଗେଇବାକୁ, ଲେଞ୍ଜୁକକା ଘରୁ ପଦାକୁ ଗଲେ । ଆଉ ଜଣେ, ହାକିନା ତାର ମୁହଁ ଲଗେଇ ରେକେଟି ଲାଗିଛି ତାର ଖାଦ୍ୟର ଭଣ୍ଡାର । କାହା କଥା ବୁଝେ କିଏ ? ପୁୟୁ କାନ୍ଦୁଥାଏ, ମନ ଭିତରେ ପାଳି ଧରିଛି ଲୁହର ତାଳେ ତାଳେ କେବଳ ସେହି କଥା-କାହିଁକି ? କାହିଁକି ? ତଳେ ଦର୍ତନୀ, ଉପରେ ଧର୍ମୁ, ଏହି ସଂସାରରେ ଏତେ ଜୀବଜନ୍ତୁଙ୍କର ବାସ, ସମସ୍ତେ ଅଛନ୍ତି, ସମସ୍ତେ ଘର କରୁଛନ୍ତି, କାହିଁକି ବାରମ୍ବାର ତାର ଜଣକର ଏ ବିଡ଼ମ୍ବନା ?

 

ନିଷ୍ପତ୍ତିଟା ମୁଣ୍ଡଯାକେ ଉଠି ଉଠି ଆସେ, ତଳଦେଶ ଲୋକର ଆତ୍ମହତ୍ୟା ନିଷ୍ପତ୍ତି ନୁହେଁ, କନ୍ଧ ତାହା ବୁଝେ ନାହିଁ, ତାର ଆଉ ରକମ । ଆଖିରେ ନିଆଁ ଜଳିଉଠି ପୁଣି ନିଭେ । ମୁହଁରେ କଠିନପଣିଆଁ ଧାର ହୋଇ ହୋଇ ପୁରି ତରଳିଯାଇ ହୁଏ ଲୁହ । ବାରମ୍ବାର ମନ କହେ ସେ କେବଳ ଗୋଟିଏ ଦୁର୍ବଳ ସ୍ତ୍ରୀଲୋକ । ପୁୟୁ କାନ୍ଦେ ।

 

ନା, ତାର ପଦ୍ଧତି ନୁହେଁ ଜୀବନକୁ ଡରି ଶସ୍ତା ସଳଖ କଟାଣି ବାଟରେ ସେ ମୁକ୍ତି ଖୋଜିବ, ବରଂ ଦିଉଡ଼ୁ ସେ ଅଲଗା ହୋଇଯିବ । ଭାବିଲାବେଳକୁ ହାତଟା ଆଉଁଶୁଥାଏ ହାକିନାର ପିଠି, ସବୁ ପ୍ରତିଜ୍ଞା ବାମ୍ଫ ହୋଇ ଉଡ଼ିଯାଏ କେବଳ ଦୀର୍ଘଶ୍ୱାସରେ ।

 

ଏହି ଗୋଟାଏ ସାନ ମାଂସପିଣ୍ଡୁଳା, ଧୀରେ ଧୀରେ ସେ ବଢ଼ିଉଠୁଛି, ଦିନେ ସେ ମଣିଷ ହେବ, ତେଣିକି ତାର ଘର ତାର ଦୁଆର । କେହି କାହାରି ସଙ୍ଗେ ଛନ୍ଦାଛନ୍ଦି ବନ୍ଧାବନ୍ଧି ନୁହେଁ, ଯେଝାର ଜୀବନ ତାର ନିଜର ସମ୍ପତ୍ତି । କିନ୍ତୁ ଏହି ମାଂସ ପିଣ୍ଡୁଳାଟି,-ଆଉଁଶି ଲାଗିଲେ ମନଭିତରେ ସ୍ୱପ୍ନ ଭାସିଯାଏ, ଏହାରି ଗଢ଼େଇ ପିଣ୍ଡରେ କେତେ ସ୍ୱପ୍ନ ବୋଳାବୋଳି, ଅତୀତର କେତେ ସୁଖର ଦୁଃଖର ଘରକରଣାର ପରଶ, ପାଣି ପବନର ଛିଟାପରି ସେଠି ଘରର ସ୍ମୃତି, ଆଜି ସେ ଘର ଭାଙ୍ଗିଆସୁଛି, କିନ୍ତୁ ହାକିନା ଚେତେଇ ଦିଏ ଘର ଥିଲା ଘର ଅଛି । ନିରୋଳାରେ ଯେତେଥର ପୁୟୁ ଭାବେ ତାର ଦୋଷ କ’ଣ, ଦେଖେ ଦୋଷ ନାହିଁ, ଦିଉଡ଼ୁ ବଦଳିଛି, ତାକୁ ଯିବାକୁ ହେବ, ଭାବିଲେ ମନଟା ଥରି ଉଠେ, ଦେଖେ ସ୍ନେହର ଭଣ୍ଡାର ଅଦ୍ୟାପି ସରି ନାହିଁ; ସୁସ୍ଥିବାଦର ଝଙ୍କାର ଅଦ୍ୟାପି ଅଛି ପବନରେ, ଛାତି ତଳର ସୁଖ, ଚୁଲିପାଖର ଆରାମ, ବନ୍ଧାଗତର ମଡ଼ାବାଟ ପାଦରେ ସାଉଁଳା-। ସେଠି ପ୍ରତ୍ୟେକ ଖାଲ ପ୍ରତ୍ୟେକ ଢିପ ତାର ଚିହ୍ନା ଜଣା ।

 

ନା, ପୁୟୁ ଭାବେ ସିନା, ସେ ଯେଉଁଠି ସେଇଠି ।

ସେହିପରି ବଡ଼ ବଡ଼ ବାମ୍ଫୁଆ ଆଖିରେ ଅନାଏଁ, ପୁଅକୁ ଆଉଁଶେ ।

 

ଦୁର୍ବଳ ମଣିଷ ଆପଣାର ନିଗଡ଼ ଭିତରେ ବସିରହି ଆଶା କରେ, ଆଉ ଭାବେ ଗୋଟାଏ କିଛି ଘଟିବ ଯହିଁରେ ତାର ଆଶା ମେଣ୍ଟିବ, ସ୍ୱପ୍ନ ସତ ହେବ । ଗୋଟାଏ କିଛି ଘଟିବ, ଯାହା ତାର ତର୍କର ବାହାରେ, ଯାହା ନିତିଦିନର କାରଣ ଆଉ ଫଳ ତଉଲ ଆଉ ମୂଲର ଚିହ୍ନା ଘଟନାର କଷାକଷିକୁ ମାନିବ ନାହିଁ, ଘଟିବ, ଗୋଟାଏ ଦିନରେ ଦରିଦ୍ର ହେବ ରଜା, ରୋଗୀ ହେବ ଭୀମ, ଦିନର ଛାଇ ଉଜାଣି ଗଡ଼ିବ ।

 

ଗୋଟାଏ କିଛି ଘଟେ ନାହିଁ, ଚାଲୁଚାଲୁ ଗାଡ଼ି ଭାଙ୍ଗିପଡ଼େ, ପଡ଼ିରହିଥାଏ ବଦଳା ହେବାଯାକେ, ଦିନ ଦିନକର ମୁରୁଚା ଆଉ କାଣ୍ଟି ଲାଗିରହିଥାଏ ସେହିପରି, ଦିନ ଗଡ଼ୁ ଗଡ଼ୁ ଜୀବନର ରସ ସରି ସରି ଆସେ, ମାଠିଆ ଆଉ ପୂରେ ନାହିଁ ।

 

ଆଶ୍ଚର୍ଯ୍ୟ ଆଉ ଅଦ୍ଭୁତ ସମ୍ଭାବନାକୁ ଆଶା କରି କରି ଆପେ ହସି ଆପେ କାନ୍ଦି ମନେମନେ କାଣୀ ପିଠା ଖାଏ, ସେଦିନ ଆଉ ଆସେ ନାହିଁ ।

 

ଦିଉଡ଼ୁ ଭାବେ, ସେ ମୁକ୍ତ ହେବ । ପୁୟୁ ଭାବେ ସବୁ ଭଲ ହୋଇଯିବ । ସୋନାଦେଈ ତାର ଅଣପୁରୁଷା ସ୍ୱାମୀ ବାଲ୍‍ମୁଣ୍ଡା ଆଡ଼କୁ ଅନାଏଁ, ଦୀର୍ଘଶ୍ୱାସ ପକାଏ, ଭାବେ କେବେ ତାର ସ୍ୱପ୍ନର ପୁରୁଷ ଆସିବ, ଫଟାକପାଳ ଯୋଡ଼ି ହେବ, ତାର ଭେଣ୍ଡି ହେବ ସୁନା । ଲେଞ୍ଜୁକନ୍ଧ ଘରକରଣା ସ୍ୱପ୍ନ ଦେଖେ । ପାଣିପରି ବୋହିଯାଏ ଦିନ, ଆଶ୍ଚର୍ଯ୍ୟ ଘଟେ ନାହିଁ, ମାଟି କୋଡ଼ି କୋଡ଼ି ବୁଢ଼ା ହୋଇ ଚଷା ମାଟିରେ ମିଶେ, ହଳୁଆ ବଳଦ ଘା’ ଘାଉଡ଼ ହୋଇ ବିଦାକାଠି ପରି ହାଡ଼ ଦି’ଖଣ୍ଡରେ କାମ କରିକରି ଦିନେ ଶୋଇପଡ଼େ ଆଉ ଉଠେ ନାହିଁ । ସଂସାର । ସବୁ କଳ୍ପନାଜଳ୍ପନାକୁ ଉପହାସ କରି ଘର ଆଗର ପଥର ଉପରେ ବସି ଦିସାରି ପାଣ୍ଡ୍ରୁକନ୍ଧ ସବୁଦିନ ପରି ତାରାଗୁଡ଼ାକୁ ଅନାଇଁ ଯୋଗ ଠିକଣା କରେ, ଭାବେ ସେ ଜାଣିଛି, ସେ ଜାଣିଛି, କାରଣ ଆଉ ଫଳ, ଯୋଗ ଆଉ ଘଟନା, ସେ ସବୁ ଜାଣେ ଅନ୍ୟମାନେ ମୂର୍ଖ ।

•••

 

ସତୁରି

 

ଉଦୁଉଦିଆ ଖରା ଉଡ଼ୋଉଥିଲା ପବନରେ କମଳାଫୁଲର ବାସ୍ନା, ଚାରିଆଡ଼ ନିଦୁଆ ନିଦୁଆ । ସେହି ଶାନ୍ତ ଅଳସ ତନ୍ଦ୍ରା ଭିତରେ ପଣସଗଛରୁ ଢିଙ୍କିଆ ପଣସ ଓହଳିଛି । ଆମ୍ବ ଦରୋଟି ହେଲାଣି, ଗଛରେ ବନି ବନି ଆସୁଛି, କ୍ଷେତରେ ଚାଷୀ ମଜୁରିଆ ମଣିଷ, ଖୋଳା ତଡ଼ା ହଳତଷା, ଦୂରରୁ ଦୂରରୁ ପୋଡ଼ୁ କ୍ଷେତର ଧୂଆଁ ।

 

ଲେଞ୍ଜୁ କନ୍ଧର କାମ କରିବାକୁ ମନ ନ ଥାଏ । କାହାପାଇଁ ସେ କାମ କରିବ, କିଏ ତାର ନିଜର ?

 

ସେ ଦିଉଡ଼ୁର କ୍ଷେତକୁ ଅନେଇଁ ରହେ ତୋଟା ଛାଇରୁ; ଦିଉଡ଼ୁ କାମରେ ଲୋଟୁଛି, ଦରଦର ଝାଳ ବୋହିପଡ଼ୁଛି, ମୁହଁ ଶୁଖିଗଲାଣି, ବୋଝେ କାମ ବାକି । ଛାଇତଳିଆ ଖରାଟିଆ ଶାନ୍ତି ଭିତରେ ବଣ ଚଢ଼େଇର କାକଳି ଯେତେବେଳେ ଲେଞ୍ଜୁକକାକୁ ଯୌବନ ପରଶି ଦେଇଯାଏ, ଧୁଙ୍ଗିଆ ଧୂଆଁ ଉପରେ ଗୋଟାଏ ପ୍ରସନ୍ନ ହସ ହସିଦେଇ ଦିଉଡ଼ୁର ବିକଳ ଆଡ଼କୁ ଅନେଇଁ ଲେଞ୍ଜୁ କନ୍ଧ ନିର୍ବିକାର ହୋଇ ବସିପଡ଼େ । ତାର ବି ଲେଙ୍ଗୁଟି ଅଛି, ସେ ବାବାଜି ।

 

ପୁରୁଣା କାମ ପୁରୁଣା କ୍ଷେତକୁ ଅନେଇଁ ମନେ ମନେ ସେ ଆହୁରି ହସେ ଏହିଆ ଭାବି ଯେ ଦିଉଡ଼ୁ ପାନେ ପାଉଛି, ଏତେ ଖଟି ଏତେ କଷ୍ଟକରି ଭାଇର ପୁଅକୁ ନିଜର ଭାବି ଯେ ଏତେ ଯୁଗ ସେ ଅକାତରେ ସାହାଯ୍ୟ କରିଆସିଥିଲା ଦିଉଡ଼ୁ ସେଥିପାଇଁ ଏତେ ଟିକିଏ କୃତଜ୍ଞତା ଜଣାଇ ନାହିଁ । ଏଣିକି ସେ ହାତ ଉଠେଇ ନେଇଛି, ଦିଉଡ଼ୁ କରୁ ସେ ଖାଇବ, ଦିଉଡ଼ୁର ଉପାୟ ଅବଲମ୍ବି ଏଣିକି ସେ ଜାଗତିଆର, ଦିଉଡ଼ୁ ଟିକିଏ ପାଟିକଲେ ଲେଞ୍ଜୁକକା ନାଲିଆଖି କରି ଖାଇଗୋଡ଼େଇବ, ଅତି ରାଗରେ ଦିଉଡ଼ୁର ଅଭିମାନ ହୋଇ ସେ ଆଉ ପାଟି ଫିଟାଉ ନାହିଁ, ଭଲ, ତାର ଗୁମାନ ତା’ଠି ଥାଉ, ଲେଞ୍ଜୁ କକାର କାମ କେବଳ ହସିବା ।

 

ଭଲ ଲାଗୁଥାଏ, ଦିଉଡ଼ୁର ଅସୁବିଧା ଭାବି ଭାବି । ହାତରେ ଗଢ଼ିଲା ଜିନିଷ ଭାଙ୍ଗିଦେବାର ଆନନ୍ଦ ଏବେ ତାର । କିଏ ଆସୁଛି ? ପାଣ୍ଡ୍ରୁ ଦିସାରି ନାଁ ! ‘ଖାଲି ବସିଛୁ ଲେଞ୍ଜୁଭାଇ-’ ‘ବସିବି ନାହିଁ ଆଉ କ’ଣ ନାଚିବି ?’ ‘ଭଲ ଭଲ, ଯାହାର ସୁବିଧା ଅଛି ସେ ବସୁ, ତୋର ଏଡ଼େ ଧନୁର୍ଦ୍ଧର ପୁଅ ଅଛି ବୋଲି ସିନା ।’ ‘ଟୋକାଲୋକ କାମ କରିବେ, ବୁଢ଼ାଲୋକ ବସିବେ ଏଇନା ଖଞ୍ଜ ।’ ପାଣ୍ଡ୍ରୁ ଦିସାରି ରାତିରେ ତାରା ଗଣେ ଦିନରେ ତାଷ କରେ । ଲେଞ୍ଜୁ ମୁହଁ ମୋଡ଼ିଦେଲା । କ୍ଷେତ ଉପରେ ନଇଁ ପଡ଼ିଛନ୍ତି ମଣିଷ, କାମ ଭିତରେ ଗପ ଚାଲିଛି, ଗୀତ ଚାଲିଛି, ଦିଉଡ଼ୁ ମୁହଁଟାକୁ ପଥର କରିଦେଇ ଭୁସି ଲାଗିଛି ତଷି ଚାଲିଛି, ଅନ୍ୟଆଡ଼େ ତାର ଆଖି ନାହିଁ । ଏକୁଟିଆ । ଯେତେଥର ତାହା ଆଡ଼କୁ ଅନେଇଁଲେ କେବଳ ବିରକ୍ତି ଆସେ । ଲେଞ୍ଜୁ କନ୍ଧ ଭାବିଲା ଯେତେଦିନ ଏମିତି ଚାଲିବ ଚାଲୁ, ତା’ପରେ ସେ ଅଲଗା ହୋଇଯିବ । ଭାବିଲେ ଶାନ୍ତି ଲାଗେ, ଆଖି ଅଧବୁଜା ହୋଇଆସେ ସ୍ୱପ୍ନ ଦେଖିବାକୁ । ଅଲଗା ହୋଇଯିବ । ତାର ଘର ତାର ଜମି । ସମ୍ଭବତଃ ତାର ସ୍ତ୍ରୀ ମଧ୍ୟ । ତାର ବି ସନ୍ତାନ ହେବ, ସେ ବୋଲେଇବ । ମନ ଭିତରୁ ଚିର୍ଚ୍ଚିରେଇ ଉଠିଲା, ସେ ବାପ ବୋଲେଇବ, ସେ ବୁଢ଼ା ନୁହେଁ, ସେ ବି ଯୁବା, ବହୁତ ଆୟୁଷ ବାକି । ଆଖି ଖୋଲିଗଲା, ଖରା ଢଳିଲାଣି, ଖରା ତେଜରେ ହଳଦୀ ଗୋଳିହୋଇ ଗଲାଣି, ଉପର ପାହାଡ଼ରେ ଗାଢ଼ ନେଳି, ତଥାପି ବେଳ ବାକି । ଆଖି ଖୋଲି ଲେଞ୍ଜୁ କନ୍ଧ ଦେଖିଲା ସେହିପରି ଗଛମୂଳେ ସେ ବସିରହିଛି, ସେହିପରି କ୍ଷେତରେ ଲାଗିଛି ତାଷ, କିଛି ବଦଳି ନାହିଁ । ଅଳ୍ପ ଶୀତୁଳି ପଡ଼ିଆସୁଛି, ସେତିକିରେ ରାତିର ଚିନ୍ତା ଉଦାସ ଲାଗିଲା ।

 

ନା, ସବୁ ମିଛ, ସବୁ ଫାଙ୍କି । ଦିନ ଗଣୁଗଣୁ ଚିତା କାଟିଦେଇ ଜୀବନ ପଳେଇ ଯାଉଛି, ନୂଆ ବୋଲି କିଛି ନାହିଁ, ଆଶ୍ଚର୍ଯ୍ୟ ବୋଲି କିଛି ନାହିଁ, ସେ ଯେଉଁଠି ସେଇଠି । ତାର ରାଗରେ କି ଅଭିମାନରେ କାହାରି କିଛି କ୍ଷତି ନାହିଁ, ତାର ଅଭାବ ବାଧିବ ନାହିଁ କାହାରିକୁ । କେବଳ ଦେଖଣାହାରି,-କେହି ନୁହେଁ ସେ ।

 

ଜାମ୍ବାକନ୍ଧର କ୍ଷେତ ପାଖେ, ବୁଢ଼ା ଜାମ୍ବା ମଧ୍ୟ ହଳ କରୁଛି । ‘କୁଆଡ଼େ ଲେଞ୍ଜୁଭାଇ, ରହ ରହ ଟିକିଏ ଧୂଆଁ ପିଇବା ।’ ଜାମ୍ବାକନ୍ଧ ପକାଇଲା ଦିଉଡ଼ୁର କଥା । ଦିଉଡ଼ୁକୁ ସେ ଡରେ, ତେଣୁ ପିଠିଆଡ଼େ ସମାଲୋଚନା କରେ । ‘ତୋୟାପୁଟ ପାଖେ ରାସ୍ତା ଫିଟିବ ଶୁଣାଯାଉଛି,-ବୁଝିଲୁ ଲେଞ୍ଜୁଭାଇ, ରାସ୍ତା ଫିଟିଲେ ବହୁତ ଅଧିକାରୀ ଆସିବେ । ନା, ନା,-ମିଛ ନୁହେଁ, ହାଟରେ କଥାପଡ଼ିଥିଲା ।’ ଏଠିବି ଦିଉଡ଼ୁର ଆସନ୍ତା ଦୁର୍ଭାଗ୍ୟର କଥା, ଯେ ଅଧିକାରୀ ଆସିଲେ ସେମାନଙ୍କୁ ଦିଉଡ଼ୁ ସମ୍ଭାଳିବ କିପରି, ଫଳରେ-। ‘ଭଲ କଲୁ ଆଡ଼େଇ ହୋଇଗଲୁ ଲେଞ୍ଜୁଭାଇ, ବାପ କିଏ ଦାଦି କିଏ । ତହିଁକି ତାରି ଖାତିରି ପଡ଼ୁନାହିଁ କ’ଣ କହିବ । ଭଲ କଲୁ, ଆଚ୍ଛା କଲୁ ତୁ କୁଟା ଖଣ୍ଡକ ଦିଖଣ୍ଡ କର ନା । ଜମି ତ ଏକୁଟିଆ ତାର ନୁହେଁ ତତେ କାହିଁକି ନ ପୋଷିବ ?’ ଲେଞ୍ଜୁର ଜିଭ ଖୋଲିଗଲା, ଗୁଡ଼ାଏ ଗପିଲା । ଦିଉଡ଼ୁ ଏପରିକି ତାର ସ୍ତ୍ରୀକୁ ସୁଦ୍ଧା ଦୁର୍ବ୍ୟବହାର କରୁଛି । ଆଜି ଖରାବେଳେ ଖାଦି ମୁଣ୍ଡେଇ କ୍ଷେତକୁ ପହଞ୍ଚେଇ ଦେବାକୁ ଆସିଥିଲା ସେ, ଲେଞ୍ଜୁଭାଇ ଆଃ, ଦେଖିଲେ ଦୁଃଖ ଲାଗେ କ’ଣ ସେ ହେଲାଣି । ଖାଲି ହାଡ଼ କଣ୍ଟା ଦୋହଲିଲାଣି । ମୁଣ୍ଡବାଳ ଫୁରୁଫୁରୁ ଉଡ଼ୁଛି, ମୁହଁ ଯେମିତି କାଠ, କେମିତି ମାଡ଼ଗାଳି ଖାଇ ସେ ପଡ଼ିରହିଛି ମୁଁ କାବା ହେଉଛି-। ହଉ କୁଆଡ଼େ ଯାଉଥିଲୁ ଯା ଲେଞ୍ଜୁଭାଇ, ଯାଏଁ ଆଉ ଟିକିଏ ହଳ କରେଁ, ଖରା ବଢ଼ିଗଲେ ମାଟିରୁ ବତର ଚାଲିଗଲେ ହରକତ କରିବ, ବୁଢ଼ାଲୋକ, ଆଉ କ’ଣ ସେକାଳ ଅଛି ?’

 

ଲେଞ୍ଜୁର ମନ ଉସତ ଥାଏ । ସେ କରଛଡ଼ା ଦେବାରୁ କେବଳ ଯେ ଦିଉଡ଼ୁର ବଳ ହଟିଯାଇଥିବ ସେତିକି ନୁହେଁ, ସମାଜରେ ଅପବାଦ ନିନ୍ଦାବାଦ ଲାଗିରହିଛି । ପା ପାନେ ଆଚ୍ଛାକରି ପା । ଲେଞ୍ଜୁ ଖୁସି । ‘ଗୁଡ଼ିଆ’ ପାଖର ପାହାଡ଼ର ଢାଲୁରେ ବାରିକର ପୁଅ ତୁରୁଞ୍ଜା ଗୋରୁ ଅଡ଼େଇ ଅଡ଼େଇ ଚାଲିଛି । ଆରପାଖେ କୋଡ୍‌କି ଧରି ବାରିକ ବୁଢ଼ା ବାଲ୍‍ମୁଣ୍ଡା ଦିହେଁ ଢିପଜମି ତାଡ଼ି ଲାଗିଛନ୍ତି । ଗାଁ ଗୋଟାକର ସମସ୍ତେ ଅଛନ୍ତି କ୍ଷେତରେ । ଗାଁରେ କେବଳ କୁକୁରମାନେ କେହି କେହି ଥିବେ । କେବଳ କୁକୁର କି ? ଲେଞ୍ଜୁ କନ୍ଧ ଏତେଆଡ଼ ବୁଲିଆସିଲା, ସୋନାଦେଈ ଦେଖା ନାହିଁ । ମନହେଲା ଗାଁକୁ ଯାଏଁ । ନୁଆଁଣିଆ ଖରା, ପର୍ବତର ଉପର ବାଇଗଣିଆ । ଗାଁ ବାଟେ ବାଟେ ଢାଲୁ ତଳେ ଝରଣା ପାଖେ ପଞ୍ଝାଏ ଟୋକୀ । କାମ ମଝିରେ ଆମ୍ବ ପରା ଲାଗିଛି । ଥୋକେ ବସି ମୁଣ୍ଡ ବାନ୍ଧୁଛନ୍ତି, ମୁଣ୍ଡରେ ଫୁଲ ପିନ୍ଧୁଛନ୍ତି, ଲୁଗା ସଜାଡ଼ୁଛନ୍ତି । କାମ ମଝିରେ ପର୍ବତିଆ ଝିଏ ଛୁଟିନେଇ ଆରାମ କରନ୍ତି । କେତେଥର ଏହିମାନଙ୍କୁ ଦେଖି ଲେଞ୍ଜୁ କନ୍ଧ ଭାବିଛି ଅନେକ କଥା । ଏମାନଙ୍କର କେବଳ ହସ, ଝରଣାର ଗୁଦୁଗୁଦୁ ପାଣିସୁଅ ସଙ୍ଗରେ ପ୍ରତିଦ୍ୱନ୍ଦିତା ଭିଆଇଲା ପରି ଚମଡ଼ାରେ କେଉଁଠି ଏତେ ଟିକିଏ ଲୋଚାକୋଚା ନାହିଁ । ଏମାନଙ୍କର ଚାରିପାଖେ ଆୟୁଷ ଏବଂ ଆଶା ।

 

କାହିଁପାଇଁ ? ଲେଞ୍ଜୁ କନ୍ଧ ଦୀର୍ଘଶ୍ୱାସ ମାରେ । ‘ଠିଆହେଲୁ ଖାଲି କାହିଁକି ଆମ୍ବ ଖାଇବୁ ତ ଆ-’ ‘କେମିତି ଅନୋଉଛି ମଁ, ଭୁଷିବୁ କି ଲେଞ୍ଜୁଅଜା’ । ଧେତ୍, କେବଳ ଉପହାସ । ଅଜାର ଟିକା ଅଜାର ଶିଙ୍ଗ ଲଗେଇଦେଇ ଯାଇଛି ବୟସ, ଯେତେ ମୁଣ୍ଡ ଝାଡ଼ିଲେବି ସେ ଖସିବ ନାହିଁ । ଲେଞ୍ଜୁ କନ୍ଧ ଗୋଡ଼େଇଗଲା, ସେମାନେ ହସି ହସି ପଳେଇ ଗଲେ । କେତେ ଆବେଗରେ କେତେ ମିନତି ଧରି ଏତେପ୍ରକାର କରି ସେ ଅନାଏଁ, କେବେ କାହାର ହାତ ଧରି ପକେଇ କହେ, ‘ମୋ ସଙ୍ଗେ ଘର କରିବୁ ?’ ସତ କହିଚୁ ଲେଞ୍ଜୁଅଜା, ମୁଁ ଗୀତ ବୋଲିବି ତୁ ନାଚିବୁ, ମୁଁ ପିଠା କରିବି ତୁ ଖାଇବୁ ।’ ଅଜା, ଅଜା-ଅଜା । କେଡ଼େଶୀଘ୍ର ସେ ଅଜା ହୋଇଯାଉଛି, ଅଥଚ ସେହି ହାତଗୋଡ଼ ଅଛି ସେହି ମନ ଅଛି-ସେହି ମଣିଷଟା । କାଲି ସକାଳେ ରୂପନୀ ମରିଥିଲା, ଆଜି ସେ ଅଜା । ନା, ତାର ମନର କଥା କେହି ବୁଝିବେ ନାହିଁ । ଲେଞ୍ଜୁକନ୍ଧ ଉପରକୁ ଚଢ଼ିଗଲା । ପୁଣି ମନ ହେଲା ପଥର ଉପରେ ବସି ରହି ସେ ଏମାନଙ୍କୁ ଚାହିଁ ଚାହିଁ ଦେଖୁଥିବ । ଧୁଙ୍ଗିଆ ଧରେଇଲା, କି ସୁନ୍ଦର ଆଲୁଅ, କି ସୁନ୍ଦର ଦୃଶ୍ୟ । ଛାଡ଼ି ଛାଡ଼ିକା ତୋଟା, ମଝିରେ ମଝିରେ କ୍ଷେତ, ଏହି ଖାଲ ଚାରିପାଖେ ପର୍ବତ ଉଠିଛି । ଏତେ କାମରେ ଦିନବେଳେ ବି ସବୁ ଶୂନ୍ୟ ପଡ଼ିଯାଇଛି । ସେହି ଟୋକୀମାନଙ୍କୁ ଅନେଇଁ ଲେଞ୍ଜୁକନ୍ଧ ବସି ରହିଲା । କେତେକ ପୁଣି କାମକୁ ଫେରିଗଲେଣି, ଅଳ୍ପ କ’ଣ କେତେ ଅଛନ୍ତି, ଲେଞ୍ଜୁର ଆଖିରେ ଧକ କରି ନିଆଁ ଜଳିଉଠିଲା । ସରବୁ ସାଓଁତା ନାହିଁ ଯେ ତାର ସ୍ମୃତିରେ ସେ ବନ୍ଧା ପଡ଼ିଯିବ । ପୁବୁଲି ନାହିଁ ଯେ ଏମାନଙ୍କୁ ସବୁଦିନେ ସେ ଭାବୁଥିବ ପୁବୁଲି ସାଙ୍ଗର ଲୋକ ବୋଲି । ସେ ମଣିଷ । ସେ ଅଘୋରି, ତାର ଘର ଦରକାର ।

 

ତଳେ କିଏ ଗୋଟାଏ ପାଟିକଲା, ‘ଖାଲି ବସିଛ କିରେ-’ ସମସ୍ତେ କାମକୁ ଗଲେ, ଲେଞ୍ଜୁ ଭାବିଲା ତାର ଧୁଙ୍ଗିଆ ମାନ୍ଦା ପଡ଼ିଗଲା, ଏଥର ଆହୁରି କିଛି ଦରକାର । ଲେଞ୍ଜୁ କନ୍ଧ ଉପରକୁ ଚାଲିଲା । ଯାଉ ଯାଉ ପୁଣି ସେହିକଥା । ଦିଉଡ଼ୁର ଘର ତାକୁ ଭଲ ଲାଗୁ ନାହିଁ । ସେ ଅଲଗା ହେବ । ସେ ସାଓଁତା ହେବ । ଗାଁଠୁ ଛଡ଼ାରେ ଏହି କନ୍ଧଗୁଡ଼ିଆର ମୁଣ୍ଡ ଉପରେ କେଉଁଠି ଖଣ୍ଡେ ସାନଘର କରିବ, ଚାରିପାଖେ ପଥର ବାଡ଼ । ଗୁହାଳରେ ଗୋରୁମାନେ ବୋବାଳି ଛାଡ଼ୁଥିବେ । ଦୁଆରେ କୁକୁଡ଼ା ବୁଲୁଥିବେ । କାମ କମାଣି ପାଇଁ ହଳିଆ ଦିଜଣ । ନସର ପସର ହେଉଥିବ ଆହୁରି ଜଣେ, ଯେଉଁ ଜଣକ ପାଇଁ ଏ ଘର ଦୁଆର । ସେ ଜଣକ ତାର ସ୍ତ୍ରୀ । ତାର ନୂଆ ସ୍ତ୍ରୀ । କିନ୍ତୁ କାହିଁ ? ପବନରେ ମିଳେଇ ଯିବା ଭଳି କେବଳ ଫାଙ୍କା କଳ୍ପନା, ନିଜ ସଙ୍ଗେ ଛନ୍ଦି ହେବାପାଇଁ ଯାହାର ସ୍ୱାମୀକୁ ବାଘ ଖାଇଥିବ ଏପରି ସ୍ତ୍ରୀ କେଉଁଠୁ ପାଇବ ସେ ? ପାଇଲେ ବି ସେ ତାର ମନମାଫି ହେବ ଅଥବା ତାକୁ ମନ କରିବ ତାହାର ମଧ୍ୟ କେଉଁ ଠିକଣା ? ଶୀତଦିନେ ବାଘ ମାତେ, ସେହି ଶୀତଦିନେ ସେ ଖୋଜି ଦେଖିବ । କେତେ ଲୋକଙ୍କୁ ସେ ଚିହ୍ନେ । ସେହିମାନଙ୍କ ସ୍ତ୍ରୀମାନଙ୍କୁ ସ୍ମରଣ କରି ଲେଞ୍ଜୁ ଭାବିଲା କେଉଁ ଜଣକୁ ବାଘ ଖାଇଲେ ତାର ସ୍ତ୍ରୀ ତାକୁ ସୁବିଧା ହେବ ବରଷା ପୂର୍ବରୁ ଆତ୍ରିର ପୁଅ ବାତ୍ରି ଯଦି ବିଭା ହୁଏ ତେବେ ତାକୁ ବାଘ ଖାଇଲେ ଶୀତଦିନ ଗଲେ ପୁଲ୍‌ମେଁ ତାର ହୋଇପାରେ । ବାତ୍ରିର ଶୁଭ ମନାସି ଲେଞ୍ଜୁକନ୍ଧ ଉପରକୁ ଚଢ଼ିଗଲା । ପୁଲ୍‌ମେଁ-ଭଲ ହୁଅନ୍ତା । ‘କାନ୍ଦ୍‌ନା କାନ୍ଦ୍‌ନା ପୁଲ୍‌ମେଁ ମୁଁ ଅଛି ଭୟ କ’ଣ ? ବାଘ୍-ଡୁମା (ପ୍ରେତାତ୍ମା) ହୋଇ ସେ ଚାଲିଗଲା, ତାକୁ ମନେ ପକେଇଲେ ତତେ ପୁଣି ହରବର କରିବ, ବରଂ ମୋଆଡ଼କୁ ଅନା, ମୁଁ ତତେ ଯତ୍ନରେ ସମ୍ପାଦିବି ।’

 

ବୃଥା କଳ୍ପନା, ସେ ପାଗଳ । ବାରିକ ଘର ଆଡ଼କୁ ବାଟ ପଡ଼ିଛି । ସୋନାଦେଈ । ଯଦି ଥିବ ଏକୁଟିଆ ଥିବ । ଗାଁକୁ ସମସ୍ତେ ଫେରୁ ଫେରୁ ଆହୁରି ଦୁଇଘଡ଼ି ଯାଏ । ଭିତରକୁ ପଶି ଯାଉ ଯାଉ ଲେଞ୍ଜୁକନ୍ଧ ଭାବିଲା, ସବୁ ମଣିଷ ସମାନ, ସୋନାଦେଈ ଡମ୍ବ ହେଲେ ବି ମଣିଷଠୁ ହୀନ ନୁହେଁ । କେତେଦିନ ହେଲା ସୋନାଦେଈ ସଙ୍ଗେ ତାର ଖୁସିଗପ ପଡ଼ି ନାହିଁ । ଲାଗିଲା ଯୁଗେ ପରି-। କେତେ ବାଟ ଦିହେଁ ଆଗେଇ ଆସନ୍ତି, ପୁଣି ଯେଉଁଠି ସେଇଠି, ଘଟନା ଘଟେ ନାହିଁ । ଆଜି ବେଳ ଅଛି ଦୁଃଖସୁଖ ହେବାକୁ, ଦିନର ଗହଳି ନାଁ କୁ, ଏହି ପ୍ରକୃତରେ ନିଛାଟିଆ ।

 

ଆଶାରେ ପାଦ ବଢ଼ାଇଲେ ଶବ୍ଦ ନ କରି ବାରିକର ଅଗଣାକୁ ସେ ଚାଲିଗଲା । ଘର ଭିତରୁ କାମ କରିବାର ଶବ୍ଦ ଶୁଭୁଛି ।

 

‘ବାରିକ-’ । ସୋନାଦେଈ ପଦାକୁ ଆସିଲା । ‘ବାରିକ ନାହିଁ ।’ ‘ବାରିକ ନାହିଁ ମୁଁ ଜାଣିଛି-।’ ଲେଞ୍ଜୁ କନ୍ଧ ହସିଲା । ସୋନାଦେଈ ଆଶ୍ଚର୍ଯ୍ୟ ହୋଇ ଅନେଇଁ ରହିଲା । ଲେଞ୍ଜୁ କହିଲା, ‘ଭିତରକୁ ଚାଲ୍ କହିବି ।’ ଚତୁରଭାବେ ହସି ହସି ଲେଞ୍ଜୁକନ୍ଧ ଘରେ ପଶିଲା, ପଛେ ପଛେ ସୋନାଦେଈ । ଲେଞ୍ଜୁକନ୍ଧ ମଦ ପିଇ ନ ଥିଲା ।

•••

 

ଏକସ୍ତରି

 

ସୋନାଦେଈ ଖରାକୁ ଦେଖେ ନାହିଁ, ପବନକୁ ଦେଖେ । ତାର ବେଶୀ କାମ ନ ଥାଏ, ମନର ଚିନ୍ତା ପ୍ରବଳ ଯାହାର କାମ ତାହାଦ୍ୱାରା ଆପେ ଆପେ କରିହୁଏ, କେତେବେଳେ କାମ ଆରମ୍ଭ ହେଲା କେତେବେଳେ ସରିଲା ତାହାର ଖିଆଲ ନାହିଁ । କଳ ପରି ବାହାରର କାମ, ଆପେ ବୁଲେ ଆପେ ଚଳେ, ସବୁବେଳେ ସଜାଗ ଯେ ସେ ତାର ଚିନ୍ତା ।

 

ପବନକୁ ଦେଖିଲେ ତାର ମନ ସମତାଳ ପାଏ । ଘୂରିଘୂରିକା ଖଣ୍ଡିଆଭୂତ ଯାଏ, କେବଳ ଗୁଡ଼ିଏ ଶୁଖିଲା ଧୂଳି ଶୁଖିଲା ପତ୍ର । ସାଇଁ ସାଇଁ ଝାଞ୍ଜିବାଆ ମାଡ଼ିଆସେ । ଐଶାନ୍ୟରୁ ଆସେ ତୋଫାନ, ପଛେ ମେଘ ଫସର ଫାଟିଯାଏ ଗଇଁସଇଁ ପବନରେ । ଏତିକିବେଳେ, ଯେତେବେଳେ ପାହାଡ଼ ଦେଶ ରାଇ ରାଇ ତ୍ରାହି ତ୍ରାହି ଡାକ ଛାଡ଼େ, ଆମ୍ବଗଛ ଲୋଟିପଡ଼ି ଭୂଇଁରେ ଅଜାଡ଼ିଦିଏ ଫଳର ବୋଝ, ନିଛାଟିଆ ହୋଇ ସୋନାଦେଈ ସେଇଆଡ଼େ ଅନେଇଥାଏ, ନାକକାନ-ରୁନ୍ଧା ଧୂଳିର ମେଘ ତୁହାଇ ତୁହାଇ ଫୁଙ୍କି ହୋଇ ହୋଇ ଚାଲିଛି, ଧୂସରା ଆକାଶ, ପର୍ବତମାଳା ଉପରେ ନିରାଶାର ଛାଇ । ତାର ଭିତରର ମନ ସେଥିରୁ ସହାନୁଭୂତି ପାଏ, ସୋନାଦେଈ ଚାହେଁ, ଭାରି ହସିବାକୁ ମନ ହୁଏ, ଘରର ଖୁଣ୍ଟରେ ହାତ ମୁଠାର ଜାବ ପଡ଼ିଯାଏ ।

 

ପାଣି ପବନକୁ ଡରି ମାଳଦେଶର ଘର ବିଲୁଆ ଖୋପ ପରି, ସେଥିରେ ଝରା ନାହିଁ, ସାନ ଦୁଆରମୁହଁ, ଘର ଉପରର ଚାଳ ବାହାରର ପିଣ୍ଡା ଉପରକୁ ଝୁଙ୍କିପଡ଼ିଛି, ଗଳି ଗଳି ନଇଁ ନଇଁ ଯା ଆସ । କନ୍ଧପିଲା ତୋଫାନ ଦେଖିଲେ ଦୁଆରେ ଡିଅଁନ୍ତି, ତାଙ୍କୁ ଖୁସି ଲାଗେ, ତୋଫାନ ହେଲେ ଗାଁଯାକର ଟୋକାଟୋକୀ ପାଟି କରି କରି ଆମ୍ବ ଗୋଟେଇ ଯାଆନ୍ତି, ସେ ବି ଖେଳ, ମୁହଁରେ ଆଖିରେ ଧୂଳିମାଡ଼, ପବନରେ ଘୂରିଘୂରିକା ଓଲଟପାଲଟ, ଗଛମୂଳେ ଆମ୍ବ, ମନଇଚ୍ଛା ।

 

ତହିଁରେ ସୋନାଦେଈର ଯାଏ କେତେ ?

 

ପାଟିର ସୁଆଦ, ଘରକରଣାର ନିଶା, ଦେହମୁଣ୍ଡର ଭଲମନ୍ଦ,-କେଉଁଦିନୁଁ ପାସୋରି ସାରିଲାଣି ସେ । ବାପଘରେ କେବେ ପିଲା ହୋଇଥିଲା, ସେ ଦିନର ସ୍ମୃତି ଖାଲି ଭୟର, ପୁଲିସ୍, ଧରପଗଡ଼, ଘର ତଲାସି; ଶାସନ, ବନ୍ଧାବନ୍ଧି, ନା ସେ ବାପଘରେ ଝିଅ ହେବାକୁ ଚାହେଁ ନାହିଁ ।

 

ଶାଶୁଘରେ ବୋହୂ ହେଲା, ମାଳଦେଶର ଝିଅ ବର ବାଛି ମନଇଚ୍ଛା ବିଭା ହେବାକୁ ଯେଉଁ ସୁଯୋଗ ପାଏ, ବିଧାତା ତାକୁ ସେଥିରୁ ବଞ୍ଚିତ କରିଛି । ମନେଅଛି ସେଦିନର କଥା । ଖରାବେଳେ ଗାଧୋଇଆସି ଅଗଣା ଆଡ଼କୁ ମୋହିଁ ଗଲାବେଳେ ଅଚିହ୍ନା ଲୋକଙ୍କ ପାଟି । କୁର୍ତ୍ତା ଜଙ୍ଘିଆ, ଟୋପି ପଗଡ଼ି, ପ୍ରଭୁ ଅଧିକାରୀ ନିଶ୍ଚୟ । ଛିଣ୍ଡା ଶୁଖିଲା ଲୁଗା ପିନ୍ଧିଥାଏ, ଦେହ ଗୋଟାକ ଥରୁଥାଏ । କିଏ ଜଣେ ପ୍ରଭୁ ଅଧିକାରୀ କହିଲେ, ‘ଧର ତାକୁ ସଉଦା (ତଲାସ) କର, ତାହାରିଠୁ କଥା ବାହାରିବ ।’ ଦି ଚାରିଜଣ ମାଡ଼ି ଆସିଲେ, ନିଶୁଆ ନିଶୁଆ । ସେପାଖରୁ ଗର୍ଜନ ଡମ୍ବର ମିନତି ଶୁଭୁଥାଏ, ‘ମହାପ୍ରଭୁ, ମୋର ଝିଅ ମହାପ୍ରଭୁ, ସେ କିଛି ଜାଣେ ନାହିଁ, ତାକୁ କିଛି ନାଇଁକର ମହାପ୍ରଭୁ’ ମହାପ୍ରଭୁ, ସୋନାଦେଈ ଖୁଣ୍ଟ ହୋଇଯାଇ ଠିଆହେଲା । ଅଗଣାର ସେପଟେ କେତେଜଣ ଲୋକ ବସିଛନ୍ତି । ସେମାନେ ‘ଅଧିକାରୀ’ ନୁହନ୍ତି କି ‘ମହାପ୍ରଭୁ’ ନୁହଁନ୍ତି, ସେପରି ଭେକ ନାହିଁ, ସେପରି ଦେହ ନାହିଁ । ଆକୃତିରୁ ଲୁଗାପିନ୍ଧାରୁ ସେମାନେ ଡମ୍ବଲୋକ । ପର ଗାଁର । ଜଣେ ବୁଢ଼ା ବସିଛି । କେଉଁ କାରଣରୁ ଆସିଥିବେ ବା ।

 

ବାପର କରୁଣ ଅନୁନୟର ବାଣୀ କାନରେ ବାଜୁଥାଏ, ଆଶ୍ୱାସ ଦେଉଥା’ନ୍ତି ଗାଁର ନାଇକ ଚଲାନ୍ ବଡ଼ ରଇତମାନେ; ଗାଁର ବଡ଼ ମୁଣ୍ଡିଆମାନେ, ରହିରହିକା କେଉଁ ବିକଟ ଅଧିକାରୀଙ୍କ ‘ଚୁପ୍’ ‘ଚୁପ୍’ ଗର୍ଜନ । ସେହି ପାଟିତୁଣ୍ଡରୁ ସୋନାଦେଈ ନିର୍ଭର ପାଉଥାଏ, ଯେ ସେ ଏକା ନାହିଁ, ଗାଁ ଲୋକେ ଅଛନ୍ତି-’କାହିଁକି ସେମିତି ହେଉଛୁ ଗର୍ଜନ, ଅଧିକାରୀ ମା’ ବାପ, ତାଙ୍କର କାମ ସେ କରନ୍ତୁ, ତୋର ଝିଅର କି ଡର ?’ ‘କିଛି ଜାଣେ ନାହିଁ ନାଇକ, ସେ କିଛି ଜାଣେ ନାହିଁ-’ ସୋନାଦେଈ ସେହିଆଡ଼କୁ ଯାଉଥିଲା କ’ଣ ତେଣେ ହେଉଛି ? ବାରି ପଛଆଡ଼େ ? ଜଣେ କିଏ ଅଧିକାରୀ ତାକୁ ଧରିପକେଇଲେ । ‘ରହ୍, ଯାଉଛୁ କୁଆଡ଼େ’, ଭେଣ୍ଡିଆ ଅଧିକାରୀ । ଗୋଲା ମୁହଁଟା ହାଣ୍ଡିପରି, ସେଠି ରୂଢ଼ ନାହିଁ । କି ବିଚିତ୍ର ନିଶ, ଠିକ୍ ନାକପୁଡ଼ା ତଳ ଅରାକ ଭାଲୁ, ବାକିତକ ଉଇ ଖାଇଲା ପରି ଖାଲି ଯାଦୁଯାଦୁଆ । କପାଳଟା ଆବୁ ପରି ଉଠିଛି ଆଖିରେ ଦୟାମାୟା ନାହିଁ । ବାହା ଉପରେ ସେହି ଅଚିହ୍ନା ମଣିଷର ମୁଠା, ମୁହଁରେ ଦେହରେ ତାହାର ଜଳନ୍ତା ଆଖି । କ୍ଷଣକପାଇଁ ସେହି ମୁଠା ଥରିଉଠିଲା, ସେ ମୁହଁ ବଦଳିଗଲା, ଚାହାଣିରେ କ’ଣ ବଦଳିଗଲା, ପିଲାଙ୍କ ପରି ଅଳ୍ପ ଲଗେଇ ଲଗେଇ ଅଳ୍ପ ଖନେଇ ଦେଇ ଅଧିକାରୀ କହିଲେ, ସଉଦା (ତଲାସ) କରିବି, ହାତଉଠା । ସେହି ଜଳନ୍ତା ଚାହାଣି ଆଗରେ ହାତଦିଟା ସିଧା ଉପରକୁ ଉଠିଗଲା, ସଉଦା କରିବା ବାହାନାରେ ଏତେ ଲୋକଙ୍କ ଆଖି ଆଗରେ ପର ପୁରୁଷର ହାତ ଦେହଯାକ ଖେଳିବୁଲିଲା । ଓଃ-ଓଃ ଓଃ-ଭୟ ଭିତରେ ସୁଖ ଦେଲା ପରି ସେହି ହାତ ଦି’ଟା ସଉଦା କରୁ କରୁ ଅଟକି ଯାଏ, ଥରେ ଆଉଁଶିଯାଏ । ଅଧିକାରୀ କହିଲେ ଚାଲ୍ ସେ ଘରକୁ, ପଚାରିବି । ଗାଁ ମୁଣ୍ଡିଆଳ ପ୍ରବୋଧ ଦେବାକୁ ଆସିଲେ, ‘ଡରନା ମା’ ମାବାପ୍ ଯାହା ପଚାରିବେ, କହିବୁ’ ହାଉଲେ ଗର୍ଜନ ଉଠେଇ ମାବାପ୍ ରଡ଼ିଲେ ‘ତୁମେସବୁ କାହିଁକି ଆସିଲରେ,-ରହ ଜଣଜଣ କରି ପଚାରିବି ।’ ମୁହଁକୁ ତଳକୁ ପୋତି ଶୁଖିଲା ଛାତିରେ ଚୋର ପରି ଆପଣା ଘର ଭିତରକୁ ସୋନାଦେଈ ପଶିଗଲା, ପଛେ ପଛେ ସେହି ମହାପ୍ରଭୁ ଅଧିକାରୀ । କିଏ ୟେ ? କ’ଣ ଖୋଜି ବୁଲୁଛି ? କ’ଣ ପଚାରିବ ? ଆସ୍ତେ କାନ ପାଖେ, ‘ଚାଲ୍ ସେ କ’ଣକୁ ।’ ପଳେଇବାରୁ ବାଟ ଛେକୁଛନ୍ତି ମହାପ୍ରଭୁ ଅଧିକାରୀ, ପଛଆଡ଼ୁ ଦୁଇ ହାବୁକା, କାନ୍ଧ ଉପରେ ସେହି ସଣ୍ଡୁଆସି ପରି ହାତର ଚାପ, ଅଧିକାରୀଙ୍କ ଇଙ୍ଗିତ ଭିତରର ରନ୍ଧାବଖୁରିର ଅନ୍ଧାରକୁ, ଯେଉଁଠି ଚୋରା ହଡ଼ାର ମାଉଁସ ଶୁଖେଇ ରଖାହୁଏ, ଚୋରାଧନ ଭୂଇଁରେ ପୋତି ରଖାହୁଏ । ‘ଓଃ-ଓଃ-’ । ‘ଚୁପ୍’-ମୁହଁ ଉପରେ ସେହି ସଣ୍ଡୁଆସି ହାତ । ଆଗକୁ-ଆଗକୁ-ସେହି ଅନ୍ଧାର ଭିତରକୁ ।

 

ଟିକିଏ ଛାଡ଼ି ସୋନାଦେଈ ବାହାରି ଆସିଲା, ଯାଇଥିଲା ଗୋଟାଏ ପ୍ରକାର ହୋଇ ଆସିଲା ଆଉ ପ୍ରକାର ହୋଇ, ମୁହଁ ଗମ୍ଭୀର, ଆଖିରୁ ଲୁହଧାର, ଏଣିକି ସେ ଘର କରିବ । ଆଗେ ଆଗେ ଅଧିକାରୀ ତରତର ପାଦ ପକାଇ ଚାଲିଗଲେ, ‘କିଛି ମିଳିଲା ନାହିଁ-କିନ୍ତୁ ଜାଗର୍ତ୍ତା (ହୁସିଆର) ଗର୍ଜନ ଡମ୍ବ,-ଏଥର ଛାଡ଼ିଦେଲି ।’ ପ୍ରଭୁ ଅଧିକାରୀ ଗଲେ, ଦୌଡ଼ି ଦୌଡ଼ିକା ଦୁଆର ମୁହଁକୁ ଆସୁଛି ତାର ବାପ ଗର୍ଜନ୍ ଡମ, ତୁଣ୍ଡରେ ନୂଆ କଥା ‘ମିଣିଆପାୟୁ ଲୋକ ମାଙ୍ଗଣି କରି ଆସିଛନ୍ତି ଦେଖିବୁ ଆ ନୁନି, କୋଡ଼ିଏ ଟଙ୍କା ଝୋଲା ଦେଲେ, ତତେ ତାଙ୍କୁ ଦେଇଦେଇଛି, ବାରିକର ବୋହୂ ହେବୁ ଯା ନୁନି-’ । ବାହାରେ ଲୋକଙ୍କ ଘୋ ଘା । ଏ କି ନୂଆ କଥା-ନା, ସେ ଲୁହ ବନ୍ଦ କରିବ । ଭୟରୁ ଆନନ୍ଦକୁ । ଗର୍ଜନ ଡମ୍ବ ରଫାଏଲ୍ ଖ୍ରୀଷ୍ଟିୟାନ୍ ହୋଇଥିଲା ସତ, କିନ୍ତୁ ତାର ତର ସହିଲା ନାହିଁ । କେତେବେଳେ କେଉଁ ଅଧିକାରୀ,-ପୁଲିସ୍ ତ ଅଛନ୍ତି । ଯାହା ଜୀବନରେ ଖରା ବର୍ଷାର ଧରାବନ୍ଧା ଧରା ନାହିଁ, ସବୁ ଅଚାନକ, ତାର ବେଳ ଅବେଳ ନାହିଁ । ରଫାଏଲ୍ ଖ୍ରୀଷ୍ଟିୟାନ୍ ଝିଅ ବିକିଦେଇ ଝୋଲାଟଙ୍କା (କନ୍ୟା ସୁନା) ଗଣିନେଲାବେଳକୁ ଗର୍ଜନ ଡମ୍ବ ହୋଇଥିଲା । କୈଫିୟତ୍ ନେବାକୁ କେଉଁ ପାଦ୍ରି ସାହାବ ଧାଇଁ ଆସୁଛି ବଣ ଭିତରକୁ-

 

ଏକାଦିନକେ ସୋନାଦେଈ ବଢ଼ି ବଢ଼ିବା କଢ଼ରୁ ଅଧା ମଉଳା ଛିଣ୍ଡାଫୁଲ ହୋଇ ଉଡ଼ିଆସିଲା କେଲାରରୁ ମିଣିଆପାୟୁ । ସେଦିନ ସଞ୍ଜରେ ବି ତୋଫାନ ଉଠେଇଥିଲା ।

 

ଶସ୍ତାରେ ବୋହୂଟାଏ ପାଇ ଶସ୍ତା ଭୋଜିରେ ଜ୍ଞାତିକୁଳର ଦିଚାରି ଜଣଙ୍କୁ ଘରକୁ ବିଦାକରି ଭୁର୍ଷାମୁଣ୍ଡା ବାରିକ ଆଙ୍ଗୁଠି ଦେଖେଇ କହିଲା, ‘ଏଇଟା ତୋ ବର ।’

 

ଅନ୍ଧାର ରାତି । ତୋଫାନ ହୁ ହୁ ଡାକୁଥାଏ । ବାଟ ଚାଲି ଚାଲି ପାଦ ଫୋଟକା, ଜଙ୍ଘ ଦି’ଟା ଦରଜରେ ପାଚି ଆସୁଛି । ନିଦ ଘାରେ ନିଦ ଭାଙ୍ଗେ । ଖଣ୍ଡେ ଛାଡ଼ି ଚେକାମହୁଲି ପକେଇ ବର ବସି ରହିଛି, ତାର ପିଙ୍କାର ଗୁଲ ବଢ଼ିଯାଉଛି କମିଯାଉଛି ନିଭିଆସୁଛି ପୁଣି ଜଳୁଛି । ବର ବସି ବସି ଢୁଳେଇଲା । ସୋନାଦେଈ ସ୍ୱପ୍ନ ଦେଖିଲା ବରକୁ । ଅନ୍ଧାରରେ ପିଙ୍କା ଜୁକୁଜୁକୁ । ଗୋଟାଏ ଉଇହୁଙ୍କା ତା’ ଉପରେ ଜଳନ୍ତା ନିଆଁ-ଦି’ଟା ଆଖି-ପ୍ରଭୁ ଅଧିକାରୀ ଯାହାଙ୍କର ଗୋଲ ମୁହଁ, ଆବୁପରି କପାଳ, ନାକ ତଳେ ନିଶ ଉଇ ଖାଇଛି-। ପାହାନ୍ତିଆକୁ କି ଗୋଟଏ ଅଲକ୍ଷଣା ବୋବାଳି ଶୁଣି ନିଦ ଭାଙ୍ଗିଗଲା । ତୋଫାନ ସରିଛି । ବର ନାହିଁ ।

 

ସେହି ତାର ପହିଲି ରାତି ।

 

ମାସେ ପରେ ଡରି ଡରି ଶଶୁରକୁ ସେ କହିଥିଲା, ‘ମୁଁ ଘରକୁ ଯିବି ।’ ଶଶୁର ଶୁଣି ହସରେ ଉଡ଼େଇଦେଲା । ପୁଣି ସେ ଅଳି ଧରିଲା ଦିନୁଁ ଦିନ, ମୁହଁ ଫିଟେଇ କହିଲା, ‘ନିଚୁ’-‘ନିଚୁ’-(ମୋର ଇଚ୍ଛା ନାହିଁ) । ବାରିକ ପୁଅକୁ ଗାଳି ଦେଲା, ବୋହୂକୁ ଗାଳିଦେଲା । କହିଲା, ‘ତୁ ପଳେଇବୁ, ଆଉ ମୋର ଝୋଲା ଯେ ? ମୋର ଘର କିଏ ସମ୍ଭାଳିବ, କିଏ ମୋତେ ରାନ୍ଧିଦେବ ?’ ଖବର ଆସିଲା ଥରେ ଯେ ଗର୍ଜନ ଡମ୍ବକୁ ଧରିନେଇ ଯାଇଛନ୍ତି, କାନ୍ଦି ବୋବେଇ ବାଡ଼େଇ କଚାଡ଼ି ହୋଇ ସୋନାଦେଈ ରହିଲା, ସେ ବାଟ ବନ୍ଦ । ସେହିଦିନୁଁ ବନ୍ଦିନୀ ସେ ।

 

କାହିଁକି ଭଗବାନ ତାକୁ ଘୁଙ୍ଗା କଲା; କାହିଁକି ନ ଦେଲା ବଳ ? ସେ ଭଗବାନକୁ ନିନ୍ଦା କରେ । ମନହୁଏ, କରିପାରେ ନାହିଁ । ବୁଝେ ଜାଣେ, ଟାଣକରି କହିପାରେ ନାହିଁ । ବାଲମୁଣ୍ଡା ତାକୁ ଏଡ଼ି ଏଡ଼ି ଚାଲେ । ବାହାର କାମରେ ବୀର ସେ; ଆପଣା ଘରେ ତାକୁ ଡରମାଡ଼େ । କୁଆଡ଼େ ଦିଗ୍‌ବିଜୟକୁ ସେ ଯାଏ । ଘରେ ମଦୁଆ ବୁଢ଼ା ବାରିକ, କାମ ପଡ଼ିଲେ ସେ ସୁଦ୍ଧା ନ ଥାଏ । ନିଛାଟିଆ ଗାଁ ମୁଣ୍ଡିଆ ଘର, ସୋନାଦେଈର ନିରିମାଖି ଜୀବନର ପ୍ରତୀକ ପରି ।

 

ସେହି ଜୀବନରେ ଦରବୁଢ଼ା ଲେଞ୍ଜୁକନ୍ଧ ଓହ୍ଲେଇଥିଲା, କନ୍ଧ କେବେ ପତିତ ନ ହେଲେ ଡମ୍ବ ସମାଜକୁ ଆସେ ନାହିଁ । ସେହି ଭଙ୍ଗାଘର ଚାରିଆଡ଼େ ଆପଣା ମନର ରୋଗରେ ବୁଲୁଥିଲା ଦିଉଡ଼ୁ ସାଓଁତା, ବୁଲୁଥାଏ, ଭରସି ଆସେ ନାହିଁ । ଲେଞ୍ଜୁ କନ୍ଧ ଆସିଥିଲା । ତାର ମୁହଁପାଖେ ସୋନାଦେଈ ମଦ ତାଟିଆ ଟେକି ଧରେ, କହରା ବାଳ ଭିତରେ ଆଙ୍ଗୁଠି ଭର୍ତ୍ତିକରି ଜଟର ଫାଶଗୁଡ଼ାକ ଆସ୍ତେ ଆସ୍ତେ ଓଟାରେ, ଆଉ ଭାବେ, ଯେ ଘୁଙ୍ଗା ଭାବିବାକୁ ତାର ଜନ୍ମ ।

 

ବୁଢ଼ା ବାରିକ ତାକୁ ଭଲପାଏ, ବୁଢ଼ା ଲେଞ୍ଜୁକନ୍ଧ ତାକୁ ଭଲ ପାଏ, କିନ୍ତୁ ବୁଢ଼ା ବାରିକ ବାଡ଼ିଖଣ୍ଡେ ଧରି ଜଗେ ଦୁଆରମୁହଁରେ, ଖାଁ, ଖାଁ କାଶୁଥାଏ, କହେ ‘କାହିର୍‍ ଡର୍ ମୁଇଁ ଜଗିଛି ଯେ--... ହେ ବୋହୂ, ହେ ସୋନାଦେଈ କାହିଁ ଯାଉଛୁ, କାହିଁ ପଳାଇବୁ ଏତେ ରାତିରେ ଯା ଘରକେ ଯା-’-। ସବୁଦିନେ ଠିକ୍ ସଞ୍ଜରେ ସେତିକିବେଳକୁ ବାଲ୍‍ମୁଣ୍ଡା ଯାଏ କୁଆଡ଼େ ? ତୁରୁଞ୍ଜା ଯାଏ କୁଆଡ଼େ ? ସୋନାଦେଈ ପଚାରି ବୁଝେ ନାହିଁ । ଠିକ୍ ସେତିକିବେଳକୁ ତାକୁ ନିଶା ଲାଗେ, ସବୁ ଭୟ ସବୁ ସଙ୍କୋଚକୁ ଉଢ଼ୁଆଳ କରି ଦୁଆର ମୁହଁରେ ସ୍ୱୟଂ ତାର ଶଶୁର, ଆପଣାକୁ ଜଣାଇ ଦେଲାପରି ତାର ଖଁ ଖଁ କାଶ....

 

ତୋଫାନରେ ଛଟପଟ ଗଛପରି ପ୍ରବଳଭାବେ ଝାଙ୍କି ହୋଇଯାଇ ଗର କାଠପରି ଲେଞ୍ଜୁକନ୍ଧ ଆଉଜି ପଡ଼େ । ଦିନବେଳେ ତାକୁ ଦେଖିଲେ ସୋନାଦେଈର ଘୃଣା ଆସେ । ଖରା, ପବନ, ଖୋଲା ପ୍ରକୃତି ବାରମ୍ବାର ତାରି ବିଚାରକୁ ତେଜି ତେଜି ଦିଏ ଜିଭକୁ କାଟେ କାଦୁଅର ବି ସ୍ୱାଦ । କିନ୍ତୁ ଯେତେଥର ଦେଖେ ବାଲ୍‍ମୁଣ୍ଡାକୁ ତାର ବିଦ୍ରୋହ ଜଳିଉଠେ, ଲେଞ୍ଜୁକନ୍ଧ ତାରି ଛୋଟ ବିଦ୍ରୋହର ପ୍ରତିମୂର୍ତ୍ତି ।

 

ସ୍ୱାମୀକୁ ଦେଖିଲେ ମନ ଦବେ ନାହିଁ । ବାଲ୍‍ମୁଣ୍ଡା କାମ ଫରମାଶି କରେ, ସୋନାଦେଈ ତର୍କ କରେ ନାହିଁ, କେବଳ ପଛ ମୋଡ଼ିଦେଇ ଚାଲିଯାଏ । ବାଲ୍‍ମୁଣ୍ଡା ରାଗିଲେ ସିଧା ସୋନାଦେଈ ଅନାଏ ତା’ ମୁହଁକୁ, ସେହି ଚାହାଣିର ତିରସ୍କାରରେ ବାଲ୍‍ମୁଣ୍ଡା ମୁଣ୍ଡ ନୁଆଁଏ, ଭରସି ପାରେ ନାହିଁ, ଯାଏ ଦବିଯାଏ । ଅଶିଣମାସ ହେବ ପରା,-ମୁଣ୍ଡରେ ଚିତା ଲଗେଇ ହାତରେ ଅଣ୍ଟାରେ ମାଳମାଳ ଜଡ଼ିବୁଟି ବାନ୍ଧି ହସିହସି ବାଲ୍‍ମୁଣ୍ଡା ଥରେ ଆସିଲା । କେଉଁ ଦିସାରିଠୁ ଔଷଧ ନେଇ ଆସିଥିଲା ସେ । ତାର ହସ ଦେଖି ସୋନାଦେଈ ଡରି ଯାଇଥିଲା, ଭାବିଥିଲା ଗୋଟାଏ କିଛି ହେବ । ବାଲ୍‍ମୁଣ୍ଡା ଝପଟି ଆସିଲା, ଟିକିଏ ଅପେକ୍ଷା କଲା, ଦୁଇ ହାତରେ ମୁହଁକୁ ମାଡ଼ିଦେଈ କୁକୁରଛୁଆ ପରି କୁଁ କୁଁ ହୋଇ କାନ୍ଦିଉଠି ଘର ଛାଡ଼ି ପଳେଇ ଯାଇଥିଲା । ସୋନାଦେଈ ଭାବିଲା, ୟେ କ’ଣ ବାୟା ହୋଇଯାଉଛି ?

 

ଆଉ ବାଲ୍‍ମୁଣ୍ଡା ଔଷଧ ନେଇ କେବେ ଆସି ନାହିଁ ।

 

କେତେଥର କେତେ ଚିଜ ଦରବ ଧରି ବନ୍ଧୁତା କରିବାକୁ ବାଲ୍‍ମୁଣ୍ଡା ଆସିଛି, ତାର ହତଶ୍ରୀଳ ମୁହଁରେ ଆଖିରେ ଅସଂଖ୍ୟ ଦଣ୍ଡବତର ସମ୍ବୋଧନ । ତାର କଥାବାର୍ତ୍ତା ସହିହୁଏ, ତାର ରାଗ ସହିହୁଏ, କିନ୍ତୁ ତାର ସ୍ନେହ ବିଲେଇ ପରି ସୋନାଦେଈ ‘ଫଁ’ କରି ଉଠେ, ଯାଏ ତାର ଘୁଙ୍ଗାପଣ ତାର ମଉନ ସ୍ଥିରତା, ବାଲ୍‍ମୁଣ୍ଡା ମାଡ଼ଖାଇ ପଳାଏ ।

 

ଏଇ ତାର ମନ, ବାହାରେ-ସେ ଅତି ଥଣ୍ଡା, ଧୀର ସ୍ଥିର ବାରିକ ଘର ବୋହୂ । ମୁଣ୍ଡ ନ ଟେକି ବାଟ ଚାଲେ । ମୁହଁ ଉପରେ କେବଳ ଗୁଡ଼ାଏ ଛାଲ ସିଝେଇଦେବା ଚିନ୍ତାର ଚିହ୍ନ । ଲୋକେ ତାର ଦୁଃଖ ଅନୁମାନ କରିପାରନ୍ତି, ଯୁଆଡ଼େ ଗଲେ ସମସ୍ତିଙ୍କର ସହାନୁଭୂତି ସେ ପାଏ, ଖାଲି ଆହା ଆହା । ଉଡ଼ିଯିବାକୁ ଏଠି ତାର ରାହା ନାହିଁ । ପୋଡ଼ା ଜୀବନର ବୋଝ ମୁଣ୍ଡେଇ ବିକଳ ହୋଇ ସୋନାଦେଈ କେବଳ ଆଶାରେ ବଞ୍ଚେ । ଏତିକି ତାର ଜୀବନ, କେବଳ ବାଲି ଅପନ୍ତରା, ଜୀବନ କ’ଣ ସେ ଜାଣେ ନାହିଁ । କେବଳ ଅନୁଭୂତି ଭିତରୁ ବାରିହୋଇ ବାହାରେ ବାପଘରେ ସେଦିନ ସେ ମହାପ୍ରଭୁ ଅଧିକାରୀ, କେବଳ ଦି’ଟା ମୁହୂର୍ତ୍ତ । ଆଉ ନାହିଁ, ଜୀବନ ଫାଙ୍କା । ସଂସାରରେ କେତେ ମହାପ୍ରଭୁ ଅଧିକାରୀ । କେହି କେବେ ଆସନ୍ତି ନାହିଁ ।

•••

 

ବାସ୍ତରି

 

ଖରାଝାଞ୍ଜିରେ ବଣ ଶୁଖିଛି, ମଣିଷର ତା’ପରେ ପାଖର ବଣ ପୋଡ଼ି ତାଷ ଭୂଇଁ ହୋଇଛି, ଗ୍ରୀଷ୍ମରେ ବଣର ଶିରୀ ତୁଟିଛି । କୋଶେ ଗଲେ ଗୋଡ଼ ଥକିପଡ଼େ, ପଦାକୁ ବାହାରିଲେ ଦେହ ସିଝିଯାଏ । ହାତରେ କୋଡ଼କି କାନ୍ଧରେ ଟାଙ୍ଗିଆ ତାତେ, କାମକଲା ଭୂଇଁରେ ଚିହ୍ନାଘରର ଶତ୍ରୁ ହୋଇଯା’ନ୍ତି ଟେକା ପଥର ଗରମ ହୋଇ ବିନ୍ଧେ ପାଦରେ । ଏଦିନେ କୁକୁଡ଼ା, ମୟୂର ପାହାନ୍ତିଆରୁ ତଳକୁ ଉତୁରି ପହରେ ଖରା ଲାଗିଲାବେଳକୁ ବଣ ଭିତରେ ପଶିଥା’ନ୍ତି । ଦି’ଘଡ଼ି ହେଲେ ଚାରିଆଡ଼ର ଚନ୍ଦାଭୂଇଁ ପାଚିଯାଇ ଲାଲ୍ ଦିଶେ, ଅସମାନ ପାହାଡ଼ଦେଶର ପର୍ବତ ଲହଡ଼ି ଉପରେ ପବନରେ ଝଲର ଝଲର ହୋଇ ନାଚେ ।

 

କେବଳ ଅଳସେଇ ଅଳସେଇ ହୋଇ ଦିନ ବିତେଇବା କାଳ । ଯେପରିକି ଗତି ବନ୍ଦକରି ସବୁ କୌଣସିମତେ ଢୁଳେଇପଡ଼େ । ଆଜି ଯାହା କାଲି ତାହା ।

 

ସବୁ ଯେତେବେଳେ ପାଚି ଶୁଖି ଝଡ଼ିପଡ଼େ, ଡିମିରି, ଆମ୍ବ, ପଣସ, ହଳଦିଆପତ୍ର, ବେଜୁଣୀ ତାର ଗୋଟିକିଆ କୁଡ଼ିଆ ଛାଡ଼ି ଗାଁ ପର୍ବତର ଶିଂଘ ଉପରେ ଚଢ଼ି ବସି ଭାବେ । ସାଧାରଣ ମଣିଷର କାମ ହାତରେ, ବେଜୁଣୀର କାମ ତାର କଳ୍ପନାରେ, ତାର ମୁଣ୍ଡ ଭିତରେ । ଖରାଦିନ ଦ୍ୱିପ୍ରହରେ ଏଇଠି ତାହାର ଗୁପ୍ତ ଆଶ୍ରମ, ପଥର ଖୋଲ ଭିତରେ କଠିନ ସବୁଜା ଶିଆଳିପତ୍ର ଲଦାଲଦି ଗଜା ଶାଳଗଛ ଗୋଡ଼ତଳେ, ଗାଁ ବସ୍ତିଠୁ ଖୁବ୍ ଉଞ୍ଚରେ ଯେଉଁଠୁ ଚାରିପାଖରେ ଦେଶ କେବଳ ପାତାଳ । ଉଞ୍ଚ ଗଛରେ ଶାଗୁଣା ପଲ ପଲ, ଦ୍ୱିପହରେ ପୂର୍ବଘାଟର ଈଗଲ୍ ମୟୂରମାରୁ ଚଢ଼େଇ ଦେବଦାରୁ ଅଗରେ ବସି ମୁଣ୍ଡରେ ଚୂଳ ହଲାଏ, ବିଜ୍ଞ ହୋଇ ଚାରି ପାଖକୁ ନିଘା କରେ ।

 

ତଳ ଢାଲୁର ବାଉଁଶବଣରୁ ଖରା ତାତିରେ କିପରି ଗୋଟାଏ ବାମ୍ଫୁଆ ପବନ ଆସେ, ନିଶ୍ୱାସକୁ କଷ୍ଟଦିଏ । ଆଉ ଖାଲି ସାଇଁ ସାଇଁ ଫାଇଁ ଫାଇଁ, ଘଡ଼ିକେ ପହରକେ ଫମ୍ପା ପ୍ରତିଧ୍ୱନି ପରି ଦୂରରୁ କାହାର କଥାର ଶବ୍ଦ, ଟାଙ୍ଗିଆ ପାହାର, ଅଳ୍ପ ବାରି ହେଉଥିବା ବଣଜନ୍ତୁର ବୋବାଳି ।

 

ତତଲା ଦି’ପହରକୁ ଚିରି ଚିରି ଚହଟିଆସେ ଜାତିଜାତିକା ବାସ୍ନା, ଅତି ଉତ୍‌କଟ ଚମ୍ପା, ଶାଳଗଛର ଝାଳ, ମାଟିର ବାସ୍ନା ଭିତରେ ବଦଳା ବଦଳି ।

 

ଦିନର ଗତିରେ ଛବି ପରିବର୍ତ୍ତନ ।

 

ସବୁରି ମଝିରେ ଗ୍ରୀଷ୍ମର ଜରତୀରୂପ, କେବଳ ଜଣେ ବେଜୁଣୀ ନୁହେଁ, ସବୁ ଏକାପରି । ଦର୍ମୁ ଦେବତାକୁ ଚାଷୀର ଅର୍ଘ୍ୟ ପରି ମୋଟା ଧୂଆଁ ଉଠେ ପୋଡ଼ୁ ତାଷର । ପର୍ବତ ଢାଲୁରେ କୋରାପୁଟିଆ ବୁଦା ଅଗଛା ଘାସର ବହଳ ବାଳ ଶୁଖି କହରା ହୋଇଛି, ସ୍ଥାନେ ସ୍ଥାନେ ଚନ୍ଦା । ଝୋଲା ଗାଡ଼ର ଖଣ୍ଡିର ବଣ ଧ୍ୱଂସ ହୋଇଯାଇ ବସୁଧାର ସବୁ ଦୁର୍ବଳତାର ଗୁମର ଫିଟିପଡ଼ି ଦିଶୁଛି ବିକଳ, ଆକାଶରୁ ପାତାଳକୁ ଲମ୍ବା ଲମ୍ବା ଫାଟ ବଙ୍କେଇ ବୁଲି ଚାଲିଯାଇଛି କୋଶ କୋଶକୁ, ଚଡ଼ ଚଡ଼ ଫାଟ, ଶୁଖିଲା ।

 

ରୂପରୁ ଗନ୍ଧରୁ ଶବ୍ଦରୁ ମେଞ୍ଚା ମେଞ୍ଚା ଧୂଳି ପାଉଁଶ, ଛିଣ୍ଡା ଫୁଲ, ମଲା ବକଳ ଉଞ୍ଛିନେଇ ବୁଢ଼ୀ ବେଜୁଣୀ ନିଛାଟିଆରେ ବସି ତାର ଭାବନା ପାଇଁ ଧାରଣା ପାଇଁ ମାଳା ଗୁନ୍ଥେ, ଅଳଙ୍କାର ଗଢ଼େ । ସବୁଥିରେ ସେ ଦେବତାମାନଙ୍କର ପରିଚୟ ପାଏ ଏହିପରି ତାଙ୍କର ଅଶରୀରୀ ରୂପ, ବେଜୁଣୀ ଚିହ୍ନେ ଆଉ କେହି ନାହିଁ । ତେଣୁ ଏହି ଉଦୁଉଦିଆ ଶୁଖିଲା ସେମେଟା ଦିପହରରେ ମନ୍ଦାରମାଳା ନାଇ ବୋଝ ବୋଝ ମାଳି ଓହଳେଇ ଗୋଡ଼ ଲମ୍ବେଇ ବସି ଭାବିବାକୁ ତାକୁ ସୁବିଧା ହୁଏ । ବେଜୁଣୀ ଭାବେ ସେମାନଙ୍କୁ ସେ ଦେଖିପାରୁଛି, ତାଙ୍କ ସଙ୍ଗେ ଦୁଃଖସୁଖ ହେଉଛି । ତେଣୁ ନିତି ଦିପହରେ ବଣର ଚୂଡ଼ାରେ ଏକୁଟିଆ ବସି ସେ ଭୁଟୁରୁ ଭୁଟୁରୁ ହୁଏ, ବ୍ୟାଘାତ ପାଏ ନାହିଁ । କୋଡ଼ି କୋଡ଼ି ହୋଇ କେତେ ନାହିଁ କେତେ ବର୍ଷ ଯାଇଛି ତା ଆଖି ଆଗରେ, ଲୋକେ ପାଚିଛନ୍ତି, ଝଡ଼ି ପଡ଼ିଛନ୍ତି, କାହାର କଅଁଳ କଢ଼ରେ ଅଦିନିଆଁ ଝାସର ଦାହ । ଆଜି ସେମାନେ ନାହାନ୍ତି । କେତେ ତ ଆସିଥିଲେ, ସେମାନେ ଲୁଣ କିଣି ଗଲେ, ସମସ୍ତିଙ୍କୁ ସଙ୍ଖୋଳିବାକୁ ସମସ୍ତଙ୍କର ହିସାବ ଆସିଲେ, ରଖିବାକୁ ବସି ରହିଛି ସେ, କିନ୍ତୁ ତାର ଦୁଃଖ ନାହିଁ ।

 

ମରି ଯେଉଁମାନେ ଜନ୍ମ ହୋଇ ଆସିଲେ, କିନ୍ତୁ ଯାହାର ଘଟ ଠିକଣା ହୋଇ ନାହିଁ ସେ ଉଡ଼ୁଛି ଖାଲି ପବନର ଶରୀର, ଗୁଣର ରଙ୍ଗରେ ଛାଇ ରୂପର ବର୍ଣ୍ଣ ଆସକ୍ତିରେ ନାଲି ହୋଇଉଠି ଟିକି ନାଲି ଚଢ଼େଇ ପରି ପଞ୍ଝା ପଞ୍ଝା ହୋଇ ଉଡ଼ିଯାଆନ୍ତି ସେମାନେ, ଧୂଆଁଳିଆ ଆଖିରେ ଡହଳବିକଳ, ଆଶା କରିବାକୁ ଦେହ ନାହିଁ, ଭୋଗ କରିବାକୁ ଅନୁଭୂତି ନାହିଁ । ବେଜୁଣୀ ଭାବେ ତାଙ୍କୁ ଦେଖେ । ଭାସି ଭାସି ହଲି ହଲି । ଯୁଗ ଯୁଗର ଆତ୍ମା । କ’ଣ ସେମାନେ କରିଥିଲେ, ଖାଲି ଅମେଣ୍ଟା ଆଶା କୁଢ଼ କୁଢ଼ । ସେହି କାମନାର ନାଲି ଜାଲଲୁଗା ଫଡ଼କେଇ ଦେଇ ସେମାନେ ଉଡ଼ି ଯାଆନ୍ତି, ବେଜୁଣୀ ମନକୁ ମନ ଭୁଟୁରୁ ଭୁଟୁରୁ ହୁଏ ‘କେମିତି ଅଛ ? କୁଆଡ଼େ ଯାଉଛ ? କେତେକାଳ ଭାଁ ବୁଲୁଥିବ ଏହିପରି ?’ ଆଖିରେ ଆଖିରେ କଥା କହିଦେଇ ହଜିଲା ଲୋକର ଡୁମା (ପ୍ରେତ) ଭାସି ଚାଲିଯାଏ, ପବନର ଶିମିଳି ତୂଳା ପରି, ଘାସ ଅଗଛାର ଡୁଳା ପରି । ‘ଯାଅ ଡୁମା, ଯାଅ । ତୁମେ ପରା ସୈନିକ ଦଳ, ବହୁତ ଲଢ଼ିଥିଲ, ବହୁତ ବୀରତ୍ୱ ଦେଖେଇଥିଲେ, ଶତ୍ରୁ କାଳେ ଗୁପ୍ତକଥା ନେଇଯିବ ବୋଲି ଜିଭ କାମୁଡ଼ି ଛିଣ୍ଡେଇ ଫୋପାଡ଼ିଥିଲ, ଗୋଡ଼ହାତ ବନ୍ଧାହୋଇ ପଡ଼ିଥିଲାବେଳେ ମୁଣ୍ଡକୁ ପିଟି ପିଟି ଡୁମା ହୋଇଥିଲ । ତୁମେ ପରା ଛାଉଣୀ ପୋଡ଼ିଥିଲ ତୁମେ ମଣିଷ ହାଣିଥିଲ ।

 

ମାରିଥିଲ ପଲ ପଲ କରି, ମରିଥିଲ କୁଢ଼ କୁଢ଼ ହୋଇ, ଧରି ରଖିବ ବୋଲି ଭାବିଥିଲ । ତୁମ ପାଉଁଶର ଧାନ ମାଣ୍ଡିଆ ସୁଦ୍ଧା ସାହୁକାର ବୋହିନେଇ ସାରିଛି । ଯାହା ତୁମେ ଗଢ଼ିବାକୁ ପ୍ରାଣ ଦେଲ ତାହା ଏବେ ଧୂଳିରେ ମିଶିଛି, ତୁମେ ମରି ଭୂତ ହୋଇଛ, ତୁମକୁ ଏଠି କେହି ଚିହ୍ନେ ନାହିଁ, ତୁମର ସନ୍ତତି ବଣର ପଶୁ, ଗଛର ମାଙ୍କଡ଼ । ଯାଅ । ତେଜି ଉଠୁଛି ଆଖି ? ଝଣକି ଉଠୁଛି ଖଣ୍ଡା ? ହା-ହା-ଟେକାଟିଏ ଫୋପାଡ଼ି ପାରିବ ଭଲା ? ଆହୁରି ଜାଳିବ କାହିଁକି ନିଜକୁ ? ଯାଅ ଯାଅ....

 

ହେଇ ଆସୁଛି ପ୍ରସିଦ୍ଧ ଦିସାରି, ଗାରଡ଼ିର ଅବତାର । ତାରାମାନଙ୍କୁ ଭାରିଯାର ପଣତକାନିରେ ବାନ୍ଧିଥିଲୁ ପରା, ଆକାଶକୁ ପୂରେଇଥିଲୁ ତୋର କାନ୍ଧର ଲାଉତୁମ୍ବାରେ । ମଣିଷକୁ ମେଣ୍ଢା କରୁଥିଲୁ । କେତେ ଯୋଗ ଦେଇଥିଲୁ, କେତେ ପାଗ ଦେଇଥିଲୁ, ତଥାପି ଅତୃପ୍ତ । ଯା ଭାସି ଯା-’

 

ସେ ଲୋକକୁ ଯିବାକୁ ତାର ଇଚ୍ଛା ନାହିଁ, ଜୀବନ ମରଣର ସନ୍ଧି । ସେଠି ଅଛି ଚାହିଁରହିବା, ଡହଳ ବିକଳ ହେବା, ପରର ଦେଖି ନିଜେ ଝରସରି ହେବା, ନିଜର ଭାବି ଖାଲି ନିଷ୍ଫଳ ହତାଶରେ ଝଡ଼ିପଡ଼ିବା, ଗୁଡ଼ାଏ କାମନା ସେଠି ବିନ୍ଧିଛି, ବଣର କଣ୍ଟାରୁ ବେଶୀ ବିଷ ।

 

ଆକାଶରେ ତାହାରି ସୂଚନା, ଖରା ଝାଇଁରେ ତାହାରି ଛାଇ । ଚାହିଁ ଚାହିଁ ବେଜୁଣୀ ଆତ୍ମ-ବିସ୍ମୃତ ହୋଇ ଆଉଜି ପଡ଼ିଥାଏ । କପାଳର ଲଙ୍ଗଳ ସିଅ ଆହୁରି ଗହୀର, ପାଟି ଆଁ କରି ରହିଛି, ବିକଟାଳ ଗୋଟିକିଆ ହଳଦିଆ ଦାନ୍ତର ଲାଖ ଆକାଶକୁ, ଚମ ଲୋଚାକୋଚା ହୋଇ ଓହଳି ପଡ଼ିଛି, ଦେହ ଢିଲାହୋଇ ରହିଛି, ସବୁ ହୁଗୁଳା ସବୁ ହଳଦିଆ, ନିଛାଟିଆ ଆକାଶ ପର୍ବତ ଉପରେ ଗୋଟିକିଆ ବୁଢ଼ୀ ଲୋକଟିଏ । ସ୍ୱପ୍ନ-ସ୍ୱପ୍ନ-ସ୍ୱପ୍ନ, ପବନରେ ସ୍ୱପ୍ନର ଭାର, ପୋଲା ବାଉଁଶ ଭିତରୁ ସ୍ୱପ୍ନର ଡାକ, ମଣିଷ, କେତେ ସେ ସହିବ-।

 

ସେ ବଞ୍ଚି ନାହିଁ, ସେ ମରି ନାହିଁ, ମଲା ଜୀଇଲା ମଝିରେ ଜଣେ ସେ । ଏଇଆ ଭାବି ତାର ମନ ଆପଣାକୁ ପତିଆରା ଦେଖାଏ ଯେ ସେ ନିଆରା, କାରଣ ପ୍ରେତ ତ ପ୍ରେତ, ଦେବତାମାନଙ୍କ ସଙ୍ଗେ ବି ତାର ପରିଚୟ । କେହି ନ ଥିଲା ଦିପହରେ, ଏହି ନିଛାଟିଆରେ ବଣର ଆତ୍ମା ହୋରୁ-ପେନୁ (ବଣ-ଦେବତା) କ’ଣ ଆସି ତା ସହିତ ଦୁଃଖସୁଖ ହୁଏ ନାହିଁ ? ଏହିସବୁ ଅଞ୍ଚଳ, କନ୍ଧଦେଶରେ ଯେତେ ବଣ, ସବୁରି ଠାକୁର ସେ । କହେ ଦେଖି ବେଜୁଣୀ, କେଡ଼େ ଖରା କେଡ଼େ ପୋଡ଼ି । ତଥାପି ଏତେ କଷ୍ଟ ସହି ଛାଇ ଘୋଡ଼େଇ ରଖିଚି ମଣିଷମାନଙ୍କୁ, ଝରଣାରେ ପାଣି ରଖିଛି ଦେଶରେ ଶୀତଳ ରଖିଛି । କ’ଣ ହେବ ? ଏତେ କରି ବି ମଣିଷର କୃତଜ୍ଞତା ନାହିଁ, ‘ପୋଡ଼ୁ’ ଉପରେ ‘ପୋଡ଼ୁ’ ବଢ଼ୁଛି, ବଣ ନାରଖାର ହେଉଛି । ସବୁଦିନେ ଏପରି ନ ଥିବ ତ ବେଜୁଣୀ, ଖରା କଟିଯିବ, ମେଘ ଦୁଲୁକିବ, ବାଘ ଖାଇଲେ ଲୋକେ ମତେ ସୁମରିବେ । ଖରାର ତାତିରେ ହୁଳା ଭିତରେ ଦିଶେ ମେଘ ଦେବତା ‘ବୀମାରାଜା’ର ମୁକୁଟ, ଏତେ ଉପରୁ ହୀନସ୍ତା ଭିତରେ ସୁଦ୍ଧା ତାର ଆଶାୟୀ ହସ କୁହାଟ ମାରି କହେ, ଆସୁଛି ବେଜୁଣୀ, ରହ ଆଉ ଟିକିଏ ତ’ ।

 

ଆଁ’ଟାଏ କରି ବାୟାଣୀ ପରି ବୁଢ଼ୀଟିଏ ଗଛମୂଳେ ପଡ଼ିଛି, ମଲାଙ୍କ ପରି ପଡ଼ିଛି । ଗାଈଆଳ ଟୋକା ଥରେ ଅନେଇଁ ଦେଇ ଦି’ଥର ବି ଦେଖେ ନାହିଁ, ଡରି ଡରି ଗୋରୁ ଅଡ଼େଇ ନେଇ ତଳକୁ ଗଡ଼ିଯାଏ । ଚିଲ ଶାଗୁଣା ଭଉଁରି ଉଡ଼ନ୍ତି, ବିଲୁଆ ଆସି ଅନେଇଁ ଅନେଇଁ ବରଫଳ ଖାଇ ଚାଲିଯାଏ, ସେହି ଭଲଲାଗେ ବେଜୁଣୀକୁ, ସେ ଭାବେ ସେମାନଙ୍କୁ ସେ ଚିହ୍ନିଛି, ସେହିମାନେ ଛଦ୍ମବେଶୀ ଦେବତା, ଏହି ସମସ୍ତେ ମିଶି ତାର ଜଗୁଆଳୀ ।

 

କିନ୍ତୁ ବେଳେ ବେଳେ, ଏତେ ଜଗୁଆଳୀ ଏତେ ଅଙ୍ଗରକ୍ଷୀ ଥାଇ ବି ବେଜୁଣୀର ଆଶଙ୍କା ହୁଏ । ସୂର୍ଯ୍ୟଟା ଦି’ଲାଠି ବାଟ ଓହ୍ଲେଇ ପଡ଼ିଥିବ ତଳକୁ, ଲମ୍ବାଲମ୍ବା ଛାଇ । ପଛକୁ ପଛ ଡେଇଁ ଡେଇଁକା ପବନର ନାଚ । ପ୍ରବଳଭାବେ ବେଜୁଣୀର କାଶ ଉଠେ, କାଶିକାଶି ଦେହ ଲୋଚାକୋଚା ହୋଇଯାଏ । ସେତିକିବେଳେ ପବନ ହାବୁକାରେ ତାକୁ ଛୁଇଁ ଦେଇ ଡୁମା ପ୍ରେତମାନେ ଧାଇଁ ପଳାଇଯା’ନ୍ତି, କହିଯାଆନ୍ତି ‘ଆ-ଆ-ଆ ।’ ସହାନୁଭୂତିରେ ସ୍ୱର ବୋଝେଇ ଦେଇ କାନ ପାଖେ କିଏ କହେ ‘ଆଉ କେତେଦିନ ବୁଢ଼ୀ, ଗୋଟାଏ ମାଟି ଗୋଟାଏ ଗାଁ, କେତେଦିନ ଏଠି ପଡ଼ି ରହିଥିବୁ ? ଚାଲ ଯିବୁ ଚାଲ୍ ।’ ତରତର ଉଡ଼ି କିଏ ପୁଣି ଆସି ହଡ଼୍‌ବଡ଼େଇ ଯାଆନ୍ତି,-’ଚାଲ୍-ଚାଲ୍-ଚାଲ୍’ । ବେଜୁଣୀ ଡରେ, ବେଜୁଣୀ ବିକଳ ହୁଏ । ଆଖି ଖୋଲେ, ଦେଖେ, ସେହି ମାଟି ଅଛି ସେହି ବଣ ଅଛି, ସେ ରହିଛି ।

 

ପୋଷେ ବର୍ଷ ମୋଟେ, ମୁଠାଏ ବି ହୋଇ ନାହିଁ । ଯିବାକୁ କି ଗରଜ ପଡ଼ିଛି ? ଗାଁ ସମ୍ଭାଳିବ କିଏ ? ରୋଗ ଭଲ କରିବ, ଦେବତାଙ୍କୁ ତୁଷ୍ଟ କରିବ, ଭଲମନ୍ଦ ବୁଝିନେବ । ଭବିଷ୍ୟତ୍‍ରେ ଭଲ ନାହିଁ, ଆହୁରି ହୀନିମାନ ଆହୁରି କଷ୍ଟ ଏ ଲୋକଙ୍କର । କିନ୍ତୁ ତାର କେହି ନାହିଁ, ୟେ ସମସ୍ତେ ତାର, ଏତେ ଚଞ୍ଚଳ ଆପଣା ମୁଣ୍ଡରୁ ଦାୟିତ୍ୱ ଓହ୍ଲେଇ ଦେବାକୁ ସେ ଖୋଜୁ ନାହିଁ । କେତେ କାମ କେତେ ଦାୟିତ୍ୱ । ସେ ଯିବେ ନାହିଁ । ଦେବତା ଆଉ ପ୍ରେତ ସେ ଭୁଲିଯାଏ, ଶୀତେଇ ଉଠି ଦେହ ପୁଣି ଭଲ ହୋଇଯାଏ, ଥୁରୁଥୁରୁ ହୋଇ ଗାଁକୁ ଫେରେ, ତାର ସାଙ୍ଗ ଦରକାର । ଲେଉଟାଣିବେଳେ ଯେତେଥର ଉପରୁ ସେ ଗାଁକୁ ଦେଖେ, ତାର ଫମ୍ପା ଦେହରେ ଓଜନ ପଶେ, ପାଦ ଆହୁରି ଦୃଢ଼କରି ମାଡ଼େ ମାଟି ଉପରେ, ହାତର ବାଡ଼ିକୁ ଟାଣକରି ଧରେ । ଏହି ତାର ଜୀବନ, ବଞ୍ଚିରହିବାର ସୁଖ, ଜଉଲସ ।

 

ଦିନକର ଏହିପରି ବେଜୁଣୀ ପଡ଼ି ରହିଥାଏ, ଆକାଶକୁ ଆଖି, ଇନ୍ଦ୍ରିୟ ଜ୍ଞାନରେ ବାହାରର ଚେତନା ନାହିଁ । ସ୍ୱପ୍ନରେ କେବଳ ରୋଗ ଶୋକ ମରୁଡ଼ି ମଡ଼କ । ଦୂରରେ ଉଠିଛି ଧୂମ, ଆଗେ ଆଗେ ପବନ ସଣସଣେଇ ମାଡ଼ି ଚାଲିଛି କେବଳ ଓ୍ୱା-ଓ୍ୱା (ଆ-ଆ) ଡାକ, ସେହି ଡାକର ତୀବ୍ର ନିଷ୍ଠୁରତାରୁ ନିଜକୁ ବଞ୍ଚେଇବାକୁ ଯାଇ ମୋଡ଼ିମାଡ଼ି ହୋଇଯାଉଛି ବେଜୁଣୀ, ଥଟ୍ଟାକଲା ପରି ସେହି ଉଚ୍ଚ ଅଟ୍ଟହାସ ଆ-ଆ ।

 

ବଣରେ ମଣିଷଙ୍କ ପାଟି ଶୁଭୁଛି । ପାଖେଇ ପାଖେଇ ଆସୁଛି । କାହିଁ ୟାଡ଼େ ନାହିଁତ, ଗଲା କୁଆଡ଼େ ? ‘ଝାକର ପାଖେ ଦେଖି ଆସିଲେ ସେଠି ନାହିଁ, ଘରେ ନାହିଁ, ଗାଁରେ ନାହିଁ, ଏ ବଣରେ ନାହିଁ, ଗଲା କୁଆଡ଼େ ?’ ଏମିତି ଦିନେ ବାଘ ମୁହଁରେ ଯିବ ସେ ଦେଖିବୁ କୁଆଡ଼େ ନାହିଁ କୁଆଡ଼େ ପଳୋଉଚି-’ଖୋଜି ଦେଖୁଁତ ଲେଞ୍ଜୁ ଆଗକୁ ଚାଲ୍-’ ‘ଆଗରେ ଆଉ କ’ଣ ଅଛି ଲେଞ୍ଜୁଭାଇ, ପର୍ବତ ସରିଲା ହେଇତ ଅଗ ଦିଶିଲାଣି, ସେଠି କୁଆଡ଼େ ଥିବ ? ତା ତଳକୁ ବାଘଗୁମ୍ଫା, ତେଣିକି ତ ପାତାଳି-’

 

କଥା କହୁ କହୁ ଲେଲ୍ଲୁ ଓ ଲେଞ୍ଜୁ ଦିହେଁ ପହଞ୍ଚିଗଲେ । ଲେଞ୍ଜୁ ବୁଢ଼ା ଦିଉଡ଼ୁର ପଡ଼ୋଶୀ-। ସେମିତି ବେଜୁଣୀ ଖତେଇ ହେଲା ପରି ପଡ଼ି ରହିଥାଏ, ଦେହ ହାତ ହଲ୍‌ଚଲ୍ ନାହିଁ ।

 

ଦୁଇବନ୍ଧୁ ଭେଟଣା ହେଲାପରି ମୁହଁ ଚାହଁଚାହିଁ ହୋଇ ଅଟକି ରହିଲେ । ସେମାନେ ଜୀଅନ୍ତା ବେଜୁଣୀକୁ ଖୋଜି ଆସିଥିଲେ, ଏଥିପାଇଁ ପ୍ରସ୍ତୁତ ନ ଥିଲେ । ନିଛାଟିଆଟା ଆଉ କେହି କୁଆଡ଼େ ନାହିଁ । ଲେଲ୍ଲୁ ବୁଢ଼ା ଦି ପାହୁଣ୍ଡ ଆଗେଇ ଯାଉ ଯାଉ ପଛକୁ ଲେଞ୍ଜୁ ତାକୁ ଟାଣି ଆଣିଲା, କାନ ପାଖେ ତୁନି ତୁନି କହିଲା, ‘ଚାଲ୍ ଗାଁକୁ ଯିବା....କଣ୍ ହେଲା ?’ ଲେଞ୍ଜୁ ଗମ୍ଭୀରଭାବେ ମୁଣ୍ଡ ହଲେଇଲା, ବାଧା ନ ମାନି ଆଗେଇ ଚାଲିଲା, ଲେଞ୍ଜୁ ମୁହଁକୁ କେମିତି କରି ଯେତେ ଅପ୍ରିୟ ହେଲେବି ଘଟଣାକୁ ପିଠେଇ ଦେଇ ମୁହଁ ମାଡ଼ିଦେଲା । ଏଇ ଦି’ଟା ମୁହୂର୍ତ୍ତର ତୁନିତାନି, ଲେଞ୍ଜୁ ଭାବୁଥାଏ ସେ କାହିଁକି ଆସିଲା । ତା’ପରେ ଗମ୍ଭୀରଭାବେ ଗଳାକୁ ଥରେଇ ଥରେଇ ଲେଞ୍ଜୁକନ୍ଧ ନିଜକୁ ଟାଣି ଟାଣି ଓଟାରି ବଡ଼କରି ଡାକ ପକେଇଲା, ‘ବେଜୁଣୀ ହେ ବେଜୁଣୀ !’ ସମସ୍ତିଙ୍କୁ ତାଟଙ୍କା କରିଦେଇ ଧଡ଼୍‌ପଡ଼୍ ହୋଇ ବେଜୁଣୀର ଦେହ ଉଠି ଠିଆ ହେଲା, ଲେଞ୍ଜୁ କନ୍ଧ ଲେଲ୍ଲୁବୁଢ଼ାର ହାତକୁ କଷିକରି ଧରିଥାଏ । ଅତି ବିରକ୍ତ ହୋଇ ବେଜୁଣୀ ଅନର୍ଗଳ ବକିଗଲା-’କାହିଁକି ତୁମେ ଆସିଲ ? କାହିଁକି ଏଠିକି ଆସିଲ କହତ ? ଯୁଆଡ଼େ ଯିବି ପଛେ ପଛେ କୁକୁରପରି । ଓଃ-ଛି’ ବେଜୁଣୀର ଦୁଇହାତ ନିଜକୁ ସମ୍ଭାଳିବାରେ ବ୍ୟସ୍ତ ଥାଏ । ବେଜୁଣୀର ଗାଳିଶୁଣି ଲେଞ୍ଜୁର ହସ ବାହାରିଲା ‘ଚାଲ୍ ଚାଲ୍ ପଛେ ଗାଳିଦେବୁ ବେଜୁଣୀ । ଖୋଜି ଖୋଜି ମଣିଷ ହଇରାଣ, ଏଣେ ତେଣେ ପଳେଇ ଲାଗିଛୁ କେବେ ଯଦି ବାଘ ଖାଇଦେବ କ’ଣ କରିବୁ ବେଜୁଣୀ ?’ ‘ବେଜୁଣୀକି ବାଘ ଖାଇବ ! କ’ଣ କରି ପାଇଲୁ କିରେ ବେଜୁଣୀକି ଏଁ ? ବେଜୁଣୀକି ଯଦି ବାଘ ଖାଇବ ତେବେ କାହାକୁ ନ ଖାଇବ ଏ ସଂସାରରେ ? ଆରେ ତୁ ସିନା ଅନାଚାରିଟା, ବୁଢ଼ାଟାଏ ହୋଇ ଦୋଷରେ ପାପରେ ବୁଡ଼ିରହିଚୁ, ଆଗକୁ ନୋହୁଁ, ପଛକୁ ଦେଖୁ ନୋହୁଁ, ତତେ ସିନା ଆଗ ବାଘ ଖାଇବରେ, ବେଜୁଣୀ କି ଦୋଷ କରିଛି ବାଘ ଖାଇବ । ଭାବିଚୁ ବେଜୁଣୀ ବୁଢ଼ୀ ହେଲାଣି, ବେଜୁଣୀର ଆଖି ନାହିଁ, ନୁହେଁରେ ତୁ କୁଆଡ଼େ ସରବୁ ସାଓଁତାର ଭାଇ, ମନେ ମନେ ନିଜେ ସାଓଁତା ହେବୁ ବୋଲି ଫନ୍ଦି କରୁଛୁ, କାହଁକି ତୁ ଆସିଲୁ ଦେବତାଠାନକୁ, ବେଜୁଣୀ ଆଗକୁ, କହିଲୁ ଲେଞ୍ଜୁ ମାଙ୍କଡ଼ ତୋର ଡର ନାହିଁ-’ ଲେଞ୍ଜୁ କନ୍ଧର ମୁହଁ ଶୁଖିଯାଉଥିଲା ଦୋଷ କରୁଛି-ସାଓଁତା ହେବାକୁ ମନ ବଳେଇଛି ସୋନାଦେଈ-ସର୍ବଜ୍ଞ ବେଜୁଣୀ । ଲେଲ୍ଲୁ ବାଧାଦେଲା ‘ବୃଥା ବକିଲାଗିଛୁ ବେଜୁଣୀ,-ଯଦି ତତେ ଏବେ ଦେବତା ଘୋଟିଛି ଆମର ମୁଣ୍ଡ ତୋର ପାଦରେ ଲାଗୁ, ତୋର ପାଦୁକା ଶୀତଳ ଥାଉ’ । ‘ଦେବତା ଲାଗିଛି ! କେତେବେଳେ ବେଜୁଣୀକୁ ଦେବତା ଲାଗି ନ ଥାଏରେ ବାୟା କାହାଁକା-’ ଦୁଇ ବୁଢ଼ା ନଇଁପଡ଼ି ତାକୁ ଦଣ୍ଡବତ କଲେ....’ତୋ ଦୟା.... ତୋର ଗୋ ପୋ ତୁ ରକ୍ଷା କର-କୋପ କଲେ ଆମେ ଜଳିଯିବୁ ।’

 

ବେଜୁଣୀ ହସିଲା ।

 

ଏଇଆ ତାର ଦରକାର, ସେ ଚାଲିଯାଉଥିବ, ସଂସାରର ସମସ୍ତେ ମୁଣ୍ଡ ନୁଆଇଁ ଲୋଟି ପଡ଼ୁଥିବେ, ପଥର ପର୍ବତ ଉପରେ ଦର୍ମୁ ଦର୍ତନୀର ଏକୁଟିଆ ପୂଝାରି ସେ, ସମସ୍ତେ ତାର ପ୍ରତାପରେ ନଇଁ ଲହଡ଼ି ଭାଙ୍ଗିବେ, ସେ ଚାଲିଥିବ, ଏତିକି ମୁରବିପଣିଆଁ ପାଇଁ ତାର ବଞ୍ଚିରହିବା । ସ୍ୱାମୀ ନାହିଁ, ସନ୍ତାନ ନାହିଁ, ସଂସାରର ଆଉ କିଛି ବନ୍ଧନର ସୁଖ ନାହିଁ, ସେ ଫତୁରି, ସବୁ ଯାଇ କେବଳ ଏତିକି ।

 

‘ହଉ ଉଠ ପିଲେ, ଅବେଳାରେ ବେଜୁଣୀକି ଲୋଡ଼ି ଆସିଲ କାହିଁକି ?’

 

‘ସାଓଁତାର ଭାରିଯା,-ଜର ଧରିଛି କାଲି ରାତିରୁ, ଖାଲି ତାତି ବାନ୍ତି, କମ୍ପ, କ’ଣ ହେଇଯାଉଚି ତାର । କ’ଣ ଦେବତା ଉତୁରିଛି, ଏଣୁ ତେଣୁ ବକୁଚି, କେଡ଼େ କେଡ଼େ ଆଖି, ମୁଣ୍ଡ ବାଡ଼ୋଉଚି । ପିଲାଟା କାନ୍ଦି କାନ୍ଦି ସାରା, କିଏ ବୁଝୁଛି ତା’କଥା-’

 

ବେଜୁଣୀ ଦୀର୍ଘନିଶ୍ୱାସ ମାରିଲା; ଅସରନ୍ତି ଦୁଃଖ ନିଗିଡ଼ି ପଡ଼ିଲା ତାର ଆଖିକୁ ।

•••

 

ତେସ୍ତରି

 

ପୁୟୁକୁ ଜର ହୋଇଛି । ଦୁଆରେ ଦିସାରି, ବେଜୁଣୀ, ସାହିପଡ଼ିଶା । ପୃଥିବୀ ପୁରୁଣା ହୋଇଛି, ଇତିହାସ ନୂଆ ହୋଇଛି, ତଥାପି ପର୍ବତ ଉପରେ କନ୍ଧ ସମାଜରେ ମୂଳରୁ ଶେଷଯାକେ ସେହି ଦି’ଜଣ, ଦିସାରି, ବେଜୁଣୀ, ଧର୍ମର ପଣ୍ଡା ପୁରୋହିତ, ସଂସ୍କୃତିର ଭଣ୍ଡରେଇ । ପୂଜା ଖାଇ ଖାଇ ଦେବତା ମୋଟା ହୋଇଛନ୍ତି, ଡରି ଡରି ମାନି ମାନି ମଣିଷ ହୋଇଛନ୍ତି ସୁବୋଧ ସୁଶୀଳ, ତଥାପି ରୋଗସନ୍ତାପ ଛାଡ଼ି ନାହିଁ, ଦେବତାଙ୍କୁ ଭୟ ଭରସା ଯାଇ ନାହିଁ, ବଞ୍ଚିବାର ନୀତି ପୃଥିବୀରେ ନ ଖୋଜି ମଣିଷ ଅପେକ୍ଷା ରଖିଛି ଆକାଶକୁ ।

 

ମାଳଦେଶରେ, ସବୁ ଅଦଉତି ଯେପରି ରୋଗ ସେପରି, ସବୁ ଅନିଶ୍ଚିତ ଯେପରି, ଆୟୁଷ ସେପରି । ମାଳ ଜର ଡେଙ୍ଗୁରା ପିଟି ଆସେ ନାହିଁ । ଆସୁ ଆସୁ ତାତି ଉପରକୁ ଚଢ଼ିଯାଇ ଖଇ ଫୁଟେ । ତା’ପରେ, କିଏ ପଡ଼ି ପଡ଼ି ଉଠେ କିଏ ଆଉ ଉଠେ ନାହିଁ, କିଏ ଦିଓଳିରେ ଦେହ ଛାଡ଼େ କାହାକୁ ମାସ ମାସ ଲାଗେ । ତେଣୁ କନ୍ଧ ଜରକୁ ଡରେ, ଜର ହେଲେ କହେ ଜର ‘ଧରିଛି’ । ଜର ଛଡ଼େଇବାକୁ ବେଜୁଣୀ ବାୟାଣୀ ପରି ବାଳ ମୁକୁଳା କରି ନାଚେ, ଝୁଣା ଧୂଆଁ ଖାଏ, ନିଆଁରେ ଚାଲେ, ପେଟକୁ ଖଣ୍ଡାରେ ଭୁଷେ, ଶିଖିଥିବା ପଦଗୁଡ଼ିକ ବୋଲିବୋଲିକା ବସିରହେ ସକାଳୁ ସଞ୍ଜଯାକେ । ଦଳର ଲୋକଙ୍କପାଇଁ କଷ୍ଟ ପାଇ ବାରଭ୍ରୂକୁଟୀ ହୋଇ ଦ୍ୱାର ଦ୍ୱାର ହୋଇ ବେଜୁଣୀ ବୁଲେ, ଦିସାରି ଉପାୟ କରେ, ଔଷଧ କରେ, କହେ ଡଙ୍ଗର ବାତ୍ରିର ମୂଳ ଖାଅ ଭଲ ହୁଅ । ଏତେ କରି କରି ତଥାପି ପଟାଳି ପରି ଲୋକ ପଡ଼ିଯାଆନ୍ତି, ଲୋକେ ନିଦ ଯାଆନ୍ତି, ଲୁଣ କିଣି ଯାଆନ୍ତି, ସେହି ବେଜୁଣୀ ପୁଣି ପ୍ରେତ ଘଉଡ଼େଇବାକୁ ନାଚେ, ସେହି ଦିସାରି କ୍ରିୟା ବଢ଼େଇ ପ୍ରେତକୁ ଘଉଡ଼େଇ ଦିଏ, ସେହିମାନେହିଁ ପୁଣି ବୁଝାଇ କହନ୍ତି, ‘ଏଇଟା ଖରାପ ଲୋକର ଡୁମା (ପ୍ରେତାତ୍ମା)ର ପରଜନ୍ମ ହୋଇ ମଣିଷ ହୋଇଥିଲା, ତେଣୁ ଚଞ୍ଚଳ ଚାଲିଗଲା, ସଂସାରକୁ ଇୟେ ଯୋଗ୍ୟ ନୁହେଁ, ଗଲା-ସମାଜକୁ ଭଲ ହେଲା ।’ ତାହା ବି ମଣିଷ ବିଶ୍ୱାସ କରେ, ବିଷକୁ ଅମୃତ ବୋଲି ମଣି ଦୁଇ ହାତରେ ଟେକି ପିଇଦିଏ, ଏହି ଏଠି ତାର ଜୀବନ ।

 

ପୁୟୁକୁ ଜର ହୋଇଛି । ରାତି ଶେଷରେ ନିଦ ଭାଙ୍ଗିଗଲା ଭାରି ଶୀତରେ, ମାଳଦେଶରେ ବିନା ଭୂମିକାରେ କେତେ କେତେବେଳେ ବଣ ଭିତରୁ ଶୀତୁଆ ପବନ ଉଠିଆସେ । ହାକିନାକୁ ସର୍ଦ୍ଦି ହେବ, ପୁୟୁଉଠି ବାହାରକୁ ଗଲା, ଦିଉଡ଼ୁ ଶୋଇଛି, ଲେଞ୍ଜୁ ଶୋଇଛି, ଅନ୍ଧାର ରାତି, ଝଲଝଲ ତାରା । ତୁହାଇ ତୁହାଇ ଶୀତ ଆସୁଛି, ଦେହ ଟାଣି ଓଟାରି ହୋଇ କସମସ୍ ହୋଇଉଠୁଛି-। ପୁୟୁ ଅଟକି ରହିଲା, ରାତିର ଉଦାସ ସଙ୍ଗ ମନ ଯୋଡ଼ିଦେଲା । ଗୁହାଳରୁ ଗୋରୁମାନେ ସଁ ସଁ ହେଲା, ଦସ୍ରୁ ଉଠିପଡ଼ି ‘ମୁଁ ଅଛି’ ‘ମୁଁ ଅଛି’ ବୁଝେଇଲା ପରି ପାଖକୁ ଆସି ଲାଞ୍ଜ ଝାଡ଼ିଦେଲା । ପୁୟୁକୁ ଲାଗିଲା ଯେପରିକି ଲୁଚି ଲୁଚି ଆନନ୍ଦ ଗୋଟାଇଲାବେଳେ ସେ ଚିହ୍ନା ପଡ଼ିଗଲା । ଘରକୁ ଫେରିଆସି କବାଟ ଦେଲା, ବାହାରେ ଦିଉଡ଼ୁ । ଶୀତ ବଢ଼ୁଛି । ଖରାଦିନର ରାତି, ପୁୟୁର ମନେ ନ ଥିଲା । ଏତେ ଶୀତରେ ଘରେ ନିଆଁ ନାହିଁ, ହାକିନାକୁ ସର୍ଦ୍ଦି ହେବ । ଘୋର ଆଶଙ୍କାରେ ନିଜେ ଥୁରୁଥୁରୁ ହେଉ ହେଉ ମାଠଟି ଆଣି ହାକିନାକୁ ହିଁ ସେ ଘୋଡ଼େଇ ଦେଲା । ଅଳ୍ପ ସମୟ ନ ଯାଉଣୁ ଘୋର କମ୍ପରେ ସେ ଲୋଚାକୋଚା ହୋଇଗଲା, ମୁଣ୍ଡଭିତରେ ଏକାଥରକେ ଯେପରିକି ବିଛା କାମୁଡ଼ୁଛନ୍ତି, ଆଖିପତା ପାଖେ କିଏ ନିଆଁ ଜାଳୁଛି । ଦାନ୍ତ ଠକ ଠକ ଦେହ ଛଟପଟ ହୋଇ ପ୍ରବଳଭାବେ ପୁୟୁ ଥରିଉଠିଲା, ବାନ୍ତି ଉଠେଇଲା । ପୁୟୁ ବୁଝିଲା ତାକୁ ଜର ଧରୁଛି । ମାଳ ଜର ତୋଫାନ ପରି ଆସେ, ଦେଖୁ ଦେଖୁ ତାତି ଉଠିଯାଏ କାହିଁ କାହିଁ, ହୋସ ବୁଡ଼ିଯାଏ । ସବୁ ଲୋପ ହୋଇଯାଉଛି, କୁଆଡ଼େ ଯାଉଛି ଚିନ୍ତା ଭାବନା,-କ’ଣ ସେ ପାଟି କରୁଛି, କ’ଣ ଗପୁଛି ଘଣ୍ଟାଏ ପରେ ପୁୟୁ ଆଉ ମଣିଷ ।

 

ଦିଉଡ଼ୁ ଉଠିଲା, ଦେଖିଲା ତାତି ଯେ ଦେହରେ ଖଇ ଫୁଟୁଛି, ଆଖି କୁମ୍ଭାଟୁଆ ଆଖିପରି-। ପୁୟୁକୁ ଜର ହୋଇଛି, ନୂଆ କଥା ନୂଆ ବିପଦ, ଦିଉଡ଼ୁକୁ ଖରାପ ଲାଗିଲା ।

 

ଶୋଇ ରହିଛି । ଖାଲି ଘୁମୁରୁଛି, ପଚାରିଲେ ଜବାବ ନାହିଁ । ଥୋଡ଼ାଏ କମ୍ପେ, ବାନ୍ତି କରେ, ଦେଖୁ ଦେଖୁ ତାତି ବଢ଼ିଯାଏ, ଦିଉଡ଼ୁ ଅପେକ୍ଷା କରି ବସିରହିଲା । ମା’ର ଜରୁଆ ଦେହରେ ଲାଖି ରହି ରହି ହାକିନାର ନିଦ ଭାଙ୍ଗିଲା, ଏଣିକି ଦିଉଡ଼ୁ ଆହୁରି ବ୍ୟସ୍ତ । ଏପରି ଅଖାଡ଼ୁଆ ସଙ୍ଗତି ତାକୁ ଜଣାନାହିଁ, ତା ଜାଣତାରେ ଏମିତି ବେହାଲ୍ ହୋଇ ପୁୟୁ କେବେ ପଡ଼ି ନ ଥିଲା ।

 

ହାକିନା ଗଡ଼ି ଗଡ଼ି ଚିତ୍କାର ଆରମ୍ଭ କଲା, ଦିଉଡ଼ୁ ନାନା ପ୍ରକାର ତାକୁ ଫୁସୁଲେଇଲା, ହାକିନା ତାକୁ ମଙ୍ଗେ ନାହିଁ, ଧରିଲେ ଆହୁରି କାନ୍ଦେ ।

 

ଖରା ଉଠିଲା, ବଳଦ ଅଡ଼େଇ କୋଡ଼ି ଯୁଆଳି ବୋହି ଗାଁଲୋକେ କ୍ଷେତକୁ ବାହାରିଲେ, ଗାଁର ଘରଣୀ ଓଳିଆ ପୋଳିଆ ଛିଡ଼େଇ ପଞ୍ଝା ପଞ୍ଝା ହୋଇ ଝୋଲାକୁ ଯା’ଆସ କଲେ, ଦିଉଡ଼ୁର ଘର ଅଚଳ, ସେହିପରି ସେଇଠି ସେ ବସିଛି, ପୁୟୁ ଶୋଇଛି । ଲେଞ୍ଜୁକକା ଅନୁମାନ କରିପାରେ ପୁୟୁ ବେମାର ଥିବ, କିନ୍ତୁ ତାର ଦିଉଡ଼ୁର କଥାବାର୍ତ୍ତା ନାହିଁ, ତାର ସହାନୁଭୂତି କେହି ଖୋଜୁ ନାହିଁ, ନିଜକୁ ବାଁରେଇ ଲେଞ୍ଜୁକକା ବାହାରି ଚାଲିଗଲା ।

 

ସମସ୍ତେ ଆପଣାର କାମରେ ମାତି ରହିଲାବେଳେ ଏ ଘର ନିଶବଦ । ପୁୟୁ କେବେ କିଛି କହେ ନାହିଁ, କିନ୍ତୁ ସେ ଏ ଘରର କଳ ପରି ବୁଲି ରହିଥିଲା । କଳ ଆଜି ବନ୍ଦ, କେହି ଥିଲେବି କେହି ନାହାନ୍ତି ଏଠି, ସବୁଠି ସବୁ କାମ ଚାଲିଛି ଏଠି କିଛି ନାହିଁ । ଘଟନାର ମର୍ମ ଦିଉଡ଼ୁ ଅନୁଭବ କଲା, ବଡ଼ ଖରାପ ଲାଗିଲା । ଘର ଓଳେଇବ କିଏ ? ଚୂଲି ଲଗାଇବ କିଏ ? ସବୁଥିରେ ସବୁଦିନେ ସେବା ଆଉ କାମ ଦିଉଡ଼ୁ ନେଇଛି । ନେଇ ଭାବିଛି ସବୁ ତାର ନ୍ୟାଯ୍ୟ ପାଉଣା । ଆଜି ଦେବାକୁ କେହି ନାହିଁ ।

 

ଲାଠିଏ ବେଳ ହେଲାଣି, ସ୍ଥିର ଦୃଷ୍ଟିରେ ପୁୟୁକୁ ଅନେଇଁ ରହି ସେହିପରି ଦିଉଡ଼ୁ ବସିଛି, ଜୀବନର ଏ ଗୋଟାଏ ଦିଗ, ତାକୁ ଅଜଣା, ଘରକରଣା ତାକୁ ଜଣାନାହିଁ, ସହି ସେ ଶିଖି ନାହିଁ, ସେ ଶୁଶ୍ରୂଷା ସେ ଭାବେ ସ୍ତ୍ରୀର କାମ, ତାକୁ ଜଣା ନାହିଁ । ପୁୟୁ ବାନ୍ତିକରି ଆସି ଥିରିହୋଇ ଶୋଇଲା, ଆଖି କଥା କହୁଛି, ତୁଣ୍ଡ ଖୋଲିବାକୁ ମନ ନାହିଁ । ହାକିନା କାନ୍ଦିଲା । ଅତି ଦୁଃଖରେ ସ୍ତ୍ରୀ ପାଖକୁ ଯାଇ ଦିଉଡ଼ୁ ତାର କପାଳରେ ହାତ ଥୋଇଲା, ବଡ଼ ତାତି, ଫାଇଁ ଫାଇଁ ହୋଇ ପୁୟୁ କାନ୍ଦିଉଠିଲା, କାନ୍ଦିକାନ୍ଦିକା ପାଟି ବଢ଼ିଗଲା ଦୀର୍ଘ ବକ୍ତୃତା ଝାଡ଼ିଲା, ଯାହା ଦିଉଡ଼ୁ ବୁଝେ ନାହିଁ । ନାନା କୁକଥାରେ ଦିଉଡ଼ୁକୁ ଶୋଧିଶୋଧିକା ଝିଙ୍ଗାସିଲା ‘କିଏ ତୁ ? କାହିଁକି ଏଠି ବସି ରହିଛୁ ! କିଏ ଏଠି ତୋର, ତୁ କାହାର କ’ଣ ? ବାହାର୍ ବାହାର୍ । ଆଜି ଭାରି ସୋଗ ବଳିପଡ଼ିଛି, ଭାରିଯା ଉପରେ ନୁହେଁ । ମୁଁ ବାହାରିଯିବି, -ମୁଁ ବାହାରିଯିବି ଦଣ୍ଡେ ରହିବି ନାହିଁ ତୋ ଓଳିତଳେ-’ । ଦେହ ଥରୁଛି, ରାଗରେ ଅଣନିଶ୍ୱାସୀ, କାନ୍ଥକୁ ଆଉଜି ଉଠିବାକୁ ହେଉଛି ପଡ଼ିଯାଉଛି, ଉଠିପଡ଼ି ଗାଳିଦେଉଛି ବୀଭତ୍ସ ଭାବରେ ।

 

ଏତେ ସହାନୁଭୂତିର ଏହି ପ୍ରତିଦାନ ? ଦିଉଡ଼ୁ ରାଗିଗଲା । ବାସି ମୁହଁରେ ପାଣି ଦେଇ ନାହିଁ ଏକା ଜାଗାକେ ବସି ରହିଛି ସେ, ଆଉ ପୁୟୁ ଶୁଣାଉଛି ନୂଆ କଥା, ସେ ଡୋର ଛିଣ୍ଡେଇ ଚାଲିଯିବ, ସେ ସ୍ୱାଧୀନ ହେବ, ସେ ତାର କେହି ନୁହେଁ ।

ଏତେ ଘୃଣା ଥିଲା ତା’ ମନରେ ? ଦିଉଡ଼ୁର ଇଚ୍ଛାହେଲା, ହାତେ ହାତେ ସେ ଫଳ ଦେଇଦିଅନ୍ତା ଶୁକୁଟୀ-ମୁହୀଁକୁ, କିନ୍ତୁ ପୁୟୁକୁ ଜର ଯେ,-ମାରୁ ମାରୁ ଯଦି ସେ ମରିଯିବ ଦୁନିଆଁର ଲୋକେ ଦୋଷ ଦେବେ । ଥାଇ ଥାଇ ପୁୟୁ ଚିହିଙ୍କି ଉଠେ, କଥା କହୁ କହୁ ଦୁର୍ବଳ ହାତରେ ଶୁଖିଲା ମୁହଁରେ ଅଙ୍ଗଭଙ୍ଗୀ କରେ । ବିରକ୍ତହୋଇ ଦିଉଡ଼ୁ ଉଠି ଚାଲିଗଲା । ହଉ, ପୁୟୁର ଯାହା ହେବ, ବାହାରେ ବାହାରେ ରହି ସେ ନିଶ୍ଚିନ୍ତ ହୋଇ ବୁଲିବ ।

ଦିଉଡ଼ୁ ଚାଲିଗଲା ପରେ ପୁୟୁର ରାଗ ହେଲା କାନ୍ଦଣା । ମା ଛୁଆ ଦୁହିଁକ କାନ୍ଦଣାରେ ଘର ପୂରି ଉଠିଲା, ସାହିମାଇପେ ଜମିଲେ, କାନ୍ଦଣା ମଝିରେ ଜଳନ୍ତା ଆଖି କରି ଏଣୁତେଣୁ କେତେ ସେ ବକି ଲାଗିଥାଏ । ଜାମିରିର ବୁଢ଼ୀ ପୁଅକୁ ନେଇଗଲା । ଲେଲ୍ଲୁର ସ୍ତ୍ରୀ ଲେଲ୍ଲୁକୁ ପଠେଇଲା ଲେଞ୍ଜୁ କନ୍ଧକୁ ଡାକିବାକୁ । ଘରେ ଧୂପ ଧୂଆଁ ଦିଆହେଲା, ନିଆଁ ଜାଳି ପୁୟୁକୁ ସେକିଲେ । ଗାଁରେ ଖବର ଚହଟିଗଲା ସାଓଁତାର ସ୍ତ୍ରୀକୁ ଜର ହୋଇଛି । ବୁଢ଼ୀ ମାଇପେ ଓଷଧ ବରାଦ କଲେ, ଡଙ୍ଗରବାତ୍ରି ଗଛର ମୂଳ ସହିତ ଗୋଲମରିଚ ମିଶେଇ ଅନୁପାନ । ଗୋଷ୍ଠୀର ଲୋକ ପୁୟୁର ଚିକିତ୍ସାର ଭାର ନେଲେ । ବେଳ ଗଲା, ପୁୟୁର ତାତି ଓହ୍ଲେଇଲା ନାହିଁ ।

ଖରା ଥାଉଥାଉ ବେଜୁଣୀ ଆସିଲା । ବିପଦ ପଡ଼ିଲେ, ‘ଚିତାଗୁଡ଼ି’ ଦେବତାକୁ ଲୋକେ ସାହାଯ୍ୟ ମାଗନ୍ତି, ଚିତାଗୁଡ଼ିକୁ ମାଗଣ ହେଲା । ଦିସାରି ଘଡ଼ି ବତେଇଲା । ବେଜୁଣୀ ନାଚିଲା, ତା ସଙ୍ଗରେ ଗାଁର ବୁଢ଼ୀମାନେ ନାଚିଲେ । ଦୁଆରମୁହଁରେ ବସିରହି ଝୁଣାଧୂଆଁ ଆଗରେ ପାଗଳପରି ବେଜୁଣୀ ମନ୍ତ୍ର ଗାଇ ଲାଗିଲା–

‘ତଳେ ଧରତି ଉପରେ ଧର୍ମୁ ।

କାଳୀଗାଈ ତୋତାଗାଈ ।

ଦିକିରାଇ ପାଇକରାଇ ।

ହୀଲିହାଲା ଜାଲାଜାଲା ।

ଷୋଡ଼ ଶିଙ୍ଘା ଷୋଡ଼ ସଜା

ନିଡ଼ିବିରୁ ପାଟୁନେରୁ

ସାକି ମାସୁତ୍ ରାଇ ।

ଆଡ଼ୁତିରା ମୁଉଁତିରା

ହିଞ୍ଜାତିହିଁ (କହୁଛି)

ଜୋଡ଼ାସାକି ଜୋଡ଼ାଗାଦି

ଦେଉପୁରୁ ଲେରିକଗାଡ଼ା

ସରୁସୂତା ପାଟୁଡୋରୁ ।

ଲେକା ଗାଡ୍‌ତି ଏଜାଗାଡ୍‌ତି ।

ଥିଲେ ଲେକା ମଲେ ହେଜା ।

ମାଙ୍ଗ୍‌ଡୁଗୁରୁ ଆରାଡୁଗୁରୁ

କାଟିହିମାଇଁ ଲୁଲିହିମାଇଁ

ରେପୁ ପିଜ୍‌ଲି ପାଟୁପିଞ୍ଜ୍‌ଣି

କୁଲାଦାରା ମାଣାମେଜ-

 

ସମସ୍ତେ ଅନେଇଁ ରହିଥା’ନ୍ତି । ନାଚିନାଚି ଦୁଆର ମୁହଁରେ ବସି ଆଗକୁ ପଛକୁ ଦୋହଲି ଦୋହଲିକା ଅତି ଗମ୍ଭୀରଭାବେ ବେଜୁଣୀ କନ୍ଧଦେଶର ଏହି ଜର ଛଡ଼େଇବା ପଦ ବଖାଣି ଲାଗିଥାଏ । ସରଳ ବିଶ୍ୱାସରେ ଗାଇ ଲାଗିଥାଏ ‘ମାଙ୍ଗଡୁଗୁରୁ ଆଗ୍‌ଡୁଗୁରୁ ଦିକିରାଇ ପାଇକରାଇ’, କ’ଣ ତାର ଅର୍ଥ ସେ ନିଜେ ଜାଣେ ନାହିଁ, କେତେ ଅଚିହ୍ନା ମଣିଷ ଅଚିହ୍ନା ଜାଗାର ନାଁ ସେଥିରେ, କିନ୍ତୁ ସମସ୍ତିଙ୍କର ବିଶ୍ୱାସ ଏତିକିରେ ଜରଦେବତା ଟଳିପଡ଼ିବ, ବେଜୁଣୀ ତୁଣ୍ଡରୁ ଦେବତାଙ୍କ ନିଜର ଭାଷାରେ ଜୀଅନ୍ତା ମନ୍ତ୍ର, ଆଶାୟୀ ହୋଇ ଗମ୍ଭୀର ସମ୍ମାନରେ ଦଳକଯାକ ଏହି କ୍ରିୟାକୁ ଅନେଇଁ ରହିଥା’ନ୍ତି, କାହାରି ମୁହଁରେ ହସ ନାହିଁ କି କଥା ନାହିଁ ।

 

ପୂଜା ସରୁସରୁ ପହରେ ରାତି, ଜହ୍ନ ଉଇଁଥାଏ, ପବନ ଦେଉଥାଏ । ବେଜୁଣୀର ପଦ ବନ୍ଦ ହେଲା । ଘର ଭିତରୁ ଥରିଲା ଥରିଲା ଦୁର୍ବଳ ସ୍ୱରରେ ପୁୟୁ କହିଲା ‘ପୁଅ କାହିଁ ? ମୋ ପୁଅକୁ ଆଣ ।’ ବେଜୁଣୀ ହସିଲା । ସମସ୍ତେ ଜାଣିଲେ ଦେବତା ଛାଡ଼ିଛି, ଏଣିକି ସାଧାରଣ ଜର, ଆଉ ଭୟ ନାହିଁ । ଜାମିରିର ବୁଢ଼ୀ ହାକିନାକୁ ମା’ କୋଡ଼କୁ ବଢ଼େଇଦେଲା । ହାକିନା ନିଦରୁ ଉଠି ମା’କୁ ଦେଖିଲା, ପୁଣି ଆଖି ବୁଜିଦେଇ ଆପଣା ଚିହ୍ନା ଜାଗାଟିରେ ନିଜ ସମ୍ପତ୍ତି ଚିହ୍ନିନେଇ ମା’ କ୍ଷୀରରେ ମୁହଁ ଲଗେଇ ଶୋଇପଡ଼ିଲା ।

 

ବେଜୁଣୀ କହିଲା, ‘ଏଥର ଶୋଇବ, ଚାଲ ଯିବା ବାହାରି-’

ବ୍ୟକ୍ତିକୁ ନିରାପଦ ଭାବି ଗୋଷ୍ଠୀର ଲୋକେ ଏଥର ଉଠିଲେ, ବ୍ୟକ୍ତିର ସୁଖରେ କନ୍ଧ-ଗୋଷ୍ଠୀର ସୁଖ ।

•••

 

ଚଉସ୍ତରୀ

 

କିନ୍ତୁ ପୁୟୁର ଜ୍ୱର ଏତେ ଚଞ୍ଚଳ ଛାଡ଼ିଗଲା ନାହିଁ । ଦି’ଦିନ ରହି ଓହ୍ଲେଇଗଲା, କିନ୍ତୁ ପାଳିଧରି ଦିନେ ଛଡ଼ା ଦିନେ ଫେର୍ ଆସେ । ବେଜୁଣୀ ନିତି ନାଚି ଆସେ ନାହିଁ କିନ୍ତୁ ମନ୍ତ୍ରବୋଲି ଆସେ । ଦୁଆରମୁହଁ ଆବୋରି ତାର ସେ ଚହଲିଲା ଛାଇପରି ମୂର୍ତ୍ତିଟି ଦେଖି ନିତି ଦିବସ ତାର ସେ ‘ଆଙ୍ଗ୍‌ଡ଼ୁଗୁରୁ ମାଙ୍ଗ୍‌ଡ଼ୁଗୁରୁ’ ଭୁଟୁରୁ ଭୁଟୁରୁ ଶୁଣି ପୁୟୁର ନିରାଶା ବଢ଼େ ଯେ ସେ ମରିବ ନାହିଁ, ଜୀବନର ସବୁ ଅନିଭୋଗ ଭୁଞ୍ଜିବା ପାଇଁ କି ଆହୁରି ଘୋଷାରି ହେବାକୁ ବଞ୍ଚିରହିଥିବ ପରା; ନା, ତାର ମରଣ ନାହିଁ । କି ଦୁର୍ବଳ, କର ମୋଡ଼ିବାକୁ କଷ୍ଟ, ମୁଣ୍ଡ ଝାଇଁ ମାରିଦେଉଛି, ଦେହ ହାତ ଧୀରେ ଧୀରେ କଷ୍ଟ ଦେଇ ଦେଇ ଛିଣ୍ଡି ପଡ଼ୁଛି, ମୁଣ୍ଡଟା ମହଣେ ଭାରୀ । ଦିନେ ମାଳଜର ହେଲେ ବର୍ଷକର ବଳ ବହପ ସରିଯାଏ ।

ଦିନ ପରେ ଦିନ ଯାଏ, ପୁୟୁ ଖାଲି ଘୁଷୁରୁଥାଏ । ଝମ ଝମ ହୋଇ ଶୀତ ଆସେ, ଜର ବଢ଼େ, ଦେହ ହାତରୁ ପ୍ରାଣ ଛାଡ଼ିଯାଏ, ଗୋଳିଆପୋଳିଆ ମୁଣ୍ଡରେ କିଛି ପଶେ ନାହିଁ । ଜର ନ ଆସିଥିବା ସମୟ ମଝିରେ ସେ ଖାଲି ବସି ବସି କୁନ୍ଥେଇ ହୁଏ । ବାପ ମନେପଡ଼େ, ମା’ ମନେପଡ଼େ, ଯେତେପ୍ରକାର କାନ୍ଦୁରା ଅନୁଭୂତି ସବୁ ଆଖି ଆଗରେ ରଖି କାନ୍ଦିବାକୁ ମନ ହୁଏ । ଦିନୁଁ ଦିନ ଜରରେ ଶୋଇ ଖିନ୍ନ ହେଲା ପରେ ପୁଣି ଯେତେବେଳେ ବୁଢ଼ୀ ଅସୁରୀ ପରି ଜର ଆସେ, ଜୀବନର ଆଶା ବୁଡ଼ିଯାଏ, ଭାରି ଦୁଃଖ ହୁଏ । ମନର ଉଦାସ ଦୁଃଖରେ ସମସ୍ତିଙ୍କୁ କ୍ଷମାକରି ହୁଏ । ଦିଉଡ଼ୁକୁ ଖୋଜେ, ଦିଉଡ଼ୁ ନାହିଁ ।

ଭାବେ, ଦିଉଡ଼ୁର କିଛି ଯାଏ ନାହିଁ, ଦିଉଡ଼ୁ ଖାଲି ଅପେକ୍ଷା କରି ବସିଛି କେତେବେଳେ ସେ ମଲେ ଆହୁରି ଥରେ ବିଭା ହେବ, ସୁଖରେ ରହିବ । ତାର ଶୁଖିଲା ହାଡ଼ୁଆ ଜରୁଆ ଛାତିରେ ତୁଚ୍ଛାକୁ ଯେତେବେଳେ ହାକିନା ଲଟକି ପଡ଼ିଥାଏ, ପୁୟୁ ହାକିନାକୁ ଆଉଁଶେ, କେତେ କଥା ଭାବେ, ପୁଅକୁ ଗେଲ କରୁକରୁ ସଂସାର ଅନ୍ଧାର ଦିଶେ, ପୁୟୁ କାନ୍ଦେ । ଜର ଧରିଛି ଦିନୁଁ ଦିନ ଦୁର୍ବଳ କରିଦେଉଛି । ଦିସାରିର ଏତେ ପାଗଯୋଗ, ବେଜୁଣୀର ଏତେ ‘ମାଙ୍ଗ୍‌ଡ଼ୁଗୁରୁ ଆରାଡ଼ୁଗୁରୁ କାଳୀଗାଈ ପେତାଗାଈ’ ବାକ୍ୟ ଅନର୍ଗଳ ଝରି ଲାଗିଲେ ବି ଫଳ ଦେଉ ନାହିଁ, ସେଥିରୁ ବି ବିଶ୍ୱାସ କମୁଛି । ଯଦି ସେ ମରେ କାହାରି କିଛି ଯିବ ନାହିଁ, ଦିଉଡ଼ୁ ନୂଆ କନିଆଁ ଆଣିବ, ସବୁ ସରିଯିବ କେବଳ ଏହି ପିଲାଟିର ।

ଖବର ବୁଝିବାକୁ ଗାଁ ଲୋକେ ଆସନ୍ତି, ଏଣୁତେଣୁ ପଚାରନ୍ତି, ଧୂଆଁ ଖା’ନ୍ତି, ଚାଲିଯା’ନ୍ତି । ଏମୁଣ୍ଡୁ ସେମୁଣ୍ଡୁ ଏକା ଦୁଆର ହୋଇ, ଦି ସାଉଡ଼ି ଘରର ଗାଁ, ପିଣ୍ଡାକୁ କୁନ୍ଥେଇ କୁନ୍ଥେଇ ବାହାରିଲେ ଗାଁ ଦିଶେ । ଦିନଯାକ ଶୂନ୍‌ଶାନ୍, ଯେଝା କାମରେ ଯେ । ପୁଣି ସଞ୍ଜ ବୁଡ଼ିଲା ବେଳକୁ ଗାଈ ପଛେ ପଛେ ମଣିଷ ଆସନ୍ତି, ବଳ ପଶେ, କେହି ନ ଆସିଲେ ବି ଏତେ ମଣିଷ ମୁହଁ ଦେଖିଲେ ରୋଗିଣୀର ସାହସ ହୁଏ ।

ଖବର ବୁଝେ ଲେଞ୍ଜୁକକା । ଦିଉଡ଼ୁକୁ ସେ ଭଲପାଏ ନାହିଁ । ତେଣୁ ପୁୟୁକୁ ବେଶୀ ଭଲପାଏ । ମା’ ପୁଅକୁ ଦେଖିଲେ ତାର ମୁରବିପଣିଆଁ ମନେପଡ଼େ, ସେ ଖୋଜେ ତା ଉପରେ ଲୋକେ ନିର୍ଭର କରନ୍ତୁ । କିନ୍ତୁ ସଞ୍ଜ ପରେ ଲେଞ୍ଜୁକକା ଅଦୃଶ୍ୟ ହୋଇଯାଏ, ଚୋସ୍ତ୍ ମାତି ଫେରେ କେବଳ ଗଡ଼ିବାକୁ ।

ମଝିରେ ମଝିରେ ଦିଉଡ଼ୁ ଆସେ, ପୁୟୁ ସଙ୍ଗେ ମୁହାଁମୁହିଁ ହେଲେ ସେ ଅପ୍ରସ୍ତୁତ ହୁଏ, ପୁୟୁର ନିଘାରୁ ଆପଣାକୁ ବଞ୍ଚେଇ ରଖିବାକୁ ଖୋଜେ । ଦିଉଡ଼ୁ ଆସିଲେ ଘାଗଡ଼ା ପାଟିରେ ପଚାରି ଯାଏ ‘କେମିତି ଅଛୁ ? କେମିତି ଲାଗୁଛି ?’ ଜର କମେ ନାହିଁ ।

ଡଙ୍ଗରବାତ୍ରିମୂଳ ଗୋଲମରିଚ ଖାଇ ଖାଇ ପନ୍ଦରଦିନ ପଡ଼ିବା ପରେ, ଦିନେ ପୁୟୁ ଦେଖିଲା ଆଉ ଶୀତ ନାହିଁ ଆଉ ତାତି ନାହିଁ । ‘ଚିତାଗୁଡ଼ି’ ଠାକୁରାଣୀ ଦୟା କଲେ, ତାକୁ ଜର ଛାଡ଼ିଛି । ଲେଞ୍ଜୁକନ୍ଧ ଦିସାରିକୁ ଡାକି ଆଣିଲା, ନାଡ଼ୀ ଦେଖି ମୁହଁ ପାପୁଲି ପରଖି ଦିସାରି ହସିଲା, ଜର ନାହିଁ । ଔଷଁଧ ଦେଇଗଲା,-ଖାଇଲେ ଆଉ ଲେଉଟିବ ନାହିଁ ।

ଦି’ଦିନ ଗଲା, ତିନିଦିନ ଗଲା, ଜର ଛାଡ଼ିଛି, ପୁୟୁ ନିଶ୍ଚିନ୍ତ ହେଲା । କିନ୍ତୁ ଦେହ ପୋଡ଼ୁ ନାହିଁ, ଅଙ୍ଗପ୍ରତ୍ୟଙ୍ଗ ଖାଲିଖାଲି ଲାଗୁଛି । ସେଠି କ’ଣ ସବୁ ଥିଲା, ଆଜି ନାହିଁ । ଛିଣ୍ଡିପଡ଼ିଲା ପରି ଲାଗୁଛି । ବାହାରେ ତୋଫାନର ଶବ୍ଦ, ଆଖିରେ ଦିଶୁଛି ଗୋଲ ଗୋଲ ଆଲୁଅ ବୁନ୍ଦା ବୁନ୍ଦା, ମେଞ୍ଚା ମେଞ୍ଚା ଅନ୍ଧାର, ସବୁ ଉଡ଼ୁଛି । ବସି ରହିଲେ ବି ଶିରାମୟି ଉଠୁଛି । ହାକିନାର ଅବସ୍ଥା ରହିଲାଣି, ଦିଉଡ଼ୁର କେମିତି ହତଶ୍ରୀକ ନିପାଣିଆଁ ଚେହେରା, କେତେଦିନ ହେବ ଭଲ କରି ମୁଠାଏ ସେ ଖାଇ ନାହିଁ ପରା । ଚାରିଆଡ଼ ଅଳିଆ ଅପୋଛା, ବହୁତ କାମ ଜମା ହୋଇଛି । ପୁୟୁ ଘୋଷାରି ହେଉଥିଲା ।

ସେଦିନ ଜାମିରିର ସ୍ତ୍ରୀ ମୁଣ୍ଡ ବାନ୍ଧି ଦେଉଥାଏ, ଶୁଖିଲା ମୁହଁରେ ତେଲ ହଳଦୀ ଲଗାଇ ଦେଉଥାଏ । ଜାମିରିର ସ୍ତ୍ରୀ ବର୍ଣ୍ଣନା କରୁଥିଲା ପୁୟୁର ଦେହ କିପରି ହୋଇଛି । ତା ମୁହଁରୁ ଏତେ ଆପତ୍ତି ଏତେ ସହାନୁଭୂତି ଶୁଣିଶୁଣିକା ହସ ମାଡ଼ୁଥାଏ । କାମ ଛିଣ୍ଡେଇବା ପାଇଁ ତରତର ହୋଇ ପୁୟୁ କହିଲା, ‘ହେଲାଣି ମ’ ଆଈ, ସରିଗଲାଣି, ମତେ କ’ଣ ଜଣାପଡ଼ୁ ନାହିଁକି ।’ ସେତିକି ବୁଝେଇଦେବା ସକାଶେ ଅଣ୍ଡାଳି ପୁୟୁ ତାର ସାନ ଆରଶିଟି ବାହାର କଲା । ଥରେ ଆରଶିରେ ମୁହଁ ଦେଖିଦେଇ ପୁୟୁ ବିବର୍ଣ୍ଣ ପଡ଼ିଗଲା । କ’ଣ ହେଇଚି ତାର ? କାହାର ଏ ମୁହଁ ? ଥର ଥର ହାତରେ ବାରମ୍ବାର ଆରଶିକୁ ପୋଛି ପୋଛି ପୁୟୁ ଦେଖିଲାଗିଲା । ଆରଶି ପୁରୁଣା ହେଲାଣି, କେତେ ଦିନର । ହାଟକୁ ଯିବାକୁ ଶକ୍ତି ହେଲେ ସେ ଖଣ୍ଡେ ନୂଆ ଆରଶି କିଣିବ । କହନ୍ତି ଝରଣା ପାଣିରେ ମୁହଁ ଭଲ ଦିଶେ । ଆରଶିରେ ସେହି ମୁହଁ, ଯେତେଥର ଦେଖିଲେ । ହାକିନା ହେଲା ପରେ ତଳିପେଟ ଉପରେ ଶିଝିଲା ଶିଝିଲା ଗାର ପଡ଼ିଥିଲା, ଜର ହେଲା ପରେ ମୁହଁ ଗୋଟାକ ସେନ୍ତେରା ହୋଇଯାଇଛି । ଖାଳି ହାଡ଼, ଗାଡ଼, ତାହା ଉପରେ କେନ୍ଦୁକାଠ ପରି ଚମ । ବାଳ ଫୁରୁ ଫୁରୁ, ସେ ବି ପାତଳା ହେଲାଣି, ଜାମିରିର ବୁଢ଼ୀ କେତେ ବାଳ ଏକାଠି କଲାଣି ଆଞ୍ଚୁଡ଼ି ଆଞ୍ଚୁଡ଼ି ।

ଦେହଟା ଆଉ କାହାର, ନିଜର ଦେହ ଦେଖି ନିଜକୁ ଲାଜ ମାଡ଼ୁଛି, ଆପଣାର ବୋଲି ସମ୍ପତ୍ତି କେବଳ କଳାକେନ୍ଦୁ ଚମ ଭିତରେ ଆବୁଖାବୁଡ଼ା ହାଡ଼ କେଇଖଣ୍ଡର ବୁଜୁଳି । ଠିଆହେଲେ ମୁଣ୍ଡ ଝାଇଁ ମାରି ଦେଉଛି । ସେ ନିଃସହାୟ ।

ଯୌବନ ଯାଇଛି, ଅକାଳରେ ବିନା ଦୋଷରେ ସେ ବୁଢ଼ୀ ହୋଇଯାଇଛି, ସାହାଭରସାହୀନ ନିର୍ଦ୍ଦୟ ପୃଥିବୀରେ ଥୁରୁଥୁରୁ ବୁଢ଼ୀଟିଏ । ହାଇ ଉପରେ ହାଇ, ଦୀର୍ଘଶ୍ୱାସ ଉପରେ ଦୀର୍ଘଶ୍ୱାସ, ଆପଣାର ଟଳଟଳ ଦୁର୍ବଳ ପେଜୁଆ ଆଖି ଉପରେ ଡୋଳାକୁ ଡୋଳା ଥାପି ସ୍ଥିର ପ୍ରତିଜ୍ଞା ସଞ୍ଚାରି ପୁୟୁ ଭାବିଲା, ପୁଣି ଦେହଟାକୁ ସେ ଆଗର କରି ଗଢ଼ିବ, ଜୀବନ ତାର ଦରକାର, ନିଜପାଇଁ ନୁହେଁ, ହାକିନା ପାଇଁ ।

କେତେବେଳୁ ଦିଉଡ଼ୁ ଆସି ଦୁଆରେ ଠିଆ ହୋଇ ଅନେଇଛି । ଖରା ଝାଞ୍ଜିରେ କାମକରି ଆସି ରଙ୍ଗ ମଉଳି ପଡ଼ିଛି, କିନ୍ତୁ ଝାଳ-ଧୂଳିବୋଳା ଟାଣୁଆ ମାଂସପେଶୀ ଚିହ୍ନାଉଛି ତାର ଭେଣ୍ଡାପଣ । ବଙ୍କା ହସଟାଏ ଟାଣିହୋଇ ରହିଛି ଓଠ ଉପରେ, ତାଳି ମାରିଲା ପରି ଟାକରା ହସ ଘୋଡ଼ିହୋଇ ପୁୟୁକୁ ଅନେଇଁ ଅନେଇଁ ଦିଉଡ଼ୁ ଦେଖୁଛି, ତଳିପାହାଡ଼ର ଗୁମ୍ଫା ଭିତରକୁ ଟାଣି ଓଟାରି ଜାମିରିର ସ୍ତ୍ରୀ ବେଳବୁଡ଼ାରିର ହଳଦୀ ରଙ୍ଗ ଭର୍ତ୍ତି କରୁଛି, ପେତ୍‌ନୀ ପରି ବସିରହି ପୁୟୁ ଦେଖି ଲାଗିଛି ତାର ମୁହଁର ଶିରୀ ।

ଏଇ ତାର ସ୍ତ୍ରୀ, ଏଇଆକୁ ଘରକୁ ଆଣିବାକୁ ତାକୁ ତର ସହି ନ ଥିଲା ।

ଦିଉଡ଼ୁ ଭୁଲିଗଲା ପୁୟୁ ଜରୁଆ ମଳୁ, ସେ ତାଷରୁ ଫେରିଛି, କାମଛୁଟିର ସ୍ୱପ୍ନ ନେଇ ଫେରିଛି, ତା ଆଖିରେ କେବଳ ନିଜେ ସେ, ଆଉ କେହି ନାହିଁ । ‘ଭାରି ସଜବାଜ ଲାଗିଛି ଯେ, କୁଆଡ଼େ ଯିବାକୁ ଅଛି କି ?’ ଚମକିପଡ଼ି ପୁୟୁ ଅନେଇଁଲା, ଜାମିରିର ବୁଢ଼ୀ ସେ କଥାକୁ କାନ ବି ଦେଲା ନାହିଁ । ଦିଉଡ଼ୁ କହିଲା, ‘ଶୁଖିଲା ମୁହଁରେ ମଠାମଠି କରୁ କରୁ ଦିନ ଗୋଟାକ ଯାଉଛି ଆଉ କ୍ଷେତକୁ ଖାଦି ଗଣ୍ଡିଏ ତିଆରି କରି ପଠେଇବାକୁ ସତର ପେଖନା, କାହିଁକି ଏତେ ଲାଗିଛି, ରାଁ ଗାଁ (ଅଙ୍ଗାର) ଉପରେ ହୀଁଗା (ହଳଦୀ) ବୋଳିବୋଳି କ’ଣ ହେବ ? ତହିଁରେ ପୁଣି ମୁହଁ ଦେଖା ଲାଗିଛି ।’ ପୁୟୁ କଇଁ କଇଁ ହୋଇ କାନ୍ଦିପକେଇଲା, ପୁରୁଣା ସାନ ଆରଶିଟିକୁ କଚାଡ଼ି ଫୋପାଡ଼ିଲା ଦୁଆର ଆଡ଼କୁ । ‘ଓଃ’ ଏତିକିରେ ଭାରି ଛଳ ପଶିଗଲା ପରା, କଥା କଥାରେ କାନ୍ଦଣା’ ।

ଜାମିରିର ବୁଢ଼ୀ ରାଗୁଥାଏ । କହିଲା, ‘କାହିଁକିରେ ପୁଅ, ଉପରେ ପଡ଼ି ତୁ କଜିଆ ଭେଉ-? ଏଇଆ କ’ଣ ତତେ ସୁଖ ଲାଗେ ? ଦେଖୁଚୁ ଜରୁଆ ଲୋକଟା, ତୋର ଟିକିଏ ଦୟା ମାୟା ନାହିଁ ?’

 

ସେହିପରି କାନ୍ଦି କାନ୍ଦି ପୁୟୁ କହିଲା, ‘ମନ ହେଉଛି ତ ଆଉ କେଉଁଠୁ ସୁନାମୁହୀଁ କନିଆଁ ଆଣି ତୁମେ ବିଭାହେଉନା, ମୁଁ କ’ଣ ମନାକରୁଛି ନା ମୁଁ ତୁମ ବାଟରେ ବସିଛି, ତୁମେ ତ ଭେଣ୍ଡିଆ ଅଛ, ମୁଁ ସିନା ବୁଢ଼ୀ ହେଲିଣି, ଶୁଖିଲା ମୁହଁ ଆଉ ଅଙ୍ଗାର ତୁମର କି ଦରକାର, କିଏ ତୁମକୁ ଡାକିଛି ସେଗୁଡ଼ାକ ଅନେଇଁ ମନ ଖରାପ କରିବାକୁ ।’

 

ଦିଉଡ଼ୁର ମନ ଦବିଗଲା ନାହିଁ, ନିତି ମନେ ମନେ ଏହିପରି କେତେ ଦୃଶ୍ୟ ସେ ଭାବି ସାରିଛି, କେତେ କାନ୍ଦଣା ଦେଖି ଦେଖି ସେ ପଥର । ପୁୟୁର ରୋଗ ଛାଡ଼ିଛି, ତା ମୁଣ୍ଡରୁ ଦାୟିତ୍ୱ ଯାଇଛି, ୟା ପରେ ପୁୟୁର ମନ, ସେଥିପ୍ରତି ତାର ଖାତିରି କମ୍ ।

 

ତେବେ ଜାମିରିର ବୁଢ଼ୀ ମୁହଁ ଉପରେ କଥା କହି ସେ ଗାଁବାଲାଙ୍କ ସଙ୍ଗେ କଜିଆ କରିବାକୁ ଚାହେ ନାହିଁ । ମନର ବିରକ୍ତି ମନ ଭିତରେ ଚାପି ଦିଉଡ଼ୁ ଗୋଡ଼ କଚାଡ଼ି କଚାଡ଼ି ଘର ଭିତରେ ପଶିଲା ।

 

ଏହିପରି ସମୟରେ ସେ ପୁବୁଲିକୁ ମନେପକାଏ, ପୁବୁଲି ଥିଲେ ଘର ଆରେଇଥା’ନ୍ତା ବୋଧହୁଏ । ଗୋଟାଏ ପାଖେ ସେ, ଗୋଟାଏ ପାଖେ ଲେଞ୍ଜୁକକା, କେବଳ ଉଡ଼େଇ ଖାଇଜାଣେ ଆଉ କିଛି ଜାଣେ ନାହିଁ, ଗୋଟାଏ ପାଖେ ପୁୟୁ । ଗୋଟିକିଆରୁ ଦି’ ଜଣିଆ ହୋଇ ଏକାଠି ହେଲା କଜିଆଗୋଳ ସମ୍ଭାବନା, ଆପଣା ଆପଣା ଘରେ ସମସ୍ତେ କୁଣିଆଁ ପରି । ଅଳସୁଆ ମୁଣ୍ଡରେ ଏହିପରି ଭାବେ ଦିଉଡ଼ୁ, ସମସ୍ତିଙ୍କୁ ସେ ତଡ଼ିପାରନ୍ତା ଯଦି ଠେଙ୍ଗା ଉଞ୍ଚେଇ ଗୋଡ଼େଇ ଗୋଡ଼େଇ ତଡ଼ି ପାରନ୍ତା, ତେବେ ଜୀବନ ସାଙ୍ଗେ ନୂଆ ବାଟରେ ନୂଆ ହୋଇ ଚିହ୍ନାଚିହ୍ନି ହୋଇପାରନ୍ତା । ତା’ପରେ ପିଓଟି ଖାଲି ମଣିଷର ଆଶା, ତାର ସାର୍ଥକତା ନାହିଁ ।

 

ଧୀରେ ଧୀରେ ପୁୟୁ ଠିଆ ହେଲା; ଧୀରେ ଧୀରେ ବାଡ଼ି ଭରାରୁ ଖାଲି ହାତ ଯାକେ ଅଭ୍ୟାସ କରି କରି ଚାଲି ବୁଲିଲା ଗାଁ ବାଟରେ । କିନ୍ତୁ ମାଳ ଜର ତାକୁ ମୋଡ଼ିଦେଇ ଠିକିଦେଇ ଗଲା, ଦିନୁଁ ଦିନ ଆହୁରି ନିଛାଟିଆ ଆହୁରି ହତାଶା । ସେ ଆଉ ସେ ପୁୟୁ ନାହିଁ ।

•••

 

ପଚସ୍ତରୀ

 

ବା’-ଲି ପୂଜା ଅଳ୍ପଦିନ ଥାଏ, ନୂଆ ତାଷଜମି ହେବ ବୋଲି ଗୋଟା ଗୋଟା ପର୍ବତ ଜଳି ସାରିଥାଏ । ଫାରାଷ୍ଟି ନିଦ ଭାଙ୍ଗିଲା, ସେ ତନଖି କରିଯିବ କେଉଁ ଲୋକଟା ବଣ ମାରି ପୋଡ଼ି କେତେ କ୍ଷତି କରିଛି । ତାର କୋଡ଼ିଏ କୋଶ ବଣ, ଚାରି କୋଶକୁ ଜଣେ ଜଣେ ବଣ ଜଗୁଆଳି ‘ଗାରଡ଼’ । ସମସ୍ତେ ଦେଖିଥିଲେ ଶାଳବଣ ହଣାହୋଇ ଜଳିଗଲା, ଗଲା ମୂଲ୍ୟବାନ ବାଉଁଶବଣ, କିନ୍ତୁ ସେତେବେଳେ ଯାଇ କ’ଣ ହେବ ? ପର୍ବତ ବାଟ ଚାଲିବାକୁ ସେତେ ସହଜ ନୁହେଁ, ବଣରେ କଣ୍ଟା ଅଛି ସାପ ଅଛି ବାଘ ଅଛି । ‘ଗାରଡ଼’ ଯଦି ତାର ଚାରିକୋଶ ମଝିରେ କେନ୍ଦ୍ରଜାଗା ଦେଖି ବସିରହିଥିବ ତେବେ ଫାରାଷ୍ଟି ଅଚଳ, ତେଣୁ ସେମାନେ ପ୍ରାୟ ତା ପାଖରେ ରହନ୍ତି । ଜଣେ ‘ଗାରଡ଼’ ରାନ୍ଧେ, ଜଣେ ‘କପି’ କରେ, ପିଲା କାଖାଏ, ଜଣେ ଥାଏ ଶିକାର ଉଣ୍ଡିବାକୁ ଓ ଫାରାଷ୍ଟି ଶିକାର କରିଯିବ ବୋଲି ଭଲଜାଗା ଖୋଜି ମଞ୍ଚା ବାନ୍ଧିବାକୁ, ଜଣେ ନଳି ସଫା କରେ, ସେ ସାଙ୍ଗରେ ଥାଏ । ଗାରଡ଼ ଯଦିବା ପଦାକୁ ବାହାରେ, ସେ ତାର ଚିହ୍ନା ଲୋକମାନଙ୍କୁ ସଙ୍ଖୋଳିବାକୁ ଯାଏ, ମଦ ପିଏ, ଗଞ୍ଜେଇଟାଣେ, ନ ହେଲେ ଅଫିମ ଖାଇ ତା ଇଲାକାର ଗଛମାନଙ୍କୁ ସ୍ୱପ୍ନ ଦେଖେ । ଜର ଆଉ ବ୍ୟଭିଚାରରେ ସଢ଼ିସଢ଼ି ସମସ୍ତେ ଦିଶନ୍ତି ବୁଢ଼ା ଘୋଡ଼ାପରି, ଫାଳେ ଫାଳେ ଅଧେ ଅଧେ ମଣିଷ, ଗାଲ ପଶିଯାଏ, ବାଜ ପାଚିଯାଏ । ଦରବାରୀ ବେଶରେ ବାହାରି ପଡ଼ିଲାବେଳେ ପୁରୁଣା ପୋଷାକ ହୁଗୁଳାହୋଇ ଝୁଲିପଡ଼େ, ବାଦୁଡ଼ି ପକ୍ଷୀପରି ଫଡ଼ଫଡ଼ ହୁଏ । କୋଡ଼ିଏ କୋଶ ଘାଟି ପର୍ବତ ମାଳି ଦମକର ବଣକୁ ଗୋଟିଏ ଫାରାଷ୍ଟି ସେ, ସହକାରୀ ପାଞ୍ଚଟି ଗାରଡ଼, ତହିଁରୁ ତିନୋଟି ବୁଢ଼ା, ଜଣକର ଗୋଟିଏ ଆଖି ନାହିଁ ଆଉ ଜଣେ କାଲ । ଫାରାଷ୍ଟିର ଦର୍‌ହମା ତିରିଶି, ଗାରଡ଼ର ସାତ । କେବେ କେବେ ଚାରି ପାଞ୍ଚ ମାସର ଦର୍‌ହମା ବାକି ପଡ଼ିଯାଏ-। ତଥାପି ଫାରାଷ୍ଟି ଲେଞ୍ଜର ହାତରୁ ଖାଇ ଭାରୁଆ ବୋଝିଆଙ୍କ ମୂଲଦେଇ ମାସକୁ କୋଡ଼ିଏ ଦିନ ଗସ୍ତ କରୁଥିବେ । ପର୍ବତର ପବନ ବଡ଼ ମିଠା, ନିଜ ପେଣ୍ଠର ଆଖପାଖ ଗାଁରେ ଭଲ ଚରାଭୂଇଁ । ଫାରାଷ୍ଟି ଶିକାର କରେ ଯେତେ ଥର ଛେଳି ପାଏ ସେତେଥର ‘ପଲାଉ ପାଟି’ କରେ, ପୁରୁଣା ରେକର୍ଡ଼ ବଜାଇ ‘ପାଲାଓ୍ୱାଡ଼େ ମାଲାଓ୍ୱାଡ଼େ’ ଗୀତ ଶୁଣେ, ଘର ମନେପକାଏ ଆଉ ଗାରଡ଼ ସଚିବମାନଙ୍କଦ୍ୱାରା ଘେରି ହୋଇ ବସି ଆପଣା ବଣର ରୋଶ୍ନି ଦେଖେ ।

 

‘ଓବେ ସାଦୁ-’

‘ମହାପ୍ରୁ-’

‘ସେଟା ସର୍ଗିଘାଟି ଜଳୁଚି ନାରେ, ମିଣିଆପାୟୁ ଖେଳା ?’

‘ଚିତଂ ଚିତଂ ମହାପ୍ରୁ-’

‘ଆଉ ସେଟା ଯେ ?’

‘ଗ୍ୟାଲ୍‌ପ ଡମ୍‌ମାନେ ଲଗେଇଥିବେ ମାହାପ୍ରୁ, ସେଟା ମାଛପୁଟ୍ ଡଙ୍ଗର ପରି ଦିଶୁଚି ।’

‘ବାହାରିବା କିବେ ସାଦୁ-’

‘ତମର ଈଷ୍ଟଂ, ଚିତ୍ତଂ ମାହାପ୍ରୁ ଗ୍ୟାଲ୍‌ପ ପଇସାବାଲା ଡମ୍‌ମାନେ-’

 

ବଡ଼ ‘ଲେଞ୍ଜର’ ସାହେବ ପୋଷାକ ପିନ୍ଧେ, ମଧ୍ୟବୟସ୍କ ହେଲେବି ସେ ବିଭା ହୋଇ ନାହିଁ । କବାଟ କିଳିଦେଇ ସାହେବୀ ଗତ ଅନୁକରଣ କରି ବେହେଲା ବଜାଏ ଓ ନାଚେ । ତାର ବଡ଼ ମୁଣ୍ଡ । ମନ୍ତ୍ରଣା ଦେବାକୁ ବଣ ମକଦ୍ଦମାରେ ହାଜର ହେବାକୁ ଓ ବଡ଼ବଡ଼ ଯୋଜନା ତିଆରି କରିବାକୁ ମାସକର ଅଧିକାଂଶ ଦିନ ତାକୁ ‘ହୁଜୁର’ କାମରେ ସହରକୁ ଯିବା ଦରକାର ପଡ଼େ । ବଣକୁ ଆସିଲେ ତାର କାମ,-ଦେଖେଇ ଦେଖେଇ ସିଗାରେଟ୍ ପୋଡ଼ିବା, ସଭ୍ୟଜଗତ୍‌ର ପୋଷାକ ଦେଖେଇବା, ଇଂରେଜୀ ଭାଷାରେ ଫାରାଷ୍ଟିକୁ ଗାଳିଦେବା ଓ ତା ନାଁରେ ‘ହୁଜୁର୍‌କୁ’ ରିପୋଟ୍ କରିବା । ବେଳକାଳ ଦେଖି ଭାରଥୋର୍ ଧରି ଫାରାଷ୍ଟି ‘ହୁଜୁର୍‌କୁ’ ଯାଏ । ଲେଞ୍ଜର ବେହେଲା ବଜାଏ ଓ ନାଚେ । ହୁଜୁର୍‌ରେ କାଗଜ ସବୁ ହଜିଯାଏ । ଫାରାଷ୍ଟି ପଲୋଉପାଟି ଖାଏ ଲେଞ୍ଜରର ଦୁର୍ନାମ ଗାଏ । ବଣ ଜଳିଲାବେଳେ କେତେଥର ଫାରାଷ୍ଟି ଗାରଡ଼ ଅନୁପସ୍ଥିତ ହେବା ଦରକାର ପଡ଼େ । ବାରମ୍ବାର ଜ୍ୱରରୋଗ ପାଇଁ ଔଷଧ ଖାଇବାକୁ ଆଲୁଅକୁ ଯିବା ତ ଲଗାତାର ଲାଗିରହିଛି, ତାହା ଛଡ଼ା ଆହୁରି ବଡ଼ ବଡ଼ କାମ ଅଛି ।

 

‘ଅର୍ଡ଼ର’ ଆସିଲା ଅମୁକଠିଁ ସାଗୁଆନ ଗଛ ଲଗା ହେବ । ଗାଁକୁ ଖବର ଗଲା ଲଙ୍କାମରିଚ ବନ୍ଧାହୋଇ । ଲୋକ ଆସିଲେ । କାମ ଲାଗିରହିଲା ଚାରିମାସ । କାଠ ଉପରେ ନାଁ ଲେଖା ହୋଇ ଖୁଣ୍ଟି ପୋତା ହେଲା, ତହିଁରେ ଭରା ଦିଆ ହୋଇ ଗଛ ଲଗାହେଲା । ବର୍ଷକୁ ଥୁଣ୍ଟାସବୁ ବଢ଼ିଯାଇ ବଡ଼ ବଡ଼ ହୁଙ୍କା ହୋଇଯାଇଛି । ଗଛ ମୁକ୍ତି ପାଇଛି । ଏଣିକି ରିପୋଟ୍ । ତା’ପରେ ଅନ୍ୟାନ୍ୟ ଅନେକ କାମ । ପାଞ୍ଚବର୍ଷ ଧରି ବଙ୍ଗଳାଟିଏ ତିଆରି ହେଉଛି ଇଟା ପୋଡ଼ା ହେଉଛି, ଏପରି ତ ଅନେକ କାମ । କେବେ କେଉଁ ଆହୁରି-ବଡ଼ ଅଧିକାରୀ ରାସ୍ତାବାଟିଆ ଅଞ୍ଚଳକୁ ବିଜେ କରିଛନ୍ତି ତାଙ୍କର ଖବର ବୁଝିବାକୁ ଯିବାକୁ ହେବ । ନ ଗଲେ ମୁଣ୍ଡର ‘ଛେଣ୍ଡି’ ରହିବ ନାହିଁ । ବାଘ ଶିକାର ହେବ, ତେଣୁ ଖୋଜିବାକୁ ପଡ଼ିବ କେଉଁ ବଣରେ ବାଘର ପାହୁଲ ଦିଶୁଛି, ସେ କେଡ଼େ ଲମ୍ବା, କେଉଁ ବଣରେ ବାଘର ଲଣ୍ଡି ପଡ଼ିଛି, ତାର ଆକାର କେଡ଼େ । ନିୟମିତ କଟକଣାରେ ବାଘମାମୁକୁ ତିନିଦିନରେ ଗୋଟିଏ ଲେଖାଏଁ ପୋଢ଼ ଖାଇବାକୁ ଦେଇ ଧୀରେ ଧୀରେ ରାସ୍ତା ଆଡ଼କୁ ମୋହିଁ ଆଣିଲେ ଦିନେ ବଡ଼ ମଣିଷ ବଡ଼ ଗଛ ଉପରେ ସିଢ଼ିରେ ଚଢ଼ି ବଡ଼ ବନ୍ଧୁକରେ ବଡ଼ବାଘ ମାରିବେ, ଫାରାଷ୍ଟି ଧନ୍ୟ ହେବ । ପଡ଼େ ‘ଜଙ୍ଗଲ ମୁର୍ଗୀ ସୁଟ୍’ ଅର୍ଥାତ୍ ବଣ କୁକୁଡ଼ାକୁ ଢୁ’ । ବଣ କୁକୁଡ଼ା ତାର ହୁସିଆରରେ ଲୁଚି ଲୁଚି ବୁଲୁଥାଏ । ଯେଉଁଠି ଢୁ ହେବ ସେହି ବଣକୁ ତାକୁ ଅଣେଇବା ପାଇଁ ମାସ ମାସ ପରିଶ୍ରମ କରି ଫାରାଷ୍ଟି ବୁଲୁଥିବ । ପ୍ରତିଦିନ ମହଣ ମହଣ ମାଣ୍ଡିଆ ଚାଉଳ ଫୋପାଡ଼ି ଫୋପାଡ଼ି ବଣ କୁକୁଡ଼ାଙ୍କୁ ଠୁଳ କରିବ । ଠିକଣା ଦିନ ଖେଦା ହେବ, ମେଘ ପରି ବଣ କୁକୁଡ଼ା ଉଡ଼ିବେ, ଗୁଳି ଫୁଟିବ, ହୀନକପାଳିଆ ବଣକୁକୁଡ଼ା ଆଠ ଦଶଟା ପଡ଼ିଯିବେ, ଫାରାଷ୍ଟିର ପର୍ବ ଉଜୁଆଁ ହେବ । ଗୋଟାଏ ଲୋକର ଏତେ କାମ, ତହିଁରେ ପୁଣି ଏଡ଼େ ଇଲାକା, କୁଆଡ଼ୁକୁ ହେବ ସେ । ଜର ମଶା କଷ୍ଟ ଦୁଃଖ । ବିହ୍ୱଳ ହୋଇ ଫାରାଷ୍ଟି ବଣର ରୋଶ୍ନି ଦେଖେ, ପୁରୁଣା ରେକଡ଼ ଶୁଣି ଶୁଣି ମନର ପରାଶ ମେଣ୍ଟାଏ, ବାଲି କାଗଜରେ ରିପୋଟ୍ ଲେଖି ଲଙ୍କାମରିଚ ବାନ୍ଧି ପଠାଏ, ଲେଞ୍ଜର ବେହେଲା ବଜାଏ, ଗାରଡ଼ ‘ମୁଣ୍ଡବଥା’ କହି ଘରେ ବସି ଦମ୍ ଲଗାଏ ବଣ ଜଳେ ।

 

ମିଣିଆପାୟୁ ବାଟର ଗାରଡ଼ ଏପରି, ଫାରାଷ୍ଟି ଏପରି ।

 

ସମସ୍ତେ ଏକାମଛାକେ ନୁହନ୍ତି । ଯାହାର ଭାଗ୍ୟ ଭଲ ସେ ଏ ବାଘୁଆ ଜରୁଆ ବଣକୁ ଆସିବ କାହିଁକି ? ଏଠିକି ଆସିଲେ ଯେତେ ଫାଙ୍କିଦେଲେ ସୁଦ୍ଧା ବଣରେ ନ ବୁଲିଲେ କାର୍ଯ୍ୟ ଅଚଳ-। ବଣରେ ବୁଲୁଥିଲେ ବାଘ ସଙ୍ଗରେ ହାବୁଡ଼ା ହାବୁଡ଼ି ଅନିବାର୍ଯ୍ୟ । କେଉଁଦିନ ‘ଗାରଡ଼’ ବିଚରା ଫାରାଷ୍ଟି ପାଇଁ କାଫି ନେଇ ଦେଉଛି ଶିକାର ମଞ୍ଚାକୁ, ବାଟରେ ବାଘ ଉଠେଇନେଇ ଛୁ । ପୋଖରୀ ବସିଥିଲେ ବାଘ ଖାଇଯିବ, ବାଟରେ ଚାଲୁଥିଲେ ବାଘ ଖାଇଯିବ, ଥରେ ବସା ଛାଡ଼ିଲେ ଭଗବାନ ଭରସା । ମାଳଜରରେ ଭୋଗି ଭୋଗି କାହାର ଦାନ୍ତ ଝଡ଼ିଯାଉଛି, କାହାର ପେଟରେ ସେରେ ପ୍ଳୀହା । ବେକରେ ହାତରେ ଯେତେ ଡଉଁରିଆ ବାନ୍ଧିଲେ ସୁଦ୍ଧା ବଉଁଶ କୁଟୁମ୍ବରୁ ମାଳଜରରେ ଅବଶ୍ୟ ଜଣେ ଦି’ଜଣ ଯିବେ, ଗାରଡ଼ ବି ମରେ, ଫାରାଷ୍ଟି ବି ମୃତ୍ୟୁର ଅଧୀନ । ଗସ୍ତରେ ଗଲେ କେଉଁଠି ଛାଉଣି ପଡ଼ିବ ନିଶ୍ଚିତ ନାହିଁ, କାହାର ଗୁହାଳ ଘରେ, କାହାର ପିଣ୍ଡାରେ କେଉଁଠି ଗଛ ମୂଳରେ । ଚାରିଭାଗରୁ ତିନିଭାଗ ଦିନ ଶୀତ ବରଷା, କୁହୁଡ଼ି ଅନ୍ଧାର, ତିନ୍ତି ଥରି ତାହାରି ଭିତରେ ଘାଟି ପର୍ବତର ଅବାଟରେ ପାଦରେ ଚାଲି ଗସ୍ତ, ରାସ୍ତା ନାହିଁ, ଯାନବାହନ ନାହିଁ । ମରିଗଲେ ପଚାରିବାକୁ କେହି ନାହିଁ, କନ୍ଧ କେବଳ କହିବ, ‘ଖରାପ ଡୁମା ବୋଲି ଚଞ୍ଚଳ ମଲା’, ସେଥିରେ ଦୁଃଖ କ’ଣ ? ଏହି ଜୀବନ ପାଇଁ ଗାରଡ଼ର ସାତ ଟଙ୍କା ଦରମା, ଫାରାଷ୍ଟିର ତିରିଶି, ତାହା ମଧ୍ୟ ଚାରି ପାଞ୍ଚମାସ ବାକିପଡ଼େ । ଏତେବଡ଼ କୋଡ଼ିଏ କୋଶର ବଣ ରକ୍ଷା କରିବା ପାଇଁ ମୋଟେ ଗୋଟାଏ ଫାରାଷ୍ଟି, ମୋଟେ ପାଞ୍ଚଟା ଗାରଡ଼ । ତାଙ୍କର ବଞ୍ଚିବା ମରିବା ଖୋଜିବା ପାଇଁ କାହାରି ଗରଜ ନାହିଁ, ତାଙ୍କ ପାଇଁ ଡାକ୍ତରଖାନା ନାହିଁ, ଡାକଘର ନାହିଁ, ସଭ୍ୟ ଜୀବନର କୌଣସି ପ୍ରକାର ଆନନ୍ଦ ନାହିଁ କି ସୁବିଧା ନାହିଁ, ସେମାନେ ନିର୍ବାସିତ । ଆଶା ନାହିଁ, ସୁଖ-ସ୍ୱପ୍ନ ନାହିଁ, ଜୀବନ ବଣ୍ୟ, ନିର୍ଦ୍ଦୟ । ମଣିଷ ଶିଖେଇଛି ଅମଣିଷ ହେବାକୁ, ଜୀବନ ଶିଖେଇଛି ସୁବିଧାବାଦୀ ହେବାକୁ, ତେଣୁ ଫାରାଷ୍ଟି ଏପରି, ଗାରଡ଼ ଏପରି ।

 

ସେମାନେ ଆସୁଛନ୍ତି, ଖବର ଆସିଛି । ଆଗରୁ ଆଗରୁ ବାଜା ଶବ୍ଦରେ ଖବର ଚାଲିଛି, ଏ ଗାଁରେ ବସି ଢୋଲ ପିଟିଦେଲା, ସେ ବାଜଣାର ସଙ୍କେତ ବୁଝିବ ଆର ଗାଁର କନ୍ଧ ଯେ ଫାରାଷ୍ଟି ଆସୁଛି, ସେ ଗାଁର ଢୋଲଶବ୍ଦରେ ତହିଁ ଆର ଗାଁକୁ ବି ଖବର ଗଲା । ହାଟରେ ସେହି ଚର୍ଚ୍ଚା, ଏ ଗାଁରୁ ସେ ଗାଁ କୁଣିଆଁ ଯାଉଥିବା ଲୋକ ହାତରେ ସେହି ଖବର, କନ୍ଧ ପ୍ରସ୍ତୁତ । ପଇସାପତ୍ର ଭେଦା ହୋଇ ଠୁଳ ହେଉଛି, ଯୋଗାଡ଼ ଲାଗିଛି ମହୁ, ପାଳୁଅ, ଖମ୍ବଆଳୁ, ଲଙ୍କାମରିଚ, ତେନ୍ତୁଳି ଓ କ୍ଷେତର ପୁରୁଣା ଶସ୍ୟ । ଗୋଟାଏ ଫାରାଷ୍ଟି,-ଗୋଟାଏ ଗାଁକୁ କେତେଥର ସେ ଆସିପାରିବ ? ତାକୁ ସନ୍ତୋଷ କରି ବିଦାକରି ନ ପାରିଲେ ବିପଦ ଲଗେଇବ । ଆପେ କୌପୁନୀ ପିନ୍ଧି ଫୁରୁଫୁରୁ ମୁଣ୍ଡରେ କୁଣିଆଁ ଚର୍ଚ୍ଚା କରିବାକୁ ଏତେପ୍ରକାର ସାଜ ସ୍ନେହରେ ନୁହେଁ, ଭୟରେ । ପଞ୍ଚାଏତ ହୋଇ ସବୁ ଠିକଣା ହେଲା ପୋଡ଼ୁ କରିଥିବା ଅଞ୍ଚଳ ସବୁ ଯେତେ ପାରିଲେ ହଳ କରିଦେଇଗଲେ, ଫାରାଷ୍ଟିର ଭ୍ରମ ହେଉ ନୂଆ ପୋଡ଼ୁ କେଉଁ ଖଣ୍ଡକ ପୁରୁଣା ପୋଡ଼ୁ କେଉଁ ଖଣ୍ଡକ । ଗାଁରେ ଲୋକେ ସଲା ହୋଇଛନ୍ତି, କାହାରି ନାଁ କେହି କହିବ ନାହିଁ, ଫାରାଷ୍ଟି ଯାହା ଗୋଟାଏ ଠିକଣା କରିଦେବ ସମସ୍ତେ ବାଣ୍ଟିନେଇ ଉଦ୍ଧାର ହେବେ । ନିହାତି ଜିଗର ଧରିଲେ ଦୁଇ ଜଣ ବାହାରିବେ, କହିବେ ଆମେ କରିଛୁ । ଯାହା ଦଣ୍ଡ ପଡ଼ୁ କି ତଣ୍ଡ ପଡ଼ୁ ସମସ୍ତେ ଭେଦାରେ ଦେବେ ।

 

କେଉଁଠି ତାର ଛାଉଣି ପଡ଼ିବ ଠିକଣା ହୋଇସାରିଛି, କିଏ ତାର ଭାର କାନ୍ଧେଇ ଯିବେ, କୁକୁଡ଼ା କେଉଁଠୁ ଆସିବ, କେଉଁ ଛେଳିଟା ହଣା ହେବ । ସମସ୍ତେ ପ୍ରସ୍ତୁତ, କେବଳ ଫାରାଷ୍ଟି ଆସିଲେ ହେଲା ।

 

ଗୋଟାଏ ରାତି ଦିସାରି ତାରା ଦେଖି ଦେଖି କଟେଇଲା, ସକାଳୁ ତା ପାଖେ ଗୋଷ୍ଠୀର ଲୋକ ଜମା, ‘କହ ଦିସାରି, ଫାରାଷ୍ଟି ଯେ ଆସୁଛି, ଯୋଗ କେମିତିକା ପଡ଼ିଛି, ଫଳ କ’ଣ ହେବ ।’ ରାତି ରାତି ବସି ଦିସାରି ଜବାବ ପାଇଛି, କେବଳ ତାର ଦଳର ଲୋକଙ୍କ ପାଇଁ । ଦିସାରି କହିଯାଏ, ଅଧେ ଭଲ ଅଧେ ମନ୍ଦ, ସେହି ଅନୁସାରେ ପ୍ରସ୍ତାବ ହୋଇଥିବା ଛେଳି ସାନଟିରୁ ବଡ଼ଟାଏ ହୁଏ, ଅନ୍ୟାନ୍ୟ ସାମଗ୍ରୀ ବଢ଼େ କମେ । ସବୁ ଅଧିକାରୀ ମହାପ୍ରଭୁ, ଫାରାଷ୍ଟି ପୋଡ଼ୁକଲେ ଧରିବ ଜନ୍ତୁ ମାରିଲେ ଧରିବ, ଗୋରୁ ଘାସ ଖାଇବା ସକାଶେ ପାନୁ (ଟିକସ) ଅଛି, ପ୍ରତି ଲଙ୍ଗଳ ପିଛା ପାନୁ ଅଛି । ଏହା ଉପରେ ଆହୁରି କ୍ଷମତା ତାର ଅଛି ଯେ ସେ ଅନ୍ୟାନ୍ୟ ଅଧିକାରୀଙ୍କୁ ନାନା ବିଷୟରେ ଯାଇ ଖବର ଦେବ, କିଏ ମଦ ରାନ୍ଧେ, କାହା ଦୁଆରମୁହଁ ଅଳିଆ ହୋଇଛି, କାରଣ ସବୁ ଅଧିକାରୀ ଏକାଜାତି । ବଣର କନ୍ଧଠୁ ଭିନ୍ନ ।

 

ଦିସାରି ପାଳି ସରିଲା । ବେଜୁଣୀର ପାଳି ପଡ଼ିଲା, ଝାକର ଦେବତା ଘରଦେବତା ଓ ଆପଦତାରିଣୀ ଚିତାଗୁନି ଦେବତା ଏମାନଙ୍କ ପାଖେ ଜଣାଣ କରାହେଲା । ଅଧିକାରୀ ଆସିବ, ସେ କୁଳର ଲୋକ ନୁହେଁ ଦଳର ଲୋକ ନୁହେଁ, ସେ ଆସିଲେ ଯେପରି ବିପଦ ନ ପଡ଼ୁ । କନ୍ଧର ହାତ ବନ୍ଧା, ନୂଆ ଜଗତକୁ ତାର ପ୍ରାଣେ ଭୟ, ବେଶୀ ଭୟ କାଗଜ ଉପରର ଲେଖାକୁ, ଡର, ଅବିଶ୍ୱାସ, ଆଶଙ୍କାରେ ଦୋହଲି ଦୋହଲି ତାର କାମ କେବଳ ଦେବତା ପୂଜା କରି ଭୂଇଁରେ ମୁଣ୍ଡ କୋଡ଼ି କୋଡ଼ି ବର ମାଗିବା ଯେ ବିପଦ ନ ପଡ଼ୁ, ନଷ୍ଟ ନ ପଡ଼ୁ, ଠାକୁରେ ରକ୍ଷା କରନ୍ତୁ ।

 

ଖରା ଥାଏ ଫାରାଷ୍ଟି ଆସିଲା । ଆଗରେ ଦିଉଡ଼ୁ ସାଓଁତା ପଛେ ପଛେ ବାରିକ ଭୁର୍ଷାମୁଣ୍ଡା, ଗାଁର ବଡ଼ ରଇତମାନେ, ସମସ୍ତେ ଏକାଠି ଦଳ ହୋଇ ଅଧବାଟକୁ ପାଛୋଟି ଯାଇଥା’ନ୍ତି । ସାଓଁତା ଆପେ ବୋହିଥାଏ ଗୋଟିଏ ଠେକିରେ ଖିର ଟିକିଏ; ମୁହଁରେ ପତ୍ର ବନ୍ଧା ହୋଇ ଦଉଡ଼ିରେ ଝୁଲୁଛି; ଫେଣାଏ ପାଚିଲା କଦଳୀ । ଆଗ ବାଟବରଣ ପାଦପୂଜା, ଯେ ଅଧିକାରୀ ଏତେଦୂରରୁ ଧାଇଁ ଆସିଛି ଦେହ ବାଧିକା ହୋଇଥିବ, ଅଧବାଟରେ ବସି କାଫି କରିସାରି ଗାଁକୁ ଗଲେ ଭଲ ।

 

ହେଇ ଆସୁଛି ସେ । ଆଗେ ଆଗେ କନ୍ଧଭାରୁଆ ଚାଲିଛନ୍ତି । ତାଙ୍କ ପଛରେ ବେତ ଖଣ୍ଡେ ଧରି ଜଣେ ଗାରଡ଼ ଚାଲିଛି । ଶେଷ ପଛରେ ଫାରାଷ୍ଟି, କଣା ଗାରଡ଼ ବନ୍ଧୁକ କାନ୍ଧେଇଚି । ମିଣିଆପାୟୁର ଲୋକ ଘାଟିଉପରୁ ଧାଇଁ ଧାଇଁ ତଳକୁ ଓହ୍ଲେଇଲେ, ସେଠି ଖଣ୍ଡେ ପଥର ଚଟାଣ ଅଛି, ଗଛ ଛାଇ ଅଛି, ଯେତେ ଅଧିକାରୀ ଆସିଲେ ସେଇଠି ଭେଟାଭେଟି । ‘ମହାପ୍ରଭୁ-ମହାପ୍ରଭୁ’ କହି ତୋଫାନ ଆଗରେ ବାଉଁଶଗଛ ପରି ସମସ୍ତେ ନଇଁପଡ଼ିଲେ । ଫାରାଷ୍ଟି ବିରକ୍ତ ହୋଇ ପାଟିରୁ ଦକ୍ଷିଣୀ ସୁଟା ଫୋପାଡ଼ି ମାରିଲା, ତାର ଦେହଯାକ ଝାଳ ଜୁଡ଼ୁବୁଡ଼ୁ । କହିଲା, ‘କିବେ ଗ୍ୟାଲ୍‌ପମାନେ,-ଶଳେ ବଣ ମାରିବ ଖରାଏ ଖରାଏ ମତେ ଦୌଡ଼େଇବ । ରହ ତମ ପାଇଟି କରୁଛି । ....କିବେ, ଶଳା ସାଓଁତା, ନୂଆହୋଇ ସାଓଁତା ହେଇଚୁ ବୋଲି ସବୁ ବଣ ମାରିଦେଇ କରାମତି ଦେଖୋଉଚୁ, ନୁହେଁ ? ରହ ରହ ଡମ୍‌କୁ ତୋ ମୁଣ୍ଡ ଉପରେ ସାଓଁତା କରୋଉଛି ଦେଖିବୁ-।’ ଚାରିଆଡ଼େ କେବଳ ମହାପ୍ରଭୁ ମହାପ୍ରଭୁ ନାଦ । ଫାରାଷ୍ଟିର ଧମକ ଶୁଣୁଶୁଣୁ ସମସ୍ତେ ଗାରଡ଼ମାନଙ୍କ ପାଖେ ଫୁସୁଫୁସୁ କହି ଯା’ଆସ କରିବାରେ ବ୍ୟସ୍ତ । ଫାରାଷ୍ଟିର ଧମକର ଅର୍ଥ ବଣୁଆଁ ଲୋକ ବୁଝନ୍ତି ଭିନେ । ସେମାନେ ବୁଝନ୍ତି ଯେ ତାର ଅର୍ଥ ହେଉଛି-ସବୁ ଠିକଣା ହୋଇଛି ତ ? ଖାଇବା ପିଇବା ରହିବା ନେବାରେ କୌଣସି ଅସୁବିଧା ଘଟିବ ନାହିଁତ ? ସରୁ ଚାଉଳ, ବାସ୍ନା ଘିଅ, ଛେଳି କୁକୁଡ଼ା ସମ୍ପାଦିଛ କି ନା ?

 

ଦି’ଥର ଶଳା ଗ୍ୟାଳ୍ପ ବତେଇ ଦେଇ ପାଇଟି କରିବି ବୋଲି ଭୟ ଦେଖେଇଦେଲେ ବଣୁଆଲୋକ ଧାଇଁବେ ଅଧିକାରୀଙ୍କ ପାଖକୁ, ‘....ତୁମେ ଟିକିଏ ବୁଝେଇଦେବ ମହାପ୍ରଭୁ... କିଛି ତ ନାହିଁ ବଣର ମାଙ୍କଡ଼ପରା ଅଛୁଁ, ଯାହା ଯେଉଁଠୁ ହେଲେ ସଁ ଗାଇଛୁଁ (ରଖାଇଛୁଁ) ସେମିତି କହିବ ନାହିଁ ମହାପ୍ରୁ ମରିଯିବୁଁ ନାହିଁକି, ତୁମ ଅଧିକାରୀ କୋପ କଲେ ଆମେ କୋଉଠି ରହିବୁଁ, ଦେଶିଆ ଲୋକ ଘରୁ ବାହାରିଲେ ସିକ୍‌ସନ୍ (ଆଇନ୍ ବହି) ଲଂଘିବୁଁ; ଦୋଷ କରିବୁ, ତୁମେ ରକ୍ଷା ନ କଲେ କିଏ ରକ୍ଷା କରିବ ? ଆମର ଦିକୁ (ଅବସ୍ଥା) ଦେଖ ମହାପ୍ରୁ, ବଡ଼ ମାହାପ୍ରୁକୁ ଟିକିଏ ବୁଝେଇ କହିଦେବ...’

 

ଫାରାଷ୍ଟି ବସିପଡ଼ିଥାଏ । କନ୍ଧମାନେ ବିଞ୍ଚୁଥା’ନ୍ତି । ଗୋଟାଏ କରରେ ନିଆଁ ଜଳା ହେଲାଣି । ଅଣ୍ଟିରେ କୁକୁଡ଼ା ଡିମ୍ବ ଓ ଅନ୍ୟାନ୍ୟ ଜିନିଷ ଲୁଚେଇ ଚୋର ପରି ଲୁଙ୍ଗୁଡ଼େଇ ଲୁଙ୍ଗୁଡ଼େଇ ସେହି ନିଆଁ ପାଖକୁ କନ୍ଧମାନେ ଯା’ ଆସ କରୁଥା’ନ୍ତି । ଯେ ପଚାରିଲେ ଉତ୍ତର ହେଉଛି ‘କିଛି ଦେଇ ନାହୁଁ, କ’ଣ ଦେବୁଁ,-ବଣୁଆ ମଣିଷ କ’ଣ ଆମର ଅଛି କ’ଣ ଆମେ ଦେବୁଁ, ଏଁ ? ନା, ନା,-ଉତ୍ତମ ଲୋକ ସେ, ମହାପ୍ରଭୁ ଅଧିକାରୀ ବିରୋଧରେ କିଛି କହିବାକୁ ଆମର ମୁଣ୍ଡ ଅଛି କି ? କିଛି କଷ୍ଟ ଦେଇ ନାହିଁ, କିଛି ଅତ୍ୟାଚାର କରି ନାହିଁ, ଠାକୁର ପରି ଲୋକଟିଏ ।’ ପଥର ଉପରେ ମହାପ୍ରଭୁ ବସିଥା’ନ୍ତି । ‘ଓବେ ସାହୁ ଗ୍ୟାଳ୍ପମାନେ ବାଲସା (ପତ୍ରକୁଡ଼ିଆ) ବାନ୍ଧିଛନ୍ତି କି ନାହିଁ ଏଇଠି ବସେଇ ରଖିଥିବେ’ ତେଣେ ହଟ୍ ହଟ୍ ଯା ଯା ଚିତ୍କାର-’ଆରେ ଶଳେ ଗାଁରେ ବନ୍ଦୋବସ୍ତ କର, କଫି ଖାଇସାରିଲେ ଆମେ ଗାଁକୁ ଯିବୁଁ ନା ଏଠି ବସି ରହିଥିବୁଁ ? ଯ, ଯ,-’

 

ପର୍ବତ ଉପରୁ ଗାଁ ଲୋକେ ଆସି ଦେଖିଯାଉଥା’ନ୍ତି, ୟାରି ନା ଅଧିକାରୀ, ୟାରି ପାଇଁ ଏତେ ଆୟୋଜନ, ଭାବି ଭାବି ସତେ ୟେ ଆସିଲା ।

 

ଜଳଖିଆ ଖାଇସାରି ପ୍ରଭୁ ଅଧିକାରୀ ଉଠିଲେ । ତାଙ୍କର ବୋଝିଆ କନ୍ଧମାନଙ୍କଠାରୁ ବାଟର ସବୁ ହାଲଚାଲ ଏ ଗାଁ ଲୋକମାନେ ବୁଝିସାରିଥିଲେ । ଆଗେ ଆଗେ ଛତର ଛାଉଲ୍ ହୋଇ ଲୋକେ ଦୌଡ଼ି ଦୌଡ଼ି ଚାଲିଛନ୍ତି, ସ୍ତ୍ରୀଲୋକମାନେ ଲୁଚୁଛନ୍ତି, ପିଲାମାନେ ପଳୋଉଛନ୍ତି । ପଛେ ପଛେ ବାଡ଼ି ଧରି ଜୋତା ଖଟ୍ ଖଟ୍ କରି ଅଧିକାରୀ, ତାଙ୍କ ପଛରେ ଏ ଗାଁର ବଡ଼ ଲୋକମାନେ । ଆଗେ ଆଗେ ‘ମହାପ୍ରଭୁ, ମହାପ୍ରଭୁ’ ନାଦ, ଦଣ୍ଡବତ, ଜୁହାର, ପଛେ ଶଳା, ଗ୍ୟାଲ୍ପ, ଲାଞ୍ଜିକୋଡ଼ାକା ଲମ୍‌ଡ଼ାକୋଡ୍‌କା (ବେଶ୍ୟାର ପୁଅ) ‘କିବେ ବଣ ହାଣିଛ ? କିବେ ଜନ୍ତୁ ମାରିଛ ?’ ହଁ, ପତ୍ରକୁଡ଼ିଆ ବନ୍ଧାହୋଇଛି ଗାଁ ବସ୍ତିଠୁଁ ଅଳ୍ପ ଛାଡ଼ି । ସେଠି କାଠ ଅଛି ପାଣି ଅଛି, ଛତିଶା ନିଯୋଗ ସମ୍ପୂର୍ଣ୍ଣ । ମହାପ୍ରଭୁ ପହଞ୍ଚିଲେ । ଭାଙ୍ଗି ହେଉଥିବା ଖୋଲି ହେଉଥିବା ଖଟ ଚୌକି ବିଛା ହୋଇଗଲା । ମହାପ୍ରଭୁ ବସି ପିଙ୍କା ଟାଣିଲେ । ମୁଣ୍ଡିଆ ମାରିସାରି ଧୂଳିଆ ମୁଣ୍ଡରେ ତାଙ୍କରି ଆଡ଼କୁ ମୁହଁକରି କନ୍ଧମାନେ ବସିପଡ଼ିଲେ । ବର୍ତ୍ତମାନଠାରୁ ମହାପ୍ରଭୁ ଗାଁରୁ ବାହୁଡ଼ିଯିବା ପର୍ଯ୍ୟନ୍ତ ଏହି ଛାଉଣୀ ଚାରିପାଖେ ସେମାନେ ଘେରି ବସିଥିବେ । ତୁନିତାନି ବସି ରହିଲେ ଆଶଙ୍କାର ସେହି ଖରାପ ମୁହୂର୍ତ୍ତଟା ପହଞ୍ଚି ଯାଇପାରେ, ଯେତେବେଳେ ଅଧିକାରୀ ପଚାରିବେ ପୋନୁ ମରା ବିଷୟରେ । ଗାଁଲୋକେ ଗଡ଼ର ଗଡ଼ର ହେଉଥା’ନ୍ତି, ସାଓଁତା ଓ ମୁରବି ପରି ଲୋକମାନେ ରସଦପତ୍ର ଡାଲାରେ ଭର୍ତ୍ତିକରି ମୁଣ୍ଡ ନୁଆଇଁ ଆସି ଅଧିକାରୀର ଗୋଡ଼ତଳେ ରଖି ଦେଉଥା’ନ୍ତି । ଛେଳିର ମେଁ ଶୁଭିଲା, କୁକୁଡ଼ାର କଁ କଁ ଶୁଭିଲା, ନାନାପ୍ରକାର ଶବ୍ଦ ଓ ନାନାପ୍ରକାର ଜିନିଷରେ ଛାଉଣୀଟିଏ ହେଲା ଗୋଟିଏ ନୂଆ ସ୍ଥାନ ଯାହା ଏ ଗାଁରୁ ବାରିହୋଇ ପଡ଼େ ।

 

ପ୍ରଥମ ଶାନ୍ତି ସରିଲା ଉତ୍ତାରୁ ସଞ୍ଜବୁଡ଼େ ଅଧିକାରୀ ଚାଲିଲେ ବଣବୁଲି । ଉଠି ଉଠି ଗାଁ ପର୍ବତର ଶିଂଘଯାକେ ଗଲେ । ସେହି ଢିପରୁ ଦୂରର ଦୂରର ବଣ ପର୍ବତ’ ସବୁ ଦିଶିବ । ‘ଓବେ ସାଦୁ, ହେଇ ସେଠି ଅରାଏ ଯାଇଛି, ନିସାର ଗାଁର ପର୍ବତରୁ’, ‘ମାହାପ୍ରୁ ଆହୁରି ସେଠି, ହାର୍ସୁପଦର ଖେନ୍ଦା, ଡେଙ୍ଗଣାଗୁଡ଼ାର ତଳର ପର୍ବତ, ଚିକୁଗୁଡ଼ାର ଦମକ ।’ ଗାରଡ଼ କହିଯାଉଥାଏ, ଫାରାଷ୍ଟି ଲେଖି ଯାଉଥାଏ, କନ୍ଧମାନେ ଭୟରେ ମୁହଁ ଚାହାଁଚାହିଁ ହେଉଥା’ନ୍ତି, ନିଜ ପାଇଁ ନୁହେଁ, ପର ଗାଁର ଲୋକଙ୍କ ପାଇଁ । ଫାରାଷ୍ଟି ଆଖିରେ ଅନେଇଁ ଦେଇ ଦେଇ ପାଞ୍ଚ କୋଶ ଦୂରର ପର୍ବତ ଉପରର ପୋଡ଼ୁର ପରିମାଣ ହିସାବ କରି ଲେଖି ଦେଉଥାଏ, ‘ନିସାର ମାଳି-୩୦.୭୩ ଏକରା, ସର୍ଗି ଜଙ୍ଗଲ, ଗୋଟା ଗୋଟା ଗଛର ଗୋଲେଇ ୬ ଫୁଟରୁ ୧୬ଫୁଟ୍ ଯାକେ,-ହାର୍ସୁପଦର ଖେନ୍ଦା ତଳେ ୪,୦୯ ଏକରା, ସାଢ଼େ ସତେଇଶି ଗାଢ଼ି ଲଟା ବୁଟା, ଉପରେ ୨୯.୫୮ ଏକରା । ସର୍ଗି, ଦାମାଣା, ବିଜା ଓ ମହାଲିମ୍ବକାଠମାନ, ଗଛର ଗୋଲେଇ ୭ ଫୁଟରୁ ୧୩ ଫୁଟ୍ ୪ ଇଞ୍ଚ୍ ।’ ବେଜୁଣୀର ଦିବ୍ୟଦୃଷ୍ଟି ଓ ଦିସାରିର ତାରାଗଣାଠୁ ଆହୁରି ତୀବ୍ର ଆହୁରି ପରିଷ୍କାର ଗଣନା ଯୋଖିଦେଇ କନ୍ଧିଆଭାଇଙ୍କୁ ତାକ୍ ଲଗେଇଦେଇ ସେହି ଗୋଟାଏ ସ୍ଥାନରେ ଠିଆହୋଇ ଫାରାଷ୍ଟି ଟିପିନେଲା ଦଶ ମାଇଲ୍ ଏଗାର ମାଇଲ୍‌ଠୁ ଆରମ୍ଭ କରି ମାଇଲିକ ଦୂରର ପୋଡ଼ୁ କରିବା ଅଞ୍ଚଳ ସବୁର କ୍ଷେତ୍ରଫଳ, ଗଛର ଜାତି, ତାର ଗୋଲେଇ, ସବୁ-କେଉଁ ଦୁର୍ଭେଦ୍ୟ ବଣମାଳ ଭିତରର କଥା, ଯାଇଆସି ବୁଝି ଲେଖିଥିଲେ ଲାଗିଥା’ନ୍ତା ମାସେ କାଳ, ଗୋଟାଏ ଯୁଗ, ଚେନ୍ ଘୋସରା ହୋଇ ନାହିଁ, ଛେକାଛେକି କରି ସର୍ଭେ କରାହୋଇ ନାହିଁ, ମିଣିଆପାୟୁର ପର୍ବତର ଶିଂଘ ଉପରେ ସଞ୍ଜବେଳେ ଠିଆହୋଇ ଫାରାଷ୍ଟି ପାଇଗଲା ଦଶମିକ ବିନ୍ଦୁ ସହିତ କ୍ଷେତ୍ରଫଳ, ପୌନଃପୁନିକ ବିନ୍ଦୁ ମଧ୍ୟ ଛାଡ଼ି ଯାଇ ନାହିଁ । ମାସକର କାମ ପାଞ୍ଚ ମିନିଟ୍ କରିବା ତାର ପାରିଲାପଣ, ତାର ବହାଦୁରୀ, ତାର ଫଇସଲା ଦରକାର ।

 

ସଞ୍ଜବୁଡ଼େ ଅନ୍ଧାର ପଡ଼ିବାରୁ ଲେଞ୍ଜୁକନ୍ଧ ଗଲା ସୋନାଦେଈ ଘରକୁ, ବାରିକ ପାଖକୁ । ଆଜି ଘରେ ତୁରୁଞ୍ଜା ଅଛି, ବାଲ୍‍ମୁଣ୍ଡା ଅଛି । ବାରିକ ଆଉ ଲେଞ୍ଜୁକନ୍ଧ ଦୁହେଁ ପିଣ୍ଡାରେ ବସି ମଦ ପିଇଲେ । ‘ବେଶୀ ପି ନାହିଁ ବାରିକ, ଗନ୍ଧ ହେଲେ ଅଧିକାରୀ ଧରି ପିଟିପକେଇବ, ଆଣ୍ ମତେ ଦେ ।’ ‘ତୁ ବା ବେଶୀ ପିଇଲେ କେମିତି ଚଳିବ ସାଓଁତା ? ଯିବା ପରା ।’

 

‘ଗାଁ ଲୋକେ କ’ଣ ଭାବିବେ ବାରିକ, ଦିଉଡ଼ୁଟା ସବୁବେଳେ ଲାଗିରହିଛି ଜୋକ ପରି ।’

 

‘ମୁଁ ତାର ବନ୍ଦୋବସ୍ତ କରିଦେବି, ତୁମ ମୋ ଉପରେ ଛାଡ଼ିଦେ ତ ସାଓଁତା, ଆଗ କହିବାକୁ ପଡ଼ିବ ଗାରଡ଼ ମାହାପ୍ରୁକୁ, ଆମେ ଦିହେଁ ଯିବା ଗାରଡ଼କୁ ଘରକୁ ଡାକି ଆଣିବା । ଗାରଡ଼ କହିବ ଫାରାଷ୍ଟିକି । ଫାରାଷ୍ଟି କହିବ ରିବିଣିକି, ରିବିଣି କହିବ ନିଂଗାମନକୁ । କାମ ଏମିତି ହୁଏ । ସବୁ ଅଧିକାରୀ ଭାଇ ଭାଇ । ଜଣେ ଜାଣିଲେ ସମସ୍ତେ ଜାଣିବେ । ଶେଷକୁ ଯେଉଁଦିନ ତୋରି ମୁଣ୍ଡରେ ଶିରିପା ଭିଡ଼ାହେବ, ତତେ ଦିଆହେବ ନାଇକପଣ, ତୁ ବୁଝିବୁ ମୋ କଥା ସତ କି ମିଛ । ଗାଁର ସାଓଁତା ହେବୁ ତୁ, ମତେ ଭଲକରି ଜମିବାଡ଼ି ଦେବୁ ତ ସାଓଁତା, ନା ସେତେବେଳେ ଭୁଲିଯିବୁ-?’

 

ଘରଭିତରୁ ଜଳନ୍ତା ଚୁଲି ପାଖେ ସୋନାଦେଈର ମୁହଁ ଲାଲହୋଇ ଦିଶୁଥାଏ, ଉତ୍ସାହ ଦେଉଥାଏ, ଲେଞ୍ଜୁକନ୍ଧ ଭାବୁଥାଏ ସତେ ସତେ ସେ ସାଓଁତା ହେବ ।

 

‘କିଛି ରଖିଛୁ ତ ସାଓଁତା, ନା ଖାଲି ତୁଣ୍ଡରେ ତୁଣ୍ଡରେ ସବୁ ?’ ସୋନାଦେଈ ଆଗ୍ରହରେ ଅନେଇଁ ରହିଛି, ଲେଞ୍ଜୁକନ୍ଧ କି ଜବାବ୍ ଦେବ । ତାର ଲୁଗା ଚିରିଯାଇଛି, ହାତ ଖାଲି, ତୁଣ୍ଡରେ କହିପାରେ ନାହିଁ । ‘ଅଛି କିଛି ବାରିକ, ନ ଅଣ୍ଟିଲେ କରଜ ଦାମ୍ କ’ଣ କେହି ଦେବେ ନାହିଁ ?’

 

ବାରିକ ଦୀର୍ଘନିଶ୍ୱାସ ମାରିଲା । ମଣିଷ ଚରିତ୍ରଠିଁ ତାର ବିଶ୍ୱାସ ଖୁବ୍ ଅଳ୍ପ, ତୁଚ୍ଛାଟାରେ ସମସ୍ତେ ଏତେ ମିଶୁଥିବେ, ପଇସା କଥା ଉଠିଲାମାତ୍ରେ ମୁହଁରେ ତାଲା ପଡ଼ିଯିବ । କେତେ ପଇସା ଅଛି କହିଦେଇ ଲେଞ୍ଜୁକନ୍ଧ ଧରା ଦେବାକୁ ରାଜି ନୁହେଁ ।

 

ରାତି ଘଡ଼ିଏ ହେଲା । ଦୁଇବନ୍ଧୁ ଗଲେ, ଅନ୍ଧାରେ ଅନ୍ଧାରେ ଫୁସ୍‌ଫୁସ୍ କଥାଭାଷା । ବୁଢ଼ାମାନଙ୍କ ବିଦ୍ରୋହ । ବାଟରେ ଗଳା ଖଙ୍କାରି କାଶି କାଶି ଆହୁରି ଚାରି ପାଞ୍ଚଜଣ ବୁଢ଼ା ଆସିଲେ, ଜାମ୍ବାକନ୍ଧ ଆସିଲା । କଥା ପଡ଼ିଥାଏ କି ଉପାୟ କଲେ ଦିଉଡ଼ୁକୁ ଓଟାରି ଲେଞ୍ଜୁକନ୍ଧକୁ ସାଓଁତା କରାଯାଇପାରେ, ବିଚାରିବାକୁ ସମସ୍ତେ, କହିବାକୁ ଡର । ଦିଉଡ଼ୁ ଜାଣିଦେଲେ ନିର୍ଘାତିଆ ମାଡ଼ ଚଢ଼େଇବ । ପ୍ରଥମ ଦୁର୍ଘଟଣା ଫାରାଷ୍ଟିର ଛାଉଣୀ ଆଗରେ । ରନ୍ଧା ବସା ପାଖରୁ ଚମକିଆସି ଦିଉଡ଼ୁ ସାଓଁତା ବାରିକକୁ ଆକ୍ରମଣ କଲା ଆଗ, ମାରେ କି ନ ମାରେ । ‘କୁଆଡ଼େ ଥିଲୁ ଏତେ ବେଳଯାକେ, ମଦୁଆ କାହିଁକା, କି ଉପକାର କରିବୁ କାହାର ? ଅଧିକାରୀ ଆସିଛନ୍ତି, କୋଉଠି ଖବର ବୁଝି ବୋଲହାକ କରିବାକୁ ତୁ ବାରିକ ଜମି ଖାଉଛୁ ନା ଘରେ ବସି ମଦ ପିଇବାକୁ । ଚାଲ୍ ତତେ ଗାରଡ଼ ଆଗକୁ ନେଇଯାଏଁ-’

 

ଗାରଡ଼ ସ୍ଥାନେ ଆରାମରେ ବସି ଅପେକ୍ଷା କରି ରହିଥିଲା । ଶଳା ଗ୍ୟାଲ୍ପ କହି ଗର୍ଜିଉଠି ବସେଇ ଦେଲା ପ୍ରଚଣ୍ଡ ଚଟକଣା, ‘ଶଳା,-ବାରିକ ହେଇଚି, ଡାକି ଡାକି ପଦେ ଜବାବ୍‍ ନାହିଁ । ଆ ନେ, ଗାଡ୍ (ନଈ)କୁ ଯାଇ ନୋକିତାବଲା (ବାସନକୁସନ) ମାଜିଆଣ୍, ନଇଲେ ମର୍ ପଡ଼ି ବାଟରେ କୋଉଠି ।’ ବାରିକର ବୁଦ୍ଧି ହଜିଯାଇଥାଏ । ଗଲାବେଳେ କାନ୍ଦରା ପାଟିରେ କହିଦେଇ ଗଲା ‘ବିନା ଦୋଷରେ ମତେ ମାଡ଼ ଖୁଆଇଲୁ ତତେ ମତେ ଧରମ ଅଛି ଦିଉଡ଼ୁ ସାଓଁତା, ମୁଁ ବୁଢ଼ାଲୋକ ।’ ଗାରଡ଼ ତାର ସ୍ଥାନକୁ ଫେରିଯାଇଥିଲା । ଫାରାଷ୍ଟି ବସାଘରେ ଶୋଇଛି, କନ୍ଧପିଲାମାନେ ତାର ଗୋଡ଼ ମୋଡ଼ି ଦେଉଛନ୍ତି, ଫାରାଷ୍ଟି ଶୁଣିଥିବ, ଭାବିଥିବ ‘ଗାରଡ଼’ ବୁଢ଼ା ହେଲେ ବି ନିପାରଗ ହୋଇ ନାହିଁ । ଗାଁର ବୁଢ଼ାମାନେ ଦିଉଡ଼ୁକୁ ଘେରି ବସିଲେ । ‘ଅକାରଣରେ ବୁଢ଼ାଟାକୁ ମାଡ଼ ଖୋଇଲୁ ସାଓଁତା-’

 

‘କ’ଣ ଦୋଷ କଲା ସେ, ସଞ୍ଜବୁଡ଼ଯାକେ ତ ଥିଲା, ଘରୁ ଯାଇ ଆସିବାକୁ ତର ସହିଲା ନାହିଁ ? ଏତେ ଲୋକ ଅଛନ୍ତି ନୋକି ତାବ୍‌ଲା ମାଜିବାକୁ, ବୁଢ଼ା ବାରିକ ନ ହେଲେ ଅଚଳ ?

 

ବୁଢ଼ା ସାଓଁତା ଜୀଇଥିଲେ ଏମିତି ହୋଇ ନ ଥା’ନ୍ତା ଦିଉଡ଼ୁ ।’

 

ଆଉ କଜିଆ ଲଗେଇବାକୁ ଦିଉଡ଼ୁର ଇଚ୍ଛା ନ ଥିଲା, ପର ହାତରେ କାହାରିକି ମାଡ଼ ଖୋଇବା ତାର ଅଭିପ୍ରାୟ ନ ଥିଲା, ଖଣ୍ଡେ ହେବ, ଲୋକେ କଥାଟା ଗାଁରେ ଦୋଷ ଦେବେ ତା’କୁ-

 

ମୁହଁ ଭଡ଼କ ଦେଖାଇ ଦିଉଡ଼ୁ କହିଲା, ‘ଇଚ୍ଛା ହେଉଛି ବାରିକର ପଟ ନେବାକୁ ତ ଯାଅ ସେ ଘରେ ଫାରାଷ୍ଟି ଶୋଇଛି ତାକୁ ପଚାର । ବାରିକ ବାରିକ ଡାକି ଡାକି ତାଠୁ ଜବାବ୍ ନାହିଁ । ସେ ଖାଇବ ବାରିକ ଜମି, ଅଧିକାରୀ ଖାଇବ ମତେ । ଯଦି ନ ପାରୁଛି ତେବେ କାମ ଛାଡ଼ିଦେଉ, ଆଉ କାହାକୁ ବାରିକ କରିବା ।’ ଅଧିକାରୀର କୋପ ହୋଇଛି, ତାର କାରଣ ଥାଉ ନ ଥାଉ, ସେତିକିରେ ବୁଢ଼ାଲୋକେ ଚୁପ୍ । ଲେଞ୍ଜୁର ମନଟା ଦବି ଦବି ଗଲା, ବହୁତ ଆଶାକରି ସେ ଆସିଥିଲା । ହାଟରେ ହଜିଲା ପିଲା ପରି ୟା ମୁହଁରୁ ତା ମୁହଁକୁ ସେ ଖାଲି ଅନେଇଁ ଲାଗିଲା ଗାରଡ଼କୁ ଯାଚିବାକୁ ଅଣ୍ଟାରେ ସେ ପଇସା ଆଣିଛି କିନ୍ତୁ ବାରିକ ନାହିଁ । ତା’ ପାଇଁ କହିବାକୁ କେହି ଜଣେ ନାହିଁ । ଫାରାଷ୍ଟି ହେଇ ସେଠି କାହା ସଙ୍ଗରେ କଥାଭାଷା କରୁଛି, ଭିତରକୁ ଯାଇ ପିଲାଙ୍କ ସଙ୍ଗେ ମିଶିଯାଇ ତା ପାଦରେ ହାତ ବୁଲେଇଲେ ଯଦି ।

 

ବହୁତ ଭାବିଚିନ୍ତି ଭିତରକୁ ଗଲା । ଗୋଟିଏ ପିଲା କେତେବେଳୁ ଲାଗିଛି । ଲେଞ୍ଜୁ ତାର ସ୍ଥାନ ନେଲା । କିଛି ସମୟ ଚୁପ୍‌ଚାପ୍ ଘଷିବା ପରେ ପାଦ ଛିଞ୍ଚାଡ଼ିଦେଇ ଫାରାଷ୍ଟି ଖେଙ୍କି ଉଠିଲା, କେବେ ଘଷି ଶିଖିଲୁରେ ଶଳା, ହାତରେ ଖାଲି କଣ୍ଟାଗୁଡ଼ାଏ ଲଗେଇଛି, ନଖରେ ଆମ୍ପୁଡ଼ୁଛି, ମୋଡ଼ି ଦେଉଛି ନା ଫୋଡ଼ି ଦେଉଛି । ତଥାପି ଲେଞ୍ଜୁକକା ରହି ରହି ଧୀରେ ଧୀରେ ହାତ ବୁଲେଇଲା । ଅଧୀର ହୋଇ ଫାରାଷ୍ଟି ଡାକିଲା, ‘ଓବେ ସାଦୁ ସେ ପିଲାକୁ ଡାକିଦେ ରେ’, ଏ ବୁଢ଼ାଟା କୁଆଡ଼ୁ ଆସି ପହଞ୍ଚିଲା ହରବର କରିବାକୁ, ଲେଞ୍ଜୁକକା ଡରି ଡରି ପଛେଇ ଆସିଲା । ମହାପ୍ରଭୁଙ୍କ ପାଦରେ ହାତ ମାରିବାକୁ ତାର ଆଉ ଅଧିକାର ନାହିଁ । ଦୁଆର ମୁହଁରେ ବସି ରହିଲା, ଅପେକ୍ଷା କଲା । କେତେ ବେଳକେ ‘ଡରି ଡରି କହିଲା ମାହାପ୍ରୁ, ଆମ ଗାଁରେ ବଡ଼ ଅକାଳ ପଡ଼ିଛି ମାହାପ୍ରୁ, ଏଣିକି ଆଉ ସୁଖ ନାହିଁ, ଆଉ ଭଲ ନାହିଁ ଗାଁ ଛିଣ୍ଡି ଯାଉଛି ।’ ଥରେ କଥା ଆରମ୍ଭ କରି ଆପଣା ମନ ଇଚ୍ଛା ଗପିଯାଇଁଥା’ନ୍ତା ଲେଞ୍ଜୁକକା କିନ୍ତୁ ମାହାପ୍ରୁ ବିଗିଡ଼ି ଗଲା ।

 

କହିଲା ‘କିଏ ତତେ ପଚାରି ବସିଛି ବେ ପଟ୍‌କାର ତ ? କିଏ ତମୁକୁ ଶହେ ଷାଠିଏ ମାଗୁଛି ଯେ ଉପରେ ପଡ଼ି କହୁଛୁ ଗାଁ ଛିଣ୍ଡୁଚି, ଖାଇବାକୁ ନାହିଁ, ଆମେ ମରିଯାଉଚୁ । ଚୋର ଗ୍ୟାଳ୍ପମାନେ ସକାଳୁ ଉଠିଲେ ବଣମାରି ଚାଲିଲ, ତନଖି କରିଆସିଲେ କଥା କହିବ । ଦିକୁ ଦେଖ ମାହାପ୍ରୁ କିଛି ନାହିଁ ମାହାପ୍ରୁ । ଓବେ ସାଦୁ ।’

 

ଦୁଆର ମୁହଁରୁ ଦିଉଡ଼ୁ ଦୌଡ଼ି ଆସିଲା, କହିଲା, କଥାତ କହି ଆସେ ନାହିଁ କାହିଁକି ପ୍ରଭୁ ଅଧିକାରୀଙ୍କ ଆଗରେ ମୁହଁ ଖୋଲୁ ଲେଞ୍ଜୁକକା ।’ ହାତ ଧରି ଘୋଷାରି ନେଇଗଲା । ମନେ ମନେ ସେ ହସୁଥିଲା, କିନ୍ତୁ ବାରିକ ପରି ତାର କକା ମାଡ଼ ଖାଇଗଲେ କଥାଟା ଭଲ ଦିଶିବ ନାହିଁ । ବାଧ୍ୟ ହୋଇ ଇଚ୍ଛା ବିରୋଧରେ ସେ ମଝିରେ ପଶିଲା । ଲେଞ୍ଜୁକକା ଗୋଟାସୁଦ୍ଧା ଥରୁଛି । ଭିତରକୁ ସାଦୁ ଗାରଡ଼ ଗଲାଣି ଫାରାଷ୍ଟିର ପାଟି ଶୁଭୁଛି ‘ଦେଖୁଛ ଏ ଗ୍ୟାଳ୍ପମାନଙ୍କର କଥା ସାଦୁ, ଚୋର ପରି ନୁଂ ନୁଂ ହୋଇ ବୁଢ଼ାଟା ଆସିଲା, ମତଲବ କ’ଣ ନା ମତେ ବସି ଫୁସୁଲେଇବ, ଠକିବ ମୁଁ ପିଲା ହୋଇଛି ପରା ।’

 

ମଧୁର ଗାଳିରେ ଲେଞ୍ଜୁକୁ ଜୁଡ଼ୁବୁଡ଼ୁ କରିଦେଇ ଦିଉଡ଼ୁ କହିଲା, ‘କହିଲେ ତ ଶୁଣିବୁ ନାଇଁ ଇଚାବା (ଦାଦି), ଓଲଟି ମତେ ରାଗିବୁ, ଦେଖ ତୁ କ’ଣ କଲୁ, ସେ କ’ଣ ବୁଝିଲା । ତୁ ଯାଆ ମୁଁ ଯାଇ ବୁଝାଏ । ଦିଉଡ଼ୁ ଗଲା ନାଲିଛାଲି ହେବାକୁ ‘ବୁଢ଼ାଟା କଥା ମନରେ ଧର ନାହିଁ ମାହାପ୍ରୁ । ତୁମେ ବାପ ଆମେ ପୁଅ, ଆମ ଦୁଃଖ କଥା ତୁମକୁ ନ କହିଲେ ଆଉ କାହାକୁ କହିବୁ କିଏ ଶୁଣିବ ମାହାପ୍ରୁ-’ ରନ୍ଧାଘରୁ ଭଜା ମାଂସର ବାସ୍ନା ଆସିଲା । ଫାରାଷ୍ଟି ତେଣେ ନିଘା ଦେଲା । ‘ଓବେ ସାଦୁ-ଆଗ ଦି’ ଖଣ୍ଡ ଆଣି ଥୋଇଦେ ସେମିତି ହଁ କ’ଣ କହିଲୁ ସାଓଁତା ? କାଲି ସକାଳେ ଯିବା, ସବୁ ‘ପୋଡ଼ୁ’ ମତେ ଦେଖେଇ ଦେବୁଟି । ଆରେ ଦୋଷତ କଲୁ ଆଉ ଲୁଚେଇଲେ କ’ଣ ଛପିବ ?’

•••

 

ଛସ୍ତରୀ

 

ସେବା କରୁ କରୁ ଅଧରାତି ଟପିଗଲା, ଗାଁ ଲୋକେ ରହିଲେ ଫାରାଷ୍ଟିର ଛାଉଣୀ ପାଖେ । ସେଇଠି ଶୁଆବସା, ସେଇଠି ମଶା କାମୁଡ଼ାରୁ ଟୁପୁରୁ ଟାପୁରୁ ଯେ କି ଉପାୟ କଲେ ଉଧୁରିବ ମଣିଷ ୟାଙ୍କ ଦାଉରୁ । କନ୍ଧ ମିଛ କହେ ନାହିଁ, କିନ୍ତୁ କଥା ଲୁଚେଇ ରଖିବାକୁ ଆପତ୍ତି ନାହିଁ । ରାତିଯାକ ଭାବନା, ଦିଅଁ ଦେବତାଙ୍କୁ ସୁମରଣା । ହେ ମା’ ଚିତାଗୁଡ଼ି, ପାରା ଦେବୁଁ, କୁକୁଡ଼ା ଦେବୁଁ, ତ୍ରାହି କର ନିଦରବୀ ଗାଁ । ହେ ମା’ ଝାକର ଦେବ୍‍ତା, ରନ୍ଧା ମଦରେ ତତେ ଗାଧେଇ ଦେବୁଁ, ଛେଳି ବଳି ଦେବୁଁ, ଘୁଷୁରି ବଳି ଦେବୁଁ, ଏହି ଫାରାଷ୍ଟି ଗାରଡ଼ଙ୍କ କଣ୍ଠରେ ବିଜେ କର, ରକ୍ଷା କର ।’ ବଣ ଦେବତା ଉଭା ହୁଏ ନାହିଁ ଆଶ୍ୱାସ ଦିଏ ମନ ଦମ୍ଭକରି ଭାବିଭାବିକା ନିଘୋଡ଼ ନିଦ । ଉପରେ ତାରା ତଳେ ଫୁଙ୍ଗା ଖୋଲାରେ ମଣିଷ ।

 

ସକାଳୁ ଫାରାଷ୍ଟିର ଅଭିଷେକ ହେଲା ପୁଣି ଭାର ଭାର ଜିନିଷ ଆସିଲା, ଯାବତ ସରଞ୍ଜାମ, ଯାହା ସେ କହିଛି ଯାହା ନ କହିଛି ସବୁ । ଫାରାଷ୍ଟି ନିତ୍ୟକର୍ମ ସାରିଲା । ଖବର ମିଳିଛି, ଆଜି ସେ ଗାଁ ଛାଡ଼ି ଯିବ । ତେଣୁ ସମସ୍ତଙ୍କର ଛାତି ଦମ୍ ଦମ୍, ବିପଦର ବେଳ ପାଖେଇ ଆସୁଛି, ଫାରାଷ୍ଟି କାମର କଥା କହିବ ।

 

ସମସ୍ତିଙ୍କୁ ସେ ଏକାଠି କଲା । ତୁନି ହୋଇ ସମସ୍ତେ ବସିଲେ । ହୁକୁମ ହେଲା ‘ଯାଅ ସମସ୍ତେ ଗାଧେଇ କରି ଆସିବ ।’ ଯଦି ସେ କହିଥା’ନ୍ତା ଯାଅ ମରିକରି ଆସିବ ତାହାବି ସହି, ବଡ଼ଲୋକମାନଙ୍କର ପିଲାଙ୍କ ପରି ଖେଳିବାକୁ ଖିଆଲ ହୁଏ । ଗାଧୋଇ ପାଧୋଇ ଜୁଡ଼ାରେ ତେଲବୋଳି ପୁଣି ସମସ୍ତେ ରୁଣ୍ଡିଲେ । ଲୁଙ୍ଗି ପିନ୍ଧି ମୋଟା ପିକା ଲଗେଇ ଦେଇ ଫାରାଷ୍ଟି ମାହାପ୍ରୁ ବସିଥା’ନ୍ତି, ସହଚରମାନେ ଠିଆ ହୋଇଥା’ନ୍ତି, ଅପେକ୍ଷା କରି ମାହାପ୍ରୁ କହିଲେ, ‘ଓବେ ସାଦୁ,-କୋଥଳିଟା ଆଣିବୁଟି ।’ ଗୋଟାଏ ମୁଣି ଆସିଲା, ସମସ୍ତିଙ୍କ ନିଘା ସେହି ଆଡ଼କୁ । ମୁଣିରେ ହାତ ପୂରେଇ କାଠ କଣ୍ଢେଇଟିଏ ଫାରାଷ୍ଟି ବାହାର କଲେ । ତାହାର ମୁଣ୍ଡରେ ସିନ୍ଦୂର ବୋଳାହୋଇଛି । କନ୍ଧମାନଙ୍କ ଆଗରେ ଦୁଇଥର କଣ୍ଢେଇକୁ ନଚେଇ ଦେଇ ଗୋଟିଏ ପଥର ଉପରେ ଥାପିଦେଲେ-। ଗମ୍ଭୀର ହୋଇ କହିଲେ, ‘ହେଇ ଦେଖ ତିରୁପତି ଠାକୁର, ଜୁହାର୍ କର ଜୁହାର୍ କର-।’

ଚାରିଆଡ଼ୁ ଶବ୍ଦ ହେଲା ‘ଜୁହାର ମା’ ଜୁହାର୍ ଜୁହାର୍ ।’

ଫାରାଷ୍ଟି କହିଲେ, ‘ଆରେ ମା’ ନୁହେଁରେ ବାପା ।’

 

‘ଠାକୁର ଯେ ସେ ମା’ ବି ବାପା ବି ମାହାପ୍ରୁ ।’ ଫାରାଷ୍ଟି କିଛି କହିଲେ ନାହିଁ, ଲୋକଙ୍କର ମନ କଳିବା ଲାଗି ଅନେଇ ରହିଲେ, ସମସ୍ତିଙ୍କ ଦୃଷ୍ଟି ସେଇ କଣ୍ଢେଇ ଉପରେ । ଯେ ଠାକୁର ଭଲପାଏ ଯେ କୌଣସି ଠାକୁର ଦେଖିଲେ ତାର ମୁଣ୍ଡ ନଇଁ ପଡ଼େ, ତିରୁପତି ଠାକୁର କିଏ ସେମାନେ ଜାଣନ୍ତି ନାହିଁ କିନ୍ତୁ ସମ୍ମାନ ଊଣା ନାହିଁ କାହାରି ଆଖିରେ ।

Unknown

‘ଏତେ କ’ଣ ଅନେଇଁ ଦେଖୁଛ ଇଚ୍ଛାକଲେ ତମୁକୁ ଖାଇଦେବ ରେ ।’

‘ମାହାପ୍ରୁ-ମାହାପ୍ରୁ,-ସେମିତି କହିଲେ ଆମେ ମରିଯିବୁ ନାହିଁକି-’

‘ଶୁଣ କନ୍ଧମାନେ, ତୁମେ ସବୁ ଗାଧେଇ କରି ଆସିଛ, ଜଣ ଜଣ କରି ଯାଇ ତିରୁପତି ଠାକୁର ମୁଣ୍ଡରେ ହାତ ଦେଇ ସଫା ସଫା କହିଯାଅ, କିଏ କେଉଁଠି କେତେ ବଣ ମାରିଛ ।’

 

ସମସ୍ତେ ଚୁପ୍ ଟିକିଏ ଖସ୍ ଖସ୍ ଶବ୍ଦ ବି ନାହିଁ କେଉଁଠି । ଏତେ ବଡ଼ ପ୍ରସ୍ତାବ ସକାଶେ କେହି ପ୍ରସ୍ତୁତ ନ ଥିଲେ । କେହି ଚଙ୍କିଲେ ନାହିଁ ।

 

‘ଗାରଡ଼’ମାନେ ପାଟିକରି ବୁଲିଲେ ‘କିରେ ଅଧିକାରୀ ମା’ ବାପ୍ ଯାହା କହିଲେ ତା କରୁନା କାହିଁକି ? କିରେ ଶୁଭୁ ନାହିଁ ?’ ଲୋକେ ମୁହଁ ଚାହାଁଚାହିଁ ହେଲେ, କେହି ଜବାବ୍ ଦେଲେ ନାହିଁ ।

 

ଗାରଡ଼ ମାହାପ୍ରଭୁମାନେ ଉଠିଲେ, ବାଡ଼ିଆଗରେ କେଞ୍ଚି କେଞ୍ଚିକା ଲୋକମାନଙ୍କୁ ଉଠେଇଲେ ‘ଯ, ଯ, ତିରୁପତି ଠାକୁରକୁ ଛୁଇଁଦେଇ ଯାଅ କହି ଆସ । ଆମକୁ ବସେଇ ରଖିଥିବ କି ?’ ଆପଦ ପଡ଼ିଗଲା, ଏକାଥରକେ ସମସ୍ତେ ଘୋ ହୋଇ ଉଠିଲେ, ଏକାରାଆକେ ନାହିଁ ନାହିଁ । ଫାରାଷ୍ଟି ବସି ରହିଥାଏ, କେତେ ଏପରି ସେ ଦେଖିଛି, ସେ ୟାଙ୍କୁ ଚିହ୍ନେ । ସବୁ ତର୍କ ନିଷ୍ଫଳ ହେଲା, ଅଧିକାରୀର ହୁକୁମ୍ ମାନିବାକୁ ପଡ଼ିବ । ଆପଣା ଭିତରେ ବହେ ପାଟିକରି ସାରି ଲୋକେ ଘୋଳିହୋଇ ପଡ଼ିଲେ, ତଥାପି ଅଧିକାରୀମାନେ ଚେତେଇ ଲାଗିଥା’ନ୍ତି, ‘ହୁଁ, ହୁଁ ଉଠ ଉଠ ।’ ‘କେମିତି ମାହାପୁରୁକୁ ଛୁଇଁମୁଁ ମାହାପ୍ରୁ ? ତାକୁ ଛୁଇଁ କେମିତି ପର୍‌ମାଣ କରିମୁଁ ? ଦୋଷ୍ ଲାଗିବ ମାହାପୁରୁ-’

 

‘ଆସୁଛୁ ନା ।’

 

ମାହାପୁରୁ ରଡ଼ୁଛି ମାହାପୁରୁକୁ ଛୁଇଁବାକୁ ପଡ଼ିବ, ଦୁଇ ବିପଦ ମଝିରେ ଭୟବିହ୍ୱଳ ଆଖି, ଅନାଗତକୁ ଆଶଙ୍କା । କ୍ରମେ ତର୍କ ହୋଇ ଆସିଲା, ଅଧିକାରୀଙ୍କ ସତର୍କବାଣୀ ବଢ଼ି ଉଠିଲା-। ପରମାଣ (ଶପଥ) କରିବାକୁ କନ୍ଧ ଭୟ କରେ, ତାର ବିଶ୍ୱାସ ତାକୁ ବୋଝ ବୋଝ ଲାଗେ । ଗୋଷ୍ଠୀର ଏ ବିପଦବେଳେ ଗମ୍ଭୀରହୋଇ ଦିସାରି ଉଠି ଠିଆହେଲା । କନ୍ଧର ଦେବତା ଆକାଶର ଦର୍ମୁ ଆଡ଼କୁ ହାତ ଟେକି ନଇଁପଡ଼ି ଦର୍ତନୀକୁ ଛୁଇଁ ହାତକୁ ମୁଣ୍ଡରେ ଲଗେଇଲା । କହିଲା, ‘ଆମକୁ ପାପ ଲାଗିବ ନାହିଁ ଆମକୁ ଦୋଷ ଲାଗିବ ନାହିଁ । ଅଧିକାରୀ କହୁଛନ୍ତି ଯାଅ ।’ କିନ୍ତୁ ଯିବ କିଏ ଆଗେ ? ସାଓଁତା ପଛେଇ ପଛେଇ ହେଉଛି । ଅନ୍ୟମାନେ ମୁଣ୍ଡ ନୁଆଁଇବାରେ ଲାଗିଛନ୍ତି । ବିରକ୍ତ ହୋଇ ଫାରାଷ୍ଟି ଡାକିଲା ‘ଓବେ ସାଦୁ, ତୁ ଗାଳ୍ପ କିଛି କାମର ନୋହୁଁ ।’

 

ସାଦୁ ଗାରଡ଼ ତତ୍ପର ହେଲା ମୁହଁ ପାଖରୁ ଜଣେ ବୁଢ଼ାକୁ ହାତ ଧରି ଘୋଷାରି ନେଇ କହିଲା ‘ଛୁଁ ଛୁଁ କହ କହ’ ସେ ଜାମ୍ବା କନ୍ଧ । ଆକୁଳ ହୋଇ ଜାମ୍ବା ପାଟିକଲା ‘ମାହାପ୍ରୁ ତୋର ଗୁମୂତ ଖାଉଛି ମାହାପ୍ରୁ’-ସାଦୁ ଜବରଦସ୍ତି ଜାମ୍ବାର ହାତକୁ କାଠ କଣ୍ଢେଇ ଆଡ଼କୁ ଟାଣିନେଲା । ଜାମ୍ବା ଗୋଟାସୁଦ୍ଧା ଥରୁଥାଏ । ତାର ହାତ ପାପୁଲି କାଠ କଣ୍ଢେଇଠୁ ସୂତାଏ ଛାଡ଼ିଥାଏ, ଜାମ୍ବା ଫମ୍ପା ଗଳାରେ କହୁଥାଏ ‘ମୁଁ ନାଇଁ ମାହାପ୍ରୁ-ମୁଁ ନାଇଁ ମାହାପ୍ରୁ’-ଗାଡ଼ର ଜାମ୍ବାର ହାତକୁ କାଠକଣ୍ଢେଇ ଦେହରେ ମାଡ଼ିଦେଲା । ଜାମ୍ବାର ଝାଳ ଫିଟିଗଲା । ଫାରାଷ୍ଟି ପଚାରିଲା, ‘କୋଉଠି ବଣ ମାରିଛୁ କହ ।’ ବଡ଼ ବଡ଼ ଆଖି କରି ଜାମ୍ବା ସେ କଣ୍ଢେଇଟାକୁ ଅନେଇ ରହିଲା । କହିଗଲା-’ଚମ୍ପା ଗଛ ଖେନ୍ଦାରେ ଦୁଇ ମୋଡ଼ା ପରି ଜମି ହେବ’ ସବୁକଥା କହିଗଲା । ଫାରାଷ୍ଟି କାଗଜ ବାହାର କଲା, ଲେଖି ବସିଲା । ପିଲା ଡରିଲା ପରି ଚିର୍ଚ୍ଚିରେଇ ଉଠି ଛଟପଟ ହୋଇ ଜାମ୍ବା ଡେଇଁଲା ‘ଲେଖ୍ ନାଇଁ ମାହାପ୍ରୁ-ତୋ ଗୋଡ଼ତଳେ ପଡ଼ୁଛି ମାହାପ୍ରୁ-’ ଫାରାଷ୍ଟି ଲେଖିଗଲା, ଆଁ କରି ଅନେଇ ରହିଲା ଜାମ୍ବା କନ୍ଧ ଗୋଟିସୁଦ୍ଧା ଝାଳରେ ତିନ୍ତିଥିଲା । କେହି କିଛି ଲେଖିଲେ କନ୍ଧ ପ୍ରମାଦ ଗଣେ, ତାର ପ୍ରାଣ କାନ୍ଦିଉଠେ । ‘ସବୁଥିରେ ଆମର ହଁ ମାହାପ୍ରୁ, କୋଉ କଥାକୁ ଆମେ ମେଡୁଆର୍ (ଅବାଧ୍ୟ) ନୋହୁଁ, ତୋର ଅଇଁଠା ଖାଇକରି ବଣ ଭିତରେ ଆମେ ପଡ଼ିଛୁଁ, କି ଦୋଷରେ ଲେଖିନେଇଛୁ ମାହାପ୍ରୁ !’ ମାହାପ୍ରୁ ଶୁଣିଲେ ନାହିଁ । ଜଣେ ଆସି ଶପଥ କରି ଗାଇ ଯାଇଛି, ଖେଦାଖାଲକୁ ବାରିଆ ପଲ ପରି ତା ପଛକୁ ତା ପଛ ସମସ୍ତେ ଯାଇ କହିଦେଇ ଆସିଲେ ।

 

ଉପରେ ହାତ ଥୋଇ ଦେଇ ଫାରାଷ୍ଟି ସବୁ ଲେଖିଗଲା । କଣ୍ଢେଇ ନଚେଇ ଗାଁ ଦାଣ୍ଡରେ ବସି ସବୁ ଖବର ସେ ଗୋଟେଇ ନେଲା । ଜାଗାକୁ ଯାଇ ନାହିଁ, ପୋଡ଼ୁ କେଉଁ ବଣରେ ହୋଇଛି ତାହା ସେ ଆଖିରେ ଦେଖି ନାହିଁ, ତଥାପି ରିପୋର୍ଟ ପୂର୍ଣ୍ଣ ।

 

ତିରୁପତି ମାହାପ୍ରୁ କୋଥଳି ଭିତରେ ପୁଣି ପଶିଲେ, ତାଙ୍କର କାମ ସରିଛି, ପୁଣି ତାଙ୍କର ଆବିର୍ଭାବ ଅନ୍ୟ କୌଣସି ଗାଁରେ । ଫାରାଷ୍ଟି ହିସାବ କସି ଲାଗିଲା, ତା’ ପରେ ଚାଲିଲା ବକ୍ତୃତା, ସେଠି ବଣ ଭିତରେ ବି ବକ୍ତୃତାର ସ୍ଥାନ ଅଛି ଉପାଦେୟତା ଅଛି । ଆସନ୍ତା ମେଘ ଆଗର ଝଡ଼ି ତୋଫାନ ପରି ଅଧିକାରୀଙ୍କ କଥାର ଝଡ଼ ସମସ୍ତେ ସହି ସହି ଅପେକ୍ଷା କଲେ କପାଳ ଫାଟିବ କେତେବେଳେ । ସେ ଝଡ଼ରେ ପାନଛେପର କଣିକା ଉଡ଼ି ଚାଲିଲା, କାକାନାଡ଼ା ପିକାର ଧୂଆଁ ଚହଟି ବୁଲିଲା, ଘାଗଡ଼ା ଗଳାରେ ବଜ୍ରର ସୂଚନା, ସବୁମିଶି ଗୋଟାଏ ବିକଟ ଚିତ୍ର ନ ଆସିବା ଭବିଷ୍ୟତ୍‍ର, ଯାହାକୁ ଭାବିଲେ ଚାମୁଣ୍ଡାର ଲହ ଲହ ଜିଭ ତଳେ ତଳେ ଦିଶେ ଜେଲ୍‌ଖାନା, ଜୋରିମାନା, ସର୍ବସ୍ୱାନ୍ତ୍ର ଅବସ୍ଥା, ମାଡ଼ ଗାଳି, ଘର ଭଙ୍ଗା, ଗାଁ ଉପଡ଼ା, ଭୟାନକ । ‘ଶଳାମାନେ ଗ୍ୟାଳ୍ପମାନେ ଫଟ୍‌କାର କନ୍ଧମାନେ ତମେ ଏ କ’ଣ କଲ କହ । ଲେଞ୍ଜର ମୋ ଗଳାରେ ଫାସି ଲଗେଇବ, ଗ୍ୟାଳ୍ପ ତମେ ମତେ ବୁଡ଼େଇ ମାରିବ । କେଡ଼େ ସୁନ୍ଦର ବଣ, କେଡ଼େ ମହା ମହା କାଠ-।’

 

‘ମାହାପ୍ରୁ ଲଟା ବୁଟା ମାହାପ୍ରୁ, ଆଗେ ହାଣିଲା ‘ସରୁଆ ଡଙ୍ଗର’ (ଥରେ ହଣାହୋଇ ପଦା ହୋଇଥିବା ଜାଗାରେ ଯେଉଁ ବୁଦା ବଣ ହୁଏ) ମାରିଛୁଁ-’

 

‘ପୁଣି ମୋ କଥା ଉପରେ କଥା କହୁଚୁ ଲାଞ୍ଜିକୋଡ଼୍‌କା, ଓବେ ସାଦୁ, ତା’ ପାଇଟି କରିବୁଟି ରେ । ହାଁ, କେଡ଼େ ସୁନ୍ଦର ବଣ, ବାଘର ଘର, ତାକୁ ବି ତୁମେ ହାଣି ପଦା କଲ । ସବୁ ବଣ ମାରିଦେବ, ବାଘର ରହିବାକୁ ଜାଗା ନାହିଁ ଆସି ତମକୁ ଖାଇବ । ଯାହା କଲ କଲ, ଏବେ ଦିଅ ଭରଣା, ମର ଶଳେ ।’

 

କ୍ଷତିପୂରଣ ହିସାବ ହେଲା, ହିସାବ ସରିଲା । ‘ଏବେ କୋଉଠୁ ଦବୁ ମାହାପ୍ରୁ’, ପୁଣି ଭାରିଥୋର ଆସୁଛି, ଚୋରପରି ତୁନି ତୁନି ହୋଇ ପଛବାଟେ ଛାଉଣି ଆଡ଼କୁ ଜିନିଷ ଚାଲିଛି । କୁକୁଡ଼ା କର୍‌ର କର୍ ହେଉଛନ୍ତି, ଗୋଡ଼ ବନ୍ଧା ହୋଇ ଛେଳି କହୁଛି ମେଁ, ଫାରାଷ୍ଟି ସେହିଆଡ଼କୁ କଣେଇଁ ଚାହୁଁଛି, କ୍ଷତିପୂରଣ ହିସାବ ଲଗେଇ ଦେଉଛି । ନ ଦେବ ଯଦି ତେବେ ମୋର କ’ଣ ଅଛି ମୁଁ ଲେଖି ଦେଉଛି ହେଇ ଦେଖ,କୋରୋଟ୍‌କୁ ଯିବ, ସେଠି କଥାଭାଷା କରିବ, ମତେ ଆଉ ଦୋଷ ଦେବ ନାହିଁ । ଓବେ ସାଦୁ-’ । ଫାରାଷ୍ଟି କାଗଜ ଉପରେ କଲମଧରା ହାତ ଥୋଇଲା । ଏ ପାଖରୁ ଏକାଥରକେ ବିକଳ ଚିତ୍କାର,-’ହେ ମାହାପ୍ରୁ, ହେ ମାହାପ୍ରୁ ତୋ ଗୋଡ଼ତଳେ ପଡ଼ୁଛୁଁ ସେମିତି କର୍‌ ନାଇଁ-’

 

‘ତ ଦିଅ, ଥୁଅ-’

 

‘ଆହୁରି କିଛି ନ ଊଣାକଲେ ନ ହୁଏ ମାହାପ୍ରୁ, ସେତେ ଦେଇ ନ ପାରୁଁ ମାହାପ୍ରୁ-’ ‘ହଉ ଲେଖୁଚି, ତମେ ମେଡ଼ୁଆର୍ (ଅବାଧ୍ୟ) ମାନେ ଶୁଣିବ ନାହିଁ-’

 

ପୁଣି ବ୍ୟଗ୍ର ଆକୁଳ ଚିତ୍କାର ‘କୋଡ଼ିଏଟା ଊଣା କରିଦେ ମାହାପ୍ରୁ, ତୋର ପାଦ ଧରୁଚୁଁ-’ ଏହିପରି ଚାଲିଲା ଘଡ଼ିଏ କାଳ । ଲୁଚି ଲୁଚି ଦୂରରେ ଥାଇ ଗାଁର ଘରଣୀମାନେ ଶୁଣୁଥା’ନ୍ତି । ଏଣେ କଥା ଛିଡ଼ିଗଲା । ମୁହଁ ଶୁଖେଇ କନ୍ଧମାନେ ଚାଲିଗଲେ । ଫାରାଷ୍ଟି ହାଙ୍କିଲା ‘ଓବେ ସାଦୁ କାଫି ଆଣ୍ ।’

 

ଗାଁରେ ଲାଗିଲା ଟଙ୍କା ଉଠେଇବା ପର୍ବ । ସାଓଁତା, ବାରିକ, ବଡ଼ ବଡ଼ ରଇତମାନେ ଗାଁ ଦାଣ୍ଡରେ ଜମାହେଲେ । ଅଧିକାରୀ ରାୟ ଦେଇ ଦେଇଛି, ଅପି ଯାଇ (ସ୍ୱୀକାର କରି) ସମସ୍ତେ ନିସ୍ତାର ପାଇଛନ୍ତି, କିନ୍ତୁ ମହଲତ୍ ନାହିଁ । ଦେଲେ ସେ ଉଠିବ । ବାଦାନୁବାଦ ହୋଇ ବହୁତ ଦୂର, କିଏ କେତେ ଦେବ, କିଏ କେତେ ପୋଡ଼ୁ କରିଛି ସେହି ଅନୁସାରେ ହିସାବ ହେବ । ମଝିରେ ମଝିରେ ବସାଘରୁ ଗାରଡ଼ ମାଡ଼ିଆସନ୍ତି, ଜଲ୍‌ଦି ଜଲ୍‌ଦି କହି ହଡ଼୍‌ବଡ଼େଇ ଦିଅନ୍ତି, ବୁଦ୍ଧି ହଜିଯାଏ, ଡରୁଆ ରଇତ । ହିସାବ ସରିଗଲା । ବାଡ଼ି ଠୁକୁ ଠୁକୁ କରି ବୁଢ଼ା ବାରିକ ଘର ବୁଲି ରଡ଼ିକଲା, ‘ଆଣ ଆଣ, ଡେରିହେଲା ।’

 

ଦି’ ବଖୁରିଆ ଘର ଜଣ ଜଣକେ । ଭିତର ବଖରା ଅନ୍ଧାର ବିଲ୍ ବିଲ୍, ସେଠି ‘ଘର୍‌ଦେବତାର ଆସ୍ଥାନ, ପିତୃପୁରୁଷଙ୍କ ସ୍ମୃତି । ସେଠି କେଉଁ ଜକାଜକି ମାଣ୍ଡିଆ କୋରମେଇଁ ସନ୍ଧିରେ କାନ୍ଥରେ ଗୋଟିଏ କଣା ଅଛି । ମୋଟା ବାଉଁଶନଳି ଭିତରେ ଗୋଟାଏ ଗୋଟାଏ ଘରର ଖଜଣା-ଖାନା, ବାଉଁଶନଳି ସେହି କଣାରେ ପୋତା ହୋଇଥାଏ । ତାହାରି ଭିତରେ କନ୍ଧର ସର୍ବସ୍ୱ, କାଠୁଆ ହୋଇଥିବା ଦେହର ଝାଳ, ହୃତ୍‌ପିଣ୍ଡର ରକ୍ତ, ଟଙ୍କା କେଇଟି । କଙ୍କର ପଥର ସଙ୍ଗେ ଲଢ଼ି ଲଢ଼ିକା ଖରା ବରଷା ଖାଇ ଅତି କଷ୍ଟରେ ମଣିଷ ଉପୁଜାଏ ଶସ୍ୟ । ଆଗରୁ ଖାଇବାକୁ ଆଣିଥିବା ସାହୁକାରର ଦାଦନ, ଶିସ୍ତୁଦାସ୍ତୁ ପାନ ହୋଇକରି କେତେ ପ୍ରକାର ଦେୟ, ଏସବୁ ମିଶି ଶସ୍ତାରେ ଫସଲ ଉଡ଼ିଯାଇ ଆସେ ଟଙ୍କା ।

 

ତାକୁ ବି ରଖି ହୁଏନାହିଁ, ନିରାଶାର ଅନ୍ଧାର ଘୋଡ଼େଇଦେଇ ବାଉଁଶନଳ ଶୂନ୍ୟକରି ସେ ଉଡ଼ି ଚାଲିଯାଏ ।

 

ଦିଉଡ଼ୁ ସାଓଁତା ମୁଣ୍ଡରେ ହାତଦେଇ ତାର ବାଉଁଶନଳ ପାଖରେ ବସି ବସି ମାଣ୍ଟେଇ ହେଉଥିଲା । ଖୋଲିବାକୁ ହାତ ଯାଏ ନାହିଁ, ମୁଣ୍ଡ ବୁଲେଇ ଦିଏ ତାହାରି ଉପରେ ଆଖି ରଖି ଉଦାସ ହୋଇ ସେ ଭାବୁଥିଲା । ପଦାରୁ ବାରିକ ପାଟିକଲା ‘ଆଣିଲୁ ସାଓଁତା ବେଳ ଯାଉଛି । ଗାରଡ଼ ମାହାପ୍ରୁ ଅପେକ୍ଷା କରିଛି ପରା’ ଦିଉଡ଼ୁ ଜବାବ ଦେଲା ନାହିଁ । ଅନ୍ଧାରେ ଅନ୍ଧାରେ ଦିକେରା ଲୁହ ଝରିପଡ଼ିଲା, ନଳିରୁ ଟଙ୍କା ଝାଡ଼ିନେଇ ଦିଉଡ଼ୁ ପଦାକୁ ଚାଲିଗଲା ।

 

ଦେଣ୍ ନେଣ୍ ସରିଲା । କାଗଜରେ କ’ଣ ଗାରେଇଦେଇ ଫାରାଷ୍ଟି କହିଲା, ‘ନିଅ ରସିଦ ନିଅ, ରଖିଥା ।’ ଘଡ଼ିଏ ବେଳଯାଏ ନିଜ ନିଜ କାଗଜ ସମସ୍ତେ ଓଲଟେଇ ପଲଟେଇ ଦେଖିଲେ । କ’ଣ ତାର ଅର୍ଥ ? କ’ଣ ତହିଁରେ ଅଛି ? କୁକୁଡ଼ା ? ଛେଳି ? ବୋଝ ବୋଝ ଶସ୍ୟ ? ଟଙ୍କା ? ଏତେ ପଦାର୍ଥର ସମତୁଲ କ’ଣ ଏହି ଖଣ୍ଡେ କାଗଜ ?

 

ଗନ୍ଧ ନାହିଁ, ବାସ୍ନା ନାହିଁ, ସୁଆଦ ନାହିଁ, ଓଜନ ନାହିଁ । ହାତକୁ ଖସ୍ ଖସ୍ ଲାଗେ ଚାରି ଆଙ୍ଗୁଳିଆ କାଗଜ ଖଣ୍ଡେ ।

 

କନ୍ଧ ପଢ଼ି ଜାଣେ ନାହିଁ ।

 

ଗାଁରୁ ବୋଝିଆ ଆସିଲେ, ବାରିକର କାମ ବେଠିଆ ଉଠେଇବା । ଜିନିଷପତ୍ର ବନ୍ଧାବନ୍ଧି ସରିଲା । ଗଲାବେଳେ ଗୋଟାଏ ଦୋପଇସି ଫୋପାଡ଼ି ଦେଇ ଫାରାଷ୍ଟି କହିଲା, ‘ନେ ବେ ଶଳା ସାଓଁତା ନେ ଇନାମ୍ ନେ, ନଇଲେ ଆମେ ଚାଲିଗଲେ ଯେ ଆସିଲେ କହିଲାଗିବୁ ୟା ଦେଲୁ ତା ଦେଲୁ ପଇସା ଦେଲେ ନାହିଁ ଚାଲିଗଲେ । ଲାଞ୍ଜି କୋଡ଼୍‌କା ।’

•••

 

ସତସ୍ତରୀ

 

ଫାରାଷ୍ଟି ଗଲା ।

 

ଭୟ ଗଲା । ହେଇ ଚାଲିଯାଉଛି ସେ, ଅଧିକାରୀ ରୂପରେ, ବୋଝ ବୋଝିଆ ଧରି, ପର୍ବତେ ପର୍ବତେ ତର ତର ହୋଇ ଓହ୍ଲେଇ ଯାଉଛି, ଦୂର ହୋଇ ଯାଉଛି, ଦୂର ହେଇ ଯାଉଛି । ଗାଁର ଛେଳି ପଛକୁ ଓଟାରି ହୋଇ ମେଁ ମେଁ ବୋବେଇ ଚାଲିଛନ୍ତି, କୁକୁଡ଼ା ଗୋଡ଼ ବନ୍ଧାହୋଇ ମୁଣ୍ଡ ତଳକୁ କରି ବାଡ଼ିରେ ଲଟକିଛନ୍ତି । ଯାହା ଯିବାର ଯାଉ, ଚକ ଗଡ଼ି ଗଡ଼ି ଫାରାଷ୍ଟି ଫେର୍ ଆସୁ ଆସୁ ଯାଏ ଦିନାକେତେ ।

 

ଖାଲି ବସାକୁଢ଼ିଆ ପାଖେ ଅଇଁଠା ପଡ଼ିଛି, ଅଳିଆ ପଡ଼ିଛି, ରୁମାରୁମି ହୋଇ କୁକୁଡ଼ା ପଖି, ଖଲି ପତ୍ର । ଅଣ୍ଟାରୁ ବଳ ଯାଇଛି, ପଇସା ଯାଇଛି ମଣିଷଙ୍କ ମୁହଁକୁ କଳା କାଠ ।

 

କିନ୍ତୁ କନ୍ଧ ହତାଶ ହୁଏ ନାହିଁ, ହତାଶ ହେଲେ ମାଳଦେଶରେ ବଞ୍ଚିବା ଅସମ୍ଭବ । ବିନା କାରଣରେ ବିପଦ ଆସୁଥିବ, ତାର ବେଳ ନାହିଁ, ଘଡ଼ି ନକ୍ଷତ୍ର ନାହିଁ, ଫାରାଷ୍ଟି ଯିବା ପଛେ ପଛେ ପ୍ରଚୁର ମଦ ପିଆ ଲାଗିଲା । ଉଶ୍ୱାସ ହୋଇ ଗାଁର ସ୍ତ୍ରୀମାନେ ପଞ୍ଝା ପଞ୍ଝା ହୋଇ ଦାଣ୍ଡରେ ବୁଲିଲେ, ପିଲାଏ ହସିଲେ, ଲୋକେବସି ଧୁଙ୍ଗିଆ ପିଉ ପିଉ ଆଲୋଚନା କଲେ ଯେ ଏତେଟଙ୍କା ଦେଇ ସୁଦ୍ଧା ତାଙ୍କର କ୍ଷତି ହେବ ନାହିଁ । କାଟି ହାଣି ସଫା କରିଥିବା ପର୍ବତ ଅଞ୍ଚଳରେ ଯେଉଁ ଫସଲ ହେବ ସେ ଖୁବ୍ ବେଶୀ । ସେ ହିସାବରେ ଦେହ ମେହନତ୍ ପଶିଲା ନାହିଁ, ବାଘଖିଆର ଆଶଙ୍କା ଉପଦ୍ରବ ପଶିଲା ନାହିଁ, ଆଗରୁ ଲୁଣ ପରି ଟିକିଏ ଦାଦନ ବିଞ୍ଚିଦେଇ ଯେଉଁ ଶସ୍ତା ଭାଉ ଠିକଣା କରିଦେବ ସାହୁକାର ତାହା ବି ସେ ହିସାବରେ କସା ହେଲା ନାହିଁ । କେବଳ,-କନ୍ଧ ଖସି ରହିବାକୁ ଗୋଟିଏ କାରଣ ଗଢ଼େ, ସେତିକି ସେ ।

 

ଏତେ ବଡ଼ ଦୁଃଖକୁ ଦ୍ୱିତୀୟଥର ମନରେ ନ ପକାଇ ଲୋକେ ପୁଣି ତାଷକୁ ଚାଲିଲେ, ଅଧେ ବେକ ବାକି ଅଛି ଦିନଗୋଟାକରୁ । କେତେ ତ ଅଧିକାରୀ ଆସୁଥିବେ, କେତେ କ୍ଷୟ ହେଉଥିବ ବର୍ଷକଯାକ, ଝୁରି ବସିଲେ ଆୟୁଷ ପୂରିଯିବ । ପୁଣି ନିତିଦିନ ପରି ପାହାଡ଼ ସନ୍ଧିରେ ଗାଁର ଗତ, ଯେମିତିକି କିଛି ହୋଇ ନାହିଁ, ସବୁ ସମାନ ।

 

କିନ୍ତୁ ସଞ୍ଜବୁଡ଼େ କାମରୁ ଫେରି, ଭାବିବାକୁ ଯେତେବେଳେ ବେଳ ମିଳିଲା, ସବୁ ଚିନ୍ତା ଏକାବେଳକେ ମାଡ଼ିପଡ଼ିଲା । ଭାଗ୍ୟବାଦୀ ପାଣ୍ଡ୍ରୁ ଦିସାରି ସୁଦ୍ଧା ତାରା ଦେଖିବାକୁ ଭୁଲିଯାଇ ଡାକିଲା, ଭଗବାନ ଏ କ’ଣ କରୁଛ ଭଗବାନ, ଆମେ କିଏ ଫାରାଷ୍ଟି କିଏ ଗାରଡ଼ କିଏ, କାହିଁକି ସେ ନେବ ଆମର ଟଙ୍କା, ବଣ କିଏ ଲଗେଇଥିଲା ? ବେଜୁଣୀ କହିବ, ଦିଅଁ ଦେବତା ଦୁଃଖ ଦିଅନ୍ତି ମଣିଷକୁ ଠାକୁରଙ୍କ କଥା ଚେତେଇ ଦେବାକୁ, କିନ୍ତୁ ସେତିକିରେ ଅବୁଝା ମନ ବୁଝେ ନାହିଁ, ସାଧାରଣ ମଣିଷ ଭାବେ ।

 

ଦିଉଡ଼ୁର ଲେଞ୍ଜୁର ବହେ ଲାଗିଗଲା, ଦିଉଡ଼ୁ ଦୋଷ ଦେଲା ଯେ ଲେଞ୍ଜୁକକା ଫାରାଷ୍ଟିକୁ ରଗେଇବାରୁ ଏତେ ଟଙ୍କା ପଡ଼ିଲା, ଲେଞ୍ଜୁ କହିଲା ଯେ ଦିଉଡ଼ୁକୁ ଅଧିକାରୀ ଚଳେଇ ଆସେ ନାହିଁ, ନ ହେଲେ ଅଳ୍ପରେ ତୁଟିଥା’ନ୍ତା । ଅନେକ ତକରାଳ ଦେଖି ଆସିଲେ । କୁଳର ମାନ ରଖିବାକୁ ପୁୟୁ ଉପରେ ପଡ଼ି ଶଶୁରକୁ ବଞ୍ଚେଇ ସ୍ୱାମୀକୁ ଅଟକେଇଲା, ଫଳରେ ଦାଦିପୁତୁରାଙ୍କ କଳିରୁ ତାଳ ଛିଣ୍ଡିଲା ରୋଗିଣୀ ପୁୟୁ ଉପରେ । ଦିଉଡ଼ୁ ଗର୍ଜିଲା, ପୁୟୁ କାନ୍ଦିଲା, ହାକିନା କାନ୍ଦିଲା, ନିଜେ ଜାମିରି ବୁଢ଼ା ଦଉଡ଼ି ଆସିଲା ତାଳ ସମ୍ଭାଳିବାକୁ ।

 

କେତେ ଘର କେତେ ଅଶାନ୍ତି ସଞ୍ଜପହରେ, ଫାରାଷ୍ଟି ତାର କିଛି ଖବର ରଖେ ନାହିଁ, ସେ ପର ଦେଶର । କୋଥଳି ଭିତରର ତିରୁପତି ଠାକୁର ତାର ସୁବିଧା କରିଦେଇଛି, ସେ ଖୁସି ତାର କାମ ଶେଷ, ପୁଣି ନୂଆ ଗାଁରେ ତାର ନୂଆ ନାଟ । କେତେ ତ ଏପରି ଅଧିକାରୀ ଚାଲିଯା’ନ୍ତି, ଯାହାର କହିବାକୁ ବଳ ନାହିଁ, ରୋକିବାକୁ ଶକ୍ତି ନାହିଁ, ନୂଆ ପୃଥିବୀ ଭିତରେ ରହିଥିଲେ ସୁଦ୍ଧା ଯେ ଅତୀତର ପ୍ରେତର ଉପାସକ, ପଛୁଆଣି ଯେ ନୁଆଣିଆଁ ଯେ ସମସ୍ତେ ତାର ଅଧିକାରୀ, ହଁ କୁ ନାହିଁ କହି ଆଣ୍ଟକରି ଆଖିତରାଟି ଠିଆହେବାକୁ ତାର ଭିତିରି ବ୍ୟକ୍ତିତ୍ୱର ବଳ ନାହିଁ । କିନ୍ତୁ ତୁଣ୍ଡରେ ସିନା ସେ କିଛି କହିପାରେ ନାହିଁ, ବୋଡ଼ା ସାପ ପରି ଆପଣା ଲାଞ୍ଜରୁ ସେ ପୁଳାଏ ଖାଏ, ସେତିକି ତାର ସାନ୍ତ୍ୱନା । ତେଣୁ ଗରିବଙ୍କ ସାହିରେ ସଞ୍ଜବୁଡ଼େ ଗାଳିତକରାଳ, ଦିନଯାକର ସବୁ ଅପମାନ ସବୁ ଗାଳି ମାଡ଼ ସେତିକିବେଳେ ମନ ଉପରକୁ ଭାଷି ଉଠେ, ମଣିଷର ପଶୁ ମନରେ ଖେଳେ ପ୍ରତିହିଂସାର ଝୁଙ୍କ, ମାଡ଼ ମାରିବା ଲୋକ ପାରହୋଇ ଛୁ, କୌଣସି ପେଖେନା ଫାନ୍ଦି ଘରଲୋକଙ୍କ ଉପରେ ମଣିଷବଳ ଝଡ଼େଇ ହୁଏ, କାନ୍ଦଣାର ରୋଳ ଉଠେ । ଆପଣାର ଘର ପୋଡ଼ିଦେଇ ପରକୁ ସୁମରି ପ୍ରତୀକ କରି ମନରେ ଥାପି ସଙ୍କେତ ଛଳରେ ମଣିଷ ଦେଖେ ଶତ୍ରୁର ଦୁର୍ଦ୍ଦଶା ।

 

ବୃଥା ବାଡ଼େଇ କଚାଡ଼ି ହୋଇ ଶୋଧା ଆଉ କାନ୍ଦଣା ମୂଲେଇ ମଦ ପିଇ ଦେଇ ଦିଉଡ଼ୁ ସାଓଁତା ନିଶ୍ଚିତ ହୋଇଥିଲା । କେତେ ଏହିପରି ନିଶ୍ଚିନ୍ତ ହେଲେ । ନିଶା ଅନ୍ଧାର ବଢ଼ି ବଢ଼ି ଚାଲିଲା, ଗାଁ ନିଆଁ ନିଭି ନିଭି ଚାଲିଲା, ରାତିର ଆଶ୍ୱସ୍ତିରେ ଭୁଲାନିଶାର ଅନୁଭୂତି ହେଲା ସତ, ଦିନର କଥା, ରୁକ୍ଷ ଜୀବନ ମିଛ ସେ, କେବଳ ମିଛ ସ୍ୱପ୍ନ ।

ଦିଉଡ଼ୁ ପୁୟୁକୁ ହରେଇ ଦିଏ, ହାରେ ନାହିଁ ହାକିନା, ସ୍ଥିର ନିଷ୍ଠୁର ଦୃଷ୍ଟିରେ ବାପକୁ ଅନେଇଁ ରହେ ଆଉ ଖେଳେ । ନିର୍ବିକାର ଭାବରେ ମା’ର କତିକି ଲାଗିଯାଇ ଖିର ଭର୍ତ୍ତି କରେ ପାଟିରେ ଆଉ ଶୋଷେ । ମିଣିଆକା ହାକିନା, ସରବୁ ସାଓଁତାର ବଂଶଧର, ମଣିଷର ସନ୍ତାନ । ଦୁଃଖ, ଦୈନ୍ୟ, ରୋଗ ପରାଧୀନତା ସବୁ ଗରଳର ଗୋଳାଗୋଳି ଅମୃତ ସେ, ସବୁ ସେ ତନିତ କରିବ ।

ଦିଉଡ଼ୁ ସାଓଁତାର ପଶୁବଳ ତା’କୁ ଅଭିଭୂତ କରେ ନାହିଁ । ଆଲୁଅ ତାର ଖେଳର ସାଥୀ, ପବନ ତାର ଜୀବନ, ଅନ୍ଧାର ତାର ବିଶ୍ରାମ, ସେ ମଣିଷ ଶିଶୁ, ସେ ବିଚିତ୍ର ।

ଦିଉଡ଼ୁ ତା’କୁ ହାତ ବଢ଼ାଏ, ସେ ଆସେ ନାହିଁ । ପୂର୍ଣ୍ଣ ସମାଲୋଚନା ତାର ଆଖିରେ, ସେହିପରି ସେ ଧ୍ୱଂସ ଉପରେ ଅକ୍ଷତହୋଇ ରହେ, ସେ ଶାସନର ବାହାରେ, ଦିଉଡ଼ୁ ତାର କିଛି କରିପାରିବ ନାହିଁ ।

ଆଲୁଅର ପାଗ ସରି ସରି ଆସୁଛି, ତୋଫାନ ହାକିନାକୁ ଡର ମାଡ଼େ । ଯେଉଁ ଦେହ ଦିଉଡ଼ୁ ଆଖିରେ କିଛି ନୁହେଁ ତାର ସେ ଦୁର୍ଗ, ତା’ରି ନିର୍ଭୟ କୋଡ଼ରେ ଶୋଇରହି ହାକିନା ତୋଫାନ ସଙ୍ଗେ ଚିହ୍ନାପରିଚ ହୁଏ । ହଠାତ୍ ତାତି ପରିବର୍ତ୍ତେ ଥଣ୍ଡା ସୁଅ, ଚାହୁଁ ଚାହୁଁ ସୁସ୍ଥି ପରିବର୍ତ୍ତେ ଦୋହଲା ଦୋହଲି, ଚିହ୍ନା ଧାରଣା ସବୁ ଯାଏ ଓଲଟି । ମା’ କବାଟ କିଳିଦିଏ, ଛିଣ୍ଡାକନାକୁ ପରସ୍ତ ପରସ୍ତି ଭାଙ୍ଗି ଘୋଡ଼ିପୁଡ଼ି ଦିଏ, କାନପାଖେ ଗୀତ ବୋଲି ବୋଲି ଦେହ ଥାପୁଡ଼ାଏ । ଉଷୁମ୍ ପାଇ ନିଦ ହୋଇଯାଏ । ଘରେ ଆଉ କେହି ନାହିଁ, ଚାଖଣ୍ଡେ ପିଲା, ଫାଳେ ମା’, ଦିହେଁ ପରସ୍ପରକୁ ଆଶ୍ରା, ଆଉ କେହି ନାହିଁ ।

ଦିନେ ବହୁତ କଜିଆ କରି ଦିଉଡ଼ୁ ସଞ୍ଜକୁ ଚାଲିଯାଇଥିଲା । ଭାରି ତୋଫାନ, ପାଖ ଘରୁ ଜାମିରିର ବୁଢ଼ୀର ସୋର ଶବଦ ନାହିଁ, ତୋଫାନ ପଛରେ ଅନ୍ଧାରେ ଅନ୍ଧାରେ ଆଚ୍ଛା ମେଘ ଅସରା କୁଟୁଥିଲା । ସକାଳର ବାସି ପେଜ ଅଛି, ରନ୍ଧା ମଦ । ହାକିନା ଶୋଇଥାଏ । କ୍ଳାନ୍ତ ନିଦରେ ଉଠି ପହଡ଼େ ରାତିରେ ପୁୟୁ ପଦାକୁ ଆସିଲା, ଗାଢ଼ ଅନ୍ଧାର । ଦିଉଡ଼ୁ ବି ନାହିଁ, ଲେଞ୍ଜୁକକା ବି ନାହିଁ-। କନ୍ଧ ଗାଁରେ ସମସ୍ତିଙ୍କ କବାଟ ପଡ଼ିଛି, ଅନ୍ଧାରରେ କିଛି ଦିଶୁ ନାହିଁ ।

ପଦାରେ ବସି ପୁୟୁ ଭାବୁଥାଏ, ସେ ଚାଲିଯିବ । ରାଗଟା ଉଠି ଉଠିକା ଆସେ ଯେତେବେଳେ ସେ ଭାବେ, କାହିଁକି ଏ ଯନ୍ତ୍ରଣା, ବିଭା ଭାଙ୍ଗିଦେଇ ଗଲେ ଭାରି ଭଲ । ସେତିକିବେଳେ ଅନ୍ଧାରକୁ ଦେଖେ ତୋଫାନକୁ ଦେଖେ, ଧାରଣା ବଦଳିଯାଏ, ବାରମ୍ବାର ଭିତରକୁ ଯାଇ ହାକିନାକୁ ମଶା ଖାଉଥିବେ ବୋଲି ଘୋରେଇ ଦେଇ ଆସେ ।

କିନ୍ତୁ ପୁଣି ସେ ଆସେ ଦିନରେ, କ୍ଷତିର ସୁମରଣା ଅଭାବର ଖେଞ୍ଚା । ବଳଦ ବୁଢ଼ା ହେଲେଣି ଏଇ ଦିନୁଁ ଆଉ ହଳେ କିଣି ରଖିବା ଭଲ । କରିଆ ପୁରୁଣା ହେଲାଣି ଚାରି ହାତ ଲୁଗା ଖଣ୍ଡିଏହେଲେ ତିନିଖଣ୍ଡ ପିନ୍ଧିବା ପୋଷାକ ହୋଇ ପାରିଥା’ନ୍ତା । ବର୍ଷାଦିନ ଆସୁଛି, କାଶ ଛାତିଦୁଖା ଶୀତୁଆ ଜରର ଦିନ, ମାଠ ଖଣ୍ଡିଏ ନ କିଣିଲେ ନ ହୁଏ ।ଭାରିଯା ପାଇଁ ମାଳି ମୁଦି, ପିଲା ପାଇଁ ଖଜା, ଆପଣା ପାଇଁ ଟାଙ୍ଗିଆ ଖଣ୍ଡିଏ, ପତରସିଆଁ ବର୍ଷାତିଟିଏ । ପୁଣି ସେତିକିବେଳେ ଅଧା ଖାଲି ବାଉଁଶନଳ ପାଖରେ ବସି କନ୍ଧ ତପସ୍ୟା କରେ, ଭାବେ କେଉଁ ଦେବତାର ଆର୍ଶୀବାଦରୁ ତାର ଭିତରଟା ପୂରି ଉଠନ୍ତା ପରା, ସବୁ ଭଲ ହୁଅନ୍ତା । ଜମିକୁ ବିହନ ଯାଇ ନାହିଁ, କେବେ ଫସଲ ପାଚିବ, ବିକ୍ରି ହେବ, ଟଙ୍କା ଆସିବ, ତାହା ମଝିରେ ଅନ୍ୟାନ୍ୟ ଅଧିକାରୀଙ୍କର ଆହୁରି ଧାଡ଼ି ଧାପ ଅଛି, ନିଙ୍ଗାମନ (ଅମିନ) ରିବିଣି ଆସିବାର ଅଛି ଶିସ୍ତୁ (ଖଜଣା) ଉଠେଇବା ପାଇଁ । ସବୁ କୌଣସିମତେ ବାହାରିବ ଘରଦେବତା ଥିବା ବଖୁରିର ସେହି ବାଉଁଶନଳ ଭିତରୁ, ସେଇଠି ଚେକା ମହୁଲି ପକେଇ ନୀରବରେ ଦିଉଡ଼ୁ ଭାବେ ।

ପୁୟୁର କପାଳ ବି ଦିନୁଁଦିନ ଯାଏ ଚଡ଼କି । ଦିଉଡ଼ୁ ତାହାରି ଉପରେ ମନର ଅଶାନ୍ତି ଝଡ଼େଇ ହୁଏ । ଖରାର ଶେଷ, ଦିନୁ ଦିନ ଉପରଓଳି ତୋଫାନ ମିଶା ହାଲୁକା ଅସରା । ପହିଲି ଯୌବନ ପରି ପହିଲି ବରଷା, ତାର ଗତି ଅଛି ଓଜନ ନାହିଁ, ବିସ୍ତୃତି ଅଛି ଦାୟିତ୍ୱ ନାହିଁ । ମଣିଷ ମନରେ ତାହାରି ହାଲୁକା ଛାଇ ପଡ଼େ, ଓଦା ମାଟିର ବାସ୍ନାରେ ପୁରୁଣା ଚିନ୍ତା ଗଜୁରିଉଠେ ନୂଆ ପ୍ରକାଶ ପାଇଁ, ମଣିଷ ଚାଷୀ ତାର ଖିଆଲର ମଞ୍ଜି ବୁଣିବାକୁ ବ୍ୟାକୁଳ ହୁଏ ଉର୍ବର କି ବାଂଝର ନ ବିଚାରି ।

ଦିଉଡ଼ୁ ପୁୟୁକୁ ଅନାଏଁ ତାର ସ୍ୱପ୍ନରେ ପିଓଟି ଟହ ଟହ ହସୁଥାଏ । ଆକାଶ କଳା ପର୍ବତ କଳା ମିଶିଯାଇ ପବନରେ ଚହଲି ଆସୁଥିବା ଧୋବଲା ମେଘର ଧୂଆଁକୁ ପିଠି ଆଡ଼େଇ ଦେଇ ଗମ୍ଭୀର ହୋଇ ଯେତେବେଳେ ଟାଙ୍ଗି ହୋଇ ରହେ ସେତେବେଳେ ରାଉ ରାଉ ପବନରେ ଦିଉଡ଼ୁର କାନରେ ପିଓଟିର ଡାକ । ପୁୟୁକୁ କଷ୍ଟ ଦିଏ ଆଉ ଦେଖେ । ଶୁଖିଲା ହାଡ଼ୁଆ ପିଠିଟା ମିଶିଛି ମୁଣ୍ଡେ ନୁଖୁରା ବାଳ ତଳେ, ଗଣ୍ଠି ଗଣ୍ଠିଆ ବେଶିରା ହାଡ଼ । ମୁହଁମାଡ଼ି ପଡ଼ିଛି । ଥରୁଛି, କମ୍ପୁଛି । ଫମ୍ପା କାନ୍ଦଣା । ଚିଁ ଚିଁ ଅଭିମାନ । ଶୁଖିଲା ପିଠିଟା ହଲିଲାଗୁଛି, ଅଲରା ବାଳ, ଅସୁନ୍ଦର ବାଳ ଘୁଷୁରି ଲାଗିଛି ମାଟିରେ । କ’ଣ ବକି ଯାଉଛି ସେ, ଦଦରା ମନର କାନ୍ଦୁରା କାହାଣୀ, କେତେ ବଜ୍ର ତୋଫାନ ସେଥିରେ । ଦିଉଡ଼ୁ ତାଚ୍ଛିଲ୍ୟ କରେ । ଫୁଲହାର ବେକର ଫାଶ ହୋଇଛି । କରୁଣା ନାହିଁ । ଧୁଙ୍ଗିଆ ଲଗେଇ ଦେଇ ଥରିହୋଇ ଖୁଣ୍ଟ ପରି ବସି ବେଳେ ବେଳେ ଦିଉଡ଼ୁ ତେଣିକି ଅନାଏଁ । ଆହୁରି ପଦେ ପଦେ ବଜେଇ ଦିଏ । ଖୁସି ଲାଗେ ।

ମନ କହେ ଯେ ଫଟାକପାଳ ଆଉ ଯୋଡ଼ି ହେବ ନାହିଁ । ଅନ୍ଧାରର ଆଶ୍ୱାସ ନାହିଁ ।

ସେଦିନ ଦିଅଁ ଦେବତାଙ୍କୁ ସେ ସୁମରୁଥିଲା । ସେମାନେ ପରା ସବୁଠିଁ ଥା’ନ୍ତି, ସବୁଠି ତାଙ୍କରି ଆଖି । ସମସ୍ତିଙ୍କି ତାଙ୍କର କଲ୍ୟାଣ । ଏତେ ଭକ୍ତି ଏତେ ପୂଜା ପାଉଛନ୍ତି । କାହିଁ ତାଙ୍କର ଦୟା ?

ନିଜପାଇଁ କିଛି ଦରକାର ନାହିଁ, ସବୁ ତାର ପିଲା ପାଇଁ ।

ଏତେ ଅନିଭୋଗ, ଏତେ ହତାଦର, ସତେ ମଣିଷ ହେବ ହାକିନା ?

ତାର ବିହ୍ୱଳ ଚିନ୍ତାକୁ ଚିରି ଚିରି ଦେଇ ଦେବତାର ଉଜ୍ଜ୍ୱଳ ରୂପ ଉଭାହୁଏ କଳ୍ପନାରେ, କନ୍ଧୁଣୀର ଅଭିଜ୍ଞତାଗଢ଼ା କଳ୍ପନାରେ । ବାଉଳା ମନ ପଚାରି ହୁଏ, କାହିଁକି ୟେ, କେତେଦିନ । ଗଭୀର ମନରୁ ଦେବତା ତୁଣ୍ଡରେ ତାର ଜବାବ୍ ମିଳେ, ଅନ୍ଧାର ପରେ ଆଲୁଅ, ମଣିଷର ସ୍ୱାଭାବିକ ବଞ୍ଚିରହିବା ପ୍ରବୃତ୍ତି ପରାଜୟ ସ୍ୱୀକାର କରେ ନାହିଁ, ମଲାଯାକେ ସେ ଅଜେୟ ।

ସାଧାରଣ ରାତି ଭିତରୁ ଗୋଟିଏ ରାତି ସେ । କିଛି ଘଟଣା ଘଟି ନାହିଁ, କାହାଣୀ ଲମ୍ବି ନାହିଁ, କିନ୍ତୁ ମନେ ମନେ ସେ ଜବାବ୍ ପାଇଛି । ନିଶ୍ଚିନ୍ତ ହୋଇଛି, ତପସ୍ୟାର ସିଦ୍ଧି ପାଇଁ ଢୋଲପିଟା ଆଦେଶ ଦରକାର ନାହିଁ ।

ପୁୟୁ ଶାନ୍ତ ହେଲା । ହାକିନାକୁ କୋଡ଼ରେ ପୂରେଇ ନିଘୋଡ଼ ନିଦରେ ଶୋଇ ରହିଲା ।

•••

 

ଅଠସ୍ତରୀ

 

ବନ୍ଦିକାର ।

ସଞ୍ଜବୁଡ଼େ ପିଓଟି ତା’ଘର ପିଣ୍ଡାରେ ବସି ମୁଣ୍ଡ କୁଣ୍ଡୋଉଥାଏ ।

 

ଏଠି ସେ ଦେହମେହେନତ କରେ, ମା’ ସାଙ୍ଗରେ ଯାଇ ଗାଁର ଜମିରେ କାମ କରେ, ତାହା ବଦଳରେ ତାଙ୍କର ନିଜର ହୋଇ ଖଣ୍ଡେ କୁଡ଼ିଆ, ଖାଇବାକୁ ମାଣ୍ଡିଆ ଭାତ, ଲେଙ୍ଗୁଟିପିନ୍ଧା ବଣୁଆଁ କନ୍ଧଙ୍କ ସମାଜରେ ଟିକିଏ ସ୍ଥାନ । କିନ୍ତୁ କନ୍ଧ ହେଲେ ବି ଚେହେରା ବାଗେଇବାକୁ ମନା ନାହିଁ । ପିଓଟି କନ୍ଧୁଣୀ ବେଶରେ ବି ଆପଣାକୁ ସୁନ୍ଦର କରେ, ଫୁଲ ପିନ୍ଧେ ।

 

ବିନା କାରଣରେ ନିତି ଏହି ସଞ୍ଜରେ ବେଶ ହୋଇ ସେ ବୁଲି ବାହାରେ, ନଇଲେ ଶାନ୍ତି ଲାଗେ ନାହିଁ, ଅଭ୍ୟାସ ପଡ଼ିଯାଇଛି । ବୃଥା ପ୍ରତୀକ୍ଷାର ପସରା ମୁଣ୍ଡେଇ ଥନଥନ ମନରେ ଏ ଦୁଆର ସେ ଦୁଆର ହୁଏ । ଏଠି ଛାଡ଼ିଆସିଥିବା ତଳଦେଶ ନାହିଁ, ତାର ଭେକର ମୂଲ୍ୟ ନାହିଁ, ଖାଲି ଭୋକ ହିଁ ସାର । ତଥାପି କୁଆଡ଼େ ଏଇ ବନବାସରେ ସେ ଜୀବନ ବିତେଇବ, ୟାରି କଥା କହିଲା ବେଳକୁ ମା’ର ମୁହଁ ଝଲସେ, କେମିତି ହୋଇଯାଏ ମା’ ।

 

ପଥର ପଥର, ଧୂଳି କେବଳ ଧୂଳି, ଧୂଆଁପତ୍ର ଛେପ ଛେପ ହିଁ ଖାଲି, ଆଉ ଏହି ଲୋକେ ରକ୍ତରେ ଯାହାଙ୍କ ଭିତରୁ ଜଣେ କୁଆଡ଼େ ସେ, ଏମାନେ ବର୍ବର, ୟା ବାହାରେ ଲୁଚା ଚୋରା ଅନ୍ୟ ଅର୍ଥ ତାକୁ ଦିଶେ ନାହିଁ, ସେ ବିରକ୍ତ ହୁଏ, ମୁକ୍ତି ଖୋଜେ ।

 

ମୁଣ୍ଡ କୁଣ୍ଡେଇ ଦେଉ ଦେଉ ମା’ କହିଲା,-’ସାଓଁତା ପିଲା ଦିପହରେ କ’ଣ କହିଲା ପିଓଟି-?’

 

‘କାମ ଥିଲା ।’

‘କିଛି କହି ନାହିଁ ?’

‘କାମ ଥିଲା ବୋଲି ଡକେଇଥିଲା କହିଲି ପରା-।’

 

‘ତାରି ଦୟାରେ ଆମର ଜୀଉଣା, ଜାଣିଛୁ ତ ପିଓଟି, କାମ ଯଦି ଥାଏତ ସଞ୍ଜବୁଡ଼େ ତା ଘରକୁ ଯାଇ କରିଦେଇ ଆସୁ ନାହିଁ କାହିଁକି ? ଗାଁ ଭିତରେ ମଣିଷ ତ ସେହି, କାହାକୁ ଆଉ କରିବା ଧରିବା ? ଗଲୁ ଆସିଲୁ, ଏମିତି ଛାଟିପିଟି ହୋଇ ପଳେଇ ଆସିଲେ ତାର କେମିତି ହେବ କହତ-?’

 

‘କାମ କରିବାକୁ ଲୋକ କ’ଣ ଅଭାବ ଅଛନ୍ତି ମା’ ?’

 

‘ନାହିଁ ସତରେ କହୁଚି, ମୁଣ୍ଡବାନ୍ଧିତ ସାରିଲୁଣି, ଯାଉନୁଁ ତା କାମଟା ଛିଣ୍ଡେଇଦେଇ ଆସିବୁ-’

 

‘ସଫାସୁତୁରା ହୋଇ ଛାଇ ଅନ୍ଧାରରେ ଖତ ମୁଣ୍ଡେଇ କ୍ଷେତକୁ ଯିବି ?’

 

‘ଖତ ମୁଣ୍ଡେଇବୁ !’

 

‘ଆଉ କାହିଁକି ଡାକିଥିଲା କି ସେ; ସେ କହିଲା ପରା,-ଏମିତି ଅଳସ ହେଲେ ମୋ କାମ ଚଳିବ ନାହିଁ, ଆଜୋହୁଁ କ୍ଷେତକୁ ଖତ ପାଉଁଶ ନ ବୋହିଲେ ପାଚିବ କ’ଣ, ଖାଇବା କ’ଣ ?’

 

‘ଆଉ କିଛି କହିଲା ନାହିଁ ?’

 

ପିଓଟି ଭାରି ହସିଲା, ତାର ମନର ସବୁ ଅଭିମାନ ମା’ ଉପରକୁ ଫୋପାଡ଼ି ମାରିଲା ହସରେ । ମା’ ବିରକ୍ତ ହେଲା । ‘ତାର କାମଟା ଭଲକରି କର ପିଓଟି, ମୋ କଥାକୁ ହସରେ ଉଡ଼େଇ ଦେଉଛୁ ?’

 

‘ଖତ, ମାଟି, ଗୋବର, ତାଷ ଯାହା ବତୋଉଛି ସବୁ ତ କରୁଛି ମା’, କେଉଁଥିରେ କିଛି ହେଳା ଅଛି ?’

‘ହଉ ତତେ ଯାହା ଭଲ ଲାଗୁଛି ଲୋ ଝିଅ-’

 

ଦୁହେଁ ତୁନିତାନି । ଚିଡ଼ୁଥାଉ ସେ । ଯେ ନ ବୁଝି ଚିଡ଼ିବ ତାକୁ ଉପାୟ କ’ଣ ? ପିଓଟି ଭାବୁଥାଏ । ମା’ ଚାହେଁ ସେ ହାର୍ଗୁଣାକୁ ପାଲରେ ପକାଉ, ବିଭା ହେଉ, ଗାଁ ମାଟିରେ ଚେର ଆହୁରି ଗହୀରକୁ ଭେଦିବ, ମା’ ଦେଖିବ । ନିଜର ରୁଚିକୁ ଅପମାନ ଦେଇ ଥୋଡ଼ାଏ ବାଟ ସେ ଓହ୍ଲେଇଯାଇଛି, ତା’ଠୁ ତେଣିକି ସବୁ କପାଳ ।

 

‘ବୁଝିଲୁ ପିଓଟି, ହାର୍ଗୁଣା ପରି ଲୋକେ କପାଳରେ ଥିଲେ ମିଳେ । ମୁଁ ମା’, ତୁ ଝିଅ, ଆଉ ଅଧିକ ତତେ କ’ଣ କହିବି । ଆମର କେହି ନାହିଁ, ପରର ଦୟାକୁ ଆମର ନିର୍ଭର । ତୁ ଯଦି ବିଭା ହୁଅନ୍ତୁ ମୋର ବୋଝ ଖସନ୍ତା, ମୁଁ ନିଶ୍ଚିନ୍ତ ହୁଅନ୍ତି । କାହିଁକି ଆଉ ଏତେବାଟ ମୁଁ ଧାଇଁ ଧାଇଁ ଆସିଛି ? ମୋର ତ ଗୋଟାଏ ପେଟ-’

 

‘ମୋର ବି କ’ଣ ଦି’ଟା ପେଟ ମା’ ?’

‘ହଉ ତୋର ଯାହା ଇଚ୍ଛା ।’

 

ଟିକିଏ ରହେ, ପୁଣି କହେ, ନିତି କହେ, ଉସ୍କାଏ ଖେଞ୍ଚେ । କ’ଣ ସେ ଭାବିଛି ? ସେ ବୁଝେ ନାହିଁ, ବୁଝିବାକୁ ଚେଷ୍ଟା କରେ ନାହିଁ । ଭାବେ ସେ ଯେମିତି ପାଂଣିଆଣୀ, ମଣିଷକୁ ବାଘ କରିଦେବାକୁ ତାର ଦୁଃସାହସ, ସମସ୍ତିଙ୍କର ସେହିପରି ହୋଇଥିବ ।

 

ଦୀର୍ଘଶ୍ୱାସ ପକେଇ ପିଓଟି ଉଠିଲା । ଆଜି ତୋଫାନ ନାହିଁ, ସୁନ୍ଦର ସଞ୍ଜ ହୋଇଛି । ଏମିତି ସଞ୍ଜରେ ପରା ମନେହୁଏ, କିଏ ସେ ଯଦି ଆସନ୍ତା ।

 

‘ଠିଆଟା ହେଇ କ’ଣ ଭାବୁଛୁ ଝିଅ, ଏତେ କ’ଣ ଭାବୁ ? ଯାଉନୁ ବୁଲି ଆସିବୁ । ଯା-।’

‘ହଁ-’

 

ଅନ୍ୟମନସ୍କ ହୋଇ ପିଓଟି ବାହାରି ପଡ଼ିଲା । ଦୂରର ମାଳ ଉପରୁ ଆଖି ଖସେଇ ହେଉ ନାହିଁ । ନିଭି ଯାଉଥିବା ମଳିନ ଛାଇ ସେଠି, କାହାର ଗହୀର ଦୁଃଖର ମୂକ ଚାହାଣି ପରି ।

 

ଏମିତି ସଞ୍ଜରେ ମନେପଡ଼େ, ଯାହା ତାକୁ ଆନନ୍ଦ ଦେଇଥା’ନ୍ତା ସେଥିରୁ ସେ ତଡ଼ା ଖାଇଛି । ୟେ ପୃଥିବୀ ତାର ନୁହେଁ, ୟେ ମଣିଷ ତାର ନୁହନ୍ତି, ସେ ଧରି ରଖିପାରି ନାହିଁ, ଜୀବନ ତାକୁ ଫାଉ ମାରିଛି ।

 

ଦାଣ୍ଡରେ ଗହଳି ବଢ଼ିଲାଣି । ପଞ୍ଝା ପଞ୍ଝା ଲୋକ । ପିଲାଏ ଢୋଲ ପିଟିଲେଣି, ଧାଂଡାମାନେ ଫୁଙ୍କିଲାଗିଲେଣି କନ୍ଧ ବଇଁଶୀ । ଅନ୍ଧାର ଭିତରେ ଛାଇପରି ତୁନିତାନି ଘରଣୀମାନେ ଝୋଲାକୁ ଯା’ଆସ ଲଗେଇଛନ୍ତି । ଏତେ ଲୋକ । ତା’ ପାଇଁ କିଏ ?

 

ସେ ଅଚିହ୍ନା ।

 

ଗୁମ୍‌ସାନୀ ବୁଢ଼ୀ ଘର ଆଗରେ ଛୋଟିଆ ଫଙ୍ଗତଟିଏ ବସିଛି । ଟୋକୀ ବୁଢ଼ୀ ମିଶି ତାରି ଆଡ଼କୁ ଆଙ୍ଗୁଠି ଦେଖେଇ ଫୁସ୍ ଫୁସ୍ କରି କେତେଜଣ କ’ଣ କହୁଛନ୍ତି । ସେମାନେ କହନ୍ତି । ଶୁଣି ଶୁଣି ଅଭ୍ୟାସ ହୋଇଗଲାଣି । ଗୁମ୍‌ସାନୀ ଡାକିଲା ‘ଆଲୋ ଝିଅ, କୁଆଡ଼େ ଯାଇଥିଲୁ ?’ ପିଓଟି ଆସି ବସିଲା । କଥା କଥାକେ ସେ ଦେଶର ଗପ, ତଳଦେଶର, ସେମାନେ ପଚାରନ୍ତି ସେ ବଢ଼େଇ କହେ । ସଞ୍ଜବୁଡ଼େ କ’ଣ ହେଉଥିବ ସେ ଦେଶରେ ? ଘରେ ଘରେ ବାଜା ବାଜୁଥିବ, କି ସୁନ୍ଦର ସେ ବାଜା ! ଲୋକେ ମଦ ପିଉଥିବେ, ଗୀତ ବୋଲୁଥିବେ, ନାଚୁଥିବେ । କୋଠାର କଥା, ଗାଡ଼ିର କଥା, ମଣିଷଙ୍କ କଥା । ସେଇଠି ପିଓଟି ଭାବେ ସେ ଜିତେ । କେଉଁ ଶୁଣାଣି ଆଁ କରି ଅନେଇ ରହିଥାଏ ଯେ ତାର ଆଉ ଆଁ ବୁଜେ ନାହିଁ, କାହାର କେବଳ ‘ଆ-ହା, ଚୁ-ଚୁ’ କେହି ବି ମିଛ ମଣେ, ତର୍କ କରେ, ହସେ, ହସାଏ । କେତେ ସେ ଗପିଲାଣି, ଶୁଣି ଶୁଣି କାବା ହୋଇ ସେମାନେ ଉଠିଯାଆନ୍ତି । ଯେତେ ସେ ତାଙ୍କର ହେବାକୁ ମନକରେ ତାର ଗପ ତାକୁ କରେ ପର । ଜଣେ ମଣିଷ ଆଉ ଜଣେ ମଣିଷର ବଡ଼ତି ପାଖେ ମୁଣ୍ଡ ନୁଆଁଏ, ନୋହିଲେ ଉଠି ଚାଲିଯାଏ । ନିଜକୁ ଛୋଟ କରି ପରକୁ ବଡ଼କରି ଆଖି ଆଗେ ଥାପି ରଖିଲେ ବଣୁଆ ମଣିଷର ମନ ଊଣା ହୁଏ ।

 

କେତେଦିନ ଏହିପରି ଗପୁଥିବ ସେ ? କଥା କଥାକେ ସେହି ଅଶୋଭନ କୁତୂହଳ ‘ଏଡ଼େ ଭଲ ରାଇଜ ଛାଡ଼ି କାହିଁକି ଚାଲିଆସିଲ ନୁନି ? କ’ଣ ହେଲା ?’ ହାର୍ଗୁଣା ବସି କଥା ଶୁଣେ-। ସେ ମତାମତ ଦିଏ ନାହିଁ । ବୁଢ଼ାମାନେ ବି ମତାମତ ଦିଅନ୍ତି ନାହିଁ । ଖାଲି ମୁଣ୍ଡ ଟୁଙ୍ଗାରନ୍ତି ଯେ ସେମାନେ ବି ଜାଣନ୍ତି । ଗପୁ ଗପୁ ବେଳ ଘଡ଼ିଏ ହେଲାଣି ଟୋକୀମାନେ କେତେବେଳୁ ଗଲେଣି । ଖାଲି ଗୁମ୍‌ସାନୀ ଆଉ ସେ ।

 

‘ଆମ ଗାଁ ତତେ ଭଲ ଲାଗୁଛି ନୁନି ?’

 

‘ଲାଗୁଛି-’

 

‘ଏତେ କଥା ଜାଣିଲୁ ଏତେ ଦେଶ ଦେଖିଲୁ, ବିଭାହେବୁ ନାହିଁ ଏମିତି ଥିବୁ ନୁନି-?’ କି ଜବାବ ଦେବ ସେ । ‘ଆମ ଗାଁର ସାଓଁତା, ହିକୋକା ହାର୍ଗୁଣା ।’ ଚାଲିଲା ଯେଉଁଠି ତାର ମା’ର ବନ୍ଧୁ ସେଠି ହିକୋକା ହାର୍ଗୁଣାର ଗପ । ଚାରିଆଡ଼ୁ ସେହିକଥା ଖାଇ ଗୋଡ଼ଉଛି, ମନେ ମନେ କନ୍ୟା ଦେଖିଲେ ବର, ବର ଦେଖିଲେ କନ୍ୟାଲୋକେ ବଛାବଛି କରୁଥା’ନ୍ତି ପରପାଇଁ । ଅସମ୍ଭାଳ ଲାଗିଲା-। ପିଓଟି ଉଠି କହିଲା ‘ମୁଁ ଯାଉଛି ।’

 

ବିଭା ନ ହୋଇ ବଢ଼ି ଉଠୁଥିଲେ ସମାଜର ଲୋକେ ଖେଞ୍ଚା ମାରନ୍ତି, ଷଡ଼ଯନ୍ତ୍ର କରନ୍ତି ।

 

ସାହିମୁଣ୍ଡରେ ହାର୍ଗୁଣାର ଘରଟା ପାଖେଇ ଆସୁଛି । ତା’ପରେ ପୁଣି ସେ କୁଡ଼ିଆକୁ ଫେରିଯିବ, ଦିନଟାଏ ଗଲା । ମା କହିଥିଲା ସଞ୍ଜବୁଡ଼େ ସାଓଁତା ଘରକୁ ଯିବୁ । ମା’ ଜାଣେ ନାହିଁ, ଉପରେ ପଡ଼ି କେତେଲୋକଙ୍କ ସଙ୍ଗେ ସେ ଆଳାପ କରିବାକୁ ଯାଏ । କେତେ ସାଜ, କେତେ ସୁବିଧା ଉଣ୍ଡାଉଣ୍ଡି । ସବୁ ଟୋକାଙ୍କର ମନମାଫି ଝିଅ ଅଛନ୍ତି ଯେଉଁଠି ତାଙ୍କୁ ସଜ ପଡ଼େ । ତାଠି ସମସ୍ତେ ଅସଜ । ବାଉରି ସାହିରେ ମାଣିକ । କି ବୁଝିବେ ତାର ମୂଲ ଏମାନେ ।

 

ହାର୍ଗୁଣା ତାର ପିଣ୍ଡାରେ ଏକୁଟିଆ ବସିଛି । ଖାଲି ପିଙ୍କା ଜାଳୁଛି । ପିଓଟି ପାଖେଇ ଆସିଲା । ଖଣ୍ଡିକାଶରେ ତାର ଦୃଷ୍ଟି ଆକର୍ଷଣ କଲା । ହାର୍ଗୁଣା ଚଙ୍କିଲା ନାହିଁ । ଜାଣିଶୁଣି କେତେଥର ହାର୍ଗୁଣା ସଙ୍ଗେ ସେ ଏକୁଟିଆ ହୋଇଛି । ତଳିପାରୁ ମୁଣ୍ଡଯାକେ କନ୍ଧର ବିଶିଷ୍ଟ ଦୃଷ୍ଟିରେ ତାକୁ ଥରେ ଅନେଇଁ ନେବା ଛଡ଼ା ହାର୍ଗୁଣା ଆଉମିତି ହୋଇ ନାହିଁ । ଲେଙ୍ଗୁଟିମରା କନ୍ଧଭେଣ୍ଡିଆ, ଗାଁଯାକଙ୍କର ଏତେ ମାନ୍ୟ ଏହିଆକୁ ?

 

ମୂଲିଆଠୁ ବଳି କାମ କରେ । ବାକି ସବୁଥିକି ଏଡ଼େ ଓଲୁ !

 

ହାର୍ଗୁଣା କାଠ ହାଣୁଥିବା ଝୋଲାକୂଳରେ ଜାଣିଜାଣି ସେ ଗାଧେଇଛି, ବାଳ ଶୁଖେଇଛି-। ତାର କାମ କଲାବେଳେ ଜାଣି ଜାଣି ବିଚିତ୍ର ଚାହାଣି ଛିଞ୍ଚାଡ଼ି ଛିଞ୍ଚାଡ଼ି ହାର୍ଗୁଣା ମୁଣ୍ଡକୁ ସେ ବୋଝ ଟେକିଦେଇଛି, କେତେଥର ଦେହକୁ ଦେହ ଲାଗିଛି । ତଥାପି ହାର୍ଗୁଣା ପାଟି କରିବ-’କାମ କର, ବସ ନାହିଁ ।’ ସେ କେବଳ ଲଙ୍ଗୁଳୀ କନ୍ଧ ନୁହେଁ, ପଥୁରିଆ ମଣିଷଟାଏ, ସ୍ନେହ ସହାନୁଭୂତିରୁ ବଞ୍ଚିତ-। ମା’ ଏସବୁ ଜାଣେ ନାହିଁ, ଜାଣିଲେ କ’ଣ ଥାଏ ବା-

 

ହାର୍ଗୁଣା ଘର ଓଳିତଳେ । ‘ବସିଛୁ ସାଓଁତା ?’

‘କିଏ ସେ, ପିଓଟି ?’

 

ସେ ହାର୍ଗୁଣାକୁ ଘୃଣା କରେ । ଯେତେ ପୁରୁଷ ନିଜକୁ ଉଞ୍ଚ ପର୍ବତ ବୋଲି ମଣନ୍ତି ସମସ୍ତିଙ୍କି ଘୃଣା କରେ । ଓଃ କି ତାଚ୍ଛିଲ୍ୟ ତା ତୁଣ୍ଡରେ, ଚିହ୍ନି ନାହିଁ ସତେ । ଗୋଟାଏ ଝିଅ ଗୋଇଠା ମାରିଦେଇ ଆଉ କାହା ସଙ୍ଗେ ମିଶି ପଳେଇଛି, ଠିକ୍ କରିଛି । ତଥାପି ଏଡ଼େ ଆଣ୍ଟ ଏ ପୁରୁଷର !

 

‘କାହା କଥା ଭାବୁଛୁ ସାଓଁତା ?’

‘କାହା କଥା ଭାବିବି ନୁନି, ମୋର ମୁଁ ବସିଛି କାହା କଥାରୁ ମୁଁ ପାଇବି କ’ଣ ?’

 

ଅନ୍ଧାର ଘୋଟିଲାଣି । ଯା ଆସ ନାହିଁ, ପିଓଟିର ମୁଣ୍ଡରେ ଖିଆଲ ଉଦେ ଦେଲା । ପିଣ୍ଡାତଳକୁ ଲାଗିଯାଇ ହାର୍ଗୁଣାର ମୁହଁ ପାଖକୁ ମୁହଁ ନେଇ ଫୁସ୍ ଫୁସ୍ କରି କହିଲା ‘ମୁଁ ଜାଣିଛି, ସାଓଁତା ଭାବୁଛି ସାଓଁତା ଝିଅକୁ, ମିଣିଆପାୟୁ ମନେପଡ଼ୁଛି ସାଓଁତା, ସତ କହିଲୁ, ନୁହେଁ ?’ କହିଦେଇ ପିଓଟି ସଁ ସଁ ହୋଇ ହସିଲା, ହସି ହସି ଗଡ଼ିଗଲା ।

 

ହାର୍ଗୁଣା ଚମକି ପଡ଼ିଲା । କହିଲା, ‘କୋଉଠୁ ପିଇ ଆସିଛୁ କି ନୁନି । ଯା, ଘରକୁ ଯାଇ ଥିରିହୋଇ ଶୋଇପଡ଼, ଏଦିନେ ବେଶୀ ପିଇଲେ ମୁଣ୍ଡକୁ ଧରେ ।’ ଖାଲି ପଥର ନୁହେଁ । ଧାରୁଆ ପଥର । ଥଣ୍ଡାପଥର ଏମିତି ସେ ଖେଞ୍ଚାମାରେ, କାଟି ପକାଏ । ‘ମଦ ପିଇଥିଲେ ବାସନ୍ତା ନାହିଁ ସାଓଁତା, ତୁ ଭାବୁଛୁ କିନା, ତତେ ସେମିତି ଲାଗୁଛି ।’ ପିଓଟି ହସିଲା । ‘ମୁହଁ ଶୁଙ୍ଘିବୁ ସାଓଁତା, ହେଇ ଦେଖ ହେଇ ହେଇ’, ପିଣ୍ଡା ଉପରେ ଦୁଇ ହାତ ଭରାଦେଇ ହାର୍ଗୁଣା ଆଡ଼କୁ ଝୁଙ୍କି ପଡ଼ିଥାଏ ପିଓଟି, ଉଷୁମ ନିଶ୍ୱାସରେ ହାର୍ଗୁଣାର ମୁହଁ ସିଝିଯାଉଥାଏ । ‘ହଉ ହଉ ହେଲା ହେଲା । ମତେ ପାଙ୍ଗିବାକୁ କିମିଆଁ କରିବାକୁ ଆସିଛୁ ଟୋକୀ ? ପାରିବୁ ନାହିଁ । ଘରକୁ ଯା ।’

 

ପିଓଟି ଆହୁରି ହସିଲା । ହାର୍ଗୁଣା କହିଲା, ‘ଠିଆହେଲୁ କାହିଁକି ? ଘରକୁ ଯା ତୋ ମା’ ଖୋଜୁଥିବ ।’ ଜଟାୟୁ (ହାର୍ଗୁଣା)ର ଆସନ ଟଳୁଥାଏ । ଆଶ୍ଚର୍ଯ୍ୟ ଲାଗୁଥାଏ । ଅନ୍ଧାର ରାତିରେ ଆପଣା ଘର ପିଣ୍ଡାପାଖେ ଏମିତିଭାବେ ତଳଦେଶର ଚଢ଼ାଉ ସଙ୍ଗେ ପରିଚୟ ଲଗାଇବାକୁ ତାର ସ୍ୱପ୍ନରେ ନ ଥିଲା । ପିଓଟି ଚାଲିଲା । ହାର୍ଗୁଣା ଆଶ୍ୱସ୍ତ ହେଲା । ଖଣ୍ଡେଦୂର ଯାଇ ପିଓଟି ଚିର୍ଚ୍ଚିରେଇଲା-’ଓଃ ! ସାଓଁତା ଓଃ ! ଡେଇଁପଡ଼ି ହାର୍ଗୁଣା ଧାଇଁଗଲା । ଟଳି ଟଳିକା ଛୋଟେଇ ଛୋଟେଇ ପିଓଟି ଫେରିଆସୁଛି, ତୁଣ୍ଡରେ ସେହି ବିକଳ ଚିତ୍କାର ‘ଓଃ’ ! ‘କ’ଣ ହେଲା ନୁନି, କ’ଣ ? କ’ଣ ?’

 

ତାହାରି ଉପରେ ଅଜାଡ଼ି ହୋଇପଡ଼ି ସାପପରି ତାହା ବେକରେ ବାହା ଗୁରେଇ ଦେଇ ପିଓଟି କହିଲା, ‘କ’ଣ କାମୁଡ଼ି ଦେଲା ପରି ଲାଗୁଛି । ଶୀତ କରୁଛି । ନେଇ ଚାଲ୍ ଆଗ ଦେଖୁଁ ।’ ହାର୍ଗୁଣାର ବୁଦ୍ଧି ହଜି ଯାଇଥିଲା । ବୋଝ କୁଣ୍ଢେଇ ପିଣ୍ଡା ଉପରକୁ ଉଠିଗଲା, ପିଣ୍ଡାରେ ଆଲୁଅ ନାହିଁ, ପିଓଟି ଡାକ ଛାଡ଼ିଚି ‘ଆଲୁଅ ପାଖକୁ ଆଲୁଅ ପାଖକୁ ।’ ରହିରହିକା ପିଓଟିର ଦେହ ଛଟପଟ ହୁଏ, ଆହୁରି ଜୋରରେ ଭିଡ଼ିଧରେ ତାର ଆଶ୍ରୟକୁ । ଓଲଟି ହାର୍ଗୁଣାର ଦେହରେ କମ୍ପ ଲାଗେ ।

 

ସେହିପରି ବୋଝବୋହି ଧକାମାରି ହାର୍ଗୁଣା ତା ଘରର କବାଟ ଖୋଲିଲା, ଭିତରେ ଚୁଲିରେ ଟିକିଏ ରଡ଼ନିଆଁ ଅଛି । ଅନ୍ଧାରରେ ଚୁଲିପାଖେ ପିଓଟିକି ସେ ଓହ୍ଲେଇଦେଇ ଶୁଆଇଦେଲା । ବ୍ୟସ୍ତହୋଇ ଚୁଲି ଫୁଙ୍କିଲା । ପିଓଟିର ଓଃ ଓଃ ବନ୍ଦ ହୋଇ ନାହିଁ । ‘କୁଆଡ଼େ ଗଲୁ ସାଓଁତା, ମତେ ଡର ମାଡ଼ୁଛି ! ଭାରି ପୋଡ଼ୁଚିଲୋ’ ଅସ୍ଥିରଭାବେ ଛଟପଟ ହେଉଥାଏ । ହାର୍ଗୁଣା ଆଶ୍ୱସ୍ତ ଦେଉଥାଏ, ‘ରହ ମୁଁ ଦେଖୁଚି ନୁନି, କିଛି ଡର ନାହିଁ-କିଛି ହେବ ନାହିଁ, ଚୁଲିଫୁଙ୍କି ଲାଗିଥାଏ-। ନିଆଁ ଜଳିଲା । ନିଆଁ ଖଣ୍ଡେ ନେଇ ହାର୍ଗୁଣା ତଲାସ କରିଗଲା । ‘କେଉଁଠି କାମୁଡ଼ିଲା’-? ‘ଏଇଠି’, ‘ଏଇଠି ?’ ‘ନା ନା ସେଠି ନୁହେଁ, ଏଇଠି ଏଇଠି ।’ ‘ଏଠି ?’ ‘ନା’ । ହାର୍ଗୁଣା ଝାଳେଇ ଯାଇଥାଏ । ‘ପାଇଲି ନାହିଁ ନୁନି ।’ କାନପାଖେ ଭାରି ଭାରି ନିଶ୍ୱାସ, କଠିନଭାବେ ତାକୁ ଧରି ରହିଛି ପିଓଟି, ନିଆଁଟା ଜଳି ଜଳିକା ହାର୍ଗୁଣାର ହାତଯାକେ ଆସିଲାଣି । ପିଓଟି ଫୁଙ୍କି ଦେଇ ନିଭେଇ ଦେଲା । ଘର ଅନ୍ଧାର । ଦମ ଦମ ଛାତିରେ ହାର୍ଗୁଣା ଶୁଣିଲା, ପିଓଟି ଧୀରେ ଧୀରେ ହସୁଛି । କିଏ ତାକୁ ବାନ୍ଧି ପକୋଉଛି, ଗୁଣ୍ଡ କରି ପକୋଉଛି । କେବଳ ଅନ୍ଧାର ଆଉ ସ୍ୱପ୍ନ । ସେ ନାହିଁ, ପିଓଟି ନାହିଁ, କେହି ନାହିଁ, କେବଳ ସ୍ୱପ୍ନ ।

 

ରାତି ପହରକୁ ଜିଣି ଯାଇଥାଏ । ଝାଳରେ ଗାଧେଇ ପିଣ୍ଡାରେ ଆସି ହାର୍ଗୁଣା ବସିଲା । ଚାରିଆଡ଼ ନିଶବଦ ପଡ଼ିଲାଣି । ମୁଣ୍ଡ ଭାରି ଭାରି ଲାଗୁଥାଏ । ହାଇ ଉଠୁଥାଏ । ବହୁତ ଭାବୁଥାଏ ହାର୍ଗୁଣା ସାଓଁତା । କିଛି ସେ ଜାଣିପାରୁ ନାହିଁ ଅଥଚ ସବୁକଥା ଏଥର ବାସ୍ତବ । ମନ ଭିତରେ ଦ୍ୱନ୍ଦ୍ୱ, ସ୍ୱପ୍ନ କି ସତ, ସତ କି ସ୍ୱପ୍ନ, ଅଳସ ଦେହ ଭୂଇଁ ଖୋଜିଲା । ଥଣ୍ଡା ପବନ ଟିକିଏ ଦେଲା । ହାର୍ଗୁଣା ଶୋଇଲା ।

 

ପିଓଟି ଘରକୁ ଫେରିଥିଲା । ହାର୍ଗୁଣାକୁ ସେ ବିଭା ହୋଇପାରିବ କି ନା ସେ ଜାଣେ ନାହିଁ, ମୁହୂର୍ତ୍ତକର ଜିତା ଦିନକର ଜିତା ନୁହେଁ, ହାର୍ଗୁଣା ତାକୁ ଛଳେଇଥିଲା, ପୁରୁଷର ସଂଯମର ତାହାର ମନରେ ଦ୍ୱେଷ କୁହୁଳିଥିଲା, ତାର ଯୋଡ଼ି ଭଲହୋଇଛି, କିନ୍ତୁ ମନ ଭିତର ଫମ୍ପା ଫାଙ୍କା, ସେଠି ଦ୍ୱେଷ ବି ଆଉ ନାହିଁ, ଆନନ୍ଦ ବି ନାହିଁ । ସବୁ ବିଜୟପରି ତାର ବିଜୟ ବି ଉଦାସ ପରାଜୟ-। ସମାପ୍ତି ପରେ ଦୁଃଖ ।

 

ମା’ ପଚାରିଲା, ‘ସାଓଁତା ଘରକୁ ଯାଇଥିଲୁ ?’

‘ହଁ କହିବାକୁ ଛାତି ପାଇଲା ନାହିଁ, ଡରି ପିଓଟି କହିଲା, ‘ନା’

‘ଗଲୁ ନାହିଁ ?’

 

‘କାହିଁକି ଯାଆନ୍ତି ? କାହିଁକି ମୋତେ ବିରକ୍ତ କରୁ ?’ କଇଁ ଆସୁଥାଏ, ପିଓଟି ପଦାକୁ ଗଲା । କାବା ହୋଇ ବୁଢ଼ୀ ତାକୁ ଅନେଇଁ ରହିଲା ।

•••

 

ଅଣାଅଶୀ

 

ସକାଳେ ହାର୍ଗୁଣା ସଙ୍ଗେ ପୁଣି ଦେଖା, ରାତିର ଛଳନା ଭାବି ଲାଜ ମାଡ଼ୁଥାଏ । ସେ ଯେଉଁ ସାନ୍ନିଧ୍ୟ ଢଳେଇ ଗଢ଼ିବାକୁ ଆଶା କରିଥିଲା କାହିଁ ତାହା ? ହାର୍ଗୁଣା ସମ୍ପୂର୍ଣ୍ଣ ନିର୍ବିକାର । କିନ୍ତୁ ନା, ରକ୍ତ ମାଂସର ଦେହ ତାର ବି । କ୍ଷେତରେ କାମ କଲାବେଳେ କ୍ଷେତପାଖ ବଣର ଛାଇତଳେ ବିଶ୍ରାମ ନେଲାବେଳେ ହସହସି ହାର୍ଗୁଣା ପଚାରିଲା, ‘କୋଉଠି କାମୁଡ଼ିଥିଲା କାହିଁ ଦେଖେଇଲୁ ନାହିଁ-। କେମିତି, ଭଲ ଅଛି ?’

 

ତାର ବ୍ୟଙ୍ଗ ପିଓଟିକୁ ହାଣି ଲାଗିଲା । ହାର୍ଗୁଣା ହସିହସି ପାଖକୁ ଆସିଲା, ‘ଏତେ ପାଠ ପଢ଼ାନ୍ତି ନା ତଳ ଦେଶରେ ?’ ପିଓଟି ପଳେଇଲା, ଧାଇଁ ଧାଇଁ ପଳେଇଲା, କେବଳ ଲାଜରେ ନୁହେଁ, ଭୟରେ । ହାର୍ଗୁଣା ପୁଣି କାମରେ ମନ ଦେଲା ।

 

ପାଖ ପାଖ ରହି କାମ କଲାବେଳେ ପିଓଟି ଭାବୁଥାଏ ଗଡ଼ି ଗଡ଼ି କେଉଁଠି ଏ ଚକ ଅଟକିବ । ଅନୁମାନ କରିପାରୁଥାଏ, ହାର୍ଗୁଣା ତାର ପିଛା ନେବ, ହୁଏତ ମୁହୂର୍ତ୍ତକର ଖେଳତାମସା ପାଇଁ ହାର୍ଗୁଣାର ଗୋଡ଼ତଳେ ବାନ୍ଧିହୋଇ ରହିବାକୁ ପଡ଼ିବ ତାକୁ, ଚିରଦିନ ମା’ ଖୁସିହେବ, ଗୁମ୍‌ସାନୀ ଖୁସି ହେବ । କିନ୍ତୁ ତାର ଆପଣାର ଦୂରନ୍ତ ମନ ? ହାର୍ଗୁଣା ତହିଁରେ ଗୋଟାଏ ଖେଳ ଛଡ଼ା ଆଉ କିଛି ନୁହେଁତ । ଭାବେ ହାର୍ଗୁଣାକୁ ଡରୁଛି ସେ, ଯୋଦ୍ଧା ପରି କୋଦା ସବଳ ମଣିଷ, ବୟସ ବେଶୀ ନୁହେଁ, କିନ୍ତୁ ପୁରୁଷ ପିଲା । ସେହି ଭୟର ପତିଆରା ଦେଇ ସତର୍କ ରହିବାର କାରଣ ସୂଚେଇ ବାରମ୍ବାର କଣେଇଁ କଣେଇଁ ସେ ହାର୍ଗୁଣାକୁ ଚାହେଁ, ଦୂରର ଲମ୍ବା ଦୃଷ୍ଟି ମାଣ୍ଟେଇ ମାଣ୍ଟେଇ ହୁଏ ହାର୍ଗୁଣାର ଦେହରେ ମୁହଁରେ । ଲଣ୍ଡା ପର୍ବତ ଉପରେ ତାଙ୍କର ତଷାତଷି କାମ; କାମକଲା ଟୋକୀ ସେ ଏକା ନୁହେଁ, ପୁରୁଷ କେବଳ ହାର୍ଗୁଣା ନୁହେଁ । ଦ୍ୱିପହରେ କାନ ପାଖେ ଆସି ହାର୍ଗୁଣା କହିଦେଇଗଲା, ‘କାଲି ସେହି ଯେ ଚମକି ପଡ଼ିଥିଲୁ କ’ଣ କାମୁଡ଼ି ଦେଲା ବୋଲି, ସେଇଥିପାଇଁ ପରା ମଠ ମଠ ହେଉଛୁ, କାମ କରିବାକୁ ଦେହ ନିସତ ଲାଗୁଛି ।’

 

ପିଓଟି ‘ଭାକ୍’ ବୋଲି କହି ମୁହଁ ଉଠେଇଲାବେଳକୁ ହାର୍ଗୁଣା ସେଠି ନାହିଁ, ଦୂରକୁ ଯାଇ ଆହୁରି କେଉଁ ଦଳକୁ କାମ ବତୋଉଛି । ଗୋଟାକଯାକ ଖରା ପିଠିରେ ଭାଙ୍ଗିଲା, କାହିଁ ହାର୍ଗୁଣାର ଉଚ୍ଛନ୍ନ ପଣିଆଁ ? ଲେଙ୍ଗୁଟିମରା ଲୁହାର ମଣିଷ ପରି କନ୍ଧ ଭେଣ୍ଡିଆ, କାମ କରୁଛି ନା କାମ କରୁଛି, କୋଡ଼୍‌କି ଧରି ପଥର ଉପରେ ମାରି ଚାଲିଛି, ଏକା ଧ୍ୟାନକେ । କ’ଣ ତାର ସ୍ୱପ୍ନରେ ଅଛି ? ପିଓଟି-? ଆଉ କେଉଁ ଝିଅ ? ନା, ତାର ‘କାମର’ ଭୋକ ନାହିଁ, ସଭ୍ୟ ମଣିଷ ପରି ତାର ଭାବନା ଭିତରେ ନାହିଁ ଦୁର୍ବଳ ଓଦା ଲୁଙ୍ଗୁଡ଼ା ଚିନ୍ତା, ଶାଢ଼ିର ଧଡ଼ି, ମୁଣ୍ଡତେଲର ବାସ୍ନା, ଛାତିଫଟା ଦୀର୍ଘଶ୍ୱାସ-। ବିକାର ସେଠି ହୃଦୟର ଫଲ୍‌ଗୁ ଧାରା ହୋଇ ସମ୍ମାନ ପାଏ ନାହିଁ, ସେପରି ଲୋକକୁ ଏକା ନାକଟେକାରେ ସିଧା କରିଦେଇ କୁଭି କନ୍ଧ କହେ, ‘ଦୁନିଆଁ’ ।

 

ହାର୍ଗୁଣା ଲାଗି ପଡ଼ିଛି । ପର୍ବତ ଉପରେ ତାର ତାଷ ପାଚିବ, ସୁଆଁ, ମାଣ୍ଡିଆ, ଅଳସି । ବଣ ପରି ତାର ତାଷ ମାଡ଼ିଯିବ, କଙ୍କରରୁ ଉପୁଜିବ ମଣିଷର ଖାଦ୍ୟ । ପରିଶ୍ରମ ତାର ଔଷଧ । ଝାଳର ମୂଲ ତାର ଧ୍ୟେୟବସ୍ତୁ । କିନ୍ତୁ ପିଓଟି ରହିରହିକା ତାର ମୁଣ୍ଡଟାକୁ ଫାଡ଼ିଦେଖିବା ଚାହାଣିରେ ଅନେଇଁ ଥାଏ । ଦେଖେ ସମସ୍ତେ ସେହିପରି କଳପରି ଲାଗିଛନ୍ତି । କେଡ଼େ ଅଶିକ୍ଷିତ ବର୍ବର ଜାତି, କାମ ଭିତରେ ସୁଆଗ ନାହିଁ, ଖାଲି କାମ । ପଛଆଡ଼ୁ ଥଟ୍ଟା ଶୁଭେ ‘ଦେଖ ତଳଦେଶର ଟୋକୀ କେତେ କାମ କଲାଣି ।’ ‘ତଳଦେଶର ଲୋକ ଦିଶନ୍ତି ଫୁଲା ଫୁଲା, କଡ଼ାକର ଜୋର୍ ନାହିଁ ।’ ‘କାମ କଲେ ହାତଗୋଡ଼ରେ ବିଣ୍ଡି ପଡ଼େ ମ, ନ ହେଲେ କାହିଁକି ଅଳସ ଧରନ୍ତା ?’ ‘ଖାଇଲେ କିନ୍ତୁ ପେଟ ଖରାପ ହୁଏ ନାହିଁ, ସେତେବେଳକୁ ଅଳସପଣ ନ ଥାଏ ।’ ମୁହଁ ବୁଲେଇ ଦିଏ, ଲୋକେ ଦାନ୍ତ ନେଫେଡ଼ି ଦେଇ ହସୁଥା’ନ୍ତି । ତାର ଗୋଲ ବାହା ଆଉ ବାଙ୍କ ଚାହାଣିର ମୂଲ୍ୟ ଏମାନଙ୍କଠି ନାହିଁ । କି ବିକଟାଳ ହସ ! ମରି ସରି ପିଓଟି କାମ କରେ । ଅଭ୍ୟାସ ନାହିଁ । କଷ୍ଟ ହୁଏ ।

 

ଏହି ମୂଲିଆ ଜୀବନ ଆଦରି ଦୁଃଖ ପାଇବାକୁ ଏତେ ବାଟ ମା’ ତାର ଦଉଡ଼ି ଆସିଥିଲା-? ସବୁଦିନ ପରି ଶୁଖି ସେନ୍ତେରା ହୋଇ କଇନ୍ଥା ବାଇଗଣ ପରି ପିଓଟି ଘରକୁ ଆସିଲା-। ପୁଣି ମା’ କହିଲା, ‘ଯାଉନୁ କୁଆଡ଼େ, ମଣିଷ ତତେ କ’ଣ ଗନ୍ଧାନ୍ତି ?’

 

କୁଆଡ଼େ ଯିବାକୁ ଇଚ୍ଛା ନ ଥିଲା, କିନ୍ତୁ ରାତି ବଢ଼ିଲାଣି, କାଲିର ବେଳରେ ଆହୁରି ଥରେ ଆସିଲା କାଲିର ଚିନ୍ତା । ଦମ ଦମ ଛାତିରେ ସାଓଁତା ଘର ଓଳିତଳ ଅନ୍ଧାରରେ ପିଓଟି ଠିଆ ହେଲା ।

 

ପିଣ୍ଡାରେ କେହି ନାହିଁ, ସାଓଁତା ନାହିଁ ।

 

ବେଳ ମାଣ୍ଟେଇବାକୁ ପାଖରେ ଅନ୍ଧାରରେ ପିଓଟି ବସିଲା, ବହୁତ ବେଳ ବସି ରହିଲା । ଶବ୍ଦ ଧରିବାକୁ କାନ ପ୍ରସ୍ତୁତ ଥାଏ । କି ନିଶ୍ଚଳ ରାତି, ଖୁଡ୍‌ କରି ଟିକିଏ ବି ନାହିଁ ।

 

ପିଣ୍ଡା ଉପରେ ତାର କିଛି କାମ ନାହିଁ, ପିଣ୍ଡା ଉପରକୁ ସେ ଯିବ ନାହିଁ, ଘରେ କେହି ଥାଉ ବା ନ ଥାଉ । ଦି ଥର କାଶିଲା, କେଉଁଠି ତାର ଜବାବ ନାହିଁ । ପିଓଟି ଘରମୁହାଁ ଚାଲିଲା । ଖଣ୍ଡେଦୂର ଯାଇଥାଏ ପଛରୁ ହାର୍ଗୁଣା ସାଓଁତାର ସୋଭେନା କନ୍ଧର ପାଟି ଶୁଭିଲା । ବୁଲିପଡ଼ି ଚାହିଁଲା । ଅନ୍ଧାରରେ ଦାଉ ଦାଉ ଦିଟା ପିଙ୍କା ଆଗ, ଖଣ୍ଡେ ଛଡ଼ା, ପାଖ ପାଖ ହୋଇ ଆସୁଛି, ବଡ଼ ପାଟିରେ ଦୁହେଁ କଥା କହୁଛନ୍ତି । କୌଣସି ଗୋଟାଏ ତର୍କ ।

 

କାଲିର ବେଳ ଆଜି ବଦଳିଯାଇଛି । ଆଜି ଆଉ ‘ଉ ଉଃ’ ବୋଲି ପାଟି କଲେ କେହି ଶୁଣିବେ ନାହିଁ । ଏତେ ଜାଣି ଏତେ ବୁଝି ମନରେ ବ୍ୟର୍ଥ କୁତୂହଳ ଖାଲି ମାଡ଼ ମୂଲେଇବାକୁ ବାରମ୍ବାର ଆଗେଇ ଯାଏ ପରା । ନା, ତା ସମ୍ବନ୍ଧେ ନୁହେଁ । ହାର୍ଗୁଣା କହୁଥାଏ, ‘ବିଲେଇ ଝୋଲା ଭିତ୍ରେ ଭିତ୍ରେ ସଳଖେ ସଳଖେ ବାଟ ନେଇଗଲେ ତ ଶଗଡ଼ ଲଛ୍‌ମୀପୁରା ଚାଲିଯିବ, ତୁ ଆର ବାଟଟା କାହିଁକି କହୁଛୁ ?’ ସୋଭେନା କହୁଥାଏ ‘ଖାଲ୍‌କଣା ଛାଡ଼ି ବିଲେଇ ଝୋଲା କାହିଁକି କିନ୍ଦ୍ରିବୁ-? କ’ଣ ଚମ୍ପା ଗାଁ ଯିବୁ ?’ ‘ହଉ ତୁ ଆ କଥା ଶୁଣ ।’ ସେହି ପିଣ୍ଡାରୁ ପାଟି ଶୁଭୁଥାଏ ।

 

କାଲିର ସ୍ୱରକୁ ଅନୁକରଣ କରି ମନ ଭିତରେ ‘ଉଃ ଉଃ’ କହି ପିଓଟି ଘରକୁ ଫେରିଗଲା, ସେହି ତା ମନର ସଙ୍ଗୀତ । ଆଜିର ରାତିରେ ତାର ଜବାବ୍ ନାହିଁ ।

 

ଦିନୁଦିନ ଲାଗିରହେ କନ୍ଧିଆ ଭାଇର କାମ, ବରଷା ଋତୁ ଅଳ୍ପେ ଅଳ୍ପେ ଆସୁଛି, ଆଗରୁ ସବୁ ତଷାତଷି ଶେଷ ହେବ । ଦିନୁଁ ଦିନ କାମରେ ମାତିରହେ ହାର୍ଗୁଣା ସାଓଁତା କେତେଥର ଏକାଠି ହୋଇ ପିଓଟି କାମ କରେ, ହାର୍ଗୁଣା ଯେପରିକି ଚିହ୍ନେ ନାହିଁ ସେ ପୁରୁଷ କି ସ୍ତ୍ରୀ, କାମର ଘଣାରେ ସମସ୍ତେ ଖାଲି ଦି ଦିଟା ହାତ, ତାଠୁ ଅଧିକ ନୁହେଁ କେହି । ଏଇଟା କର୍-ସେଇଟା କର୍-ଏଇଟା ହେଲା ନାହିଁ-ସେଇଟା ହେଲା ନାହିଁ-ବାହାରର ନୂଆ ଶିକ୍ଷାରେ ଶିକ୍ଷିତ ପିଓଟିର ନାରୀତ୍ୱ କାମିକା ମଣିଷଙ୍କର ସରଳ ନିର୍ଭରରୁ ବୁଝେ କେବଳ ଅବହେଳା, ଓଠରେ ଦାନ୍ତକୁ ମାଡ଼ି ନିଜକୁ କିଳିଦେଇ ପିଓଟି କାମ କରିଯାଏ, ଘୃଣା ଭିତରେ ଛପି ଛପିକା ଆସେ ରୋଗିଣା କୁତୂହଳ, କେମିତିକା ମଣିଷ ଏମାନେ, କଣ୍ ।

 

ଖରାବେଳେ ହୋଇଥାଏ । ଦି’ପହର ।

 

କିଏ କେଉଁ ଉପାୟରେ ବିଶ୍ରାମ ନେଉଥା’ନ୍ତି, କ୍ଷେତରେ ଥୋକେ ଅଛନ୍ତି, ପୁଣି ଏମାନେ କ୍ଷେତକୁ ଯିବେ । ଚନ୍ଦା ପର୍ବତ କ୍ଷେତକରର ଛାଇଆଳି ବଣ ଭିତରେ ପିଓଟି ପଶିଲା । ଅଥାନ ଥାନ କଣ୍ଟାଗଛରେ କୋଳି ହୋଇଛି । ଶୁଭିଯାଇଛି ତଳେ ଝରଣାର ଦୁରୁ ଦୁରୁ । ଝିରିଝିରେଇ କରି ପବନ ଟିକିଏ ଆସିଲା । ଗଛକୁ ଆଉଜି ପିଓଟି ବସିରହିଥାଏ, ଢାଲୁ ଆଡ଼କୁ ଆଖି । ସିଧାସିଧା ଶାଳବଣ, ସାବ୍‌ଜା ଚାନ୍ଦୁଆ ତଳେ ଖୁମ୍ବ ଗୁଡ଼ାଏ ଛାଡ଼ିଛାଡ଼ିକା । ଢାଲୁ ଆଡ଼କୁ ଝରଣା, ସେହି ଆଡ଼କୁ ତଳେ ତଳେ ବୁଦା ବଢ଼ିଛି, ଗଛର ଗଣ୍ଠିରେ ଛାପିଛାପିକା ସବ୍‌ଜା ଶିଉଳି ଚଢ଼ିଛି, ଅଗଛିଆ ଭିଡ଼ିଛି । ହାତୀକାନ ପରି ଗଛ ଉପରେ ଟାଆଁସିଆ ଛତୁ, ସେଥିରେ ବି ସାବ୍‌ଜା ଗୁଣ୍ଡା ଝଡ଼ିଛି ।

 

ହରିଣଟିଏ ଆସିଲା, ପଛେ ପଛେ ହରିଣୀଟିଏ, ଦିହେଁ ଗଡ଼ିପଡ଼ିଲେ ଢାଲୁ ତଳକୁ । ପିଓଟି ଅପେକ୍ଷା କଲା । ଛନ୍ଦରେ ଛନ୍ଦରେ ଖାଲି ଝରଣାର ଶବ୍ଦ । ଅବିରାମ । ସମୟର ଛାତି ଧୁକ୍‌ଧୁକି ପରି । ଦେହରେ ମାଟିର ଆକର୍ଷଣ, କେତେବେଳେ ତାର ମନେ ନାହିଁ । ସେହି ଅତଡ଼ା ଆଡ଼କୁ ହାର୍ଗୁଣା ସାଓଁତା ଓହ୍ଲେଇଗଲା, ପଛେ ପଛେ ଗୋଟିଏ ଟୋକୀ । ପିଓଟି ଡେଇଁପଡ଼ି ଠିଆହୋଇ ପଡ଼ିଲା । ବାଟ ଅବାଟ ଭୁଲି ତାଙ୍କ ପଛେ ପଛେ ଧାଇଁଲା । ତଳକୁ ତଳକୁ ବେଶୀ ବଣ-। କ’ଣ ତାକୁ ଠେଲୁଛି ଚାଲିଛି ସେ । ପାଗଳ ଲଗେଇଲା ପରି କେଉଁ ସନ୍ଧିରୁ ଦିଜଣଙ୍କ କଥାଭାଷାରୁ ଫାଳେ ଫାଳେ କେତେବେଳେ ପାଖରେ, କେତେବେଳେ ଦୂରରେ । ତାପରେ ସବୁ ଚୁପ୍‌ଚାପ୍ । ରନ୍ଥାଳି ହୋଇ ପିଓଟି ଆଗକୁ ଚାଲିଲା । ସାମ୍ନାରେ ଅତଡ଼ା ଛିଡ଼ିଛି ତଳର ଅଣଓସାର ଝୋଲାକୁ, ଅତଡ଼ାରେ ବାଟ ନାହିଁ, ତା ସେକରେ,-ଧାଡ଼ି ଧାଡ଼ି ହୋଇ ଜଙ୍ଗଲ ଭର୍ତ୍ତି, ପର୍ବତଶ୍ରେଣୀ, ପଛକୁ ପଛ, ଉପରେ ଆକାଶ ।

 

ଟେହି ଦେଲାପରି ମଣିଷର ସ୍ୱରପରି ଶବ୍ଦ ହୁଏ, ତୁନି ପଡ଼େ । ହାର୍ଗୁଣା ଦେଖା ନାହିଁ ସାଙ୍ଗର ମଣିଷ ଦେଖା ନାହିଁ । ପିଓଟି ବାଟ ଭୁଲିଥାଏ । ଛାଇ ଘୋଡ଼େଇଲା । ଦୁଃଖ ଆଉ ଔତ୍ସୁକ୍ୟ ଉପରେ ଭୟ ଅଜାଡ଼ି ହୋଇପଡ଼ିଥାଏ । ସେ ଏକା ।

 

ଧାଇଁଧାଇଁକା ବଣ ଘେରେଇ ହୋଇଯାଏ, ଟିକିଏ ରହି ପୁଣି ଗୋଟାଏ ଆଡ଼େ ସେ ପଶେ । ସବୁଠି ଏକା ଶାଳଗଛ । ସବୁଠି ଏକାପରି ଖାଲ ଢିପ । ସେଥିରେ ଚିହ୍ନଟ ନାହିଁ । ଗୋଟାଏ ଛୋଟିଆ ମୁଣ୍ଡିଆ ହାବୁଡ଼ିଲା, ବଡ଼ ବଡ଼ ପଥର କୁଢ଼ ଉପରେ ଅଗଛିଆ ଅଜାତି ଗଛର ସ୍ୱଚ୍ଛନ୍ଦ ବଜାର । କେଉଁ ରାଇଜ ଏ ? ଉପରକୁ ଅନେଇଲା, ସେହି ଶାବ୍‌ଜା ପତ୍ର ଠେଲାପେଲି । କେଉଁ ସନ୍ଧିରେ ତାର ଆକାଶରୁ ଛାଇ ନିଗିଡ଼ି ପଡ଼ୁଛି । ଥମ୍ବିଲା ପବନରେ ବର୍ଷା ପୂର୍ବର ବାସ୍ନା ।

 

ପିଓଟି ଆଶା ଛାଡ଼ିଥିଲା ।

 

ଖେଙ୍କୁଛି କିଏ ? କିଏ କାଶୁଛି କଷ୍ଟ ପାଉଛି ? ଏ ବଣର ଘାଉଁ ଘାଉଁ ମହୁମାଛି । ବଡ଼ ଜୋର୍‌ରେ ଦମଦମ ଶବ୍ଦକରି ପାଟିରେ ଟାକରା ଫୁଟେଇ ଫୁଟେଇ କ’ଣ ଗୋଟାଏ ଦୌଡ଼ି ଚାଲିଛି-

 

ପିଓଟି ପ୍ରାଣପଣେ ଦୌଡ଼ିଲା । କଣ୍ଟା ବାଜି ରକ୍ତ ବୋହିଯାଉଛି, ପୁଣି କଣ୍ଟାରେ ଚିରି ହେଉଛି, ଝୁଣ୍ଟୁଛି, ପଡ଼ୁଛି, ଉଠୁଛି ପୁଣି ଧାଉଁଛି କୋଳିପରି ଲୁହଗୁଡ଼ାକ ଝଡ଼ିପଡ଼ୁଛି, ପାଟିକରି କାନ୍ଦିବାକୁ ସାହାସ ନାହିଁ, ତଣ୍ଟି ପାଖେ ଭୟ । ପିଓଟି ଦୌଡ଼ୁଛି ।

 

ହଠାତ୍ ବଣ ସରିଗଲା । ସାମ୍ନାରେ ପଦା କ୍ଷେତ । ସେଠି ବି ଲୋକ ମୁଣ୍ଡ ନୁଆଇଁ କାମ କରୁଛନ୍ତି, କିନ୍ତୁ ଏଇଟା ତାଙ୍କର କାମ କରିବା ଜାଗା ନୁହେଁ । ବୁଲି ବୁଲି ପୁରୁଣା କ୍ଷେତକୁ ଫେରିଆସିଲା । ହାର୍ଗୁଣା ବସି କୋଡ଼କି ଚଳେଇଛି ନିର୍ବିକାର । କିଛି ପରିବର୍ତ୍ତନ ନାହିଁ । ଗାଲ ଦି’ଫାଳ ଆଖି ତଳକୁ ଅଳ୍ପ ଖସି ଯାଇଛି ପରା, ପିଓଟି ଭାବିଲା ।

 

ଆଶ୍ଚର୍ଯ୍ୟ ହୋଇ ଅନେଇଁ ଅନେଇଁ ହାର୍ଗୁଣା କହିଲା, ‘ଆରେ ଆମ ତଳଦେଶର ଟୋକୀ ଯେ, କୋଉଠି ଗଡ଼ୁଥିଲୁ ନୁନି, ଏ କ’ଣ ହେଇଚି ?’

 

କାହିଁ ସେ ଟୋକୀଟା ? ହେ ସେଠି କୋଡ଼୍‌କି ମାରୁଛି । ୟାଙ୍କରି ପାଇଁ ଏତେ ? ନିଜେ ଏକୁଟିଆ ଠିଆ ହୋଇଛି । କେହି ତା ଆଡ଼କୁ ଅନୋଉଁ ନାହାନ୍ତି । ମେଘ ଆସୁଛି । ତୋଫାନ ଉଠେଇଛି । ଦି’ ଗୋଡ଼ିଆ ମଣିଷ-ଜନ୍ତୁ ମୁହଁମାଡ଼ି କାମ କରି ଯାଉଛନ୍ତି ।

 

ଖାଲିଟାରେ ବକା ପରି ଠିଆ ହୋଇ ଅପ୍ରସ୍ତୁତ ଲାଗିଲା । ପିଓଟି ବି କାମରେ ଲାଗିଲା-

 

ହାତରେ ମୁହଁରେ ମାଟି, ଭିତରେ ମାଟି, ସେହିପରି ମୁହଁ ତଳକୁ କରି ମାଟିରେ ମିଶି ଅନବରତ କାମ କରିଯିବାକୁ ପଡ଼ିବ । ତା’ଠୁ ଅଧିକା ବଡ଼ ଜୀବନ ଭଲ ଜୀବନ ଏଠି ନାହିଁ । ପିଓଟି ଭାବିଲା । ଭାବିବାକୁ ତର ନାହିଁ, ଏକାଠି ସବୁ କ୍ଷେତରେ ସମସ୍ତେ ଲାଗି ପଡ଼ିଛନ୍ତି । ଗୋଷ୍ଠୀର ନୀତିରେ କାମ କରିଯିବାକୁ ପଡ଼ିବ । ଚାରା ନାହିଁ ।

•••

 

ଅଶୀ

 

ରୋଗଣା ମନରେ ଧାଇଁ ଆସୁଥିଲା ଦିଉଡ଼ୁ ସାଓଁତା, ଅସୁସ୍ଥ ମନ, ଘରର ଜିନିଷକୁ ମନ ହୁଏ ନାହିଁ, ଇଚ୍ଛାହୁଏ ପରକୁ । ତରତର ହୋଇ ବାଟ କଟିଯାଏ ନ ଦିଶୁଣୁ ଦିଶେ ବନ୍ଦିକାର, ପିଓଟି ମନେପଡ଼େ । ବାଟେ ବାଟେ ଆସନ୍ତା ଅନୁଭୂତି ସେ କଳ୍ପନା କରିଯାଏ, ପାପ ହେଉ କି ପୁଣ୍ୟ ହେଉ ହୃଦୟର ଆକାଂକ୍ଷାର ତୀବ୍ରତାରେ ତାର ଭବିଷ୍ୟତକୁ ଦିବ୍ୟଦୃଷ୍ଟି ହୁଏ । ସେ ଭାବିଯାଏ । ଗୋଟାଏ ଜୀବନରେ ଅଗଣିତ ଜୀବନ ଏହିପରି ବଞ୍ଚେ ମଣିଷ, ଚଳଚ୍ଚିତ୍ର ପରି ସେ, ସବୁ ଆସେ ଯାଏ । କେତେ ଅତୀତ, କେତେ ଭବିଷ୍ୟତ୍‍ । ଯାହା ତାର ସ୍ଥୂଳ ଦିନଗଣାରେ ଘଟି ନାହିଁ, ଘଟିବ କି ନାହିଁ କେହି ଜାଣେ ନାହିଁ । ଭାବର ଉଗ୍ରତାରେ କଳ୍ପନାର ଚାପରେ ଟଳି ଟଳିକା କେତେଥର ସିଧା ବାଟରୁ ଓଲଟି ପଡ଼େ ଗଡ଼ିପଡ଼େ ନିତିଦିନିଆ ବ୍ୟକ୍ତିତ୍ୱର ଗାଡ଼ି, ସୁସ୍ଥି ତାର ନାହିଁ, ଆକାଂକ୍ଷା ଦିଏ ନାହିଁ ଅଥଚ ଛନ୍ଦାଛନ୍ଦି ଧରାଧରି ଆକାଂକ୍ଷାର ଜାଲରେ ଏଡ଼େ ବଡ଼ ଆଖିଦରଶା ସୃଷ୍ଟି । ଦିନକୁ କେତେଥର ବାୟା ହୁଏ ମଣିଷ, ସେଥିରେ ବି ସୁଖ ପାଏ, ଘରକରଣା ସଜେଇ ରଖି ସୁଖ ପାଏ । ପୁଣି ତାକୁ ଓଲଟେଇଦେଇ ସୁଖ ପାଏ । ଅସ୍ଥିର ମଣିଷ, ଅଥଚ ସ୍ଥାଣୁ ସେ ମଣିଷ ଜୀବନର ଗତି, ମରଣର ସ୍ଥିତି । କି ବିଚିତ୍ର ସେ !

 

ସେଇ ଛାଇଟା, -ପିଓଟି ।

 

କେବଳ ନାରୀ, -ଗୋଟାଏ ପ୍ରକାର ଦେହ, ପୁୟୁର ଯାହ ପିଓଟିର ତାହା । ସେଇଟା ଦେହଟା, ମା’ର ଯାହା ଭାରିଯାର ତାହା ।

 

ନିତି ତାହା ସଙ୍ଗେ ପରିଚୟ ଜନ୍ମ ହୋଇଥିଲା, ଖିରକୁ ହାତରେ ଧରି ଖାଇଥିଲା । ସେହି ଖିର ପୁଣି ଭୋଗ କଲା, ସନ୍ତାନ ହୋଇ ଆସି ସନ୍ତାନ ଉପୁଜେଇବାକୁ ସେହି ଭୂଇଁରେ ମଞ୍ଜି ବୁଣିଦେଲା ।

ଅଥଚ ପିଓଟି-ସେ ପୁୟୁ ନୁହେଁ । ଦିଉଡ଼ୁ ସାଓଁତାର ଅସ୍ଥିର ମନରେ ପିଓଟି ପୁୟୁଠୁ ଭିନ୍ନ-। ପୁୟୁ କେଉଁ ଅତୀତ ଜୀବନର, ପିଓଟି ଆଜିର । ଦେହର ଅଣୁ ବଦଳି ବଦଳି ବାହାର ରୂପ ଭିତରେ ନୂଆ କଳେବର ହୋଇଛି, ମନର ଅଣୁ ନାହିଁ, ସେ ପରିବ୍ୟାପ୍ତ ଶକ୍ତି, ସେ ସ୍ୱାଧୀନ, ସେ ଖିଆଲି । ଆଜିର ମନରେ ପୁୟୁ ଭୁଲିହୋଇ ଯାଇଛି,-ବିକି ହୋଇ ଯାଇଛି, ହାଟରେ ବିକା ସରିଥିବା ପସରା ପରି (ଆଟାଙ୍ଗା ହାଙ୍ଗୁଡ଼ା)-ବାଟରେ ବିକିଲା ପରି (ମାଟାଙ୍ଗ ବାଚୁଲା)-ଆଜି ପୁୟୁ ନାହିଁ । ଲାଉତୁମ୍ବାରେ ବାସୀ ଖାଦି ଆଉ ଠୁଙ୍ଗାରେ ବୁଜୁଳିରେ ଦିନକର ପାଥେୟସ୍ୱରୂପ ମାଣ୍ଡିଆ କନ୍ଦା ଓ ହାଣ୍ଡି ବାନ୍ଧି ବାଡ଼ିରେ ଲଟକେଇ ବାଡ଼ି କାନ୍ଧେଇ ସେ ବାହାରିଥିଲା । ଅଣ୍ଟାରେ କୌପୁନି, ଶୋଇବାକୁ ଭୂଇଁହିଁ ଯଥେଷ୍ଟ । ଗଲାବେଳେ ବାଟରେ ଶୁଖିଲା କାଠ ଦିଖଣ୍ଡ ଭାଙ୍ଗିନେଇ ଶିଆଳୀ ଡୋରରେ ସେହି ବାଡ଼ିରେ ସେ ଝୁଲେଇ ନେବ, କାନ୍ଧରେ ଟାଙ୍ଗିଆ ପଡ଼ିଛି ।

ବଳିଷ୍ଠ ଦେହରେ ରୋଗର ଚିହ୍ନ ନାହିଁ । ବାଟ ପାଇଁ ବିଦେଶ ପାଇଁ ସେ ନିଶ୍ଚିନ୍ତ । କେବଳ ତାର ଖିଆଲ ।

କୁକୁଡ଼ା-ଡାକେ ସେ ବାହାରିଥିଲା । କନ୍ଧ ଯୁଆଡ଼େ ଗଲେ ସେହି ‘କୁକୁଡ଼ା-ଡାକେ’ । ଅନ୍ଧାର ଚାଲି ଯାଉଛି, ବେଳୁ ବେଳ ମନ ଉସତ । ବାଟରେ ଝୋଲାପାଖେ ସେ ନିତ୍ୟକର୍ମ ସାରିଲା-। ଉଞ୍ଚ ଖାଲ ଭୂମି ଉପରେ ଫରଚାର ଆଲୁଅ ଲହଡ଼ି ଖେଳିଲାଣି । ଧାଂଡୀ ଆମ ଖେନ୍ଦାର ସାନ ଘାଟି ଉପରକୁ ଉଠିଗଲାବେଳକୁ ନାଲି ଫିଟିଗଲାଣି ପୃଥିବୀ । ସାବୁଜା ନେଳିଆ ସୂର୍ଯ୍ୟ ଉଇଁଲା, ଦୂରରେ ଦିଶୁଛି ମିଣିଆପାୟୁ,-ମିଞ୍ଜିମିଞ୍ଜିକା-କ୍ଷେତର ତାଷ ଧୂଳି ଖାଲି ଅବିର ପରି । କିନ୍ତୁ ଦିଉଡ଼ୁ ସାଓଁତାକୁ ସକାଳ ନୁହେଁ, ତାର ଅନୁଭୂତିରେ ଥିବା-ଦେଖିବାର ପରଶ ନାହିଁ ।

ପ୍ରକୃତିର ଏତେବଡ଼ ହାଲୋଳମୟ କଳରବ ଆଉ ବିପ୍ଳବ, ସେ କେବଳ ପାଖେଇ ପଡ଼ିଛି, ଦିଉଡ଼ୁର ମନରେ ଛାଇନେଉଟା ବେଳର ବଣ, ନିଛାଟିଆ ବଣ, ଚଇତରେ ଶିକାର କରିବାକୁ ଆସି ନୂଆଜନ୍ତୁ ସଙ୍ଗେ ହାବୁଡ଼ା ହାବୁଡ଼ି ହେଲାପରି ସେ ପିଓଟିକୁ ପହିଲି କରି ଦେଖୁଛି । ତାର ପାଦ ବାଜି ବାଟ ଖସି ଖସି ପଛେଇ ଧାଇଁଲାବେଳକୁ ପୁଣି ସେ ଦୃଶ୍ୟ ବଦଳି ଯାଉଛି, ଶାଳବଣକୁ ପିଠି ଆଡ଼େଇଦେଇ ଝୋଲାକୂଳରେ ମିଣିଆପାୟୁ ଲୋକଙ୍କର ଯେଉଁ ଶିକାର ଛାଉଣୀ, ସେଠିକି ବାରମ୍ବାର ପିଓଟି ଆସୁଛି, ପିଓଟି ଆସୁଛି, ତାହାରି ସମ୍ପର୍କରେ ସମୟର ଘଡ଼ି, ସେହି ଘଡ଼ିରେ ସ୍ଥାନର ଦୃଶ୍ୟ, ବାହାର କିଛି ନୁହେଁ, ଭିତର ସବୁ ।

ଖାଲି ପିଓଟି ।

ଖାଲି ମନର ଗୋଟାଏ ଅବସ୍ଥା ।

ମିଣିଆପାୟୁ ଆଉ ବନ୍ଦିକାର ଏ ଦୁଇ ଗାଁ ମଝିରେ ସରିହାଦୁ ହୋଇ ପର୍ବତଶ୍ରେଣୀଟାଏ, ତାହାରି ଘାଟି ଧାଂଡୀଆମ । ପର୍ବତର ଉପରଟା ଚଟା ‘ଦମକ’ ଉପରେ ଉପରେ ବି ଚଲାବାଟ ପଡ଼ିଛି ଗାଁରୁ ଗାଁକୁ । ଧାଂଡୀଆମ ଠେଇଁ ଆଉ ଦଳେ କନ୍ଧଙ୍କ ସଙ୍ଗେ ଦେଖା । ଚିଲିଶଙ୍କା ଗାଁର ଦଳେ । ଡୁମ୍ବାଗୁଡ଼ା ହାଟକୁ ଚାଲିଛନ୍ତି । ଆରେ ସତେ ତ ! ଆଜି ହାଟକୁ ଯିବାର କଥା, ବନ୍ଦିକାର ଗାଁରେ ପୁରୁଷମାନେ ନ ଥିବେ । ଜାଣି ଜାଣି କ’ଣ ଏହି ଦିନ ବାଛି ସେ ବନ୍ଦିକାର ଚାଲିଛି ? ମନ ଗହୀରର ନିଷ୍ପତ୍ତି ହୁଏତ । କିନ୍ତୁ ଦିଉଡ଼ୁ ସାଓଁତା ଜାଣିପାରିଲା ନାହିଁ ଯେ ମନକୁ ମନ ନିଜେ ସେ ନିଜର ସୁବିଧା କରିଛି । ହାଟକୁ ଯାଉଥିବା ଲୋକଙ୍କୁ ଦେଖି ମନେପଡ଼ିଲା । ଖୁସି ଲାଗିଲା ।

‘କୁଆଡ଼େ ଯାଉଛୁ ସାଓଁତା ?’

‘ବନ୍ଦିକାର ଯାଉଛି । ବା’ଲି ପୂଜା ଆସୁଛି କି ନା, ପାରୁଆ କିଣି ଯାଉଛି ।’ ତୁଣ୍ଡରୁ କଥା ବାହାରିଗଲା ପରେ ମନେପଡ଼ିଲା ସତେ ତ’, ଏ କ୍ଷେପରେ ସେ ପାରୁଆ କିଣି ବି ଗାଁକୁ ଫେରିବ, ସବୁ ଗାଁରେ ପାରା ମିଳନ୍ତି ନାହିଁ, ନ ଖୋଜିଲେ ଠିକଣାବେଳେ ମିଳେ ନାହିଁ ।

 

ଚିଲିଶଙ୍କା ଲୋକେ ଚାଲିଗଲେ । ଭିନ୍ନ ଗାଁରୁ ଆଉ କେତେ ପଞ୍ଝା ଲୋକ ଆସିଲେ ଗଲେ । ଦିଉଡ଼ୁ ସାଓଁତା ସେହି ଚଟା ଦମକ ଉପରେ ଟହଲ ମାରିଲା । କାହିଁକି ମାଣ୍ଟେଇବାକୁ ମନ ହେଉଛି ସେ ଜାଣେ ନାହିଁ । ଲୋକ ଯାଉଛନ୍ତି, ପସରା ଚାଲିଛି, ପଛେ ପଛେ କୁକୁର ଗୋଡ଼େଇଛି । ଦିଉଡ଼ୁ ସାଓଁତା ଅଁଳାକୋଳି ତୋଳି ତୋଳି ଖାଉଥାଏ । ଦମକ ଉପରେ ଛାଡ଼ିଛାଡ଼ିକା ଗୋଟା ଗୋଟା ବଡ଼ଗଛ ଧାଡ଼ିହୋଇ ଛିଡ଼ା ହୋଇଛି । ଦୁଇ ଗାଁ ମିଣିଆପାୟୁ ଆଉ ବନ୍ଦିକାର ମଝିରେ ସନ୍ଧି ସେତିକି, ଦୂରରୁ ଦୁଇ ଗାଁର ଲୋକ ଚନ୍ଦା ପର୍ବତ ଉପରେ ଶେଷ ବାଳପରି ସେହି ଚନ୍ଦାଗଛକୁ ଦେଖନ୍ତି । ସେଗୁଡ଼ାକ ଠିଆ ହୋଇଥିବାଯାକେ ଦୁଇ ଗାଁର ସୁସ୍ଥି, ପରସ୍ପରଙ୍କ ଇଲାକା ତଫାତ୍ ରହିଛି, ଗୋଳମାଳ ନାହିଁ ।

 

ପସରାଏ ମୁଆଁ ଚାଲିଲା, ମାଳି ଗାଁର ମୁଆଁ ଆଉ ଗୁଡ଼ମିଶା ସାନମୁଆଁ । ଦିଉଡ଼ୁ ଭାବିଲା ଉଠାଣି ଚଢ଼ିଲା ପରେ ଯଥେଷ୍ଟ ବିଶ୍ରାମ ତାର ହେଲାଣି । ଦୁଇପଇସାକୁ ଚବିଶିଗଣ୍ଡା ମୁଆଁ ତୁମ୍ବାରେ ପୂରେଇଲା, ପିଓଟି ପାଇଁ କାମରେ ଆସିବ ପରେ । ଗଡ଼ାଣିରେ ଗଡ଼ିପଡ଼ିଲା ବନ୍ଦିକାରେ ଆଡ଼କୁ । ମୁଆଁ କିଣିବାକୁ ଅପେକ୍ଷା କରିଥିଲା ବୋଲି କହିଥିଲେ ସେ ଅବିଶ୍ୱାସ କରିଥା’ନ୍ତା ।

 

ଗଦବା-ଗୁଡ଼ା ଗଲା । କନ୍ଧ ବସ୍ତିକୁ ସଦରବାଟ ଛାଡ଼ିଦେଇ ନିଜ ଇଚ୍ଛାରେ ସେ ସିଧା ବାଟ କାଟିଦେଲା କନ୍ଧୁଣୀଙ୍କୁ ଗାଧୁଆ ତୁଠ ବାଟେ । ଖରା ଉଠିଗଲାଣି । ଗାଧୁଆବେଳ ଲାଗିଯିବଣି-। ତାର ଜାଣତା ମନରେ ସେ ଭାବି ନାହିଁ ।

 

ଝୋଲାରେ ପାଣି ଚବର ଚବର ଶୁଭୁଛି, ପାଟି ଶୁଭୁଛି । ଝୋଲାର ବାଙ୍କ ଉପରେ ଲୁଗା ସିଝୋଉଥିବା ଚୁଲିର ଧୂଆଁ ଉଠୁଛି ।

 

ଟିକିଏ ଉପରବାଟେ ଦିଉଡ଼ୁ ସାଓଁତା ପଶିଗଲା, ଯାଇ ବୁଲିଗଲା ସେପାଖର ଗାଧୁଆତୁଠ ପିଠି ଆଡ଼କୁ । ଦିଉଡ଼ୁ ଦେଖିଲା ପିଓଟି ଆସୁଛି । ଦିହେଁ ମୁହାଁମୁହିଁ ପଡ଼ିଯିବାରୁ ଏକା ସାଙ୍ଗକେ ଦୁହେଁ ଚମକିପଡ଼ିଲେ । ପିଓଟି ଲୁଗାପଟା କାନ୍ଧରେ ପକେଇଛି, ମୁହଁରେ ଖଣ୍ଡେ ଦାନ୍ତାକାଠି । ସେହିପରି ସେ ଠିଆହୋଇ ରହିଲା । ଆଗ ଦିଉଡ଼ୁ କହିଲା, ‘କିରେ ନୁନି, ଭଲ ଅଛୁ-?’ ଲୋକ ଯା’ଆସ କରୁଥା’ନ୍ତି, ପିଓଟି କେବଳ ହସିଦେଇ ମୋଡ଼ିହୋଇ ହଲିହୋଇ ଝୋଲାକୁ ଚାଲିଗଲା । ଦିଉଡ଼ୁ ଗାଁ ଆଡ଼କୁ ଗଲା । ପଛକୁ ଅନେଇଲା, ପିଓଟି ଚାଲିଯାଉଛି ବାଟେ ବାଟେ, କାହିଁ, ଅଟକୁ ନାହିଁତ’ । ନା, ପୁଣି ଦେଖାହେବ । କେତେ କଥା ସେ ଭାବି ଭାବି ଆସିଥିଲା । ସୁଆଦିଆ କଥା । ତୁମ୍ବାରେ ତା ପାଇଁ ମୁଆଁ ପଡ଼ିଛି ମନ ଭିତରେ ଅଛି କଥା । ପିଓଟି ଚାଲିଗଲା ।

 

ସ୍ୱପ୍ନ କଟିଗଲା । ବେଳ ହେଲାଣି କେତେ । କୁଆଡ଼େ ଆସିଛି ସେ ? ବକାପରି ଦିଉଡ଼ୁ ସାଓଁତା ଅନେଇଲା । କୁଆଡ଼େ ସେ ଆସିଛି କୁଆଡ଼କୁ ଯିବ ? ପ୍ରଥମେ ଯେ ଦେଖା ପଡ଼ିଲା ସେହିଆଡ଼ୁ ଦିଉଡ଼ୁ ପଚାରି ଆସିଲା, ‘ହଇହୋ ତମ ଗାଁରେ ପାରୁଆ ଅଛନ୍ତି ?’

 

‘ବହୁତ ଅଛନ୍ତି ।’

‘କିଏ ବିକେ ?’

 

‘ବିକିବ କିଏ ବଣ ପାରାଙ୍କୁ ?’ ଦିଉଡ଼ୁ ଗାଁରେ ପଶିଲା । କନ୍ଧ ଗାଁକୁ ପରଗାଁର ଲୋକ ଆସିଲେ ସମସ୍ତେ ଆଗ ସନ୍ଦେହରେ ଅନାନ୍ତି । ସେ ଠିକ୍ ଭାବିଥିଲା, ଗାଁର ବେଶୀଭାଗ ଲୋକ ହାଟକୁ ଯାଇଛନ୍ତି, ଫେରୁ ଫେରୁ ରାତି କି କାଲି ସକାଳ ।

 

ଖାଲି ବୁଢ଼ାହଡ଼ା କି ପିଲାଲୋକ ଏଇଭଳି ପୁରୁଷଲୋକ କେତେଜଣ, ବାକି ସମସ୍ତେ ସ୍ତ୍ରୀଲୋକ ନିଜ ନିଜ କାମରେ ବ୍ୟସ୍ତ । ସେହି ସ୍ତ୍ରୀଲୋକମାନଙ୍କର ଆଖି ଦିଉଡ଼ୁ ସାଓଁତାକୁ ପରଖି ଦେଖୁଥାଏ, ତାର ଭଉଣୀକୁ ଏ ଗାଁରେ ବିଭା କରିବାକୁ ସେ ପରା ଉପଯୁକ୍ତ ମନେକଲା ନାହିଁ, ପୁଣି କେଉଁ ମୁହଁରେ ସେ ଆସିଛି ?

 

ବିନା ନିମନ୍ତ୍ରଣରେ ଟିଙ୍ଗୁ କନ୍ଧର ପିଣ୍ଡାରେ ଯାଇ ଦିଉଡ଼ୁ ବସିପଡ଼ିଲା, କାହା ଘର କାହା ପିଣ୍ଡା ବୋଲି ପଚାରି ବୁଝି ଦୋଦାପାଞ୍ଚ ହେବାକୁ କନ୍ଧର ଗରଜ ନ ଥାଏ । ବସିପଡ଼ିଲା, ଶୁଖିଲା କାଠ କେତେଖଣ୍ଡ ଥୋଇଦେଲା, ପଥର ଗୋଟେଇ ଆଣି ଚୁଲି ତିଆରି କଲା । ଏଣିକି ସେ ଗାଁର ଅତିଥି । ପିଲାମାନେ ଆସି ସେଠି ନଡ଼ବଡ଼ ହେଲେ । ଘରଣୀମାନେ କଥା ନ କହି ତୁନିତାନି ଦୁଆରମୁହଁ ପାଖେ ଆଣି ଚାଉଳ, ପରିବା, କୁକୁଡ଼ା ଡିମ୍ବ ଥୋଇଦେଇ ଗଲେ । ଦିଉଡ଼ୁ ସାଓଁତା ରୋଷେଇ ବସେଇଲା । ଏ ଗାଁରେ ତାର ଭୋଜିପରି, କାରଣ ରାନ୍ଧିବାକୁ ଭୋଜିଭାତ ମିଳିଛି ।

 

ରୋଷେଇ ଚାଲିଥାଏ । ସେହି ଗୋହିରିବାଟେ ପିଓଟି ଆସିଲା । ଥଟ୍ଟାକରି କହିଲା, ‘ତମକୁ ରାନ୍ଧି ବି ଆସେ ?’ ଦିଉଡ଼ୁ କହିଲା, ‘କ’ଣ କରିବା, ତୁମେ ତ ଭାତ ଗଣ୍ଡାଏ ଦେଲ ନାହିଁ ।’

 

‘ଆସି ମାଗିଲ ନାହିଁ ?’-ପିଓଟି ହସିଲା ।

‘ମାଗିଲେ ମିଳିବ ?’

‘ମାଗିବାକୁ ତ ମନ କଲ ନାହିଁ, ସେ କଥା ପଚାରି ଲାଭ ?’

 

‘କଣେଇ କରି ଅନେଇ ଦେଇ ଦିଉଡ଼ୁର ଛାତି ଭିତରେ ନିଆଁ ଲଗାଇଦେଇ ପିଓଟି ଚାଲିଯାଉଥିଲା, ଦିଉଡ଼ୁ ଲେଓଟି ଡାକିଲା, ‘ଶୁଣି ଯା-’

 

‘କୋଉଠି ଅଛ ?’

‘ହେ, ସେ ବାଙ୍କ ବୁଲିଗଲେ ଯେଉଁ ଘର ସେଇଟା ଆମ ଘର ।’

‘ଆଉ କିଏ କିଏ ଅଛନ୍ତି ?’

 

‘ମା’ ଅଛି, କାହିଁକି ଅଟକେଇଦେଲ କିଛି ଦେବ କି ?’ ପିଓଟି ହସିଲା । ଦିଉଡ଼ୁ ତାର ଲାଉତୁମ୍ବା ଓଟାରିଲା, କିନ୍ତୁ ସାନ ସାନ ପିଲାଗୁଡ଼ିଏ ଅନେଇ ଠିଆହୋଇଛନ୍ତି । ସମସ୍ତିଙ୍କୁ ମୁଆଁ ଦେଲେ ପିଓଟି ପାଇଁ କ’ଣ ରହିବ ? କେତେକଥା ସେ କହିପାରିଥା’ନ୍ତା, କିନ୍ତୁ କଟମଟ କରି ଚାହିଁଛନ୍ତି ପିଲାଗୁଡ଼ାକ । ଆର ଗାଁର ପିଲା, ଗାଳି ଦେଇ ହେବ ନାହିଁ । ସେମାନଙ୍କୁ ବଡ଼ ବଡ଼ ଆଖିକରି ଦିଉଡ଼ୁ ଅନେଇଲା, କିନ୍ତୁ ସେମାନେ ଓଲୁପିଲା, ତାର ଦୃଷ୍ଟି ତାଙ୍କର ସରଳ ଆଖି ଆଗରେ ହାରିଗଲା । ହାତ ଖଲ ଖଲ ହେଉଛି କିନ୍ତୁ ମୁଆଁ ବାହାର କରି ଦେଉ ନାହିଁ । ପିଲାଗୁଡ଼ାଙ୍କୁ ବିଷଦୃଷ୍ଟିରେ ଅନେଇଁ ଅନେଇଁ ଦିଉଡ଼ୁ ପ୍ରତିଜ୍ଞା କଲା ଏଥିରୁ ଗୋଟିଏ ମୁଆଁ ସେ କାହାରିକୁ ଦେବ ନାହିଁ, ସବୁ ପିଓଟି ଖାଇବ, ସବୁ !

 

ତା’ପରେ ତରତର କାମ, ରୋଷେଇ ସରୁ ନାହିଁ, କାଠଗୁଡ଼ାକ କଞ୍ଚା ଓଦା; ମାତ୍ର ହାଣ୍ଡିରୁ ପାଣି ମରୁ ନାହିଁ, କାମ ବାକି । ତରତର ହୋଇ ଦିଉଡ଼ୁ ଚୁଲିରେ କାଠ ଖଞ୍ଜି ଲାଗିଲା, ଧୂଆଁରେ ଆଖିରୁ ଦରଦର ପାଣି ବୋହିଲା, ସେ ପାଖରୁ ଥଟ୍ଟା ଶୁଭିଲା, ‘କେମିତି ମ, ରୋଷେଇଟିଏ ହାତରେ କରି ଶିଖିନାହାନ୍ତି ! ଭଉଣୀଟା ସେମିତି ଓଲି ହୋଇଥିବ, ନ ହେଲେ ଆମ ଗାଁକୁ ନ ଦେଲେ କାହିଁକି ?’ ସବୁ ସହିବାକୁ ପଡ଼ିବ । କେବଳ ପିଓଟି ପାଇଁ ।

 

ଯେ ଯାହା ଭାବୁ, ତାର ଯାଏ କେତେ ?

ଲୋକେ କହିବେ । ଲୋକଙ୍କ ମୁହଁକୁ ବାଡ଼ବତା ନାହିଁ ।

 

ହାଣ୍ଡିରେ ମାଣ୍ଡିଆ ପେଜ ଫୁଟିଲାଣି । ପରିବା, କୁକୁଡ଼ାଡିମ୍ବ, କନ୍ଦା, ସବୁ ଏକାଠି । ଏତକ ସରିଲେ ସେ ଗାଁ ବୁଲିଯିବ, ପାରା ଖୋଜି ସେହି ଅବକାଶରେ ପିଓଟି ।

 

ରୋଷେଇବାସ ବାରପଣିଆ ହୋଇ ଆସିଥାଏ, ଧୀରେ ଧୀରେ ମେଘ ଘୋଡ଼େଇଲା, ଦୂରରୁ ସାଇଁ ସାଇଁ ପବନ । ଦେଖୁ ଦେଖୁ ଗଛପତ୍ର ମୋଡ଼ି ମଟକିଦେଇ ଚହଳ ପକେଇ ତୋଫାନ ଆସିଲା । ଅନ୍ଧାରରେ ଚାରିଆଡ଼ ବୁଜିହୋଇ ଆସିଲା । ଭୀଷଣ ତୋଫାନ ପଛେ ପଛେ ବଜ୍ର ଘଡ଼ଘଡ଼ି । ପିଣ୍ଡାକୁ ଭାରି ଜୋର୍ ପବନ ପିଟିଲା, ଚୁଲିରୁ ନିଆଁ ଏଣେ ତେଣେ ଉଡ଼ିଉଡ଼ିକା ଚୁଲି ନିଭିଗଲା । ଶୀତରେ କୁଙ୍କୁରି କାଂକରି ହୋଇ କାନ୍ଥକୁ ଲାଗିଯାଇ ଦିଉଡ଼ୁ ବସିରହିଥାଏ । ଅନ୍ଧାର ବଢ଼ିଲାଗିଲା । ଘରେ ଘରେ କବାଟ ପଡ଼ିଗଲା । ହାଟ ଦିନ ବୋଲି ପୁରୁଷମାନେ ନାହାନ୍ତି, ପର ଗାଁର କୁଣିଆ କେଉଁ ଘର ଆଗରେ ଯାଇ ଠିଆହେବ କହିବ ଜାଗା ଦିଅ ? ଟପର ଟପର ମେଘ ପଡ଼ିଲା, ପାଣି ପବନର ହାବୁକା ହୁ ହୁ ସୁ ସୁ ହୋଇ ପିଣ୍ଡାଯାକ ଖେଳି ବୁଲିଲା, ଛପର ସାଙ୍ଗେ କଜିଆ କଲା, ଛାଉଣୀ ଉଡ଼େଇଲା । ଦିଉଡ଼ୁର ମନ ଦବିଯାଇଥାଏ, ଘଡ଼ିଏ ପାଇଁ ଘର ମନେପଡ଼ୁଥାଏ, ଯଦି ଏ ଲାଗି ରହିବ କେମିତି ସେ ଘରକୁ ଫେରିବ ଭାବୁଥାଏ । ଘଡ଼ଘଡ଼ି ଉତ୍ତାରୁ ଘଡ଼ଘଡ଼ି ଡାକିଲା, ଶୀତୁଆ ପବନ କଣ୍ଟା ଛାଟପରି ପିଟି ଲାଗିଲା । ଆଶ୍ରୟ ଦରକାର, ଦିଉଡ଼ୁ ହାଣ୍ଡିର ଅଧା ତିଆରି ଖାଦ୍ୟ ତୁମ୍ବାରେ ଅଜାଡ଼ିନେଇ ପୂରାବୁଜୁଳି ଯାକି ତଳକୁ ଓହ୍ଲେଇ ପଡ଼ିଲା । ମୁହାଁମୁହିଁ ଦୂରବସ୍ଥାକୁ ଦେଖି ଧୈର୍ଯ୍ୟ ଆସିଲା, ଦିଉଡ଼ୁ ଦେଖିଲା ସୁବିଧା ପଡ଼ିଛି । ମେଘ ଅନ୍ଧାରରେ ପ୍ରତିଧ୍ୱନି ଉଠିଲାପରି ତାର ଅନ୍ଧାରୁଆ କଳା ଉଗ୍ରଚିନ୍ତା ପୁଣି ମୁଣ୍ଡ ଟେକି ନିଷ୍ପତ୍ତି ଦେଇଦେଲା, ଏହି ତାର ପାଗଯୋଗ । ତରତର ହୋଇ ସେ ଚାଲିଲା ।

 

ଦି’ ସାଉଡ଼ି ଏକାସେଣିକିଆ ଗାଁରେ ବାଁଏ ଡାହାଣେ କେବଳ ଜାତିଜାତିକା କବାଟ ଦିଶୁଛି, ତାଟି କବାଟ, କାଠକବାଟ, କେବଳ କବାଟ, ପିଣ୍ଡାରେ କୁକୁରଟିଏ ବି ଦିଶୁ ନାହିଁ । ଟିକିଏ ଆଗରୁ କ’ଣ ଥିଲା କ’ଣ ହେଲା । ମାଳ ଉପରେ ଅନହୁତି ପାଗ ଏହିପରି, ସ୍ଥିରତା ନାହିଁ, ନିଶ୍ଚିତ ନାହିଁ, ସ୍ଥିର କେବଳ ବଣର ମାୟା, ପର୍ବତର ଆସନ । ତରତର ଚାଲି, ତରତର । ବାଙ୍କ ବୁଲିଯାଇ ହେଇ ସେଇଟା ପିଓଟିର ଘର । ଦିଉଡ଼ୁ କବାଟରେ ବାଡ଼େଇଲା । ଜବାବ ନାହିଁ, ପାଟିକଲା, କିଏ ଶୁଣୁଚି ? ବାରମ୍ବାର ବାରମ୍ବାର କବାଟ ଉପରେ ଚଢ଼ାଉ କରି ଲାଗିଲା, ତାର ଏତେ ଟିକିଏ ବୋଲି କୁଣ୍ଠା ନାହିଁ । ମନେ ମନେ ଭାବି ଭାବି ସେ ପିଓଟିକୁ ଅଧିକାର କରିସାରିଛି, ତାର ଦଖଲ ଆସିଛି, ତେଣୁ ତାର ଲଜ୍ଜା ନାହିଁ । ପିଓଟି କବାଟ ଫିଟେଇ ଦେଲା । ସାତଜନ୍ମର ଚିହ୍ନା ଜନ ପରି ଅଭିମାନ କରି ଦିଉଡ଼ୁ କହିଲା, ‘ଏତେ ବାଡ଼ୋଉଚି, ଜବାବ ନାହିଁ ?’

 

ଅନ୍ଧାର ଘର । ମଝିରେ କାଠଗଣ୍ଡିରା ଗଦାହୋଇ ନିଆଁ ଜଳୁଛି । ଧୂଆଁ । ପିଓଟି ପଛେ ପଛେ ତାର ବୁଢ଼ୀମା’ କାବାହୋଇ ଅନେଇଛି । ଖୋଲା କବାଟ ବାଟେ ହା ହା ହସି ଶୀତୁଆ ପବନ ପଶିଆସିଲା ବେଳକୁ ପିଓଟି କବାଟ ବନ୍ଦ କରିଦେଲା । ଥରି ଥିରି ସ୍ନେହରେ କହିଲା, ‘ମୁଁ ତ ବସିଛି-। ତୋଫାନ ହେଲା କହିଲି କୁଆଡ଼େ ଗଲେ । ତମେ ତ ମିଣିଆପାୟୁ ଗାଁର ସାଓଁତା, ସେଇଆ ଭାବିଲି ସାଓଁତା ସାଓଁତାଘରେ ନ ରହି କାହିଁକି ଆସିବ ଆମ ଗରିବ ଘରକୁ ?’ ପିଓଟି ତାର ମା’କୁ ଚାହିଁଲା, ଦିଉଡ଼ୁ ସାଓଁତାର ପରିଚୟ ସେ ଦେଇ ସାରିଛି ।

 

ଦିଉଡ଼ୁର ଦେହରେ ହାତମାରି ପିଓଟି କହିଲା, ‘ଆହା, ଓଦା ହୋଇଯାଇଛ ! ଆମେ ତମ ପରି ସାଓଁତା ନୋହୁଁ, ଗରିବ ଲୋକ, ଆମ ଘରେ କୁଣିଆଁ ପରି ହେଲେ ଆମେ ଚର୍ଚ୍ଚା କରି ଜାଣିବୁ ନାହିଁ, ରଖ, ଭାର ବୁଜୁଳି ଥୋଇଦିଅ, ଆସ ସେକି ହୁଅ ।’

 

ପିଓଟି ହସିଲା, ଦିଉଡ଼ୁର ହାତ ଧରି ଘୋଷାରି ନେଲା ନିଆଁପାଖକୁ, କହିଲା, ‘ଏଠି ଲାଜ ନାହିଁ ।’ ମା’, ଝିଅ, ଦିଉଡ଼ୁ ତିନିହେଁ ବସିଲେ ନିଆଁ ପାଖରେ । ପିଓଟିର ମା’ ସଙ୍ଗେ ଦିଉଡ଼ୁର ପରିଚୟ ନାହିଁ, ମାଡ଼ିମାଡ଼ି ପଡ଼ୁଥାଏ, ପିଓଟି କହିଲା, ‘ଏଇ ମୋର ମା’, ଆମେ ଦି’ଜଣ ମାଇପିଲୋକ ଏ ଘରେ ।’ କଥା କହିବାକୁ ତାର ମା’ ଗୋଟାଏ ବିଷୟ ପାଇଲା । କହିଲା, ‘ହଁ ବାପା, ଦି’ଟା ମଣିଷ ମୋଟେ, ଆଉ ଆମର କେହି ନାହିଁ । କହିଲି, ପିଓଟି, ବାପ ତ ଗଲା, ଆଉ ଏ ବିଦେଶରେ କାହିଁକି, ଚାଲ ଯିବା । ଆସିଲୁଁ । କେତେ ଅଲିଅଳରେ ପିଲାଟିଦିନୁଁ ବଢ଼େଇଚି, ଏତେ କଷ୍ଟ ଥିଲା ତା ଭାଗ୍ୟରେ । ଯାହାହେଉ, ପର ଦେଶରେ ରଜା ହେବାଠୁଁ ନିଜ ଦେଶରେ ଭିକାରି ହେବା ଭଲ । ନା କ’ଣ କହୁଚ ବାପା ?’ ଗଡ଼ଗଡ଼ କରି ପିଓଟିର ମା’ କହିଲାଗିଲା, ସେ କେତେ କଥା, ଦିଉଡ଼ୁକୁ ପିଲାଦିନେ ସେ ଦେଖିଥିଲା, ସରବୁ ସାଓଁତା କେଡ଼େ ଭଲଲୋକ ଥିଲା, ଇତ୍ୟାଦି । ପିଓଟି କହିଲା, ‘ଖାଇବା କଥା ପଚାରିଲୁ ନାହିଁତ ମା’, ଆଗ ସିନା ସେଇଟା । ହଁ କ’ଣ ଖାଇଚ ?’ ପିଓଟିର ସହଜ ବ୍ୟବହାର ଦେଖି ଦିଉଡ଼ୁକୁ ଲାଜ ମାଡ଼ୁଥାଏ । କିନ୍ତୁ ପିଓଟି ସହଜରେ ଛାଡ଼ିବ ନାହିଁ-। ବାହାରେ ପବନର ହୁ ହୁ ଚାଲିଛି, କବାଟକୁ ଝାଂକି ପକୋଉଛି । ସବୁ ଲାଜ ସଙ୍କୋଚରେ ବିରୋଧୀ ସେ । ଅନ୍ଧାର ଚାରିଆଡ଼ୁ ରୁନ୍ଧିଆସେ, ମଣିଷଙ୍କୁ ଏକାଠି କରେ । ଦିଉଡ଼ୁର ନିଜର ଚାରା ନ ଥିଲା ।

ପାଖର ସାନ ବଖୁରିକୁ ତୁମ୍ବାର ଅଧା ରନ୍ଧା ଖାଦ୍ୟ ମିଟେଇବାକୁ ପିଓଟିର ମା’ ଚାଲିଗଲା । ଏ ଘରର ନିଆଁ ମାନ୍ଦା ପଡ଼ିଗଲାଣି । ତୋଫାନ ଭିତରେ ମେଘ ଅସରା ଛେଚୁଛି, ଅନ୍ଧାର ବଢ଼ୁଛି ।

କାଠ ଗଣ୍ଡିରାର ରଡ଼ ନିଆଁ ଧାସରେ ପିଓଟି ଦିଉଡ଼ୁ ବସି ରହିଲେ । ପିଓଟି ପଚାରିଲା-

‘କୁଆଡ଼େ ଆସିଥିଲ ?’

‘ପାରୁଆ କିଣିବାକୁ ।’

‘ପାରୁଆ ଏ ଗାଁରେ ମିଳନ୍ତି ?’

‘ସେ କଥା ମୋଠୁଁ ତୁ ବେଶୀ ଜାଣୁ ?’ ପିଓଟି ହସିଲା, କହିଲା, ‘ଘରେ ପିଲାପିଲି ଭଲ ଅଛନ୍ତି ?’ ଦିଉଡ଼ୁ ସେ ଥଟ୍ଟା ବୁଝିପାରିଲା ନାହିଁ । ପିଓଟି ପଚାରିଲା ‘ଭାରିଯା ଭଲ ଅଛି ?’

‘ହଁ ।’

‘କେମିତି ଭାରିଯାକୁ ଏକୁଟିଆ ଛାଡ଼ିଦେଇ ଏଡ଼େ ବଡ଼ ମେଘ ତୋଫାନରେ ତୁମେ ପାରୁଆ କିଣି ଆସିଲ ?’

ଦିଉଡ଼ୁ ଗାଇ ଦେଇଗଲା । ତାର ଭାରିଯାର ସବୁ ଦୁର୍ଗୁଣ ସେ ବାହୁନି ଲାଗିଲା । ପିଓଟି ହସୁଥାଏ ଆଉ ଥଟ୍ଟାରେ ସହାନୁଭୂତି ଦେଖାଇ କହିଲାଗିଥାଏ ‘ଆହା-ଆହା’ । ଦିଉଡ଼ୁର ହାଡ଼ରେ ନିଆଁ ଲାଗୁଥାଏ, ଆହୁରି ତାତିଯାଇ ସେ ପୁୟୁକୁ ଗାଳିଦେଉଥାଏ, ହଜାର ଶପଥ କରି ଯାଉଥାଏ ଯେ ସେ ପୁୟୁକୁ ଛାଡ଼ିଦେବ, ଆଉ ଘାଣ୍ଟିହେବାକୁ ତାର ମୋଟେ ଉଦ୍ଦେଶ୍ୟ ନାହିଁ । ସେହି ଅପ୍ରଗଳ୍‌ଭ ପ୍ରଳାପ ଭିତରେ ପିଓଟି ତା’କୁ କଳିନେଉଥାଏ । ସେ ଘରୁ ପିଓଟିର ମା’ ଶବ୍ଦ କରୁ ନାହିଁ-। ହାଣ୍ଡିରେ ମାଣ୍ଡିଆପେଜର ଗଦ୍‌ଗଦ୍ ଶୁଭୁଛି । ଦିଉଡ଼ୁ ଚାହିଁ ଦେଖିଲା ସଙ୍କୋଚ କରିବାକୁ କିଛି ନାହିଁ । କହିଲା, ‘ମୁଆଁ ଖାଇବୁ ନୁନି, ମୁଆଁ-’ ତାର ତୁମ୍ବା ଭିତରୁ ମୁଆଁତକ କାଢ଼ି ପିଓଟିକୁ ବଢ଼େଇ ଦେଲା । ପିଓଟି କହିଲା, ‘ତୁମୁକୁ ସିନା ଭୋକ କରୁଛି, ଆସ ମୁଁ ଖୋଇଦିଏଁ-’

‘ମୁଁ ଖୋଇଦେବି ନାହିଁ ନୁନି ?’

ଦୁହେଁ ଯେତେବେଳେ ମୁଆଁ ଖିଆଖୋଇ ହେଉଥା’ନ୍ତି, ଧୀରେ ଧୀରେ ପିଓଟିର ମା’ ଆସି ଫେରି ଚାଲିଗଲା । ଦିଉଡ଼ୁର ସବୁକଥା ସେ କାନପାରି ଶୁଣିଛି, ସେ ଘରକୁ ଯାଇ ମନକୁ ମନ କାହାକୁ ସେ ଦଣ୍ଡବତ କଲା, ତୁନିତୁନି କହିଲା, ‘ତାର କପାଳ, ତୁମର ଦୟା ।’

ଦିହେଁ ଏ ଘରେ ଚମକି ପଡ଼ିଲେ । ପିଓଟି ଡାକିଲା ‘ମା’

‘ହଁ, ରୋଷେଇ ସଇଲାଣି ।’

•••

 

ଏକାଅଶୀ

 

ପୁଣି ନିଶା ରାତି ଶେଷରେ ଦିଉଡ଼ୁ ସାଓଁତା ସେ ଘରୁ ବାହାରିପଡ଼ିଲା । କୁକୁଡ଼ା ଡାକୁଛନ୍ତି । ଆଲୁଅ ଝିଲି ଝିଲି କରୁଛି ଅନ୍ଧାରେ ଅନ୍ଧାରେ, ମେଘ କୁଣ୍ଡା ଝାଡ଼ୁଛି, ଦୂରରୁ ଶୁଭିଯାଉଛି ତୋଫାନ ଚାଲିଯାଉଥିବାର ସାଇଁ ସାଇଁ ଶବ୍ଦ । ସକାଳ ହେବଯାକେ ସେ ରହିବ ନାହିଁ, କାମ କ’ଣ ଅଛି ବନ୍ଦିକାରିଆ ଲୋକଙ୍କ ସଙ୍ଗେ ଦେଖାଚାହାଁ ହେବାକୁ ?

 

ବାଟ ମୁହଁରେ ଦି ପାହୁଣ୍ଡ ଆଗେଇ ଆସି କାନ ପାଖେ ଫୁସ୍‌ଫୁସ୍ କରି ପିଓଟି କହିଲା, ‘ପାରୁଆ କିଣିଲୁ ନାହିଁତ ସାଓଁତା !’ ଦିଉଡ଼ୁ ବୁଲି ପଡ଼ିଲା, ହସି ହସି ପଛକୁ ଡେଇଁଯାଇ ପିଓଟି କହିଲା, ଆରଥର ଯେତେବେଳେ ଆସିବୁ ପଇସା ଆଣିଥିବୁ ଗୋଟାଏ ଛେଳି କିଣିବାକୁ ।

 

ଅସଲ ଦୁହାଁଳ ଗାଈ କିଣି ଆସିବି ନୁନି, ହଉ ମୁଁ ଯାଉଛି-

 

ଅନ୍ଧାର ଛାଡ଼ି ନାହିଁ, ବାଟେ ବାଟେ ବଣବୁଦା ପାହାଡ଼ ଡଙ୍ଗର, ମା’ କହୁଥିଲା, ଏଇ ପାହାନ୍ତିଆବେଳେ କୁଆଡ଼େ ଜନ୍ତୁଜୁନ୍ତା ଫେରୁଥା’ନ୍ତି, ବାଟରେ ହାବୁଡ଼ନ୍ତି,-ପିଓଟି ଭାବିଲା । ମନଟା ଦବିଗଲା । ହଲିଲା ପାଣି ପରି ତାର ତରଳ ମନ ସୁଦ୍ଧା ଏହି ଆଶ୍ଚର୍ଯ୍ୟ ଲୋକପାଖେ ଅଜାଣତରେ ଧରା ପଡ଼ିଯାଇଛି । ତଳଦେଶ ଲୋକଙ୍କ ପରି ୟାର ନୋଳି ନ ଥାଉ ପଛେ, ସେ ଦେଶର ଭେଣ୍ଡିଆଙ୍କ ପରି ନ ଥାଉଁ କୋଟ କାମିଜ୍, ସଫା ପାଇଜାମା, କିନ୍ତୁ ୟେ ବି ନିଆରା, ପୋଷାକ ଖୋଲି ଫିଙ୍ଗିଦେଲେ ରହେ ଯେଉଁ ଦେହ, ବଳରେ ବପୁରେ ଗଢ଼େଇର ସୁନ୍ଦରପଣରେ ଛଳଛଳ ସ୍ୱାସ୍ଥ୍ୟରେ ମଣିଷପଣିଆଁର ବଡ଼ତିର ଟେକ ଦେଖାଏ, ତହିଁରେ ୟେ ବଡ଼ । କେବଳ ଦେହକି ଖାଲି-। ସରଳମନ ପଣତ କାନିରେ ବାନ୍ଧି ରଖିଦେବ, ପୁରୁଷର ଏହିପରି ମନକୁ ଘରଣୀ ଝୁରେ । ସାଓଁତା, ଦିଉଡ଼ୁ ସାଓଁତା, ଉଚ୍ଚ କୁଳରେ ଜନ୍ମ ତାର । ପିଓଟି ଲୋଭେଇଥିଲା । ଏଡ଼େ ପାହାନ୍ତି ପହରୁ ୟେ ଯିବ ।

 

‘ଚାଲି ଯିବୁ, ମା’କୁ ଦେଖିଗଲୁ ନାହିଁ ?’ ମା’ କମ୍ବଳ ଘୋଡ଼ିହୋଇ ସେହି ରୋଷେଇ ଘର ଚୁଲି ପାଖେ ଶୋଇ ରହିଛି । ‘ମା’ ଉଠିଲେ କହିଦେବୁ ନୁନି, ମୁଁ ଯାଉଛି ।’

 

‘ତୋର ଭୟ ନାହିଁ ? ବଣ ବାଟ । ଏଡ଼େ ଅନ୍ଧାରରୁ ଏକୁଟିଆ ଯିବୁ ?’

 

‘ବଘେଇ ପାଗ ହେଇଚି ସତ ନୁନି, ମେଘ ଘୋଡ଼େଇଲେ ବାଘ ଖାଏ । ସେଇ ଧାଂଡୀଆମ ଖେନ୍ଦାର ଘାଟି, ଭୟ ଟିକିଏ ସେଠି ଥାଏ । କିଏ ମୋର କ’ଣ କରିବ ନୁନି, କାନ୍ଧରେ ଟାଙ୍ଗିଆ ଅଛି । ନିତିଦିନର ଚଲାବାଟ, ଆମର କି ଭୟ ? ତୁ ମୋ ପାଇଁ ଭାବ ନା ନୁନି, ମତେ ଯାଇ ଦେ । ହାଟକୁ ହାଟ ଆସୁଥିବୁ ଏଁ-ସେଇଠି ଦେଖା ହେଉଥିବା । ଆଉ ଅଳ୍ପ ଦିନ ତ । ହଉ ମୁଁ ଯାଉଛି ।’

 

ଜାଙ୍ଗୁଲୁ ଜାଙ୍ଗୁଲୁ ରାତି ଭିତରେ ସେ ମିଶିଗଲା । ପିଓଟି ଦୀର୍ଘଶ୍ୱାସ ପକେଇଲା । ଦୂର ପବନର ସାଇଁ ସାଇଁ ମିଳେଇ ଯାଉଛି ସେହି ଦୂରରେ । କଜଳପାତୀ ଦି’ଟା କେଉଁଠି ବୋବେଇ ଲାଗିଛନ୍ତି । ଆକାଶରେ ଧୂଆଁ ପରି ମେଘ ଚାଲିଛି । ଭାରୀ ଶୀତ । ଅବସାଦ ଉପରେ ଆଖି ନିଦରେ କଣ୍ଟା କଣ୍ଟା ଲାଗୁଛି । ତଥାପି ଚାଲିଯାଉଥିବା ଏହି ଆଶ୍ଚର୍ଯ୍ୟ ଲୋକଟାର ମୋହ । କେଡ଼େ ନିର୍ଭୀକ ସେ, କେଡ଼େ ବଳିଷ୍ଠ, କିନ୍ତୁ ପିଲାଟିଏ ପରି, ସରଳ ସୁବୋଧ, ତାର ବଳର ଆଉ ସାହସର ବଡ଼େଇ କରି ଶିଖି ନାହିଁ ତଳଦେଶ ଲୋକଙ୍କ ପରି !

 

ପିଓଟି ଯାଇ ଶୋଇପଡ଼ିଲା ସକାଳୁଆ ସୁଖସ୍ୱପ୍ନ ଘୋନି ହୋଇ-

 

ବଡ଼ ଜୀବନର ଉଲ୍ଲାସର ଡାକ ବାଜୁଥିଲା କାନରେ, ଦିଉଡ଼ୁ ଚାଲିଥିଲା । ସେଠି କ୍ଷତିର ହିସାବ ନାହିଁ, ନାହିଁ ଦୁଃଖର, କ୍ଷତକୁ ଅନେଇ ଅନେଇ ସକେଇହେବାର କବିତା, ସେଠି ଚିରସ୍ଥାୟୀ କିଛି ନୁହେଁ, କଣ୍ଢେଇ ଗଢ଼ାହୁଏ କେବଳ ଭଙ୍ଗା ହେବାକୁ, ଆଉ ଯେ କେହି ଶକ୍ତି ଯେ କେହି ଆତ୍ମା ଯାହାର ଗୋଟାଏ ନିଦରେ କଳ୍ପେ ବିତିଯାଏ, ଯାହାର ସ୍ୱଭାବରେ ପାଣି ହୁଏ ବୁଦ୍‌ବୁଦ ଅଥବା ବାମ୍ଫ, ଯେ ପଛଆଡ଼େ ଥାଇ ନିଜର ବିଚିତ୍ର ସୃଷ୍ଟିକୁ ଅନାଏଁ, ସେ ତାର କ୍ଷଣଭଙ୍ଗୁର କଣ୍ଢେଇର ସଂସାରକୁ ଦିଏ ଅମର ହେବାକୁ ଆଶା, ଯେତେ ବାଆ ବତା ଆସୁ ଓଲଟି ପୋଲଟି ନୂଆ ଭେକରେ ବି ମାଟିରେ ଚେର ମଡ଼େଇ ଧରି ରହିବାକୁ ପ୍ରବୃତ୍ତ । ତେଣୁ ସେ ପୁରୁଣାକୁ ଛାଡ଼ି ନୂଆକୁ ଧରିଥାଏ, ଦୁଃଖକୁ ଭୁଲି ଆନନ୍ଦକୁ ଧରିଥାଏ, ଚିରନ୍ତନ ମରଣ ସଙ୍ଗେ ମଲାପର୍ଯ୍ୟନ୍ତ ବି ଯୁଝି ଯୁଝି ଖତମ୍ ହୁଏ ସେହି କଣ୍ଢେଇ, ତାର ମନ ଅଜେୟ ।

Unknown

 

ଆଜିର ସକାଳର ସୁନ୍ଦରପଣ ନାହିଁ । ଚାରିଆଡ଼େ ମେଘ ଘୋଡ଼େଇ ପକେଇଛି । ଦୂରର ପାହାଡ଼ ଦିଶୁ ନାହିଁ, ପାଖର ପାହାଡ଼ ଉଦାସ ନିଷ୍ପ୍ରଭ । ଢାଲଉ ଢାଲୁଆ ଲଣ୍ଡା କ୍ଷେତ ଉପରେ ବର୍ଷାର ଧୂଆଁ ଚହଟି ଯାଉଛି । ଚାରିଆଡ଼ କାଉନ୍ଦା ସନ୍ତସନ୍ତିଆ, ଶୀତୁଆ ।

 

କିନ୍ତୁ ଦିଉଡ଼ୁ ସାଓଁତାର ମନ ଖରାପ ନ ଥିଲା । ତାର ଅଶାନ୍ତ ମନରେ ଶାନ୍ତି ଆସିଥିଲା-। ଆଜି ଜୋର୍‌କରି ସେ ହାତମୁଠାରେ ମୁଠେଇ ଧରିପାରେ ନୂଆ ଘର ନୂଆ ସଂସାର, ସେ ପିଓଟିକୁ ପାଇଛି । ଆଜି ତାର କାହାରି ସଙ୍ଗେ ମନ ଦୁଃଖ ନାହିଁ, ଏପରିକି ପୁୟୁ । ପୁୟୁ ବି ତାକୁ ବିରକ୍ତ କରୁ ନାହିଁ, ପୁୟୁକୁ ସେ ହୀନ ବୋଲି ହେୟ ଭାବୁଛି । ରାଗ ନାହିଁ ।

 

ଗାଁ ପାଖ ହେଲା । ଅଭ୍ୟାସ ଅନୁଯାୟୀ ଧାରଣା ଆସିଲା । ଆହୁରି ଥରେ ଚିହ୍ନା ଡିହର ଚିହ୍ନା ଚିନ୍ତା-ପୁୟୁ ପ୍ରତି ତାର ରାଗ ନ ଥିଲେ ବି ଆଜି ଏ ଫିଟି ଚାଲିଯିବା ସମ୍ପର୍କ ଭିତରେ ଏତେଦିନର ଗଣ୍ଠି ମନେପଡ଼ି ମନକୁ ଚେତେଇ ଦେଉଥିଲା, ପୋକରା ହେଉ ଦଦରା ହେଉ ୟେ ବି ଅଛି, ଯାଇ ନାହିଁ । ଅଡ଼ୁଆ ଲାଗୁଥିଲା, କାହାରିକୁ ନ କହି ସେ ଚାଲି ଆସିଛି । ସେମାନେ ପଚାରିବେ, ତାଙ୍କୁ ଜବାବ ଦେବାକୁ ହେବ । ସେ ଚୋରିକରି ଆସିଲା ପରି ଲାଗୁଥାଏ, ପିଓଟିର ମୋହ ଏତିକି ଗୁଣରେ ତଫାତ୍ ।

 

ଗାଁରେ ପହଞ୍ଚୁ ପହଞ୍ଚୁ ପାଣ୍ଡ୍ରୁ ଦିସାରି ସଙ୍ଗେ ଦେଖାହେଲା । ‘ବାଆଲି ପୂଜା ଲାଗିବ ଯେ ସାଓଁତା, କାହିଁ କିଛି ଯୋଗାଡ଼ ହେଲା ନାହିଁ ଯେ-, କୁଆଡ଼େ ଯାଇଥିଲୁ, ବଡ଼ ଦୂରରୁ ଫେରୁଚୁ-’

 

‘ବାଆଲି ପୂଜା ? କେବେ ଯୋଗ ପଡ଼ୁଛି ?’

‘ଆଉ ଦିନ କାହିଁ ?’

 

‘ଏଡ଼େ ହଠାତ୍ ?’ ଦିସାରି ହସିଲା, ଆକାଶକୁ ହାତଟେକି କହିଲା, ‘ସବୁ ତାଙ୍କର ନ୍ୟାୟ ବିଚାର ସାଓଁତା, ତାଙ୍କର ଇଚ୍ଛା । ସେମାନ ତ ଆମୁକୁ ପଚାରି ବୁଝି ଯୋଗ ଦେବେ ନାହିଁ ଯେ ଆମେ ଜାଣିବା । କାଲି ସଞ୍ଜରେ ବସିବସି ତାରାମାନଙ୍କୁ ଦେଖୁଥିଲି, ଭାବୁଥିଲି କେବେ ବାଆଲି ପୂଜା ହେବ, ଦେଖିଲି, ସେମାନେ ଏକାଠି ହେଲେ, ବାଆଲି ପୂଜାର ସବୁ ନକ୍ଷତ୍ର ସମାନ ଭାଗରେ ଏକାଠି ତେଜ ମିଶେଇଲେ । ଭାବିଲି ଆରେ କହିଦିଏଁ, ବେଳ ତ ନାହିଁ ।’

 

‘ତେବେ ତ ଭଲ କଥା ଦିସାରି, ଜମିରେ କାସିରି (ହଳ) ହୋଇସାରିଛି, ଆମେ ଗାଁଯାକ ଅପେକ୍ଷା କରିଥିଲୁ, ଚଞ୍ଚଳ ବାଆଲି ପୂଜା ହେଲେ ବିହନ ବୁଣିଦେବୁଁ ବୋଲି, କେବେ ପୂଜା ଲାଗିବ-?’ ‘କେବେ ଲାଗିବ । କାହିଁ ଏ ବର୍ଷ ନୂଆ କିଛି ନାହିଁତ, ଯେମିତି ବୁଧବାର ଦିନ ପୂଜା ଲାଗେ ଏ ବର୍ଷ ବି ସେମିତି ଲାଗିବ, ‘ସମ୍‌ଜା’ ନକ୍ଷତ୍ରର ଯୋଗରେ ବୁଧବାରେ ବାଲିପୂଜା ଆରମ୍ଭ, ଗୁରୁବାର ଶେଷ ପ୍ରତିବର୍ଷ ପରି, ଚାରି ଧରମ୍ ଦେବତାର ଥାଉ, କିଛି ବିଗିଡ଼ିଲେ ସିନା ଦିନରୁ ଅଦିନ ହୁଏ-’

 

ଦିଉଡ଼ୁ ଚିନ୍ତାଶୀଳ ଥିଲା, ୟା ପରେ ଘରେ ପହଞ୍ଚିବ, ପୁୟୁ ରାନ୍ଧୁଥିବ, ପୁୟୁ ବିରୋଧରେ ଷଡ଼ଯନ୍ତ୍ର ଶେଷ କରି ସେ ଘରକୁ ଫେରୁଛି, ସେହିଆକୁ ପୁଣି କହିବ ଭାତ ଦେ, ପାଣି ଦେ । ଦିସାରି ଦିଉଡ଼ୁ ସାଓଁତାର ଗମ୍ଭୀର ମୁହଁକୁ ହିଁ କେବଳ ଦେଖିଲା, ମନକୁ ମନ ନୂଆ ସିଦ୍ଧାନ୍ତ କରିନେଇ ଦୁଃଖିତ ହେଲା, କହିଲା, ‘ବୁଝିପାରୁଛି ସାଓଁତା, କ’ଣ ତୁ ଭାବୁଥିଲୁ । ପୃଥିବୀରେ ବଡ଼ଲୋକ କେହି ନିଦ ଗଲେ ମଲେ କି ଯୁଦ୍ଧ ଲାଗିଲେ ଦେଶ ଭାଙ୍ଗିଲେ ଆକାଶର ନକ୍ଷତ୍ରଙ୍କ ଯୋଗ ବି ଅଦିନରେ ପଡ଼େ, ପୂଜା ପର୍ବ ମଧ୍ୟ ପଡ଼େ ଅଦିନରେ ଅକାଳରେ, ସତ । ତୋ ବାପା ସରବୁ ସାଓଁତା ବଡ଼ଲୋକ ଥିଲା, ସରବୁ ସାଓଁତା ମରିଛି, ତୁ ଭାବୁଛୁ ଅଦିନରେ ବାଆଲି ପୂଜାର ଯୋଗ ନ ପଡ଼ିଲା କେମିତି, କମିଲୋକ ଥିଲେ ତୋର ବାପା ! କିନ୍ତୁ ସେ ଖାଲି ତ ମରି ନାହିଁ, ଆହୁରି ଥରେ ହାକିନା ହୋଇ ଜନ୍ମ ହୋଇଛି ତୋ କୋଡ଼ରେ, ସେ ବୁଢ଼ା ଥିଲା ପିଲା ହୋଇଛି, କ’ଣ ଯାଏ ସେଥିରେ । ସବୁ ସମାନ୍ ଅଛି, ଯୋଗ ବଦଳିବାର କାରଣ ନାହିଁ ।’ ଦିଉଡ଼ୁ ଦିସାରିଠୁ ବିଦାହେଲା । ହାକିନା,-ଠିକ୍ କଥା, ହାକିନା ବି ଅଛି ତାର କୁଳର ବଂଶଧର । ହାକିନା ତାର ଅନିଷ୍ଟ କରି ନାହିଁ । ପୁଅ ବାପର, ପୁୟୁ ଯିବ, ହାକିନା ରହିବ, ସେ ବି ଗୋଟାଏ ସମସ୍ୟା । ହାକିନାକୁ ଛାଡ଼ି ପୁୟୁ ରହିବ କିପରି ? ଦୁର୍ବଳ ପୁୟୁ, ନିରାଶ୍ରୟ ପୁୟୁ, ସଂସାରରେ ତାର କେହି ନାହିଁ ନିଜର ବୋଲି । ଦିଉଡ଼ୁର ମନର ନିଷ୍ପତ୍ତି ଆଜି ସ୍ଥିର, ସେହି ସ୍ଥିର ନିଷ୍ପତ୍ତି ଆଗରେ ପୁୟୁ ପାଇଁ ସହାନୁଭୂତି ବି ଆସେ । ମନ ଭିତରୁ ଠେଲି ପେଲି ସେ ତାକୁ ପର କରିଦେଇଛି, ବାହାରିଆ ଲୋକର ସମ୍ପର୍କ ନ ଥିବା ଥଣ୍ଡା ଚାହାଣିରେ ତାକୁ ଚାହିଁ ଦେଖେ ଆଉ ଭାବେ ।

 

ସେ ଆଉ ତାକୁ ଗାଳି ଦେବ ନାହିଁ, କଷ୍ଟ ଦେବ ନାହିଁ, ଥାଉ ଯେତେଦିନ ଅଛି ସୁଖରେ-। କିନ୍ତୁ ତାକୁ ଯିବାକୁ ପଡ଼ିବ, ଖୁସିରେ ନ ଗଲେ ବଳେ ବାଧ୍ୟରେ ପଡ଼ି ଯିବ, ସମ୍ପର୍କ ଅଚଳ ହେଲା, ଜାଣି ଜାଣି ଜୀବନଟା ପୋଡ଼ିଜାଳି ଦେଇ ଫଳ କ’ଣ ?

 

ସେଠି ବସିଛି ପୁୟୁ, ଯାହା ଦିନେ ଥିଲା ତାର ଧାଂଡୀ, ଆଜି ନାହିଁ । ତରବର ହୋଇ ଯାଇ ଗୋଡ଼ ଧୋଇବାକୁ ପାଣି ଆଣିଦେଲା, କଅଁଳେଇ ପଚାରିଲା, ‘କିଛି ଖାଇଚ ? ଆସ, ଖାଇଦିଅ ।’ ତାର ମୁହଁରେ ସରାଗ ନାହିଁ । ମାଡ଼ ଖାଇବାକୁ ଅପେକ୍ଷା କଲାପରି ସେ ଚାହାଣି । ଏତେ ଡର ? କାହିଁକି ? ଦିଉଡ଼ୁ କଅଁଳ ହେବାକୁ ଚେଷ୍ଟା କଲା । ହୋଇପାରିଲା ନାହିଁ । କେଡ଼େ ଘୃଣା, ଅଥଚ ଆଖିରେ ତାର ଚିହ୍ନ ନାହିଁ । ଲୁଚୋଉଛି । ଦିଉଡ଼ୁ ଭାବୁଥାଏ କହିଲା, ‘କେତେଦୂରରୁ ଆସିଲି ଚାଲି ଚାଲି, ସେମିତି ଘୁଙ୍ଗାପରି ଠିଆ ହୋଇଚୁ କାହିଁକି ? ସେମିତି କାହିଁକି ମୁହଁ କରୁଚୁ ? ମୁଁ କ’ଣ ତତେ ମାରିବି ?’

 

ସେହିପରି ଶାନ୍ତ ଭାବରେ ପୁୟୁ କହିଲା, ‘ଆସ ଖାଇବ, ସବୁ ସରିଚି ।’

 

କୁଆଡ଼େ ଯାଇଥିଲୁ ବୋଲି କାହିଁକି ଏ ପଚାରୁ ନାହିଁ ? ପଦେ କଥା କାହିଁକି ପଚାରୁ ନାହିଁ । ଯେମିତିକି ତାର ଜାଣିବାକୁ କିଛି ଅଛପା ନାହିଁ । ସେହି ପୁୟୁ ବାଢ଼ିଦେଲା । ଚିନ୍ତିତ ମନରେ ଦିଉଡ଼ୁ ଖାଇବସିଲା ।

 

ଅଧାଖିଆ ହୋଇଥାଏ । ଭାବିଲା ଏଥର କହିଦେବ । କହିଦେବ, ‘କାହିଁକି ଆଉ ପୁୟୁ, ମୋର ମନ ତତେ ନାହିଁ, ଆଉ କାହିଁକି ଏ ମିଛିମିଛିକିଆ ଘରକରଣା ? ମୋ ଘରେ ତୁ କାହିଁକି ପରଝିଅ ଘାଣ୍ଟିହୋଇ ମରିବୁ ? ତୋର ତୁ ଯା-’

 

କ୍ଳାନ୍ତ ଦେହରେ ଉଷୁମ ମାଣ୍ଡିଆ-ଭାତ ଗଣ୍ଡାକ ଭଲଲାଗେ, ପେଟ ପୂରିଆସିବ । ସଙ୍ଗେ ସଙ୍ଗେ ମନଟା କଅଁଳ ହୋଇଆସେ । ଆର ଦିଗର ଚେନାଏଁ ଚେନାଏଁ ଦିଉଡ଼ୁର ମନେପଡ଼ୁଥିଲା । ଏହି ଦୁର୍ବଳ ମଣିଷ, ଗୋଟାଏ ଲୋକର ପୂରା ସଂସାରର ଭାର ଟାଣି ଓଟାରି ହୋଇ ଏ ତୁଲେଇ ଯାଉଥିଲା ଏତେଦିନ । କାମ କରିଚି, ନ କରୁ ବା ଆଉ କିଛି । ପୁଅଟିଏ ଦେଇଛି । ତାଠୁ ବି ଉପକାର ଥିଲା ।

 

ନା-ତଥାପି ସେ ଯିବ ।

 

ମଝି ଆକାଶରେ ମେଘର ଧୂଆଁ ଲହଡ଼ି ଭାଙ୍ଗୁଛି । ଦୂର ଦିଗ୍‌ବଳୟରୁ ଉହୁଙ୍କି ଆସୁଛି ବହଳ କଳାମେଘ । ଝିଁ ଝିଁ ଶୀତୁଆ ପବନ । କେଡ଼େ ନିଛାଟିଆ । ପ୍ରକୃତିର ଏଇ ହତାଦର ଭିତରେ ଓଲଟିପଡ଼ି ମଣିଷ ଉଷୁମ ଖୋଜେ । ଅନ୍ଧାରୀ ଘର । ବାଟ ପଡ଼ିଛି । ଅନ୍ଧାର ଘରେ କାଠ ଗଣ୍ଡିରାର ରଡ଼ ନିଆଁ ପାଖେ ମୁହାଁମୁହିଁ ବସି ମୋଟେ ଦି’ଜଣ । ଏହି ତାର ପ୍ରତିବାଦ । ସ୍ୱାସ୍ଥ୍ୟବନ୍ତ ସବଳ ପୁରୁଷ ସ୍ୱାସ୍ଥ୍ୟ ଖୋଜେ, ସୁନ୍ଦରପଣ ଖୋଜେ । ସେଠି ହାଡ଼ ଚମ କଙ୍କାଳର ପ୍ରୟୋଜନ ନାହିଁ । ପିଓଟି ଆସିବ ।

 

ତୁନିତାନି ଖାଇ ଲାଗିଥାଏ । ପୁରୁଷର ଦମ୍ଭ ଟେହିହୋଇ ତଣ୍ଟିଯାକେ ଆସେ, ପଦେ କଥା, ପିଓଟି ଆସିବ, ଯା, ପଦେ କଥାରେ ଏକା ଚୋଟକେ ନିଷ୍ପତ୍ତି ଶେଷ । କହି ହୁଏ ନାହିଁ ।

 

ସୁଆଦ ହୋଇଛି ପୁୟୁର ରୋଷେଇ ।

 

ସେ କିଛି ନ କହିଲେ ବି ତାର ଅଜାଣତରେ ତାକୁ ନିରେଖି ଲାଗିଥିଲା ପୁୟୁ । ଏହି ମଣିଷର ପ୍ରତି ଭାବଭଙ୍ଗୀକୁ ସେ ଚିହ୍ନେ, ଢୋଲ ଟମକ ବାଡ଼େଇ ପ୍ରଚାର କରିବସେ ନାହିଁ । କିନ୍ତୁ ଛାଇପରି ଥାଇ ଥାଇ ସବୁ ସେ ବୁଝିପାରେ, ସବୁ ସେ ଚିହ୍ନେ ।

 

ନୀରବ ମଣିଷଟାକୁ ଆଖିରେ ଆଖିରେ ସେ ବୁଝିଲାଗିଛି । ଦିନ ଦିନକର ଘଟନା ମନେପଡ଼ି ପ୍ରକାରେ ଚାହାଣିରୁ ଭଙ୍ଗୀରୁ ବାହାରି ଠିଆ ହେଉଛି ଅନୁଭୂତିରେ ସେହିପରି ଗୋଟାଏ ଗୋଟାଏ ରୂପ, ଅନୁଭୂତିର ଶବ୍ଦହୀନ ବୋଧରେ । ପୁୟୁ ବସି ବସି କରୁଣରସର ଅଭିନୟ ଦେଖୁଛି ତାର ସ୍ୱାମୀ ସମ୍ପର୍କରେ । ବାହାରେ ବରଷା, ପୃଥିବୀର କାନ୍ଦରା ରୂପ, ତାହାରି ଅନୁରୂପ ଏ ନୂଆ ଅନୁଭୂତି । ଦୁହେଁ ସମାନ ।

 

କେତେଦୂର-କେତେଦୂର-

 

ସ୍ୱାମୀ ଭାସି ଚାଲିଯାଇଛି । ସଂସାର ଭାସି ଚାଲିଯାଇଛି । ଘୁ ଘୁ । ତୋଫାନରେ ଗୋଳିଆ-ଘଣ୍ଟା ହୋଇ ଭଉଁରି ଭଉଁରି ଚାଲିଛି ଯେତେ ଚିହ୍ନା ଆଶ୍ରୟ ଯାହା ଆପଣାର ସବୁ । କଥା ବି କହୁ ନାହିଁ ଟିକିଏ ବି ଦ୍ରବୁ ନାହିଁ ତାର ପଥୁରିଆ ମନ ।

 

ମୁହଁରେ ଲୁଗା ଦେଇ ପୁୟୁ କାନ୍ଦିଲା । ଦିଉଡ଼ୁ ସାଓଁତା ପ୍ରକୃତିସ୍ଥ ହେଲା, ଏଥିକି ତାର ଚିହ୍ନା ରୂପ । ରିଷାରେ ଜଳିଉଠି ଖାଇସାରିଥିବା ପତ୍ର ଉପରେ ହାତ କଚାଡ଼ି ସେ କହିଲା, ‘ବାହାରିଲା, ବାହାରିଲା, ମୁଁ ଘରେ ପାଦ ଦେଲେ ୟାର କାନ୍ଦଣା-’ ବାକି କଅଁଳ କଥା ସେ ଭୁଲିଯାଇଥିଲା । ପୁଣି ସେହି ପୁୟୁ ସେ ତାହା ଆଖିରେ ଯାହାକୁ ଛାଡ଼ିବାକୁ ତାର ମନ, ଦୟା ମାୟା ନାହିଁ ।

•••

 

ବୟାଅଶୀ

 

ପାଞ୍ଚଦିନ ଝଡ଼ି ବରଷା ଧରି ଅକସ୍ମାତ୍ ଛାଡ଼ି ଯାଇଛି । ଦି ଦିନ ଗଲା ତିନିଦିନ ଗଲା ଆଉ ବରଷାର ଦେଖା ନାହିଁ । ରଣକୁହୁଡ଼ି ଖରାରେ ଝଲଝଲୋଉଛି, ଦିପହରେ ବଣ ଭିତରୁ ଉଷୁମ ବାମ୍ଫ । ମାଟିରେ ବତର ଧରିଛି, ହଳ ପଡ଼ି ମଞ୍ଜି ବୁଣା ହେବ ।

 

ଠିକ୍ ଏତିକିବେଳକୁ ଦିସାରିର ଯୋଗ । ବୁଧବାର । ବାଆଲି ପୂଜାର ଦିନ । ସକାଳୁ ପାଣ୍ଡ୍ରୁ ଦିସାରି ନୂଆ ଧାରଣା ଅନୁଭବ କଲା । ସବୁ ପୂଜାର କର୍ତ୍ତା ସେ, ଆଜି ତାର ବିହନ-ପୂଜା । ତାର ବୁଢ଼ୀ କେତେବେଳୁ ଉଠି ନିଆଁ ଜାଳିଦେଇ ନଈକୁ ଚାଲିଗଲାଣି । ସଂସାରରେ ତାର ସମଗ୍ର ସମ୍ପତ୍ତି ତାର ବୁଢ଼ୀ ଆଉ ତାର ଜମି । ବାଆଲି ପୂଜାସାରି ଜମିରେ ମଞ୍ଜି ବୁଣିଦେଲେ କେତେ ଫସଲ ଉପୁଜିବ । ଆଉ ତାର ବୁଢ଼ୀ, ସେ ବି ଫଳ ଦେଇଥିଲା, ସମସ୍ତେ ଚାଲିଗଲେ, ଆଜି ଖାଲି ବୁଢ଼ାବୁଢ଼ୀ । ଠାକୁର ଡୁମାଙ୍କ କିଣାଚାକର ସେ, ଆକାଶର ତରାମାନଙ୍କ ସଙ୍ଗେ ତାର କଥାଭାଷା । କିନ୍ତୁ ସେ ଜର, ଛାତିବଥା ଜର ବସନ୍ତ, କାହାରିକୁ ରୋକି ପାରି ନାହିଁ, ମରଣକୁ ଅଟକେଇ ପାରି ନାହିଁ । ତଥାପି ଦିସାରି ସେ, ସର୍ବଜ୍ଞ ସିଦ୍ଧାନ୍ତୀ ।

 

ଦେବତାମାନଙ୍କ ବିଶ୍ୱାସର ବୋଝ ଅକାରଣରେ ପିଠିରେ ବୋହି ସବୁକଥାକୁ ହସିଦେଇ ତାକୁ ପୂଜାନୀତି କରେଇ ନେବାକୁ ହେବ, ଆଜି ବାଆଲି ପୂଜା, କାଲି ଟାକୁ ପୂଜା, ପହରିଦିନ ଦଶରା ପୂଜା । ସେଥିରୁ କିଛି ତାକୁ ପଇସା ମିଳେ ନାହିଁ । ପୁରୋହିତଙ୍କ ପରି ଦକ୍ଷିଣା ମିଳେ ନାହିଁ, କେବଳ ଗୋଷ୍ଠୀଗତ ଘରକରଣା ଭିତରେ ଗୋଟିଏ ଦାୟିତ୍ୱ ସେ ଆବୋରି ନେଇଛି, ସମସ୍ତଙ୍କ ମଙ୍ଗଳ ପାଇଁ ସମାଜ ସକାଶେ ଏତକ ସେ କରିବାକୁ ବାଧ୍ୟ ।

 

ଆଜିର ସକାଳ ଅନ୍ୟ ସକାଳଠୁଁ ଭିନ୍ନ ନୁହେଁ ସେତେ । ଦିସାରିର ଆଖିରେ ଆଜିର ବିଶେଷତ୍ୱ ଅଛି । ପଞ୍ଝା ହୋଇ ଗାଁର ଗଛ ଉପରୁ ଶାରୀମାନେ ନାନା ରାଗିଣୀରେ ଗୀତ ବୋଲୁଛନ୍ତି, ଆଜି ମୟୂରଙ୍କ ଡାକ ପରିଷ୍କାର ଶୁଭୁଛି । ଖରାରେ ଆଜି କେଡ଼େ ରଙ୍ଗ । ଦିଗନ୍ତର ଶୋଭା କିପରି । ପ୍ରକୃତି ଅପେକ୍ଷା କରିଛି, ଆଜି ମଣିଷ ମଞ୍ଜି ବୁଣିବ ।

 

କିନ୍ତୁ ଆଜି ଦିସାରି ମନରେ ଡାକ ଲାଗିଛି, ଆଜି ପରା ସକାଳରେ ବଉଁଶ କୁଟୁମ୍ବ ଏକାଠି ହୋଇ ଆନନ୍ଦ କରିବେ ବୋଲି ପିଲାଛୁଆ କେତୋଟି ତାର ଥିବା ଦରକାର ଥିଲା । ସକାଳୁ ସକାଳୁ ଚାରିଆଡ଼େ ଧୂମ୍‌ଧାମ୍ ଲାଗିଗଲାଣି । ପିଲାମାନେ ଭୂଜା ଖାଇଲେଣି, ଢୋଲ ପିଟିଲେଣି । ସବୁ ମନେପଡ଼ୁଛି ଆଜି ।

 

ଦିସାରି ଉଠି ଆୟୋଜନ କରିବାକୁ ଗଲା । ଗାଁଲୋକେ ସବୁ ଜାଣନ୍ତି, ତଥାପି ଦଳ ଲୋକଙ୍କ ଲକ୍ଷଣ ଏପରି ଯେ ଜାଣିଶୁଣି ସେମାନେ ମାଣ୍ଟେଇ ହେଉଥା’ନ୍ତି ଚେତେଇ ହେବାକୁ ଅପେକ୍ଷା କରି । ନାଇକକୁ କହି ଯିବାକୁ ହେବ ଗାଁର ସାଓଁତା ପାଖକୁ । ସାଓଁତା, ପାଣ୍ଡ୍ରୁ ଦିସାରି ହସିଦେଇ ମୁହଁ ମୋଡ଼ିଦେଲା, ତଥାପି ଏହି ଲୋକଟାଠୁ ସରବୁ ସାଓଁତା ପୁରୁଣା ମଣିଷ ଏତେ ଆଶା ଭରସା ରଖିଥିଲା । ନା, ବୁଢ଼ାମାନେ କରିବେ ଆୟୋଜନ, ସରବୁର ଭାଇ ଲେଞ୍ଜୁକନ୍ଧ, ଲେତା, ଆର୍ଜୁ, ବାଗି, ଜାମ୍ବା, ଆଉ ଟୋକାମାନେ, ସେମାନେ ଫୂର୍ତ୍ତି ଆମୋଦର ଭାଗୀ । ଟୋକାଙ୍କର ଟୋକୀ ଅଛନ୍ତି, ବୁଢ଼ାଙ୍କର କେବଳ ଧୂଆଁପତ୍ର ଆଉ କର୍ତ୍ତବ୍ୟ ।

 

ବାଆଲି ପୂଜା ବୋଲି ସକାଳୁ ସକାଳୁ ଘରଦ୍ୱାର ଲିପୋପୋଛା ଲାଗିଗଲେଣି । ନାଲି ମାଟି, ଧଳା ମାଟି, ହଳଦିଆ ମାଟି, କଳାମାଟି ଛଟାଛଟି ଲେସାଲେସି । ସେଠି ଅଣ୍ଟାରେ ଲୁଗା ଗୁରେଇଦେଇ ଲାଗିଛନ୍ତି ସ୍ତ୍ରୀଲୋକମାନେ, ଦାୟିତ୍ୱର ବାରପଣର ଭାଗୀ ସ୍ତ୍ରୀଲୋକମାନେ, ସେହିମାନଙ୍କର କେବଳ ଆଗ୍ରହ, ‘କେତେବେଳେ ଯୋଗ ପଡ଼ୁଛି ଦିସାରି-’

 

‘କହିଯା ଦିସାରି, କହିଯା ଦିସାରି-’

 

ସାନ ସାନ ପିଲାମାନେ ଗୋଡ଼ରେ ଗୁରେଇ ହୋଇଯାଆନ୍ତି । ପଚାରନ୍ତି ଆଜି ଭୋଜି ହେବ କି ନାହିଁ, ଜବାବ୍ ପାଇ ଡେଇଁ ଡେଇଁ ଚାଲିଯାଆନ୍ତି । ସକାଳୁ ଗାଧେଇ ପାଧେଇ ବକର ବକର ହୋଇ ଟୋକୀମାନେ ଆସୁଛନ୍ତି । ଆପଣା ଭିତରେ କହିଲାଗିଛନ୍ତି ‘ରାତିଯାକେ ପୂଜା ଡେରିକଲେ ଆମେ ଆଉ ଶୀତରେ ନାଚିପାରିବୁ ନାହିଁ ଜାଣିଥା । ରାତିରେ ଡର । ରାତିରେ ଶୀତ । ସଞ୍ଜ ଥାଇ ତମ ମନ୍ତ୍ର ଛିଣ୍ଡେଇ ଦିଅ ।

 

ଯୁଆଡ଼େ ଗଲେ ଦିସାରି, ଦିସାରି, ସବୁ କଥାରେ ସମସ୍ତିଙ୍କର ଅବଲମ୍ବନ । ସେହିପରି ତାର ବରାଦ ହେବ ଯେ ଦେବତା କାମରେ ଖଇଚା ପଡ଼ିବ ନାଇଁ, ମଣିଷ କାମରେ ବାଧା ପଡ଼ିବ ନାହିଁ । କାମ କରି କରି ସେ ବନ୍ଧା ପଡ଼ିଯାଇଛି, ସମାଜକୁ ଦେଖି ସେ ଶୋକ ଭୁଲେ । ସମସ୍ତେ ତାର, ସେ ସମସ୍ତିଙ୍କର ।

 

ବାରିକ ଘର ଗଳି ମୋଡ଼ରେ କେତେଜଣ ବୁଢ଼ା ଏକାଠି ବସି ତର୍କ କରୁଛନ୍ତି । ପୂଜାର ଆୟୋଜନ । ଲେଞ୍ଜୁକନ୍ଧ କହିଲା, ‘ଦେଖ୍ ତ ଦିସାରି, ମତେ ଦେଇଛନ୍ତି ମଦ ଆଣିବା ଭାର, ମୁଁ ତ ସେ ଭାର ନେଲି, ମୁଁ କହିଲି ଦିଉଡ଼ୁକୁ କହ ଶାଗ୍ (ମାଂସ) ଆଣିବା ଭାର ସେ ନେଉ ଯେ ମାନୁ ନାହାନ୍ତି, ଜାମ୍ବା ଲେତା ମତେ ଧରୁଛନ୍ତି ।’

 

‘ଆମେ ତ ତାକୁ ଚିହ୍ନୁ ନାହିଁ କି ଜାଣୁ ନାହିଁ । ଟୋକାଟାକିଳିଆ ଲୋକ, କି ବିଶ୍ୱାସ ତାକୁ-? ତତେ ନ ଧରିବୁଁ ତ ଯାଉ ଗାଁ ଭୋଜି ବୁଡ଼ୁ । ସାଓଁତା ଥିଲା ସରବୁ ସାଓଁତା, ତୁ ତାର ଭାଇ-।’

 

‘ଶାଗ ପାଇଁ ଏତେ ପେଲାପେଲି କାହିଁକି କରୁଛ,’ ଦିସାରି କହିଲା, ‘ଗାଁରେ କାହାର ହଡ଼ା କି ଛେଳି କ’ଣ ନାହିଁ, ଭେଦା ତ ଉଠେଇଛ, ହକ୍ ପଇସା ଦେବ କିଣି ଆଣିବ, ସେଥିରେ କ’ଣ ଅଛି ।’ ନା, ଗୋଳମାଳ ସେଠି ନାହିଁ । ବୀମା କନ୍ଧର ଗୋଟିଏ ଅକାମୀ ହଡ଼ା ଅଛି, ମାଗିଲେ ଦେଉ ନାହିଁ, କହୁଚି ଡୁଡ଼ମାଗୁଡ଼ା ହାଟରେ ସେ ନେଇ ବିକିବ, ସେଥିପାଇଁ ଏତେ ତକରାଳ । ଦିସାରି ହସିଦେଇ କହିଲା, ‘ବାରିକର ବୁଦ୍ଧି ଏ । ତୁମେ ହାତରୁ ପଇସା ଛାଡ଼ିବ ନାହିଁ, ତାକୁ କହିବ ମାଲ୍‌ ଛାଡ଼୍ । ଦାଣ୍ଡର ଧାରା କରିଦିଅ, ଟଙ୍କା ଦେଇଦିଅ, କ’ଣ, ହେଲା ଗାଁ ଲୋକ ତ, ତୁମ ହିସାବରେ ଟଙ୍କାଏ ମସାଏ ବେଶୀ ନେଉ, ଦେଖିବା, ଜିନିଷ ଯଦି ତଥାପି ନ ଦେବ ତେବେ ପଞ୍ଚାଏତ୍ କରିବା-।’

 

‘କାହିଁକି ? ଆମର କ’ଣ ଯାଉଛି, ସାଓଁତାକୁ କହିଦିଅ, ଯୋଉଠୁ ହେଲେ ସେ ଆଣୁ-ବୀମା ତାକୁ ମନାକରୁ, ସାଓଁତା ତାକୁ ଗାଁରୁ ତଡ଼ୁ-’ ଲେଞ୍ଜୁକନ୍ଧ କହିଲା ।

 

ଦିସାରି ବିରକ୍ତ ହେଲା,-’ନାହିଁ ନାହିଁ ସେଗୁଡ଼ା ପିଲାଳିଆ କଥା । ତୁ ଯା ବାରିକ ମୁଁ ଯେମିତି କହିଲି ସେମିତି କର, ବୀମା ଦେବ, ଆଜି ପରବ୍ କରିବା ନା କଜିଆ କରିବା ? ତା’ ପରେ, ଏ ତ ଗଲା ପେଟଚିନ୍ତା । ପୂଜା ମଣ୍ଡପ ନାହିଁ, ଛାମୁଡ଼ିଆ କିଏ କରିବ, ପୂଜାର ବରାଦ୍ କିଏ କରିବ, ନା ସେସବୁ ବି ସାଓଁତା ଉପରେ ଛାଡ଼ିଦେବ ତ ଦିଅ, ଖାଲି ଭୋଜି ଖାଉଥା ।’

 

ସମସ୍ତେ ଉଠିପଡ଼ିଲେ, ଏଇ ଛାଟକ ସମସ୍ତେ ଅପେକ୍ଷା କରୁଥିଲେ, ସବୁଠୁ ବଡ଼ କାମ ଗାଁ ମଝିରେ ।

 

ଘରୁ ଘରୁ ଲୋକଙ୍କୁ ଓଟାରି ଏକାଠି ହୋଇ କାନ୍ଧରେ ଟାଙ୍ଗିଆ ପକେଇ ଲୋକେ ବଣକୁ ଚାଲିଗଲେ । ଦିସାରି ଗଲା ବେଜୁଣୀ ବୁଢ଼ୀ ପାଖକୁ । ବେଜୁଣୀ ଜାଣେ, କିନ୍ତୁ ତଥାପି ଆଗରୁ ତା’ ସଙ୍ଗେ ପରାମର୍ଶ କରିବା ଦରକାର ।

 

ଖରା ମୁଣ୍ଡେ ହେଲାବେଳକୁ ଗାଁ ଦାଣ୍ଡରେ କାମ ଲାଗି ଗଲାଣି । ଗାତ ଖୋଳା, ଖୁଣ୍ଟ ପୋତା, ଛାମୁଡ଼ିଆ ତିଆରି, ଘର ତୋଳା । ସେଠି ଢୋଲ ବାଜୁଥାଏ, ଗୋଟିକିଆ ଢୋଲର ତାଳେ ତାଳେ ଲୋକେ କାମ କରୁଥା’ନ୍ତି, ଉତ୍ସବର ସୂଚନା ଏହି ।

 

ରଞ୍ଜାଳିଆ ଖରାବେଳେ କ୍ଷେତରୁ ଫେରି ଜଟ ଫଡ଼େକେଇ ହାତରେ ଗୋଟାଏ ବର୍ଚ୍ଛାଧରି ଦିଉଡ଼ୁ ସାଓଁତା ସେହି ସ୍ଥାନରେ ଆସି ପହଞ୍ଚିଲା । ଦେଖିଲା ଲେଞ୍ଜୁକନ୍ଧ ଛାଇତଳେ ପଥର ଉପରେ ବସି ଧୂଆଁ ପିଇ ପିଇ ଦେବତା କୋଠି ତିଆରି ଦେଖୁଛି, ବୁଢ଼ାମାନେ ପାଞ୍ଚ ସାତ ହୋଇ ଭୋଜି ବିଷୟରେ ଆଲୋଚନା କରୁଛନ୍ତି । କାହାରିକୁ ଉଦ୍ଦେଶ୍ୟ ନ କରି ଘାଗଡ଼ା ଗଳାରେ ଦିଉଡ଼ୁ ଗର୍ଜନ ଛାଡ଼ିଲା, ‘ସେଠି କାହିଁକି ହେଲା ? ଏ ଜାଗା କିଏ ଠିକଣା କଲା ? କାହାର ବୁଦ୍ଧି ୟେ, ଏଇ ବାରିକ ଘର ପାଖରେ ଛାମୁଡ଼ିଆ ଲଗେଇ ଦେଇଛି ଏଁ ?’

 

ଲେଞ୍ଜୁକନ୍ଧ ନ ଶୁଣିଲା ପରି ବସି ବସି ଧୂଆଁପତ୍ର ପୋଡ଼ିଲା । ଜାମ୍ବାର ଥୋମାଣି ଆହୁରି ଗୋଜେଇ ଗଲା । ବେକ ଫୁଲିଗଲା, ପାଖରେ ଥାଇ ଲେତା କନ୍ଧ ତାର ବାହା ଚାପିଧରି ମୁହଁ ପାଖେ ହାତ ପାପୁଲି ଦେଖେଇଲା । ଦିଉଡ଼ୁ ସାଓଁତା କଜିଆ କରିବା ପାଇଁ ଉପଯୁକ୍ତ ପାତ୍ର ପାଇଲା ନାହିଁ, କ୍ଳାନ୍ତ ବିରକ୍ତି ଦେଖେଇ ପାଟି କଲା, ‘ବାରିକ-ଗଲା କୁଆଡ଼େ ବୁଢ଼ା ?’

 

‘ଅଛି ଅଛି ସାଓଁତା-’ ବୁଢ଼ା ବାରିକ ଖରାରେ ଝାଳେଇ ଗୋଟାଏ ଡାହି ଟେକି ଧରିଥିଲା, ପାଖ ଲୋକକୁ ବଢ଼େଇ ଦେଇ ଆଜ୍ଞାଧୀନ ଭୃତ୍ୟ ବୋଲେଇ ପାଖରେ ଆସି ଠିଆହୋଇ ନାଲିଛାଲି ହେଲା ।

 

‘କିଏ ୟେ ଜାଗା ଠିକଣା କଲା ବାରିକ, ଗଲାବର୍ଷ ଆଉ ଟିକିଏ ତଳକୁ କୁଡ଼ିଆ ବନ୍ଧା ହୋଇଥିଲା ବୋଧହୁଏ ।’

 

ଥରେ ସାଓଁତା ଆଡ଼କୁ ଥରେ ବୁଢ଼ାମାନଙ୍କ ଆଡ଼କୁ କରୁଣ ବିଚଳିତ ଦୃଷ୍ଟିରେ ଅନେଇଁ ଦେଇ ବାରିକ କହିଲା, ‘ଦିସାରି ଏଠି ଜାଗା ଦେଖଇଦେଲା, ବେଜୁଣୀ କହିଲା, ଏଇ ଠିକ୍ ହେବ, ତୁ ତ ଆଉ ଅନୀତି ବତାନ୍ତୁ ନାହିଁ ସାଓଁତା, ସେହିଆ ଭାବି ଏଇଠି ଆମେ କାମ ଆରମ୍ଭ କରିଦେଲୁ ।’

 

ଏହିପରି କଅଁଳ କଥାରେ ଡମ୍ବ ପରର ହୃଦୟକୁ ବଙ୍କେଇଦେଇ ଆପଣାର ବଶୀଭୂତ କରେ । ଦିଉଡ଼ୁ ସାଓଁତା ନରମ ହେଲା । ପାଟିକଲା ‘ଆରେ ଜଲଦି କର ରେ, ଜଲଦି କୁଡ଼ିଆ ବାନ୍ଧ, ହେ ସେଠି ଆହୁରି ପତ୍ର ଗେଞ୍ଜିଦେ, ଭିତର ଗୁମର ପଦାକୁ ଦିଶିଲେ ଆଉ କି ପୂଜା ହେବ । ଆରେ ଏପାଖେ ବଙ୍କା ହେଉଛି ।’

 

ବୁଢ଼ାମାନେ ତଥାପି ଚଙ୍କିଲେ ନାହିଁ, କାମ ବଢ଼ିଲା ନାହିଁ କି କମିଲା ନାହିଁ । ବୁଢ଼ାମାନଙ୍କ ଆଡ଼କୁ ରାଗରେ ଅନେଇଁ ଲଣ୍ଡାଏ ଛେପ ପକେଇ ଦେଇ ଭୂଇଁରେ ଗୋଇଠା ମାରି ଦିଉଡ଼ୁ ସାଓଁତା ଘରକୁ ଫେରିଲା । ସେ ନ ଦେଖିଥିଲେ କାମ ନଷ୍ଟ ହୋଇଯାଇଥା’ନ୍ତା ଏ ବିଶ୍ୱାସରେ ତା ଧୂଳି ବି ପଡ଼ିଲା ନାହିଁ ।

 

ଘର ଠିଆ ହୋଇଗଲା, ଡାଳପତ୍ରରେ ନିବୁଜା କୁଡ଼ିଆଟିଏ । ତାହା ଭିତରେ ବାଲିରେ ବେଦୀ ତିଆରି ହେଲା । ଛାଇ ଲେଉଟିଲା ବେଳକୁ ସମସ୍ତେ ସେହି ପୂଜାଘର ପାଖେ ରୁଣ୍ଡ ହେଲେ-। ବାଜା ଓ କୋଳାହଳ ଭିତରେ ଗୋଟିଏ ଚାଙ୍ଗୁଡ଼ାରେ ବାଲିରେ ଗଜା ହୋଇଥିବା ହାତେ ଲେଖାଁ ମାଣ୍ଡିଆ ମକା ଗଛକୁ ଲୋକଙ୍କ ଦୃଷ୍ଟିରୁ ନୂଆ କର୍‌ହିଆରେ ଘୋଡ଼େଇ ପକେଇ ତରତର ହୋଇ ପାଣ୍ଡ୍ରୁ ଦିସାରି ସେହି ଘରେ ପଶିଲା, ବାଲିର ବେଦୀ ଉପରେ ନୂଆ ଶସ୍ୟର ଗଜା ଗଛ ଥାପିଦେଲା-। ଫୁଲ, ମୁରୁଜ, ହଳଦିବୋଳା ଅରୁଆଚାଉଳ ବିଞ୍ଚିଦେଲା, ଝୁଣା ଅଜାଡ଼ି ଧୂପଦାନି ଥୋଇଦେଲା, ଦୁଆରମୁହଁରେ ଘିଅବଳିତା ରଖିଦେଲା, ପଦାକୁ ଆସିଲା । ଏହି ପ୍ରସିଦ୍ଧ ବାଆଲି ପୂଜାର ଶୁଭ ଦିଆହେଲା ।

 

କେଉଁ ଦେଶରେ ଚୈତନ ମହାପ୍ରଭୁଙ୍କର ବାଲିଯାତ୍ରା ହୁଏ, କେଉଁଠି ‘ବାଲୁଙ୍କା’ ପୂଜା, ଜୟପୁର ରଜା-ଘରେ କନ୍ଧର ବାଆଲି-ପୂଜା ଓ ତଳଦେଶର କଉତୁକ ମିଶାମିଶି ପାଲାବାଲା ପରି ବେଶ ପିନ୍ଧି ବଇଁଶୀ ବଜେଇ ପ୍ରେମର ଅଭିନୟ କରି ଯେଉଁ କାନଅତରା ଗୋଳମାଳ ହୁଏ ସେ ବି ‘ବାଲିଯାତ୍ରା’, କିନ୍ତୁ କନ୍ଧର ବାଆଲି ପୂଜା ସ୍ୱତନ୍ତ୍ର, ତାର ଅର୍ଥ ଭିନେ, ତାର ଉପାୟ ନିଆରା, ଅତି ଗମ୍ଭୀର ଅତି ପବିତ୍ର ଧରିତ୍ରୀମାତାର ପୂଜା ସେ, ସେ ପୂଜା, ସେ ତାମସା ନୁହେଁ ।

 

ପୂଜା ଆରମ୍ଭ ହେଲା । ସମସ୍ତେ ପୂଜା କୋଠି ଆଗରେ ଧାଡ଼ି ଧାଡ଼ି ହୋଇ ବସିଥା’ନ୍ତି । କୋଠି ଦୁଆରମୁହଁରେ ବେଜୁଣୀ ବୁଢ଼ୀ ବସି ମନ୍ତ୍ର ବୋଲୁଥାଏ । ଦୁଇହାତରେ ଦୁଇଟା କୁକୁଡ଼ାଛୁଆ ଧରି ଚାଉଳ ଟୋକାଉତାଏ । ତାହା ସାଙ୍ଗରେ ଆହୁରି ଦି’ଜଣ ବୁଢ଼ୀ ବସିରହି ମୁଣ୍ଡ ହଲେଇ ହଲେଇ ମନ୍ତ୍ରଗୀତର ପାଳି ଧରୁଥା’ନ୍ତି । ଦୁଆରେ ବାଜା ବାଜୁଥାଏ, ବାଆଲି ପୂଜା ଚାଲିଥାଏ ।

 

ଅଛିଣ୍ଡା ମନ୍ତ୍ର ଯେତେ ବୋଲିଲେ ସରେ ନାହିଁ । ଯେତେ ଦେବଦେବୀ ଗୋଟି ଗୋଟି କରି ସମସ୍ତିଙ୍କ ନାଁ ଧରିବାକୁ ପଡ଼ିଲା । କନ୍ଧଦେଶର ପ୍ରଧାନ ପ୍ରଧାନ ସ୍ଥାନମାନଙ୍କର ଯେତେ ନାଁ, ସବୁ ଗାଇବାକୁ ପଡ଼ିଲା । ଯେତେ ପ୍ରକାର ଶୁଭ ହୋଇପାରେ ତାହାର ତାଲିକା ଦେବତା ଆଗରେ ବଖାଣିବାକୁ ପଡ଼ିଲା, ମଣିଷର ଘରକରଣା, ଦେହପା, ଶସ୍ୟ, ଭାଗ୍ୟ, ସବୁ ସମ୍ବନ୍ଧରେ । ସେହି ପୁରୁଣା ପୂଜାମାନଙ୍କରେ ବୋଲିଲା ପରି, ବଣକୁ ଗଲେ କଣ୍ଟା ନ ବାଜୁ, ବାଘ ନ ଖାଉ, ରୋଗ ନ ହେଉ, ଗୋରୁ ନ ମରନ୍ତୁ ଇତ୍ୟାଦି । ପର୍ବତ ଉପରେ ମେଘ ଶାଗୁଣାଙ୍କ ସହିତ ମିଳିମିଶି ଯାହାର ଘରକରଣା ତାର ବିପଦର ତାଲିକା ବଡ଼ ହୁଏ । ଶୁଭ ମନାସୁ ମନାସୁ ଯେତେ ବାର, ମାସ, ନକ୍ଷତ୍ର ଯୋଗ ଅଛି, ନିଠେଇ ସବୁଯାକ ବେଜୁଣୀ ଗାଇଯାଉଥାଏ ଯେପରିକି ପ୍ରତି ମୁହୂର୍ତ୍ତ କନ୍ଧଜାତି ପାଇଁ ସୁବିଧାର ହେବ । ବାଜା ସହିତ ଛାନ୍ଦ ପକେଇ ଏକାଠି ହୋଇ ଏତେ କଥା ଗାଇଲାବେଳକୁ ବେଳ କାହିଁ ?

 

ଧୀରେ ଧୀରେ ବେଜୁଣୀ ମାତୁଥାଏ, ଧୀରେ ଧୀରେ ନାଚର ଦେବତା ସେହି ବୁଢ଼ୀମାନଙ୍କ କାନ୍ଧରେ ଆଶ୍ରୟ ନେଉଥାଏ । ଧୂପଧୂଆଁ ମୁହଁକୁ ଉଠୁଛି, ବାଜା ବାଜୁଛି, ହଲି ହଲି ମନ୍ତ୍ର ବୋଲୁ ବୋଲୁ ମୁଣ୍ଡ ଝାଙ୍କୁଛି, କାଳିଶି ଲାଗୁଥାଏ ବସୁ ବସୁ ବୁଢ଼ୀ ତିନୋଟି ଉଠିପଡ଼ନ୍ତି । ନାଚନ୍ତି, ସ୍ତୋତ୍ର ବୋଲି ବୋଲି ଲଢ଼ୁଆ ମେଣ୍ଢାପରି ପଛକୁ ଡେଇଁ ଯାଇ ଆଗକୁ ଡେଇଁଆସି ତିନିମୁଣ୍ଡ ଏକାଠି ଢାଇ କରନ୍ତି । ତିନିହେଁ ପରସ୍ପର ମୁଣ୍ଡକୁ ଆମ୍ପୁଡ଼ା ଆମ୍ପୁଡ଼ି କରନ୍ତି । ବଡ଼ ସ୍ତୋତ୍ର ସରିଆସିଲା । ରନ୍ଧାମଦ, କୁକୁଡ଼ାଛୁଆଙ୍କ ରକ୍ତ ଭୂଇଁରେ ଢଳା ହେଲା । ବେଜୁଣୀକୁ କାଳିଶି ଲାଗିଲା-। ତା ସଙ୍ଗେ ସଙ୍ଗେ ଆଉ ଦି’ଜଣ ବୁଢ଼ୀ ମଧ୍ୟ ଅସମ୍ଭାଳ ହେଲେ । ଢୋଲ ଢାଉଁ ଢାଉଁ ବାଜିଲା । ପୂଜା କୋଠି ଆଗରେ ବେଜୁଣୀ ଧୂପଧୂଆଁ ଖାଇଲା, ଖଣ୍ଡାକୁ ପେଟରେ ଭୁଷିଲା, କଣ୍ଟାରେ ଚାଲିଲା, କଣ୍ଟାର ଦୋଳି ଉପରେ ବସି ଦୋଳି ଖେଳିଲା, ଦେବତା ଆପଣାକୁ ପ୍ରକଟ କଲା । ପାଖେ ପାଖେ ଆଉ ଦୁଇ ବୁଢ଼ୀ ନାଚୁଥା’ନ୍ତି । ନାଚର ଢେଉ ଦଳରେ ପଶିଲା । ଆହୁରି କେତେ ବୁଢ଼ୀ ଦରହବୁଢ଼ୀ ବସିଲାଠୁ ଉଠି ଆସି ବେଜୁଣୀ ସଙ୍ଗେ ନାଚିଲେ । ଲହଡ଼ି ପରି ଏକା ଧାଡ଼ିକେ ଚହଲି ଯାଆନ୍ତି । ପୁଣି ଧାଡ଼ି ଫିଟେଇଦେଇ ଗୁଣ୍ଡା ଗୁଣ୍ଡା ହୋଇ ବିଞ୍ଚି ହେଲାପରି ଦଳ ଭିତରେ ଜଣେ ଜଣେ ଏଣେ ତେଣେ ମାଡ଼ିଯା’ନ୍ତି, ଯେ ଯୁଆଡ଼େ ଯାଏ ସେ ସମସ୍ତିଙ୍କ ମୁହଁରେ ଆମ୍ପୁଡ଼ି ପକାଏ, ଏ ଗୋଟିଏ ଆମ୍ପୁଡ଼ା ପର୍ବ, ଲୋକେ କେବଳ ହସନ୍ତି । ଚାରିଆଡ଼େ ହୁଲର ଖେଳିଯାଏ ।

 

ତେଣେ ପୂଜା-କୋଠି ଆଗରେ କାମ୍ବେଲା ଜାନି ପାଣ୍ଡ୍ରୁ ଦିସାରି ପାଠ ବୋଲୁଥା’ନ୍ତି । ପୃଥିବୀ କେମିତି ତିଆରି ହେଲା । କନ୍ଧ କେମିତି ଜନ୍ମ ହେଲେ ବଂଶ ବଢ଼େଇଲେ, କିପରିଭାବେ ଧୀରେ ଧୀରେ ମଣିଷର ସମାଜ ବଢ଼ିଲା, ବୃତ୍ତି ବଢ଼ିଲା । ଏଣେ ପାଠ ବୋଲାହୁଏ, ବେଜୁଣୀ ଓ ତାର ସାଙ୍ଗୀମାନେ ସାହି ବୁଲି ବୁଲି ସେହି ସେହି କଥା ଅଭିନୟ କରନ୍ତି, ଅଧଲଙ୍ଗଳା କନ୍ଧ ଦର୍ଶକମାନଙ୍କ ଆଗରେ ସମାଜତତ୍ତ୍ୱ ଆଲୋଚନା କରାହୁଏ ।

 

ପ୍ରଥମେ ବଣରୁ ଗୋଟେଇ କନ୍ଦା ଫଳ ଆଣି ମଣିଷର ଘରକରଣା । ବେଜୁଣୀ ଦୌଡ଼ି ଦୌଡ଼ି ଗାଁ କତି କତି ବଣକୁ ଯାଇ ଆମ୍ବଟାକୁଆ ଗୋଟାଏ, ତେନ୍ତୁଳି ମଞ୍ଜି ଗୋଟାଏ, ଲଟାପତ୍ର ଓଟାରି ଛିଣ୍ଡେଇ ଆଣେ । ତା’ପରେ ଶିକାରୀ ମଣିଷ ଧନୁ କାନ୍ଧେଇ ବର୍ଚ୍ଛାଧରି ମିଛିମିଛିକିଆ ଶିକାରର ଅଭିନୟ କରି ସେ ଫେରେ । ଧୀରେ ଧୀରେ ଚାଷୀ ମଣିଷ, ବାଜାର ତାଳେ ତାଳେ ଖୁର୍‌ପୀ ଧରି ବେଜୁଣୀ ଜମି ତାଡ଼େ, ମଞ୍ଜି ବୁଣେ । ଧୀରେ ଧୀରେ ତାର ସମାଜ ବଢ଼େ । ବେଜୁଣୀ ବଢ଼େଇ ହୋଇ ସାହି ବୁଲେ, ପାଟିକରେ, ‘ଆଣ ଲଙ୍ଗଳ କରିଦେବି, ମୋର ପଲାମାଣକ ଦିଅ ।’ ସେହିପରି କମାର ଅବତାର ‘ଲଙ୍ଗଳ ଲୁହା ଭାଙ୍ଗିଯାଇଛି ? ଦା’ ଦରକାର ?’ ସାହି ସାହି ବୁଲି କହ୍ମାର, କୁମ୍ଭାର, ତେଲି, ଗୁଡ଼ିଆ, ତନ୍ତୀ, ମଜୁରିଆ, ଗୋଟାକ ପରେ ଗୋଟାଏ ହୋଇଯାଇ ବେଜୁଣୀ ଅଭିନୟ ଦେଖାଉଥାଏ, ଗାଁଲୋକେ ପଛେ ପଛେ ଗୋଡ଼େଇ ଥା’ନ୍ତି, ବୁଢ଼ୀମାନଙ୍କୁ ମଝିରେ ମଝିରେ ନାଚ ମାଡ଼େ, ନାଚି ନାଚି ସେମାନେ ଆମ୍ପୁଡ଼ି ପକାନ୍ତି । ଏହି ଏତେପ୍ରକାର ବୃତ୍ତିଧାରୀ, ସେମାନେ ସମସ୍ତେ କୋଠ-ଗାଁର ସେବାଏତ୍ । ସମସ୍ତିଙ୍କର କାମ କରିବେ ସମସ୍ତେ ତାଙ୍କୁ ପୋଷିବେ । ଗାଁ କେବଳ ଗୋଟାଏ ଦଳର ଛାଉଣୀ, ମଣିଷ ପକ୍ଷରେ ଆଗ ତାର ଗୋଷ୍ଠୀ, ପରେ ସେ ନିଜେ । ବେଜୁଣି ଗାଁର ବଡ଼ରଇତ ହୋଇ ମଝିଦାଣ୍ଡରେ ବସି ପଞ୍ଚାଏତ କଲା । ଗାଁର ବାରିକ ହୋଇ ଘର ଘର ବୁଲି ଖଜଣା ପାଇଁ ତାଗିଦା କଲା ପ୍ରତି ଦୁଆର ମୁହଁରେ ବାଡ଼ି ଠକ୍‌ଠକ୍ କରି ପ୍ରତି ଘରୁ ତାର ମୂଲ ମାଗିନେଲା, ଗାଁର ବଡ଼ମୁଣ୍ଡିଆ ସାଓଁତା ହୋଇ ସେ ଗାଁ ପାଳିଲା, ହାନିଲାଭ ବୁଝିଦେଲା । ପୋଷାକ ନାହିଁ, ରଙ୍ଗମଞ୍ଚ ନାହିଁ, ରଙ୍ଗ ଆଲୁଅ ନାହିଁ, କେବଳ ମଝି ଦାଣ୍ଡରେ ଠାକୁର ଆଗରେ ସବୁ ବର୍ଷପରି ସେହି ପୁରୁଣା ଅଭିନୟ ସଙ୍କେତ ଓ ରୂପକ ଛଳରେ । ତାକୁ ଦେଖିବା ପାଇଁ ବି ଏତେ ଲୋକ । ବାଜାରେ ଦାଣ୍ଡ ହୁ ହୁ କମ୍ପୁଛି । ମଦପିଆ ହେଲାଣି, କେହି କେହି ମାତିଲେଣି । ସମାଜର ଏହି ଅବସ୍ଥାରେ ପହଞ୍ଚି ବାଆଲି ପୂଜାର ଅଭିନୟ ଆବୃତ୍ତି ଶେଷ, କାରଣ ଏଠିକି ନାଲିରାସ୍ତା ଏପର୍ଯ୍ୟନ୍ତ ଆସି ନାହିଁ, ନୂଆ ସଭ୍ୟତା ପଶି ନାହିଁ, ନୂଆ ସମସ୍ୟା ପ୍ରବଳ ହୋଇ ନାହିଁ ।

 

ଆହୁରି କେତେ ଅଭିନୟ ବାକି ରହିଗଲା ଯେ କିଏ ମଜଲିସରେ ମାତୁଛି, ଫାଉରେ ଫାଉରେ ତାହାରି ଘରକୁ ଧନଦଉଲତ ଭାର ଆସୁଛି, କିଏ ଠିକ୍ ତାହାରି ଘରପାଖେ ଦିନରାତି ପରିଶ୍ରମ କରିକରି ବି ଉପାସ ଭୋକରେ ଗଡ଼ୁଛି, କେତେପ୍ରକାର ନକଲି ଧପ୍‌ପାବାଜି ଠକାମି ଚୋରି, ସେ ସବୁ କନ୍ଧ ସମାଜରେ ପଶି ନାହିଁ ଯେଉଁଠି ଜଣେ କନ୍ଦା ଖଣ୍ଡେ ଖାଇଲେ ବି ଆର ଜଣକ ଉପାସ ରହିବ ନାହିଁ । କନ୍ଧ-ବେଜୁଣୀ ନୂଆ ନାଚ ଜାଣେ ନାହିଁ । ତାର ସବୁ ପୁରୁଣା ।

 

ଆଗରୁ ପଛଯାକେ ଏହିପରି ସବୁ ଗଡ଼େଇ ଆଣିଲେ ବାଆଲି ପୂଜା ସରିଗଲା । ମଣିଷ ବଣରୁ ଆସି ସଭ୍ୟ ହୋଇ ହୋଇଛି ଚାଷୀ, ପାଣିରେ ଶୋଇବା ପ୍ରାଣୀ ହଳ ଧରିଛି । ବସୁମତୀର ପୂଜା ହେଲା, ଏଥର ବୁଣାବୁଣି ହେବ, କନ୍ଧ ଦେଶର ଗୋଟାଏ ବଡ଼ ପର୍ବ ସରିଗଲା ।

 

ରାତିଯାକ ଭୋଜି ନାଚ । ବାଜା ବାଜୁଥାଏ, ନିଶ୍ଚଳ ରାତିରେ ଭାସି ଆସୁଥାଏ ଦୂର ଗାଁରୁ ତାର ଉତ୍ତର । କେତେବେଳଯାକେ, ଢୋଲ, ଟମକ, ଦୁଇ ଦୁଇ ହୋଇ ବଇଁଶୀର ସ୍ୱର ଗୋଡ଼ିଆଗୋଡ଼ି, ଯେଉଁ ଭୂଇଁ ଖାଦ୍ୟ ଦେବ, କୃତଜ୍ଞତାରେ ତାହାରି ବନ୍ଦନାର ଉତ୍ସବ ।

•••

 

ତେୟାଅଶୀ

 

ବୁଧବାର ପୂଜା ନାଚ । ଗୁରୁବାର କେବଳ ନାଚ । ସେହି ଗୁରୁବାର ଦିନ ପୂଜା କୁଡ଼ିଆ ଭିତରର ଗଜା ଗଛ ସବୁ ଓ ପୂଜାର ଫୁଲ ପାଣିରେ ଭସେଇଦେଇ ଗାଁ ଲୋକେ ଲାଗିପଡ଼ିଲେ ତାଷରେ । ଖରା ପିଟୁଛି, କିନ୍ତୁ ବର୍ଷାଦିନର ଖରାକୁ କି ଭରସା । ଆକାଶର ଧଡ଼ିରେ ପୁରୁପୁରୁ ମେଘ କୁଞ୍ଚପରି ଉଡ଼ୁଛି । ଆଜି କାମର ଭିଡ଼ ବେଶୀ, ମାଟିର ବତର ଶୁଖିଯିବ । ନଷ୍ଟ କରିବାକୁ ସମୟ ନାହିଁ ।

 

କାମର ନିଶା ମୁଣ୍ଡରେ ପଶିଲାବେଳେ ପୁରୁଷ ଖୋଜେ ମଝିରେ ମଝିରେ ଲାଉତୁମ୍ବାରେ ମାଣ୍ଡିଆ-ପେଜ, ମାଣ୍ଡିଆ ଭାତ, ମଝିରେ ମଝିରେ ଧୂଆଁପତ୍ର । ସ୍ତ୍ରୀ ନେଇଥାଏ ଯୋଗାଣ ବିଭାଗର ଭାର । ହଳ କରି କରି ଦେହ କଟକଟ ହେଲେ ସଞ୍ଜରେ ଫେରି ଢୋଲେ ମଦ । ତା’ପରେ ଧୁଆ ମୂଳା ଅଧୁଆ ମୂଳା ସବୁ ସମାନ, ବଛାବଛି ନାହିଁ, ତଉଲା ନିକିତି ନାହିଁ, କାମ ଶେଷରେ ପ୍ରାକୃତିକ ପଶୁର ଜୀବନଯାତ୍ରା, ନିଘୋଡ଼ ନିଦ ।

 

ପୁୟୁ ଭାବେ ତାର ଶୁଭଦିନ ଆସିଛି, ଦିଉଡ଼ୁ ତା’ ସଙ୍ଗରେ କଟାଳ କରିବାକୁ ବେଳପାଏ ନାହିଁ, ବେଖାତିରି କରେ ନାହିଁ, ବରଂ କାମ ବରଗେ । ‘କାଲିକି ଗୁଣୁପୁରି ସରୁଧାନ ଦେବୁ ପିପଲ ଗଛର ପଦରରେ ବୁଣିବା ଆଉ କିଛି ଠାକୁର-ଭୋଗ ରଖିଥିବୁ ଏସାଲେ ବୁଣିଥିବା; କେତେବେଳେ କେଉଁ ପ୍ରଭୁ ଅଧିକାରୀ ଗାଁକୁ ଚାଲି ଆସୁଛନ୍ତି, ସିଧା ଦେବାକୁ କିଛି ଭଲ ଧାନ ନାହିଁ ।’

 

ପୁୟୁ ମନଃପ୍ରାଣ ଢାଳି କାମ କରେ । ବିଲକୁ ତିନିଥର ଯାଇ ଖାଦି ଦେଇଆସେ, ଦିଉଡ଼ୁ ଆସି ବିଶ୍ରାମ କଲାପର୍ଯ୍ୟନ୍ତ ଛତିଶା ନିଯୋଗ ସଜେଇ ରଖିଥାଏ, ଛୁଆ ପାଳେ, ଘର ବୁଝେ । ନିଛାଟିଆ ସଞ୍ଜବୁଡ଼େ, ବଣ ଗହଳି ଝାକର ଦେବତା ପାଖେ ଦି’ଟା ଜଳନ୍ତା ସଳିତା ଗୋଟାଏ ଫୁଲ ଥୋଇଦେଇ ଜୁହାର ହୋଇ ପୁୟୁ କହେ, ‘ମହାପ୍ରଭୁ, ନିଆଶ୍ରୀର ଗୁହାରି ଶୁଣିଛ, ଗରିବ ହାକିନାର ଗୁହାରି ଶୁଣିଛ, ତୁମକୁ ଅଶେଷ ଧନ୍ୟବାଦ, ଏମିତି ଦୟା ରଖିଥିବ ମହାପ୍ରଭୁ, ଯାହା କହିବ ତାହା ଦେବି, ସବୁଦିନେ ସଳିତା ଜାଳୁଥିବି ।’

 

ଦିଉଡ଼ୁ ସାଓଁତା ଆପଣାର ପ୍ରାଣର କଥାକୁ ଆଲୋଡ଼ି ଦେଖେ ନାହିଁ, ଦେଖେ ତାର ତାଷକୁ, ଭାବେ କେବେ ବୁଣାବୁଣି ସରିଯିବ ସେ ନିଶ୍ଚିନ୍ତ ହେବ । ଖାଦ୍ୟର ସୁଆଦ ତାର ମନେପଡ଼େ ନାହିଁ, ପୁୟୁର ସୁଆଦ ତାର ମନେପଡ଼େ ନାହିଁ । କେବଳ ତା ଆଖିରେ ଗୋଟାଏ ଦୃଶ୍ୟ-। ଏତେ ଯେ ବାପ ଗୋସାପାଙ୍କ ଅମଳରୁ ତାର ଜମି, କେବେ ତାର ବୁଣାବୁଣି ସରିବ । ଚାଷୀର ଦୃଷ୍ଟିରେ କେବଳ ପାଗ ହିଁ ବଡ଼, ଗୋଟାଏ ଦିନ ନଷ୍ଟ ହେଲେ ଫଳ ପାଚିଲାବେଳେ ଗଡ଼ିଶା ଗଡ଼ିଶା ଧାନ ନଷ୍ଟ ହୋଇଥିବ, କେଉଁ ଗଛ ସାନ ହୋଇଯିବ କେଉଁଥିରେ ପୋକ ଲାଗିଯିବ-। ଦିଉଡ଼ୁ ସାଓଁତା ଗୋତି ହଳିଆମାନଙ୍କ ପଛେ ପଛେ ବୁଲେ । ବଳଦଙ୍କ ସଙ୍ଗେ କଥା କହେ । ମାଟି, ବଳଦ, ଚାଷୀ । ଗୋଟାଏ ଜିନିଷ ତାର ମନରେ ଖେଞ୍ଚାଦିଏ ଖାଲି ଯେ ଲେଞ୍ଜୁକକାର କ’ଣ ଘଟିଯାଇଛି, ସେ ଭଲରେ ନାହିଁ ମନ୍ଦରେ ନାହିଁ, କଡ଼ାକର ସାହାଯ୍ୟର ଆଶା ତାଠୁ ନାହିଁ । କେବଳ ମନ ଖୁସିରେ ମଦ ପାଣି ପିଇ ଧୁଙ୍ଗିଆ ଟାଣିଟାଣିକା କୁଆଡ଼େ କୁଆଡ଼େ ସେ ବୁଲୁଥାଏ । ଦିଉଡ଼ୁ ବୁଝିସାରିଥିଲା ଲେଞ୍ଜୁକକା ଭିନେ ମଣିଷ ହୋଇଯାଇଛି, ବେଶୀ ତର୍କ କଲେ କେବଳ ସେ ଅନିଷ୍ଟ ଭିଆଇବ, ତାକୁ ଗାଳିଦେଲେ ଗାଁର ବୁଢ଼ାମାନେ ତାର ପଟ ନେବେ । ବର୍ତ୍ତମାନ ନୁହେଁ, ପରେ ସେ ଦାଉ ସାଧିବ ଲେଞ୍ଜୁକକା ଉପରେ ।

 

ଦେଖୁଛୁ ପୁୟୁ, ଲେଞ୍ଜୁକକାର କଥା, କାହିଁକି ଏତେ ତୁ ରାନ୍ଧିବାଢ଼ି ତା’କୁ ଦେଉଛୁ, ଏତେ ଚର୍ଚ୍ଚା ତାକୁ ନ କଲେ କ’ଣ ହୁଏ ନାହିଁ ।

 

ପୁୟୁ ଖୁସି ହୁଏ, ଏତିକି ମର୍ମ ସେ ବୁଝେ ଯେ ସ୍ୱାମୀ ପୂର୍ବପରି ଘରକରଣାର ଗହନ କଥା ତା ସହିତ ଆଲୋଚନା କରୁଛି । ସେ ପ୍ରତିବାଦ କରେ ନାହିଁ, କିନ୍ତୁ ଲେଞ୍ଜୁକକା ଯାହା ହେଉ, ତାର ପଡ଼ିକାଟ କରିବାକୁ ସେ ଭାବି ହିଁ ପାରେ ନାହିଁ ।

 

ବେଳ ଦେଖି ଲେଞ୍ଜୁକକା ପାଖେ ସେ ଅଳିକରି ବସେ, ‘କକା, ଏତେ ଜମି, ଜଣିକିଆ ଲୋକ କ’ଣ ବୁଣାବୁଣିକୁ ଜଣେ ମଣିଷ ପାରିଉଠିବ ? ତୁମେ ଟିକିଏ ଦେଖାଶୁଣା କଲେ ହୁଅନ୍ତା ନାହିଁ ?’ ଲେଞ୍ଜୁକନ୍ଧ ହସେ । ପୁୟୁକୁ ସେ ଭଲପାଏ, କଷ୍ଟଦେବାକୁ ଇଚ୍ଛା ନାହିଁ, କିନ୍ତୁ ଠିକ୍ କେଉଁ ଜାଗାଟାରେ ତାର ଜଖମ, କେମିତି ସେ ବୁଝେଇବ ସରବୁ ସାଓଁତାର ବୋହୂକୁ ।

 

‘କାଲିକି ଯିବ କକା ?’

‘ହାଁ-ହାଁ ।’

 

କାଲିକି ଆଉ ଲେଞ୍ଜୁକକା ଯାଏ ନାହିଁ । ବାରିକ ଘର ତଳ ପର୍ବତର ଢାଲୁରେ ବସି ଖାଲର ଗୁଡ଼ିଆମାନଙ୍କୁ ଅନାଏଁ ।

 

ସେଠି କାମ ଲାଗିଛି । ମଣିଷର ଝାଳ, ବଳଦର ଝାଳ, ମାଟିର ଝାଳ ଆଉଟା ଆଉଟି । ମଣିଷ ଚଷିଯାଉଛି, ବୁଣିଯାଉଛି । କନ୍ଧୁଣୀ ସ୍ତ୍ରୀଲୋକ ଡାଲାରେ ବାଉଁଶିଆରେ ଫସଲର ବିହନ ଟେକି ଧରିଛି, କନ୍ଧ ନେଇ ଆଞ୍ଜୁଳା ଆଞ୍ଜୁଳା କରି ଫୋପାଡ଼ୁଛି । ହଳର ବଛାବଛି ନାହିଁ, ଗାଈକୁ ବଳଦ, ବଳଦକୁ ଷଣ୍ଢ, ବଳଦକୁ ବଳଦ, ଗାଈକୁ ଗାଈ ଯେ ଯାହା ପାଇଛି ଯୋଚି ଦେଇଛି, ହାଲୁକେ ହାଲୁକେ ଲଙ୍ଗଳ କଣ୍ଟି ଉପରେ ଚାପ, ସେତିକି ଯଥେଷ୍ଟ । ତଳେ ଧାନ, ଢିପରେ ମାଣ୍ଡିଆ, ତାହା ଉପରକୁ ସୁଆଁ, ପର୍ବତ ଢାଲୁରେ ବଡ଼ ହରଡ଼ (କାନ୍ଦୁଲ) ଠା’ଠାକେ ଜଡ଼ା । ମେଘ ଦେବତା ପାଣି ଦେବ, ଭାସି ବୁଲିବ ସଢ଼ା ପତ୍ରର କଳାଖତ । ‘ଓଟାମଡ଼ା ଲେହେଁପୋରୁ ପାୟାପେ, ପାଏର ମାଡ଼ା ଲେହେଁ କାଲା ଯାଯାପେ’ ବଣର ଗଛ ଲଟା ପରି ତାଷ ମାଡ଼ିଯିବ । ଜଙ୍ଗଲ ପରି ତାଷ, ବଣରେ ବିଲରେ ତାଷ, ଅସୁମାରି । ଲୋକଙ୍କ କୁହାଟ ଶୁଭେ ଲୋକଙ୍କ ପରିଶ୍ରମ ଦିଶେ, ଗାଁରେ କେହି ନାହିଁ, ଜମିରେ ସମସ୍ତେ । ଲେଞ୍ଜୁକନ୍ଧ ଅଳସେଇ ଅଳସେଇ ଭାବେ ପୁୟୁ କହିଥିଲା ପରା-

 

କହିଥିଲା,-କିନ୍ତୁ କ’ଣ ସେ ବୁଝିବ ପିଲାଲୋକ । ଦିଉଡ଼ୁର ବିଚାରର ଠିକ୍ ନାହିଁ, ତାର ଘଡ଼ିକେ ଘୋଡ଼ା ଛୁଟେ । ଦିଉଡ଼ୁ ବୁଝିଛି ପରା, ସରବୁ ସାଓଁତାର ସାନ ଭାଇ ତାର ଆଶ୍ରିତ । ସେ ପର, ସେ ପରଠୁ ଅଧିକ, ଏହି ସଂସାରରେ ଭାଇ ଥିଲାବେଳେତାର ସବୁ ଥିଲା, ଆଜି କିଛି ନାହିଁ । କାହା ପାଇଁ ହାଡ଼କୁ ହାଡ଼ ବଜେଇ ଚମ ଧୁଡୁକେଇ ସେ ଖଟି ମରିବ ? ଗୋଟାଏ ପେଟ ତ, ପୂରିବ ନାହିଁ କ’ଣ ?

 

ଅଭିମାନ କରୁ କରୁ ଉଦାସ ଓହ୍ଲାଏ, ପୁରୁଣା ମନର ରୋଗ ତାର ମନେପଡ଼େ, କିଛି ତାର ନାହିଁ, କେହି ତାର ନୁହେଁ । ବସେ, ଧୂଆଁ ଖାଏ, ତୁନିହୋଇ ବାରିକ ଘର ଭିତରକୁ ପଶିଯାଇ କଅଁଳେଇ ଡାକେ-’ସୋନାଦେଈ ଅଛୁ ?’

 

ବୁଣାବୁଣି ଚାଲିଲା ସାତ ଆଠଦିନ, ମଝିରେ ମଝିରେ ମେଘ ତୋଫାନ ହୁଏ, ଶୀତର ଦିନ ବଢ଼େ, କାଉନ୍ଦା ମେଘ ପାଣିର ଦିନ ବଢ଼େ । ଦିଉଡ଼ୁ ସାଓଁତା କାମକୁ ନିଘାକରି ଗତାନୁଗତିକ ପନ୍ଥାରେ ମାଡ଼ି ଚାଲେ, ପାଣି କାଦୁଅର ସ୍ପର୍ଶ ଲାଗି ଅଳସୁଆ ମନର ଛଟପଟ ତାର ମନେପଡ଼େ ନାହିଁ ।

 

ବର୍ଷାର ଝଡ଼ି ପାଇଁ ପ୍ରସ୍ତୁତ ହେବାକୁ ଜାଳିବା କାଠ ସାଇତା ହେଉଛି । ଯେଝା ପିଣ୍ଡାରେ ସ୍ତୂପ ପରିମାଣେ ଶିଆଳିପତ୍ର ଗଦେଇ ଯେଝା ଯେଝା ବସିପଡ଼ି ପତ୍ର-ବର୍ଷାତି ତର୍ଲାତର୍ଲି ବୁଣୁଛନ୍ତି, ପତ୍ରର ଛତା ବୁଣୁଛନ୍ତି, ସ୍ତ୍ରୀ ପୁରୁଷ ଉଭୟେ । କୁସୁମ ତେଲ ପେଡ଼ାପେଡ଼ି ଲାଗିଛି, ବର୍ଷାଦିନେ ଦେହରେ କୁସୁମତେଲ ବୋଳି ନ ହେଲେ ମଣିଷର ଖୋଲା ଛାଲବାଟେ ସର୍ଦ୍ଦ ଲସମ ପଶିଯିବ । ଭିଡ଼ ଭାରି । ହାକିନାକୁ କୋଡ଼ରେ ପୂରେଇ ପୁୟୁ ବସି ସ୍ୱାମୀର ସୁବିଧା ତିଆରି କରୁଛି । ଆପଣା ଦୁଆରମୁହଁରେ ଗୋଡ଼ ଲମ୍ବେଇ ସମସ୍ତେ ଘରକୁ ଘରଣୀ ।

 

ରାଉ ରାଉ ହୋଇ ମେଘ ମାଡ଼ିଆସିଲା, ଚାରିଆଡ଼ ଅନ୍ଧାର । ଦିନର ଚେତା ବୁଡ଼େଇଦେଇ କେବଳ ମୁଷଳ ଧାରାରେ ପାଣି । ପୁୟୁ ଦୁଆରମୁହଁରେ ବସି ତର୍ଲିତର୍ଲା ବୁଣୁଥାଏ । ଘଡ଼ଘଡ଼ି ଉତ୍ତାରୁ ଘଡ଼ଘଡ଼ି ମାରେ, ପବନ ଆଉ ପାଣି ଏକାଠି ଘାଣ୍ଟିଚକଟି ହୋଇ ପର୍ବତ ଉପରେ ପ୍ରଳୟ କରିଯାଏ । ପୁୟୁ ଭାବୁଥାଏ ଦିଉଡ଼ୁ କେଉଁଠି ଆଶ୍ର ନେଲା ।

 

ମୁଣ୍ଡେ ବେଳ ହୋଇଥାଏ, ମେଘ ଫାଙ୍କରେ ସୂର୍ଯ୍ୟ କେବଳ ଖଣ୍ଡେ ଅମଜା ଥାଳି ପାଣିରେ ଜୁଡ଼ୁବୁଡ଼ୁ ହୋଇ ଶୀତରେ ଥରି ଥରି ଦିଉଡ଼ୁ ଆସିଲା । ପୁୟୁ କହିଲା କାହିଁକି ତିନ୍ତିବୁଡ଼ି ଆସିଲ, ହଉ ଆସ, ନିଆଁ ଟିକିଏ କରେଁ ଟିକିଏ ସେକି ହୁଅ । ଘରେ ପାଦ ନ ଦେଉଣୁ ଦିଉଡ଼ୁର ମହାରାଗ, ଗୋଡ଼ କଚାଡ଼ି ଆଖି ତରାଟି ଦିଉଡ଼ୁ ଗାଳିଦେଇ ଲାଗିଲା । ମଣଷ ଖଟି ଖଟି ମରୁଛି ସାହାଯ୍ୟ କରିବାକୁ କେହି ନାହିଁ । ତର୍ଲାତର୍ଲି ଛତା ଛତୋଡ଼ି ଦି’ଖଣ୍ଡ ଏପର୍ଯ୍ୟନ୍ତ ତିଆରି ହେଲା ନାହିଁ-। ସେଥିପାଇଁ ପୁୟୁ ଦାୟୀ । ବିଲକାମ ଏତେ ଡେରି ଲାଗୁଛି ସେଥିପାଇଁ ଦାୟୀ ଲେଞ୍ଜୁକନ୍ଧ, କିଏ ନ ଜାଣେ ସେ ସବୁବେଳେ ଡମ୍ବଘରେ ପଶିଛି । ମିଶିକରି କାମ ବି କରୁ ନାହିଁ । ଅଲଗା ବି ହେଉ ନାହିଁ-। ଲେଞ୍ଜୁକନ୍ଧଠୁ ପୁୟୁ, ପୁୟୁଠୁ ଲେଞ୍ଜୁକନ୍ଧ, ଗାଳି ଚାଲିଲା । ପଚାରିଲା, ‘ମଦ ଅଛି ?’ ‘ଯାହା ଥିଲା ସକାଳେ ତ ଖାଇ ଯାଇଥିଲ, ଆଉ କୋଉଠୁ ଆସିବ ?’ ‘ନା,-କିଛି ନାହିଁ,-ପୁବୁଲି ଥିଲା ବୋଲି ସିନା ସବୁ ସଜାଡ଼ି ରଖୁଥିଲା, ଆଉ କିଏ ରଖିବ, କିଏ ବୁଝିବ ?’ ପୁଣି ପଡ଼ିଗଲା ପୁବୁଲି କଥା, ସେ ବିଭା ହୋଇଗଲା ସେଥିପାଇଁ ବି ପୁୟୁ ଦାୟୀ । ରାଗି ଗରଜି ଦିଉଡ଼ୁ କହିଲା, ‘ରହ, ତତେ ନିକାଲିବି, ସେ ଲେଞ୍ଜୁ ବୁଢ଼ାକୁ ନିକାଲିବି, ବାରିକର ଘର ଉପାଡ଼ି ଦେବି, ତେବେ ଯାଇ ମୋ ମନ ଶାନ୍ତ ହେବ ।’ ତିନ୍ତି ତିନ୍ତି ଗାଁ ଭିତରକୁ ଚାଲିଗଲା ଦିଉଡ଼ୁ ।

 

ପୁୟୁ ଥରୁଥାଏ । ଏତେଦିନ ପାଗ ଭଲ ଥିଲା । ଆଜି ପୁଣି କେଡ଼େ କଠିନ କଥାଗୁଡ଼ାଏ ୟେ କହେ, ବ୍ରଜପରି ଚୂନା କରିଦେଇ ଯାଏ ମଣିଷକୁ । ମଝିରେ ଦିନ କେଇଟାର ଖୁସି ଆନନ୍ଦ ପୁୟୁ ଭୁଲି ଯାଇଥିଲା, ସେ ଯେଉଁଠି ସେଇଠି ।

 

ଅନ୍ଧାର ବଢ଼ିଚାଲିଛି । ତଳୁ ଉପରଯାକେ ମେଘର ଦରିଆ, ସେଠି ଆରାମ ନାହିଁ, ଉଷୁମ ନାହିଁ । ପର୍ବତ ଉପରେ ମେଘର ବାମ୍ଫ ଉଡ଼ି ଉଡ଼ି ଆସୁଛି, କୁହୁଡ଼ିରେ ଦୂରରେ ଭାସିଲା ପରି ଡଙ୍ଗର ପର୍ବତ, ତାହା ଉପରେ ଆହୁରି ଲଦାଲଦି ହୋଇ ଆକାଶ ଉପରକୁ ମେଘର ପର୍ବତ ଶିଖର ଟେକିଛି, କେଉଁଟା ମେଘ କେଉଁଟା ପର୍ବତ ବୁଝି ହେଉ ନାହିଁ । ନା, ଏ ପାଗର ଆଶ୍ୱାସ ନାହିଁ, ଏଥିରେ ଭଙ୍ଗା କାନ୍ଥ ଆହୁରି ଭୁଶୁଡ଼ି ପଡ଼େ, ଭଙ୍ଗା ମନ ଆହୁରି ଭାଙ୍ଗି ଅଜାଡ଼ିହୋଇ ପଡ଼େ ।

 

କାହିଁକି ଏଠି ସେ ମୁଣ୍ଡମାଡ଼ି ପଡ଼ିରହିଛି, ପୁୟୁ ଭାବୁଥିଲା, କି ଆଶା ଏଠି ଅଛି । ପୁଣି ଦିଉଡ଼ୁ ସେହି ଭୀମ ଅବତାର । କେଉଁଠି ମଦ ପେଟେ ପିଇ ଖୁଣି କରି ସେ ଫେରିଆସିବ, ଦୋଷ ଦେବ, ଶୋଧିବ ।

 

ହୁଏତ ଦି’ଟା ପିଟିଦେବ ବି ।

 

ମେଘ କଟିଗଲେ ଖଞ୍ଜ ଦେଖି ଚାଲିଯିବ ଧାଂଡୀ ଖୋଜି, ଆଉ କେଉଁଠି ମଉଜ କରିବାକୁ ।

 

ହାତ ଉପରେ ଗାଲ ଭରାଦେଇ ମେଘକୁ ଅନାଇଁ ପୁୟୁ ବସିରହିଲା, ଧୀରେ ଧୀରେ ମନରେ ବିଦ୍ରୋହ କୁହୁଳୁଛି, ବର୍ଷା ଦେଖି କିଛି ଆଶା ଆସୁ ନାହିଁ । ପୁଣି ତାର କପାଳ ଓଲଟିଛି, ପୁଣି ଦିନାକେତେ ଅଶାନ୍ତି କରି କରି କଟେଇବ ଦିଉଡ଼ୁ, ସଳଖ ବାଟ କାଟିଯିବାକୁ ତାର ଅଣ୍ଟାରେ ବଳ ନାହିଁ ।

 

ଘଡ଼ଘଡ଼ି ମାରିଲା, ଅନ୍ଧାର ଘରୁ ହାକିନା କାନ୍ଦି ଉଠିଲା, ପୁୟୁ ଭିତରକୁ ଦୌଡ଼ିଗଲା । ବାରମ୍ବାର ମନ ଉଡ଼ି ପଳେଇବାକୁ ଚାହେଁ, ବାରମ୍ବାର ଖେଞ୍ଚିଦେଇ ଟାଣିଆଣେ ଏଇ ହାକିନା, ଉପାୟ ନାହିଁ । ଝର ଝର ମେଘ ବରଷୁଥାଏ, ଦିଉଡ଼ୁ ଆଉ ଆସିଲା ନାହିଁ, ପୁଅକୁ ଶୁଆଇ ପକେଇ ସେହି ଗୋଟିଏ ଜାଗାରେ ବସି ରହିଥାଏ ପୁୟୁ । ଜାମିରିର ଘରେ କବାଟ ପଡ଼ିଛି, ଶୀତ ବରଷାକୁ ବୁଢ଼ା ହାଡ଼ ସହେ ନାହିଁ । ଦୁଃଖସୁଖ ହେବାକୁ କେହି ଗୋଟିଏ ନାହିଁ ।

 

କେବଳ ମେଘର ଦୃଶ୍ୟ ଦେଖୁଛି, ସ୍ୱାମୀ ଥାଇ ସ୍ୱାମୀ ନାହିଁ । ପର୍ବତ ଉପରୁ ଉଡ଼ି ଉଡ଼ିକା ଚାରିଆଡ଼େ ବିଛେଇ ହୋଇଯାଉଛି ମେଘର ବାମ୍ଫ, ରାଉ ରାଉ ଗର୍ଜ୍ଜନ କରି ମୋଡ଼ି ବଙ୍କେଇ ମେଘର ଶର ପଞ୍ଝା ପଞ୍ଝା ହୋଇ ପିଟି ଯାଉଛି ବିନ୍ଧି ଯାଉଛି । ଅନ୍ଧାର ଚହଲୁଚି, ଅନ୍ଧାର କମୁ ନାହିଁ । ଦାଣ୍ଡଦୁଆରେ ସୁଅ ପଡ଼ିଛି ।

 

କେବଳ ଗୁଡ଼ାଏ ଆତଙ୍କ ପ୍ରଳୟର ଗର୍ଜ୍ଜନ, ସବୁ ଭଙ୍ଗାଭଙ୍ଗି, ଧସାଧସି ହୋଇ ଚାଲିଯିବା ଦୃଶ୍ୟ, ମେଘର ଠାକୁର ବୀମାରଜା ମାତିଛି, ମଣିଷର ଆଶା ଭରସା ଭାସି ଚାଲିଯାଉଛି ସେହି ଅଭିଯାନର ଛଟକରେ । ଆଲୁଅ ନାହିଁ ।

 

ସେହି ବିପଦ ତଳେ ମୁଣ୍ଡ ନୁଆଁଇଦେଇ ଶୀତରେ କୁଙ୍କୁରିକାଙ୍କିରି ହୋଇ ମେଞ୍ଚା ହୋଇ ବସିପଡ଼ିଲା ପରି କେତେଗୁଡ଼ିଏ ଖାଲି କନ୍ଧ କୁଡ଼ିଆ, ବଣ ଭିତରେ ପଥର ସନ୍ଧିରେ ତାର ପତ୍ତା ନାହିଁ । କୁଢ଼ କୁଢ଼ ପର୍ବତ, କୁଢ଼ କୁଢ଼ ବଣ, ପ୍ରକୃତିର ପର୍ବତ ଦେଶରେ ମଣିଷର ବସତି ପିମ୍ପୁଡ଼ିଗାତ ପରି । ସେଠି ମଣିଷର ଅଭିମାନ ନାହିଁ, କେବଳ ଭାଗ୍ୟବାଦୀ ସେ । ପୁୟୁ ସେହି ଦୃଶ୍ୟରେ ଆତ୍ମହରା ହୋଇଥିଲା । ଜାଣତା ମନରେ ଚିନ୍ତା ଲେଶମାତ୍ର ନାହିଁ, ଅଜଣା ମନରେ ଗହୀରେ ଗହୀରେ ବାଜି ଲାଗିଛି ମେଘର ଧ୍ୱନି, ସେଠି ଚିତ୍ର ଉପୁଜୁଛି, ଅନୁଭୂତିର ବିଚିତ୍ରତା ଅଛି, କିନ୍ତୁ ସବୁ ଆବୋରି ରହିଛି କରୁଣ ରସର ବହଳ ମେଘ, କେବଳ ପ୍ରତିଚ୍ଛବି ସେ ।

 

ପଦାରେ ଗୋଟାଏ କୁକୁରଛୁଆ ବି ନାହିଁ, ବେଳ ଢଳୁ ଢଳୁ ବଢ଼ିଲାଗିଛି ବରଷାର ବପୁ, ତିନ୍ତିବୁଡ଼ି ଜଣେ ଆସିଲା, ଧାଇଁ ଧାଇଁ ଜଟା ଫୁରୁ ଫୁରୁ କରି ଆସିଲା, ସେ ଦିଉଡ଼ୁ ନୁହେଁ ସେ ଲେଞ୍ଜୁକକା । ପୁୟୁ ଦେଖି ଚମକି ପଡ଼ିଲା, ମୁହଁରେ ଚାହାଣିରେ ଏ କି ତୋଫାନ ତାର ! ଆସୁ ଆସୁ ଗର୍ଜ୍ଜନ କରି ଲେଞ୍ଜୁକନ୍ଧ କହିଲା, ‘ପୁୟୁ, ମୋର ପୁଅ ହୋଇ ତଣ୍ଟି ଧରି ମତେ ଦିଉଡ଼ୁ ନିକାଲି ଦେଲା, ମୁଁ ଯାଉଛି ।’

 

କ’ଣ କହୁଛି ଯେ, ପୁୟୁର ଛାତି ଭିତର କ’ଣ ହୋଇଗଲା । ଏମିତି କାହିଁକି ଥରୁଛି ସେ, ବାୟାପରି ଆଖି ତରାଟୁଛି । ‘ଲେଞ୍ଜୁକକା, ତୁମର ଦେହ ଭଲ ନାହିଁ, ବସିପଡ଼, ଧୁଙ୍ଗିଆ ଖାଅ, କ’ଣ ଟିକିଏ ଦିଏଁ ।’

 

‘ଆଉ ବସିବି ଏଠି, ଏଟା ପରା ତାର ଘର, ଏ ଘରଦୁଆର ବିଲବାରି ସବୁ କୁଆଡ଼େ ତାର ସେ କହୁଛି ଆଉ ଏଠି ମୋର କି କାମ୍ । ମତେ ଘରୁ ହାବୁକାମାରି ନିକାଲିଦେଲା ସେ, ମୋର ଦେହରେ ହାତ ଦେଲା, ବୁଢ଼ାଲୋକ ନିପାରିଲା ଦେଖିଲା । ଆରେ ତୁ କାଲିକାର ପିଲା, ମଦ ମାଇକିନିଆ ହୋଇ ଏଡ଼େ ମୁଣ୍ଡ ତୋର ବିଗିଡ଼ି ଗଲାଣି ତୁ କହିବୁ ମତେ ନିକଲ୍ । ଆଜି ମୋର ଭାଇ ମରିଗଲା ବୋଲି ସିନା, କୋଉ କ’ଣରେ କୁକୁରପରି ତ ଲୁଚି ବୁଲୁଥିଲୁ, ଆଜି ଏଡ଼େ ହେଇଗଲୁ । ସବୁ ମୋର ମୋର କହି ମତେ ଖେଦୁଛୁ, ପଟ୍‌କାର, ଗଣ୍ଡା ନିସ୍ତା ପିସ୍ତା, ଆଜି ବି ଟାଙ୍ଗିଆ ଫାଳରେ ତୋର ମୁଣ୍ଡ ଉଡ଼େଇ ଦେଇପାରନ୍ତି । ହଉ ଖୁଣି ଚଳେଇବି ନାହିଁ ତୋ ଉପରେ-। ତୁ ମୋର ଭାଇର ପୁଅ, ନ ହେଲେ ଟିକଟିକି କରି ତତେ କାଉ ଶାଗୁଣାଙ୍କୁ ଦେଇଦିଅନ୍ତି-। ତତେ ଏ ଦର୍ମୁ ଦଣ୍ଡ ଦେଉ, ଏ ଦର୍ତନୀ ଦଣ୍ଡ ଦେଉ, ତୋର ଘର ନଶିଯାଉ, ଦେହ ନଶିଯାଉ ଖୋ ପୋ ସମସ୍ତେ-’

 

ପୁୟୁ ତାର ପାଦ ଧରିପକେଇ କାନ୍ଦି କାନ୍ଦି ଲୋଟିଗଲା, କହିଲା, ‘କ’ଣ ତୁମେ କହିଯାଉଛ ଲେଞ୍ଜୁକକା, ଏମିତି ତ ତେମେ କେବେ ହ’ ନାହିଁ !’

 

ରାଗରେ କାନ୍ଦ କାନ୍ଦ ହୋଇ ଲେଞ୍ଜୁକନ୍ଧ କହିଲା, ‘ଏଡ଼େ ଝଡ଼ି ବରଷା, ବାରିକ ଘରେ ନିଆଁ ପାଖେ ବସି ତାପି ହେଉଥିଲି, କାହାର କି ଦୋଷ ମୁଁ କରିଛି, କ’ଣ ଖାଇଯାଉଛି, କ’ଣ ଉଜାଡ଼ି ଦେଉଛି, ଭୂତ ପରି ୟାଡ଼ୁ ଆସିଲା, ଯାହା ତୁଣ୍ଡରେ ଆସିଲା ତାହା କହିଲା, ମୋ ବାପଦିନୁ ନ ଶୁଣିବା କଥା, ଘିଡ୍‌ଘାଡ଼ିଆ କରି ମତେ ଘୋଷାଡ଼ି ଆଣି ପାଣିକି ଠେଲିଦେଇ କହିଲା କ’ଣ ନା ଯା ମୋର ଗାଁ ଛାଡ଼ି, ପଳା ଆଉ ଏଠି ଛାଇ ମଡ଼ାନା, ମୋ ମାନ୍ୟ ମାନ୍‌ତା ଭୁଲିଲା, ବାପ ଦାଦି ହୁଡ଼ିଲା-। ସବୁଦିନେ ଗୋତିକୁ କହିଲା ପରି ମୋ ସାଙ୍ଗେ ଲାଗିଥିବ, ଆଉ ରହିବି ଏଠି । ତତେ କହିଦେଇ ଯିବାକୁ ଆସିଲି, ହୁସିଆର ଥିବୁ, କେମିତି ପିଲା ହୋଇ ତୁ କେମିତି ପଟ୍‌କାର ସାଙ୍ଗେ ଚଳୁଛୁ, ଆଉ ମତେ ବଳାନା ମା, ବେଶୀ ରିଷା ଚଢ଼ିଲେ କ’ଣ ପୁଣି ଖୁଣି ଚଳିଯିବ, ମୁଁ ସମ୍ଭାଳି ପାରିବି ନାହିଁ । ଛାଡ଼ ମୁଁ ଯାଏଁ-’

 

ଲେଞ୍ଜୁକକା ବେଶୀ ମାତି ନାହିଁ, ଦିଉଡ଼ୁ କ’ଣ ତେଣେ ପ୍ରଳୟ କରିଛି, ପୁୟୁ ଲେଞ୍ଜୁକନ୍ଧକୁ ଛାଡ଼ିଦେଲା । ସେହି ଦୁଆରେ ବର୍ଷାରେ ତିନ୍ତି ଠିଆହୋଇ ଲେଞ୍ଜୁକନ୍ଧ ବିକଟ ଚିତ୍କାର କରି କାନ୍ଦି କାନ୍ଦି କହିଲା-

 

‘ଆରେ ମୋର ଭାଇ ସରବୁ ସାଓଁତା, ତୁଇ ଦେଖ୍ ତୁଇ ଶୁଣ୍ । ମୋର ଭାରିଯା ମରିଗଲା, ଭାଗ୍ୟ ନଶିଗଲା, କେବେ ଦିନେ ମୁଁ ତୋଠୁ ଭିନେ ହୋଇ ନାହିଁ, ତୋରଟା ମୋର କରିଛି, ତୋର ଘର ସମ୍ଭାଳିଛି, ତୁ ମୋ ମୁଣ୍ଡରେ ସବୁ ସଂପିଦେଇ ଚାଲିଗଲୁ, ଏଇ ଢିଅରେ ଢିଅର ଢମଣା ପରି ମୁଁ ଆଡ଼ି ରହିଥିଲି, ଆଜି ତୋର ପୁଅ ମତେ ତଡ଼ିଦେଲା, ମୁଁ ଯାଉଛି ।’

 

ବରଷାର ବେଗ ବଢ଼ିଲା, ହାତୀଅନ୍ଧ ପାଖେ ଭଙ୍ଗା କାନ୍ଥରୁ ଖଣ୍ଡେ ତଳେ ଦୁଡ଼୍‌ଭୁସ୍ କରି ଅଜାଡ଼ି ହୋଇ ପଡ଼ିଲା । ହେଇ ଲେଞ୍ଜୁକକା ଚାଲିଯାଉଛି, କାନ୍ଦଣା ଭିତରେ ପୁୟୁର ଭୟ ବି ହେଲା, କ’ଣ ଦେଖୁଛି ସେ, କ’ଣ ଏସବୁ ଘଟି ଯାଉଛି, ତାର ମୁଣ୍ଡ ଘୂରିଗଲା ।

 

ସଞ୍ଜ ପାଖ ହୋଇ ଆସୁଛି, ମେଘ ଅନ୍ଧାର ଘୁମୁରି ଘୁମୁରି ବଢ଼ୁଛି, ଆକାଶବ୍ୟାପି ଗୋଟାଏ ପ୍ରକାଣ୍ଡ କଳା ଭାଲୁ ଓହ୍ଲେଇ ପଡ଼ୁଛି, ମାଡ଼ି ବସୁଛି, ଚାରିଆଡ଼ର କଳାଘୁମର ଅବୟବ ତାର ଏକାଠି ହୋଇଯାଉଛି, ମଝିରେ ତାର ଧୋବଲା ଛାତି, ମାଡ଼ିବସୁଛି, ମାଡ଼ିବସୁଛି, କି ଭୟଙ୍କର-! ଲେଞ୍ଜୁକକା କ’ଣ ସତେ ଚାଲିଗଲା, ପୁୟୁ ଭାବୁଥାଏ, ଆଉ ସେ ଆସିବ ନାହିଁ ? ଏତେବଡ଼ ଝଡ଼ି ବରଷାରେ କୁଆଡ଼େ ସେ ଯିବ ? ପବନ ଦୁଲୁକାରେ ଶୀତରେ ମଞ୍ଜ ଥରିଯାଉଛି । ଖାଇଯାଇ ନାହିଁ-। କ’ଣ ହେଲା ୟେ ?

 

ପୁୟୁକୁ ଅସ୍ଥିର ଲାଗିଲା, ଭାବିଲା, ସେ ଦିଉଡ଼ୁକୁ ଖୋଜିବାକୁ ଯିବ, କ’ଣ କରିବ ଦିଉଡ଼ୁ ତାର ହେଲା ବା ସେ ବଳୁଆ କି ମଦୁଆ, ଦଶ ଲୋକଙ୍କ ଆଗରେ ବାହା ହୋଇଛି ତ ଭାରିଯାକୁ, ବିଭାହେଲା ଭାରିଯା, ରଖୁଣୀ ନୁହେଁ । କିନ୍ତୁ ହାକିନାକୁ ଏକା ଛାଡ଼ି ପଦାକୁ ଗୋଡ଼ ବଢ଼େଇବାକୁ ଡର । ପୁୟୁ ସେଇଠି ବସି ରହିଲା ।

 

କିଛି ସମୟ ପରେ, ମଦ ପିଇ ପାଟି କରି କରି ଦିଉଡ଼ୁ ଆସିଲା । ‘ଆରେ ପୁୟୁ, ଆରେ ହଡ଼ା, କୁଆଡ଼େ ଗଲା ସେ ବୁଢ଼ାଟା, ଏଣେ ଆସିଥିଲା କି ? ଶଃ-ସାନବାପା-ଲେଞ୍ଜୁକକା-ଗଣ୍ଡା ପଟ୍‌କାର ନିସ୍ତା ପିସ୍ତା ଦୁନିଆ କାହାଁକା, ମଦୁଆ ଡମ୍ପଟ୍‌କାର ସେଟା ଡମ ଘରେ ଖାଉଛି, ଡମୁଣୀ ମାଇକିନା ରଖିଚି, ସେଟା କାହିଁକି ମୋର ଇଚାବା (ସାନବାପା) ହେବ । ବୋଲୋଉଛ ମୋର ହିତକାରିଆ, ଆହା-କାସିରି ମାରିଲି ବିହନ ବୁଣିଲି ଦିନେ ଜମି ଉପରକୁ ଦେଖା ନାହିଁ । ଯେତେବେଳେ ଯାଅ ଲୁଙ୍ଗୁଡ଼େଇ ଲୁଙ୍ଗୁଡ଼େଇ ଡମ୍ ବାରିକ ଘର ଭିତରି ବଖରାରେ ଚୁଲିମୁଣ୍ଡ ପାଖେ ବସିଥିବ, ଡୁମ୍ବେଇ ଡୁମ୍ବେଇ (ମାଠିଆରେ ପିଇବା ପାତ୍ର ବୁଡ଼େଇ ବୁଡ଼େଇ) ସଦାବେଳେ ମଦ ପିଉଥିବ, ସୋନାଦେଈ ମୁହଁକୁ ଅନେଇଁ ବସିଥିବ, କାମ ନାହିଁ କମାଣି ନାହିଁ । ବୁଡ଼ି ବୁଡ଼ି ପାଣି ପିଇଥିବୁ ତୁ, ମୁଁ ଜାଣିବି ନାହିଁ । ମୁଁ ସାଓଁତା, ତୁ ମୋର ପରଜା, ତୁ କନ୍ଧ ହୋଇ ଡମ୍ବଘରେ ବନ୍ଧୁ କରିବୁ, ଦୁନିଆ ହବୁ, ମୋ ଗାଁରେ ଘର କରି ରହିଥିବୁ । ତୁଟା କିଏବେ ? ତୁ ମୋର କକା ? ମୋର କକାତ ମାଇକିନା ବୋଇଲେ ମୁହଁ ଟେକିବ ନାହିଁ, ବେଜୁ ଅଣପୁରୁଷା ପରି ଥିବ । ମୋର ଇଚାବା ନାହିଁ, କେହି ନାହିଁ, ମୋର ଇଚାବା ମରିଛି, ବଣରେ କେଣେ ମରିଛି, ତୁ କାହାର ଖରାପ ଡୁମା (ପ୍ରେତାତ୍ମା) । ଦିଉଡ଼ୁ କହିଗଲା, ‘ଇଚାବା ମରିଛି ଆଲୋ ଆଲୋ ହାତେୟୁଁ ହାତେୟୁଁ (ହାୟ ହାୟ ମରିଗଲା)-’

 

ବେଶି ମଦପିଇ ପାଗଳପରି ସେ । ପୁୟୁ ଯାଇ ଧରି ପକାଇଲା, ଟଳଟଳ ମଣିଷଟାକୁ ଭରା ଦେଇ ଦେଇ ଘର ଭିତରକୁ ନେଇଗଲା । ପଦେ କିଛି କହିଲା ନାହିଁ । ଦିଉଡ଼ୁ କାନ୍ଦଣା ସ୍ୱରରେ ମରଣର ବିଳାପ ଧରିଥାଏ ‘ହାୟ ଇଚାବା, ମୋର ବେଜୁପରି ଇଚାବା ମରିଗଲା, ଆଲୋ ଆଲୋ ହାତେୟୁଁ ହାତେୟୁଁ’ ଶୋଇପଡ଼ି ମୁଣ୍ଡକୁ ତଳେ ପିଟିଦେଲେ ମଲାଲୋକର ଶୋକରେ । କର ଲେଉଟେଇ ଶୋଇଲା ।

 

ଅନ୍ଧାର ସବୁ ଘୋଡ଼େଇ ପକେଇଲାଣି । ହଜାରେ ମାଦଳ ଏକାଠି ବାଜିଲାପରି ଝମ ଝମ ହୋଇ ବରଷା, ହାଉ ହାଉ ପବନ । ପୁୟୁ କବାଟ କିଳିଦେଲା । ଚୁଲି ଜାଳି ରାତିର ଖାଦି ଫୁଟେଇବାକୁ ଲାଗିଗଲା । ଭାବିବାକୁ ବହୁତ କଥା ଅଛି, କିଛି ବିଶ୍ୱାସ କରିବାକୁ ମନ ହୁଏ ନାହିଁ, ଯାହା ଯେତେବେଳେ ହେବାର ତା ହେବ, ଏତିକି ତାର ବୁଦ୍ଧି ।

 

ବରଷା ଓହ୍ଲେଇଛି । ଘୋର ବରଷା ।

•••

 

ଚଉରାଅଶୀ

 

ରାତିଯାକ ପୁୟୁର ନିଦ ହୋଇ ନାହିଁ, ଜାଗି ବସିଛି, ଟାକି ବସି ହେଉଛି ଲେଞ୍ଜୁକକା ଆଇଲା କି ? କିଏ ଥିରି ଥିରି ଡାକୁଛି ‘ପୁୟୁ, ଶୋଇଲୁଣି କି-’ ନିଘୋଡ଼ ନିଦରେ ଶୋଇଛି । କି ଚିନ୍ତା ତାର, ତାର ଦାଉରେ ଅନ୍ୟମାନେ କଷ୍ଟ ପାଇବେ ସେ ଶୋଇରହିଥିବ । ବାରମ୍ବାର ପୁୟୁ ତଲାସି ଦେଖେ, ପଦାର ମେଘ ଅନ୍ଧାର ଦେଖି ଫେରିଆସେ । ଲେଞ୍ଜୁକକାର କୋଠରିର କବାଟ ସେହିପରି ବନ୍ଦ ରହିଛି, ପବନ ହାବୁକା ମାରୁଛି, ଧଡ଼୍‌ଧାଡ଼୍ । ନିର୍ଜନ ରାତି, ପ୍ରବଳ ମେଘ, ଲେଞ୍ଜୁକକା ନାହିଁ ।

 

ଆପଣାର ମନ ବିକଳ ହୋଇ ଜବାବ ଦିଏ, ସେ ଆଉ ଫେରିବ ନାହିଁ, ପ୍ରାଣରେ ଅପମାନ ପାଇ ସେ ଗଲା । ଆପଣାର ମନ ଜବାବ ଦିଏ । ସହିବାର ସୀମା ଡେଇଁ ଉପୁଚି ବଳେଇ ଗଲାଣି, ଏଥର ଘର ଭାଙ୍ଗିପଡ଼ିବ, ସବୁ ଗଲା, ଛତରଛାଉଲ ।

 

ସରବୁ ସାଓଁତା ଘର ତୋଳିଥିଲା, ଖୁଣ୍ଟ, କାଠ, କାନ୍ଥ, ଚାଳ ।

 

ଶାଳଗଛପରି ପ୍ରକାଣ୍ଡ ମଣିଷ, ପ୍ରାଚୀନ କନ୍ଧ, ସମାଜର କନ୍ଧ, ସଂସ୍କାରର ପ୍ରତୀକପରି,-ହାୟ କୁଳବୃଦ୍ଧ, ସଂସ୍ଥିତିର ଜଗୁଆଳୀ, ଆପଣା ଦଳ ଆପଣା ଗୋଠ ଜଗିଜଗି ଧରଣୀରେ ଯୁଗେ ବିତେଇ ଦେଇ ଚାଲିଗଲା । ଘର ଆଗରେ ଏଇ ଚଟା ପଥର ଉପରେ ତାର ଆସନ ଥିଲା । ସେଇଠି ବସି ତାର ରାଜୁତି ।

 

ଆଜି ସେ ନାହିଁ, ସମାଜ ଉପରେ ତାର ତେଜ ନାହିଁ, ପବନରେ ତାର ସ୍ପର୍ଶ ନାହିଁ । କେବଳ ବିଷ, ଧରି ରଖେଇବା ଗୁନ୍ଥି ରଖେଇବା ଶକ୍ତି ଚାଲିଯାଇ ସବୁ ଖାଲି ଗୁଣ୍ଡା ଧୂଳି, ସେହି ଧୂଳି ସୁଦ୍ଧା କକ୍ଷଚ୍ୟୁତ । ପନ ଉଡ଼ୋଉଛି ମେଘ ଭସେଇ ନଉଛି, ସବୁ ଯେ ଯୁଆଡ଼େ, ସ୍ଥିତି ନାହିଁ, ବିଚ୍ୟୁତି । ସମୟର ବିଷ, ଯୁଗାନ୍ତର, ମନ୍ୱନ୍ତର ।
 

ପୁୟୁ ଭାବୁଥିଲା ।

 

ପୁୟୁ ଭାବୁ ନ ଥିଲା, ତାର ମନ ଗହୀରର ଦର୍ପଣ ଉପରେ ଛାଇ ପଡ଼ିଥିଲା ପର୍ବତ ଦେଶର ମେଘର ଅନ୍ଧାର । ଶୀତ । କାନରେ କେତେ କ’ଣ ରାଉ ରାଉ ଶବ୍ଦ ଭାଙ୍ଗି ପଡ଼ୁଛି । ଓଲଟି ଯାଉଛି । ଗଡ଼ିଗଡ଼ି ଚାଲିଯାଉଛି ବସୁଧା ଫାଟର ଅନ୍ଧାରି ପାତାଳକୁ । ପୁରୁଣା ଯାହା ସଂସ୍ଥିତିବାନ୍ ଯାହା, ତାହା ଆଉ ରହୁ ନାହିଁ । କାହିଁ ଅଭ୍ୟସ୍ତ ପୃଷ୍ଠପଟ, କି ପ୍ରଳୟ ଏ,-ଭବିଷ୍ୟତ୍‍ର ରୂପ କ’ଣ ?

 

ହାକିନା ଶୋଇଛି, ଦିଉଡ଼ୁ ଶୋଇଛି, ଘର ଭିତରେ ହଲ୍ ନାହିଁ ଚଲ୍ ନାହିଁ, ତଥାପି ପୁୟୁର ମନକୁ ଛୁଉଁଛି କେଉଁ ଅଜଣା କଳା ଭୟର ଥଣ୍ଡା ପରଶ, ଭାବିବାକୁ ଡର, ହାତ ମାରିବାକୁ ଡର ।

 

ମଶାଣିରେ ସେ ଚେଇଁ ବସିଛି କି ?

ଓଃ କି ଭୟ, କାହିଁକି ଏ ଭୟ, ବରଷା, ଅନ୍ଧାର ।

 

ସକାଳକୁ ଡେରିରେ ଦିଉଡ଼ୁ ଉଠିଲା, ଆଖି କସରା ପଡ଼ିଛି, କପାଳରେ ଲଙ୍ଗଳ ସିଅ ପରି ଗାର । ଖାଲି ଟାପରା କଲାପରି ଆଲୁଅ ଟିକିଏ ହୋଇଛି, ଟିକିଏ ଦୂରକୁ ଝାପ୍‌ସା ଦିଶୁଚି, ସେହି ଅନ୍ଧାର, ଶୀତ, ସେହିପରି ମେଘ ଦର ଦର ସମୟର କଳନା ନାହିଁ । ହୁଙ୍କାପରି ପିଣ୍ଡା ଉପରେ ମାଠ ଘୋଡ଼ିହୋଇ ବସି ରହିଲା, ପୁୟୁକୁ କିଛି ପଚାରିଲା ନାହିଁ କିଛି ମାଗିଲା ନାହିଁ । ପୁୟୁ ତାର କାମ କରିଗଲା, କଣେଇଁ କଣେଇଁ ଅନେଇଲା, କଣେଇ ଆସି ଛପି ଛପି ଧୂଆଁପତ୍ର ବିଡ଼ାଏ ଥୋଇଦେଇ ଗଲା, ନିଆଁ ଅଟାଟାଏ ଥୋଇଦେଇ ଗଲା । ହାକିନା ଟିଙ୍କ ପରି ତାର ଦେହରେ ଲାଖିଥାଏ ।

 

କେତେବେଳକେ ଗାଁର ଖା’ ପିଆ ବଢ଼ିଯାଇଥାଏ । ପାଖକୁ ଯାଇ ପୁୟୁ ଧୀରେ ଧୀରେ କହିଲା, ‘ଖାଇବ ନାହିଁକି ?’ ଉତ୍ତରରେ ଗୋଟାଏ ବିକଟାଳ ହେଣ୍ଟାଳ, ତାର ଅର୍ଥ କିଛି ନାହିଁ । ଚମକିପଡ଼ି ପୁୟୁ ପଛକୁ ଘୁଞ୍ଚିଗଲା, ପୁଣି ଧୀରେ ଧୀରେ କହିଲା, ‘ଦେହ ଖରାପ ଲାଗୁଛି ? ଦିସାରିକୁ ଡାକିବି ?’ ଦିଉଡ଼ୁ ପାଟିକଲା, ‘କାହିଁକି ଲାଗିଛୁ ଦେଖିବୁ ?’ ପୁୟୁ କାମରେ ଚାଲିଗଲା । ଚହଲା ପାଣିକୁ ଦେଖି ଦେଖିକା ଦିଉଡୁ ସେଠି ବସି ରହିଥାଏ । ଥରେ ଗର୍ଜ୍ଜନ କଲା-’ମଦ ।’

 

‘ଶୁଭୁଛି ? କହିଲି ମଦ ।’

କଅଁଳହୋଇ ଅପରାଧୀପରି ପୁୟୁ କହିଲା, ‘କୋଉଠୁ ପାଇବି ? ଘରେ ତ ନାହିଁ-’

‘ଯା ବାରିକ ଘରକୁ, ଆଣିବୁ ।’

 

ପିଲାଟିକୁ ଛାତିରେ ଯାକି ପିଠି ବଙ୍କେଇ ତିନ୍ତି ତିନ୍ତିକା ଦୌଡ଼ି ଦୌଡ଼ି ପୁୟୁ ଚାଲିଲା ବାରିକ ଘରକୁ, ତଣ୍ଟିଯାକେ କାନ୍ଦ ଉଠି ଆସୁଥାଏ ପୁଣି ଉପରୁ ତଳକୁ ଗଡ଼ିପଡ଼ୁଥାଏ ନିବୁଜା ଅନ୍ଧ ଭୟର ବୋଝ । ଆଜି ତାର ନୂଆ ସକାଳ ସତ, ସାଓଁତାର ବୋହୂ ସାଓଁତାର ଭାରିଯା ହୋଇ କେବେ ସେ ତଳ ହାତରେ ମାଗିବାକୁ ଡମ୍ବ ବାରିକର ଦ୍ୱାରସ୍ଥ ହୋଇ ନାହିଁ ।

 

କଥା ହେଉ ଅକଥା ହେଉ କେଉଁଥିରେ ସେ ବାଧା ଦେବ ନାହିଁ, ଅରାତିର ସୂଚନା ଆଜି ବି ରହିଛି କସର ଶୀତୁଆ ସକାଳରେ । କପାଳ ଆପେ ଫାଟୁ, ନିଜେ ଜାଣିଶୁଣି ସେ ଫଟେଇବ ନାହିଁ ।

 

‘ବର୍ଷାରେ କୁଆଡ଼େ ଯାଉଛୁ ନୁନି, ଆରେ ଆରେ ଶୁଣିଯା-’ ‘ହେ ନୁନି, କାହିଁକି ତିନ୍ତୁଛୁ, ତଲ୍ରା ତଲ୍ରିଟେ ହେଲେ ନେଇ ଯା, ଆଲୋ, ଆଲୋ, ହାକିନାର ମା’-’ ସାହି ଭିତରେ ଦି’ପାଖେ ଆପଣା ଘରେ ନିଆଁ ଉପରେ ଅଣ୍ଟି ମେଲେଇଦେଇ ଲୋକେ ବସିଛନ୍ତି । ଡାକ ଛାଡ଼ୁଛନ୍ତି । ବର୍ଷା ଛେଚୁଛି । ନା, ସେ ସମୟ ନଷ୍ଟ କରିବ ନାହିଁ, କଜିଆ ମୂଲେଇବ ନାହିଁ, ଯେ ଯାହା ଭାବୁ ପଛେ । ଏଇ ବାରିକର ଘର । ଦାଣ୍ଡରେ କେହି ଥିଲେ କହିଦିଅନ୍ତା । କେହି ନାହାନ୍ତି । ଆଜି ଡମ୍ବ ଘର ଭିତରେ ତାକୁ ପଶିବାକୁ ପଡ଼ିବ । କୁଳର ବୋହୂ, ଶଶୁର ଥିଲେ କ’ଣ କହିଥା’ନ୍ତା-

 

‘ଅଦିନିଆ ଏଡ଼େ ବରଷାରେ କୁଆଡ଼େ ଆସିଲୁ ସାଓଁତାଣୀ, ଆ, ଆ, ଉଠିଆ ଉଠିଆ । ଆରେ, ଛୁଆଟିକୁ ବି ତିନ୍ତେଇ ଦେଲୁ । ହେ ବୋହୂ-ଇଲୋ ବୋହୂ ସାଓଁତା ଘରର ଲୋକ ଆସିଛନ୍ତି ଖଣ୍ଡେ ଖଟ ପାରିଦେ ଲୋ । ଆଃ-କି ଅକାଳ । ମେଘ ଲାଗିଛି ତ ଲାଗିରହିଛି । ବସ, ଯୁଇ ତାପ୍ ନୁନି ଯୁଇ ତାପ୍ ନୁନି ଲେସମ ଲାଗିଯିବ । କୁଆଡ଼େ ଆସିଚୁ ?’-

 

ବୁଢ଼ା ବାରିକ ଭୁର୍ଷାମୁଣ୍ଡା ଡମ ଅସ୍ଥିର ହୋଇପଡ଼ିଲା । ମନ ଭିତରେ ଭାରି କୁତୂହଳ ହେଲାଣି, ଦିନେ ନାହିଁ କାଳେ ନାହିଁ ଆଜି କାହିଁକି ସାଓଁତାର ମାଇକିନା ଆସିଲା । କାଲି ରାତିରେ ତା’ ଘରେ ଗୋଟାଏ ଘଟନା ଘଟିଯାଇଥିଲା, ତା’ପରଠୁ ଲେଞ୍ଜୁକନ୍ଧର ଦେଖା ନାହିଁ । ବର୍ତ୍ତମାନ ବରଷାରେ ତିନ୍ତିବୁଡ଼ି ଦିଉଡ଼ୁର ସ୍ତ୍ରୀ ପଳେଇ ଆସିଛି ପିଲାଟିକି ନେଇ । ଖଟରେ ସେ ବସିଲାଣି । କେମିତି ମୁହଁ କରି ଚାରିଆଡ଼କୁ ଅନେଇଁ ଲାଗିଛି, କିଛି କହୁ ନାହିଁ ।

 

‘କହ କହ ନୁନି, ମନ ଖୋଲି ସବୁ କହିଯା, ମୁଁ ତୋର ଶଶୁରର କୁକୁର, ମତେ ଗୋଟାଏ ସଙ୍କୋଚ କ’ଣ ?’ ପୁୟୁ ସୋନାଦେଈକୁ ଦେଖୁଥାଏ । ବାରିକର ବୋହୂ । ତୁଣ୍ଡ ଫିଟୁ ନାହିଁ, ମୁହଁକୁ ତଳକୁ ପୋତି ସେ ବୋଲହାକ କରିଯାଉଛି । ୟାରି ଠେଇଁ କ’ଣ ଅଛି ଯାହାପାଇଁ ଗାଁରେ ଖଣ୍ଡେ ହୋଇଛି, ହାଟ ବସିଛି । ବାରିକ ତୀକ୍ଷ୍‌ଣ ଦୃଷ୍ଟିରେ ତାର ହାବଭାବକୁ ନିଘା କରୁଥାଏ-। ଅନୁମାନ ଠିକ୍ ଲାଖିଛି ପରା, ପୁୟୁ ସେହି ସୋନାଦେଈକୁ ଅନେଇଁ ରହିଛି ଯେ ପଲକ ପଡ଼ୁ ନାହିଁ-। ହଁ ଲୋକେ ତାରି ବୋହୂକୁ ଦାୟୀ କରିବେ, ତାରି ପୁଅକୁ ଦାୟୀ କରିବେ, ସେ କ’ଣ ଜାଣେ ନାହିଁ-। ପାପର ଶାସ୍ତି ଖୁଣି । ଭଗବାନ ଦେଖୁଥିବେ, ତାର କିଛି ଦୋଷ ନାହିଁ ।

 

ପୁୟୁ କାହିଁକି ଆସିଥିଲା ଭୁଲିଯାଇ ସାରିଲାଣି । ଏଇ ଘର, ୟେ ଆସନ, ଏ ଘରର କଳା ଇତିହାସର ଗନ୍ଧ ସତେକି ଲାଗି ରହିଛି ପବନରେ । ତୁରୁଞ୍ଜା ବାଲ୍‍ମୁଣ୍ଡା ଚୋରି କରନ୍ତି, ବାରିକ ରାନ୍ଧେ ମଦ, ସୋନାଦେଈ ପରା କବାଟ । କ’ଣରେ ଜାଲ ପକେଇ ବୁଢ଼ୀଆଣି ପରି ଛକି ବସିଥାଏ, ଏଇ ସେ ସୋନାଦେଈ ।

 

‘କୁଆଡ଼େ ଆସିଲୁ କହିଲୁ ନାହିଁ ନୁନି’ କ’ଣ ସେ ଶୁଣୁ ନାହିଁ ? ବାରିକ ଭାବୁଥିଲା । ମାଇକିନିଆଙ୍କ ଛାତିରେ ବଳ କେତେ । ଏହିପରି ବକା ହୋଇ ବସନ୍ତି କିଛି ଗୋଟାଏ ଦେଖିଲେ ।

 

ସମାଜ ତାକୁ ନିନ୍ଦିବ ନିଶ୍ଚୟ । ଅତି ବେଶୀ ହେଲେ ବାରିକ କାମ ଖଣ୍ଡ ଛଡ଼େଇ ନେଇଯିବେ, ବାରିକ ଭୂମିରୁ ବାହାର କରିଦେବେ । ଦିଅନ୍ତୁ । କିନ୍ତୁ ତା’ପରେ ଆପଣା ପରିଶ୍ରମରେ କମେଇ ଖାଇବାକୁ ତ ଡମ୍ବ ଶିଖି ନାହିଁ, ବରଂ କାମକରି ଖାଇବାକୁ ସେ ଘୃଣାକରେ । ସେ ଆକୁଳ ହେଲା ।

 

ପୁୟୁ ସାନ ହୋଇ ମଦ ଟିକିଏ ମାଗିବାକୁ ଦୋଦୋପାଞ୍ଚ ହେଉଥିଲା । କ’ଣ ବୋଲି ସେ ଆରମ୍ଭ କରିବ ? ତା’ପରେ ଏହି ସୋନାଦେଈ, ତା ଆଗରେ ନିଜକୁ କେମିତି ଛୋଟ କରିବ ସେ ?

 

ବହୁତ ଅପେକ୍ଷା କରି ଛେପ ଢୋକି ସେ କହିଲା, ‘ସାଓଁତା ତତେ ଡାକୁଛି ।’

‘ଡାକୁଛି ? ସେଥିପାଇଁ ତୁ ଦଉଡ଼ିକରି ଆସିଲୁ, କ’ଣ ହେଇଚି ତାର ?’

 

‘କିଛି ନାହିଁ । ମେଘୁଆ ପାଗ, ଥଣ୍ଡା ଲାଗୁଛି । କହିଲା ନିଶାପାଣି କୋଉଠୁ କିଣିବାକୁ ବି ମିଳୁ ନାହିଁ, ଯା ବାରିକ ବୁଢ଼ାକୁ ଡାକିଦେବୁ ।’

 

‘ଏ ଡକେଇଚି ମୋର ରଜା, ଆରେ ସୋନାଦେଈ, ମୋର ଠେଙ୍ଗାଟା ଦେ ରେ-’ ଠେଙ୍ଗାହିଁ ବାରିକର ସନ୍ତକ, ଗୋଟାଏ ଠେଙ୍ଗା ଅଜାଠୁ ନାତି ହାତକୁ ଚାଲିଆସେ । ବାରିକ ଧଡ଼ପଡ଼ ହେଲା, ତରତର କଲା । ‘ଦେ ରେ ଦେ ରେ, ଏ ବର୍ଷା ପାଗରେ ମୋର ଖାଉନ୍ଦ ମତେ ସ୍ମରଣ କରିଚି, ଆହା ତାର ପାଦୁକା ଶୀତଳ ଥାଉ, କି ଦୟା ! ମଦପାଣି ନାହିଁ ବୋଲି କହିଚିରେ । ଆରେ ସୋନାଦେଈ, ସେ ମାଠିଆଟା ଘରୁ ଆଣି ଦେ, ପିଇଯାଉ ମୋର ରଜା, ଅସଲ ରନ୍ଧାମଦ, ପାଣି ଟିକିଏ ବି ନାହିଁ, ବର୍ଷା କାକରକୁ ଦେହରେ ତାତି ଆଣିବି-ତରବର କର, ତରବର କର-’ ଗଳା ବସେଇ ବସେଇ ବାରିକ ଘରୁ ପିଣ୍ଡାକୁ, ପିଣ୍ଡାରୁ ଘରକୁ ବାଉଳା ପରି ଦୌଡ଼ ଲଗେଇ ଦେଲା । ହାଁ, ଚଲାଖ୍ ଲୋକ ସେ, କାଲି ରାତିର ଦୁର୍ଘଟନା ପରେ ସମସ୍ତିଙ୍କ ଆଗରେ ସାଓଁତାକୁ ଖୁସାମତ କରିବା ତାର ଦରକାର ପଡ଼ିଛି ।

 

ସୋନାଦେଈ ଠେଙ୍ଗା ବଢ଼େଇ ଦେଲା, ମଦମାଠିଆ ଆଣିଦେଲା । ବୁଢ଼ା ବାରିକ ତାର ପୁଅମାନଙ୍କୁ ଗାଳି ଦେଉଥାଏ, ‘ଦେଖତ ଏ ମେଘ ଧୂକାରେ, କୁଆଡ଼େ ଯାଇଛନ୍ତି ଦୁଇଭାଇ, ତାର ଠିକଣା ନାହିଁ । ଥିଲେ ଏଟା ବୋହି ନ ଥା’ନ୍ତେ କେତେ ଭାରୀ-’

 

ସୋନାଦେଈ ତର୍ଲାତର୍ଲି ବଢ଼େଇଦେଲା । ବାରିକ କହିଲା ‘ତୁ ଗୋଟେ ନେ ନୁନି, ବର୍ଷାରେ କେମିତି ତିନ୍ତିବୁ ।’ ପୁୟୁ ନାକ ଟେକିଲା ନା ତାର ସେତକ ସମ୍ମାନ ଅଦ୍ୟାପି ବାକି ରହିଛି । କହିଲା, ‘ନା ।’ ‘ଏଡ଼େ ବଡ଼ ପାଣିରେ କେମିତି ଯିବୁ ନୁନି ?’

 

‘ତୁ ଆଗରେ ଯା, ମୁଁ ପଛେ ଯିବି ।’

 

‘ହଉ ହଉ, ବସିଥା ମା, ଆହା କେଡ଼େ ଭାଗ୍ୟ, କେଡ଼େ ପୁଣ୍ୟ ! ଆରେ ସୋନାଦେଈ, ସାଓଁତାଣୀର ଗୋଡ଼ ମୋଡ଼ିଦେ, ଦେଖ ଟିକିଏ ଯଦି ହେଳା କରିବୁ ଆସିଲେ ପଣ୍ଢେଇ ପିଟା କରିବି, ହଉ ମୁଁ ଚାଲିଲି । ସୋନାଦେଈ ମୁହଁରେ ଲୁଗା ବିଣ୍ଡାଏ ମାଡ଼ି ହସୁଥାଏ, ବାରିକ ସବୁଥିରେ ମାତ୍ରା ବଢ଼େଇ ଦିଏ ସେ ଜାଣେ । ମଦ ବୋହିଥିବ ବାରିକ, ପଛେ ପଛେ ସାଓଁତାର ସ୍ତ୍ରୀ । ପୁୟୁକୁ ଏ ଦୃଶ୍ୟ ବେପସନ୍ଦ ଲାଗିଲା । ଏଇ ଭଲ । ଦିଉଡ଼ୁର ମନ ବୁଝିଯିବ, ସେ ଆଉ ଚିଡ଼ିବ ନାହିଁ ।

 

ନିଛାଟିଆ ଘରେ ଦି’ଟା ସ୍ତ୍ରୀଲୋକ, ପାଖକୁ ପାଖ ।

 

ସୋନାଦେଈ ମୁହଁରୁ ଲୁଗା ବିଣ୍ଡାକ ନେଇ ନାହିଁ । ପୁୟୁ ଆଡ଼କୁ ଅନେଇଁ ସେମିତି ହସି ଲାଗିଛି । ବାହାରେ ଓଃ କି ବର୍ଷା, ଖାଲି ଗୁଡ଼ିଆର ସେ ପାଖ ଅଧକ ଦିଶୁଛି ଯେପରି ଟାଆଁସିଁଆ ଧୂଆଁଳିଆ ବାମ୍ଫର ସମୁଦ୍ର । ପୃଥିବୀ ଗର୍ଜୁଛି । ସୋନାଦେଈ ହସୁଛି ।

 

କେତେ ପ୍ରକାର ସନ୍ଦେହ ହେଲା ଦିଉଡ଼ୁ ସାଓଁତା ସ୍ତ୍ରୀ ମନରେ । କ’ଣ ହୋଇଛି ତାଙ୍କ ସଂସାର ଯେଉଁଥିପାଇଁ ହୀନରୁ ହୀନ ଡମ୍ବୁଣୀ ମଧ୍ୟ ହସିପାରେ ଏତେ ! ସ୍ତ୍ରୀ ମନରେ ସହଜ କୁତୂହଳ ଉଙ୍କିମାରିଲା । ପୁୟୁ ଭାବିଲା ଏଥିରେ କ୍ଷତି କ’ଣ, କେହିତ ନାହିଁ କଟାକ୍ଷ କରିବ । କି ରହସ୍ୟ ରହିଛି ଏ ଘରେ ? ବାଲ୍‍ମୁଣ୍ଡା ପରି ସ୍ୱାମୀ ପାଇ ସୋନାଦେଈ କେବେ ତପସ୍ୱିନୀ ହୋଇ ରହିପାରେ ? ହେଉ ପଛେ ଡମ୍ବୁଣୀ । କି ସ୍ୱାସ୍ଥ୍ୟ, କି ଦେହ, ସଇତାନ ପରି ମଉନମୁହଁ, ତଳକୁ ଆଖି, ଅସତର୍କ ଥିଲେ ଓଲଟିପଡ଼ି ସାପେଇ ଦେଖିବ, ପୁରୁଷଙ୍କୁ ଠକି ପାରିବ ସେ କିନ୍ତୁ ସ୍ତ୍ରୀକୁ ନୁହେଁ-। ଏଇ ମଉନ ମୂକ ହାବଭାବ, ଏଥିରେ କ’ଣ ଗମ୍ଭୀର ଗର୍ବ ନାହିଁ ? କେତେ ଛପାଛପି ଘଟନାର ନୀରବ ଟିପ୍ପଣୀ କ’ଣ ଏ ନୁହେଁ ? ପୁୟୁର ଆଗ୍ରହ ହେଲା ବୁଝିବାକୁ ଯେ ସୋନାଦେଈ କ’ଣ ଜାଣେ, ସେ କେତେଦୂର ଜାଣେ । ଗଳା ଥରେଇ ଥରେଇ ଡାକିଲା ‘ସୋନାଦେଈ,-’

 

‘ଶୀତ କରୁ ନାହିଁ ସାଓଁତାଣୀ, ପିଲାଟି ପରା ଅଛି, ଘର ଭିତରକୁ ଆସ ।’

 

‘ଘର ଭିତରକୁ ଯିବି ସୋନାଦେଈ ?’ ପୁୟୁ ଆଶ୍ଚର୍ଯ୍ୟ ହେଲା । କି ବିଚିତ୍ର ଅନୁରୋଧ ! ସୋନାଦେଈ କିଛି ନ କହି ଭିତରକୁ ଚାଲିଗଲା । କ’ଣ ସଁ ସଁ ଶୁଭିଲା ସେ ଗଲାବେଳେ, ସେ କ’ଣ ହସିଦେଇ ଗଲା ନା ତାକୁ ଥଣ୍ଡା ଲାଗିଛି । କିଛି ସମୟ ପରେ, ସୋନାଦେଈ ନିଆଁ ଫୁଙ୍କିଲା, ଆଗ ବଖରାରେ ନିଆଁ ଜଳିଲା । ସୋନାଦେଈ ପାଖକୁ ଆସି କହିଲା, ‘ଉଷୁମ୍ କରି ପାଣିରେ ମିଶେଇ ମଦ ଟିକିଏ ଆଣିଦେବି, ହାଲୁକା ମଦ ?’ ପୁୟୁ କହିଲା ‘କ’ଣ କହିଲୁ ? କଥାଭାଷା ସିନା ନାହିଁ, ମତେ କ’ଣ ତୁ ଚିହ୍ନୁ ନାହିଁ କି ଲୋ ?’

 

ସୋନାଦେଈ ଏଥର ପରିଷ୍କାର ହସିଲା, ଲାଜ କରିବାକୁ ଗରଜ ନାହିଁ ତାର ମୋଟେ । କହିଲା, ‘ସାତ୍ରା (ଶଶୁର ବୁଢ଼ା) ପରା କହିଦେଇ ଗଲା ତୁମେ ଶୁଣିଲ ମୁଁ ତୁମର ସେବା କରୁଥିବି । ଆମେ ତୁମର ନୌକର ଲୋକ, ଆମ ଘର କ’ଣ ତୁମର ନୁହେଁ ? ଭିତରକୁ ଆସନ୍ତ, ନିଆଁ ପାଖେ ବସନ୍ତ, ଟିକିଏ ଆରାମ୍ କରନ୍ତ । ଏମିତି ଯେଉଁମାନେ କରନ୍ତି ତାଙ୍କର କ’ଣ ଜାତି ଚାଲିଯାଏ ନା ଲୋକେ ତାଙ୍କୁ ପାଖରେ ପୂରାନ୍ତି ନାହିଁ ?’

 

ପୁୟୁମନକୁ ମନ କ’ଣ ବୁଝିପାରିଲା, ଆଉ ଜବାବ୍ ଦେଲା ନାହିଁ । ଭାବି ଚିନ୍ତି ପଚାରିଲା ‘ସୋନାଦେଈ, କାଲି ଏଠିକି ଲେଞ୍ଜୁକକା ଆସିଥିଲେ କି ?’

 

ଫଁ କରି ଉଠି ଫଣା ପିଟିଲାପରି ସୋନାଦେଈ କହିଲା, ‘ସେ କଥା ମତେ କାହିଁକି ସାଓଁତାଣୀ ? ମୋର ସେ ଗୋଳମାଳରେ କି ଯାଏ ? ସେ ବୁଢ଼ାକୁ ପଚାରିଲ ନାହିଁ, ସେ ମଦୁଆ ବୁଢ଼ାକୁ, ସେ ବାରଲୋକଙ୍କୁ ଆଣି ଘରେ ପୂରାଏ । ମୁଁ ତ ମୁଣ୍ଡ ବିକିଚି, ବୁଢ଼ା ମଦ ଖାଇ ହୁକୁମ କରୁଥିବ ମୁଁ ବସି ଗୋଡ଼ ଘଷି ଦଉଥିବି । ଏଇଥିପାଇଁ ମୋ ଜନ୍ମ ପରା । ନ ହେଲେ ଆଜି କେହି ନ ଥିଲାବେଳେ ମୋର ବର ନ ଥିଲାବେଳେ ତମେ ମତେ ଏମିତି ଦରିଆପ୍ତି କରନ୍ତ କି, ମୋ କର୍ମ ।’

 

ସୋନାଦେଈ କାନ୍ଦିଲା । ପୁୟୁ କହିଲା, ‘ସତରେ ତୋର ବର ଏଠି ଥିଲେ ତୋର ବଳ ହୋଇଥା’ନ୍ତା ?’

‘ହଁ’ ନ୍ତା ନାହିଁ ?’ ସୋନାଦେଈ କହିଲା, ‘କାହିଁର ମୁଁ ଓଲିହୁଣ୍ଡି ପିଲାପରି ଲୋକ, କାହିଁର କୋଉ ଗୋଳମାଳ, ଗାଳି ତକରାଳ-ଛେପ ଢୋକିନେଇ କଥା ବଦଳେଇ ଦେଲା, କହିଲା, ‘ସେଇ ବୁଢ଼ାକୁ ପିଟ, ମାର, ସବୁ ଅନର୍ଥର ମୂଳ ସେ, ସବୁ ନାଟ ଲଗେଇବ ମତେ ଝଗଡ଼ାଝାଟିକୁ ଟାଣିବ । ଆମେ ଡରୁଆ ଲୋକ, ନିଆଶ୍ରୀ ଲୋକ, ହେଇଟି ତମେ ଆଗରୁ ତିଆର ହୋଇ ଆସିଛ, ପିଲାଟା-ଶୀତରେ ଥରୁଛି ପଛେ ଜୁଇ ଟିକିଏ ତାପି ହେଲ ନାହିଁ, ମୁଁ ଯାଚିଲି ବୋଲି, ମାର କାଟ ଯାହା କର, ଏଇ ମେଘଦେବତାକୁ ସାକ୍ଷୀ ରଖି କହୁଚି, ଯୋଉ ନିୟମ ଦେବ ସେ ନିୟମ କରିବି, ବାଘଛାଲ ଧରିବି, ସିକ୍‌ସନ ପୋଥି ମୁଣ୍ଡେ ବୋହି କହ କହିଲେ କହିବି, ମୁଇଁ ନିଦୋଷ ମୁଇଁ ନିଦୋଷ-’

ସୋନାଦେଈ ପାଟିକରି କାନ୍ଦିଉଠିଲା । ତାର କାନ୍ଦଣା ଦେଖି ହାକିନା କାନ୍ଦିଲା । ପୁୟୁ ଆଶ୍ଚର୍ଯ୍ୟ ହେଲା କେତେବେଳଠୁ ଏ ମାଇକିନା ତାକୁ ଛକି ରହିଥିଲା, ବାଃ ବାଃ ସାମାନ୍ୟ ଜନ୍ତୁ ନୁହେଁ ତ !

‘କିଲୋ ତୁ ସେମିତି କାନ୍ଦୁଚୁ କାହିଁକି, ମୁଁ କିଛି କହିଲି କି ତତେ ?’

ସୋନାଦେଈ ରା’ ଧରିଥାଏ ‘ମୁଇଁ ନିଦୋଷ ମୁଇଁ ନିଦୋଷ । ତମେ କୋପ୍ କରିବ, ବୁଢ଼ାକୁ ଗାଁରୁ ଖେଦିଦେବ, ଗାଁ ଲୋକେ ଏ କୁଡ଼ିଆକୁ ଉପୁଡ଼େଇ ଦେବେ, ତୁମର ଇଚ୍ଛା, ମୁଁ କ’ଣ କହିବି, ଯୁଆଡ଼େ ହେଲେ ଚାଲିଯିବି, ମାତ୍ର ଜାଣିରଖ ମୁଇଁ ନିଦୋଷ-ନିଦୋଷ-’

‘ଜାଣିଚି ଜାଣିଚି ସୋନାଦେଈ, କିଏ ତୋର କୋଉ ଦୋଷ ଦେଉଛି ? ମୁଁ କ’ଣ ମଣିଷ ନୁହେଁ ମୁଁ ନ ଜାଣିମି ? ହଉ ଏ ମେଘ ଆଉ ଛାଡ଼ିବ ନାହିଁ ମୁଁ ଦେଖୁଚି, ଯାଏଁ ଡେରି ହେଲାଣି ତେଣେ ।’

ସୋନାଦେଈ ଆଡ଼କୁ ମୁହଁ ନ ବୁଲେଇ ବର୍ଷାରେ ତିନ୍ତି ପୁୟୁ ଘରକୁ ଚାଲିଗଲା । ୟା ପରେ ସେଠି ରହିବା ଅସମ୍ଭବ ।

•••

 

ପଞ୍ଚାଅଶୀ

 

ରାଉ ରାଉ ହୋଇ ବର୍ଷାଦିନଗୁଡ଼ାକ ଚାଲିଯାଏ ଏହିପରି । ଦିନ ଆଉ ଗଣି ହୁଏ ନାହିଁ । ସେହି ମେଘ ଲଦି ରହିଛି, ବର୍ଷା ଢାଳୁଚି ତ ଢାଳୁଚି ଦିନ ରାତିର ପ୍ରଭେଦ କେବଳ ଅନ୍ଧାରର ତାରତମ୍ୟରେ, ରାତିରେ ବହଳ କଳା, ଦିନରେ ଖଇରିଆ କଳା ମୁଗୁରାକଳା, ଯଦି ଦିନରେ କେବେ କେତେବେଳେ ଆଲୁଅ ଟିକିଏ ଫିଟେ ତ ଦିଶେ ଅଣଗଛିଆ ବଢ଼ିଯାଇଛି, ଟାଙ୍ଗର ହୋଇଛି ଭାଲୁଆ, ବଣ ଭିତରକୁ ଦୃଷ୍ଟି ଭେଦୁ ନାହିଁ ଏତେ ବହଳ ସେ ।

 

ମାଳଦେଶର ବର୍ଷା କେବଳ ବର୍ଷେ ନାହିଁ, ଛାଟରେ ଠାଇ ଠାଇ ପିଟିଯାଏ । ତା ପଛକୁ ତା ପଛକୁ ଲାଗିଲାଗିକା ଏଡ଼େ ଏଡ଼େ ବରକୋଳି ଫଳପରି ଟୋପାଗୁଡ଼ାକ, କି କାକର ସେ । ସବୁବେଳେ ସାଇଁ ସାଇଁ ପବନ ତାର ଗତିରେ ଘୋଡ଼ାପରି ଧାଇଁ ଧାଇଁ ଚାଲନ୍ତି ମେଘ, ମଣିଷର ଆଖିକି ଦିଶୁଚି, ଦେହକୁ ଛୁଇଁ ଯାଉଛି, ଗାଁ ଗୋହିରି ବାଟେ ଘର ଭର୍ତ୍ତି କରି ମେଘର ବାମ୍ଫ ଚାଲିଛି ତିନିହଜାର ଫୁଟ ମାଳଭୂମି ଉପରେ । ସବୁବେଳେ କାନରେ ଉଡ଼ାଜାହାଜ ଉଡ଼ିବା ଶବ୍ଦ, କାନମୁଣ୍ଡା ଝାଇଁ ଝାଇଁ । ବଣ ଭିତରେ ହାଉହାଉ ଲାଗିଛି, ପ୍ରକୃତିରେ ତୁମୁଳ ଚହଳ, ରହିରହିକା ଘଡ଼ଘଡ଼ି ଡାକୁଛି, ସେଠି ଆଶାର ବାଣୀ ନାହିଁ, ଯୁଦ୍ଧର ପ୍ରବୃତ୍ତି ନାହିଁ, ପାଦେ ଚାଲିଲେ ମେଘ ପବନ ଗଡ଼େଇ ପକୋଉଛି, ପ୍ରବଳ ଶୀତ ।

 

ଏହିପରି କେତେଦିନ, କେବଳ ସହିଯିବା କଥା, ଟାଳିଯିବା କଥା ।

 

ଅନ୍ଧାରୁଆ ପଲା କୋଠି ଭିତରେ ନାକରୁନ୍ଧା ଧୂଆଁ, ଚାଇଁ ଚାଇଁ ରଡ଼ ନିଆଁ, ଦୁଆର ମୁହଁରେ ସାନ ପିଣ୍ଡା ଓଦା ସର ସର, ଗୋଡ଼ର କାଦୁଅ, ତଲ୍ରା ତଲ୍ରି ପତର ଛତାରୁ ଦରଦର ପାଣି, ମୁଦି ମୋଡ଼ି ହୋଇ ଓଦା ଗନ୍ଧିଆ ରୁମ ଘୋଡ଼ିହୋଇ କୁକୁର ଶୋଇଥିବ, କୁକୁଡ଼ା ଖୁମ୍ପୁଥିବେ । ଘୁଷୁରି ସଣର ସଣର ହୋଇଥିବେ, ଗାଁ ଗୋହିରିର ଆଣ୍ଠୁଏ କାଦୁଅରେ ବୁଲି ବୁଲି ଆସି ପିଠିରେ ଲହଡ଼ି ଖେଳେଇ ଗୋରୁ ବାଛୁରୀ ମୁଣ୍ଡ ଟେକି ଚାହିଁଥିବେ ଉଦାସ ଆଖିରେ । ଘରୁ ଘରୁ କାଶର ଶବ୍ଦ, ଜରର କୁନ୍ଥା ବାନ୍ତି । ଶିଂଘାଣୀ ସଡ଼ ସଡ଼ ପିଲା ଛିଣ୍ଡା ଅଖା ପିଠିରେ ବାନ୍ଧି ଦୁଆର ମୁହଁରେ ଢୋଲ ପିଟୁଥିବେ, ଗୀତ ବୋଲୁଥିବେ, ମେଘ ଦେବତା ‘ବୀମା-ରଜା’ର ବନ୍ଦନା ।

 

ଏଇ ପାଗରେ ପର୍ବତ ଉପରୁ ଖସଡ଼ା ଅତଡ଼ା ବାଟେ କାନିରୁ କୁଣ୍ଡା ବିଞ୍ଚିବିଞ୍ଚି ପାଦ ପକେଇ ଗଛର ଖୁଣ୍ଟା ଲଟା ଧରିଧରିକା ଗାଁ ମାଇପେ ଝୋଲାକୁ ଯାଆନ୍ତି ପାଣି ଆଣି, ବଣକୁ କନ୍ଦାମୂଳ କରଡ଼ି ଖୋଜି ଯାଆନ୍ତି । ପୁରୁଷମାନେ ପାହାଡ଼ ତଳ ପାହାଡ଼ ଉପରର ବିଲ ଦେଖି ଯାଆନ୍ତି, ଫସଲ କେତେ ବଢ଼ିଲାଣି, କେଉଁଠି ମାଟି ଧୋଇ ନେଉଛି ନାଳିଆ କାଟି ଦେବାକୁ ହେବ, ପଥର ଗଦେଇ ମୁଣ୍ଡା ବାନ୍ଧିବାକୁ ହେବ । ଏଇ ଅସମ୍ଭବ ପାଗରେ ମେଘ ସଙ୍ଗେ କୁର୍‌ହାଡ଼ି ମିଶେଇ ପୋଡ଼ୁ ହୋଇଥିବା ଶିଖର ଅଗରେ ଗଇଁତିରେ ମାରି ପଥରକୁ ଓପାଡ଼ି କନ୍ଧ ଜମି ତିଆରି କରେ । ବାଉଁଶରେ ଡଙ୍ଗା ପରି କରି ଝୋଲା ଭିତରେ ଥୋଇ ସୁଅର ଉପର ଆଡ଼କୁ ମୁହଁ ତଳ ଆଡ଼କୁ ପିଠି କରି ରଖି ପିଠିକୁ ଟେକି ତଳେ ପଥରକୁ ଖୁଣ୍ଟ ପରି ଥୋଇଦିଏ, ଡଙ୍ଗା ଭିତରେ ଡାଳପତ୍ର ଖଞ୍ଜିଦିଏ, ତାର ଆଶା ଯଦି ଗାଡ଼୍ (ନଈ ବଢ଼ି) ଆସିବ ପାଣି ଛାଡ଼ିଗଲେ ଏ ଜନ୍ତାରେ ମାଛ ପଡ଼ିଥିବେ, ୟାରି ନାଁ ‘ବିସର’ । ଏ ପାଗ ଦିନିକିଆ ନୁହେଁ ଯେ ମଣିଷ ହାତ ଛନ୍ଦିଦେଇ ଘର ଭିତରେ ଚେକା ପକେଇଦେଇ ଖାଲି ନିଆଁ ପାଖେ ବସିପଡ଼ିଥିବ । କାମ କମାଣି ଚାଲେ, ହାଟ ବାଟ ନ କଲେ ଲୁଣ ଟିକିଏ ମିଳିବ ନାହିଁ । ତଲ୍ରା ତଲ୍ରି, ବାନ୍ଧି ହୋଇ ଶିଆଳି ପତ୍ରର ବୋଝ ଛତୋଡ଼ି ଧରି କାନ୍ଧରେ ଟାଙ୍ଗିଆ ପକେଇ ମେଘର ବାମ୍ଫରେ ମିଶି ମଣିଷ ବୁଲନ୍ତି । ଘାଟି ମୁଣ୍ଡ ଜଗି ମଣିଷଖିଆ ମହାବଳ ବସିଥାଏ, ହିଡ଼ମୁଣ୍ଡ ଜଗିଥାଏ ‘ଡଙ୍ଗର-ଚିତି’ ସାପ କଳା ମିଶ୍ ମିଶ୍ କଳାନାଗ, କଳାଟି,-ଆଉ ଅନ୍ଧାର ଘୋଟିଛି, ମେଘ ପବନ ଝୋଲା ଖସଡ଼ା, ଗଛ ଉପୁଡ଼ିପଡ଼ୁଛି; ପାହାଡ଼ରୁ ଖଣ୍ଡ ଖଣ୍ଡ ସଡ଼୍ ସଡ଼୍ ହୋଇ ଖସିପଡ଼ୁଛି ତଳକୁ, ବାଟ ବନ୍ଦକରି କେବେ ନ ଦେଖିଲା ନୂଆ ନୂଆ ପଥର ମୁଣ୍ଡିଆ, ଯୁଆଡ଼େ ଗଲେ ଜଙ୍ଗଲ ଜଙ୍ଗଲ, ସାମାନ୍ୟ ପିରିଘାସ ବି ମଣିଷର ଦେଢ଼ା, ତାହା ଭିତରେ ସବୁବେଳେ ଛପିଛି ଅଜଣା ଭୟ ।

 

ଏହି ମାଳଦେଶର ବରଷା,-କେବଳ ଅନ୍ଧାର, ଶବ୍ଦ, ହାବୁକା, ପାଣି ଆଉ ଶୀତ ।

 

ପର୍ବତ ଉତ୍ତାରୁ ପର୍ବତ ଲାଗି ରହିଛି ସେ କେତେଦୂର, ଖାଲ, ବ୍ୟୁହ, ଶିଖର ଚଟାଣ । ରାସ୍ତା ନାହିଁ ଶଗଡ଼ ଗୁଳା ନାହିଁ । ମଲା ଜିଇଲାର ଲେଖା ନାହିଁ, ଗଣତି ନାହିଁ । କେବଳ ଗଛ, ପଥର, ପାଣି, ମଣିଷ ସେଠି ନଗଣ୍ୟ ।

 

ତଥାପି ଧୀରେ ଧୀରେ ସ୍ଥିରନିଶ୍ଚିତ ଗତିରେ ଲାଗି ରହିଥାଏ ମଣିଷର ସଂସ୍କୃତିର ପରିଚୟ, ଫସଲ ବଢ଼ୁଛି, ଚାଷଜମି ବଢ଼ୁଛି, କେତେ ବର୍ଷାତି ତିଆରି ହେଉଛି, କେତେ ଆହରଣ ହେଉଛି । ରକ୍ତ ବହୁଛି, ମାଂସ ବଢ଼ୁଛି, ଏତେ ଦୁର୍ଦ୍ଦିନରେ ପ୍ରକୃତିର ଏତେ ଶତ୍ରୁତା ସତ୍ତ୍ୱେ ବି ଜାଗରୁକ ରହିଛି ମଣିଷର ଅଜେୟ ମନ, ତାର କଳ୍ପନା, ତାର ପ୍ରାଣ । ଋଷି ସେ, ସ୍ଥିତପ୍ରଜ୍ଞ ।

 

ସେହି କାଳବେଳା ପରେ ।

 

ଅପମାନ ମୁଣ୍ଡେଇ ନୀରବରେ ଗାଁ ଭିତରେ ଚହଳ ପକେଇ ଲେଞ୍ଜୁକନ୍ଧ ଚାଲିଯାଇଥିଲା-

 

କେବେ ଆଗେ ତାର ଚାଷ ଥିଲା, ତାର ସ୍ତ୍ରୀ ରୂପନୀ ମଲାପରେ ଉଜୁଡ଼ି ଯାଇଥିଲା, ସେ ଦିଉଡ଼ୁକୁ ଭାଗ ମାଗି ଅଲଗା ହୋଇପାରିଥା’ନ୍ତା । ସେଥର ପୁବୁଲି ଚାଲିଗଲା ପରେ ସାମାନ୍ୟ କଥାରେ ରଗାରଗି ହୋଇ ଦିଉଡ଼ୁ ଉପରେ ସେ ପଞ୍ଚାଏତ କରୋଉଥିଲା, ଏଥର ବି ପଞ୍ଚାଏତ କରିପାରିଥା’ନ୍ତା । ଏଇ ଗାଁରେ ଦିଉଡ଼ୁକୁ ଅବଜ୍ଞା କରି ସ୍ୱତନ୍ତ୍ର ଘର କରି ସେ ରହିପାରିଥା’ନ୍ତା ।

 

ସେସବୁ କିଛି ସେ କଲା ନାହିଁ । ଗୋଟାଏ ଧକ୍‌କା ପରେ ମୁହୂର୍ତ୍ତକେ ତାର ଆଖି ଖୋଲି ଯାଇଥିଲା । ସେ ଆପଣାକୁ ଦେଖିଥିଲା କେବଳ ଅକାମୀ ନିରୁପାୟ ବୁଢ଼ା ବୋଲି । ସୋନାଦେଈ ପାଖରୁ ବରଷା ରାତିର ସୁଖ ଭିତରୁ ଆରାମ ଭିତରୁ କଳିତକରାଳ କରି ଯେତେବେଳେ ତାର ପୁତୁରା ତାକୁ ପଦାକୁ ଟେକି ନେଇଗଲା, ତାର ମଦୁଆମି ତାର ଅଳସୁଆମି ଏହି ସାମାନ୍ୟ କଥାରୁ ଚିହିଙ୍କିଉଠି ସୋନାଦେଈ ଡମ୍ବୁଣୀ ସହିତ ସମ୍ବନ୍ଧ ଆଲୋଚନା କରି ବୀଭତ୍ସଭାବେ ଗାଳିଦେଇ ତାର ତଣ୍ଟିକୁ ବଜ୍ରମୁଠାରେ ଧରି ହଲେଇଦେଇ ବରଷାକୁ ପେଲିଦେଲା, ବିହ୍ୱଳ ଆଖିରେ ଲେଞ୍ଜୁକନ୍ଧ ଦେଖିଲା ସେ ନିଜେ ଅପରାଧୀ ଆଉ ଆଗରେ ତାର ସାଓଁତା, ଗୋଟାଏ କନ୍ଧ ଦଳର ମୁଣ୍ଡିଆଳ, ଯେ ଆଗେ ଆଗେ ଯାଇ ପଛେ ପଛେ ଗୋଷ୍ଠୀକୁ ରଣଭୂଇଁ ଆଡ଼କୁ ବାହିନିଏ, ଯେ ରଜାର ଶିରିପା ବାନ୍ଧେ, ଦଳ ଭିତରେ ବିଚାରପତି ହୋଇ ପଥର ଉପରେ ବସି ଦୋଷୀକୁ ଶାସ୍ତି ଦିଏ, ଡମ୍ବ ସମ୍ପର୍କ କରିଥିବା ଆପଣା ଆଭିଜାତ୍ୟକୁ ନୁଆଁଇଥିବା ଇଜ୍ଜତହାନି କରିଥିବା କନ୍ଧକୁ ମୁଣ୍ଡ ଲଣ୍ଡାକରି ଗୋଇଠା ତଣ୍ଟିଆମାରି ନିକାଲି ଦିଏ ଗାଁରୁ ଗାଁ ବାହାରକୁ । ଏଇ ଅପରାଧର ନା ‘ଦୋଷ୍’ ଏଇ ଅପରାଧୀର ନା ‘ଦୁନିଆଃ’ । ପ୍ରାଚୀନ ଜାତି ଅତି ସନ୍ତର୍ପଣରେ ଆପଣାର ରକ୍ତକୁ ଏକାଦେଶୀ ରଖେ, ଭାବେ ତାର ଜାତିର ମନୋଭାବ ଜାତିର ବିଶିଷ୍ଟତା ଅତୁଟ ରହିଥିବ, ଭାବେ ତାର ସଂସ୍କୃତି ଆଉ ସବୁ ଜାତିର ଶିହା ସଭ୍ୟତାଠୁ ବଳି ହିମାଳୟ ପରି ଉଚ୍ଚ । ଆଉ ଏହି ନୀତି ଲଂଘନ ଯେ କରେ, ପ୍ରାଚୀନ ଗୋଷ୍ଠୀ ତାକୁ ଶାସ୍ତି ଦିଏ । ସେ ଜାତିରୁ ଅଜାତି ହେଲା, ତ୍ରିଶଙ୍କୁ ।

 

ଯାହା ଗୋଷ୍ଠୀ ଚାହେଁ ନାହିଁ ତାହା ପାପ । ମଣିଷ ମନରେ ତାହାରି ଦେଖଣାହାରି ମଣିଷର ହାତର କି ମନର ତିଆରି ତାର ଗୋଷ୍ଠୀର ଠାକୁରମାନେ । ଦର୍ତନୀ ଦେଖିଛି, ଦର୍ମୁ ଦେଖିଛି, ଝାକର ଦେବତା ଜାଣିଛି, ଦେବତାର ନିଜ ଲୋକ ବେଜୁଣୀ ବୁଢ଼ୀ ବି ଜାଣିଛି, ସମ୍ମୁଖରେ ପୁଣି ସାଓଁତା, ଖାଲି ପୁତୁରାର କି ଥିଲା ତାକୁ ଏତେ ପରାଭବ ଦେବ ?

 

ଅନ୍ୟବେଳ ହୋଇଥିଲେ କେଜାଣି ବା ସେ ଟାଙ୍ଗିଆରେ ହାତ ପକେଇଥା’ନ୍ତା । ତୁରୁଞ୍ଜା ଉର୍ଦ୍ଧ୍ୱଶ୍ୱାସରେ କୁଆଡ଼େ ଦୌଡ଼ି ପଳେଇଛି, ବାରିକ ଲମ୍ବହୋଇ ଭୂଇଁରେ ମୁହଁମାଡ଼ି ଶୋଇଛି, ସୋନାଦେଈ କାହିଁ କେଉଁ ଅନ୍ଧାରରେ ପଶିଲାଣି । ଲେଞ୍ଜୁକନ୍ଧ ବାଧାଦେଇ ପାରିଲା ନାଇଁ । କ’ଣ ସେ କହିଲା ତାହା ତାର ଉପର ମନର କଥା, ସବୁ ନିଶା ଛାଡ଼ିଯାଇ କେବଳ ଗୋଟାଏ ବୋଲି ଚିନ୍ତା,-କେମିତି ତା ଭିତରେ ଦିଉଡ଼ୁ ଭିତରେ ଦୂରତା ବଢ଼ି ବଢ଼ି ଯିବ, ସେ ପଳେଇବ, ହେଉ ପଛେ ବରଷାର ଅନ୍ଧାର ।

 

ଥରେ ବାହାରକୁ ଆସିଲା ପରେ ପଛକୁ ଅନେଇଁ ସେ ଧାଇଁଥିଲା, ପାଣିରେ ତିନ୍ତିଲା, ଶୀତରେ ଥରିଲା, ଠିଆ ହୋଇପଡ଼ି ତାର ହୋସ୍ ହେଲା ଏ କ’ଣ ହେଲା ?

 

ମୁଣ୍ଡବାଳ ସଜାଡ଼ିଦେଲା । ନିଜକୁ ରଗେଇ ରଗେଇ ଫୁଲେଇଲା, ମାଣ୍ଟେଇ ହେଲା ଭାବି ଯେ ଦିଉଡ଼ୁ ପଛରେ ଧାଇଁବ ସେ । ତାର ଦେହରେ ହାତ ଛୋଇଁଛି । ସେହିତ କନ୍ଧର ଶେଷ ଅପମାନ । ଦର୍ମୁ ଅଛି ଦର୍ତନୀ ଅଛି, ଆପେ ସାଓଁତା ହେବାକୁ ଯୋଗ୍ୟ ଯେ ସେ ପାଇଛି ସାମାନ୍ୟ ପିଲାଟାଠୁଁ ଅପମାନ ।

 

ଏଇ ସାହି ଦିଶିଲାଣି, କେତେଘର କବାଟ ପଡ଼ିଛି, କେତେ ଘର ଭିତର ଦିଶୁଛି, ଦିଉଡ଼ୁ ଆସୁ ନାହିଁ କାହିଁକି ? ବାରିକ ଘରେ ଶାସ୍ତି ଦେଉଥିବ ବୋଧହୁଏ । ସାହି ଦିଶୁଛି, ଲେଞ୍ଜୁକନ୍ଧର ରାଗ ଥପ୍ କରି ନିଭିଗଲା । ସେମାନେ ବି ଜାଣିବେ, ସେମାନେ ବି ଘଉଡ଼େଇବେ, କ’ଣ ବୋଲି କରିବ ସେ ପଞ୍ଚାଏତି । ପାଦ ବାଟ କଢ଼େଇ ନେଉଛି ଆପଣାର ଟୁଙ୍ଗିଆଡ଼କୁ, ଘାଉଡ଼ା ମନ ସେଇଠି ବିଶ୍ରାମ ଚାହେଁ ।

 

ଏଇ ତାର ଘର, ପୁୟୁ ବସିଛି । ପୁଣି ତାର ଭେକ ବଦଳିଗଲା, ସେ ଦରବୁଢ଼ା ଲୋକ, ଏ ଘରର ମୁରବି ସରବୁ ସାଓଁତାର ଭାଇ, ସେ ଅପମାନ ପାଇଛି । ମନେପଡ଼ିଗଲା ଭାଇ ମଲାପରେ ଦିଉଡ଼ୁର ସବୁ ଅବହେଳା ସବୁ ଅଧଃପତନ, ଏଇ ପୁୟୁ ତାର ପ୍ରମାଣ । ନରମ ହେଉ ହେଉ ଲେଞ୍ଜୁକନ୍ଧ ତାତି ଉଠିଲା, ପୁୟୁଠୁ ବିଦା ହେଲା, ପଛ ବୁଲେଇ ଦେଇ ଚାଲିଗଲା ।

 

ଏତେଦିନର ଯେଉଁ ମନ ଭିତରେ ରୁନ୍ଧି ରଖିଥିବା ବିଦ୍ୱେଷ ଆଉ ଅଭିମାନ, ଅନୁକୂଳ ପରିସ୍ଥିତି ପାଇ ଏକାଥରକେ ସେ କୁହୁଳି ଉଠୁଥାଏ । ଅପମାନ ଆଉ ଭୟ ସୁଦ୍ଧା ରାଗ ହୋଇଯାଇ ଭିତର ମନକୁ ଶାନ୍ତି ଦେଉଥାଏ । ଠିକଣା କଲା, ଆଉ ମମତା ନାହିଁ, ଆଉ ଉପରୋଧ ନାହିଁ, ଏ ଗାଁରୁ ଆଗ ସେ ଚାଲିଯିବ, ରାତି ଆସୁଛି, ତର ସହୁ ନାହିଁ ।

 

ସାହିରେ ଲାଗିଛି ସଞ୍ଜ ପୂର୍ବର କଳରବ, ଦିଉଡ଼ୁର ପାଟି ଶୁଭୁଛି କେଉଁଠୁ, ତର ତର ହୋଇ ଲେଞ୍ଜୁକନ୍ଧ ଚାଲିଲା, ଆପେ ଆପେ ପାଦ ପଡ଼ିଗଲା ଖାଲର ଗୁଡ଼ିଆ ଆଡ଼କୁ । ସାହି ଶେଷରେ ବାରିକ ଘର ପାଖେ ସେ ଅଟକିଲା, ଜନଶୂନ୍ୟ ପଥ, ସେତିକିବେଳେ ସ୍ମରଣ ପଡ଼ିଲା ଏହିପରି ବାରମ୍ବାର ମେଘରେ ଗାଧେଇ ଶୀତରେ ଥରି କେତେବାଟ ବା ସେ ଯାଇପାରିବ । ଅନ୍ଧାର ଆସୁଛି, ପ୍ରବଳ ମେଘ ପବନ, ଦଶ ହାତ ଦୂରକୁ ସଫା ଦିଶୁ ନାହିଁ, ଗଳ ଗଳ ପାଣି, ଉପର ତଳ ପାଣି, ଆଶ୍ରୟ କାହିଁ ?

 

ଭାବିଲା ବାରିକ ଘରକୁ ଯାଇ ପତରଛତା ଆଉ ତଲ୍ରା ଖଣ୍ଡେ ସେ ମାଗିନେବ, ଆଉ ଆଶ୍ରୟ-ଥାଉ ନ ଥାଉ ଏ ଗାଁ ଛାଡ଼ି ସେ ଚାଲିଯିବ, ଚାଲିଯିବ ।

 

ବାରିକ ଘର ହତା ଭିତରେ ପଶିବା ପୂର୍ବରୁ ପୁଣି ଥଂ ଥଂ ହୋଇ ଏକନ୍ଦି ସେକନ୍ଦି ସେ ଆଖି ବୁଲେଇଲା, ସଞ୍ଜର ଅନ୍ଧାର ଦୂର ମେଘ ପରି ଘୋଡ଼େଇ ପକୋଉଛି, ବର୍ଷା ଭିତରେ ଫିକା ହୋଇ ଦିଶୁଥିବା ଦୂର ଦୂରର ମୁଣ୍ଡିଆ କ୍ରମେ କଳା ମେଘର ଗାରରେ ମିଶି ଆସିଲାଣି । ଧୀରେ ଧୀରେ ସେ ବି ନିଭିଯିବ । ଛାଡ଼ି ପୁଣି ସେହି ଘରର ପିଣ୍ଡାକୁ ଉଠିଯାଇ ଲେଞ୍ଜୁକନ୍ଧ ଡାକିଲା ‘ବାରିକ-’ କାଶିଲା, ଠିଆ ହେଲା ।

 

କେତେବେଳେ ହେବ ସେ, ଏଇ ଜାଗାରେ ତାର ମୁଣ୍ଡରେ ଚଡ଼କ ପଡ଼ିଥିଲା, ମନର ତୋଫାନ ଯେ ଆଜି ତଡ଼ି ନେଇଯାଉଛି ତାକୁ ଦୂରକୁ, ଆରମ୍ଭ ତାର ଏଇଠୁ ପରା ଅଥଚ ସେହିଠିକୁ ଆଉଥରେ ଆସି ଠିଆ ହେଲା ବେଳକୁ ନୁଆଁଣିଆଁ ଅନ୍ଧାରୁଆ ଚାଳରୁ ଝଡ଼ି ପଡ଼ୁଛି ସତେ କି ମାୟାର ଜାଲ, ଭୁଲ୍‍ ଓ ଭୁଲି ହେବାର କିମିଆ ମୁଣ୍ଡ ପଛଆଡ଼େ କେଉଁ ପଖିଲଗା ସାନ ପରୀଟି ବସି ସୁନାକାଠିରେ ରୁପାଇଟାରେ ପିଟିଲାଗିଛି ସୋନାଦେଈ ସୋନାଦେଈ-ହେ-ହେ-। ସେ ଅନ୍ଧାରୁଆ କୁଳବୁଡ଼ା ଚେତାବୁଡ଼ା ମାୟା, ପାଦରେ ବନ୍ଧନ ମୁହଁରେ ବନ୍ଧନ । କୁଆଡ଼େ ଯିବ ସଞ୍ଜପହରେ ସେ ? କି ଗରଜ ପଡ଼ିଛି ‘ବାରିକ-ବାରିକ-’

 

‘ନାହାନ୍ତି ।’

‘ସୋନାଦେଈ-’

ଜବାବ ନାହିଁ ।

 

ପୁଣି ଟଳିଟଳିକା ଘର ଭିତରକୁ ଗଲା । ସେହି କାଠ ଗଣ୍ଡିରା ଏବେ ବି ଜଳୁଛି । କଥା ନ କହି ସୋନାଦେଈ ଠିଆ ହୋଇଛି କ’ଣରେ । ଲେଞ୍ଜୁକନ୍ଧ ତାକୁ ଆଉଁଶି ଲାଗିଲା, ମୁଣ୍ଡ ଭିତରେ ସବୁ ଗୋଳମାଳ ହୋଇଗଲା ପୁଣି ।

 

‘ଆଃ, ଛାଡ଼ ଘୁଞ୍ଚ, କାହିଁକି ପାଣିଗୁଡ଼ାକ ବୋଳି ଲାଗିଛ କହିଲ, ଉଃ-’ ସୋନାଦେଈ ଥରି ଥରି ଘୁଞ୍ଚିଗଲା । ଲେଞ୍ଜୁକନ୍ଧର ପାଗଳା ମନରେ ତାର ଅର୍ଥ ସ୍ଫୁରିଲା ନାହିଁ । ଆଗେଇ ଗଲା, ତଣ୍ଟି ବସେଇ ବସେଇ ପ୍ରଳାପ କଲା, ‘ଚାଲ ବାହାରିଯିବା ତୁଇ ଆଉ ମୁଇଁ-ବାହାରିବା,-କିଏ ଆମର କ’ଣ କରିବ ? କାହାକୁ ଡର ? କାହାକୁ ଭୟ ? ଆ ।’ ସୋନାଦେଈ ପାଖକୁ ଯାଇ ତାର ହାତ ଧରିଲା । ହାତ ଛିଞ୍ଚାଡ଼ି ଦେଇ ଦୂରକୁ ଘୁଞ୍ଚିଯାଇ ତୀବ୍ର ସ୍ୱରରେ ଫିସ୍ ଫିସ୍ କରି ସୋନାଦେଈ କହିଲା, ‘ଛି ଟିକିଏ ବି ଲାଜ ସରମ ନାହିଁ ତମର ? ଡର ନାହିଁ ? ମୋର ବର ଶଶୁର ଆସିଲେ କ’ଣ ହେବଟି ତମ ଦଶା-କ’ଣ ହଉଚ-ଛି ତମ ମୁହଁକୁ-’

 

କହିପାରୁ ନ ଥାଏ, ଫୁଲୁଛି ଥରୁଛି ତାର ଦେହ । କାଠ ଗଣ୍ଠିରାର ନିଆଁ ଧାସ ପଡ଼ିଛି ତାର ନାଲି ଖଦିପିନ୍ଧା ଜନ୍ତୁଦେହ ଉପରେ, ଲେଞ୍ଜୁକନ୍ଧ ଅଟକି ଯାଇ କହିଲା, ‘ଏଁ’ । କାଶ ଉଠିଲା ।

 

Unknown

‘କ’ଣ ୟାଓଁ ୟାଓଁ ଖକର୍ ଖେଁ ହଉଚୁ ସେଠି ବୁଢ଼ା ମାଙ୍କଡ଼, ଯା ବୁଢ଼ା ଲୋକ ମାଙ୍କଡ଼ମୁହାଁ ବୁଢ଼ା ହଡ଼ା ମଦପିଇ ଧାଙ୍ଗଡ଼ା ନାଟ ଲଗେଇ ଦେଇଚି ମନେ ମନେ-କାହିଁକି ସେଠି ଠିଆ ହେଇଚୁ ? ପୁଣି ନିଆଁ ଲଗେଇବୁ ? ଯାଉଚୁ ନା-’

 

ବୁଢ଼ା ଲୋକ ! ଧାଂଡା ନାଟ ଲଗେଇଚି ! ବୁଢ଼ା ମାଙ୍କଡ଼ । କିଏ ଯେମିତି ଲେଞ୍ଜୁକନ୍ଧର ବ୍ରହ୍ମତାଳୁ ଉପରେ ନିର୍ଘାତିଆ ଠେଙ୍ଗାଏ ପିଟିଦେଲା । ଟଳି ଟଳି ପଦାକୁ ସେ ଚାଲିଗଲା । କୁଆଡ଼େ ଆସିଥିଲା ? ଛତା ଛତୋଡ଼ି ଦରକାର ? ମଦପାଣି ଦରକାର ? ସେ ଭୁଲି ଯାଇଥିଲା । ହେଇ ଅନର୍ଗଳ ବରଷା ଭିତରେ ମେଘ ଦୁଲୁକି ଆସୁଛି, ଦେହ ଜୁଡ଼ୁବୁଡ଼ୁ ଓଦା ସରସର, ତଳେ ପାଣି ଉପରେ ପାଣି । ମୁନିଆ ପଥର ଖସଡ଼ା ପଥର ଉପରେ ହେଇ ବାଟ ପଡ଼ିଛି ତଳର କନ୍ଧ ଗୁଡ଼ିଆକୁ-

 

ସୋନାଦେଈ ହାତରେ ମୁହଁମାଡ଼ି ଫୁଲସ୍ତରା ମାରି ବସି କାନ୍ଦିଲା । ଘରର ଲୋକ ଚୋରି କରି ଯାଇଛନ୍ତି । ଘରେ ଉତ୍‌ପାତ । କି ଘର । ସ୍ତ୍ରୀଲୋକର ଚରିତ୍ର ଥାଉ କି ଚରିତ୍ର ନ ଥାଉ, ତାର ଆତ୍ମସମ୍ମାନ ଅଛି ।

 

ମୁଣ୍ଡ ପୋତି ଟଳି ଟଳିକା ଲେଞ୍ଜୁକନ୍ଧ ଚାଲିଥାଏ, ଆଖିର ଲୁହ ଠିଆ ହୋଇ ହେଉଥାଏ-। ପବନ ପଛକୁ ଠେଲିହେଉଛି ତାର ଜନ୍ମଭୂମି ଆଡ଼କୁ । ବରଷାର ବିରାମ ନାହିଁ । ଅନ୍ଧାର ଆସୁଛି । କେଉଁଠି କୁଟ୍ରା ବୋବାଉଛି, କୁର୍‌ରୀ ଚଢ଼େଇ ପ୍ରାଣ ଥରେଇ ଡାକୁଛି ‘କୁର କୁର,’ ୟା ପରେ ଅନ୍ଧାର, ମାଳ ଉପରେ ବରଷା ରାତିର ଅନ୍ଧାର । ଢାଲୁରେ ଗାଁ ଲୋକ କିଏ ପାଟି କରି କରି ଉଠି ଆସୁଛନ୍ତି, ଖୁରୁଡ଼ାରେ କେହି ନ ଥିବେ ଏଣିକି । ପବନରେ କଥା ବାରି ହେଉ ନାହିଁ । କେତେ ଉଞ୍ଚ ବଢ଼ିଛି ପିରିଘାସ, କେହି ଦିଶୁ ନାହାନ୍ତି ।

 

କେବଳ କନ୍ଧ ବୋଲି ବଣ ସନ୍ଧି ସନ୍ଧି ଫାଟ ପଥର ଆଉ ଅତାଡ଼ୁଆ ବାଟ ଉପରେ ଅଜଣାରେ ବି ଗୋଡ଼ ମୋଡ଼ି ନ ହୋଇ ପାଦ ନ ଖସୁଣୁ ଖୋଜ ପଡ଼ି ଯାଉଛି ତଳକୁ ତଳକୁ । ପାଣିଚିଆ ଶୀତରେ ଦେହ ଥୁରୁଥୁରୁ କମ୍ପିଲାଣି, ନାକରୁ ପାଣି ବହିଲାଣି । କେଉଁଠି ଆଜି ବସା ? ଲେଞ୍ଜୁକନ୍ଧ ଦୋଦୋପାଞ୍ଚ ହେଲା । ଗୋଟାଏ ବଡ଼ ଝୋଡ଼ିଗଛ ତଳେ ଠିଆହୋଇ ପଛଆଡ଼କୁ ଅନେଇଁଲା । ଗାଁ ଦିଶୁ ନାହିଁ ଦିଶୁଛି ଗାଁ ପର୍ବତର ଅତଡ଼ା । ଧୀରେ ଧୀରେ ଅତି ବୁଢ଼ା ହୋଇଗଲା ସେ । ଅକାମୀ ନିଆଶ୍ରୀ ବୁଢ଼ାଲୋକ, ତାର କେହି ନାହିଁ, ଏଇ ଗାଁରେ ସବୁଥିଲା ଦିନେ । କେହି ତାକୁ ଖୋଜୁ ନାହିଁ ଲୋଡ଼ୁ ନାହିଁ, ଆଜିର ଏ ମରଣଯାତ୍ରା ପରି ଭୟଙ୍କର ଅଜଣା ବାଟଚଲାରେ କେଉଁଠି ତାର ଖଡ଼ ଖଡ଼ ହାଡ଼ଗୁଡ଼ାକ ପାଇଁ ଉଷୁମ ନାହିଁ, କେଉଁଠି ନାହିଁ ଟିପେ ବୋଲି ଚାଳ ।

 

ବର୍ଷା ଅନ୍ଧାରର କଣିକା କଣିକା ମିଶି ଫେରିଆସିଲା ଅତୀତର ଛବି । ତାର ରୁପ୍‌ନୀ । ରୁପ୍‌ନୀ ଥାଆନ୍ତା । ଛୁଆପିଲା ଥାଆନ୍ତେ । ଏ ଗାଁରେ ସେ ବି ହୋଇଥା’ନ୍ତା ମଣିଷ ।

 

ଆଉ ଆଜି ଏ ଗାଁରୁ ତଡ଼ାଖାଇ ଯାଉଛି ।

 

ସବୁ ବଳ ସଞ୍ଚୟ କରି ଛାତିଉପରେ ବାହା ଛକିଦେଇ ଅନ୍ଧାରରେ ହଜିଯାଉଥିବା ଗାଁ ଆଡ଼କୁ ମୁହଁ କରି ସେ ଠିଆହେଲା । ଆଖିରୁ ଲୁହ ଧାର ଧାର ଛୁଟିଥାଏ । ଗାଁର ପାଦ ତଳର ପଥର ଧାର ଦିଶୁଛି ନିଶ୍ଚଳ ନିଷ୍ଠୁର, ଛାତିର ରକ୍ତ ଦେହରେ ଚହଲେଇ ନିଶ୍ୱାସରେ ଝଞ୍ଜା ଖେଳେଇ ଦେଇ ଲେଞ୍ଜୁକନ୍ଧ ପ୍ରତିଜ୍ଞା କଲା-

 

ଯାଉଛି ମଲେ ତ ଗଲି, ଭୂତ ହୋଇ ଆସିବି ଗାଁ ଉଜାଡ଼ିବାକୁ, ଯଦି ବଞ୍ଚିଥିବି, ଭସ୍ୱଁ କରିବି ଏଇ ଗାଁକୁ, ସୋନାଦେଈ ଡମ୍ବୁଣୀକୁ, ଦିଉଡ଼ୁ କନ୍ଧକୁ ।

 

ଦାନ୍ତ ଚିପି ଚିପି ଫିସ୍ ଫିସ୍ କରି କହି ଚାଲିଲା, ‘ଜନମ ମାଟି, ଜନମ ମାଟି, ଆଜିଠୁଁ ତୋ ତୁଲେ ମୋର ବିରୋଧ-’

 

ହାଉଁ ମାଉଁ ହୋଇ ମେଘୁଆ ପବନ, ଉଡ଼େଇ ନେଉଛି ତଡ଼ି ନେଉଛି, ଗାଲରେ ବେକରେ ପିଟି ପକୋଉଛି ଠାଇ ଠାଇ । ତାଷ ଖାଲର ଚାରି ପାଖେ ଗୋଲହୋଇ ଜଙ୍ଗଲ ଛୁଆଣି ହୋଇ ବିକଟ ପାହାଡ଼, ଉପରର ଅନ୍ଧାରି ଆକାଶକୁ ମୁଣ୍ଡ ଉଞ୍ଚେଇ ନେଲାଣି, ତଳେ ତଳେ ତାର ଲମ୍ବ ଲମ୍ବ ସିଅ ତାର ଅବୟବ, ଅନ୍ଧାରେ ଅନ୍ଧାରେ ଖାଲ ଭିତରକୁ ମାଡ଼ି ଆସୁଛି । ପଶି ଆସୁଛି । ଅନ୍ଧାର ସତେକି ପାଞ୍ଚହାତ ଦୂରରେ । ତାଷ ଖାଲର ହିଡ଼େ ହିଡ଼େ ପୁରୁଷେ ଉଞ୍ଚ ବେଣାଘାସ ପିରିଘାସର ବଣ, ଗୋଟା ଗୋଟା ଗଛର ଥୁଣ୍ଟା, ଉଇ ହୁଙ୍କା, ପାଦ ଖସିଯାଇ ଖେତର କାଦୁଅର ଗବି ଯାଉଛି ଆଣ୍ଠୁଯାକେ । ଯୁଆଡ଼େ ଗଲେ ମଶା ଡାଆଁଶ ଘାଉଁ ଘାଉଁ ହୋଇ ଉଡ଼ୁଛନ୍ତି, କାନ ଅତରା ପକେଇ ଏକା ରାଆରେ ବେଙ୍ଗମାନଙ୍କର କେଁ କଟର । ସେହି କାଦୁଅ ବିଲ ଉପରେ ସଡ଼ର୍ ସଡ଼ର୍ ହୋଇ କ’ଣ ସବୁ ଚାଲିଛନ୍ତି, ହିଡ଼ ଉପରେ ଜାତି ଜାତିକା ଖସ୍ ଖସ୍ ଶବ୍ଦ ।

 

ହିଡ଼ ଛକିର ବୁଦାମାନଙ୍କ ଉପରେ ଜୁଳୁଜୁଳିଆ ବସିପଡ଼ିଛନ୍ତି । ଯେତେ ବାଟ ଚାଲିଲେ ଆଗକୁ ଦେଖିଲେ ସେହି ଚଉଖୁଣ୍ଟିଆ ବିଲର ହିଡ଼, ସେଠି ଅନ୍ଧାର ବଢ଼ି ଚାଲିଛି, ଚାରିଆଡ଼େ ବିନ୍ଧି ଲାଗିଛି ପଞ୍ଝା ପଞ୍ଝା ହୋଇ ପାଉଁଶିଆ ମେଘର ଶର ପାଖକୁ ପାଖ । ହିମରେ ଦେହ କେମ୍ପେଇ ଆସିଲାଣି, ଡାଙ୍ଗ ଖୁଣ୍ଟାର ଆଞ୍ଚୁଡ଼ା ଲାଗୁଛି ଛୁରୀଧାର ପରି, ପଥର କଟୁଛି ମୁନିଆ କଣ୍ଟା ପରି । ଠା ଠାକେ ଅନ୍ଧାର ମେଞ୍ଚି ମେଞ୍ଚି ହୋଇ ଛାଡ଼ି ଛାଡ଼ିକା ତୋଟା, ସ୍ଥାନେ ସ୍ଥାନେ ଅନହତିରେ ଖାଲୁଆ ଝୋଲାର କାଜିଆ ବିସ୍ତୃତି, ପାଣି ଚାଲିଛି ସୁ ସୁ । ଓହ୍ଲୋଉଚି, ପଶୁଚି, ଉଠୁଛି । ପୁଣି ଚାଲୁଛି ଗୋଟିକିଆ ମଣିଷ, ଟଳି ପଡ଼ି, ଉଠି ।

 

ହେଇ ଝୋଲାର ଆଣ୍ଠୁଏ ଗହୀର ପାଣି ନାଗମୁଣ୍ଡକଟା ସୁଅ ତୋଡ଼ରେ ଟାଣିନେଇ ଚାଲିଛି ମଣିଷକୁ ଆଗରେ ପଛରେ କଳା କଳା ଦି’ଟା କାନ୍ଥ, କାହିଁ ଏଠି ମଣିଷର ବସତି । ବରଫ ଥଣ୍ଡା ପାଣି କହୁଚି ଶୋଇପଡ଼ ଶୋଇପଡ଼ । ଟାଣିନେଇ ଯାଉଛି ସଳଖ ଚଲେଇ ଦେଉ ନାହିଁ । କାନରେ ଏ କ’ଣ ପ୍ରବଳ ତୋଫାନର ଶବ୍ଦ । ଝୋଲାରେ ଗର୍ଜି ଗର୍ଜିକା ପୁର ଆସୁଛି । ଉଛାଳି କରି ମାଡ଼ି ଦଳି କଚି ଗୁଣ୍ଡାକରି ଭସେଇ ନେଇଯିବ କେଉଁ ଦେଶକୁ । ପାଖ ହୋଇ ଆସିଲାଣି ଶବ୍ଦ, ଅନ୍ଧାରରେ କିଛି ଦିଶୁ ନାହିଁ ।

 

ହେଇ ଆସିଗଲା, ଆସିଗଲା ପରା, କାନରେ ମୃତ୍ୟୁର କରାଳ ଶବ୍ଦ ଚିରି ପକୋଉଛି, ଫଟେଇ ପକୋଉଛି । ଘର ଉଞ୍ଚରେ ପାଣି ଆସୁଥିବ, ଉଠେଇ କଚାଡ଼ି ଗଡ଼େଇ ତଡ଼େଇ ଆଣୁଥିବ ବଡ଼ ବଡ଼ ପଥର, ଭଉଁରୀ ବୁଲେଇ ଆଣୁଥିବ ମୂଳରୁ ଓପଡ଼ା ବଡ଼ ବଡ଼ ଗଛ, ଏଇ ଶେଷ ଭାବିଲା ଲେଞ୍ଜୁକନ୍ଧ, ଗୋଡ଼କୁ କିଏ ଓଟାରି ନେଇଯାଉଛି, ଆଖି ବୁଜିଦେଲା । ସେତିକିବେଳେ ଚଡ଼କଡ଼ାକ୍ ହୋଇ ବଜ୍ର ମାରିଲା । ଚାରିଆଡ଼ ଦିନ ପରି ହୋଇଗଲା ମୁହୂର୍ତ୍ତକେ, ଲେଞ୍ଜୁକନ୍ଧ ଦେଖିଲା କୂଳ କତିରେ ଅଳ୍ପ ପାଣିରେ ଖସଡ଼େଇ ଖସଡ଼େଇ ସେ କରକୁ ଚାଲିଛି, ଉପରେ ଓଲରାହେଲା ଗୁରୁ ପୁରୁ ଚାନ୍ଦୁଆ ପରି ମେଘ ଓହଳିଛି, ପାଣି ବରଷୁଚି । ବଞ୍ଚିବାର ଆଗ୍ରହ ବଳି ପଡ଼ିଲା, କୋଲମାରି ଯାଇଥିବା ବୋଥରା ଗୋଡ଼କୁ ଘୋଷାରି ଘୋଷାରି ସେ କୂଳର ଅତଡ଼ାକୁ ଉଠିପଡ଼ିଲା । ଅମଡ଼ା ମାଡ଼ି ଅଧେ ବାଟ ଚଢ଼ିଛି ପୋଲ ଉପରେ ରେଳଗାଡ଼ି ଗଡ଼ିଲା ପରି ଝୋଲାରେ ବଢ଼ି ଆସିଗଲା । ଆଉ ଟିକିଏ ତ, ଶୀତେଇ ଶୀତେଇ ପୁଣି ତାଷ ଜମି ଉପରକୁ ସେ ଉଠିଗଲା । କେତେ ଲୋକଙ୍କୁତ, ଗାଡ଼୍ ମାରିନିଏ, ତାକୁ ବି ନେଇଥା’ନ୍ତା ।

 

ବର୍ଷାର ସଁ ସଁ କମି ଆସିଲାଣି, ଝୋଲାର ଘୋ ଘୋ କାନରେ ବାଜିଥିଲା, ପବନ ହାଉଲେ ମାରୁଛି, ମେଘ କେବଳ ଝୁପୁରୁ ଝୁପୁରୁ, ନିଃଶବ୍ଦରେ ବିଜୁଳି ଖେଳିଯାଉଛି ଘଡ଼ି ଘଡ଼ିକେ, ଏ ଖଣ୍ଡେ ଖଦଖଦଡ଼ିଆ ଢିପଜମି, ପଦର, ଆଗରେ କମଳା ତୋଟା ଦିଶୁଛି, ତାର ଆଗରେ ଫଟା ପଥରଟା ଗଛପରି ଠିଆ ହୋଇଛି । ଭିତରେ ତାଷ କୁଡ଼ିଆ ଥିବ ।

 

ଲେଞ୍ଜୁ କନ୍ଧ ଚାଲିଲା । ଏହିପରି ଗୋଟାଏ ଆଶ୍ରୟ ତାର ମନ ଭିତରେ ଥିଲା ।

 

କିନ୍ତୁ କି ଆଶ୍ରୟ ସେ, ପାଦତଳେ ପଚର ପଚର ଠାସୁକୁମରା ବାଟ କମଳା ଆଉ କଦଳୀ ତୋଟା ଭିତରକୁ ଛାତିଏ ଉଞ୍ଚ ‘ଗାଣ୍ଟିଆ’ ଫସଲର ବଣ ମଝିରେ, ଡାହାଣେ ଦିଶୁଛି ପର୍ବତର ଢାଲୁ, ଘଞ୍ଚ ଜଙ୍ଗଲ ସେଠି, ନାନାଜାତି ଜନ୍ତୁଙ୍କର ବାସଭୂଇଁ, ବର୍ଷା ଅନ୍ଧାରରେ କମଳା ତୋଟା ଭିତରକୁ ଅନେଇଁଦେଲାବେଳକୁ ଭୟରେ ପ୍ରାଣ ଧଡ଼କୁଛି, କାହା ସଙ୍ଗରେ ହାବୁଡ଼ା ହାବୁଡ଼ି ହେବ, କେଉଁ ଜନ୍ତୁ ଛପି ରହିଥିବ ଉପରକୁ ଡେଇଁ ପଡ଼ିବ, ଆଲୁଅର ଧାସ ସୁଦ୍ଧା ନାହିଁ, ଶେଷ ଭରସା, କାମକଲା ଲୋକେ ତାଷ କୁଡ଼ିଆରେ ଯଦି କିଛି ଛାଡ଼ି ଯାଇଥିବେ, ନିଆଶାରେ ଆଶା ସେତିକି ।

 

‘ଗାଣ୍ଟିଆ’ କ୍ଷେତ ଭିତରେ ତର ତର ହୋଇ ଚାଲିଲା ଲେଞ୍ଜୁକନ୍ଧ, ବାଟ ନାହିଁ, କେବଳ ମଚ୍ ମଚ୍ ସାଇଁ ସାଇଁ । କେଡ଼େ ଚଞ୍ଚଳ ବଢ଼ିଯାଏ ମାଣ୍ଡିଆର ବଡ଼ ଭାଇ ଏଇ ଗାଣ୍ଟିଆ, କରଡ଼ା ଓସାର ଲମ୍ବ ପତ୍ରରେ ବୋଝେ ପାଣି, ଆଂଶରେ ଚମ ଆଞ୍ଚୁଡ଼ି ହୋଇଯାଏ । ପାଦରେ ବଳ ନାହିଁ, ଦେହରେ ଜୀବନ ନ ଥିଲା ପରି, ଖକୋଖକ୍, କାଶି କାଶି ଭୁସିଲା ପରି ମାଡ଼ି ଚାଲିଛି ସତେକି ଗୋଟାଏ ବଣର ଜନ୍ତୁ ଅମଡ଼ା ମାଡ଼ି ଅନ୍ଧାରେ ଅନ୍ଧାରେ । ଗାଣ୍ଟିଆ କ୍ଷେତ କଟିଗଲା, ଫଟା-ପଥର କରପଟ ଚିହ୍ନା ବାଟରେ କନ୍ଧଗୁଡ଼ିଆର ଅନ୍ଧାରି ସମୁଦ୍ରରେ ସେ ଡୁବ ମାରିଲା, ନିଛାଟିଆ, ଝିଙ୍କାରି ସାଇଁ ସାଇଁ, ଏତିକିବେଳକୁ ସରୁବାଲି ପରି ଝଡ଼ି ଲାଗିଲା ମେଘଟା, ଏତେବେଳର ବାଟର ସାଙ୍ଗୀର ଅସ୍ତିତ୍ୱ ନିଭିଗଲା ପରି ହଠାତ୍ ସବୁ ଶୂନ୍‌ଶାନ୍, ହାଟ ଭାଙ୍ଗିଲା ପରେ ହାଟ ପଦା ପରି, ଲେଞ୍ଜୁକନ୍ଧର ଛାତି ଥଣ୍ଡା ହୋଇଆସିଲା, ଆଉ ଚାଲି ହେଉ ନାହିଁ ।

 

ଭୟ, ଭୟ, ମରିବାକୁ ଭୟ, ବାଘମୁହଁରେ କଞ୍ଚା ଚୋବେଇ ହେବାକୁ ଭୟ । ଶୋଇଲା ବଣକୁ ଚମକେଇ ଦେଇ ମଝିରେ ମଝିରେ ନାନାଜାତି ଶବ୍ଦ ଶୁଭୁଚି; ମୁଣ୍ଡ ଉପରେ ଚଢ଼େଇ ଫଡ଼ଫଡ଼, ଆଉ କେତେଦୂର ? ବାଟ ଭୁଲିହେଲା କି ? ଲେଞ୍ଜୁକନ୍ଧ ଆପଣାକୁ ପଚାରିଲା, ଜବାବ୍ ପାଇଲା ନାହିଁ, ବାରମ୍ବାର ଭୟରେ ଚମକି ଗଛବୁଦା ସାଙ୍ଗେ ହାବୁଡ଼ାହାବୁଡ଼ି ହୋଇ ପ୍ରତି ମୁହୂର୍ତ୍ତରେ ମରି ପ୍ରତି ଆର ମୁହୂର୍ତ୍ତରେ ସୁକୁ ସୁକୁ ହୋଇ ଜୀଇ ସେ ଘୋଷାରିହୋଇ ଆଗକୁ ଚାଲିଲା । କିଏ ବସିଥିଲା ? ଡେଇଁପଡ଼ିଲା ଝପ୍‌ଝପ୍ ଶବ୍ଦ ହେଲା, କ’ଣଟାଏ ଦଉଡ଼ିଗଲା ଏପାଖରୁ ସେ ପାଖକୁ ? ପଛରେ କ’ଣ ଦୌଡ଼ୁଛି ଦୁଲୁ ଦୁଲୁ ଶୁଭୁଛି ? କେତେ ସନ୍ଦେହ, କେତେ ଭୟ । ଡାକିଲେ ଶୁଣିବ ବନସ୍ତ, ମଲେ ଦେଖିବ ଅନ୍ଧାର, ମଣିଷର ଛାଇ ନାହିଁ ଏଠି ।

 

କମଳା ବଣ ସରିଗଲା, ଠାଏ ମଝିରେ ପଦା ଜାଗା । ଗୋଟିକିଆ କୁଡ଼ିଆଟିଏ ଠିଆ ହୋଇଛି, ଗୁଡ଼ିଆ ଭିତରେ ତାଷକୁଡ଼ିଆ, ଲେଞ୍ଜୁକନ୍ଧର ସାହସ ଆସିଲା । ହଠାତ୍ ଲାଗିଲା ଦେହଯାକ ଦରଜ, ଛିଣ୍ଡିପଡ଼ୁଛି, ଭାଙ୍ଗି ପଡ଼ୁଛି । କୁଡ଼ିଆରେ ଦୁଆର ମୁହଁରେ ଠିଆହେଲାବେଳକୁ ଛାତିରେ ହାତୁଡ଼ି ପଡ଼ୁଛି । ଭିତରେ କ’ଣ ଥିବ କାଳେ ? କେବେ ଏଠିକି ମଣିଷ ଆସନ୍ତି କେବେ ନାହିଁ । ମହୁମାଛି ଫେଣା ଝୁଲାଏ, ଭାଲୁ ଛୁଆ ଦିଏ, ବାଘ ରହେ, ସାପ ରହେ ।

 

ପଦାରେ ଓଦାରେ ସେହି କୁଢ଼ିଆ ଚାଳକୁ ଧରି କାନ୍ଥ ଉପରେ ଅଜାଡ଼ି ହେଲାବେଳକୁ ମନେପଡ଼ିଲା ବେଶୀ ରାତି ହୋଇ ନ ଥିବ, ମିଣିଆପାୟୁ ଗାଁରେ ବାରିକ ଘରେ ସୋନାଦେଈ ଚୁଲି ଜାଳିଦେଇ ରାନ୍ଧୁଥିବ, ଚୁଲିପାଖେ ବସି ବାରିକ ନିଆଁ ପୁଉଁ ଥିବ ମଦ ପିଉଥିବ । ପୁଣି ତାର ରାଗ ଜଳିଉଠି ଆଖିକୁ ଅନ୍ଧ କରିଦେଲା, ପାଣି ଦରଦର ଦେହରୁ ନିଗିଡ଼ି ପଡ଼ୁଛି, ଲେଞ୍ଜୁକନ୍ଧ କୁଢ଼ିଆ ଭିତରକୁ ପଶିଗଲା ।

 

ପାଦରେ ଶୁଖିଲା କୁଟା ଖସ୍ ଖସ୍ ଶୁଭୁଛି । ଉପରେ ଛାତ ଅଛି । ଏଇଠି ତାର ଆଶ୍ରୟ-। କି ଶୀତ ! ଲେଞ୍ଜୁକନ୍ଧ ଓଦା ଲୁଗାପଟା ଖୋଲି ଦେଇ ଦୁଆର ମୁହଁରେ ଫୋପାଡ଼ି ଦେଇ ଘୁଷୁରି ଘୁଷୁରି ଭିତରକୁ ପଶିଲା । କୁଟା ପୁଳାଏ ଗୋଟେଇ ଦେହରେ ଲଦିଦେଇ ଚାରିଆଡ଼କୁ ଅନେଇଁଲା-। ସନ୍ଧାନୀ କନ୍ଧ-ଦୃଷ୍ଟି ତାର ଲାଖି ରହିଛି ଘରର ଗୋଟାଏ କ’ଣରେ, କ’ଣ ଜକ୍ ଜକ୍ କରୁଛି ସେଠି ଅନ୍ଧାର ଭିତରେ ? ଜୁଳୁଜୁଳିଆ ? ବଣ ବିଲେଇ ? ତାଳି ମାରିଲା, ପ୍ରତିଧ୍ୱନି ହେଲା-। ଘୁଷୁରି ଘୁଷୁରିକା ସେହି ଆଡ଼କୁ ଗଲା, ନଇଁପଡ଼ି ଦେଖିଲା, ହାତମାରି ଦେଖିଲା ନିଆଁ-ତାର ନିସ୍ତେଜ ଛାତି ଭିତରେ ଆନନ୍ଦର ଲହଡ଼ି କୁଦାମାରିଲା, କୁଟା ପୁଳିଏ ଗଦେଇ ପ୍ରାଣପଣେ ସେ ଫୁଙ୍କିଲାଗିଲା, ନିଆଁ ଜଳିଲା ।

 

ସାନ କୁଡ଼ିଆଟିଏ । ଛୁଆଣି ସାରି ପାଳଗଦାଟିଏ ଗୋଟିଏ କ’ଣରେ କିଏ ରଖି ଦେଇ ଯାଇଛି, ଘରଯାକ ମଡ଼ାମଡ଼ି ହୋଇ କୁଟା ପଡ଼ିଛି । ଆର କ’ଣରେ ଦି’ଖଣ୍ଡ ପଥର ସନ୍ଧିରେ ଦରହ୍‌ପୋଡ଼ା କାଠ, ପାଖରେ ମୋଟ ମୋଟ ଅଧ ଅଧ ପୋଡ଼ା କାଠଗଣ୍ଡି, ଏମିତି ବଣ ମଝିରେ ମଇଁଷି ଗୋଠ ଜଗୁଆଳ ରାନ୍ଧି ଖାଇ ଦୂରକୁ ଯାଏ, ବାଟର ବାଟୋଇ ବସା କରେ, ଚୋର ଭୋଜି ଖାଆନ୍ତି ।

 

ଲେଞ୍ଜୁକନ୍ଧ କାଠ ଗଣ୍ଡି ଦି’ଟାକୁ ନିଆଁରେ ଦେଖେଇ ଦେଲା, ହୁତୁହୁତିଆ ନିଆଁରେ ସେକିଦେଲା । ଧୀରେ ଧୀରେ ସ୍ପର୍ଶ ଫେରୁଛି, କଳନା ହେଉଛି ଦେହର କ୍ଷତିର କି କଷ୍ଟ । ନିଆଁକୁ ଅନେଇ ରହି ସାହସ ଆସୁଛି, ବଣ ଅନ୍ଧାର ଆଉ ମେଘ ଭୁଲି ହୋଇ ଚିତ୍ତ ରହିଛି ଜଳନ୍ତା ନିଆଁର ଧାସରେ । ଏହି ଅପନ୍ତରାରେ ଯେ ଛାଡ଼ିଯାଇଛି ନିଆଁର ସାନ ଧୁନିଟିଏ କୃତଜ୍ଞତାରେ ତାହା ପ୍ରତି ମନ ନଇଁଆସିଲା । କିଏ ସେ ହୋଇଥିବ ? ସତେ କ’ଣ କେଉଁ ବାଟୋଇ ନା କେଉଁ ସାହାଯ୍ୟକାରୀ ପ୍ରେତାତ୍ମା ? ସେ କ’ଣ ରୁପ୍‌ନୀ ? ଲେଞ୍ଜୁ ଭାବିଗଲା ।

 

ଏପରି ବି ଶୁଣାହୁଏ ମଲାଲୋକର ଆତ୍ମା ଭଲ ପାଇଥିବା ଲୋକକୁ ବିପଦରେ ସହାୟ ହୋଇ ଅଦେଖାରେ କେତେ ସୁବିଧା ରଖିଦେଇ ଯାଏ, ସତେ କ’ଣ ତାର ମଲା ହଜିଲା ଭାରିଯା ରୁପ୍‌ନୀ ବରଷା ଅନ୍ଧାରରେ ତାକୁ ବାଟ କଢ଼େଇ ଘେନି ଆସିଛି ବିପଦ ଭିତରେ ? କାହିଁ ଜଙ୍ଗଲ, କାହିଁ ପଥୁରିଆ ବାଟ, କାହିଁ ଝୋଲାର ତୋଫାନି ବଢ଼ିରେ ଛେଚିହୋଇ ମରିବାର ସଦ୍ୟ ଆଶଙ୍କା ସଙ୍ଗେ ମୁହାଁମୁହିଁ ହେବା ଆଉ ଏଇ କୁଢ଼ିଆଘରେ କୁଟାପାଳ ଆଉ ନିଆଁ ଟିକକ । ପଦେ ପଦେ ତାର ମରଣ ହୋଇଥା’ନ୍ତା । ତାର ମରଣ ହୋଇ ନାହିଁ ।

 

ରୁପ୍‌ନୀ-ସେ କେଉଁ ହଜିଲା ଅତୀତର ସାଙ୍ଗ, କାହିଁକି ଆଜି ବାରମ୍ବାର ମନର କବାଟ ଧଡ଼ ଧଡ଼ କରି ଚେତେଇ ଦେଉଛି ? ଲେଞ୍ଜୁକନ୍ଧ କାନ୍ଦିଲା । ନିଆଁ ତାତିରେ କେନ୍ଦୁକାଠରୁ ପାଣି ବୋହିଲା ପରି କାନ୍ଦି କାନ୍ଦି ସେ ତରଳି ଚାଲିଲା । ସତେ ଯେପରି କାଲି ମରିଛି ରୁପ୍‌ନୀ, କାଲି ତାକୁ ବାଘ ଖାଇଛି ।

 

କେତେ ଲୋକଙ୍କର ଧାଂଡୀ ସେମିତି ଅଛନ୍ତି, ତାରି ଧାଂଡୀ ମରିଗଲା । କେଡ଼େ ଟାଣ ଥିଲା ତାର ଭଲ ପାଇବା, ଭଲପାଇ ବିପଦକୁ ଆସି ରୁପ୍‌ନୀ ବାଘ ମୁହଁରେ ଗଲା । ରୁପ୍‌ନୀ ରୁପ୍‌ନୀ-ଲେଞ୍ଜୁକନ୍ଧ ଏମିତି ବହୁଦିନୁ କାନ୍ଦି ନାହିଁ । ଅଭିଆଡ଼ା ରହି ଜୀବନଟାକୁ ଉଜାଡ଼ି ଉଜାଡ଼ି ବାୟା ପରି କଟିଛି ବାକି ଦିନଗୁଡ଼ାକ । ପ୍ରେମ ନାହିଁ, କି ଜୀବନ ସେ । କେବେ କଦବା ମାଂସ କଟ କଟ କରିଛି, ଦେହର ନିୟମ ମାନି ସେ ଧାଇଁଛି କେଉଁ ନାରୀ ପଛରେ, ମୁହୂର୍ତ୍ତର ନିଶା, ଜନ୍ତୁ ଦେହର ବିକାରର ମଉଜ, ସେ ତ ଆଉ ପ୍ରେମ ନୁହେଁ । ସେଠି ନାହିଁ ଉଷୁମ ପାଣି ଲାଉତୁମ୍ବାରେ ପୂରେଇ ମନ୍ଦିମନ୍ଦିକରି ଢାଳି ଗାଧୋଇ ଦେବା, ପୋଛି ଦେବା, ସେଠି ନାହିଁ ନିଠେଇ ନିଠେଇ ରାନ୍ଧି ବାଢ଼ିଦେବା, ବଳେଇ ବଳେଇ ଖୁଆଇବା, ଝଡ଼ି ବରଷାରେ ତିନ୍ତି ଲାଉତୁମ୍ବାରେ ଉଷୁମ ଖାଦି ପୂରେଇ କ୍ଷେତକୁ ନେଇ ଦେବା, ଆଉ, ସେଠି ନାହିଁ ବାଘୁଆ ପାଗରେ ସ୍ୱାମୀକୁ ଜଗି ରହିବା ପାଇଁ ଅଧ ରାତିରେ ପର୍ବତ ତଳ ତାଷ କୁଡ଼ିଆକୁ ଯାଇ ବାଘ ମୁହଁରେ ଝାସ ଦେବା । ପ୍ରାଣରେ ଆଘାତ ପାଇ ଭାରିଯା ମନେପଡ଼ୁଥିଲା, ସୁମରି ସୁମରି ଲେଞ୍ଜୁକନ୍ଧ କାନ୍ଦୁଥିଲା ।

 

କାନ୍ଦି ସେକିହୋଇ ଧୀରେ ଧୀରେ ବଳ ସଞ୍ଚରିଲା, ଭାବିଲା ଚାଲିଆସିବା ଛଡ଼ା ତାର ଅନ୍ୟ ଗତି ନ ଥିଲା । କାନ୍ଧରେ ଟାଙ୍ଗିଆ ଥିଲେ, ଦେହରେ ବଳ ଥିଲେ କନ୍ଧ ଆଉ କେଉଁ କଥାକୁ ଡରେ ନାହିଁ, ଡରେ ଲଜ୍ଜା ଅପମାନକୁ । ଏପରି ବି ତ ହୋଇଛି – ଅଗନାଗ୍ନି ବଣ ଭିତରେ ପାଣି ପାଖ ଦେଖି ଗୋଟିକିଆ ଘରଟିଏ କନ୍ଧ ବସେଇଛି, ଜଙ୍ଗଲ ଅରିଏ ସଫାକରି ତାର ସୁଆଁ ମାଣ୍ଡିଆ ତାଷର ବେଉସା ଭେଇଛି, ହଳଦୀ ଲଗେଇଛି, ମହୁ, ପାଳୁଆ କାଢ଼ିଛି । ଟାଙ୍ଗିଆରେ କାଠ ବାଉଁଶ, ହାତତିଆରି ଧନୁ କି ଓଡ଼ିଆ ନଳି ହେଲେ ଶିକାର, ରାତିରେ ମହୁଲ ଗୋଟେଇ ନିଜେ ତିଆରି କରିଥିବା ମଦ ଟୋପିକ, ଆଉ ବଇଁଶୀ ବଜେଇ ଏକୁଟିଆ ନିଆଁ ପାଖରେ ନାଚ । କିନ୍ତୁ ମଣିଷ ଦଳରେ ରହେ, ଏକୁଟିଆ ରହିପାରେ ନାହିଁ, ସେଥିପାଇଁ ଚିନ୍ତା ନାହିଁ, ଜଣେ ଭଲ ବସାଟିଏ କଲେ ବଳେ ଅନ୍ୟମାନେ ଆସି ବସା କରନ୍ତି, ବସତିରୁ ‘ଗୁଡ଼ା’ ‘ଗୁଡ଼ା’ ବଢ଼ି ବଢ଼ି ଗାଁ । ବଣ ଭିତରେ ଗାଁ ଉଠେଇ ନେଇ ନୂଆ ଗାଁ ବସେଇ କେତେ କନ୍ଧ ତ ବୁଲୁଥା’ନ୍ତି, ଜୀବନ ଥିଲେ ପେଟ ପୋଷି ହୁଏ, କପାଳରେ ଥିଲେ ବଳେ ହେବ ।

 

ବେଳ ଗଲା, ଲେଞ୍ଜୁକନ୍ଧ ଉଠିଲା, ଓଦା ଲୁଗାତକ ଚୁପୁଡ଼ି ଦେଇ କୁଡ଼ିଆ ଦୁଆରମୁହଁରେ ବାଟ ବନ୍ଦ କରି ଟାଣିଦେଲା । ପୁଆଳ ବିଛେଇ ଶେଯ କଲା, ପୁଆଳ ଘୋଡ଼ିହୋଇ ନିଆଁପାଖେ କ୍ଳାନ୍ତ ନିଦରେ ଶୋଇପଡ଼ିଲା ।

 

ପୁଣି ମେଘ ବରଷିଲାଣି, ପବନ ଦେଉଛି, କୁଡ଼ିଆ ଦୁଲୁକୁଛି, ଚାରିଆଡ଼େ ଅନ୍ଧାର ଆଉ ଜଙ୍ଗଲ, ମଣିଷ ନାହିଁ । ଅଧରାତିରେ ନିଦ ଭାଙ୍ଗିଗଲା, ମହାବଳ ରଡ଼ି ଶୁଭିଗଲା ପରି ଲାଗିଲା, ଗାଲି ପାରି କାନେଇଁ ରହିଲା କେତେବେଳେ ବଣର ଶବ୍ଦ ବାରିବା ପାଇଁ, ପୁଣି ଶୋଇଲା ।

 

ଆହୁରି ଥରେ ନିଦ ଭାଙ୍ଗିଲା ଶେଷ ରାତିରେ । ପ୍ରବଳ କମ୍ପ ଆସୁଛି, ଦେହ ଥରିଯାଉଛି-। ବାଉଳା ହୋଇ ଘର ମନେକରି ତାର ମୋଟା ମାଠକୁ ଓଟାରିବା ପାଇଁ ଲେଞ୍ଜୁ କନ୍ଧ ହାତରେ ଅଣ୍ଡାଳିଲା । ବଡ଼ ଦରଜା । ବଡ଼ ଶୀତ । ରଡ଼ ନିଆଁ କାଉନ୍ଦା ମସିଆ ପଡ଼ି ଗଲାଣି । ଫୁଙ୍କିବାକୁ ବେକ ବଢ଼େଇ କମ୍ପରେ ପୁଣି ନିସ୍ତେଜ ହୋଇପଡ଼ିଲା । କମ୍ପି କମ୍ପିକା ଚୁଙ୍ଗୁଡ଼ି ମାଛ ପରି ଛଟ ଛଟ ହେଲା ଆଉ ନିଦ ନାହିଁ । କେତେବେଳେ ରାଗେ କେତେବେଳେ କାନ୍ଦେ, କମ୍ପରେ ଦାନ୍ତକୁ ଠକ୍ ଠକ୍ ବଜେଇ ଆଣ୍ଠୁକୁ ପେଟରେ ମାଡ଼ି ସେ ଶୋଇ ରହିଲା, ଦେହ ଭିତରେ ବଢ଼ି ପାଣିପରି ବଳ ଯେପରିକି ଛାଡ଼ି ଛାଡ଼ି ଆସୁଛି, ମୁଣ୍ଡରେ ଡାଆଁଶ ଦଂଶୁଛନ୍ତି, ତାର ପୂରା ହୋସ୍ ନ ଥିଲା ।

 

ଲେଞ୍ଜୁକନ୍ଧକୁ ଘୋଟିଥିଲା ମାଳୁଆ ଜର ।

 

ଆଲୁଅ ଫିଟିଲା । ବରଷା ଲାଗି ରହିଛି । ଲେଞ୍ଜୁକନ୍ଧ ପୁଆଳ ଭିତରେ ସେହିପରି ପଡ଼ିରହିଛି କନ୍ଧର ତାଷ-ଗୁଡ଼ିଆର ନିଛାଟିଆ କୁଡ଼ିଆ ଭିତରେ । କମ୍ପ ଆଉ ନାହିଁ । ଦେହରେ ପୂରି ରହିଛି ଜର । କେବଳ ବେଳେବେଳେ କର ଲେଉଟୋଉଛି, ଅଧା ହୋସ୍‌ରେ ଗଡ଼ୁଛି । କେହି ଆସିଲେ ନାହିଁ । ଦି’ପହର ଗଡ଼ିଗଲା । କେତେବେଳେ ଅଧା ଚେତା ଭିତରେ ମନେହୁଏ ଲୋକଙ୍କ ପାଟି ଶୁଭୁଛି । ପାଖର ପାହାଡ଼ରେ ବାଉଁଶ କରଡ଼ି ତୋଳି ଶିଆଳିପତ୍ର ତୋଳି ଲୋକେ ଆସିଥିବେ-। ପଛଆଡ଼େ ତାଷ-ଗୁଡ଼ିଆକୁ ଲୋକ ଆସିଥିବେ ତାଷ ଦେଖିବାକୁ, ମାଛ ମାରିବାକୁ । ସଂସାର ତାର କାମରେ ମାତିଛି । ଲେଞ୍ଜୁକନ୍ଧ ମଲା କି ଗଲା କାହାରି ଗରଜ ନାହିଁ ପଚାରିବାକୁ । ଜର ବାଉଳରେ କାନ୍ଦି କାନ୍ଦି ଭାବେ ସମସ୍ତେ ତା’କୁ ପର କରିଦେଲେ, ସେ ବଞ୍ଚୁ ବୋଲି କାହାରି ଇଚ୍ଛା ନୁହେଁ, ସେ ମରୁ । କିନ୍ତୁ ମରିବାକୁ ତାର ଇଚ୍ଛା ଆଦୌ ନାହିଁ । ଦୁନିଆର ଆଖିରେ ନିଆଁଖୁଣ୍ଟା ଗେଞ୍ଜିଲା ପରି ସେ ବଞ୍ଚି ରହିଥିବ, ପଡ଼ି ରହିଥିବ । ପୁଣି ହୋସ୍ ବୁଡ଼ିଯାଏ, ଜରରେ ପଡ଼ିରହେ ସେହିପରି ।

 

ତିନିଦିନ, ତିନିରାତି । ପେଟରେ ଦାନା ପଡ଼ି ନାହିଁ, ଖାଡ଼ା ଖାଡ଼ା ।

 

ଜର ବାଉଳା କମିଲେ ଘୁଷୁରି ଘୁଷୁରି କୁଡ଼ିଆ ଦୁଆର ମୁହଁ ସେପାଖେ ସରୁ ନାଳିଆରୁ ପାଣି ମୁନ୍ଦିଏ ପିଏ, କେତେଥର ପଡ଼େ, କେଉଁଠି ଯେ କି ଅବସ୍ଥା ହୁଏ ତାର ଠିକ୍ ଠିକଣା ନାହିଁ । ଆଉ ରାତିରେ ନିଆଁ ନାହିଁ, ନିଆଁ ଲିଭିଗଲା । କେଉଁଠୁ ଯାଇ ଓସ୍ତଗଛର ଶୁଖିଲା ଡାଙ୍ଗ କୁର୍‌ହେଇ ଗଛର ଶୁଖିଲା ଡାଙ୍ଗ ସେ ଖୋଜି ଆଣିବ; ଗୋଟାକ ଉପରେ ଗୋଟାଏ ଥୋଇ ଦି’ହାତରେ ମନ୍ଥିବ, ନିଆଁ ବାହାର କରିବ । ଶୀତ, ବରଷା ଝରି, ଦେହରେ ଅତି କଷ୍ଟ, ଖାଲି ସବୁ ଫାଟିପଡ଼ୁଛି, ଖଣ୍ଡ ଖଣ୍ଡ ହୋଇଯାଉଛି, ମୁଣ୍ଡ ମହଣ ମହଣ ଓଜନ ହୋଇ ଭାଙ୍ଗିପଡ଼ୁଛି, କ’ଣ ସେ କରୁଛି ବିଚାର ନାହିଁ କି ବୁଦ୍ଧି ନାହିଁ ।

 

ତିନିଦିନ, ତିନିରାତି । ଜର, କାଶ, ବାନ୍ତି, କଷ୍ଟ, କେମିତି ସତେ କି ହାତ ଗୋଡ଼ ସବୁ ଶୁଖି ଶୁଖି ସେମେଟା ହୋଇଯାଉଛି । ବଳ ଚାଲିଯାଉଛି । ଲେଞ୍ଜୁକନ୍ଧ ଭାବିଲା ସେ ମରୁଛି । ଏହିପରି ହୋଇ ସେ ମାଟିରେ ମିଶିବ କାହାରି ମୁହଁ ଦେଖିବ ନାହିଁ । ମୃତ୍ୟୁ-କି ଭୟଙ୍କର ସେ !

 

ଉପାସ ଭୋକରେ ଜରରେ ସିଝି ସିଝି ଦିନେ ସେ ଉଠିଲା । ଜର ଆଉ ନାହିଁ । କିନ୍ତୁ କି ଦୁର୍ବଳ ସେ ! କୁଡ଼ିଆର ଦୁଆର ମୁହଁରେ ଯାକିଯୁକି ହୋଇ ହତାଶ ଆଖିରେ ପଦାକୁ ଅନେଇଁ ରହିଲା । ମନେପଡ଼ିଲା, ଭୋକ, ମଦ ଧୁଙ୍ଗିଆ କାହିଁ ? କାହିଁ କିଏ ? ଅରଣ୍ୟ ଭିତରେ ଏକା ସେ । ମୁହଁରେ ଦେହରେ ହାତ ମାରିଲା । କ’ଣ ସବୁ ଥିଲା ଆଜି ନାହିଁ । କେବଳ ଖାଲ ଖାଲ ଆଉ ହାଡ଼ ହାଡ଼ । ମୁହଁରେ ଟାଣୁଆ ଜଟୁଆ ରୁଢ଼ ବଢ଼ିଛି । କେତେ ପ୍ରକାର ଗନ୍ଧ, ଗନ୍ଧ ଡୁବେଇବାକୁ ମଦ ଧୁଙ୍ଗିଆ ନାହିଁ । ଇଚ୍ଛା ହେଲା ଏଥର ପୁଣି ସେ ବାଟ ଧରିବ । କିନ୍ତୁ ଠିଆହେଲାବେଳକୁ ମୁଣ୍ଡ ଝାଇଁ ମାରି ଦେଉଛି । କୁଆଡ଼େ ଏକୁଟିଆ ଯିବ ଜରୁଆ ରୋଗିଣା ଲୋକ ?

 

ଆଜି ଶକ୍ତି ଆସିଛି ସେ ନିଆଁ କରିପାରିବ । କାଠି ମନ୍ଥି ମନ୍ଥି ନିଆଁ ଟିକିଏ କଲା ବହୁ କଷ୍ଟରେ । ବର୍ଷା ଆଜି କମିଛି । ବେଳ ଠିକ୍ ମୁଣ୍ଡ ଉପରେ । ଛାଡ଼ି ଛାଡ଼ି ହୋଇ କେନ୍ଦୁଗଛର ବଣ । ସେ ପାଖକୁ ପର୍ବତର ଢାଲୁରେ ବାଉଁଶବଣ ବଢ଼ିଛି ଘଞ୍ଚ ହୋଇ, ଉଞ୍ଚ ଢାଲୁ ଚାଲିଯାଇଛି ପର୍ବତର ଉପରକୁ ବୋଲି, ଘନ ଅରଣ୍ୟ । ବରଷା ଫାଙ୍କରେ ଆଲୁଅ ଟିକିଏ ଫିଟିଛି, କେତେ ଜାତିର ଚଢ଼େଇ ଖୁସି କରୁଛନ୍ତି । ଏଇ, ଭୃଙ୍ଗୀରାଜର ସିଠି । କୁକୁଡ଼ା ଡାକୁଛି, ମୟୂର ବୋବୋଉଛି, ଉପରେ ଚକ୍ରି ମାରୁଛି ପୂର୍ବଘାଟ୍‌ର ଈଗଲ ଚଢ଼େଇ ‘ମୟୂରମାରୁ’ । ବାଡ଼ି ଧରି ଧରି ପାଖ ବଣକୁ ଗଲା । ବଣ ଗୁରୁଡ଼ି ଆମ୍ବ ଫଳିଛି । ହେଇ ଲଟାରେ କାଙ୍କଡ଼ ପେନ୍ଥି ପେନ୍ଥି, ବଣ କୁନ୍ଦୁରୁ, ବଣର ପାନ । ଲେଞ୍ଜୁକନ୍ଧର ଭୋକ ବଳେଇଥାଏ । ବଣରଫଳ ବଣରମୂଳ ଗୋଟେଇ ଆଣିଲା । ନିଆଁରେ ସିଝେଇ ଖାଇଲା । ଡଙ୍ଗରବାତ୍ରି ଗଛର ମୂଳ ସଂଗ୍ରହ କଲା, ଔଷଧ କରି ଖାଇଲା । ସେହିଦିନକ ପୁଣି ସେଠି କଟେଇଲା । ଅଳ୍ପ ଦମ୍ଭ ଲାଗିଲା । ଜର ନାହିଁ, କାଶ କମିଛି । ବଞ୍ଚିରହିବାକୁ ପ୍ରବଳ ଆଗ୍ରହ । ଯେ କୌଣସିମତେ ପାଖ ଗାଁ ବନ୍ଦିକାରରେ ତାର ପହଞ୍ଚିବା ଦରକାର । ଟାଣ ହେବାଯାକେ ସେହି ଗାଁରେ । ସେ ଗାଁର ଏ ଗାଁର ଅପଡ଼ ବଢ଼ୁଛି, ଠିକ୍ ହେବ । ଦେହ ଭଲ ହେଲା ପରେ ଗାଁ ମୁଣ୍ଡିଆଳଠୁ ଅନୁମତି ନେଇ ଗାଁ ପାଖରେ ବଣ ଭିତରେ ଆପଣାର ତାଷଗୁଡ଼ିଆ ଖଣ୍ଡେ ଭିଆଇବ ସେ ଧୀରେ ଧୀରେ । କାହାରି ଆଶ୍ରିତ ହେବାକୁ ପଡ଼ିବ ନାହିଁ, ଏ ଗାଁର ସାଓଁତାର ଭାଇ ହୋଇ ସେ ଗାଁର ସାଓଁତା ପାଖେ ମୁଣ୍ଡବିକା ଗୋତି ହୋଇ ସେ ରହିପାରିବ ନାହିଁ । ସେହି ଅଲଗା ରହି ସେ ତାର ଗୁଡ଼ା ବସେଇବ । ଯାହାର ସ୍ୱାମୀକୁ ବାଘ ଖାଇବ ସେହିଆକୁ କନ୍ଧ ଆଇନ୍ ନ ଲଙ୍ଘୁଣୁ ସେ ବିଭାହୋଇ ପାରିବ । ତାର ନିଜର ଘର, ତାର ନିଜର ତାଷ ।

 

ବନ୍ଦିକାର ସେହି ଭଲ । ଦୂରରେ ରହି ସବୁ ମନା କରି ହେବ, ବାରିକ ସାଙ୍ଗେ ତାର ବନ୍ଧୁତା ନ ଥିଲା । ସୋନାଦେଈକୁ ସେ ଚିହ୍ନେ ନାହିଁ । କିଏ ଦେଖିଛି ? ଦିଉଡ଼ୁ ତାର ଶତ୍ରୁ କାହାର ପରତେ ହେବ, କୁଳର ମୁଣ୍ଡିଆଳ ସେ, ସେଇ ଦିଉଡ଼ୁର ସେହି ସୋନାଦେଈର କପାଳ ପୋଡ଼େଇବା ପାଇଁ ମିଣିଆପାୟୁ ପାଖରେ ଅଲଗା ହୋଇ ରହି ସେ କଳିମଞ୍ଜି ପୋତିବ, ପାଣି ଦେବ, ଗଛ ବଢ଼େଇବ । ତା’ପରେ ଦେଖିନେବ ତାର ଶତ୍ରୁମାନଙ୍କୁ ।

 

ସେହି ଦ୍ୱେଷ ତା’କୁ ବଳ ଦେଲା, ଜରୁଆ ମଳୁକୁ ବାଟ କଢ଼େଇଲା, ରାଗ ଉଠିଲେ କନ୍ଧ ବାଟର ଗଛବୁରୁଛ ହାଣି ପକାଏ ପରା, ପଥର ଗଡ଼େଇ ଦିଏ ।

 

ସକାଳ ହୋଇଥାଏ, ମିଣିଆପାୟୁ ଉପରେ ରକ୍ତଚାଉଳ ଚୋବେଇ ଗାଳି ଦେଇ ଦେଇ କୁଡ଼ିଆ ଭିତରୁ ବାହାରି ପଡ଼ିଲା ଠୁକୁରୁ ଠୁକୁରୁ, ଯେ ଦେଖିବ ଦୁର୍ବଳିଆ ଦରବୁଢ଼ା ନିରାଶ୍ରୟ କନ୍ଧଟିଏ, କେଉଁ ଦୂରରୁ ମାଳ ଭିତରୁ ଚାଲି ଚାଲି ଆସିଛି, କୋଟଳିଆ ଆଖିରେ ମୂକ ଅର୍ଥହୀନ ଦୃଷ୍ଟି, ଉତ୍ପୀଡ଼ିତ ଦରିଦ୍ର ଅରକ୍ଷ ମଣିଷ ।

•••

 

ଛୟାଅଶୀ

 

ବନ୍ଦିକାର ଗାଁରେ ପିଓଟି ଅପେକ୍ଷା କରିଥାଏ, ସେହି ଝୋଲା ବାଟେ ପାରିହୋଇ ଦିଉଡ଼ୁ ସାଓଁତା ଆସିବ, ମିଣିଆପାୟୁ ଗାଁର ସାଓଁତା । ଏମିତି ବର୍ଷା ଝଡ଼ି ଲାଗିଥିଲା ସେ ଦିନ, ଅଦିନିଆଁ, ଏଣିକି ପ୍ରବଳ ବର୍ଷା ଆସିଛି, ବର୍ଷାଋତୁ । ଝୋଲାକୁ ଗଲେ ସେଦିନର କଥା ମନେପଡ଼େ, ନିରାଶ ହୋଇ ସେ ଫେରିଆସେ । ଦିନେ ଦିନେ ମେଘ ଅନ୍ଧାରରେ ପିଣ୍ଡା ଉପରେ ବସି ସେ ଭାବେ ଭଗବାନ ତା’କୁ ଦୟାକରି ବୁଦ୍ଧି ଦେଇଛି ଭାବି ମରିବାକୁ ଯେ କଥାଗୁଡ଼ାକ ଆପଣା ଆପେ ଛନ୍ଦି ହୋଇଯାଏ, ଯୋଖି ହୋଇଯାଏ, ଫଳାଫଳର ଚିତ୍ର ଆଙ୍କିଦେଇ ମନକୁ କଷ୍ଟ ଦିଏ । ଏତିକି ସାନ ବୟସରେ ଅଭିଜ୍ଞତା ତାର ଅଳ୍ପ ହୋଇ ନାହିଁ । ଦକ୍ଷିଣର ସହର ତଳି, କେତେ ସୋମାୟା, ସଙ୍ଗନ୍ନା, ପେଣ୍ଟାୟା ।
 

ଭାବେ ପୁରୁଷର ସ୍ୱଭାବ ଏପରି, ତାର ଅଭାବ ମେଣ୍ଟିଗଲେ ସେ କୁଆଡ଼େ ଉଡ଼ି ଚାଲିଯାଏ, ସ୍ତ୍ରୀର ସ୍ୱଭାବ ତାର ଓଲଟା, ଯେତେ ସେ ଚିହ୍ନେ ସେତେ ସେ ଆଉଜି ପଡ଼େ । ମନେପଡ଼େ ସଖୀ ପ୍ୟାଡିତେଲିଆମ୍ମାର ଉପଦେଶ, ଆଡ଼େଇ ହୋଇ ରହ, ଦୂର୍ ଦୂର୍ କର, ତେବେ ତୁ ଜିତିବୁ, ସେମାନେ ହାରିବେ,-ତେବେ ତୁ ହସିବୁ, ସେମାନେ କାନ୍ଦିବେ, ନାକେଇଥିବେ ତୋରି ପାଦତଳେ କିଣା ଚାକର ହୋଇ । ସଖୀ ପ୍ୟାଡ଼ିତେଲିଆମ୍ମା, ସୁନ୍ଦର ସତ, ଅଣ୍ଟାକୁ ସୁନା ପଟ୍ଟି କରିଛି, ବାହାକୁ ବାହୁଟି, କିନ୍ତୁ କେଡ଼େ ନିର୍ଦ୍ଦୟା ହୃଦୟହୀନା ସେ, କଂସାର ଚମ୍ବୁଲୋଟାପରି ପିଟିଲେ ଟାଇଁ ଟାଇଁ ବାଜେ । କହେ ଏହି ନୀତିରେ ଚାଲି ଥରେ ପ୍ରାଣଟା ପୋଡ଼ିବା ପରେ ପାଉଁଶ ଉପରେ କୋଠାଘର ତୋଳିପାରିଲି, ଭଲ ଅଛି ମୁଁ, ଦେଖ୍ ଶିଖ୍ ।

 

ଶିଖି ହେଲା ନାହିଁ, ଯାହାର ଗଢ଼ଣ ଯେପରି ।

 

ଦିଉଡ଼ୁ ସାଓଁତାକୁ ହସରେ ଉଡ଼େଇବାକୁ ଚେଷ୍ଟା କରୁ କରୁ ଆପେ ଫାଶରେ ପଡ଼ି ପାଦ ଗଳେଇ ଦେଇଥିଲା ସେ । ଖାସ୍ ଏଇ ପେଟ ପାଇଁ ଅନ୍ୟାନ୍ୟ କନ୍ଧୁଣୀମାନଙ୍କ ପରି ପିଠିରେ ପିଠି-ପଖିଆ ବା ତଲ୍ରା ବାନ୍ଧି ମୁଣ୍ଡରେ ଛତୋଡ଼ି ପକେଇ ବରଷାରେ ତିନ୍ତି ସେ ଯାଏ ବରଷାରେ ବିଲ କାମ କରି, ପର୍ବତ ଉପରେ ଜମି ତାଡ଼ି । ସବୁ ଅଭ୍ୟାସ ହୋଇଯାଉଛି, ହାତରେ ବିଣ୍ଡି ପାଦର ଚମଡ଼ାରେ ବାଲିଖିଆ କଣା, ଚାଲୁଣୀ ପରି । କେଉଁଦିନ କାହାର ଜମିରେ କାମ । ବୁଣା, ରୁଆ, ବଛା, ନାଳିଆ ମରା । ସବୁ କରେ, ତଥାପି ଠା ଠାଆକେ ବାରିହୋଇ ପଡ଼େ ତାର ବିଦେଶୀ ଶୈଳୀ-। ଟୋକୀମାନେ କାମ କଲାବେଳେ ଗୀତ ଧରିଲେ ସେଥିରେ ସେ ସ୍ୱର ମିଳେଇପାରେ ନାହିଁ, ସମସ୍ତିଙ୍କ ଆଗରେ ତୁମ୍ବାରୁ ଅଜାଡ଼ି ଚୌକିନୀରେ ଭରି ସଡ଼ସଡ଼ କରି ମାଣ୍ଡିଆ ପେଜ ପିଇବାକୁ ତାକୁ କୁଣ୍ଠା ଲାଗେ, ଚାଲିଚଳଣ ଚାହାଣି ଛଟକରେ ଫୁଟିଉଠେ ପୋଷିଆମା ଦେଶର ଠାଣି । ଆଉ କେହି ତାକୁ ଥଟ୍ଟା କରୁ ନାହାନ୍ତି, କେହି ଅନୋଉଁ ନାହାନ୍ତି ନୂଆ ଲୋକକୁ କଳିବା ପ୍ରବୃତ୍ତିରେ, ‘ରାଣ୍ଡି ଛୁଣ୍ଡି’ ଘର ତାଙ୍କର ଘରର ଗଣନା, ସେମାନେ ଗାଁର ହତଭାଗ୍ୟ ରଇତ, ବୁଢ଼ୀଟିଏ ତାର ଝିଅ, କେବଳ ମଜୁରିଆ, ଦଳଯାକର କରୁଣାର ପାତ୍ର । ବେଶୀ ମିଶିପାରେ ନାହିଁ । ସାଓଁତା ହାର୍ଗୁଣା କନ୍ଧକୁ ଉପର ମୁହଁରେ ଚାହିଁପାରେ ନାହିଁ । ହେଉ ପଛେ ସେ କୌପୁନୀପିନ୍ଧା କନ୍ଧ,-ସେ ପୁରୁଷ, ସେ ତାର ଗୁମର ଜାଣେ । ନିଛାଟିଆ, ସହାନୁଭୂତିହୀନ, ଏଇ ବର୍ଷାଋତୁ ପରି ସନ୍ତସନ୍ତିଆ କାନ୍ଦରା ପୁଚୁ ପୁଚୁ ତାର ଜୀବନଟା ବିତିଯାଉଛି କେଉଁ ହତଭାଗ୍ୟ ମାଳଭୂମି ଉପରେ, ଆଶାର ଆଲୁଅ ଝଲକେ ଦେଖା ନାହିଁ, ଯୁଆଡ଼େ ଚାହିଁଲେ କେବଳ ବନସ୍ତ, ମେଘ, ଝୋଲା ନାଳିଆ, ଅନ୍ଧାର ଭିତରେ ଦୁଲୁଦୁଲୁ ପାଣି ଓଲଟା ପୃଥିବୀ । ଖାଲି ପବନ ଆଉ ବରଷା, କି ଶୀତ । ସାହସ ସ୍ଫୁରେ ନାହିଁ, ବାଟ ଦିଶେ ନାହିଁ, ପରିସ୍ଥିତି ମାଟିରେ ଚାପି ହେଇ ବେକକୁ ନୁଆଁଇଦିଏ କେବଳ ଆଉ ସମସ୍ତିଙ୍କ ପରି କଳପରି କାମ କରିଯିବାକୁ । କେବଳ ଦିନ ବିତେଇବାକୁ ପଡ଼ିବ ।

 

କେବଳ ଭାଗ୍ୟବାଦୀ ନଗଣ୍ୟ ମଣିଷ, ମୂଷା ପରି ମଣିଷ, ବିଲୁଆ ପରି ମଣିଷ । ସେ ଆଶାର ଲଙ୍ଗର ଉଠେଇ ନେଇ ପ୍ରକୃତିର ତୋଡ଼ରେ ଭାସି ଚାଲିଯାଏ, ଉଡ଼ି ଚାଲିଯାଏ, କପାଳରେ ଯାହା ଥାଉ ।

 

ସେ ଆପଣାର ବଡ଼େଇ କରି ଶିଖି ନାହିଁ, ବାଦବୁଦିଆ କରି ଗୋଟି ଗୋଟିକିଆ ହୋଇ ବଢ଼ି ଶିଖି ନାହିଁ, ଅଲଗା ହୋଇ ଯୁଦ୍ଧକରି ଶିଖି ନାହିଁ, ମୂଲ ଦେଇ ଶିଖି ନାହିଁ ।

 

କେବଳ ଘୁଷୁରିପଲ ପରି ଗୋଠର ଜୀବନ ତାଙ୍କର, ଗୋଠରେ ଚାଲି ଗୋଠରେ ଚଳି ପରସ୍ପରର ନିଶ୍ୱାସର ତାତିରେ ଉଷୁମ୍ ହୋଇ ବର୍ଷା ଆଉ ଶୀତକୁ ପାରି କରିବାର ଚଳନ, ଗୋଠ ଭିତରେ ଧନୀ ଦରିଦ୍ରର ଭେଦ ନାହିଁ, ବଳୁଆ ଭେଦ ନାହିଁ, ସମସ୍ତେ ସମାନ । ଏକାପରି ଗନ୍ଧ, ଏକାପରି ଅଧାଲଙ୍ଗଳା, ଏକାଭାବ, ଏକାଧ୍ୟାନ । ସମସ୍ତେ ମିଶି ପାଳିକରି ସମସ୍ତିଙ୍କ ଜମି ବି ତାଷ କରିଦିଅନ୍ତି । ପଇସାର ମୂଲ୍ୟ ନାହିଁ, ପଇସା ଉପରେ ଗର୍ବ ନାହିଁ । ଅଣ୍ଟାକୁ ଗୋଟାଏ ସୁନାର କମରପଟି, ହାତକୁ କଙ୍କଣ, କି ଜଣା ଏ ମୂରୁଖ କନ୍ଧକୁ କି ଗର୍ବ କାଠ ହୋଇ ରହିଛି ତହିଁରେ । ମୂଲ ଖଟୁ ଖଟୁ କିଏ ଏଠି ଦିଏ କେବଳ ମାଣ୍ଡିଆ କିଏ ଦିଏ କେବଳ ମଦ କିଏ କେବଳ ଧୁଙ୍ଗିଆ । କେହି ମାଗେ ନାହିଁ ଆଉ ଦିଅ, କେହି ଦୁଃଖିତ ହୁଏ ନାହିଁ । ତେଣୁ ଏ ଅନ୍ଧ ରାଇଜରେ ସୁନ୍ଦରୀକୁ ବଶ କରିବାକୁ କେହି ବାରହାତି ଦଖିଣୀ ଶାଢ଼ି ଉପହାର ଦିଏ ନାହିଁ, କେହି ଟଙ୍କା ଦେଖାଏ ନାହିଁ, ଆଦର କରି ସୁଆଗ କରି ଆପଣାର ସମ୍ପତ୍ତି ବାଡ଼ିର ବଡ଼ତି ବଖାଣେ ନାହିଁ । ମୂଲ ନାହିଁ, ମଉଜ ନାହିଁ । ପଶୁ, -ପଶୁଠୁ ଅଧମ ଏମାନେ, ସଭ୍ୟ ଆଖିରେ ପିଓଟି କନ୍ଧୁଣୀ ବିଚାର କରି ଦେଖେ, ତାର ଛଇଛଟକ ଏଠି ବ୍ୟର୍ଥ ।

 

ତଥାପି ମିଣିଆପାୟୁର ସାଓଁତାକୁ ସେ ଭଲ ପାଇଥିଲା । ସେହି ନିର୍ବୋଧ ପଶୁ, ବଳିଷ୍ଠ ପଶୁ ତାର ହାତ ଚାଟିଥିଲା, ବଡ଼ ବଡ଼ ଆଖିରେ ମୁହଁକୁ ଅନେଇ ସତେକି କହିଥିଲା, ବତେଇ ଦେ, କେମିତି ମୁଁ ମରିବି ଯେ ଦେଖିଲେ ତୁ ଖୁସି ହେବୁ । ତୁ କହିଲେ ଏ ପର୍ବତକୁ ବାରମ୍ବାର ଭୁଷି ଭୁଷି ମୁଁ ମରିପାରେ, ଗଛ ଓପାଡ଼ିପାରେ, ଦୂରରୁ ମାଡ଼ିଆସି ଶିଙ୍ଘରେ ଢାଇ ଲଗେଇ ବଡ଼ ବଡ଼ ପଥରକୁ ମୂଳରୁ ତାଡ଼ି ଖୁରାରେ ଛାଟି ଝୋଲାରେ ଗଡ଼େଇ ଦେଇପାରେ । ଦେଖିବୁ କି ଥରେ ?

 

ସେହି ବଳିଷ୍ଠ ପଶୁକୁ ସେ ଭଲ ପାଇଥିଲା, ଗଛ ପଥରର କୁଦ କୁଦ ଅଜଣା ଦୁନିଆଁ ଭିତରେ ତାର ଗୋଟିଏ ବୋଲି ବନ୍ଧୁ, ମିଣିଆକା ଦିଉଡ଼ୁ ସାଓଁତା ।

 

ମା’ର ମନ ଖୁସି ହୋଇଥା’ନ୍ତା, ହିକୋକା ହାର୍ଗୁଣା ପିଲାର ଗର୍ବ ଖର୍ବ ହୋଇଥା’ନ୍ତା କନ୍ଧ ସମାଜରେ ନା ଡାକ ହୋଇଥା’ନ୍ତା, ଆଉ,-ଏଇ ବରଷା ଶୀତରେ ମାଙ୍କଡ଼ସା ସାତକାମୁଡ଼ା ମେଞ୍ଚି ମେଞ୍ଚି ଶୁଖିଲାପତ୍ର ଗୁନ୍ଥା ହୋଇଥିବା ଖୋଳ ବର୍ଷାତିରେ ଦେହର ତାତି ବଞ୍ଚେଇ ଅଣେବଣେ କାଦୁଅରେ ଖଟି ମରିବାକୁ ହୋଇ ନ ଥା’ନ୍ତା ପରା । ସାଂଗାନ୍ନା ସୋମାୟାଙ୍କ ପରି ନୁହେଁ ସେ, ସାତ ଜନ୍ମରେ ହୋଇପାରିବ ନାହିଁ, କିନ୍ତୁ ଏଠି ସେମାନେ ମିଳିବେ ନାହିଁ ।

 

ଦିନ ଶେଷରେ ଧୂଆଁ ଆଉ ମଦବାସ୍ନାରେ ଚେତାବୁଡ଼ା ଗୋଷ୍ଠୀର ପଙ୍ଗତକୁ ଯାଇ ନ ପାରି ମନ ମାରିଦେଇ ଆପଣା କୁଡ଼ିଆରେ ସେ ରହେ । ପ୍ରଥମେ ପ୍ରଥମେ କେତେ ଛକପକ ସଞ୍ଜ ସଞ୍ଜକେ, ଆଜି ସେ ନାହିଁ । କାଲୁଆ ପାଣିଖିଆ ମୁହଁ ଉପରେ ତେଲ ମାରିବାକୁ ହାତ ଚଳେ ନାହିଁ, ମୁଣ୍ଡ ବାନ୍ଧିବାକୁ ଭୁଲିଯାଏ, ମୋଟା ମଇଳା ଖଦି ପିନ୍ଧି ମେଞ୍ଚାହୋଇ ବସିରହେ, ଅବିରାମ ବର୍ଷାର ଶବ୍ଦ ଶୁଣି ନିଦ ହୁଏ ନାହିଁ ସଞ୍ଜପହରେ, ହାଇଁପାଇଁ ହୁଏ ମନେ ମନେ, ତୁଣ୍ଡରେ ପଦେ କଥା ନାହିଁ ।

 

ତାର ମନର ଅଭିମାନକୁ ଉପହାସ କରି ସେହି ବର୍ଷାରାତିରେ କାହା ଘରୁ ଢୋଲ ମାଦଳ ଶୁଭେ, କାହାଘରୁ ଯୋଡ଼ି ବଇଁଶୀ, ଯେଉଁ ପାଗ ତା’କୁ ରୁଚେ ନାହିଁ ସେଥିରେ ଏ ଜାତି ଫୁର୍ତ୍ତି କରନ୍ତି ତାଙ୍କ ବିଲୁଆ ଖୋପରେ, ମଦ ଉଷୁମ୍ ଦିଏ, ଧୁଙ୍ଗିଆ ମୁହଁକୁ ଖୋଲେ, ସାନ ହେଉ ବଡ଼ ହେଉ ଏଇ ପଲାଘର ଦେଖାଏ ସ୍ଥିତିବାନ୍ ଜୀବନର ଆଶ୍ରୟମୟ ଭିତ୍ତି, ବରଷା ତା’କୁ ଧୋଇପାରେ ନାହିଁ ।

 

ମା’ଟିଏ ଝିଅଟିଏ ଦିହେଁ କେବଳ । ମା’କୁ ସହି ହୁଏ ଯେତେବେଳେ ସେ ପଚାରେ ନାହିଁ, ସାକୁଲେଇ ହୁଏ ନାହିଁ, କହେ ନାହିଁ ‘କାହିଁକି ଏକୁଟିଆ ବସିଛୁ ଝିଅ, ଯାଉନୁଁ ସାହିକୁ’ କିନ୍ତୁ ଗୁମ୍‌ସାନୀ ଆସି ଜୁଟେ, ଶଳ୍‍ପୁ କନ୍ଧ ସଙ୍ଖୋଳି ଆସେ ଉପଦେଶ ଦେବାକୁ ଚେକାମାଡ଼ି ବସିପଡ଼େ, ଝିଅର ମୁହଁ ଉପରେ ବାରମ୍ବାର ସେହି ଅନ୍ଧାର ରାତିରେ ପାଣିଆଣି ଦିସାରିକୁ ପଚାରେ, ତାରାମାନଙ୍କଠୁଁ କିଛି ଜବାବ୍ ମିଳିଲା ଦିସାରି, ଏଇ ପିଓଟିର କପାଳର ଭଲମନ୍ଦ ବିଷୟରେ ? ବିଷପରି ଲାଗେ, ଛାଟିପିଟି ହୋଇ ପଳେଇ ଯିବାକୁ ଇଚ୍ଛାହୁଏ, କିନ୍ତୁ ବାଟ ଅନ୍ଧାର, ମାଳୁଆ କନ୍ଧବସ୍ତି, କୁଆଡ଼େ ଯିବ ସେ ?

 

ମେଘୁଆ ପାଗ ଯହୁଁ ଯହୁଁ ବଢ଼ିଚାଲେ ଖାଲି ମନେପଡ଼େ ଦିଉଡ଼ୁ ସାଓଁତା, ନିବୁଜା ମନର ଦାବି ରଖିଥିବା ଇଚ୍ଛା ତାକୁ ନିଠେଇ ନିଠେଇ ଗଢ଼େ, ଦମ୍ଭ ଦିଏ,-ନିଶ୍ଚେ ସେ ଆସିବ । ମନେ ମନେ କେତେ ଖେଳ ଖେଳେ । କେତେବେଳେ ଛାତି ଦମ୍ ଦମ୍ ପଡ଼େ, କାନମୁଣ୍ଡା ତାତିଯାଏ । ପୁଣି ସବୁ ଦବିଯାଏ ଶୁଖିଯାଏ, ମୁହଁରୁ କଳାପାଣି ନିଗିଡ଼ି ପଡ଼େ, ମାଳର ବରଷାକୁ ଅନେଇଁ ଅନେଇଁ ପିଓଟି ଭାବେ, ସେ ଆସିବ ନାହିଁ, ବରଷା ଫାଟିବ ନାହିଁ, ପିଓଟି ଏଇଠି ମରିବ, ଅନ୍ଧାର ସରିବ ନାହିଁ, ସୂର୍ଯ୍ୟ ଆଉ ଦିଶିବ ନାହିଁ ।

 

ସ୍ୱୀକାର କରେ ମନକୁ ମନ-, ସେ ସାନ ନୁହେଁ, କେହି ତାକୁ ଫୁଲକମ କରି ନଚେଇ ପାରନ୍ତା ନାହିଁ । ଦକ୍ଷିଣର ସହରତଳିରେ କେତେ ଶିକ୍ଷା କେତେ ଉପଦେଶ ପାଇ କଠିନ ଜୀବନର ନିର୍ମମ ସଂଘର୍ଷ ଭିତରେ ଶିଖି ଶିଖି ସେ ମଣିଷ ହୋଇଥିଲା । ପରୀକ୍ଷା ଦେଇଛି । କେତେଥର ଜିତିଛି । ଜିତି ଜିତି ସମସ୍ତିଙ୍କୁ ଭଗେଇ ଦେଇଛି, ଆଜି ସେ ଜିତା କେବଳ ପରାଜୟ । ଜୀବନ ନିଛାଟିଆ ।

 

କିନ୍ତୁ ଭାବିଥିଲା ପରା, ମୋହର ବୟସ ତାର ସରିଛି, ଅଳ୍ପ ବୟସରେ ଅଭିଜ୍ଞତାରେ ପାକଳ ହୋଇଛି ମନ । ଯେଉଁ ସମାଜରେ ସେ ବଢ଼ିଥିଲା ସେଠି ହାତୁଡ଼ିରେ ପିଟିପିଟିକା ମୋହ ଭାଙ୍ଗିଦିଆହୁଏ, ବେପାରୀର କାଳ, ମନର ରୋଗ ଦେହର ରୋଗ ସେହି ମୋହ । ଜୀବନର ସ୍ତର ଉପରେ ଆସ୍ତେ ଆସ୍ତେ ଗଡ଼ିଯିବା, ସବୁଠି ଲାଭ ଉଠେଇ ନେଇ, କୌଣସିଠି କ୍ଷତି ନ ଦେଇ,-ଅଟକି ନ ରହି ତଳକୁ ନ ବୁଡ଼ି ହାତକୁ ହାତ ହୋଇ ଉପହାର ଗୋଟେଇ ଗୋଟେଇ ଚାଲିବା, ଦିନଯାକର ଅନୁଭୂତି ଏକାଠି କରି ଆରଦିନକୁ ଶୁଖିଲା ଫୁଲଦାନୀର ଶୁଖିଲା ଫୁଲ ପରି ସେଗୁଡ଼ାକ ଫୋପାଡ଼ି ଦେବା, ନୂଆଫୁଲ ତୋଳିବା,-ଏହି ମାଲ୍ୟାଣୀ-ସମାଜ ଭିତରେ ସେ ବଢ଼ି ଆସିଥିଲା । କାହିଁ ସେ ଶିକ୍ଷା ? କାହିଁ ସେ ସଂଯମ ? କେଉଁ ଛଟକରେ ଆପଣାକୁ ଉଜାଡ଼ି ଦେଇ ବସିଲା ସେ ?

 

ମନକୁ ପଚାରେ, ଛାତିକୁ ପଥର କରିବାକୁ ଚେଷ୍ଟା କରେ ।

 

କିନ୍ତୁ ମଣିଷ ପଥର ନୁହେଁ, ମଣିଷର ଦେହ ରକ୍ତ ମାଂସର । ମଣିଷ କଳ ନୁହେଁ, ଭୁଲ୍‍ ହେବା ତାର ସ୍ୱଭାବ । ପିଓଟି ଅଥୟ ହୁଏ, ମାଳଦେଶର ପୁରୁଷ ତା’ ଆଖିରେ ମିଣିଆକା ଦିଉଡ଼ୁ ସାଓଁତା ।

 

ଆଷାଢ଼ ଯାଉଛି, ତାର ଘଣ୍ଟା କନ୍ଧଙ୍କର ଆମ୍ବଟାକୁଆ ଛେଚା ପର୍ବ, ଟାକୁ ବାଘ ଦେବତାର ପୂଜା । ଅକାଳେ ସକାଳେ ରକ୍ତ ପାଣି ଫଟେଇଦେଇ ବନସ୍ତ ଭିତରୁ ବାଘ ଦେବତାର ରଡ଼ି ଶୁଭୁଛି । ତା’କୁ ଶାନ୍ତ କରିବାକୁ ପଡ଼ିବ । ପୁଣି ନିର୍ଘଣ୍ଟ ଅନୁସାରେ ବିଧାନ, କନ୍ଧ ଦିସାରି ରୋହିଣୀ ଯୋଗ ଧରିଦେଲା, ‘ଜାନି’ ଆଉ ଦିସାରିଙ୍କର ମନ୍ତ୍ର, ବେଜୁଣୀର କିଳିକିଳା ଓ ନାଚ । ଆମ୍ବଟାକୁଆ ଏକାଠି କରି ଛେଚି କୁକୁଡ଼ା ଛୁଆର ବେକ ଛିଣ୍ଡେଇ ଭୂଇଁରେ ତା’ ରକ୍ତ ଢାଳି ରନ୍ଧାମଦ ଢାଳି ବାଟରେ ଆଣ୍ଠୁଏ ଉଞ୍ଚ ଛାମୁଡ଼ିଆ ଉପରେ ଫୁଲ, କୁକୁଡ଼ା ଡିମ୍ବ, ଭାତ, ମୁରୁଜ ଥୋଇ ଗାଁ ପାଖ ବଣ ଭିତରେ ଢୋଲ ମାଦଳ ବଜେଇ ‘ଟାକୁ’ ପର୍ବ ଉଜୁଆଁ ହେଲା । ଗଛମୂଳେ ବାଘ ଦେହ ପରି ଚିତ୍ର ହୋଇଥିବା କାଠର ଖଣ୍ଡା, ବର୍ଚ୍ଛା । ଭାର ଭାର ଆମ୍ବଟାକୁଆ ସାଇତା ହୋଇ ରହିଲା । ଖାଦ୍ୟ ସରିଗଲେ ଆମ୍ବ କୋଇଲି ଜାଉ ହେବ, ତେନ୍ତୁଳି ମଞ୍ଜି ଭିତରର ଶସ ଜାଉ ହେବ, ରନ୍ଧାହେବ, ଶଳପ ଗଛର କାଠ ଭିତରୁ ଛେଚିଲେ ଯେଉଁ ଧୂଳି ବାହାରେ । ଟାକୁ ପର୍ବ ଗଲା, ବାଘ ଦେବତାର ଶାନ୍ତି ନାହିଁ, ଖବର ଆସୁଛି ଭିତରେ ବନ୍ତ୍ର ବାଘ ଧରି ଧରି ଗୋରୁ ଖାଇଯାଉଛି, କେଉଁଠୁ କେଉଁଠୁ ଗୋଟିଏ ଗୋଟିଏ ମଣିଷ । ଚମ୍ପି ସାହୁକାରର ମଇଁଷିଗୋଠ ଜଗୁଆଳୀ ଦୁଇଜଣ ଗଲେ । ଖାଲକଣାର ବାରିକବୁଢ଼ା । କୁଟିଂ ଗାଁର ଲୋକେ ଲଛିପୁର ହାଟକୁ ଆସୁଥିଲେ ଗୋଟିଏ କମ୍‌ହାରକୁ ମହାବଳ ଉଠେଇ ନେଇଗଲା । ‘ବଡ଼-ଶଙ୍କା’ ଗାଁର କିଏ ଜଣେ କନ୍ଧ ବାଘ ହାବୁଡ଼େ ପଡ଼ିଥିଲା, ଓଡ଼ିଆନଳି ଫୁଟେଇ କପାଳ ଥିଲାବୋଲି ପଳେଇ ଆସି ପାରିଲା । ମେଘୁଆ ଦିନରେ ବାଘର କଥା । କେମିତି କେମିତି ଖବର ଚହଟି ଆସେ । ବଞ୍ଚିଲାଲୋକେ ମଲାଲୋକଙ୍କ କଥା ଭାବି ଯୋଡ଼ା ପାପୁଲି କପାଳରେ ବାଡ଼େଇ ଦେବତାଙ୍କୁ ଜୁହାର କରନ୍ତି,-ବିପଦ ନ ପଡ଼ୁ ।

 

ନିତି ଶୁଣି ଶୁଣି ଦେହଘଷା ହୋଇଯାଏ । ପାଣିମିଶା ତୋଫାନ ନିତିଦିନର ଦୃଶ୍ୟ । ବଦଳେ ନାହିଁ । ମେଘ ବଢ଼ି ଲାଗିଲା, କାମ ପ୍ରାୟ ବନ୍ଦ ହୋଇଗଲା । କେତେ ବୀର କେତେ ଦୁଃସାହସୀ ପଟାଳିପରି ପଡ଼ିଗଲେ ଜର କାଶ ଛାତିବଥାରେ ଯୁଆଡ଼େ ଚାହିଁଲେ ଅରମା ବଢ଼ିଛି । ଚିହ୍ନାବାଟରେ ଗଛ ଗଜୁରି ଉଠି ପଥର ଗଡ଼ିଆସି ବାଟର ବେଶ ବଦଳିଛି । ଝୋଲାରେ ନାଳିଆରେ ପାଣି ଢିଲେଇଦେଲା, ଦଶହାତ ଝୋଲାକୁ ବି ବିଶ୍ୱାସ ନାହିଁ, ମାରି ନେଇଯିବ । ଅନ୍ଧାର ଆଉ ମେଘ-ବାମ୍ଫ ତଳେ ମହାବଳ ଝପ୍‌ଟି ଥିବ । ନଈରେ ଥିବ ଷାଠୀ-ସାପ, ସୂତାପରି ଷାଠିଏ ହାତ ଲମ୍ବ ଦେହରେ ଗୁରେଇ ହୋଇଯାଏ, ଆଖିକୁ ତାଡ଼ି ଖାଏ କୁଆଡ଼େ, ଲୋକେ କହନ୍ତି । ସବୁ ଭୟ ପଛକୁ ଫୋପାଡ଼ିଦେଇ ଆଗୁସାର ହେଲେ ଅତି ଖସଡ଼ା ଶିଉଳୀନେସା ଉଠାଣି ଗଡ଼ାଣି ପଥୁରିଆ ବାଟରେ ପବନ ଅବସ୍ଥା ରଖେ ନାହିଁ, ଆଗକୁ ପଛକୁ ବାଏଁ ଡାହାଣେ ଗୋଡ଼ ଖସିଗଲେ ପ୍ରାଣ ଗଲା ।

 

କାମ ବନ୍ଦ, ଭୀଷଣ ବରଷା, ଚେତାବୁଡ଼ା ବରଷା । ପିଓଟି ପଚାରେ,-’କେତେ କାଳ ଏ ଲାଗିରହିଥିବ ମା’ ?’ ତାର ପ୍ରଶ୍ନରେ ତୀବ୍ର ଅଭିମାନର ସ୍ୱର ମା’ ବାରିପାରେ ନାହିଁ । ଭରସା ଦେଇ କହେ, ‘ଆଉ କେତେଦିନ, ଅତି ବଳେଇଲେ ବୀମାରଜାକୁ ପୂଜାଦେଇ ବରଷା କମେଇ ଦେବେ ନାହିଁ କି ଲୋକେ ।’ ପୂଜା ଦେଲେ ମେଘ ବନ୍ଦ ହେବ, ପୂଜା ଦେଲେ ମେଘ ଅଜାଡ଼ିବ । ନିତି ନିତି ପୂଜା ଦେଖି ଦେଖି ପିଓଟି ହଇରାଣ । ‘ଏମିତି ପାଗ ହେଲେ ଏଠି ଆମେ ବଞ୍ଚିପାରିବାଟି ମା’, ଦେଖିଲୁ କି ହଟହଟା, କ’ଣ ଅଡ଼ୁଆ ଲାଗୁଥିଲା ତଳଦେଶ ?’ ମା’ ଜବାବ ଦେବାକୁ ଖାତିର କରେ ନାହିଁ । ବଣ ମୁଲୁକକୁ ନୂଆ ଯେଉଁମାନେ ଆସନ୍ତି, ଲାଗେ ଲାଗେ କୋଡ଼ିଏ ଦିନ ପଚିଶି ଦିନ ସୂର୍ଯ୍ୟ ନ ଥିବା ଅନ୍ଧାରି ପାଗ ଦେଖନ୍ତି । ପହିଲେ ଏହିପରି ଭାବନ୍ତି ସେମାନେ, ପରେ ଆରେଇ ଯାଏ । କିନ୍ତୁ ୟାଠୁ ତଳଦେଶ ? ବୁଢ଼ୀ ଭାବିପାରେ ନାହିଁ । ଏଡ଼େ ବଡ଼ ଝଡ଼ ବରଷାରେ ମଣିଷ ଆଉ କୁକୁର କୁଙ୍କୁରିକାଙ୍କିରି ହୋଇ ଘରେ ଘରେ, ମୂଲପାତି ବନ୍ଦ । ତଥାପି ଖାଇବାକୁ ମିଳେ, ଘରେ ନ ଥିଲେ ସାଓଁତା ଘରୁ ଆସେ, ଆପଣା ଦେଶରେ ଭଲମନ୍ଦ ଘଟିଗଲେ ସାହାଯ୍ୟ କରିବାକୁ ସମସ୍ତେ ।

 

ସେଦିନ ଦୀପ ଲଗାଣି ରାତି ହୋଇଥାଏ । ତଲ୍ରା ତଲ୍ରି ଘୋଡ଼ି ହୋଇ ପାଣିରେ ମଚର୍ ମଚର୍ ହୋଇ ଗୁମ୍‌ସାର୍ ବୁଢ଼ୀ ଆସି ପାଟିକଲା, ‘ଆଲୋ ପିଓଟିର ମା’, ଆଲୋ ପାଂଣିଆଣୀ, ଅଛୁଟି ?’ ପିଓଟି ଘର କୁଢ଼ିଆରେ ରନ୍ଧା ବସିଥାଏ । ଗୁମ୍‌ସନୀର ଆଗ୍ରହ ଆଜି ବଢ଼ିଛି । ‘ଆଣ୍ ଆଣ୍ ଧୁଙ୍ଗିଆ ଖଣ୍ଡେ ବଢ଼େଇ ଦେ । ଓଃ, ଭାରୀ ଶୀତ । ହଁ, ଶୁଣିଲଣି ନା ?’

 

ସାହିର ଖବରକାଗଜ, ବୁଢ଼ୀର ସଉକ ସେତିକି ।

 

‘ଶୁଣିଲୁଣି ନା ପିଓଟିର ମା’, ମିଣିଆପାୟୁରୁ ସାଓଁତାର ଦାଦି ଆସିଛି ।’ ପିଓଟି ଚମକିପଡ଼ିଲା, ଆଜି ଅଛି ତଟକା ଖବର, ତାଜା ଖବର, ଭଲ ଖବର । ପିଓଟିର ମା’ ଆନମନା ହୋଇ କହିଲା, ‘ଏଁ ।’

 

‘ମିଣିଆପାୟୁର ଲେଞ୍ଜୁ ମ, ସରବୁ ସାଓଁତାର ଭାଇ । ଆଃ ଭାରି ଭଲଲୋକ ଥିଲା ସରବୁ ସାଓଁତା ।’

 

ଜଲଦି କହୁନାହିଁ କାହିଁକି ବୁଢ଼ୀଟା ? ଏମିତି ଘୋର ଝଡ଼ିପାଗରେ ଦାଦି ତ ଖାଲି ଏକୁଟିଆ ଆସି ନ ଥିବ, ପଛେ ପଛେ ପୁତୁରା ଅବଶ୍ୟ ଥିବ । ‘କେତେଦିନୁ ଦେଖି ନ ଥିଲି ମୁଁ, କି ଦଶା ହେଲାଣି ତାର । ଆଃ ସରବୁ ମରିଗଲା ଘରଟା ଉଜୁଡ଼ିଗଲା, ଦିଉଡ଼ୁ ସାଓଁତା କୁଆଡ଼େ ଗଲା, କ’ଣ ଆଣିଥିବ ଏଥର, ସେହିପରି ମୁଆଁ ଭାରେ ? ଆସୁଥିବ ବୋଧହୁଏ, କି ନା, ତାର ଅଭ୍ୟାସ ନୁହେଁ ସିଧା ଆସିବା ପରା । ‘ଶୁଣିଲୁଣି ପିଓଟିର ମା’, ଗାଁଯାକ ହାଟ ବସିଛି ପରା । କେମିତି ଏ ବରଷାରେ ତିନ୍ତିବୁଡ଼ି ଆସିଲା କେମିତି ଜୀବନ ପାଇ ଆସିଲା କାବା କଥା । ସେମିତି ଜରରେ ଗଡ଼ୁଛି, ସୋଭେନା ଘର ଦୁଆର ମୁହଁରେ । କେତେ ସେ ବକିଗଲା,-ହା, ଏଇଆ ଥିଲା ଦିଉଡ଼ୁର କପାଳରେ, ଦିଉଡ଼ୁ ପରି ପୁଅ,-’ ‘କ’ଣ ହେଇଚି ଦିଉଡ଼ୁର ?’ ପିଓଟି ଚିର୍ଚ୍ଚିରେଇଲା, ‘ମା’ ଦେଖୁଚୁ ତ ସେଥର, ଆମ ଘରକୁ ଆସିଥିଲା’ ଗୁମ୍‌ସାନୀ କିଛି ନ କହି ଧୂଆଁପତ୍ର ଚୋବେଇଲା, ବଡ଼ ଅବଜ୍ଞାରେ ଅନେଇଗଲା ଏ ଝିଅଟାକୁ । ପିଓଟି ତୁନିହେଲା ଦୁଡ଼ୁଗୁଡ଼ୁ ମନରେ ଅଣନିଶ୍ୱାସୀ ହୋଇ ଅପେକ୍ଷା କଲା । ଦିଉଡ଼ୁ କେଭେଁ ଆସି ନାହିଁ ।

 

ମନ୍ଦ କଥା-ହଁ । ତା’ ନ ହୋଇଥିଲେ ଜରୁଆ ଦେହରେ ଆସନ୍ତା ତାର ଦାଦି ? ଗୁମ୍‌ସାନୀ କହି ଲାଗିଲା, ଧୀରେ ଧୀରେ ପିଓଟିର ଦୁଶ୍ଚିନ୍ତା କଟିଯାଇ ଖେଳିଗଲା ଗୋଟିଏ ନୀରବ ହସ । ଗୁମ୍‌ସାନୀ କହିଯାଉଛି, ଦିଉଡ଼ୁ ତାର ଦାଦିକୁ ତଡ଼ିଦେଇଛି, ତାର ସ୍ତ୍ରୀକୁ ଅତ୍ୟାଚାର କରୁଛି, ମଦ ଆଉ ଉଦ୍ଧତପଣିଆଁରେ କେତେ ଆଇନ୍ ଭାଙ୍ଗି ସାରିଲାଣି ସେ । ନିଷ୍ଠୁର ନିର୍ମମ ନୀଚ ପାଷାଣ୍ଡ ଦିଉଡ଼ୁ ସାଓଁତା ।

 

ଦୁଇବୁଢ଼ୀ ସମାଲୋଚନାରେ ଲାଗିଲେ । ହାର୍ଗୁଣା ସାଓଁତା ମିଣିଆପାୟୁର ଲେଞ୍ଜୁକୁ ଅଭୟ ଦେଇଛି ସାହାଯ୍ୟ ଦେଇଛି ରଇତ ହେବାକୁ ବାଧା ନାହିଁ । ଲେଞ୍ଜୁ ଚାହେଁ ଭଲ ହେଲେ ବଣ ଭିତରେ ଗୋଟିଏ ତାଷଗୁଡ଼ିଆ ଖୋଲିବ, ପୁରୁଣାକାଳିଆ କନ୍ଧ, କେବଳ ତଳହାତରେ ନେବାକୁ ସେ ଭଲପାଏ ନାହିଁ । ଲୋକେ ତା’କୁ ପ୍ରଶଂସା କରୁଚନ୍ତି, ଗାଁର ସେ ଅତିଥି, ସମସ୍ତେ କୁତ୍ସା କରୁଛନ୍ତି ଦିଉଡ଼ୁକୁ, ଭଉଣୀକୁ ଅନ୍ୟଠେଇଁ ଦେଲା, ଜବାବ୍ ଦେଇ କଥା ଭାଙ୍ଗିଲା, ତାର ବଣକୁ ଅନ୍ୟ ଗାଁର ଗୋରୁ ଗଲେ ଆଉ ରକ୍ଷା ନାହିଁ, କୁଆଡ଼େ ସେ ହଜିଯିବେ,-ସବୁବେଳେ ମଦପିଇ ଭୋଳ୍-ଅମଣିଷ । ପିଓଟିର ମନରେ ପ୍ରଥମ ଆଶ୍ୱାସ, ଦିଉଡ଼ୁ ଭଲ ଅଛି । ଦ୍ୱିତୀୟରେ ଉଲ୍ଲାସ, କୌଣସି ଅଛପା କାରଣରୁ ସେ ତାର ସ୍ତ୍ରୀକୁ କି ପୁଅକୁ ଆଉ ଅନୋଉଁ ନାହିଁ । ବାକି ଖବର ସବୁ ଭଣ୍ଡାରିଜଳାରେ ଗଲା । ମନର ଛବିରେ ଏସବୁ ଶୁଣାକଥା କେଉଁଠି ହେଲେ ଖାପିପାରୁ ନାହିଁ, ଦିଉଡ଼ୁ ଆସିଲେ ଉଞ୍ଚ ମୁଣ୍ଡରି ସବୁ ସେ ବୋଝେଇ ପାରିବ ।

 

ଯେତେ ଶୁଣିଲେ ସେ ବିଶ୍ୱାସ ଯିବ ନାହିଁ ଯେ ଦିଉଡ଼ୁ ଖରାପ । କହନ୍ତୁ ଲୋକେ ମନଇଚ୍ଛା ।

 

ଦିନାକେତେ ଗାଁରେ ଚାଲିଲା ସେହି ଆଲୋଚନା । ସୋଭେନା ଘର ପିଣ୍ଡାରେ ଅଧେ ବାଉଁଶତାଟି ଛାଟି ଦିଆହୋଇଛି । ସେଇଠି ଗୋଟାଏ ଲୋକ ବସିଥିବାର ଦେଖାଯାଏ । ଭଙ୍ଗାଭଙ୍ଗି ହୋଇ ଦରବୁଢ଼ା ମଣିଷଟାଏ, ଭୟଙ୍କର ତାର ମୁହଁ । ପିଲାଛୁଆ ପାଖ ପଶନ୍ତି ନାହିଁ । ସ୍ତ୍ରୀଲୋକ ଦେଖିଲେ ବିକୃତ ହୋଇ ତାର ଚାହାଣି ଲାଖିରହେ । ବସି ବସି ଧୁଙ୍ଗିଆ ଟାଣେ, ଖକୋ ଖକ୍ କାଶେ ।

 

ଦିଉଡ଼ୁର ଶତ୍ରୁ ସେ ।

ଗାଁର ଅତିଥି ।

 

ପ୍ରତି ସଞ୍ଜବୁଡ଼େ ଗୁମ୍‌ସାନୀ ଗୋଟେଇଥିବା ମିଣିଆପାୟୁ ସାଓଁତା ଘରର ଖବର । କେତେ ସହାନୁଭୂତି ତାର ସ୍ତ୍ରୀ ପାଇଁ ସନ୍ତାନ ପାଇଁ, ସତେକି ସେମାନେ ଗୁମ୍‌ସାନୀର ପେଟର ଭାବି ଭାବି ମନକୁ ପିଓଟି ବଜାଏ, ଦିଉଡ଼ୁ ସାଓଁତା ଗୁହାଳ ସଫା କରୁଛି, ଘର ଓଳଉଛି, ଅନହୁତି ଦିନେ ସେ ଆସିବ । ଆପଣା କଥା ଭାବିଲେ ବୁଝିପାରେ, ଏତେ ବିପଦରେ ବି ତାର ଗୋଟାଏ ମନ ରହିଯାଇଛି । ସେତିକି ଦୁର୍ବଳତା ଆପଣାର ସେ କ୍ଷମା କରିପାରେ ।

•••

 

ସତାଅଶୀ

 

ତୋଫାନ, ତୋଫାନ,-ମେଘ ଆଉ ତୋଫାନ, ତୁହାଇ ତୁହାଇ ଚେରରୁ ହଲେଇ ଦେଇ ଧସେଇ ଦେଇଯାଏ ସେ । ବାହାରକୁ ଚାହିଁହୁଏ ନାହିଁ । ମଣିଷ ଭିତରକୁ ଚାହେଁ, କଳେ, ହେଜେ, ଓଜନ କରେ, ହାଇପାଇଁ ହୁଏ, ଛଟପଟ ହୋଇ ବୃଥା ଅପେକ୍ଷା କରିଥାଏ, କେବେ କ’ଣ ଘଟିବ ପରା, କେବେ, କେବେ ହେବ ?

 

କିଛି ଘଟେ ନାହିଁ, ଯାହାକୁ ହାତରେ ଧରି ଆଖିରେ ଦେଖି ସେ କହିବ, ଘଟିଛି ଏତିକି ପାଇଁ ତପସ୍ୟା । ପଦାର ପ୍ରକୃତିକେବଳ ଗୋଟାଏ ପୃଷ୍ଠପଟ ହୋଇ ଦେଖେଇ ଲାଗେ ମଣିଷର ନିଜର ଚିନ୍ତାଗୁଡ଼ାକ, ବରଷାର ଆଘାତ ବାଜି ପ୍ରତିଘାତ କରି ବାଜିଉଠେ ମନ ତଳର ବେସୁରା ରାଗିଣୀ, ବିଚ୍ଛନ୍ଦ, ବିଯୋଡ଼, ଅସମ୍ପୂର୍ଣ୍ଣ ।

 

ସେହିପରି ସଞ୍ଚିରଖିଥିବା ମାଣ୍ଡିଆ ସାଙ୍ଗେ ଆମ୍ବଟାକୁଆର ଶସ ତେନ୍ତୁଳିମଞ୍ଜିର ଶସ ମିଶେଇ ଘରର ଘରଣୀ ଦି’ଓଳି ଖାଦ୍ୟତିଆରି କରୁଛି, ପୁରୁଣା ପରି କାଦୁଆ ଗାଁ ଗୋହିରୀର ରୀତି, ସେହି ପୁରୁଣା ଛବି ବର୍ଷାଦିନର, ସେମିତି ଚାରିଆଡ଼ ଘୋଡ଼େଇ ପକେଇ ସାନ ସାନ କୁଡ଼ିଆଟିମାନ କମ୍ପେଇ ହଲେଇ ମାଳଦେଶର ବରଷା ଲାଗିଛି । ସବୁ ପୁରୁଣା ।

 

ଲେଞ୍ଜୁକନ୍ଧ ଚାଲିଯାଇଛି । ହଳିଆଠୁ ଗାଈଜଗୁଆଳଠୁ ହାଟର ଲୋକଠୁ କେମିତି କେମିତି ହୋଇ ଖବର ଆସି ପହଞ୍ଚିଛି ସେ ବନ୍ଦିକାର ଗାଁରେ ରହିଛି । ଦିଉଡ଼ୁ ସାଓଁତା ଶୁଣେ, ମତାମତ ଦିଏ ନାହିଁ । ପୋଢ଼ପରି ଗୁମ୍ ହୋଇଥାଏ । ଅଳ୍ପ କଥା କହେ । ପିଣ୍ଡା ଉପରେ ଥିରି ହୋଇ ବସି ଗୋଟାକୁ ଗୋଟା ଧୁଙ୍ଗିଆ ପିକା ଭସ୍ୱଁ କରେ । ସବୁ ତାକୁ ବିରକ୍ତ ଲାଗେ । ଗାଁରେ ସବୁକଥା ସମସ୍ତେ ଜାଣନ୍ତି, ଭଲ କି ମନ୍ଦ ଆଲୋଚନା କରିବାକୁ କେହି ଆସେ ନାହିଁ ।

 

ଘଟଣା ଘଟିଗଲା, ଲେଞ୍ଜୁକନ୍ଧକୁ ସେ ତଡ଼ିଦେଲା, ମନ ଅପେକ୍ଷା କରେ ଗାଳିଦିଅନ୍ତା କି କେହି, କେହି ଆସି ଧମକାନ୍ତା ସେ କୈଫିୟତ ଦିଅନ୍ତା, ବୁଝନ୍ତା । କେହି ପଚାରେ ନାହିଁ । ଏହି ବାଟେ ଗଲାବେଳେ ସେଦିନ ଜାମ୍ବାକନ୍ଧ ମାଣ୍ଟେଇ ମାଣ୍ଟେଇ ହେଉଥିଲା, ବୁଢ଼ା ଜାମ୍ବାକନ୍ଧ ବାର୍ଦ୍ଧକ୍ୟ ପ୍ରତି ତାର ପୂର୍ଣ୍ଣ ସହାନୁଭୂତି । କପାଳକୁ ତଳକୁ ଢିଲେଇ ଦେଇ ଦିଉଡ଼ୁ ସାଓଁତା ଅପେକ୍ଷା କରି ରହିଲା, ଜାମ୍ବାକନ୍ଧ ଅଟକିଲା ନାହିଁ । ଦିନଯାକ କ’ଣ ସେ ବସି ଭାବେ, ପୁୟୁ ଦେଖିଯାଏ, କହିବାକୁ ସାହାସ ସ୍ଫୁରେ ନାହିଁ । ଦିଉଡ଼ୁ ଚାହିଁଥାଏ । ସେହି ଘରେ ଲେଞ୍ଜୁକନ୍ଧର ଖଟିଆ ପଡ଼ିଛି । ଛିଣ୍ଡା ଲୁଗାପଟା ଓହଳିଛି । କାନ୍ଥକୁ ଲାଗି ଡେରା ହୋଇ ରହିଛି ପୁରୁଣା ଫଟା ତଲ୍ରା ତଲ୍ରି । ସେହି ଘରେ ତାର ବାଡ଼ିଟା ଅଛି । ଏଇ ପାରାଖୋପ ଭିତରୁ ସକାଳୁ ଉଠି ମଣିଷଟାଏ ପଦାକୁ ଯାଉଥିଲା । ଯାହାକଥା ଥରକରୁ ଦି’ଥର ସେ ଭାବିବାକୁ ମନ ଦେଇ ନାହିଁ । ରାଗରେ ଈର୍ଷାରେ ଅବହେଳାରେ ଯାହା ସଙ୍ଗେ ମନର ବଦଳ ଉଦଳ । ଖାଲି ଘରକୁ ଥୋବରା ମୁହଁରେ ଅନେଇଁ ରହିବାକୁ ମନହୁଏ, ଘର ଖଣ୍ଡ ସେହିପରି ପଡ଼ିଛି, କେବଳ ପରିଷ୍କାର କଲାଭଳି ଅତୀତର ସ୍ମୃତିମିଶା ଗୋଟାଏ ନ ଥିଲା ମଣିଷର ଛାଇଟା ସେଠି । ଘର ଛାଇତଳେ ଘରଚଟିଆ ଉଡ଼ାଉଡ଼ି ଲଗାନ୍ତି । ଫମ୍ପା,-ଶୂନ୍ୟ,-ସେହି ଦିଉଡ଼ୁକୁ ଜବାବ୍ ।

 

କେତେ ଦିନ ହୋଇଗଲାଣି ?-ନା କେତେ ବର୍ଷ ହୋଇଗଲାଣି ?-ସେହିପରି ବରଷା, ସମୟକୁ ସେ କଳି ନାହିଁ, କରପଟିଆ ହୋଇ ସେମିତି ଲେଞ୍ଜୁ କକାର ବଖରା, ମୁହଁପଟେ ମାଳର ଅନ୍ଧାର, ମେଘର ଶର, ଗୋହିରୀରେ ପାଣି, ପଛଆଡ଼େ କଳପରି କାମ କରିଯାଉଛି ସ୍ୱାସ୍ଥ୍ୟହୀନା ଗୋଟାଏ ସ୍ତ୍ରୀ, ତାର ପୁରୁଷ ପଣିଆରୁ ପୂର୍ଣ୍ଣଚ୍ଛେଦ । ଗୋଟାଏ ପିଲା ଯେ କାନ ଅତରା ପକାଏ । ଚାରିଆଡ଼େ ବିଦ୍ରୂପ ଆଉ ଧିକ୍କାର, ଲୁଚି ଲୁଚି ଛପି ଛପି ମନକୁ ବିନ୍ଧେ । ଗୁମ୍‌ହୋଇ ଦିଉଡ଼ୁ ବସେ । ଦସ୍ରୁ କୁକୁରକୁ ବି ପିଟେ ନାହିଁ କି ତଡ଼େ ନାହିଁ, ପଛଆଡ଼େ ଶୀତରେ ରୁମ ଟାଙ୍କୁରେଇ ଦେଇ ଦସ୍ରୁ କୁକୁର ଶୋଇ ରହେ । କେତେ ଯୁଗ ହୋଇଗଲାଣି ?-ସେହି ପହିଲି ଦିନ ପରି ମଦ ଠେକିଏ ନେଇ ବାରିକ ଆସେ ସଞ୍ଜରେ, ଦିଉଡ଼ୁ ସାଓଁତା ଗର୍ଜନ କରେ, ‘ବାରିକ’, ବାରିକ ବଢ଼େଇ ଦିଏ, ତା’ପରେ ଆଉ କଥାଭାଷା ନାହିଁ, ବାରିକ ଆତ୍ମରକ୍ଷା କରି ଜାଣେ । ମଦ ପିଇ ଅନ୍ଧାର ପିଇ ଅନୁଶୋଚନା ପିଇ ଦିଉଡ଼ୁ ସାଓଁତା ପ୍ରସ୍ତୁତ ହୁଏ, ଘଟନା ଘଟିବ, ଘଟନା ଘଟିବ । କେମିତି ଅନ୍ଧାର ବଢ଼ି ଲାଗିଛି, ଆତଯାତ ବନ୍ଦ, କ୍ଷେତରେ ଫସଲ ଆପେ ବଢ଼ୁଥିବ, ଯେଝା ଘରେ ଯେଝା । ଦିଉଡ଼ୁ କେବଳ ଉଦାସ ହୋଇ ବସୁଛି । ଭାବିବାକୁ ତର ମିଳିଛି । ଗୋଳମାଳ କରିବାକୁ କେହି ନାହିଁ, ସମାଜ ତା’କୁ ଭୁଲିଛି ।

 

ସେଦିନ ସଞ୍ଜରେ ବରଷା କମିଥାଏ, ଘୋର ଅନ୍ଧାର, ବାରିକର ବେଳ ଗଡ଼ିଲାଣି, ସାହିର ପିଣ୍ଡାରେ ଘରୁ ଘରୁ ଆଲୁଅ ଧାସ ଛିରିକି ପଡ଼ିଥାଏ । ଅନ୍ଧାରରେ କିଏ ଜଣେ ଆସୁଛି । ହେଇ, ମଦର ବାସ୍ନା ମଦର ବାସ୍ନା । ଦିଉଡ଼ୁ ସାଓଁତା ଓହ୍ଲେଇ ପଡ଼ିଲା ଦାଣ୍ଡକୁ । ‘ସାଓଁତା’-

 

‘କିଏରେ-’

‘ମୁଁ, ସୋନାଦେଈ, ମଦ ଆଣି ଦେଇଛି-’

‘ବାରିକ କୁଆଡ଼େ ଗଲା ?’

‘ଛାତିବଥାକୁ ଘରେ ଶୋଇଛି ସାଓଁତା-’

 

କେବଳ ଗୋଟାଏ ଅନ୍ଧାରର ଆକୃତି, କିଛି ଦିଶୁ ନାହିଁ । ମଦ ଠେକି ନେବାକୁ ହାତ ବଢ଼େଇଦେଇ ହାତରେ ପଡ଼ିଲା ସୋନାଦେଈର କଅଁଳ ବାହା । ଗୋଲଗାଲ ନରମ ମାଂସ । ଖୁଣ୍ଟପରି ଠିଆହୋଇ ରହିଛି ଆକୃତିଟା, ଆଡ଼େଇ ହଉ ନାହିଁ ।

 

‘ଆଣିଚୁ ?’

‘ହୁଁ’

 

ସେମିତି ହାତରେ ଧରି ରହି ପୁଣି ହାତ ଉଠେଇ ନେଇ ମଦ ଠେକିକୁ ଦିଉଡ଼ୁ ଧରିଲା, ଟିକିଏ ପିଇଲା । ପଚାରିଲା, ‘ଆଜି ତୁ ଆଇଲୁ ?’

 

‘ହୁଁ ।’

‘ତୋର୍ ବର !’

‘ବୁଢ଼ାର ଛାତିରେ ତେଲ ଘଷିଦେଉଛି ?’

‘ତୁରୁଞ୍ଜା ପିଲା ?’

 

ଅନ୍ଧାରରେ ହସ ଶୁଭିଗଲା । ମଦର ଉଷୁମ ରକ୍ତରେ ଖେଳିଲାଣି । ହସି ହସି ସୋନାଦେଈ କହିଲା, ‘ତୁରୁଞ୍ଜା ଡରିଲା, ହଉ ମୁଁ ଯାଉଛି ସାଓଁତା’ ଦିଉଡ଼ୁ କିଛି କହିଲା ନାହିଁ । ଅନ୍ଧାରି ଛବିଟା ଦି’ପାହୁଣ୍ଡ ଯାଇଛି କି ନାହିଁ ଡାକିଲା, ‘ହେ’ । ସୋନାଦେଈ ଅଟକିଲା । ଦିଉଡ଼ୁ ତାର ପିଛା ନେଲା ।

 

ଆଜି ଏତେ ଦିନକେ ଘୋଡ଼େଇ ରଖିଥିବା ମନ ଭିତରର ଅନ୍ଧାରି ପାହାଡ଼ ତଳେ ତଳେ ସୁଅ ପଡ଼ିଛି, ସଡ଼ସଡ଼ ହୋଇ ଖସିଲାଗିଛି । ମୁଣ୍ଡା ମୁଣ୍ଡା ଅନ୍ଧାର । ବାହାରେ ଅନ୍ଧାରର ବିରାମ ନାହିଁ, ଝିପିଝିପି ହୋଇ କୁଣ୍ଡାଝୁଡ଼ା ବରଷା । ଆଜି ଦିଉଡ଼ୁର ମନରେ ଅନ୍ଧାରରେ ପଡ଼ିଛି ଚହଲା ଗତି, ଚେତାବୁଡ଼ା ଅଗ୍ୟାନର ବେଗ, କିଛି ଦିଶୁ ନାହିଁ, କିଛି ସେ ବୁଝିପାରୁ ନାହିଁ । କାଲିପରି ଲାଗୁଛି, ରଜା ମଲେ ଯେଉଁ ବର୍ଷ । ନନ୍ଦପୁର ଅଞ୍ଚଳରେ, ବରିଗିମୁଠାର ପର୍ବତ ମାଳରେ, ଆଉ ପଟାଙ୍ଗୀ ପାଖ ପର୍ବତରେ ପଡ଼ିଥିଲା ଏହିପରି ଅନ୍ଧାରି ସୁଅ, ପର୍ବତ ତଳେ ସାନ ସାନ ଗାଁରେ ପଲ୍ଲୀରେ ନିଶ୍ଚିନ୍ତ ହୋଇ ମଣିଷ ଶୋଇ ରହିଛନ୍ତି, ମଣିଷ ବସତିର ସୁସ୍ଥି, ଉଷୁମ, ଭରସା ଉପରୁ ପର୍ବତ ଭୁଶୁଡ଼ି ପଡ଼ିଲା, ଗାଁର ପତ୍ତା ନାହିଁ, ମଣିଷ ମଣିଷର ସତ୍ତା ନାହିଁ । ଯୁଗ ଯୁଗର ଭୂ-ଚିହ୍ନର ସୁସ୍ଥିବାଦର ଦାୟିତ୍ୱ ଧରି ଠିଆ ହୋଇଥିଲା ଯେଉଁ ତୁଙ୍ଗମାଳି ଦମକ ସେ ଲେଉଟି ପଡ଼ିଲା, ସେଠିକାର ଛବି ବଦଳିଗଲା ଚିରଦିନକୁ । କିଏ ଜାଣିଥିଲା ? କିଏ କଳିଥିଲା ପର୍ବତ ତଳେ କେଉଁଠି ପାଣି ଉଛୁଳି ମାଟି ଗୋଳି ହେଉଛି ? କିଏ ଖୋଜିଯାଇଥିଲା ପର୍ବତର ଚାପ କେତେ । କିପରି ବଢ଼ିଚାଲିଛି ଦିନୁ ଦିନ ରୁନ୍ଧିରଖା ବିପ୍ଳବର ବେଗ ସେହି ସେହି ବିରାଟ ଅସୁର ପରି ବୁଢ଼ା ପର୍ବତର ଜଡ଼ ବୋଝ ତଳେ ତଳେ । ଘଟନା ଘଟିଲା, ଭୁଶୁଡ଼ି ପଡ଼ି ଗଡ଼ିଗଡ଼ିକା ଚାଲିଗଲା ସବୁ ରସାତଳକୁ ।

 

ଅନ୍ଧାରରେ ଛାଇ ଚାଲିଛି, କଥା କହୁ ନାହିଁ, ଚାଲିରହିଛି ଆଗେ ଆଗେ ।

 

ଶାସ୍ତି ଦେବ ପରା ଗାଁର ସାଓଁତା, ଗୋଷ୍ଠୀର ଜଗୁଆଳ ମୁଣ୍ଡିଆଳ । ପିତୃପୁରୁଷଙ୍କ ଭେଇଥିବା ଜାତିର ରକ୍ତ ଗୋଳିଆ ହେବ ନାହିଁ, ଗୋଷ୍ଠୀ ବୁନିଆଦ ଦମ୍ଭ ରହିଥିବ, କନ୍ଧ-ସଂସ୍କାର ଅ-କନ୍ଧ ହେବ ନାହିଁ । ଜାତି-ଜାତିର ବାଡ଼, ପାଣି ପଶିବ ନାହିଁ, ପବନ ପଶିବ ନାହିଁ । ମଲା ହଜିଲା ବୁଢ଼ା ପୂର୍ବପୁରୁଷଙ୍କ ନିର୍ଦ୍ଦେଶ-ଜାତି ଅତୁଟ ରଖିବାକୁ କେତେ ପ୍ରକାର ବିଧାନ, ଘୃଣା ଦ୍ୱେଷର ସଂସ୍କାର, ରକ୍ତଢାଳି ତାର ଶାସ୍ତି ।

 

ଚାଲି ଲାଗିଛି ହେଇ,-ଅଜାତି । ଡମ୍ବ, ପାଣ, ଗଣ୍ଡା, ଅଜାତି । କନ୍ଧ ନୁହେଁ ସେ, କନ୍ଧ ଜାତିଦ୍ୱାରା କେବେ କେଉଁକାଳୁ ବିଜିତ ଡମ୍ବ ଜାତି । କନ୍ଧଜାତିରେ ମିଶିପାରିବ ନାହିଁ, ଜନ୍ମ ଦିନଠୁ କେତେ ଧାରଣାର ବୀଜ ବୁଣା ହୋଇଛି ମଣିଷ ମନରେ କେବଳ ସେହି ଉଦ୍ଦେଶ୍ୟ ଠିକଣା ରଖିବାକୁ । ସେ ଡମ୍ବ, ମଣିଷ ପରି ଖାଦ୍ୟ, ସେ କୁଆଡ଼େ ଚୋର, ଖଣ୍ଟ ଜାତି, ଅସତ ଜାତି, ଗଣ୍ଡା ପଟ୍‌କାର୍ ଅଛବ ।

 

ଗୋଷ୍ଠୀର ଅନ୍ତତଃ ଜଣକୁ ଗାଁ-ବାହାର କରେଇଛି ୟେ, ଗାଁର ସାଓଁତା ଶାସ୍ତି ଦେବ, କଠିନ ନିର୍ମମ ଶାସ୍ତି । ସାମାନ୍ୟ ସ୍ତ୍ରୀଲୋକଟାଏ । ସରୁ ବେକ, ନରମ ମାଂସ ମେଞ୍ଚାଏ, ହାତର ମୁଠା ଭିତରେ ରହିଯାଇ ପାରିବ । ଆସ୍ତେ ଆସ୍ତେ, ମୁଠା ଛୋଟ ହୋଇ ଆସିବ, କନ୍ଧ ସାଓଁତାର ଶାସ୍ତି, ନିର୍ମମ ଶାସ୍ତି । ତଳେ ‘ଦର୍ତନୀ ଉପରେ ଦର୍ମୁ । ଆମୁକୁ ଦୋଷ ଲାଗୁ ନାହିଁ, ଆମକୁ ପାପ ଲାଗୁ ନାହିଁ, ତୁମେ ଭିଆଇଛ, ତୁମେ ହିଁ ଖାଉଛ । ହେ ଦେବତା, ଆମର ଦୋଷ ନାହିଁ ।’ ଗାଁର ସାଓଁତା ଶାସ୍ତି ଦେବ । ଶାସ୍ତି ଦେଇଥା’ନ୍ତା ।

 

ଗାଁର କନ୍ଧ-ବସ୍ତି ସରିଯାଇଥାଏ, ବାରିକ ଘରକୁ ଖାଲର ତାଷଗୁଡ଼ିଆ ଆଡ଼କୁ ନିଛାଟିଆ ରାସ୍ତା ଲମ୍ବିଯାଇଛି । କେବଳ ଅନ୍ଧାର । ଧୀରେ ଧୀରେ ଅନ୍ଧାରି ସୋନାଦେଈ ଚାଲିଛି । ପଳେଇବାକୁ ସେ ବ୍ୟସ୍ତ ନୁହେଁ । ହଜେଇବା ଭଳି ତାର କିଛି ନାହିଁ । ଏଇ କିଟିକିଟିଆ କଜଳକଳା ଦୁର୍ଭାଗ୍ୟ ରାତି, ତାରାର ଧାସ ବି ନାହିଁ, ସବୁ ତାର ଦେହସହା ହୋଇଯାଇଛି, ଜୀବନ ହେବ ନାହିଁ ୟାଠୁ ବି କଳା ୟାଠୁ ବି ନିର୍ଦ୍ଦୟ । ପଛେ ପଛେ ମଦୁଆ ସାଓଁତା ଆସୁଛି । ସୋନାଦେଈ ଚାଲିଛି । ନିଛାଟିଆ ବାଟର ମଝି ଅଧକରେ ହଠାତ୍ ସୋନାଦେଈର ଗୀତ ବୋଲିବାକୁ ମନ ହେଲା । ପହିଲେ ଗୁଣୁଗୁଣୁ କରି, କ୍ରମେ ଆପଣାଠୁ ଭରସା ପାଇ ଆହୁରି ସ୍ପଷ୍ଟଭାବେ, ଆହୁରି ବଡ଼ ପାଟିରେ-। ଅନ୍ଧାର ରାତିରେ ଏକୁଟିଆ ହୋଇ ସେ, ଚିନ୍ତା ନାହିଁ, ଦକ ନାହିଁ, ବାପ ଘରେ କେଲାର୍ ଗାଁ ଫେରନ୍ତି ଢିପଢାଲୁ ବାଟରେ ଗୋଟିକିଆ ଡମ୍ବ ଧାଂଡୀ ଗୀତ ମେଲିଦେଇଛି । ବାଟରେ ଡମ୍ବୁଣୀ ଗୀତ ବୋଲେ, ଗାଁ ପଙ୍ଗତରେ ଡମ୍ବୁଣୀ ଗୀତ ଶିଖେ, ଲୋକେ କହନ୍ତି ମାୟାବୀ ଜାତି ଡମ୍ବ, ଗୀତରେ ଭୁଲେଇ ନିଏ, ଛଟକରେ ଚୋରେଇ ନିଏ । ସୋନାଦେଈର ଗହୀର ମନରୁ ଅଭିଆଡ଼ୀ-ଯୁଗର ଗୀତର ଧ୍ୱନି ଉଠୁଥାଏ, ସବୁ ଅନ୍ଧାରର ପାଗଯୋଗ ମିଶି ପୁଣି ତାର ପୁନର୍ଜନ୍ମ ହୋଇଛି ।

 

ଦିଉଡ଼ୁ ସାଓଁତା ହାଙ୍କ ମାରିଲା,-’ସୋନାଦେଈ, ହେ ସୋନାଦେଈ, ଗୀତ ବୋଲୁଛୁ ?’

 

ତାର ଜବାବ୍ ମେଞ୍ଚାଏ ହସ । ଫାଟିଫୁଟି ପଡ଼ି ସାନ ସାନ ଖଣ୍ଡ ଖଣ୍ଡ ପାଖୁଡ଼ା ପୁଣି ଏକାଠି ଯୋଡ଼ି ହୋଇଯାଉଛି । ଅନ୍ଧାର ଘେରିହୋଇ ଜହ୍ନର ମାୟା ବୋଳିହୋଇ ଢଳଢଳ ହୋଇ ଗୋଟାଏ ଫୁଲ ସେ, ଫୁଟି ଉଠେ, ଛୁଇଁବାକୁ ଗଲେ ଧୂଳି ହୋଇଯାଏ, ପୁଣି ଫୁଟିଉଠେ, ପୁଣି ତୁଟିଯାଏ, ମଣିଷ ପଶୁର ଗହୀର ମନରେ ତାର ତମସା ଡୋରିର ଅଦେଖା ଆଙ୍କୁଶୀ, କିଛି ନୁହେଁ, ଗୋଟିଏ ଖିଆଲ ସବୁ ସେ ।

 

‘ଗୀତ ବୋଲୁଛୁ ସୋନାଦେଈ ।’

‘କେମିତି ରାତି, କେମିତି ବାଟ, କିଏ ଅଛି ସାହାଶାଖା, ଡର୍ ଲାଗୁଛି ସାଓଁତା ।’

ସୋନାଦେଈ ପୁଣି ଗୀତ ବୋଲିଲା, ଦିଉଡ଼ୁ ସାଓଁତା ପାଖେଇ ଆସିଲା ।

 

ସେହି ରାତିରେ । ପୁୟୁ ଶୋଇଥାଏ ହାକିନାକୁ କୋଡ଼ରେ ପୂରେଇ । କ୍ଳାନ୍ତିବିହ୍ୱଳ ମନଟା ତାର ଚେଇଁ ରହିବାକୁ ଅପାରଗ । ସ୍ୱପ୍ନରେ ସେ ସୁଖ ଖୋଜୁଥାଏ । ପରିଷ୍କାର ଆକାଶ, ଖରା ଝଲ୍‌ଝଲ୍‍ କରୁଛି । ନାଲି ଟହଟହ ସାନ ଚଢ଼େଇଟିଏ ଛୁଆଟିଏ ସାଙ୍ଗରେ ଧରି ଉଡ଼ି ବୁଲୁଛି । ପ୍ରକୃତିର ଶୋଭା ଉପରେ ଆସ୍ତେ ଭରାଦେଇ ଉଡ଼ି ପଳୋଉଛି ଆକାଶକୁ । ଛୁଆକୁ ଅଧାର ଦେଉଛି, ଥଣ୍ଟ ମେଲାକରି ଛୁଆ ଆଧାର ନେଉଛି । କେତେବେଳେ ପୁୟୁ ଛୁଆହୋଇ ଭାବେ, କେତେବେଳେ ସେ ନାଲି ଟହଟହ ମାଆଟି, କେତେବେଳେ ସେ ଲହଡ଼ିଭଙ୍ଗା ଭରା ଫସଲ ସାଙ୍ଗରେ ଭାବିଯାଏ, ଲହଡ଼ି ଖେଳେ ଭାବନା ସମ୍ଭାଳି ପାରେ ନାହିଁ, ପୁୟୁ ଅଧାରଦିଆ ଦେଖେ । ଆଖିରୁ କାହିଁକି ଧାର ଧାର ଲୁହ ବୋହୁଥାଏ । ଅଧରାତିରେ ଦିଉଡ଼ୁ ଫେରିଲା, ଦସ୍ରୁ ଭୁକିଲା, ଦିଉଡ଼ୁ ପାଟିକରି ଖେଦିଗଲା, କବାଟରେ ବାଡ଼େଇଲା । ପୁୟୁର ନିଦ ଭାଙ୍ଗିଗଲା । ଚୁ ଚୁ କରି ହାକିନାକୁ ସାକୁଲେଇ ଦେଇ ପୁୟୁ ଯାଇ ନିଦ ମଳମଳ ଆଖିରେ କବାଟ ଖୋଲିଦେଇ ଫେରିଆସିଲା । ଅତି ଉଗ୍ର ମଦ ଗନ୍ଧ, ଗର୍ଜନକରି ଦିଉଡ଼ୁ କ’ଣ କହୁଛି ନିଦ ଭୋଳରେ ଅଳ୍ପ ଅଳ୍ପ ମନେପଡ଼ିଲା ସଞ୍ଜ ବୁଡ଼ୁ ବୁଡ଼ୁ ୟେ ଯାଇଥିଲା, କିଛି ତ ଖାଇ ନାହିଁ । ଆଉ ଭଲେଇ ହେବାକୁ ମନ ଗଲା ନାହିଁ । ପୁୟୁ ପୁଣି ଶୋଇପଡ଼ିଲା ।

 

ସକାଳୁ ଉଠି ଦିଉଡ଼ୁ ଆଉ ବସିରହିଲା ନାହିଁ, ପାଗ ସେହିପରି ଅଛି, କିନ୍ତୁ ତଲ୍ରା ତଲ୍ରି ବାନ୍ଧିହୋଇ ଦିଉଡ଼ୁ କ୍ଷେତ ଆଡ଼କୁ ମୋହିଁଲା । ଆଜି ତାର ପ୍ରତାପ ତେଜିଛି ସମସ୍ତିଙ୍କ ଉପରେ ସେ ସାଓଁତା । ବାରିକ ପିଣ୍ଡାରେ ଅପେକ୍ଷା କରି ରହି ବାରିକର ପୁଅ ବାଲ୍‍ମୁଣ୍ଡା ହାତରେ ସେ ଜାମ୍ବାକନ୍ଧକୁ ଡକେଇଲା । ଛାତି-ବଥା ବୋଲି ଘର ଭିତରେ ନିଶାରେ ଡୁବି ବାରିକ ଶୋଇଛି । କବାଟ ପାଖେ ତଳକୁ ମୁହଁ ପୋତି ସୋନାଦେଈ ତୁନିହୋଇ ଠିଆହୋଇ ରହିଛି, ଶାନ୍ତ ମସୃଣ ମଉନମୁହୀଁ ମାଂସପିଣ୍ଡୁଳା ମେଞ୍ଚିଏ । ଆଖି ତାର ନିଦୁଆ ନିଦୁଆ, ସବୁଦିନ ପରି ଛିଣ୍ଡାଲୁଗା ପିନ୍ଧିଛି, ବେଶରେ ପରିପାଟୀ ନାହିଁ । ଦିଉଡ଼ୁ ସାଓଁତା ଜାମ୍ବାକନ୍ଧକୁ ଅପେକ୍ଷାକରି ବସିଥାଏ । ସୋନାଦେଈକୁ ତାର କିଛି କହିବାକୁ ନାହିଁ, ମୁଣ୍ଡ ପଛଆଡ଼େ କେଉଁଠି ଚିହ୍ନାଚିହ୍ନି ଲାଗିଛି ଅନ୍ଧାର ରାତିରେ କାଲି କିଏ ଗୀତ ବୋଲିଥିଲା । କେତେ ମେଘ ଅଜାଡ଼ିହୋଇ ପଡ଼ିଛି ତାହା ଉତ୍ତାରୁ, ରାତିର କାହାଣୀ ଧୋଇହୋଇ ଚାଲିଯାଇଛି ଅତଳ ଝୋଲାକୁ । ଏଇ ତାର ଦେହ, ନୀରୋଗ କର୍ମଠ, ଅତୁଟ । ଏଇ ତାର ଗାଁ, ଏଠି ସେ ସାଓଁତା । ମନ ଭିତରେ କର୍ତ୍ତବ୍ୟବୋଧ ଅଛି, ଦ୍ୱିଧା ନାହିଁ ।

 

ବାଲ୍‍ମୁଣ୍ଡା ସଙ୍ଗେ ଜାମ୍ବାକନ୍ଧ ଆସିଲା । ଡମ୍ବ ଘର ହତା ଭିତରେ ପଶିବାକୁ ଦୋଦୋପାଞ୍ଚ କଲା,-ଦିଉଡ଼ୁ ଚାହିଁଛି । ଅବଜ୍ଞା ଆଉ ଘୃଣା ଦେଖେଇ ଜାମ୍ବାକନ୍ଧ ମୁହଁରେ ମେଞ୍ଚାଏ ଲୁଗା ମାଡ଼ିଦେଲା, ବାରମ୍ବାର ଛେପ ପକେଇଲା, ଓଳିତଳେ ଦୁଆର ମୁହଁରେ ଠିଆହେଲା ସାଓଁତା ଆଗରେ ।

 

‘ତତେ ଡକେଇଥିଲି ଜାମ୍ବା ବୁଢ଼ା,-’

‘ଥୁଃ ହୁଁ-’

‘ମୋ କ୍ଷେତରେ ଚାରିଦିନ କାମ କରେଇ ଦେ-’

‘ଏଁ ?’

‘ମୋ କ୍ଷେତରେ ଚାରିଦିନ କାମ କରେଇ ଦେ, ଚାଲ ‘ଗୁଡ଼ିଆ’କୁ ଯିବା ।’

‘ମୁଁ ଯିବି ? ମୋର କାମ କିଏ କରିବ ?’

 

‘ଅମାନିଆ ହେବୁ ? ତୁ ରଇତ ହେଇ ସାଓଁତାର ଦରକାର ହେଲେ ତୁମେ ତାର କାମ କରିଦେବ ନାହିଁ । ହଉ, ନାହିଁ ଯଦି ନାହିଁ କର ।’

 

ଜାମ୍ବାକନ୍ଧ କାବା ହୋଇଗଲା । ହଁ, ସାଓଁତା ‘କାମକର୍’ କହିଲେ ରଇତ କାମ କରିବାକୁ ବାଧ୍ୟ, କିନ୍ତୁ ଏ ଚଳଣ କନ୍ଧଙ୍କର ଗୋଷ୍ଠୀମାନିଆଁ ଗାଁରେ ବେଶୀ ପଡ଼େ ନାହିଁ । ସରବୁ ସାଓଁତା ଥରେ ଅଧେ ଡାକୁଥିଲା ସତ, ଦିଉଡ଼ୁ ସାଓଁତା ଖୋଲା ଛାଡ଼ି ଦେଇଛି । ହଠାତ୍ ଏ କି ଆପଦ !

 

‘ତୁନି ରହିଲୁ ଜାମ୍ବା, ମନ ହେଲେ ନାହିଁ କରିଦେ !’ ଛେପ ଢୋକି ଢୋକି ଜାମ୍ବା କହିଲା, ‘ନାହିଁ କାହିଁକି କରିବି ସାଓଁତା, ତେବେ ଗାଁରେ ଏତେ ରଇତ ଥାଉ ଥାଉ ମୋରି ଉପରେ ବେଠି ଲଦା ହେଉଛି କାହିଁକି । ଆଉ ତ କେତେ ଅଛନ୍ତି ?’

 

‘ମୁଁ ଏତେକଥା ଶୁଣିବି ନାହିଁ ଜାମ୍ବା । ଜଣିକିଆ ମଣିଷ ହେଇଗଲି, ବେଶୀ ତାଷ, ତୋର ପୁଅମାନେ ଅଛନ୍ତି । ଚାରିଦିନ ଆଗ ତୁ କାମ କର । ଏମିତି ବେଠି ବେଠି କହୁଚୁ କାହିଁକି ? ଏ କ’ଣ ରଜାଘର ବେଠି ହେଇଚି ନା ସାଇବ ଘର ବେଠି ? କାମ ମାଗିଲି, କାମ ଦେ ।’

 

ହଉ କହି ମୁଣ୍ଡ ପୋତି ଜାମ୍ବାକନ୍ଧ ଚାଲିଗଲା । ଦିସାରିର ଲେଖାରେ ବେଡ଼ତାଇ ଯୋଗରେ ଜନ୍ମ ତାର, ଯେତେ ଉତ୍ପାତ ଆସିଲେ ଆଗ ତା’ ମୁଣ୍ଡରେ ।

 

ଦିଉଡ଼ୁ କ୍ଷେତକୁ ଚାଲିଲା । ଆଜି ସକାଳେ ଝଡ଼ି ସରିଆସୁଛି, କେବଳ କସରା ମୁଗୁରାହୋଇ ମେଘର ବାମ୍ଫ । ଖରା ନାହିଁ, ଆଲୁଅ ଫିଟିଛି, ପବନ ପିଟୁଛି । କନ୍ଧଗୁଡ଼ିଆରେ ଚହଳ ପଡ଼ିଛି । ଏତେଦିନର କଳା ପାଗ ଫସରଫାଟି ଯାଉଛି ଧଳା-ମୁଗୁରା ମେଘୁଆ ବାମ୍ଫରେ ।

•••

 

ଅଠାଅଶୀ

 

ମାଳର ବର୍ଷାରେ ଫାଙ୍କ ଫିଟିଥାଏ, ଚାରିଆଡ଼େ ଲାଗିରହିଥାଏ ନିଜାଣି ଅର୍ଥାତ୍ ବଛାବଛି । ମେଘର ଛୁଟି, ମଣିଷର କାମ । ଦିନେ ନ ଅନେଇଁଲେ ଶତ୍ରୁପରି ଅଗଛିଆ ମାଡ଼ିବସିବ, ପାଚିଲାବେଳକୁ ଭରଣ ଭରଣ ଫସଲ ନଷ୍ଟ । ବିଲାତି ଗଛ ‘କୋରାପୁଟିଆ’ ବୁଦା, ଉଡ଼ି ଉଡ଼ି କେତେ ଦୂର ବ୍ୟାପିଛି, କାହା ବଗିଚାରୁ କାହା ବାଡ଼ରୁ, ଯେତେ ମାରିଲେ ମରେ ନାହିଁ । ଖାଲର ‘ବେଢ଼ା’ ଧାନରେ ସାନ ସାନ ବାଉଁଶ ଜାତିର ଗଛ, ଶରଗଛ ବେଣା ଗଛ । ଢାଲୁର ଫସଲରେ ବଣୁଆଁ ଗଛର ପ୍ରକୋପ, ଗିର୍ଲି, ଧାତୁକୀ, କୁର୍‌ହେଇ, କେନ୍ଦୁ । ବଢ଼ିଗଲେ ଶତ୍ରୁ ମାଟିତଳକୁ ଚେର ବିଛେଇଦିଏ । ତେଣୁ ଏହି ନିଜାଣି ପାଗରେ ସକାଳୁ ସଞ୍ଜଯାକେ ମଣିଷ ଜମିଠିଁ, ଗାଁ ଜଗିବାକୁ କେବଳ କୁକୁର ।

 

କଷ୍ଟ କାମ, ଏହି ଚାଷ ବେଉସା । ଅନ୍ଧାରି ବଣରେ ବିଜ୍ଞାନର ଉଜ୍ଜ୍ୱଳବତି ନାହିଁ । ଯାହା ମଣିଷ ପୁରୁଷ ପୁରୁଷ ଅଭିଜ୍ଞତାରୁ ଶିଖିଛି । ବିଜ୍ଞାନ ପାଇଁ ମାଟି ଅଛି, ପାଣିପାଗ ଅଛି, ଫସଲ ନାହିଁ, ଶସ୍ୟ ବଦଳେଇ ବଦଳେଇ ଜମିର ସାର ବଢ଼େଇବାକୁ ଜଣାନାହିଁ । ଅଭ୍ୟାସରୁ ଯେତିକି ମନରୁ ବାହାରିବ, ବାକିକାମ ପାଇଁ ଦର୍ତନୀ ମାତା । ସାନ ସାନ ବଳଦ ଯୋଚି ଭୂଇଁ ଭିତରକୁ ଚାଖଣ୍ଡେ ମାଟି ହାଲୁକା ଲଙ୍ଗଳରେ ତାଷ, ନ ହେଲେ ହାତର କୋଡ୍‌କି ମାରି ମାରି ହାଣି ହାଣିକା ମଞ୍ଜି ବୁଣା । ପଥୁରିଆ ମାଟି ଖାଲଢିପ ମାଟି, ଢିମା ଖେଣ୍ଟା, ପଥର, ରୁଗୁଡ଼ି । ପର୍ବତକୁ ହାଣି ପାହାଚ ପାହାଚ କରି ବନ୍ଧ ବାନ୍ଧିଦେଲେ ସେଠି ଫସଲ ହେବ । ସେହିପରି ଢାଲୁଢାଲୁଆ ଢିପ ଖାଲ ଜମିରେ କେବଳ ତଳ ଉପର ପାହାଚ ପାହାଚ ହୋଇ କିଆରି ଧାନ ଗହୀର ଭିତରେ ବି ଉପରୁ ତଳକୁ ପାହାଚ ପାହାଚ କିଆରି । ଝୋଲାର ଅତଡ଼ା ଛିଣ୍ଡିଲେ ଆହୁରି ଟିକିଏ ଓସାରକରି ବନ୍ଧ ପକେଇଦେଇ ଦି’ବର୍ଷ ବୁଡ଼େଇ ରଖିଲେ ଝୋଲା ଭିତରୁ ‘ଅଟାଳ’ ଜମି ବାହାରେ ଟିକିଏ ନ ଜଗିଲେ ଝୋଲା ଭିତରକୁ ନୂଆ ଝରଣା ଗଡ଼ି ଆସି ପାଣିର ବେଗରେ ଜମି ଭସେଇ ନେଇ ରଖିଯାଏ ବାଲି । ବନ୍ଧର ବଳରେ ତାଷର ବଳ । ଅଟାଳରେ ଧୂଆଁପତ୍ର ହୁଏ, ରବି ଫସଲ ହୁଏ, ଝୋଲା ଭିତରର ଗହୀର କ୍ଷେତରେ ଧାନ, ତାର ଷୋଳକାନ୍ଦି, ଅଠର କାନ୍ଦି । ପଦର ଅର୍ଥାତ୍ ଅଳ୍ପ ଢିପଜମିରେ ଧାନ ହୁଏ, ସାର କମିଗଲେ ମାଣ୍ଡିଆ, ଉଞ୍ଚ ଜମିରେ ମାଣ୍ଡିଆ, ସୁଆଁ, ଅଳସି, କାନ୍ଦୁଲ, ପାହାଡ଼ ଢାଲୁରେ ମାଣ୍ଡିଆ ଉପରେ ସୁଆଁ ଚଢ଼ିଯାଏ, ତେଣିକି ପିଜୁଳିଗଛ ପରି ଉଞ୍ଚ ବହଳ କାନ୍ଦୁଲ ବା ବଡ଼ହରଡ଼, ପାହାଡ଼ ମହୁଡ଼ ଆଡ଼କୁ ବଡ଼ବଡ଼ ଗବକ୍ଷେତ । ଉଞ୍ଚ ପର୍ବତର ଅରାଏ ଅରାଏ ‘ପୋଡ଼’ କରି ଚନ୍ଦାହୋଇ ଫସଲ ଲାଗିଥାଏ, ପର୍ବତ କରେ କରେ ବଣୁଆଁ ଜନ୍ତୁ ଫସଲ ଖାଇ ଆସନ୍ତି । ବାଘ, ସାପ । ଦୁର୍ଯୋଗ ପାଗ । ଖତକୁ କେବଳ ଅଙ୍ଗାର ପାଉଁଶ ଛିଞ୍ଚିଲା ପରି ଗୋବର ଏବଂ ପଦର ଜମିକୁ ମଝିରେ ମଝିରେ ପଡ଼ିଆ ପକେଇ ବିଶ୍ରାମ । ଏପରି ପରିସ୍ଥିତିରେ ସୁଦ୍ଧା ଦର୍ତନୀ ମା’ ଦୟାକରେ, ‘ଶିଆଳୀମାଳପରି ଫସଲ ମାଡ଼ିଯାଉ’ କନ୍ଧର ଏପରି ବିନତି ସାର୍ଥକ ହୁଏ, ପର୍ବତରୁ ସଢ଼ାପତ୍ରର ଖତ ବଣ ମାଟିର ସାର ଭାସିଆସେ, ଜଙ୍ଗଲର ଫସଲ ଜଙ୍ଗଲପରି ବଢ଼େ, ପ୍ରଚୁର ଶସ୍ୟ ହୁଏ, ବେଶୀ ଜମିକୁ ଊଣା ଲୋକ ।

 

ବର୍ଷା ମଝିରେ ଏହି ଦୃଶ୍ୟ ଆଖିରେ ପଡ଼େ । ପାଗ ଖୋଲିଛି, ମେଘ ଦେବତା ବୀମାରଜାର ଗୋଟାଏ ଅଭିଯାନ ଗୁରେଇ ହୋଇଯାଇ ପଛକୁ ହଟିଛି, କେବଳ କୁହୁଡ଼ି, ହାଲୁକା ହାଲୁକା ମେଘ ଅସରା, ପୁଣି ଅଳ୍ପ ବିଶ୍ରାମ ଛାଡ଼ି ଦିନାକେତେ ଝଡ଼ି ଧରିବ, ସେ ପର୍ଯ୍ୟନ୍ତ ଦିନଯାକ ତାଷଭୂଇଁ ଉପରେ ହାଲୋଳମୟ । ରଙ୍ଗର କଣିକା ମାଟିକୁ ଛାଡ଼ି ଆକାଶକୁ ଉଠିଛି, ଠେଲାଠେଲି ଗଛ ଲଟା, ଓଦା ସରସର ଆଲୁଅ ଜକଜକ ପର୍ବତର ରାଜ୍ୟ । ସେଠି ତାଷ ଉପତ୍ୟକା ମୁଖରିତ କରି ଆକାଶ ଉଛୁଳେଇ ଶୁଆପଲ,ପର୍ବତ ଢାଲୁରେ ଦଳ ଦଳ ମୟୂର, ଆମ୍ବଗଛରେ ବି ପଲ ପଲ ଶାରୀ, ଆଉ ସବୁପ୍ରକାର ଶବ୍ଦଠୁ ବେଶୀ ମନୋହାରୀ,-ମଣିଷର କଣ୍ଠସ୍ୱର, ଯେତେଠିଁ ମଣିଷ । କେଉଁଠି କାମର ବ୍ୟଗ୍ରତାରେ ହୁଡ଼ାହୁଡ଼ି ଲାଗିଛି, କାମିକା ଲୋକ ନରମ ଭୂମିକା ଲଗେଇ କଥା କହି ଜାଣେ ନାହିଁ; ଅଖାଡ଼ୁଆ ସମ୍ବନ୍ଧ, ମଣିଷ ସାଙ୍ଗରେ ବଳଦ ସାଙ୍ଗରେ ଜମି ସାଙ୍ଗରେ, କେଉଁଠି ବା ଚଢ଼େଇ ପକ୍ଷୀ ପରି ତଲ୍ରା ତଲ୍ରି, ଘୋଡ଼ିପୁଡ଼ି ହୋଇ ପଲେ ଧାଂଡୀ ଏକାଠି ନଇଁପଡ଼ି କାମ କରିଯାଉଛନ୍ତି ଏକାତାନରେ ଗୀତର ଧ୍ୱନି ଉଠୁଛି, ଅଛିଣ୍ଡା ଗୀତ । ସେହିପରି ପାହାଡ଼ ଖୋଲରେ ଚିର୍ଚ୍ଚିରେଇ ଚିର୍ଚ୍ଚିରେଇ ଯୋଡ଼ି ଯୋଡ଼ି ହୋଇ ବଇଁଶୀ ଶୁଭୁଛି, ଏଣେ ତେଣେ ଅମଡ଼ା ମାଡ଼ି ମଇଁଷି ଜଗୁଆଳର ଗୋଠ । ଶବ୍ଦ ଆଉ ରଙ୍ଗର ପୃଥିବୀ, ସୁନ୍ଦର ଦିଶେ, ସୁନ୍ଦର ଲାଗେ ।

 

ସେହି ପୃଥିବୀରେ ଫସଲ ପିଛା ପିଛା ପିଲାଙ୍କ ପରି ପାଟିମୁଣ୍ଡକରି ଡେଇଁ ଲାଗିଥିଲା ଦିଉଡ଼ୁ ସାଓଁତା, ତାର ଲୋକଙ୍କର କାମ ତଦାରଖ କରୁଥିଲା, ଆପେ କାମ କରୁଥିଲା । ପଥରରୁ ପଥର ଡେଇଁପଡ଼ି ହିଡ଼ ମରାମତ କରେ, ନାଳିଆ ଖୋଳିପକାଏ, ପବନ ବେଗରେ ଟାଙ୍ଗିଆ ବୁଲେଇ ବୁଲେଇ କାଟି ଗଦା କରିଦିଏ କୁଢ଼କୁଢ଼ ଅରମା । ଉତ୍ସାହ ଦେବାକୁ ଗାଁ ଲୋକଙ୍କର ପାଟି ଶୁଭୁଛି । ‘ହେଇ ସେ ଆଡ଼ି ଧସ୍କି ଯାଉଛି....ଦେଖ୍‌ତ୍ ଗାଡ଼୍ (ଝୋଲା) କ’ଣ କରିଛି ଯେ......ହାଣିପକାଅ ସେ କୋରାପୁଟିଆ ବୁଦାଗୁଡ଼ାକ ହେଇ ଅଳସୁଆ, କେତେ ବେଳଯାକେ ଧୂଆଁ ପିଉଥିବୁ ।’ କ୍ଷେତ ପାଖେ ପାଖେ ରୋଷେଇର ଧୂଆଁ ଉଠୁଛି, କାମ ଅବସରରେ ଟୋକାଟୋକୀଙ୍କର ଗୀତରେ ଗୀତରେ ମାଗଣ ଚାଲିଛି, ଫୁଲ ପିନ୍ଧା ହେଉଛି, ଜୁଡ଼ା ସାଉଁଳା ହେଉଛି, ସାନପିଲାମାନେ ମାଛ ମାରୁଛନ୍ତି । କାହିଁକି ଏତେ କାମ ? କେଉଁ ସାଉକାରର ସୁନାବଳା ମୋଟ କରିବାକୁ ବଣ ଭିତରେ ଅଧା ଲଙ୍ଗଳା ଲୋକଙ୍କର ଏ ନାଟ ? ପ୍ରଶ୍ନ କେହି ପଚାରେ ନାହିଁ । ଜୀବନ ଶେଷରେ ମରଣ ସୁନିଶ୍ଚିତ ତଥାପି ଜୀବନକୁ କେହି ମରଣବାହୁନା ବୋଲି ଭାବେ ନାହିଁ । ଆସୁ ଯେତେବେଳେ ଆସିବ ଯେଉଁ ସାହୁକାର, କନ୍ଧ ତାଷ କରେ ।

 

କାମର ନିଶାରେ ଦିଉଡ଼ୁର କଳ୍ପନାରେ ଭାସିଉଠୁଥିଲା ନୂଆ ଜୀବନର ଛବି । ମନର ରୁନ୍ଧଣା କଟିଯାଇଛି, ଲେଞ୍ଜୁକକା ଯାଉ, ରହୁପଛେ ବନ୍ଦିକାର ଗାଁର ରଇତ ହୋଇ ବଣ ଭିତରେ, ଅବସୋସ ନାହିଁ । ସେ ମଣିଷ । କେବେ ସେ ବାପ ମଲାପରେ ବାପର ବସିବା ଜାଗାରେ ସାଓଁତା ହୋଇ ବସି ଗର୍ବ କରୁଥିଲା, ସେହି ପଥର ଉପରେ ସେମିତି କାହାଳୀ ଧରେଇ ଦେଇ ଗୋଡ଼ ହାତ ମେଲେଇଦେଇ ବସି ରହି । କେବର କଥା ସେ । ସେ ଧାରଣା ମଜ୍ଜାରେ ରହିଲାଣି । ତା’ପରେ ଗଲା ଲେଞ୍ଜୁକକା, ଆଜି ଲେଞ୍ଜୁକକାକୁ ଭାବିଲେ ଲାଗେ ଯେପରିକି ଆପେ ମଣିଷଖିଆ ବାଘ, ଜୀଅନ୍ତା ମଣିଷକୁ ଶବ କରିଦେଇ ତାହାରି ଲହୁ ପିଇ ପିଇ ମଦାରିଆ ପରି ଫୁଲି ଲାଗିଛି । ଅରଣା ମଣିଷ, ପଶୁବଳବାଦୀ ଜଡ଼ବାଦୀ ମଣିଷ କେବଳ ଜୟକରି ନିରସ୍ତ ହୁଏ ନାହିଁ, ଜୟ ଉତ୍ତାରୁ ଛାରଖାର କରେ, ନାରୀ ଧର୍ଷଣ କରି ନାରୀକୁ ହତ୍ୟାକରେ । ମଣିଷ ମନର ଅନ୍ଧାରି ଗୁମ୍ଫାର ସେହି ପଶୁ ଧାରଣାରେ ଲେଞ୍ଜୁକକାକୁ ତଡ଼ି ସେ ସୋନାଦେଈକୁ ପାଦରେ ଦଳିଥିଲା । କାମର ଭୂଇଁ ଉପରେ ରଇତପଣିଆ ସାଓଁତା ପଣିଆ ଉଭୟ ଗୋଳିଦେଇ କପାଳରେ ଜୟତିଳକ ମାରି ଆନନ୍ଦ ପାଇଲାବେଳକୁ ଆଜି ଆଉ ସୋନାଦେଈ ତାହା ଆଖିରେ କିଛି ନୁହେଁ, ଶବଠୁ ବି ହୀନ ସେ, ସେଥିପାଇଁ ତାର ଭାଳେଣି ନାହିଁ । ଆଜି ନାହିଁ ଅକାରଣ କୂତୂହଳ, ଅକାରଣ ଛାତିର ଧକ୍ ଧକ୍ । ସୋନାଦେଈ ଗୋଟାଏ ଡମ୍ବୁଣୀ ମାତ୍ର, ଗୋଟାଏ ଅଲକ୍ଷଣୀ ଅଭାଗୀ ସ୍ତ୍ରୀଲୋକ । ଗୋଟାକ ପରେ ଗୋଟାଏ ଯାଇଛନ୍ତି, ଜାମ୍ବାକନ୍ଧ ମୁଣ୍ଡ ନୁଆଁଇଛି, ବାରିକ କେବଳ ପୋଷା କୁକୁର, ଗାଁରେ କେହି ନାହିଁ ଯେ ତାର ଆଖିକୁ ଅନେଇ କହିଦେଇ ପାରିବ, ‘ନାହିଁ’ ବୋଲି । ଆପଣାର ଜମି ଆପଣାର ଲାଗୁଥିଲା, ଭଲ କି ମନ୍ଦ ବିବେଚନା ନ କରୁଣୁ ସମୟ ଜଣେଇଁ ଦେଉଥିଲା ସେ ବଳରେ ବଳୀୟାନ, ସେ ପ୍ରାଣରେ ପ୍ରାଣୀୟାନ । ଉଦ୍ଧତ ସେ, ଦୁର୍ମଦ, ଦୁର୍ଦ୍ଧର୍ଷ । ତାର ପରା ମନକରତା ଦୁର୍ବଳତା ନାହିଁ । ଜୋର୍‌ରେ ଜୋର୍‌ରେ କାମ କରେ ।

 

ଅସ୍ଥାୟୀ ବନ୍ଧନ ଗୋଟେଇ ସ୍ୱାଧୀନ ଜୀବନ ଗଢ଼ିବାକୁ ମନର ପ୍ରବଣତା ବାରମ୍ବାର ଦିଏ ଚେତେଇ, ସେହି ତାର ସ୍ୱାଧୀନତା ନିତି ନୂଆ, ମନ ଇଚ୍ଛା ମନଖୁସି ଦି ଦିନିଆ ଖିଆଲ, ଆଜିକ ତୋଳି କାଲି ଭାଙ୍ଗି ଦେବାକୁ । ଲେଙ୍ଗୁଟିପିନ୍ଧା ବଣୁଆ କନ୍ଧଟିଏ, ତାର ବି ମନ ଅଛି, ମନର ସହଜ ଗୁଣରେ ସେଠି ବି ଫୁଲ ଫୁଟେ ।

 

ଦେଖେ ଆପଣାକୁ ସରବୁ ସାଓଁତା ସାମ୍ନାରେ, ଲେଞ୍ଜୁକନ୍ଧ ସାମ୍ନାରେ, ଆପଣାକୁ ହିଁ ବଡ଼କରି ଦେଖେ । ପିଓଟି ପଛେ ପଛେ ପୁୟୁର କ୍ଷୀଣଦେହ ପବନରେ ମିଳେଇଯାଏ । ପିଓଟି, ସେ ବର୍ଷା ଶେଷ ଶରତର ହାବେଳି, ସେ ଭୁଲି ହୁଏ ନାହିଁ ।

 

କନ୍ଧକନ୍ଧୁଣୀଙ୍କ ଗୀତ ଶୁଭେ, ନିବେଦନ ଓ ତାର ଉତ୍ତର, ପ୍ରଶ୍ନ ଓ ତାର ଜବାବ । କାମ କରୁ କରୁ କେଉଁ ଗୀତର ପଦକ ବିନ୍ଧେ ମନରେ, ପାଦ ଟଳିଯାଏ । କାମ ମଠେଇଯାଏ । କାହିଁକି ଆଉ ସେ ଅପେକ୍ଷା କରି ରହିଛି ? ଠିକ୍-ପିଓଟି, ପିଓଟି ମନ ଭୁଲେଇବାକୁ ତରତର କରି ସେ କାମ କରିଯାଏ ।

 

ମାଟିର ଅଞ୍ଜନ ଦେହରେ ବୋଳି ଲାଗିପଡ଼ିଥା’ନ୍ତି ମଣିଷ ।

ତାଷ-ଉପତ୍ୟକା ଭିତରକୁ ବୁଢ଼ୀ ବେଜୁଣୀ ଓହ୍ଲୋଉଥିଲା ।

 

ଦ୍ୱିପ୍ରହର ଗଡ଼ିଯାଇଛି, ବର୍ଷା ନାହିଁ, ଖରାର ରଙ୍ଗ ବଣର ରଙ୍ଗ ଆଉଟି ହୋଇ ଭାସୁଛି ରଣକୁହୁଡ଼ିରେ ।

 

ମନ୍ଦାରମାଳା ପକେଇଛି, ହାର ପରି ଜାତି ଜାତି ଡଉଁରିଆ, ଜଡ଼ିବୁଟି । ନାଲି କର୍‌ହିଆ ଖଣ୍ଡେ ପିନ୍ଧି ବାଡ଼ିଧରି ଓହ୍ଲାଇ ପଡ଼ୁଛି ସରୁ ଛାଇଟାଏ, ତଳକୁ ତଳକୁ ।

 

ତାର ଅତୀତ ନାହିଁ, ତାର ଭବିଷ୍ୟତ୍ ନାହିଁ, ଏଇ ବର୍ତ୍ତମାନରେ ଦୁଇ ମୁଣ୍ଡ ଗଣ୍ଡି ପଡ଼ିଛି । ଆଜି ପରି ପାଗ, ଏଥିରେ ଦିବ୍ୟଦୃଷ୍ଟି ଦରକାର ନାହିଁ, କେବଳ ଆଖି ଖୋଲି ରଖିଲେ ଦିଶୁଛି ସେ ପୁରର ଲୋକ ଏ ପୁରର ଲୋକ ମିଶାମିଶି । ବହଳ ନେଳି ମୋଟା ସାପପରି ବଙ୍କେଇ ଧାନର ଜମି ଲମ୍ବିଯାଇଛି । କେତେ ଗଡ଼ିଶା ପାଚିବ ସେଥିରେ । ଶସ୍ୟ ମଣିଷର ଖାଦ୍ୟ, ମଣିଷର ଘରକରଣା, ତାର ଆତ୍ମସମ୍ମାନ । ହେଇ, ଦର୍ତନୀ ମା’ ହସୁଛି, ବେଜୁଣୀ ଦେଖୁଛି । ଜୁହାର ମା’ ଜୁହାର, କୋଟି କୋଟି ଜୁହାର ତୋ ପାଦରେ । ତୁ ନ ପାଳିଲେ କୋଉଠି ଥାଆନ୍ତୁ ଆମେ । ସେମିତି ସବୁଦିନେ ଟୋକୀପରି ହୋଇ ବିରାଜୁଥା, ସେହିପରି ପ୍ରଶାନ୍ତ ହସ ଖେଳୁଥାଉ ତୋର ଆଖିରେ, ପାଦୁକା ଶୀତଳ ଥାଉ, ପାଦୁକା ଶୀତଳ ଥାଉ । ବେଜୁଣୀ ଭାବେ ଦର୍ତନୀ ମା’କୁ ସେ ଦେଖିପାରେ, ସେ ନ ଦେଖିଲେ କିଏ ଦେଖିପାରିବ ଦେବତାକୁ ? ଦର୍ତନୀ ମା’, ଡଉଲ ଡାଉଲ କନ୍ଧୁଣୀ ସ୍ତ୍ରୀଟିଏ ପରି ଦିଶେ, ମୁଣ୍ଡରେ ଓଢ଼ଣା, ମୁହଁରେ ହଳଦୀ ଜଡ଼ାତେଲ ମଠାମଠି ହୋଇ ଜିକି ଜିକି, ବେକରେ ସରୁ ସରୁ ନାଲି ରଙ୍ଗର ମାଳି ସରି ସରି, ସ୍ନେହରେ ଖିର ବୋହିଯାଉଚି । ଧାନ କ୍ଷେତରୁ ମୁଣ୍ଡ ଟେକେ, କାନ୍ଦୁଲ କ୍ଷେତରୁ ମୁହଁ ଦେଖାଏ, ମାଣ୍ଡିଆ ବଣରେ ବସିଥାଏ ବାଳ ମୁକୁଳା କରି ।

 

‘ଜାଣିଚି ମା’, ଦିନୁ ଦିନ ହୀନଅବସ୍ଥା ପଡ଼ିବ, ରଇତର ଖଳାର ଫସଲ ବୋହି ହୋଇଯିବ ପର ମୁହଁକୁ, କେତେ ଛଟକରେ ଶୋଷି ହୋଇଯିବ କ୍ଷେତର ପାଚି, ଗଣ୍ଡିରେ ଲାଗିରହି ସୁଦ୍ଧା ମୁଣ୍ଡଟା ହେବ ପରର, ମଣିଷପଣ ରହିବ ନାହିଁ । ସବୁ ମୁଁ ଜାଣିଛି ତୋ ଦୟାରୁ । ଯାହା ହେବାର ହେବ ପଛେ ହେଉ, ମୋ ଦେଖନ୍ତରେ ନୁହେଁ, ଏତେଦିନ ସେବା କଲି, ମୋର ମିନତି ରହିବ ନାହିଁ ?’

 

ଦର୍ତନୀ ମା’ ତାଷ-ଉପ୍ୟତକାରେ ଥାଇ ମୁଣ୍ଡ ଟୁଙ୍ଗାରୁଛି, ପାହାଡ଼ ସେପାଖେ ବୀମାରଜା ବସି ବାହାବା ନେଉଛି, ଭଲ ବର୍ଷା କଲା, ଜଙ୍ଗଲ ବାଙ୍କରେ ଧାରେ ଧାରେ ଦିଶିଯାଉଛି ଝରଣାର ଆରଶି, ସେଠି ବଣର ଦେବାଦେବୀଙ୍କର ତୁଠ ପରା, କିଏ ବାଳ ମୁକୁଳାକରି ଶୁଖୋଉଛି, କିଏ ଗୋଡ଼େଇଛି, କିଏ ଖୋଜିବୁଲୁଛି, ଉଦୁଉଦିଆ ଦିନ ଆଲୁଅରେ ଦେବତାମାନଙ୍କର ଖେଳ । କେତେ ଅଜଣା ସମ୍ବୋଧନ କରି କରି ମନକୁ ମନ ଭୁଟୁରୁ ଭୁଟୁରୁ ହୋଇ ବେଜୁଣୀ ବୁଢ଼ୀ ତଳକୁ ଓହ୍ଲେଇଗଲା । ଗାଁ ଲୋକଙ୍କ ପାଟି ଶୁଭୁଛି, ମଣିଷ ଦିଶୁଛନ୍ତି । ଆପଣାର କେହି ନାହିଁ, ଏହିମାନେ ତାର । ଆପଣା ପାଇଁ ଜୀବନ ବଞ୍ଚିବା କେବଠୁଁ ସେ ଭୁଲିଗଲାଣି, ତାର ଦଳହିଁ ତାର ସଂସାର । ପତ୍ର ଝଡ଼ିଛି, ବାହି ଭାଙ୍ଗିଯାଇଛି, ଶୁଖିଲା ଥୁଣ୍ଟା ହୋଇପଡ଼ି ଦଶଜଣଙ୍କ ଗୋଜିଣା ହେବାରେ ତାର ଆନନ୍ଦ ।

 

ଆକାଶର କଥା ଦେବତାଙ୍କ କଥା,-ସବୁରି ମୂଳରେ ତା’ରି ଦଳ, ତା’ରି ସମାଜ । ତାଙ୍କରି ଭରସାରେ ମରଣକୁ ଜିଣି ଅକଳନ ବୟସର ଅସ୍ପଷ୍ଟ ଦାଢ଼ରେ ଭୂଇଁରେ ପାଦ ମାଡ଼ିଦେଇ ଅଦ୍ୟାପି ସେ ରହିଛି । କେତେ କେତେ ଯାଇଛନ୍ତି, ସେ ଅଛି । ପୁନର୍ଜନ୍ମ ତାର ଦରକାର ନାହିଁ ।

 

‘କୁଆଡ଼େ ଚାଲିଛୁ ? ବେଜୁଣୀ, ହେ ବେଜୁଣୀ ।’

‘ବିଲ ବାଛିବୁ ବେଜୁଣୀ ?’

‘ଶୁଣିବ ନାହିଁ, ତାର ଡାକରା ପଡ଼ିଛି ବୋଧହୁଏ, ବେଜୁଣୀ ଦେବତା ଠାନକୁ ଯାଉଛି ।’

 

ଶୁଣିବାକୁ ତାର ଗରଜ ନାହିଁ, ହଠାତ୍ ତାର ଆତ୍ମସମ୍ମାନ ମନେପଡ଼ିଯାଏ, ସାଧାରଣ ମଣିଷଙ୍କଠୁଁ ସେ ବହୁତ ଉଚ୍ଚରେ । ପିଜୁଳିଗଛ ମୂଳେ ରେନ୍ଦ, କାଠ୍‌କ, ଟିଟି ପିଜୁଳି ଖାଉଛନ୍ତି, ଡାଳରେ ବସିଛି ଜଞ୍ଜଇ ।

 

ଗୋଟାଏ ଗୋରୁକୁ ଦି’ଆଡ଼ୁ ଦି’ଜଣ ଖେଦି ଖେଦି ବଣଆଡ଼କୁ ଗଲେ, ପୁଲମେଁ ଆଉ ବାତ୍ରି ।

 

ଦିଉଡ଼ୁ ସାଓଁତାର ଘରଣୀ ପୁଅକୁ କାଖେଇ ହାଣ୍ଡିଟିଏ ମୁଣ୍ଡେଇ ବିଲରୁ ଫେରୁଛି, ହାକିନାକୁ ହାତ ବଢ଼େଇ ଦେଖୋଉଛି, ‘ହେଇ ଦେଖ୍, ବେଜୁଣୀ ।’

 

ଏକାମୁହାଁ ହୋଇ ବେଜୁଣୀ ଚାଲିଛି, ସବୁ ଦେଖୁଛି, ଅଟକୁ ନାହିଁ । ବିଲ ମଝି ମଝି ହିଡ଼େ ହିଡ଼େ ବାଏଁ ଡାହାଣେ ଝାଳ ସର କଳା କଳା ପିଠି ଅସଂଖ୍ୟ ପାଖକୁ ପାଖ, କାମ କଲାବେଳର ପାଟି, କାମର ଶବ୍ଦ । ଏହି ତାର ପରିଚିତ ପୃଥିବୀ, ଏହି ପରିସର, ନିତି ନୂଆ, ନିତି ପୁରୁଣା । ପ୍ରଜାପତି ପରି ବେଜୁଣୀ ଉଡ଼ିଯାଉଥାଏ, ଚିହ୍ନା ବନ୍ଧନୀ ଭିତରେ ସେ ସ୍ୱାଧୀନ ।

 

ଅତଡ଼ା ଉପରୁ ଗୋଟାଏ ନୂଆ ନାଳିଆ ଭିତରକୁ ପଥରଟାଏ ଗଡ଼େଇ ଲାଗିଥିଲା ପାଣ୍ଡ୍ରୁ ଦିସାରି, ନଇଁପଡ଼ି ଦି’ହାତରେ ପେଲି ଲାଗିଛି । ଦିନରେ ଆଉ ତାରା ଗଣିବା ନାହିଁ, ଦିନରେ ତାଷ କାମ । ‘କୁଆଡ଼େ ଚାଲିଲୁ ବେଜୁଣୀ ?’

 

ଅଟକି ଯାଇ ଗୋଟିକିଆ ଦାନ୍ତଟା ହଲେଇ ଦେଇ ବେଜୁଣୀ ଆଁ କଲା, ସେହି ତାର ବଡ଼ ହସ । ନେଳି ଧୂଆଁଳିଆ ଗହୀର ଆଖି ଉପରେ କୁଞ୍ଚ କୁଞ୍ଚ ହୋଇ ହଳଦିଆ ଚମ ଓହଳିଛି, ଗହୀର ହୋଇ ପରସ୍ତ ପରସ୍ତ ହୋଇ ରହିଯାଇଛି ବର୍ଷ ବର୍ଷର ବାର ଅନିଭୋଗ ।

 

ବେଜୁଣୀର ପ୍ରସନ୍ନ ହସ ।

ହଜିଲା ଇତିହାସର ଧୂଳି ମେଞ୍ଚାଏ ।

 

‘କୁଆଡ଼େ ଯାଉଛୁ ବେଜୁଣୀ ଛଣେ ବସ, ଛଣେ ରହ ।’ ଦିସାରି ବଡ଼ ବଡ଼ ନିଶ୍ୱାସ ମାରିଲା । ଅଣ୍ଟାରୁ ଧୂଆଁପତ୍ର ବାହାର କଲା । ମନକୁ ମନ କହିଲାଗିଲା, ‘ଭାରି ପାଣି, ହେଇତ ମୋଟେ ରୋହିଣୀର ଆରମ୍ଭ, ବହୁତ ମେଘ ବର୍ଷିବ ଏବର୍ଷ ।’ ଅନ୍ୟମନସ୍କ ହୋଇ ବେଜୁଣୀ ଗୋଟାଏ ପଥର ଉପରେ ବସିରହିଲା । ଦିସାରି ତାଷ ବେଉଷା କଥା ଆଲୋଚନା କଲା, ଭଲ ଫସଲ ହେବ, ଗୋରୁ ମଡ଼କ ନାହିଁ । କଥା ମଝିରେ ବେଜୁଣୀ ବସି ମୁଣ୍ଡ ହଲାଇଲା, ଠିଆ ହୋଇପଡ଼ି କହିଲା, ‘ଭଲ ନାହିଁ, ଭଲ ନାହିଁ ।’

 

‘ବଘେଇ ଲାଗିବ ? ବାଘ ମାତିବ କହୁଚୁ ?’ ଘଞ୍ଚ ଅରଣ୍ୟ ଆଡ଼କୁ ଅନେଇଁ ଦିସାରି କହିଲା । ବେଜୁଣୀ ଉଦାସ ହୋଇ ଚାରିଆଡ଼େ ଅନେଇ ଦେଲା, ଜୋର୍‌ରେ ଜୋର୍‌ରେ ମୁଣ୍ଡ ହଲେଇ କହିଲା, ‘କିଛି ଭଲ ନାହିଁ ।’ ଉଠି ଚାଲିଗଲା । ଦିସାରି ପଛରୁ ଅନାଇଲା, ପର୍ବତ ଆଡ଼କୁ ବେଜୁଣୀ ଚାଲିଛି ପର୍ବତ ଢାଲୁରେ ସୁଆଁ କ୍ଷେତରେ ମାଣ୍ଡିଆ କ୍ଷେତରେ ମଣିଷ ଅଛନ୍ତି । ଅଟକୁ ନାହିଁ, ସିଧା ଚାଲିଯାଉଛି ସେ, କୁଆଡ଼େ ଯାଉଛି । ମନକୁ ମନ ଦିସାରି କହିଲା, ‘ବାୟା, ବାୟା ଲାଗିଛି ।’ ତାର ପଥର ଗଡ଼େଇବାରେ ଲାଗିଗଲା । ଖରା ଫିକା ପଡ଼ିଗଲାଣି । ସାନ ମେଘ ଖଣ୍ଡେ ପର୍ବତ କରେ କରେ ଧୂଆଁ ଖେଳେଇ ଖେଳେଇ ଆସୁଛି, ପାଣି ବରଷିବା ଆଗରୁ ପଥର ଖଣ୍ଡକ ଦୁଆର ମୁହଁରେ ପକେଇବା ଦରକାର ।

 

‘ଭଲ ହେବ ନାହିଁ ।’-ବୁଢ଼ାବୁଢ଼ୀ ସେପରି ଭାବନ୍ତି । ବୁଢ଼ାଳିଆ ଦିନବେଳେ ଭୂତ ଦେଖନ୍ତି, ଅକାରଣରେ ଅମଙ୍ଗଳ ଆଶଂକା କରି ନିଜେ ଡରନ୍ତି, ପରକୁ ଡରାନ୍ତି ।

 

ତାଷ ଜମି ଭର୍ତ୍ତି ହୋଇଛି, ଉଛୁଳି ଉଠୁଛି ଫସଲ ସଙ୍ଗେ ସଙ୍ଗେ ଚାଷୀର ଛାତି । ଭଲ ନ ହେବାକୁ କୌଣସି କାରଣ ପାଇଲା ନାହିଁ ଦିସାରି । କାମରେ ମନ ଦେଲା ।

 

ବେଜୁଣୀ ପର୍ବତ ପାଖେ ପହଞ୍ଚିଗଲା, ତାଷ ଗୁଡ଼ିଆର ହିଡ଼ ପରି ଠିଆ ହୋଇଥିବା ପର୍ବତରୁ ଠାଏ । ଘଞ୍ଚ ଜଙ୍ଗଲ ଲଦାଲଦି, ମଝିରେ ତିନିକୋଣିଆଁ ହୋଇ ଉପର ଯାକେ ଉଠିଯାଇଛି ଅରାଏ ପୋଡ଼ୁ ହୋଇଥିବା ଜମି, ସେଥିରେ ବାର ଜଣଙ୍କର ତାଷ, ଲୋକ ଅଛନ୍ତି । ଦିଉଡ଼ୁ ସାଓଁତା କାମ କରି କରି ବୁଲୁଛି ।

 

ଦିଉଡ଼ୁ ପଚାରିଲା, ‘କୁଆଡ଼େ ଯାଉଛୁ ବେଜୁଣୀ,’-ଥଟ୍ଟା କରି କହିଲା, ‘କାଠ ପତର ଆଣି ଯିବୁକି ?’ ବେଜୁଣୀ ଠିଆ ହୋଇପଡ଼ି ଏକା ଦୃଷ୍ଟିରେ ସାଓଁତାକୁ ଅନେଇଁ ରହିଲା, କିଛି କହିଲା ନାହିଁ, ଧୀରେ ଧୀରେ ଚାଲିଗଲା । ଢାଲୁ ଉପରେ ଅଳ୍ପ ଉଚ୍ଚକୁ ଚଢ଼ିଗଲା । ଗାଁ-ପର୍ବତ ଶିଖର ଉପରୁ, ତାଷଗୁଡ଼ିଆର ଭିନ୍ନ ଭିନ୍ନ ନୂଆ ଦିଗରୁ ନୂଆ ଦୃଷ୍ଟିକୋଣରୁ ମଣିଷଙ୍କ କାମର ଭୂଇଁକୁ ଦେଖିବାକୁ ତାକୁ ଭଲ ଲାଗେ, ନୂଆ ନୂଆ ଧାରଣା ଆସେ ।

 

ଏତେ ଲୋକ କାମ କରୁଛନ୍ତି ସମସ୍ତେ ଏକା ଘରର । ଉପରେ ଲୋକ ତଳେ ଲୋକ ସମସ୍ତେ ଭାଇ ଭାଇ । ଆକାଶରେ ଧର୍ମୁ ଅଛି, ତଳେ ଅଛି ଦର୍ତନୀ, ଦୁଇ ଦେବତାଙ୍କର ଛୁଆପିଲା ହୋଇ ସଂସାରରେ ଏକା ଘରକେ ଏତେ ମଣିଷ । ସୁନ୍ଦର ପୃଥିବୀ । ଏହି ତାର ଘର ।

 

ଖରା କେତେ ଢଳି ଗଲାଣି, ଘର ବାହୁଡ଼ାଣି ଖରାର ଧାସ ପର୍ବତ ରାଜ୍ୟରେ ନାନା ଜାତି ରଙ୍ଗ ଅଜାଡ଼ିଦେଇଛି । ତଥାପି, ସବୁ ଚିତ୍ର ଉପରେ ଯେପରିକି ଧୀରେ ଧୀରେ ମଉଳି ପଡ଼ିବାର ନିଭି ଆସିବାର ସୂଚନା, ଏ ଦୃଶ୍ୟ ରହିବ ନାହିଁ, ସବୁ ନିଭିଯିବ । ଏତିକି ଉଞ୍ଚରୁ ଏହିପରି ସମୟରେ ଚିନ୍ତାର ଆଖି ଖୋଲିଦେଇ ଦେଖିଗଲେ ଖାଲି ଉଦାସ ଲାଗେ । ଗୋଟାଏ ପାଖରୁ ଆକାଶରେ ଅଙ୍ଗାର ବୋଳି ବୋଳି ତଳେ ଧୂଆଁ କୁହୁଳେଇ କୁହୁଳେଇ ମେଘ ଖଣ୍ଡେ, ହାଲୁକେ ହାଲୁକେ ଉଡ଼ି ଆସୁଛି, ଏମିତି ବେଳରେ କେଉଁ କନ୍ଦି ବିକନ୍ଦିରୁ ମନ ଭିତରର ହଜିଲା ଚିନ୍ତା କାନ୍ଦୁରା ଚିନ୍ତା ଉଡ଼ି ଉଡ଼ି ପୁଣି ପାଖକୁ ଆସେ, ବେଜୁଣୀ ଆଉ ବେଜୁଣୀ ହୋଇ ରହେ ନାହିଁ, ହୁଏ କେବଳ ଗୋଟାଏ ଶୁଖିଲା ମଣିଷ । ଏହି ବେଳକାଳର ଛବିକୁ ପିଠିଆଡ଼େ ଟାଙ୍ଗିଦେଇ କେତେ କ୍ଷେତ ପୁଣି ଅତୀତର ଅନ୍ଧାରରୁ ଗଢ଼ି ହୋଇ ହୋଇ ଉପରକୁ ଉଠେ, ନିଛାଟିଆ ସାବୁଜା ଭିତରେ ଗୋଟିକିଆ ନାଲି ଫୁଲପରି ଆଖିକୁ ବାନ୍ଧିରଖେ, ଶୁଖିଲା ହାଡ଼ ଚମର ଖୋଳପା ଭିତରେ ଅନହୁତି ଆସେ ଅନୁଭୂତି, ବେଜୁଣୀ ଆପଣା ମନର କଥା ଶୁଣେ ।

 

କେଉଁ ପୁରୁଣା କାଳର କାହାଣୀ ସେ କାହିଁ ଆଜି ତାର ଛାଇ ବର୍ଣ୍ଣ । କେବେ ବୁଢ଼ୀ ବେଜୁଣୀ ଧାଂଡୀ ହୋଇଥିଲା । ଦିଉଡ଼ୁକୁ ଦେଖିଲେ ସରବୁ ସାଓଁତା ମନେପଡ଼େ । ଧାଂଡୀ ଦିନ ଯାଇଛି, ସରବୁ ସାଓଁତା ଯାଇଛି, ସବୁ ଯାଇ ଯାଇ ବର୍ଷକୁ ବର୍ଷ ଆସୁଛି ଯାଉଛି ଚିହ୍ନା ପୃଥିବୀରେ ଚିହ୍ନା ଦୃଶ୍ୟ, ଚିହ୍ନା ଖେଳ, ଧାଂଡୀ ଦିନ ଆଉ ଆସୁ ନାହିଁ ।

 

ସରବୁ ସାଓଁତା ଧାଂଡା ହୋଇଥିଲା, ଯେତେ ଭାବିଲେ ଏହି ନିରୋଳା ବେଳ ସଙ୍ଗେ ବୁଢ଼ା ସରବୁ ଆଉ ଖାପେ ନାହିଁ । ସେ କାଳର ଯୁବା ଆସି ପଚାରେ, ‘କାହିଁ ସଜ ହୋଇ ନାହୁଁ, ବଣ ବୁଲି ଆଜି ଆଉ ଯିବା ନାହିଁ, ମିଛରେ ଆମ ଖାରି ଖାଇଦେଇ ସମ୍ବର ଜୀଆଦ ପଳେଇବେ ?’ ତାହାରି ସାଙ୍ଗେ ସାଙ୍ଗେ ପଥର ଡେଇଁ ପର୍ବତର ଫାଟ ଆଉ ଉଠାଣି ଉପରେ ହରିଣୀ ପରି ଧାଇଁ ବୁଲିବାର ନିଶା । କ’ଣ ମିଳିଲା ତହିଁରୁ, ପ୍ରତିଦାନ ଖୋଜି ଅଭିମାନର ତାତିରେ ଆପଣାକୁ ଅଦିନରେ ଝାଉଁଳେଇ ପକେଇ ନାହିଁ, ଧୀରେ ଧୀରେ ପଥର ହୋଇଛି, ପଥର ।

 

‘ସୁନ୍ଦର ଚାଲି ତୋର, ଚାଲୁ ନାହିଁ ତ ନାଚୁ ।’

 

ଏତେ ଅନା ନାହିଁତ ମତେ ଅନେଇଁଲେ ମୋର ନିଘା ଭାଙ୍ଗିଯିବ ଜାଣିଥା ଜନ୍ତୁ ପଳେଇବ ।

 

ନା, ଆଉଦିନେ ତତେ ସାଙ୍ଗରେ ଆଣିବି ନାହିଁ, ତୁ ଆସିଲେ କେଉଁଥିରେ ମୋର ମନ ଲାଗିବ ନାହିଁ ।

 

ସମ୍ବର ଜୀଆଦ ଖାରି ଖାଉ ଖାଉ ଶବ୍ଦ ବାରିଦେଇ ପଳାନ୍ତି, ତାହାରି ମୁହଁକୁ ଅନେଇ ଅନେଇ ବସି ରହିଥାଏ ମଣିଷଟା, ବିହ୍ୱଳ ଆଖିରେ ପଲକ ପଡ଼ିଲା ପରି ଦିଶେ ନାହିଁ, ଦେହରେ ଲହଡ଼ି ଖେଳିଯାଏ, ହସ ଉଛୁଳି ପଡ଼େ ।

 

‘ଆଚ୍ଛା ହଉ ତେବେ ଆଉ ଶିକାର ନାହିଁ ଚାଲ ସେ ଚଟାଣ ଉପରେ ବସିବା, ଉଠ ଉଠ-’

 

ଆଉ ଟିକିଏ ବାଁକୁ, ଛାଡ଼ି ଛାଡ଼ିକା ଶାଳଗଛ ଉପରେ ଲଦାଲଦି ହୋଇ ଶିଆଳିଲଟାର ଚାଳୁଆ, ତାହାରି ତଳେ ଓସାର ଚଟାଣ, ମୁହଁ ପାଖେ ଖୋଲା ପର୍ବତର ଅତଡ଼ା ଦିଶେ ତାଷ ଉପତ୍ୟକା ଦିଶେ, ଚାଷୀ ରାଇଜର ଖୁବ୍ ବଡ଼ ଭାତହାଣ୍ଡି ପରି ।

 

ସୂର୍ଯ୍ୟାସ୍ତ ସେଠି ଭଲ ଦିଶେ ।

ସେହି ଯୌବନର ତୀର୍ଥ, ଆହୁରି ଟିକିଏ, ଆହୁରି ଟିକିଏ ବାଁକୁ ।

 

ସରବୁ ସାଓଁତା ତାର ହେଲା ନାହିଁ, ସେଥିପାଇଁ ଆଜି ଦୁଃଖ ନାହିଁ, ମଣିଷର ମନ ଯେତେଠିଁ ହେଲେ ସବୁଠି ଲାଖିଯାଏ ନାହିଁ । ଘର କଲା ନାହିଁ, କେମିତି କେମିତି ହୋଇ ରକ୍ତର ତେଜରେ ଶୀତଳି ପଡ଼ିଗଲା, ସେ ମୁହଁ, ସେ ଆଖି ସେ ଦେହ ଗଲା କୁଆଡ଼େ । ଧୀରେ ଧୀରେ ସଂସାର ଉପରୁ ମୁଣ୍ଡ ଉଠେଇନେଇ ଦେବତା ରାଇଜରେ ସେ ଧ୍ୟାନ ଲଗେଇଲା । ସ୍ୱାମୀ ନାହିଁ, ସନ୍ତାନ ନାହାନ୍ତି, ଦେବତାଙ୍କ ବାହନ, ଗାଁର ବେଜୁଣୀ ।

 

ହେଇତି ତଳେ, ଦିଉଡ଼ୁ ସାଓଁତା କାମରେ ଲାଗିଛି, ଉପରେ ଲୋକ; ତଳେ ଲୋକ, ପୋଡ଼ୁହେଲା ଅଞ୍ଚଳରେ ଭାଲୁପରି ଗଛ ବଢ଼ିଛି, ବଛାବଛି କାମ ବହୁତ ବେଶୀ । ବେଜୁଣୀ ବାଁକୁ ଚାଲିଗଲା । ବର୍ଷା ସବୁ ପ୍ରଳୟ କରିଦେଇଛି, ଫଡ଼ା ଫଡ଼ା ହୋଇ ମାଟି ଧୋଇଯାଇଛି, ଉପରୁ ବୋହି ଆସିଥିବା ପାଣି ସୁଅରେ ବାଟେ ବାଟେ ଖଣ୍ଡଖଣ୍ଡ ପଥର କୁଢ଼ କୁଢ଼ । ଚିହ୍ନାବାଟରେ ଅରମା ବଢ଼ିଛି, ଅଚିହ୍ନା ବାଟ ଫିଟିଯାଇଛି, ସବୁ ନୂଆ, ପର୍ବତର ବିସ୍ମୟ । ଚାଷ ଜମି କରେ କରେ ପର୍ବତର ନଇଁଲା କାନ୍ଥରେ ଜଙ୍ଗଲ ଠିଆ ହୋଇଛି ନାନା ଜାତି କକୋଡ଼ି ଫର୍ଣ୍ଣ ବଣରେ ତଳ ଭୂଇଁର ଦନ୍ଥଡ଼ା ପଥର ଦିଶୁ ନାହିଁ, ଖାଲି ଚଟାଣରେ ଜାତି ଜାତିକା ଶିଉଳିର ଗଦି । ଅଥାନ ତାନେ ହଠାତ୍ ମେଞ୍ଚା ମେଞ୍ଚା ଫୁଲ ସରଳ ବର୍ଣ୍ଣର ପେନ୍ଥା ପେନ୍ଥା ହୋଇ ବାଘନଖୀ ଫୁଲ ଲଟକିଛି ଗଛର ଗଣ୍ଡିରେ, କୁଲାପରି କାଠଛତୁ, ସାବଜା ଧଳା ହାତୀ କାନ ପରି ହାଡ଼ଭଙ୍ଗା ଗଛର ପତ୍ର । ଫାଳକେ ଖରା ପତ୍ର ସନ୍ଧି ସନ୍ଧି ଉଙ୍କିମାରୁଛି, ଫାଳକେ ମେଘ ଘୋଡ଼ୋଉଛି, ମୋଡ଼ିହୋଇ ଧୂଆଁ ଆସୁଛି । ଚଲା ମେଘ ଦିଟୋପା ଝାଡ଼ିଦେଇ ଚାଲିଯିବ, ବେଜୁଣୀ ଭାବିଲା । ଛାଁକୁ ଛାଁ ପାଦ ପଡ଼ିଗଲା ସେହି ଚତରା ଚଟାଣ ଆଡ଼ୁକୁ ବେଶୀ ଦୂର ନୁହେଁ ।

 

ଚଟାଣ ଉପରେ ଠିଆହୋଇ ବେଜୁଣୀ ଅସ୍ତାନ ମୁହଁ । ସୂର୍ଯ୍ୟ ଆଡ଼କୁ ଅନେଇ ରହିଲା । ଆଜି ବି ସୁନ୍ଦର, ଠିକ୍ ସେହିଦିନପରି ସୁନ୍ଦର, କିନ୍ତୁ ସେଦିନ ନାହିଁ । ଦୂରର ଭାତହାଣ୍ଡି ପରି ଉପତ୍ୟକା ସେପାରି ଲହଡ଼ିମାଳ ଆଡ଼କୁ ଅନେଇଁ ରହିଲା । କେଡ଼େ ନିଃଶବ୍ଦ, କେଡ଼େ ନିଛାଟିଆ ଦୀର୍ଘଶ୍ୱାସ ଆସିଲା ଦି’ଟା, କୋରଡ଼ପରି ଆଖିରେ ଅନ୍ଧାରି ମାୟା ଖୁନ୍ଦିହେଲା । ସବୁ ସେହିଦିନ ପରି ସତେ, କେଡ଼େ ଚଞ୍ଚଳ ଚାଲିଗଲା, ଦିନ ଗଣିହେଲା ନାହିଁ, ଦଉଡ଼ି ଗଣ୍ଠି ମାନିଲା ନାହିଁ, ସଞ୍ଜ ବୁଡ଼ିଗଲା, ସବୁ ଶେଷ ।

 

ନିତି ଏହି ସୂର୍ଯ୍ୟ ଉଉଁଛି, ନିତି ଚାଲିଯାଉଛି ସେ ପାଖକୁ, ସବୁଦିନେ ଦର୍ତନୀ ଉପରେ ପାଦଭରା ଦେଇ ଏକା ଅବସ୍ଥାରେ ଖରାର ଆତଯାତକୁ ଦେଖିବାକୁ କାହାରି କିମିଆ ନାହିଁ, ଦେବତା ହାତରେ ଚାବିକାଠି, ମଣିଷ ତାର ଖେଳନା କଣ୍ଢେଇ ।

 

ସେ ବେଜୁଣୀ ହୋଇଛି, ଦେବତାଙ୍କ ଜ୍ଞାନ ଅର୍ଜିଛି, ତଥାପି ବେଡ଼ି ବନ୍ଧାହୋଇ ପଡ଼ିରହିଛି ସେ ମଣିଷର ଦୁର୍ବଳତାରେ ।

 

ସବୁ ଫୋପାଡ଼ିଦେଇଛି ସଂସାରର ଯେତେ ଭୋଗ ବିଳାସ, ମଣିଷର ସୁଖର ଘରକରଣା, ସଂସାରୀର ଧାରଣା । ତ୍ୟାଗ କରିଛି ସୁଆଦ ଭୁଲି ସଂଯମ ସଞ୍ଚି ଦେବତା ପାଦରେ ନିଜକୁ ପାଣି ଛଡ଼ାଇ ହୋଇଥିଲା ବେଜୁଣୀ । ଏ ପୁରୁଣା ଚଟାଣ ଉପରେ ପୁରୁଣା ଦୃଶ୍ୟ ଉପରେ ଆଖି ରଖି ନିରୋଳା ନିଛାଟିଆରେ ଆପଣା ସଙ୍ଗେ କଥାଭାଷା ହେଲାବେଳେ ସେ ବିଶ୍ୱାସ ବି ରହେ ନାହିଁ ।

 

ଠକି ହୋଇ ହୋଇ ବୁଢ଼ୀ ହୋଇଛି, ମନ ଚେତେଇ ଦିଏ ସବୁ ଫାଙ୍କ୍ ।

 

ସେପାଖ ମେଘଟା ଅନ୍ଧାର କରି ଆସିଲା । ନିମିଷକେ ଖରା ନିଭିଗଲା । ଉପର ଆକାଶ ଚିକ୍‍କଣ କଳା, କ୍ଷେତ ଉପରେ ଫଜେରା ବେଳର ଛାଇ ଅନ୍ଧାର ପଡ଼ିଛି । ଆକାଶର ଏମୁଣ୍ଡୁ ସେମୁଣ୍ଡୁ ହାରପରି ଟାଙ୍ଗିହୋଇ ଝୁଲି ଝୁଲି ଉଡ଼ିଗଲେ ପଲେ ଧଳା ବଗ, ଚିକ୍‍କଣ କଳାତଳେ, ମୁହଁଟେକି ସେହିଆଡ଼କୁ ବେଜୁଣୀ ଅନେଇଁ ରହିଲା । ମୁହୂର୍ତ୍ତେ ଆପଣାକୁ ଭୁଲି ମୁହୂର୍ତ୍ତେ ପୁଣି ହଜିଲା ହାହାକାରର ରାଗିଣି ଫେରାଇଆଣି ବେଜୁଣୀ ସ୍ଥିର ହୋଇ ଠିଆ ହୋଇ ରହିଲା । ମେଘର ଧୂଆଁ ପାଖକୁ ଆସୁଛି, ତାର ଦକା ନାହିଁ କି ଭୟ ନାହିଁ । ଓଦା ବାସ୍ନା । ଓଦା ବୋତକ ଗନ୍ଧ, ଫୁର୍‌କୁଟିଆ ଗନ୍ଧ, ମଢ଼ ପୋଡ଼ିଲା ପରି ପୁଣି ସଢ଼ା ମଢ଼ପରି ଏକାଠି ମିଶାମିଶି । ପାଖେଇ ଆସୁଛି-। କାଳଖୁଣ୍ଟ ଗଛର ଫୁଲ ହୋଇଥିବ । ପାଖେଇ ଆସୁଛି, ଟପର ଟପର ବରଷାର ଶବ୍ଦ କତିକି କତି, ଚାରିଆଡ଼ କଳାଘୁମର । ବଗ ଚାଲିଯାଉଛନ୍ତି । ହେଇ, ଚାରିଆଡ଼ ଧଳା ହୋଇଗଲା ।

 

ହଠାତ୍, ଅନ୍ୟମନସ୍କ ବେଜୁଣୀ ଚମକି ପଡ଼ି ଭୂଇଁ ଉପରୁ ଟେକିହୋଇଗଲା କାହାର ବଜ୍ର ବନ୍ଧନରେ । ତୋଫାନ ସାଙ୍ଗେ ମିଶିଯାଇ କୁଆଡ଼େ ସେ ଟାଣିହୋଇ ଚାଲିଛି । ସବୁ ବଳ ଏକାଠିକରି ବୁଢ଼ୀଟି ତିନିଥର ରଡ଼ିଛାଡ଼ିଲା, ତା’ପରେ ଚେତା ବୁଡ଼ିଯାଇ ଆଖି ବୁଜିଦେଲା । ମଣିଷଖିଆ ପଟାଳିଆ ବାଘ ବେଜୁଣୀକି ଜାକିଧରି ଖେପା ମାରିମାରି ଚଢ଼ିଗଲା ପର୍ବତ ଉପରକୁ । କେତେବେଳ ପରେ, ଯନ୍ତ୍ରଣାରେ ଚେଇଁଉଠି ବିଳିବିଳେଇଲା ପରି ବୁଢ଼ୀ ଆହୁରି ଦି’ଥର ରଡ଼ିଲା, ଶେଷର ବୋବାଳି ତଣ୍ଟି ଭିତରେ ଘଡ଼ଘଡ଼ ହୋଇ ମରିଗଲା । ମଣିଷକୁ ତଳେ ଫୋପାଡ଼ିଦେଇ ଗର୍ଜନ କରି କୁଦିଆସି ବାଘ ମାଡ଼ିବସିଲା ।

 

ଭସା ମେଘ ଟିକିଏ ବରଷି ଦେଇ ଭାସି ଚାଲିଗଲା ।

ବେଜୁଣୀ ଆଉ ଫେରିଲା ନାହିଁ ।

 

ମେଘବେଳେ ମୁହଁମାଡ଼ି ଗଛତଳେ ବସି ରହିଲାବେଳେ ବର୍ଷାର ରାଉ ରାଉ ସାଇଁ ସାଇଁ ଭିତରେ ଅସ୍ୱାଭାବିକ କିଳିକିଳା ରଡ଼ି କେହି କେହି ଶୁଣିଥିଲେ, କେହି ସେତେ ନିଘା କରି ନାହିଁ, ଜଙ୍ଗଲରେ ଘରକରି ରହିଲେ ବି ଜଙ୍ଗଲର ସବୁ ତତ୍ତ୍ୱ କେହି ବୁଝେ ନାହିଁ, କେତେ ପ୍ରକାର ବଣର ଶବ୍ଦ ଶୁଭେ, ତେଣିକି ମନଦେଇ ପ୍ରତି ଖଡ଼ ଖଡ଼ରେ ଚମକିଲେ କାମ କରି ହୁଏ ନାହିଁ ।

 

ଦୂରରେ ହଳଦିଆ ଖରା ପର୍ବତର ଫାଳକେ ଝଲସିଲା, ଧୀରେ ଧୀରେ ଖରା ମାଡ଼ି ଆସିଲା । ପାଣି ଉପରେ ଆଲୁଅ ପଡ଼ିଛି । ବେଜୁଣୀ ଦେଖିଥା’ନ୍ତା, ଦର୍ତନୀ ମା’ ସଞ୍ଜ ଗାଧୁଆ ଗାଧେଇ ଖରାରେ ଠିଆ ହୋଇଛି, ଦର୍ମୁ ଟେକି ଧରିଛି ସାତବର୍ଣ୍ଣର ଧନୁ, କି ସୁନ୍ଦର, କି ସୁନ୍ଦର ! ଦୟା କରିଥା ଦେବତା, ତୋର ପାଦୁକା ଶୀତଳ ଥାଉ । ଏହି ରତରତ ଖରାରେ କାମ ସରିବାର ସଂକେତ ଏହି ଆଲୁଅ ଟିକକ ମରିଯିବ, ତା’ପରେ ଘର ବାହୁଡ଼ାଣି । ହଠାତ୍ ନାନା ଜାତି ଶବ୍ଦରେ ଚାରିଆଡ଼ ମୁଖରିତ ହେଲା, ପର୍ବତ ତଳେ ମୟୂର ମୟୂରୀ ଦିନଯାକର ସରାସରି ନାଟ ଲଗେଇ ଦଇ ଡକାଡକି ହେଲେ ମ୍ୟାଓଁ ମାଓଁ । ବୁଦାରେ ଗଛରେ ଟିକିଟିକି ଚଢ଼େଇ ସ୍ୱରଲିପିର ଭଗ୍ନାଂଶ ପରି, ପଞ୍ଝା ପଞ୍ଝା ଚଢ଼େଇ ଗଛକୁ ଗଛ ଉଡ଼ି ବୁଲିଲେ, ତାଷ ଉପତ୍ୟକାରୁ ଉଠିଲା ଟୋକଟୋକୀଙ୍କ ଘେନାଘେନି ସଙ୍ଗୀତ । ଦିନ ଶେଷର ଖରାରେ ଚାରିଆଡ଼ ହସି ଉଠୁଛି, ସୂର୍ଯ୍ୟ ନଇଁ ଯାଉଛି ପର୍ବତର ମୁକୁଟ ଆଡ଼କୁ, ଗିରିଶୃଙ୍ଗର ମେଘର ପଗଡ଼ିରେ ଅପରୂପ ରଙ୍ଗର ବିନ୍ୟାସ ।

 

ପାହାଡ଼ ଉପରେ କିଏ ଜଣେ ପଚାରିଲା ବେଜୁଣୀ କାହିଁ, ବେଜୁଣୀ କାହିଁ ? କେତେଜଣ ଏକାଠି ପଚାରିଲେ ବେଜୁଣୀ କୁଆଡ଼େ ଗଲା । ବେଳ ସରିଆସୁଛି । ଲୋକେ କହିଲେ ଦେଖିଛନ୍ତି ମେଘ ଆସିବା ଆଗରୁ ଏଇ ବଣରେ ଧଡ଼ି ଆଡ଼କୁ ଚାଲିଯାଉଥିଲା ବୁଢ଼ୀଟି । ସାତ ପାଞ୍ଚ ହୋଇ ବଣ ପାଖକୁ ଯାଇ ଡାକିଲେ ‘ବେଜୁଣୀ’ ‘ବେଜୁଣୀ’-ଜବାବ ନାହିଁ । କାନ୍ଧରେ ଟାଙ୍ଗିଆ ପକେଇ ବେଜୁଣୀ ବେଜୁଣୀ ରଡ଼ି ରଡ଼ିକା ଥୋକାଏ ଚଟାଣ ପର୍ଯ୍ୟନ୍ତ ମୋହିଁଗଲେ, ମନ୍ଦାର ଫୁଲ ଛିଣ୍ଡି ଛିଣ୍ଡି ପଡ଼ିଛି ।

 

ସରୁ ନାଲି ମାଳିରୁ ଖଣ୍ଡେ ଛାତିଏ ଉଞ୍ଚରେ ବୁଦାର ଥୁଣ୍ଟାରେ ଲଟକିଛି, ଓଦା ବଣରେ ଫୁରୁକୁଟିଆ ସଢ଼ା ଗନ୍ଧ ଲାଗିରହିଛି, ଆଉ ଚିହ୍ନବର୍ଣ୍ଣ ନାହିଁ । ଦଉଡ଼ି ଦଉଡ଼ି ଲୋକେ ଫେରି ଆସିଲେ-। ହାତମୁଠାକୁ ଶିଙ୍ଗାକରି ଫୁଙ୍କିଲେ, ତଳର ଉପତ୍ୟକାକୁ କୁହାଟ ଛାଡ଼ିଲେ । ଧାଇଁ ଧାଇଁ ଲୋକ ଜମାହେଲେ, ମୁହଁ ହାତ ହଲେଇ କେବଳ ତର୍କ, ମନରେ ଅଜଣା ଭୟ, ଆଶଙ୍କା । କିଏ ଧାଇଁ ଯାଇ ପାଖ ଖୋଲ ଭିତରୁ ମଇଁଷିଆଳ ସହିତ ଗୋଟିଏ ଛୋଟିଆ ମଇଁଷି ଗୋଠ ଅଡ଼େଇ ଆଣିଲା । ଖରା ମରି ମରି ଆସୁଥାଏ, ଆଗରେ ମଇଁଷି ଗୋଠ ଅଡ଼େଇ ଅଡ଼େଇ ପଛରେ ଟାଙ୍ଗିଆ, ବାଡ଼ିଧରି ହୋହା ପାଟିକରି ଗଛରେ ବାଡ଼ି ପିଟି ପିଟି ଦଳେ ମଣିଷ ବଣରେ ପଶିଲେ । ବେଶୀ ଦୂର ଯିବାକୁ ପଡ଼ିଲା ନାହିଁ । ବୁଦାର ଡାଳରେ ବେଜୁଣୀର ନାଲି କର୍‌ହିଆ ଖଣ୍ଡି ଛିଣ୍ଡି ଯାଇ ଲାଖିଛି, ପବନରେ ବାଘ ଗନ୍ଧ । ଟିକିଏ ଉପରେ ଖଣ୍ଡେ ପଥର ଉପରେ ଆହୁରି ମାଳି ପଡ଼ିଛି, ରକ୍ତ ପଡ଼ିଛି, ଲଣ୍ଡା ଓଦା ମାଟିରେ ଘୋଷରା ପଡ଼ିଯାଇଛି ଢାଲୁ କାନ୍ଥରେ ଉପରକୁ । ସେହି ରକ୍ତ ପଡ଼ିବା ଜାଗାରେ ଠିଆହେଲାବେଳକୁ ଉପରୁ ଶୁଭିଲା ମହାବଳ ବାଘର ବିରକ୍ତିର ସାନ ଗର୍ଜନ । ତା’ପରେ ମଇଁଷିମାନଙ୍କ ଆଗରେ ଭୟଙ୍କର ଗର୍ଜନ ଛାଡ଼ି ପଟେ ମଇଁଷିପରି ଆପଣାକୁ ଫୁଲେଇ ଦେଇ ମହାବଳ ଉଠି ଠିଆହେଲା । ମଇଁଷି ପଛରେ କାଠ ହୋଇ ସମସ୍ତେ ଠିଆ ହେଲେ, କପାଳରେ ହାତ ଯୋଡ଼ି ଗୁହାରି କଲେ, ‘ମହାପ୍ରଭୁ, ମହାପ୍ରଭୁ, ଆମ ଉପରେ ରାଗ ନାହିଁ ଦୟା କର ମହାପ୍ରଭୁ-।’ ଉପରୁ ତଳକୁ ଅନେଇଁ ଅନେଇଁ ଆପଣାର ପରାକ୍ରମ ବୁଝେଇ ଦେଇ ମହାବଳ ଠିଆ ହୋଇ ରହିଲା, ତା’ପରେ ଗଛର ପତ୍ର ଝଡ଼େଇ ଦେଇ ଛାତି କମ୍ପେଇ ଦେଇ ଆହୁରି ଦି’ଟା ରଡ଼ି ଛାଡ଼ିଲା, ବିଜୁଳି ବେଗରେ ତାର ଦେହଯାକ କ’ଣ ଢେଉ ଖେଳିଗଲା, ପାଟି ଦେଖେଇ ଲାଞ୍ଜକୁ ତଳେ ପିଟି ଗୋଟାଏ କରକୁ ବାଘ କୁଦା ମାରିଲା, ସମସ୍ତେ ବକାପରି ଚାହିଁ ରହିଥା’ନ୍ତି ମୁହଁକୁ ଝାଡ଼ିଦେଇ ପଟାଳିଆ ବାଘ କରପଟିଆ ଗୋଟାଏ ପଥର ସନ୍ଧିର ଖାଲ ଭିତରୁ ବୁଢ଼ୀ ବେଜୁଣୀର ବିକଳାଙ୍ଗ ଶବକୁ ଉଠେଇ ନେଲା, ଝିଟିପିଟି ଝରିପୋକ ବହିନେଲା ପରି ମୁହଁରେ ଧରି ଶୂନ୍ୟେ ଶୂନ୍ୟେ ପର୍ବତର କାନ୍ଥେ କାନ୍ଥେ ବୋହିନେଇ ଚାଲିଗଲା ରକ୍ତ ଝରଝର ଲାସ୍‌ଟାକୁ ।

 

ସମସ୍ତେ ଦେଖୁଥା’ନ୍ତି, ପାଟି ଫିଟୁ ନ ଥାଏ, ନେଲା ନେଲା ବୋଲି ସୁଦ୍ଧା କାହାରି ତୁଣ୍ଡରୁ ବାହାରୁ ନ ଥାଏ, ନିର୍ଭୟରେ ଖେପା ମାରି ମାରି ପଟାଳିଆ ବାଘ ଚାଲିଗଲା ।

 

ଆଖିରୁ ଅନ୍ତର ହେଲା ଉତ୍ତାରୁ ଲୋକେ ଚହଳ ପକେଇଲେ, ବାଘ ଯିବା ବାଟକୁ ଅନେଇଁ ଟାଙ୍ଗିଆ ଉଞ୍ଚେଇ ବାଡ଼ି ହଲେଇ ହୋ ହୋ କଲେ । ସୂର୍ଯ୍ୟ ଅସ୍ତ ହୋଇଯାଇଥାଏ, ବଣ ଦେଶ ଉପରେ ବିଷଣ୍ଣ ଛାଇ,-ଦିସାରି କହିଲା-’ତୁନିହ ପାଟି କର ନାହିଁ, ନିରାପଦରେ ଆଗ ଘରେ ପହଞ୍ଚ, ବାଘଡ଼ୁମା ଓଗାଳିବ ।’

 

ବାଘଡ଼ୁମା ବାଘ ଖାଇଥିବା ମଣିଷର ପ୍ରେତାତ୍ମା-ବାଘକୁ ଯେତେ ଡର ନାହିଁ ବାଘଡ଼ୁମାକୁ ତା’ଠୁ ବଳିକରି । ନିଜେ ମଲା ବୋଲି ବଞ୍ଚିଥିବା ଲୋକଙ୍କ ପ୍ରତି ତାର ଭାରି ଈର୍ଷା, ବାଟ ଭୁଲେଇବ, ଡରେଇବ, ଆପଦ ପକେଇବ । ନାଲି ପାଟି, ନାଲି ଚନ୍ଦାମୁଣ୍ଡ, ଗୋଟିଏ ଛୋଟିଆ ପିଲାଟିଏ ରୂପରେ ବାଘର ଲାଞ୍ଜ ଉପରେ ସବାର ହୋଇ ବାଘକୁ ବୁଦ୍ଧି ଶିଖେଇବ କେଉଁ କଦରରେ କେଉଁ ଲୋକଟାକୁ ଖାଇବାକୁ ହେବ । ରାତି ଆସୁଛି, ବାଟେ ଘାଟେ ବେଜୁଣୀର ବାଘଡ଼ୁମା ବୁଲି ଲାଗିଥିବ, ଭେଟେଣା ହେବା ବିଚିତ୍ର ନୁହେଁ ।

 

ମଇଁଷିଆଳ ଗୋଠ ଅଡ଼େଇ ନେଲା । ମୁଣ୍ଡପୋତି ଏକାଠି ମେଞ୍ଚିମାଞ୍ଚି ହୋଇ ତରତର କରି ମିଣିଆପାୟୁ ଗାଁଲୋକ ଘରକୁ ଫେରିଲେ । କାହାର ଗୋଡ଼ ଖସେ । କିଏ ଡାଳଖଣ୍ଡେ ପତ୍ରଟାଏ ଝୁଣ୍ଟି ଚମକି ପଡ଼ି ଡିଆଁଟାଏ ମାରେ, କିଏ ଦୂରର ଅନ୍ଧାରୁଆ ବୁଦା ଆଡ଼କୁ ଆଙ୍ଗୁଠି ଦେଖେଇ ସାଙ୍ଗୀମାନଙ୍କୁ ଅଟକାଏ, ନିଶ୍ୱାସ ବନ୍ଦକରି ଅନ୍ଧାର ଭିତରକୁ ଆଖି ମୁନେଇଁ ଦେଇ ଲୋକେ ଅପେକ୍ଷା କରନ୍ତି, ବାହାରେ ଗୋଟାଏ ବିଲୁଆ ।

Unknown

 

ଏମିତି ପଡ଼ିଉଠି ବାଟ କଟିଗଲା, ଉପରୁ ଗାଁର ଆଲୁଅ ସାହସ ଦେଲା, ଗାଁ ପର୍ବତ ଢାଲୁରେ ପାଦ ଦେଲାମାତ୍ରେ ପାଟି କରିକରି ଯେଝା ବାଟେ ଯେଝା । ଆଗ ଆଗ ଯାଇ ଆପଣା ଘରେ ଆଜି ଦିନର ବଡ଼ ଖବର ଗପିବାକୁ ପଡ଼ିବ, ବାଘ କେମିତି ‘ଡ୍ରୋଁ’ କଲା, କେମିତି ଅନେଇଲା, କିଏ ଡରି ନାହିଁ-ସମସ୍ତିଙ୍କ ଆଗରେ ଠିଆ ହୋଇଥିଲା । କେତେ ବାହାଦୂରୀ, କେତେ ବଖାଣ । ଗାଁ ଘୋ ଘୋ କମ୍ପିଲା । ପ୍ରିୟଜନମାନେ ଫେରି ଆସିଥିବା ଲୋକମାନଙ୍କୁ କୁଣ୍ଢେଇଲେ, ଗେଲ କଲେ, ସେମାନଙ୍କୁ ବାଘ ଖାଇ ନାହିଁ ବୋଲି କୃତଜ୍ଞତାରେ କେତେକ କାନ୍ଦିଲେ, ନିର୍ଭର ଦେଇ ଛାତି ଫୁଲେଇ ଫୁଲେଇ କେତେ ଲୋକ ବକ୍ତୃତା ଲଗେଇଲେ ବାଘ ଖାଇବା ଜାଗାରୁ କେତେ ପାଖରେ ଥିଲେ ସେମାନେ, ବିପଦର ଠିକ୍ ମୁହଁ ଉପରେ, ସେମାନେ ବଞ୍ଚି ଫେରିଛନ୍ତି ।

 

ଗାଁ ଭିତରକୁ ପଶିଗଲାବେଳକୁ ଦିଉଡ଼ୁ ସାଓଁତା ପଛରେ ଥାଇ ଧୀରେ ଧୀରେ ଆସୁଥାଏ । ଭାବୁଥାଏ, ଯାହା ଦେଖିଛି ତାହା ଭୁଲି ହେଉ ନାହିଁ । ଟିକିଏ ଆଗରୁ ଯେଉଁ ଲୋକଟା ତା ସାଙ୍ଗେ ଗପ କରିଗଲା ସେ ନାହିଁ ବୋଲି ବିଶ୍ୱାସ ହେଉ ନାହିଁ । କି ଭୟଙ୍କର ! ମୁଣ୍ଡ ଭିତର ମେଘ ଲଦିଲା ପରି । ଚିନ୍ତାଶକ୍ତିର କଳ ବିଗିଡ଼ି ଯାଇଛି ।

 

ବାରିକ ଘରଠୁଁ ଗାଁକୁ ଯିବାକୁ ନିଛାଟିଆ ବାଟ ବାଙ୍କରେ ମୁର୍ଗା ବାଡ଼ ଅନ୍ଧାରରେ କିଏ ଜଣେ ଠିଆ ହୋଇ ରହିଛି-ସୋନାଦେଈ । ଦିଉଡ଼ୁ ପାଖେଇ ଆସିଲା । ସୋନାଦେଈକୁ ଦି’ପାହୁଣ୍ଡ ଟପିଗଲା । ଚାଲି ମାନ୍ଦା ପଡ଼ିଗଲା । ପଛରୁ ତୁନି ତୁନି ଡାକ ଶୁଭିଲା-

 

‘ସାଓଁତା-’

‘କଣ୍‌ବେ, କ’ଣ କହୁଚୁ ?’ ଅତି ବିରକ୍ତ ହୋଇ ଦିଉଡ଼ୁ ଗର୍ଜନ ଛାଡ଼ିଲା ।

‘ଡର୍ ଲାଗୁଛି ସାଓଁତା, କ’ଣ ସବୁ କହୁଛନ୍ତି ବେଜୁଣୀ-’

 

‘ଡର୍ ଲାଗୁଛି ତ ମର୍’ ବିନା କାରଣରେ ଦିଉଡ଼ୁ ରାଗିଲା, ପୁଣି ତାର ସାବକ ଖୋଜ ବଢ଼େଇଦେଲା । ତରତର ହୋଇ ଚାଲିଗଲା । ଏଥର ମନଟା ହାଲୁକା ଲାଗୁଥାଏ ।

 

ଥୋଡ଼ାଏ କଳରବ କଲା ଉତ୍ତାରୁ ସମସ୍ତେ ତୁନି ପଡ଼ିଗଲେ ।

 

ସେହି ରାତିରେ, ନିଠେଇ ନିଠେଇ ଲୋକେ ଘରର କବାଟ କିଳିଦେଲେ, ରାତିରେ ଆଉ ପଦାକୁ ଉଠିନାହାନ୍ତି । ମୁହଁ ଘୋଡ଼ିହୋଇ ଫଁ ଫଁ ନିଶ୍ୱାସ ମାରି କାନଡେରି ପଡ଼ିରହିଥା’ନ୍ତି ମଣିଷ ଘରେ ଘରେ, ବାଘ୍‌ଡୁମାର ବୋବାଳି ଶୁଭିବ ବୋଲି । କିଛି ଶୁଭିଲା ନାହିଁ, କେବଳ ରାତିର ନିସ୍ତବ୍ଧତା ଭାଙ୍ଗି ଅଧରାତିରୁ ବର୍ଷା ଅଜାଡ଼ିଲା ।

•••

 

ଅଣାନବେ

 

ସକାଳକୁ ମେଘ ନାହିଁ, ଅଳସୁଆ କୁହୁଡ଼ି ଉପରେ ତୁନିତାନି ହୋଇ ଆଲୁଅର ଗୁଣ୍ଡା ଝଡ଼ିଲାଗିଛି । ରାତିର ତାରା-ଦେଖାଳି ପାଣ୍ଡ୍ରୁ ଦିସାରି ପଥର ଉପରେ ବସି ତାଷ ଉପତ୍ୟକା କରର ପର୍ବତ ଆଡ଼କୁ ଅନେଇଁ ରହିଲା, ଆଖି ଲାଖିଗଲା । ସେଇଠି କେଉଁଠି ପଡ଼ିଥିବ ବେଜୁଣୀ, କେଉଁ ପଥର ଖୋଲ ଭିତରେ, କେଉଁ ଅଜଣା ଗଛମୂଳେ, ଯାହାର ନାଁ ନାହିଁ । ଖରା ଉଠି ଲାଗିଛି । ହେଇ ସେଠି ପର୍ବତ ଉପରେ ଆକାଶର ସଫା ଅରାକରେ ଶାଗୁଣାମାନେ ଚକ୍ରି ମାରୁଛନ୍ତି । ବାସି ମଢ଼ାଟାଏ ପଡ଼ିଥିବ, ଓଦା ସର ସର ହିମ କାକର । ଖଣ୍ଡିଆ ଖାବୁଡ଼ା ମଣିଷର ଦେହ,-ଚିହ୍ନି ହେବ ନାହିଁ । ମାଛି ବେଢ଼ିଥିବେ, ପିମ୍ପୁଡ଼ି ଧାର ଲାଗିଥିବେ, ମଣିଷର ଦେହ ସେ, ଓଃ ଭାବି ଭାବି ଦିସାରି ଶୀତେଇ ଉଠିଲା ।

 

ସେହି ଦେହକୁ ରଟରଟ କରି ଶାଗୁଣାମାନେ ଛିଣ୍ଡେଇ ଖାଉଥିବେ, କୁଦିଆସି ଦାନ୍ତ ଲଗେଇ ଫଡ଼ା ଫଡ଼ା କରୁଥିବ ପଟାଳିଆ ମହାବଳ ବାଘ । କାଲି ବାଟ ଚାଲୁଥିଲା, କଥା କହୁଥିଲା, ଆଗତ ଭବିଷ୍ୟତ୍‍ ଭାବୁଥିଲା, ବିଚାରୁଥିଲା । ହେଇ ତାର ଲାସ୍ ପଡ଼ିଥିବ ସେଠି ଅଗନାଗ୍ନି ବନସ୍ତ ଭିତରେ । ମଣିଷ ସେଠି ନାହିଁ । କେବଳ ଦର୍ତନୀର ପଥୁରିଆ କୋଡ଼, ଧର୍ମୁର ନିଆଁଜଳା ଆଖି କେବଳ ବାଘ, ଶାଗୁଣା, ପିମ୍ପୁଡ଼ି ।

 

ଶିର୍‌ଶିରେଇ ଶିର୍‌ଶିରେଇ ଦିସାରିର ମନ ଭିତରେ ଦମ୍ଭ ଖେଳିଗଲା, ସେ ସେଠି ନାହିଁ, ସେ ବଞ୍ଚିଛି । ଜୀବନରେ ଥାଇ ଆପଣା ବସିବା ଜାଗାରେ ସ୍ୱଚ୍ଛନ୍ଦରେ ବସି ବେଜୁଣୀ ପାଇଁ ସୌଖୀନ ଦୁଃଖ ହେଲା, ସେହି ତାହା ଭିତରେ ଜୀବନର ପ୍ରତିକ୍ରିୟା । ବେଜୁଣୀଟିଏ ଯାଇଛି, ପୁଣି ସମାଜର କାମ ଚଳେଇବା ପାଇଁ ବେଜୁଣୀଟିଏ ଗଢ଼ାହେବ, ପୁଣି ଦିସାରି ଯୋଗ ଦେଲେ ଆଉ କେଉଁ ବେଜୁଣୀ ଦେବତାଙ୍କ ବନ୍ଦନା ଆଉ ମଣିଷଙ୍କ ମଙ୍ଗଳ ଗୀତ ବୋଲି ବୋଲି ଡେଇଁବ ନାଚିବ । କିନ୍ତୁ ଏ ବେଜୁଣୀ କ’ଣ ସେ ଥିଲା,-କନ୍ଧ ଦେଶର ପ୍ରାଚୀନ ବିସ୍ମୟ, ଗୋଟଏ ହଜିଲା ଯୁଗର ଇତିହାସ । ଦିସାରି ଭାବିଗଲା,-ଆଉ କେହି ନାହିଁ ଦିସାରିର ଗଣନାକୁ ଫୁଟୁକି ଉଡ଼େଇଦେଇ ବଖାଣିବ ଦିବ୍ୟ ଦୃଷ୍ଟିର ଦର୍ଶନ । ସେ କ’ଣ ଦେବତାଙ୍କୁ ଦେଖୁଥିଲା ? ନା ଗୋଳିଆ କୋଟଳିଆ ଆଖିରେ ଅନ୍ଧାରି ଛାଇ ଦେଖି ଦେଖି ଭାବୁଥିଲା ଦେବତା ଦେଖୁଛି । ନକ୍ଷତ୍ରଙ୍କ ଯୋଗହେତୁ କ୍ରିୟା, କ୍ରିୟାରୁ ଫଳ, ଦୁଇ ମିଶି ଚାରି, ଏ କଥା ଭୁଲ ବୋଲି ସେ ପ୍ରମାଣ କରି ଯାଇପାରିଲା ନାହିଁ । ନକ୍ଷତ୍ର ଯୋଗ ଦେଲା, ବେଜୁଣୀକୁ ବାଘ ଖାଇଲା, ସେ ମଲା । ମଲା ବେଜୁଣୀ ପ୍ରତି ତାର ଦୟା ହେଲା, ଆପଣାର ବିଶ୍ୱାସରେ ବଳ ସଞ୍ଚରିଲା, କହିଲା ଆହା ଆହା ବାୟାଣୀପରି ବୁଢ଼ୀଟିଏ, କେତେ କାଳର ସେ ଚାଲିଗଲା !

 

ବେଜୁଣୀକୁ ବାଘ ଖାଇଲା, ତାର କାମ ଲାଗିଲା, ଗାଁ ଲୋକଙ୍କ ହିତପାଇଁ ତାକୁ ବାଘ-ଡୁମାକୁ ଆୟତ୍ତ କରିବାକୁ ପଡ଼ିବ । ରବିବାର ଦିନ ‘ରୋହିଣୀ’ ଯୋଗରେ ବାଘଡ଼ୁମାକୁ ଡାକି ଖୁଣ୍ଟିମାରି ଦେଇ ବାଘଡ଼ୁମାକୁ ସେ ଅଟକେଇବ । ‘ଜେଟି’ ଯୋଗରେ ବଣ କିଳିଦେଲେ ବାଘ ତାକୁ ଡେଇଁ ଆସିବ ନାହିଁ । କେତେ ପ୍ରବୀଣତା କେତେ ବିଚକ୍ଷଣତା ଦରକାର ଏତିକି କାମକୁ । ଆକାଶକୁ ଜୁହାରକରି କହିଲା, ‘ତୁମେହିଁ ଉଦ୍ଧାର କରିବ ତୁମେ ଜାଣ ।’

 

ଅଳସ ଭାଙ୍ଗି ଧୂଆଁପତ୍ର ଲଗେଇଦେଇ ସେହି ପଥର ଉପରୁ ପର୍ବତରେ ଶାଗୁଣାମାନେ ପଇଁତରା ମାରିବାର ଦିସାରି ଦେଖିଲାଗିଲା, ବାରମ୍ବାର ଅସ୍ୱାସ୍ଥ୍ୟକର କୁତୂହଳ ହେଲା, ଆଉ ଥିବ କି ନ ଥିବ ? ହାଡ଼ ଚମ ହୋଇ ପୋଷେ ମୋଟେ ତ ମଣିଷ, କ’ଣ ଆଉ ଥିବ ତାର ?

 

ଏତେ ଦିନର ସମ୍ବନ୍ଧ ଦୁହିଁଙ୍କ ଭିତରେ । ଦୁହେଁ ମିଶିଲେ ଯାଇ ଗାଁର ଧର୍ମବଳ, ଦିସାରି ଯୋଗ ଦେବ, ପୂଜା କରି ବେଜୁଣୀ ନାଚିବ, ଲୋକଙ୍କ ମନୋବାଞ୍ଛା ପୂର୍ଣ୍ଣ ହେବ । କାହାକୁ ଟିକିଏ ସର୍ଦ୍ଦ ହେଲେ, କାହାର ହାତ ମୋଡ଼ି ହୋଇଗଲେ, ସାମାନ୍ୟ ଅନିଷ୍ଟ ଭଲ କରିବା ପାଇଁ ଦିସାରି ଆଉ ବେଜୁଣୀ । ବାଘ ଖାଇଥିବା ଯୋଗୁ ଆଜି ପୂଜା କରିବାକୁ ହେଉଛି । ଦିସାରି ଭାବିଲା, ଏତେବେଳେ ବି ସେ ବେଜୁଣୀ ଥା’ନ୍ତା କି । ବେଜୁଣୀ ଯେଉଁ ପନ୍ଥାର ହେଉ, ଦିସାରିର ନିତିଦିନିଆ ଜୀବନରେ ସେ ଗୋଟାଏ ସାଙ୍ଗୀ, ଗୋଟାଏ ସେ ବଳ ଆଉ ନାହିଁ ।

 

ଲୋକେ ଚଳପ୍ରଚଳ ହେଲେ । ସାତ ପାଞ୍ଚ ହୋଇ ସେହି ଆଲୋଚନା, ବେଜୁଣୀର ମରଣ । କଥା ମାନିଲେ କେବଳ ଭୟ ବାହାରେ । ତାଷ ଖାଲ ଆଡ଼କୁ ଅନେଇ ଦେଲେ ଛାତିରୁ ରକ୍ତ ଶୁଖେ । ଗୋଷ୍ଠୀ ଭିତରୁ ଜଣକୁ ବାଘ ଖାଇଲା, ଏଥର ଲାଗିଲା ବାଘଖିଆ-ବଘେଇ । ମଣିଷର ସୁଆଦ ମୁହଁରେ ବାଜିଛି ଏଣିକି ସେହି ତାର ଖାଦ୍ୟ । ବାଟରେ ଚାଲିଲେ ସେ ଛକି ବସିଥିବ । କ୍ଷେତରେ କାମ କରିଗଲେ ବୁଦା ଭିତରୁ ସେ ବାହାରି ପଡ଼ିବ, ଦିନବେଳେ କ୍ଷେତରେ, ସଞ୍ଜବୁଡ଼େ କ୍ଷେତରୁ ଫେରିବା ବାଟରେ, ରାତିରେ ଗାଁ ତଳେ ତଳେ ସେ ଜଗି ବସିଥିବ । ଦି’ଦିନକୁ ତାର ଗୋଟିଏ ମୁଣ୍ଡ ଦରକାର ଯେଉଁ ଗାଁରୁ ହେଲେ ସଂଗ୍ରହ କରିବ । ସେ ମହାବଳୀ, ସେ ଦେବତା, କାହାରି ପ୍ରତି ତାର ଉପରୋଧ ନାହିଁ ।

 

ବଣ ଭିତରେ ଘର କରି ବଣକୁ ଏଡ଼ି ଚଳି ହେବ ନାହିଁ, ବାଘ ଖାଇବ । ଏହି ଆଲୋଚନାରେ ଦିଉଡ଼ୁ ସାଓଁତା ଯୋଗ ଦେଲା । ସକାଳୁ ଉଠି ବାରିକକୁ ଡକେଇ ଚାରିଲୋକ ସାଙ୍ଗଦେଇ ସେ ପୁଲିସ୍ ଥାନାରେ ଖବର ଦେବାକୁ ପଠେଇ ଦେଇଛି । ଗବରମେଣ୍ଟ ଅର୍ଡ଼ର, ରିପୋର୍ଟ ନ ପଠେଇଲେ ଦଣ୍ଡ ହୋଇଯିବ । ଯେଉଁ ସମୟରେ ବଘେଇ ଲାଗିଥାଏ, ଦଳେ ପୁଲିସକୁ ଯାଇ ସେଠୁ ଫେରିଲାବେଳକୁ ଅଧବାଟରେ ଆଉ ଦଳଙ୍କ ସାଙ୍ଗେ ଦେଖାହୁଏ, ବାଘ ଖାଉଥାଏ, ପୁଲିସକୁ ଖବର ଯାଉଥାଏ, ‘କାଲି ମୁଣ୍ଡେବେଳକୁ ପୁଲିସରେ ପହଞ୍ଚି ଯାଇଥିବେ,’ ସାଓଁତା କହିଲା, ‘ତହିଁର ଚାରିଦିନ ଭିତରେ କେହି ଆସିଲେ ଆସିପାରେ ।’ ‘ତୁରନ୍ତ ପଠେଇଲୁ ଭଲ କଲୁ ସାଓଁତା, ନଇଲେ ଫେର୍-’ । ପୁଲିସ ଆସି ବୁଝିଯିବେ ମଣିଷଟା ବାଘଖିଆରେ ମରିଛି ନା କେମିତି ମରିଛି । ପୁଲିସ ବାଘକୁ ମାରିବାକୁ ଆସିବେ ନାହିଁ । କେହି ବାଘକୁ ମାରିବାକୁ ଆସିବେ ନାହିଁ, ମଲେ ଅକସ୍ମାତ୍ ମରିବ କନ୍ଧର ଓଡ଼ିଆ ନଳୀରେ । ସେଥିପାଇଁ ବି ଦିସାରିର ଯୋଗ ଦରକାର । ଚାରିହାତ ଲମ୍ବା ନଳିଟା ଗୋଟାଏ ଗଛରେ ଛନ୍ଦା ହୋଇଥିବ । ରଞ୍ଜକରେ ନିଆଁ ଲଗେଇଲେ ଶବ୍ଦ କରି ସର୍ ସର୍ ସର୍ ସର୍ ହେବ ଘଡ଼ିଏ ଯାକେ । ବାଘ ଯେଉଁଆଡ଼କୁ ଯାଉଥିବ ଶିକାରୀ ନଳୀର ମୁହଁକୁ ସେହିଆଡ଼କୁ ବୁଲେଇ ଦେଉଥିବ । ତୋପ ପଡ଼ିଲା ପରି ନଳୀ ଫୁଟିବ, ଯଦି ବାଘ ପଳେଇ ନ ଥିବ ଓ ଯଦି ବାଘ ଦେହରେ ଗୁଳି ବିନ୍ଧିବ ସେ ଅବଶ୍ୟ ମରିବ । ସବୁ ଦିସାରିର ନକ୍ଷତ୍ରଯୋଗ ଦରକାର । ଗୋଳିଆ ମିଶା ହୋଇ ଏହି ସମ୍ବନ୍ଧରେ ଗପ ଚାଲିଥାଏ । ଦିସାରି ଆଜି ଦ୍ୱିଗୁଣ ବେଗରେ ତାର ଯୋଗମାନଙ୍କର ବଳ ପ୍ରଚାର କରୁଥାଏ; ଯୋଗ ଲଙ୍ଘିଲେ କିପରି କ୍ରିୟା ନିଷ୍ଫଳ ହୁଏ, ବିପଦରେ ଆଁ କରି ଶୁଣୁଥିବା ଗୋଷ୍ଠୀର ଲୋକମାନଙ୍କୁ ସେହିଆ ବୁଝେଇ ବୁଝେଇ ଦିସାରି ଖୁବ୍ ଜୋର୍‌ରେ ଧୂଆଁ ଛାଡ଼ୁଥାଏ । ଜଣକୁ ବିପଦ ପଡ଼ିଲେ ଦଳବାନ୍ଧି ସଂସାର କରୁଥିବା ସବୁ ଲୋକ ଆପଣା କଥା ଭାବି ଅଭିଭୂତ ହୁଅନ୍ତି । ସେମାନଙ୍କୁ ବଳ ଦେଇ ସଳଖ କରି ରଖିବା ଦିସାରିର କାର୍ଯ୍ୟ, ସେହ ତାର ପୌରୋହିତ୍ୟ ।

 

‘ନିୟମ ମାନି ଚଳିଲେ କିଛି ଦୁଃଖ ପଡ଼ିବ ନାହିଁ, କିଛି କଷ୍ଟ ପଡ଼ିବ ନାହିଁ,’ ଦିସାରି କହୁଥାଏ, ‘ଯାହା କରିବ ପଚାରିକରି କର, ବୁଝିକରି କର, ଭୟ କ’ଣ-।’

 

ମନର ବିହ୍ୱଳଭାବ ହେତୁ ଟୋକାମାନେ ବି ଦିସାରିକୁ ପ୍ରତିବାଦ କରିପାରିଲେ ନାହିଁ, ଦିସାରିର କଥା ମଲା ବେଜୁଣୀର ସ୍ମୃତି ମନେପକାଇ ଦେଉଥାଏ, ଏହିପରି, କେତେ କଥା ଗପୁଥିଲା ସେ ଯାହା ସାଧାରଣ ମଣିଷ ନିଜର ଜୀବନ ବିତେଇବା ଭିତରେ ଅନୁଭବ କରିପାରିବ ନାହିଁ । କେତେ ଜ୍ଞାନର କଥା ବାହାରୁଥିଲା ସେହି ପାକୁଆ ପାଟିରୁ, ରୋମଟାଙ୍କୁରା କଥା, ମୁଣ୍ଡଘୃରା କଥା, ତଥାପି ତ କର୍ମର ଡୋରିରେ ଟାଣି ହୋଇଯାଇ ପୁଣି ବାଘ ପେଟରେ ପଶିଲା ସେ, ସବୁ ପ୍ରାଙ୍ଗଣ ବିଦ୍ୟା ଅଲୌକିକ ଜ୍ଞାନର ପରିସମାପ୍ତି ସେତିକିରେ ।

 

ଦିସାରି କହୁଥାଏ ‘ଏବେ ଦେଖ ବେଜୁଣୀ ମଲା । ବୁଢ଼ାହଡ଼ା ଚୁଲିମୁଣ୍ଡର ଉଷୁମ ପାଖେ ବସି ରହିବା କଥା, ଆମେ କ’ଣ ତାକୁ ଦେଉ ନ ଥିଲୁ, ଖୋଜୁ ନ ଥିଲୁ ଯେ କ୍ଷେତକୁ ଯିବାର କିବା କାମ । ଗଲା ଯଦି ଗଲା, ବାୟାଣୀ ପରି ହୋଇ ବର୍ଷାଦିନର ବଣ ଭିତରକୁ ପଶିବା କି ଦରକାର ଥିଲା ? କାହିଁକି ସେଠିକି ସେ ଗଲା, କାହିଁକି ତାକୁ ବାଘ ଧରିଲା କହିପାରିବ କେହି ? ସବୁ ଭାଗ୍ୟ, ନକ୍ଷତ୍ରଙ୍କ ଯୋଗ, ତାଙ୍କରି ଦୟା । ସେହି ଯୋଗରେ ପଡ଼ି ନିତାନ୍ତ ବୁଧିଆ ଜାତି କି ମଣିଷ ଠିକଣାବେଳେ ଗୋଟାଏ କ’ଣ ଭୁଲ କରେ, ଓଟାରି ହୋଇଯାଏ ଠିକ୍ ହାଣମୁହଁକୁ । କାହିଁକି ଆଜି ରଇତ ରଇତ, ସାହୁକାର ସାହୁକାର, କାହିଁକି ଆଜି ଗୋଟା ଗୋଟା ଗୋଷ୍ଠୀ ପରଗୋଷ୍ଠୀପାଖେ ମୁଣ୍ଡବିକା ଗୋଲାମ, କିଏ କଇଦୀ ଦିଏ କିଏ କଇଦୀ ଭୋଗେ, କେଉଁଠି ଆଲୁଅ କେଉଁଠି ଅନ୍ଧାର କାହିଁକି, (ଉପରକୁ ହାତ ଦେଖାଇ) ସବୁତ ତାଙ୍କରି ଲୀଳା, ତାଙ୍କର ମନର ଖିଆଲ । ସେଠି ଆଗ ପଛ ବି ନାହିଁ, ଭଲ ମନ୍ଦ ବି ନାହିଁ, ସେମାନେ ବି କେଉଁ ଭାଗ୍ୟଚକ୍ରରେ ଘୂରି ଘୂରି କାହା ପକ୍ଷରେ କେଉଁ ଘଟନା ଗଢ଼ି ଦିଅନ୍ତି, ତେଣୁ ଆମେ କହୁଁ, ଛୋଟରୁ ବଡ଼ଯାକେ ସବୁଥିରେ ଯୋଗକୁ ମାନି ଚଳ, କାମ କର, ତେଣିକି ଯାହା ହେଲେ ଆପଣାର ଦୋଷ ନାହିଁ ।

 

କଦଳୀ ଗଛ ଲଗେଇବ ‘ଲଦା’ ଯୋଗରେ, ଆମ୍ବ ଗଛ ଲଗେଇବ ‘ଜେଟି’ ଯୋଗରେ, କମଳା ଫଳ ତୋଳିବ ‘ମେଡ଼ିଶିରା’ ଯୋଗରେ, ଶଳପ ଗଛ ହାଣିବ ‘ସମଜା’ ଯୋଗରେ, ଶିଆଳି ଫଳ ଆଣିବ ‘ରୋହିଣୀ’ ଯୋଗରେ, ସତେଇଶି ନକ୍ଷତ୍ରକୁ ସତେଇଶି ଯୋଗ । ବସିଲେ ଯୋଗ, ଚାଲିଲେ ଯୋଗ, ଯୋଗକୁ ନ ମାନିବ କାହିଁକି ?’

 

ଦିସାରିର ବକ୍ତୃତାରେ ବାଧାଦେଇ ସାହି ଭିତରୁ ମାଇପି କାନ୍ଦଣାର ରୋଳ ଉଠିଲା, ସମସ୍ତେ ଫାଟି ପଡ଼ିଲେ, ସତେତ, ବେଜୁଣୀ ମଲାଣି ଯେ, ଗାଁ ଗୋଷ୍ଠୀ ତା’ପାଇଁ ବାହୁନିବେ ନାହିଁ ? ପୁରୁଷମାନଙ୍କ ଅପେକ୍ଷା କନ୍ଧୁଣୀମାନଙ୍କର ଅଧିକ ଉପସ୍ଥିତ କର୍ତ୍ତବ୍ୟଜ୍ଞାନ ପ୍ରକାଶ ପାଇଥିଲା । ସକାଳୁ ଉଠି, ଘର ଘରେ ଡକାଡକି ହୋଇ ପ୍ରାଚୀନ-ପ୍ରଥା ଅନୁସାରେ ଗାଁ ମଝିର ‘ଭେରାମଣ’ (ଗାଁ ମଝି ବସିବା ଜାଗା) ଉପରେ ସେମାନେ ଗୋଲ ହୋଇ ବସି ପଡ଼ିଥିଲେ । ସମସ୍ତେ ରୁଣ୍ଡିଲା ପରେ ପ୍ରସ୍ତୁତ ହୋଇସାରି ଐକ୍ୟତାନରେ ଆରମ୍ଭ କରିଦେଇଥିଲେ ମଲାଲୋକ ପାଇଁ ଶୋକ ।

 

ଆଲୋ ଆଲୋ । ହାତେୟୁଁ ହାତେୟୁଁ । ପାପୁ (ହାୟ ହାୟ ମରିଗଲା ମରିଗଲା ହାୟ କପାଳ) ।

 

ନିଙ୍ଗେ ଓୟାତାଣାକି । ନିଙ୍ଗେ ତିଞ୍ଜାତାଣାକି । ପାପୁ (ତୁମକୁ ଶୋଷିଦେଲା କି, ତୁମକୁ ଖାଇଦେଲା କି, ହାୟ ହାୟ) ।

 

ଧୀରେ ଧୀରେ, ମରଣର ସଙ୍ଗୀତରୁ ଉଠି ଉଠିକା ଏହି ଛନ୍ଦ ହେଲା ବାହୁନା, ବାହୁନାରୁ ହେଲା କରୁଣ କାନ୍ଦଣା, ଆଖିରୁ ଝରଝର ଲୁହ ବୋହିଲା, ମନର କୋହ ବଢ଼ିଗଲା, ଦି’ହାତରେ ଗାଲ ଆମ୍ପୁଡ଼ି ମୁହଁ ଆମ୍ପୁଡ଼ି କଇଁ କଇଁ ହୋଇ ଗାଁର ସବୁ ସ୍ତ୍ରୀଲୋକ ବସି କାନ୍ଦିଲେ, ସେ କାନ୍ଦଣା ଆଉ ଅଟକିଲା ନାହିଁ ।

 

ମଣିଷ ହୋଇ କାନ୍ଦିବାକୁ କାରଣ ଅଭାବ ନାହିଁ, କାହାର ବାପ ମରିଛି, କାହାର ପୁଅ ମରିଛି, କାହାର ଯଦି କେହି ମରି ନାହିଁ ତାର ଅନ୍ୟାନ୍ୟ ଦୁଃଖ ଅଛି । କେତେ ଅଭାବର ପୋଡ଼ାଦାଗ, କେତେ ବିଚ୍ଛେଦର କ୍ଷତ । କାନ୍ଦିବି ବୋଲି ମନକରି ଅଣ୍ଟା ଭିଡ଼ି ବସିପଡ଼ିଲେ ସ୍ମରଣରେ ଆସେ କାନ୍ଦିବାକୁ ଉଚିତ ହେତୁ, ତା’ପରେ ବିଳାପ ବାହାରେ, ଅଦେଖା ଦେବତା ପାଇଁ ହେଉ କି ବେଜୁଣୀ ପାଇଁ ହେଉ, ତେଣିକି କେବଳ ସୁଅ ମୁହଁରେ ବୋହି ଯାଉଥିବା ପାଣିକି ନାଳିଆ କାଟି ମଡ଼େଇଦେବା କଥା ।

 

ବେଜୁଣୀ ଯାଇଛି । ତାଷ ଖାଲ ପାଖ ପର୍ବତ ଉପରେ ଅଦ୍ୟାପି ଶାଗୁଣା ଉଡ଼ି ବୁଲୁଛନ୍ତି, ଗାଁରେ ବିଳାପ ବସିଛି ।

 

କିଏ ସେ ବେଜୁଣୀ ? କାହାର ସେ କ’ଣ ? ତାର ପୁଅ ନାହିଁ ଝିଅ ନାହିଁ, ରକ୍ତର କେହି ଅଂଶ ନାହିଁ, ନିଆଶୀ ମଣିଷ ମରି ଭୂତ ହୋଇଛି । ତାର ଆତ୍ମୀୟ ନାହାନ୍ତି, ବନ୍ଧୁ ନାହାନ୍ତି, ଶତ୍ରୁ ନାହାନ୍ତି, ଯେତେଦିନ ସେ ଥିଲା ବଞ୍ଚିଲା-ଲୋକ ଦେଖିଛନ୍ତି ସେତେଦିନୁ ସେ ବୁଢ଼ୀଟିଏ, ତାଠୁଁ କାମ ନେଇଛନ୍ତି ଯେପରିକି ସେ ଜାତିଆ କାମ ତାଠୁଁ ଆଦାୟ କରିବାକୁ ସମସ୍ତେ ହକ୍‍ଦାର । ଗାଁ ସେମୁଣ୍ଡରେ ମୁର୍ଗାବୁଦାର ଅଲରା ବାଡ଼ ଭିତରେ ଭଙ୍ଗା ଦଦରା ଚାଳୀରେ ନିଛାଟିଆ ବୁଢ଼ୀଟିଏ ସେ ରହୁଥିଲା, ଅଧେ ମଣିଷ ଅଧେ ଭୂତ, କ’ଣ ସବୁ ଭୟଙ୍କର କାମ ସେହି ଦୂରର ନିରୋଳାରେ ସେ କରୁଥିଲା, କେହି କେହି କାନ ଫୁସ୍‌ଫୁସ୍ ହୁଅନ୍ତି ସେ ସାପ ପୋଷୁଥିଲା, ବିଲୁଆଙ୍କ ସାଙ୍ଗେ କଥାଭାଷା ହେଉଥିଲା । ମଲା ଲୋକଙ୍କୁ ଦେଖୁଥିଲା । ଦେଖିଲେ ଡର ମାଡ଼େ, ଆଖିକୁ ଆଖି ଅନେଇଁ ହୁଏ ନାହିଁ, ମଣିଷପଣର ଧଡ଼ିଏ ଧଡ଼ିଏ ଜୀବନଯାକ ରହି ସେହି ଭୟଙ୍କର ଉପାୟରେ ସେ ମଲା । ଭାବିଲେ ସ୍ୱାର୍ଥ ଟଣକି ଉଠେ ନାହିଁ, ସ୍ନେହ ହୁଏ ନାହିଁ ତାର କେହି ନାହିଁ ।

 

ତଥାପି ତା’ପାଇଁ ଗାଁ କାନ୍ଦିବ ।

ସେ ଗୋଷ୍ଠୀର ଜଣେ ।

•••

 

ନବେ

 

ରବିବାର ଦ୍ୱିପ୍ରହର ।

ଆଖପାଖ ଗାଁରୁ ଧାର ଲାଗିଥା’ନ୍ତି କନ୍ଧମାନେ ମିଣିଆପାୟୁ ଗାଁକୁ ।

 

ହାତରେ ବର୍ଚ୍ଛା, କାନ୍ଧରେ ଟାଙ୍ଗିଆ, କାହାରି ବା ଓଡ଼ିଆନଳୀ । ଠେଙ୍ଗାକୁ ବାହୁଙ୍ଗୀ କରି ବାଟ ପାଇଁ ବିଦେଶ ପାଇଁ ମାଣ୍ଡିଆଚୂନା, ଲାଉତୁମ୍ବା ଓ କାଠ ବୋହି ଆଣିଥା’ନ୍ତି, ବର୍ଷା ସକାଶେ ପିଠିରେ ଛତା ଛତୋଡ଼ି, ଅଥବା ଗୋଟିଏ ଗୋଟିଏ ଦଳପାଇଁ ଜଣେ କେହି ଛତାଛତୋଡ଼ି ବୋହିଥାଏ । ଏକାପରି ଲେଙ୍ଗୁଟି, ଫୁରୁଫୁରୁ ଜଟ, ମୁଣ୍ଡରେ କାନରେ ଅଣ୍ଟାରେ ଯେଉଁଠି ପାରି ସେଠି ଧୂଆଁପତ୍ର କାହାଳୀ ଖୋସା ହୋଇଥାଏ । ବଣୁଆଁ ଜାତିଙ୍କ ଅଭ୍ୟାସ ଅନୁଯାୟୀ ବଣ ବାଟରେ ଜଣକା ପିଛା ଜଣେ । ଖାଲରେ ଘାଟିରେ ଛକିରେ ଭିନ୍ନ ଭିନ୍ନ ଗାଁ ଲୋକ ଏକାଠି ହୋଇ ଯାଆନ୍ତି, ଦଳ ବଢ଼େ । ଏକାପରି ସମସ୍ତିଙ୍କ ମୁହଁରେ ଆଖିରେ ଥମ୍ବିଲା ମେଘର ଛାଇ, ସେହି ଗମ୍ଭୀରପଣ ସେହି ଏକା ଚର୍ଚ୍ଚା, ବଘେଇ । ତଳ କୁଟ୍ଟିଂଗାଁର ସାଓଁତା ଆସିଛି, ସୋନା ସାଓଁତା, ପାଞ୍ଚ ହାତ ଉଞ୍ଚ, କେନ୍ଦୁ ଅଡ଼ାରର ଚାଚିରି ସାଓଁତା, ତିନିହାତ କାଣ୍ଡେ । ଲୋକ ଆସିଛନ୍ତି, ବିଚିତ୍ର ତାଙ୍କର ଗାଁ ବୁଡ଼ା ଖାଲ୍‌କଣା ପିପଲପଦର, କେଶା କାବେଡ଼ି ଦାମନ ଗଣ୍ଡ, ବଡ଼ଶଙ୍କା, କାଇପଦର, ଭାଲୁଯୋଡ଼ି, ବାଘମାରି, ବନ୍ଦିକରା କେତେ ଗାଁ । ସବୁ ଗାଁରୁ ପ୍ରତିନିଧି ଆସିଛନ୍ତି, ମିଣିଆପାୟୁରେ ବାଘ ଖାଇଥିବାରୁ ତାର ପ୍ରତିକାର ପୂଜା ହେବ, ବାଡ଼ିରେ ଲଙ୍କାମରିଚ ବନ୍ଧାହୋଇ ଖବର ଯାଇଥିଲା, ବସିଲାଠୁ ଉଠି ଆସିଛନ୍ତି, ବାହାରର ବିପଦବେଳେ ପୁଣି କନ୍ଧମାନେ ମେଳି ବାନ୍ଧିବେ, ହେଉ ପଛେ ଏହି ମେଳି କେବଳ ବାଘମରା ପର୍ବ ପାଇଁ । ନାନା ଗାଁର ଲୋକ ବାଟଚଲାବେଳେ ଏକାଠି ହେବାରୁ ନାନାପ୍ରକାର ଆଲୋଚନା ପଡ଼ିଥାଏ ତାର ଠିକ୍‌ଠିକଣା ନାହିଁ କି ବାଇଶ ନାହିଁ, ବିପଦ ବିଷୟରେ, ଆମ ବିଷୟରେ, ଆପଣା ଜାତିର ନିକମାପଣ ବିଷୟରେ ବାହାରର ଶତ୍ରୁର ଧାପ ପଡ଼ିଛି, ଏକାଠି ହେବାକୁ ପଡ଼ିବ, ଫଳ ତାର ଯାହା ହେଉ, କନ୍ଧର ଜାତିଗତ ଲକ୍ଷଣ । ହାତର ଅସ୍ତ୍ର କେବଳ ଠେଙ୍ଗାବାଡ଼ି, ଧନୁ, ବର୍ଚ୍ଛା, ଟାଙ୍ଗିଆ । ଏତିକିରେ ହିଂସ୍ରଜନ୍ତୁ ମରେ ନାହିଁ, ଓଡ଼ିଆନଳୀ ସୁବିଧାର ନୁହେଁ ବହୁତ ବୋଝ, ବାଘକୁ ଦରକାର କ୍ଷିପ୍ର କାମ, ଯେଉଁଥିରେ ଚଞ୍ଚଳ ଫଳ ମିଳିବ, ନିଶ୍ଚିତ ଫଳ ମିଳିବ । କେବେ କେଉଁ ଯୁଗରେ ମଣିଷମାନେ ବଳୁଆ ଥିଲେ, ଠେଙ୍ଗାରେ ପିଟି ପିଟି ବାଘ ଭଳିଆ ଶତ୍ରୁକୁ ସାଧ୍ୟ କରୁଥିଲେ, ଖଣ୍ଡାରେ ହାଣି ପକୋଉଥିଲେ । ସମୟ ବଦଳି ଯାଇଛି, ବାଘର ବଳ ବଢ଼ିଛି କୁଆଡ଼େ, ମଣିଷର ବଳ କମିଛି, ଏଣିକି ଗୁପ୍ତ ଅସ୍ତ୍ରର ବେଶୀ କରାମତି । ‘ସୀମା’ ଅର୍ଥାତ୍ ବିଦେଶୀ ବନ୍ଧୁକ, ମନଇଚ୍ଛା ଭାଙ୍ଗିଦେଇ ଗୁଳି ପୂରେଇ ହୁଏ, କଥା ମାନେ, ଚଞ୍ଚଳ ମୁହଁ ଘୂରେଇ ନେଇହୁଏ, ଉଢ଼ୁଆଳ ପିଠିରେ ଛପି ରହି ଲାଖ ଉଣ୍ଡି ‘ଢାଇ’ କରିଦେଲେ ‘ଡାବ୍ଦୁ’ ହୋଇ ବିନ୍ଧିବା ସୁନିଶ୍ଚିତ । ଦୂରରୁ ଅସ୍ତ୍ର ପ୍ରୟୋଗ କରିହୁଏ, ବାଘ ଜାଣିବ ନାହିଁ, ବାଘ ସାବଧାନ ହେବ ନାହିଁ, ଠିକ୍ ସେ ନିଜେ ଯେଉଁ ଉପାୟରେ ମାରେ, ସେହି ଉପାୟରେ ତାକୁ ମାରିହେବ ।

 

ବାଘ ବଳୁଆ ସିନା, ମୁହାଁମୁହିଁ ମାରେ ନାହିଁ, ଚୋରଟାଏ, ଅତି କୌଶଳୀ । ସେହି ଯେଉଁ ଢାପୁ (ଢୋଲ) ସାଇବ ଥିଲା, ନାଚ ମଝିରୁ ଦୁଇ କାଖରେ କାଖେଇ ଦି’ଟା ଧାଂଡୀ ବୋହି ନେଇ ବାଘ ପରି କେଉଁ ସନ୍ଧିରେ ଛପେ ସୀମା-ନଳୀରେ ଗୋଟାକୁ ଗୋଟା ପଟାଳିଆ ଶୁଆଇ ପକାଏ । କେମିତି ଅସ୍ତ୍ର ତାର, କେଡ଼େ ହାଲୁକା । କନ୍ଧର ଭାଗ୍ୟରେ ସେପରି ଅସ୍ତ୍ର ଜୁଟେ ନାହିଁ, ଗାଁ ଗୋଟାକର ଜମି ବିକିଦେଲେ ଖଣ୍ଡିଏ ଛୋଟିଆ କରି ସେଥିରୁ କିଣି ହୁଅନ୍ତା ବା ଅଡ଼ର ନାହିଁ, ଲାଇସନ୍ ପତ୍ର କରେଇବା ଦରକାର, ଅଧିକାରୀ କାଳେ ଶୁଣେଇ ଦେବ ତୁମେ ପାଠ ପଢ଼ିନା, ତୁମର ମୁଣ୍ଡ ଠିକ୍ ନାହିଁ, ତୁମର ନିଜ ଭିତରେ ବିରୋଧା ଅଛି, ମରାମରି ଲଗେଇବ, ତୁମେ ଏଥିକୁ ଯୋଗ୍ୟ ନୁହେଁ । କେଉଁ ଭରସାରେ କନ୍ଧ ଯିବ ଏତେବଡ଼ କଥା ମାଗିବାକୁ ?

 

ଦୂରରେ ମାଲ୍‌କାନ୍‌ଗିରି ବଣରେ ‘ବଣ୍ଡା ପରଜା’ ଜାତିର ଲୋକ ଅଛନ୍ତି, ସାନ ସାନ ମଣିଷ, ମୁଣ୍ଡର ବାଳ ସାନ ସାନ କରି କଟା, ହାତରେ ଖାଲି ଧନୁଶର । ତାଙ୍କ ଦେଶରେ ବାଘ କୋପ କଲେ ସମସ୍ତେ ଏକାଠି ହୋଇ ପ୍ରାଣକୁ ଛଡ଼େଇ ଦେଇ ବାଘ ପଛେ ପଛେ ଗୋଡ଼ାନ୍ତି । ଖଣ୍ଡିଆ ଦଣ୍ଡିଆ ହୁଅନ୍ତି, ବାଘକୁ ମାରନ୍ତି ପୋଡ଼ନ୍ତି, ତାର ମାଂସ ଖାଆନ୍ତି ତେବେ ଯାଇ ତାଙ୍କ ରିଷା ଶାନ୍ତ ହୁଏ ସେମାନେ ଘରକୁ ଫେରନ୍ତି । ଏହି ମେଣ୍ଟ ଆଉ ଜୀବନ ମୁରୁଛା ସାହସ ସକାଶେ ତାଙ୍କ ଦେଶରେ ବାଘର ଧାଡ଼ି ଧାପ ନାହିଁ, ସୁସ୍ଥରେ ଜମି ତାଷ କରନ୍ତି, ବାଘ ତାର ବଣରାଜ୍ୟରେ ମୁହଁ ଲୁଚେଇ ବୁଲେ ।

 

ସେହି ‘ବଣ୍ଡା ପରଜା’ ସେମାନେ, ତାଙ୍କର ସ୍ତ୍ରୀମାନଙ୍କୁ ଲୁଗା ପିନ୍ଧିବାକୁ ଅଭିଶାପ ଅଛି ସୀତା ଦେବୀଙ୍କର । ବନବାସବେଳେ ଡୁଡୁମା-ପାଣିରେ ସୀତାଦେବୀ ଲଙ୍ଗଳା ହୋଇ ଗାଧୋଇଲାବେଳେ ବଣ୍ଡା ପରଜା ମାଇକିନିଆମାନେ କୁଆଡ଼େ ଥଟ୍ଟା କରିଥିଲେ, ତେଣୁ ଅଭିଶାପ ଅଛି, ସେହିଦିନଠୁ ସେମାନେ ଲଙ୍ଗୁଳୀ, ଲାଣ୍ଡିମୁଣ୍ଡୀ । ସେହି ‘ବଣ୍ଡା ପରଜା’ ଦେଶ ଅର୍ଥାତ୍ ମୁଠା ଭିତରେ ସ୍ତ୍ରୀଲୋକମାନେ ଏତେ ସ୍ୱାଧୀନ ଯେ ପୁରୁଷଙ୍କୁ ଧାଡ଼ିକରି ଠିଆ କରିଦେଇ ପିଚାରେ ନିଆଁ ଗୋଜିଣାରେ ଚିଆଁ ଲଗେଇଯା’ନ୍ତି, ଯେଉଁ ପୁରୁଷ ଛଟପଟ ହୁଏ ନାହିଁ, ଚମକେ ନାହିଁ, ସେହିଆକୁ ବାଛି ବିଭା ହୁଅନ୍ତି । ସେହି ବାମନ ପରି ସାନ ସାନ ବୀରାଙ୍ଗନାମାନେ ଦେହଯାକ ଅସ୍ତ୍ରଶସ୍ତ୍ର ଖଞ୍ଜିହୋଇ ଅସାଧ୍ୟ ସାଧନ କରନ୍ତି । କୋଣ୍ଡାକମ୍ବେରୁ ଆଉ ଭାଲୁମେଲା ପର୍ବତ ସନ୍ଧିରେ ବୁଲି ବୁଲି ବଣଗୟଳ ବଣପୋଢ଼ ଶିକାର କରି ଆଣନ୍ତି, ଘର ସମ୍ଭାଳନ୍ତି, ରୋଜଗାର ଉଠେଇ ନେଇ ପୁରୁଷମାନଙ୍କୁ ପୋଷନ୍ତି ।

 

ମାଲ୍‌କାନ୍‌ଗିରି, କାହିଁ ସେ କେତେଦୂର, ମିଣିଆପାୟୁକୁ କେବଳ ସେ ବୁଢ଼ୀମା’ ଗପ । କନ୍ଧ ବଣ୍ଡା ପରଜା ପରି ପ୍ରତିହିଂସାପରାୟଣ ହୋଇପାରିବ ନାହିଁ, କାରଣ ସେ ସଭ୍ୟତର, ବାଘର ମାଂସ ସେ ଖାଏ ନାହିଁ । ସଭ୍ୟ ସମାଜ ସଭ୍ୟ ଶାସନରେ ଯୁଗ ଯୁଗ ପାଳିହୋଇ ଚକ୍ରବର୍ତ୍ତୀ କଲ୍ୟାଣରୁ ଶାନ୍ତଶିଷ୍ଟ ହୋଇ ବେଜୁଣୀ ଆଉ ଦିସାରିଙ୍କ ଧର୍ମ, ଦେବତା, ପୁନର୍ଜନ୍ମ, ପୁରୁଷକାର ଶୁଣି ଶୁଣି ତାର ଅରଣା ଦୁଃସାହସ ଉଡ଼ିଯାଇଛି, ସେ ଶାନ୍ତଶିଷ୍ଟ ହୋଇଛି, ଅନାସକ୍ତ ହୋଇଛି, ତାର ମେଣ୍ଟ ସମଗ୍ର ଜାତି-ମେଳିରୁ ଫାଟି ପଡ଼ି ହୋଇଛି, ଗାଁ ମାନିଆଁ ଗୋଷ୍ଠୀ ଗାଁ, ଗାଁକର ସ୍ୱାର୍ଥପାଇଁ ଗାଁ ଗାଁ ଭିତରେ ବିବାଦ, ସୀମାର ସନ୍ଧିଗଛ କଜିଆ, ଗୋରୁହଣା, ଦଶ ଗାଁଲୋକ ଏକାଠିହେବା କେବଳ ଉପରେ ଉପରେ, ଏ ଗାଁର ବେଜୁଣୀକୁ ବାଘ ଖାଇଲା ବୋଲି ସେ ଗାଁର ରଇତ ବାଘ ପଛରେ ଗୋଡ଼େଇ ଥୁଣ୍ଟାର ଆଞ୍ଚୁଡ଼ା ସହିବାକୁ ସୁଦ୍ଧା ମନଭିତରେ ନାରାଜ । ଏହିପରି ଅବସ୍ଥାରେ ପଡ଼ି ପଶୁବଳରେ ବଳୀୟାନ ବଣର ଶତ୍ରୁଠାରୁ ଆତ୍ମରକ୍ଷା କରିବା ପାଇଁ ସେହି ହିଂସ୍ର ଭୟକୁ ପ୍ରତିରୋଧ କରିବା ପାଇଁ କନ୍ଧଙ୍କର କେବଳ ମନ୍ତ୍ରବଳ । ପୂଜା କରାହେବ, ଆଣ୍ଠୁ ଉଞ୍ଚରେ ଛାମୁଣ୍ଡିଆ ତୋଳି ତା ଉପରେ କୁକୁଡ଼ାଡିମ୍ବ ଭାଙ୍ଗି ଥୁଆହେବ । ଧୂପ ଜଳାହେବ । ପଥରକୁ ଠାକୁର କରି ତାହା ପାଖେ ଦୀପ ଥୋଇ କୁକୁଡ଼ା ରକ୍ତ ରନ୍ଧା-ମଦ ଢାଳି ମାନସିକ କରାହେବ । କାଳିଶି ଲାଗିଯାଇ କିଳିକିଳା ରଡ଼ି ଛାଡ଼ି ଭୂତପରି ବୁଢ଼ୀମାନେ ଡେଇଁବେ । ପୁରୁଷାନୁକ୍ରମି ପଦ୍ଧତିରେ ଗାଁର ପୁରୋଧା ବୁଢ଼ା ଦିସାରି ବାଘଠୁଁ ହିଂସାଗୁଣ ଆଉ ବଳ ଉଡ଼େଇନେବା ସକାଶେ ‘ଆଣ୍ଠୁଗୁରୁ ମାଣ୍ଡୁଗୁରୁ-କାଳୀ ଗାଈ ପେତା ଗାଈ-ଦିକିରାଇ ପାଇକରାଇ’ କରି ଘଣ୍ଟା ଘଣ୍ଟା ଧରି ମନ୍ତ୍ର ଉଚ୍ଚାରଣ କରି କିଳା ପୋତିଦେବ, ରୁଣ୍ଡିଥିବା ଲୋକ ବଣଆଡ଼କୁ ଦେଖେଇ ଠେଙ୍ଗା ଟାଙ୍ଗିଆ ହଲେଇ ହୁଲସ୍ଥୁଲ ହୋଇ ପାଟିଟାଏ କରିବେ ‘ହୋ ବାଘ, ହୋ ବାଘ୍‌ଡୁମା, ହୋ ମାହାପ୍ରଭୁ ହୋ ବାଘ-ଦେବତା ବାଘ-ରାଜା ତୁମେ ତୁମ ବଣଦେଶରେ ରହିଥା ଯେତିକି ଆସିଥିଲ ସେତିକି ୟା ଉତ୍ତାରୁ ଆଉ ନାହିଁ, ଏ କିଳା ଟପି ଆମ ତାଷ ଜମିକୁ ଓହ୍ଲାଅ ନାହିଁ । ଆମର ଦିସାରି ମନ୍ତ୍ର ବୋଲି ଦେଇଛି, ଆମେ ସମସ୍ତେ ମିଶି ତୁମକୁ ଆଜି ତୁଣ୍ଡରେ ବାରଣ କରିଦେଲୁଁ ମନ୍ତ୍ରରେ ବାରଣ କରିଦେଲୁଁ ତୁମେ ଆଉ ଆମର ଜମିକୁ ଓହ୍ଲାଅ ନାହିଁ, ତୁମେ ଆଉ ଆମର ରକ୍ତ ମାଂସ ଖାଅ ନାହିଁ କି ମଣିଷ ମାଂସ ଖାଅ ନାହିଁ । ହୋ ହିଂସାର ଆତ୍ମା ବାଘ୍‌ଡୁମା, ନିନୁ ରମ୍ବି ଜିରୁଓ୍ୟାତି ଏଜିରୁ ହାଲାମୁଡ଼େ (ତୁମେ ଯେଉଁ ବାଟେ ଆସିଥିଲ ସେହି ବାଟେ ଚାଲିଯାଅ) ଆମର କାକୁତି ମିନତି ଶୁଣ ମାହାପ୍ରୁ ଆମର ଦିକୁ (ଦୁରବସ୍ଥା) ଦେଖ, ଦେଖିକରି ତୁମେ ଦୟାକରି ଆଉ ଆସ ନାହିଁ, କାନ୍ଦିବୋବେଇ କହୁଛୁଁ, କି ଅସ୍ତ୍ର ଅଛି ଯେ ତମକୁ ଛେକିବୁଁ, କଥା ମାନ, କୀଳା ପୋତିଦେଲୁଁ ଆଉ ଆସ ନାହିଁ ।’ ଏତେ ପ୍ରସ୍ତାବ ହୁଏ, ଗୋଟି ଗୋଟି କରି ବାଘ ଉଠେଇ ନେଇ ଖାଏ, ଯେତେ କହିଲେ ବି ବାଘ କଥା ମାନେ ନାହିଁ । କି ଆଶ୍ଚର୍ଯ୍ୟ ଅଭଦ୍ର ଗୁଆଁର ସେ, ଗୋରୁର ରକ୍ତରେ ଗାଧାଏ, ମଣିଷର ରକ୍ତରେ ଜଟାବାନ୍ଧି ଲାଲ ଦିଶେ, ଖାଏ, ପିଏ, ଗଡ଼େ, ମାତେ, ଲାଗି ରହିଥାଏ ବଘେଇ ଶୀତପରି ଚଇତରେ ବଣ ଶୁଖିବା ପର୍ଯ୍ୟନ୍ତ ।

 

ବନ୍ଦିକାରର ଶୋଭେନାକନ୍ଧ, ଶଳ୍‍ପୁକନ୍ଧ ପୋଡ଼ା ପଦରର ଲିଙ୍ଗା ସାଓଁତା, ପଟିଶୀଳର କାଙ୍ଗୁ ସାଓଁତା, କୋଟ୍ରାଗେଡ଼ାର ରେଲ୍ଲି ସାଓଁତା, ସୁଗୁରିଗୁଡ଼ାର କିଆ ସାଓଁତା, ବୁର୍ଜାର ବେନୁ ସାଓଁତା, ଚଣାବାଡ଼ର ଆର୍ଜୁ, ମିନାପାଇର ସୁନ୍ଦ୍ରୁକନ୍ଧ, ବଡ଼ କୁଟ୍ଟିଂଗାଁର ନିଲି କନ୍ଧ, ଗିର୍ଲିଶୁଟର କେଶବ ଜାନି, ମହୁଲକଣାର ଶିବ, କାଳିଆ ଝୋଲାର ନଚିକା ମାଳତୀ କେତେ ଗାଁର କେତେ କନ୍ଧ-ବଡ଼ମୁଣ୍ଡିଆ ଏହିପରି ଆଲୋଚନା କରି ଚାଲିଥା’ନ୍ତି, କେଉଁଠି ଗୋଟାଏ ବୁଢ଼ୀ ମରିଛି, ସେଥି ସକାଶେ ଏତେ କାହାଣୀ । ସାଓଁତାମାନଙ୍କ କଥାର ଓଜନ ଅଛି, ତେଣୁ ବାକୁ ଏତେ ମେଳାମେଳା ଲୋକ କେତେବେଳେ ୟା ପଟକୁ କେତେବେଳେ ତା ପଟକୁ ହୋଇ କହୁଥା’ନ୍ତି, ଏହି ବାର ଆଡ଼ର ବାର ଗପରେ ବାଟର ଥକା ଘୋଳା ଭୁଲି ହୋଇଯାଏ, ପାଟି ବୁଲୁଥାଏ ।

 

ବୁଢ଼ା ଶଳ୍‍ପୁ କହିଲା, ‘ହେଲା ଯେ ହେଲା, ଭାଗ୍ୟ ପଡ଼ିଲେ ସିନା ବାଘ ଖାଇବାକୁ ଆସେ, ନ ହେଲେ କେତେ ଲୋକ ବାଘ ମୁହଁରେ ପଡ଼ି ବଞ୍ଚି ଫେରି ଆସନ୍ତି ତ ।’

 

‘ଠିକ୍‍ କଥା, ସବୁ ଭାଗ୍ୟ,-ଭାଗ୍ୟ ପଡ଼ିଲେ ବାଘ ଖାଏ, ଭାଗ୍ୟ ପଡ଼ିଲେ ବାଘ ମରେ-’ କେଶବଜାନି କହିଲା ।

 

‘ସତ୍ ସତ୍ କାହାକୁ ଦଶା ଛାଡ଼ି ଅଛି, ମଣିଷକୁ ନା ପଶୁକୁ ନା ରାଜ୍ୟକୁ, ଦଶାର ଅଧୀନ ସମସ୍ତେ, ବାଘ କ’ଣ ତାର ମନକୁ ଖାଏ ? ଜାଣିବା ଲୋକେ କହନ୍ତି ପରା,-ବଡ଼ି ସକାଳୁ ନିଦରୁ ଉଠି ବାଘ ତା ହାତ ଦେଖେ, ଆଜି ଶିକାର ମିଳିବ କି ନାହିଁ, ମିଳିଲେ କେମିତି ଶିକାର ମିଳିବ ସବୁ ସେ ଦେଖିପାରେ । ଆପଣା ହାତରେ ଥରେ ତାର ଛବିଟା ଦେଖି ପକେଇଲେ ନଦୀ ଝୋଲା ଲଙ୍ଘି ପାହାଡ଼ ପର୍ବତ ଚଢ଼ି ଧାଇଁ ଧାଇଁ ଆସି ବାଁରେଇହୋଇ ସେ ଠିଆ ହୁଏ, ଶିକାର ଆସେ, ବାଘ ଧରି ନେଇଯାଏ,-ସହଜ ବେଉସା । ଧନ୍ୟ ସେ କାଳପୁରୁଷ-’ ଶଳ୍‍ପୁ କହିଲା ।

 

ଶୋଭେନା କହିଲା, ‘ସତ ହୋ, ମିଛରେ ଲୋକେ କହନ୍ତି ଗନ୍ଧ ବାରି ବାଘ ଧାଇଁଆସେ-। ଏମିତି କ’ଣ ଆମ ଦେହରେ ଗନ୍ଧ ବୋଳା ହୋଇଛି ? ଢାପୁ ସାଇବ ଦେହରେ କ’ଣ ଗନ୍ଧ ମାଖିଥିଲା ?’

 

‘ମିଛ ନୁହେଁ, ଚଣାବାଡ଼ର ଆର୍ଜୁ କହିଲା, ‘ଯେ ମରିବ, ଯେ ମରିବାକୁ ହେଲାଣି ତାର ଦେହରୁ ଏକପ୍ରକାର ଗନ୍ଧ ବାହାରେ । ଗନ୍ଧ ବାରନ୍ତି ଶିଆଳ, କୁକୁର, ଶାଗୁଣା, ସବୁଠୁ ବେଶୀ ଗନ୍ଧ ବାରେ ପଟାଳିଆ ମହାବଳ, ତେଣୁ ସେ ପାଣି ପାରିହୋଇ ଆସି ଠିକଣା ଲୋକକୁ ଧରେ । ମୁଁ ନିଜେ ଗନ୍ଧ ବାରିପାରେଁ, ମୋର ବୁଢ଼ା ମାମୁଁଟେ ଥାଏ ଯେ ମରିବା ଆଗରୁ କି ଗନ୍ଧ ଗନ୍ଧିଲା ସେ । ମୁଁ କହିଲି ମାମୁଁ ତୋର ଦେହ ମତେ ଗନ୍ଧୁଛି । ସେ କହିଲା, କାହିଁ ତୋର ଦେହ ମତେ ଗନ୍ଧୁ ନାହିଁତ-। ମୁଁ କହିଲି, ‘ମାମୁଁ ତତେ ଇସ୍‌ମ ହୋଇଛି, ତୋର ଦେହ ମତେ ଗନ୍ଧୁଚି । ମଲା ତହିଁର ଚାରିଦିନେ ଆଉ ରହିଲା ନାହିଁନି । ମୁଁ ତ ବାରିଦେଲି, ଆଉ ବାଘ ବାରିପାରନ୍ତା ନାହିଁ, ତାର ହାତରେ ପାଞ୍ଜି ଅଛି, ସବୁ ଅଛି, କାଳପୁରୁଷ ସେ ।’ ପଟିଶୀଳର କାଙ୍ଗୁ କହିଲା, ‘ତାର କପାଳ ପଡ଼ିଲେ ବାଘ ଆଉ ବାଘ ଲଢ଼ାଲଢ଼ି ହୋଇ ମରନ୍ତି । ଚିତାବାଘକୁ ମହାବଳ କାମୁଡ଼ି ପକାଏ, ପଟାଳିଆ ଥିବା ବଣରେ ଚିତା ଲୁଚି ଲୁଚି ବୁଲେ । ସେମିତି ସେଦିନ ଆମର ଗାଁ ଡଙ୍ଗର ପାଖେ ରାତିଯାକ ଗର୍ଜନ ଶୁଭୁଥାଏ-। ଦୁଇ ପଟାଳିଆ ମହାପ୍ରୁ ଲଢ଼ୁଥା’ନ୍ତି, ଏମିତି ଡର ଲାଗିଲା ରାତିରେ କେହି ଶୋଇ ନାହୁଁ । କେତେପ୍ରକାର ବିକଟାଳ ରଡ଼ି କରି ଡେଇଁ କୁଦି ସକାଳୁ ସବୁ ତୁନି ପଡ଼ିଗଲା-। ଖରା ଲାଗିଲା, ଦେଖିବାକୁ ଆମେ ଗଲୁଁ, ଓଃ ! କ’ଣ ଦେଖିଲୁଁ । ଛ ଛ ବାଡ଼ିର ଦୁଇଟା ମହାବଳ ଛିଣ୍ଡାଛିଣ୍ଡି ଲହୁଲୁହାଣ ହୋଇ ମରି ପଡ଼ିଥା’ନ୍ତି, ଭୂଇଁ ଉପରେ କି ଯେ ଦଳାଦଳି ଆମ୍ପୁଡ଼ାଆମ୍ପୁଡ଼ି କାଣ୍ଡ, ମାଟି ଖୋଳି ହୋଇଥାଏ, ଘାସ ଛିଣ୍ଡିଛିଣ୍ଡି ପଡ଼ିଥାଏ, ପଥରସବୁ ଏଣେତେଣେ ଛିଞ୍ଚାଡ଼ି ହୋଇଥାଏ । ପାଖର ସାନସାନ ବୁଦାଯାକ,-କାମୁଡ଼ି ଆମ୍ପୁଡ଼ି ଟିକି ଟିକି କରି ଦେଇଥା’ନ୍ତି । ଦେଖିଲୁଁ ଆଉ କହିଲୁଁ ହେ ଧର୍ମୁ, ତୋର ଦୟା । ଏମିତି ଯଦି ସବୁ ବାଘ ମରିଯାଆନ୍ତେ ମଣିଷ ସୁଖରେ ରହନ୍ତେ ।’

 

ଶୋଭେନା କହିଲା, ‘ମରିବେ, ସେମିତି ମରିବେ, କିନ୍ତୁ ଯୋଗ ଦରକାର, ଲଗ୍ନ ଦରକାର । ସେ ଲଗ୍ନ ଆସୁ ଆସୁ ଆମେ ମରି ଆମ ପୁଅ ମରି ଆମ ନାତିମାନଙ୍କର ପଣନାତି ମରିଯାଇଥିବେ । ଯେ ଥାଉ ଆମେ ତ ନ ଥିବା । ବରଂ ଏତେ ଲୋକ ଆମେ ଜମିଛୁ ଆମ ହାତରେ ଯାହା ଅଛି ଧରି ବଣକୁ ପଶିଲେ ସେଇଥିରେ ବାଘକୁ ଘାଏଲ୍ କଲେ ବାଘ ଶୁଖି ଶୁଖି ମରିବ, ଜଲ୍‌ଦି ମରିବ, ଆଉ ଯୋଗ ଫିଟି ବୋଲି କେତେଦିନ ବସିଥିବା ?’

 

‘ହଉ ତୁ ଯା ବାଘ ମାରିବୁ, ତୋର ନାଁ ହବ ବାଘମାରୁ’ ଶଳ୍‍ପୁ କନ୍ଧ ତିରସ୍କାର କଲା ।

 

ନଚିକା ମାଳତୀ କହିଲା, ‘ହଁ ହୋ ଭାରି ଥଟ୍ଟା କରୁଛ ତୁମେ, ବାଘ ଆମୁକୁ ଧରି ଧରି ଖାଉଥିବ ଆଉ ଆମେ ବସିଥିବୁଁ ଯୋଗ କେବେ ପଡ଼ିବ ବାଘ ତା ମନୁକୁ ମରିବ ବୋଲି ଅପେକ୍ଷା କରି, ଭଲ କହୁଚ । ଆରେ ବାବୁ ନିଜେ ନିଜର କଥା ନ ବୁଝିଲେ ପର ଆସି ଆସି ଆମ ବଣର ବାଘ ମାରିଦେବେ ତୁମେ ବିଶ୍ୱାସ କରୁଚ ? ପ୍ରତି ବର୍ଷ ବର୍ଷା ଆରମ୍ଭରୁ ବାଘ ଖାଏ, ଶୀତ ଦିନେ ବେଶୀ ଖାଏ, ହାଟରେ ବାଟରେ କାନ୍ଦି ବୋବେଇ ବାଘ ବାଘ ହୋଇ ବୁଲି ବୁଲି ଆମେ ହଇରାଣ । ଲୋକେ କ’ଣ ଶୁଣନ୍ତି ନାହିଁ ନା ଜାଣନ୍ତି ନାହିଁ ଯେ ଆମ ବଣଦେଶରେ ବର୍ଷକୁ ଶହ ଶହ ଲୋକଙ୍କୁ ବାଘ ଧରି ଧରି ଖାଏ ବୋଲି । ସହରର ଲୋକେ ସକେଇହୋଇ ଦୁଃଖ କରିବେ ସିନା, କୋଠାବାଡ଼ି ଛାଡ଼ି, ସହରର ଆଲୁଅ ବତି ଯାନବାହାନ ଛାଡ଼ି କାହାର ଗରଜ ପଡ଼ିଛି ପର ପାଇଁ ବାଘ ସାଙ୍ଗେ ଅଲର୍ କର୍ ହେବାକୁ ଧାଇଁ ଆସବ ଏ ହରବରିଆ ବଣକୁ ? ଆମର ଦେଶ ଜଣାନାହିଁ, ରାସ୍ତା ଜଣାନାହିଁ, ରହିବାକୁ କୋଠାବାଡ଼ି ନାହିଁ, ଖାଇବାକୁ ତାଙ୍କର ଦେଶର ଖାଦି ନାହିଁ, କିଏ ପାରେ ତାଙ୍କର ଏତେ ହରବର ? କେବଳ କ’ଣ ସେତିକି ? ଖାଲି ବାଘମାରିବାକୁ ଚାଲିଆସିଲେ କ’ଣ ବାଘ ମିଳିଯିବ ନା ବାଘ ମାରିହେବ ? ଆମର ପାଣ୍ଡ୍ରୁମାଳି କୋଡ଼ିଙ୍ଗାମାଳି ବାଘ-ଡଙ୍ଗର ବଣମାନଙ୍କରେ କେତେଦିନଠୁ ବାଘମାନେ ଗୁମ୍ଫା ଭିତରେ ଭେଦିଭେଦିକା ଘରକରି ରହିଛନ୍ତି, ତାଙ୍କୁ ଉଣ୍ଡି ଉଣ୍ଡି ଖେଦି ଖେଦି ମାରିବାକୁ ସମୟ ଲାଗିବ । ପରକୁ ଡାକି ଲାଭ ନାହିଁ, ଯାହା ପାରିବା ନିଜେ ନିଜେ ।’

 

ଶିବଜାନି କହିଲା, ‘ସେଟା’ ସତ ଯେ ବାଘକୁ ମାରିବ କିଏ ? ଆମର ଶାସ୍ତ୍ର କହୁଚି ବାଘକୁ ପୂଜା କର, ବାଘ ତ ଖାଲି ଜନ୍ତୁ ନୁହେଁ ସେ ଆମର ଦେବତା । କଥାରେ ଅଛି କ୍ଷତ୍ରିୟଲୋକ ବିନା ଅନ୍ୟ କେହି ଯଦି ମହାବଳକୁ ମାରିବ ତାର ବଉଁଶ ବୁଡ଼ିବ, ଚାରିଆଡ଼େ ରାଷ୍ଟ୍ର ହେବ ବାଘ୍-ଭକ୍ତି ବୁଡ଼େଇଲା ବାଘ୍-ଭକ୍ତି ବୁଡ଼େଇଲା । ଧର ଯଦି ଅମାନିଆଁ ହୋଇ ବାଘ୍-ଭକ୍ତି ବି ଭୁଲି କେହି ହେଲେ ଯିବ ବାଘମାରି ତ ତାକୁ ମାରିବ ବା କେମିତି ? ଆମେ ତାକୁ ଦେଖିପାରିବା ନାହିଁ ଆମରି ପାଖରେ ଆମରି ଭିତରେ ରହି ସେ ସବୁ ଦେଖୁଥିବ, ଆମେ ଆମର ମଞ୍ଚାବାନ୍ଧି ସଜହୋଇ ନିରାପଦରେ ଓଡ଼ିଆନଳୀ ଧରି ବାଘ ମାରିବାକୁ ଯିବା ତ ପଛଆଡ଼ୁ ଭୁଷକରି କେଉଁ ପଥର ସନ୍ଧିରୁ ବାହାରି ଆଖି ପିଛୁଳାକେ ଆମର ଶଙ୍ଖି ମୋଡ଼ିଦେଇ ଧରିକରି ନେଇ ସେ ପଳେଇଯିବ । ସେଦିନ କ’ଣ ହେଲା ? ମୁଇଁ ମୋର ଦସ୍ରୁ କୁକୁରକୁ ନେଇ ଆମ ଗାଁ ମହୁଲ୍‌କଣା ଖେନ୍ଦା ପାଖେ ମୋର ତାଷଜମି ଦେଖିବାକୁ ଯାଇଥିଲି, ଠିକ୍ ଛ ହାତ ଦୂରରେ ବଡ଼ ଚମ୍ପାଗଛ ତଳୁ ପଥର ଉଢ଼ୁଆଳରୁ ଉଠି ମହାବଳ ଠିଆହେଲା, ଡ୍ରୋଁ କଲା । ଜାଣିଲି ତ ମଲି ଏଥର, ନଳୀ ଉଠେଇଲି, କହିଲି ମହାପ୍ରୁ ତମେ ମତେ ଖାଇବାକୁ ଆସିଛ, ମୋର ମରିବାକୁ ମୋଟେ ମନ ହେଉ ନାହିଁ ମହାପ୍ରୁ, ଘରେ ଡୋକ୍ରୀଟା କାନ୍ଦିବ, ପିଲାଛୁଆ ଛ’ଟା ଖାଇବାକୁ ନ ପାଇ ମରିବେ, ତମେ ଚାଲିଯାଅ ନଇଲେ ଲାଛିଦେବି ମୋର ଦୋଷ ନାହିଁ ମହାପ୍ରୁ, ରକ୍ଷାକର ମତେ ପାପରେ ଡୁବାଅ ନାହିଁ । ବାଘ ମହାପ୍ରୁ ଆଁ କରିଦେଇ ଶାବଳମୋଟ ଦାନ୍ତଗୁଡ଼ାକ ଦେଖେଇ ହସିଦେଲା, ମୋର ପ୍ରାଣ ଶୁଖିଯାଉଥାଏ । ଲାଞ୍ଜକୁ ତଳେ ପିଟୁଥାଏ, କାନକୁ ମୁଣ୍ଡରେ ଲଗେଇଦେଇ କାନ୍ଧକୁ ସାନ କରିଦେଇ ମୁଣ୍ଡକୁ ପାରିଦେଲା, ବୁଝିଲି ଡେଇଁବ ଏତେକେ । କୁକୁରକୁ କହିଲି ବାବୁ ଦସ୍ରୁ, ତୋ’ର ମା’କୁ କହିଦେବୁ ଯା ତୁ ପଳା, ଦସ୍ରୁ ଗ୍ୟାଳ୍ପ ପଳେଇଲା ନାହିଁ ବସି ରହିଲା, ନଳୀ ଉଠେଇଲି ବୋଲୁଛ କି, କହିଲି ମହାପ୍ରୁ ତୋର ଚାରିଧରମ୍ ମୋର ଦୋଷ ନାହିଁ । ସିଧା କରି ଢୁ’ କରିଦେଲି, କେମିତି ଜାଣିପାରିଲା କି, ଦଉଡ଼ି ଦଉଡ଼ି ପଳେଇଲା । ଦେଖତ, କିଏ ଜାଣିଥିଲା ସେଠି ସେ ବାହାରିବ ବୋଲି ?’ ଶିବଜାନି ଓସ୍ତାଦ ଶିକାରୀ, ସେ ବଡ଼େଇ କରେ ନାହିଁ ।

 

‘ହଁ ହୋ, ବାଘ ବାଘ ହୋଇ ବଣ ତ ପୋଡ଼ୁ ମାରି ମାରି ସରିଯିବ ମିନାପାଇ ସୁନ୍ଦ୍ରୁ କହିଲା,’ ଯେବେ ହେଲେ ତ ବଣ ସରିଯିବ, ଆଉ କୁଆଡ଼େ ରହିବ ବାଘ, ଦେଖିବା ନାହିଁକି ? ମାମୁଁକୁ ବାସୁ ବାସୁ ଆସ ଆସ, କହି କୁକୁରପିଟା କରି ଶେଷ କରିଦେବା, ଶଳାକୁ ଯେତେଦିନ ଭୋଗ ଅଛି, ଗାଁ ଉଜାଡ଼ୁ ଥାଉ, ଖାଉଥାଉ, ତାର ଉପରେ ଆମର ବଉଁଶ କୁଟୁମ୍ବଙ୍କର ଅଶ୍ରୁ ପଡ଼ୁ । ସୁନ୍ଦ୍ରୁ ବୁଢ଼ାର ରାଗ ଦେଖି ସମସ୍ତେ ହସି ହସି ଗଡ଼ିଲେ, ଶିବଜାନି କହିଲା, ‘ସେମିତି କହିବାର ବିଧି ନାହିଁ, କେଉଁଠି ଥାଇ ଶୁଣୁଥିବ ।’

 

ଶୀତଦିନେ ବଣେ ବଣେ ଖାଲି ବାଘର ଗପ । ରବିବାର ଦ୍ୱିପ୍ରହର । ହେଇ ମିଣିଆପାୟୁ ବସ୍ତି ଦିଶିଲାଣି । ମିଣିଆପାୟୁ ଲୋକ ଆସୁଛନ୍ତି । ଗାଁ ମଝିରେ ପୂଜା ଲାଗିଛି, ଦିସାରି କ୍ଳାନ୍ତ ଅଳସ ହୋଇ ବସି ବସି ଅପେକ୍ଷା କରୁଛି । ଲୋକଙ୍କୁ ଦେଖି ଢାପୁ ଢୋଲ ଟମକ ବାଜିଲା, ବୁଢ଼ୀମାନେ କାଳିଶି ଲାଗିହୋଇ ନାଚିଲେ । ଆସିଥିବା ପରଗାଁ ଲୋକଙ୍କର ଅପେକ୍ଷା କରିବାକୁ ଆଦୌ ଇଚ୍ଛା ନାହିଁ, ଚଞ୍ଚଳ କେମିତି କାମ ସରିଗଲେ ସେମାନେ ଆପଣା ଆପଣା ଗାଁକୁ ଯିବାକୁ ବାଟ ଧରିବେ, ବଘେଇ ଦିନ, ମେଘ ଦିନ, ହୀନସ୍ତା ବାଟ । ‘କେତେ ବେଳକୁ ଲଗ୍ନ ଧରିଦେଇଛୁ ଦିସାରି ?’ ଭୂଇଁରେ ପୋତା ହୋଇଥିବା କାଠି ଖଣ୍ଡକୁ ହାତ ଦେଖେଇ ଦେଇ ଦିସାରି କହିଲା, ‘ଆଉ ଡେରି ନାହିଁ, ଧୂଆଁ ପାଣି ଖାଉ ଖାଉ ଲଗ୍ନ ପହୁଞ୍ଚିଯିବ’, ବାଜାବଜାଳିଙ୍କୁ ଇଙ୍ଗିତ କରି ଦିସାରି କହିଲା, ‘ବଜା ଜଲ୍‌ଦି ଜଲ୍‌ଦି, ଅଟକ ନାହିଁ ।’

 

ଆସିଥିବା ଲୋକେ ଏକାଠି ବସିପଡ଼ିଲେ । କେବଳ ଚାଷୀ ମଣିଷ ନୁହଁନ୍ତି ତ, ଗୋଟାଏ ସୈନ୍ୟପରି । କିନ୍ତୁ ସେ ବୀରପଣିଆର କିଛ ମୂଲ୍ୟ ନାହିଁ, ରକ୍ତ ଅଛି, ମାଂସ ଅଛି, ଟାଙ୍ଗିଆ ଅଛି, ନଳୀ ଅଛି, ହାତଟି ହଲେଇବା ପାଇଁ ବି ସମୟ ଅନୁକୂଳ ନୁହେଁ, ତେଣୁ ମୁଣ୍ଡ ଭିତରେ କେବଳ ଦିସାରିର ଶ୍ଳୋକକୁ ତନ୍ତ୍ରକୁ ଅପେକ୍ଷା । ଭୂଇଁରେ ବି ଆଣ୍ଠୁ ମାଡ଼ିଦେଇ କୌପୁନୀ ଖଣ୍ଡେ ପିନ୍ଧି ଡାହାଣ ହାତ ଉପରେ ମୁହଁକୁ ଭରାଦେଇ ଭୂଇଁରେ ପୋତା ହୋଇଥିବା ସେହି କାଠିକି ଅନେଇଁ ମିଣିଆପାୟୁର ପାଣ୍ଡ୍ରୁ ଦିସାରି କନ୍ଧ ବସି ରହିଥାଏ, କ୍ଳାନ୍ତ ଉଦାସ ଆଖିରେ କେଉଁ ଦୂରକୁ ଦୃଷ୍ଟି, ଯେପରି ସେ ସେଠି ନାହିଁ । ଗୋରା ଲୋକଟା, ଦର୍‌ହବୁଢ଼ା ହେଲେ ବି ସୁନ୍ଦର ତାର ଠାଣି । ଲୋକେ କୋଳାହଳ କରୁଥା’ନ୍ତି, ବେଜୁଣୀ କେମିତି ମଲା ଶହେ ତୁଣ୍ଡରେ ସେହି କାହାଣୀ ପଡ଼ିଥାଏ, ହାଟର ଗୋଳମାଳ । ସ୍ଥିର ହୋଇ ତାର ଆସନରେ ଭାଗ୍ୟବାଦୀ ପାଣ୍ଡ୍ରୁ ଦିସାରି ବସି ରହିଥାଏ, ସେ କାଠି ଆଡ଼କୁ ମୁହଁ; କେଉଁ ଅନାଗତ ଲଗ୍ନ ଆଡ଼କୁ ତାର ଧ୍ୟାନ । ସରଳ ବିଶ୍ୱାସୀ ସିଧାସଳଖ ପ୍ରାଚୀନ ସଂସ୍କାରର କନ୍ଧଟିଏ ।

 

ଘଡ଼ିଏ ଗଲା, ଦିସାରି ହାଙ୍କିଲା ଚାଲ, ଉଠ ।

 

ବାଜା ବଜେଇ ଅସ୍ତ୍ର ଶସ୍ତ୍ର ଧରି ମିଣିଆପାୟୁ ଗାଁର ଲୋକ ଓ ସହାନୁଭୂତିର ଭାରଥୋର ବୋହି ଆସିଥିବା ବିଭିନ୍ନ ଗ୍ରାମର ପ୍ରତିନିଧିମାନେ ଏକାଠି ଗାଁରୁ ତଳକୁ ଓହ୍ଲାଇ ପଡ଼ିଲେ । ଅରଣା କନ୍ଧ, ଦଳରେ ଥିଲେ ବିଭୀଷଣ-ଦର୍ଶନ । କିନ୍ତୁ ଧୂଳିଆ କନ୍ଧ ମସିଆ କନ୍ଧ ଏଡ଼େ ବଡ଼ ପଟୁଆର କରି ଚାଲିଛନ୍ତି କେବଳ ମନ୍ତ୍ର-ଯୋଗରେ ଭାଗୀ ହେବାକୁ । କାହାରି ବିଶ୍ୱାସ ନାହିଁ କେବଳ ବଣ କିଳିଦେଲେ ବାଘ ଆସିବ ନାହିଁ ବୋଲି, କିନ୍ତୁ ଦିସାରିର ବିଶ୍ୱାସ ଅଛି, ସେ ବିଶ୍ୱାସ ନ ଥିଲେ ତାର ଜୀବନର ଭିତ୍ତି ନାହିଁ । ସତ୍ ଅଛି-ସତ୍ ଅଛି ମନ୍ତ୍ରର ବଳ ଥିଲା, ମନ୍ତ୍ରର ବଳ ଅଛି-ବାଡ଼ି ନ ବୁଲେଇ ତାଳି ମାରିଦେଇ ମୁରୁଜ ବିଞ୍ଚିଦେଇ ବଣରୁ ସେ ବାଘକୁ ଦୂର କରିଦବ, ପଚାରିଲେ କହେ, ଏପରି ଲୋକ କ’ଣ ନାହାନ୍ତି ଯେଉଁମାନେ ଗୁଣିଗାରଡ଼ି କରି ମୁହଁ ବାନ୍ଧି ଦିଅନ୍ତି ସାପକୁ ବନ୍ଧନରେ ପକାନ୍ତି, ‘ପାତି’ ପକେଇ ବାଘକୁ ଡାକନ୍ତି ଯେ ବାଘ ଚାଲିଆସେ । ଦିସାରି ପାଣ୍ଡ୍ରୁ କନ୍ଧ ଅଟଳ ବିଶ୍ୱାସରେ କହେ ମନ୍ତ୍ରର ବଳ ଠିକଣା ହୋଇଥିଲେ ବନ୍ଧୁକର ମୁହଁବନ୍ଦି କରିଦେଇହେବ, କେତେକ ଜନ୍ତୁ ବି ଏ ବିଦ୍ୟା ଜାଣନ୍ତି । ତେଣୁ ବିଲୁଆକୁ ଲାଛିଲେ ନଳୀ ଖରାପ ହୁଏ । ଥିଲା ଜଣେ ବଳିଆର ଦୁର୍ଲଭ ମାଝି ବୋଲି ମଣିଷ ନଅର ଭିତରେ ଦଶରା ଯାତ୍ରାରେ ଦେଖେଇ ଦେଇଛି ତାକୁ ବନ୍ଧୁକରେ ଲାଛିଲେ ତା ଦେହରେ ଗୁଳି ବାଜେ ନାହିଁ, ଗୁଳିଗୁଡ଼ାକ ହାତରେ ସେ ଧରିପକାଏ । ମନ୍ତ୍ରର ବଳ,-ପାଣ୍ଡ୍ରୁ ଜାନି ବିଶ୍ୱାସ କରେ, ଜାଣିଲାପରି ମୁଣ୍ଡ ହଲେଇ ହଲେଇ ନେଇ ଚାଲେ ତାର ଅରଣାଗୋଷ୍ଠୀକୁ ପୂଜାଦେବା ସ୍ଥାନକୁ, ଅଳ୍ପ କହେ, ବିଶ୍ୱାସର କଥା ଦୂରର କଥା,-ଯେ ପଚାରିଲେ ସରଳ ଉଦାହରଣଟିଏ ଥୋଇଦେଁଇ ଶାନ୍ତ ସୌମ୍ୟହସ ହସିଦିଏ । ଅବିଶ୍ୱାସୀ ବି କଥା ବୁଲେଇ କଥାକୁ କାଟିପାରେ ନାହିଁ ।

 

‘ହେଇ ସେଇଠି’ ଲୋକ ବଣକୁ ଦେଖେଇ ଦେଲେ-ଦି’ଶହ ଆଖି ଲାଖିରହିଲା ସେଠି ଜାଗାରେ । ଦିନର ଆଲୁଅରେ ଫରଚା ହୋଇ ପରିଷ୍କାର ଦିଶୁଛି ପଥୁରିଆ ଖୋଲା ଜାଗାଟା, ବଗିଚା ପରି ହାଲୁକା ବଣ ବଢ଼ିଛି, ଚାରିଆଡ଼େ ନିବୁଜ ଅରଣ୍ୟ, ବିନାଦୋଷରେ ବୁଢ଼ୀଟାର ଶଂଖି ମୋଡ଼ିଥିଲା ସେଇଠି ମହାବଳ । ଭୟ, ଘୃଣା, ରାଗ,-ଏକାଠି କୋଳାହଳ । ସରୁ ହାତଟିଏ ଟେକି ଆଗରେ ଠିଆହୋଇ ସମସ୍ତିଙ୍କୁ ଥପ୍ କରି ବନ୍ଦ କରିଦେଲା ପାଣ୍ଡ୍ରୁ ଦିସାରି । କହିଲା, ‘ତୁନି ପଡ଼’ ।

 

ଥପ୍‌କରି ତୁନିହୋଇ ଏତେଗୁଡ଼ାଏ ଲୋକ ଅପେକ୍ଷା କରି ରହିଲେ । ଏହା କିଛି ନୂଆ ନୁହେଁ, ବାଘଖିଆ ଓ ଦିସାରିର ପୂଜା ବଣଦେଶରେ ଲାଗିରହିଛି । ଦିସାରି ବର୍ତ୍ତମାନ ପୂଜା କରିବ, ପଥର ଉପରେ ଚଢ଼ି ଆକାଶକୁ ହାତଟେକି ଧର୍ମୁକୁ ନିଜ ଜାତିର ଦୁଃଖ ନିବେଦନ କରିବ । ତଳର ମଣିଷ ପୃଥିବୀରେ ରହି ବିପତ୍ତି ଅନୁଭୋଗ କରୁଛି, ବାରମ୍ବାର ଦିସାରି ଧର୍ମୁକୁ ସାକ୍ଷୀ କରିବ, ଦେଖ୍ ଧର୍ମୁ, ତୁ ଥାଉ ଥାଉ ଭାଗ୍ୟର ଏତେ ଅତ୍ୟାଚାର, ଏତେ ଦୁଃଖ ଦୁର୍ଦ୍ଦଶା, ଝଡ଼ି ମରୁଡ଼ି, ବଘେଇ ହାହାକାର । ଶୋଷାଶୋଷି ଖରାର ତେଜ ହଳଦିଆ ପଡ଼ିଗଲାଣି, ଦୂରରେ ଦୂରରେ ପର୍ବତ ଦେହରେ ଅରାଏ ଅରାଏ ଲାଗିରହିଛି । ମେଘର ଅବରଖ ପର୍ଦ୍ଦା, ପଥର ଉପରେ ଦିସାରି ଚଢ଼ିଲା, ଧର୍ମୁକୁ ମୁହଁକରି ଆକାଶକୁ ହାତ ଟେକିଲା, ଗମ୍ଭୀର ହୋଇ ଉଦ୍‌ବୋଧି କହିଲା ।

 

ଦେଖ୍ ଧର୍ମୁ, ଦେଖ୍ ତୋର ପୁଅଝିଅଙ୍କର ଦୁର୍ଦ୍ଦଶା ।

 

ତୋର ନିୟମ ମାନି ଚଳୁଛୁଁ, କାହାରି ସାଙ୍ଗେ ବାଦି ଶତ୍ରୁତା କରୁ ନାହୁଁ । ନିଜର ଭୂଇଁକୁ ତାଡ଼ି ତାଡ଼ି ଜଙ୍ଗଲ ଭିତରେ ପଥର କୁଢ଼ ଭିତରେ ବଣର ମାଙ୍କଡ଼ପରି ଆମେ ଘର କରୁଛୁଁ । ନ ଥିଲା ନିଦରବୀ ଲୋକ, କେଡ଼େ କଷ୍ଟରେ ଆମର ଜୀଉଣା । କାହାରି କେଉଁ ଗୋଟିଏ ପୂଜା ବି ଆମେ ବାକି ପକୋଉ ନାହୁଁ, ତଥାପି ବାଘଦେବତା ଆମକୁ ଧରି ଧରି ଖାଉଛି, ତୁ ଦେଖୁଛୁ, ଦର୍ତନୀ ମା’ ଦେଖୁଛି, ଆମର ଜାତି ନଶି ଯାଉଛି, ୟାର କି ପ୍ରତିକାର ?’

 

ଓହ୍ଲେଇପଡ଼ି ଦିସାରି ପୁଣି ମଙ୍ଗଳ ଆଶୀର୍ବାଦ ବୋଲିଲା, ଭୂଇଁରେ ଛାମୁଡ଼ିଆ କରି ଫୁଲ ମୁରୁଜ ବିଞ୍ଚି ନାନାପ୍ରକାର ମନ୍ତ୍ର ତାର ଗୁମର ଦିସାରି ହିଁ ଜାଣେ କେବଳ । ବାଜା ବାଜୁଥାଏ, ଲୋକେ ବସି ବସି ପିଙ୍କା ଟାଣୁଥା’ନ୍ତି । କେତେବେଳକେ ଉଠି ଦିସାରି ବଣର ଧଡ଼ିରେ ଧଡ଼ିରେ ମନ୍ତ୍ର ସମେତ କିଳା ପୋତିଦେଲା, ସମସ୍ତିଙ୍କୁ ବାରଣ କଲା, ଆଜିଠୁଁ ଏ ବଣକୁ କେହି ଯିବ ନାହିଁ ।

 

ଦିସାରି ତୁଣ୍ଡର କଥାରେ ବାଘକୁ ବାଘ୍‌ଡୁମାକୁ ଉଭୟକୁ ଅଟକେଇ ସାରିଥିଲା ।

 

ମିଣିଆପାୟୁରୁ ଜଣେ ଉଠି ପଡ଼ିଲା, ମନ୍ତ୍ର ହୋଇଥିବା ପାଣି ମାଠିଆଏ ଦିସାରି ତାହା ମୁଣ୍ଡରେ ଥୋଇଦେଲା ଏଥରକ ବାଘ୍‌ଡୁମା ଅଭିନୟ । ସେ ତୁଣ୍ଡ ଫିଟେଇବ ନାହିଁ । ଯେ ଯାହା ପଚାରିଲେ କହିବ ଖାଲି ‘ହୁଁ’, ପାଣି ମାଠିଆକ ମୁଣ୍ଡେଇ ନେଇ ଦୂରରେ ଯାଇ ଢାଳିଦେଇ ଆସିବ । ସମସ୍ତଙ୍କର ଅଧିକାର ତାକୁ ପଚାରିବାକୁ, ତାର ଅଧିକାର ସେ କହିବ ‘ହୁଁ’ ।

 

‘ତୁ ବେଜୁଣୀର ବାଘ୍‌ଡୁମା ?’

‘ହୁଁ ।’

‘ତୁ ଚାଲି ଯାଉଛୁ ?’

‘ହୁଁ ।’

‘ବଣରେ ରହିବୁ ?’

‘ହୁଁ ।’

‘ଆମର କିଛି ଅନିଷ୍ଟ କରିବୁ ନାହିଁ, ଭଲରେ ରହିବୁ ?’

 

‘ହୁଁ ।’ ଦିସାରି ତାକୁ ବି ମନ୍ତ୍ର କରି ଦେଇଛି, ତାହା ଉପରେ ଧୂଳି ପକେଇ ଦେଇଛି, ଫୁଲ ଲଗେଇ ପାଣି ଛିଞ୍ଚି ଦେଇଛି, ପଛକୁ ମୁହଁ ବୁଲେଇବ ନାହିଁ, ତୁଣ୍ଡ ଫିଟେଇବ ନାହିଁ, ଖାଲି ସେ ଚାଲିଯିବ । କିଛିଦୂର ଗଲା ଉତ୍ତାରୁ-’ତୁ ଚୋର ?’

 

‘ହୁଁ ।’ ‘ତୁ ଖଙ୍ଗାର୍ ପଟ୍‌କାର୍ ଦୁଷ୍ଟ ବଦମାସ୍’, ‘ହୁଁ’, ଯେତେ ଅବୈଧ ଅଶ୍ଳୀଳ ଗାଳି, ସବୁଥିକି ‘ହୁଁ’, ନାହିଁ କହିବାକୁ ସାଧ୍ୟ ନାହିଁ । ଠିକ୍, କନ୍ଧଟିଏ ଚାଲିଯାଉଛି ପାଣିମାଠିଆକ ଢାଳିବାକୁ, କନ୍ଧମାନେ ହସୁଛନ୍ତି, ଥଟ୍ଟା କରୁଛନ୍ତି । ବାଘ୍‌ଡୁମା ତଡ଼ିବା ପୂଜା ସରିଗଲା । ଏଣିକି ଘରବାହୁଡ଼ା ।

 

ଘୋ ଘୋ କରି ସମସ୍ତେ ଉଠିପଡ଼ିଲେ । ବାଜା ବାଜିଲା । ବାଘ ଖାଇଥିବା ବଣ ଆଡ଼କୁ ଅନେଇଁ ମୁଖଭଙ୍ଗୀ କରି ହାତ ହଲେଇ ଲୋକେ ଜଣକୁ ବୁଝେଇଦେଲେ ମଣିଷଙ୍କ କରାମତି । ବେଜୁଣୀର ଆତ୍ମାକୁ ବଣରେ ଛାଡ଼ିଦେଇ ଲୋକେ ଫେରିଗଲେ । ଗୋଟାଏ କାମ ସରିଗଲା ।

•••

 

ଏକାନବେ

 

ସେମିତି ମେଘ ଲଦି ରହିଛି, କେତେବେଳେ ବରଷା ଅନ୍ଧାର, କେତେବେଳେ ଟିକିଏ ଛାଡ଼ୁଛି । ତାହାରି ଭିତରେ କାମ ଲାଗି ରହିଥାଏ, ଘର କାମ, ଚାଷ କାମ, ଗୋଟାଏ ଦିନର ଘଟନାଠୁଁ ଆରଦିନର ଘଟଣା ବେଶୀ ଭିନ୍ନ ନୁହେଁ, ସବୁ ଏକାପରି ।

 

ଘଟନା,-ଘଟନା-ଘଟନା ଘଟେ ନାହିଁ । ଛାଇ ବଡ଼ରୁ ସାନହୋଇ ପୁଣି ବଢ଼ି ବଢ଼ି ଅନ୍ଧାର ଘୋଟେ, ପତ୍ର କଅଁଳେ ବଣର ଅସୁମାରି ଗଛରେ ଅସୁମାରି ନୂଆ ଶାଖା ବାହି ବଢ଼େ, କେତେ ଗଛ ଉପୁଡ଼େ, କେତେ ଗଛ ଜନ୍ମହୁଏ, କ୍ଷେତର ଫସଲ ବଢ଼ି ବଢ଼ି ହୁଏ ଜଙ୍ଗଲ । ନିତି ସେହି ଦିଗ୍‌ବଳୟ ସେହି ମଣିଷ, କେବେ କାହାକୁ କାଶ ହେଲା, ଜର ହେଲା, ସେଥିରେ ନୂଆ କିଛି ନାହିଁ । ଘଟନା ସଂଜ୍ଞା ହରାଏ, ସବୁ କେବଳ କ୍ରମିକ ଗତି, ନୀରବ ଛନ୍ଦ ।

 

କନ୍ଧ ସମୟର ହିସାବ ରଖେ ନାହିଁ ଆପଣାର ବୟସ ବି ହେଜାକରି ମନେ ରଖେ ନାହିଁ-

 

କ୍ଷେତରେ ବଛା ବେଉଷଣ ବାରପଣି ସରିଯାଇଥାଏ, ମେଘୁଆ ଦିନରେ ଖରାପାଗଦେଖି ଗାଁକୁ ଦିନେ ଆସିଲା ଜଣେ ଲୋକ, ବାଟକଢ଼ାଳି ଆଉ ଭାରବୁହା ସାଙ୍ଗରେ ଧରି ସାଓଁତା ଘର ପିଣ୍ଡାରେ ବସା କଲା, ସାହୁକାର ଭୋଗିଲା ଜଗନ୍ନାଥଁର ଗୁମାସ୍ତା, ତାର ଦେଶର ଲୋକ । ସାହୁକାରର ଗୋତି ବାଆଲିର ପୁଅ ସୁଗ୍ରୀକନ୍ଧ ତା’ ପାଇଁ ଜାଗା ଠିକଣା କଲା । ପାଣି-କାଞ୍ଜି, କାଠ, ନିଆଁ, କନ୍ଧବସ୍ତିରୁ ସିଧା, କୁକୁଡ଼ା । ଗୁହାଳର ବାଉଁଶ ତାଟି ପିଣ୍ଡାରେ ଛେକିଦେଇ କାନ୍ଥ କରିଦେଲା, ଦଉଡ଼ିଆଖଟ ପାରିଦେଲା, ଜିନିଷପତ୍ର ସଜେଇ ଦେଲା ।

 

ସାହୁକାରର ଗୁମାସ୍ତା ସାନ ସାହୁକାର ଖଟ ଉପରେ ବସି ଦକ୍ଷିଣୀ ସୁଠା (ପିକା) ଟାଣିଲା ।

 

ବଣ ଭିତରକୁ ଅଦିନରେ ଏହି ଗୋଟିଏ ନୂଆ ଜନ୍ତୁ ଆସି ପହଞ୍ଚିଛି, ସଭ୍ୟ ଦେଶର ଲୋକ, ଘୋଡ଼ିପୁଡ଼ି ହୋଇ ଲୁଗା ପିନ୍ଧିଛି । ତାର ପିଚାରେ ୟଜ୍ ରୋଗ ଅଛି କି ନା ଚିହ୍ନା ପଡ଼ୁ ନାହିଁ, ପଦାକୁ ଦିଶୁ ନାହିଁ ଅଣ୍ଟାରେ ଯାଦୁ ଅଛି ନା ନାହିଁ । କେତେ ଜାତିର ଅଙ୍ଗୀ ଲଗେଇ ହୋଇଛି ପୁଳା ପୁଳା ମେଞ୍ଚା ମେଞ୍ଚା ମୁଛ ରଖିଛି, ସେ ଗୋଟିଏ ଦେଖିବାର ବସ୍ତୁ । ସ୍ତ୍ରୀଲୋକମାନେ କବାଟ ଉହାଡ଼ରୁ ତାର ଅଙ୍ଗଭଙ୍ଗୀ ଲକ୍ଷ୍ୟ କରୁଥା’ନ୍ତି; ପିଲାମାନେ ତାର ବସାଘର ସେପାଖେ କୁକୁଡ଼ା ଛୁଆ ପରି ତିତିର୍ ବିତ୍‌ରି ହେଉଥା’ନ୍ତି, ବଡ଼ ମଣିଷ କ୍ଷେତକୁ ଯାଇଛନ୍ତି । ତାର ସବୁ ଆଉ ଜାତିର ।

 

କନ୍ଧଛୁଆ ଦେଖୁଥା’ନ୍ତି, ଧୂଆଁପତ୍ର ପିଇବାକୁ ସେ କାହାଳୀ ବ୍ୟବହାର କରେ ନାହିଁ, ମୋଟା ମୋଟା କଳା କଳା କ’ଣ ତୁଣ୍ଡରେ ଭୂଷିଦେଉଛି । କାଠିରେ କାଠି ଘଷି ଘଷି ନିଆଁ ତିଆରି କରୁ ନାହିଁ, ଗୋଟାଏ ଛୋଟିଆ ବାକ୍ସ ଭିତରୁ କ’ଣ କାଠିଟାଏ ବାହାର କରି ଘଷି ଦେଉଛି, ତା ଛାଆଁକୁ ନିଆଁ ବାହାରୁଛି । ବର୍ଷାପାଗରେ ପଦାକୁ ଯିବାକୁ ତାର ପତ୍ରର ତଲ୍ରା ତଲ୍ରି ନାହିଁ, ବାଡ଼ିରେ ଚେମେଣି ଚଢ଼େଇ ଲଟକିଲା ପରି କ’ଣ କଳାକନା ଗୁଡ଼େଇ ହୋଇଛି, ହାତରେ କ’ଣ କରିଦେଲା ଯେ କେଡ଼େ ବଡ଼ କଳା ଫୁଲଟାଏ ପରି କ’ଣ ଫୁଟିଗଲା, ସେହିଆକୁ ମୁଣ୍ଡ ଉପରେ ଘୋଡ଼େଇ ସେ ବିଲକୁ ଚାଲିଛି, ପାଦରେ ଗୋରୁଖୁରା ପରି ଚମଡ଼ାର ପାଦ ପିନ୍ଧିଛି, ନା, ଅନେକ ବିଚିତ୍ରତା ଅଛି ତାଠିଁ, ତା’କୁ ଆଖିରୁ ଅନ୍ତର କରିବା ଉଚିତ ନୁହେଁ । କୁକୁର ପରି ପଲେ ଛୁଆ ପଛେ ପଛେ ଗୋଡ଼େଇଥା’ନ୍ତି, ଛତା ଧରି ସାହୁକାର ବିଲକୁ ଗଲା । ଆଗେ ଆଗେ ସ୍ତ୍ରୀଲୋକମାନେ ଦେହ ମୋଡ଼ିଦେଇ ପଛବୁଲେଇ ଠିଆହୋଇ ପଡ଼ୁଥା’ନ୍ତି, ମୁଣ୍ଡରେ ଲୁଗା । କନ୍ଧୁଣୀ ଅଚିହ୍ନା ଲୋକର ମୁହଁକୁ ଅନାଏଁ ନାହିଁ । ବୁଢ଼ା ଦୁର୍ବଳିଆ ଯେତେ ଆଗେ ଆଗେ ନଇଁପଡ଼ି ଦଣ୍ଡବତ କରୁଛନ୍ତି, କାରଣ ସେ ଲୁଗା ପିନ୍ଧିଛି ଅଙ୍ଗୀ ଭିଡ଼ିଛି ତେଣୁ ସେ ‘ଅଧିକାରୀ’ ଶ୍ରେଣୀର । ଘାଟୀ ମୁଣ୍ଡରୁ ବୁଢ଼ା ବାରିକ ଭିଡ଼ିଲା, ବାଆଲିର ପୁଅ ସୁଗ୍ରୀ ଚିହ୍ନେଇଦେଲା ୟେ କାଜ୍‌ଜା (ବୃହତ୍) ସାହୁକାରର ପ୍ରତିନିଧି । ବକର ବକର ହୋଇ ବୁଢ଼ା ବାରିକ ବାଡ଼ି ଠୁକୁ ଠୁକୁ କରି ତାଷ-ଖାଲକୁ ଓହ୍ଲେଇଲା । ‘ସତ୍ ସତ୍-ତାଷ କେତେବେଳେ ଭଲ ହେବ ସିନା, ହାଲକୁ ପଇସା ଅଭାବ ଅଛି, ଯାହା ଥିଲା ରୁଣ୍ଡେଇ ପୁଣ୍ଡେଇ ଫାରାଷ୍ଟିକୁ ବିଦା କରିବାରେ ସରିଗଲା । କେଉଁ କେଉଁ ସାହୁକାରଙ୍କର କରଜ ବର୍ତ୍ତମାନ ବି ବାକି ଅଛି, ବର୍ଷା କମିଗଲେ ତାଗଦା କରିପାରନ୍ତି, ଅସମ୍ଭବ ନୁହେଁ । ହଁ ଶସ୍ୟ ଭଲ ହୋଇଛି, ପାଳୁଅ ହୋଇଛି, ମହୁ ବି ମିଳିପାରେ । ନଗଦ ପଇସା ମିଳିବ । ହଁ, ଖୁବ୍ ଭଲହେବ ତାହାହେଲେ, ନଗଦ ପଇସା କଞ୍ଚା ପଇସା ସବୁଦିନେ ଏ ବଣରେ ମିଳେ ନାହିଁ ।’

 

ବକର ବକର ହୋଇ ବାରିକ ଚାଲିଛି, ତାର ଦୃଷ୍ଟି ଲାଗିରହିଛି ଏହି ନୂଆ ଅଧିକାରୀଠିଁ ।

 

କେତେ ପଇସା ରହିଛି ଏହି ଅଙ୍ଗୀର ଗୋପନ ଜେବି ଭିତରେ ? କାହିଁ, କେଉଁଠି ସେ ଅଛି ? ପଇସାର ସୁବାସ ଅଛି, ମିଳୁ ନ ମିଳୁ ପଇସା ପଛେ ପଛେ ଗୋଡ଼େଇବାକୁ ଭଲ ଲାଗେ ।

 

ସାହୁକାରର ପ୍ରତିନିଧି ଭୁର୍ଷାମୁଣ୍ଡା ବାରିକ୍‌ଠୁଁ ଗାଁର ଭଲମନ୍ଦର ତଥ୍ୟ ଛାଣି ଛାଣି ତାଷଖାଲ ଭିତରକୁ ଗଡ଼ିପଡ଼ିଲା । ଓଃ କି ସୁନ୍ଦର ଗୋଛା ଗୋଛା କଅଁଳା ପିଲା ପରି ଫସଲ ଠିଆ ହୋଇଛି, ପାଖକୁ ପାଖ, ମୁହଁରୁ ଆଖିରୁ ଦୁଧ ଛାଡ଼ି ନାହିଁ ଯେପରି-କେତେ ପାଚିବ-କେତେ ଫସଲ-ଗୁମାସ୍ତାର ଛାତି ଉଲୁସି ଉଠିଲା । ମନେପଡ଼ିଲା ଏଠି ବଣ ଭିତରେ ଲୁଚି ଲୁଚି ରହିଛି ଯେତେ ଇଚ୍ଛା ସେତେ ‘ଜିନିଷ’, ସାଇତିବାକୁ ବୁଦ୍ଧି ନାହିଁ, ଧରି ରଖିବାକୁ ବଳ ବହପ ନାହିଁ, ଖାଇବାକୁ ମଣିଷ ନାହାନ୍ତି । ତେଣେ ତଳଦେଶରେ ଧୋଇ ଚରି ଯାଉଛି, ତୋଫାନ ପିଟୁଛି, ଖଣ୍ଡେ ସାନ ଜମିକୁ ବାଡ଼ିଆବାଡ଼ି । ସାହୁକାର ଭୋଗିଲା ଜଗନ୍ନାଥଁ ଠିକ୍ ତ କହିଥିଲା, ‘ଡର ନା, ଯା, ମୁଁ ଜାଣେଁ, ମାଲ୍ ଅଛି । ଯାହା ପଛେ ପଡ଼ୁ ଠିକଣା କରି ଆ । ବଙ୍ଗଦେଶରେ ମରୁଡ଼ି ପଡ଼ୁଛି, ତଳ ମାନ୍ଦ୍ରାଜରେ ଦୁର୍ଭିକ୍ଷର ଭୟ । ପାଳୁଅ, ମହୁ ଯୋଗାଡ଼ କରିପାରିଲେ ସୁନା ପାଇଲା ପରି । ଆମ ଦେଶର ଲୋକ ଅରୁଆ ଭାତ ଓହ୍ଲେଇ ଅପେକ୍ଷା କରି ରହିଛନ୍ତି କନ୍ଧମାଳରୁ ଲଙ୍କାମରିଚ ଆଣିବୁ ତେନ୍ତୁଳି ଆଣିବୁ । ପଲାଉ ପାର୍ଟି ଅପେକ୍ଷା କରିଥିବ, ହଳଦିଗୁଣ୍ଡା ଆସିବ । ଦୁନିଆରେ ସବୁ ସ୍ତ୍ରୀଲୋକ ଅନେଇଁ ବସିଥିବେ କନ୍ଧର ହଳଦି ଆସିବ ଲଗେଇବେ, ଜଡ଼ାତେଲ ଆସିବ ସୁନ୍ଥା ପାରିବେ ଯା, କେବଳ ପଦେ କଥା, ସାଓଁତା ଚିହ୍ନି ପିକା ଖଣ୍ଡେ, କାହାକୁ ଶଳା, କାହାକୁ ମାମୁଁ, ଡର୍‌ ନା, ଯା-’

 

ଠିକ୍ କଥା, ସାହୁକାର ଭୋଗିଲା ଜଗନ୍ନାଥଁ ଥଟ୍ଟାରେ ଥଟ୍ଟାରେ ଠିକଣା କଥା ନିଦା କଥା ସବୁ କହେ ।

 

କଳ୍ପନାଶକ୍ତି ନ ଥିଲେ ବାର ବଣ ଝୋଲା ଆଉ ନଈପାରିହୋଇ ଆସି ବେପାର ଚଳେଇ ମଣିଷ ସାହୁକାର ହୋଇପାରେ ନାହିଁ । ଝିପି ଝିପି ବର୍ଷା ପଡ଼ୁଛି ।

 

କାଦୁଅ ପଙ୍କ ଗୋଡ଼ି ମଟାଳରେ କୌପୁନୀ ପିନ୍ଧି କନ୍ଧମାନେ କାମ କରି ଯାଉଛନ୍ତି, ସୁତୁରା କାମ, ନିକୁଟା କାମ । ଚାରିପାଖର କାଠର ବଣ ଫସଲର ବଣହୋଇ ତଳକୁ ଲମ୍ବି ହୋଇଛି । ସେହି ବଣରେ ବାଘ ଖାଇଛି । ଆହୁରି କେତେ ବାଘ ନ ଥିବେ କି ପାଖ ବଣରେ । ବଣୁଆଁ ମଣିଷ, ବଣର ଜନ୍ତୁ । ସଭ୍ୟ ସମାଜ ନାହିଁ, କୋଠା ବାଡ଼ି ନାହିଁ, ଗହଳି ଚହଳି ନାହିଁ । ଶୂନ୍‌ଶାନ୍ ଖାଁ ଖାଁ । ତେଣ ବୁଧୁବାର ରାତି ଗୁରୁବାର ପାହାନ୍ତିରୁ ମା’ ଲକ୍ଷ୍ମୀଙ୍କ ପାଇଁ ଘର ଆଗରେ ମୁରୁଜ ପକେଇ ପିଠୋଉ ଢାଳି ଚିତ୍ର ତିଆରି ହେଉଛି, ମା’ ଲକ୍ଷ୍ମୀ ଆସୁଛନ୍ତି, ଯାଉଛନ୍ତି, କିନ୍ତୁ ଗୁମାସ୍ତା ଭାବିଲା, ଏଇଠି ମା’ ଲକ୍ଷ୍ମୀଙ୍କ ଘର । ଭାବିଲେ ରୁମ ଟାଙ୍କୁରି ଆସେ । ଏଇଠିକୁ ଆସିବା ଦରକାର, ଶାଳ ଗଛରୁ ଶାଳଗଛ ପର୍ବତରୁ ପର୍ବତ ଡୋର ଗଁଠେଇ ଗଁଠେଇ ଏଇଠି ବିଛେଇଦେବା ଦରକାର ବେପାରର ଜାଲ ।

 

ଗୁମାସ୍ତାର ମନର ଆଶା ତେଜି ଉଠୁଥାଏ । ବେପାରୀ ମନ ବାରମ୍ବାର ସ୍ମରଣ ପକେଇ ଦେଉଥାଏ ପାଦ ପକୋଉଛି ଯାହା ଉପରେ ସେ ଟଙ୍କା, ସେ ଅର୍ଥ, ତାର ତାତ୍ପର୍ଯ୍ୟ ଘରେ ଗଦି ପାଖେ ବସି ଉପରୁ ଉପରୁ ଫାଉ ଲାଭରୁ ଜୀବନର ସରଞ୍ଜାମ, ଭୋଗ ବିଳାସ । ବାଏଁ ଡାହାଣେ ଟଙ୍କା ଲହଡ଼ି ଭାଙ୍ଗୁଛି, ତାର ଜଗୁଆଳି ଏହି କନ୍ଧ, ବୋକା ଭୁନ୍ଦୁ ଓଲୁ ଶ୍ରୀଅକ୍ଷର ବିବର୍ଜ୍ଜିତ ଆଦିମପନ୍ଥୀ କେତେଗୁଡ଼ାଏ ମଣିଷ ଯାହାଙ୍କ ଉପରେ ଆଧୁନିକ ସମୟର ଧାସ ପକେଇଦେଲେ ଜଳି ଭୂତ ହୋଇ ଉଡ଼ିଯିବେ ।

 

ମନେପଡ଼ୁଥାଏ, ସବୁ ଅଛି କିନ୍ତୁ ମାଳ, ପର୍ବତ । ନେବା ଆଣିବାକୁ ସୁବିଧା ନାହିଁ, ବାଟ ଘାଟ ନାହିଁ, କେତେ ଦୂର, କେଡ଼େ ଅଖାଡ଼ୁଆ ବାଟ । ରେଳ ଲାଇନ୍ ଥାଆନ୍ତା, ଶସ୍ତାରେ କିଣିନେଇ ଡବାରେ ଅଜାଡ଼ି ଦେବାକୁ ଜମା ବେଳ ଲାଗନ୍ତା ନାହିଁ । ମଟର ଲାଇନ୍ ଥାଆନ୍ତା ତା ପଛକୁ ତା ପଛ ଗାଁମାନଙ୍କର ନାଁ ‘ବୋବିଲି-ମକୁଆ ବୋବିଲି-ମକୁଆ’ ସାଙ୍ଗରେ ‘ମିଣିଆପାୟୁ-ବନ୍ଦିକାର-ମିଣିଆପାୟୁ ବନ୍ଦିକାର’ ଡାକି ଡାକି ନେ ଆଣ କରନ୍ତା ସେଠୁ ଏଠିକି ମଣିଷ ଏଠୁ ସେଠିକି ଜିନିଷ କୁଢ଼ କୁଢ଼ । କେଡ଼େ କଷ୍ଟରେ ଖଣ୍ଡେ ଦୂରଯାକେ ନାଲି ରାସ୍ତା ଆସି ପହଞ୍ଚିଛି, ତଥାପି ସେତିକିରେ ଜଗନ୍ନାଥଁ କହିଲା କ’ଣ ନା ମୋ ପାଖରେ ଯଦି କାମ କରିବୁ ମରି ସରି ଯେମିତି ମନ ସେମିତି ପୋଢ଼ଗାଡ଼ି କରି ସୁଦ୍ଧା ଯା, ଏଦିନେ ଦାଦନ ଦେଇ ଆସିବୁ, କଟାକଟି ଦିନକୁ କେଜାଣି କେତେ ଭାଉ ବଢ଼ିଯାଇଥିବ । ରାସ୍ତା ଆହୁରି ଦମ୍ଭ ହୋଇଥିବ ଆହୁରି ଲମ୍ବିଥିବ, ଆଗତୁରା ଯାଇ ଚଞ୍ଚଳ ଚଞ୍ଚଳ କାମ ହାସଲ ନ କଲେ ଫେର୍ ମୋପାନ୍ନା ପାପାନ୍ନା ସାହୁକାର ପହଞ୍ଚିଯିବ, ନ ହେଲେ ଚିପୁରୁପେଡ଼ି ଚିଙ୍ଗୁଡ଼ୁସେଟ୍ଟି, ଆମର ବେପାର ହଟିଯିବ, ହୁସିଆର ।

 

ଭାବିବାକୁ ଆଉ ବେଳ ନାହିଁ, ବୁଢ଼ା ବାରିକ କ’ଣ ସବୁ କାନରେ ଫୋଡ଼ିଦେଲାଣି, ପିଲାଙ୍କ ପରି ଦଉଡ଼ ଲଗେଇଛି, ହେଇ ପଞ୍ଝା ପଞ୍ଝା ଲୋକ କାମ ଛାଡ଼ିଦେଇ ଉଠି ଆସୁଛନ୍ତି । ଏତିକିବେଳେ ଯାହା କିଛି । ଜଗନ୍ନାଥଁ ସବୁ ବତେଇ ଦେଇଛି, କାଗଜ ନାହିଁ ? ଗୁମାସ୍ତା ପକେଟ ଭିତର ଅଣ୍ଡାଳି ଅଣ୍ଡାଳି ନୋଚାକୋଚା ମସିଆ କାଗଜ ଖଣ୍ଡେ ବାହାର କଲା, ପ୍ରବୀଣ ସାହୁକାରର ନୀତିବାକ୍ୟ ଲେଖା ହୋଇଥିବା ଚିଠା କାଗଜ ଉପରେ ଆଖି ବୁଲେଇ ଦେଇ ଦମ୍ଭ ସଞ୍ଚିଲା ।

 

ଆଗ ସାଓଁତାକୁ ତଲାସିବୁ, ପାଚିଲା କଦଳୀଟିଏ ଧରେଇଦେବୁ କହିବୁ ଜଗନ୍ନାଥଁ ସାହୁକାର ମିତ ବସିବାକୁ ପଠେଇ ଦେଇଛି । ସାଙ୍ଗେ ସାଙ୍ଗେ ସୁଠା ଖଣ୍ଡେ ଧରେଇଦେବୁ ଆପେ ଦିଆସିଲି ମାରି ଲଗେଇଦବୁ । ସମସ୍ତିଙ୍କି ସୁଠା ଯାଚିବୁ । ସ୍ତ୍ରୀଲୋକମାନଙ୍କ ମୁହଁକୁ ନ ଅନେଇଁ କହିବୁ ଏ ଆୟା (ହେ ମା’).... ତା’ପରେ କ’ଣ ଲେଖା ହୋଇଛି-ନେହି ନା ଲେହି ? ନେହି ଭଲ ମଞ୍ଜି ? (ଅଛୁ ?) ଏ ଆୟା, ନେହି ମଞ୍ଜି କେରା କେରା କାଚମାଳି ବାଣ୍ଟିଦେବୁ ପଇସିକିଆ ଆରଶି ଆଉ ଅଧୁଲିକିଆ ପାନିଆଁ ବାଣ୍ଟିବୁ । ସାଓଁତାଟା ଟୋକାଟାକିଳିଆ, ଯେମିତି ଭୁଲେଇ ପାରିବୁ । ବୁଢ଼ାକନ୍ଧ ଦେଖିଲେ ହୁସିଆର୍ ସେମାନେ ସନ୍ଦେହୀ-ଆହୁରି କେତେ ଉପଦେଶ ଲେଖାଅଛି, ତାର ପ୍ରୟୋଗ ଏଠି ଦରକାର ନାହିଁ ।

ଲୋକ ଘେରିଗଲେ । ଗୁମାସ୍ତା ସମ୍ଭାଷଣ ଆରମ୍ଭ କଲା । କନ୍ଧମାନେ ମୁହଁ ଚାହାଁଚାହିଁ ହେଲେ, ଢଙ୍ଗଢାଙ୍ଗ ଦେଖି ବିଶ୍ୱାସ ଆସିଲା ଏଲୋକ ଆମର ହିତାକାରିଆ । କେତେ ପ୍ରକାର ଗଡ଼ର ଗଡ଼ର ହୋଇ ଖଣ୍ଡେ ବାଟ ଗୋଡ଼େଇ ଗଲେ ତାହା ସାଙ୍ଗରେ । ଗୁମାସ୍ତା ମୁଣ୍ଡ ହଲୋଉଥାଏ, କାହାର କାନ୍ଧରେ କାହାର ପିଠିରେ ହାତ ଚାପୁଡ଼େ ଜଗନ୍ନାଥଁର ଉପଦେଶ ସ୍ମରଣ କରି ପାଟି ଲେଉଟାଇ ଦେଇ ବୁଢ଼ାମାନଙ୍କୁ କହୁଥାଏ, ‘ଏ ଆୟା’ (ହେ ମା)-ବୁଢ଼ୀମାନଙ୍କୁ ଏ ଆଦା (ହେ ବାପା)-ଲେହି ମଞ୍ଚୁ ନାହି ମଞ୍ଜା ନେହି ମଞ୍ଜି-। ଲୋକେ ଭାରି ହସୁଥା’ନ୍ତି । ଗୁମାସ୍ତା ଆହୁରି ଉତ୍ସାହିତ ହୋଇ ମୁଣ୍ଡ ହଲୋଉଥାଏ, ବାରିକ ବୁଝୋଉଥାଏ ତାଷୀଲୋକ ତାଷରେ ରହିଗଲେ, ସାଙ୍ଗରେ ଗାଁକୁ ଚାଲିଲେ କେବଳ ସାଓଁତା ଆଉ ବାରିକ ।

ଦିଉଡ଼ୁ ସୁଟା ଟାଣୁଥାଏ, ପାଚିଲା କଦଳୀଟିଏ ଧରି ଭାବୁଥାଏ, ପିଓଟି ଥିଲେ ସେ ଦେଇଥାନ୍ତା । ପୁୟୁକୁ ଦେବ ନାହିଁ, ଘରକୁ ନେବା ବିପଦ । ପଛେଇ ପଡ଼ି କଦଳୀଟି ସେ ମୁହଁରେ ମାଡ଼ିଦେଲା । ବାରିକ ଗୁମାସ୍ତାର କତିକି ଲାଗିଯାଇ ଡମର ପ୍ରକୃତି ଅନୁଯାୟୀ ନରମ ନାକୁଆ ଭାଷାରେ ଅବ୍ଦାର୍ ଲଗେଇଲା ।

‘ମୋକେ ଏକ୍ କହ୍ଲୀ ଦେନା, ବୁଡ଼ାଲୋକ ଗୋଟେ କାନି (ପଇସା) କାମୁ (ପଇସା) ହେଲେ ଦେ ।’ ଗୁମାସ୍ତା ଦେଲା । ବାରିକ ତାର କାନପାଖେ କହିଲା, ‘ସବୁ ଭେଦ୍ ତୋକେ ଦେବି, ମୁଇଁ ଜାନି ।’

 

ବେପାରୀ ବୁଝେ ତୁଣ୍ଡର କଥାର କରାମତି । ସଂସାରରେ ଏତେ ପ୍ରକାର ଦେହ-କଳ, କେଉଁଟା ମଝବୁତ୍ କେଉଁଟା ହୀନବଳ, ସେହି କଳଗୁଡ଼ାକର ଚାବି ରହିଛି ମନରେ, ସେହି ଚାବି ପାଖେ ସହଜରେ ପହଞ୍ଚିପାରେ ପର ତୁଣ୍ଡର କଥା । କେବଳ ଗୋଟାଏ ଧାରଣା, ଗୋଟାଏ ଖିଆଲ, ସେତିକି ପୂରେଇ ଚାବି ମୋଡ଼ିଦେଲେ କନ୍ଧଦେଶର ବଳିଷ୍ଠ ମଣିଷ କଳ ବି ଅଖଞ୍ଜ ହୋଇ ଝୁଲିପଡ଼େ । ସେଇ ହାତରେ ହାତୁଡ଼ିର ବଜ୍ରଶକ୍ତି ସେହି ମାଂସପେଶୀରେ ପର୍ବତ ଉପାଡ଼ିବାକୁ ବଳ, ମନର ଚାବିରେ ମୁରୁଚା ଧରେ, ହାତ ଉଠେ ନାହିଁ ।

 

‘ତୁ ଗୋଟିଏ ଭଲ ବାରିକରେ ବୁଢ଼ା, ଏମିତି ପୁରୁଖା ଲୋକ ନ ହେଲେ ଏଡ଼େ ବଡ଼ ଗାଁ ନଶିଯାଆନ୍ତା-’ ‘ଦେଖ ଦେଖ, ଚିହ୍ନିବା ଲୋକ ବୋଲି ସିନା ତୁ ଚିହ୍ନିଲୁ, କାହିଁକି ନ ଜାଣିବୁ ବା ତୁ, ଆମେ ଗୋରୁ ଚରେଇଲେ ତୁମେ ମଣିଷ ଚରୋଉଛ । ଜାଣିଛୁ ମାହାପ୍ରୁ, ବୁଢ଼ା ସାଓଁତା ମରିଗଲା ପରେ ଏତେ ଲୋକଙ୍କର ଏତେ ପ୍ରକାର ଝିନ୍‌ଝଟ କେବଳ ମୁଇଁ ବୋଲି ସମ୍ଭାଳିଛି, କିଏ ବୁଝୁଛି ସେ କଥା । ଏବର ସାଓଁତା ତ ହଉ, କହିବି ତା କଥା ।’ ଗୋଟାଏ ଖେଞ୍ଚାରେ ଗାଁର ସବୁ ଖବର ମିଳିଗଲା, କିଏ କିପରି ରଇତ, କାହାର ଅବସ୍ଥା କିପରି ସବୁ । ବେପାରିର ଗୁମାସ୍ତା ସେ ଗାଁରେ ଆହୁରି ଦିନେ ରହିଗଲା । ବର୍ଷାର ଶୀତୁଆ ଅନ୍ଧାରୁଆ ପାଗରେ କନ୍ଧର ନିବୁଜା ଘର ଭିତରେ ନିଆଁ ପାଖରେ ପଙ୍ଗତରେ ବସି ସେ ବହୁତ ଉପାୟ କଲା, ବହୁତ ବୁଦ୍ଧି ଦେଲା । ‘ଆମେ ତୁମର ବନ୍ଧୁ, ତୁମର ହିତକାରୀ ଲୋକ, ନ ହେଲେ ମିତ ମହାପ୍ରସାଦ ବସିବାକୁ ଭାରଥୋର ଦେଇ ଏତେଦୂରକୁ କାହିଁକି ପଠେଇଥା’ନ୍ତା ମତେ ସାହୁକାର ଭୋଗିଲା ଜଗନ୍ନାଥଁ । ତୁମେ ଲୋକ ବଣଭିତରେ ଦୁଃଖ କଷ୍ଟରେ ପଡ଼ି ରହିଛ, କେବଳ ଖଟୁଛ ଆଉ ମରୁଛ ସଂସାରରେ ସୁଖ ବୋଲିବା ଜିନିଷ କ’ଣ ତା ତୁମେ ଜାଣିଲ ନାହିଁ । ସହରକୁ ଆସିବ, ଆମ ସାହୁକାର ତୁମର ମିତ କେଡ଼େ ବଡ଼ ଘର ତୋଳି ଦେଇଛି, ସେଠି ରହିବ, ନାନାଜାତି ନୂଆ ଜିନିଷ କିଣିବ, ମଣିଷ ଦେଖିବ, କୋଠା ଦେଖିବ, ଗାଡ଼ି ଚଢ଼ିବ, ଆଉ ଦେଖିବ କେମିତି ଦଶହରା ଯାତ୍ରା ହୁଏ, କେମିତି ଦିଆଲି ପର୍ବ ଶିକ୍ଷିତ ଲୋକେ କରନ୍ତି, ତୁମେ ବି ତାଙ୍କ ସାଙ୍ଗେ ମିଶି ମଉଜ କରିବ । ଏ ସବୁ କଥାକୁ ଟଙ୍କା ଦରକାର, ତୁମର ବଣ ଦେଶରେ ପଥର ଅଛି, ଗଛ ଅଛି ଟଙ୍କା ନାହିଁ । ଏତେ ଫସଲ ତୁମେ ପଚେଇଛ । ଗାଡ଼୍ ମାରିନେବ, ବାର୍‌ହିଆ ତାଡ଼ି ପକେଇବ, ସମ୍ବର ଜୀଆଦ ଖାଇଯିବେ । ଘରେ ଗଦେଇ ରଖିଲେ ପୁରୁଣା ହୋଇ ଖତିରା ହୋଇଯିବ । ଫସଲ କାଟିବା ଦିନରେ ଯଦି ହାଟକୁ ବାହାର କରିବ କି ଧାରା ମୂଲ ହେବ ଯେ ଜଣାନାହିଁ । ସବୁ ତୁଚ୍ଛା ତିନିଫୋଲିଆରେ ଯିବ ।’

 

ବାରିକ କହି ଲାଗିଥାଏ, ‘ସତ୍-ସତ୍’ । ଆହୁରି କେତେ ଲୋକେ ପାଳି ଧରୁଥା’ନ୍ତି ‘ସତ-ସତ୍’, ବେପାରୀର ଗୁମାସ୍ତା ଉତ୍ସାହ ପାଇ ତାର ଯୋଜନା ବୁଝୋଉଥାଏ ।

 

‘ଏତିକିବେଳୁ ଆମ ସାଙ୍ଗେ ଭାଉ ପଟେଇ ନିଅ, କେତେରେ ଦେବ, ଚଳିବାମାନିଆଁ କିଛି କିଛି ଟଙ୍କା ରଖିନିଅ, କଳନ୍ତର ପଡ଼ନ୍ତା ମାସକେ ଟଙ୍କାକୁ ଟଙ୍କାଏ ମାତ୍ର, ସାହୁକାର କହିଛି କନ୍ଧ ଲୋକେ ଆମର ଭାଇ ଭାଇ, ସେମାନେ କଳନ୍ତରଟା ଖାଆନ୍ତୁ, ମୁଁ ଛାଡ଼ିଦେଲି । ରଇତ ଭାଇ ଭଲରେ ନ ରହିଲେ ଆମର କିବା ଭଲ ।’

 

‘ସତ-ସତ୍’ ‘ସତ୍-ସତ୍’ ‘ଧରମ କଥା’

 

‘ଟଙ୍କା ନିଅ, ଭାଉ ପଟାଅ, କାଟିଲେ ଆମୁକୁ ମାପିଦେବ । ଏଠୁ ନେବାକୁ କ’ଣ କମି କଷ୍ଟ, ଗାଡ଼ିଖର୍ଚ୍ଚ, ବଳଦର ଖୋରାକି, ଗୋତିର ମୂଲ, ବାଟରେ ଚୋରିହାରି ଡକେଇତି ଭୟ ତ ଅଛି, ତମର ଇଷ୍ଟ, ଏ ବର୍ଷା କାକରରେ ଏତେ କଷ୍ଟକରି ତୁମରି ହିତପାଇଁ ଆମେ ଆସିଛୁଁ, ତୁମର ବେଶି ଲାଭ ହେବ, ଆମର ଅଳ୍ପ, ଚାରି ଧରମ୍‌କୁ ଅନେଇଁ କହିଦେଲି, ତୁମେ ଭାବ ।’

 

କୌଣସି ଗୋଟାଏ ଅଜଣା ଜନ୍ତୁର ଚାରିଗୋଡ଼ ପରି ଚାରି ଧରମକୁ ନିଘା କରି ଗୁମାସ୍ତା କହିଦେଲା, ଘୋ ଘା ହୋଇ ସମସ୍ତେ ରାଜି ହୋଇଗଲେ, ଜନ୍ତୁ ଉଠି ଠିଆ ହେଲା । ବର୍ଷଯାକର କନ୍ଧର ଉତ୍ପାଦନ ପେଟରେ ପୂରେଇ ଠିଆ ହେଲା, ସାହୁକାର ଜାତିର ଉପକାରୀ ରଇତ ଜାତିର କ୍ଷୟକାରୀ ବାହାଦୁର ଜନ୍ତୁ ସେ, ବେପାରୀ ସମାଜରେ ତାର ନାଁ ‘ଗଡ଼ମ୍’ ଅର୍ଥାତ୍ ଫସଲ କଞ୍ଚା ଥିଲାବେଳେ ଶସ୍ତାରେ ଭାଉ ପଟେଇ ଦାଦନ ପକେଇ ପାଚିଲା ଫସଲ ବୋହିନେବାକୁ ଖଞ୍ଜ । ‘ଗଡ଼ମ’ ‘ଗୋତି’ ପ୍ରଥାର ବଡ଼ ଭାଇ ‘ଗଡ଼ମ୍’-ସାହୁକାର ଦୌଲତର ମୂଳଦୁଆ ରଇତର ଭଙ୍ଗା ହାଡ଼ ଉପରେ ତାର ଚାରିଧରମ ।

 

କଥା ଛିଡ଼ିଲା ଗଲା ବର୍ଷ ପୁଟିକ ଦି’ଟଙ୍କା ଥିଲା ଏବର୍ଷ ପୁଟିକ ଦେଢ଼ଟଙ୍କା ହିସାରେ କ୍ଷେତର ଫସଲ ଆଗତୁରା ବିକ୍ରୀ ହୋଇଗଲା । ସମସ୍ତିଙ୍କୁ ଭେଳେଇ କାହାର କେତେ ଫସଲ ତା ଆନ୍ଦାଜ କରି ଜଣ ଜଣକୁ ପାଞ୍ଚ ଦଶଟଙ୍କା ଧରେଇ ଦେଇ ଗୁମାସ୍ତା କାଗଜ କରେଇ ନେଲା । କାର୍ଯ୍ୟ ହାସଲ, ଭାରୁଆ ଜଗୁଆଳି ସାଙ୍ଗରେ ଘେନି ବିଶ୍ୱାସ ଆଉ ଧର୍ମର କଥା କନ୍ଧଙ୍କୁ ଚେତେଇ ଦେଇ ଗୁମାସ୍ତା ଭିନ୍ନ ଗାଁକୁ ଛାଉଣୀ ଉଠେଇଲା । ତାର ନୀତି,-ଖିରି ଖାଇବ କରରୁ କରରୁ । ଧୀରେ ଧୀରେ ହାଉଲେ ହାଉଲେ । ସୂର୍ଯ୍ୟ ଉଇଁବ, ମଝିରେ ମୁକ୍ତା କରି କରରେ ହୀରା ପରି, ପାଖରେ ରୂପା ପରି ତେଣିକି ସୁନା ପରି, ତେଣିକି କିରଣର ଜାଲ, ଜାଲ,-ଲାଲ ଲାଲ ସବୁ ଲାଲ୍ ହୋଇଯିବ ।

•••

 

ବୟାନବେ

 

ଭବିଷ୍ୟତ୍-

 

କେବେ ସେ, କେଉଁ ଧୂଆଁଳିଆ ଦିଗ୍‌ବଳୟରେ ତାର ଆସ୍ଥାନ । ଆଦିମ ମନରେ ଅଦେଖା ଭବିଷ୍ୟତ୍‍ର ସ୍ଥାନ ନାହିଁ । ଆଜି ଫସଲ ଆଣ୍ଠୁଏ ଉଞ୍ଚ ଉଠିଛି, ଦିନାକେତେ ପରେ ସେ ଅଣ୍ଟାକୁ ଚାଇଁଥିବ, ଏତ ଜଣାକଥା, କିନ୍ତୁ ଭବିଷ୍ୟତ୍-କିଏ ପାରେ-ଭାବିବାକୁ କଷ୍ଟ ଲାଗେ, ମନକୁ ଆରାଏ ନାହିଁ । କଞ୍ଚା ଟଙ୍କା ନୂଆ ଆନନ୍ଦ ଆଣିଛି, ଘରେ ଘରେ ସେହି ଚର୍ଚ୍ଚା, ଗୋଟାଏ ଟଙ୍କା ମୁଠେଇ ଠିଆହେଲେ ଭାବି ହୋଇଯାଏ ଘଡ଼ିଏ କାଳ, କେତେ ଅମେଣ୍ଟା ଆଶା ଭୋକିଲା ମନର, କେତେ ସ୍ୱପ୍ନ-ଟଙ୍କା ଅଣ୍ଟାରେ, ଜୋର ଦିଏ, ଦି’ଜଣ ଏକାଠି ହେଲେ କେବଳ ସେହି କଥା ପଡ଼େ ।

 

ଟଙ୍କା ପଛେ ପଛେ ଗାଁକୁ ‘ନାଚିନୀ’ ଦେବତା ଆସିଲା । ଜାମିରି ବୁଢ଼ାର ତାଷ ଅନୁପାତରେ ସାତଟି ଟଙ୍କା ତା ଘରକୁ ଆସିଛି, ଜାମିରିର ବୁଢ଼ୀ ଦେଖିଲା, ତାର ମନେପଡ଼ିଲା କେତେ ବର୍ଷ ତଳେ, ମୁଣ୍ଡର ବାଳ ଟିକିଏ ଟିକିଏ କସରା ପଡ଼ି ଆସୁଥାଏ, ବୁଢ଼ାବୁଢ଼ୀ ଥରେ ଦଶହରା ଦେଖି ସହରକୁ ଯାଇଥିଲେ, ଶୀତଦିନ ବୋଲି ବୁଢ଼ା ପାଇଁ ଖଣ୍ଡେ ଗଙ୍ଗୋଲି କମ୍ବଳ କିଣି ଆଣିଥିଲା ସେ, କେଡ଼େ ଉଷୁମ୍, କେଡ଼େ ଆରାମ୍, ବୟସ ସାଙ୍ଗେ ସାଙ୍ଗେ ସେହି ଗଙ୍ଗୋଲିର ଅସ୍ତିତ୍ୱ କେଉଁଦିନୁ ଖଣ୍ଡଖଣ୍ଡ ହୋଇ ଝଡ଼ି ପଡ଼ିଛି, ବୁଢ଼ା ଧିଅ ଫୁଙ୍ଗା । ରାତିଯାକ ବୁଢ଼ୀ ଭାବିଲା, ଅନହୂତି ଅବେଳାରେ ଏହି ଯେଉଁ ସାତଟି ଟଙ୍କା ମିଳିଛି, ତହିଁରେ ଖଣ୍ଡେ ଗଙ୍ଗୋଲି ମିଳିଲେ ମିଳିପାରେ ବା କେତେ ଦଶହରା ଆସୁଛି । ତାର ବୁଢ଼ାପାଇଁ ଖଣ୍ଡେ କମ୍ବଳ ମଗେଇବ । ଗରିବର ସାନ ଶରଧା, ସାନ ଆଶା । ସ୍ୱପ୍ନପରି ଭେଦିଗଲା ତାର ମନେ ମନେ । ସକାଳକୁ କାମ ସାରି ତାର ମୁଣ୍ଡ କ’ଣ ହୋଇଗଲା । ବୁଢ଼ୀଟି ଖାଲି ନାଚିଲା । ଦିସାରିକୁ ଖବର ଗଲା, ସାହିଲୋକେ ଦେଖିବାକୁ ଆସିଲେ, ସାବ୍ୟସ୍ତ ହେଲା ଜାମିରିର ବୁଢ଼ୀକୁ ‘ନାଚିନୀ’ ଦେବତା ଲାଗିଛି; ବାଜା ବସିଲା, ଧୂପ ଜଳିଲା, ସେହି ଉପଲକ୍ଷରେ ଗାଁରେ ମଦଭୋଜି ଭାତଭୋଜି ହେଲା । ଅନ୍ଧାରି ମେଘ-ବାମ୍ଫ ଆଉ ଥୁରୁ ଥୁରୁ ଶୀତ କାକରରେ ସୁଦ୍ଧା ଗାଁରେ ଆନନ୍ଦ ଖେଳିଗଲା ।

 

ବଣଦେଶ ଭର୍ତ୍ତି କରି ଜଙ୍ଗଲ ଠିଆ ହୋଇ ରହିଥାଏ । ହଠାତ୍ କେଉଁ କ’ଣରୁ ଚହଟି ଆସେ ଅଶରୀରୀର କେଉଁ ମୃଦୁ ବେଗ, ସାନ ସାନ ବୁଦା ମୁଣ୍ଡ ଟୁଙ୍ଗାରେ, ଉପରୁ ଉପରୁ ଲଟାର ପତ୍ର କାନ ହଲାଏ, ଚାହୁଁ ଚାହୁଁ ଢିପ ଉପରେ ଶିଆଳୀମାଳ ଘୋଡ଼ିହୋଇ ଠିଆ ହୋଇଥିବା ଶାଳଗଛ ଅସ୍ଥିର ହୋଇ ହଲେ ଦୋହଲେ, ପାଗଳପରି ଶିଆଳୀଲଟାର ଜଟଭିତରେ ବିପ୍ଳବ ଖେଳିଯାଏ, ଗୋଟିକିଆ ଗଛକୁ ଆଶ୍ରା କରି ଭଙ୍ଗୀରେ ନାଚିଯାଏ ବିସ୍ମୟର କାଉଁରି ମନ୍ତ୍ରରେ କିଂଭୂତରୂପୀ ନାଟ୍ୟଦେବତା । କେଉଁ ଅଲକ୍ଷ୍ୟରେ ତାର ଜନ୍ମ, କେଉଁ ଗୋପନରେ ତାର ଘର, କିଏ ସେ, କିଛି ଅନ୍ତ ମିଳେ ନାହିଁ । ବଣର ଛୁଆ କାବା ହୋଇ ଖାଲି ଅନାଏଁ, କେଉଁଠି କିଛି ହଲୁ ନାହିଁ, ଲାଗିରହିଛି ଗୋଟିକିଆ ଗଛରେ ପ୍ରବଳ ଆଲୋଡ଼ନ; ଘଡ଼ିଏ ତ, ତା’ପରେ ପୁଣି ଗଛଟା ଗଛ ପରି ଥିରିହୋଇ ଠିଆହେଲା, ଦୂରକୁ ସୁ ସୁ ସାଇଁ ସାଇଁ ଡାକି ବିପ୍ଳବର ଦେବତା ବେଗରେ ଉଡ଼ି ଯାଉଛି ସଂସ୍ଥିତିବାଦକୁ ଚେରରୁ ଧରି ଝାଙ୍କିଦେବାକୁ ।

 

ସେହିପରି ଏ ନାଚିନୀ ଦେବତା । ସେ ଅଘୋରି । ବିନା କାରଣରେ କେତେଥର ଆସି ବେଜୁଣୀମାନଙ୍କୁ କି ଆଉ କାହାକୁ ଧରିପକାଏ । ବସି, ଉଠି, ଖୋଇ, ସମାନ ବିଶ୍ରାମ ନେଇ ସେମାନେ ଆଠଦିନ ପର୍ଯ୍ୟନ୍ତ ନାଚୁଥା’ନ୍ତି । ପୁଣି ତାଙ୍କ ସାଙ୍ଗେ ଯୋଗ ଦେଇ ଅନ୍ୟାନ୍ୟ ସ୍ତ୍ରୀମାନେ ନାଚନ୍ତି । ମଙ୍ଗଳା ମନ୍ତ୍ର ବୋଲା ହେଉଥାଏ, ଆଣ୍ଠୁଏ ଉଞ୍ଚ ଛାମୁଡ଼ିଆ ଉପରେ କୁକୁଡ଼ା ଡିମ୍ବ ଥୁଆହୁଏ, ଦିସାରି ପୂଜା କରେ । କିନ୍ତୁ ନାଚିନୀ ଦେବତା ହସାଏ, ଖୁସି କରାଏ, କାହାରି ଅମଙ୍ଗଳ ପାଇଁ ସେ ଆସେ ନାହିଁ, ଆସେ ତାର ପ୍ରିୟ କନ୍ଧମାନଙ୍କୁ ଦର୍ମୁ ଦର୍ତନୀଙ୍କ ତରଫରୁ ପଦେ ଆଶୀର୍ବାଦ କରି ଯିବାକୁ ।

 

ଜାମିରିର ବୁଢ଼ୀ ନାଚୁଛି । ଗାଁଯାକର ପିଲାଛୁଆ ଆଉ ସ୍ତ୍ରୀଲୋକ ସେଇଠି ଯାଇ । ହାକିନାକୁ କାଖେଇ ସେଇ ଗହଳିରେ ପୁୟୁ ବସିଛି, ବାଜା ବାଜୁଛି କାନ ଅତରା ପକେଇ । ଦିଉଡ଼ୁ ଏକୁଟିଆ ତା’ ଘର ପିଣ୍ଡାରେ ବସି ରହିଥାଏ ଆପଣାର ସବୁଯାକ ଫସଲ ଫଳ ନ ହେଉଣୁ ବିକ୍ରୀ କରିଦେଇ ସାଓଁତା ବୋଲି ସେ ପାଇଛି କୋଡ଼ିଏ ଟଙ୍କା ଦାଦନ, ସାହୁକାରର ମିତ ମହାପ୍ରସାଦ ହୋଇ ସାହୁକାର ଗୁମାସ୍ତାଠୁଁ ଆଶ୍ୱାସର ବାଣୀ ଶୁଣି ସେ ଗର୍ବିତ ହୋଇଛି, ସମ୍ମାନିତ ହୋଇଛି । ଗୁମାସ୍ତାର କଥାର ମଞ୍ଜି ତାର ମୁଣ୍ଡ ଭିତରେ ଅଙ୍କୁରି ଗଛ ହୋଇ ପତ୍ର ଧରିଲାଣି, ଅଜଣା ସୁଖର କଳ୍ପନା କରି ନ ହେଉଥିବା ଅଧେ ଫାଙ୍କା ଅଧେ ରଙ୍ଗିଣି ସୁଖର ସ୍ୱପ୍ନ ତାର ଦୃଷ୍ଟିର ଆଗେ ଆଗେ । ସବୁ ମିଶିଯାଇ ଟାଣ ପଥରର ଗୋଜିଆ ଖୁଣ୍ଟା ପରି ଅଧେ ଭାବିଥିବା ପ୍ରତିଜ୍ଞାଗୁଡ଼ାକ ମନେ ମନେ ସବଳ ହୋଇ ଉପରକୁ ଉପରକୁ ଉଠି ଉଠି ଆସୁଛି, ମନ ଗହୀରର ନିଭୃତ ଧାରଣା ବାସ୍ତବ ହୋଇ ଯାଉଛି, କଠିନ ରୂପ ଘେନି ସାମ୍ନାରେ ଠିଆହୋଇ ଚାହାଣିରେ ଦୃଢ଼ତା ଆଣୁଛି, କଅଁଳ ମରମ ଭାବର ନରମ ଦୁର୍ବଳତା ତଳକୁ ମାଡ଼ି ହୋଇଯାଉଛି ଟଙ୍କା କେତେଟାର ଚାପରେ, ପାରିପାର୍ଶ୍ୱିକ ଭାବନାର ତାଡ଼ନାରେ, ଯେପରିକି ସେ ବୁଝୁଛି, ବେଳ ଆଉ ଡେରି ନାହିଁ, ସେ କାମ କରିଦେବ ।

 

ମେଘ ଅନ୍ଧାର ବେଳୁ ମେଘ ବଢ଼ି ବଢ଼ି ଚାଲିଲାଣି । ବର୍ଷାର ଛାଡ଼ ନାହିଁ । ଶୀତ ବେଶୀ ବେଶୀ ବଢ଼ୁଛି । ପବନ ପାଣି ଛାଟି ଛାଟି ଉଡ଼େଇ ଲାଗିଛି, ପୁଣି ଗୋଟାଏ ଏକୋଇଶି ଦିନିଆଁ ଝଡ଼ି ଆରମ୍ଭ ହେଲା ବୋଧହୁଏ । ଘରୁ ପଦାକୁ ବାହାରି ହେଉ ନାହିଁ । ଏହି ଦୁର୍ଦ୍ଦିନରେ ପଡ଼ିଶାଘର ବୁଢ଼ୀଟା ନାଚୁଛି, କ’ଣ ନା ତାକୁ ‘ନାଚିଣୀ’ ଲାଗିଛି, ଗାଁ ଗୋଟାକର ଲୋକ ସେଇଠି ଠୁଳ । ସେ ଗହଳି ତାକୁ ବିରକ୍ତ ଲାଗୁଥାଏ, ସେଠି କେବଳ ଗୋଳମାଳ । ତାର ନିରୋଳା ଦରକାର, ଭାବନାକୁ ସଜେଇବାକୁ, ନୂଆପନ୍ଥା ଧରିବାକୁ ଏହି ମାଳ ମାଳ ମେଘ ଭାସି ଚାଲିଛି ମିଣିଆପାୟୁରୁ ବନ୍ଦିକାର, ଏହି ବରଷା ଆଣିଦେଉଛି ପୁରୁଣା ପ୍ରତି ବିଦ୍ରୋହ । ନୂଆ ପ୍ରତି ଆବେଗ ସରାଗ, ମନର ଥାଇ ତା ହଜେଇ ଦେଉଛି ସବୁ ଗହଳିକୁ ପଛକୁ ଠେଲିଦେଇ ଆଖି ଆଗରେ ଝୁଲେଇ ରଖୁଛି ଅନ୍ଧାରରେ ଦରିଆ, ସବୁ ଶୂନ୍‌ଶାନ୍ ସେଠି, କାନ୍ଦୁରା, ଓଦା, ଉଦାସ ମନର ଫମ୍ପା ବାଣୀ ପରି କେବଳ ପବନ ।

 

ଭୁଷ୍‌କରି ଉଠିପଡ଼ି ଜାମିରି ଘରକୁ ଦିଉଡ଼ୁ ଚାଲିଗଲା । ଅଜାଣତାରେ କେତେବେଳେ ମୁହଁର ଠାଣି କର୍କଶ ହେଲାଣି, ଆଖିରେ କୁହୁଳା ନିଆଁ । ଜାମିରିର ପିଣ୍ଡାକୁ ଉଠିଯାଇ ଭାରିଯାର କାନ ପାଖେ ଫଁ ଫଁ କରି ଡାକିଲା ‘ପୁୟୁ’ । ମୁଣ୍ଡ ବୁଲେଇଦେଇ ଦିଉଡ଼ୁର ମୁହଁକୁ ଚାହିଁ ପୁୟୁ ଶଙ୍କିଗଲା । ଗହଳିରେ ହାତ ବଢ଼େଇ ପୁୟୁର ହାତକୁ ଟାଙ୍କିଦେଇ ଦିଉଡ଼ୁ କହିଲା, ‘ଘରକୁ ଚାଲ୍’ । ଭିଡ଼ ଠେଲି ପୁୟୁ ଚାଲିଗଲା । ଜାମିରିର ବୁଢ଼ୀ ନାଚୁଛି । ବକା ପରି ତାହାରି ଆଡ଼କୁ ଅନେଇଁ ବୁଢ଼ା ବସିଛି । ଦିଉଡ଼ୁ ଘରକୁ ଲେଉଟିଲା । ପଛରୁ ଜାମିରି ବୁଢ଼ାର ଦିସାରିକୁ ଅନୁନୟ ଶୁଭୁଥାଏ, ‘ଚଞ୍ଚଳ ଉତୁରେଇଦେ ଦିସାରି, ଆଠଦିନ ନାଚିଲେ ବୁଢ଼ୀଟାର ଅବସ୍ଥା ରହିବ ନାହିଁ’ । କେତେଥର ବୁଢ଼ାର ଏହି ଅନୁନୟ, ସକାଳୁ ଏକା ଠାଆକେ ବସି ରହିଛି ବୁଢ଼ାଟା । ସମସ୍ତେ ‘ନାଚିନୀ’ ଦେଖୁଛନ୍ତି, ଆଶୀର୍ବାଦ ନେଉଛନ୍ତି, ଗାଁର ପରବ ଦେଖୁଛନ୍ତି, କିନ୍ତୁ ଜାମିରିର କେବଳ ଗୋଟିଏ ଚିନ୍ତା, ଆଉ କିଛି ନାହିଁ, ସଂସାରରେ ଏତିକି ମାତ୍ର ସମ୍ପତ୍ତି ତାର, ସଦାବର୍ତ୍ତିଆ କରି ତାକୁ ଫତୁରି କରିଦେବାକୁ ଜାମିରର ହୃଦୟ ଭାଙ୍ଗିପଡ଼ୁଛି । ସେ ବି ଦିଉଡ଼ୁର ଚକ୍ଷୁଶୂଳ । କ’ଣ ଲାଗିଛି ବୁଢ଼ାଟାକୁ, ଯେ କାଣ୍ଡଜ୍ଞାନ ଭୁଲି ଏତେ ଲୋକଙ୍କ ଆଗରେ ସକାଳୁ ଏତେବେଳଯାକେ କେବଳ ସେହି ଗୋଟାଏ ଅନୁରୋଧ ।

 

ପୁୟୁ ଘରକୁ ଆସିଲାଣି, ପିଲାକୁ କାଖେଇ ଘର ଭିତରକୁ ପଶିଗଲାଣି । ଦିଉଡ଼ୁ ସାହୁକାରର ମିତ ହୋଇଛି । କୋଡ଼ିଏଟା ଗୋଟା ଟଙ୍କାର ମାଲିକ । ଗାଁର ବଡ଼ମୁଣ୍ଡିଆ ସାଓଁତା, ଲେଞ୍ଜୁକନ୍ଧ ନାହିଁ, ବେଜୁଣୀ ନାହିଁ । ମେଘ ଅନ୍ଧାରରେ ଗହନ ନିବିଡ଼ ଚିନ୍ତା । ଦିଉଡ଼ୁ ଡାକିଲା, ‘ପୁୟୁ-।’

 

‘ହଁ-’ । ଘର ଭିତରେ ଚୁଲିପାଖେ ଦର୍‌ହମଲା ନିଆଁକୁ ପୁୟୁ ଫୁଙ୍କି ଲାଗିଛି । ଠିଆ ହୋଇପଡ଼ିଲା । ଦୁଇ ବାହା ତାର ଦୁଇ କାନ୍ଧରେ ମାଡ଼ିଦେଇ ମୁହଁକୁ ମୁହଁ ପାଖକୁ ନେଇ ସେହିପରି ଫୁସ୍ ଫୁସ୍ କରି ଦିଉଡ଼ୁ କହିଲା-’ପୁୟୁ’ । ଛିଞ୍ଚାଡ଼ିହୋଇ ଦୂରକୁ ଘୁଞ୍ଚିଯାଇ ପୁୟୁ କହିଲା-’ଚାଲିଆସିଲ କାହିଁକି ? ନାଚିନୀ ଦେଖିଲ ନାହିଁ ? ଏତେ ଲୋକ ଦେଖୁଛନ୍ତି, ତୁମେ ରହିଲ ନାହିଁ, କ’ଣ ଭାବିବେ’ ଦିଉଡ଼ୁ କେବଳ ଘୁମୁରିଲା । ପିଣ୍ଡାରେ ବସିଲା, ଅଶାନ୍ତ ଲାଗୁଥାଏ । ଧୀରେ ଧୀରେ ପୁୟୁର ଦୋଷ ବାହୁନି ଚର୍ଚ୍ଚା କଲା, ଏଡ଼େ ନିର୍ବୁଦ୍ଧିଆ ସେ, ଏମିତି ତାର ନିଘା ପୋଡ଼ିଗଲାଣି, ରନ୍ଧାବଢ଼ାର ଠିକ୍ ଠିକଣା ନାହିଁ, ମଦ ପାଣି ଧୂଆଁ କାହାଳୀ କିଛି ବନ୍ଦୋବସ୍ତ ନାହିଁ । ତୁହାଇ ତୁହାଇ ଦିଉଡ଼ୁ ଗାଳି ଦେଉଥାଏ । ଘର ଭିତରେ କାମ କରୁ କରୁ ପୁୟୁ କେବଳ ହସୁଥାଏ ।

 

ଗାଳି ଦେଇ ଦେଇ ପାଟି ଘୋଳି ହେଲା । ଦିଉଡ଼ୁ ତୁନିହୋଇ ଉଠିପଡ଼ି ତଲ୍ରା ତଲ୍ରି ଘୋଡ଼ିହେଲା । ଉଠି ଚାଲିଗଲା ।

•••

 

ତେୟାନବେ

 

ଡମ୍ବ ବାରିକର ଘରପର୍ଯ୍ୟନ୍ତ ଆସି ଦିଉଡ଼ୁ ଶାନ୍ତ ହେଲା । ଦେହରେ ଥଣ୍ଡା ଗଳିଯାଉଛି, ବର୍ଷା ଚାଲିଛି । କେତେ ଛୁଣିକା ବେଳ ଚାଲିଯାଇ ହେଇ ଘୋଟି ଆସୁଛି ସଞ୍ଜର ଅନ୍ଧାର । ଦିନର କୋଳାହଳ ଲୁପ୍ତ ହେଲାଣି । ଏହିତ ଟିକିଏ ବୋଲି ସେତିକି ବେଳ ଯେତେବେଳେ ଦୂରର ଆକାଶକୁ ଅନେଇଁଲେ କେଉଁ ବିରାଟ ନେତିବାଦର ବଡ଼ ବିଚ୍ଛେଦରେ ଆପେ ଗୁରେଇ ହୋଇଯାଇ ମନ ଭାଜିଯାଏ, କେହି ନାହାନ୍ତି, କିଛି ନାହିଁ, ନିଛାଟିଆ ବରଷାର ବାଟରେ ଗୋଟିକିଆ ପଥୁକୀ ଚାଲିଛି ଅନିର୍ଦ୍ଦିଷ୍ଟ ହୋଇ । ଦୂରରେ ଚିକ୍କଣ କଳା ଘୋଡ଼ଣୀ, ବିନା ସୂଚନାରେ ଲମ୍ବି ହୋଇ ଆସୁଛି ଧୀରେ ଧୀରେ ତାର ସାମ୍ନାରେ କୁହୁଡ଼ି ପରି ହାଲୁକା ପାଉଁଶିଆ ମେଘର ଧୂମ ଏବଂ ମୁହାଁମୁହିଁ ହୋଇ କଟାକଟି ଛକାଛକି ଧଳା ଧଳା ଶରଗୁଡ଼ାଏ, ବିନାଆଡ଼ମ୍ବରରେ ବରଷି ଲାଗିଛି, ବିନ୍ଧି ଲାଗିଛି ଭୂଇଁ ଉପରେ, ତାର ଲକ୍ଷ୍ୟ ବି ତଳର ଅନ୍ଧାରରେ ବୁଡ଼ିଛି । ସେହି ଶୂନ୍‌ଶାନ୍ ରାସ୍ତା । ଶୀତରେ କମ୍ପିଲାପରେ ଧୀରେ ଧୀରେ ବୁଦାଗୁଡ଼ାକ ଥରି ଲାଗିଛି, ଚାରିଆଡ଼କୁ ଚାହିଁ ଦେଖିଲେ ପୁଞ୍ଜା ପୁଞ୍ଜା ଅନ୍ଧାରପରି ମାଳ ମାଳ ପର୍ବତ । ମଣିଷର ମନକୁ ତେଜି ଦେଉ ନାହିଁ, ଦବେଇ ଦେଉଛି । ବିହ୍ୱଳଭାବେ ଦୋ ଦୋ ପାଞ୍ଚ ହୋଇ ଡମ୍ବ ବାରିକର ହତା ଆଗରେ ଦିଉଡ଼ୁ ସାଓଁତା ଏପାଖ ସେପାଖ ହେଲା । ଶୀତ ଅନ୍ଧାରରେ ଭୋକ ବଢ଼ି ଉଠିଛି । ବଢ଼ି ବଢ଼ି ତାକୁ ଗ୍ରାସି ପକୋଉଛି, ପ୍ରକୃତିର ମହା ବିଦାୟର ନିର୍ବାକ ମୁହୂର୍ତ୍ତରେ ନିଜେ ଶୁଣୁଛି ନିଜ ଛାତିର ଧୁକ୍‌ଧୁକି । କେବଳ ଦେଖୁଛି ଆପଣାକୁ, ସେ ଚାହେଁ, କ’ଣ ତାର ଗୋପନ ମନର ଏତେକାଳ ଅଭିଯୋଗ । ହାଟରୁ ଫିଟିଯାଇ କରପଟିଆ ଆମ୍ବଗଛ ତଳେ ଜଣିକିଆ ହୋଇ ବସି ଆପଣାକୁ ତଉଲିଲା ପରି । କେତେଥର ଏହିପରି ସେ ଭାବିଥିଲା, କେଉଁ ମମତାରେ ଭାବିଲା କାମ କରିପକେଇବାକୁ ହାତ ଉଠିନାହିଁ, କାହିଁକି ସେ ଦୁର୍ବଳତା ? ବାହାରୁ ଦେଖିଲେ ଗୋଟିକିଆ ମଣିଷଟାଏ ମୁହଁକୁ ତଳକୁ ପୋତି ବାଁରେଇ ହୋଇ ବାରିକର ଘରଆଡ଼କୁ ମୋହିଁ ଚାଲିଛି । ପାଦରେ ପଥର ବାଜିଲା । ଅଟକିଯାଇ ହଠାତ୍ ଖିଆଲ ହେଲା, ଲେଞ୍ଜୁକନ୍ଧ ଯାଇଛି, ବେଜୁଣୀ ନାହିଁ, ସରବୁ ସାଓଁତା ମରିଛି । କି ବିଚିତ୍ର ପର୍ଯ୍ୟାୟରେ କାହିଁକି ମନେପଡ଼େ ଗଲାଦିନର ଠିକ୍ ସେହି ଅନୁଭୂତି ? ଦିଉଡ଼ୁ ସାଓଁତା ପିଣ୍ଡାପାଖ ହେଲା, ପିଣ୍ଡା ଉପରୁ ତେଣିକି ଅନ୍ଧାର । ଆପଣାର ମନ ଆଲୁଅ ଜାଳି ଦେଲା, ମନ ଗହୀରର ଅତିପ୍ରିୟ ପିଶାଚ ସାରା ଅସ୍ତିତ୍ୱଟାକୁ କବଳିତ କରି ମୁସ୍ତେଜ୍ ହୋଇ ଠିଆହେଲା । ସମାଜର ନୀତି, ସମାଜର ସଞ୍ଚିତ ବିଶ୍ୱାସ ଆଉ ନ୍ୟାୟଭାବ ଗୁମ୍ଫାରେ ରହିଥିବା ଅରଣା ମଣିଷ ପକ୍ଷରେ ବେଡ଼ି ମାତ୍ର, କାହାରିକୁ ଅପେକ୍ଷା ନ ରଖି ସେ ଆପଣା ସାଙ୍ଗେ ଆପେ ରହିବାକୁ ଚାହେଁ, ଦିନ ଆଲୁଅରେ ସାଙ୍ଗ ମେଳିରେ ଦେବତା ହେବାକୁ ତାକୁ ଭଲ ଲାଗିପାରେ । ଏହି ଅବେଳାରେ ଏପରି ପାଗରେ ସେ ଆରପଟ ହେବାକୁ ଇଚ୍ଛା କରୁଛି, ସମାଜର ଦଶଜଣଙ୍କୁ ଘିତି ଘର କରିବାକୁ ଯାଇ ନିଜକୁ ଦବେଇ ଦବେଇ ଆପଣାର ଯେଉଁ ନିଭୃତ ଅସ୍ତିତ୍ୱଟାକୁ ତଳକୁ ମାଡ଼ିଦେଇଛି ସେହିଆକୁ ପଦାକୁ କାଢ଼ିବାକୁ । ନା, ବଣର ମଣିଷ ତଲାସି ଭାବେ ନାହିଁ ।
 

ଅନ୍ଧାର ଦେଖି ଉତ୍ତେଜନା ଆସିଛି, କାନ ଭିତର ଭାଁ ଭାଁ । ଉପରକୁ ଉଠିପଡ଼ି ଦିଉଡ଼ୁ ଡାକିଲା, ‘ବାରିକ’ । ପିଣ୍ଡାର କ’ଣରେ ଚୁପ୍‌ଚାପ୍ ବାଲ୍‍ମୁଣ୍ଡା ବସିଥିଲା । ଉଠିପଡ଼ି ଆସି ଠିଆହେଲା, ସାଓଁତାର ଜବାବକୁ ଟାକି ନ ରହି କହିଦେଇ ଚାଲିଗଲା । ‘ସାହିରେ ଥିବ ବୁଢ଼ା, ମୁଁ ଯାଉଛି ଡାକି ଦେଉଛି ।’ ଏମିତି ଅଦ୍ଭୁତ ତାର ବ୍ୟବହାର, ଆଡ଼େଇ ହୋଇ ରହେ, ପଳେଇ ପଳେଇ ବୁଲେ । ଥକ୍କା ହୋଇ ଦିଉଡ଼ୁ ଠିଆ ହେଲା, ଭିତରୁ କେଉଁଠୁ ଖୁଡ଼୍‍ ଖୁଡ଼୍‍ ଶୁଭୁଛି । ଡାକ ପକେଇଲା, ‘ବାଲ୍‍ମୁଣ୍ଡା-’ । ବାଲ୍‍ମୁଣ୍ଡା ଚାଲି ଯାଇଛି, ଜବାବ ନାହିଁ । ବାଲ୍‍ମୁଣ୍ଡା ଚାଲିଯାଇଛି, ଆଉ କିଛି ଦିଉଡ଼ୁ ଭାବିପାରିଲା ନାହିଁ । ତତଲା ମୁଣ୍ଡରେ ସେହି ଅନ୍ଧାର ଘର ଭିତରକୁ ପଶିଗଲା ।

 

ଅନ୍ଧାରରେ କିଛି ଦିଶୁ ନାହିଁ ।

 

କ’ଣ ଘରୁ ଶୁଭି ଲାଗୁଛି ସେହି ଖୁଡ଼୍‌ଖାଡ଼୍ ଖୁଡ଼୍‌ଖାଡ଼୍, ଖଡ଼ୁକାଚର ଝଣ୍‌ଝଣ୍ । ପାଗଳ କରୁଛି । ବାରିକକୁ ଡାକିବାକୁ ଯାଇଛି ପରା, ବାରିକ ଆସୁଥିବ । ବାଲ୍‍ମୁଣ୍ଡା ଆସୁଥିବ । ବାରିକ ସାଙ୍ଗେ କାମ ଅଛି । ନା, ସେଗୁଡ଼ାକ ମନ ଭିତରେ ନାହିଁ । ବେଜୁଣୀକୁ ବାଘ ଖାଇଲାଦିନ ସଞ୍ଜବୁଡ଼େ ଘରକୁ ଫେରିଲାବେଳକୁ ବାଟ ପାଖରେ ଓର ଉଣ୍ଡି ଠିଆ ହୋଇଥିଲା କିଏସେ, ଭିକାରୁଣୀ ପରି । ସେସବୁ ମନେ ନାହିଁ, କିଛି ମନେପଡ଼ୁ ନାହିଁ, କେବଳ ଅନ୍ଧାର ଆଉ ସେ, ଅନ୍ଧାରର ଆତ୍ମା । କେଉଁ ପାଖେ ତାର ଅସ୍ତିତ୍ୱ ? ବାରମ୍ବାର ଝୁଣ୍ଟୁଛି, ହାଣ୍ଡି ଓଲଟୁଛି, ଓହଳିଥିଲା ଜିନିଷ ମୁଣ୍ଡରେ ବାଜୁଛି, କାଳିଆ ଝୋଲାର କାଦୁଅ ଭିତରେ ବଣ ବାର୍‌ହିଆ ପରି ସଁ ସଁ ହୋଇ ସେ ଅଣ୍ଡାଳି ହେଉଛି, ସେ ଖୋଜାର ଅନ୍ତ ନାହିଁ ।

 

ହଠାତ୍ କାହା ସଙ୍ଗେ ହାବୁଡ଼ା ହାବୁଡ଼ି । ଦୁଆରମୁହଁ ଆଡ଼କୁ ପାଖେଇ ପାଖେଇ ଯାଉଥିଲା ବାହାରି । ଦୁଇ ବାହାରେ ପାଗଳର ବଳ ସଞ୍ଚାରି କଠିନ କରି ବାନ୍ଧି ଧରିଲା । ସବୁ ବପୁ ଏକାଠି କରି । ନଇଁ ଯାଉଛି, ଚେପା ହୋଇ ଆପଣା ଦେହରେ ମିଶି ଯାଉଛି, ଉଷୁମ ମାଂସ, ନରମ ମାଂସ । ଆଉ କେତେ ଚାପ ଦେଲେ ତାର ମଞ୍ଜ ଭାଙ୍ଗିବ ? କାହିଁକି ତାର ସ୍ଥୂଳ ବାସ୍ତବ ପୃଥକ୍ ଅସ୍ତିତ୍ୱ ରହିଥିବ ? ତାର ସତ୍ତା ଲୋପ ହେଉ, ଖାଦ୍ୟ ସେ, ସେ ଦେହରେ ମିଶିଯାଉ । ବଣ ଗୟଳର ତତଲା ନିଶ୍ୱାସ ଫୁଙ୍କି ଫୁଙ୍କି ବାଘର ମୁଠାରେ ମୁଠେଇ ଧରି ଦିଉଡ଼ୁ ଭିଡ଼ି ଲାଗିଲା, ହେତୁ ନାହିଁ, ଜ୍ଞାନ ନାହିଁ । ହଠାତ୍ ସେହିପରି ଆର ମୁହୂର୍ତ୍ତରେ ମୁହଁର ଗ୍ରାସ ହାତର ଗ୍ରାସ ବନ୍ଧନ ଭିତରେ ପ୍ରବଳଭାବେ ଛାଟିପିଟି ହେଲା, ବନ୍ଧନ ଶିଥିଳ ହୋଇ ତୁଟିଗଲା କିପରି, ଆପଣାକୁ ହୁଗୁଳେଇ ନେଇ ଆବଦ୍ଧ ଜନ୍ତୁ ଫିଟି ପଳେଇଲା ପଦାକୁ । ମୁହୂର୍ତ୍ତର ଜୁଆରଭଟ୍ଟା ଦୂରରୁ ତିରସ୍କାର କରି ସ୍ୱପ୍ନ ଭଙ୍ଗେଇ ହେଲା, ‘ସାଓଁତା’ । କେଉଁ ଦୂରର ସେ ଭଙ୍ଗା ଲହଡ଼ି, ଚୂନା ଫେଣ କାହାର ‘ସାଓଁତା’ ଡାକ, କେତେଦୂରର ସେ ।

 

ଦିଉଡ଼ୁ ସାଓଁତା ପଦାକୁ ଆସିଲା, ମନର ପିଶାଚ ଆଶା ଛାଡ଼ି ନାହିଁ । ବାହାରେ କେତେ ଅନ୍ଧାର ବଢ଼ିଲାଣି । ନିଛାଟିଆ ଘର, ଆଉ କେହି ନାହିଁ, ଗଳ ଗଳ ଗାଳି ଲାଗିଛି ମେଘ । ଆସ୍ତେ ଆସ୍ତେ ହାତ ବଢ଼େଇ ଦିଉଡ଼ୁ ଆଗେଇଲା । ସୋନାଦେଈ ଠିଆ ହୋଇଥାଏ, ଚଞ୍ଚଳ ଓଲଟି ପଡ଼ି ଘୁଞ୍ଚିଯାଇ ଭୀତ କରୁଣ ଗଳାରେ କ’ଣ ଏତେଗୁଡ଼ାଏ କହିଗଲା ।

 

‘ଏଁ,-ଏଁ,-କୁଆଡ଼େ ଆସିଛ ସାଓଁତା ଏମିତି କାହିଁକି ହେଉଛ-କଣ୍-କଣ୍-

 

ଏହି ସେ ସୋନାଦେଈଟି । ଦିଉଡ଼ୁ ଥଣ୍ଡା ପଡ଼ିଗଲା । କହିଲା-‘ସୋନାଦେଈ’ ଜବାବ ନାହିଁ । ‘ସୋନାଦେଈ-’ ଧୀରେ କଅଁଳେଇ ଡାକିଲା ଆଉଥରେ, ଦି’ ପାହୁଣ୍ଡ ଚାଲିଲା । ସୋନାଦେଈ ପିଲାଙ୍କ ପରି ଚିର୍ଚ୍ଚିରେଇ ଉଠି ମେଘକୁ ଡେଇଁ ପଡ଼ିଲା, ପାଣିରେ ତିନ୍ତି ତିନ୍ତି ତଳେ ଠିଆହୋଇ କହିଲା, ‘ମତେ ଡର ମାଡ଼ୁଛି । କୁଆଡ଼େ ଗଲେ ସବୁ ଓଳିତଳେ ଛିଡ଼ାହୋଇ ସବୁଯାକ ଜୋର୍ ସ୍ୱରରେ ଅଜାଡ଼ି ଦେଇ ଶଙ୍ଖ ଫୁଙ୍କିଲା ପରି ରଡ଼ି ଛାଡ଼ିଲା, ‘ହେ ବାବା-ହେ ବାବା-’

 

ନିଶା ଭାଙ୍ଗିଯାଉଛି, ଦିଉଡ଼ୁ ଡାକିଲା, ‘ତିନ୍ତୁଛୁ କାହିଁକି ଆଉ ଉପରକୁ ଆ ।’ ସେ କଥାକୁ ନ କାନେଇ ଶଶୁର ଉଦ୍ଦେଶ୍ୟରେ ସୋନାଦେଈ ପୁଣି ରଡ଼ି ଛାଡ଼ିଲା, ‘ହେ ବାବା !’

 

ମୁଣ୍ଡ ଥଣ୍ଡା ପଡ଼ିଯାଇଛି । ଛାତି ଭିତରର ଧୁଡ଼୍‌ମୁସ୍ ପିଟା ଶବ୍ଦ କ୍ଷୀଣ ହୋଇଯାଉଛି ବଳେ ବଳେ । ଆଉ ତାକୁ ଅନୁରୋଧ କରି ଉପରକୁ ଡାକିବା ଭଳି ମନର ଅବସ୍ଥା ନାହିଁ । ଦି’ହାତରେ ମୁହଁକୁ ଲଦିଦେଇ ଥକ୍କା ହୋଇ ଦିଉଡ଼ୁ ବସିଥାଏ । ଦବି ଯାଇଥାଏ । ଆଶ୍ଚର୍ଯ୍ୟ ହୋଇ ଭାବୁଥାଏ ୟେ କ’ଣ ହେଲା, କାହିଁକି ସୋନାଦେଈ ଏପରି ହେଉଛି, କି ବିଚିତ୍ର ସ୍ତ୍ରୀଲୋକର ଚରିତ୍ର-। ଆପଣା ମନକୁ କଳିଗଳା ଦିନଗୁଡ଼ାକର ଘଟଣା ସ୍ମରଣ କରି କରି ଦିଉଡ଼ୁ ଭାବୁଥାଏ, କ’ଣ କେବେ ସେ କଲାରୁ ସୋନାଦେଈ ବି ଫିଟି ଚାଲିଗଲା, କେଉଁ ଘଟଣାରୁ ଏତେ ଅଡ଼ୁଆ ଘୋଟିଗଲା-। ଭାବିଲାଗିଲା, ନା ସେ ନିଜେ ଉପରେ ପଡ଼ି କେବେ ସୋନାଦେଈକୁ ନିମନ୍ତ୍ରଣ କରିନାହିଁ, ସୋନାଦେଈ ବଳେ ବଳେ ଆଉଜି ଥିଲା, ବଳେ ବଳେ କ’ଣ ପୁଣି ବିଚାରି ଆଜି ପର ହୋଇ ଚାଲିଗଲା । ତାର କନ୍ଧ ଧାରଣାରେ, ସ୍ତ୍ରୀଲୋକ ଉପରେ କାହାରି ବଳ ଖଟେ ନାହିଁ, ସ୍ତ୍ରୀଲୋକ ତାହାର ଛାଁ କୁ ଛାଁ ତାର ମନ, ହଁ କି ନା । ସୋନାଦେଈ ଆଶ୍ରୟ ଖୋଜିଥିଲା, ଆଜି ତାର ଆଶ୍ରୟ ଲୋଡ଼ା ନାହିଁ, ବରଷା ଅନ୍ଧାରରେ ଆପଣା ଓଳିତଳେ ତିନ୍ତି ତିନ୍ତି ଠିଆହେବାକୁ ତାକୁ ଭଲ ଲାଗୁଛି । କାହିଁକି ? କ’ଣ ହେଲା ? ଭାବି ଭାବି ଧନ୍ଦି ହେଉ ହେଉ ତୁହାଇ ତୁହାଇ ସୋନାଦେଈର ଦୂରକୁ ଡାକ ତାର ଚିନ୍ତାର ଖିଅ ଅଡ଼ୁଆ କରିଦିଏ-’ବାବା-ବାବା ହେ ବାବା ।’

 

ଶୀତଳ ବୋଲିରେ ଦିଉଡ଼ୁ ସାଓଁତା ଅଭିମାନ କରି କହିଲା, ‘କାହିଁକି ତିନ୍ତି ମରୁଛୁ ସୋନାଦେଈ, କେହି ତ ଆଇଲେ ନାହିଁ ତୁ ଥା, ମୁଁ ଯାଉଚି-’ ଉଠି ପଡ଼ିଲା, ‘ଶୁଣୁଚୁ, ମୁଁ ଯାଉଚି, ବାରିକ ଆସିଲେ କହିଦେବୁ ପଛେ ।’ ସୋନାଦେଈ ଶୁଣିଲା ନାହିଁ । ଆହୁରି ଦୂରକୁ ଚାଲିଯାଇ ସେମିତି ଡାକିଲାଗିଲା । ଜାଣିଜାଣି ବି ଆହୁରି ଟିକିଏ ବୁଢ଼ିଆଣୀ ଜାଲ ତାର ଗୋଡ଼ରେ ଛନ୍ଦିହୋଇ ଦିଉଡ଼ୁ ଠିଆହୋଇଛି, ଚାଲିଯିବାକୁ ସୁଦ୍ଧା ସୋନାଦେଈର ଅନୁମତି ଚାହେଁ ।

 

ଇତସ୍ତତଃ ଭାବ କଟିଗଲା, ଦୂରରୁ ହାଁ ହାଁ ପାଟି ଶୁଭୁଛି, ବାରିକ ଆଉ ବାଲ୍‍ମୁଣ୍ଡା ଉଭୟେ ଆସୁଛନ୍ତି । ଆପଣା ସ୍ୱାମୀ ପାଖକୁ ଧାଇଁଯାଇ ଅଭିମାନ କରି ସୋନାଦେଈ ପାଟି କଲା, ‘ଆରେ, ଭଲା ଲୋକ ତ ତୁମେ ଆଲୁଅ ଜାଳିଲ ନାହିଁ, ବସିବାକୁ ଜାଗା ଦେଲ ନାହିଁ, ସାଓଁତାକୁ ଅନ୍ଧାରରେ ପଦାରେ ଠିଆକରି ରଖିଯାଇଛ ଯେ ଯାଇଛ ଡାକି ଡାକି ଶୁଣୁ ନାହଁ ।’ ସେହି ଆବେଦନରେ ଗର୍ବ ଆଉ ତାଚ୍ଛଲ୍ୟ ଅଛି । ବାଲ୍‍ମୁଣ୍ଡାର ହାତ ଧରି ଓଟାରି ନେଇ ଚାଲି ସୋନାଦେଈ କହିଲା, ‘କି ବୁଦ୍ଧି ତମର କହତ ?’ କେତେ ଅକଳନ ଦିନ ପରେ ସ୍ତ୍ରୀ ତାର ଦେହକୁ ଛୁଇଁଛି, ମୁହଁ ଆଗରେ ଠିଆ ହୋଇଛି ସାଓଁତା । ବାଲ୍‍ମୁଣ୍ଡା ହାତ ଛଡ଼େଇ ନେଇ ଘର ଭିତରକୁ ଦଉଡ଼ି ଦଉଡ଼ି ପଶିଗଲା, କହିଲା, ‘ମୁଁ ଯାଏଁ ଆଲୁଅ ଲଗେଇ ଆଣେଁ ।’ ସୋନାଦେଈ ଏତେବେଳେକେ ବଳ ପାଇଛି, ବାରିକକୁ ଚାହିଁ ଗଡ଼ର ଗଡ଼ର ହେଉଥାଏ । ଦିଉଡ଼ୁ ସାଓଁତା ଅନେଇ ରହିଥାଏ ତୀକ୍ଷ୍‌ଣ ଦୃଷ୍ଟିରେ ।

 

ତାର ଉଦ୍‌ବେଗକୁ ହସରେ ଉଡ଼େଇ ଦେଇ ବାରିକ କହିଲା, ‘କ’ଣ ହେଲା କ’ଣ ? ଘରେ କେହି ନ ଥିଲେ ତୁ ତ ଥିଲୁ, ରଖିପାରିଲୁ ନାହିଁ ତୋର୍ ସାଓଁତାକୁ ଯେ ମତେ ବୁଢ଼ା ମଣିଷଟା ଉପରେ ଦୋଷ ଢାଳି ଦେଉଛୁ ? ଖଟ ପାରି ଦେଇଥାନ୍ତୁ, ଦୀପ ଜାଳି ଦେଇଥାନ୍ତୁ, ବର୍ଷା ଦିନର ରାତି । ତୋର ସାଓଁତା କି ମୋର ସାଓଁତା ? ମୋର ତ ରାଜା । ତୋକେ ଜଣା ନାଇଁ ? ସତ୍ କି ମିଛ୍, କ’ଣ କହୁଛୁ ସାଓଁତା ?’ ସାଓଁତା ମୁହଁକୁ ଅନେଇଁ ବାରିକ ହସି ହସି ବକିଗଲା । ଦୀପ ଆସିଲାଣି । ମୁହଁ ଶୁଖେଇ ତଳକୁ ମୁହଁ ପୋତି ସୋନାଦେଈ ଠିଆ ହୋଇଛି । ସାଓଁତା ହସିଲା ନାହିଁ । ଗମ୍ଭୀର ହୋଇ କହିଲା ‘ହୁଁ’ ।

 

ବାରିକ କହିଲା, ‘ସେତେବେଳଠୁ ଠିଆ ହୋଇଛୁ ବସ ସାଓଁତା, ଆରେ ସୋନାଦେଈ, ସେ ହାଣ୍ଡିରେ କ’ଣ ଅଛି ଆଣ । ବସ ସାଓଁତା, ନିଜେ ଚାଲିଆସିଲୁ, ତୋର ଦୟା । ତୋର ଘର ତୋର ଦୁଆର, ତୋର ଦୟା ନ ଥିଲେ ଆମର ଜୀଉଣା ବନ୍ଦ ।’ ନାନା ବାକ୍ୟରେ ସ୍ତୁତି କଲା, ଲେଞ୍ଜୁକନ୍ଧ ସମ୍ପର୍କରେ ସାଓଁତାର ରାଗ ବାରିକ ଭୁଲି ନାହିଁ, ଭାଲୁକୁ ଗୀତ ବୋଲି ଶାନ୍ତ କଲା ପରି, ଭିତରେ ଭିତରେ ପ୍ରାଣେ ଡର । କ’ଣ ପୁଣି ଭାବୁଛି ଏଇଟା କି ମତଲବ, କିଛି ଯେ କହୁ ନାହିଁ । ବାରିକ ପାଟିକଲା, ‘କୁଆଡ଼େ ଗଲୁ ସୋନାଦେଈ, ଏତେ ଡେରି କରୁଛୁ-କିରେ ଉକୁଆ ପରି ଠିଆ ହୋଇଛୁ କଣ୍ ମ ବାଲ୍‍ମୁଣ୍ଡା, କିରେ ଯାଇ ଖୋଜି ଆଣୁନୁଁ ।

 

‘ତୁ କୋଉଠି ରଖିଚୁ ମୁଁ ଦେଖିଚି ନା କଣ୍ ଯେ ମୁଁ ଯିବି ।’

 

‘କୁଆଡ଼େ ଗଲା ସୋନାଦେଈ ? ଆଉ କିଏ ଯିବ ? ମୁଁ ପୁଣି ଦେଖିଲେ ତ ସବୁଯାକ ପିଇଦେଇ ବସିବି, ବୁଢ଼ାଲୋକ, ସମ୍ଭାଳି ପାରିବି ନାହିଁ । ହଉ, କେହି ନ ଯାଅ, ସାଓଁତା ନିଜେ ଭିତରକୁ ଯାଇ ପିଇଦେଇ ଆସୁ । ଯା, ସାଓଁତା ସୋନାଦେଈ ଦେଖେଇ ଦେବ, ପେଟପୂରା ପିଇଦେଇ ଆସିବୁ, ପେଟପୂରା ।’ ୟା କହି ସାଓଁତାର ମୁହଁକୁ ଅନେଇଁ ହସିଦେଲା । କହିଲା, ‘ତୁଇ ଯା ତୁଇ ଯା, ମୁଁ ଅଛି ୟେ ଦୁଆର ମୁହଁରେ,’ ମନକୁ ମନ କହି ଲାଗିଲା, ‘ଓଃ କି ଶୀତ ରାତି, ଅନ୍ଧାର ରାତି, କେହି ଗୋଟାଏ ନାହିଁ ।’ ଦିଉଡ଼ୁ ତାର ନିମନ୍ତ୍ରଣରେ ଟଳିଲା ନାହିଁ, ଗଛ ପରି ଠିଆହୋଇ ରହିଲା । କହିଲା ‘ବାରିକ ।’

 

‘ଆଉ କ’ଣ କଥା ସାଓଁତା ?’

‘କଥା ନାହିଁ ତ ମାହାଳିଆ ଦଉଡ଼ି ଆସିବି ତୋ ଘରକୁ, ବୁଢ଼ା ଓଲୁ ।’

 

‘ଏଁ ଏଁ,’ ତୁଣ୍ଡ ନୁଆଇଁ ବଙ୍କେଇ ପଡ଼ି ସାଓଁତା ଆଗରେ ବାରିକ ପରି ଠିଆହେଲା, କହିଲା, ‘କହ-କହ’ ।

 

‘କାଲି ମୋ ସାଙ୍ଗରେ ବନ୍ଦିକାର ଯିବାକୁ ପଡ଼ିବ, ତୁଇ ବାଲ୍‍ମୁଣ୍ଡା ଦୁଇଲୋକ ।’

‘କୁଆଡ଼େ ଯିବା, ଲେଞ୍ଜୁକକାକୁ ଖୋଜି ?’

 

ଦିଉଡ଼ୁ ଆଉ ସମ୍ଭାଳିପାରିଲା ନାହିଁ, ଏତେବେଳକର ସବୁ ରାଗ ତାର ଭୁଷ୍‌କରି ବାହାରି ପଡ଼ିଲା, ମୁହଁରେ ଯାହା ପାରି ତାହା ଶୋଧି ହାତ ଉଞ୍ଚେଇ ଧାଇଁଗଲା ବେଳକୁ କିଲକାଲିଆ ହୋଇ ସୋନାଦେଈ ଦଉଡ଼ି ଆସିଲା । ସୋନାଦେଈକୁ ଦେଖି ଦିଉଡ଼ୁ ଚୁପ୍ ହେଲା । ରାଗ ଉଭେଇ ଯାଉଛି, ତେଜି ହେଉ ନାହିଁ । ଶାନ୍ତ ହୋଇ ସୋନାଦେଈ ପଚାରିଲା, ‘କି ଦୋଷ କଲା ବୁଢ଼ାଟା ତମର, କାହିଁକି ମାରି ଗୋଡ଼େଇଚ ?’ ବାରିକ କାନ୍ଧରେ ହାତ ପକେଇ ସୋନାଦେଈ ଧୀରେ ତାକୁ ବସେଇ ଦେଲା, ବାରିକ ଥରୁଥାଏ ‘ବସ୍ ବସ୍’ ସୋନାଦେଈ କହିଲା, ‘ମା’ ଲୋ ବୁଢ଼ାଲୋକ କେଡ଼େଘାଏଁ ଥରୁଛି । ଏମିତି ଏ ଗାଁରେ ପଡ଼ି ରହିଥିଲେ ଦିନେ ମାଡ଼ଖାଇ ମରିଯିବୁ ବାବା, ଡମଲୋକ ବୋଲି କ’ଣ ଜୀବନ ନାହିଁ, ସବୁ କଥାରେ ଜୁଲୁମ୍ ଜବରଦସ୍ତି ମାଡ଼ ଗାଳି । ମା’ ଲୋ ! କ’ଣ କହିଦେଲୁ ବାବା, କି ଦୋଷ କଲୁ ବୁଢ଼ା ଲୋକ ।’ ସାଓଁତାର ମୁହଁକୁ କଣେଇଁ କଣେଇଁ ଅନେଇଁ କହିଲା, ‘କହୁନା-’

 

ସୋନାଦେଈକୁ ଚାହିଁ ଲେଞ୍ଜୁକନ୍ଧ ସମ୍ପର୍କର କଥା ବଖାଣିବାକୁ ଯାଇ ଦିଉଡ଼ୁର ତଣ୍ଟିରେ ଅଟକିଗଲା । କୁଆଡ଼ୁ ଆସିଲା ସେହି ସୋନାଦେଈର ଏତେ ତେଜ ! କ’ଣ ସେ ଶୁଣୁଛି ! କ’ଣ ତାର ତୁଣ୍ଡର କଥାକୁ ମନଭିତରକୁ ଓଟାରି ଓଟାରି ଖେଞ୍ଚି ଖେଞ୍ଚି ନେଇଯାଉଛି ? ବକାପରି ଦିଉଡ଼ୁ ସାଓଁତା ଠିଆହୋଇ ରହିଲା । ବଦଳିଯାଇ ଥଣ୍ଡା ହୋଇ କହିଲା, ‘ମତେ ରଗେଇବୁ ନାହିଁ ବାରିକ, ସୁସାରେ କଥା କହିବୁ । ହଁ, କାଲି ସକାଳ ବନ୍ଦିକାର ଯିବା, କାମ ଅଛି । ବଘେଇ ବାଟ ଏକଲା ନ ଯାଏ । ବାରିକ ତୁ, ଲୋକ ଦେ କହିଲେ ତ ଲୋକ ଦେବୁ, ଏତେ କଥା ପଚାରି ଫଟେଇ ହଉଚୁ କାହିଁକି, ଏତେକାଳ ତ ବାରିକ ହେଲୁଣି । ଆଉ କାହାକୁ ପଚାରିଥିଲୁ ନା ମତେ ପଚାରୁଚୁ, ହଇରେ-?’

 

‘ମୋର ଦୋଷ ହେଇଚି ସାଓଁତା, ଦୋଷ ହେଇଚି । ତୁ ମତେ ମାରିବୁ ନାହିଁତ ଆଉ କିଏ ମାରିବ ? ମାର୍, ପୂଜ୍, ତୋର ଦୟା । ତୁ କାହିଁକି ବକର ବକର ହଉଚୁ ମାଇପିଲୋକଟା ହଇଲୋ, ତୋର ବାପ ଘର ଗାଁ କରି ପାଇଲୁ କି, ସବୁଥିରେ ଉପରେ ପଡ଼ି ଲଢ଼ିଆସିଚୁ ।’ ସୋନାଦେଈ ଚାଲିଗଲା, ‘ମାର୍ ମତେ ସାଓଁତା, ପୂଜିଦେ, ଜୀବନରୁ ମାରି ଦେ । କାଲିକି କୁକୁଡ଼ା ଡାକେ ବନ୍ଦିକାର ଯିବା । ବୁଢ଼ା ଲୋକ, କଥା ବଣାହୋଇ ଫିଟେଇ ଦେଲି, ନଶେଇ ଦେଲି, ମୋର ଦୋଷ ହୋଇଚି ।’

 

‘କୁକୁଡ଼ା ଡାକେ ହାଜର ଥିବୁ ।’ କହିଦେଇ ଦିଉଡ଼ୁ ସାଓଁତା ଅନ୍ଧାରରେ ମିଶିଗଲା । କ’ଣ ବାରିକର ଦୋଷ ହୋଇଛି ସେ ଭାବିପାରିଲା ନାହିଁ । ପଛଆଡ଼ୁ ବାରିକର ଘରେ ବାରିକ ଝଙ୍କାର ଶୁଭୁଥାଏ, ଶୁଣିବାକୁ ପାଦ ମାଣ୍ଟେଇ ହେଉଥାଏ, ‘କେଡ଼େ ନିର୍ବୁଧିଆ ତୁ, ଆସିଥିଲା ଯଦି କାହିଁକି ତୁ ସମ୍ପାଦିଲୁ ନାହିଁ, ଯତ୍ନ କଲୁ ନାହିଁ, କାହିଁକି ସେ ରିଷା କଲା ?’

 

ବାଲ୍‍ମୁଣ୍ଡାର ପାଟି ଶୁଭୁ ନାହିଁ, ସୋନାଦେଈ କ’ଣ ଏଣୁତେଣୁ ବକି ଦୋଷ ଛଡ଼େଇ ହଉଚି, କଥାରେ କାନ୍ଦଣା ମିଶିଯାଉଛି, ବାରିକ ଆହୁରି ଶୋଧୁଛି, ହେଇ ସୋନାଦେଈ ବଡ଼ ପାଟିରେ ବାହୁନି ବସିଲା, ବାରିକ ଆହୁରି ଶୋଧୁଛି, ହେଇ ସୋନାଦେଈ ବଡ଼ ପାଟିରେ ବାହୁନି ବସିଲା, ଦୂରକୁ ଅନ୍ଧାର ବରଷାରେ କେବଳ ସୋନାଦେଈର କାନ୍ଦଣା, ସୋନାଦେଈର ବାହୁନା ।

 

ଆଜି ସବୁ ଓଲଟ ପାଲଟ ।

 

କୁଆଡ଼େ ଆସୁ ଆସୁ କ’ଣ ସବୁ ଘଟିଗଲା, କାହିଁକି ଏ କନ୍ଦାବୋବା ଗାଳି ଫଇଜତ୍, କାହିଁକି ଲୋକେ ଏପରିଭାବେ ବଦଳି ଯାଉଛନ୍ତି, ସେ କିଛି ବୁଝିପାରିଲା ନାହିଁ । କେବଳ ଯେପରି ପଛରୁ କିଏ ପେଲି ଲାଗିଛି, ଏଠି ଦଣ୍ଡେ ନୁହେଁ, ଏଠି ଦଣ୍ଡେ ନୁହେଁ । ଦିଉଡ଼ୁ ସାଓଁତା ପଳେଇ ଆସିଲା । ଧୀରେ ଧୀରେ ସବୁ ଚିନ୍ତା ସବୁଥିରୁ ଟାଣି ଓଟାରି ହୋଇ ଧ୍ୟାନ ଲାଗିଲା ପିଓଟିଠିଁ, ମନରେ ବଳ ଆସିଲା । ଅନ୍ଧାର ବରଷାରେ ପରର ଚିନ୍ତାରେ ମନକୁ ଉଷୁମେଇଁ ଉଷୁମେଇଁ ସେ ଘରକୁ ଫେରିଲା ।

 

ନିଆଁ ଜାଳି ପୁୟୁ ବସି ରହିଛି, ପୁଅ ଶୋଇ ନାହିଁ । କାବା ହେଲା ପରି ହାକିନା ବାପର ମୁହଁକୁ ଚାହିଁଲା, ପୁୟୁ ହସିଲା, କହିଲା, ‘ଯିବାକୁ ହଉଚି, ନବ ଟିକିଏ ?’ ଦିଉଡ଼ୁ କିଛି କହିଲା ନାହିଁ । ପୁୟୁ ଅଭିମାନ କରି କହିଲା, ‘ଭୋକ କରୁଛି କହୁଥିଲ, ଖାଇଲ ନାହିଁ ଚାଲିଗଲ ।’

 

‘ସବୁ ତ କରି ଧରି ରଖିଦେଇ ଯାଇଥିଲୁ, ଆଉ ନ ଖାଇଲି ବଡ଼ ଦୋଷ ହେଲା,’ ଦିଉଡ଼ୁ କହିଲା । ‘ହଉ ହଉ ଆଉ ରାଗ ନାହିଁ, ଖାଇ ଦିଅ ତ ।’ ତରତର ହୋଇ ପୁୟୁ ଖାଇବାକୁ ବାଢ଼ିଦେଲା । ଦିଉଡ଼ୁ କିଛି କହିଲା ନାହିଁ, ତୁନିହୋଇ ବସିପଡ଼ି ଖାଇଦେଲା । ଜାମିରିର ବୁଢ଼ୀକୁ ‘ନାଚିନୀ’ ଛାଡ଼ିଯାଇଛି । ବୋଧହୁଏ ଜାମିରିର ପ୍ରାର୍ଥନାରେ, ସବୁ ଖାଁ ଖାଁ ଗୋଡ଼ୋଉଛି ।

 

କେତେବେଳଯାକେ ଆଖିକି ନିଦ ନାହିଁ । ଏହି ପାହାନ୍ତିଆରୁ ତାର ନିଷ୍ପତ୍ତି । କୁକୁଡ଼ା ଡାକିଲାବେଳେ ଉଠି ସେ ବନ୍ଦିକାର ଯିବ । ବାରମ୍ବାର ଛକପକ ଲାଗୁଛି, ମନରେ ତୋଫାନ, ନିଦ ନାହିଁ ।

 

ଭାବେ, ପୁୟୁକୁ ସେ କହିବ କି ନାହିଁ ସେ ବନ୍ଦିକାର ଯାଉଛି । ପୁୟୁ ପଚାରିବ, ତା’ପରେ-? କହିବାକୁ ବୁଦ୍ଧି ପାଏ ନାହିଁ । ସବୁଦିନ ପରି ଆଜି ବି । ଶେଷ ବିଚ୍ଛେଦର ଦୁଆରମୁହଁରେ ଅଟକି ରହି ଆପଣା ଆପେ ସେ ଅପ୍ରସ୍ତୁତ ହୁଏ । ପୁୟୁ ଶୋଇଛି ହେଇ, ନିଘୋଡ଼ ନିଦ । ସେ କ’ଣ ଜାଣେ-? କିଛି ସନ୍ଦେହ ଅଛି ତାର ? କେମିତି ଦିଶୁଛି ଯେମିତିକି ଏହି ଘରେ ଆଜନ୍ମ ସେ ରହିଛି, ଏସବୁ ତାର, ଷୋଳଅଣା ତାର । ବେକ ଟେକି ଦିଉଡ଼ୁ ଦେଖିଲା, ନା, କହିହେବ ନାହିଁ, ପଛେ ଦେଖାଯିବ-

 

ଦିଉଡ଼ୁ ଶୋଇ ରହିଲା ।

 

ଭାବିଲା-ଏପରି କ’ଣ ହୁଅନ୍ତା ନାହିଁ; ଦିହେଁ ରହନ୍ତେ, ପିଓଟି ଆଉ ପୁୟୁ ? ସେ ଉଦାର, ସେ ଦୟାଳୁ, ତାର ଆପତ୍ତି ନାହିଁ, ସେ ଖୋଜି ନାହିଁ ବିଭାହେଲା ସ୍ତ୍ରୀକୁ ପାଣି ପବନକୁ ପେଲିଦେବାକୁ, କିନ୍ତୁ ପୁୟୁ ଏକୁଟିଆ ତାର କାମରେ ଆସିଲା ନାହିଁ, ମଣିଷର ସହିବାର ଗୋଟାଏ ଶକ୍ତି ଅଛି ।

 

ଏପାଖ ଦିଶେ ସେ ପାଖ ଦିଶେ, ଆଖି ବୁଜିଦେଲେ ବି ଅପ୍ରିୟ ଚିନ୍ତାରୁ ତ୍ରାହି ନାହିଁ, ବୃଥା ମନଟା ଘାଉଡ଼ ହୁଏ । ଯେତେ ସେ ଭାବେ, ଯେତେ ମନକୁ ଦମ୍ଭ ଦିଏ ସେ ଠିକ୍ କରୁଛି ବୋଲି, ଗୋଟାଏ ସାମାନ୍ୟ ‘କିନ୍ତୁ’ ସେତିକି ଘାଉଁ ଘାଉଁ କରେ ମୁଣ୍ଡ ଭିତରେ, କାନ ପାଖେ ଗୋଟିକିଆ ମଶାଟାଏ ପରି । ସେହି ‘କିନ୍ତୁ’ ଉପରେ ଭରା ଦେଇ ଦେଇ ଆଜିର ଦୁର୍ବଳ ସ୍ୱାସ୍ଥ୍ୟହୀନା ପୁୟୁ ସେଦିନର ନୂଆବୋହୂ ହେଲା ପରି କମ୍ପିଉଠି ଠିଆହୁଏ, ତାର ସ୍ୱାସ୍ଥ୍ୟ ଥିଲା, ତେଜ ଥିଲା, ଆକର୍ଷଣ କରିବାକୁ ଶକ୍ତି ଥିଲା ଯେତେବେଳେ । ସେହି ପୁୟୁର ସ୍ମୃତି ଅତୀତରୁ ଆସି ଏକାଡିଆଁକେ ବର୍ତ୍ତମାନକୁ ପାରି ହୋଇଯାଇ ଧୀରେ ଧୀରେ ବିଛେଇ ହୋଇଯାଏ ଭବିଷ୍ୟତକୁ । ମଶା ଘାଉଁ ଘାଉଁ ବଢ଼େ, ଅସ୍ଥିର କରେ ।

 

ଘୋଳି ହୋଇପଡ଼ି ଦିଉଡ଼ୁକୁ ନିଦ ହୋଇଗଲା, ଯାହା ହେବାର ପଛେ ହେବ, ସମାଧାନର ଅନ୍ତ ନାହିଁ ।

 

ବରଷା ଭିତରେ ପବନ ଡାକୁଛି ହୁ ହୁ । ଦୂରରେ ସେହି ହାହାକାରର ପୃଷ୍ଠପଟ, ଦାଣ୍ଡରୁ ପାଟି ଶୁଭିଲା, ‘ସାଓଁତା, ସାଓଁତା’ ଦିଉଡ଼ୁ ଧଡ଼ପଡ଼ ହୋଇ ଉଠିପଡ଼ିଲା । ପଦାରେ ଘୋଡ଼ିପୁଡ଼ି ହୋଇ ଠିଆ ହୋଇଛନ୍ତି ବୁଢ଼ା ବାରିକ ଆଉ ତା ପଛରେ ବାଲ୍‍ମୁଣ୍ଡା । ପାଗକୁ ଦେଖି ଦିଉଡ଼ୁ ପଚାରିଲା, ‘ଏଡ଼େ ଅନ୍ଧାର ହୋଇଛି, କୁକୁଡ଼ା ଡାକିଲେଣି ?’ ବାରିକ କହିଲା, ‘ଅନ୍ଧାର ବର୍ଷା ଶୀତ, କୁକୁଡ଼ା ଡାକିବାଟା ଡାକିଲେଣି, ତେବେ ତୋର ଇଚ୍ଛା’ ‘ଓଃ ଭାରୀ ଶୀତ ।’ ଦିଉଡ଼ୁ ଧନ୍ଦିଲାପରି ଟିକିଏ ଠିଆହେଲା, ତା’ପରେ ହଠାତ୍ ତାର ମନକୁ ମନ ବେଗ ଆସିଲା; କହିଲା, ‘ଚାଲ୍ ଚାଲ୍’ । ତରତରରେ ଯାଇ ତଲ୍ରା ତଲ୍ରି ବର୍ଚ୍ଛା ଟାଙ୍ଗିଆ ଗୋଟେଇ ଆଣିଲା । ତାର ବୁଜୁଳି ତାର ଲାଉତୁମ୍ବା ସଜଡ଼ା ହୋଇଥିଲା, ନେଇ ଆସିଲା । ଘରୁ ଗୋଡ଼ କାଢ଼ିବା ଆଗରୁ ନିଘା ପଡ଼ିଗଲା ପୁୟୁ ଉପରେ-। ଟିକିଏ ଦୋଦୋପାଞ୍ଚ ହେଲା । ନିଦରେ ଶୋଇ ପୁୟୁ ଭିଡ଼ିମୋଡ଼ି ହେଉଛି, ହାକିନା କେଉଁଠି ଲୁଚିଛି । ଡାକିଲେ ପୁୟୁ ଉଠିପଡ଼ନ୍ତା । ଭାବିଲା କହି ଦେଇଯିବ କି ?

 

ନା, ଥାଉ,-ଦିଉଡ଼ୁ ବାହାରି ପଡ଼ିଲା, ଅତି ବ୍ୟସ୍ତ ହେଲାପରି ବାରିକକୁ କହିଲା, ‘ଚାଲ, ଚାଲ ।’

•••

 

ଚୌରାନବେ

 

ବନ୍ଦିକାର !

 

ବରଷା ପାଗରେ କବାଟ କିଳିଦେଇ ନିଆଁ ପୁଇଁବା ପାଖରେ ଘୋରତେଇ ପୋରତେଇ ସେହି ଗପ, କେମିତି ଲେଞ୍ଜୁକନ୍ଧ ମିଣିଆପାୟୁରୁ ବନ୍ଦିକାର ଆସିଲା; କାହିଁକି ଆସିଲା, କ’ଣ ହେଲା-। ଗୋଟିଏ ବୋଲି ନୂଆ ଖବର ସେହି ଏକୁଟିଆ, ଗପି ଗପି ଅଳ୍ପ ଦିନରେ ପୁରୁଣା ହୋଇଗଲା, ଘଷରା ହୋଇଗଲା । ଗାଁର ଅତିଥି ଆଉ ଶୋଭେନାଘର ପିଣ୍ଡା ଉପରୁ ଉଠେ ନାହିଁ । କ୍ରମେ ଦେଖାଗଲା ତା’ଠିଁ ଅତିଥିର କ୍ଷଣିକତାର ଚମକ ନାହିଁ; ସେ ହେଲା ଗାଁର ରଇତ । କାହାରି ଘରକୁ ଯାଏ ନାହିଁ, ସରାଗ ମିଶେଇ କଥା କହେ ନାହିଁ, ଯେତେବେଳେ ଦେଖିଲେ ମେଞ୍ଚିମାଞ୍ଚି ହୋଇ ବସି ରହିଥାଏ, ମାଡ଼ଖାଇଲାବେଳେ ଗାଁ କୁକୁରର ଠାଣିରେ । ଯେପରିକି ସେ ନଗଣ୍ୟଠୁଁ ଆହୁରି ସାନ, ଆହୁରି ହୀନ; ସଂସାରରେ ଆପଣାକୁ ବିଛେଇବାକୁ ତାର ପ୍ରବୃତ୍ତି ନାହିଁ, କେବଳ ନୋଚାକୋଚା ହୋଇ ବସିରହିଲେ ଯେତିକି ଜାଗା ଦରକାର, ସେତିକିରେ ତାର ଚଳିଯିବ । ଦେହ ମୁଣ୍ଡକୁ ନିଘା ନାହିଁ, ଖାଇବା ପିଇବା ଭୁଲିଯାଏ, କେବଳ ଦୁଃଖରେ ଦୁଃଖରେ ମୁଣ୍ଡ ବୋଝ ହୋଇ ତଳକୁ ଝୁଲିପଡ଼େ, ବେଁଶିରା ହାଡ଼ ବଙ୍କେଇ ଯାଏ, କଥା ନାହିଁ ବାର୍ତ୍ତା ନାହିଁ ଖାଲି ବସିଛି ।

 

ପାଣି ଆଣି ଗଲାବେଳେ ପିଓଟି ତାହାରି ଆଡ଼କୁ ଦେଖି ଦେଖି ଯାଏ । ଜାଣି ଜାଣି ଅଳଙ୍କାର ଝଣଝଣେଇ ଦିଏ, ଲୁଗା ଫଡ଼କେଇ ଶବ୍ଦ କରେ । ଦୁଃଖ-ଧ୍ୟାନରେ ନିରତ ଭଙ୍ଗା ଦଦରା ଦର୍‌ହବୁଢ଼ା ଲୋକଟା ମୁଣ୍ଡ ଟେକି ଅନାଏଁ ବି ନାହିଁ । ଗାଁରେ ଥାଇ ସେହି ଗାଁରେ ଲେଞ୍ଜୁକନ୍ଧ ଭୁଲି ହୋଇଗଲା ।

 

ଦିନେ ଦେଖିଲାବେଳକୁ ସେ ନାହିଁ ।

 

କୁଆଡ଼େ ଗଳା ? ପିଓଟି ଭାବିଲା । ‘ମା’, ସେ ଯେଉଁ ଭଲ ବୁଢ଼ାଟି ବସା କରିଥିଲା ଶୋଭେନା ଘର ପିଣ୍ଡାରେ, କୁଆଡ଼େ ସେ ଗଲା ? ଆହା, ଅରକ୍ଷ ବୁଢ଼ାଲୋକ ।’ ‘ତାକୁ ସେମିତି ପାଇଲୁ କି ଲୋ ଝିଅ, ସେ ଗାଁର ବୁଢ଼ା ସାଓଁତାର ଭାଇ, କାହିଁକି ସେ ଏ ଗାଁ ମାଡ଼ନ୍ତା, କପାଳ ପଡ଼ିଲା ବୋଲି ସିନା । ପରଘର ପିଣ୍ଡାରେ ଭିକାରି ପରି ରହିବା ଲୋକ କ’ଣ ସେ !’

 

‘କୁଆଡ଼େ ସେ ଗଲା ମଁ ମା’, ଆଉ ତ ଦିଶୁ ନାହିଁ ।’

‘ମତେ କ’ଣ କହିକରି ଯାଇଛି ଲୋ ଝିଅ, କୁଆଡ଼େ ଯାଇଥିବ-’

 

ସେହି ସଞ୍ଜରେ ପିଓଟିର ସନ୍ଦେହ ଭାଙ୍ଗିଲା ଗୁମ୍‌ସାନୀ । ନା, ଲେଞ୍ଜୁକନ୍ଧ ମିଣିଆପାୟୁ ଫେରି ଯାଇ ନାହିଁ । ଦିନେ ହାର୍ଗୁଣା ସାଓଁତା ସାଙ୍ଗେ କଥାଭାଷା କରି ବନ୍ଦିକାରଠୁ ଟିକିଏ ଛାଡ଼ି ବଣ ଭିତରେ ଗୋଟିଏ ତାଷଗୁଡ଼ିଆକୁ ସେ ଉଠି ଚାଲିଗଲା । କେବଳ ଗୋଟିଏ ଘର ରଇତ ସେଠି ଆଗରୁ ବସିଛି, ତାଷଗୁଡ଼ିଆ ଦେଖିବାକୁ ସେଠି ଘର ଅଛି, ସେହି ଖାଲି ଘରେ ଲେଞ୍ଜୁକନ୍ଧ ତାଷ କମାଣି କରିବ, ପାରିଲେ ତ ଗୁଡ଼ ବସେଇବ, ଏହି ଗାଁର ରଇତ ହୋଇ ।

 

‘ଠିକ୍ ବାପର ପୁଅ ଆମର ହାର୍ଗୁଣା ସାଓଁତା,’ ଗୁମ୍‌ସାନୀ କହୁଥାଏ, ‘ପିଲାଲୋକ ହେଲେ କ’ଣ ହେଲା, କେଡ଼େ ପାକଳ ବୁଦ୍ଧି । କେଡ଼େ ବିଚାର । କାହିଁକି କାହାକୁ ମନା କରିବ, କହେ ଭୂଇଁ ତାଡ଼, ଚାଷ ବଢ଼ାଅ, ସମସ୍ତେ ଭଲରେ ଥାଅ ସେତିକି କଲେ ଗାଁର ନାଁ ଡାକ୍ ହେବ । ସେହି ଗୁଡ଼ିଆ ଭିତରେ ଆହୁରି ଦି ଭାଇ ରଇତ ଥିଲେ ଯେ କେଡ଼େ କାମ ଲାଗିଥିଲା ସେଠି । ବଣକୁ ତାଞ୍ଛି, ଝୋଲା କୂଳରେ କମଳା ଗଛ, କଦଳୀଗଛ ଲଗେଇ ଗୋରୁଗାଈ ପାଳି ସେ ଜାଗା ବଢ଼େଇ ଲାଗିଥିଲେ । କିଏ କହିବ ପର୍ବତ ଖୋଲ ଭିତରେ ଏଡ଼େ ସୁନ୍ଦର ଜାଗା ଅଛି ବୋଲି, ବାହାରୁ ଜମା ଜାଣିହେବ ନାହିଁ ଅଥଚ ତାହାରି ଭିତରେ ଏତେ କାମ । ହାଲିତ, ଗୋଟାଏ ଭାଇ ଜରରେ ପଡ଼ି ମଲା, ବର୍ଷେ ଭାରି ବଘେଇ ପଡ଼ିଲା ଯେ ଆର ଭାଇଟିକୁ ବାଘ ଖାଇଦେଲା । ସେଦିନୁଁ ସେ ଜାଗାର ଶିରୀ ତୁଟିଥିଲା, ପୁଣି ଜଣେ ରଇତ ମିଳିଲା ।’

 

ଅତଏବ ଲେଞ୍ଜୁକନ୍ଧ ଖୋଲରେ ଲୁଚିଲା । ବୁଢ଼ାଲୋକ, ସେଠି ବାଘ ଅଛି, ଜର ଅଛି, ବିସ୍ତାର ବଣ, ସେମାନେ ତାର ସତ୍‌କାର କରିବେ । ସେଇଠି ରହିବ ଦିଉଡ଼ୁ ସାଓଁତାର ଶତ୍ରୁ, ଯାହାର ମୁହଁ ଦେଖିଲେ ଆଶଙ୍କା ଉପୁଜେ ।

 

ତାର ଚିତ୍ତବୃତ୍ତି ଓଲଟେଇ ଦେଇ ଦିନେ ସେ ଗାଁକୁ ମଧ୍ୟ ଜଗନ୍ନାଥଁ ସାହୁକାରର ଗୁମାସ୍ତା ଆସିଲା, ପୁଣି ସଭ୍ୟଦେଶର ଲୋକ, ହଜି ଯାଇଥିବା ଚିହ୍ନା ଦୁନିଆଁର ପରିଚିତ ମଣିଷ ପରି । ପୁଣି ପୁରୁଣା ସଜ, ପୁରୁଣା ଜୀବନର ଡାକ, ସେହି ଦି’ଟା ଦିନ ଦିଉଡ଼ୁ ସାଓଁତାକୁ ବି ଭୁଲି ହୋଇଥିଲା, କିନ୍ତୁ ସବୁ ମନେ ମନେ । ଇଚ୍ଛାହୁଏ, ନିରୋଳା ଦେଖି ଏହି ନୂଆ ଅତିଥି ପାଖକୁ ଯାଇ ତେଲିଙ୍ଗି ଭାଷାରେ ସେ ପଚାରି ଆସନ୍ତା, କେଉଁ ଦେଶରୁ ଆସିଲ ? କେଉଁ ବାଟେ ଆସିଲ ? ଏ ବଣରୁ ନିଷ୍କୃତି ପାଇବା କ’ଣ ବେଶୀ ଭିଡ଼ ? ଜଣେ ଲୋକ ହେଲେ ବୁଝନ୍ତା ସେ ଏହି ବଣରେ ପଡ଼ିରହିଚି ବୋଲି ଏହି କନ୍ଧ କନ୍ଧୁଣୀଙ୍କ ସାଙ୍ଗରେ ସମତୁଲ କି ସାଙ୍ଗ ସରିସା ସେ ନୁହେଁ । ସେ ଦେଶର ସଭ୍ୟଭାଷା ବ୍ୟବହାର କରି ନାହିଁ ସେ କେଉଁଦିନୁଁ; କ୍ରମେ ମନ ଭିତରେ ତେଲିଙ୍ଗି ଭାଷାରେ ଭାବୁ ଭାବୁ ସେ କନ୍ଧ ଭାଷାରେ ଭାବି ଲାଗିଲାଣି । ପାଟି ଖଲ ଖଲ ହେଉଥାଏ, ଚଞ୍ଚଳ ହେଉଥାଏ ପିଓଟି କୌଣସି ଉପାୟରେ ବିଦେଶୀ ଗୁମାସ୍ତା-ସାହୁକାର ସହିତ କଥାଭାଷା ହେବାକୁ ।

 

ମା’କୁ ନ କହି ଘରର କବାଟ କିଳିଦେଇ ଝାମ୍ପି ପେଡ଼ି ଖୋଲିଦେଇ ସେ ତାର ଛଡ଼ା ପୋଷାକ ଗୋଟେଇ ଆଣି ପିନ୍ଧିଲା, ସେହିପରି ଅଳଙ୍କାର ସବୁ ନାଇହେଲା । ଘଡ଼ିଏ ନିକମା ହୋଇ ବେଣୀ ପାରିଲା ମୁହଁ ସାଉଁଳିଲା । ଅଧା ଅନ୍ଧାରରେ ସାନ ଦର୍ପଣ ପାଖେ ମୁହଁ ସଜେଇଲାବେଳକୁ ଗୁଣୁ ଗୁଣୁ ହୋଇ ତେଲୁଗୁ ଦେଶର ଗୀତ ଝରିପଡ଼ୁଥାଏ । କେବେ କେଉଁ ଷୋଡ଼ଶୀ କଳାବତୀ କଳାବର୍‌ରିଂ ଗାଇ ଗାଇ ନାଚିଥିଲା, ତୋର ମୁହଁ ଲୁଚା ଚାନ୍ଦ, କାହିଁକି ବୃଥାରେ ଲାଜ ପାଇବୁ ଦୁନିଆଁର ଆଖିରେ, ମୋର ମୁହଁ ଉଇଁଲା ଏଥର, ତୋର ମୁହଁ ଲୁଚା । ସେହି ପୁରୁଣା ଖୋଳପା ଭିତରେ ପଶି ଆହୁରି ଥରେ ସେ ଆପଣାକୁ ଅନୁଭବି ଦେଖିଲା । ସବୁ ଠିକ୍ ଅଛି, ଯେପରି ସେ ଆସିଥିଲା, ବାଟବଣା ହୋଇଥିବା ସମତଳର ହଳଦିବସନ୍ତ ବଣକୁ ଉଡ଼ିଆସିଲା ପରି । କବାଟ ଅଳପେ ଫାଙ୍କ କରିଦେଲା, ବାହାରେ କନ୍ଧଦେଶରେ ଗନ୍ଧ, ଅଳିଆ, ଦୂରରୁ ଦୂରକୁ କନ୍ଧର ପାଟି । ଗାଁ ଦାଣ୍ଡରେ କେହି ନାହିଁ । ପିଓଟି ଦୁଆରମୁହଁରେ ଆରଶି ଆଗରେ ବସି କେବଳ ଆପଣାକୁହିଁ ଦେଖି ଲାଗିଲା, ଆପଣାଠିଁ ସେ ବିଭୋର ହୋଇଥିଲା । ମୁହଁ ମାଠୁ ମାଠୁ କେବଳ ସେହି ଗୀତର ଟ୍ଟେହିଲା ପରି ଘୋଷାଟି, ତୋର ମୁହଁ ଲୁଚା ଚାନ୍ଦ ।

 

ହଠାତ୍ ତାର ନିଘା ପଡ଼ିଲା ସବୁ ସିନା ଅଛି ସେବତୀ ଫୁଲ ତ ନାହିଁ ମୁଣ୍ଡରେ ଖୋଷିବାକୁ । ମୁଣ୍ଡରେ ସେବତୀଟିଏ ନ ହେଲେ କି ଗୋଲାପଟିଏ ନ ହେଲେ ବେଶ ସମ୍ପୂର୍ଣ୍ଣ ହୁଏ ନାହିଁ । ସେହି ଭାବନାରେ ଧୀରେ ଧୀରେ ସ୍ମୃତିର ସଂସାର ଭିତରକୁ ଅଭାବର କଳରୋଳ ପଶି ଆସିଲା, ସ୍ୱପ୍ନ ଭାଙ୍ଗିଦେଲା । ସେହିପରି ବାରହାତି ଶାଢ଼ି ପିନ୍ଧି ବେଣୀ ଗଡ଼େଇ କବାଟ କିଳି ବସିପଡ଼ିଲା ପିଓଟି, ତାର ଶାନ୍ତି ନାହିଁ ।

 

ମା’ ଡାକିଲା, ‘କବାଟ ଖୋଲ’ । ଗୁମ୍‌ସାର ବୁଢ଼ୀ ଡାକିଲା, ‘ଶୀତ କଲା ଲୋ ଝିଅ, କବାଟ ଫିଟା ।’ ତରତରରେ କବାଟ ଖୋଲିଦେଲାକ୍ଷଣି ଦୁଇ ବୁଢ଼ୀ ତାକୁ ଚାହିଁଦେଇ ଥକ୍କା ହୋଇ ଠିଆହୋଇଗଲେ । ଗୁମ୍‌ସାର ବୁଢ଼ୀ ମୁହଁ ମୋଡ଼ିଦେଇ କହିଲା, ‘ଏ କି ବେଶ ଲୋ ମା’, ଜମା ଚିହ୍ନି ହେଉ ନାହିଁ ।’

 

ପିଓଟିର ମା’ କହିଲା, ‘ପାଗଳୀଟା, କ’ଣ ମନେପଡ଼ିଯାଇଛି-’ କହିଦେଇ ଆପଣାକୁ ରୋକିନେଲା, ମୁହଁକୁ କେମିତି କରି ଗୁମ୍‌ସାନୀ ପ୍ରଶ୍ନସୂଚକ ଦୃଷ୍ଟିରେ ଲାଖକରି ଅନେଇଛି, କହିଲା, ‘କ’ଣ ଏମିତି ଅଛି ଏତେ ମନେପଡ଼େ ମଁ ।’

 

ପିଓଟି ଅଭିମାନରେ ଜଳି ଉଠୁଥାଏ, ମା’ ଅଛି ବୋଲି କିଛି କହିପାରିଲା ନାହିଁ, ତାର ମା’ କହିଲା, ‘ଏଠି ଆଉ କ’ଣ ଏମିତି ଲୁଗା ଆଖିରେ ଦେଖିବୁ ଲୋ ମା’, ଯା ଫିଟେଇ ପକେଇ ଥୋଇ ଦେ, ଖରାପ ହୋଇଗଲେ ଆଉ ପାଇବୁ କାହୁଁ ?’

 

ପିଓଟିଠୁଁ-ଶୁଖିଲା ଗଳାରୋ ସ୍ୱର ବାହାରିଲା ‘ଥରେ ପିନ୍ଧିଲେ କ’ଣ ଖରାପ ହୋଇଯିବ-?’ ମା’ କହିଲା, ‘ଥାଉ, ଓହ୍ଲେଇ ପକା, ବର୍ଷାଦିନ ପାଣି କାଦୁଅ-’ ଗୁମ୍‌ସାର ବୁଢ଼ୀ କହିଲା, ‘ହଁ-ଏଗୁଡ଼ା କ’ଣ, ଯେ ଦେଖିବ ସେ ପଚାରିବ । କ’ଣ ମିଳିବ ଏ ଖେଳରେ ?’

 

ପାହାର ଖାଇଲା ପରି ମୁହଁ ଶୁଖେଇ କଣଘରକୁ ପିଓଟି ପଶିଗଲା । ପିଲାଙ୍କ ପରି ଛଳ ଦେଖେଇ କଚାଡ଼ି ପିଟି ଦାଣ୍ଡଘରକୁ ଜଣେଇଁ ଦେଲା ସେ କଥା ମାନୁଛି କେବଳ ଦୁର୍ଯ୍ୟୋଗରେ ପଡ଼ି-। ଏହି ତାର ପ୍ରଥମ ବଉଳ ମଉଳି ମଲା, ସମାଜର ବନ୍ଧାଗତରୁ ଟିକିଏ କରକୁ ଉତୁରି ପଡ଼ିଲେ ଏ ବଣରେ ବି ରକ୍ଷା ନାହିଁ ।

 

ସାହୁକାର ଗୁମାସ୍ତାର ପାଖ ପର୍ଯ୍ୟନ୍ତ ବି ସେ ପହଞ୍ଚି ପାରିଲା ନାହିଁ, ସେ ବସା କରି ରହିଛି ସାଓଁତା ଘର ପିଣ୍ଡାରେ, ସେଠିକି ଯଦି ଚାଲିଯାଇ ପିଓଟି ତେଲୁଗୁ ଭାଷାରେ ଆଳାପ ଲଗେଇବ ତେବେ ହାର୍ଗୁଣା ବିକୃତଭାବେ ଅନେଇଁ ଟିକିଏ ହସିଦେବ, ଏ ଗାଁର ବଡ଼ମୁଣ୍ଡିଆମାନେ ସେଠି ଜଗି ରହିଛନ୍ତି, ସେଠିକି ବି ଯିବାକୁ ବାଟ ନାହିଁ । ସବୁ ଖବର ପିଓଟି ଶୁଣିପାରିଲା । ଗୁମାସ୍ତା ଆସିଛି, ଆଗରୁ ଟଙ୍କା ଲଗେଇଦେଇ କ୍ଷେତର ଫସଲର ଭାଉ ତୁଟେଇ ଯିବ, ପାଚିଲେ ସେହି ଭାଉରେ କିଣିବ । ଗାଁରେ ସେହି ଘେନି ଚର୍ଚ୍ଚା ଲାଗିଛି ସାହୁକାର ଯେତେ ପ୍ରକାରେ ଭଲ କଥା ବୁଝେଇ ଲାଗିଛି ହାର୍ଗୁଣା ସାଓଁତାର ଅନୁର୍ବର ମୁଣ୍ଡଭିତରେ ସେ ସବୁ ପଶିପାରୁ ନାହିଁ, ସେ ମନା କରୁଛି ।

 

‘ଟଙ୍କା କି ଦରକାର ସାହୁକାର,’ ହାର୍ଗୁଣା କୁଆଡ଼େ କହିଲା, ‘ଆମର ତ କିଛି ଅଚଳ ରହୁ ନାହିଁ, ଆମ ଗାଁରେ ଆମେ ଭଲ ଅଛୁଁ । ଫସଲ ପାଚିବ, ଖାଇପିଇ ବଳିବ, ଦେଖାଯିବ ସେତେବେଳେ ଭାଉ କଅଣ । ତୁମେ ବତୋଉଛ ସେତେବେଳେ ଧାରା ଯଦି ନଷ୍ଟି ପଡ଼ିବ, ପଡ଼ିଲେ ପଡ଼ୁ, ସେତେବେଳକା କଥା ତ ଅଛି, କେବେ ମରିବା ବୋଲି ଆଜିଠୁଁ କ’ଣ ଭାତ ଛାଡ଼ିଦେବା ? ସାହୁକାର କେତେ ବୁଝେଇଲା, ପାଖ ଗାଁ ମିଣିଆପାୟୁର ଲୋକେ ଫସଲ ବିକି ସାରିଛନ୍ତି । ‘ସତେ-?’ ହିକୋକା ହାର୍ଗୁଣା କେବଳ ହସିଲା । ଯଦି ମିଣିଆପାୟୁ ବିକିଲେ ତେବେ ତ ବନ୍ଦିକାର କଦାପି ବିକିବ ନାହିଁ, ଠିକ୍ ତାର ଓଲଟା କରିବ ଏହି ଖବର ହାର୍ଗୁଣାର ମନକୁ ଦମ୍ଭ ଦେଲା ସିନା, ହାର୍ଗୁଣା ମତ ବଦଳେଇଲା ନାହିଁ ।

 

ପିଓଟିର ମନକୁ ଦି’ଦିନ ପାଇଁ ତେଜିଦେଇ ଛପି ରହିଥିବା ପ୍ରବଣତାକୁ ଉପର ମନକୁ ଉସ୍କେଇଦେଇ ସାହୁକାରର ଗୁମାସ୍ତା ଗାଁ ଛାଡ଼ି ଚାଲିଗଲା ବାଟେ ବାଟେ । ତାହା ସାଙ୍ଗେ ସାଙ୍ଗେ ଗଲା ତଳଦେଶର ସ୍ମୃତି, ନିରୋଳା ମନରେ ବଣରୁ ମୁକ୍ତିର ଆଶା, ପୁରୁଣା ଜୀବନର ମୋହ । ସେହି ଥମ ଥମ ନିଘଞ୍ଚ ବଣ, କେତେ ଉଞ୍ଚ ପର୍ବତ ଉପରେ ଗୋଟାଏ ମେଣ୍ଢାକୁଡ଼ିଆର ପଲା-ବସ୍ତିରେ ବେଢ଼ଙ୍ଗ ମୁର୍ଗ ବାଡ଼ ପାଖେ ଲଙ୍ଗଳା ଛୁଆ ନାଚୁଛି, ପାଖ ବଣରୁ ଶୁଭୁଛି କାଠକଟା ହେବାର ଠୋ ଠା ପାହାର, ସେହି ପୁରୁଣା ଦୃଶ୍ୟ, ସେ ତାର କାରାଗାର ।

 

କେତେଦିନ ଦବିରହିଲା ତାର ମନ, ବୁଢ଼ୀ ମା ପାଂଣିଆଣୀ ତହିଁରୁ କ’ଣ ବୁଝିବ, ଥାଇ ଥାଇ ମଝିରେ ମଝିରେ ତାର କରୁଣ ବିଳାପ ‘ଆହା, ବଣର ପାଣିରେ ଶୁଖି ଯାଉଛି ମୋ ଝିଅ, କ’ଣ କରିବା ନିଦରବୀ ଲୋକ, ବର୍ଷା ହେଉ କାକର ହେଉ କାମକୁ ନ ଗଲେ ନ ଚଳେ ।’ କି ଅର୍ଥ କରନ୍ତି ପାଖକୁ ପାଖ ଲାଗିରହି ତର ତର ହୋଇ କାମକରି ଯାଉଥିବା ଅନ୍ୟାନ୍ୟ କନ୍ଧୁଣୀମାନେ, ଜମିର ମାଲିକ କେବଳ ଦୁଃଖିତ ହୁଏ, ‘ଏ ଟୋକୀ ହାତରେ ଭଲ କାମ ହେଉ ନାହିଁ,’ ଆଲୋଚନା ପଡ଼େ ଯେ କନ୍ଧୁଣୀ ହେଲେ କ’ଣ ହେଲା, ତଳଦେଶରେ ବଢ଼ି ସେ ସବୁ ଭୁଲିଯାଇଛି ଏମିତି ଅଳସୁଆ ଏମିତି ନିକମା କରିଦିଏ ତଳ ରାଇଜର ଶିକ୍ଷା, ଛେଃ ।

 

ପୁଣି ମୁହଁରେ ପିଠିରେ ସେହି ଶୀତୁଆ ମେଘର ଛାଞ୍ଚୁଣୀ ପାହାର ପାଦରେ ସେହି କାଦୁଅ, ସେହି ପଥରର ଖେଞ୍ଚା, ଚଲାବାଟରେ ସେହି ଖାଲ ଢିପ, ଖସଡ଼ା, ଯେଉଁଠି ପ୍ରତି ମୁହୂର୍ତ୍ତରେ ବାସ୍ତବ ଜୀବନକୁ ବାସ୍ତବ ବୋଲି ନ ଭାବିଲେ ପଦେ ପଦେ ବିପଦ, ଆଉ ଆପଣାର ରହଣି ଏ ଗାଁରେ-ସବୁ ରଇତଙ୍କଠୁଁ ନୀରସା ହୋଇ କାମ କରି କରି ଗୋଷ୍ଠୀର ଆଶ୍ରା ମାନି ଜୀବନ ଧାରଣ । ସ୍ୱପ୍ନର ରୋଗ, ଭାବି ମରିବାର ଅଳସପଣ ନିରାଶାର ଜଡ଼ତା ମୁହାଁମୁହିଁ ଜୀବନର ହାବୁକାରେ କେଉଁ କ’ଣରେ ଯାଇ ଲୁଚିରହେ । ପିଓଟି ସହଜ ହୋଇଗଲା କେଇଟା ଦିନରେ । ଲେଉଟି ଯାଇଥିବା ଆଶା କଳ୍ପନାର ଫଟା ଫାଙ୍କରେ ଏହି ଜୀବନର ଇନ୍ଦ୍ରଧନୁ ପରି ପୁଣି ଉଇଁ ଝଟକିଲା ଦିଉଡ଼ୁ ସାଓଁତା । ନ ଝୁରି ମଣିଷ ରହିପାରେ ନାହିଁ, ବରଷାକୁ ଚାହିଁ ଚିହ୍ନା ଅନୁଭୂତିରେ ଘଟନାର ସ୍ଥଳୀ ବନ୍ଦିକାର ପାଖର ବଣ ଆଡ଼କୁ ଦୃଷ୍ଟି ରଖି ପିଓଟି ପୁଣି ଝୁରିହେଲା ଦିଉଡ଼ୁ ସାଓଁତାକୁ, ଦି’କରେ ସୁଅପରି ଛୁଟିଥିବା ଅନ୍ୟମାନଙ୍କର ସୁଖ ଦୁଃଖର ଘରକରଣା ବିସଦୃଶଭାବରେ ସେହି ଧାରଣାକୁ ଉଗ୍ରରୁ ଉଗ୍ରତର କଲା, ପିଓଟି ଅପେକ୍ଷା କରି ରହିଲା । ସବୁ ମନରେ ଥାଏ କେତେବେଳେ କେଉଁଟାକୁ ଭୁଲେ ମଣିଷ, ପିଓଟିଦ୍ୱାରା ତଳଦେଶକୁହିଁ ଭୁଲିହେଲା ।

 

କେତେ ଛଳରେ ପ୍ରଶ୍ନ । କାମ କଲାଠିଁ, ଗୁମ୍‌ସାନୀ ପାଖରେ, ଗାଁ ଗୋହିରିରେ । ‘ଆମ ଗାଁ ବଡ଼ କି ମିଣିଆପାୟୁ ବଡ଼ ହଇଲୋ-ଏଡ଼େ ଓଲୁ ସେମାନେ, ଆଗରୁ ଫସଲ ବିକିଦେଲେ । ଏତେ କନ୍ଧ ଅଛନ୍ତି କାହାରି ବୁଦ୍ଧି ହେଲା ନାହିଁ ? ହଁ ହଁ ସାଓଁତାଟା ନିର୍ବୁଦ୍ଧିଆ ସତେ । ତାର ପରା ଭାରିଯା ଅଛି ସେ ବୁଦ୍ଧି ଦେଲା ନାହିଁ ? ସତେ, ସତେ, ସାଓଁତାଟା ଭାରିଯାକୁ ବି ପଚାରେ ନାହିଁ । ଫସଲ ବିକିଲେ ଟଙ୍କା ପାଇଲେ ବର୍ତ୍ତମାନ କ’ଣ କରୁଛନ୍ତି ? ଠିକ୍ ଟଙ୍କା ପାଇଲେ ବୋଲି ଭୋଜି ଖାଇ ଖାଇ ଘରେ ବସିଥିବେ । ଶୀତୁଆ ଦିନ, ତହିଁରେ ତାଙ୍କ ଗାଁରେ ବଘେଇ, ଏଦିନେ ଟଙ୍କା ପାଇଲେ ଭୋଜି ପାଇଲେ କେହି ପଦାକୁ ବାହାରେ ? ତୁମେ ଦେଖିଛ ସେ ନିର୍ବୁଦ୍ଧିଆ ହୁଣ୍ଡା ସାଓଁତାର ଭାରିଯାଟାକୁ ? କ’ଣ ତାର ଦୋଷ ଯେ ବର ପଚାରେ ନାହିଁ ? କିଛି ଦୋଷ ନାହିଁ ? ଭଲ ମଣିଷଟିଏ ?’ ମୁହଁ ଶୁଖେଇ ବାଁରେଇ ହୋଇ ପିଓଟି କହେ, ‘ହେଇଥିବ, ସେମିତି ହୁଣ୍ଡା ବରକୁ ଭଲ ଭାରିଯା ମିଳେ ।’ ମନହେଲେ ପିଓଟି ହସି ଜାଣେ, ହସେଇ ଜାଣେ, ତାର ତଳ ଦେଶର ସଂସ୍କୃତିର ଆବରଣ କେବଳ ଅଭିନୟ । ‘କ’ଣ କହିଲ ? ଶୁଖି ଶୁଖି ହାଡ଼ ଚମ ହେଲାଣି ବୋହୂଟି ! ଆହା,-ଚୁ-ଚୁ-କ’ଣ ଆଉ କରିବ ବିଚରା, କି ଚାରା ତାର, ବର ଯଦି ମନକୁ ନ ଘେନିଲା କି ସୁଆଦ ଥାଏ ସେ ଜୀବନରେ ଆହା-’ ପୁୟୁକୁ ସେ କଳ୍ପନା କରେ, ପୁୟୁକୁ ଭାବିଲେ କାହିଁକି ବାରମ୍ବାର ମନେପଡ଼େ ଲେଞ୍ଜୁକନ୍ଧ । ପୁୟୁକୁ ସେ ଦେଖିବାକୁ ଚାହେଁ କିନ୍ତୁ ସହାନୁଭୂତି ଆସେ ନାହିଁ-। କେତେଟା ଦିନର ଦେଖାତାର ଦିଉଡ଼ୁ ସାଙ୍ଗରେ, କିନ୍ତୁ ସେ କଥା ସେ ଭାବେ ନାହିଁ, ତାର ମନ କେତେ ଯେ ଭାବିଛି ଜାଣତାରେ ଅଜାଣତାରେ, ଭାବି ଭାବିକା ଦିଉଡ଼ୁକୁ ସେ ଆପଣାର ଅସ୍ତିତ୍ୱର ପ୍ରତି ଅଣୁରେ ଭର୍ତ୍ତିକରି ସାରିଛି, ଦିଉଡ଼ୁ ତାର, ସେଠି ପୁୟୁର ଆସନ ନାହିଁ ।

 

ମନେ ମନେ ଦିଉଡ଼ୁକୁ ସେ ଟାଣିଆଣେ, ପ୍ରତି ମୁହୂର୍ତ୍ତରେ ନିଃଶ୍ୱାସରେ ଚାହାଣିରେ ସବୁଯାକ ମନର ବଳ ଖୁନ୍ଦିଖାନ୍ଦି ଦେଇ ସେହି ମାଳ ଉପରେ ଦୃଷ୍ଟି ଲମ୍ବେଇ ଦେଇ ପିଓଟି ଡାକେ ଦିଉଡ଼ୁ ଆସୁ, ଚଞ୍ଚଳ ଆସୁ ।

•••

 

ପଞ୍ଚାନବେ

 

ହେଇ ବନ୍ଦିକାର-କେଡ଼େ ଚଞ୍ଚଳ ବାଟ ସରିଗଲା ଦିଉଡ଼ୁ ସାଓଁତାର, ମେଘର ଫେଣ ଉପରେ ଲାଠିଏ ମୋଟେ ଚଢ଼ିଛି ସୂର୍ଯ୍ୟ, ପାଉଁଶିଆ ଦିଶୁଛି, ସାମ୍ନାରେ ଝୋଲାର କଳକଳ । ବାଲ୍‍ମୁଣ୍ଡା ପଛରେ ପଡ଼ିଯାଇଛି, ସାଓଁତା ପଛେ ପଛେ ଲାଗି ରହିବା ପାଇଁ ଧାଇଁଧପାଲି ବାରିକ ମାଡ଼ି ଆସୁଛି, ତାର ଧଡ଼ ପଡ଼ିଲାଣି, ନିକମା ପୁଅ ଉପରେ ରାଗ ଅଜାଡ଼ିଦେଇ ସେ ଭୁଟର୍ ଭୁଟର୍ ହେଉଛି । ଝୋଲା ଖଣ୍ଡେଦୂର ଥାଇ ଦିଉଡ଼ୁ ବାରିକ୍‌କୁ ଅପେକ୍ଷା କରିବାକୁ ଠିଆହେଲା । ଆମ୍ବଗଛ ମୂଳେ ଆଉଜିରହି ବାରିକ ବୁଢ଼ା ଧକେଇ ହେଲା, ଆଜି ତାର ପାନେ ।

 

କଥା ନାହିଁ ବାର୍ତ୍ତା ନାହିଁ, ଚୋରି କରି ସାରି ବାଟେ ବାଟେ ଭଦ୍ରଲୋକ ହୋଇ ଚଞ୍ଚଳ ଚଞ୍ଚଳ ଖୋଜ ପକେଇ ପଳେଇ ଆସିଲା ପରି ଏ ଲୋକଟା ଯେ କାହିଁକି ବନ୍ଦିକାର ଆସିଛି, ବାରିକକୁ ଜଣାନାହିଁ, ଉଠାଣିଗୁଡ଼ାକ ଡେଇଁ ଡେଇଁ ଚଢ଼ିଛି, ଗଡ଼ାଣିଗୁଡ଼ାକ ଧାଇଁ ଧାଇଁ ଟପି ଆସିଛି, ମୁହଁରେ ଆଖିରେ ଝୁରା ବରଷାର ପାଣି ଖାଇ ଖାଇ କାନରେ ଭାଁ ଭାଁ ଥଣ୍ଡା ପବନର ବିଞ୍ଚା ସହି ସହି କେବଳ ସେ ଚାଲି ଆସିଛି ଖାଲି, ବେଳେବେଳେ ଗୀତ ବୋଲିଛି ସିନା, କେତେବେଳେ ଥକି ନାହିଁ । କାହିଁକି ? ବାରିକକୁ କାବା ଲାଗୁଥିଲା । ପଚାରିଲେ ପୁଣି ସେ ରାଗନ୍ତା । ବାୟା ହାତୀ । ହୁଣ୍ଡାଟା । ଆଉ ବାରିକର ସେ କୁତୂହଳ ବି ନାହିଁ । ମୁଣ୍ଡ ଝାଙ୍କି ଦେଉଛି, ଆଖି ବୁଜିହୋଇ ଆସୁଛି, କେବଳ ଚିନ୍ତା କେମିତି ଏ ମଣିଷଠୁଁ ଛୁଟି ମିଳିବ, ତୁଣ୍ଡ ଫିଟେଇ କହି ହେଉ ନାହିଁ ତଥାପି ।

 

‘ବନ୍ଦିକାର ତ ହେଲା ସାଓଁତା, କୁଆଡ଼େ ଆସିଥାଇଁ, ଏଣିକି କ’ଣ କରିବା ?’

 

‘ଏଁ-’ ଦିଉଡ଼ୁ କିଛି କହି ପାରିଲା ନାହିଁ, ଆଙ୍ଗୁଠି ଚୁଚୁମି ଚୁଚୁମି କେବଳ ଠିଆହେଲା । ‘ବଡ଼ା ଚାଲି ଚାଲୁଛୁ ସାଓଁତା, ଭେଣ୍ଡିଆ ଲୋକ, ତୋର କ’ଣ ହୋଇ ଯାଇଚି । ମୁଁ ସିନା ବୁଢ଼ା ହେଲି ଦରମରା ହେଲିଣି’ ସାମ୍ନାରେ ତୋଟା ଆଉ ପଥର ଉହାଡ଼ରୁ ବନ୍ଦିକାର ଗାଁର ବସ୍ତି ଦିଶୁଥାଏ, ଝୋଲା ଆରପାରି, ଦିଉଡ଼ୁକୁ କିଛି ଶୁଭୁ ନ ଥାଏ, ବାରିକ ସାଙ୍ଗେ ସାଙ୍ଗେ ସେ ବି ଭାବୁଥାଏ, ୟା ପରେ କ’ଣ ହେବ । ହଠାତ୍ ବୁଲିପଡ଼ି ଦିଉଡ଼ୁ ସାଓଁତା ବାରିକକୁ କହିଲା, ‘ବର୍ଷା ପାଗରେ ଏତେ ବାଟ ଆସିଲୁଣି, ମଦ ନାହିଁ କି ଧୁଙ୍ଗିଆ ନାହିଁ, ତତେ ବାଧିବଣି ।’ ଆଶ୍ଚର୍ଯ୍ୟରେ ବାରିକର ଆଖି ଫାଡ଼ି ହୋଇଗଲା । ଏ କ’ଣ ହେଲା, ସାଓଁତା ତୁଣ୍ଡଟା ନରମ କଥା ! ‘ଯା ବାରିକ, ଆଉ ତତେ ଘୋଷାରିବି ନାହିଁ, ବଘେଇ ବାଟ ବୋଲି ସିନା, ନ ହେଲେ ତତେ କାହିଁକି ଏ ହରବର । କୁଆଡ଼େ ରହିଲା ବାଲ୍‍ମୁଣ୍ଡା ? ହେଇ ଗୋଟିଏ ଗୋଟିଏ ଆସୁଛି । ହଉ ତୁ ଯା ।’

Unknown

 

କଅଁଳେଇ କହୁଛି, ତରତର କରି କହୁଛି, ଏମିତି ଉଚ୍ଛନ୍ନ ହେଉଛି କାହିଁକି ? ବାରିକ ଚଞ୍ଚଳ ଚଞ୍ଚଳ ଭାବିଗଲା । ଗୋଟାଏ ବଙ୍କା ହସ ହସି ଅତି ବିନୟ ଦେଖାଇ କହିଲା, ‘ତୋ ସାଙ୍ଗରେ ଥିଲେ ମୋର ଆଉ କଷ୍ଟ କ’ଣ ସାଓଁତା ? ମୋରି ସୁଖକୁ ଏତେ ଖୋଜା ଲୋଡ଼ା ପଡ଼ିଛି ଆହୁରି, ତତେ ଏକୁଟିଆ ପର ଗାଁରେ ଛାଡ଼ିଦେଇ ମୁଁ କେମିତି ଆଗ ଫେରିଯିବି କହ, ତୋର କାମ ସରିଲେ ତ ଘରକୁ, ଫେରିଯିବା, ଡେରି ଟିକିଏ ହଉ କ’ଣ ଅଛି ?’

 

‘ନା ନା ତତେ ଆଉ କଷ୍ଟ ଦେବି ନାହିଁ । ତୋର ଅବସ୍ଥା ରହିଲାଣି, ବୃଥା ତତେ ଆଣିଲି, ଦି’ଟା ଭେଣ୍ଡିଆ ଆଣିଥିଲେ ଚଳିଥା’ନ୍ତା-’

 

‘ମୋ ପାଇଁ ଭାବ୍ ନା ସାଓଁତା-’

 

‘ନା ନା ତୁ ଯା । ଆହୁରି ବଡ଼ ମେଘ ଆସିବ ପଛକୁ, ସକାଳ ସକାଳ ହେଇଚି ପଳା’-ୟା ଉତ୍ତାରୁ ଆଉ କଥା କଟାକଟି ଚଳିବ ନାହିଁ, ଟୋକାର ଅଙ୍ଗଭଙ୍ଗୀରେ ଧରଣରେ ଉଦ୍‌ବେଗର ଚିହ୍ନ । ବାରିକ ତୁନି ପଡ଼ିଲା । କିଛି ନ କହି ତରତର ହୋଇ ସାଓଁତା ଚାଲିଗଲା । ବାରିକ ଟିକିଏ ମାଣ୍ଟେଇଲା; ତା ପରେ ଅଦମ୍ୟ କୁତୂହଳରେ ଡର ଭୟ ଭୁଲି ଝୋଲାର ଢାଲୁଆଡ଼କୁ ଦୌଡ଼ି ଦୌଡ଼ି ଯାଇ ପଛରୁ ଡାକିଲା, ‘ସାଓଁତା-’

 

ଦିଉଡ଼ୁ ଗର୍ଜିଉଠିଲା, ‘ପୁଣି କୁଆଡ଼େ ଆଇଲୁ ?’

 

‘ଟିକିଏ ଧୂଆଁପତ୍ର ଥିଲେ ଦେ ସାଓଁତା, ଏତେ ବାଟ, ପାଟିରେ ହେଲେ ପକୋଉଥିବି ।’ ଅଣ୍ଟାରୁ ବଡ଼ କରି ଖଣ୍ଡେ ଧୂଆଁପତ୍ର କାଢ଼ି ଦିଉଡ଼ୁ ତା’ ହାତକୁ ବଢ଼େଇଦେଇ କହିଲା, ‘ନେ, ଯା ଏଥର, ମେଘ ଆଉଚି । ଚାଲିଯିବାକୁ ଦିଉଡ଼ୁ ପାଦ ଘୋଷାରିଲା, ମୁହଁରେ ବିରକ୍ତି ସ୍ପଷ୍ଟଭାବେ ଲେଖା ହେଲାଣି, ତଥାପି ବାରିକ ନାଲିଛାଲି ହେଲା, କହିଲା, ‘ସାଓଁତା’, ଛଟପଟ ହୋଇ ଦିଉଡ଼ୁ ତୁଣ୍ଡରୁ ବାହାରିଲା ‘ଓଃ-’, ବାରିକ ଜବାବ୍ ପାଇଲା । ବଚନିକା ଲମ୍ବେଇ ମୁଣ୍ଡ ହଲେଇ ହାତଯୋଡ଼ି କହିଲା, ‘ସାଓଁତା, ମାଇଲେ ମାର ଯାହା କଲେ କର ସିନା ତୋରି ଇଚ୍ଛା, ମୁଁ ବୁଢ଼ାଲୋକ, ତୋର ବାପାର ଚାକର, ପିଲାଦିନୁଁ ତୋର କେତେ ଗୋଇଠା ଖାଇଛି ତାର ଠିକଣା ନାହିଁ, ସେତେବେଳଠୁ ମୁଁ ଭାବୁଚି, ମୁଁ କିଛି କହିପାରୁ ନାହିଁ; କୁଆଡ଼େ ତୁ ଆସିଲୁ, କ’ଣ ତୋର କାମ, କାହିଁକି ମୋତେ ତଡ଼ୁଛୁ, ମତେ କହିବୁ ନାହିଁ ?’ ଦିଉଡ଼ୁ କଟମଟ କରି ଅନେଇଁ ଠିଆହେଲା । ବାରିକ କହିଗଲା, ‘ତୋର ବାପ ଅମଳରୁ ତାର ତଳେ ମୁଁ ବାରିକ, ସରବୁ ସାଓଁତା ମତେ କିଛି କଥା ଲୁଚେଇ ନାହିଁ, ସାଓଁତା ପାଦ, ବାରିକ । କି ଅପରାଧ କଲି ତୋଠିଁ ଯେ ତୁମ ମତେ ସନ୍ଦେହ କରୁଚୁ, କପଟ କରୁଚୁ, ମୋଠି ତୋର ବିଶ୍ୱାସ ନାହିଁ । ତେବେ ମାରିପିଟି ଗୋଇଠା ମାରି ଦେ ଖେଦି ଦେ ମତେ ସାଓଁତା, ମୁଁ ବଞ୍ଚିଥିବା କି କାମ୍ ତୋର ଯଦି ମୋଠି ବିଶ୍ୱାସ ନାହିଁ, କାହିଁକି ତୋର ଜାଗାରେ ମତେ ରଖିଥିବୁ-’

 

ଦିଉଡ଼ୁର ବିରକ୍ତି ବଢ଼ିଗଲା, କିନ୍ତୁ ବାହାରକୁ ତାର ମୁହଁ ବନ୍ଦ ।

‘କାହିଁକି ଆପଣାକୁ ଝିଂଗାସୁଛୁ ବାରିକ, ଲୁଚେଇବା କଥା କିଛି ନାହିଁ, ବାଜେ କାମ ।’

 

‘ମୁଁ କ’ଣ ପିଲା ହେଇଛି ସାଓଁତା ଯେ ବୁଝିପାରିବି ନାହିଁ । ଫେର୍ ରାଗି ଉଠୁଚୁ ତ, ତୋର ଦୟା, ମାଡ଼ ଖାଇବାକୁ ପିଠି ସଜେଇ ନ ରଖିଥିଲେ ତୋ ପାଖେ ଆଉ ବାରିକ ହୋଇ କାହିଁକି ରହିଥା’ନ୍ତି ?’ ବାରିକ ଗଡ଼ ଗଡ଼ କରି ଗାଇଗଲା । ଦିଉଡ଼ୁ ଅଡ଼ୁଆରେ ପଡ଼ିଲା, ଆଉ ନିଷ୍କୃତି ନାହିଁ ।

 

ବୁଝେଇ ଶୁଝେଇ କହିଲା, ‘ବାରିକ, ତତେ ପରେ ବୁଝେଇବି, ତୁ ପରେ ଜାଣିବୁ । ଯା, କାହାରିକି କହିବୁ ନାହିଁ, ଅଇଛା ତତେ ବୁଝେଇପାରୁ ନାହିଁ । ତୁ ମୋ ସାଙ୍ଗେ ଥିଲେ ମୋ କାମ ଭଣ୍ଡୁର ହେବ ।’

 

କହିଦେଇ ଦିଉଡ଼ୁ ଚାଲିଗଲା, ଝୋଲା କୂଳରୁ ମୁହଁ ବୁଲେଇ ଦେଖିଲା ବାରିକ ନାହିଁ, କେହି ନାହିଁ, ତରତର ହୋଇ ପାଣିରେ ପଶିଗଲା । ସେ ପାଖରେ ଅତଡ଼ା ଉପରୁ ଆହୁରି ଥରେ ଦେଖିଲା, ଦୂରରେ ପିଠିକରି ଚାଲିଯାଉଛି ଭୁର୍ଷାମୁଣ୍ଡା ବାରିକ, ଆଗେ ଆଗେ ତାର ପୁଅ ବାଲ୍‍ମୁଣ୍ଡା-। ଚାଲିଯାଉଛନ୍ତି ସେମାନେ, ମିଣିଆପାୟୁର ପ୍ରତିନିଧି ପରି । ମୁହୂର୍ତ୍ତେ ଝଲ୍‌ସିଗଲା ବିଭାହେଲା ଭାରିଯା ପୁୟୁର ମୁହଁ ଅକାରଣରେ ସ୍ମରଣ ପଡ଼ିଲା, ସେଥିରେ ଆନନ୍ଦ ନାହିଁ, ସହାନୁଭୂତି ନାହିଁ, କେବଳ ଚିତା କାଟିପାରିଲେ ଆନନ୍ଦ । ସେ ସେ କୂଳ ଛାଡ଼ି ଏ କୂଳ ପାଇଛି, ତରତର ହୋଇ ଚାଲିଲା ସିଧା ପିଓଟିର ଘର ଆଡ଼କୁ ।

 

ପିଲାଛୁଆ ପିଣ୍ଡାରେ ବସି ମେଳା ଲଗେଇଛନ୍ତି, ବଡ଼ବଡ଼ିଆ ଯାଇଥିବେ ବାହାରି ତାଷକୁ-। ଗାଁର ଘରଣୀମାନେ ଭିନ୍ନ ଗାଁର ଲୋକକୁ ଦେଖି ଆପଣା ଭିତରେ କୁହାକୁହି ହେଲେଣି । ବନ୍ଦିକାରର କୁକୁର କେହି କେହି ତୁନିହୋଇ ଗୋଡ଼ ଚିପି ଚିପି ଆସି ବେକ ଲମ୍ବେଇ ପର ଗାଁର ସାଓଁତାକୁ ପଛଆଡ଼ୁ ଶୁଙ୍ଘୁଛନ୍ତି, ସେ ଶତ୍ରୁ କି ମିତ୍ର । ସାହିରେ ପଶି ଏକୁଟିଆ ମଣିଷ ଦିଉଡ଼ୁ ସାଓଁତା ଦୋ ଦୋ ପାଞ୍ଚ ହେଲା, କେମିତି କେମିତି ଅଖାଡ଼ୁଆ ଲାଗିଲା । ପିଓଟି ଘରକୁ ଯିବା ବାଟରେ ବୁଢ଼ା ଶଳ୍‍ପୁକନ୍ଧ ଆସି ଭେଟିଲା ।

 

‘କୁଆଡ଼େ ସାଓଁତା ?’

‘ଲୋଡ଼ା ଅଛି ।’

‘ସମସ୍ତେ ତ ତାଷକୁ ଯାଇଛନ୍ତି, ଆସିଲେ ସିନା ।’

‘ହୁଁ ।’

 

‘ବଘେଇର ହାଲ୍ କ’ଣ ?’ ଗପ ଚାଲିଲା ଅନ୍ୟାନ୍ୟ ବିଷୟରେ । ‘ଲୋଡ଼ା ଅଛି’ କହିଦେଲେ କିପରି ଲୋଡ଼ା, କ’ଣ ଲୋଡ଼ା ପଚାରି ଆପଣାର ଅସ୍ୱାସ୍ଥ୍ୟକର କୁତୂହଳକୁ ପଦାକୁ ପକେଇବାକୁ ଶଳ୍‍ପୁକନ୍ଧ ଉଚିତ ମନେ କରେ ନାହିଁ । ଦିହେଁ ପାଖ ପାଖ ହୋଇ ଗପୁ ଗପୁ ଦିଉଡ଼ୁ ବାଟ କଢ଼େଇନେଲା ପିଓଟି ଘର ପିଣ୍ଡା ଆଡ଼କୁ । ଚଢ଼ିଲା ବେଳକୁ ଶଳ୍‍ପୁକନ୍ଧ କହିଲା, ‘ଏଠି କ’ଣ, ଏଇଟା ଗୋଟାଏ ରାଣ୍ଡି ଛୁଣ୍ଡି ଘର ।’

 

‘କାହିଁକି, କିଏ ରହେ କି ଏଠି ?’

 

‘ବୁଢ଼ୀଟିଏ, ତାର ବର କଳିଂଦେଶରେ ମରିଗଲା । ସେ ଦେଶରୁ ଚାଲି ଚାଲି ପଳେଇ ଆସିଲେ ମା’ ଝିଅ ଦୁହେଁ, ଏଠି ଜମି ନାହିଁ, ବାଡ଼ି ନାହିଁ, ମୂଲପାତି ଲାଗି ଚଳୁଛନ୍ତି, ତା’ପରେ ଆମ ସାଓଁତା ଦୟା ।’ ସେହି ପିଣ୍ଡାରେ ବସିପଡ଼ି ଶଳ୍‍ପୁକନ୍ଧ ସଙ୍ଗେ ଦିଉଡ଼ୁ କଥାଭାଷା ହେଲା, ପଛଆଡ଼କୁ ଅନେଇଁଲା । ପିଓଟିର ମା’ ବୁଢ଼ୀ ଆସି ଦୁଆର ମୁହଁରେ ଠିଆହୋଇ ପୁଣି ଏ ଘରୁ ବାହାରି ସାହିକୁ ଚାଲିଗଲା । ଦିଉଡ଼ୁର ମନର ପ୍ରଶ୍ନ ଛଡ଼େଇ ନେଲାପରି ସନ୍ଦିଗ୍‌ଧ ହୋଇ ଶଳ୍‍ପୁକନ୍ଧ ପଚାରିଲା, ‘ପିଓଟିର ମା’, ତୁ ତ କ’ଣ ଫେରିଆସିଲୁଣି, ପିଓଟି କ’ଣ ଘରେ ଅଛି ନା ?’ ଅନ୍ୟମନସ୍କ ହୋଇ ଦିଉଡ଼ୁ ସାଓଁତା ବଘେଇ କଥା କହୁଥାଏ, ପିଓଟିର ମା’ କହିଦେଇଗଲା, ‘ନା ପିଓଟି ଆସି ନାହିଁ ।’ ଶଳ୍‍ପୁକନ୍ଧ ଆଶ୍ୱସ୍ତ ହେଲା, ମାଇପି ଘର ଆଗରେ ଅଚିହ୍ନା ଲୋକକୁ ବସେଇ ଗପ କରିବା ତାର ଶିଷ୍ଟାଚାର ଧାରଣାର ବିରୋଧୀ । କଥା କଥାକେ ଦିଉଡ଼ୁ ସାଓଁତା କଳିନେଲା, ଅନ୍ୟ ଲୋକଙ୍କ ଆଖିରେ ଏ ଘରର ତଉଲ କିପରି । ଏ ଗାଁରେ ଏତେଦିନ ରହିଲେ ବି ଝିଅଟା କଳିଂଦେଶର ରୀତିନୀତି ଷୋଳଅଣା ଛାଡ଼ି ପାରିନାହିଁ, ସବୁଥିରେ ଭଲ, କିନ୍ତୁ ଆପଣାର ବୋଲି ରକ୍ଷକ କେହି ନାହିଁ, ଗାଁରେ ଆସନ ନାହିଁ, ବିଦେଶର ପାଣି ଛାଡ଼ି ପାରିନାହିଁ ବୋଲି ବିଭାଘର ପ୍ରସ୍ତାବ ବି ଆସି ନାହିଁ । ବେଳକୁ ଦେଖି ଶଳ୍‍ପୁ ପଚାରିଲା, ‘ଆଜିକ ରହିଯିବୁ ତ ସାଓଁତା ?’

 

‘ହଁ, ବଘେଇ ବାଟ, ମୁଣ୍ଡେବେଳ ଟଳିଗଲେ ମେଘ ମାଡ଼ି ଆସିବ, ତେଣିକି ହଟହଟା ।’

 

‘ତେବେ ଆମରି ଘର ପିଣ୍ଡାରେ ବସା କର ସାଓଁତା, କିଛି ଅସୁବିଧା ନାହିଁ ।’ ଜୋକ ପରି ବୁଢ଼ାଟା ଲାଗି ରହିଛି, ତାର କୁଣିଆଁ ରଖିବା ସୁଆଗରେ ପଡ଼ି ବାଧ୍ୟହୋଇ ଦିଉଡ଼ୁକୁ ଯିବାକୁ ପଡ଼ିଲା । ଶଳ୍‍ପୁ ଗପୁଛି ତ ଗପୁଛି । ତହିଁରେ କନ୍ଧ-ପୃଥିବୀର ନାନା ପ୍ରକାର ସମାଲୋଚନା ।

 

‘ଫସଲ ତକ ଆଗରୁ ବିକିଦେଇ ଭଲ ବୁଦ୍ଧିଆ କାମ କଲ ନାହିଁ ସାଓଁତା-’

‘କ’ଣ ଆଉ କରିବା’, ଦିଉଡ଼ୁ କୈଫିୟତ୍ ଦେଲା, ‘ଟଙ୍କାର ବଡ଼ ଅଭାବ, ଫାରାଷ୍ଟି-’

 

‘ଫାରାଷ୍ଟି କ’ଣ ଆମ ଗାଁକୁ ଆସି ନ ଥିଲା ହେଲେ କ’ଣ ହେଲା, ଆମେ ସେ ଲୋଭ ସମ୍ଭାଳିଗଲୁ । ଥରେ ତାଙ୍କୁ ମୁହଁ ଦେଇଦେଲେ ଥରେ ବାଟ ବତେଇଦେଲେ ଆଉ କ’ଣ କାହାର ରକ୍ଷା ଅଛି ? ବାବା ଅଧିକାରୀ ତଳିଆ ଲୋକ ସେମାନେ, କୋଉ ଗୁଣେ ଆମେ ତାଙ୍କ ତୁଲେ ସରି ଯେ ତାଙ୍କୁ ପାରିବା ? ବଡ଼ ନାଲି ସଡ଼କ ଖୋଲି ଖୋଲିକା ଆସିଲାଣି ଲଚିଁପୁରା ଯାକେ, ଦେଖିବ ଏଥର କେତେ ଧାଡ଼ି ଦେବେ ଯେ-’ ଦିଉଡ଼ୁ କେବଳ ହସିଲା । କାନ ଦି’ଟା ଠିଆ ହୋଇଗଲା ଆପେ ଆପେ, ଦୂରରୁ ତାଷୀମାନେ ଗାଁକୁ ଫେରିବାର କୋଳାହଳ ଶୁଭୁଛି, ପାଖେଇ ଆସୁଛି, ଏଥର ସେମାନେ ଆସୁଥିବେ । ମୁହୂର୍ତ୍ତକେ ପୁଣି ପିଓଟି ମନେପଡ଼ିଲା, ପରିସ୍ଥିତିର ଜଟିଳତା ଭୁଲିଯାଇ ଆପଣା ଉଚ୍ଛ୍ୱାସରେ ତିଆରି ବିକୃତ ଜୀବନ ଦିଶିଲା ସରଳ ହୋଇ, କ’ଣ ତାର ଲାଜ ଡର ଅଛ, ସଫା ସଫା ସେ ଆସିଛି କନ୍ୟା ମାଙ୍ଗ୍‌ଣି କରି, କ୍ଷତି କ’ଣ ?

 

ଶଳ୍‍ପୁ ତାର ଧୋବଲା ଆଖିପତା ତଳେ ବାଙ୍କ ଚାହାଣିରେ ଲକ୍ଷ୍ୟ କରିନେଲା, ଟୋକା ତାର କଥାକୁ କାନ ଦେଉ ନାହିଁ । ତାର ମନ ଆଉଠିଁ । ବେଳକୁ ଅନେଇଁ ମୁଣ୍ଡ ହଲେଇ କହିଲା, ‘ଆଉ ଚଂ ଚଂ ହେଇ କ’ଣ ହେବ ସାଓଁତା, ବେଳ ଗଡ଼ିଗଲାଣି, ଆଜି ଘରକୁ ଲେଉଟିବା ଆଶା ଛାଡ଼ିଦେ ।’ ‘ଘରକୁ-’ ଅନ୍ୟମନସ୍କ ହୋଇ ଦିଉଡ଼ୁ ତୁଣ୍ଡରୁ ଖସିଗଲା । ଘର ନା ଶୁଣି ହସ ମାଡ଼ିଲା । ଶଳ୍‍ପୁ ବି ହସିଲା, କହିଲା, ‘ହଁ, ଏକ୍‌ଲ୍ଲା ଥିବ ଡୋକ୍ରୀ (ଭାରିଯା), କହିଦେଇ ଆସିଥିବୁ ମନକଲେ, ହେଇତ ବନ୍ଦିକାର, ଲୋଡ଼ା ତୁଟେଇ ଚାହୁଁ ଚାହୁଁ ଚାଲି ଆସିବି ନାହିଁକି, ଆଉଥରେ ଆସିଗଲା ଉତ୍ତାରୁ ଯିବାକୁ ବାଟ ବନ୍ଦ । ହଉ, ସେମିତି ତ ହୁଏ, ଦିନଟିଏ ହେଲେ ଡୋକ୍ରୀ (ଭାରିଯା) ଏକା ଚଳିପାରିବ ନାହିଁ ।’ ବୁଢ଼ାର ରସୁଆଳ ସାନ୍ତ୍ୱନାର କଥା ଦିଉଡ଼ୁର ଭଣ୍ଡାରିଜଳାରେ ଗଲା ।

 

ମନ ବହୁତ ବାଟ ବଳେଇ ଯାଇଛି, ଘର ମନେପଡ଼ିଲା ନାହିଁ ।

‘ଆରେ, ଦିଉଡ଼ୁ ?’ ‘ଆରେ ମିଣିଆପାୟୁ ସାଓଁତା କେତେବେଳେ ଆସିଛି ?’

 

‘ଓଡ଼େ ସୋଇ (ହେ ସାଙ୍ଗି), ଓଡ଼େ ସୋଇ (ହେ ସାଙ୍ଗି) ଦୁନିଆଁର ଖବର କ’ଣ ?’ ଲୋକେ ଘେରିଗଲେ । ବାର ଆଡ଼ୁ ବାର କଥା ପଡ଼ୁ ପଡ଼ୁ ଦିଉଡ଼ୁ ସାଓଁତା କେଉଁ ଉଦ୍ଦେଶ୍ୟରେ ଆସିଛି ଲୋକେ ଭୁଲିଗଲେ । ଶଳ୍‍ପୁର ପିଣ୍ଡାରେ ବସି ବସି କଥା ଗପିବା ସଙ୍ଗେ ସଙ୍ଗେ ଧୂଆଁ ଆଉ ମଦରେ ଅତିଥିର ସତ୍କାର ଆରମ୍ଭ ହେଲା । ଆଗ ଅତିଥି ସେବା, କେତେ ପଛରେ ଦରକାର କଥା । ଆହୁରି ଲୋକ ଆସୁଛନ୍ତି, ଗାଁର ପୁରୁଷ ଗାଁର ସ୍ତ୍ରୀ, ଆଡ଼ ଆଖିରେ ଦିଶୁଛି ପିଓଟି ଲୁଗା ଚୋବେଇ ଚୋବେଇ କଣେଇଁ କଣେଇଁ ଅନେଇଁ ତାର ଘର ପିଣ୍ଡାକୁ ତର ତର ହୋଇ ଚାଲିଗଲା । ଦେହରେ ଅନ୍ୟ କନ୍ଧୁଣୀଙ୍କ ପରି ଶୁଖିଲା ପତ୍ରର ତଲ୍ରା ତଲ୍ରି ଭିଡ଼ା ହୋଇଛି, କିନ୍ତୁ କି ଭଙ୍ଗୀ, କି ଛଟକ । ହାତରେ କୋଡ଼ି ଧରିଛି ସତ, କିନ୍ତୁ ତାର ଗୋଡ଼ରେ ହାତରେ ଅନ୍ୟମାନଙ୍କ ପରି କାଦୁଅ ଲାଗି ନାହିଁ, କେଉଁ ଝୋଲାରେ ଧୋଇ ଆସିଛି ନିଠେଇ ନିଠେଇ, ମୁଣ୍ଡର ଜୁଡ଼ା ସାଉଁଳା ସାଉଁଳି, ଯେପରିକି ସଦ୍ୟ ଗାଧୋଇ ପାଧୋଇ ବେଶ ହୋଇ ସେ ଫେରିଛି । ସେଇଠି ଦିଉଡ଼ୁର ମନ ଲାଖି ରହିଥାଏ, ସେହି ଦେହକୁ ଧ୍ୟାନକରି ଦ୍ୱିଗୁଣ ବେଗରେ ଛଳନାର ଆବରଣ ଗଢ଼ିବାକୁ ସେ ଚର୍ଚ୍ଚାରେ ମାତି ରହିଥାଏ । ଭେଟାଭେଟିର ପହଲି ଝଲକ ଚାଲିଗଲା, କାମ କରିବା ଲୋକେ ଗୋଟି ଗୋଟି ହୋଇ ଘରକୁ ଗଲେ । ଦିଉଡ଼ୁ ପାଇଁ ସିଧା ଆସିଲା, କାହା କାହା ଘରୁ ଭାତତୁଉଣ । ଶଳ୍‍ପୁକନ୍ଧ ଘରୁ ବାହାରି ପିଣ୍ଡାକୁ ଆସିଲା, ପଚାରିଲା, ‘କ’ଣ ଲୋଡ଼ା ଅଛି କହିଲୁ ନାହିଁତ, ଖାଇପିଇ ସାରି ଲୋକେ ତାଷକୁ ଚାଲିଯିବେ ଯେ ।’

 

ଦିଉଡ଼ୁ ପିଓଟି ଘର ପିଣ୍ଡାକୁ ଅନେଇଁ ଥିଲା, ଗହଳି ପାତଳ ହେବା ସଙ୍ଗେ ସେଠି ଆସି ପିଓଟି ଠିଆହେଲାଣି, ଓଦାଲୁଗା ଚୁପୁଡ଼ି ଶୁଖେଇବା, ଓଦା ତଲ୍ରା ତଲ୍ରି ଝାଡ଼ି ଝୁଡ଼ି ଟାଙ୍ଗିଦେବା, ପିଣ୍ଡା ଉପରେ ତାର ବହୁତ କାମ । ରୋଷେଇ କରିବା ବାହାନାରେ ମୁଗ୍‌ଧ ହୋଇ ସେହି ଆଡ଼କୁ ଦିଉଡ଼ୁ ଚାହିଁ ରହିଛି, ପିଓଟି ଭିଡ଼ିମୋଡ଼ି ହେଉଛି । ଶଳ୍‍ପୁକନ୍ଧ ଆହୁରି ଥରେ ପଚାରିଲା, ‘ବୁଝିଲୁ ନା ସାଓଁତା କ’ଣ ଲୋଡ଼ା ଅଛି କହିଲୁ ନାହିଁ ତ ।’

 

ଆପଣାକୁ ସମ୍ଭାଳିନେଇ ଫମ୍ପା ଗଳାରେ ଦିଉଡ଼ୁ କହିଲା, ‘ଲୋଡ଼ା କ’ଣ ଗୋଟିଏ ? କାହାକୁ କହିବି ? ହୋ’ ହୋଇ ତ ସମସ୍ତେ ଚାଲିଗଲେ ।’

 

‘ତୁ ବା ରାନ୍ଧୁଚୁ କାହିଁକି ସାଓଁତା, ହୋଇପାରେ ଆମ ଗାଁର ରନ୍ଧାଭାତ ତତେ ସୁଆଦ ଲାଗିବ ନାହିଁ, ଯାହାହେଉ, ଶରଧାରେ ଲୋକେ ଦେଇଛନ୍ତି, କଷ୍ଟ ପଛେ ହେଉ କାମ ଚଳେଇ ନେ, ରାନ୍ଧିଲେ କେଉଁ ଯୁଗରେ ସିଝିବ ? ସତ କଥା ।’

 

‘ତେବେ ତୁ ଖାଇବସ, ମୁଁ ପତ୍ର ଆଣିଦେଉଛି, ଦେଖେ କ’ଣ ଥିବ ମୋର କୁଡ଼ିଆରେ-’ ଶଳ୍‍ପୁ ତାର ଘର ଭିତରକୁ ଗଲା, ଦିଉଡ଼ୁ ଅନେଇଁ ରହିଲା ପିଓଟିକୁ । ଗୋଡ଼ ଲମ୍ବେଇ କାନ୍ଥକୁ ଆଉଜି ସେଠି ବସିଲାଣି । ଉଠିପଡ଼ିଲା, ପିଣ୍ଡା ଦାଢ଼କୁ ଆସିଲା । ଅନ୍ୟାନ୍ୟ ପିଣ୍ଡାରେ ବି ଲୋକ ଅଛନ୍ତି, ଖା’ ପିଆ ଲାଗିଛି, କାମ ଲାଗିଛି । ସେ ଗାଁର ଲୋକ ବୋଲି ମଝିରେ ମଝିରେ କେହି କେହି ଏ ଆଡ଼େ ଅନେଇଁ ବି ଦେଉଛନ୍ତି । ଚାଳକୁ ଦି ହାତରେ ଧରି ବଙ୍କା ହୋଇ ପିଣ୍ଡା ଦାଢ଼ରେ ପିଓଟି ଠିଆହୋଇ ଖାଲି ଅନେଇଛି । କେତେ କାହାଣୀ ସେ ଆଖିରେ, ଦୁନିଆରେ ମଝି ଦାଣ୍ଡ ଉପରେ ଲୋକ ଗହଳି ଆଗରେ କେବଳ ଚାହାଣିରେ ଗପ ସପ । ଶଳ୍‍ପୁ ପାଟି କରି କରି ଆସିଲା-। କହିଲା, ‘ମୁହଁ ହାତ ଧୋଇବୁ ନାହିଁ ?’

 

ବିରକ୍ତିକୁ ଲୁଚେଇ ରଖି ଆସ୍ୱାଭାବିକ ତତ୍ପରତା ଦେଖାଇ ଦିଉଡ଼ୁ ମୁହଁ ହାତ ଧୋଇ ଖାଇ ବସିଲା । ସେ ପିଣ୍ଡାରେ ମା’ ପଛେ ପଛେ ପିଓଟି ଘର ଭିତରକୁ ପଶିଯାଉଛି । ଦୁଆରମୁହଁ ପାଖେ ମୁହଁ ଲମ୍ବେଇ କେଉଁ କଥାରେ ସେ ହସି ଦେଇଗଲା, ଦିଉଡ଼ୁର ଖାଇବା ଆଗ୍ରହ କମି ଯାଉଥାଏ, ସେହି ଆଡ଼କୁ ସେ ଅନେଇଁ ଥାଏ । ଗୋଟାଏ ପିଣ୍ଡାରେ ପିଲାମାନେ ଭାତ ଖାଉ ଖାଉ ଦିଉଡ଼ୁ ଆଡ଼କୁ ଆଙ୍ଗୁଠି ଦେଖେଇ କ’ଣ କହୁଛନ୍ତି । ଶଳ୍‍ପୁକନ୍ଧ ବିଗିଡ଼ିଗଲା, କହିଲା, ‘ମୋରି ଭୁଲ, ବୁଢ଼ା ହେଲି ବୋଲି ଅକଲ କୁଆଡ଼େ ହଜିଯାଉଛି । ଗୋରୁଶାଳର ତାଟି ଖଣ୍ଡେ ଆଣି ବାନ୍ଧି ଦେଇଥିଲେ ବିଚରା ନିଶ୍ଚିନ୍ତରେ ମୁଠିଏ ଖାଇଥା’ନ୍ତୁ, ଦେଖୁନା ଦୁଷ୍ଟ ପିଲାଗୁଡ଼ାକ କେମିତି ଗୋଳମାଳ କରୁଛନ୍ତି’ ଶଳ୍‍ପୁର ତୋଡ଼ର ପିଲାମାନେ ତଳକୁ ମୁହଁପୋତି ବସିଲେ । ଭୁଟୁରୁ ଭୁଟୁରୁ ହୋଇ ସେମାନଙ୍କ ଉପରେ ଶଳ୍‍ପୁକନ୍ଧ ବିରକ୍ତ ହେଉଥାଏ । ଦିଉଡ଼ୁ ଦେଖିଲା, ପିଓଟିର ପିଣ୍ଡା ଖାଲି । ମଠେଇ ମଠେଇ ଖାଇ ଲାଗିଲା । ଶଳ୍‍ପୁର ମନ ଭୁଲେଇବା ପାଇଁ ତାର ଆସିବାର ଗୋଟାଏ ଉଦ୍ଦେଶ୍ୟ ବୁଝେଇ ଲାଗିଲା । ‘ଦି ହଳ ଭଲ ବଳଦ କେଉଁଠୁ ବାଛିବାକୁ ପଡ଼ିବ । ମୁଲେଇବା ତମ ଗାଁରେ ବହୁତ ଗୋରୁ ।’

 

ଆଗ୍ରହରେ ଶଳ୍‍ପୁକନ୍ଧ ଏ ଆଲୋଚନାରେ ଯୋଗ ଦେଲା, ହସି ହସି ଆରମ୍ଭ କଲା, ‘ଫସଲ ବିକା ପଇସା ଅଛି, ବଳଦ କାହିଁକି ନ ମିଳିବେ ?’ ଶଳ୍‍ପୁକନ୍ଧ ଭାବିଲା ଏଇଥିପାଇଁ ତା’ହେଲେ ବରଷା ପାଗରେ ଦିଉଡ଼ୁ ସାଓଁତା ଆଗମନ । ନିଜେ ନ ଆସି ଲୋକ ପଠେଇଥିଲେ ଚଳିଥା’ନ୍ତା । କିନ୍ତୁ ପିଲା ହୁସିଆର ଅଛି । ନିଜେ ଚାଲିଆସିଛି ଆଖିରେ ଦେଖି ଭାଉ ପଟେଇବା ସକାଶେ । ଚାଲାଖ୍ ଅଛି । ତେବେ କହନ୍ତି ମିଣିଆପାୟୁ ସାଓଁତା ବିଷୟବୁଦ୍ଧି ନାହିଁ ବୋଲି ? କିଏ କହୁଥିଲା ? ଲେଞ୍ଜୁକନ୍ଧ ଆସିଲାବେଳେ ଯେତେ କଥା କହିଥିଲା ଶଳ୍‍ପୁର ମନେପଡ଼ିଲା । ଅସନା କଥା । ସମାଜଦ୍ରୋହୀ କଥା । ଯାହା ବିଷୟରେ କହୁଥିଲା ସେହି ନିଜେ ବସି ଶଳ୍‍ପୁକନ୍ଧ ପିଣ୍ଡାରେ ଖାଇଲାଗିଛି ।

 

ଚିନ୍ତିତ ହୋଇ ଦିଉଡ଼ୁର ମୁହଁକୁ ଅନେଇଁ ଶଳ୍‍ପୁକନ୍ଧ ଭାବିଲା ।

ଶଳ୍‍ପୁକନ୍ଧ ବିଚାରୁଥାଏ, ଏହି ଗୋଟାଏ ବଳଦ କିଣା ପେଖେନାରେ ଓଷଦ ଧରିଛି ।

 

ଆହୁରି ତ କେତେ କଥା ଥିଲା, ଦୁଇ ଗାଁ ଭିତରେ ଜମି ଅଦଳ ବଦଳ, ସନ୍ଧି-ଗଛ ଖଜଣା ଦେବା ବିଷୟରେ ପରାମର୍ଶ । ପାଖ ପାଖ ହୋଇ ଯୋଡ଼ିଏ ଗାଁ ବସିଛି, ମନ୍ତ୍ରଣା କରିବାକୁ ଅନେକ କଥା ଅଛି ।

 

ଭାତ ଖାଉ ଖାଉ ପୁଣି ସେ ଘର ପିଣ୍ଡା, ତଥାପି ପିଓଟି ପଦାକୁ ଆସି ନାହିଁ ।

‘ଭାବି ଭାବି ଶଳ୍‍ପୁକନ୍ଧ ପଚାରିଲା, ସାଓଁତା, ମନକୁ ଧରିବୁ ନାହିଁତ, ପଚାରିବି-’

 

ଚମକି ପଡ଼ି ପିଓଟି ଘରଆଡ଼ୁ ଦୃଷ୍ଟି ଫେରେଇଆଣି ଫମ୍ପା ଗଳାରେ ଦିଉଡ଼ୁ କହିଲା, ‘କଣ୍ ?’

 

‘ସାଓଁତା, ବାପ କିଏ ଦାଦି କିଏ, ଲେଞ୍ଜୁବୁଢ଼ାକୁ କାହିଁକି ଗାଁରୁ ଖେଦି ଦେଲୁ, କାନ୍ଦି କାନ୍ଦି ମରୁଛି ।’

 

ଆଶ୍ୱସ୍ତ ହୋଇ ଦିଉଡ଼ୁ କହିଲା, ‘ଓଃ, ସେ କଥା-’

 

‘ଆମକୁ ଭାରି ଖରାପ ଲାଗିଲା ସାଓଁତା । ଆମେ ବୁଢ଼ାହଡ଼ା ଲୋକ, କାହିଁକି ବା ତୁମେ ଆମୁକୁ ପାସଙ୍ଗରେ ପକେଇବ, ତଥାପି, ସବୁ କଥାର ଗୋଟାଏ ସୀମା ଅଛି ।

 

‘ସତ କଥା ।’

‘ହେଲା କ’ଣ ?’

 

ଦିଉଡ଼ୁ ହସିଲା । କହିଲା, ‘ଆଗ ଯେଉଁ ଲୋକ ଭିକାରିପରି ତୁମ ପାଦ ତଳକୁ ଦଉଡ଼ିଆସି ତୁମ ଗାଁର ଶରଣିଆଁ ହୋଇସାରିଛି ତୁମେ ତା କଥା ବିଶ୍ୱାସ କରିବ କି ମୋ କଥା ବିଶ୍ୱାସ କରିବ ? ତୁମେ ତାକୁ ଆଶ୍ରା ଦେଲ, ତୁମ ଗାଁର ଜମି ଟିକିଏ ଦେଲ, ଭଲ ହେଲା, ତୁମ ଗାଁର ଗୋଟିଏ ରଇତ ବଢ଼ିଲା, ସେ ସବୁ କଥା ମୋ ସାଙ୍ଗେ ଆଲୋଚନା କଲେ କ’ଣ ତୁମ ମନ ଶାନ୍ତି ହେବ ? ତୁମେ ଆଗ ତୁମ ରଇତର ନ ହୋଇ କ’ଣ ମୋର ହେବ, ମୁଁ ତ ତୁମ ରଇତ ନୁହେଁ-’

 

ଶଳ୍‍ପୁର ଆଖି କୁହୁଳି ଲାଗିଲାଣି । ଦିହେଁ ଦିହିଁଙ୍କୁ ଅନେଇଁ ରହିଲେ, ଟିକିଏ ରହି ଦିଉଡ଼ୁ କହିଲା, ‘ଘରର କଥା ପର ସାଙ୍ଗେ ପଞ୍ଚାତି କରିହୁଏ କି, ତୁମେ କୁହ ତ ? ଠିକ୍ କହିଛ ବାପ ଯେ ଦାଦି ସେ । ସେତିକି ଅକଲ ତାଠିଁ ଯଦି ଥା’ନ୍ତା ସେ ତାର ପୁଅକୁ ଫୋପାଡ଼ି ଦେଇ ତାର ଘରକୁ ପିଠି ବୁଲେଇଦେଇ ଚୋରପରି ପଳେଇ ଆସିଥା’ନ୍ତା ? କାହିଁକି ଆସିଲା ? ଆପଣା ଗାଁରେ କ’ଣ ତାର ଅକ୍ତିଆର ନାହିଁ, ମୋର ବେଶୀ ଅକ୍ତିଆର ? ଏ ବାଟେ ଟିକିଏ ଭାବିଯାଅ ତୁମେ ହିଁ ତାର ଜବାବ୍ ପାଇବ । ଆପଣା ଗାଁରେ ତାର ମୁହଁ ଦେଖେଇବାକୁ ଜାଗା ନାହିଁ । ସେ ମୋର ଦାଦି, ସେ କୁକୁର ହେଲେ ବି ହାଟ ବଜାରରେ ତାର ଗଇ ଖୋଳିଲେ ମତେ ପାପ ଲାଗିବ । ସେ କାହିଁକି ଆସିଲା ସମସ୍ତଙ୍କ ଜାଣିବାଠୁଁ ତାକୁ ବେଶି ଜଣାଥିବ, ପର ଘରର କଥାରେ ଏତେ ପଟ ନେଇ ଆଲୋଚନା କରିବା ପୁରୁଖା କନ୍ଧକୁ ଶୋଭାପାଏ ନାହିଁ ଶଳ୍‍ପୁ ଦିସାରି ।’

 

ଶଳ୍‍ପୁର ମୁହଁ ବନ୍ଦ ହୋଇଗଲା ।

 

କେବେ କାହାଠୁଁ ଶୁଣିଥିଲା ସେ ଏକଥା,-ପୁରୁଣା କନ୍ଧ ପଞ୍ଚାଏତିରେ ଏହିପରି ନିଷ୍ପତ୍ତି ପୂର୍ବେ ଶୁଣା ହେଉଥିଲା । ଏପରି ମୁହଁଟାଣ ଠିକ୍ ଠିକ୍ କଥା ଠିକ୍ ଏହି ଗମ୍ଭୀର ଭଙ୍ଗୀର ଶୁଣାଳିକୁ ବକା କରିଦେଇ କହୁଥିଲା ଆଉ ଜଣେ । ଠିକ୍ ହେଉ ଭୁଲ ହେଉ ପରକୁ କାଇଲ୍ କରିଦେଇ ଜାଣେ-

 

ଆପଣା ମନର ଉତୁରି ଆସୁଥିବା ବିରକ୍ତିକୁ ଦବେଇ ରଖି ଶଳ୍‍ପୁକନ୍ଧ ଭାବିଲା, ବସିଲା, କୁଳବୃଦ୍ଧ ସରବୁ ସାଓଁତା ଠିକ୍ ଏହିପରି କହୁଥିଲା । ଏହିପରି ତାର ଯୁକ୍ତି, ଯେ ଯେତେ ବିରକ୍ତ ହୋଇ ମାଡ଼ି ଆସୁ ପଛେ ତାହାରି ପାଦପାଖେ ଅଟକି ରହିବାକୁ ବାଧ୍ୟ ।

 

ଏହା ଉତ୍ତାରୁ ଆଉ ତର୍କ ଚଳିବ ନାହିଁ । କଥା କହୁ କହୁ କେଉଁଠି ଟିକିଏ ଅଖାଡ଼ୁଆ ହୋଇ ବାଜିଗଲେ କନ୍ଧ ହୋଇଯିବ ଅରଣା ମଣିଷ । ଯୁକ୍ତି ଛିଣ୍ଡିଗଲେ ଯୁକ୍ତିର ଦଉଡ଼ି ଗଁଠେଇ ଗଁଠେଇ ନିଷ୍ପତ୍ତିକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଡ଼େଇ ଦେବାକୁ ସେ ଭଲ ପାଏ ନାହିଁ । ତେଣିକି ସେ ଭୟଙ୍କର ହେବ, ମରୁ ଅବା ମାରୁ ।

 

ଶଳ୍‍ପୁକନ୍ଧ ଦେଖିଲା, ଦିଉଡ଼ୁର ମୂର୍ତ୍ତି ଗମ୍ଭୀର । ଖିଆ ସରିଲାଣି । ଦିଉଡ଼ୁ ଉଠିପଡ଼ି ତରତର କରି ହାତ ଧୋଇ ଲାଗିଲା । କଥା କହିବାକୁ ତାର ପ୍ରବୃତ୍ତି ନାହିଁ ଆଦୌ ।

 

ମନେ ମନେ ସରବୁ, ଦିଉଡ଼ୁ ଓ ଲେଞ୍ଜୁ ଏ ତିନିଜଣଙ୍କୁ ପାଖକୁ ପାଖ ଥୋଇ ଶଳ୍‍ପୁ ତୁଳନା କରିଲାଗିଲା । ଲେଞ୍ଜୁଠିଁ ବି ସରବୁ ପଣ ଅଛି, ନ ହେଲେ ବନ୍ଦିକାର ବସ୍ତିରେ ରଇତ ହୋଇ ନ ରହି କାହିଁକି ସେ ପସନ୍ଦ କରନ୍ତା ବାଘ ଭାଲୁଙ୍କ ମଝିରେ ନିଛାଟିଆ କୁଡ଼ିଆ ଘରେ ବସା ବାନ୍ଧିବାକୁ ? ଦିଉଡ଼ୁ ସରବୁର ପୁଅ, ଏହି ଘଡ଼ିକ ଗୋଟାସୁଦ୍ଧା ସରବୁ ପାଲିଟିଯାଇ ଆଖି ଦେଖେଇଦେଇ ଶଳ୍‍ପୁ ପରି ଲୋକୁ ସେ ଆସନ ବୁଝେଇ ଦେଲା । ବାପର ପୁଅ ସତ, କିନ୍ତୁ ଏକାଳ ଆଉ ସେକାଳ ଭିତରେ ପାର୍ଥକ୍ୟ, ପ୍ରାଚୀନର ଆତ୍ମା ନବୀନର ମଞ୍ଜ ଭିତରେ ଅଛି କିନ୍ତୁ ନବୀନ ପ୍ରାଚୀନ ନୁହେଁ, କେତେ ତଫାତ୍ !

 

ଶଳ୍‍ପୁର ମନ ହେଲା ଏଥର ସେ ଉଠିଯିବ । କହିଲା, ‘ତୁ ଥା ସାଓଁତା, ମୁଁ କ୍ଷେତ ଦେଖି ଆସେଁ । ସକାଳେ ତ ଯାଇ ପାରି ନାହିଁ, ଏ ବେଳା ନ ଗଲେ ଆଉ ଚଳିବ କି ? ମୁଁ ଯାଏଁ ।’

 

ଶଳ୍‍ପୁ ଗଲା । ଦିଉଡ଼ୁ ଏକୁଟିଆ ବସିରହିଲା । ଛାଇ ଲେଉଟାଣି । ବର୍ଷା ନାହିଁ । ଖରା ହୋଇଛି । ଦ୍ୱିପ୍ରହର ବେଳର ବିଶ୍ରାମ ସାରି ପୁଣି ଗାଁର ଲୋକେ କ୍ଷେତକୁ ଚାଲିଲେ । ଦିଉଡ଼ୁ ଦେଖିଲା, ପିଓଟି ଆଉ ବାହାରିଲା ନାହିଁ, ଗାଁ ଛିନା ପଡ଼ିଗଲା, ପିଓଟି ସେ ଘରେ ରହିଛି ।

 

ବାଁରେଇ ହୋଇ ଗୋଟାଏ ଗୋଟାଏ ବଙ୍କା ଚାହାଣିରେ ଗାଁ ଦାଣ୍ଡର ଏମୁଣ୍ଡୁ ସେମୁଣ୍ଡ ଦେଖି ନେଉଥାଏ, ଦି ପାଖେ ଧାଡ଼ି ଧାଡ଼ିକିଆ ଲମ୍ବା ପିଣ୍ଡାରେ କିଏ ଗୋଟିଏ ଏକର ସେକର ହେଉଛନ୍ତି, ବାକି କେବଳ କୁକୁର, କୁକୁଡ଼ା । ସ୍ୱପ୍ନର ଆଦେଶରେ କାଲୁଆ ବରଷା ପାଗରେ ମିଣିଆପାୟୁରୁ ବନ୍ଦିକାର ପେଲିହୋଇ ଆସିଲାବେଳେ ସେ ଲୋକଲଜ୍ଜା କଥା ଭାବି ନ ଥିଲା, କିନ୍ତୁ କି ଦୁର୍ଯ୍ୟୋଗରେ ଶଳ୍‍ପୁ ବୁଢ଼ା ସଙ୍ଗେ ଦେଖା, କେତେ କଥା ସେ ଚେତେଇ ଦେଇଗଲା, ଅକାରଣରେ ମନ ଚୋର ଧରିଲା ।

 

ନିଶ୍ୱାସକୁ ତତେଇ ତତେଇ ଛାତିର ଧୁଡ଼ୁକି ବଜେଇ ବଜେଇ ପ୍ରତୀକ୍ଷା, କେବଳ ପ୍ରତୀକ୍ଷା । କେତେବେଳେ ଦେଖିଲା ପିଣ୍ଡା ଉପରକୁ ଲୋକ ଖାଲି ହେଲେ, କେବଳ କାହାର କାନ୍ଦୁରା ପିଲା ବକଟେ ସେମୁଣ୍ଡର ପିଣ୍ଡାରେ ବସି କାନ୍ଦୁଛି । ତର ତର ହୋଇ ଦିଉଡ଼ୁ ଉଠି ଦି ପାଖକୁ ଚାହିଁ ଚାହିଁ ପିଓଟିର ଘର ଭିତରକୁ ପଶିଯାଇ ସଁ ସଁ ହୋଇ କହିଲା-

 

‘ପିଓଟି, ମୁଁ ଆସିଛି ।’ ଢଳିପଡ଼ିଲା ପରି କାନ୍ଥକୁ ଆଉଜି ପିଓଟି ବସିଥିଲା, ଧଡ଼ପଡ଼ ହୋଇ ଉଠିପଡ଼ିଲା । କବାଟ କିଳିଦେଲା । ଦିଉଡ଼ୁ ଦେଖିଲା, ଘର ଭିତରେ ସେହି ପରିଚିତ ଅନ୍ଧାର, ସେହିପରି ଚିହ୍ନା ନିଆଁର ଧାସ ହସି ଲାଗିଛି ମୁରୁକି ମୁରୁକି, ଚକର ଭଉଁରୀରେ ମୁହୂର୍ତ୍ତେ ଫେରିଆସିଛି, ଜୀବନ ପୁଣି ପୂର୍ଣ୍ଣ, ପୁଣି ଅମୃତ ।

•••

 

ଛୟାନବେ

 

କେତେବେଳଯାକେ ଦୁଃଖସୁଖ ।

 

ସେହି ସେ ପିଓଟି, ତଳଦେଶର ଝିଅ, କେତେ ନର୍ସିଂରାଓ ସୋମାୟା ପେଣ୍ଟାନ୍ନାଙ୍କର ସ୍ମୃତି ତା’ଠିଁ ।

 

ସେଇ ଦିଉଡ଼ୁ ସାଓଁତା, କନ୍ଧଦେଶର ଧାଂଡୀମାନଙ୍କର ପାଦର ଅଳଙ୍କାର ହାତର ଅଳଙ୍କାରର ଝଣଝଣରେ ତାର କାନ ବଧିରା ହୋଇଛି । ପିଓଟିର ବ୍ୟକ୍ତିତ୍ୱରେ କେତେ କଚଡ଼ାର ଦରଜ, ଦିଉଡ଼ୁର ମଧ୍ୟ । ହାର୍ଗୁଣା କନ୍ଧ ପିଓଟିର ହେଲା ନାହିଁ, ସୋନାଦେଈ ଦିଉଡ଼ୁର ମୁଠାରୁ ଖସିଗଲା । ଆଉ ପୁୟୁ, କେତେପ୍ରକାରେ ମନ ଭୁଲେଇ କାହିଁ କେଉଁ ମିଟିଂ ଜଙ୍ଗଲରୁ ଯାହାକୁ ଦିଉଡ଼ୁ ଧରି ଆଣିଥିଲା, ସେ ବି ଦିଉଡ଼ୁର ଜୀବନର କେତେ ଭାଗ । ଦିଉଡ଼ୁ ଆଉ ପୁୟୁ, ଦି’ଟା ଦର୍ପଣ ପାଖକୁ ପାଖ କେତେ ଛାଇ ପଡ଼ିଥିଲା ସେଠି । ତାହାର ଆଜି ସତ୍ତା ବୁଡ଼ିଛି, କେବଳ ଏହି ଏତିକି ବେଳ ପାଇଁ ଦୁହେଁ ମୁକ୍ତ ନୂଆ ବନ୍ଧନ ବାନ୍ଧିବା ଲାଗି । ଜୀବନର କ୍ରମ ଇତିହାସର ବୁନିଆଦି ମନେ ନ ଥିଲା କାହାରି, ସମାଜ ଆଉ ଭଲ ମନ୍ଦ ସେଗୁଡ଼ାକ ଭୁଲା କଥା ଏତିକିବେଳେ । କବାଟ ବନ୍ଦ ହୋଇଛି, ବିଲୁଆଖୋପ ପରି ସାନ ଘରର ଚାଳ ସାନ ଘରର କାନ୍ଥ ସୀମାଦେଇ ଥୋଇ ଦେଇଛି କେବଳ ଏତିକି ପରିକ୍ରମା, ତେଣିକି ଯାହା ଥାଉ ଥାଇ ନ ଥିଲାପରି । ବେଳ ସ୍ମରଣ ନାହିଁ, ଛାଇ ବଢ଼ିଲାଣି, ଗାଁ ଲୋକେ କାମରୁ ଲେଉଟୁଥିବେ ପରା, କିଛି ମନେ ନାହିଁ ।

 

ପିଓଟିର ମା’ କ’ଣ ଘର ଭିତରେ କେଉଁଠି ଶୋଇପଡ଼ିଥିଲା, ସେ ଘରୁ ଡାକିଲା ‘ବେଳ ହେଲା ଝୋଲାକୁ ଯିବୁ ପରା ପିଓଟି !’ ଦିଉଡ଼ୁ କବାଟ ଖୋଲି ପଦାକୁ ଚାଲିଗଲା । ବାହାରେ ଖରା ନଇଁ ନଇଁ ମେଘ ଭିତରକୁ ଢଳି ପଡ଼ିଛି, ଗାଁରେ କେହି କେହି ଏପାଖ ସେପାଖ ହେଉଛନ୍ତି, ଭାବିବାକୁ ଅନେକ କଥା ବାକି । ବନ୍ଦିକାର ଗାଁ ବସ୍ତିରୁ ବାହାରି ଦିଉଡ଼ୁ ବିଲ ଆଡ଼କୁ ଚାଲିଲା । ଦୂରରୁ ଦିଶୁଛି, ଲୋକେ ଫେରୁଛନ୍ତି । ପେଖେନା କରି ଯାହାକୁ ପାରି ତାକୁ ଦିଉଡ଼ୁ ପଚାରି ବୁଝିଲା, ଭଲ ବଳଦ କାହାର ଅଛି ବିକିବାକୁ । ବିକିଲାଭଳି ବଳଦ ଗାଁ ଭିତରେ ପ୍ରାୟ ମିଳନ୍ତି ନାହିଁ, ନିତାନ୍ତ ନିଦରବୀ ନ ହେଲେ କେହି ବଳଦ ବିକେ ନାହିଁ । ନାହିଁ ପଦ ଶୁଣି ଦିଉଡ଼ୁ ନିରାଶ ହେଲା ନାହିଁ । ମିଛି ମିଛିକିଆ ବଳଦ ଖୋଜୁ ଖୋଜୁ ପ୍ରକୃତରେ ମନ ବଳିଲା ବଳଦ ହଳେ ଠାବ କଲେ ମନ୍ଦ ହୁଅନ୍ତା ନାହିଁ । ଶୋଭେନା କନ୍ଧ ଫେରୁଛି, ଆସୁଛନ୍ତି ଶଳ୍‍ପୁ, ହାର୍ଗୁଣା, ଗାଁ ବଡ଼ ରଇତମାନେ । ‘ବଳଦ କିଣିଲେ ଗୁଡ଼ିଆ (ତାଷଖାଲ) ଭିତରକୁ ଯାଇ ଗୋଠ ସବୁ ତଲାସିବାକୁ ପଡ଼ିବ ସାଓଁତା,’ ଶୋଭେନା ଉପଦେଶ ଦେଲା, ‘ଗାଁରେ ଗୋଟାଏ ଦି’ଟା ଦେଖିଲେ କ’ଣ ତୋର ମନକୁ ପାଇବ ?’ ସବୁଥିକି ଦିଉଡ଼ୁର ‘ସତ୍ ସତ୍ ହଁ ହଁ’ ତାର ଯେତେ ପାରି ସେତେ ଉପଦେଶ ଦରକାର, ଉପଦେଶ କାହାରି ଅନିଷ୍ଟ କରେ ନାହିଁ । ଉତ୍‌ସାହ ଦେଖାଇ ବଳଦର କେମିତି ଶିଙ୍ଘ, କେତେ ଦାନ୍ତ, କିପରି ଗଢ଼ଣ ଦରକାର ବଖାଣି ବଖାଣି ଦିଉଡ଼ୁ ଗାଁକୁ ଫେରିଲା, କଥା ହେଲା ସୂର୍ଯ୍ୟୋଦୟବେଳେ ସେ ଗୁଡ଼ିଆକୁ ଯିବ, ନିଜେ ଦେଖି ବାଛି ଆସିବ, କାଲିକା ପାଇଁ ଲମ୍ବା ନିର୍ଘଣ୍ଟ ।

 

ସଞ୍ଜବୁଡ଼େ ଶଳ୍‍ପୁକନ୍ଧର ପିଣ୍ଡାରେ ପଙ୍ଗତ ବସିଲା, ଗପସପ ହେବାକୁ ଲୋକ ଜମିଲେ-। ହାର୍ଗୁଣା ସାଓଁତା ବସି ପଡ଼ିଲା, ଦିଉଡ଼ୁର ଭଉଣୀ ପୁବୁଲି ଆଜି ବି ତାର ମନେପଡ଼ୁଛି, କିନ୍ତୁ ପଦାକୁ ସେପରି ଭାବନା ସେ ଦେଖେଇ ଦେବ ନାହିଁ । ଶଳ୍‍ପୁକନ୍ଧ ବସିଛି, ବୟସଗୁଣରେ ଲେଞ୍ଜୁବୁଢ଼ା ପ୍ରତି ତାର ସହଜ ସହାନୁଭୂତି, ଲେଞ୍ଜୁର ବର୍ଣ୍ଣନାଟା ସେ ଭୁଲି ପାରିନାହିଁ, କିନ୍ତୁ ସେକଥା ଆଉ ଉଠୁ ନାହିଁ ସେ ବି ଭଦ୍ର । ଲୋକେ ଜାଣନ୍ତି ମିଣିଆପାୟୁ ସରହଦ ଭିତରକୁ ବନ୍ଦିକାରର ଗୋରୁ ଚରିବାକୁ ଗଲେ କେତେ ଗୋରୁ କୁଆଡ଼େ ଗପି ଯାଆନ୍ତି ଆଉ ମିଳନ୍ତି ନାହିଁ, କିନ୍ତୁ ସେସବୁ ଅଭିଯୋଗ ଭଦ୍ର ଆଲୋଚନାରେ ପଡ଼େ ନାହିଁ । ଅତିଥି ସତ୍କାରରେ ତ୍ରୁଟି ନାହିଁ, ଶିକାର କଟା ହୋଇଛି, ମଦ ଧୁଙ୍ଗିଆ ଆସିଛି । ଗପୁ ଗପୁ କେତେ ଡେରି । ମାହାଳିଆ ଭାବର ଆଦାନପ୍ରଦାନ । କିଏ ଜଣେ ହାଇମାରି ଭିଡ଼ିମୋଡ଼ି ହୋଇ ଉଠିପଡ଼ିଲା, ହାର୍ଗୁଣା ପଦାକୁ ଅନେଇଁଲା, କହିଲା, ‘ଆରେ, ଏତେ ଡେରି ହୋଇଗଲା ତୁ ଖାଇ ନାହୁଁ ଯେ ।’ ହାର୍ଗୁଣା ଡାକିଲା, ‘ଚାଲ ମୋ ଘରେ ଶୋଇବୁ,’ ଦିଉଡ଼ୁ ଶଳ୍‍ପୁ ବୁଢ଼ାକୁ ଅନେଇଁଲା, ସଞ୍ଜ ବୁଡ଼ୁ ବୁଡ଼ୁ କେତେ ଯତ୍ନରେ ପିଣ୍ଡାରେ ବାଉଁଶତାଟି ଛେକିଦେଇ ଘର ପରି କରିଛି, ପୁଆଳ ଗଦେଇ ଅଖା ପାରିଦେଇଛି, ନିଆଁଟିକିଏ କରିଛି । ଦିଉଡ଼ୁ କହିଲା, ‘ନା ଏଇଠି ସୁବିଧା ହେବ ।’ ସଭା ଭାଙ୍ଗିଗଲା ।

 

ପିଓଟି ଘର ଆଗରେ ଘର ଭିତରୁ ଆଲୁଅ ଧାସ ପଡ଼ିଛି, ଦିଉଡ଼ୁ ଛକପକ ହେଉଥାଏ, ଶଳ୍‍ପୁକନ୍ଧ କ’ଣ ସବୁ କହୁଛି ତାର କାନରେ ବାଜୁ ନାହିଁ । ମୁହଁ ବୁଲେଇଲା । ଶଳ୍‍ପୁକନ୍ଧ କହୁଚି, ‘ଗାଁର ସାଓଁତା ହେଲେ କି ରାଜା ହେଲେ ବି କ’ଣ ହେଲା, ଯାହାର କୁଣିଆଁ ତାର ସିନା । କେମିତି ମୋ ଘରୁ ତତେ ଛିନିନେବାକୁ ବସିଥିଲା ହାର୍ଗୁଣା । ଏମିତି ଏ ଯୁଗ ଆସିଛି, ଟୋକାଗୁଡ଼ାକ ମାନମର୍ଯ୍ୟାଦା ଭୁଲି ଯାଉଛନ୍ତି । ମନା କରିଦେଲୁ, ଭଲ କଲୁ ସାଓଁତା ।’ ଦିଉଡ଼ୁ ପ୍ରତି ତାର ସମ୍ମାନ ବଢ଼ିଆସୁଛି ।

 

‘ମୁଁ ବି ତୋ ପାଖେ ଶୋଇବି, ବୁଝିଲୁ ସାଓଁତା ।’ ଦିଉଡ଼ୁ ଚମକି ପଡ଼ିଲା, କହିଲା, ‘ତୋର ତୁ ଯେମିତି ଯୋଉଠି ଶୋଉ ସେଇଠି ଶୋଇବୁ, ମୋର ତ କିଛି ଅସୁବିଧା ହେବ ନାହିଁ ।’

 

‘ୟା ଗୋଟାଏ କଥା ନା, କୁଣିଆଁକୁ ଏକୁଟିଆ ଫୋପାଡ଼ି ଦେବି ।’

 

ବିରକ୍ତ ହୋଇ କିଛି ଫଳ ନାହିଁ, ଦିଉଡ଼ୁ ଭାବିଲା ୟାର ପୁଣି କ’ଣ ଖିଆଲ ହୋଇଛି, ପୁରୁଣା ମର୍ଯ୍ୟାଦାର ଆଦର୍ଶ ଦେଖାଇବ । ଶଳ୍‍ପୁ ବୁଝେଇଲା ରାତିରେ କୁକୁର ଚୋରେଇ ଖାଇବାକୁ ବେଳେବେଳେ ଏ ଗାଁକୁ କଲରାପତରିଆ ବାଘ ଆସେ, ସେତେ ବଡ଼ ନୁହେଁ ସାନ ବାଘ-। ଦିଉଡ଼ୁ ସାନ୍ତ୍ୱନା ପାଇଲା, ରାତିରେ ଦାଣ୍ଡରେ ବୁଲିଲେ କୁକୁର ଗୋଳମାଳ କରିବା ଆଶଂକା ନାହିଁ-। ପିଣ୍ଡାରେ ଦୁହେଁ ଖିଆପିଆ କଲେ, ଦିଉଡ଼ୁର ବିଛଣା ପାଖରେ ଶଳ୍‍ପୁ ବି ତାର ବିଛଣା ସଜେଇଲା-। ଦାଣ୍ଡ ଉପରର ଗୋଟିଏ ଗୋଟିଏ ଘରୁ ଆଲୁଅର ଧାସ ନିଭି ନିଭି ଗଲା, କବାଟ ପଡ଼ିଲା, ଶଳ୍‍ପୁ ଶୋଇଲା, ଦିଉଡ଼ୁ ଶୋଇଲା ।

 

ଦିଉଡ଼ୁ ସାଓଁତା ଗାଲେଇ ପଡ଼ି ଖାଲି ଶଳ୍‍ପୁର ନିଶ୍ୱାସ ଶୁଣୁଥାଏ, ତୀକ୍ଷ୍ମ ମନୋନିବେଶ କରିଥାଏ । ଗୋଟାଏ ବୁଢ଼ାଲୋକ ବିଷୟରେ ଏତେ ନିଘା କରି ଏତେ ସମୟ ଭାବି ରହିବା ଏଇ ତାର ପ୍ରଥମ । ଜୋକପରି ଲାଗି ରହିଥିଲା ବସିଲାଠୁଁ ଯେ ସତେ ସତେ ଶୋଇଲା ପର୍ଯ୍ୟନ୍ତ । ବେଳୁ ବେଳ ତାର ନିଶ୍ୱାସ ହେଲାଣି ଘୁଙ୍ଗୁଡ଼ି । ଚାରିଆଡ଼ ନିଶବଦ ପଡ଼ି ଆସୁଛି, କବାଟ ପଡ଼ିବାର ଶବ୍ଦ ବି ଆଉ ଶୁଭୁ ନାହିଁ । କେଉଁଠୁ ଗୋଟିଗୋଟିକିଆ କୁକୁର ଡରି ଡରି ବୋବୋଉଛନ୍ତି, ରାତିର କୁକ୍ରୀ ଚଢ଼େଇ ଘଡ଼ିକେ ପହରକେ ଦୂରରୁ କାନ୍ଦୁଛି । ଦିଉଡ଼ୁ ଥରେ ଉଠି ଠିଆହେଲା, ପୁଆଳ ଖସ ଖସ ଡାକିଲା, ଶଳ୍‍ପୁ ବୁଢ଼ାର ଘୁଙ୍ଗୁଡ଼ିର ତାଳ ବିଗିଡ଼ିଗଲା, ଗୋଟାଏ ଗୋଟାଏ ଘୁଙ୍ଗୁଡ଼ି ଜାଗାରେ ଫଁ ଫଁ ଦୀର୍ଘଶ୍ୱାସ । ମନେ ମନେ ତାକୁ ଗଣ୍ଡାପଟ୍‌କାର ବୋଲି ଗାଳିଦେଇ ଦିଉଡ଼ୁ ପୁଣି ଶୋଇପଡ଼ିଲା, ଏ ଲୋକର ନିଦ ପତଳା କି ବହଳ ସେ ଜାଣେ ନାହିଁ । ଆଶଙ୍କାରେ ସମୟ ଚାଲିଯାଉଛି ।

 

ବିଲୁଆ ବୋବେଇଲେ । କିଛି ସମୟ ପରେ ଜହ୍ନଆଲୁଅ ପଡ଼ିଲା, ଶଳ୍‍ପୁକୁ ଧ୍ୟାନକରି ଯିବି କି ନ ଯିବି ଭାବି ଭାବି ଦିଉଡ଼ୁ ଛଟପଟ ହେଉଥାଏ, ହୋସ୍ ଆସିଲା, କେଡ଼େ ଓଲୁ ସେ, ଶଳ୍‍ପୁର ଯଦିବା ନିଦ ଭାଙ୍ଗିବ କହିଦେଇ ହେବ ନାହିଁ ସେ ପଦାକୁ ଯାଇଥିଲା ବୋଲି । ବାଧାପାଇ ଉତ୍କଣ୍ଠାରେ ପଡ଼ି ଅତି ସାଧାରଣ କଥାଗୁଡ଼ାକ ବି ଭୁଲିହୋଇ ଯାଉଛି । ଜାଣି ଜାଣି ପୁଆଳ ଖସଖସ କରି ଦୁମୁଦୁମୁ ହୋଇ ଦିଉଡ଼ୁ ପଦାକୁ ଗଲା । ଶଳ୍‍ପୁକୁ ନିଘୋଡ଼ ନିଦ, ଘୁଙ୍ଗୁଡ଼ି ସମାନ ତାଳରେ । ଦୁଆରେ ଠିଆହୋଇ ଚାରିଆଡ଼କୁ ନିଘା କଲା । କେହି କୁଆଡ଼େ ଦିଶୁ ନାହିଁ । ପାଣିଚିଆ ଜହ୍ନଆଲୁଅ ସଙ୍ଗେ ସଙ୍ଗେ କଳାବଉଦର ଛାଇ ପଡ଼ିଛ, ଘରସବୁ ଭୂତ୍‌ଖାନା ପରି ।

 

ପିଓଟିର କୁଢ଼ିଆକୁ ଅନେଇ ଛାତି ଦମ୍ ଦମ୍ ହେଲା । ବାଉଳା ହୋଇ ନିଦରେ ଚାଲିଲାପରି ଦିଉଡ଼ୁ ଚାଲିଗଲା, କବାଟ ଖୋଲା ଅଛି ।

 

‘ପିଓଟି-’

 

‘ପିଓଟି ଶୋଇଲାଣି, ଆସ,’ ଦିଉଡ଼ୁ ଚମକିଲା । ଅନ୍ଧାରରେ ତୁନି ତୁନି କହୁଛି ନିଦୁଆ, କାହାର ଏ ସ୍ୱର । ବୁଲିପଡ଼ି ଦୁଆରମୁହଁ କତିକି ଫେରି ଆସୁଥିଲା, ପୁଣି, ‘ରହ, କାହିଁକି ଚାଲିଯାଉଛ-?’

 

ଶୀତ କରି ଆସୁଥାଏ । ଛାତି ଥଣ୍ଡା । ପଦାରେ ଏ କେଡ଼େ ଶୂନ୍‌ଶାନ୍ । ପୁଣି ସେହି ସ୍ୱର, କାନ୍ଥରୁ କି ଚାଳରୁ, କିଏ କହୁଛି ? ମନ କଥାର ଜବାବ୍ ଆସିଲା, ‘ମୁଁ ପିଓଟିର ମା’, ରହ ନିଆଁ ଫୁଙ୍କି ଦିଏଁ ।’

 

ଦିଉଡ଼ୁ ଶାନ୍ତ ହେଲା । ପୁଣି ଚାହୁଁ ଚାହୁଁ ସବୁଯାକ ଲାଜ ମାଡ଼ିଆସିଲା ତାକୁ, ଡର ହେଲା ବୁଢ଼ୀ କ’ଣ କହିବ ? ଚୁଲି ଫୁଙ୍କି ଫୁଙ୍କି ବୁଢ଼ୀ ନିଆଁ ଜାଳିଲା । ଆଦେଶ ଦେଲା, ‘କବାଟ ଆଉଜେଇ ଦିଅ, ବସ ।’

 

ଦିଶୁଥାଏ ଚୁଲିପାଖେ ପିଓଟି ଶୋଇଛି । ବାରମ୍ବାର ଆଖି ନିଆଁ ଆଡ଼କୁ ଖେଳି ଯାଉଥାଏ । ବୁଢ଼ୀ ମୁଣ୍ଡରେ ଓଢ଼ଣା ପକେଇ ଠିଆହୋଇ ରହିଛି, କିଛି କହୁ ନାହିଁ, ପଚାରିବାକୁ ଦିଉଡ଼ୁକୁ କଥା ଆସୁ ନାହିଁ । କେତେବେଳ ପରେ, ଯୁଗେ ପରି ଲାଗୁଥାଏ, ବୁଢ଼ୀ କହିଲା, ‘ତୁମର ଛୁଆପିଲା କେଇଟି ?’

 

ଦିଉଡ଼ୁ ଜବାବ୍ ଦେଲା ।

 

ବୁଢ଼ୀ କହିଲା, ‘ତୁମ ସାଙ୍ଗରେ ଯିବବୋଲି ମୋର ଝିଅ ନାଚୁଛି, ତୁମେ କ’ଣ ତାକୁ ବିଭାହେବ ?’

 

ମୁଣ୍ଡ ହଲେଇ ଦିଉଡ଼ୁ ବୁଝେଇଲା, ହଁ ।

 

‘ଏତିକି ମୋର ସବୁ । ମାଇକିନିଆ ଝିଅ, ନିଆଁ ପରି । ତୁମର ପୁଣି ଗୋଟାଏ ଭାରିଯା ଅଛି’ ଦିଉଡ଼ୁକୁ ଅଡ଼ୁଆ ଲାଗୁଥାଏ ‘ସବୁ ତୁଲେଇ ପାରିବ ତ ?’

 

ଦିଉଡ଼ୁ ମୁଣ୍ଡ ହଲେଇଲା ।

‘ଦେଖ ହୁସିଆର, ମୋ ଝୁଅ ଦହଗଞ୍ଜ ହେବ ନାହିଁତ ?’

ଦୃଢ଼ଭାବେ ଦିଉଡ଼ୁ କହିଲା, ‘କଦାପି ନୁହେଁ ।’

 

ତୁମେ ମତେ କଥା ଦେଉଛ, ଏଇ ନିଆଁ ସାକ୍ଷୀ ରହିଲା । ନ ହେଲେ ଏ ବୁଢ଼ୀଟାର ଅଶ୍ରୁ ତମରି ଉପରେ ପଡ଼ିବ, ତୁମେ ଜାଣ ।’ କହିଦେଇ ପିଓଟିର ମା’ କ’ଣଘରକୁ ଚାଲିଗଲା ।

 

ଦିଉଡ଼ୁ କାବାହୋଇ ରହିଲା, ଚଙ୍କି ପାରିଲା ନାହିଁ । ଏ କ’ଣ ଶୁଣୁଛି, ଏ କ’ଣ ଦେଖୁଛି । ନିଆଁ ନିଭି ନିଭି ଆସିଲାଣି, ଚୁଲିପାଖେ ନିଘୋଡ଼ ନିଦରେ ପିଓଟି ଶୋଇଛି, କ’ଣଘରୁ ଅନ୍ଧାର ଭିତରୁ ବୁଢ଼ୀଟାର କାନ୍ଦଣା ଶୁଭୁଛି, କେତେ କାନ୍ଦୁଛି ପିଓଟିର ମା’, ମୌନହୋଇ ସେହି ଦୃଶ୍ୟକୁ ଦିଉଡ଼ୁ କଳ୍ପନା କରି ନେଉଥାଏ,....ଛାଇପରି ବୁଢ଼ୀଟାଏ । କେବେ ଦିନେ ଆସି ଠିଆ ହୋଇନାହିଁ ତାର ଆଉ ପିଓଟିର ମଝିରେ, ଆକଟ କରି ନାହିଁ, କେହି ନୋହିଲା ପରି ଜାଣି କି ନ ଜାଣି ଆଡ଼େଇ ହୋଇ ଚଳିଛି ସୁଅ ତୋଡ଼ରୁ । କ’ଣ ଘୋଟିଛି ତାକୁ ଆଜି । ଅନ୍ଧାରି କାନ୍ଦଣାରେ କାନ୍ଦଣାରେ ତାର ଆତ୍ମ ନିବେଦନ । ରାତି ଆସି କେତେ ହେଲାଣି, ମୂଷାଟିଏ ଖୁଡ଼୍‌କିନା ନାହିଁ, ୟା ଆଖିକି ନିଦ ନାହିଁ ଯେ ଆସିବ ବୋଲି ଛକି ବସିଥିଲା ।

 

ମୁଣ୍ଡ ଭ୍ରମିଗଲା । ମୋହର ଜାଲ ହୁଗୁଳା ହୋଇଯାଇ ଫିଟି ଆସିଲା, ଆତ୍ମରକ୍ଷାମୂଳକ କର୍ତ୍ତବ୍ୟର ଚିନ୍ତା ଭାବିବସିଲା, ସତେ ତ ଦୁନିଆଁରେ ହାଉ ହାଉ ଲାଗିବ । ଛାତିରେ ବଜ୍ରପାହାର ଖାଇ ପୁୟୁ ବି ଛାଡ଼ିଦେଇ ଚାଲିଯିବ । ସେଘରୁ ବୁଢ଼ୀର କଇଁ ଉଠି ଲାଗିଛି । ମୁଣ୍ଡ ଭିତରେ ଏ ଝିମିଝିମି କାହିଁକି । କେମିତି ଚାରିଆଡ଼ୁ କେବଳ କାନ୍ଦଣାର ପ୍ରତିଧ୍ୱନି । ପୁୟୁ ଚାଲିଯାଉଛି, କ’ଣ ତାର ଅପରାଧ ? ଯେତେ ଦବେଇଲେ ଛାତିର କେଉଁଠି ଫମ୍ପା ହୋଇ ଅରାଏ ରହିଯାଉଛି, ଖାଲି ଧକ୍ ଧକ୍ କରୁଛି । ଚାରିଆଡ଼ କାନ୍ଦୁରା ଆଉ ଓଦା, କେବଳ ନୈରାଶ୍ୟ । ତୋଫାନ ଉଠିଲା ପରା, ଦୂର ବଣର ଶଙ୍ଖି ମୋଡ଼ିଦେଇ ବିକଳ କାନ୍ଦଣା ଉଠେଇ ଶୀତୁଆ ପବନ । ଅନ୍ଧାର, ଅନ୍ଧାର ସବୁ ଲୋପ ହୋଇଯାଇଛି । ଗୋଟାଏ ଜୀବନର ସବୁ ଅନୁଭୂତି ଚୁପୁଡ଼ିନେଇ ଝାଡ଼ିଝୁଡ଼ି ନେଇ ପୁୟୁ ଚାଲିଯାଉଛି । ହାକିନା ନିର୍ଦ୍ଦୋଷ ଅବୋଧ ପିଲା, କୁଳର ସାନ ବତୀଟି ସେ ବି ଯିବ ମଧ୍ୟ । ଭାବୁ ଭାବୁ ରାହା ମିଳୁ ନାହିଁ । ବୁଢ଼ୀଟା କାନ୍ଦୁଛି । ମନ ସାନ୍ତ୍ୱନା ଘେନୁ ନାହିଁ, ସେ ଭୁଲ କରିଛି, ଭୁଲ କରିଛି ।

 

ବେଳ ଜଣାପଡ଼ୁ ନାହିଁ । କେତେବେଳୁ ସବୁ ତୁନି ପଡ଼ିଗଲାଣି । ଦିଉଡ଼ୁର ହୋସ୍ ହେଲା-। ବୁଢ଼ୀର ସୋର ଶବଦ ନାହିଁ । ଚେଇଁଉଠି ଦିଉଡ଼ୁ କବାଟ ଖୋଲି ପଦାକୁ ଆସିଲା । ପିଣ୍ଡା ଉପରେ ଛାଇରେ ଯାଇ ବସିଲା । ସବୁ ନିଶ୍ଚଳ । ଭାରି ଥଣ୍ଡା । ଦାଣ୍ଡଦୁଆରେ କାବ୍ କାବ୍ରିଆ ଜହ୍ନ ଆଲୁଅ ଦଲଦଲିଆ ମାଟି ଉପରେ । ଆପଣାକୁ ଅନ୍ଧାରରେ ଛପେଇଦେଇ ଆଲୁଅକୁ ଚାହିଁ ସାତପାଞ୍ଚଟି ହେବାକୁ ଭାବନା, ଗୋଟାକ ପରେ ଗୋଟାଏ । ଆସ୍ତେ ଆସ୍ତେ ପୁଣି ଦେହ ଉଷୁମେଇଁ ଆସିଲା, ପୁଣି ନିଶାର ଝଡ଼ି ଝଡ଼ି ଗଦା ହୋଇପଡ଼ିଲା ନୁଆଁଣିଆ ଅନ୍ଧାରୁଆ ଓଳି ତଳକୁ । ଚାଉଁଚାଉଁଆ ଶୀତଳ ରାତି । ଜହ୍ନ ଆଉ ବଉଦର ନିଶବଦ କିମିଆଁ । ଦୁଆରମୁହଁ ମେଲା ଅଛି । ଭିତରେ ଶୋଇଛି ପିଓଟି ।

 

ଦିଉଡ଼ୁ ଉଠି ବୁଲାଚଲା କଲା । କେତେଥର ଦୁଆର ମୁହଁକୁ ଯାଇ ଚୋରେଇ ଚୋରେଇ ଅନୋଉ ଅନୋଉ ଟିପେଇ ଟିପେଇ ଆପଣାଭୁଲା ହୋଇ ଘରଭିତରକୁ ସେ ମୋହିଁଗଲା । ଚୁଲି ପାଖ ଅଳ୍ପ ହାଲୋଳ ହୋଇଛି, ପିଓଟି ଶୋଇଛି, କତିରେ କତିରେ ନିଆଁଧାସ । ପିଓଟି ନିଦଭୋଳରେ ଭିଡ଼ିମୋଡ଼ି ହେଲା । ଟାଣିହୋଇ ଚାଲିଲା ଦିଉଡ଼ୁ । ଚୁଲି ଫୁଙ୍କିବାକୁ ଯାଇ ପିଓଟିର କାନ ପାଖେ ଥିରିଥିରି ଫୁଙ୍କି ଲାଗିଲା । ‘ପିଓଟି ଉଠ୍’ । ବାରମ୍ବାର ହଲେଇଲା । ଯାଃ ସବୁ ଦୁର୍ବଳତା ଉଡ଼ି ଚାଲିଗଲା, ଏତେବାଟ ଆଗେଇ ଆସି କାହିଁକି ବକା ହୋଇ ଅପେକ୍ଷା କରିଥିଲା ସେ । ‘ଉଠ୍ ଉଠ୍ ପିଓଟି’ ।

 

ନିଦ ଭୋଳରେ ତେଲୁଗୁ ଭାଷାରେ ପିଓଟି ଗେହ୍ଲେଇ ଗେହ୍ଲେଇ ବିଳିବିଳେଇଲା ‘ଏଉଁରୋ’ (କିଏ) ତାର ସ୍ୱପ୍ନର ସେହି ତଳଦେଶ । ଗହୀର ନିଛାଟିଆ ପୋଖରୀ ହୁଡ଼ାରେ ଗୋଟାଗୋଟା ହୋଇ ଡେଙ୍ଗା ନଡ଼ିଆଗଛ ଠିଆ ହୋଇଛି, ବାହୁଙ୍ଗାରେ ଜହ୍ନଆଲୁଅ ଲାଗିଛି । ପବନ ଧରିଛି; ଗଛ ଦୋହଲି ଲାଗିଛି, ଆସ୍ତେ ଆସ୍ତେ ।

 

ବୁଢ଼ା ଦେହ, ହଜମ ହୁଏ ନାହିଁ, ଶଳ୍‍ପୁକନ୍ଧ ପିଣ୍ଡାରେ ଶୋଇଥାଏ । ଘୁଙ୍ଗୁଡ଼ି ମାରୁ ମାରୁ ତଣ୍ଟିରେ ଅଟକିଯାଇ ନାନା ବିଚିତ୍ର ଶବ୍ଦ କରି ଫେରିଆସେ । ଦଦରା ଦେହ ଭିତରେ ଘୁମୁରି ଘୁମୁରି ସ୍ୱପ୍ନ ବାଟେ ମନ ସୁଖ ପାଏ ।

 

ସ୍ୱପ୍ନ ଦେଖୁଥାଏ ଚେଇଁଲା ବେଳର ଶେଷ କଥା । ବେଳ ବୁଡ଼ି ଆସୁଛି । ପର୍ବତ ଉପରୁ ଚେପା ଖାଲ ଭିତରକୁ ମାଡ଼ି ଆସୁଛନ୍ତି । ଗୋରୁପଲ ଟାଙ୍ଗର ଉପରେ । ଠାଏ ଉଞ୍ଚ ଜାଗା ଦେଖି ସେ ଆଉ ଦିଉଡ଼ୁ ସାଓଁତା ଗୋରୁ ବାଛୁଛନ୍ତି ପଲକୁ ପଲ, କସରା ବଳଦ, ପାଉଁଶିଆ ବଳଦ, ଅନ୍ୟ ରଙ୍ଗ ଦିଶୁ ନାହିଁ । ଡାକିଲେ ଶୁଣୁ ନାହାନ୍ତି; ଅଟକେଇଲେ ଅଟକୁ ନାହାନ୍ତି । ଭୂଷାଭୂଷା ପେଲା ପେଲି ହୋଇ ଦଉଡ଼ି ଦଉଡ଼ି ଚାଲିଛନ୍ତି ପଲକୁ ପଲ, ଗୋରୁ ଧାର ଲମ୍ବି ରହିଛି । କେମିତି କେମିତି ହୋଇ ବୁଢ଼ାର କାଶ ଉଠିଲା, ଟିକିଏ ଶୀତକଲା । ନିଦ ଭାଙ୍ଗିଯାଇ ଶଳ୍‍ପୁ କନ୍ଧ ଦେଖିଲା ଦିଉଡ଼ୁ ନାହିଁ । ବସିପଡ଼ି ମନ ଇଚ୍ଛା କାଶି ଲାଗିଲା । ନିସ୍ତେଜ ଲାଗିଲା, ପୁଣି ଶୋଇପଡ଼ିଲା, ଭାବିଲା ଦିଉଡ଼ୁ ପଦାକୁ ଯାଇଥିବ ଆସିବ ଯେ । ନିଦ ହୋଇଗଲା ।

 

ସେ ଘରେ ଦିଉଡ଼ୁ ଚେତାଥାଏ, ପିଓଟି ଚେତାଥାଏ । ଘରେ ବୁଢ଼ାର କାଶ ଶୁଣି ଦିଉଡ଼ୁ ଉଠିଲା, କହିଲା, ‘ମୁଁ ଯାଏଁ ଦେଖିଆସେଁ । ଦିଉଡ଼ୁକୁ ରହିବାକୁ ହାତ ଦେଖାଇ ପିଓଟି ଆଗ ବଳିପଡ଼ି କବାଟ ପାଖକୁ ଗଲା । ଧୀରେ ଧୀରେ କବାଟ ଖୋଲି ପଦାକୁ ଚାଲିଗଲା । ଆଜି ରାତିକ ମୋଟେ, ଦିଉଡ଼ୁ ଭାବୁଥାଏ, ଆଜି ରାତିକି ଖାଲି ପର ଗାଁରେ ତାକୁ ଚୋରପରି ଚଳିବାକୁ ହେବ, କାଲିକି ଆଉ ଏ ଆଶଙ୍କା ନ ଥିବ । ପିଓଟିଠୁଁ ଖବର ବୁଝିବାକୁ ଅପେକ୍ଷାରେ ଚାଉଁ ଚାଉଁ ଲାଗୁଛି; ଆଉ କିଛି ଶୁଭୁ ନାହିଁ । ଘର ଭିତରେ ଅନ୍ଧାର କେମିତି ଘୂରିଲାଗିଛି; ଛାତିରୁ ଧୁକଧୁକି ମଝିରେ ଅଟକି ଯାଇ ପଡ଼ୁଛି ଧଡ଼୍‌ ଧଡ଼୍ । ଯୁଗ ପରି ଲାଗିଛି । ପିଓଟି ଫେରି ଆସିଲା । କହିଲା ବୁଢ଼ା ଶୋଇଧୋଇ ଘୁଙ୍ଗୁଡ଼ି ମାରୁଛି । ପଦାକୁ ଭରସି ଯିବାକୁ ମନ ବଳିଲା ନାହିଁ । ପଚାରିଲା, ‘ରାତି କେତେ ହେଲାଣି ପିଓଟି ? ପିଓଟି ପଦାକୁ ଗଲା । ଫେରିଆସି କହିଲା, ‘କୁଆଁତରା ଉଠିଲାଣି ।’ ଏହି ବେଳ ପାଖେଇ ଆସିଲା । ଏଣିକି ଖାଲି ତରତର ହୋଇ କଥାଭାଷା । ପିଓଟି ମତଦେଇଛି । ଗୋଡ଼ ଟେକି ବସିଛି । ଏତେ ଦିନକେ ଓଳି ଘେନି କୋଳି ମିଳିଛି, ତଥାପି ଲୋକଦେଖାଣିଆକୁ କେତେ ସର୍ତ୍ତ ତାର । ପରର ସ୍ୱାର୍ଥ ଭାଙ୍ଗି ଉଡ଼େଇ ଦେବାକୁ ଯାହାକୁ ଲାଗେ ନଖ ଅଗରେ କାଠି ଖଣ୍ଡେ ଭାଙ୍ଗିଲାପରି, ତର ସହେ ନାହିଁ, ମାୟା ହୁଏ ନାହିଁ, ଆପଣାର ନିଖଠୁଁ ପର୍ବତ ପରିମାଣ ପର୍ଯ୍ୟନ୍ତ ତାର ସବୁ ସ୍ୱାର୍ଥ ସେ ନିକୁଟି ନିକୁଟି ସଜେଇ ସଜେଇ ଠୁଳ କରେ, ତହିଁରେ ସରୁ ଆଞ୍ଚୁଡ଼ାଟିଏ ମଧ୍ୟ ସେ ସହିପାରେ ନାହିଁ, ସବୁ ଠିକଣା ରଖିବାପାଇଁ ଖୋଜେ ପ୍ରତିଶ୍ରୁତି । ବାରମ୍ବାର ଦିଉଡ଼ୁକୁ ପଚାରେ, ‘ରାଜିତ ?’ ବାରମ୍ବାର ତାର ହାତକୁ ଦାବି ଧରି ଦିଉଡ଼ୁ କହେ, ‘ରାଜି’ । ତା ମୁହଁରୁ ଶପଥର ସୁଅ ବୋହିଯାଏ, କାନ ଡେରି କ’ଣଘରୁ ଶୁଭୁଥାଏ ପିଓଟିର ମା’ ପାଂଣିଆଣୀ, କାନ୍ଦୁଥାଏ ଯୋଡ଼ର ଟାଣ କେତେ ।

 

କାହା ଗୁହାଳରୁ ଗୋରୁ ହମାରଡ଼ି ଦେଲା । ପିଓଟି ମନକୁ ମନ କହିଲା, ‘ୟେ ମା’ କେତେ ଚଞ୍ଚଳ ବେଳ ଚାଲିଯାଉଛି ଦେଖତ ।’ ଦିଉଡ଼ୁ କିଛି କହିଲା ନାହିଁ । ସେତିକିବେଳେ କ’ଣଘରୁ ପିଓଟିର ମା’ ପଦାକୁ ବାହାରିଲା । କହିଲା, ‘ପିଓଟି, ଶୀତ କରିବ ଆଉ ଘୋରି ହୋଇପଡ଼ ।’ ପିଓଟି ଉଠି ଚାଲିଗଲା । କିଛି ସମୟ ପରେ ଘୋରିପୁରି ହୋଇ ପିଓଟି ଆଉ ତା ମା’ ବାହାରି ପଡ଼ିଲେ । ଥଟ୍ଟାକରି ପିଓଟି ପଚାରିଲା କାଲିକି ଯାଇ ଆଜିକ ହେଲାଣି, ଆମ ଗାଁ ଭାତ ପାଟିରେ ଲାଗିଗଲା, ଏଉଠି ଘରଯୋଇଁଆ ରହିବ କି ? ଦିଉଡ଼ୁ ପଚାରିଲା, ‘ଯିବା ?’

 

‘ତମର ଇଚ୍ଛା,’ ପିଓଟି ହସୁଥାଏ । ତାର ତଳଦେଶର ଭଙ୍ଗୀ ଦିଉଡ଼ୁ ବୁଝିପାରିଲା ନାହିଁ । କହିଲା, ‘ବଣ ବାଟ, ପାହାନ୍ତି ପହରେ ଜନ୍ତୁ ବାହୁଡ଼ିବା ବେଳ, ତତେ ଡର ମାଡ଼ିବ ନାହିଁ ?’ ପିଓଟି କହିଲା, ‘ବାଘ କ’ଣ ବଣରେ ଥାଏ ଗାଁରେ ନ ଥାଏ ? ତୁମର ମନ ଥିଲେ ବାହାର, ମତେ ଡର ମାଡ଼ିବ ନାହିଁ ।’ ପିଓଟିର ମା’ କହିଲା, ‘ଉଠ ପୁଅ ଉଠ, ରାତି ଥାଉଁ ଥାଉଁ ବାହାରି ପଡ଼ିବା, ବାଟରେ ତ ଗଦବା ଗୁଡ଼ା ଅଛି । ଯାହାର କାମ ଥାଏ ବାଟକୁ ଡରିଲେ ତାର ବଳେ ନାହିଁ ।’ ତିନିକା ତିନିହେଁ ପଦାକୁ ବାହାରିଲେ । ମଣିଷ ଉଠି ନାହାନ୍ତି । ଦାଣ୍ଡେ ଦାଣ୍ଡେ ଦି ପାଖରେ ଗୋରୁଶାଳରୁ ଫଁ ଫଁ ଦୀର୍ଘଶ୍ୱାସ ଖତେଇ ହେଲାପରି ବହଳ ଭୂଇଁ-କୁହୁଡ଼ି ଉପରେ ମୁରୁକୁଟିଆ ଜହ୍ନଆଲୁଅ ପଡ଼ିଛି, ଆଉ କେତେ ଘଡ଼ି ବା । ଟେଲାର ଢାଲୁରେ ତଳକୁ ଗଡ଼ିପଡ଼ିଲାବେଳେ ଗଡ଼ାଣିର ମଥାନ ଉପରେ କାହା ଘର ଭିତରୁ ଘୁମେଇଁ ଘୁମେଇଁ କୁକୁଡ଼ା ବୋବେଇଲେ । ଦିଉଡ଼ୁ ଚମକି ପଡ଼ିଲା । ତରତର ଚାଲି, ତରତର । ଘୋଡ଼ିପୁଡ଼ି ହୋଇ ତିନିଜଣ ଚାଲିଛନ୍ତି, କାହାରି ତୁଣ୍ଡରେ କଥା ପଦେ ନାହିଁ । ଝୋଲା ଭିତରେ ଚାଲିଗଲାବେଳେ ପାଣି ଛଳ ଛଳରେ ଛାନିଆଁ ଉଠୁଥାଏ । ପିଓଟିର ମା’ ପଛରୁ ଡାକିଲା, ‘ହୁସିଆରି ବାପା, ହୁସିଆରି, ଡାହାଣୁ ମାଡ଼ ନାହିଁ, ଖାଲ ଅଛି’ ଦି ପାଖେ କ’ଣ ସବୁ ଚାଲିଯାଉଛ, ତାଷ ଜମି, ବୁଦା ଜଙ୍ଗଲ, ଗଜା ଆମ୍ବଗଛ, କେତେ ଖାଲଢିପ । ଦେହକୁ ଆଗକୁ ଝାଙ୍କିଦେଇ ଦିଉଡ଼ୁ ମୁହଁପୋତି ପଳେଇ ଲାଗିଛି, ଡୋରରେ ଟଣାହେଲା ପରି ପଛେ ପଛେ ଗୋଟାଏ ଧାଂଡୀ, ଗୋଟାଏ ବୁଢ଼ୀ । କେତେବେଳେ,-ଆଗରେ କାହାର ମନ୍ଦିର ପରି ଗୋଜିଆ ଚାଳ ଉପରେ ଗଞ୍ଜା କୁକୁଡ଼ାଟାଏ ଚଢ଼ି ବସିଲା, ପଖି ଫଡ଼ ଫଡ଼ କରି ତୀବ୍ରସ୍ୱରରେ ବୋବେଇ ଉଠିଲା, ଦିଉଡ଼ୁ ଦେଖିଲା, ପାହାନ୍ତା ହେଲାଣି, ଗଦବାମାନଙ୍କର ବସ୍ତି ଦିଶୁଛି । ପଛକୁ ଅନେଇଲା, କୁହୁଡ଼ିରେ ମିଣିଆପାୟୁର ପାଖ ଦିଗ୍‌ବଳୟ ବି ଆଉ ଦିଶୁ ନାହିଁ । ପଛରୁ ପିଓଟିର ଗଡ଼ର ଗଡ଼ର ଶୁଭିଲା, ସକାଳର କଜଳପାତି ପରି ସେ ବୋବେଇ ଉଠୁଛି, ମନ ଉଲୁସା ଆଶା ଜୁଡ଼ୁବୁଡ଼ୁ ତାର କଅଁଳ କଥା-। ବଣକୁ ଆସି ବଣଦେଶର ନିତି ଘଷରା ଜୀବନର ନିର୍ଘଣ୍ଟକୁ ତାର ଆଜିଠୁ ଛୁଟି, ମନମାଫି ଜୀବନ, କରି ଧରି ଦେବାକୁ ପୋଷା ମଣିଷ ମିଳିଛି । କେବଳ ଛୁଟି ।

 

‘ହେଇତି ଶଦାବାଗୁଡ଼ା ହେଲା,’ ପିଓଟିର ମାଆ କହିଲା, ‘ମୁଁ ଏଇଠୁ ଫେରିଯାଉଛି ପିଓଟି, ତୁମେ ଯାଅ, ପଛେ ତୋର ଘରଦୁଆର ହେଲେ ପୁଣି ମୁଁ ଯିବି ତତେ ଦେଖିବାକୁ, ଯା ଝିଅ, ଡେରି କର ନାହିଁ ବେଳ ଉତୁରିଯିବ । ମୋ ଝିଅ ତମକୁ ଲାଗିଲା ବାପା, ତମରି ହାତରେ ଆଜିଠୁ ସଂପିଦେଲି, ତମଠୁଁ ‘ଝୋଲା’ (କନ୍ୟାସୁନା) ମାଗିବାକୁ କେହି ନାହିଁ, ଫୁଲପରି ପାଳିବ, ବେଶି ଆଉ କ’ଣ ବୁଝେଇବି, ମୋର ସେତିକି ବୋଲି ।’ କହିଦେଇ ଠିଆହୋଇ ରହିଲା ବୁଢ଼ୀ । ଦିଉଡ଼ୁର ଛାତିର ବୋଝ ହାଲୁକା ଲାଗୁଥାଏ, ଗୋଟାଏ ସନ୍ଦେହ କଟିଗଲା । ପିଓଟି ଦିଉଡ଼ୁ ପଛକୁ ଲାଗିଗଲା, ଉପର ମନରେ ହାଂକମାରି ଗଲା, ‘ତୁ ଆସୁନୋହୁଁ ମା’-’

 

‘ନା ତୁ ଯା, ଆଉ କଥା କହ ନାହିଁ ।’ ଦିଉଡ଼ୁ କହିଲା, ‘ଚଞ୍ଚଳ ଆ, ମାଣ୍ଟେଇଲେ ଡେରି ହେବ ।’ ଗୋଟିକିଆ ବୁଢ଼ୀଟିଏ ସେହି ବାଟରେ ଆଗକୁ ଅନେଇଁଥାଏ, ତାହାରି ଆଖି ଆଗରେ ଉଡ଼ିଗଲା ପରି ଦୁହେଁ ଅନ୍ତର ହୋଇଗଲେ । ଦିଉଡ଼ୁ ହାତ ବଢ଼େଇଦେଲା, କହିଲା, ‘ମୋ ହାତ ଧର, ତୁ ଚାଲି ପାରୁ ନାହୁଁ ।’

 

ଆଜିର ସକାଳୁ ସକାଳୁ ଜୀବନର ନୂଆ ପରିଚ୍ଛେଦ ଆରମ୍ଭ; ଦିଉଡ଼ୁ ଭାବୁଥାଏ ଆଜିଠୁ ସବୁ ନୂଆ । ଭାବୁଥାଏ ପୁରୁଣା ଘରକରଣା କଥା, ସେ କ’ଣ ରହିଥିବ ନା ଯିବ । ଗାଁରେ ଲୋକେ କ’ଣ କହିବେ, ପୁୟୁ କୋଉ ପରି ଅନେଇଁବ, କେମିତି ଭାବିବ । ଏତେଦିନର ଭାବନା । କେଡ଼େ କଷ୍ଟ ବୋଲି ଭାବିଥିଲା, କେଡ଼େ ସହଜରେ ସେ ବାହାରି ଚାଲିଆସିଲା ତାର ହାତ ଧରି । ସବୁ ଭଲ ହେଲା କିନ୍ତୁ ପାଛୋଟି ନେବାକୁ ଆସିବ କିଏ ? କୁହା ନାହିଁ ପୋଛା ନାହିଁ ଅନହୂତି ।

 

କି ସକାଳ ଆଜିର, ବିଧାମାରି ପଣସ ପଚେଇଲେ ବି ଆହୁରି କଅଣ ଅଭାବ ରହିଯାଇଛି । ପୁଣି କି ଗୁଁ ଗୁଁ । ଯହୁଁ ଯହୁଁ ଗାଁ ପାଖ ହେଉଥାଏ ତହୁଁ ତହୁଁ କାଉଁନ୍ଦା ଲାଗେ ମନରେ, କପାଳରୁ ଝାଳ ପୋଛି ପକାଏ, ଅକାରଣରେ ଛାତିଟା ଥରେ ।

 

ପିଓଟି ଛଳେଇଲା ‘ଏଥିପାଇଁ ଏତେ କହୁଥିଲ । ପଦାକୁ ବାହାରିଲେ ମୁହଁରେ ତାଲା ପଡ଼ିଲା, ପଦେ କଥା ନାହିଁ । ମାଲୋ-ଥକିଗଲି, କିଏ ଏତେ ଦୌଡ଼ିବ ।’ ଦିଉଡ଼ୁ କହିଲା, ‘ଚଞ୍ଚଳ ଗଲେ ସିନା ହେବ ?’ ପିଓଟି କହିଲା, ‘ଆଉ ଚଞ୍ଚଳ କାହିଁକି ? ଗାଁ ପାଖରେ ସିନା ମାଡ଼ି ପଡ଼ୁଥିଲା, କିଏ ଚୋର ନୁହେଁ କି ଡକେଇତି ନୁହେଁ ଯେ ଡରିଯିବ ।’ ‘ନା ନା କ’ଣ ମୁଁ କହୁଚି, ତୁମେ ସିନା ଚୋର ନୁହଁ ମୁଁ ତ ଚୋର-’ ଦିଉଡ଼ୁ ଖାଲି ହସୁଥାଏ, ଏ କଥାକୁ ତାର ଜବାବ୍ ନାହିଁ । ପିଓଟି ବକର ବକର ହେଉଥାଏ ।

 

‘ନ ଅଟକିଲେ ନ ହୁଏ । ଦେଖୁଛ ତ, ଆଗରେ ବଣ । ଏତେ ସକାଳୁ ଏକୁଟିଆ ହୋଇ ଅନ୍ଧାରୁଆ ଓଦା ବଣ ଭିତରକୁ ପଶିବାକୁ କାହାର ଗରଜ ପଡ଼ିଛି କି । ମେଘ ନାହିଁ ବୋଲି ସିନା । ଭଲ କରି ଖରା ନ ପଡ଼ିଲେ ଆଉ ମୁଁ ନ ଯାଏଁ, ମତେ ବଣ ଭଲ ଲାଗେ ନାହିଁ ।’

 

ବାଧ୍ୟହୋଇ ଦିଉଡ଼ୁ ବି ବସିଲା ।

 

ପିଓଟି କହିଲା, ‘ତୁମେ ବି ତ କମ୍ ଥକି ନାହଁ । ଓଃ କି ଝାଳ ! ମୁଣ୍ଡର ବାଳର ଅବସ୍ଥା ନାହିଁ । ପାନିଆଁ ଥିଲେ ମୁଣ୍ଡ ବାନ୍ଧି ଦିଅନ୍ତି । କ’ଣ ତମର ହୋଇଛି । ରାତି ଅନିଦ୍ରା ହୋଇ ଥଣ୍ଡା ଲାଗି ଦେହ ସୁଖ ନାହିଁ ? ମୁହଁ ଲଦି ରହିଛି । କ’ଣ ଭାବି ହେଉଛ ? ବାଟ, ବଣ-ବାଘ ଘର ? ହଁ ଘର ମନେପଡ଼ୁଥିବ ସତ । ଘରେ ଭାରିଯା ଅଛି । ମୁଁ ତ ଆଉ ବିଭା ଭାରିଯା ନୁହେଁ ।’ ହସି ହସି ଗଡ଼ିଗଲା । ଦିଉଡ଼ୁ କହିଲା, ‘ନା ଥଟ୍ଟା ନୁହେଁ । ଚାଲ ଯିବା; କିଛି ଡର ନାହିଁ, ଚିହ୍ନା ବାଟ ତ, ତେଣେ କାମ ବାକି । ବାଟ ଆଉ ବେଶୀ ନାହିଁ । ଏଇ ଡାହାଣେ ଡାହାଣେ ଚାଲିଗଲେ ଗଡ଼ି ପଡ଼ିବାକୁ ଗୋହିରୀ ପଡ଼ିଛି, ସିଧା ଆମ ଗାଁ ତାଷ ଗୁଡ଼ିଆକୁ । ସେହି ତାଷ ଖାଲ ଭିତରେ ଖଣ୍ଡେ ଭଲ ବସା ଅଛି । ଏବର୍ଷ ଛୁଆଣି ହୋଇଛି, ଦମ୍ଭ ଘର । ସୁନ୍ଦର କଦଳୀବାରି ଅଛି, କମଳା ତୋଟା, ସୁନ୍ଦର ଜାଗା, ଗାଁ ସେଠୁ ଦିଶେ ନାହିଁ ।’

 

ଆଖିରେ ପଲକ ନ ପକେଇ ମୁହଁ ଉହୁଙ୍କେଇ ପିଓଟି ସବୁ ଶୁଣୁଥିଲା । ଝଟ୍‌କିନା ଉଠିପଡ଼ିଲା, ଆଖି କୁହୁଳି ଆସୁଥାଏ । ଓଠ ଥରି ଉଠୁଥାଏ । ଚିର୍ଚ୍ଚିରେଇଲା ପରି କହିଲା, ‘ତା’ପରେ-? ହଁ, କହିଯା, ଅଟକିଲ କାହିଁକି ? ସେହି ସୁନ୍ଦର ତାଷ ଗୁଡ଼ିଆ ଭିତରେ ଦମ୍ଭ ଗୁଡ଼ିଆରେ କଦଳୀ ବାରିରୁ କଦଳୀ ଆଉ କମଳା ବାରିରୁ କମଳା ଖାଇ ଖାଇ ମୁଁ ଲୁଚିଲୁଚିକା ରହିଥିବି, ତୁମର ରଖୁଣୀ ହୋଇ କେଡ଼େ ସୁନ୍ଦର ହେବ ! ଘରେ ଭାରିଯା ଥିବ । ତାଷ ଗୁଡ଼ିଆରେ ତାଷ ସାଙ୍ଗକୁ ରଖୁଣୀ, ତୁମେ ଆସୁଥିବ ଯାଉଥିବ; କେତେ ସ୍ନେହ ଶରଧା କରୁଥିବ, କହି ଯା’ ଅଟକିଲ କାହିଁକି ? ଏତେକଥା ମନ ଭିତରେ ଥିଲାଟି, ସୁତୁରେଇବା ଆଗରୁ କହିଲ ନାହିଁ କାହିଁକି ପଦେ ? ହଉ ବାଟ ପଡ଼ିଛି ଡାହାଣେ ଡାହାଣେ ଚଞ୍ଚଳ ଯାଅ ।’

 

ଛେପ ଢୋକି ଢୋକି ଦିଉଡ଼ୁ କହିଲା, ‘ଛି ପିଓଟି, ସକାଳ ନ ପାହୁଣୁ କଳି ଭେଇଦେଲୁ ଏଇ ବିଶ୍ୱାସ ମୋଠିଁ ମୁଁ କ’ଣ ଏଇଆ କହୁଥିଲି ?’

 

‘କ’ଣ କହ । କହ ମୁଁ ଟାକିଛି ଯେ ।’

 

ମନେ ମନେ ସଳଖେଇ ଆସିଥିବା ଗୋଟା ସୁଦ୍ଧା ଯୋଜନା ଦିଉଡ଼ୁର ଧ୍ୱଂସ ହୋଇଗଲା । ଏକା ମୁହୂର୍ତ୍ତକେ ନିଷ୍ପତ୍ତି ଠିକଣା କରିଦେବାକୁ ବାଧ୍ୟ କରାହେଉଛି, ଏ ପାଖ ନ ହେଲେ ସେପାଖ । ଖେଳିବାର ମଉଜ ଉଡ଼ିଗଲା । ମୁଣ୍ଡ ଭିତରେ କ’ଣ ହୋଇଯାଇ କପାଳରେ ଗାର ପୋଡ଼ି ହୋଇଗଲା, ଦୋହଲି ଦୋହଲି ଘୂରିଗଲା ସବୁ ଏମୁଣ୍ଡୁ ସେମୁଣ୍ଡ । ନିଷ୍ପତ୍ତି ସରିଗଲା । ନାଲି ନାଲି ଆଖି ମିଟିକେଇ ମିଟିକେଇ ଦିଉଡ଼ୁ କହିଲା-

 

‘ଏମିତି କଥା କଥାକେ ସନ୍ଦେହରୁ ସନ୍ଦେହକୁ ତୁ ଡେଇଁପଡ଼ି ନିଜେ ହରବର ହେବୁ, ମତେ ହରବର କରିବୁ, ମୁଁ ତ ଜାଣି ନ ଥିଲି ପିଓଟି । କ’ଣ ମୁଁ କହୁଛି, କ’ଣ ତୁ ଭାବୁଚୁ ! ରଖୁଣୀ ! ରଖୁଣୀ କିଏ କହିଲା ତତେ ରଖୁଣୀ ରଖିବ ବୋଲି, ‘ବନ୍ଦାଣ ବିଭା’ କ’ଣ ଚଳେ ନାହିଁ ? ମୋର ମନ ଯାହାକୁ ବାହାହେବି । କାହାର ସାହସ ଅଛି ମତେ ଡରେଇବ, ମତେ କାଇଲ କରିବ ? ଅଦେଖା ସମାଜ ଉପରେ ମନ ଭିତରର ସବୁଯାକ ରାଗ ଅଜାଡ଼ି ଦେଇ ଦିଉଡ଼ୁ ଫୁଲିଗଲା । କହୁ କହୁ ତାର ବଳ ବଢ଼ିଲା, ସେହି ମଣିଷ ଅବତାର ଦେଖୁଥାଏ ପିଓଟି । ମୁହଁ ଗୋଜେଇ ଆଖି ଝଳଝଳେଇ ଦେଖୁଥାଏ । କି ସୁନ୍ଦର, ତାର ବଳିଷ୍ଠ ପଶୁ, ମୁଣ୍ଡବିକା ଗୋଲାମ, ବାଗେଇ ଜାଣିଲେ ତା ପାଇଁ ନିଆଁରେ ଝାସଦେବ ।

 

ଦିଉଡ଼ୁ କହୁଥାଏ, ‘ଥକିଗଲୁ ବୋଲି କହୁଥିଲୁ, ବାଟରେ ବସିଲେ ଯେ ଯିବ ଆସିବ ସେ ଅନେଇଁବ, କଥା ପଚାରିବ, ବୃଥାଟାରେ ଚଲାବାଟରେ ହାଟ ହଟୁଲି ବସି ଧିକି ସିକି । ସେଇଥିପାଇଁ କହୁଥିଲି, ଗୁଡ଼ିଆ ବାଟେ ଯିବା, ସେଇଠି ଟିକିଏ ଭଲ ଜାଗା ଅଛି ବିଶ୍ରାମ ନେବୁ । ତା’ପରେ ଗାଁକୁ ଯାଇଥାନ୍ତେ ।’

 

ପିଓଟି ପୁଣି ବଦଳିଗଲା । ଭୁଲେଇନେଲା ପରି ଆଗେ ଆଗେ ଧାଇଁ କହି କହି ଗଲା,-’କିଏ କହିଲା ମୁଁ ଥକିଗଲିଣି ? ଦେଖୁତ କିଏ ଆଗେ ଯିବ । ଗୁଡ଼ିଆ ବାଟେ ମୁଁ ଯିବି ନାହିଁ । ଦାଣ୍ଡେ ଦାଣ୍ଡେ ଚାଲ । ନିଛାଟିଆ ବାଟ ବଣ ବାଟ ମତେ ଭଲ ଲାଗେ ନାହିଁ । ଗାଁ ବାଟ ମତେ ଭଲଲାଗେ ।’ ପଛେ ପଛେ ଦିଉଡ଼ୁ ଚାଲିଲା ।

•••

 

ସତାନବେ

 

ବଢ଼ିସକାଳୁ ପୁୟୁ ଉଠି ଦେଖିଲା ଦିଉଡ଼ୁ ନାହିଁ ।

 

ସେମିତି ଚୁଲି ସେପାଖେ ତାର ବିଛଣାପତ୍ର ପଡ଼ି ରହିଛି, ତାର ଶୋଇବା ଅଖା, କନା ପଟା ସବୁ, ସେ ନାହିଁ । ପୁୟୁକୁ ଆଶ୍ଚର୍ଯ୍ୟ ଲାଗିଲା । ଶୀତୁଆ ମେଘ ପାଗ, ପବନ ହୁ ହୁ ଦେଉଛି । ଏତେବେଳେ କେବେ ସେ ଉଠି ନ ଥାଏ । ଯେତେ ଦୂର ଦୂର କରୁଥାଉ, ଏତିକିବେଳେ ସବୁଦିନେ ଘୋଡ଼ିପୁଡ଼ି ହୋଇ ଶୋଇ ରହିଥିବାବେଳେ ପୁୟୁ ତାର ଗୋଡ଼ ଘଷିଦିଏ, ଏହି ପାହାନ୍ତି ପହରରେ ଆରାମ ନିଦ ଟିକକ ଉଷୁମ୍ କରିବା ପାଇଁ ଚୁଲି ଫୁଙ୍କି ଫୁଙ୍କି ନିଆଁ ଟିକିଏ ଜାଳେ, ଆଜି ସେ ଉଠି ଚାଲିଯାଇଛି, ଆଶ୍ଚର୍ଯ୍ୟ । ପୁୟୁ ତାର କାମ କରିଗଲା, କେବଳ ନିଘା କଲାଭଳି ମନଟା ଉଣ୍ଡିହେଉଥାଏ ଏହି ସାମାନ୍ୟ କଥାଟା ପାଇଁକି, ଛୋଟ ହେଉ କି ବଡ଼ ହେଉ ଆଜି ସକାଳୁ ଏ ଗୋଟାଏ ବିଘଟନ ଘଟି ଯାଇଛି, ଏତେ ବର୍ଷର ତାଳ ଦେଇ ଚାଲିଥିବା ଘରକରଣା ଭିତରେ ଗୋଟାଏ ବେତାଳିଆ କଥା ।

 

ଝୋଲାଘାଟରେ ବାଁରେଇ ହୋଇ ପଚରା ଉଚରା କଲା, ନା କେହି ଜାଣନ୍ତି ନାହିଁ, କେହି ଦେଖି ନାହାଁନ୍ତି । ପୁବୁଲିର ସାଙ୍ଗ ପୁଲ୍‌ମେଁ ଥଟ୍ଟାକରି କହିଲା, ‘ଦିନବେଳଟାରେ ଏତେ ଖୋଜା ପଡ଼ିଛି କାହିଁକି ମ ଭାଉଜ ?’ ହୁଣ୍ଡୀ ଜଞ୍ଜଇ ଗୋଠେ ମାଇପଙ୍କ ଆଗରେ ହାକିନାକୁ ଛଡ଼େଇନେଇ କହିଲା, ‘ହୁସିଆର ପୁଅ ହୁସିଆର’ । ସମସ୍ତିଙ୍କ ହସ ତାମସା ଯେତେ ସୁଖର ହେଉ ପଛକେ ପୁୟୁକୁ ଅଡ଼ୁଆ ଅଡ଼ୁଆ ଲାଗୁଥାଏ । ହଉ କୁଆଡ଼େ ଉଠି ଯାଇଥିବ, ସେଥିପାଇଁ ଏତେ ଭାବନା କାହିଁକି ? ପହିଲି ପରିଚୟ ମନେପଡ଼େ । ସେତେବେଳେ ବି କିଛି ନ କହି ସରବୁର ପୁଅ ଏମିତି ତୁନିତାନି ଉଠି ଚାଲିଯାଏ, ତା’ପରେ ପୁୟୁକୁ ଆଶ୍ଚର୍ଯ୍ୟ କରିଦେଇ ବଣରୁ ଗୋଟାଏ କୁଟ୍ରା କି ଗୋଟାଏ ମୟୂର ମାରି ଆଣି ତା ଆଗରେ ଶୁଆଇ ଦିଏ, ସମସ୍ତେ ଜମି ଯାଆନ୍ତି । ବାପକୁ ଦେଖି ଲାଜେଇ ଲାଜେଇ କହେ, ‘ଯାଉଥିଲି ଯେ ବାଟରେ ମିଳିଗଲା’ ଭାରିଯାକୁ କଣେଇଁ କଣେଇଁ ଅନାଏଁ । ଘରକରଣାରେ ଏହି ଟିକିଟିକି ଖେଳ କାମକଲାବେଳେ ପୁୟୁର ମନେପଡ଼ି ଯାଉଛି, ହାତ ଅଳସେଇ ହେଉଛି, ଆଜି ବି ସେହିପରି, କିନ୍ତୁ ସେ ଦିଉଡ଼ୁ ଆଜି ନାହିଁ ।

 

ରାନ୍ଧିବାଢ଼ି ଅନେଇଁ ଅନେଇଁ ଖାଇବାବେଳେ ଗଡ଼ିଗଲା । ଦିନ ମୁଣ୍ଡେ ବେଳରୁ ଜିଣିଗଲା, ଅଖିଆ ଅପିଆ ପୁୟୁ ବସିଛି, ବର୍ଷା ସରି ଟିକିଏ ଫିକାହୋଇ ଖରା ତେଜିଛି । ଖାଇ ପିଇସାରି ଗାଁ ଲୋକେ କ୍ଷେତକୁ ଗଲେ, ଦିଉଡ଼ୁ ଦେଖାନାହିଁ । ‘ସାଓଁତା କୁଆଡ଼େ ଗଲା ଦେଖିଛ କି କେହି ? ଜାଣିଛ ?’ ‘ନାହିଁତ ।’ ଜାମିରି ବୁଢ଼ା ପଚାରି ପଠେଇଲା, ‘ଯା ତ ଦେଖି ଆସିବୁ ବୋହୂଟା କାହିଁକି ବସି ବସି ଧନ୍ଦି ହେଉଚି ।’ ବୁଢ଼ୀ ଆସିଲା । ‘କିଲୋ କ’ଣ ?’

 

‘କୁଆଡ଼େ ଗଲେ, ଖାଇବାକୁ ଆସି ନାହାନ୍ତି, ଦେଖିଛ କି ? ଟିକିଏ ପଚାରନ୍ତ ।’

 

ଜାମିରି ବୁଢ଼ା ବାଡ଼ି ଠୁକ୍ ଠୁକ୍ କରି ଗାଁ ଭିତରକୁ ବୁଝିବାକୁ ବାହାରିଗଲା । ସେମିତି ଦୂରକୁ ଅନେଇଁ ପୁୟୁ ବସି ରହିଥାଏ ଆଶା-ବୁଢ଼ା କାଳେ ଖବର ଆଣିବ । ଲେଲ୍ଲୁକନ୍ଧ ଘର ଆଗର ତେନ୍ତୁଳି ଗଛର ଛାଇ ଗାଁ ଦାଣ୍ଡରେ ବିଛେଇ ହେଲାଣି । କାହିଁ ଦିଉଡ଼ୁ ? ବେଳ ଯେ ଗଲା । ହେଉ ଜାମିରି ବୁଢ଼ା ଫେରୁଚି, ବୁଢ଼ା ବୁଢ଼ୀ କଥା ହେଉଛନ୍ତି, ‘କାହିଁ କିଛି ଖବର ପାଇଲି ନାହିଁତ, ଯାଇଥିବ ଯଦି ତାଷଗୁଡ଼ିଆକୁ କିଛି କାମ ଥିବ ।’ ପୁୟୁକୁ ଛାନିଆଁ ପଶିଗଲା । ତେବେ କ’ଣ । ବେଜୁଣୀ ଯାଇଥିଲା ଆଉ ଫେରି ନାହିଁ । ବଘେଇ ଦିନ । ମନେପଡ଼ିଲା ହାକିନାକୁ ଅନେଇଁଲା, ଆଖି ଲୁହରେ ଭାସିଲା, କେତେ କ’ଣ ପାପ ଛୁଇଁଲା ମନକୁ । ୟା କ’ଣ ହୋଇପାରେ ! ଏମିତି କ’ଣ ହୁଏ ! ଥକ୍କାହୋଇ ମୁଣ୍ଡରେ ହାତ ଦେଇ ବସିପଡ଼ିଲା, ଦୂରର ଭର୍ତ୍ତି ଭୟଙ୍କର ବଣକୁ ଅନୋଉଁ ଅନୋଉଁ ଆଖି ଉଠେଇ ନେଇ ହେଲା ନାହିଁ । କୁଆଡ଼େ ସେ ଯାଇଛି, ଖବର ଅନ୍ତର ନାହିଁ ।

 

ଆପଣାକୁ ସମ୍ଭାଳିନେଇ ଉଠି ଠିଆହେଲା । ଆଉ ପ୍ରକାରେ ଭାବିଲା । ନ କହି ନ ପୋଛି ଯଦି ସେ କେଉଁ ଦୂର ଗାଁକୁ ଯାଇଥାଏ ? ତାର ତାଷବାସ ଭଲ ମନ୍ଦ କଥା, କେତେଟା ସେ କହେ । କେତେଟା ସେ ନ କହେ, ଘରେ ଦେଖିଲା ବେଳକୁ ତଲ୍ରା ତଲ୍ରି ନାହିଁ । ବାଡ଼ି ବଛା ନାହିଁ,-ଏ ତ ସାଧାରଣ କଥା, କିନ୍ତୁ ମାଠ କାହିଁଗଲା ? ଚାଳରୁ ଓହଳିଥିଲା ଯେଉଁ ପୁଞ୍ଜାଏ ଲାଉତୁମ୍ବା ସେ କୁଆଡ଼େ ଗଲା ? ଘର ଭିତରେ କେଉଁଠି କ’ଣ ନ ଥିଲା ପରି ଖାଁ ଖାଁ ଲାଗୁଛି । ସାମ୍ନା ପିଣ୍ଡା ଉପରେ ଶୁଖିଲା କାଦୁଅରେ ଅଙ୍କା ହୋଇଛି ମଣିଷଙ୍କ ପାଦଚିହ୍ନ । ବୁଦ୍ଧି ଦିଶିଲା ବାରିକଠୁ ପଚାରି ବୁଝିବ । ଠିକ୍ ହାତ ବାରିଶି ବାରିକ, ନ ଜାଣିଥିଲେ ବି ଖୋଜିଯିବ ।

 

ଭୁର୍ଷାମୁଣ୍ଡା ବାରିକ ତାର ପିଣ୍ଡାରେ ବସି କାହାଳୀ ପିଉଥାଏ । କରେକେ ଢପ୍ ଢପ୍ ଲାଗିଛି, ଗୋଡ଼ ଲମ୍ବେଇ ବସି ବାରିକର ବୋହୂ ସୋନାଦେଈ ସୁଆଁ ପେଷା ଗାତରେ ସୁଆଁ କୁଟୁଛି-। ପୁୟୁ ପହଞ୍ଚିଲା ।

 

‘ବାରିକ, ପଦେ କଥା ଅଛି ।’

 

ତରବରରେ କାହାଳୀ ଫୋପାଡ଼ିଦେଇ ବାରିକ ଦୌଡ଼ି ଆସିଲା । ସାଓଁତାଣୀ ଆସିଛି । ସୋନାଦେଈ ହାତ ବନ୍ଦକରି ଥରି ହୋଇ ଅନେଇଁଲା । ତରତର କରି ସାନ ପାଟିରେ ପୁୟୁ ବାରିକ୍‌କୁ କ’ଣ କହିଲାଗିଛି, ବାରିକ ମୁଣ୍ଡ ହଲୋଉଛି, ପୁୟୁର ମୁହଁରେ ସରାଗ ନାହିଁ ।

 

‘ଏଥିରେ ଏତେ ବ୍ୟସ୍ତ ହେଉଛୁ କାହିଁକି ସାଓଁତାଣୀ, କ’ଣ ହୋଇଗଲା, ସାଓଁତା କ’ଣ କୋଉଠି ହଜିଛି ?’

 

ଟିକିଏ ତୁନି ରହି ଭାବିହେଲା ପରି ବାରିକ କହିଲା, ‘ଗଲା ତ ଗଲା, ତତେ ଆଗରୁ କହିଗଲା ନାହିଁ କାହିଁକି, ସେଇଆ ତ ଭାବୁଛି ।’ ହସିଦେଇ ବ୍ୟଙ୍ଗକରି ସୋନାଦେଈ କହିଲା, ‘ଏତେ ବେଳତକ ଠିଆକରି ରଖିଚୁ କାହିଁକି ବାବା, କହି ଦଉନୁଁ, ସାଓଁତା ଯାଇଛି ବନ୍ଦିକାର ବୋଲି, କହିଲେ କ’ଣ ପାପ ଲାଗିବ ?’

 

‘ବନ୍ଦିକାର ! ପୁୟୁ କାବାହୋଇ ପଚାରିଲା ।

 

ବାରିକ ହସିଲା । କହିଲା ‘କ’ଣ ବୋଲି କହିଯାଇଥାନ୍ତି, ଭାବିଲି ତୁ ତ ଜାଣିଥିବୁ । ଓଲ୍‌ଟି ତୁ ପଚାରୁଚୁ, ମୁଁ ତ ଆଶ୍ଚର୍ଯ୍ୟ ! ବଡ଼ ଲୋକକୁ କଥା ଚଳେ ନାହିଁ, ନଇଲେ କହିଥାନ୍ତି ଏଡ଼େ ବଡ଼ ସାଓଁତା ହୋଇ ବି ଆମର ସାଓଁତା ପିଲାପରି ଅଛି ଦେଖ ତ,’ ଆହୁରି ହସିଲା, କହିଲା, ‘ତୋ ସାଙ୍ଗରେ ଥଟ୍ଟା ଖେଳିଛି ସାଓଁତାଣୀ, ନ ହେଲେ ସକାଳୁ ମତେ ଆସି ଉଠେଇ, ତୁ ଚାଲ୍, ତୋର ପୁଅ ଚାଲୁ । ଗଲୁଁ ଦୁଇ ବାପପୁଅ, ନ ଯିବାକୁ ଆମର ମୁଣ୍ଡ ଅଛି କି, ଅଇଛା ତ ଆସୁଛୁଁ ।’

 

‘କେବେ ଆସିବ ?’ ପୁୟୁ ପଚାରିଲା ।

 

‘ଆଜି ତ ଆସି ହେବ ନାହିଁ, କାଲି ସକାଳୁ ବୋଧହୁଏ ।’ ‘କାହିଁକି ଯାଇଛି ତୁ ଜାଣି ନ ଥିବୁ ବାରିକ-’ ଲାଜ ଲାଜ ହୋଇ ପୁୟୁ ପଚାରିଲା । ବାରିକ ଜବାବ୍ ନ ଦେଉଣୁ ଠୋ ଠୋ ହସିଦେଇ ସୋନାଦେଈ କହିଲା, ‘କ’ଣ ତମପାଇଁ ଭଲ ଦରବ ଆଣିବ ବୋଲି ଯାଇଥିବ ସାଓଁତାଣୀ, ନ ହେଲେ ଏ ବର୍ଷା ପାଣିରେ ବଘେଇ ପାଗରେ କିଏ ଘରୁ ଗୋଡ଼ କାଢ଼େ !’ ବାରିକ ବି ହସିଉଠିଲା, କହିଲା, ‘ଦେଖ ଥଟ୍ଟା କରୁଚି,-ମିଛ କହୁ ନାହିଁ ଯେ ।’ ତା’ପରେ ପୁୟୁର ଦୃଷ୍ଟି ଆଗରେ ନରମିଯାଇ କହିଲା, ‘ମୁଁ ଜାଣି ନାହିଁ, ସତ କହୁଚି, କାଲିକି ତ ଫେରିବ ।’ ଫେରିପଡ଼ି ପୁୟୁ ଚାଲିଗଲା । ତା’ପରେ ଚାଲିଲା ସୋନାଦେଈର ଖିଲିଖିଲି ହସ, ସୁଆଁକଟା ମୁଷଳର ତାଳେ ତାଳେ-

 

ଗଲା, ଗୋଟାଏ ଚିନ୍ତା ଗଲା ।

କୌଣସି କାରଣରୁ ଦିଉଡ଼ୁ ବନ୍ଦିକାର ଯାଇଛି ।

 

କିନ୍ତୁ କାହିଁକି ଏତେ ହସ ? କି ବିକଟ ଇଙ୍ଗିତ ଛପି ରହିଥିଲା ସୋନାଦେଈର ହସ ପଛଆଡ଼େ ? ହସ ନା ହାଡ଼ରୁ ମାଉଁସ ଝଡ଼େଇବା ଲାଗି ନିର୍ଦ୍ଦୟ ଥଟ୍ଟା ? ପୁୟୁ ଧନ୍ଦିହେଲା । ବାରିକ ସବୁ ଜାଣିଛି କିଛି କହୁ ନାହିଁ ପରା । ଚତୁର ଡମ୍ବ ପତ୍ରେ ପତ୍ରେ ଯାଏ । ତାକୁ ଅଛପା କ’ଣ ? ଜାଣନ୍ତି ତ, କହୁ ନାହାନ୍ତି କାହିଁକି ?

 

ଆଉ ତାର ଆଶଙ୍କା ନ ଥାଏ, ଖବର ମିଳିଛି । ଯେତେ ଭାବେ ସେତେ ମନଟା ଖଟା ପଡ଼ିଯାଏ । ଅଭିମାନରୁ ଆପଣାକୁ ଭସ୍ମ କରିବା ଲାଗି ରାଗ । ଏମିତି ଅକାରଣରେ ସ୍ୱାମୀ ତାକୁ ତାଚ୍ଛଲ୍ୟ ଦେଖାଇ ଖୁସି ପାଏ । ବାରମ୍ବାର ବୁଝେଇ ଦେଇଯାଏ ସେ କେହି ନୁହେଁ, ତାର ସୁଖ ଦୁଃଖ ନାହିଁ, ମାନ ଅପମାନ ନାହିଁ, ସହୁଥିବ, କହିବ ନାହିଁ । କିଏ ଦିଉଡ଼ୁକୁ ଡୋରରେ ବାନ୍ଧି କବାଟ କ’ଣରେ ଖଟେଇ ରଖୁଥିଲା ? ବଡ଼ି ଅନ୍ଧାରୁ ଲୁଚି ଲୁଚି ଗଲା କାହିଁକି ? କିଛି ଉଦ୍ଦେଶ୍ୟ ଥିବ । ସୋନାଦେଈ ଜାଣେ, ବାରିକ ଜାଣେ, ସେ ଜାଣେ ନାହିଁ । ସ୍ତ୍ରୀର ମନ ପରଶ ବାରେ ସେଇଠି ତାର ଦରଜ ।

 

ବେଳବୁଡ଼ଯାକେ ମୁହଁ ଶୁଖେଇ ବସିଗଲା, ଅନ୍ଧାର ଓହ୍ଲେଇବାରୁ ପିଲାକୁ ବୁଝେଇବାକୁ ଭିତରକୁ ଯାଇ ଚୁଲି ଲଗେଇଲା । ପିଲାକୁ ଶୁଆଇଦେଲା । ରନ୍ଧା ବଢ଼ା ନାହିଁ, ଉପାସ ଶୋଇଲା । ଭାବି ଭାବି ଆଖିକି ନିଦ ନାହିଁ । କି ଅନାଦର, କି ଅବହେଳା, କି ଜୀବନ ! ଯେତେ କାନ୍ଦିଲେ ବୋବେଇଲେ ତାର କୋହ ମେଣ୍ଟିବ ନାହିଁ । ମୁହଁ ଶୁଖେଇ ଯେତେ ଦୀର୍ଘ ନିଶ୍ୱାସ ପକେଇଲେ ତାର ବୋଝ କମେଇଁ ହେବ ନାହିଁ, ତାକୁ ବଦଳେଇ ହେବ ନାହିଁ । ନିଛାଟିଆ ରାତି, ଅନ୍ଧାର, ମେଘୁଆ ରାତି । ଆଜି ସେ ଏକୁଟିଆ । ଆଖି ବୁଜିଲେ ବାରମ୍ବାର ସୋନାଦେଈର ସେ ଉତ୍କଟ ହସ ଖେଞ୍ଚିଲାଗେ, ଖୋଳିଲାଗେ, ଗୋଟି ଗୋଟି ହୋଇ ଘଟନା ଗୁନ୍ଥି ହୋଇ ଝୁଲିପଡ଼େ, କାନ୍ଦୁରା ଲାଗେ, ନିଦ ହୁଏ ନାହିଁ କି ଆଜିକା ରାତି ଆଉ ସରେ ନାହିଁ । ଚିନ୍ତା-ଚିନ୍ତା କେମିତି ସେଗୁଡ଼ା ଅନ୍ଧାର ରାତିରେ ବାଦୁଡ଼ିପରି ପଖି ଫଡ଼େଇ ଉଡ଼ିଆସେ ରକ୍ତ ଶୋଷିବାକୁ ନ ଭାବିଲେ ବେଳ କଟେ ନାହିଁ, ଭାବିଲେ ତ୍ରାହି ନାହିଁ । ପିଲାଦିନୁଁ ଏଯାକେ ଏତିକି ଇତିହାସ କେତେ ଧାରଣାରେ କେତେ ରଙ୍ଗରେ ପ୍ରକାର ପ୍ରକାର ହୋଇ ବାରମ୍ବାର ଆସେ, ସବୁ ପୁଣି ବଦଳିଯାଏ ଦି’ଟୋପା ଲୁହରେ ।

 

ଯୁଗ ଓଲଟିଛି, ଗଣ୍ଠି ହୁଗୁଳିଛି, ଝୁରି ହୋଇ ହୋଇ ସକେଇ ହେଉଥିଲେ ପୁରୁଣା ଆଉ ନୂଆ ହେବ ନାହିଁ ।

•••

 

ଅଠାନବେ

 

ସକାଳ ହେଲା ।

ଆଜି ଦିଉଡ଼ୁ ଆସିବ ।

 

ଆଜି କି ମନ ହୋଇଛି, କାଲିକାର ଢିଲାଢିଲି କାମ ସୁତୁରେଇ ଦେବାକୁ ମନ ଛନ ଛନ-। ସବୁ ସଜିଲ ନ ଥିଲେ କାଳେ ଦିଉଡ଼ୁ ରାଗିବ ଆସିଲେ । ନୂଆ ଆଖିରେ ପୁରୁଣା ଘରକୁ ନିରେଖି ପୁୟୁ ଦେଖିଲା ଅନେକ କାମ ବାକି ଘର ଭିତରେ, ଘର ବାହାରେ । ସଫାସଫି ଓଳିଆ ଓଳିରେ ଲାଗିଗଲା । ଝଟ ଝଟ ଝୋଲାରୁ ଗାଧୋଇ ପଡ଼ି ଆସି ରୋଷେଇ ବସେଇ ଦେଲା । ମାଣ୍ଡିଆ ବଦଳେଇ, ମଦ ଧୁଙ୍ଗିଆ କିଣିଆଣି ରଖିଲା, ଝୁଙ୍କି ଲୋକ, ଆସିଲାବେଳକୁ ସବୁ ଠିକଣା ଥିବ । ଏତେଦିନ ପରେ ଖରା ହୋଇଛି । କାନ୍ଦିସାରି ଝଲଝଲେଇଲା ଆଖିରେ ଅନେଇଁ ରହିଛି ବଣଦେଶ-। ଗାଁ ଦାଣ୍ଡରେ ହସ ଉଛୁଳୁଛି, ଆଜି ସବୁ ଖୁସି । ଖରାରେ ବସି ସମସ୍ତେ ମୁଣ୍ଡ ବାନ୍ଧୁଛନ୍ତି-। ପୁୟୁ ମୁଣ୍ଡ କୁଣ୍ଡେଇଲା, ସଫାଲୁଗା ପିନ୍ଧିଲା ।

 

ଝରି ଶେଷରେ ଆଜି ପରା ପାଗରେ ସମସ୍ତିଙ୍କ ମୁହଁରେ ଗୁଣୁଗୁଣୁ ହସ । ସାହିଲୋକ ଆସି ଡାକିଗଲେ ଚଞ୍ଚଳ ଚଞ୍ଚଳ କାମଦାମ ସାରିଲେ ଯେମିତି ହେଲେ ଆଜି ବଣ ବୁଲିଯିବା । ମଝିରେ ମଝିରେ ବାଟକୁ ଚାହିଁ ଚାହିଁ କେତେଥର ପୁୟୁ ଫେରି ଆସିଲାଣି । ଡେରି କଲେ ସବୁ ଥଣ୍ଡା ହୋଇଯିବ, ସେ ନ ଆସିଲେ କାମ ସରିବ ନାହିଁ । ଗାଁ କୁକୁଡ଼ା ପହରିକିଆ ବୋବେଇ ସାରିଲେ । ଦି ଲାଠି ବେଳ ଉଠିଗଲା, ପିଣ୍ଡାରେ ପିଣ୍ଡାରେ ଲୋକେ ଖାଇ ବସିଲେ । ତଥାପି ଦିଉଡ଼ୁର ଦେଖା ନାହିଁ । ଠିଆହୋଇ ପୁୟୁ ଏଣିକି ତେଣିକି ଚାହୁଁଥାଏ । ଦିସାରି ଘର ପିଢ଼ାରେ ବସି କାଉଟାଏ ଅହରହ ବୋବେଇ ଲାଗିଛି । ଦାଣ୍ଡରେ କଙ୍କି ଉଡ଼ୁଛନ୍ତି । ମୁହଁପଟେ ଆଖି ଜଳକେଇ ଦେଇ ଓଦା ବଣ ଖରାରେ ରୁପାର ତେଜ ଗୁଣ୍ଡା ଉଡ଼ୋଉଛି । ସେ ସବୁ ଫାଙ୍କା ଦୃଶ୍ୟରେ ତାର ଆଖି ନାହିଁ । ମନ ଭିତରେ ସେହି ଦୁଡ଼ୁଗୁଡ଼ୁ, କାହିଁକି ଏତେବେଳଯାକେ ସେ ଆସିଲା ନାହିଁ । ପିଣ୍ଡା ଉପରେ ସେହି ପୁରୁଣା ଦୃଶ୍ୟ । ପଡ଼ିଶା ଘରର ଖୁସିବାସି, ସମସ୍ତେ ମିଳିମିଶି ହାଣ୍ଡିରୁ ତୁମ୍ବାରୁ ପତ୍ର ଚୌକନିର ଅଜାଡ଼ି ଖାଇ ଲାଗିଛନ୍ତି, ପାଟି କରୁଛନ୍ତି, ତାହାରି ଆଗରେ ତାର ଫମ୍ପା ଘରକରଣା, ଦିଉଡ଼ୁ ଫେରି ନାହିଁ ।

 

ଖା’ପିଆ ବେଳ ଗଡ଼ିଯାଇଥାଏ । ଅଖିଆ ଅପିଆ ଶୁଖିଲା ମୁହଁରେ ବସି ରହିଥାଏ ପୁୟୁ-। ଦୂରରୁ ଯେମିତି କେତେ ଲୋକଙ୍କର ପାଟି ଶୁଭିଲା, ଗୋଡ଼ିଆଗୋଡ଼ି ହୋଇ ଲୋକେ ସାହିମୁଣ୍ଡକୁ ଗଲେ । କୁହାକୁହି ହୋଇ ସ୍ତ୍ରୀଲୋକମାନେ ଘରୁ ବାହାରିଗଲେ । ଯିବାକୁ ପୁୟୁର ଆଗ୍ରହ ବଳିଲା ନାହିଁ, ଗାଁରେ ଏମିତି ମଉଜ ଲାଗେ, ସାମାନ୍ୟ କଥାରେ ହାଟ ବସେ । ଆଗ୍ରହପାଇଁ ଆଉ ତାର ମନବଳ ନାହିଁ । ହେଇ, ପାଖେଇ ଆସୁଛି ଗାଁର ମଉଜ, ବଢ଼ି ବଢ଼ି ଉଠୁଛି ମଣିଷଙ୍କ ଘାଉଁ ଘାଉଁ ପାଟି, କିଏ ଯେମିତିକି ଏ କଳରବର ଦୁନିଆଁ ଉପରୁ ଆସ୍ତେ ଆସ୍ତେ ଢାଙ୍କୁଣୀଟା ଟେକିଦେଉଛି । ଏ କ’ଣ ? କ’ଣ ସବୁ କୁହାକୋହି ହେଉଛନ୍ତି, କ’ଣ ଏ ଘୋ ଘା ପ୍ରବଳ ହୋଇ ମାଡ଼ି ଆସୁଛି ପାଖକୁ-କ’ଣ କହୁଛନ୍ତି ? ସାଓଁତା । ଭଉଁରିରେ ଘୋଷାରି ହେଲାପରି ଆପଣାଭୁଲା ହୋଇ ପୁୟୁ ପଦାକୁ ଦଉଡ଼ିଗଲା । ଦେଖିଲା ।

 

ପିଣ୍ଡାରୁ ଦୁଆରକୁ ନ ଓହ୍ଲାଉଣୁ ଥକ୍କା ପଡ଼ିଗଲା ପାଦ, ଖୁଣ୍ଟପରି ନିଶ୍ଚଳ ହୋଇ ଠିଆହୋଇ ପୁୟୁ ଦେଖିଲା, ଦୁଆର ମୁହଁକୁ ଅନେଇଁ ଠିଆହୋଇ ରହିଛି ଦିଉଡ଼ୁ ସାଓଁତା, ତାରି ପାଖରେ ବୁଜୁଳା ବୁଜୁଳି ମୁଣ୍ଡେଇ ଗୋଟିଏ ନୂଆ ଧାଂଡୀ ଠିଆ ହୋଇଛି, ଗାଁଯାକ ଲୋକ ଥାଟ ପଟାଳି, କେତେ ତୁଣ୍ଡରେ କେତେ ପ୍ରକାର ପଚରା ପଚରି ତର୍କ ବିତର୍କ, ଅନେଇଁ ରହିଛନ୍ତି ସେହି ଦୁହିଁଙ୍କୁ,-ପୁୟୁକୁ ଦେଖିଲା ମାତ୍ରେ ହୋ ବଢ଼ି ଯାଉଛି; ଜନତା ଭିତରେ ସୁଅ ପଡ଼ିଯାଉଛି, କ’ଣ ହୋଇଯାଉଛି ସବୁ ନାଚୁଛି । ବୁଲୁଛି ଓଲଟୁଛି ଟଳୁଛି-ଦୁନିଆ ପାଗଳ ହୋଇଛି । ଏଇ ମେରିଆ ବଳି ପଡ଼ୁଚି କି ସେ ନିଜେ, କେତେ ଖଣ୍ଡଖଣ୍ଡିଆ କଥା ଚାରିଆଡ଼ୁ ଉଡ଼ି ଆସୁଛି ତାକୁ ଚୋଟ ଚୋଟ କରି ହାଣି ପକୋଉଛି, ଦିଉଡ଼ୁ କ’ଣ କହୁଛି ଏ, ନୂଆ ଧାଂଡୀ ଆଣିଛି, ଗୋଟାଏ ଭାରିଯା ଥିଲେ ଆଉ ଗୋଟାଏ ଆଣିବାକୁ କ’ଣ ମନା ଅଛି-କାହିଁକି ଲୋକେ ତା ଆଡ଼କୁ ଧାଇଁ ଆସୁଛନ୍ତି-କ’ଣ ଏମିତି ଚକପରି ଘୂରୁଛି ମଣିଷ ଘର ସବୁ ମିଶି-ମାଶି । ତେଣିକି ଆଉ ନାହିଁ । ସବୁ ଅନୂଭୂତି ସରିଯାଇଥିଲା । ପୁୟୁ ମୂର୍ଚ୍ଛା ଯାଇଥିଲା ।

 

ଯେତେବେଳେ ଅନେଇଁଲା, ଅଣ୍ଡାଳିଲା ହାକିନା ନାହିଁ, ତା ପାଖରେ ଶୋଇଛି । ନିଆଁ ଜଳୁଛି ଧିମେଇଁ ଧିମେଇଁ, ଘର ଭିତର ଅନ୍ଧାର । ସବୁ ନିଶ୍ଚଳ ପଡ଼ିଯାଇଛି । ଭାବିଲା ରାତି ବହୁତ । ନିଦବାଉଳାରେ କ’ଣ ଅସାର ସ୍ୱପ୍ନଗୁଡ଼ାଏ ଦେଖିଥିଲା ପରି ଲାଗିଲା । କର ଲେଉଟାଇଲା । ଏଗୁଡ଼ାକ ଓଦା ହେଲା କେମିତି ? କିଏ କଥା କହୁଛି ? ସେହି ଅନ୍ଧାର ଭିତରୁ ଜାମିରିର ବୁଢ଼ୀ ଉଠି ଠିଆହେଲା, ମୁଣ୍ଡ ଆଉଁଶି ଦେଇ କଅଁଳେଇ କହିଲା, ‘ଉଠିଲୁ କିଲୋ ମା’-’ ଠିକ୍ ତାର ଆର ପାଖରେ ଘାଗଡ଼ା ଗଳାକୁ ଥରେଇ ଥରେଇ ଜାମିର ବୁଢ଼ାର ସ୍ୱର-’ଉଷୁମ୍ ମାଣ୍ଡିଆ ପେଜ ମନ୍ଦିଏ ତା ତୁଣ୍ଡ ପାଖରେ ଧର୍, ଏଇଚ୍ଛା ତାକୁ ବକାନା’ । ଧୀରେ ଧୀରେ ଭାବନା ଫେରି ଲାଗିଲା, ମଠେଇ ମଠେଇ ପାଣି ଜକେଇଲା ପରି ଝର ପରି ବଢ଼ି ବଢ଼ିକା ମନେପଡ଼ିଲା, ରାତି ହେଲା ଦିଉଡ଼ୁ ଲେଉଟିଲା ନାହିଁ । ବଡ଼ ବଡ଼ ଆଖି ଫାଡ଼ି ଚାରିଆଡ଼କୁ ଅନେଇଁଲା ଜାମିରିର ବୁଢ଼ୀ ମୁହଁ ଉପରେ ଉହୁଁକି ପଡ଼ି ଚୁ ଚୁ କହି ମୁଣ୍ଡ ଆଉଁଶୁଛି କବାଟ ଖୋଲିଦେଇ ବୁଢ଼ା ପଦାକୁ ଚାଲିଗଲା । କେତେ ଦିନ ଅଛି । ରାତି ହୋଇଥିଲା କେମିତି ? ସବୁ ମନେପଡ଼ିଲା । ଧୀରେ ଧୀରେ ପ୍ରାଣର ଅନ୍ତରୁ ସବୁଯାକ ଚୁପୁଡ଼ି ନିଗାଡ଼ି ଦେଇ ଆଖି ବାଟେ ଠେଲିହୋଇ ଆସିଲା ବଡ଼ ବଡ଼ ଲୁହ ଠୋପା । ବୁଢ଼ୀ ସାନ୍ତ୍ୱନା ଦେଲା, ‘ଛି ମା’, ପିଲା ହେଲୁ ? ସମ୍ଭାଳି ନେ, ପଛର ମାଇକିନା ପଛ, ଆଗର ଆଗ, ତୋର କ’ଣ ଊଣା ହୋଇଯାଇଛି, କାହିଁକି କାନ୍ଦୁଛୁ ?’ ତୋଫାନ ବେଗରେ ସବୁ ମନେପଡ଼ିଲା, ହଁ ଏ ତାର ଘର ନୁହେଁ ପରା, ଜାମିରିର ଘର, ତା’ ଘରେ-, ଭାବିବାକୁ ଆଉ ତର ନାହିଁ; ସବୁ ଭାବନାକୁ ମାଡ଼ିଦେଇ ବୁଡ଼େଇ ଉଛୁଳେଇ ଚାଲିଲା କାନ୍ଦଣା, ସବୁଯାକ ଲୁହ ତାର ଦରକାର, ଜୀବନ ଗୋଟାକର ସବୁଯାକ କମେଇଁ ଥିବା ସମ୍ପତ୍ତି ।

 

ଲାଗି ରହିଲା ବଢ଼ି ବଢ଼ିକା-ପୁୟୁର କାନ୍ଦଣା ବୁଢ଼ୀର ସାନ୍ତ୍ୱନା-ବୁଢ଼ୀ ଅସୁରୀପରି ଚମକି ପଡ଼ି ଉଠି ହାକିନା ତାର ଛୋଟ ପାଟିଟି ସେଥିରେ ମିଶେଇଦେଲା ।

•••

 

ଅନେଶତ

 

‘ଏ କଣ୍ କାନ୍ଦୁଥିବୁ ଖାଲି,-ଆଲୋ, ଆଲୋ ପୁୟୁ, ଦେଖିଲୁ ତୋ ପିଲାଟାର ଦଶା କ’ଣ ହେଲାଣି,-ପିଲାଟାକୁ ଖିର ଦେ, ଆଲୋ ବାୟାଣୀ, ଶୁଭୁଚି ନା-’ ଜାମିରିର ବୁଢ଼ୀ ବାରମ୍ବାର ହଲେଇ ଲାଗିଛି । କାନ୍ଦଣା ସୁଅର ଶେଷାଶେଷ, ତୁନିତାନି ଖାଲି ପାଣି ବୋହିପଡ଼ୁଛି, ମୁହଁ ଟେକି ପୁୟୁ ଅନେଇଁଲା । ହାକିନା ତଳେ ଗଡ଼ି ଗଡ଼ି କାନ୍ଦୁଛି । କାନ୍ଦି କାନ୍ଦି ମୁହଁ କଳା ପଡ଼ିଗଲାଣି । ଛାଟିପିଟି ହୋଇ ହୋଇ ହାତଗୋଡ଼ ନାଠି ହେଲାଣି । କେତେବେଳେ ଟିକିଏ କ’ଣ ସେ ଖାଇଥିଲା । ପିଲାକୁ ଅଣ୍ଟିକି ଗୋଟେଇନେଲା । ଆହା ଉତ୍ତାଣି ପିଲାଟା, କ’ଣ ହେବ ୟା ଅବସ୍ଥା । ଆହୁରି ଅସରାଏ; ଆହୁରି ଅସରାଏ । ସାନ ସାନ ବୁନ୍ଦା ଲଗାଲଗି ହୋଇ ଛିଞ୍ଚିଲା ପରି ଝରିପଡ଼େ ରହିରହିକା, ବରଷା ଶେଷରେ ମଠୁଆଣି ଧକା ପବନରେ ଓଦାଗଛରୁ ପାଣି ଝଡ଼ିଲା ପରି । ହାକିନା କ୍ଷୀରରେ ମୁହଁ ପୋତିଲାଣି, କେତେବଳର ଭୋଗ, ଝୁଣି ଲାଗିଛି । ଚୋରେଇ ଚୋରେଇ ଅନେଇଁ ଦେଉଛି ମା’ ମୁହଁକୁ । ପୁଅକୁ କୋଡ଼ରେ ଧରି ଧୀରେ ଧୀରେ ବିବେଚନା ଶକ୍ତି ଫେରିଆସୁଛି । ପାଦତଳେ ଦମ୍ଭ ବସୁନ୍ଧରା, ଆଶ୍ରା ଦେଉଛି, ଭରସା ଦେଉଛି । ଚାରିଆଡ଼ ଫାଙ୍କା ପଡ଼ିଯାଇଥିଲା, ଲୁହ ଜୁଡ଼ୁବୁଡ଼ୁ ଆଖି ଆଗରେ ପଛୁଆଣି ଦିନର ଶୀତଳ ଖରା ପଡ଼ିଲାଣି ପିଣ୍ଡା ଉପରେ, ଖୋଲା ପବନ ମାଠି ଯାଉଛି ମନରୁ ଦରଜ ଉପରେ ସ୍ମରଣ ଫେରୁଛି, ଜୀବନ ଅଛି, ସଂସାର ଅଛି ।

 

‘ଚାଲୁନୁ ପଦାକୁ, ଆ’ ପିଲାକୁ କୋବଲେଇଲା ପରି ଯତ୍ନ କରି ଜାମିରିର ବୁଢ଼ୀ ସଙ୍ଖୋଳି ଲାଗିଛି । କବାଟକୁ ଭଲକରି ଖୋଲିଦେଲା, ‘ଆ ଲୋ ମା’, ଆ’ ତାହାରି ପଛେ ପଛେ ପଦାକୁ ଯାଇ ପୁୟୁ ପିଣ୍ଡାରେ ବସିଲା । କେତେଛୁଣିକା ଦାଣ୍ଡ ଖାଲି ହୋଇଗଲା, କାହାନ୍ତି କିଏ ? ଉଦାସ ହୋଇ ବିକଳ ଆଖିରେ ବେକକୁ ପଛକୁ ଭାଙ୍ଗିଦେଇ ମାଇପିଟାଏ ଏକାଠାଆକେ ବସି ରହିଛି । ଜାମିରିର ବୁଢ଼ୀ କରପଟିଆ ଠିଆହୋଇ ଅଣ୍ଟାରେ ହାତଦେଇ ଖାଲି ସେହିଆକୁ ଦେଖୁଛି । କେତେ କ’ଣ କହିଯାଉଛି ସେ, ପୁୟୁର ମନରେ ପଶୁ ନାହିଁ, ଅଧା ଶୁଭୁଛି ଅଧା ନାହିଁ, କ’ଣ ଥାଏ ତହିଁରେ, ସବୁ ତୁଚ୍ଛା କଥା, ସେ ଏ ପୃଥିବୀର ନୁହେଁ ।

 

‘ଏମିତି କାହିଁକି ବସିଛୁ ଝିଅ, କଥା କହୁନୋହୁଁ, ପୁୟୁ, କଥା କହ । ଓଃ, କ’ଣ ଦିଶୁଛି ତୋ ମୁହଁ, ହଇ ଲୋ, କ’ଣ ହୋଇଗଲୁ, ଘଡ଼ିକ ସମ୍ଭାଳି ପାରିଲୁ ନାହିଁ ବାୟାଣୀ, ଆହୁରି ତ ଅଛି; ପାକେଲାବାଳରେ ଘର କରିବୁ, ପିଲା ପୋଷିବୁ । କ’ଣ ତୋର ହୋଇଛି କ’ଣ ? ଏତେ ବିକଳ ହେଲୁ । କିଏ ଅନେଇଁ ଦମ୍ଭ ଧରିବ, ହେଇତି ପରା ସହିପାରିଲା ନାହିଁ ବୁଢ଼ା ବାହାରିଗଲା, କି କାନ୍ଦଣା, ବିରାମ ନାହିଁ ଗାଡ଼ୁରୁ ଗାଡ଼ୁରୁ । ମନ ରା ଧରିଛି, ଓଃ ରଇଥା ନା, କାହିଁକି ମାହାଳିଆ କିଏ ବିରକ୍ତ କରୁଛି କାନ ପାଖରେ ।’

 

ଭାବିବାକୁ ଛାଡ଼ିଦେ, ଅନେଇଁବାକୁ ଦେ ।

 

ଫମ୍ପା ଫାଙ୍କା ଦୁନିଆଟାକୁ ଅନେଇଁବାକୁ ଦେ ଏକୁଟିଆ ଏକୁଟିଆ । ମୁହଁପଟେ ସେ ଟାଙ୍ଗି ହେଲା ପରି ରହିଛି । ଯାହା ଯେଉଁଠି ଥିଲା ସବୁ ଚାଲିଯାଇଛି । ଘର ପଡ଼ିଛି, ମଣିଷ ନାହାନ୍ତି, ଗୁହାଳ ଅନେଇଁଛି, ତୁଚ୍ଛା ଖୁଣ୍ଟିରୁ ପଘା ଝୁଲୁଛି । ଗୋରୁ ଗାଈ ନାହାନ୍ତି । ପୋଡ଼ା ଧାନ ବିଲ ମଝିରେ ବସୁଧା ଫାଟି ଆଁ କରିଛି ପାଟିକି ଟୋପାଏ ପାଣି ନାହିଁ, ଝୋଲା କାନି କାନି କସରା ଧଳା ହାଡ଼ କୁଢ଼ କୁଢ଼, ପାଣି ବଦଳରେ ସରୁ ସରୁ କଳା ବାଲିଚରା ଶୁଖିଗଲା, ସବୁ ଲଣ୍ଡା ନୁଖୁରା ଆଉ ଟାଁ ଶିଆ । କୁଆଡ଼େ ଥିଲା ଏତେ ତାତି-

 

ଚନ୍ଦା ପର୍ବତର ଖଦଖଦଡ଼ିଆ ପଥୁରିଆ ଫାଟରୁ ଉପରକୁ ଖାଲି ଉଡ଼େଇ ଲାଗିଛି କିଏ ପାଉଁଶଗୁଡ଼ାଏ, ଛିଣ୍ଡା ଟୋକେଇ ସବୁ ଗଡ଼ଗଡ଼େଇ ଗଡ଼ଗଡ଼େଇ ଗୋଡ଼ିଆଗୋଡ଼ି ହୋଇ ଉଡ଼ିଲାଗିଛି ଭଙ୍ଗା ହାଣ୍ଡିକୁଣ୍ଡେଇର କରବାଟ ଦେଇ । ଦଦରା ଚାଳ ଓଲୁରି ହୋଇ ଲାଗିଛି ଧୀରେ ଧୀରେ, ପୁରୁ ପୁରୁ ହୋଇ କୁଟା ଉଡ଼ି ଯାଉଛି, କଳା କହରା କଳା ପାଉଁଶିଆ ବାଉଁଶଗୁଡ଼ାକ ବୁଢ଼ା ମଣିଷର ଦାନ୍ତ ପରି ତୋଫାନରେ ହଲିଲାଗିଛି, ହଲିହଲି ଅଜାଡ଼ି ହୋଇ ପଡ଼ୁଛି ଗୋଛା ଗୋଛା ଘରର ଚାଳ, ହେଇ, ପାଉଁଶର ଧୂମ ଘୋଟିଆସିଲା, ପର୍ବତକନ୍ଦିରୁ ବିଚିତ୍ର କିଳିକିଳା । ଓଃ କି ତାତି, ସବୁ ଶୁଖିଗଲା ! କ’ଣ ହେଲା ? ଆଉ ଭାବି ହେଉ ନାହିଁ । କାଚପରି ଆଖି ଦିଟା ଗେଞ୍ଜିଦେଇ ଆଉଜିପଡ଼ି ବସିରହିଛି ଲୋକଟା, ହଲ୍ ନାହିଁ ଚଲ୍ ନାହିଁ । ଗୋରୁ ବାହୁଡ଼ାଣି ବେଳ ହେଲାଣି, ଦାଣ୍ଡେ ଦାଣ୍ଡେ ଚବର ଚବର ହୋଇ ଗଲେଣି କେତେ ଲୋକ । ପାଟି ବନ୍ଦକରି ଏପାଖ ସେପାଖ ଅନେଇଁ ମାଠିଆ କାଖେଇ ମାଇପେ ପାଣିକି ଲମ୍ବିଲେଣି, ପିଲାଏ ଡେଇଁଲେଣି, ଖରା ମୁରୁକିହସା ଦେଇ ଓହ୍ଲେଇ ପଡ଼ିଲାଣି ବି ପର୍ବତ ମଝିକୁ । ପୁୟୁର ସୋର ନାହିଁ ।

 

କିଏ ସେ ଘରୁ ହସୁଛି ? କାହାର ପାଟି ୟେ ? ନିଦରୁ ଉଠିଲାପରି ପୁୟୁ ମୁହଁ ଟେକି ଶୁଣିଲା । ଦିଉଡ଼ୁ ହସୁଛି, ତାର ନୂଆ ଭାରିଯା ହସୁଛି । ପଡ଼ିଶା ଘରୁ ଭଗାରୀ ହସୁଛି । ଆସ୍ତେ ଆସ୍ତେ ଲୁହ ଶୁଖି ଆସିଲା, ମଳିନ ମୁହଁରେ ତାତି ଚହଟି ଆସିଲା ପରସ୍ତ ପରସ୍ତ ହୋଇ । କାନମୁଣ୍ଡା ଗରମ ହୋଇ କାନ ଠିଆ ହେଲା । ଦୁଃଖ ସୁଖ ଲାଗିଛି । ବଡ଼ ପାଟିରେ ହସାହସି ହେଉଛନ୍ତି । ତାରି ଘରେ ତାରି ମୁହଁ ଉପରେ ଦେଖେଇ ଶତ୍ରୁ ଅଦୋଉତି ସାଧୁଛି । ରାଗରେ ଫୁଲି ଫୁଲି ପୁୟୁ କଠିନ ହେଲା, ଆଉ କାନ୍ଦଣା ନାହିଁ, ବଳ ଆସିଲା, ପାଚିଲା ଲୁହା ପରି ରାଗର ବଳ । ମନ ହେଲା ସେ ବସି ବସି ଶୁଣୁଥାନ୍ତା ଆଉ ରାଗୁଥାନ୍ତା । କେତେବେଳେ ଏକା ଝାଙ୍କରେ ଦୁଆରକୁ ଓହ୍ଲେଇ ପଡ଼ି ଆପଣା ଉପରେ କାବାହୋଇ ସେ ଭାବିଲାଗିଛି, କାହିଁକି ଏଠିଟାରେ ବସି ରହିଛି ସେ, କ’ଣ ଦେଖିବ ବୋଲି । ପିଲାଟିକୁ ରୁଣ୍ଡେଇ ଧରି ସେ ଚାଲିଗଲା ।

 

ସେତେବେଳେ ଅନ୍ଧାର ପଡ଼ୁଥାଏ ।

•••

 

ଶଏ

 

‘କିଏ ସେ ଯାଉଛ ?’

ପୁୟୁ ଚମକି ପଡ଼ିଲା । ଅଟକି ରହି ପଛକୁ ଅନେଇଁଲା ।

 

ପାଟି ଲୁଣି ଚରିଗଲାଣି, ମନରେ ନିଆଁ, ଗାଁ, ସରିଆସିଲାଣି ପରା । କୁଆଡ଼େ ସେ ଚାଲିଛି ।

 

ଆଗକୁ ଆହୁରି ପାହୁଣ୍ଡେ ଦି ପାହୁଣ୍ଡ, ପଛରୁ ପୁଣି ଥରେ ଦିସାରି ଗର୍ଜନ କଲା, ‘ଅନ୍ଧାରରେ ବଣ ଆଡ଼କୁ କିଏସେ ଯାଉଛ, ଶୁଭୁ ନାହିଁ କି ? ଆସ ଫେରିଆସ ।’ କିଛି ନ କହି ତଳକୁ ମୁଣ୍ଡପୋତି ପୁୟୁ ଲେଉଟି ଚାଲିଲା । ଆକାଶରେ ତାରା ବିଞ୍ଚି ହୋଇ ପଡ଼ିଛନ୍ତି, ସବୁଦିନ ପରି ଆଜି ବି ପାଣ୍ଡ୍ରୁ ଦିସାରି ତାର ଘର ଆଗରେ ଉଞ୍ଚ ପଥର ଉପରେ ବସି ରହି ନକ୍ଷତ୍ରଙ୍କ ଯୋଗେ ଦେଖୁଛି । ତାରା ଧାସରେ ତାର ଦେହ ବାରି ହେଉଛି । ହଲ୍ ନାହିଁ ଚଲ୍ ନାହିଁ, ପଥର ପରି ।

 

ଦିସାରି ପୁଣି ସବୁ ଭୁଲିଯାଇଥିଲା । ସେହି ଉପରକୁ ତାର ଆଖି । ତୁନିହୋଇ ଆସି ପଥର ତଳେ ପୁୟୁ ଠିଆହେଲା । ଦୂରରେ ଗାଁଦାଣ୍ଡ ଉପରେ ଠାଆ ଠାଆକେ ରନ୍ଧାଚୁଲିର ନାଲି ଧାସ ଝଲ ଝଲୋଉଛି । ପଞ୍ଝା ପଞ୍ଝା ହୋଇ ଲୋକ ଜମିଛନ୍ତି । କଥା ପଡ଼ିଛି ।

 

କି କଥା ? ଖାଲି ତାରି କଥା ତ ! ଦୁନିଆଯାକର ସହାନୁଭୂତି ପଛଆଡ଼ୁ ଖାଲି ଖାଇ ଗୋଡ଼ୋଉଛି । ହାଟ ବସିଛି । ନାଁ ଡାକ୍ ହୋଇଛି ଗାଁ ଗୋହିରିର ଧୂଳିକୁଢ଼ରେ ସେ ମୁଣ୍ଡରେ ତାର ଘର, ତାର ଘର ତାର ସଂସାର, ତାର ଧାଂଡୀ ଜୀବନର ସମାଧି । ମନେପଡ଼ିଗଲେ ପ୍ରାଣ କୁହୁଳି ଉଠୁଛି ।

 

ଅଣ୍ଟିରେ ଛୁଆଟି ଭିଡ଼ିମୋଡ଼ି ହେଲାଣି, କେତେବେଳୁ ଶୋଇ ପଡ଼ିଥିଲା ବିଚରା । କ’ଣ ହେବ ତାର ଦଶା ! କିଏ ତାକୁ ମୋର ବୋଲି ମଣି ପଣତ ଘୋଡ଼େଇ ପୋଷିବ ପାଳିବ, କାହା ବଳରେ ଦମ୍ଭ ହୋଇ ଠିଆହେବ ସେ ମଣିଷଛୁଆ ?

 

ଦରଦର ଲୁହ ନିଗିଡ଼ି ପଡ଼ିଲା, ମନେପଡ଼ିଲା, ଭଗବାନ୍ ଆକାଶରେ ଦର୍ମୁ ତଳେ ଦର୍ତନୀ, ଦିସାରିର ଆସ୍ଥାନ ପଥର ତଳେ କଇଁ କଇଁ ହୋଇ କାନ୍ଦି ଉଠି ପୁୟୁ ବି ଆକାଶକୁ ମୁହଁ ଟେକିଲା ।

 

ଚରମ ବେଦନାର ମୂର୍ତ୍ତିରୂପ ପରି କଳା ନିରାଶାରେ ପ୍ରାଣ ଭିତରୁ ଡାକ ଉଠିଲା ଭଗବାନ୍ ଭଗବାନ୍ ଦଦରା ହାଣ୍ଡିର ଫମ୍ପା ଆଧେୟ, ଦୀର୍ଘଶ୍ୱାସରେ ତାତିର ଝାଞ୍ଜି, ଲୁହଭିଜା ମଣିଷର ହାତଗଢ଼ା ସଂସ୍କାର,-ଅନ୍ଧାରି ଭଗବାନ୍ ।

 

‘କିଏ କାନ୍ଦୁଛି ? କ’ଣ ହେଲା ?’ ଦିସାରି ତଳକୁ ଡେଇଁପଡ଼ି ପାଖକୁ ଆସିଲା ‘ଓଃ, ସାଓଁତା ଡୋକ୍ରି (ଭାରିଯା) କାନ୍ଦନା ମା’ । ଚାଲ୍ ଚାଲ୍ ।’ କଁଳେଇ ଅଡ଼େଇ ନେଲା ଆପଣା ଘର ଦୁଆର ମୁହଁକୁ । ଡାକିଲା, ‘ଆଲୋ ବୁଢ଼ୀ, ଦେଖିଲୁଣି କିଏ !’ କବାଟ ଫିଟେଇ ବୁଢ଼ୀ ପୁୟୁକୁ ଦେଖିଲା । କିଛି କହିଲା ନାହିଁ, କୁଣ୍ଢେଇଧରି ଘର ଭିତରକୁ ଟାଣି ନେଲା, ପଛେ ପଛେ ଗଲା ପାଣ୍ଡ୍ରୁ ଦିସାରି ।

 

କାହାରି ମୁହଁରେ ପଦେ କଥା ନାହିଁ । ଚୁଲି ଜଳୁଛି, ରନ୍ଧା ବସିଛି । କାନ୍ଥକୁ ଆଉଜି ପୁୟୁ ବସିରହିଲା । ବୁଢ଼ୀ ଚୁଲିରେ କାଠ ଗେଞ୍ଜି ଦେଉଛି । ନିଆଁ ଧାସରେ ଆଣ୍ଠୁ ଉପରେ ଆଣ୍ଠୁ ପାରିଦେଇ ହାତ ଉପରେ ଗାଲ ରଖି ଦିସାରି ବସି ଭାବୁଛି, ତାର ଜିକି ଜିକି ଗୋରା କପାଳ ଉପରେ ଛାଇ ଉଡ଼ୋଉଛି, ଉଜ୍ଜ୍ୱଳ ଚହଟୁଛି, ଧୀରେ ଧୀରେ ଫୁଟି ଫୁଟି ଉଠୁଛି ବୁନ୍ଦାବୁନ୍ଦା ଝାଳ ।

 

କେତେବେଳେ ଗଲା । ତୁନି ତୁନି କରି ବୁଢ଼ୀ କଥା ପକେଇଲା, ଦିସାରି ମୁଣ୍ଡ ହଲେଇଲା । ସବୁଠି ସେହି ଗୋଟାଏ କଥା । ପୁୟୁ ଭାବୁଥାଏ, ସଂସାରୀ ମଣିଷଙ୍କ ସରଳ ଉପଦେଶ ସହିଯାଅ ସବୁ, ମୁହଁ କାନ ବୁଜି, ଭାଗ୍ୟକୁ ମୁଣ୍ଡପାତି, ବଳେ ଦିନେ ନା ଦିନେ ସବୁ ସୁଧୁରିଯିବ, ଭଲ ଆଉ ଭେଲ ବାରି ହୋଇପଡ଼ିବ, ଦୁଷ୍ଟ ଦଣ୍ଡ ପାଇବ, ନ୍ୟାୟବନ୍ତ ପାଇବ ପୁରସ୍କାର । ସେହି ଭବିଷ୍ୟତକୁ ଆଖି ରଖି ଆଶା ବାନ୍ଧି ଧୈର୍ଯ୍ୟ ଧର, ଦମ୍ଭ ହୁଅ ।

 

ମନରଖା ସାନ୍ତ୍ୱନା ମଣିଷର । କ’ଣ ଥାଏ ତହିଁରେ ?

 

ସାନ୍ତ୍ୱନାର ବାଣୀ ଧୀରେ ଧୀରେ ପୁଣି ସରିଗଲାଣି, ମଉଳିଗଲାଣି । ନିଆଁଧାସ ପଡ଼ିଥାଏ ପୁୟୁ ମୁହଁ ଉପରେ । ଲୁହ ଶୁଖି ଆସୁଛି; ବାହାରର ତୋଫାନ ଭିତରକୁ ଭେଦିଛି । ସେଠିକି କଥା ପହଞ୍ଚେ ନାହିଁ, ଆପେ ଖସିପଡ଼େ । ପୁଣି ସେହି ତୁନିତାନି ଘର । କାଠପିତୁଳି ପରି ବୁଢ଼ାବୁଢ଼ୀ ବସିଛନ୍ତି । ରନ୍ଧା ହାଣ୍ଡିରେ ଏକା ତାଳରେ ଗବଗବ ଶବ୍ଦ । ବିଲିବିଲି ଅନ୍ଧାର ଭିତରେ ମଣିଷର ସାନ ଚୁଲିଟିଏ । ସେଠି ଧିମେଇଁ ଧିମେଇଁ ରଙ୍ଗ ରଙ୍ଗ ହୋଇ ନିଆଁ ଜଳିଯାଉଛି, ନାଲି, ବାଇଗଣି, ସବୁଜା ନିଆଁ । ନିଭି ଆସୁଛି, ତେଜି ହେଉଛି ଆପଣା ସୁଖେ । ବାହାରେ ଖାଲି ଅନ୍ଧାର ।

 

ସେଠି ସହାନୁଭୂତି ନାହିଁ ।

 

ଦୀର୍ଘଶ୍ୱାସ ପକେଇ ଦିସାରି ଉଠିଲା । ଆଖିର ପାଉଁଶିଆ ତଳେ ନାଲି ଚହଟିଛି । ତରତର ହୋଇ କହିଦେଇ ଗଲା, ‘ଯା ଗଣ୍ଡିଏ ଖାଇଦେ ମା’, ମୋର ଡେରି ଅଛି ।’ ବୁଢ଼ୀ ଚମକିପଡ଼ି ରନ୍ଧାହାଣ୍ଡିରେ ମନ ଦେଲା । ପୁୟୁ ପଦାକୁ ଆସିଲା । ପାହାଚ ଉପରେ ଦୂରକୁ ଅନେଇଁ ଠିଆ ହୋଇଛି ପାଣ୍ଡ୍ରୁ ଦିସାରି । କ’ଣ କାଳେ କହିବ କି ? ସବୁ ସେ ଜାଣିପାରେ, ପ୍ରସିଦ୍ଧ ସିଦ୍ଧାନ୍ତୀ । ପଚାରିଲେ କ’ଣ ନାହିଁ କରିଦେବ ? କାନ୍ଥକୁ ଲେସି ହୋଇ ପଚାରିବି ପଚାରିବି ବୋଲି କେତେଥର ପୁୟୁ ବିଚାରିଲା, ଓଠ ଥରି ଥରି ପୁଣି ସ୍ଥିର ହେଲା, ମୁହୂର୍ତ୍ତ ଚାଲିଗଲା; ପଚାରି ହେଲା ନାହିଁ, ଖସ୍ ଖସ୍ ଶୁଣି ବୁଲିପଡ଼ି ପାଣ୍ଡ୍ରୁ ଦିସାରି କହିଲା, ‘କାହିଁକି ଫେର୍ ପଦାକୁ ଆସିଲୁ, ପିଲାକୁ ଥଣ୍ଡା ଲାଗିବ ଯେ ! ଯା ମା’, ଘରକୁ ଯା, ଖିଆପିଆ କର, ମୋର ଉଛୁର ହେବ । ଯା, ଏତେ ଦୁଃଖ କାହିଁକି ? ମନକୁ ଭୁଲେଇ ନେ, ପାସୋରି ପକା । ଆନନ୍ଦପାଇଁ ଆମର ଜନ୍ମ, ନିଜେ ଇଚ୍ଛା ନ କଲେ କାହାର ଶକ୍ତି ଅଛି ପ୍ରାଣକୁ ପୀଡ଼ା ଦେବ । ସଂସାରରେ ଦୁଃଖ ନାହିଁ ।’

 

କହିଦେଇ ଚାଲିଗଲା । କେଡ଼େ ସୁନ୍ଦର । ପୁଣି ତାର ପଥର ଉପରକୁ ଚଢ଼ିଯାଉଛି । ରାତିଯାକ କେତେ ତାରା ଗଣାଗଣି । ସେ ବଡ଼, ସେ ଜ୍ଞାନୀ, ତାର ବିଶ୍ୱାସ ଅଛି, ଆନନ୍ଦ ଅଛି । ତା ବୋଲି ତ ସମସ୍ତିଙ୍କର ନାହିଁ । ସମସ୍ତେ କ’ଣ ତା’ରି ପରି ?

 

ପାସୋରି ପକା ! ଦୁଃଖ ନାହିଁ ! ସେ କ’ଣ ତାର ପ୍ରାଣର କଥା ? ସେ କ’ଣ ସତ ? ତାରାର କଥା, ଆକାଶର କଥା,-ରକ୍ତ ମାଂସର ମଣିଷର ନୁହେଁ ।

 

ଅନ୍ଧାର ଦୁଲୁକୁଛି, କାଳିଆ ଝୋଲା ଭିତରେ ଅନ୍ଧାରି ବଢ଼ି ପରି ।

ଆକାଶରେ ମିଟିମିଟି ତାରା, ଅତି ଦୂର, ଉଦାସର ଦ୍ୟୋତକ ପରି ।

ପଚାରିଲେ ଜବାବ୍ ମିଳେ ନାହିଁ । ନିର୍ମମ ନିବୁଜ ଯବନିକା ।

ପଥର ଉପରେ ବସି ରହିଛି ଦିସାରି, ସତ୍ୟର ସନ୍ଧାନୀ । ଦେଖୁଥିବ ରୋକି ପାରିବ ନାହିଁ, ବୁଝୁଥିବ ବୁଝେଇ ପାରିବ ନାହିଁ । ବରଷା ମଝିରେ ଗୋଟାଏ ଶୁଖିଲା ରାତି, କାହାପାଇଁ ସେ, ତା’ପାଇଁ ନୁହେଁ ।

ଜୁଳୁଜୁଳିଆ ଉଡ଼ି ବୁଲୁଛନ୍ତି, ଗୋଲେଇ ବୁଲି ଢେଉପରି ଅନ୍ଧାର ବିଛେଇ ହୋଇଛି । ସବୁ ଶୋଇପଡ଼ିଲା ପରି, ଗାଁ ଦାଣ୍ଡରେ ଆଲୁଅର ଧାସ ନାହିଁ, ମଣିଷର ସ୍ୱର ନାହିଁ, ସବୁ ବୁଡ଼େଇ ଦେଇ ସବୁ ଉଛୁଳେଇ ଦେଇ ଲଦିହୋଇ ଆସୁଛି କେବଳ ଶୀତଳ ବିସ୍ମୃତି ।

ରାତି ବଢ଼ିଥାଏ । ଦିସାରି ଆସିଲା । ଦୁଆର ମୁହଁରେ ତୁନିହୋଇ ବୁଢ଼ୀ ବସିଛି । ଫୁସ୍‌ଫୁସ୍ ହୋଇ ଦି’ପଦ କଥାଭାଷା । ବୁଢ଼ୀ ହାତ ଦେଖେଇ ଦେଲା । କାନିଟି ଘୋଡ଼ିହୋଇ କାନ୍ଥକୁ ଲାଗି ମେଞ୍ଚାହୋଇ ଶୋଇଛି ପୁୟୁ । ଦିସାରି ନଇଁପଡ଼ିଲା । ଧୀରେ ଧୀରେ ଆଉଁଶି ଲାଗିଲା ତାର ମୁଣ୍ଡକୁ । ଦେହ ଥରେଇ ଦେଇ ନିଦରେ ନିଦରେ କାନ୍ଦଣାର ହେକାପରି ପୁୟୁର ନିଶ୍ୱାସ ଶୁଭିଲା । ବୁଢ଼ୀ କହିଲା, ‘ଏଠିଟାରେ ଶୋଇଥିବ ?’ ‘ଶୋଉ’, ଦିସାରି କହିଲା, ‘ମନଇଚ୍ଛା ଶୋଇଥାଉ, ଉଠାନା, ନିଦ ହୋଇଯାଇଛି । ଘୋଡ଼େଇ ଦେବା, ପିଣ୍ଡାରେ ତାଟି ଡେରିଦେବା, ଡର କ’ଣ, ଆମେ ତ ଅଛୁଁ । କାହାର ଝିଅ, କାହାର ବୋହୂ, ଆହା !’

ମନକୁ ମନ ଦିସାରି କହି ଲାଗିଲା, ‘ସରବୁ ସାଓଁତା, ସରବୁ ସାଓଁତା, ଏ କ’ଣ ହେଲା !’

•••

 

ଶଏ ଏକ

 

ଫଜେରା ଫାଟୁଥାଏ ।

ପିଲାକୁ ବୁଝେଇ ବୁଝେଇ ପୁୟୁ ଉଠି ଠିଆହେଲା ।

 

ଦିସାରିଘର ଶୋଇଛନ୍ତି । ନୂଆ ଜୀବନର ସମସ୍ୟା ଘେନି ଚହଟି ଆସୁଛି ପାହାନ୍ତି । କନ୍ଧର ପଦେ କଥା, ମୋର ତୁମଠିଁ ମନ ନାହିଁ । ତା’ପରେ ଆଉ କ’ଣ ରହିଲା ? କି ସ୍ୱାର୍ଥ ତାର ଏ ଗାଁରେ ? ଲୋକେ ଉଠିବେ, ଝିନ୍‌ଝଟ ବଢ଼ିବ, କାହାର ତଳିଆ ହୋଇ ରହିବ ସେ ।

 

ଟିକି ଚଢ଼େଇର ବସା ଅଛି, ପିମ୍ପୁଡ଼ିର ଅଛି ଅଧାର । ତାକୁ ରହିବାକୁ ଥାନ ନାହିଁ ? ରାତିର ପ୍ରତିଜ୍ଞା ଚେହେରା ଧରି ଉଇଁଲା ଆଖି ଆଗରେ । ଦିଶିଗଲା, ଦୂର ମାଳ ଭିତରେ ମିଟିଂ ଗାଁ-। ବାପଘର କାନ୍ଥ ଭୁଶୁଡ଼ି ପଡ଼ିଛି, କେତେ ପୁରୁଣା ଲୋକ ମରିହଜି ଗଲେଣି । ତଥାପି ମୋର ବୋଲି କହିବାକୁ ଗାଁର ନାଁ ଅଛି, ସେହି ମହାବଳୀ ପର୍ବତ ସେମିତି ଠିଆ ହୋଇଛି, ସେହି ଚମ୍ପା ଝରଣା ସେହିପରି ବହିଯାଉଛି । ମାନୀ ରଘୁ ସାଓଁତା ବୁଢ଼ା ଆଦରରେ ଗୋଟେଇ ନେବ, କେହି ବୁଝୁ କି ନ ବୁଝୁ ପୁବୁଲି ବୁଝିବ । ଦର୍ତନୀର କୋଡ଼ରେ ସବୁରି ଢିଅ ଅଛି, କାହିଁର ଚିନ୍ତା । ଏହି ଦି’ଦିନିଆଁ ଜନ୍ମ ତ; ତା’ପରେ ପୁଣି ପରିବର୍ତ୍ତନ, ଏତିକି ବେଳ କଟେଇ ହେବ ନାହିଁ ?

 

ଠିକ୍ କହିଥିଲା ଦିସାରି, ମରଣ ନାହିଁ, ଦୁଃଖ ନାହିଁ !

 

ଓହ୍ଲେଇ ପଡ଼ିଲା, ତର୍‌ତର୍ ହୋଇ ଚାଲି ଲାଗିଲା, ଚାଲି ଲାଗିଲା, କିନ୍ତୁ ଏ କ’ଣ, କ’ଣ ହୋଇଯାଉଛି,-ନୂଆ ଯୁଗ, ନୂଆ ଦୁନିଆଁ, ଯେତେ ଦମ୍ଭକରି ଧରିଲେ ପ୍ରାଣ ଭିତର ଥରିଯାଉଛି-ଓଠ କମ୍ପିଯାଉଛି, ଆଖିରୁ ଲୁହ କେରା କେରା ହୋଇ ବୋହି ପାଟିରେ ପଶିଯାଉଛି, ଉଦିଆନ୍ ସୂର୍ଯ୍ୟକୁ ଚାହିଁ ନିଠେଇ ମନେ ମନେ କହିଲାଗିଛି-

 

‘ଜୀବନରେ ସୁଆଦ ଅଛି, ମରଣ ନାହିଁ, ଦୁଃଖ ନାହିଁ ।’

Image